Home / ସମୀକ୍ଷା / ଚଳଚିତ୍ର ସମୀକ୍ଷା / ସତରେ କେତେ ଗୁଣାତ୍ମକ ଟିଭି ଓ ସିନେମାଧର୍ମୀ ମନୋରଞ୍ଜନ?

ସତରେ କେତେ ଗୁଣାତ୍ମକ ଟିଭି ଓ ସିନେମାଧର୍ମୀ ମନୋରଞ୍ଜନ?

“ଟେଲିଭିଜନ ଓ ସିନେମାଧର୍ମୀ ମନୋରଞ୍ଜନର ଗୁଣାତ୍ମକ ମାନ କେତେ? ସହର ମଧ୍ୟରେ କେଉଁଠି ଗୋଟିଏ ଦୁଇଟି ମଞ୍ଚ କରି ସେଠାକୁ କଳାକାରଙ୍କୁ ଆମନ୍ତ୍ରଣ କରି ସର୍ତ୍ତ ଅନୁସାରେ କଳାପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦେଲେ ସେ କ’ଣ ପ୍ରକୃତ କଳା ପ୍ରଦର୍ଶନ କରିପାରିବେ? ଆମେ କେବେ ଆଦିବାସୀ ଧାଙ୍ଗ୍ଡ଼ା ଧାଙ୍ଗ୍ଡ଼ିଙ୍କ ନାଚ ଦେଖିଛନ୍ତି ସେମାନଙ୍କ ନିଜ ଗାଁରେ? ସେଠାରେ ନଥାଏ କୌଣସି ସର୍ତ୍ତ ବା ବରାଦି । ସବୁକିଛି କେବଳ ସେମାନଙ୍କ ମନୋରଞ୍ଜନ ସକାଶେ ସେମାନେ କରନ୍ତି ।” ଅଧ୍ୟାପକ କିଶୋର ମେହେର ଲେଖାଟି ମାଧ୍ୟମରେ ସମାଜ ଆଗରେ ଏଭଳି କିଛି ପ୍ରଶ୍ନ ଉତ୍ଥାପନ କରିଛନ୍ତି । ତାଙ୍କ ମତରେ ଆମମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ପ୍ରକୃତ ମନୋରଞ୍ଜନର ଗୁଣଧର୍ମ ଜଣାନାହିଁ । ମନୋରଞ୍ଜନରେ  ଥାଏ କଳାକାର ଏବଂ ଦର୍ଶକମାନଙ୍କ ମଧ୍ୟରେ ଏକ ଭାବଗତ ସମ୍ପର୍କ । ଟିଭି କିମ୍ବା ସିନେମା ଦେଖିବା ବେଳେ ଏହି ଭାବଗତ ସମ୍ପର୍କଟି ପ୍ରତିଷ୍ଠା ହୋଇପାରି ନଥାଏ ।                           -ସମ୍ପାଦକ

ଭାରତର ମନୋରଞ୍ଜନ ଶିଳ୍ପ (କେବଳ ଟିଭି ଓ ସିନେମା) ଏକାକୀ ପ୍ରାୟ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ଆଦାୟ କରେ । ଏତେବଡ଼ ପରିମାଣ ଯେଉଁଠି, ସେଠାରେ ସମାଜ ତ’ କେବଳ ମନୋରଞ୍ଜନଧର୍ମୀ ହେବା ସ୍ୱଭାବିକ । ଏଣୁ ଏବେ ଦେଶରେ ଟିଭି ଓ ସିନେମାକୈନ୍ଦ୍ରିକ ମନୋରଞ୍ଜନ କ୍ଷେତ୍ରରେ ଏକପ୍ରକାର ବିପ୍ଳବ ଚାଲିଛି କହିଲେ ଅତ୍ୟୁକ୍ତି ହେବନାହିଁ ।

ଆମ ଆଖପାଖରେ ଥିବା କତିପୟ ଅତ୍ୟନ୍ତ ସମ୍ବେଦନଶୀଳ ବ୍ୟକ୍ତି ଆଶଙ୍କା ପ୍ରକାଶ କଲେଣି – କ’ଣ ଆମସମାଜ କେବଳ ଅନ୍ତଃସାରଶୂନ୍ୟ ମନୋରଞ୍ଜନଧର୍ମୀ ଏକ ସମାଜରେ ପରିବର୍ତ୍ତିତ ହୋଇଗଲାଣି କି? ଏବେ ଯାହାକୁ ଦେଖ-ସିନେମା ଗୀତ, ସିନେମା ଷ୍ଟାଇଲ, ସିନେମାଶୈଳୀରେ ପ୍ରେମ ଓ ବିରହ ଓ ଆତ୍ମହତ୍ୟା ଅବା ହତ୍ୟା ।ଏଭଳିକି ମୋବାଇଲ ଫୋନ୍ରେ ମଧ୍ୟ ସିନେମାଗୀତ । ବେଳେବେଳେ ମନେ ହୁଏ, ବଲିଉଡ଼୍ ହିଁ ଆମ ଚିନ୍ତା ଓ ଚେତନାକୁ ସମ୍ପୂର୍ଣ୍ଣ କବ୍ଜା କରିସାରିଛି ।

କିନ୍ତୁ ଟେଲିଭିଜନ ଓ ସିନେମାଧର୍ମୀ ମନୋରଞ୍ଜନର ଗୁଣାତ୍ମକ ମାନ କେତେ? କ’ଣ ସତରେ ଏଥିରୁ ପ୍ରକୃତ ଆନନ୍ଦ ପାଇହୁଏ? ଅବା କ’ଣ ସତରେ ଟିଭି ଓ ସିନେମା ଆମକୁ ପ୍ରକୃତ ମନୋରଞ୍ଜନ ଦେବାକୁ ସକ୍ଷମ?

ନିକଟ ଅତୀତରେ ସାରାପୃଥିବୀରେ ଏକ ସର୍ବେକ୍ଷଣ କରାଯାଇ ଦେଖାଗଲା ଯେ ବିଗତ ଶତାବ୍ଦୀରେ ଉଦ୍ଭାବିତ ହୋଇଥିବା ବୈଷୟିକ ଜ୍ଞାନକୌଶଳମାନଙ୍କରୁ କେତେଟା ସବୁଠାରୁ ବେଶୀ ଭୟଙ୍କର ତଥା ମାନବସମାଜ ସକାଶେ କେଉଁଟା ଅଭିଶାପ ସଦୃଶ ହୋଇଛି । ସର୍ବେକ୍ଷଣରୁ ଜଣାପଡ଼ିଲା ଯେ ସେଇ ବସ୍ତୁଟି ହେଲା ଟିଭି ।

ଏହା କୁଆଡ଼େ କାଲ୍ସିନୋକଭ୍ ବନ୍ଧୁକ ଓ ପରମାଣୁ ବୋମାଠାରୁ ମଧ୍ୟ ବେଶୀ କ୍ଷତିକାରକ! ମଣିଷର ମନ ତଥା ଜୀବନପାଇଁ ଟିଭି କେତେ ମାରାତ୍ମକ ସେ ତଥ୍ୟଟିକୁ ଅତ୍ୟନ୍ତ ସୂକ୍ଷ୍ମଭାବରେ ଗବେଷଣା କରି ପଶ୍ଚିମଜଗତର ଦୁଇଜଣ ବିଦ୍ୱାନଙ୍କ ଦୁଇଖଣ୍ଡ ପୁସ୍ତକ ଗୁଡ଼ିକ ଯଥାକ୍ରମେ ହେଲା- ମେରୀୱିନ୍ଙ୍କ ‘ଦି ପ୍ଳଗ୍ ଇନ୍ ଡ୍ରଗ’ ଓ ବେରୀ ମେଣ୍ଡରଙ୍କ ‘ଫୋର ଆର୍ଗୁମେଣ୍ଟସ ଫର୍ ଦି ଏଲିମିନେସନ ଅଫ୍ ଟେଲିଭିଜନ’ (୧୯୭୮)ବହୁଚର୍ଚ୍ଚିତ । ଉଭୟ ବିଦ୍ୱାନ ଟିଭିକୁ ଏକ ଅଭିଶାପ ବୋଲି ପରିଗଣିତ କରିଛନ୍ତି ।

ସେମାନଙ୍କ ମତରେ ସମଗ୍ର ଜଗତରୁ ଟିଭି ସମ୍ପୂର୍ଣ୍ଣ ଭାବରେ ନିଶ୍ଚିହ୍ନ ହେବା ଆବଶ୍ୟକ । ଅବଶ୍ୟ, ଆମମଧ୍ୟରୁ ଅନେକେ ଏକଥା ସହଜରେ ଗ୍ରହଣ କରିପାରିବା ନାହିଁ । କିନ୍ତୁ ଉଭୟ ପୁସ୍ତକର ଲୋକପ୍ରିୟତା ଦେଖି ସେମାନଙ୍କ ଯୁକ୍ତିରେ ଯେ ଦମ୍ ଅଛି, ଏକଥା ମାନିବାକୁ ହେବ । ନିକଟ ଅତୀତର ବିଶ୍ୱ ସର୍ବେକ୍ଷଣ ମଧ୍ୟ ସେମାନଙ୍କ ଯୁକ୍ତିର ସମର୍ଥନ କରେ ।

ଏକ ସ୍ୱପ୍ନିଳ ଅବାସ୍ତବ ଜଗତରେ ଦିନସାରା ବିତେଇବା ଏକ ମାୟା ଦୁନିଆରେ ବିଭୋର ହେବା, କେବଳ ଫଟୋ ବା ଇମେଜ୍ ଯାହାକି ସତ୍ୟ ନୁହେଁ – ତାକୁ ଦେଖି ଆମେ ମନୋରଞ୍ଜନ କରୁଛୁ ବୋଲି ଭାବିବା ଏକପ୍ରକାର ଆତ୍ମପ୍ରବଞ୍ଚନା ବୋଲି ମନେହୁଏ ।

ଅସଲରେ ଆମମଧ୍ୟରୁ ଅଧିକାଂଶ ଲୋକଙ୍କୁ ପ୍ରକୃତ ମନୋରଞ୍ଜନର ଗୁଣଧର୍ମ ଜଣାନାହିଁ କହିଲେ ବୋଧେ ଅତ୍ୟୁକ୍ତି ହେବନାହିଁ । ଆମେ ଟେଲିଭିଜନ ସିନେମା ତଥା ରିଆଲିଟି ଶୋ କୈନ୍ଦ୍ରିକ ମନୋରଞ୍ଜନ କରି କିଛି ଏକପ୍ରକାର ମୋହଗ୍ରସ୍ତ ହୋଇଗଲୁଣି । ଏହି ପ୍ରକ୍ରିୟାରେ ଆମେ ପ୍ରକୃତ ଅର୍ଥରେ ଆମକୁ ଆନନ୍ଦ ପ୍ରଦାନ କରିବାକୁ ସକ୍ଷମ ମନୋରଞ୍ଜନରୁ ଦୃଷ୍ଟି ଫେରାଇ ନେଉଛୁ । ଆମ ସ୍ଥୂଳ ବୁଦ୍ଧିରେ ଆମେ ମନୋରଞ୍ଜନକୁ ତିନୋଟି ଭାଗରେ ବିଭକ୍ତ କରିପାରିବା ।

ଯଥା-ପ୍ରଥମ ସ୍ତରର ମନୋରଞ୍ଜନ ହେଲା -ନିଜେ ସ୍ୱୟଂ ଭୂମିକାରେ ଅବତୀର୍ଣ୍ଣ ହେବା – ଯଥା ନାଚିବା, ଗାଇବା, ନାଟକରେ ଅଭିନୟ କରିବା, ବଜାଇବା ଇତ୍ୟାଦି । ଦ୍ୱିତୀୟସ୍ତରର ମନୋରଞ୍ଜନ ହେଲା ଅନ୍ୟର ପ୍ରଦର୍ଶନକୁ ନିଜ ଆଖିଆଗରେ ଦେଖିବା – ଯଥା ନାଟକ, କୀର୍ତ୍ତନ, ଗୀତ ଗାୟନ ବା ବାଦ୍ୟ ବାଦନ ଆଦି । ଯେମିତି ମନେକରନ୍ତୁ ଆପଣ ଅପେରା ଦେଖୁଛନ୍ତି । ନାଟକ, ଡ୍ରାମା ଦେଖୁଛନ୍ତି, ଅବା ଅର୍କେଷ୍ଟ୍ରା ଦେଖୁଛନ୍ତି – ଅବା ଗୀତଟିଏ ଶୁଣୁଛନ୍ତି – ଗାୟକ ଗାଉଛନ୍ତି ଆପଣଙ୍କ ସମ୍ମୁଖରେ । ତୃତୀୟସ୍ତରର ମନୋରଞ୍ଜନ ହେଲା ଟିଭି ଓ ସିନେମାଧର୍ମୀ ମନୋରଞ୍ଜନ । ଏଗୁଡ଼ିକୁ ନିହାତି ନିକୃଷ୍ଟ ଧରଣର ମନୋରଞ୍ଜନ ବୋଲି ଜ୍ଞାନୀମାନଙ୍କ ମତ । ଏଥିସକାଶେ ଟିଭିକୁ କୁହାଯାଏ ଇଡ଼ିଅଟ୍ ବକ୍ସ । କାରଣ ଏ କ୍ଷେତ୍ରରେ ଆପଣଙ୍କ ସମ୍ପୃକ୍ତି କୌଣସି ପ୍ରକାରେ ନାହିଁ । କେବଳ ବୋକାଙ୍କ ଭଳି ଅନେଇବା କଥା ।

ଗତ ଗ୍ରୀଷ୍ମାବକାଶରେ ପ୍ରାୟ ଦୁଇମାସ କାଳ ପଶ୍ଚିମଓଡ଼ିଶାର ପଦ୍ମପୁର ଉପଖଣ୍ଡର କେତୋଟି ଗାଁରେ କଟିଥିଲା । ଉଦ୍ଦେଶ୍ୟ, ଗାଁକୁ ଆହୁରି ପାଖରୁ ଦେଖିବା, ଲୋକଙ୍କୁ ନିକଟରୁ ଚିହ୍ନିବା । ଦିନେ କୌଣସି ଗାଁରେ ଆୟୋଜିତ ହୋଇଥାଏ ଅଷ୍ଟପ୍ରହରୀ ନାମଯଜ୍ଞ । ଏହା ହେଲା ଗାଁର ବାର୍ଷିକୋତ୍ସବ । ଆବାଳବୃଦ୍ଧବନିତା ତଥା ପାଖ ଦୂରଗାଁରୁ ବନ୍ଧୁବାନ୍ଧବ ଆସିଥାନ୍ତି ‘ନାମ’ ଦେଖିବାକୁ । ତାଳବରଡ଼ା, ଜାମୁଡାଳର ମଝିଆ ମଝିରେ ଯଜ୍ଞବେଦୀ । ପୁଣି ଚାରିପଟେ ବସିଥାନ୍ତି ଗାଁ ଲୋକେ । ଉଦ୍ଦେଶ୍ୟ ‘ବାହାକ’ମାନଙ୍କ ପ୍ରଦର୍ଶନ ଦେଖିବେ । ସମସ୍ତେ ବ୍ୟଗ୍ର,ଉତ୍ସାହୀ – କେତେବେଳେ ପ୍ରବାଦପୁରୁଷ ରାମ ବାହାକ୍, ବାମନିଅାଁ ଓ ଉପର ବହଲିଆ ବାହାକଙ୍କ ପ୍ରହର ପଡ଼ିବ, ଅର୍ଥାତ ସେମାନେ କେତେବେଳେ ପ୍ରଦର୍ଶନ କରିବେ ।

ଏଠାରେ, ସୂଚନାଯୋଗ୍ୟ ରାମବାହାକ, ବାମନିଆ ଓ ଉପର ବହଲିଆ ବାହାକମାନେ ହେଲେ ଏ ଅଞ୍ଚଳର ବହୁଆଦୃତ ରଙ୍ଗି କୀର୍ତ୍ତନ ଜଗତର ଅପ୍ରତିଦ୍ୱନ୍ଦ୍ୱୀ ବାହାକ । ପୂର୍ବେ ଖୁବ୍ ନାଁ କରିଥିଲେ ପୂର୍ଣ୍ଣନେତ୍ରା ତଥା ବାଣପୁରିଆ ଦୁଆରୀ ବାହାକ ।

ସମଗ୍ର ନାମଯଜ୍ଞମଣ୍ଡଳୀରେ ରାମ ବାହାକ ଅବା ବାମନିଆ ବାହାକଙ୍କ ଉପସ୍ଥିତି ବେଶ ଉଦ୍ଦୀପନା ଆଣେ । ରାମ ବାହାକର ‘ଟପା’ ବା ଖଣ୍ଡିବାଦ୍ୟ ଓ ତା’ସହ ଦର୍ଶକଙ୍କ ବିସ୍ଫାରିତ ନେତ୍ର ଓ ଦେହସାରା ନୋଟ୍ ଖୋସିବା ଯେ କେତେ ଗୁଣାତ୍ମକ ମନୋରଞ୍ଜନଧର୍ମୀ , ତାହା ନଦେଖିଲେ ବିଶ୍ୱାସ ହେବନାହିଁ । ଦର୍ଶକଙ୍କ କଥା ଦେଖାଯାଉ ।

ଏମାନେ ଦେଖଣାହାରୀ -ସେମାନଙ୍କ ଆଖି ଆଗରେ ଚାଲିଛି ପ୍ରଦର୍ଶନ । ସେମାନେ କହୁଛନ୍ତି – ରାମ ବାହାକ ଏଇଟା ବଜାଅ, ସେଇଟା ବଜାଅ । ବାହାକ ଫରମାସ୍ମତେ ବଜାଇ ଚାଲନ୍ତି । ଏଥିରେ ବାହାକ ଓ ଦେଖଣାହାରୀ ଉଭୟଙ୍କ ଭୂମିକା ପ୍ରତ୍ୟକ୍ଷ । ଆଉ କୀର୍ତ୍ତନ ନର୍ତ୍ତକମାନେ? ଏମାନେ ସମସ୍ତେ ଚାଷୀ ଓ କୃଷିଶ୍ରମିକ । ଗାଁର ତଥାକଥିତ ଅଶିକ୍ଷିତ ଯୁବକ । ସହରୀସଭ୍ୟତାଠାରୁ ଏବେ ବି ଦୂରରେ । ସିନେମା, ଟିଭି, କ୍ରିକେଟରୁ ଏବେବି ମୁକ୍ତ । ସେମାନେ କୀର୍ତ୍ତନ ନାଚନ୍ତି-ନିଜ ଖୁସିରେ- କାରଣ ତାହା ସେମାନଙ୍କୁ ମଜା ଲାଗେ । ସେଥିପାଇଁ ସେମାନଙ୍କୁ କୌଣସି ଅର୍ଥ ମିଳେନା ।

କହିବାର କଥା ହେଲା – ଏଠାରେ ସମସ୍ତଙ୍କ ମନୋରଞ୍ଜନ ଏକପ୍ରକାରେ ପ୍ରତ୍ୟକ୍ଷ । ପ୍ରଦର୍ଶନଧର୍ମୀ ମନୋରଞ୍ଜନକୁ ଶ୍ରେଷ୍ଠ ସ୍ଥାନ ପ୍ରଦାନ କରନ୍ତି ପ୍ରବାଦ ପୁରୁଷ ଶିବରାମ କରନ୍ଥ ଓ ବିଜୟ ତେନ୍ଦୁଲକର । ଥରେ ପ୍ରସିଦ୍ଧ ନାରୀ କଳାକାର ଜୋହରା ସାଇଗଲ୍ଙ୍କୁ ପଚାରିଲି – ‘ଆପଣଙ୍କ ପ୍ରକୃତ ଆନନ୍ଦ କେଉଁଠି – ମଞ୍ଚରେ ନା ସିନେମା ପରଦାରେ?’ ସ୍ମିତ ହସି ସେ ଉତ୍ତର ଦେଲେ – ‘ଯାହା ମଞ୍ଚରେ ମିଳେ ତାହା କି କେବେ ପରଦାରେ ମିଳେ? ସତରେ ରଙ୍ଗମାଖି, ପାଦରେ ନୁପୂର ବାନ୍ଧି ଦର୍ଶକଙ୍କ ତାଳିମାଡ଼ ଭିତରେ ନାଚିବା ଏକ ଅତ୍ୟୁଚ୍ଚ ସ୍ତରର ମନୋରଞ୍ଜନ ।’

ଏହି ଦୃଷ୍ଟିକୋଣରୁ ଆମ ଗାଁର ରଙ୍ଗିକୀର୍ତ୍ତନ ହେଉ କି କୃଷ୍ଣ ଗୁରୁବାଦା ହେଉ କି ‘ନଚନିଆ’ କି ସଂପରଦା କି ଡାଲଖାଇ ଭଳି ଅନେକେ ଲୋକନୃତ୍ୟ ଅବା ଓଡ଼ିଶୀ ଭଳି ନୃତ୍ୟ ପ୍ରଦର୍ଶନ କେଉଁ ଗୁଣରେ ଅତ୍ୟୁଚ୍ଚ ମନୋରଞ୍ଜନରୁ କମ୍?

ପୁଣି ଥୋକେ କହନ୍ତି – କୁଆଡ଼େ ବରାଦି କଳା ପ୍ରଦର୍ଶନ ଦ୍ୱାରା ପ୍ରକୃତ ମନୋରଞ୍ଜନ ସମ୍ଭବପର ହୁଏନା । ସହର ମଧ୍ୟରେ କେଉଁଠି ଗୋଟିଏ ଦିଅଟା ମଞ୍ଚ କରି ସେଠାକୁ କଳାକାରଙ୍କୁ ଆମନ୍ତ୍ରଣ କରି ସର୍ତ୍ତ ଅନୁସାରେ କଳାପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦେଲେ ସେ କ’ଣ ପ୍ରକୃତ କଳା ପ୍ରଦର୍ଶନ କରିପାରିବେ? ସନ୍ଦେହର ଅବକାଶ ଅଛି । ଆମେ କେବେ ଆଦିବାସୀ ଧାଙ୍ଗ୍ଡ଼ା ଧାଙ୍ଗ୍ଡ଼ିଙ୍କ ନାଚ ଦେଖିଛନ୍ତି ସେମାନଙ୍କ ନିଜ ଗାଁରେ? ସେଠାରେ ନଥାଏ କୌଣସି ସର୍ତ୍ତ ବା ବରାଦି ।

ସବୁକିଛି କେବଳ ସେମାନଙ୍କ ମନୋରଞ୍ଜନ ସକାଶେ ସେମାନେ କରନ୍ତି । ତେଣିକି ତାହା ଆମକୁ ଭଲ ଲାଗିପାରେ, ନ ଲାଗିପାରେ । ସେଥିରେ ସେମାନଙ୍କ କିଛି ଊଣା ହୁଏନା । ଏହାହିଁ ହେଉଛି ପ୍ରକୃତ ମନୋରଞ୍ଜନ । ସହର ଭିତରେ କୋଉ ଏକ ଡ୍ରଇଂରୁମ୍ରେ ବସି ଟିଭି ପରଦା ଅବା ସିନେମାହଲ୍ର ପରଦାରେ ଏଭଳି ଉକ୍ରୃଷ୍ଟ ମନୋରଞ୍ଜନର ଆନନ୍ଦ କଥା ଭାବିହୁଏନା । ଫଳ ହେଲା – ଆମେ ସଭିଏଁ ଟିଭି ଓ ସିନେମାକୁ ହିଁ ପ୍ରକୃତ ମନୋରଞ୍ଜନର ମାଧ୍ୟମ ବୋଲି ମାନିନେଲେଣି ।

ପ୍ରକୃତ ମନୋରଞ୍ଜନ ବା ପ୍ରକୃତ ଆନନ୍ଦର ସ୍ୱାଦ ବୋଧ ଆମମାନଙ୍କଠାରେ ଆଉ ଦେଖିବାକୁ ମିଳୁନି । ବଣ ମଲ୍ଲିକୁ ଛାଡ଼ି ଖାଲି କଖାରୁ ଫୁଲ ପଛରେ କେବଳ ଧାଇଁବା ସାର ହେଉଛି । ଏହି ପ୍ରସଙ୍ଗରେ ମନେପଡ଼ିଯାଏ ପ୍ରସିଦ୍ଧ ଜର୍ମାନ କବି ୱାଫ୍ଲଡ୍ରିଟିଶ ଶ୍ଳୁରେଙ୍କ ପଦ –

‘ମତେ ଶାସ୍ତି ଦିଅ,

ମୋ କର୍ମର ଦଣ୍ଡ ଦିଅ

ବହୁରଙ୍ଗି ମାୟା ମୋହର ପରଦା ପଛରେ

ଲୁଚାଇ ରଖନି ମତେ

ଟେଲିଭିଜନ ସିରିଏଲ୍ର ଏଇ ଜଙ୍ଗଲରେ

ଛାଡ଼ି ଯାଅନା ମତେ’ ।

ସୌଜନ୍ୟ- ସମଦୃଷ୍ଟି

photo credit- internet

About ପ୍ରଫେସର କିଶୋର ମେହେର

ପ୍ରଫେସର କିଶୋର ମେହେର
ଇତିହାସ ବିଭାଗର ପ୍ରଫେସର, ଗବେଷକ, ଲେଖକ, ସ୍ତମ୍ଭକାର

Leave a Reply

Your email address will not be published. Required fields are marked *