Home / ବ୍ୟକ୍ତି ଓ ବ୍ୟକ୍ତିତ୍ୱ / ସାକ୍ଷାତକାର / ସଂସ୍କୃତିରେ ମୈତ୍ରୀ ଚେତନା(ପ୍ରଫେସର ଭଗବତ ପ୍ରସାଦଙ୍କ ସହ ସାକ୍ଷାତକାର)

ସଂସ୍କୃତିରେ ମୈତ୍ରୀ ଚେତନା(ପ୍ରଫେସର ଭଗବତ ପ୍ରସାଦଙ୍କ ସହ ସାକ୍ଷାତକାର)

 

 

ପ୍ରଫେସର ଭଗବତ ପ୍ରସାଦ ହେଉଛନ୍ତି ଓଡିଶାର ଜଣେ ଅନନ୍ୟ ଚିନ୍ତା ନାୟକ, ଜଣେ ପ୍ରଗତିଶୀଳ ବୁଦ୍ଧିଜୀବୀ ଓ ଜଣେ ଗାନ୍ଧିବାଦୀ ବ୍ୟକ୍ତିତ୍ୱ। ସଂସ୍କୃତିକୁ ନେଇ ତାଂକର କିଛି ଭିର୍ନ ମତାମତ ରହିଛି, ତାଂକୁ କିଛି  ସମୟ ପାଇଁ ଭେଟିବାର ସୁଯୋଗ ପାଇଥିଲେ ଉପସ୍ଥାପକ ତରୁଣ ମିଶ୍ର ଓ ସେହି ଭିତରେ ସାକ୍ଷାତକାରଟି ନେଇଥିଲେ। ଏଠାରେ ସଂସ୍କୃତି ଉପରେ କହିଛନ୍ତି ବିଦ୍ୱାନ ଭଗବତ ପ୍ରସାଦ । ସାକ୍ଷାତକାରଟିକୁ ଲିପିବଦ୍ଧ କରି ପ୍ରକାଶ କରିବା ଏକ କଷ୍ଟକର କାମ । ଯଦି କେଉଁଠି କିଛି ତ୍ରୁଟି ପରିଲକ୍ଷିତ ହୁଏ, ଆମକୁ କ୍ଷମା କରିବେ- ଏଥିପାଇଁ ପ୍ରଫେସର ଭଗବତ ପ୍ରସାଦ ଆଦୌ ଦାୟୀ ନୁହଁନ୍ତି । ତରୁଣ ମିଶ୍ର, ଯିଏକି ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ତବଲାରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିସାରିଛନ୍ତି । ସେ ସଂସ୍କୃତି ସମ୍ପର୍କରେ ଅଧିକ କିଛି ଜାଣିବା ଆଶାରେ ଯେଉଁ ପ୍ରଶ୍ନଗୁଡ଼ିକ ଭଗବତ ପ୍ରସାଦଙ୍କୁ  କରିଥିଲେ ଏଠାରେ ତାହାକୁ ଲିଖିତ ଭାବରେ ଉପସ୍ଥାପନ କରାଯାଇଛି – ସମ୍ପାଦକ

ପ୍ରଶ୍ନ-      ଆମେ କାହାକୁ ସଂସ୍କୃତି ବୋଲି କହିବା?

ଉତ୍ତର-  ସଂସ୍କୃତିର ଦିଗନ୍ତ ବହୁତ ବ୍ୟାପକ। ଏଥିରେ ବହୁତ କିଛି ଜିନିଷ ଆସିଯାଉଛି। ଉଦାହରଣ ଭାବରେ ଆମର ଚଳଣିକୁ ନିଆଯାଇପାରେ। ଆମ ସମାଜ ଭିତରେ ବିଭିନ୍ନ ଚିନ୍ତାଧାରା ଅଛି ଯେମିତିକି  ସାମାଜିକ ଚିନ୍ତନ, ଅର୍ଥନୈତିକ ପରିବର୍ତ୍ତନ ପାଇଁ ଚିନ୍ତନ, ଯେଉଁ ସାମାଜିକ ବ୍ୟବଧାନ ରହିଛି, ବୈଷମ୍ୟ ରହିଛି ସେସବୁ ସଂସ୍କୃତିର ଅନ୍ତର୍ଭୁକ୍ତ। ଆମର ଚିନ୍ତା ଜଗତର ସମସ୍ତ ବିଷୟ, ଜ୍ଞାନମୂଳକ ସବୁବିଷୟ, ଯାହାକିଛି ଆମେ କରୁଛେ, ଏବଂ ଯାହାକିଛି ନିଜର ଆନନ୍ଦ ପାଇଁ ବି କରୁଛେ ସେସବୁ ମଧ୍ୟ ସଂସ୍କୃତି ଭିତରେ ଆସିଯାଉଛି । ଏହା ବ୍ୟତିତ  ପରିବାର ସହିତ ସମ୍ପର୍କ, ମା ସହିତ ସମ୍ପର୍କ, ଦେଶ ସହିତ ସମ୍ପର୍କ ସବୁକିଛି ଆସିଯାଉଛି ସଂସ୍କୃତି ଭିତର। ସଂସ୍କୃତି କହିଲେ ସବୁକିଛିକୁ ବୁଝାଉଛି। ମୋଟାମୋଟି ଭାବରେ ସଂସ୍କୃତି କଥା ଆଲୋଚନା କଲା ବେଳକୁ କୋ÷ଣସି ଜିନିଷ ଅଛୁଆଁ ରହୁନାହିଁ ସଂସ୍କୃତି ଭିତରେ । ବିପ୍ଳବ ଠାରୁ ଆରମ୍ଭ କରି ବିପ୍ଳବ ପାଇଁ ଚିନ୍ତାଠାରୁ ଆରମ୍ଭକରି, ନିଜର ପରିବାର ଚଳାଇବା ଚିନ୍ତା, ଧର୍ମବି ଆସିଯାଉଛି ସଂସ୍କୃତିର ଅଙ୍ଗ ହିସାବରେ । ତେଣୁ ସଂସ୍କୃତିର ବହୁତ ବିଭବ ଏବଂ ଏହା ବହୁତ ବିଶାଳ । ପ୍ରାୟ ସବୁଠିକୁ ସ୍ପର୍ଶ କରୁଛି ସଂସ୍କୃତି ।

ପଣ୍ଡିତ ନୀଳକଣ୍ଠ ଦାସ ‘ଚାହାଣି, ଚଳଣି ଏବଂ ଚମକ’ ତିନୋଟିକୁ କଥା ସଂସ୍କୃତିର ସଂଜ୍ଞା ହିସାବରେ କହିଥିଲେ । ତାଙ୍କ ଭାଷାରେ ଚାହାଣୀ ହେଲା ଦୃଷ୍ଟି ଭଙ୍ଗୀ- ବିଶ୍ୱ ଦୃଷ୍ଟି ଭଙ୍ଗୀ, ସମାଜ ପ୍ରତି ଦୃଷ୍ଟି ଭଙ୍ଗୀ, ପରିବାର ପ୍ରତି ଦୃଷ୍ଟି ଭଙ୍ଗୀ ସବୁକିଛି ଚାହାଣୀ ଭିତରେ ଆସିଯାଉଛି । ଆମେ ଦୈନନ୍ଦିନ ଜୀବନ ଯେଉଁଭଳି ଅତିବାହିତ କରୁଛେ, ଯେଉଁଭଳି ଆମେ ସମାଜରେ ଚଳପ୍ରଚଳ ହେଉଛେ ଏସବୁ ଜିନିଷ ସଂସ୍କୃତି ଭିତରେ ଆସୁଛି। କିନ୍ତୁ  ଯେଉଁ ଜିନିଷଟା ମଣିଷକୁ ଚମତକୃତ କରିଥାଏ ସେଇଟା ଚମକର ଅନ୍ତର୍ଭୁକ୍ତ । ସେଥିରେ ଆସୁଛି କଳା, ସାହିତ୍ୟ । ବୈଜ୍ଞାନିକ ଆବିଷ୍କାର ବିଶେଷକରି ଯେଉଁ ଆବିଷ୍କାର ବଦଳେଇ ଦେଉଛି ପୃଥିବୀର ଅବସ୍ଥାକୁ ସେଇଟା ଚମକ ଭିତରେ ଆସୁଛି। ଦର୍ଶନ ବିଜ୍ଞାନବି ଚମକ ଭିତରେ ଆସିଯାଉଛି। ତେଣୁ ସଂସ୍କୃତି ସାମାଜିକ ଏବଂ ବ୍ୟକ୍ତିଗତ ଦିଗନ୍ତକୁ ସ୍ପର୍ଶକରୁଛି।

ପ୍ରଶ୍ନ-      ଯାହାକୁ ଆମେ ସଂସ୍କୃତି କହିବା ତାହା କ’ଣ ଅର୍ଥନୀତି ଓ ରାଜନୀତିର ଉର୍ଦ୍ଧରେ ରହିବା କଥା କି?

ଉତ୍ତର- ସଂସ୍କୃତି ରାଜନୀତି ଆଉ ଅର୍ଥନୀତିର ଊଦ୍ଧ୍ୱର୍ରେ ରହିପାରିବ ନାହିଁ । କାରଣ ରାଜନୀତି ଏବଂ ଅର୍ଥନୀତି ବିଶେଷ କରି ବର୍ତ୍ତମାନ ଯୁଗରେ, ପୁରାତନ ଯୁଗରେ ବି ଥିଲା । ସମାଜର ପ୍ରତ୍ୟେକ ବିଭାଗକୁ ଏହା ସ୍ପର୍ଶ କରୁଛି । ସମାଜର ପ୍ରତ୍ୟେକ ଅଙ୍ଗକୁ ସ୍ପର୍ଶ କରିଚାଲିଛି ସଂସ୍କୃତି । ଠିକ୍ ଯେମିତି ଗାନ୍ଧିଜୀ କହିଥିଲେ, ଆମେ ଯେମିତି ନିଶ୍ୱାସ ପ୍ରଶ୍ୱାସ ନେଇ ଚଳୁଛେ ସେମିତି ରାଜନୀତି ଭିତରେ ଆମେ ବାସ କରୁଛେ । ଯେଉଁଟା ପ୍ରତ୍ୟେକ ବିଭାଗ ତଥା ପ୍ରତ୍ୟେକ ଚିନ୍ତାଧାରାକୁ ସ୍ପର୍ଶ କରିଚାଲିଛି । ତେଣୁ ଆମେ ରାଜନୀତିରୁ କେବେ ଅଲଗା ରହିପାରିବା ନାହିଁ। କ୍ଷମତା ରାଜନୀତି ଠାରୁ ଆମେ ଦୂରେଇ ଯାଇପାରୁ କିନ୍ତୁ ଜାଗରୁକତାର ରାଜନୀତିରୁ ଆମେ ଦୂରେଇ ରହିଲେ ସମାଜ ନଷ୍ଟ ହୋଇଯିବ। ସ୍ୱାଧୀନତା ରହେ ସେତେବେଳେ ଯେତେବେଳେ ମଣିଷ ସବୁବେଳେ ସଜାଗ ରହେ । ସେମିତି ଅର୍ଥନୈତିକ ଅବସ୍ଥାର ବହୁତ ପ୍ରଭାବ ପଡ଼ୁଛି ମଣିଷ ଜୀବନ ଉପରେ ।

ମାର୍କ୍ସବାଦର କେନ୍ଦ୍ରବିନ୍ଦୁ ହେଲା ଅର୍ଥ । ଆର୍ଥିକ ସ୍ଥିତିକୁ ଧରି ସମାଜ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥରରେ ରହେ । ଆର୍ଥିକଅବସ୍ଥା ବଦଳିଲେ ସମାଜର ସ୍ଥତି ବି ବଦଳିଯାଏ । ଯାହାକୁ ମୂଳଦୁଆ ବୋଲି ମାର୍କ୍ସ କହିଥିଲେ। ଆମେ ଯେଉଁ ସଂସ୍କୃତିର ଅଟ୍ଟାଳିକାଟା ଠିଆ କରୁଛେ ତା’ର ମୂଳଦୁଆଟା ହେଉଛି ଆର୍ôଥକ ସ୍ଥିତି । ତାକୁ ନେଇକରି ସମାଜ ବଦଳିଛି ଏବଂ ତାକୁ ନେଇକରି ପୃଥିବୀର ଅନେକ ପରିବର୍ତ୍ତନ ବି ହୋଇଛି । ସଂସ୍କୃତିରୁ ଆର୍ôଥକ ଏବଂ ରାଜନୈତିକ କ୍ଷେତ୍ରକୁ ବାଦଦେଇ ହେବନାହିଁ। ସାମାଜିକ ବୈଷମ୍ୟ, ଜାତିପ୍ରଥା, ଅସ୍ପୃଶ୍ୟତା ଭାରତବର୍ଷରେ ରହିଛି, ସେଠି ମଣିଷକୁ ମଣିଷ ଭଳି ବିଚାର କରାଯାଉ ନାହିଁ। ସେଠି ରାଜନୀତିର ଅନେକ ଭୂମିକା ରହିଛି ସେସବୁକୁ ସମାଧାନ କରିବାପାଇଁ, ତାକୁ ବଦଳେଇବା ପାଇଁ। ବିଶେଷକରି ସାମାଜିକ ବୈଷମ୍ୟ ଏବଂ ସାଂସ୍କୃତିକ ବୈଷମ୍ୟ ଦୂର କରିବା ପାଇଁ, ଆମର ଅବଚେତନ ମନରେ ଯେଉଁ କଥାଗୁଡ଼ିକ ରହିଯାଇଛି ସେସବୁକୁ ଦୂର କରିବା ପାଇଁ ରାଜନୀତିର ଆବଶ୍ୟକତା ଅଛି । ସାଧାରଣ ଗାଁ ଗହଳି ଲୋକେ ନିଜକୁ ଅସ୍ପୃଶ୍ୟ ବୋଲି ଭାବୁଛନ୍ତି, ଛୁଆଁଅଛୁଆଁ ଭେଦଭାବ ଏତେ ଭୟଙ୍କର ଭାବରେ ସମାଜରେ ବ୍ୟାପିଯାଇଛି ଏହାକୁ ଯଦି ଦୂର ନକରାଯାଏ ତାହେଲେ ଗୋଟିଏ ଶ୍ରେଣୀ ସବୁବେଳେ ଦଳିତ ହୋଇ ପଡ଼ିରହିବେ ଏବଂ ଦୁଃସ୍ଥ ହୋଇ ରହିବେ । ତା’ ଫଳରେ ଯେଉଁମାନେ ତାଙ୍କୁ ଅସ୍ପୃଶ୍ୟ ବୋଲି କହୁଛନ୍ତି ସେମାନଙ୍କ ମାନସ ଏକ ପ୍ରକାର ବ୍ୟାଧିଗ୍ରସ୍ଥ ମାନସ ହୋଇ ରହିବ । ତେଣୁ ସେଠିବି ରାଜନୀତିର ଆବଶ୍ୟକତା ରହିଛି । ଅର୍ଥନୀତିର ଭୂମିକା ସେଠି ବି ରହିଛି । ସଂସ୍କୃତି ଏଠି ଆପେ ଆପେ ଆସିଯାଉଛି, କାରଣ ଏଇ ବୈଷମ୍ୟଟା ସାଂସ୍କୃତିକ ଦୁଃଶ୍ଚେତନାର ଫଳ । ଗୋଟିଏ ଭୂଲ୍ ଚେତନାଟିଏ ଆସିବାଫଳରେ ମନସିକତାରେ ଅସ୍ପୃଶ୍ୟତାର ଭାବନା ରହୁଛି ।

ତେଣୁ ସହଜରେ ସ୍ତ୍ରୀଲୋକମାନଙ୍କ ମନରୁ ଅସ୍ପୃଶ୍ୟତା ବାହାର କରିହୋଇପାରୁନି । ଯେଉଁମାନେ ପ୍ରଗତିବାଦୀ ଅଛନ୍ତି  ସେମାନଙ୍କ ଘରର ସ୍ତ୍ରୀଲୋକମାନେ ଏହାଦ୍ୱାରା ବହୁତ ପ୍ରଭାବିତ ହୋଇଛନ୍ତି । ସେଠି ସଂସ୍କୃତିର ବହୁତ କିଛି ପ୍ରଭାବ ରହିଛି । ତେଣୁ ରାଜନୀତି, ଅର୍ଥନୀତି ଏବଂ ସଂସ୍କୃତିକୁ ଅଲଗା ଅଲଗା କରିବା ବା ଅଲଗା ଅଲଗା ବିଷୟ କରି ତାକୁ ରଖିବା କଷ୍ଟକର । ଜଣକ ଭିତରେ ସବୁପ୍ରକାରର ଚେତନା ସମ୍ମିଳିତ ହେବା ଦରକାର । ରାଜନୈତିକ ଚେତନା ରହିବା ଦରକାର, ଅର୍ଥନୈତିକ ସ୍ଥିତି ବି ଭଲ ରହିବା ଦରକାର, ତା ସହିତ ସାଂସ୍କୃତିକ ଚେତନା ବି ରହିବା ଦରକାର । ମଣିଷର ବ୍ୟକ୍ତିତ୍ୱଟା ଖଣ୍ଡିତ ବ୍ୟକ୍ତିତ୍ୱ ନୁହେଁ । ମିଳିତ ହୋଇକରି ଗୁଡ଼ାଏ ଜିନିଷ ମଣିଷର ବ୍ୟକ୍ତିତ୍ୱ ଗଢ଼ାହୋଇଛି । ଆଲୋଚନାର ସୁଗମତା ପାଇଁ ଆମେ ତାକୁ ଭିନ୍ନ ଭିନ୍ନ ଶ୍ରେଣୀରେ ବିଭକ୍ତ କରିଦେଇ ପାରିବା । ବିଭିନ୍ନ ବିଷୟ ରୂପେ ତାକୁ ଧରିପାରିବା, କିନ୍ତୁ ସବୁଗୁଡ଼ିକର ସମ୍ମେଳନଟା ଦରକାର ପଡ଼ୁଛି । କୌଣସିଟାକୁ ବାଦ୍ ଦେଲେ ସମାଧାନଟା ଆସିବ ନାହିଁ ।

ପ୍ରଶ୍ନ: ଆପଣଙ୍କ ବିଚାରରେ ସଂସ୍କୃତି-ରାଜନୀତି ଓ ସଂସ୍କୃତି- ଅର୍ଥନୀତି ଭିତରେ କି ପ୍ରକାର ସମ୍ପର୍କ ଅଛି?

ଉତ୍ତର: ମୋର ଧାରଣା ଯେ ରାଜନୀତି ଆଉ ଅର୍ଥନୀତି ଦୁଇଟାଯାକ ସଂସ୍କୃତିର ଗୋଟେ ଗୋଟେ ବିଭାଗ । ତେଣୁ ସଂସ୍କୃତି କଥା ଆଲୋଚନା କରିବାକୁ ହେଲେ ରାଜନୀତି ବି ସେ ଭିତରେ ଆସିଯାଉଛି ଏବଂ ଅର୍ଥନୀତି ବି ସେ ଭିତରେ ଆସିଯାଉଛି ।  ଆମେ ଯଦି ଧରିନେବା ଯେ ରାଜନୈତିକ ଚେତନା ଏବଂ ଅର୍ଥନୈତିକ ପରିବର୍ତ୍ତନ ପାଇଁ ଯେଉଁ ଚିନ୍ତାଧାରା ଆବଶ୍ୟକ ତାହା ସଂସ୍କୃତିରୁ ଆସିଥାଏ ଏବଂ ତା ସହିତ ସଂସ୍କୃତିରେ ସବୁଠାରୁ ବଡ଼ ଜିନିଷ ହେଲା ମୈତ୍ରୀଚେତନା । ପରସ୍ପର ଭିତରେ ମୈତ୍ରୀ, ସ୍ନେହର ସମ୍ପର୍କ, ପରସ୍ପରକୁ ଭଲପାଇବା ଜରୁରୀ । ସଂସ୍କୃତିର ଏଇଟା ହେଉଛି ମୂଳଜିନିଷ, ଯେଉଁଟାର ଅଭାବରେ ରାଜନୈତିକ ଏବଂ ଅର୍ଥନୈତିକ ଚେତନା ଆମକୁ ଭୂଲ୍ ରାସ୍ତାରେ ନେଇଯିବ । ମଣିଷ ମଣିଷକୁ ଭଲପାଇବ, ଭାତୃତ୍ୱଭାବ ରହିବ, ସେଇ ବନ୍ଧନଟା ମୈତ୍ରୀ । ମୈତ୍ରୀ ଯଦି ନରହିଲା ତାହାହେଲେ ବହୁତ ସମସ୍ୟା ହୋଇଯିବ ।

ସଂଗ୍ରାମ ଦରକାର କିନ୍ତୁ ପ୍ରତ୍ୟେକ ଯଦି ନିଜର ସ୍ୱାର୍ଥ ପାଇଁ ସଂଗ୍ରାମ କରୁଛନ୍ତି ତେବେ ସେଇଟା କାର୍ଯ୍ୟକାରୀ ହେବ କିନ୍ତୁ ଦୁଇଟାଯାକ ଜିନିଷ ରହିବାକୁ ପଡ଼ିବ । ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରିବାଟା ଉଚିତ କିନ୍ତୁ ତା ସହିତ ଯେଉଁଟା ଗାନ୍ଧିଜୀଙ୍କର ମୁଖ୍ୟ ଜିନିଷ ଥିଲା ସେଇଟା ହେଲା ଆମେ ଯାହା ସହିତ ସଂଗ୍ରାମ କରୁଛେ ସେ ବି ଗୋଟେ ନିର୍ଦ୍ଦିଷ୍ଟ ବ୍ୟବସ୍ଥାର ଶିକାର । ବ୍ୟବସ୍ଥାବି ଆମ ସମସ୍ତଙ୍କୁ ଅସହାୟ ଅବସ୍ଥାରେ ପକାଇଛି । ସଂଗ୍ରାମ କରୁଥିବା ଲୋକ ସହିତ ସ୍ନେହ, ସହାନୁଭୂତି, ପ୍ରେମ ଥିଲେ ଆମେ ସେଠି ସଂଗ୍ରାମକୁ ଓହ୍ଲାଇଗଲେ ଜିନିଷଟା ଠିକ୍ ହେବ । ସେଥିପାଇଁ ଭାରତୀୟ ସ୍ୱାଧୀନତା ସଂଗ୍ରାମଟା  ଅଲଗାପ୍ରକାର ହେଲା । ଆଲଜେରୀଆରେ ସ୍ୱାଧୀନତା ସଂଗ୍ରାମ ହେଲା ଭାରତରେ ବି ହେଲା କିନ୍ତୁ ଆଲଜେରୀଆର  ସ୍ୱାଧୀନତା ସଂଗ୍ରାମରେ ପ୍ରାୟ ନିୟୂତ ନିୟୂତ ଲୋକ ମରିଯାଇଛନ୍ତି । ଶେଷରେ ଗଣତନ୍ତ୍ର ବି ସେ ଦେଶରେ ରହିଲା ନାହିଁ, କିନ୍ତୁ ଭାରତରେ ଯେଉଁ ସ୍ୱାଧୀନତା ସଂଗ୍ରାମଟା ହେଲା ବ୍ରିଟିଶ ସହିତ ଆମର ସମ୍ପର୍କଟା ବି ଖରାପ ହେଲାନାହିଁ ସ୍ୱାଧୀନତା ବି ଆସିଲା । ଆଲଜେରୀଆ ଏବଂ ଫ୍ରାନ୍ସ ଭିତରେ ଶତ୍ରୁତା ବି ବହୁତ ରହିଗଲା । କେତେବର୍ଷ ଧରି ଭିଷଣ ଶତ୍ରୁତା ଲାଗିରହିଲା । ତେଣୁ ରାଜନୈତିକ ଚେତନା, ଅର୍ଥନୈତିକ ଚେତନା ସହିତ ରହିବା ଦରକାର ଏହି ମୈତ୍ରୀଭାବନା ।

ମୈତ୍ରୀ ଭାବନା ଥିଲେ ଆପେ ଆପେ ମଣିଷ ଠିକ୍ରାସ୍ତାକୁ ଚାଲିଆସିିବ । ତା’ର ମନସ୍ତତ୍ତ୍ୱ ଉପରେ ମୈତ୍ରୀ ଭାବନାର ପ୍ରଭାବ ପଡ଼ିବ । ଜଣକୁ ଯଦି ମୁଁ ଶତ୍ରୁ ଭାବିଦେଇଛି ତା’ହେଲେ ନିଶ୍ଚିତ ଭାବରେ ଯେଉଁ ସଂଗ୍ରାମଟା ମୁଁ କରିବି ହିଂସ୍ର ହେବ ଏବଂ ତା’ପ୍ରତି ମୋ ମନରେ କ୍ରୋଧ ରହିବ, ସନ୍ଦେହ ରହିବ। କିନ୍ତୁ ଯଦି ମୈତ୍ରୀର ଭାବନା ନେଇ ମୁଁ ସଂଗ୍ରାମ କରେ ତା’ହେଲେ ସେଇଟା ଅଲଗାପ୍ରକାର ହେବ । ପୃଥିବୀର ଜନଗଣଙ୍କୁୁ ଭାରତର ଅବଦାନ ହେଉଛି ଏଇଟା । ଗାନ୍ଧି, ରାମମନୋହର ଲୋହିଆ ସେମିତିଆ ରାସ୍ତାରେ ହିଁ ଯାଇଛନ୍ତି । ସେଇଟା ହେଲା ଭାରତୀୟ ସଭ୍ୟତାର ବିଶ୍ୱକୁ ଅବଦାନ ।

ସେଇ ରାସ୍ତାରେ ମାର୍ଟିନ୍ ଲୁଥର୍ କିଙ୍ଗ୍ ଆମେରିକାରେ କଲେ । ସେଠିବି ସେ ସଫଳ ହେଲେ । କେତେଦିନ ତଳେ ଓବାମା କହିଲେ ଆଜି ଯଦି ମୁଁ ରାଷ୍ଟ୍ରପତି ହୋଇ ଆମେରିକାରେ ବସିପାରିଲି ତା’ର କାରଣ ହେଉଛି ସେହି ଆନ୍ଦୋଳନ । ଆମେରିକାର କଳା ଲୋକେ ଭୋଟ୍ ଅଧୀକାର ପାଇଲେ କେବଳ ମାର୍ଟିନ୍ ଲୁଥର୍ କିଙ୍ଗ୍ଙ୍କ ସଂଗ୍ରାମ ଫଳରେ । ମାର୍ଟିନ୍ ଲୁଥର୍ କିଙ୍ଗ୍ ସଂଗ୍ରାମଟା ଶିଖିଲେ ଗାନ୍ଧିଜୀଙ୍କ ଠାରୁ । ତେଣୁ ପ୍ରକାରାନ୍ତରେ ମୁଁ ଆଜି ରାଷ୍ଟ୍ରପତି ହୋଇଛି କେବଳ ଗାନ୍ଧିଜୀଙ୍କ ଯୋଗୁ । ଦକ୍ଷୀଣ ଆଫ୍ରିକାରେ ୨୭ବର୍ଷ କାରାରୁଦ୍ଧ ହେଲାପରେ ମଧ୍ୟ ନେଲସନ୍ ମଣ୍ଡେଲା, ଯେଉଁମାନେ ତାଙ୍କୁ କାରାରୁଦ୍ଧ କରିଥିଲେ ସେମାନଙ୍କୁ ଶତ୍ରୁ ଭାବରେ ନଦେଖି ମିତ୍ର ଭାବରେ ଦେଖିଲେ ଏବଂ ସେମାନଙ୍କ ସହିତ ହାତ ମିଶାଇ ଦକ୍ଷିଣ ଆଫ୍ରିକାର ସରକାର ଯେମିତି ଠିକ୍ ଚାଲିବ ଏବଂ ଦୁଇଟିଗୋଷ୍ଠି ମଧ୍ୟରେ ଯେମିତି ଭଲସମ୍ପର୍କ ରହିବ ସେ ଚେଷ୍ଟାକରିଥିଲେ । ସେ ସାଧନାଟା ସେ କରିଥିଲେ । ସେଇ ସାଧନାଟା ଥିଲା ଗାନ୍ଧିଜୀଙ୍କର ସାଧନା । ଦକ୍ଷିଣ ଆଫ୍ରକାରେ ଆନ୍ଦୋଳନ ଚାଲିପାରିଲା ନହେଲେ ଗୃହ ଯୁଦ୍ଧ ହୋଇଯାଇଥାନ୍ତା । ଲହୁ ଲୁହାର ହୋଇ ଦେଶଟା ଧ୍ୱଂସ ହୋଇଯାଇଥାନ୍ତା । ଗାନ୍ଧିଜୀଙ୍କର ପ୍ରେରଣା ପାଇଁ ସେଇଟା ଘଟିଛି ।

ତେଣୁ ବିଶ୍ୱରେ ବାରମ୍ବାର ଏହା ଘଟିଛି । ତେଣୁ କେବଳ ରାଜନୈତିକ କିମ୍ବା ଅର୍ଥନୈତିକ ଚେତନା ଟା ବଡ଼ ଜିନିଷ ନୁହେଁ ତା ସହିତ ରହିବା ଆବଶ୍ୟକ ମୈତ୍ରୀ ଚେତନା । ଏଣୁ ଭାରତ ଏହି ଚେତନାଟା ଆଉଟିକେ ଆଗକୁ ନେଇଗଲା । ମୈତ୍ରୀ ଚେତନାଟା କେବଳ ମଣିଷ ଭିତରେ ସୀମିତ ନରଖି ଜୀବଜନ୍ତୁ ସମସ୍ତଙ୍କ ପ୍ରତି ମୈତ୍ରୀ ଚେତନା ରହିବା ଦରକାର । ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟାଃ । ସର୍ବ ଭୂତ ଇତେ ରତାଃ । ସମସ୍ତଙ୍କର ହିତରେ ଯିଏ ରହେ । ଏଇ ଯେଉଁ ଚିନ୍ତନ ଟା କେବଳ ଗ୍ରୀକ୍ ସଭ୍ୟତା ଏବଂ ଅନ୍ୟ ଯେଉଁ ସଂସ୍କୃତି ଗଢ଼ିଉଠିଲା ବହୁତ କମଯାଗାରେ ଏଇଟା ରହିଛି । ଭାରତରେ ଯେତେ ସ୍ପଷ୍ଟ ଭାବରେ ଏଇଟା କୁହାଗଲା ସେଇଟା ଅନ୍ୟ ଜାଗାରେ କୁହାଯାଇନାହିଁ ।

ପ୍ରଶ୍ନ:  ସାଂସ୍କୃତିକ ବିପ୍ଳବ କାହାକୁ କୁହାଯାଇପରିବ? ଆପଣଙ୍କ ମତରେ କେଉଁଠି ସାଂସ୍କୃତିକ ବିପ୍ଳବ ହୋଇଛି ଏବଂ ସେହିଭଳି ବିପ୍ଳବ ହେବା ଦରକାର କି?

ଉତ୍ତର: ସାଂସ୍କୃତିକ ବିପ୍ଳବକୁ କୁହାଯାଇପାରେ ମଣିଷ ଚେତନାରେ ବିପ୍ଳବ । ଚେତନାର ଏକ ବିପ୍ଳବ ହେଲା ସାଂସ୍କୃତିକ ବିପ୍ଳବ । ସାଂସ୍କୃତିକ ବିପ୍ଳବ କଥା ଚିନ୍ତା କରାଯାଇଥିଲା ଚୀନ୍ରେ ମାଓସେତୁଂଙ୍କ ଅମଳରେ । ମଙ୍କକ୍ଷଗ୍ଧଙ୍କକ୍ସବକ୍ଷ କ୍ସରଙ୍ଖକ୍ଟକ୍ଷଙ୍କଗ୍ଧସକ୍ଟଦ୍ଭବୋଲି ତା’କୁ ସେ ନାଁ ଦେଇଥିଲେ, ଏବଂ ଚେଷ୍ଟା ବି କରାଯାଇଥିଲା । ତାଙ୍କର ଚିନ୍ତାଧାରାଟା ଅବଶ୍ୟ ଭୂଲ୍ ନୁହେଁ କାହିଁକି ସେ କହିଲେ ଯେ କ୍ଷମତାକୁ ଆସିଲା ପରେ ସେ ବି ସେଇ ବ୍ୟବସ୍ଥାର ଶିକାର ହୋଇଯାଏ କେତେବର୍ଷ ପରେ । ସେ ବି କେତେବର୍ଷ ପରେ ସ୍ୱେଚ୍ଛାଚାରୀ ବା ଅତ୍ୟାଚାରୀରେ ପରିଣତ ହୋଇଯାଇପାରେ । ତା’ର ବିପ୍ଳବ ଚେତନାଟା ଆଉ ରହେନାହିଁ ମାନ୍ଦା ହୋଇଯାଏ । କିମ୍ବା ତା’ର ଯେଉଁ ତିକ୍ଷ୍ଣତା ଥାଏ ନଷ୍ଟହୋଇଯାଏ ।

ତେଣୁ କେତେବର୍ଷ ପରେ ପୁଣି ଗୋଟେ ସଂଗ୍ରାମ ହେବା ଦରକାର । ଜନ ସାଧାରଣ ଆଗକୁ ଆସିବା ଦରକାର ଏବଂ ଯିଏ କ୍ଷମତାରେ ଅଛି ତାକୁ ପଦଚ୍ୟୁତ କରି ଅନ୍ୟ ଗୋଟିଏ ନୂଆଗୋଷ୍ଠି ଆସିବା ଦରକାର । ସାଂସ୍କୃତିକ ବିପ୍ଳବ ଏତେ ସହଜକଥା ନୁହେଁ କାରଣ ସାଂସ୍କୃତିକ ବିପ୍ଳବ ସହିତ ମିଶିବା ଦରକାର ମୈତ୍ରୀ ଭାବନା । ମୈତ୍ରୀ ଭାବନା ବିନା ଯେକୌଣସି ବିପ୍ଳବ ବିଫଳ ହେବାର ସମ୍ଭାବନାଟା ବେଶୀ । କିଛିମାତ୍ରାରେ ସଫଳ ହୋଇପାରନ୍ତି କିନ୍ତୁ ପୂର୍ଣ୍ଣମାତ୍ରାରେ ସଫଳ ହେବାର ସମ୍ଭାବନା ବହୁତ କମ୍ ।

About ତରୁଣ କୁମାର ମିଶ୍ର

ତରୁଣ କୁମାର ମିଶ୍ର
କଳାକାର, କଳାଶିକ୍ଷକ

Check Also

ଲୋକ ସଂସ୍କୃତିକୁ ଉଜ୍ଜୀବିତ କରିବାପାଇଁ ଏକ ନୂତନ ପ୍ରୟାସ ସମ୍ପର୍କରେ…

  ବିଶିଷ୍ଟ ନାଟ୍ୟକାର ମନ୍ମଥ ନାଥ ଶତପଥୀଙ୍କ ସହ ଚର୍ଚ୍ଚା : ପ୍ରଶ୍ନ:   ଲୋକକଳା ଓ ସଂସ୍କୃତିକୁ ନେଇ …

Leave a Reply

Your email address will not be published. Required fields are marked *