Home / ସମ୍ପାଦକୀୟ / ଶାନ୍ତି ଓ ,ମୈତ୍ରୀ ଭାବନା ବଶ୍ୱ ବଞ୍ଚିରହିବାର ଶେଷମନ୍ତ୍ର

ଶାନ୍ତି ଓ ,ମୈତ୍ରୀ ଭାବନା ବଶ୍ୱ ବଞ୍ଚିରହିବାର ଶେଷମନ୍ତ୍ର

“ମଣିଷ ବଞ୍ଚିରହିବାର ଗୋଟିଏ ରାସ୍ତା ହେଉଛି ସର୍ବଜୀବ ମୈତ୍ରୀ ଚେତନା ଓ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ।”- ଭଗବତ ପ୍ରସାଦଙ୍କର ଏହାଥିଲା ଶେଷମନ୍ତ୍ର ସମଗ୍ର ବିଶ୍ୱବାସୀଙ୍କ ପାଇଁ ।

ଗତ ଜୁନ୍ ୧୮ ତାରିଖରେ ସେ ଆମ ସମସ୍ତଙ୍କଠାରୁ ଚିର ବିଦାୟ ନେଇଛନ୍ତି । ତାଙ୍କର ଆବର୍ତ୍ତମାନରେ ଓଡ଼ିଶାର ବୌଦ୍ଧିକ ଜଗତରେ ଏକ ଶୂନ୍ୟତା ଅନୁଭୂତ ହେଉଛି ।

ଭାରତୀୟ ସଂସ୍କୃତି, ଦର୍ଶନ, ପୌରାଣିକ କଥାବସ୍ତୁ ଓ ଜଗନ୍ନାଥ ସଂସ୍କୃତିର ମୂଳ ଉଦ୍ଦେଶ୍ୟଟିକୁ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀରୁ ସମୀକ୍ଷା କରି ଲୋକଙ୍କ ନିକଟରେ ଉପସ୍ଥାପନ କରିବା କ୍ଷେତ୍ରରେ ଓ ନିର୍ଭୀକ ଭାବରେ ଦଳିତ ମାନଙ୍କର ସୃଷ୍ଟିର ଇତିହାସ, ମହାଭାରତ ଓ ପୁରାଣମାନଙ୍କରେ କେଉଁସବୁ ସ୍ଥାନରେ ଏହାକୁ ସ୍ଥାନୀତ କରାଯାଇଛି ଟିକା ଟିପ୍ପଣୀ ଦେଇ ସେସବୁର ତର୍ଜମା ପ୍ରକାଶ କରିବା କ୍ଷେତ୍ରରେ ଭଗବତ ପ୍ରସାଦ ସବୁବେଳେ ଅଗ୍ରଣୀ ଥିଲେ ।

‘ସମଧ୍ୱନି’ ପତ୍ରିକା ଆରମ୍ଭ ଦିନରୁ ତାଙ୍କ ସହିତ ଚର୍ଚ୍ଚା ଆମକୁ ନୂଆ ଚିନ୍ତା କରିବାପାଇଁ ପ୍ରେରଣା ଦେଇଛି । “ପ୍ରେମ, ଶାନ୍ତି ଓ ମୈତ୍ରୀ ଚେତନା ହିଁ ବିଶ୍ୱକୁ ବଞ୍ଚାଇ ରଖିପାରିବ” ତାଙ୍କର ଏହି ମନ୍ତ୍ରକୁ ଜନଗଣଙ୍କ ନିକଟରେ ‘ସମଧ୍ୱନି’ ବିଭିନ୍ନ (ସଙ୍ଗୀତ, ଭିଡ଼ିଓ, ଲେଖା, ଆଲୋଚନା) ମାଧ୍ୟମରେ ପ୍ରଚାର କରିଆସିଛି ।

୨୦୦୬ ମସିହାରେ ଭଗବତ ପ୍ରସାଦଙ୍କର ଏକ ଲେଖା ପଢ଼ିଲି “ସକ୍ରେଟିସ୍ ଓ ଚାର୍ବାକ୍” ଶୀର୍ଷକରେ । ଲେଖାଟି ଭାରତୀୟ ଦର୍ଶନ ଓ ଗ୍ରୀକ୍ ଦର୍ଶନର ସମାଲୋଚନା ମୂଳକ ସମୀକ୍ଷା ଥିଲା । ସେଥିରେ ସେ ଲେଖିଲେ, “ସକ୍ରେଟିସ୍ ଙ୍କ ଗ୍ରୀସ୍ ଓ ଚାର୍ବାକ୍ ଙ୍କ ଭାରତରେ ଦୁଇଟି ଭିନ୍ନସମାଜ ଗଠିତ ହୋଇଥିଲା ।

ଚାର୍ବାକଙ୍କ ଭାରତ (ପ୍ରାକ୍ – ବୈଦିକ) କେବଳ ବୈଦିକ ଆର୍ଯ୍ୟ ସଭ୍ୟତାଠୁ ଉନ୍ନତ ଥିଲା ତାହା ନୁହେଁ, ପରବର୍ତ୍ତୀ ଗ୍ରୀକ୍ ସଭ୍ୟତାଠୁ ବି ଯଥେଷ୍ଟ ଆଗରେ ଥିଲା । ଆଧୁନିକ ଯୁଗର ତଥାକଥିତ ହିନ୍ଦୁତ୍ୱବାଦୀଙ୍କ ଭାରତ ଯେ ଏହି ପ୍ରାକ୍ ବୈଦିକ ସଭ୍ୟତାଠୁ ବହୁ ନିମ୍ନରେ ସେଥିପାଇଁ ଯୁକ୍ତି କରିବା ଆବଶ୍ୟକ ନାହିଁ ।

ବିଜ୍ଞାନ କ୍ଷେତ୍ରରେ ଆଧୁନିକ ବିଶ୍ୱ ନିଶ୍ଚିତ ଭାବରେ ବହୁତ ଆଗେଇଛି, କିନ୍ତୁ ପ୍ରକୃତି କିମ୍ବା ଇତରଗୋଷ୍ଠୀର ମାନବଙ୍କ ସହ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଜିର ବିଶ୍ୱ ପ୍ରାକ୍-ବୈଦିକ ସମାଜ ଏବଂ ସାରା ବିଶ୍ୱର ଆଦିମ ଜନଜାତି ସମ୍ପ୍ରଦାୟମାନଙ୍କ ସହ ତୁଳନୀୟ ନୁହେଁ।”
ଭଗବତ ପ୍ରସାଦ ଭାରତୀୟ ଦର୍ଶନ, ସମାଜ, ନାରୀ, ପରିବେଶ, ଯୁଦ୍ଧ ଅନେକ ବିଷୟରେ ସେ ନିଜର ସ୍ୱତନ୍ତ୍ର ଦୃଷ୍ଟିଭଙ୍ଗୀ ପ୍ରକାଶ କରୁଥିଲେ । ସେ କହୁଥିଲେ ଯେ, ନାରୀମାନଙ୍କର ଯୌନ ସ୍ୱାଧୀନତା ଓ ସମାଜରେ ତ୍ୟାଗୀ(ଭଲ ମଣିଷ) ଲୋକଙ୍କୁ ସମ୍ମାନ ଏ ଦୁଇଟି ଉନ୍ନତ ସଭ୍ୟତାର ମୁଖ୍ୟ ଉପାଦାନ ଯାହା ଆଜିର ବିଜ୍ଞାନ ଯୁଗରେ ହଜି ହଜି ଯାଇଛି ।

ତ୍ୟାଗୀ ବଦଳରେ ଭୋଗୀମାନେ ସମାଜରେ ନାୟକ ସାଜିଛନ୍ତି । ଭାରତୀୟ ସଂସ୍କୃତିର ପୃଥିବୀକୁ ଶ୍ରେଷ୍ଠ ଅବଦାନ ହେଉଛି ଅନ୍ୱୀକ୍ଷିକ – ଯୋଗ, ସାଂଖ୍ୟ, ଚାର୍ବାକଙ୍କ ଲୋକାୟତ ଦର୍ଶନ ଓ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ।

ତାଙ୍କଭଳି ଜଣେ ଚିନ୍ତାନାୟକ ଆମ ଗହଣରୁ ସବୁଦିନପାଇଁ ବିଦାୟ ନେଇଛନ୍ତି । ଦୀର୍ଘଦିନ ହେଲା ବୟୋସାଧିକ୍ୟ ଅସୁସ୍ଥତା ଭିତରେ ଥିଲେ ବି ତାଙ୍କ ଉପସ୍ଥିତି ଆମକୁ ଯେଉଁ ପ୍ରେରଣା ଦେଉଥିଲା ତାହାରି ଅଭାବ ଆଜି ଅନୁଭୂତ ହେଉଛି । ଭଗବତ ପ୍ରସାଦ ତାଙ୍କର ସମୟଠାରୁ ସବୁବେଳେ ଶହେବର୍ଷ ଆଗକୁ ଚିନ୍ତାକରି ଲେଖୁଥିଲେ ଓ ଅନ୍ୟମାନଙ୍କୁ ପରାମର୍ଶ ଦେଉଥିଲେ ।

ତାଙ୍କର ବିୟୋଗରେ ସେ ଦେଇଥିବା ପରାମର୍ଶ ଗୁଡ଼ିକ ଉପରେ କାର୍ଯ୍ୟ କରିବା ହିଁ ହେବ ତାଙ୍କପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ସେହିଭଳି ଚିନ୍ତାନାୟକ, ଜନଦରଦୀ ମଣିଷ ବାରମ୍ବାର ଓଡ଼ିଶା ମାଟିରେ ଜନ୍ମ ନିଅନ୍ତୁ ଓ ଓଡ଼ିଶାର ବୌଦ୍ଧିକ ଜଗତକୁ ନିଜର ଜ୍ଞାନର ଆଲୋକ ଦ୍ୱାରା ପ୍ରଜ୍ୱୋଳିତ କରି ରଖନ୍ତୁ ।

About Editor

Editor
କଳାକାର, ସମଧ୍ୱନି ଇ - ପତ୍ରିକା ଓ ତ୍ରୟୋମାସିକ ପତ୍ରିକାର ସମ୍ପାଦକ, ସାଂସ୍କୃତିକ ଗବେଷିକା ଓ ସାମ୍ବାଦିକ

Check Also

“କଳାକାର ସହାୟତା ପାଣ୍ଠି” ଗଠନ କରିବା ଜରୁରୀ କାହିଁକି?

ବିଗତ ଦୁଇମାସ ଧରି ରାଜ୍ୟରେ ଓ ସମଗ୍ର ଦେଶରେ ତାଲାବନ୍ଦ ପରିସ୍ଥିତି ଲାଗି ରହିଛି । ବିଭିନ୍ନ ସ୍ଥାନରେ ଅଟକିଯାଇଥିବା …

Leave a Reply

Your email address will not be published. Required fields are marked *