Home / ସଙ୍ଗୀତ / ଓଡିଶୀ ସଙ୍ଗୀତ / ଶ୍ରୀ ଗୀତଗୋବିନ୍ଦ

ଶ୍ରୀ ଗୀତଗୋବିନ୍ଦ

ଜଗନ୍ନାଥ ସଂସ୍କୃତି ସହିତ ଗୀତଗୋବିନ୍ଦର ଏକ ସୁଦୀର୍ଘ ପରମ୍ପରାଗତ ସମ୍ପର୍କ ରହିଆସିଛି । ଗଙ୍ଗବଂଶୀ ରାଜାମାନଙ୍କ ସମୟରେ ଗୀତଗୋବିନ୍ଦ ଗାୟନ ଜଗନ୍ନାଥ ସଂସ୍କୃତିରେ ଯୋଡ଼ିହେଲା। ଫଳରେ ଧିରେ ଧିରେ ଜଗନ୍ନାଥ ସଂସ୍କୃତିରୁ ଶବରୀ ସଂସ୍କୃତିର ପ୍ରଭାବ କମିବାରେ ଲାଗିଲା ଏବଂ  ବ୍ରାହ୍ମଣମାନଙ୍କର ପ୍ରଭାବ ବଢ଼ିଲା । ସାଙ୍ଗୀତିକ ଦୃଷ୍ଟିଭଙ୍ଗୀରୁ ଗୀତଗୋବିନ୍ଦ ଅତ୍ୟନ୍ତ ଉଚ୍ଚମାନର ଏବଂ ଶାସ୍ତ୍ରୀୟ ସମ୍ମତ । ଶ୍ରୀ ଜୟଦେବଙ୍କ ଦ୍ୱାରା ସଂସ୍କୃତଭାଷାରେ ଲେଖାଯାଇଥିବା ଏହି ଗୀତଗୋବିନ୍ଦ ଓଡ଼ିଶାର ପୁରପଲ୍ଲିରେ ବେଶ୍ ପରିଚିତ । ଭାଷାର ବୋଧଗମ୍ୟତା ନଥିବା ଯୋଗୁଁ ଅନେକ ସଂସ୍କୃତ ଭାଷା ନଜାଣିଥିବା ଗାୟକ ଏହାକୁ ବିକୃତ ଭାବରେ ଗ୍ରାମାଞ୍ଚଳରେ ପରିବେଷଣ କରିଥାନ୍ତି । ଆଜିକାଲି ଗଣମାଧ୍ୟମର ସୌଜନ୍ୟରୁ ସେ ସମସ୍ୟାଟି କିଛି ପରିମାଣରେ ଦୂର ହୋଇଛି । ନୀଳାଦ୍ରୀକଲ୍ୟାଣ ଦାସଙ୍କ ଏହି ଗବେଷଣାଭିତ୍ତିକ ଉପସ୍ଥାପନା ଗୀତଗୋବିନ୍ଦକୁ ଅଧିକ ଜାଣିବାରେ ସହଯୋଗ କରିବ ବୋଲି ଆଶା ।   – ସମ୍ପାଦକ

ଓଡ଼ିଶୀ ସଂଗୀତରେ ଶ୍ରୀ ଗୀତଗୋବିନ୍ଦ ଗାୟନ ଏକ ମହାର୍ଘ୍ୟ ପରମ୍ପରା ଅଟେ । ଲୀଳା ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥଙ୍କ ଠାରେ ନିଜର ରାଧାକୃଷ୍ଣ ପ୍ରେମାମୃତ ଅଭିବ୍ୟକ୍ତିକୁ କବିରାଜ ଜୟଦେବ ପୁଷ୍ପାଞ୍ଜଳୀ ସଦୃଶ ଶ୍ରୀ ଗୀତଗୋବିନ୍ଦ ମହାକାବ୍ୟକୁ ସମର୍ପି ଦେଇଛନ୍ତି ଯାହା ଦ୍ୱାଦଶ ଶତାବ୍ଦୀରୁ ଆଜି ପର୍ଯ୍ୟନ୍ତ ମହାପ୍ରଭୁଙ୍କର ଏକ ସ୍ୱତନ୍ତ୍ର ସେବା ଭାବରେ ପ୍ରଚଳିତ ହୋଇଆସୁଅଛି । ବୌଦ୍ଧ ତାନ୍ତ୍ରିକମାନଙ୍କ ମଧ୍ୟରେ କାମ ବଜ୍ରଯାନ ତତ୍ତ୍ୱର ଆଦି ପ୍ରବର୍ତ୍ତକ ଉଡ୍ଡୀୟାନ ରାଜା ଇନ୍ଦ୍ରଭୁତି ନିଜର ସହୃଦ ଗ୍ରନ୍ଥ ‘ଜ୍ଞାନସିଦ୍ଧ’ରେ ଭଗବାନ ବୁଦ୍ଧଙ୍କୁ ଜଗନ୍ନାଥ ରୂପେ ଉପସ୍ଥାପିତ କଲେ । ଫଳରେ ପୁରୀ ଶ୍ରୀମନ୍ଦିର ସଂପୂର୍ଣ୍ଣ ଭାବରେ କାମ ବଜ୍ରଯାନୀ ବୌଦ୍ଧମତାଦର୍ଶ ଉପରେ ନିର୍ମିତ ହେଲା କାଳକ୍ରମେ କାମ ବଜ୍ରଯାନର ଅବକ୍ଷୟ ହେବାରୁ ବୌଦ୍ଧଧର୍ମ ପ୍ରଭାବହୀନ ହୋଇଗଲା । ବ୍ରାହ୍ମଣ୍ୟବାଦ ରାଜ ପୃଷ୍ଠପୋଷକତା ଲାଭ କରିବା ପରେ ଶ୍ରୀ ମନ୍ଦିରରେ ଆନ ନାଚ ଗୀତ ପରିବର୍ତ୍ତେ ଜୟଦେବ କୃତ ଗୀତ ଗୋବିନ୍ଦର ପ୍ରଚଳନ ହେଲା । ଶ୍ରୀ ଗୋବିନ୍ଦ ବା ଜଗନ୍ନାଥଙ୍କ ଠାରେ ଗୀତ ବା ଗାନ ହେବା ପାଇଁ ଏହା ରଚିତ ହୋଇଥିବାରୁ ଏହାର ନାମ ହୋଇଛି ଶ୍ରୀ ଗୀତଗୋବିନ୍ଦ ।

ଗଙ୍ଗବଂଶୀ ରାଜା ନରସିଂହ ଦେବଙ୍କ ରାଜତ୍ୱ ସମୟ (୧୨୭୮-୧୩୦୭ ଖ୍ରୀ.ଅ)ଠାରୁ ଶ୍ରୀ ଗୀତଗୋବିନ୍ଦ ଗାୟନ ଏକ ସେବା ରୂପେ ପ୍ରଚଳିତ ହେଲା ।। ୧ ।। ଗଜପତି ପୁରୁଷୋତ୍ତମ ଦେବ ଏବଂ ପ୍ରତାପରୁଦ୍ର ଦେବଙ୍କ ସମୟରେ ଗୀତଗୋବିନ୍ଦ ଗାୟନ ପରମ୍ପରା ଅତ୍ୟନ୍ତ ସୁଦୃଢ଼ ହେଲା । ବିଶେଷ କରି ଗଜପତି ପ୍ରତାପରୁଦ୍ର ଦେବଙ୍କ ସମୟରେ ଗୀତଗୋବିନ୍ଦ ଗାୟନ ସେବା ସମ୍ବନ୍ଧୀୟ ଏକ ଘୋଷଣାନାମା ଫଳରେ ଶ୍ରୀ ମନ୍ଦିରରେ ଗୀତଗୋବିନ୍ଦ ଗାୟନ ବାଧୟତାମୂଳକ ହୋଇଗଲା । ଗଜପତି ପ୍ରତାପରୁଦ୍ର ଦେବଙ୍କ ଏହି ଘୋଷଣାନାମାଟି ଶ୍ରୀ ମନ୍ଦିରର ଜୟ ବିଜୟ ଦ୍ୱାରରେ ଲିପିବଦ୍ଧ ହୋଇ ରହିଛି । ଯଥା: “ବାରଶ୍ରୀ ଗଜପତି ଗଉଡ଼େଶ୍ୱର ନବକୋଟୀ କର୍ଣ୍ଣାଟ କଳବରଗେସର ବିରବର ଶ୍ରୀ ପ୍ରତାପରୁଦ୍ର ମହାରାଜଙ୍କର ସମସ୍ତ ଅଙ୍କ ଗ୍ରାହୀ କକଡ଼ା ସୁ ୧୦ ବୁଧବାରେ ଅବଧାରୀତ ଆଇଁଗ୍ୟା ପ୍ରମାଣେ ବଡ଼ ଠାକୁରଙ୍କ ଶ୍ରୀ ଗୀତଗୋବିନ୍ଦ ଠାକୁରଙ୍କ ଭୋଗବେଳେ ଏ ନାଟ ହୋଇବ । ସଞ୍ଜଧୂପ ସରିଲା ଠାରୁ ଏ ନାଟ ହୋଇବ । ବଡ଼ଠାକୁରଙ୍କ ସମ୍ପରଦା କପିଳେଶ୍ୱର ଠାକୁରଙ୍କ ବନ୍ଧା ନାଚଣୀମାନେ ପୁରୁଣା ସଂପରଦା ତେଲଙ୍ଗୀ ସଂପରଦା ଏମାନେ ସବିହେଁ ବଡ଼ଠାକୁରଙ୍କ ଗୀତଗୋବିନ୍ଦ ହୁଁ ଆନଗୀତ ନ ଶିଖିବେ । ଆନଗୀତ ନ ଗାଇବେ । ଆନ ଗୀତ ହୋଇ ପରମେଶ୍ୱରଙ୍କ ଛାମୁରେ ନ ହେବ । ଏ ନାଟ ବିତରନେ ବଇଷ୍ଣବ ଗାଆଣ ଚାରିଜଣ ଅଛନ୍ତି । ଏମାନେ ଗୀତଗୋବିନ୍ଦ ଗୀତ ହିଁ ଗାଇବେ । ଏହାଙ୍କଠାରୁ ଅଶିକ୍ଷିତମାନେ ଏକଶ୍ୱରରେ ଶୁଣି ଗୀତ ଗୋବିନ୍ଦ ଗୀତ ହିଁ ସେ ଶିଖିବେ, ଆନ ଗୀତ ନ ଶିଖିବେ । ଏହା ଯେ ପରିକ୍ଷା ଆନ ଗୀତ ନାଟ କରାଇଲେ ଜାଣି ସେ ଜଗନ୍ନାଥଙ୍କ ଦ୍ରୋହ କରଇ” ।। ୨ ।। ଏହା ସେ ସମୟର ଓଡ଼ିଆ ଭାଷାର ଶବ୍ଦ ଉଚ୍ଚାରଣ ଓ ବନାନ ଯାହା ଆଜିର ଓଡ଼ିଆ ଭାଷାରେ କିଛି ପରିମାଣରେ ସାମ୍ୟତା ରଖେନାହିଁ । ଏଠାରେ ପରିକ୍ଷା ଶବ୍ଦର ଅର୍ଥ ହେଉଛି ଯେ – ଗଜପତି ପ୍ରତାପରୁଦ୍ର ଦେବ ମନ୍ଦିର ପରିଚ୍ଛାକୁ ଆଜ୍ଞା ଦେଇଥିଲେ ।

ପ୍ରଥମତଃ ଶ୍ରୀ ମନ୍ଦିରରେ ଶବରୀ ଓ ବୌଦ୍ଧ ସଂସ୍କୃତି ଗତ ଗୀତିକାଗୁଡ଼ିକର ଗାୟନ କରାଯାଉଥିଲା । ଯେତେବେଳେ ବୈଷ୍ଣବ ଧର୍ମର ପ୍ରଭାବ ଶ୍ରୀ ମନ୍ଦିରରେ ଏବଂ ଶ୍ରୀ କ୍ଷେତ୍ରରେ ଅନୁଭୂତ ହେଲା ସେ ସମୟରେ ଜୟଦେବ କୃତ ଶ୍ରୀ ଗୀତଗୋବିନ୍ଦର ପ୍ରାଧାନ୍ୟ ପୂର୍ବକ ଗାୟନ କରାଯିବାର ପରମ୍ପରା ଓ ବିଧିପାଳିତ ହେଲା । ଏଠାରେ ଶ୍ରୀ ଗୀତଗୋବିନ୍ଦର ସାଙ୍ଗୀତିକତା ବିଷୟରେ ସାମ୍ୟକ ଆଲୋଚନା ସମିଚୀନ ମନେହୁଏ । ସଂଜ୍ଞାତ୍ମକ ଭାବେ କହିବାକୁ ଗଲେ ଯାହା ଗାୟନ ଧର୍ମ ବିଶିଷ୍ଟ ବା ଗାୟନ ଉପଯୋଗୀ ତାହା ହେଉଛି ଗୀତ । ଏହି ଗାୟନ ଧର୍ମ ହିଁ ଗୀତଗୋବିନ୍ଦର ଶ୍ରେଷ୍ଠ ସାଙ୍ଗୀତିକ ବୈଶିଷ୍ଟ୍ୟ ପୁନଶ୍ଚ କୁହାଯାଇପାରେ ଯେ – “ନୃତ୍ୟଂ ବାଦ୍ୟାନୁଗଂ ପ୍ରୋକ୍ତଂ ବାଦ୍ୟାଂ ଗୀତାନୁବର୍ତ୍ତି ଚ ।” (ସଙ୍ଗୀତ ରତ୍ନାକର) । ସଂଗୀତର ଏହି ପ୍ରଧାନତମ ବିଭବକୁ ଆଧାର କରି ଜୟଦେବ ତାଙ୍କର କାବ୍ୟ ସୃଷ୍ଟି କରିଥିବାରୁ, ଗୀତଗୋବିନ୍ଦ ସଂପୂର୍ଣ୍ଣ ସଂଗୀତମୟ ଏବଂ ସାଙ୍ଗୀତିକତା ଗୁଣରେ ସର୍ବ ସମୃଦ୍ଧ ।। ୩ ।। ଗାୟନ ହେଲା ସାଙ୍ଗୀତିକତାର କ୍ରିୟାତ୍ମକ ବା ପ୍ରୟୋଗାତ୍ମକ ପ୍ରତିଫଳନ ଏବଂ ଗୀତଗୋବିନ୍ଦ କାବ୍ୟର ପ୍ରାଥମିକ ଉଦ୍ଦେଶ୍ୟ ହେଲା ଗାୟନ । ଓଡ଼ିଶାରେ ଗୀତ-ଗୋବିନ୍ଦର ଗାୟନ ପରମ୍ପରା, ଜୟଦେବଙ୍କ ଠାରୁ ହିଁ ଆରମ୍ଭ ହୋଇଛି । ଏହାର ଅନୁସରଣରେ ଶ୍ରୀମଚ୍ଚନ୍ଦ୍ରଦତ୍ତ ଭକ୍ତମାଳା ଗ୍ରନ୍ଥରେ ବର୍ଣ୍ଣନା କରିଅଛନ୍ତି ଯେ –

“ଏକଦା ଜୟଦେବସ୍ତୁ ମନସ୍ୟେବମଚିନ୍ତୟତ୍

ସ୍ୱୟଂ କତେନ ଗୀତେନ ତୋଷୟିଷ୍ୟାମ୍ୟହଂ ହରିମ୍ ।।

ଇତି ନିଶ୍ଚିତ୍ୟ ନିର୍ମାୟ ଗୀତଗୋବିନ୍ଦ ନାମକମ୍

ଗାୟଂ ସ୍ତୁ ଦେବଦେବାଗ୍ରେ ପତ୍ନ୍ୟାସହ ନନର୍ତ୍ତହ ।।”

ଶ୍ରୀ ହରିଙ୍କ ସନ୍ତୋଷାର୍ଥେ କବିରାଜ ଜୟଦେବ ସ୍ୱକୃତ ଶ୍ରୀ ଗୀତଗୋବିନ୍ଦ ରଚନା ପୂର୍ବକ ଶ୍ରୀ ଜଗନ୍ନାଥଙ୍କ ସମ୍ମୁଖରେ ଗାୟନ କଲେ ଏବଂ ପତ୍ନୀ ପଦ୍ମାବତୀଙ୍କ ସହ ନୃତ୍ୟ ମଧ୍ୟ କଲେ । ଏତଦ୍ ବ୍ୟତୀତ ତାଙ୍କର ପରାଶର ଆଦି ପ୍ରିୟବର୍ଗମାନଙ୍କ କଣ୍ଠରେ ମଧ୍ୟ ଶ୍ରୀ ଗୀତଗୋବିନ୍ଦର ଗୀତାବଳୀ ନିନାଦିତ ହେଉଥିଲା ।

ଶ୍ରୀ ଗୀତଗୋବିନ୍ଦ କାବ୍ୟରେ ରଚିତ ୭୨ ଗୋଟି ଶ୍ଳୋକ ଏବଂ ସାମଗ୍ରିକ ଭାବେ ୧୨ଟି ରାଗରେ ନିବଦ୍ଧ ୨୪ଟି ଗୀତର ସମାବେଶରେ ଦ୍ୱାଦଶ ସର୍ଗ ବିଶିଷ୍ଟ ଏହି ମହାକାବ୍ୟର ସଂରଚନା କରିଛନ୍ତି ଶ୍ରୀ ଜୟଦେବ । ସେ ଯେ କେବଳ ଜଣେ କବି ଥିଲେ ତାହା ନୁହେଁ । ସେ ମଧ୍ୟ ଜଣେ ଧୂରୀଣ ସଂଗୀତଜ୍ଞ ଥିଲେ ବୋଲି ନିଃସନ୍ଦେହରେ କୁହାଯାଇପାରିବ, କାରଣ ଛନ୍ଦବଦ୍ଧ ଶ୍ରୀ ଗୀତଗୋବିନ୍ଦ ଗାୟନ କ୍ରିୟାରେ ରାଗ, ତାଳ ଓ ଅପୂର୍ବ ଜତିପାତର ସଂଯୋଗ ଘଟାଇ ସେ ଓଡ଼ିଶାର ସଂଗୀତ କଳାକୁ ସମୃଦ୍ଧ ଓ ଲାଳିତ୍ୟରେ ପରିପୂର୍ଣ୍ଣ କରାଇବାରେ ସହାୟକ ହୋଇଛନ୍ତି । ଯାହାର ସ୍ୱର ଝଙ୍କାର କେବଳ ଓଡ଼ିଶାରେ ନୁହେଁ ସମଗ୍ର ବିଶ୍ୱରେ ଗୁଞ୍ଜରିତ ହେଉଅଛି ।

ଗୀତଗୋବିନ୍ଦର ସଂଗୀତମୟ ଭାବାବେଗ ବାରିହୋଇପଡ଼େ, ସେଥିରେ ଉଲ୍ଲିଖିତ ହୋଇଥିବା ରାଗ ଓ ତାଳରୁ । ଭାରତୀୟ ସଂଗୀତର ରାଗ ହେଉଛି ଆତ୍ମା ସଦୃଶ । ତେଣୁ ରାଗ ସଂଗୀତର ବୈଶିଷ୍ଟ୍ୟ ପ୍ରତିପାଦନ କରିବା ପାଇଁ ଯଥାର୍ଥରେ କୁହାଯାଇଛି ଯେ –

“ଯୋଽସୌ ଧ୍ୱନିବିଶେଷସ୍ତୁ ସ୍ୱରବର୍ଣ୍ଣ – ବିଭୂଷିତଃ

ରଞ୍ଜକୋ ଜନ ଚିତ୍ତାନାଂ ସ ରାଗଃ କଥିତୋ ବୁଧୈଃ ।”                                (ମତଙ୍ଗ)

ଜନ ସମୂହର ଚିତ୍ତରଞ୍ଜନକାରୀ ସ୍ୱର (ଯାହା ରାଗ ସଂଗୀତର ଆଧାର ଯଥା ଷଡ଼ଜ, ଋଷଭ, ଗାନ୍ଧାର ଇତ୍ୟାଦି) ଓ ବର୍ଣ୍ଣ (ସ୍ଥାୟୀ, ଆରୋହୀ, ଅବରୋହୀ ଓ ସଂଚାରୀ) ବିଭୂଷିତ ଧ୍ୱନି ବିଶେଷକୁ ରାଗ କୁହାଯାଏ । ଅପୂର୍ବ ସାହିତ୍ୟିକତା ଓ ସାଙ୍ଗୀତିକତାରେ ଭରପୁର ଶ୍ରୀ ଗୀତଗୋବିନ୍ଦ ଏବଂ ଏହାର ପ୍ରବନ୍ଧ ସାମଗ୍ରିକ ଭାବରେ ଲୀଳାପୁରୁଷୋତ୍ତମ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ଚିତ୍ତପ୍ରୀତି ବିନୋଦନର ଏକ ସର୍ବୋକ୍ରୃଷ୍ଟ ମାଧ୍ୟମ ବୋଲି ନିଃସନ୍ଦେହରେ କୁହାଯାଇପାରେ ।

ପ୍ରବନ୍ଧର ଅବୟବ ବିଶେଷକୁ ଆମେ ସାଂଗୀତିକ ଭାଷାରେ ଧାତୁ ବୋଲି କହିଥାଉ । ଏହା ୪ ପ୍ରକାରର ଅଟେ ଯଥା: ଉଦ୍ଗ୍ରାହ, ମେଳାପକ, ଧୃବ ଓ ଆଭୋଗ । ପ୍ରବନ୍ଧର ପ୍ରଥମ ଭାଗ ବା ଅଂଶକୁ ଉଦ୍ଗ୍ରାହ, ତତ୍ ପରବର୍ତ୍ତୀ ଅବସ୍ଥାକୁ ମେଳାପକ ଓ ଧୃବ ତଥା ଅନ୍ତିମ ଭାଗକୁ ଆଭୋଗ କୁହାଯାଏ । ଏହା ପ୍ରକାଶ କରିବାର ତାତ୍ପର୍ଯ୍ୟ ଏହି ଯେ ଶ୍ରୀ ଗୀତଗୋବିନ୍ଦର ପ୍ରଥମ ଓ ଦ୍ୱିତୀୟ ପ୍ରବନ୍ଧ ବ୍ୟତୀତ ଅନ୍ୟ ସମସ୍ତ ପ୍ରବନ୍ଧ ଏହି ୪ ଗୋଟି ଧାତୁ ସାହାଯ୍ୟରେ ରଚିତ ହୋଇଅଛି । ଗୀତଗୋବିନ୍ଦର ଗୀତାବଳୀ ସମୂହ ସଂଗୀତଶାସ୍ତ୍ର ସମ୍ମତ ଯଥାର୍ଥରେ ପ୍ରବନ୍ଧ ପଦବାଚ୍ୟ ଅଟେ ।

ପ୍ରବନ୍ଧରେ ଅଙ୍ଗ ସମୂହର ମଧ୍ୟ ବିଶେଷ ଲକ୍ଷଣ ରହିଛି । ବିଶେଷ କରି ୬ ଗୋଟି ଅଙ୍ଗ ପ୍ରବନ୍ଧମାନଙ୍କରେ ପ୍ରତୀୟମାନ ହୋଇଥାଏ । ସେଗୁଡ଼ିକ ହେଲା: ସ୍ୱର, ବିରୁଦ, ପଦ, ତେନକ, ପାଟ ଓ ତାଳ । ଯେ କୌଣସି ଏକ ପ୍ରବନ୍ଧରେ ଏକତ୍ର ଭାବରେ ଉପରୋକ୍ତ ସମସ୍ତ ଅଙ୍ଗ ରହିପାରେ ଅଥବା ଚାରି, ପାଞ୍ଚ ବା ତିନୋଟି ଅଙ୍ଗକୁ ନେଇ ପ୍ରବନ୍ଧ ରଚନା କରାଯାଇପାରେ । ଯଦି ଦୁଇ ଅଙ୍ଗରୁ କମ୍ ହୁଏ ତେବେ ତାହା ପ୍ରବନ୍ଧ ପଦବାଚ୍ୟ ହୋଇପାରିବ ନାହିଁ । ସାଙ୍ଗୀତିକତାର ସମସ୍ତ ସୋପାନ ଶ୍ରୀ ଗୀତଗୋବିନ୍ଦରେ ଉପଲବ୍ଧ ଥିବାରୁ ଏବଂ ଉଭୟ ସାହିତ୍ୟ ଓ ସଂଗୀତର ଭାବାବେଗ ଶ୍ରୀ ଜଗନ୍ନାଥଙ୍କୁ ଆକର୍ଷିତ କରାଇବାରେ ସହାୟକ ହୋଇଥିବା ହେତୁ ଉଭୟ ଶ୍ରୀ ଜୟଦେବ ଓ ଶ୍ରୀ ଗୀତଗୋବିନ୍ଦ ଧନ୍ୟ ।

ଗୀତ ଗୋବିନ୍ଦର ୨୪ ଗୋଟି ଗୀତରେ ସାମଗ୍ରିକ ଭାବରେ ଯେଉଁ ରାଗ ଓ ତାଳଗୁଡ଼ିକ ବ୍ୟବହାର କରାଯାଇଛି ଯଥାକ୍ରମେ ସେଗୁଡ଼ିକ ହେଲା – ମାଳବ, ବସନ୍ତ, ଗୁର୍ଜରୀ, ରାମକିରୀ, ମାଳବଗୌଡ଼, କର୍ଣ୍ଣାଟ, ଦେଶାଖ୍ୟ, ଦେଶ ବରାଡ଼ୀ, ଗୁଣ୍ଡକିରୀ, ଭୈରବୀ, ବରାଡ଼ୀ ଓ ବିଭାସ । କେତେକ ସ୍ଥାନରେ ଗୁର୍ଜରୀ ପାଇଁ ମଙ୍ଗଳ ଗୁର୍ଜରୀ ରାଗ ବ୍ୟବହୃତ ହୋଇଥିବା ସ୍ଥଳେ କର୍ଣ୍ଣାଟ ରାଗ ସ୍ଥାନରେ କେଦାର, ବିଭାସ ସ୍ଥାନରେ ନାଦ ରାମକ୍ରିୟା ଆଦି ରାଗ ସ୍ଥାନ ପାଇଛି । ଶ୍ରୀ ଗୀତଗୋବିନ୍ଦ ଗାୟନରେ ବିଶେଷ କରି ଏକତାଳୀ, ରୂପକ, ଯତି, ଅଷ୍ଟତାଳୀ ଓ ନିଃସାର ନାମରେ ନାମିତ ୫ ଗୋଟି ତାଳ ଅନୁସୃତ ହେଉଥିବାର ଲକ୍ଷ କରାଯାଏ । ଗୀତଗୋବିନ୍ଦର ବ୍ୟାପକ ପ୍ରଚାର ପ୍ରସାର ହେତୁ ବିଭିନ୍ନ ରାଗ ଓ ତାଳମାନଙ୍କ ସାହାଯ୍ୟରେ ଏହା ଗାୟନ କରାଯାଉଥିବାର ମଧ୍ୟ ପ୍ରମାଣ ମିଳେ । ଭାରତର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ଶୈଳୀ ସହ ଭିନ୍ନ ଭିନ୍ନ ରାଗ ଓ ତାଳରେ ଗୀତଗୋବିନ୍ଦ ଗାୟନ କରାଯାଉଥିଲେ ମଧ୍ୟ ଅଧିକତର ଭାବେ କାବ୍ୟରେ ନିର୍ଦ୍ଦେଶିତ ରାଗମାନଙ୍କର ବ୍ୟବହାର କରାଯାଇଥାଏ ଏବଂ ଏହି ପରମ୍ପରା ବର୍ତ୍ତମାନ ସୁଧା ପ୍ରଚଳିତ ଅଛି ।

ଓଡ଼ିଶୀ ସଂଗୀତ ପଦ୍ଧତିରେ ଶ୍ରୀ ଗୀତଗୋବିନ୍ଦକୁ ‘ଅଷ୍ଟପଦୀ’ ବୋଲି କୁହାଯାଇଥାଏ । ଏହା ସଂପୂର୍ଣ୍ଣ ଭାବରେ ଭାବାଙ୍ଗ ପ୍ରବନ୍ଧ ଶ୍ରେଣୀର । ଗାୟନ ସମୟରେ ଭାବ ଉଦ୍ରେକକାରୀ ନିବଦ୍ଧ ଆଳାପ ଓ ପଦବିନ୍ୟାସ କରାଯିବାର ବିଧି ରହିଛି । ଭାବାଙ୍ଗ ଶୈଳୀରେ ଗାୟନ କରାଯାଉଥିଲେ ମଧ୍ୟ ରାଗର ଶୁଦ୍ଧତା ପ୍ରତି ଗୁରୁତ୍ୱ ଦିଆଯାଇଥାଏ । ରାଗାଙ୍ଗ କ୍ରିୟାରେ ଅନୁସୃତ ସମସ୍ତ ସୋପାନ ଏହି ଗାୟନ କ୍ରିୟାରେ ବ୍ୟବହାର କରାଯାଇନଥାଏ । ବିଶେଷ ଭାବରେ କୁହାଯାଇପାରେ ଯେ ଶ୍ରୀ ଗୀତଗୋବିନ୍ଦର ସୃଷ୍ଟି ବା ଦ୍ୱାଦଶ ଶତାବ୍ଦୀରୁ ପଞ୍ଚଦଶ ଶତାବ୍ଦୀ ମଧ୍ୟରେ ଗୋଟିଏ ରାଗର ଯେଉଁ ଶାସ୍ତ୍ରୀୟ ସ୍ୱରୂପ ଥିଲା ଆଜି ତାହା ସଂପୂର୍ଣ୍ଣ ଅଲଗା ଅଟେ । କେତେକ ସ୍ଥଳରେ ନାମ ବିଶେଷରେ କିଛି ମାତ୍ରାରେ ସାମ୍ୟତା ଥିଲେ ମଧ୍ୟ ଏହା ଚଳନରେ ତାରତମ୍ୟତା ଦେଖାଯାଇଥାଏ । ପୁନଶ୍ଚ କୁହାଯାଇପାରେ ଯେ ଗୀତ ଗୋବିନ୍ଦର ଗୀତାବଳୀକୁ ଯେକୌଣସି ନିର୍ଦ୍ଦିଷ୍ଟ ରାଗ ଓ ତାଳରେ ସର୍ବତ୍ର ଗାୟନ କରିବାର କଳ୍ପନା ଅଦୂରଦର୍ଶିତାର ପରିଚାୟକ ଅଟେ କାରଣ ଶ୍ରୀ ଗୀତଗୋବିନ୍ଦ ଭଳି ସାଗର ରୂପକ କାବ୍ୟକୁ ଆବଦ୍ଧ କରି ରଖିବା ସମ୍ଭବ ନୁହେଁ । ଶ୍ରୀ ଗୀତଗୋବିନ୍ଦରେ ବ୍ୟବହୃତ ତାଳମାନଙ୍କ ମଧ୍ୟରେ ନିଃସାର ଓ ଅଷ୍ଟତାଳୀ ଓଡ଼ିଶୀ ସଂଗୀତ କ୍ଷେତ୍ରରେ ଅଧୁନା ଅପ୍ରଚଳିତ ତାଳ ଭାବରେ ବିବେଚନା କରାଯାଏ । ଆଲୋଚକ ଓ ଗବେଷକମାନେ ନିଃସାର ତାଳକୁ ୧୪, ୧୩ ବା ୧୦ ମାତ୍ରାବିଶିଷ୍ଟ କହୁଥିବା ସ୍ଥଳେ ଅଷ୍ଟତାଳୀକୁ ଗୀତଗୋବିନ୍ଦର ଦୈନିକ ଟୀକାକାର ପୂଜାରୀ ଗୋସ୍ୱାମୀ ୪+୨+୪ ଛନ୍ଦଯୁକ୍ତ ୧୦ ମାତ୍ରା ବିଶିଷ୍ଟ ତାଳ ବୋଲି ଉଲ୍ଲେଖ କରିଅଛନ୍ତି । ଗୀତଗୋବିନ୍ଦରେ ପ୍ରୋକ୍ତ ପାଞ୍ଚଗୋଟି ତାଳର ଉଲ୍ଲେଖ ଥିଲେ ମଧ୍ୟ ଅଧୁନା ଝମ୍ପା, ଖେମଟା, ତ୍ରିପଟା ଇତ୍ୟାଦି ତାଳରେ ମଧ୍ୟ ଏହାର ପ୍ରବନ୍ଧମାନ ଗାୟନ କରାଯାଉଅଛି । ଶ୍ରୀ ଗୀତଗୋବିନ୍ଦର ଗାୟନ ସହିତ ଭାରତୀୟ ଶାସ୍ତ୍ରୀୟ ନୃତ୍ୟମାନଙ୍କରେ ମଧ୍ୟ ଶ୍ରୀ ଗୀତଗୋବିନ୍ଦର ଅଭିନ୍ୱୟ ପରମ୍ପରା ପ୍ରଚଳିତ ହୋଇ ଆସୁଅଛି । ଏପରିକି ଓଡ଼ିଶୀ ନୃତ୍ୟରେ ଏହା ଏକ ଅପରିହାର୍ଯ୍ୟ ପର୍ଯ୍ୟାୟ ରୂପେ ବିବେଚିତ ହେଉଅଛି । ତେଣୁ ଏହାର ବିବିଧତା ଯଥାର୍ଥରେ ଶ୍ରେଷ୍ଠ ପଦବାଚ୍ୟ ଅଟେ ।

ଶ୍ରୀ ଗୀତଗୋବିନ୍ଦ କାବ୍ୟକୁ ଅଧ୍ୟୟନ କରି ୧୭୮୪ ମସିହାରେ Sir William Jones ‘On Ancient Mode of Hindu’ ପୁସ୍ତକରେ ତାଙ୍କ ଅନୁଭୂତିକୁ ନିମ୍ନପ୍ରକାରର ବର୍ଣ୍ଣନା କରିଅଛନ୍ତି ।

Allthough the Sanskrit books, have preserved of the theory of such musical composition, the practice of it seems almost wholly left (as all the Pandits and Rajas Confess) in Gour and Magadha, or the provinces of Bengal and Bihar, when I first read the songs of Jayadev who has prefixed to each of them, the name of the wode, in which it was anciently Sung. I had hope of procuring the original music but the Pundits of South referred me to those of the west and Brahmins of the west would have sent me to those of the south whole they, I mean those of Nepal and Kashmir declared that they had no ancient Music, but imagined that notes to the Gita Govinda must exist of any where in one of the southern provinces where the poet was born. ûû 4 ûû

                ୧୮୯୪ ମସିହାରେ ସୁପ୍ରିମକୋର୍ଟର ବିଚାରପତି ତଥା ଏସିଆଟିକ୍ ସୋସାଇଟିର ପ୍ରତିଷ୍ଠାତା ସାର୍ ୱିଲିୟମ୍ ଜେମ୍ସ ଶାସ୍ତ୍ରୀୟ ସଂଗୀତର ଆଲୋଚନା ପ୍ରସଙ୍ଗରେ ନିଜ ଅନୁଭୂତିକୁ ବ୍ୟକ୍ତ କରି ଗୀତଗୋବିନ୍ଦ କାବ୍ୟ ବ୍ୟାପକ ପ୍ରସାରିତ ହୋଇଥିବାର ଏବଂ ଏହା ବହୁ ଜନାଦୃତି ଓ ବିଭିନ୍ନ ସ୍ଥାନରେ ଓ ଭିନ୍ନ ଭିନ୍ନ ଶୈଳୀରେ ଗାୟନ କରାଯାଉଥିବାର ଲକ୍ଷ୍ୟ କରିଥିଲେ ।। ୫ ।।

                ସାର୍ ଇଡ୍ଉଇନ୍ ଆର୍ନୋଲ୍ଡ (Sir Edwin Arnold) – The Indian song of songs ପୁସ୍ତକରେ ଶ୍ରୀ ଗୀତଗୋବିନ୍ଦର ଅଧ୍ୟୟନ ଗତ ଅନୁଭୂତିକୁ ନିମ୍ନ ପ୍ରକାରର ବର୍ଣ୍ଣନା କରିଛନ୍ତି –

      What skill may be in singing,                What worship sound is song,

      What lore be taught in loving                What right divined from wrong:

      Such things hath Jayadeva –                In this his Hymn of Love,

                Which lauds Govinda ever –              Displayed; may all approve! ।। ୬ ।

                ଶ୍ରୀ ଗୀତଗୋବିନ୍ଦର ରସାସିକ୍ତ ସଙ୍ଗୀତମୟତା ନିଜସ୍ୱ ଗୁଣଗାରିମା ଯୋଗୁଁ ସର୍ବାଗ୍ରେ ଗ୍ରହଣୀୟ ଓ ସ୍ମରଣୀୟ କରି ରଖିବାରେ ସାହାଯ୍ୟ କରିଛି । ଗୀତଗୋବିନ୍ଦ ଗାୟନ-ଶ୍ରବଣ, ବା ଅଭିନୟ ଦର୍ଶନ-ପ୍ରଦର୍ଶନ କେବଳ ସାମୟିକ ଭାବରେ ମନ କର୍ଣ୍ଣ ସୁଖାବହ ନୁହେଁ । ଏହା ସର୍ବଦା ନୈସର୍ଗିକ ଆନନ୍ଦାନୁଭୂତି ପ୍ରଦାନ କରିଥାଏ । ଗୀତଗୋବିନ୍ଦ ପ୍ରତ୍ୟକ୍ଷଭାବେ ସଂଗୀତ ଗ୍ରନ୍ଥ ହୋଇନଥିଲେ ମଧ୍ୟ ଏଥିରେ ଥିବା ଉଭୟ ସଂଗୀତ ଓ ସାହିତ୍ୟ ମୟତା ବିଶ୍ଲେଷଣାତ୍ମକ ଅବୟବଯୁକ୍ତ ଉପାଦାନରେ ଏକ ଅସରନ୍ତି ଭଣ୍ଡାର ବୋଲି ନିଃସନ୍ଦେହରେ କୁହାଯାଇପାରେ ।

ସହାୟକ ଗ୍ରନ୍ଥସୂଚୀ :

୧.         ମାଦଳା ପାଞ୍ଜି, ରାଜଭୋଗ ଇତିହାସ ପୃଷ୍ଠା – ୩୬

୨.         ଶ୍ରୀ ଜୟଦେବ ଓ ଶ୍ରୀ ଗୀତଗୋବିନ୍ଦ – କେଦାର ନାଥ ମହାପାତ୍ର ୧୯୭୩ (ପୃ ୮୯ ଓ ୯୦)

୩.         ଓଡ଼ିଶୀ ସଂଗୀତର ପରମ୍ପରା ଓ ପ୍ରୟୋଗ – ରାମହରି ଦାସ ପୃଷ୍ଠା (୭୩-୭୪)

୪.                   On Ancient mode of Hindu – Sir William Jones – ୧୭୮୪

୫.         ଓଡ଼ିଶୀ ସଂଗୀତର ବିଭବ (ସନ୍ଦର୍ଭ) – ଶ୍ରୀ କାଞ୍ôଚନାରାୟଣ ମହାନ୍ତି

୬.         The Indian Song of Songs – Sir Edwin Arnold

About ନିଳାଦ୍ରୀକଲ୍ୟାଣ ଦାସ

ନିଳାଦ୍ରୀକଲ୍ୟାଣ ଦାସ
ଓଡ଼ିଶୀ ସଙ୍ଗୀତର ଗବେଷକ, କଳା ଶିକ୍ଷକ

Check Also

ସୁରମଣି ରଘୁନାଥ ପାଣିଗ୍ରାହୀ ଜଣେ ଅଦ୍ୱିତୀୟ ସଙ୍ଗୀତଜ୍ଞ (ଜନ୍ମ ଦିନରେ )

ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ଓ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତରେ ପାଣ୍ଡିତ୍ୟ ତଥା ଓଡ଼ିଶୀରେ ଏକ ଭିନ୍ନଶୈଳୀର ପ୍ରବର୍ତ୍ତକ ପଣ୍ଡିତ ରଘୁନାଥ …

Leave a Reply

Your email address will not be published. Required fields are marked *