Home / ସମୀକ୍ଷା / ହିନ୍ଦୁ ଓ ଇସଲାମ ସଂସ୍କୃତିର ମୈତ୍ରୀପୀଠ ସୁନ୍ଦରବନର ‘ବନ୍‌ବିବି’

ହିନ୍ଦୁ ଓ ଇସଲାମ ସଂସ୍କୃତିର ମୈତ୍ରୀପୀଠ ସୁନ୍ଦରବନର ‘ବନ୍‌ବିବି’

ସୁନ୍ଦରବନର ‘ବନବିବି’ ହେଉଛନ୍ତି ହିନ୍ଦୁ ଓ ମୁସଲିମ ସଂସ୍କୃତିର ଏକ ମହାମିଳନ ପୀଠ, ଯାହାକୁ କୌଣସି ବେଦପୁରାଣ, କୁରାନ, ମୁନିଋଷି କି ମୁଲ୍ଲାମୌଲବୀ ସୃଷ୍ଟି କରି ନାହାନ୍ତି । ତାହା ହେଉଛି ସୁନ୍ଦରବନରେ କାହିଁ କେଉଁ କାଳରୁ ବସବାସ କରି ଆସୁଥିବା ହିନ୍ଦୁ-ମୁସଲିମ ମେହେନତୀ ମଣିଷର ଅଖଣ୍ଡ ବିଶ୍ୱାସଦ୍ୱାରା ସ୍ୱତଃସ୍ଫୂର୍ତ ଭାବେ ସୃଷ୍ଟ ।

ଅଠରଜୁଆରିଆ ଦେଶ ସୁନ୍ଦରବନ । ବଂଗୋପସାଗରରେ ସ୍ଥିତ ପୃଥିବୀର ସର୍ବବୃହତ୍ ଲୁଣା ଜଂଗଲ । ବାଘ, ଅଲିଭ ରିଡଲେ, ଇରାବତୀ ଡଲଫିନ ଓ ହେନ୍ତାଳ ବଣ ଏ ଜାଗାଟିକୁ ବିଶ୍ୱ ପରିଚିତି ଆଣି ଦେଇଛି । ତେବେ ସୁନ୍ଦରୀ ନାମକ ଏକ ବୃକ୍ଷର ବହୁଳତା ଯୋଗୁଁ ଏହାକୁ ସୁନ୍ଦରବନ ବୋଲି କୁହାଯାଏ । ଏହାର ତିନି ଚତୁର୍ଥାଂଶ ବାଂଲାଦେଶରେ ତ ଏକ ଚତୁର୍ଥାଂଶ ଭାରତରେ । ମଧୁର ଜଳର ସବୁଠୁ ବଡ଼ ଅଂଶ ବାଂଲାଦେଶରେ ରହିଥିଲାବେଳେ ଜୁଆରିଆ ଲବଣ ଜଳରେ ବୁଡ଼ି ରହିଥିବା ଏକ ତୃତୀୟାଂଶ ଭାରତ ଦଖଲରେ ।

ସୁନ୍ଦରବନ ହେଉଛି ଭଟ୍ଟାର ଦେଶ । ଜୁଆର ଆସିଲେ ଭୂମି ଲୁଚିଯାଏ । ଭଟ୍ଟା ହିଁ ଜନ୍ମଦିଏ ମାଟିକୁ । ଏଠାରେ ଭୂଭାଗ ଭିତରେ ନଦୀମାନେ ଯାଇ ନାହାନ୍ତି ବରଂ ନଦୀଗୁଡ଼ିକର ଛନ୍ଦାଛନ୍ଦି ଗତିପଥ ଭିତରେ କିଛିକିଛି ଭୂଖଂଡ ବଂଚି ରହିଛି । ଏପଟେ ହୁଗୁଳି ନଦୀ ତ ସେପଟେ ମେଘନା ଯାଏଁ ବିସ୍ତୀର୍ଣ ସୁନ୍ଦରବନ ଜଂଗଲ ।

୧୯୭୩ରେ ସୁନ୍ଦରବନକୁ ବ୍ୟାଘ୍ର ସଂରକ୍ଷଣ ଯୋଜନାର ଅନ୍ତର୍ଭୁକ୍ତ କରାଯାଏ । ୧୯୮୭ରେ ବିଶ୍ୱ ଐତିହ୍ୟ ରୂପେ ଓ ୧୯୮୮ରେ ବିଶ୍ୱର ସାତଟି ବିରଳ ଜୈବ ବିବିଧ ଅଂଚଳର ଅନ୍ୟତମ କ୍ଷେତ୍ର ଭାବେ ଅନ୍ତର୍ଭୁକ୍ତ କରାଯାଏ ।

ସୁନ୍ଦରବନରେ ପ୍ରକୃତିର ଗତି ଓଲଟା । ସମୁଦ୍ରରେ ରହୁଥିବା ମାଛ ଗଛ ଚଢ଼ନ୍ତି, ଗଛ କୋରଡ଼ରେ ରହିଯାନ୍ତି । ମଶାରୀ ତଳେ ପଶି କଉମାଛ ମଣିଷ ସଂଗେ ଶୁଏ । ଗଛମାନଂକର ଚେର ପାତାଳମୁଖୀ ନହୋଇ ଆକାଶମୁଖୀ । ଭୂମି ଫଟାଇ ଉର୍ଦ୍ଧ୍ୱଗାମୀ । ଗଛରେଥିବା ଅବସ୍ଥାରେ ମଂଜୀମାନେ ଗଛ ହୋଇ ସାରିଥାନ୍ତି । ବାଘମାନେ ଅକାରଣରେ ମଣିଷ ମାରନ୍ତି । ମାଙ୍କଡ଼ ବି ପାଣିରେ ପହଁରନ୍ତି । ବଣ ଘୁଷୁରୀମାନେ ବି ମାଂସାସୀ ।

ବଣରେ ଧୁନଧୂଲ୍‌, ପାସୁର, ଜିୱା, ଗୋରାନ୍‌, ବେଉରା, ବେଇନ୍‌, ହେନ୍ତାଳ, ଗୋଲପଡ଼ା, ଗର୍ଜନ ଆଦି ୬୫ ପ୍ରକାରର ଗଛ, ୨୫୦ ପ୍ରଜାତିର ପକ୍ଷୀ । ବିଭିନ୍ନ ରକମର ବିଷଧର, ଅହିରାଜ ବା ଚନ୍ଦ୍ରଚୂଡ଼, ଚିତି ସାପ । ହରିଣ, ଚିତ୍ରା ହରିଣ, ବନଶୂକର ଭଳି ପଶୁ ।

ଏଥିରେ ରହିଛି ଛୋଟବଡ଼ ୧୦୮ଟି ଦ୍ୱୀପ । ଗୁଲଚା, ଗୋସାବା, ଝିଲଜଂଗଲ, ସୁଧନ୍ୟାଖାଲି, ପୀରଖାଲି, ଦୋବାକିଂ, ନଉବାଙ୍କି, ହାମିଲଟନ ଆଦି ଜନବସତିଥିବା ଦ୍ୱୀପରେ ରହନ୍ତି ପ୍ରାୟ ଚାଳିଶରୁ ପଚାଶ ଲକ୍ଷ ଲୋକ । ସେମାନଂକର ମୂଳ ବେଉସା ହେଲା ଚାଷ, ମାଛ, ଶୁଖୁଆ, କଂକଡ଼ା ଧରିବା, ବଣରୁ ମହୁ, ଝୁଣା, ଜାଳେଣି ସଂଗ୍ରହ କରିବା । ସୁନ୍ଦରବନର ତରଳ ସୁନା ହେଉଛି ମହୁ । ଏହି ମହୁ ସଂଗ୍ରହ ପାଇଁ ଲୋକଙ୍କୁ ଜୀବନର ବାଜି ଲଗାଇ ଦେଇ ହିଂସ୍ର, ନରଖାଦକ ବ୍ୟାଘ୍ରସଂକୁଳ ଗଭୀର ଅରଣ୍ୟ ଭିତରକୁ ପଶିବାକୁ ପଡ଼େ ।

ହିନ୍ଦୁ, ମୁସଲମାନ ନିର୍ବିଶେଷରେ ସୁନ୍ଦରବନର ରକ୍ଷାକତ୍ରୀ ଦେବୀ ହେଉଛନ୍ତି ବନବିବି । ଗାଁଗାଁରେ ବନଦେବୀଙ୍କ ଆସ୍ଥାନ । ହିନ୍ଦୁମାନେ ପୂଜାଥାନ ତିଆରି କଲେ ବନବିବି ବ୍ୟାଘ୍ରଦେବୀ ପାଲଟି ଯାଆନ୍ତି । ଦକ୍ଷିଣରାଏ ପାଲଟିଯାଏ ମହିଷାସୁର । ଦେବୀଙ୍କ ହାତରେ ଖଣ୍ଡା, ଖର୍ପର ଗଦା, ତ୍ରିଶୂଳ ଆଦି ଧାରଣ କରିଥାନ୍ତି । ମଥାରେ ଦାଉଦାଉ ସିଂଦୁର, ପିଂଧିଥାନ୍ତି କୁଂଚକରା ରଂଗିନ ଶାଢ଼ି ।

ଯେଉଁଠି ମୁସଲମାନମାନେ ପୂଜାଥାନ ତିଆରି କରିଥାନ୍ତି ସେଠାରେ ଦେବୀ ପିନ୍ଧିଥାନ୍ତି ଘାଘରା ଓ ପାଇଜାମା । କପାଳରେ ବିନ୍ଦି । ମଥାରେ ଘାଷ ତିଆରି ଟୋପୀ । ହେଲେ ବନବିବିଙ୍କ ଭାଇ ଶାହାଜଙ୍ଗଲୀ ସବୁବେଳେ ବୀରବେଶରେ ଦାଢ଼ୀଧାରୀ ମୁସଲମାନ । ତାଂକୁ ନେଇ ଦ୍ୱିମତ ନାହିଁ । ପରମ ଭକ୍ତ ଦୁଃଖୀ ସବୁବେଳେ ଯୋଡ଼ହସ୍ତରେ । କେବେ ବନବିବିଙ୍କ କୋଳରେ ତ କେବେ ନମସ୍କାର ମୁଦ୍ରାରେ ।

କେଉଁଠି ମୁସଲିମ ପୂଜାରୀ ତ କେଉଁଠି ହିନ୍ଦୁ ପୂଜାରୀ । ହିନ୍ଦୁ-ମୁସଲିମ ଧର୍ମୀୟ ସଂହତିର ଏକ ବିବର୍ତିତ ପ୍ରତିଭୂ ହେଲେ ବନବିବି । ପୂଜା ଥାନରେ ବିଷଧର ସର୍ପଙ୍କ ପାଇଁ ମନସା ଦେବୀ, ନାଗସାପଙ୍କ ପାଇଁ ଜଗତଗୌରୀ ଦେବୀ, ଗାଈମାନଙ୍କ ସୁରକ୍ଷା ପାଇଁ ମାନିକ୍ ପୀର, କଲେରା, ମହାମାରୀରୁ ସୁରକ୍ଷା ଲାଗି ଓଲାବିବି ବା ଓଲେଇ ଚଣ୍ଡୀ, ଗ୍ରାମବାସୀଙ୍କ ସର୍ବବିଧ ମଙ୍ଗଳ ପାଇଁ ସତ୍ୟନାରାୟଣ ପୀର ଆଦି ଅନେକ ଦେବାଦେବୀ ପୂଜା ପାଆନ୍ତି । ବନବିବି ପୀଠରେ କୁକୁଡ଼ା, ଚାଉଳ, ମାଛ ଆଦି ଅର୍ପଣ କରାଯାଏ ।

ପୂଜାଥାନରେ ଦେବୀଙ୍କ ସହ ଭ୍ରାତା ଶାହାଜଙ୍ଗଲୀ ଓ ଆଶ୍ରିତ ଭକ୍ତ ଦୁଃଖୀ ବି ପୂଜାପାଏ । ଏଠି ଦାନବ ହେଉଛି ଦକ୍ଷିଣରାଏ । ଏହାର ଆଚରଣ ହିଂସ୍ର ବ୍ୟାଘ୍ର ଭଳି ।

ଡଙ୍ଗା ନେଇ ମାଛ ଧରିବାକୁ, ମହୁ, ଜାଳେଣି କାଠ ସଂଗ୍ରହ କରିବାକୁ କି ଅନ୍ୟ ସ୍ଥାନକୁ ବାହାରିଲାବେଳେ ସମସ୍ତେ ବଜର୍ ପୀରଙ୍କ ସମେତ ଆହୁରି ପାଂଚ ଜଣ ସନ୍ଥଙ୍କୁ ସ୍ମରଣ କରନ୍ତି ।

ସୁନ୍ଦରବନର ଅଧିଷ୍ଠାତ୍ରୀଦେବୀ ହେଉଛନ୍ତି ବନବିବି । ସେ ବାଘ ମୁହଁରୁ ଓ ସମସ୍ତ ବିପଦ ଆପଦରୁ ଲୋକଂକୁ ରକ୍ଷା କରନ୍ତି । ଚାଳ କଣା କରି ବାଘ ଘରେ ପଶି ଲୋକଙ୍କୁ ଖାଇଯାଏ । ନଈମଝିରେ ଯାଉଥିବା ଡଂଗାରୁ ଲୋକଙ୍କୁ ଝିଙ୍କି ନିଏ । ପାଣିରେ ବୁଡ଼ି ଡଂଗା ପାଖରେ ଉଠି ଲୋକଂକୁ ନେଇଯାଏ । ବୁଦା ସେପଟେ କିଏ ଲୁଚିଛି ଏ କଥା ଜାଣିବା ଆଗରୁ ବାଘ ଝାଂପ ମାରି ସାରିଥିବ । ଜଂଗଲରେ ବାଘ କଥା ହେବା ମନା ।

ଭାରତ ଅଂଶରେ ଥିବା ସୁନ୍ଦରବନରେ ତିନି ଶତାଧିକ ରୟାଲ ବେଂଗଲ ଟାଇଗର । ପ୍ରତିବର୍ଷ ୭୦ରୁ ୮୦ ଜଣ ବାଘ ଆକ୍ରମଣରେ ମରିଥାନ୍ତି । ଆକାରରେ କୁକୁରଠୁ ସାମାନ୍ୟ ବଡ଼ ହେଲେ ଜନ୍ମରୁ ଭାରୀ ହିଂସ୍ର ଓ ନରଖାଦକ । ମୂଳ ବ୍ୟାଘ୍ର ପ୍ରଜାତିଠାରୁ ସାମାନ୍ୟ ଭିନ୍ନ ଏମାନଂକର ପ୍ରଜାତି । ଏମାନେ ତେର କିଲୋମିଟର ଯାଏଁ ପାଣିରେ ପହଁରି ପାରନ୍ତି । ଏହି ଅଠରଜୁଆରିଆ ଦେଶରେ ବାଘ ଆକ୍ରମଣରେ ମୃତ୍ୟୁ ସ୍ୱାଭାବିକ ଓ ସଂଭାବିତ ଘଟଣା ପାଲଟି ଯାଇଛି ।

ଜଙ୍ଗଲରେ ମଣିଷର ଅଯଥା ଅନୁପ୍ରବେଶକୁ ବାଘ ବିରୋଧ କରୁଛି । ଗଲା ତିନି ଶହ ବର୍ଷ ଧରି ଏ ସଂଘର୍ଷ ଚାଲିଛି । ମଣିଷର ଭୋକ ବଢ଼ିଛି, ଲୋଭ ବଢ଼ିଛି । ସେ ଅନୁପାତରେ ବ୍ୟାଘ୍ରର ଆକ୍ରାମକତା ବି ବଢ଼ିଛି । ବ୍ୟାଘ୍ର ଅଛି ବୋଲି ସୁନ୍ଦରବନ ଓ ତାର ପ୍ରକୃତି ଆଜି ପୁଂଜିବାଦୀ ଧ୍ୱଂସଲୀଳାରୁ ବଂଚି ରହିଛି ।

‘ରାଈମଙ୍ଗଳ କାବ୍ୟ’, ‘ବନବିବି ଜହୁର’ ଆଦି ପୁସ୍ତକରେ ବନବିବି ଉପାଖ୍ୟାନ ରହିଛି । ଏଥିରୁ ଜଣାଯାଏ ଯେ ସାଉଦି ଆରବର ପବିତ୍ର ମଦିନା ସହରରେ ଇବ୍ରାହୀମ ନାମକ ଜଣେ ଫକୀର ଦମ୍ପତି ରହୁଥିଲେ । ଯେତେଯାହା ଚେଷ୍ଟା କଲା ପରେ ବି ଦୀର୍ଘ ବର୍ଷଧରି ସେମାନଙ୍କର କୌଣସି ସନ୍ତାନସନ୍ତତି ହୋଇ ନଥିଲେ । ଶେଷରେ ଜିବ୍ରାଇଲ ନାମକ ଜଣେ ଫରିସ୍ତାଙ୍କ କୃପାରୁ ତାଙ୍କର ଯମଜ ସନ୍ତାନ ହେଲା । ଗୋଟିଏ ପୁଅ ଓ ଗୋଟିଏ ଝିଅ । ପିଲାମାନେ ଯେତେବେଳେ ବଡ଼ହେଲେ ସେତେବେଳେ ଜିବ୍ରାଇଲ ସେମାନଙ୍କୁ କହିଲେ- ‘ଅଠର ଜୁଆରର ଦେଶ ହେଉଛି ସୁନ୍ଦରବନ । ତାହା ହେଉଛି ତୁମମାନଙ୍କର କର୍ମଭୂମି । ତା’ର ଅଧେ ଜାଗାକୁ ଦାନବ କବଳରୁ ରକ୍ଷା କର ଓ ମଣିଷ ବସତି ପାଇଁ ସେଠି ସୁରକ୍ଷା ଦିଅ ।’ ସେ ଅନୁସାରେ ସେମାନେ ସୁନ୍ଦରବନକୁ ଆସି ଦାନବରାଜ ଦକ୍ଷିଣରାଏ ବା ସୁନ୍ଦରରାଏଠାରୁ ଅଧା ଅଂଚଳ ମୁକ୍ତ କଲେ ଯେଉଁଠି ଆଜି ଜନବସତି ସ୍ଥାପିତ ହୋଇଛି ।

ଅନ୍ୟ ଏକ ଉପାଖ୍ୟାନ ଅନୁସାରେ ଇବ୍ରାହିମ ମଦିନାର ଜଣେ ଫକୀର ଥିଲେ । ସେ କୌଣସି କାରଣରୁ ତାଙ୍କର ପ୍ରଥମ ପତ୍ନିକୁ ପରିତ୍ୟାଗ କଲେ । ପରିତ୍ୟକ୍ତା ପତ୍ନୀ ସେତେବେଳେ ଗର୍ଭବତୀ ଥିଲେ । ସେ ବଡ଼କଷ୍ଟରେ ଭୋକ ଓପାସରେ ଚଳିବାକୁ ଲାଗିଲେ ।

ତାଙ୍କ ଗର୍ଭରୁ ଯମଜ ସନ୍ତାନ ଜନ୍ମହେଲା । ଜଣେ ପୁଅ ଓ ଜଣେ ଝିଅ । ଉଭୟ ଶିଶୁଙ୍କୁ ପାଳନ କରିବା ତାଂକ ପକ୍ଷେ ସମ୍ଭବ ନ ହେବାରୁ ସେ କନ୍ୟା ସନ୍ତାନଟିକୁ ଜଙ୍ଗଲରେ ଛାଡ଼ିଦେଲେ । ହରିଣମାନେ ତାକୁ କ୍ଷିର ଦେଇ ବଂଚେଇ ରଖିଲେ । ସିଏ ହିଁ ପରବର୍ତୀ ସମୟରେ ବନବିବି । ଘରେଥିବା ପୁଅଟି ଶାହାଜଙ୍ଗଲୀ । ବଡ଼ହେବା ପରେ ପୁଣି ଭାଇଭଉଣି ମିଶିଲେ ଓ ଦୈଵନିର୍ଦ୍ଦେଶକ୍ରମେ ସୁନ୍ଦରବନ ଚାଲି ଆସିଲେ ।

ସେତେବେଳେ ସମଗ୍ର ସୁନ୍ଦରବନରେ ଦାନବରାଜ ଦକ୍ଷିଣରାଏ ବା ସୁନ୍ଦରରାଏର ରାଜୁତି ଚାଲିଥିଲା । ସେ ଥିଲା ମଣିଷମାଂସ ପ୍ରିୟ । ଦେଖିଲା ମାତ୍ରକେ ସେ ବ୍ୟାଘ୍ର ରୂପ ଧାରଣ କରି ଲୋକଙ୍କୁ ମାରି ଖାଇ ଯାଉଥିଲା ।

ସୁନ୍ଦରବନର ଏକ ନିରିମାଖି ଗାଁ ବିରିଝାଟି । ଗାଁରେ ଦୁଇ ଭାଇଥିଲେ ଧୋନା ଓ ମୋନା । ଧୋନା ଧୂର୍ତ, ଚତୁର, କର୍ମଠ ଓ ଲୋଭୀ ହେଲେ ମୋନା ଶାଂତ, ସରଳ, ସାଦାସିଧା ଓ ଏକରକମ ଅଳସୁଆ ।

ବସନ୍ତ ଋତୁରେ ଧୋନା ସାତଟି ନାବ ନେଇ ସୁନ୍ଦରବନର ନିବିଡ଼ ଅଭ୍ୟନ୍ତରୁ ମହୁ ସଂଗ୍ରହ କରିବାକୁ ବାହାରିଲା । ସେ ମୋନାକୁ ସାଂଗରେ ନେବାକୁ ଚାହୁଁଥିଲା । ହେଲେ ମୋନା ମନା କରିଦେଲା । ଏହା ଫଳରେ ସାତଟି ନାବର ତଦାରଖ ପାଇଁ ଜଣେ ଉଣା ପଡ଼ିବାରୁ ଧୋନା ଗାଁର ଜଣେ ଗରିବ ପିଲା ଦୁଃଖୀର ମାଁକୁ ପ୍ରଲୋଭିତ କରି ଦୁଃଖୀକୁ ସାଙ୍ଗରେ ନେଲା । ସେ ଥିଲା ବୟସରେ ସବୁଠୁ ସାନ ।

ଦୁଃଖୀ ଏକ ବାପ ଛେଉଣ୍ଡ ପିଲା । ବିଧବା ମାଁ ସଙ୍ଗେ ବଡ଼ କଷ୍ଟରେ ରହେ । ସୁନ୍ଦରବନରେ ବାଘଙ୍କ ଉତ୍ପାତ କାହିଁରେ କ’ଣ । ଗଲାବେଳେ ବିଧବା ମାଁ କାନ୍ଦିକାନ୍ଦି ଦୁଃଖିକୁ କହିଲା- ‘ବାପାରେ ବିପଦଆପଦରେ ବନବିବିଙ୍କୁ ଡାକିବୁ । ସେ ତୋତେ ରକ୍ଷା କରିବେ।’

ନାଆ ଯାଇ ପହଂଚିଲା ଦାନବରାଜ ଦକ୍ଷିଣରାଏର ସାମ୍ରାଜ୍ୟର ଏକ ଅପାଂକ୍ତେୟ ଦ୍ୱୀପ କେନ୍ଦୁଖାଲିରେ । ଧୋନା ଏ କଥା ଜାଣି ନଥାଏ । । ତେବେ ତା’ର ଆଗମନର ଖବର ପାଇ କ୍ରୋଧରେ ଦକ୍ଷିଣରାଏ କୁହୁକ ସୃଷ୍ଟି କରି ରହିଥାଏ ।

କୁହୁକ ପ୍ରଭାବରେ ଦ୍ୱୀପର ଯୁଆଡ଼େ ଦେଖିଲେ ଗଛ ଉପରେ ଖୁନ୍ଦାଖୁନ୍ଦି ମହୁଫେଣା । କୋଉଠି ପଣସ ପରି ମହୁଫେଣା ଝୁଲୁଛି । ମହୁ ଭୂମିରେ ଥପ୍‌ଥପ୍ ହୋଇ ପଡ଼ୁଛି । ଏହା ଦେଖି ଧୋନା ଭାରୀ ଖୁସି ।

ଲୋକେ ଉପରକୁ ମହୁଫେଣା ଭାଙ୍ଗିବାକୁ ଗଲାମାତ୍ରକେ ସେସବୁ ଉଭେଇ ଯାଇ ଅନ୍ୟ ଗଛ ଡାଳରେ ଝୁଲୁଥିବା ଦେଖା ଯାଉଛି । ଏଭଳି ସ୍ଥିତିରେ ବୁନ୍ଦାଏ ବି ମହୁ ସଂଗ୍ରହ ହୋଇ ପାରୁନଥାଏ । ତୃତୀୟ ଦିନ ଧୋନା ଏକ ସ୍ୱପ୍ନ ଦେଖିଲା ଯେ ବିନା ଅନୁମତିରେ ତା’ସାମ୍ରାଜ୍ୟ ଭିତରକୁ ଅନୁପ୍ରବେଶ କରିଥିବାରୁ ଦାନବରାଜ କୃଦ୍ଧ । ସେ ତା’କୁ ଦଣ୍ଡ ଦେବାକୁ ପ୍ରସ୍ତୁତ ।

ଭୟଭିତ ହୋଇ ଧୋନା ତା’କୁ ଭୁଲ ମାଗି ତା’କୁ ରକ୍ଷା କରିବାକୁ ଶରଣ ପସିଲା । ଧୋନାର ଆକୁଳ ପ୍ରାର୍ଥନା ଓ କ୍ଷମାଦାନ କଥା ଶୁଣି ନରମାଂସ ଲୋଭୀ ଦକ୍ଷିଣରାଏ କହିଲା ମୋତେ ଯଦି ଦୁଃଖୀକୁ ଦେଇଦେବୁ ତୋତେ ଅସଂଖ୍ୟ ମହୁଫେଣାର ସନ୍ଧାନ ଦେଇଦେବି । ଏଥିରେ ଧୋନା ରାଜି ହେଲା ।

ତା’ ପରଦିନ ଏକ ଚମତ୍କାର ଘଟିଲା । ଧୋନାର ଦଳ ଅଗଣିତ ମହୁଫେଣାର ସଂଧାନ ପାଇଲେ । ସେମାନେ ନାବରେ ଆଣିଥିବା ସବୁଯାକ ହାଣ୍ଡି ମହୁରେ ଭର୍ତି ହୋଇଗଲା । ତା’ ସାଂଗକୁ ଲାଖ, ଝୁଣା ଓ ଆହୁରି ଅନେକ ଜଂଗଲିଦ୍ରବ୍ୟର ଅମାର । ନାବକୁ ଫେରିଲା ପରେ ଦେଖାଗଲା ଯେ ଯାହା କିଛି ହାଣ୍ଡି, ବାସନକୁସନ ଖାଲିଥିଲା ସେ ସବୁ ମଧ୍ୟ ମହୁରେ ଭର୍ତି । କାହୁଁ ଆସି ବଣଯାକର ମହୁମାଛି ସେସବୁ ଭରି ଦେଇ ଯାଇଛନ୍ତି ।

ସନ୍ଧ୍ୟା ସମୟରେ ଧୋନାର ଦଳ ଘରକୁ ବାହୁଡ଼ିବା ଲାଗି ନାବକୁ ଉଠିଲେ । ଧୋନା କପଟକରି ଦୁଃଖୀକୁ କୂଳରେ ଦକ୍ଷିଣରାଏ ଲାଗି ଛାଡିଦେଲା ।

ଅନ୍ଧାର ମାଡ଼ି ଆସିଲା । ନିର୍ଜନ ଦ୍ୱୀପରେ ଦୁଃଖୀ ଭୟରେ କାନ୍ଦିବାକୁ ଲାଗିଲା । ସାମ୍ନା ବୁଦା ଭିତରୁ ରଡ଼ ନିଆଁ ପରି ଦୁଇଟି ଆଖି ତା’କୁ ଚାହିଁ ରହିଥିବାର ଦେଖିଲା । ସେ ଥିଲା ହଳଦିଆ, କଳାର ପଟାପଟା ଚିହ୍ନଧାରୀ ଦାନବରାଜ । ତା’ ପାଖକୁ ବିକଟାଳ ବାଘ ରୂପ ନେଇ ଝାଂପ ମାରିଲା । ମାଁ କଥା ମନେ ପକାଇ ଦୁଃଖି ବନବିବିଂକୁ ଆକୁଳରେ ରକ୍ଷା କରିବାକୁ ପ୍ରାର୍ଥନା କଲା ।

ଦୁଃଖୀର ଡାକ ଶୁଣି ବନବିବି ଭାଇ ଶାହାଜଙ୍ଗଲୀ ସହ ଆସି ସଂଗେସଂଗେ ଉଭାହେଲେ । ଦକ୍ଷିଣରାଏ ସହ ସେମାନଂକ ଭୟଙ୍କର ଯୁଦ୍ଧ ଆରଂଭ ହେଲା । ଶାହାଜଙ୍ଗଲୀ ଖଣ୍ଡା ଉଠାଇ ଦକ୍ଷିଣରାଏର ମୁଣ୍ଡ କାଟ କରିବାକୁ ଉଦ୍ୟତ ହେଲାବେଳେ ଅଚାନକ ଦକ୍ଷିଣରାଏର ମାଁ ନାରାୟଣୀ ଆସି ବିବିଙ୍କ ପାଦତଳେ ପଡ଼ି ତାଙ୍କ ପୁଅକୁ ଜୀବନଦାନ କରିବାକୁ ପ୍ରାର୍ଥନା କଲେ । ବନବିବି ତାକୁ ପ୍ରାଣଦାନ କରି ଜଂଗଲକୁ ପଳାଇବାକୁ ନିର୍ଦେଶ ଦେଲେ । ଦକ୍ଷିଣରାଏ ଲାଂଗୁଡ଼ ଯାକି ଜଂଗଲକୁ ପଳାଇଲା । ବନବିବି ଅନେକ ଗୁଡ଼ିଏ ମୂଲ୍ୟବାନ କାଠ ଓ ମହୁ ଭର୍ତି ହାଣ୍ଡି ଦେଇ ଦୁଃଖୀକୁ ଘରକୁ ପଠାଇ ଦେଲେ ।

ଅନ୍ୟ ଏକ ଆଖ୍ୟାନ ଅନୁସାରେ ଗାଜୀପୀର ସୁନ୍ଦରବନର ଆଉ ଜଣେ ପୌରାଣିକ ସିଦ୍ଧ-ଫକୀର । ବନବିବିଂକ ସହ ଦକ୍ଷିଣରାଏ ବା ସୁନ୍ଦରରାଏ ଦାନବର ଯେତେବେଳେ ଘମାଘୋଟ ଲଢ଼େଇ ଚାଲିଥାଏ ବନବିବି କ୍ରୋଧରେ ଦାନବକୁ ନିଶ୍ଚିହ୍ନ କରିଦେବାକୁ ଚାହିଁଲେ । ଗାଜୀପୀର ମଧ୍ୟସ୍ଥତା କରି ତା’ର ପ୍ରାଣ ରକ୍ଷାକଲେ । ସୁନ୍ଦରରାଏ ଅର୍ଦ୍ଧେକ ଜାଗାରେ ନିଜ ସାମ୍ରାଜ୍ୟ ସୀମିତ ରଖି ଆର ଅଧାକୁ ଜନବସତି ଲାଗି ଛାଡ଼ିଦେଲା । ସେହି ଦ୍ୱୀପଗୁଡ଼ିକରେ ଏବେ ବି ଜନବସତି ରହିଛି ।

ଭାରତ ଭଳି ଏକ ଧର୍ମପ୍ରଧାନ ଦେଶରେ ଦୁଇଟି ପ୍ରଧାନ ଧର୍ମାବଲମ୍ବୀ ଗୋଷ୍ଠୀ ଭିତରେ ବିଶ୍ୱାସଗତ ସମନ୍ୱୟର ‘ବନବିବି’ ଏକ ଜୀବନ୍ତ ପ୍ରତୀକ । ନିଜର ଆରାଧ୍ୟ ଦେବୀଙ୍କ ପାଖରେ ଦାଢ଼ିଥିବା ମୁସଲମାନ ପୂଜା କରିବା ହିନ୍ଦୁଙ୍କ ପାଇଁ ଏକ ଦୁସ୍କର ବ୍ୟାପାର । ତା’ଠୁ ଦୁଷ୍କର ନାରୀ ରୂପଧାରୀ କୌଣସି ମୂର୍ତିମନ୍ତ ଦୈବିଶକ୍ତିକୁ ପୌତ୍‌ତଳିକତା ବିରୋଧୀ ମୁସଲମାନମାନଙ୍କ ପୂଜା ଉପାସନା । ଗୋଟିଏ ସାର୍ବକାଳିକ ବ୍ୟାଘ୍ରରୂପୀ ମୃତ୍ୟୁର ଭୟ କିଭଳି ଅଲଗା ଅଲଗା ଧର୍ମ ବିଶ୍ୱାସୀଙ୍କୁ ଗୋଟିଏ ଥାନ ଉପରେ ଠିଆ କରାଇଦିଏ ତାହାର ଉଦାହରଣ ହେଲା ବନବିବି ଉପାସନା । କିଭଳି ଓ କେଉଁ ପରିସ୍ଥିତିରେ ଏହି ଧାର୍ମିକ ପରଂପରାଟି ଲକ୍ଷଲକ୍ଷ ହିନ୍ଦୁ ଓ ମୁସଲମାନ ମେହନତୀ ମଣିଷଙ୍କ ଭିତରେ ପ୍ରବେଶ କଲା ତାହା ଖୋଜି ବାହାର କରିବା ଗବେଷଣାର ବିଷୟ ।

“ହିନ୍ଦୁ, ମୁସଲମାନ ନିର୍ବିଶେଷରେ ସୁନ୍ଦରବନର ରକ୍ଷାକତ୍ରୀ ଦେବୀ ହେଉଛନ୍ତି ବନବିବି । ଗାଁ ଗାଁରେ ବନଦେବୀଙ୍କ ଆସ୍ଥାନ । ହିନ୍ଦୁମାନେ ପୂଜାଥାନ ତିଆରି କଲେ ବନବିବି ବ୍ୟାଘ୍ରଦେବୀ ପାଲଟି ଯାଆନ୍ତି। ଦକ୍ଷିଣରାଏ ପାଲଟିଯାଏ ମହିଷାସୁର । ଦେବୀଙ୍କ ହାତରେ ଖଣ୍ଡା, ଖର୍ପର ଗଦା, ତ୍ରିଶୂଳ ଆଦି ଧାରଣ କରିଥାନ୍ତି । ମଥାରେ ଦାଉଦାଉ ସିଂଦୁର, ପିଂଧିଥାନ୍ତି କୁଂଚକରା ରଂଗିନ ଶାଢ଼ି । ଯେଉଁଠି ମୁସଲମାନମାନେ ପୂଜାଥାନ ତିଆରି କରିଥାନ୍ତି ସେଠାରେ ଦେବୀ ପିନ୍ଧିଥାନ୍ତି ଘାଘରା ଓ ପାଇଜାମା । କପାଳରେ ବିନ୍ଦି । ମଥାରେ ଘାଷ ତିଆରି ଟୋପୀ । ” ଭାରତବର୍ଷରେ ହିନ୍ଦୁ ମୁସଲମାନ ସାମ୍ପ୍ରଦାୟିକ ସଂପ୍ରିତିର ଏକ ଅନନ୍ୟ ଉଦାହରଣ ସୁନ୍ଦରବନର ବନ ବିବିଙ୍କ ଉପରେ ଗବେଷଣାତ୍ମକ ଉପସ୍ଥାପନାଟିଏ କରିଛନ୍ତି ବିଶିଷ୍ଟ ସାହିତ୍ୟିକ ଓଡ଼ିଶାର ଜଣେ ପ୍ରତିଷ୍ଠିତ ସାମ୍ବାଦିକ ଓ କବି କୁମାର ହାସନ । ଏହି ଲେଖା ପାଇଁ ସମଧ୍ୱନି ତାଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛି । -ସମ୍ପାଦକ

ମନୀଷା ଇଂଟରନେଶନଲ, ଭୁତାପଡ଼ା, ସମ୍ବଲପୁର-୭୬୮୦୦୧

About କୁମାର ହସନ

କୁମାର ହସନ
କବି, ସାହିତ୍ୟିକ ଓ ବିଶିଷ୍ଟ ସାମ୍ବାଦିକ

Check Also

ବ୍ଲାକ ପାଗୋଡାର ଅଧଃପତନ

କୋଣାର୍କକୁ ନେଇ ଲେଖା ହୋଇଛି ଅସଂଖ୍ୟ କାବ୍ୟ ଓ କବିତା । କିଏ କିଭଳି କୋଣାର୍କକୁ କେଉଁ ଦୃଷ୍ଟିରେ ଦେଖିଛନ୍ତି …

Leave a Reply

Your email address will not be published. Required fields are marked *