Home / ବ୍ୟକ୍ତି ଓ ବ୍ୟକ୍ତିତ୍ୱ / ସାକ୍ଷାତକାର / ସଙ୍ଗୀତଜ୍ଞ ‘ଶାନ୍ତନୁ ମହାପାତ୍ର’ଙ୍କ ସହ ଏକ ସାକ୍ଷାତକାର

ସଙ୍ଗୀତଜ୍ଞ ‘ଶାନ୍ତନୁ ମହାପାତ୍ର’ଙ୍କ ସହ ଏକ ସାକ୍ଷାତକାର

ଏବେ ୭୯ବର୍ଷ (ଏବେ ସେ ୮୧ ବର୍ଷରେ) ବୟସରେ ପହଂଚିଛନ୍ତି ଖ୍ୟାତିନାମା ଏଥିରେ ରାଜାମାନଙ୍କ ଭୂମିକା କିଛି ରହୁଥିଲା ?
ସେତେବେଳେ ରାଜାଘର ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । ମୟୂରଭଞ୍ଜର ରାଜାମାନେ ମଝିରେ ମଝିରେ ଗାୟନ ଆୟୋଜନ କରୁଥିଲେ । ଆମ ଗୀତ ସାର୍ ବାଞ୍ଛାନିଧି ସାର୍ଙ୍କୁ ଡ଼କା ଯାଉଥିଲା । ଆମେ ତାଙ୍କ ସହ ଅନେକ ଥର ଯାଇଛୁ । ପାରଳ ଖେମୁଣ୍ଡି ଏବଂ ମୟୁରଭଞ୍ଜ ଏହି ଦୁଇଟି ଗଡ଼ ଜାତ ସଙ୍ଗୀତ ଓ ନୃତ୍ୟ ବିଦ୍ୟା ପାଁଇ ସୁନାମ ଅର୍ଜନ କରିଥିଲେ । ସେତେବେଳେ ଯେଉଁ ଓଡ଼ିଶୀ ନୃତ୍ୟ ସଙ୍ଗୀତ ହେଉଥିଲା ତାହା ଆଜିପରି ନୁହେଁ । ସେତେବେଳେ ବହୁତ ସରଳ ଥିଲା । ମୁଁ ବହୁତ ମନେ ରଖିପାରୁଥିଲି ।
ପିଲାବେଳେ କଟକରେ ଆୟୋଜିତ ପ୍ରତିଯୋଗିତାରେ ଆପଣ ପୁରସ୍କାର ପାଉଥିଲେ । ଲୋକେ ଆପଣଙ୍କୁ ଇର୍ଷା କରୁନଥିଲେ ?
କଟକରେ ଆମେ ୭୫ ପ୍ରତିଶତ ପ୍ରାଇଜ୍ ବୋହି ନେଉଥିଲୁ ଫଳରେ କଟକ ଓ ବାରିପଦା ଭିତରେ ପ୍ରତିଦ୍ୱନ୍ଦିତା ସୃଷ୍ଟି ହେଉଥିଲା । ପାରଳାଖେମୁଣ୍ଡି ପୁରୀ ଓ ବାରିପଦାରେ ଗୁରୁମାନେ ରହୁଥିଲେ । ସେମାନଙ୍କର ପ୍ରଶିକ୍ଷିତ ଶିଷ୍ୟମାନେ ସବୁ ପୁରସ୍କାର ଗ୍ରହଣ କରୁଥିଲେ । ଏଣୁ କଟକର କିଛି ଓଜନ ଥିଲା ।
ପିଲାବେଳେ ସବୁଠାରୁ କମ୍ ବୟସର ପ୍ରତିଯୋଗୀ ଭାବେ ଖେୟାଲଠୁ, ଧ୍ରୁପଦ, ଓଡ଼ିଶୀ ଓ ଭଜନରେ ମୁଁ ସବୁବେଳେ ପୁରସ୍କାର ନେଉଥିଲି । ଏକଥା ସବୁକୁ ଭାବିଲେ ଲାଗୁଛି ସତେ ଯେପରି ଏହା ମା’ ସରସ୍ୱତୀ ଏବଂ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ । ତାହା ମୁଁ ଏବେ ଅନୁଭବ କରୁଛି । ଯଦି ସେତେବେଳୁ ମୁଁ ସାଧନା କରୁନଥାନ୍ତି ତେବେ ବର୍ତ୍ତମାନ ମା’ ସରସ୍ୱତୀ ଯାହା ଦେଉଛନ୍ତି ତାହା ନଥାନ୍ତା ।
ଆପଣଙ୍କ ପରିବାରରେ କିଏ ସଙ୍ଗୀତ ଆଗ୍ରହୀ ଥିଲେ?
ସମସ୍ତେ । ମୋ ବାପା ସୁନ୍ଦର ଗୀତ ଗାଉଥିଲେ । ମା’ ମଧ୍ୟ ସଙ୍ଗୀତ ସାଧନା କରୁଥିଲେ । ମୁଁ ଅନେକଥର ବାପାଙ୍କ ନାଁରେ ପରିଚିତ ହୋଇଛି । ବାପା କେବଳ ସଙ୍ଗୀତ ସାଧନା କରୁନଥିଲେ ବରଂ ସାହସୀଥିଲେ । ଅନେକ ସମୟରେ ବନ୍ୟା ପ୍ରଭାବିତ ଲୋକଙ୍କୁ ସେ ବଂଚାଇଛନ୍ତି । ମୟୂରଭଞ୍ଜ ରାଜା ତାଙ୍କୁ ସ୍କଟଠ୍ଲ୍ୟାଣ୍ଡ ପଠାଇଥିଲେ ସ୍କାଉଟ୍ ତାଲିମ ନେବାପାଇଁ ।
ଆପଣଙ୍କ ଉପରେ ଗଡ଼ଜାତର କି ପ୍ରଭାବ ପଡ଼ିଛି?
ପ୍ରଥମତଃ ସାଧୁତା । ଚରିତ୍ରବାନ ହେବା ମୋତେ ମୟୂରଭଞ୍ଜ ହିଁ ଶିଖାଇଛି । ସେତେବେଳର ଶିକ୍ଷକମାନେ ଦେଶପ୍ରେମ ଶିଖାଉଥିଲେ । ମୋର ମନେ ପଡ଼ୁଛି ସଚ୍ଚି ଦାସଙ୍କ ବିପ୍ଳବୀ ସଙ୍ଗୀତ । ମୟୂରଭଞ୍ଜର ମାଟି ହେଉଛି ସାଇଟା । ଗୀତ ସଙ୍ଗୀତ ସବୁ କିଛି । ଡ଼୍ରାମା କଥା ତ କହିଲେ ମୟୂରଭଞ୍ଜ ଆଗକୁ ଆସୁଥିଲା । ସାମୁଏଲ୍ ବାବିଙ୍କ କଥା ତ ସମସ୍ତେ ଜାଣିଛନ୍ତି । ଆମେ ସବୁବେଳେ ତାଙ୍କୁ ପିଲାବେଳେ ଅନୁସରଣ କରୁଥିଲୁ ।
ମାଟ୍ରିକ୍ୟୁଲେସନ୍ ପରେ ଆପଣ ମୟୂରଭଞ୍ଜ ଛାଡ଼ି କଲିକତା ଗଲେ । ସେଠାରେ ସଙ୍ଗୀତ ଅଭ୍ୟାସ କେମିତି କରୁଥିଲେ?
ଏହା ଛାଡ଼ିଲା ପରେ କଲିକତାରେ ମୋତେ ସଲିଲ୍ ଚୌଧୁରୀଙ୍କ ସାନ୍ନିଧ୍ୟ ମିଳିଲା । ତାଙ୍କ ଛାତ୍ର ହେଲି । ସେ ଏବଂ ତାଙ୍କ ଦଳ ସବୁବେଳେ ସଂଗ୍ରାମର ଗୀତ ଗାଉଥିଲେ । ତାଙ୍କ ପ୍ରଭାବ ମୋ ଉପରେ ପଡ଼ିଛି । ମୁଁ ତାଙ୍କଠୁ ଅନେକ କିଛି ଶିଖିଛି । ମୁଁ ତାଙ୍କ ଜ୍ଞାନଗାରିମାରେ ଏତେ ମଜ୍ଜିଥିଲି ଯେ, ଖରାଛୁଟିରେ ମଧ୍ୟ ବାରିପଦା ଆସୁନଥିଲି ।
ବଙ୍ଗଳାର ପ୍ରଭାବ ଓଡ଼ିଶାରେ ସଙ୍ଗୀତକୁ ଆଗକୁ ନେବାରେ ଆପଣଙ୍କୁ ସାହାଯ୍ୟ କରିଛି?
ବହୁତ ସାହାଯ୍ୟ କରିଛି । ମୁଁ ସଲିଲ ଚୌଧୁରୀଙ୍କ ଗୋଡ଼ ଛୁଇଁ ସଙ୍ଗୀତ ଶିକ୍ଷା କରିଛି । ଏ ସଂଗ୍ରାମର ଗୀତ ଯାହା ମୁଁ ଲେଖିଛି ବା ସଙ୍ଗୀତ ସଜାଇଛି ସବୁ ତାଙ୍କରି ପ୍ରଭାବରେ ।
ଇଞ୍ଜିନିୟରିଂକୁ କେମିତି ପ୍ରବେଶ ହେଲା?
ଆଇଏସ୍ସି ପାସ୍କଲାପରେ ମୋତେ ଆଇଆଇଟି ଖଡ଼ଗପୁରରେ ପଢ଼ିବାକୁ ସୁଯୋଗ ମିଳିଲା । ସେଠାରୁ ପାସ୍କଲା ପରେ ମୁଁ ଭୂତତ୍ୱବିତ୍ ଚାକିରି ପାଇଲି । ସେତେବେଳେ ପାଠ ସରିଲେ ଚାକିରି ମିଳୁଥିଲା । କିନ୍ତୁ ଏବେ ପରିସ୍ଥିତି ପରିବର୍ତ୍ତନ ହୋଇଛି । ପାଠ ପଢ଼ିଲେ ବି ମୁହଁ ଶୁଖାଇବାକୁ ପଡ଼ୁଛି ।

ଶାନ୍ତନୁ ମହାପାତ୍ର
ଜନ୍ମ : ୬ ଜାନୁୟାରୀ ୧୯୩୬
ଜନ୍ମସ୍ଥାନ : ବାରିପଦା, ମୟୂରଭଞ୍ଜ
ବର୍ତ୍ତମାନ ରହୁଛନ୍ତି : ପଳାସପଲ୍ଲୀ, ଭୁବନେଶ୍ୱର
ପରିଚୟ : ସଙ୍ଗୀତଜ୍ଞ, ଗୀତିକାର, ଭୂତତ୍ୱବିତ୍
ପତ୍ନୀ : ଶିଖା ମହାପାତ୍ର
ବାହାଘର : ୧୯୬୯

ଚାକିରି କଲାପରେ ସଙ୍ଗୀତ ସାଧାନାରେ କିଛି ପ୍ରଭାବ ପଡ଼ିଥିଲା?
ନାଁ । କାରଣ ମୋର ଯେତିକି ବଳକା ସମୟ ସେଥିରେ ମୁଁ ସଙ୍ଗୀତ ଅଭ୍ୟାସ କରେ । ମୁଁ ୧୯୫୭ରେ ଓଡ଼ିଶା ସରକାରଙ୍କ ପାଖରେ ଚାକିରି କଲି । ତା’ପରେ ୧୯୬୪ରେ ପ୍ରଥମ ସିନେମା ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଲି ।
କେବେ ଏ ସଙ୍ଗୀତ ଜୀବନ ଚାକିରିରେ ପ୍ରଭାବ ପକାଇଛି?
ମୁଁ ଯଦି ସେ ଜଙ୍ଗଲ ପାହାଡ଼ ଭିତରେ ଯୌବନ କଟାଇ ନଥା’ନ୍ତି ତେବେ ଏପରି ସଙ୍ଗୀତ ସୃଷ୍ଟି କରିବାରେ ସମର୍ଥ ହୋଇପାରି ନଥାନ୍ତି । ମୁଁ ସେଇ ସଙ୍ଗୀତକାର ଯିଏ ବନ୍ଧୁକ ଧରିଛି ଆଉ ହାର୍ମୋନିୟମ ବି ଧରିଛି। ମୋ ଚାକିରି ଜୀବନ କି ସଙ୍ଗୀତ ସାଧନା କେହି କାହାଦ୍ୱାରା କେବେ ପ୍ରଭାବିତ ହୋଇନାହାନ୍ତି । ମୁଁ ଶ୍ରେଷ୍ଠ ଭୂତତ୍ୱବିତ୍ ଭାବେ ଖ୍ୟାତି ହାସଲ କରିଛି । ଅନେକ ସମ୍ମାନ ପାଇଛି।
ଓଡ଼ିଶାରେ ଆଧୁନିକ ସଙ୍ଗୀତର ସ୍ଥିତିକୁ କେମିତି ଦେଖନ୍ତି?
ବେଙ୍ଗଲ ଓ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଆଧୁନିକ ଗୀତ ବୋଲି କିଛି ନଥିଲା । ଓଡ଼ିଶୀ, ଚମ୍ପୁ, ଛାନ୍ଦ, ଜଣାଣ ଓ କୀର୍ତ୍ତନ ସିନା ଥିଲା କିନ୍ତୁ ଆଧୁନିକ ସଙ୍ଗୀତ ନଥିଲା । ଆମ ବାରିପଦାର ରାଧାକୃଷ୍ଣ ଭଞ୍ଜ ହେଉଛନ୍ତି ଓଡ଼ିଶାର ପ୍ରଥମ ଆଧୁନିକ ଗୀତ ଗାୟକ ଓ ସଙ୍ଗୀତକାର । ସେତେବେଳେ ତାଙ୍କୁ ଦେଖି ଗୀତରେ ପରିବର୍ତନ ଆସିଲା । ଆଧୁନିକ ସଙ୍ଗୀତର ଆବଶ୍ୟକତା ଆସିଲାରୁ ତାହା ଆଦୃତ ହେଲା ।
ଏବେ ଯେଉଁ ଧାରା ଚାଲିଛି ସେ ବିଷୟରେ କ’ଣ କହିବେ?
ଏକବାର ଖରାପ । ବର୍ତ୍ତମାନ ଯେଉଁ ଧାରା ଚାଲିଛି ତାହା ମଧ୍ୟରେ ମୌଳିକତା ନାହିଁ । ମୌଳିକତାମାନେ ମୁଁ କହୁନି ଓଡ଼ିଶୀ, ଛାନ୍ଦ, ଚମ୍ପୁ, ଜଣାଣ ଗାଇବେ । କିନ୍ତୁ ହିନ୍ଦି ସିନେମା ଗୀତରୁ ନକଲ କରିବାର ଆବଶ୍ୟକତା ନାହିଁ ।
ମୌଳିକତା କାହିଁକି ରହୁନି?
ମୌଳିକତା ନ ରହିବା ପଛରେ ସରକାର ଦାୟୀ । ଆମର ଗୋଟିଏ ବେହିଆ ସରକାର । କାରଣ ଆମର ସବୁ କାର୍ଯ୍ୟ ପାଇଁ ନୀତି ଅଛି । ଯେମିତି ଶିଳ୍ପ ନୀତି, ଭୂମି ନୀତି ଏମିତି । କିନ୍ତୁ ଯେଉଁ ସଂସ୍କୃତିକୁ ନେଇ ଆମେ ଗର୍ବ କରୁ ତାହାର ସୁରକ୍ଷା ଓ ସଠିକ ପରିଚାଳନା ପାଇଁ କୌଣସି ନୀତି ନାହିଁ । ଗୋଟିଏ ସଂସ୍କୃତି ନୀତି ନିହାତି ଦରକାର । ଯେତେଦିନ ଯାଏଁ ନୀତି ନ ରହିବ ସେତେଦିନ ଯାଏଁ କପି ବା ନକଲ ଚାଲିବ । ମହାରାଷ୍ଟ୍ର ଓ ଗୁଜୁରାଟରେ ସ୍ୱତନ୍ତ୍ର ସଙ୍ଗୀତ ନୀତି ରହିଛି । ଓଡ଼ିଶାରେ କାହିଁକି ହେବନି? ମୁଁ ଏହା କହି କହି ବୁଢ଼ା ହୋଇଗଲିଣି । ଏମିତିକି ମୁଁ ସଙ୍ଗୀତ ନାଟକ ଏକାଡ଼େମୀର ଅଧ୍ୟକ୍ଷ ଥିବାବେଳେ ନୀତି ତିଆରିର ପ୍ରସ୍ତାବ ଦେଇଥିଲି । କିନ୍ତୁ ତାହା ହୋଇପାରିଲା ନାହିଁ ।
କିନ୍ତୁ ଏହାଦ୍ୱାରା ସୃଜନଶୀଳତା ନଷ୍ଟ ହେବନି?
କାହିଁକି ହେବ? କେହି କହୁ ନାହିଁ ଆଧୁନିକ ଗୀତରେ କୌଣସି ଧାରା ସ୍ଥିର କରିବାକୁ । କିନ୍ତୁ ଆମ ମୌଳିକତା କାହିଁକି ବଦଳାଯିବ । କାହିଁକି ବ୍ୟାକରଣ ସୁଦ୍ଧି ନହେବ? ଭଦ୍ରତା କାହିଁକି ନ ରହିବ?
ବଜାରର ଚାହିଦା ଅନୁସାରେ କିଛିଟା ମସଲା ରହିବା ଜରୁରୀ ନୁହେଁ?
କିଛିଟା ରହୁ । ହେଲେ ଆଧୁନିକତା ମାନେ ନୁହେଁ ଅସଭ୍ୟ ହେବା । ଲୋକଙ୍କ ହୃଦୟସ୍ପର୍ଶୀ ଗୀତ ତିଆରି ହେବା ଦରକାର । ଇଂରାଜୀରେ ଗୋଟିଏ କଥା ରହିଛି ଦୁଃଖର ଗୀତଗୁଡ଼ିକ ସବୁବେଳେ ହୃଦୟକୁ ସ୍ପର୍ଶ କରେ । ମୁଁ କହୁନି ସମସ୍ତେ ମିଶି କାନ୍ଦନ୍ତୁ । କପି ବା ନକଲ କରିବାକୁ ମୁଁ ମନା କରୁଛି ।
ହେଲେ ପ୍ରଚଳିତ ସଙ୍ଗୀତ ଧାରାରେ କେମିତି ପରିବର୍ତ୍ତନ ଆସିବ?
ଯୁବ ବୟସରେ ଅନେକ ପିଲା ବାହାରିଲେଣି । ମୁଁ ଚାହୁଁଛି ଓଡ଼ିଶାରେ ଅଧିକରୁ ଅଧିକ ରିୟାଲିଟି ଶୋ’ ହେଉ । କଳାକାରମାନଙ୍କୁ ପ୍ରୋତ୍ସାହନ ମିଳୁ । ଯେଉଁସ୍ଥାନକୁ ସବୁ ଶ୍ରେଣୀର ପିଲାମାନେ ପହଞ୍ଚିପାରିବେ । ପ୍ରତିଦ୍ୱନ୍ଦ୍ୱୀ ଭାବେ ସଙ୍ଗୀତରେ ନିଜ ସ୍ଥାନକୁ ଆଗକୁ ନେଇପାରିବେ । ମୋର ସ୍ୱପ୍ନ ହେଉଛି ଓଡ଼ିଶାରେ ଏକ ସ୍ୱତନ୍ତ୍ର ସଂସ୍କୃତି ନୀତି ପ୍ରଣୟନ ହେବା ଯାହାଫଳରେ ସଙ୍ଗୀତ ଓ ସଂସ୍କୃତି ଆଗକୁ ବଢ଼ିପାରିବ । ପ୍ରତି ଜିଲ୍ଲାରେ ସଙ୍ଗୀତ ସ୍କୁଲ ହେବା ଆବଶ୍ୟକ । ଫଳରେ ସଙ୍ଗୀତ ଶିଖିଥିବା ପିଲାମାନେ ସେଠାରେ ନିଯୁକ୍ତି ପାଇବେ । ନିଜ ଜ୍ଞାନକୁ ବାଣ୍ଟିବେ ଏବଂ ଓଡ଼ିଶାର ନିଜସ୍ୱ ସ୍ୱରକୁ ଆହୁରି ବଳୀୟାନ କରିବେ ।

ଉପସ୍ଥାପନା : ହରିହର ପଣ୍ଡା

ଶାନ୍ତନୁ ମହାପାତ୍ର ଓଡ଼ିଶାର ସଙ୍ଗୀତ କ୍ଷେତ୍ରରେ ଜଣେ ବର୍ଷିଆନ ବ୍ୟକ୍ତିତ୍ୱ । ଜୀବନ ତମାମ ସଙ୍ଗୀତ ସାଧନାରେ ବ୍ରତୀ ଏହି କଳାକାରଙ୍କର ଆଧୁନିକ ସଙ୍ଗୀତ ସୃଷ୍ଟି କ୍ଷେତ୍ରରେ ଅନେକ ଅବଦାନ ରହିଛି । ଓଡ଼ିଶା ସଙ୍ଗୀତନାଟକ ଏକାଡ଼େମୀର ଅଧ୍ୟକ୍ଷ ଥିବାବେଳେ ଓଡ଼ିଶାପାଇଁ ଏକ ‘ସଂସ୍କୃତି ନୀତି’ ଆଣିବାକୁ ସେ ଅନେକ ପ୍ରୟାସ କରିଥିଲେ ବୋଲି ଏହି ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ “ଆମର ସବୁ କାର୍ଯ୍ୟ ପାଇଁ ନୀତି ଅଛି । କିନ୍ତୁ ଯେଉଁ ସଂସ୍କୃତିକୁ ନେଇ ଆମେ ଗର୍ବ କରୁ ତାହାର ସୁରକ୍ଷା ଓ ସଠିକ ପରିଚାଳନା ପାଇଁ କୌଣସି ନୀତି ନାହିଁ। ଗୋଟିଏ ସଂସ୍କୃତି ନୀତି ନିହାତି ଦରକାର ।” ତାଙ୍କର ଏହି ପ୍ରତିବାଦ ସହିତ “ସମଧ୍ୱନି” ମଧ୍ୟ ଏକମତ । – ସମ୍ପାଦକ

About ହରିହର ପଣ୍ଡା

Avatar

Check Also

‘ସମଧ୍ୱନି’ ପାଇଁ ପଦେ

ଆପଣମାନେ ସମଧ୍ୱନି କାହିଁକି ଆରମ୍ଭ କଲେ? ଯେଉଁସବୁ ମୂଳ ବିଷୟ ସମଧ୍ୱନିର ସଙ୍ଗୀତ ଓ ଲେଖା ମାଧ୍ୟମରେ ଆପଣମାନେ ଲୋକଙ୍କ …

Leave a Reply

Your email address will not be published. Required fields are marked *