Home / ବ୍ୟକ୍ତି ଓ ବ୍ୟକ୍ତିତ୍ୱ / ସାଧନାକୁ ମୁଖ୍ୟ ସ୍ଥାନ ଦେବାକୁ ହେବ (ସାକ୍ଷାତକାର ପଣ୍ଡିତ ଉମେଶ ଚନ୍ଦ୍ର କର)

ସାଧନାକୁ ମୁଖ୍ୟ ସ୍ଥାନ ଦେବାକୁ ହେବ (ସାକ୍ଷାତକାର ପଣ୍ଡିତ ଉମେଶ ଚନ୍ଦ୍ର କର)

ପଣ୍ଡିତ ଉମେଶ ଚନ୍ଦ୍ର କର, ପିତା ବାଦ୍ୟ ବିନୋଦ ପଣ୍ଡିତ କ୍ଷେତ୍ରମୋହନ କର…ଦୁଇଜଣ ଓଡ଼ିଶାର ଶାସ୍ତ୍ରୀୟ ସଂଗୀତ ଓ ତାଳବାଦ୍ୟ କ୍ଷେତ୍ରରେ ଅପ୍ରତିଦ୍ୱନ୍ଦୀ ପଣ୍ଡିତ । ମନେପଡେ ଚିରିବର୍ଷ ତଳର କଥା, ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କର ନିଜ ପିତାଙ୍କର ଅବଦାନ ସମ୍ପର୍କରେ ଏକ ଲେଖା ସମଧ୍ୱନିରେ ପ୍ରକାଶ କରିବାର ସୁଯୋଗ ମିଳିଥିଲା । ଲେଖାଟିକୁ ଗୋଟେ ନିଶ୍ୱାସରେ ପଢୁ ପଢୁ ମନେହେଲା ଏହି ମହାନ କଳାକାରଙ୍କୁ ଯେମିତି ପ୍ରଥମେ ଆଜି ମୁଁ ଜାଣିବାକୁ ପାଇଲି । ଦୁଃଖବି ଲାଗୁଥିଲା କାରଣ ଗୁରୁ, ପଣ୍ଡିତ, ଗୁଣି ମାନଙ୍କୁ ଜାଣିବା ବା ଜଣାଇବା ପାଇଁ ଆମ ରାଜ୍ୟରେ ଶ୍ରଦ୍ଧା ନାହିଁ କି ଚର୍ଚ୍ଚା ନାହିଁ। ବିଶେଷକରି ବୟସ୍କ ପିତାମାତାଙ୍କ ଅବସ୍ଥା ଆମ ଗୁଣି,ସାଧକ ଓ ପଣ୍ଡିତ କଳାକାରମାନଙ୍କର। ସାଂସ୍କୃତିକ ଜାଗରଣ କଥା ଭାବିବା କେମିତି ? ପଣ୍ଡିତ କ୍ଷେତ୍ରମୋହନ କରଙ୍କର ଓଡ଼ିଶାର ଶାସ୍ତ୍ରୀୟ ସଂଗୀତ, ଓଡିଶୀ ସଂଗୀତ ଓ ତାଳବାଦ୍ୟ ପାଇଁ ଥିବା ଅତୁଳନୀୟ ଅବଦାନକୁ ଜାଣିବାପାଇଁ ସୁଯୋଗ କାହିଁ ? କେମିତି ଓଡ଼ିଶାର ଲୋକେ ଜାଣିବେ ଯେ ସେତେବେଳେ ଓଡିଶାକୁ ଆସୁଥିବା ଭାରତର ସବୁ ବଡ ବଡ ପଣ୍ଡିତ ଓଁକାରନାଥ ଠାକୁରଙ୍କ ଠାରୁ ଆରମ୍ଭ କରି ପ୍ରାୟ ସମସ୍ତ ବିଶ୍ୱବିଖ୍ୟାତ ସଙ୍ଗୀତଜ୍ଞମାନେ ପଣ୍ଡିତ କ୍ଷେତ୍ରମୋହନ କରଙ୍କ ଘରେ ରହି ପୁରୀ ବଡ଼ଦାଣ୍ଡରେ ସଂଗୀତ ଆସର ସବୁ କରୁଥିଲେ । ପଣ୍ଡିତ ଉମେଶ ଚନ୍ଦ୍ର କର ସେହିସବୁ ମହାନ କଳାକାର ମାନଙ୍କର ସାନିଧ୍ୟରେ ବଡ ହୋଇଛନ୍ତି ଓ ଭାରତ ବର୍ଷର ସବୁ ବଡ ବଡ କଳାକାର ଉସ୍ତାଦ ବିସ୍ମିଲ୍ଲା ଖାଁ ଙ୍କ ଠାରୁ ଆରମ୍ଭ କରି ପଣ୍ଡିତ ଭୀମସେନ ଯୋଶୀଙ୍କ ଯାଏ ସମସ୍ତଙ୍କ ସହ ସେ ତବଲା ସଙ୍ଗତ କରିବା ସହ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏକକ ଶାସ୍ତ୍ରୀୟ ତବଲା ବାଦନ କରି ବହୁ ପ୍ରସିଦ୍ଧି ଲାଭ କରିଛନ୍ତି। ଆମ ରାଜ୍ୟରେ ଶାସ୍ତ୍ରୀୟ ତବଲା ବାଦନର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତାଙ୍କ ହାତରେ ତିଆରି ହୋଇଥିବା ଅନେକ ଛାତ୍ର ଛାତ୍ରୀ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ତବଲା ବାଦନ କରି ବହୁ ପ୍ରସିଦ୍ଧି ଲାଭ କରିଛନ୍ତି ଯାହା ପ୍ରମାଣିତ କରୁଛି ପଣ୍ଡିତ ଉମେଶ ଚନ୍ଦ୍ର କର ଯେ ଜଣେ କେବଳ ସୁପ୍ରସିଦ୍ଧ ତବଲା ବାଦକ ତାହା ନୁହେଁ ଜଣେ ଦକ୍ଷ ଗୁରୁ ମଧ୍ୟ । ସେହିଭଳି ଜଣେ ଜ୍ଞାନୀ ଗୁଣି ଓ ସୃଜନଶୀଳ ବ୍ୟକ୍ତିତ୍ୱ ଙ୍କ ସାକ୍ଷାତକାର କରିବାପାଇଁ  ସେବେଠାରୁ ଇଛା ଥିଲା। ଯାହାହେଉ ସମଧ୍ୱନି ଟିମର ଜଣେ  କଳାକାର ତଥା ଭାଓଲିନ ବାଦକ ଶ୍ରୀ ଜ୍ୟୋତି ପ୍ରକାଶ ସାହୁଙ୍କ ସହଯୋଗରେ ଏହା ସମ୍ଭବ ହୋଇପାରିଛି। ସେଥିପାଇଁ ତାଙ୍କୁ ବହୁତ ବହୁତ ଧନ୍ୟବାଦ। – ସମ୍ପାଦକ

ଜ୍ୟୋତିପ୍ରକାଶ : ଆପଣଙ୍କ ଜନ୍ମ ପୁରୀରେ, ଯାହାକୁ ଓଡିଶାର ସଂସ୍କୃତିର ପ୍ରାଣ କେନ୍ଦ୍ର କୁହାଯାଏ। ସେ ଜାଗାରେ ଆପଣଙ୍କର ପିଲାଦିନ କେମିତି କଟିଛି ଏଵଂ  ଆପଣ କେଉଁଭଳି ପୁରୀକୁ ଓ ପୁରୀର କଳାକାରମାନଙ୍କୁ ଦେଖନ୍ତି?

ପଣ୍ଡିତ ଉମେଶ ଚନ୍ଦ୍ର କର : ସତୁରି ବର୍ଷର ସାଧନା। ଯେହେତୁ ଜଗନ୍ନାଥଙ୍କ ମନ୍ଦିର ସାମନାରେ ମୋ ଘର ତାର ପ୍ରଭାବ ମୋ ଉପରେ ଓ ମୋ ପିତା ଙ୍କ ଉପରେ ପଡିଥିଲା। ମୋର ପିତା ବାଦ୍ୟ ବିନୋଦ ପଣ୍ଡିତ କ୍ଷେତ୍ରମୋହନ କର, ସାରା ଓଡିଶାର ସଂଗୀତରେ ଏକ ଅନ୍ଧକାର  ସମୟରେ ଏକ ନୂତନ ଦିଗନ୍ତ ଆଣିଥିଲେ। ତାଙ୍କର ଶିକ୍ଷା , ଆପ୍ରାଣ ସାଧନା, ତ୍ୟାଗ ଓ ପ୍ରେରଣା ପ୍ରେରଣା ଦ୍ୱାରା ସଂଗୀତରେ ଉନ୍ନତି ଆସିଲା । ସମସ୍ତେ ତାଙ୍କଠୁ ସଂଗୀତ ଶିଖିଲେ। କେଳୁଚରଣ ମହାପାତ୍ର, ସୁନନ୍ଦା ପଟ୍ଟନାୟକ, ମୋର ବଡ ଭାଇ ପ୍ରଫୁଲ କର, ବୀଣାପାଣି ମିଶ୍ର, ଆରତୀ ମିଶ୍ର, ସୁବାଷ କର ଓ ସେ ସମୟର ଯେତେ କଳାକାର ସମସ୍ତେ ଶିଖୁଥିଲେ। ସେ ସମୟରେ ଓଡିଶାରେ  କୋଉଠି ସଂଗୀତ ଶୁଣିବାର ଓ ଶିଖିବାର ସୁଯୋଗ ନଥିଲା। ନିମାଇଁ ହରିଚନ୍ଦନଙ୍କ ଠୁ ଆରମ୍ଭ କରି ରଘୁନାଥ ପାଣିଗ୍ରାହୀଙ୍କ ପର୍ଯ୍ୟନ୍ତ ସମସ୍ତେ ଶୁଣୁଥିଲେ ଓ ଶିଖୁଥିଲେ। ଆମଘରେ ଗୋଟେ ଛୋଟ ମଞ୍ଚ ଥାଏ, ସେଠି  ସେମାନେ ଶିଖୁଥିଲେ । ସେ ଜଣେ ବଡ ଆର୍ଟିଷ୍ଟ ଥିଲେ। ମୋର ଜନ୍ମ ସେହି ଘରେ ପ୍ରଭୁଙ୍କ ମନ୍ଦିର ସାମ୍ନାରେ ହୋଇଛି।

ସମସ୍ତେ କୁହନ୍ତି ତୁମେ ତ ବର୍ଣ୍ଣ ଆର୍ଟିଷ୍ଟ ଆଉ ତୁମର ସାଧନା କଣ ଦରକାର। ମୁଁ କହିଲି ନାହିଁ, ସାଧନା ବିନା ବର୍ଣ୍ଣ ଆର୍ଟିଷ୍ଟ କିଛି ନାଇଁ । ପିଲାବେଳରୁ ବଡ ବଡ ଆର୍ଟିଷ୍ଟ ମାନଙ୍କ ସହ ସବୁବେଳେ ବସାଉଠା କରି ମୋ ମନ ପ୍ରାଣ ରେ ସଂଗୀତ ହିଁ ରହିଲା। ସେ ସମୟରେ ମନ୍ଦିର ବେଶୀ ଭିଡ ନ ଥାଏ, ମୁଁ ରତ୍ନ ସିଂହାସନ ତଳକୁ  ପଳାଏ ସବୁବେଳେ। ବାପାଙ୍କ ଛାତ୍ରମାନେ କୁହନ୍ତି ତୁ ଏଇଠି ବସି ବୋଲ ସବୁକୁ ଉଚ୍ଚାରଣ କର ଆଉ ବଜା। ସମସ୍ତେ ମୋ ତାଳରେ ଆନନ୍ଦିତ ହୁଅନ୍ତି। ସେହି ତାଳରୁ ମୋତେ ଗୋଟେ ଶକ୍ତି ଆସିଲା ଯେ, ଏ ସଂସାରରେ କିଛି ନାଇଁ, ଲୟ, ଲୟରୁ ନାଦ, ସ୍ୱର, ସଙ୍ଗୀତର ଉତ୍ପତ୍ତି। ସେ ଲୟ ‘ବ୍ରହ୍ମ’ ବା ସାକ୍ଷାତ ‘ଜଗନ୍ନାଥ’। ଲୟ ବ୍ରହ୍ମ ଚାହିଁଲେ ପୃଥିବୀକୁ ଲୟରେ ଚଲାଇବ ନ ହେଲେ ସେ ଚାହିଁଲେ ବିଲୟ ବା ଧ୍ୱଂସ କରିଦେବ। ଯେତେ ସାଧନା ଅଛି, ଯେତେ କଳା  ଅଛି,  ସୃଷ୍ଟି ରେ  ଯାହା ବି କିଛି ଅଛି ସବୁର ମୂଳ ହେଉଛି ଲୟ। ଲୟ ନଥିଲେ ହାର୍ଟ ଚାଲିବନି ମରିଯିବେ, ଲୟ ନଥିଲେ ନିଜେ ଛିଡା ହୋଇପାରିବେନି, ସବୁ ଜୀବର ଗୋଟେ ସ୍ପନ୍ଦନ ଥାଏ ତାହା ଲୟ , ସବୁଥିରେ ଲୟ, ଛନ୍ଦ ଅଛି।

ଯେତେବେଳେ ମୁଁ ମୋ ମା’ଙ୍କ ଗର୍ଭରେ ଥିଲି ସେତେବେଳେ ଘରେ ଭଲ ସଂଗୀତ ହେଉଥିଲା ମୁଁ ନାଚୁଥିଲି। ମା କୁହନ୍ତି ସଂଗୀତ ହେଲେ ମୋତେ ସେ କଷ୍ଟ ଦେଉଛି। ଗର୍ଭରେ ଥିବାବେଳେ  ତାର ପ୍ରଭାବ ସେ ଅନୁଭବ କରିଥିଲେ। ଜନ୍ମ ହେଲା ପରେ ରତ୍ନ ସିଂହାସନ ତଳେ ମୋର ଖାଇବା ପିଇବା ପଢିବା ସହ ସବୁକିଛି ହେଲା। ସେତେବେଳେ ରଥ ଯାତ୍ରା ଓ ଦୁର୍ଗା ପୂଜା ସମୟରେ ସାମାନ୍ୟ ଲୋକ ହେଉଥିଲେ, ଅନ୍ୟ ସମୟରେ ଖାଲି ଥାଏ। ଆମେ ସବୁ ରଥ ଉପରେ ଯାଇ ଖେଳୁ , ଜଗନ୍ନାଥ ଙ୍କୁ କୁଣ୍ଢାଇକି ଧରି ବସୁ, ଖେଳୁ। ଏ ପ୍ରକାର ସୁବିଧା ଆଜି କାଲି ଆଉ ନାହିଁ। ଯେତେ ବଡ ବଡ କଳାକାର ଆସୁଥିଲେ ସମସ୍ତେ ଆମ ଘରେ ରହୁଥିଲେ। ସେତେବେଳେ ହୋଟେଲ କିମ୍ବା ଅନ୍ୟ କେଉଁଠି ରହିବାର ସୁବିଧା ନ ଥିଲା।

ଭାରତର ବିଖ୍ୟାତ ସଙ୍ଗୀତଜ୍ଞ ପଣ୍ଡିତ ଓଁକାରନାଥ ଠାକୁର, ପଣ୍ଡିତ ଜ୍ଞାନପ୍ରକାଶ ଘୋଷ , ପଣ୍ଡିତ ପାନ୍ନାଲାଲ ଘୋଷ , ପଣ୍ଡିତ ରବିଶଙ୍କର, ହୀରାବାଈ ବଡ଼ଦେକର  ଓ ଯେତେ ସବୁ ବଡ ବଡ ସଙ୍ଗୀତଜ୍ଞ ଆସୁଥିଲେ ସେମାନେ ଆମଘରେ ରହୁଥିଲେ। ବାପାଙ୍କ ସହିତ ତାଙ୍କର ରାତି ରାତି ସଂଗୀତ ଚାଲେ। ସେ ସମୟରେ ସେମାନେ ଏତେ ବ୍ୟସ୍ତ ନଥାନ୍ତି, ତେଣୁ ସେ ଅମାୟିକ ଭାବେ ରହି ପ୍ରଭୁ ଙ୍କ ପାଖେ ବାପାଙ୍କ ସହ ସଂଗୀତ ପରିବେଷଣ କରି ବହୁତ ଖୁସି ହେଉଥିଲେ।  ସେଗୁଡିକ ସବୁ ମୋ କାନରେ ପଡୁଥିଲା। ମୋତେ ସେମାନେ ତାଙ୍କ କୋଳରେ ବସାଇଦିଅନ୍ତି ଆଉ ମୁଁ  ଶୁଣେ, ବଜାଇବାକୁ ବାଧ୍ୟ କରନ୍ତି। ମୁଁ  ଛୋଟପିଲା ଚଗଲା ଟିକେ,  ଖେଳିବାକୁ ଇଛା ଥିଲେ ବି ସେମାନଙ୍କ ପାଖରୁ ଖସିକି ଯିବା ମୁସ୍କିଲ। ଏମିତି ଛୋଟବେଳେ ଖେଳ କଣ ମୁଁ ଜାଣିନି। ସଙ୍ଗୀତ ହିଁ ମୋ ପାଇଁ ଖେଳ କରିଦେଲେ।

 ସେତେବେଳେ ସୁନନ୍ଦା ପଟ୍ଟନାୟକ, ମୋର ବଡ ନାନୀ ପ୍ରଭାବତୀ ରଥ ଯିଏକି ପ୍ରଥମେ ରେଡ଼ିଓରେ ଗାଇବା କଳାକାର, ପ୍ରଫୁଲ୍ଲ କର,  ମାର୍କଣ୍ଡେୟ ମହାପାତ୍ର,  କାଶୀନାଥ ପୂଜାପଣ୍ଡା ଶିଖୁଥିଲେ।  ମୋତେ ଆସି ବସେଇଦିଅନ୍ତି।  ମୁଁ ସେଇ ନାଦ ବ୍ରହ୍ମ,  ଲୟକୁ ମୁଁ ଶୁଣେ,  ଛୋଟବେଳେ ମୋ ଉପରେ ତାର  ବହୁତ ପ୍ରଭାବ ପଡେ।  ମୁଁ ନିସ୍ତବ୍ଦ ହୋଇ ଶୁଣେ ଓ ସେଇଠି ଶୋଇଯାଏ।  ଲୋକମାନେ ଭାବନ୍ତି ୟେ ବୋଧେ ଆଉ କିଛି କରିବନି। ପ୍ରକୃତରେ  ସେଇଆ ହିଁ ହେଲା। ମୁଁ ତାକୁ ଟିକେ ଟିକେ ବଜାଏ।  ଯେତେବେଳେ ବାପା ଅନ୍ୟ ମାନଙ୍କୁ ଶିଖାନ୍ତି ମୁଁ ଶୁଣେ।  ମୁଁ ଦେଖୁଥାଏ ସେ ଶିଖାନ୍ତି କିନ୍ତୁ ସିଧା ସଳଖ ଶିଖେନି।  ଯାହା ମୁଁ ଦେଖେ ସେଇଟା ମୋ ଅବଚେତନ ମନରେ ରହିଯାଏ।  ଏପଟେ ପାଠ ପଢା ବି ଚାଲିଥାଏ।  ଅବଚେତନ ମନରେ ବହୁତ ପ୍ରଭାବ ମୋ ଉପରେ ପଡିଥିଲା।  ବାପା ନ ଥିବା ବେଳେ ମୁଁ ତବଲା ବଜାଏ। ସମସ୍ତେ ରାଗନ୍ତି,  ପାଠ ପଢା ନ କରି ବଜାଇଲେ ଖରାପ ହୋଇଯିବ। କିନ୍ତୁ ପାଠପଢା ସହିତ ମୁଁ ତବଲା ଶିଖୁଥାଏ । ସାଙ୍ଗ ସାଥି ଓ ସୁଖ ସଂସାର କୌଣସି ଜିନିଷରେ ମୋର କୌଣସି ସମ୍ପର୍କ ନଥାଏ। ପ୍ରତ୍ୟେକ ସେକେଣ୍ଡ ସେହି ଲୟ ଭିତରେ ଥାଏ।  ଜଗନ୍ନାଥଙ୍କ ପ୍ରଭାବରୁ ସେ ଆପେ ଆପେ ହୋଇଯାଏ। ସକାଳେ ସନ୍ଧ୍ୟାରେ ଯାଇ ପ୍ରଭୁଙ୍କ ପାଖରେ ବସେ,  ସଂଗୀତ କରେ। ସେଠି ଭଜନ କୀର୍ତ୍ତନ ହୁଏ।  ନିମାଇଁ ହରିଚନ୍ଦନ, ରଘୁନାଥ ପାଣିଗ୍ରାହୀ, ବାଳକୃଷ୍ଣ ଦାସ ପ୍ରମୁଖ  ବାପା ଙ୍କ ପାଖେ ଶିଖୁଥିଲେ ଓ ବାପା ଙ୍କୁ ବହୁତ ଭୟ କରୁଥିଲେ। ସେମାନେ ମୋତେ ମନ୍ଦିରକୁ ନେଇ ଯାଆନ୍ତି  ଓ ସେଠାରେ ବସି ଭଜନ କରୁ।

  ପୁରୀର ରାଜା ଥିଲେ ଗଜପତି ବୀରକିଶୋର ଦେଓ, ଯିଏକି ବର୍ତ୍ତମାନର ଗଜପତି ଦିବ୍ୟସିଂହ ଦେବଙ୍କ ପିତା ଥିଲେ। ସେ ମଧ୍ୟ ମୋ ବାପାଙ୍କ ଠାରୁ ସଂଗୀତ ଶିଖୁଥାନ୍ତି।  ମୋତେ ବହୁତ ଉତ୍ସାହିତ କରିଥିଲେ।  ମୁଁ ଛୋଟ ହୋଇଥିଲି ମୋତେ ତାଙ୍କ ଘରକୁ ନେଇଯାନ୍ତି।  ତାଙ୍କର ଗୋଟିଏ ଜର୍ମାନ ଭାୟୋଲିନ ଥାଏ।  ସେ ବଜାନ୍ତି।  ମୁଁ ବସି ତବଲା ବଜାଏ।  ସେ ଭାରି ଉତ୍ସାହିତ କରନ୍ତି ମୋତେ। ତାଙ୍କ ପାଇଁ କିଣା ଯାଇଥିବା ତବଲାକୁ ସେ ମୋତେ ଦେଇଛନ୍ତି।  ମୁଁ ସେଥିରେ ବହୁତ ପ୍ରୋଗ୍ରାମ କରିଛି। ମୋ ପାଖେ ଅଛି। ପୁରୀ ଏମ.ଆର ମଠ ର ମହନ୍ତ ରାମାନୁଜ ଦାସ। ସେ ବହୁତ ସଂଗୀତ ପ୍ରେମୀ ଥିଲେ ଏଵଂ ଭଲ ତବଲା ବଜାଉଥିଲେ।  ବାପାଙ୍କ ଶିଷ୍ୟ ଥିଲେ।  ସେ ପ୍ରାକ୍ଟିସ କରନ୍ତି ଏଵଂ ମୋତେ ଡାକନ୍ତି। ଆମେ ମିଶିକି ପ୍ରାକ୍ଟିସ କରୁ।  ପୁରୀ ଗଜପତି ମହାରାଜାଙ୍କ ଘର ମଧ୍ୟ ଆମ ଘର ପାଖରେ।  ଏହି ଭଳି ସବୁ ସମୟ ସଂଗୀତ ସହିତ ରହିଲା।

ଦକ୍ଷିଣ ପାର୍ଶ୍ୱ ମଠ ଓ ପାପୁଡିଆ ମଠ ମହନ୍ତ ମହାରାଜ ଓ ପୁରୀରେ ଯେତେ ପ୍ରତିଷ୍ଠିତ ବ୍ୟକ୍ତି ଥିଲେ ସମସ୍ତେ ଅତ୍ୟନ୍ତ ସଂଗୀତ ପ୍ରେମୀ ଥିଲେ।  ଗୋପବନ୍ଧୁ ଦାସ ଙ୍କ ନାତି ସତ୍ୟବାଦୀ ମିଶ୍ର ପୁରୀ ଏସ.ଏସ କଲେଜ ର ପ୍ରିନସିପାଲ ଥିଲେ। ସେ ସବୁବେଳେ ବାପାଙ୍କୁ ନେଇ କଲେଜ ହଲରେ ଜଳତରଙ୍ଗ ପ୍ରୋଗ୍ରାମ କରନ୍ତି। ଯେଉଁ ବଡ ବଡ କଳାକାର ମାନେ ଘରକୁ ଆସନ୍ତି ସେମାନଙ୍କୁ ନେଇ ମଧ୍ୟ ସେଠି ହୋଲ ନାଇଟି ପ୍ରୋଗାମ ହୁଏ।  ଉସ୍ତାଦ ବଡେ ଗୁଲାମ ଅଲି ଖାଁ, ପଣ୍ଡିତ ଓଁକାରନାଥ ଠାକୁରଙ୍କ ପରି ପ୍ରମୁଖ କଳାକାରମାନେ ସେଠାରେ ସଂଗୀତ ପରିବେଷଣ କରନ୍ତି ଏଵଂ କଲେଜ ହଲ ଫୁଲ ହୋଇଯାଏ।  ବାପା ସେମାନଙ୍କ ସହ ବଜାନ୍ତି। ଲୋକେ ତାଙ୍କ ସଂଗୀତକୁ ତନ୍ମୟ ହୋଇ ରାତିସାରା ବସି ଶୁଣନ୍ତି। ଆଜି କାଲି ଯେମିତି ଅଧଘଣ୍ଟିଆ, ଘଣ୍ଟାକିଆ ପ୍ରୋଗ୍ରାମ ହେଉଛି ସେପରି ନାହିଁ।  ଯେପର୍ଯ୍ୟନ୍ତ ତାଙ୍କ ମୁଡ଼ ଅଛି ଏଵଂ ଲୋକେ ଶୁଣୁଛନ୍ତି ସେ ଯାଏଁ ସେମାନେ ଶୁଣାଇବେ। ଚାରିଘଣ୍ଟା ହେଉ କି ପାଞ୍ଚଘଣ୍ଟା।  ବାପାଙ୍କ ଛାତ୍ର ଥିଲେ ହାତୀ ମହାପାତ୍ର ଯିଏକି ଜଣେ ଜଗନ୍ନାଥଙ୍କ ସେବକ ଥିଲେ। ଅନନ୍ତ କର,  କାଶୀନାଥ ପୂଜାପଣ୍ଡା ମୋତେ ସେଠାକୁ ନେଇଯାଆନ୍ତି, ମୁଁ ଶୁଣେ।  ଛୋଟ ଥାଏ। ରାତିସାରା ବସି ଶୁଣେ।  ସେ ସବୁର ପ୍ରଭାବ ମୋ ଉପରେ ବହୁତ ପଡିଲା। ଯେଉଁମାନେ ବାପାଙ୍କ ପାଖକୁ ଶିଖିବାକୁ ଆସୁଥିଲେ ସେମାନେ ମୋତେ ବହୁତ ଭଲ ପାଉଥିଲେ। ଯୁଆଡେ ଯେତେ ପ୍ରୋଗ୍ରାମ ହେଲେ ମୋତେ ନେଇ ଯାଆନ୍ତି। ଗଜପତି ମହାରାଜାଙ୍କ ଘରେ ହେଉ, ଏ ମାର ମଠ ହେଉ ବା  କଲେଜ ହଲ ହେଉ , ଯେଉଁଠି ବି ବସିକି ଗାଇବା ବଜାଇବା ହୁଏ ଓ ବହୁତ ଆନନ୍ଦ ମିଳେ। ବଡ ବଡ ଆର୍ଟିଷ୍ଟ ଆସିଲେ ବି ଗଜପତି ମହାରାଜାଙ୍କ ଘରେ ସଂଗୀତ ହୁଏ ଓ ଆମଘରେ ହୁଏ।

         

ସେତେବେଳେ ଗଭର୍ଣ୍ଣର ଥାନ୍ତି ଆଶାପଲ୍ଲୀ ଓ ତାଙ୍କ ସ୍ତ୍ରୀ ଅରୁଣା ଆଶାପଲ୍ଲୀ। ସେ ସଂଗୀତ ପାଇଁ ପୁରା ପାଗଳ। ସେ ଗଭର୍ଣ୍ଣର ହାଉସକୁ ବାପାଙ୍କୁ ନେଇଯାଆନ୍ତି ଓ ତାଙ୍କ ସଂଗୀତ ଶୁଣନ୍ତି। ପରେ ସେ ଦିଲ୍ଲୀରେ ସେଣ୍ଟ୍ରାଲ ମିନିଷ୍ଟର ହୋଇଥିଲେ। ସେମାନେ ସଂଗୀତକୁ ବହୁତ ଆଦର କରୁଥିଲେ। ପ୍ରଧାନମନ୍ତ୍ରୀ  ଜବାହାରଲାଲ ନେହୁରୁ ବାପାଙ୍କ ସଂଗୀତ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ତାଙ୍କୁ ସେ ବହୁତ ଆୱାର୍ଡ ଯେମିତି କି ପଦ୍ମଶ୍ରୀ ଓ ଭାରତ ରତ୍ନ ଦେବାକୁ କହିଲେ। କିନ୍ତୁ ବାପା ବହୁତ କଢ଼ା ଥିଲେ। ସେ କଳା ବଦଳରେ କାହାଠାରୁ କିଛି ନେଉ ନଥିଲେ। ପାନ ଖଣ୍ଡେ ବି ଗ୍ରହଣ କରୁନଥିଲେ। ‘ତୁମ କ୍ୟା ଦେଗା ହମକୋ, ହମାରେ ପାସ ଯୋ ହେ ମେ ସବକୋ ଦେତାହୁଁ’  ବୋଲି କହିଥିଲେ। ସେତେବେଳେ ସେମାନେ ବହୁତ ଆତ୍ମ ସ୍ୱାଭିମାନୀ ଥିଲେ। କଳା ବଦଳରେ ମୋତେ କଣ ଦେବ, ୟେ ତ ଜଗନ୍ନାଥଙ୍କର , ସେ ମୋର ଶୁଣୁଛନ୍ତି।

 ପିଲାଦିନେ ମୋର ସବୁ ସମୟ ସଂଗୀତ ଭିତରେ କଟିଲା। ଉଠିବା ଠାରୁ ଶୋଇବା ପର୍ଯ୍ୟନ୍ତ ସଂଗୀତ ହିଁ ମୋ ଭିତରେ ଚାଲେ। ମୋତେ ଏଥିପାଇଁ କେହି ଜବରଦସ୍ତ କରୁ ନଥିଲେ, ଆପେ ଆପେ ହେଉଥିଲା। ସେ ସମୟରେ ସମସ୍ତଙ୍କ ଭୟ ଥିଲା। ଖରାପ ଗୀତ, ଭଜନ କେହି ସାହସ କରୁ ନଥିଲେ  କରିବାକୁ। ଷ୍ଟେଜରେ ଯଦି ଭଜନ ଟି ରାଗ ଉପରେ ହେଉ ନଥିଲା ଓ ବିନା ସାଧନାରେ ଗାଉଥିଲେ ତାକୁ ଷ୍ଟେଜରୁ ଓଲ୍ଲାଇ ଦିଆଯାଉଥିଲା। ଭଲ ଭାବେ ଶିଖି ଷ୍ଟେଜ ଚଢିବା ଥିଲା। ସେତେବେଳେ ଷ୍ଟେଜ ଚଢ଼ିବାକୁ ବହୁତ ଭୟ ଲାଗେ। ମୋର ପାଠ ପଢା ସହ ସଂଗୀତ ବି ଚାଲିଲା। ନିଜକୁ ନିଜେ ସାଧନା ଅଭିମୁଖୀ ହିଁ କରିବାକୁ ପଡୁଥିଲା, ତାହା ଛଡା ଅନ୍ୟ ବାଟ ହିଁ ନଥିଲା। ସେଇ ସାଧନା ହିଁ ମୋତେ ଶୀର୍ଷ କୁ ନେଲା। ପ୍ରଭୁ ହିଁ ସବୁ କଲେ, ମୁ କିଛି କରିନି। ସେ ହିଁ ସବୁ କରାନ୍ତି। ତା ପରେ ଯେତେ ବାହାରୁ ଆର୍ଟିଷ୍ଟ ଆସନ୍ତି ମୋତେ ଖୋଜନ୍ତି। ମୁଁ ସେମାନଙ୍କ ସହିତ ବଜାଏ। ଯେମିତିକି ଭାରତରତ୍ନ ଉସ୍ତାଦ ବିସମୀଲା ଖାଁ, ପଣ୍ଡିତ ଭି.ଜି.ଯୋଗ, ପଣ୍ଡିତ ରବିଶଙ୍କରଙ୍କ ସମେତ ସମସ୍ତଙ୍କ ସହିତ ବଜାଏ। ସେଭଳି ପ୍ରୋଗ୍ରାମ ଓଡିଶା ପାଇଁ ଇତିହାସ ହୋଇ ରହିବ। ଆଉ ସେପରି ହୁଏତ ହେବନାହିଁ। ମୋର ସାଧନା ଆସ୍ତେ ଆସ୍ତେ ବଢି ବଢି ଚାଲିଲା। ମୋତେ ବହୁତ ବଡ ବଡ ଚାକିରୀ ବି ମିଳିଥିଲା। ପଇସା ବହୁତ ପାଇଥାନ୍ତି ଆଉ ସାଂସାରିକ ହୋଇଥାନ୍ତି। ସେଥିପାଇଁ ସେଗୁଡିକୁ ଗ୍ରହଣ କଲିନାହିଁ କେବଳ କଳା ଓ ଲୟ ପାଇଁ। ମୁଁ ତାକୁ ନେଇ ଚାଲିଲି। ପ୍ରଭୁଙ୍କ ଦୟାରୁ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ଯୋଗ ଦେଲି।

ପ୍ରଶ୍ନ : ପୁରୀର ସାଂସ୍କୃତିକ ପରିବେଶ ଓ ଓଡିଶୀ ସଂଗୀତ ଆପଣଙ୍କ ସାଙ୍ଗୀତିକ ଜୀବନକୁ କେମିତି ପ୍ରଭାବିତ କରିଥିଲା ?

ଉତ୍ତର : ପୁରୀ ଭାରତର ଏକ ସାଂସ୍କୃତିକ ପ୍ରାଣ କେନ୍ଦ୍ର ଥିଲା। ଯେମିତି ବନାରସ ଏକ ସାଂସ୍କୃତିକ କେନ୍ଦ୍ର ଥିଲା। ମନ୍ଦିର ସାମନାରେ ମୋର ଘର ଥିଲା ଏକ ସାଂସ୍କୃତିକ କେନ୍ଦ୍ର। ପୁରା ଭାରତର  ସାଂସ୍କୃତିକ କ୍ଷେତ୍ରର ଯେତେ ଲୋକ ଥିଲେ ସମସ୍ତେ ଆସୁଥିଲେ। ସାହିତ୍ୟ  କ୍ଷେତ୍ରରେ କବି, ଲେଖକ ଯେପରି କାଳନ୍ଦୀ ଚରଣ ପାଣିଗ୍ରାହୀ, ପୂର୍ଣଚନ୍ଦ୍ର ଭାଷାକୋଷ ର ଲେଖକ ଗୋପାଳ ଚନ୍ଦ୍ର ପ୍ରହରାଜ , ରାଜକିଶୋର ରାୟ ପ୍ରମୁଖ ସଂଗୀତ ଶୁଣନ୍ତି ଓ ସେମାନଙ୍କ ସହ ସାଂସ୍କୃତିକ ଭାବ ଆଦାନ ପ୍ରଦାନ ବହୁତ ହୁଏ। ସେତେବେଳେ ନା ଷ୍ଟେଜ ଥିଲା ନା ଗୋଟିଏ ଜାଗାରେ ବସି ମିଟିଂ କରିବା ପାଇଁ କିଛି ସୁବିଧା ଥିଲା। ମୋ ଉପରେ ସେ ସବୁର ବହୁତ ପ୍ରଭାବ ପଡୁଥିଲା। ଯେତେବେଳେ ବଡ ବଡ ଆର୍ଟିଷ୍ଟ ମାନଙ୍କୁ ଦେଖେ ମୋର ମନେହୁଏ ଏମାନେ ଯେଉଁ ସ୍ତରର ସାଂସ୍କୃତିକ କାର୍ଯ୍ୟକ୍ରମ କରୁଛନ୍ତି ତ କେତେ ସାଧନା କରିଛନ୍ତି ବୋଲି ହୋଇପାରିଛନ୍ତି। ମୋତେ ପ୍ରଭୁ ଦୟାକର, ସେହି ସ୍ତରରେ ମୋତେ ରଖ। ଜୀବନ ସାରା ୭o ବର୍ଷ ସାଧନା ହେଲା। ସେହି ସ୍ତରରେ ପ୍ରଭୁ ରଖିଲେ। କେଵେ ମୋତେ ତଳକୁ ପକାଇନାହାନ୍ତି।

ପ୍ରତ୍ୟେକ ଦିନ ମନ୍ଦିରରେ ଓଡିଶୀ ସଂଗୀତ ହୁଏ। ଜଗନ୍ନାଥଙ୍କର ଗୀତ ଗୋବିନ୍ଦ, ଭଜନ ଓ ଜଣାଣ ହୁଏ। ସେତେବେଳେ ସଙ୍ଗୀତର ବ୍ୟାକରଣ ଦୃଷ୍ଟିରୁ ଓଡିଶୀ ଏତେ ଉନ୍ନତି ହୋଇନଥିଲା। ସେମାନେ ଭକ୍ତିରେ ଜୋର ରେ ଚିଲ୍ଲାଇ ଗାଉଥିଲେ। ଭାବ ତାଙ୍କ ଭିତରେ ଥିଲା। ସଙ୍ଗୀତର ଶିକ୍ଷାଟି ନଥିଲା। ବାପା ପଣ୍ଡିତ କ୍ଷେତ୍ରମୋହନ କର ଆସିବା ଦ୍ୱାରା ସମସ୍ତଙ୍କୁ ତାଗିଦ କଲେ। ସ୍ୱର ଓ ଲୟ ଶିଖିବାକୁ କହିଲେ। ତାପରେ ସେମାନେ ଶିଖିଲେ। ତାପରେ ସିଙ୍ଗାରୀ ଶ୍ୟାମ ସୁନ୍ଦର କର, କାଶୀନାଥ ପୂଜାପଣ୍ଡା, ମାର୍କଣ୍ଡେୟ ମହାପାତ୍ର, ନବ ମିଶ୍ର , ରମା ମହାପାତ୍ର, ଆରତୀ ମିଶ୍ର ଓ ରଘୁନାଥ ପାଣିଗ୍ରାହୀ ଭଲ ଓଡିଶୀ ଗାୟନ କରୁଥିଲେ। ସେବେଠାରୁ ଓଡିଶୀ ଉନ୍ନତି ହୋଇଆସିଛି।

ପ୍ରଶ୍ନ : ପ୍ରଖ୍ୟାତ ତବଲା ବାଦକ ପଣ୍ଡିତ କ୍ଷେତ୍ର ମୋହନ କରଙ୍କ ପୁତ୍ର ଆପଣ । ତାଙ୍କ ସହ ସେହି ସାଙ୍ଗୀତିକ ସମ୍ପର୍କ କୁ କେଉଁଭଳି ବର୍ଣ୍ଣନା କରିବେ? ଓ ଆପଣଙ୍କର ସାଧନା ସମ୍ପର୍କରେ କହିବେ?

ଉତ୍ତର : ସମ୍ନାସାମ୍ନି ବସି ତାଙ୍କଠୁ ଶିଖିବା ଆମକୁ ଭାରି ଭୟ। ଆମେ ସବୁ ଛୋଟ ଥାଉ। ଆମକୁ ଶିଖାଇବାକୁ ଏତେ ଆଗ୍ରହ ପ୍ରକାଶ କରନ୍ତିନି। ସେ ଅନ୍ୟ ମାନଙ୍କୁ ଶିଖାନ୍ତି ଓ ତାର ପ୍ରଭାବ ମୋ ଉପରେ ପଡେ। ଗୋଟିଏ ଜିନିଷକୁ ହଜାର ଥର ଦେଖିଲେ ସେଇଟା ସବକନ୍ସସ ମାଇଣ୍ଡରେ ସବୁବେଳେ ରହିଲା। ଏହା ହିଁ ମୋର ଶିକ୍ଷା ହେଲା। ସବୁ ଜିନିଷ ମୋ ଭିତରକୁ ଆସ୍ତେ ଆସ୍ତେ ଆସିଲା। ସେ ମୋତେ କେବେ ଉତ୍ସାହିତ କରନ୍ତିନି କି ପ୍ରସଂଶା କରନ୍ତିନି। ସେ ଯେଉଁ ଉଚ୍ଚ ସ୍ତରରେ ତବଲା ବଜାଉଥିଲେ ଭାରତର ଖୁବ କମ ଲୋକ ବଜାଉଥିଲେ। ଓଡିଶାରେ ଆମେ ସମସ୍ତେ ତାଙ୍କ ଝାସରେ ତିଆରି ହୋଇଛୁ। ତାଙ୍କ ବୋଲରେ ପ୍ରଭୁଙ୍କର ନାଦ ଓ ଲୟ ଥାଏ। ପଇସା, ନାଁ ଓ କମରସିଆଲ ପାଇଁ ସେ ସାଧନା କରୁନଥିଲେ। ବଡ ବଡ କଳାକାର ଆସୁଥିଲେ ଯେମିତିକି ପଣ୍ଡିତ ଅନୁଖାଲାଲ ମିଶ୍ର, ପଣ୍ଡିତ ଜ୍ଞାନ ପ୍ରକାଶ ଘୋଷ। ସେମାନଙ୍କ ସେବା କରି ଶିଖି ପାରିଛନ୍ତି। ବହୁତ କଷ୍ଟ କରିଛନ୍ତି। ସେ ସବୁର ପ୍ରଚାର ପ୍ରସାର ପାଇଁ ଓ ଓଡିଶା କଳାକାରମାନେ ଉପକୃତ ହେବାପାଇଁ ସେ ଶିକ୍ଷା ଦାନ କରିଛନ୍ତି।

ପ୍ରଶ୍ନ : ଆପଣ ଅଲ ଇଣ୍ଡିଆ ରେଡିଓର ଶାସ୍ତ୍ରୀୟ ତବଲା ବାଦକର ମାନ୍ୟତା ସମ୍ପର୍କରେ ଓ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ କେବେ ଅଧ୍ୟାପକ ଭାବେ ନିଯୁକ୍ତି ପାଇଲେ ସେ ବିଷୟରେ କିଛି କହିବେ କି ?

ଉତ୍ତର : 1970 ରେ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ମର୍ଦ୍ଦଳ ବିଭାଗରେ ମୁଁ ଯୋଗ ଦେଲି। ପୁରୀରେ ଓଡ଼ିଶୀରେ ମର୍ଦ୍ଦଳ ଟିକେ ଟିକେ ବଜାଉଥିଲି। ମର୍ଦ୍ଦଳର ଡେଭେଲପମେଣ୍ଟ ବାପାଙ୍କ ଛାତ୍ରମାନେ ହିଁ କଲେ। ବାପାଙ୍କ ଛାତ୍ର କେଳୁଚରଣ ମହାପାତ୍ର, ବନମାଳୀ ମହାରଣା, ହରମୋହନ ଖୁଣ୍ଟିଆ, କୃଷ୍ଣ ଚନ୍ଦ୍ର ଗୁରୁ ଙ୍କ ଦ୍ୱାରା ଧିରେ ଧୀରେ ହେଲା। ପୁରୀରେ ଯେତେ ସେବକ ସମସ୍ତେ ଶିଖୁଥିଲେ। ତା ପୂର୍ବରୁ ମର୍ଦ୍ଦଳ ବାଦନରେ ନାଦର ପ୍ରଡକସନ ଓ ଫିଙ୍ଗରିଙ୍ଗରେ କିଛି ସଠିକ ପ୍ରକ୍ରିୟା ନଥିଲା। କିନ୍ତୁ ମନ ପ୍ରାଣ ଦେଇ ବଜାଉ ଥିଲେ, ଗାଉଥିଲେ। ଓଡିଶୀ ନୃତ୍ୟ ବିଭାଗରେ ଗୁରୁ ପଙ୍କଜ ଦାସ, ଗୁରୁ ଦେବପ୍ରସାଦ ଦାସ ଓ ମର୍ଦ୍ଦଳରେ ମୁଁ  ଥିଲି। ବର୍ତ୍ତମାନର ଯେତେ ନୃତ୍ୟଶିଳ୍ପୀ ସମସ୍ତେ ଆମ ପାଖେ ଶିଖୁଥିଲେ। ମର୍ଦ୍ଦଳ ମଧ୍ୟ ଶିଖୁଥିଲେ। କିନ୍ତୁ ତବଲା ମୋର ମୁଖ୍ୟ ଥାଏ ପିଲାଦିନରୁ। ଜଣେ ମର୍ଦ୍ଦଳ  ଓ ତବଲା ମଧ୍ୟ ଏକ ସାଙ୍ଗରେ କ୍ୟାରିଅର କରିପାରିବ ବା ବାଦନ କରିପାରିବ। ଯେ ତବଲା କରୁଛି ସେ ସବୁ ପର୍କସନ ବାଦ୍ୟଯନ୍ତ୍ର ବଜାଇ ପାରିବ। ଭାରତରେ ଯେତେ ଭଲ ଭଲ ତବଲା ବାଦକ ଥିଲେ ସେମାନେ ପଖାଉଜ ବାଦନ କରୁଥିଲେ। କାରଣ ପଖାଉଜ ରୁ ହିଁ ତବଲା ଆସିଛି। ନୃତ୍ୟ ବିଭାଗରେ ଦଶ ବର୍ଷ ରହିବାପରେ ତବଲା ବିଭାଗକୁ ଆସିଲି। 1972 ରେ ରେଡ଼ିଓ ଅଡିସନରେ ସିଧାସଳଖ ‘ଏ ଗ୍ରେଡ’ କଳାକାରର ମାନ୍ୟତା ପାଇଲି। ଯାହା ଓଡିଶା ହିଷ୍ଟ୍ରୀରେ ପ୍ରଥମ। ମୁଁ ଯେତେବେଳେ ଶୁଣିଲି ବିଶ୍ୱାସ କରିପାରିଲି ନାହିଁ। ତାପରେ ଦିନ ରାତି ବହୁତ ଅଭ୍ୟାସ କଲି ଓ 10 ବର୍ଷ ପରେ “ଟପ ଗ୍ରେଡ” ପାଇଲି।

ପ୍ରଶ୍ନ : ପାଠ ପଢିବା କ୍ଷେତ୍ରରେ ଆପଣ ଜଣେ ବହୁତ ଭଲ ଛାତ୍ରଥିଲେ,  ଏମ ଏ, ଏଲ.ଏଲ.ବି ମଧ୍ୟ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି,  କିନ୍ତୁ ଏ ଦିଗରେ ଅଗ୍ରସର ନହୋଇ ସଂଗୀତ ତଥା ତବଲା ବାଦନକୁ ଜୀବନର ଏକମାତ୍ର ବ୍ରତ ବୋଲି କାହିଁକି ଗ୍ରହଣ କଲେ?

ଉତ୍ତର : ପିଲାଟି ଦିନରୁ ଲୟର ପ୍ରଭାବ ମୋ ଉପରେ ଜୋରରେ ଥିଲା। ମୋ ଉପରେ ମ୍ୟାଟେରିଆଲିଷ୍ଟ ଜିନିଷର ପ୍ରଭାବ ପଡ଼ିଲାନାହିଁ। ଚାହିଁଥିଲେ ବହୁତ ପଇସା ରୋଜଗାର କରି ପାରିଥାନ୍ତି, ବହୁତ ଜିନିଷ କରିପାରିଥାନ୍ତି କିନ୍ତୁ ସଂଗୀତ ଛଡା ଅନ୍ୟ କୌଣସିଥିରେ ମୋର ତିଳେ ମାତ୍ର ଆଗ୍ରହ ଆସିଲା ନାହିଁ।

(ଓଡ଼ିଶାରେ ଓଡିଶୀ ସଂଗୀତ ଚର୍ଚ୍ଚାକୁ ଅଧିକ ଗୁରୁତ୍ତ୍ୱ ଦିଆଯାଉଛି ସେଥିପାଇଁ

ଓଡିଶୀ ସଂଗୀତ ସମ୍ପର୍କରେ କେତୋଟି କଥା ପଚାରିବାକୁ ଚାହୁଁଛି ।)

ପ୍ରଶ୍ନ:  ଓଡ଼ିଶା ସରକାର ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଇଛନ୍ତି। ସେ ବିଷୟରେ ଆପଣଙ୍କ ମତାମତ କ’ଣ ରହିବ?

ଉତ୍ତର: ଓଡ଼ିଶୀ ସଙ୍ଗୀତ ଜଗନ୍ନାଥ ସଂସ୍କୃତିର ପ୍ରାଣ । ଆମ ପିଲାଦିନେ ଜାଗା ଆଖଡ଼ାରେ ଗ୍ରୃପ ହିସାବରେ ଗାଉଥିଲେ । ଯେଉଁମାନେ ସବୁ ତା ଦେହରୁ ଟିକେ ଟିକେ ନେଇ ଯେମିତି ଆମର ସିଂହାରୀ ଶ୍ୟାମସୁନ୍ଦର କର, କାଶୀନାଥ ପୂଜାପଣ୍ଡା, ମାର୍କଣ୍ଡେୟ ମହାପାତ୍ର, ଦକ୍ଷିଣରେ ବି କିଛି କଳାକାର ଗାଉଥିଲେ । ନିର୍ଦ୍ଦିଷ୍ଟ ଶିକ୍ଷା କିଛି ନଥିଲା । ସେମାନେ ସେତେବେଳେ ଏହାର ଗୁରୁତ୍ତ୍ୱ ବୁଝୁନଥିଲେ । ବାପା(ପଣ୍ଡିତ କ୍ଷେତ୍ରମୋହନ କର) ଯେତେବେଳେ ବଡ଼ ବଡ଼ ଓସ୍ତାଦ୍ ମାନଙ୍କ ସହ ମିଶି ସେମାନଙ୍କୁ ଜଣାଇଲେ ଯେ, ଦେଖ ତମେମାନେ ଖାଲି ଏମିତି ଗାଇଲେ ହେବନି, ତମକୁ କିଛି ଶିଖିବାକୁ ପଡ଼ିବ । ସ୍ୱର, ଲୟର ସ୍ଥାନ ଚିହ୍ନିବାକୁ ପଡ଼ିବ, ଭଲକରି ସାଧନା କରିବାକୁ ପଡ଼ିବ, ତାହେଲେ ଯାଇ ଓଡ଼ିଶୀ ସଙ୍ଗୀତ ଆଗକୁ ଯିବ । ସେଇଆ ହିଁ ହେଲା ।

ସେତେବେଳେ ବାପା ଯେଉଁ ବଡ଼ ବଡ଼ କଳାକାରମାନଙ୍କ ସହ ବସି ଆସର ସବୁ କରୁଥିଲେ ସେଠି ସିଂହାରୀ ଶ୍ୟାମସୁନ୍ଦର କର, ମାର୍କଣ୍ଡେୟ ମହାପାତ୍ର, କାଶିନାଥ ପୁଜାପଣ୍ଡା, ନିମାଇଁ ହରିଚନ୍ଦନ ସମସ୍ତେ ସବୁବେଳେ ଆସୁଥିଲେ । ଯାହାଦ୍ୱାରା ସେମାନଙ୍କର ସ୍ୱରଜ୍ଞାନ ଓ ଲୟଜ୍ଞାନ ବିକଶିତ ହେଲା । ଜାଗା ଘର ଆଖଡ଼ାରୁ ଧିରେ ଧିରେ ଏହା ପ୍ରସାରଲାଭ କଲା ତଥାପି ସର୍ବଭାରତୀୟ ସ୍ତରର ସାଧନା କରିବା ଏପର୍ଯ୍ୟନ୍ତ ସମ୍ଭବପର ହେଇନି । ସେମାନେ ଯେଉଁ ଶାସ୍ତ୍ରୀୟ ସ୍ତରକୁ ଗାଇ ବଜାଇ ଯାଇଛନ୍ତି ସେହି ସ୍ତରକୁ ଯିବାକୁ ପଡ଼ିବ । ଖାଲି ଗଭର୍ଣ୍ଣମେଣ୍ଟ ପାସ କରିଦେଲେ ଶାସ୍ତ୍ରୀୟ ସଙ୍ଗୀତ ହୋଇଯିବନି । ଯଦି ଏହାକୁ ପ୍ରକୃତରେ ଆମେ ଶାସ୍ତ୍ରୀୟ ସଙ୍ଗୀତ ବୋଲି କହିବା, ତାହେଲେ ସେହି ସର୍ବଭାରତୀୟ ସ୍ତରର ସାଧନା ଆମକୁ କରିବାକୁ ପଡ଼ିବ ।

ପ୍ରଶ୍ନ: ଏକ ନିର୍ଦ୍ଧିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ ପ୍ରତିପାଦିତ ହେବା ପାଇଁ ଏହାର ସମୁଚିତ ବ୍ୟାକରଣ ଜରୁରୀ, ତେବେ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତର ବିଶେଷତା ପାଇଁ ଆପଣଙ୍କ ମତରେ କଣ ମୌଳିକତା ବା କି ପ୍ରକାର ଉପାଦାନ ଜରୁରୀ?

ଉତ୍ତର: ଯେଉଁ ପାରମ୍ପାରିକ ଓଡ଼ିଶୀ ଗୀତ ଗୁଡ଼ିକ ଥିଲା ସେହିଗୁଡ଼ିକର ବର୍ତ୍ତମାନ ନୋଟେସନ କରିବା, ତାର ସ୍ୱର, ଲୟକୁ ଶାସ୍ତ୍ରୀୟ ସଙ୍ଗୀତ ହେବାପାଇଁ ଆହୁରି ଡ଼େଭେଲପ କରିବାକୁ ପଡ଼ିବ । ସେଗୁଡିକର ସଠିକ ରାଗ ରାଗିଣୀର ନିର୍ଦ୍ଧାରଣ କରି ସମସ୍ତେ ସମାନ ଢ଼ଙ୍ଗରେ ଯେମିତି ଗାଇବେ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ । ଯେତେବେଳେ ଓଡିଶୀ ଗାୟକମାନେ ରାଗ ଗାଉଛନ୍ତି, ଗୋଟେ ରାଗକୁ ଯଦି ବିଭିନ୍ନ କଳାକାର ଭିନ୍ନ ଭିନ୍ନ ଭାବରେ ଗାୟନ କରିବେ ବା ରାଗର ଗାୟନରେ ବିଭିନ୍ନତା ହେଲେ ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀୟ ହେବାରେ ବାଧା ସୃଷ୍ଟିହେବ । ସମସ୍ତେ ମିଶି ଗୋଟିଏ ସୂତ୍ରରେ ବାନ୍ଧି ହେଲେ ଆମେ ଶାସ୍ତ୍ରୀୟ ସଙ୍ଗୀତ ଆଡ଼କୁ ଆଗେଇବ ।

ପ୍ରଶ୍ନ: ଓଡ଼ିଶୀର ପ୍ରକୃତ ସ୍ୱରୂପ କେଉଁଟା? କେଉଁମାନଙ୍କର ଗାୟନ ଶୈଳୀ ବା କେଉଁ ଗୁରୁମାନଙ୍କୁ ଅନୁସରଣ କରି ଓଡ଼ିଶୀ ବର୍ତ୍ତମାନର ସ୍ୱରୂପରେ ପହଞ୍ଚିଛି ?

ଉତ୍ତର: ଯେଉଁ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଏବେ ଅଛି ସେସବୁ କିଛି ନଥିଲା । ସେତେବେଳେ ସିଧା ଖାଲି ସା କହି ଗୀତ ଗାଉଥିଲେ । ରାଗ ସମ୍ପର୍କରେ ମଧ୍ୟ ସେମାନଙ୍କର ବିଶେଷ ଧାରଣା ନଥିଲା । ସେମାନେ ଶୁଣି ଶୁଣିକି ଯାହା ଗାଉଥିଲେ ବଜାଉଥିଲେ । ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତ ପରି ଓଡ଼ିଶୀରେ ଏତେ ଆଳାପ, ଯୋଡ଼ ନଥିଲା । ସେତେବେଳେ ସିଂହାରୀ ଶ୍ୟାମସୁନ୍ଦର କର, କାଶୀନାଥ ପୂଜାପଣ୍ଡା, ମାର୍କଣ୍ଡେୟ ମହାପାତ୍ର ଏମାନେ ସବୁ ବାପାଙ୍କ ପାଖରେ ଶିଖିଲେ । ରାଗ ସମ୍ପର୍କରେ ବାପା ବାରମ୍ବାର ସେମାନଙ୍କ ସହିତ ଚର୍ଚ୍ଚା କରିବା ଦ୍ୱାରା ଓଡିଶୀ ଗୀତକୁ ରାଗରେ ପକାଇବାର ପଦ୍ଧତି ଜାଣିଲେ । ସେମାନେ ସମସ୍ତେ କହିଲେ ନା କିଛି ଗୋଟେ କରିବାକୁ ପଡ଼ିବ । ବିଭିନ୍ନ ଗୁରୁଙ୍କଠାରୁ ଟିକେ ଟିକେ ସଂଗ୍ରହ ସେମାନେ କରିବାକୁ ଲାଗିଲେ । ଶାସ୍ତ୍ରୀୟ ସଂଗୀତ କରିବାର ଚେଷ୍ଟା ସେହି ଦିନଠୁ ଜାରୀ ହେଲା । ତାହାଦ୍ୱାରା ଓଡିଶୀ ଏକଦମ ଯେଉଁ “ର”( ମୂଳ) ଅବସ୍ଥାରେ ଥିଲା ଖାଲି ଗୀତ ଗାଉଥିଲେ, ଆସ୍ତେ ଆସ୍ତେ ବୁଝିଲେ ଯେ, ଆମକୁ ଏହାକୁ ଗୋଟେ ଆସ୍ତେଟିକ ସେନ୍ସରେ ପକାଇବାକୁ ପଡ଼ିବ ଓ ସ୍ୱର ଲୟରେ ଗାଇବାକୁ ପଡ଼ିବ ।

ପ୍ରଶ୍ନ: ଓଡ଼ିଶୀକୁ ଆମେ ଓଡ଼ିଶାର ପରିଚୟ ବୋଲି କହୁଛୁ, ସେତିକିବେଳେ ଓଡ଼ିଶାରେ ହିନ୍ଦୁସ୍ଥନୀ ଶାସ୍ତ୍ରୀୟ ସଙ୍ଗୀତର ଶିକ୍ଷା କେଉଁ ସ୍ଥିତିରେ ରହିବ?

ଉତ୍ତର: ଓଡ଼ିଶାରେ ଯେତେ ସେତେବେଳେ ଗାଉଥିଲେ, ସମସ୍ତେ ହିନ୍ଦୁସ୍ଥାନୀ ହିଁ ଶିଖୁଥିଲେ ବା କର୍ଣ୍ଣାଟକୀ ଶିଖୁଥିଲେ । କାରଣ ଓଡ଼ିଶାରେ ବ୍ୟାକରଣ ବୋଲି କିଛି ନଥିଲା । ସେମାନେ ସେତେବେଳେ ଶାସ୍ତ୍ରୀୟର ବ୍ୟାକରଣକୁ ନେଇକି ଚେଷ୍ଟା କରିଥିଲେ। ସେଇଟା ଏବେ ବହୁତ ବାଟ ଆଗେଇ ଯାଇଛି । କିନ୍ତୁ ଆଗେଇ ଗଲେ କ’ଣ ହେବ ସେଇଟା ଭିନ୍ନ ଭିନ୍ନ ଧାରା ହେଇଯାଇଛି । କିଏ କର୍ଣ୍ଣାଟକି ପଦ୍ଧତିରେ ଗାଇଲେଣି ତ କିଏ ହିନ୍ଦୁସ୍ଥାନୀରେ ଗାଇଲେଣି । ଧାରାରେ ପକାଇବାକୁ ସମସ୍ତେ ଚେଷ୍ଟା କରିଛନ୍ତି କିନ୍ତୁ ତାହାଦ୍ୱାରା କଣ ହୋଇଛି ପ୍ରତ୍ୟେକ କଳାକାରଙ୍କର ଅଲଗା ଅଲଗା ଧାରା ହେଇଯାଇଛି ।

ପ୍ରଶ୍ନ: ଓଡ଼ିଶୀ ଗାୟନ କ୍ଷେତ୍ରରେ ଯେଉଁ ଯୁବ କଳାକାରମାନେ ଅଛନ୍ତି ସେମାନେ କେମିତି ଉତ୍ସାହିତ ହୋଇପାରିବେ?

ଉତ୍ତର: ଓଡ଼ିଶାରେ ବହୁତ ଟ୍ୟାଲେଣ୍ଟଡ଼ ଆର୍ଟିଷ୍ଟ ସବୁକ୍ଷେତ୍ରରେ ଅଛନ୍ତି, କେବଳ ସଙ୍ଗୀତ ନୁହେଁ ସବୁ କ୍ଷେତ୍ରରେ ଓଡ଼ିଶା ଟ୍ୟାଲେଣ୍ଟେଡ଼୍ । କିନ୍ତୁ ଆମେ ନିଜକୁ ଓଡ଼ିଆ ଲୋକ ଭାବି ସୀମାବଦ୍ଧ ହେଇ ଏଇଠି ଓଡ଼ିଶାରେ ରହିଯାଉଛୁ । ଯେତିକି ନିଜ ପାଖରେ ବା ମାଟିରେ ମିଳିଲା ସେଥିରେ ସନ୍ତୁଷ୍ଟ ହେଇକି ରହିବାକୁ ପଡ଼ୁଛି, ସେଥିପାଇଁ ଡ଼େଭେଲପମେଣ୍ଟ ଯେତେ ଜଲଦି ହେବାକଥା ହୋଇପାରୁନି। ଯଦିଓ କିଛି କିଛି ଡେଭେଲପମେଣ୍ଟ ହେଇଛି, ଯେଉଁଥିପାଇଁ ଓଡିଶୀ ସଙ୍ଗୀତ ଏବେ ସମସ୍ତେ ଶୁଣୁଛନ୍ତି । ଗାୟକ ବାଦକମାନେ ସୁନ୍ଦରଭାବରେ ଗାଉଛନ୍ତି ବଜାଉଛନ୍ତି । ମୋ ଛାତ୍ରମାନେ ମର୍ଦ୍ଦଳ ବଜାଉଛନ୍ତି, ଧନେଶ୍ୱର ସ୍ୱାଇଁ, ସଚୀଦାନନ୍ଦ ଦାସ ଆଦି । ବାପାଙ୍କ ଛାତ୍ର ହରମୋହନ ଖୁଣ୍ଟିଆ, ବନମାଳୀ ମହାରଣା, କେଳୁଚରଣ ମହାପାତ୍ର ଙ୍କ ପରି ଛାତ୍ରମାନେ, ଏମାନେ ସମସ୍ତେ ଓଡ଼ିଶୀକୁ ଧାରାରେ ପକାଇଲେ । ଧାରାରେ ପକାଇବା ଦ୍ୱାରା ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ପ୍ରସାରଲାଭ କଲା । ଯୁବ କଳାକାରମାନେ ଏହିସବୁ ଗୁରୁମାନଙ୍କଠାରୁ ଶିଖିଲେ । କିନ୍ତୁ ସେ ଅରିଜିନାଲିଟିଟାକୁ ଖୁବ କମ ରଖୁଛନ୍ତି । ନିଜର ସୀମିତ ସାଧନା ଓ ଜ୍ଞାନ ଭିତରେ ତାକୁ ଆଗେଇବାକୁ ଚେଷ୍ଟା କରୁଛନ୍ତି, କେତେଦୂର ସଫଳ ହେଉଛନ୍ତି ଅଲଗା କଥା କିନ୍ତୁ ଆଗ ଅପେକ୍ଷା ଓଡ଼ିଶୀ ସଙ୍ଗୀତ ଲୋକ ଅଧିକ ଶୁଣୁଛନ୍ତି ବା ତାର ପ୍ରଚାର ଅଧିକ ହେଉଛି ସେଇଟା ହେଉଛି ବଡ଼ ଜିନିଷ । ବିଶେଷତଃ ଡ଼୍ୟାନ୍ସ ସାଙ୍ଗରେ ଯେଉଁମାନେ ଗାଉଛନ୍ତି ବଜାଉଛନ୍ତି ତାଦ୍ୱାରା ଓଡ଼ିଶୀ ସଙ୍ଗୀତଟା ଚାରିଆଡ଼େ ପ୍ରଚାର ହେଉଛି । କିନ୍ତୁ ତାର କ୍ୱାଲିଟିକୁ ବଢାଇବାପାଇଁ ଗୁରୁତ୍ୱ ଦେବାକୁ ହେବ।

ପ୍ରଶ୍ନ: ନୂଆ ପିଢ଼ିକୁ ଆପଣ କେମିତି ଉତ୍ସାହିତ କରିବେ?

ଉତ୍ତର: ଓଡ଼ିଶୀ ସଙ୍ଗୀତ ଯେଉଁମାନେ କରୁଛନ୍ତି ସେମାନେ ସାଧନାପାଇଁ ବ୍ରତ୍ତି ହେବା ଦରକାର । ଚାରିଆଡ଼େ ବୁଲିକି ସମୟ ନଷ୍ଟ କଲେ ହେବନି । ସାଧନା କରିବାକୁ ପଡ଼ିବ । ସ୍ୱର, ଲୟକୁ ଆଗ ସେମାନେ ଜାବୁଡ଼ି ଧରିବା ଦରକାର । ଆମେ ପିଲାଦିନରୁ ଆଜିପର୍ଯ୍ୟନ୍ତ ତାକୁ ଧରିକି ରଖିଛୁ । ନା ପଇସା, ନା ସମ୍ମାନ ନା ପ୍ରୋଗ୍ରାମ ନା କିଛି, କୌଣସିଥିରେ ମନ ନାହିଁ। ସେହି ଜିନିଷଟାକୁ ଆଗେ ସେମାନଙ୍କୁ କରିବାକୁ ପଡ଼ିବ । ଓଡ଼ିଶୀ ସଙ୍ଗୀତକୁ ସାଧନା କରିକି ସେହି ସ୍ତରରେ ଗାଇବା ବଜାଇବା କଲେ ଆମ ଓଡ଼ିଶୀ ସଙ୍ଗୀତ ଆଗେଇ ଯିବ । ବହୁତ ଆଗେଇଛି, ଆମ ପିଲାମାନେ ବହୁତ ସୁନ୍ଦର କରୁଛନ୍ତି । ଗାଇଲେ ଭଲ ଲାଗୁଛି । ଆଗେ ଏତେ ଭଲ ଲାଗୁନଥିଲା । ଧୀରେ ଧୀରେ ବଦଳୁଛି । ସେମାନଙ୍କୁ ଆହୁରି ଆଗେଇବାକୁ ହେଲେ ଏସବୁ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡ଼ିବ । ସାଧନାକୁ ମୁଖ୍ୟ ସ୍ଥାନ ଦେବାକୁ ହେବ ।

About ଜ୍ୟୋତିପ୍ରକାଶ ସାହୁ

ଜ୍ୟୋତିପ୍ରକାଶ ସାହୁ
ଯୁବ କଳାକାର ତଥା ଭାୟୋଲିନ ବାଦକ( ଆକାଶବାଣୀ)

Check Also

Featured Video Play Icon

ମାଟି ଆଉ ମଣିଷର କବି କୃଷ୍ଣ ପ୍ରସାଦ

ନର୍ଦ୍ଦମା ପାଶେ ବାରବୁଲା ଡାକେ ହାଇ ମାରେ ବସି ବଣିକ ଶକୁନ ଶାସନ ଅବସାନ କର ଯୁଗର ଦାବିୟେ ଶାସକ …

Leave a Reply

Your email address will not be published. Required fields are marked *