ସୁସ୍ଥ ସମାଜ ଗଠନରେ ସଙ୍ଗୀତ

5 Min Read

“ଯନ୍ତ୍ର ତତେ କି ମନ୍ତ୍ର ଦେଉଛି    ମାଟିର ମଣିଷ ଆରେ,

ମୁଗ୍ଧ ତୋହର ଚିତ୍ତ ଗହନେ     ଚିନ୍ତି ପାରୁନୁ ବାରେ?”

– କବି ରାଧାମୋହନ ଗଡ଼ନାୟକଙ୍କର ଏହି ପଂକ୍ତିଟି  ଆଜିର ଯନ୍ତ୍ରଚାଳିତ ମଣିଷ ନିକଟରେ ଦେଖାଦେଇଥିବା ମଣିଷ ପଣିଆର ଘୋର ଅଭାବକୁ ଯେମିତି ସୂଚିତ କରୁଛି ଠିକ୍ ସେମିତି ଅଧ୍ୟାପକ ଶ୍ରୀ ଅଜୟ କୁମାର ବିଶ୍ୱାଳ ଉକ୍ତ ଲେଖାଟି ମାଧ୍ୟମରେ ମଣିଷ ଭିତରୁ ହଜିଯାଇଥିବା ମଣିଷ ପଣିଆକୁ ଜାଗରଣ କରିବା କ୍ଷେତ୍ରରେ ସଙ୍ଗୀତର ଭୂମିକା ନିର୍ଣ୍ଣୟ କରିଛନ୍ତି ଏବଂ ସମଗ୍ର ସମାଜକୁ ସଙ୍ଗୀତର ମନ୍ତ୍ରମୟୀ ଶକ୍ତି ବିଷୟରେ ଅବଗତ କରାଇବା ପାଇଁ ଚେଷ୍ଟା କରିଛନ୍ତି । ଶ୍ରୀ ଅଜୟ କୁମାର ବିଶ୍ୱାଳ ଏବେ ଉତ୍କଳ ସଂସ୍କୃତି  ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରୁଛନ୍ତି । ଏହିଭଳି ଗୁରୁମାନଙ୍କର ଅନୁଭବର କଥା ଆଜିର ଛାତ୍ର/ ଛାତ୍ରୀମାନଙ୍କ ମଧ୍ୟରେ ମଣିଷପଣିଆର ଜାଗରଣରେ ନିଶ୍ଚୟ ସହାୟକ ହେବ ।                                            – ସମ୍ପାଦକ

ଅଧୁନା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଯେତେ ବିକାଶଲାଭ କରୁନା କାହିଁକି ମଣିଷପରି ମଣିଷଟିଏ ଗଢ଼ି ତୋଳିବାରେ ବିଜ୍ଞାନ କିନ୍ତୁ ବିଫଳ । ସର୍ବୋପରି ବିଜ୍ଞାନର ଦ୍ରୁତ ପ୍ରଗତି ଓ ପ୍ରଯୁକ୍ତିବିଦ୍ୟା ତଥା ଯାନ୍ତ୍ରିକବିଦ୍ୟାର ସଫଳ ଅଗ୍ରଗତି ଫଳରେ ସମାଜ ଅନେକ ରଙ୍ଗବେରଙ୍ଗ ଫୁଲର ପ୍ରାଚୁର୍ଯ୍ୟରେ ଭରିହୋଇଯାଇଛି ଯେଉଁଥିରେ କିନ୍ତୁ କିଛି ସୁବାସିତ ମହକ ନାହିଁ । ଫଳ ଓ ପନିପରିବାର ଭଣ୍ଡାର ସୃଷ୍ଟି ହୋଇଛି କିନ୍ତୁ ସେଥିରେ ସୁସ୍ୱାଦ ନାହିଁ । ନଭଶ୍ଚୁମ୍ବୀ ଅଟ୍ଟାଳିକା ତିଆରି କରୁଛି କିନ୍ତୁ ପରିବାର ଭିତରେ ପରସ୍ପର ମଧ୍ୟରେ ସ୍ନେହ ଓ ଭଲପାଇବା ନାହିଁ । ଅନେକ ଡିଗ୍ରୀ, ଡିପ୍ଲୋମାଧାରୀ ବ୍ୟକ୍ତିବିଶେଷ ତିଆରି ହେଉଛନ୍ତି କିନ୍ତୁ ସେମାନେ କେବଳ ଯନ୍ତ୍ର ଭଳି କାମ କରୁଛନ୍ତି ସିନା ସେମାନଙ୍କ ଭିତରେ ମଣିଷଟି କିନ୍ତୁ ମରିଯାଉଛି ।

ବିଶେଷତଃ ବିଜ୍ଞାନର ଉତ୍କର୍ଷତା ଫଳରେ ମନୁଷ୍ୟ କେତୋଟି ମୁହୂର୍ତ୍ତରେ ମହାକାଶରେ ଗ୍ରହ-ନକ୍ଷତ୍ର ସମ୍ପର୍କରେ ଗବେଷଣା କରି ଫେରିପାରିଛି ଏବଂ ଗଭୀର ସମୁଦ୍ରର ବିସ୍ତୀର୍ଣ୍ଣ ଜଳରାଶି ମଧ୍ୟରେ ଡୁବି ଛୁଞ୍ଚି ଭଳି କ୍ଷୁଦ୍ର ପଦାର୍ଥର ସନ୍ଧାନ କରିପାରିଛି । କିନ୍ତୁ ବିଜ୍ଞାନ ଆମ୍ଭମାନଙ୍କୁ ପହଞ୍ଚାଇପାରିନି ଆମ ଘରେ ଆମ ନିଜ ମା’ବାପାଙ୍କର ନିକଟରେ । ତେଣୁ ସୁସ୍ଥସମାଜ ଗଠନ ପୂର୍ବରୁ ସୁସ୍ଥ ବ୍ୟକ୍ତି ଜୀବନ, ସୁସ୍ଥ ଦାମ୍ପତ୍ୟ ଜୀବନ, ସୁସ୍ଥ ପରିବାର ଜୀବନ ଗଠନ କରିବା ଏକାନ୍ତ ପ୍ରୟୋଜନ । ଏହା କେବଳ ମଣିଷପଣିଆର ପରିପ୍ରକାଶରେ ହିଁ ସମ୍ଭବ ହୋଇପାରେ । ସେଥିପାଇଁ ବହୁ ପ୍ରାଚୀନକାଳରୁ ସମାଜରେ ଯେତେ ପ୍ରକାର ମେଳା, ମହୋତ୍ସବ, ପର୍ବପର୍ବାଣୀ, ଦୋଳଯାତଠାରୁ ଚଇତିପର୍ବ ପର୍ଯ୍ୟନ୍ତ ଇତ୍ୟାଦି ମହାଆଡ଼ମ୍ବରରେ ପାଳନ ହୋଇଆସୁଛି, ତା’ର ମୂଳ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକଙ୍କ ମଧ୍ୟରେ ସୁସମ୍ପର୍କ, ଭଲପାଇବା ଓ ଭାଇଚାରା ଗଢ଼ିତୋଳିବା ତଥା ଆଧ୍ୟାତ୍ମିକ ଚେତନାର ଉଦ୍ରେକ ହେବା । ତେଣୁ ସଙ୍ଗୀତକୁ ମୂଳ ଆଧାର କରି ଶ୍ରୁତିମଧୁର ସୁଲଳିତ ସ୍ୱର ଓ ଅପୂର୍ବ ଆନନ୍ଦ ଉଲ୍ଲାସରେ ପ୍ରତ୍ୟେକ ଉତ୍ସବ ପାଳନ ହୋଇଥାଏ ।

ତେବେ ସଙ୍ଗୀତ କ’ଣ? ସଙ୍ଗୀତ, ମନୋରଞ୍ଜନର ଏକ ମାଧ୍ୟମ ବା ବିଳାସ ବ୍ୟସନର ଏକ ଉପାଦାନ ନୁହେଁ, ଏହା ଅନ୍ତରାତ୍ମାର ଏକ ପରିପ୍ରକାଶ ମାତ୍ର । ସଙ୍ଗୀତ ଏକ ଶବ୍ଦ ନୁହେଁ ଏକ କାବ୍ୟ, ଅର୍ଥ ନୁହେଁ ଅଭିଧାନ । ଶୁକ୍ତ ନୁହେଁ ଏକ ବେଦ, ଅନୁଭୂତି ନୁହେଁ ହୃଦୟର ଅଭିବ୍ୟକ୍ତି । କେତେକ ଶାସ୍ତ୍ରରେ ବର୍ଣ୍ଣିତ ଅଛି ଗୀତ, ବାଦ୍ୟ ଓ ନୃତ୍ୟର ମିଳିତ ସମାବେଶକୁ ସଙ୍ଗୀତ କୁହାଯାଏ । ଏହା ଠିକ୍ ହେଲେ ମଧ୍ୟ ଗଭୀର ଭାବରେ ବିଚାର କଲେ ଜଣାଯାଏ, ସଙ୍ଗୀତ କିନ୍ତୁ ଏହାଠାରୁ ଅନେକ ଊଦ୍ଧ୍ୱର୍ରେ । କାରଣ ଯେଉଁ ଗୀତ, ବାଦ୍ୟ ଓ ନୃତ୍ୟ ଅତ୍ୟନ୍ତ ଶ୍ରୁତିମଧୁର ମର୍ମସ୍ପର୍ଶୀ, ପରିବେଶ ପୋଷକ ତଥା ପ୍ରତ୍ୟେକ ଜୀବସତ୍ତାର ଅନ୍ତଃକରଣରେ ଶାନ୍ତି, ତୃପ୍ତି ଓ ଆନନ୍ଦ ସୃଷ୍ଟି କରି ଆଧ୍ୟାତ୍ମିକ ଚେତନାର ବୃଦ୍ଧି କରି ସମାଜରେ ସୁସ୍ଥ ବାତାବରଣ ସୃଷ୍ଟି କରେ ତାହାହିଁ ସଙ୍ଗୀତ । ତାହା କୋଇଲିର କ୍ୱଜନ ହୋଇପାରେ ବା ଭ୍ରମରୀର ଗୁଞ୍ଜନ ହୋଇପାରେ, ଘଞ୍ଚ ଜଙ୍ଗଲର ଶୁଖିଲାପତ୍ରର ସୁରୁସୁରୁ ଶବ୍ଦ ହୋଇପାରେ ଅଥବା ଓଡ଼ିଆ ଘର ବୋହୂର ହୁଳହୁଳି ଶବ୍ଦ ହୋଇପାରେ ।

ଓଡ଼ିଶୀ ସଙ୍ଗୀତର ଅପୂର୍ବ ମୂର୍ଚ୍ଛନା ବା ନୃତ୍ୟର ଘୁଙ୍ଗୁରର ଶବ୍ଦ ହୋଇପାରେ ବା ମର୍ଦ୍ଦଳ/ ତବଲାର ନାଦ ଧ୍ୱନି ହୋଇପାରେ । ସେଥିପାଇଁ ଶାସ୍ତ୍ରରେ ବର୍ଣ୍ଣିତ ‘ନାଦାଧିନୋ ମତ୍ ଜଗତ’ । ଓଡ଼ିଶା/ ବଙ୍ଗଳାର ପ୍ରାଚୀନ ଇତିହାସକୁ ଲକ୍ଷ୍ୟ କଲେ ଜଣାଯାଏ ଶ୍ରୀ ଗୌରାଙ୍ଗ ମହାପ୍ରଭୁ ତାଙ୍କର ପ୍ରିୟ ଭକ୍ତ (ନିତ୍ୟାନନ୍ଦ, ଆର୍ଦେତ, ଗଦାଧର, ଶ୍ରୀନିବାସ) ମାନଙ୍କ ସହିତ ସଙ୍ଗୀତ ସ୍ୱର ଲାଳିତ୍ୟରେ ମହାମନ୍ତ୍ର ‘ହରେ କୃଷ୍ଣ ହରେ କୃଷ୍ଣ କୃଷ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ’କୁ ଗାୟନ କରି ଉଦଣ୍ଡ କିର୍ତ୍ତନ ମାଧ୍ୟମରେ ହଜାର ହଜାର ମନୁଷ୍ୟଙ୍କୁ ଭକ୍ତିରସରେ ବିଭୋର କରିପାରିଥିଲେ, ତଥା ବ୍ୟାସଦେବଙ୍କ କୃତ ସଂସ୍କୃତ ଭାଗବତକୁ ଶ୍ରୀ ଜଗନ୍ନାଥ ଦାସ ସଙ୍ଗୀତର ଅପୂର୍ବ ପଦଲାଳିତ୍ୟ ଓ ନବାକ୍ଷରୀ ଛନ୍ଦରେ ଓଡ଼ିଆରେ ଅନୁବାଦ କରି ଉତ୍କଳର ଲକ୍ଷ ଲକ୍ଷ ନରନାରୀଙ୍କର ହୃଦୟକୁ ଜୟ କରିପାରିଥିଲେ ଏବଂ ସଙ୍ଗୀତ ମାଧ୍ୟମରେ କବି ଜୟଦେବଙ୍କ ରଚିତ ଗୀତଗୋବିନ୍ଦ ଗାୟନ ଶ୍ରୀ ଜଗନ୍ନାଥଙ୍କ ଏକ ସେବା ଭାବରେ ସ୍ଥାନ ପାଇଛି । ତତ୍ସହିତ ସଙ୍ଗୀତକୁ ମୂଳମନ୍ତ୍ର କରି ମୀରା ବାଇ, ହରି ଦାସ, ତୁଳସୀ ଦାସଙ୍କ ଭଳି ଅନେକ ଭକ୍ତ ମୋକ୍ଷ ଲାଭ କରିଛନ୍ତି । ସାଙ୍ଗୀତିକ ରାଗ ଓ ନାଦ ମାଧ୍ୟମରେ ବର୍ତ୍ତମାନ ଅନେକ ରୋଗର ମଧ୍ୟ ନିଦାନ ହୋଇପାରୁଛି। ବୃକ୍ଷରେ ଅଧିକ ଫୁଲ ଓ ଫଳ ସୃଷ୍ଟି ହେବା ସହିତ ଗାଈ ଇତ୍ୟାଦି ପ୍ରାଣୀ କିଭଳି ଅଧିକ କ୍ଷୀର ଦେଇପାରିବେ ତାହା ମଧ୍ୟ ସମ୍ଭବ ହୋଇପାରିଛି ।

ମଣିଷ ପ୍ରକୃତି ଭିତରୁ ହିଁ ସବୁକିଛି ଶିକ୍ଷାକରିଛି ।  କିନ୍ତୁ ପ୍ରଶ୍ନ ହେଉଛି ଯେଉଁ ପ୍ରକୃତି ଆମ ପାଇଁ ସବୁକିଛି କରିଛି ଆମେ ତା’ପାଇଁ କ’ଣ କରୁଛେ ତା’ର ସୁରକ୍ଷା ପାଇଁ କ’ଣ କରୁଛେ? ଏବଂ ଆମ ସମାଜ ପାଇଁ, ମଣିଷ ଭିତରର ମଣିଷପଣିଆର ବିକାଶ ପାଇଁ କ’ଣ କରୁଛେ? ଏସବୁ ପ୍ରଶ୍ନକୁ ଅଣଦେଖା କରି ଆମେ ବଞ୍ôଚ ରହିପାରିବା କି?

 

photo credit- https://bit.ly/3f4LRze

Share This Article
ତବଲା ବିଭାଗର ଅଧ୍ୟାପକ(ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟ)