Home / ସମୀକ୍ଷା / ଲୋକଧାରା: ବିବିଧ ବିଭାବ

ଲୋକଧାରା: ବିବିଧ ବିଭାବ

“ଲୋକଧାରା କାହାକୁ କହିବା ? ଏହି ପ୍ରବନ୍ଧର ଲକ୍ଷ୍ୟ ହେଉଛି, ଲୋକଧାରାର ବିବିଧ ବିଭାବଗୁଡ଼ିକୁ ସଂକ୍ଷେପରେ ଚିହ୍ନାଇଦେବା I ଲୋକଧାରାକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ I ଲୋକଜୀବନଧାରା ଓ ଲୋକଅଭିବ୍ୟକ୍ତି  I ଲୋକବିଶ୍ୱାସ, ଲୋକପରମ୍ପରା, ଲୋକାମୋଦ ତଥା ଲୋକପରିଧାନ ଆଦି ଲୋକଜୀବନଧାରାର ଅଂଶ ହୋଇଥିବା ବେଳେ ଲୋକଅଭିବ୍ୟକ୍ତି ନୈର୍ଭାଷିକ ଓ ଭାଷିକ ଦୁଇଟି ମାଧ୍ୟମରେ ଅଭିବ୍ୟକ୍ତ ହୋଇଥାଏ I ଏହି ବର୍ଗୀକରଣରେ ପ୍ରତିଟି ବିଭାବ ଭିନ୍ନ କଳା ଓ ଜୀବନଧାରାଗତ ପରିଚୟ ବହନ କରୁଥିଲେ ହେଁ ଏଗୁଡ଼ିକ ପରସ୍ପର ସାପେକ୍ଷ I” ଏହିପରି ଲୋକଧାରାର ବିବିଧ ଵିଭାବ ସମ୍ପର୍କରେ ସବିଶେଷ ଅନୁଶୀଳନ କରିଛନ୍ତି ଅଧ୍ୟାପକ ସୁଧୀର କୁମାର ସାହୁ I ଲୋକ ସଂସ୍କୃତି ଉପରେ ଲେଖାଟି ଗବେଷଣାଲବ୍ଧ ଓ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି କରି ଏଠାରେ ପ୍ରକାଶ କରାଯାଇଛି I – ସମ୍ପାଦକ

ଲୋକଧାରା ଅଧ୍ୟୟନର ଇତିହାସ ବା ଲୋକ କିଏ ଓ ଲୋକଧାରା କାହାକୁ କହିବା ଆଦି ପ୍ରସଙ୍ଗ ଉପରେ ଚାଲିଥିବା ଶତାବ୍ଦୀ ବ୍ୟାପୀ ବିତର୍କଗୁଡ଼ିକ ଆଡ଼କୁ ନଯାଇ ସିଧାସଳଖ ଭାବେ ମୁଁ ତାହାକୁ ଲୋକଧାରା କହିବି, ଯାହା ଏକ ଧାରା ଭାବରେ ତଥା ଧାରାବାହିକ ରୂପେ ପୀଢ଼ିରୁ ପୀଢ଼ିକୁ ଉତୁରିଆସେ I ମଣିଷର ଜୀବନଧାରାର ସେହି ଅଂଶଗୁଡ଼ିକ ଯାହା ନିରନ୍ତର ବହିଆସିଛି ଐତିହାସିକ ଉତ୍ତରାଧିକାର ଦେଇ I ତାହା ବିଶ୍ୱାସ ହୋଇପାରେ, ପରମ୍ପରା ହୋଇପାରେ, ଉତ୍ସବ ହୋଇପାରେ, ଖେଳ-କୌତୁକ ହୋଇପାରେ, ନାଚଗୀତ ହୋଇପାରେ, ଢଗଢମାଳୀ ହୋଇପାରେ… ବା ଏ ସବୁକିଛିର ସମନ୍ୱୟ ବି ହୋଇପାରେ I

ଲୋକଧାରାର ନିରନ୍ତରତା ବା ଐତିହାସିକ ଉତ୍ତରାଧିକରଣ ଦୁଇ ପ୍ରକାର ହୋଇପାରେ I ଗୋଟିଏ ହେଉଛି ଫର୍ମ ବା ରୂପ ଓ ଅନ୍ୟଟି ହେଉଛି ତାହାର କଥାବସ୍ତୁ (ବିଷୟବସ୍ତୁ) ବା କଣ୍ଟେଣ୍ଟ୍ I ରୂପ ବା ଫର୍ମଟି କଥାବସ୍ତୁ ବା କଣ୍ଟେଣ୍ଟ୍ ଅପେକ୍ଷା ଅଧିକ ସମୟ ସ୍ଥାୟୀ ରହିପାରେ I ଅପର ପକ୍ଷରେ କଥାବସ୍ତୁ, ବିଚାରଧାରା ଇତ୍ୟାଦି ପରିବର୍ତ୍ତନଶୀଳ I ଗୋଟିଏ ଜନସମୁଦାୟ ଦ୍ୱାରା ଗଠିତ ଜନସମାଜରେ ତାହାର ଲୋକଧାରାଗତ କଥାବସ୍ତୁ ବା କଣ୍ଟେଣ୍ଟଗୁଡ଼ିକ ସେତେବେଳ ଯାଏଁ ଅପରିବର୍ତ୍ତିତ ରହେ, ଯେତେବେଳ ଯାଏଁ ତାହା କୌଣସି ବାହ୍ୟ ଶକ୍ତି ବା ଜନସମୁଦାୟ ଦ୍ୱାରା ପ୍ରଭାବିତ ହୋଇନଥାଏ I

ପୁଣି ସଭ୍ୟତା ଗୋଟିଏ ସୋପାନରୁ ଆଉ ଗୋଟିଏ ସୋପାନକୁ ଯେତେବେଳେ ବିକଶିତ ହୋଇଉଠେ, ସେତେବେଳେ ପୁରା ଜୀବନଧାରାର କ୍ରମ ବଦଳିଯାଏ ଓ ନୂତନ ଜୀବନଧାରଣ ପଦ୍ଧତିରେ ତାର ବିଶ୍ୱାସ ଓ ଚେତନାର ମଧ୍ୟ ବିକାଶ ଘଟିଥାଏ I ଏହି ସବୁ ପରିପ୍ରେକ୍ଷୀରେ କଥାବସ୍ତୁ ବା ବିଚାରଧାରାଗତ ଉପାଦାନରେ ପରିବର୍ତ୍ତନ ଆସିଥାଏ; ଯେପରି ମଣିଷ ଗୁମ୍ଫାଜୀବୀ, ଖାଦ୍ୟାନ୍ୱେଷୀ, ଶିକାରୀ-ସଂଗ୍ରାହକ, ବାରବୁଲା ଆଦି ଜୀବନଧାରାରୁ କୃଷି ସଭ୍ୟତାକୁ ବିକଶିତ ହୋଇଆସିବା I ଏହି ସବୁ କ୍ଷେତ୍ରରେ ତାର ବିଶ୍ୱାସର ପୁରଣା ଦେବତାସବୁ ହୁଏତ ତଥାପି ରହିବେ ତା ସହିତ, କିନ୍ତୁ କାଳକ୍ରମେ ସେମାନଙ୍କ  ସ୍ୱରୂପ ବଦଳିଯାଇଥିବ ସଭ୍ୟତାର ନୂତନ ସୋପାନର ଦାବୀ ମୁତାବକ I

ଯେତେବେଳେ ଦୁଇଟି ଭିନ୍ନ ଜନ, ଭିନ୍ନ ସଂସ୍କୃତି ଏକ ସ୍ଥାନରେ ସହାବସ୍ଥାନ କରିବେ; ଉଭୟଙ୍କ ମଧ୍ୟରେ ସାମାଜିକ, ଆର୍ଥିକ, ସାଂସ୍କୃତିକ ଦ୍ୱନ୍ଦ୍ୱଗୁଡ଼ିକ ଉପୁଜିବ ଏବଂ ତାହାର ସମାଧାନ ବା ସମୀକରଣ ବା ସମନ୍ୱୟ ବା ଆତ୍ମୀକରଣ ବଳଶାଳୀ ତଥା ଶାସକ ବର୍ଗର ଆଧିପତ୍ୟ ଓ ହିତର ଅନୁକୂଳରେ ହିଁ ହୋଇଥାଏ I ସେ ଯାହା ବି ହେଉ, କଥାବସ୍ତୁ ଯେତେ ଦ୍ରୂତ ପରିବର୍ତ୍ତନଶୀଳ ହେଲେ ମଧ୍ୟ ଫର୍ମ ବା ରୂପଟି ଦୀର୍ଘସ୍ଥାୟୀ I ବରଂ ଫର୍ମର ଖୋଳ ଭିତରେ ପସି ଆପଣା ପରିବର୍ତ୍ତନଶୀଳ ଚେହେରା ଉପରେ ବାରମ୍ବାର ରଙ୍ଗ ବୋଳିଛି କଥାବସ୍ତୁ I ସାଧାରଣ ଭାବେ ବୁଝିବା ପାଇଁ ଦଣ୍ଡଯାତର ଉଦାହରଣ ନେବା I

ଦଣ୍ଡଯାତ୍ରା ପ୍ରାୟ ଏକ ହଜାର ବର୍ଷରୁ ଉର୍ଦ୍ଧ୍ୱକାଳ ଧରି ଓଡ଼ିଶାର ସମାଜ ଜୀବନରେ ପ୍ରଚଳିତ ହୋଇଆସୁଛି I  ଆମେ ଲକ୍ଷ୍ୟକରିବା ଯେ ଏହି ଯାତ୍ରାର ଅଭିଚାର, ରୂପ ଓ କଥାବସ୍ତୁରେ କାଳକ୍ରମେ ଅନେକ ନୂତନ ସଂଯୋଜନା ତଥା ପରିବର୍ତ୍ତନ ହୋଇଛି I ଆଦିବାସୀ ଜୀବନଧାରାର ଯାତ୍ରା ପରମ୍ପରାରୁ ସୃଷ୍ଟିହୋଇ କାଳକ୍ରମେ ବୌଦ୍ଧ, ଶୈବ, ତନ୍ତ୍ର ତଥା ବୈଷ୍ଣବଧର୍ମର ଉପାଦାନଗୁଡ଼ିକୁ ଅଙ୍ଗୀକାର ଓ ସମନ୍ୱିତ କରି ଦଣ୍ଡଯାତ୍ରା ଏଯାବତ୍ ତାର ଅସ୍ତିତ୍ୱ ବଜାୟରଖିଛି I ଦଣ୍ଡର ମନୋରଞ୍ଜନକାରୀ ନାଟ୍ୟ ଅଂଶରୁ କ୍ରମେ ଆଦିବାସୀ ପରମ୍ପରାନୁରୂପ ଷୋଳ ସୁଆଙ୍ଗ ଅଂଶ ପ୍ରତିସ୍ଥାପିତ ହୋଇଛି ରାଧାକୃଷ୍ଣଙ୍କ ଉତ୍କଟ ପ୍ରେମମୂଳକ ସହଜିଆ ବୈଷ୍ଣବ ଉପାଦାନମାନଙ୍କ ଦ୍ୱାରା I ପୁଣି ସାଂପ୍ରତିକ କାଳରେ ଆଧୁନିକୀକରଣ ମାଧ୍ୟମରେ ନୂତନ ବେଶଭୂଷା, ନୂତନ କାହାଣୀ, ନୂତନ ରୋମାନ୍ସ ପ୍ରଭୃତିର ସଂଯୋଜନା ତଥା ଏହାର ଅଭିଚାର ଅଂଶସବୁକୁ ବାଦ୍ ଦେଇ କେବଳ ମନୋରଞ୍ଜନ ଉଦ୍ଦେଶ୍ୟରେ ମିକ୍ସଚର୍ ଡଁଡ଼, ରସଗୋଲା ଡଁଡ ଆଦି ନାମରେ ପରିବେଶିତ ହେଉଛି I ଡଁଡ଼ର ଏହି ପରିବର୍ତ୍ତନ ତାକୁ ଲୋକଧାରାରୁ ବିଚ୍ୟୁତ କରି ଲୋକପ୍ରିୟ କଳା ଆଡ଼କୁ ନେଇଯାଏ I ତେବେ ଆଚାରବିଚାର ଜଡ଼ିତ ଦଣ୍ଡଯାତ୍ରା ଅନେକ ପରିବର୍ତ୍ତନ ସତ୍ତ୍ୱେ ଏବେ ବି ଲୋକଧାରା ରୂପରେ ପ୍ରବହମାନ I କେବଳ ଦଣ୍ଡ ନୁହେଁ ଏହି ପ୍ରକାର ପରିବର୍ତ୍ତନର ସ୍ୱରୂପ ଆମେ ଲୋକଧାରାର ଅନ୍ୟାନ୍ୟ ବିଭାବ ବା ରୂପମାନଙ୍କରେ ବି ଦେଖିପାରିବା  I ଏହି ପରିବର୍ତ୍ତନରାଜିର ମୁଖ୍ୟ କାରଣ ହେଉଛି ଓଡ଼ିଶା ଭୁଖଣ୍ଡର ବିଭିନ୍ନ ଅଞ୍ଚଳକୁ ଭିନ୍ନଭିନ୍ନ ସଂସ୍କୃତିର ବିବିଧ ଲୋକଙ୍କ କାଳକ୍ରମେ ଆଗମନ ଓ ସ୍ଥାୟୀ ବସତି ସ୍ଥାପନ I

ଏହି ପ୍ରବନ୍ଧର ଲକ୍ଷ୍ୟ ହେଉଛି, ଲୋକଧାରାର ବିବିଧ ବିଭାବଗୁଡ଼ିକୁ ସଂକ୍ଷେପରେ ଚିହ୍ନାଇଦେବା I ଲୋକଧାରା ଅନେକ ବିଭାବ ଦ୍ୱାରା ସମୃଦ୍ଧ I ଲୋକଧାରାକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ I ଲୋକଜୀବନଧାରା ଓ ଲୋକଅଭିବ୍ୟକ୍ତି  I ଲୋକବିଶ୍ୱାସ, ଲୋକପରମ୍ପରା, ଲୋକାମୋଦ ତଥା ଲୋକପରିଧାନ ଆଦି ଲୋକଜୀବନଧାରାର ଅଂଶ ହୋଇଥିବା ବେଳେ ଲୋକଅଭିବ୍ୟକ୍ତି ନୈର୍ଭାଷିକ ଓ ଭାଷିକ ଦୁଇଟି ମାଧ୍ୟମରେ ଅଭିବ୍ୟକ୍ତ ହୋଇଥାଏ I ନୈର୍ଭାଷିକ ମାଧ୍ୟମରେ ଲୋକକଳା (ଲୋକୋତ୍ସବ, ସଙ୍ଗୀତ ଓ ନୃତ୍ୟ, ଚିତ୍ରକଳା ଇତ୍ୟାଦି) ତଥା ଲୋକବିଜ୍ଞାନ (ବାସ୍ତୁକଳା, କାରିଗରୀ, ଆୟୁର୍ବେଦ, ରସାୟନ ଇତ୍ୟାଦି) ଅଭିବ୍ୟକ୍ତ ହୋଇଥାଏ I ସେହିପରି ଭାଷିକ ମାଧ୍ୟମରେ ଲୋକସାହିତ୍ୟ (ଲୋକଗୀତ, ଲୋକଗଦ୍ୟ ଆଖ୍ୟାନ, ଲୋକୋକ୍ତି ଓ ଲୋକୋତ୍ସବମୂଳକ ସାହିତ୍ୟ ଆଦି) ପ୍ରକାଶିତ ହୋଇଥାଏ I

ଉଭୟ ଜୈବିକ ଓ ଅଜୈବିକ ଲୋକଧାରାକୁ ଉପରୋକ୍ତ ସାରଣୀ ମଧ୍ୟରେ ବର୍ଗୀକୃତ କରାଯାଇଛି I ଏହି ବର୍ଗୀକରଣରେ ପ୍ରତିଟି ବିଭାବ ଭିନ୍ନ କଳା ଓ ଜୀବନଧାରାଗତ ପରିଚୟ ବହନ କରୁଥିଲେ ହେଁ ଏଗୁଡ଼ିକ ପରସ୍ପର ସାପେକ୍ଷ I ଯେମିତି ଲୋକଜୀବନଧାରା ଅନ୍ତର୍ଗତ ଲୋକବିଶ୍ୱାସ, ପରମ୍ପରା, ଆମୋଦ ଓ ପରିଧାନ ଇତ୍ୟାଦିର ଉଭୟ ଏକସାମୟିକ ଓ ବହୁସାମୟିକ ପ୍ରବାହ ମଧ୍ୟ ଭାଷିକ ଅଥବା ନୈର୍ଭାଷିକ ଅଭିବ୍ୟକ୍ତି ମାଧ୍ୟମରେ ହିଁ ହୋଇଥାଏ I ଲୋକଧାରାର ଉପରୋକ୍ତ ସମସ୍ତ ବିଭାବର ସ୍ୱକୀୟତା ଓ ପାରସ୍ପରିକ ସାପେକ୍ଷତା ବିଷୟରେ ନିମ୍ନରେ ସୂଚନା ଦିଆଯାଉଛି I

ଲୋକଜୀବନଧାରା:

ଲୋକଜୀବନଧାରା ଲୋକର ପାରମ୍ପରିକ ଜୀବନଶୈଳୀ ଓ ତାର ଗତିଶୀଳ ପ୍ରବାହକୁ ହିଁ ସୂଚୀତ କରେ I ଲୋକଜୀବନଧାରା ମଧ୍ୟରେ ତେଣୁ ଲୋକବିଶ୍ୱାସ, ଲୋକପରମ୍ପରା, ଲୋକଆମୋଦପ୍ରମୋଦ ତଥା ଲୋକପରିଧାନ ଆଦିକୁ ସମ୍ମିଳିତ କରାଯାଇଛି I

 ଲୋକବିଶ୍ୱାସ:

ଲୋକର ମିଥୀୟ ବିଶ୍ୱାସକୁ ଲୋକବିଶ୍ୱାସ କୁହାଯାଏ I ଲୋକବିଶ୍ୱାସ ଲୋକର ଧର୍ମ, ନୈତିକତା, ସମାଜ ବ୍ୟବସ୍ଥା ତଥା ପରମ୍ପରାର ଉତ୍ତରାଧିକରଣ ଇତ୍ୟାଦିକୁ ପରିବହନ କରିଥାଏ I  ସାମାଜିକ ଜୀବନର ପ୍ରାରମ୍ଭ କାଳରୁ ଜୀବନାନୁଭୂତି ତଥା ପ୍ରକୃତିର ବିସ୍ମୟାଭିଭୂତ ଅନ୍ୱେଷାର ଫଳସ୍ୱରୂପ ଲୋକ ଆପଣାର ମିଥୀୟ ବିଶ୍ୱାସସବୁର ସର୍ଜନା ତଥା ସମାଜଗୁଡ଼ିକରେ ସେଗୁଡ଼ିକର ପରିପାଳନ କରିବାର ସାମୂହିକ ପ୍ରଚେଷ୍ଟା ଆରମ୍ଭ କରିଥିଲା I ବିଶ୍ୱାସ ଆଧାରିତ ଏହି ସାମୂହିକ ପ୍ରଚେଷ୍ଟାସବୁ ମଣିଷର ଗୋଷ୍ଠିଜୀବନକୁ ସଙ୍ଗଠିତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲା I

ଲୋକର ସାମୂହିକ ବିଶ୍ୱାସ ମଣିଷର ଜୀବନଯାତ୍ରାର ସମଗ୍ର ଅତୀତ କାଳରେ ସ୍ଥିର ନ ରହି ପରିବର୍ତ୍ତିତ ପରିସ୍ଥିତିସବୁରେ ନୂତନ ବୈଜ୍ଞାନିକ ଉଦ୍ଭାବନଗୁଡ଼ିକ (ଯଥା: ଅଗ୍ନି, ପଥର, ତମ୍ବା, ଲୁହା ଇତ୍ୟାଦିର ଆବିଷ୍କାର) ଦ୍ୱାରା ପରିବର୍ତ୍ତିତ ଜୀବନଧାରାରେ ତଥା ଧର୍ମସଂସ୍ଥାଗୁଡ଼ିକର ଉଦୟ ଓ ପ୍ରଚେଷ୍ଟା ଫଳରେ ବାରମ୍ବାର ପରିବର୍ତ୍ତିତ ହୋଇଆସିଛି ଏବଂ ନୂତନ ରୂପ ଧାରଣକରି ବିକଶିତ ହୋଇଆସିଛି I ଆଦିମ ଗୋଷ୍ଠୀଜୀବନଧାରୀ ପଥଚାରୀ ଜାତିମାନଙ୍କ ବିଶ୍ୱାସରାଜି ସ୍ଥାୟୀ କୃଷିସଭ୍ୟତାରେ ବିକଶିତହୋଇ ଭିନ୍ନ ରୂପ ପରିଗ୍ରହଣ କରିଛି I ସେହିପରି ରାଜତାନ୍ତ୍ରିକ ସାମନ୍ତତନ୍ତ୍ରର ମୂଲ୍ୟବୋଧସବୁ ଗଣତାନ୍ତ୍ରିକ ଜନବାଦୀ ସମାଜରେ ପରିବର୍ତ୍ତିତ ରୂପ ଧାରଣ କରିଥାଏ I

ଲୋକବିଶ୍ୱାସଗୁଡ଼ିକର ଉତ୍ତରଣ ହୋଇଥାଏ ପରମ୍ପରାର ପରିବହନ ଓ ସାମାଜିକ ନିଷେଧଗୁଡ଼ିକର ପରିପାଳନରେ I ଲୋକବିଶ୍ୱାସଗୁଡ଼ିକ ସାଧାରଣତଃ ମିଥ୍, ଲୋକୋତ୍ସବ, ପ୍ରଥା-ପରମ୍ପରା ତଥା ଲୋକୋକ୍ତି ମାଧ୍ୟମରେ ଅବିବ୍ୟକ୍ତ ହୋଇଥାଏ I

ଲୋକବିଶ୍ୱାସର ବିକାଶ ଓ କ୍ରମପରିବର୍ତ୍ତନ ଲୋକମାନସର କ୍ରମବିକାଶ ସ୍ତରକୁ ସୂଚୀତ କରିଥାଏ I

ଲୋକପରମ୍ପରା:

ପ୍ରଥା ଓ ପରମ୍ପରା ହେଉଛି ଲୋକବିଶ୍ୱାସର ବାସ୍ତବିକ ଓ ସାମାଜିକ ଅନୁକରଣ I କାର୍ଯ୍ୟ ମାଧ୍ୟମରେ, ସାମୂହିକ ଉତ୍ସବମାନଙ୍କରେ, ଋତୁଚକ୍ରର ନିର୍ଦ୍ଦିଷ୍ଟ ସମୟମାନଙ୍କରେ ଆପଣା ବିଶ୍ୱାସର ଅନୁକୂଳରେ ଲୋକ ଯେଉଁ ସାମାଜିକ ଓ ପ୍ରାକୃତିକ ଅନ୍ତର୍କ୍ରିୟାଗୁଡ଼ିକର ପୁନଃଅନୁକରଣ କରିଥାଏ ସେଗୁଡ଼ିକୁ ପ୍ରଥା ଓ ପରମ୍ପରା କୁହାଯାଇଥାଏ I

ଉର୍ବରକତାର ମିଥୀୟ ବିଶ୍ୱାସ ଅନୁକୂଳରେ ପୃଥିବୀର ପ୍ରାୟ ସକଳ ଲୋକସମାଜରେ ବହୁ ଉତ୍ସବ ପାଳନ କରାଯାଉଥିଲା I ଏହି ଉତ୍ସବଗୁଡ଼ିକ ନୃତ୍ୟ, ଗୀତ, ସଙ୍ଗୀତ ତଥା ବିଭିନ୍ନ ପ୍ରକାର ପ୍ରାକୃତିକ କ୍ରିୟାର ପୁନଃଅନୁକରଣରେ ପରିପୂର୍ଣ ରହୁଥିଲା I ଆପଣାର ମିଥୀୟ ବିଶ୍ୱାସ ଅନୁକୂଳରେ ଆଦିମ ମଣିଷ କେଉଁଠି ନରବଳୀ ଦେଉଥିଲା ତ ପୁଣି କେଉଁଠି ପ୍ରଜନନ ପ୍ରକ୍ରିୟାର ଅନୁକରଣ ସଦୃଶ ଯୌନାଭିଚାରସବୁର ଅନୁକରଣ କରୁଥିଲା I

ପରମ୍ପରାଗୁଡ଼ିକର ଅନୁପାଳନ ଲୋକସମାଜରେ ଅନିବାର୍ଯ୍ୟ ରହୁଥିଲା ଏବଂ ସେଗୁଡ଼ିକ ପିଢ଼ୀରୁ ପିଢ଼ୀକୁ ପ୍ରବାହିତ ହୋଇଆସୁଥିଲା I ପରମ୍ପରାଗୁଡ଼ିକ ମାଧ୍ୟମରେ ଲୋକବିଶ୍ୱାସଗୁଡ଼ିକ ମଧ୍ୟ ପିଢ଼ୀରୁ ପିଢ଼ୀକୁ ପ୍ରବାହିତ ହୋଇଆସୁଥିଲେ I ପ୍ରତିଟି ଲୋକସମାଜରେ ଈଶ୍ୱରବିଶ୍ୱାସ, ଧାର୍ମିକ ପ୍ରଥା ଓ ପରମ୍ପରା ବ୍ୟତିରେକ ଜନ୍ମ, ମୃତ୍ୟୁ ଓ ବିବାହ ଆଦି ସଂସ୍କାରକୁ ନେଇ କେତେକ ପ୍ରଥା ରହିଥାଏ ଏବଂ ସେଗୁଡ଼ିକର ପାଳନ ଅନିବାର୍ଯ୍ୟ ହୋଇଥାଏ I

ପ୍ରଥା ଓ ପରମ୍ପରା, ବିଶ୍ୱାସ ଓ କର୍ମଧାରା ସହ ମିଶି ଲୋକସମାଜର ବିକାଶକ୍ରମକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି I

 ଲୋକାମୋଦ:

କର୍ମକ୍ଳାନ୍ତ ଜୀବନର କ୍ଳାନ୍ତି ଅପନୋଦନ ସକାଶେ ପ୍ରତିଟି ଲୋକସମାଜ କେତେକ ଆମୋଦପ୍ରମୋଦର ବ୍ୟବସ୍ଥା କରିଥାଏ I କେତେକ ଆମୋଦ ଧାର୍ମିକ ଓ ମିଥୀୟ ବିଶ୍ୱାସଜଡ଼ିତହୋଇ ଉତ୍ସବମାନଙ୍କରେ ରୂପାନ୍ତରିତ ହେଉଥିବା ବେଳେ ଆଉ କେତେକ ଆମୋଦ ଧର୍ମନିରପେକ୍ଷ ରହି ଖେଳ ଓ ପ୍ରତିଯୋଗୀତାସବୁର ରୂପ ନେଇଥାଏ I ବିବିଧ ଉତ୍ସବମାନଙ୍କରେ ନାଚ଼, ଗୀତ, ହାସ୍ୟପରିହାସ, ଖେଳକୌତୁକ ସମାବିଷ୍ଟହୋଇ ଉତ୍ସବକୁ ଆମୋଦଦାୟକ କରିଥାଏ    I ପଶ୍ଚିମ ଓଡ଼ିଶାର ପାରମ୍ପରିକ ଲୋକୋତ୍ସବ ଓ ବିବାହ ଉତ୍ସବମାନଙ୍କରେ ଡାଲଖାଇ, ରସରକେଲି, ମାଏଲାଜଡ଼, ନଚନିଆଁ ଇତ୍ୟାଦି ନାଚଗୀତ ସହ ସଂଯୁକ୍ତହୋଇ ଆମୋଦର ପରିସୀମାକୁ ପରିବ୍ୟାପ୍ତ କରୁଥିବା ବେଳେ କରମା ଆଦି ଉତ୍ସବରେ ଷଣ୍ଡ ଲଢ଼ାଇ, କୁକୁଡ଼ା ଲଢ଼ାଇ, ତିତେର ଲଢ଼ାଇ ଇତ୍ୟାଦି ଆମୋଦପ୍ରମୋଦ, ଖେଲ ଓ ପ୍ରତିଯୋଗୀତା ପ୍ରଦର୍ଶିତ ହୋଇଥାଏ I

ଏହା ବ୍ୟତୀତ ଆଉ କେତେକ ଖେଳ ଲୋକସମାଜରେ ପ୍ରଚଳିତ ରହିଥାଏ I ପୁରୁଷ-ସ୍ତ୍ରୀ, ବୟସ୍କ-ଅଳ୍ପବୟସ୍କ ଆଦି ଭେଦରେ ଖେଳଗୁଡ଼ିକ ଭିନ୍ନଭିନ୍ନ ହୋଇଥାଏ I ଗୁଡ଼ୁ, କବାଡ଼ି, କେଲିବାଡ଼ି ଆଦି ଶ୍ରମସାପେକ୍ଷ ଖେଳ କିଶୋର ଓ ଯୁବକମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ଛିଲୋଲାଇ ବା ପୁଚିଖେଳ ଆଦି ଝିଅମାନଙ୍କ ପାଇଁ ଉଦ୍ଦିଷ୍ଟ ଶ୍ରମସାପେକ୍ଷ ଖେଳ I

ଲୋକଆମୋଦଗୁଡ଼ିକର ଅଭିବ୍ୟକ୍ତି ଶାବ୍ଦିକ ତଥା ଆଙ୍ଗିକ ହୋଇପାରେ I ନାରୀ, ବିଶେଷକରି କୁମାରୀମାନଙ୍କ ଖେଳରେ ଶାବ୍ଦିକ ସଂପ୍ରେଷଣ ଅଧିକ ରହିଥାଏ I ଓଡ଼ିଶାର ଲୋକସାହିତ୍ୟରେ ଏଇଥିପାଇଁ ଅନେକ ଲୋକଗୀତ ରହିଛି I ଏହି ଗାତମାନଙ୍କର ସଂଯୋଜନାରେ ଲୋକ ଆମୋଦ ମାଧ୍ୟମରେ ଉଭୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟର ସୁରକ୍ଷା କରିଥାଏ I ଆମୋଦ ମାଧ୍ୟମରେ ଅଭିବ୍ୟକ୍ତ  ଲୋକଗୀତଗୁଡ଼ିକ (ସଜନୀ ଗୀତ, ହୁମୋ-ବଉଲି ଗୀତ, ରଜଦୋଳି ଗୀତ, ପୁଚିଖେଳ ଗୀତ ଇତ୍ୟାଦି) ସାମାଜିକ ଶିକ୍ଷାର ଆଧାର ବି ହୋଇଥାଏ I ଏହି ଦୃଷ୍ଟିରୁ ଲୋକ ଆମୋଦ ସାମାଜିକ ଗତିଶୀଳତାର ଏକ ଆଧାରଭୁତ ମାଧ୍ୟମରୂପେ କାମ କରିଥାଏ I

ଲୋକପରିଧାନ:

ଅତି ଆଦିମ କାଳରୁ ମଣିଷ ନିଜକୁ ଆଚ୍ଛାଦିତ ଓ ଆଭୂଷିତ କରିବାର କଳାକୁ ଅଙ୍ଗୀକାର କରିଛି I ପ୍ରାକୃତିକ ପର୍ଯ୍ୟାବରଣର ପରିସ୍ଥିତି ସହ ଅନ୍ତର୍କ୍ରିୟା କରୁକରୁ ପର୍ଯ୍ୟାବରଣୀୟ ପରିବର୍ତ୍ତନର ଧାରାଗୁଡ଼ିକ ସହ ଆପଣାକୁ ଅନୁକୂଳିତ ଓ ବ୍ୟବସ୍ଥାପିତ କରିବାର ପ୍ରୟାସ କରୁକରୁ ମଣିଷ ଆପଣା ଶରୀରକୁ ବିବିଧ ପତ୍ର, ବଳ୍କଳ ଓ ଚର୍ମଦ୍ୱାରା ଆଚ୍ଛାଦିତ କରିବାର ଶିଖିନେଲା I ଏହି ପ୍ରକ୍ରିୟାରେ ତଥା ପ୍ରକୃତିର ବିମୋହନକାରୀ ସୌନ୍ଦର୍ଯ୍ୟ ଓ ବିସ୍ମୟଗୁଡ଼ିକ ସହ ଅନ୍ତର୍କ୍ରିୟା ମାଧ୍ୟମରେ ମଣିଷର ସୌନ୍ଦର୍ଯ୍ୟବୋଧ ବିକାଶଲାଭ କରେ ତଥା ମଣିଷର ଅନ୍ୟାନ୍ୟ ଜୀବନ ଅନୁଭୂତି ସହ ପରିଧାନ ରୁଚି ବିକଶିତ ହୁଏ ଏବଂ ବିଭିନ୍ନ ଲୋକସମାଜରେ ଏହା କଳାର ରୂପ ଗ୍ରହଣ କରେ I

ଲୋକର ପରିଧାନ ରୁଚି ଏକ କଳା ଭାବରେ ପ୍ରାକ୍-ଐତିହାସିକ ଯୁଗରୁ ହିଁ ବିକଶିତ ହୋଇଆସିଛି I ପ୍ରତିଟି ଲୋକସମାଜର ପରିଧାନ ପରିପାଟୀ, ବସ୍ତ୍ର ଏବଂ ଅଳଙ୍କାର ଇତ୍ୟାଦି ସେହି ସମାଜର ପର୍ଯ୍ୟାବରଣୀୟ ପରିସ୍ଥିତି ଉପରେ ନିର୍ଭରଶୀଳ ରହିଆସିଛି I ପ୍ରକୃତିରୁ ଉପଲବ୍ଧ ପଦାର୍ଥରାଜି ଉପରେ ଖାଦ୍ୟ, ବସ୍ତ୍ର ଓ ଅନ୍ୟାନ୍ୟ ଆନୁସଙ୍ଗିକ ନିତ୍ୟବ୍ୟବହାର୍ଯ୍ୟ ଆବଶ୍ୟକତାସବୁ ନିର୍ଭରଶୀଳ ରହିଥାଏ ଏବଂ ଏହି ହେତୁ ପ୍ରାକୃତିକ ଅବସ୍ଥିତି ଓ ପର୍ଯ୍ୟାବରଣ ଲୋକର ସମଗ୍ର ଜୀବନସ୍ଥିତିକୁ ନିୟନ୍ତ୍ରିତ କରିଥାଏ I ଏହି ହେତୁ ବଣଜଙ୍ଗଲରେ ବାସ କରୁଥିବା ଜନଜାତୀୟ ଜୀବନଧାରାର ଜୀବନରୁଚି, ସଂସ୍କୃତି ଇତ୍ୟାଦି ସମତଳ ଅଞ୍ଚଳ ତଥା ସମୁଦ୍ରକୂଳରେ ବସବାସ କରୁଥିବା ଜନଜୀବନଧାରା ଓ ଜୀବନରୁଚିଠାରୁ ଭିନ୍ନ ହୋଇଥାଏ I

ଲୋକପରିଧାନ ରୂପରେ ବସ୍ତ୍ର ଓ ଅଳଙ୍କାରଗୁଡ଼ିକର ଆଲୋଚନା କରାଯାଇପାରେ I ସୂତା ନିର୍ମିତ ବସ୍ତ୍ର ସହ ଧାତୁ ନିର୍ମିତ ବିବିଧ ଅଳଙ୍କାର, ପତ୍ର, ଫୁଲ, ପକ୍ଷୀପର ଇତ୍ୟାଦିରେ ନିଜକୁ ସଜାଇବା ତଥା ଶରୀରରେ ଚିତା କାଟିବା ଆଦି ବିଭିନ୍ନ ପରିଧାନ ଓ ଆଭୂଷଣ ଦେଖିବାକୁ ମିଳିଥାଏ I ଓଡ଼ିଶାରେ ସୂତାବସ୍ତ୍ର ନିର୍ମାଣ ଭୁଲିଆ, ଗଣା, ତନ୍ତୀ ଆଦି ଜାତିର ପାରମ୍ପରିକ ପେଶା ହୋଇଥିବା ବେଳେ ସୁନା, ରୂପା ଓ ଅନ୍ୟାନ୍ୟ ଧାତୁଜନିତ ଅଳଙ୍କାର ନିର୍ମାଣ ମଧ୍ୟ ବିଭିନ୍ନ କାରିଗରୀ ଜାତିର ପାରମ୍ପରିକ ପେଶା ଅଟେ I କତରିଆ, ବନ୍ଦରିଆ, ଟାଡ଼, ବାହାସୂତା ତଥା ସମଲପୁରୀ, ବରହମପୁରୀ ବସ୍ତ୍ରର ବିବିଧ ସୁନ୍ଦର ଡିଜାଇନ୍ ଓଡ଼ିଶାର ପାରମ୍ପରିକ ପରିଧାନ ରୁଚିର ପରିଚୟ ବହନ କରିଥାନ୍ତି I

ଉତ୍ସବମାନଙ୍କରେ ଲୋକ ଉନ୍ନତ ରୁଚିର ପରିଧାନମାନଙ୍କରେ ନିଜକୁ ସଜ୍ଜିତ କରୁଥିବା ବେଳେ, କେତେକ ସ୍ଥଳରେ ଧାର୍ମିକ ଓ ମିଥୀୟ ବିଶ୍ୱାସ ଅନୁକୂଳରେ ପରିଧାନସବୁ ନିର୍ଦ୍ଦେଶିତ ହୋଇଥାନ୍ତି I ପୂଜକ, ବାଦକ, ନର୍ତ୍ତକ, ନର୍ତ୍ତକୀ ତଥା ଯାତ୍ରା, ଲୋକନାଟକ ଓ ଲୋକନୃତ୍ୟ ଇତ୍ୟାଦି ପାଇଁ ସ୍ୱତନ୍ତ୍ର ପରିଧାନସବୁ ରହିଥାଏ I ଲୋକ ପରିଧାନ ଲୋକର ଆବଶ୍ୟକତା ଓ ରୁଚି ଉଭୟର ପରିଚାୟକ ଅଟେ  I

ଲୋକଅଭିବ୍ୟକ୍ତି:

ଲୋକଜୀବନଧାରାର ସକଳ ବିଭାବ କୌଣସି ନା କୌଣସି ମାଧ୍ୟମରେ ଅଭିବ୍ୟକ୍ତ ହୋଇଥାଏ I ତେବେ, ଜୀବନଧାରାର ସକଳ ବିଭାବର ସଂପ୍ରେଷଣ ସକାଶେ ଲୋକ ସଚେତନ ଭାବରେ ବ୍ୟବହାର କରୁଥିବା ମାଧ୍ୟମକୁ ଲୋକ ଅଭିବ୍ୟକ୍ତି କୁହାଯାଇପାରେ I ଲୋକ ଅଭିବ୍ୟକ୍ତି ତାହାର ସଂପ୍ରେଷଣ ମାଧ୍ୟମ ଅନୁସାରେ ନୈର୍ଭାଷିକ ଅଥବା ଭାଷିକ ହୋଇପାରେ I ନୈଭାଷିକ ଅଭିବ୍ୟକ୍ତିରେ ଲୋକକଳା, ଲୋକବିଜ୍ଞାନ, ବାସ୍ତୁକଳା, ସ୍ଥପତି ଇତ୍ୟାଦିକୁ ନିଆଯାଇପାରେ, ଯାହା ଭାଷା ଓ ଧ୍ୱନି ମାଧ୍ୟମରେ ଅବିବ୍ୟକ୍ତ ହୋଇନଥାଏ  I ସେହିପରି ଲୋକଗୀତ, ଲୋକଗଦ୍ୟ ଆଖ୍ୟାନ, ଲୋକୋକ୍ତି, ଲୋକନୃତ୍ୟ ଓ ନାଟକ ଆଦି ଲୋକର ଭାଷିକ ଅଭିବ୍ୟକ୍ତିର ଅନ୍ତର୍ଗତ କରାଯାଏ , ଯାହା ଭାଷା ଓ ଧ୍ୱନି ମାଧ୍ୟମରେ ଅଭିବ୍ୟକ୍ତ ହୋଇଥାଏ I

ନୈର୍ଭାଷିକ ମାଧ୍ୟମ:

            ନୈର୍ଭାଷିକ ମାଧ୍ୟମକୁ ଲୋକକଳା ଓ ଲୋକବିଜ୍ଞାନ ଦୁଇଟି ଶୀର୍ଷକରେ ଆଲୋଚନା କରିପାରିବା I

ଲୋକକଳା:

ଲୋକଜୀବନରେ କଳାର ଉନ୍ମେଷ ହୁଏ ସଂପ୍ରେଷଣର ଆବଶ୍ୟକତାରୁ I ଭାଷା ନିର୍ମାଣର ପୂର୍ବକାଳଗୁଡ଼ିକରେ ବିଭିନ୍ନ ପ୍ରକାର ଅଙ୍ଗଭଙ୍ଗୀ ଚାଳନା ଓ ଠାର ଇତ୍ୟାଦି ହିଁ ସମ୍ପ୍ରେଷଣର ମାଧ୍ୟମ ଥିଲା I ପରବର୍ତ୍ତୀ ସମୟରେ ଅପେକ୍ଷାକୃତ ଅଧିକ ବିକଶିତ ମଣିଷ ଏହି ଠାର ଓ ଅନ୍ୟାନ୍ୟ ଆନୁସଙ୍ଗୀକ ସଂପ୍ରେଷଣ ମାଧ୍ୟମଗୁଡ଼ିକୁ ଅଧିକ ବ୍ୟବସ୍ଥିତ କଲା I ସଙ୍କେତ ଓ ଚିତ୍ର ମାଧ୍ୟମରେ ସେ କେବଳ ସଂପ୍ରେଷଣକୁ ଅଧିକ ସରଳ ଓ ସହଜ କଲାନାହିଁ, ଅଧିକନ୍ତୁ ଏହା ମାଧ୍ୟମରେ ବସ୍ତୁ ବା ଜୀବଜନ୍ତୁଙ୍କ ସାଧାରଣୀକରଣ ପ୍ରକ୍ରିୟାକୁ ମଧ୍ୟ ବ୍ୟବସ୍ଥିତ କଲା I କର୍ମଜନିତ ଶବ୍ଦ ଉଚ୍ଚାରଣ ତଥା ପ୍ରାକୃତିକ ଓ ମାନବୀୟ ପ୍ରତିବର୍ତ୍ତୀ ଧ୍ୱନିସମୂହ (ଯଥା: ବିଜୁଳି ଚମକିବା, ମେଘ ଗରଜିବା, ପବନରେ ପତ୍ରର ସାଇଁସାଇଁ ଶବ୍ଦ ଆଦି ପ୍ରାକୃତିକ ତଥା ହର୍ଷ, ବେଦନା, ଆଶ୍ଚର୍ଯ୍ୟ, ପ୍ରଣୟର ଶୀତ୍କାର ଆଦି ମାନବୀୟ ପ୍ରତିବର୍ତ୍ତୀ ଧ୍ୱନିସବୁ) ଲୋକର ଭାଷା ନିର୍ମାଣ କରିଥିବା ବେଳେ ସମବେତ କର୍ମସମ୍ଭୂତ ଧ୍ୱନିସବୁ ସଙ୍ଗୀତ ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାର ସମାଜତାତ୍ତ୍ୱିକ ମତସବୁ ରହିଛି I1 I

ଆଦିମ ଜୀବନର ସମବେତ କର୍ମ ତଥା ଲୟାତ୍ମକ ପୁନରାବୃତ୍ତି ମାଧ୍ୟମରେ ସମରୂପ ନିର୍ମାଣ କରିବାର ପ୍ରକ୍ରିୟା ଭିତରେ କଳାର ଜୀବନ ବିଦ୍ୟମାନ ରହିଥିବାର ଫିସର୍ ମତବ୍ୟକ୍ତ କରନ୍ତି I କଳାର ଜନ୍ମରେ ଦୀପ୍ତିବାନ, ଚମକପ୍ରଦ, ଚକମକ କରୁଥିବା ବସ୍ତୁଗୁଡ଼ିକର (ଯାହା କେବଳ ମଣିଷ ମଧ୍ୟରେ ନୁହେଁ, ପଶୁପକ୍ଷୀଙ୍କ ମଧ୍ୟରେ ବି ମିଳିଥାଏ) ତଥା ଆଲୁଅର ଦୁର୍ଦ୍ଦମନୀୟ ଆକର୍ଷଣର ଭୂମିକା ରହିଥିବ I ଲୈଙ୍ଗିକ ଆକର୍ଷଣ ଯେମିତି; ପଶୁପକ୍ଷୀଙ୍କ ଚମକପ୍ରଦ ରଙ୍ଗ, ତୀକ୍ଷ୍ଣ ଗନ୍ଧ, ସୁନ୍ଦର ତ୍ୱଚା ଏବଂ ଉନ୍ମୁକ୍ତ ପକ୍ଷ ତଥା ମଣିଷର ଆଭୂଷଣ, ସୁନ୍ଦର ବସ୍ତ୍ର, ମୋହକ ଶବ୍ଦ ଓ ମୁଦ୍ରାସବୁ ଉଦ୍ଦୀପନ ପ୍ରଦାୟକ ହୋଇଥିବ I ଜୈବ ଓ ଅଜୈବ ପ୍ରକୃତିର ଲୟସବୁ ଯେମିତି; ହୃଦୟ ସ୍ପନ୍ଦନର ଲୟ, ପ୍ରଶ୍ୱାସର ଲୟ, ସମ୍ଭୋଗର ଲୟ ଏବଂ ରୂପର ତତ୍ତ୍ୱ ଓ ପ୍ରକ୍ରିୟାଗୁଡ଼ିକ ତଥା ସେଗୁଡ଼ିକରୁ ପ୍ରାପ୍ତ ଆନନ୍ଦର ଲୟାତ୍ମକ ପୁନରାବୃତ୍ତି ଓ କାର୍ଯ୍ୟ ସମ୍ବନ୍ଧୀୟ ଲୟର ମହତ୍ୱପୂର୍ଣ ଭୂମିକା ରହିଥିବ I2I

ଲୟାତ୍ମକ ଗତି କାର୍ଯ୍ୟରେ ସହାୟକ ହୋଇଥାଏ I ଏହା ପ୍ରୟାସକୁ ସମନ୍ୱିତ କରିବା ସଙ୍ଗେସଙ୍ଗେ ବ୍ୟକ୍ତିକୁ ସାମାଜିକ  ସମୂହରେ ଯୋଡ଼ିଥାଏ I କୌଣସି ବି ଲୟଭଙ୍ଗ ଅପ୍ରିୟ ଲାଗେ; କାରଣ ତାହା ଜୀବନ ତଥା କାର୍ଯ୍ୟର ପ୍ରକ୍ରିୟାଗୁଡ଼ିକୁ ବାଧାପ୍ରାପ୍ତ କରିଥାଏ I ଏଇଥିପାଇଁ ହିଁ ଆମେ କଳାରେ ଲୟକୁ ଅନୁପାତ ଓ ସମମିତି ରୂପ ତଥା ନିରନ୍ତର ପୁନରାବୃତ୍ତିର ସମାବେଶ ପରେ ପାଇଥାଉଁ I ଅନ୍ତତଃ କଳା ପାଇଁ ଏପରି ଏକ ତତ୍ତ୍ୱ ଅନିବାର୍ଯ୍ୟ ଅଟେ, ଯାହା ଭୟାବହ ହୋଇଥାଏ, ଭୟ ଉତ୍ପନ୍ନ କରେ ଏବଂ ଯାହା ବିଷୟରେ ସ୍ୱୀକାର କରାଯାଇଥାଏ କି ଏହା ଶତୃକୁ ବଶ କରିବାର ଶକ୍ତି ପ୍ରଦାନ କରିଥାଏ I କଳାର ନିର୍ଣାୟକ ପ୍ରକାର୍ଯ୍ୟ ଥିଲା ପ୍ରକୃତିକୁ, କୌଣସି ଶତୃକୁ, ସମ୍ଭୋଗର ସାଥୀକୁ ଅର୍ଥାତ୍ ଯଥାର୍ଥକୁ ବଶ କରିବା ତଥା ମାନବ ସମଷ୍ଟିକୁ ଶକ୍ତିଶାଳୀ କରିବା I ମାନବତାର ଉଦୟ କାଳରେ କଳାର ସୌନ୍ଦର୍ଯ୍ୟ ସହିତ ବିଶେଷ ସମ୍ବନ୍ଧ ନ ଥିଲା ଏବଂ କୌଣସି ପ୍ରକାର ସୌନ୍ଦର୍ଯ୍ୟାତ୍ମକ ଇଚ୍ଛା ସହ ଏହାର କିଛି ସମ୍ପର୍କ ନ ଥିଲା I ଏହି ସମୟରେ କଳା ମାନବ ସମଷ୍ଟି ଦ୍ୱାରା ବଞ୍ଚିରହିବା ପାଇଁ କରାଯାଇଥିବା ସଂଘର୍ଷର ଏକ ଯାଦୁକରୀ ଉପାଦାନ ବା ଅସ୍ତ୍ର ଥିଲା I3I

ଆଦିମ ମଣିଷର ଅନ୍ଧବିଶ୍ୱାସ ଉପରେ ବା ପ୍ରକୃତିକୁ ବଶ କରିବାର ଉପାୟ ଉପରେ ବ୍ୟଙ୍ଗପୂର୍ବକ ହସିବା ଭୁଲ୍ ହେବ, ଯଦିଓ ସେ ଏହି ଉପାୟର ଅନୁକରଣ ମାଧ୍ୟମରେ, ତଦାତ୍ମ ଜରିଆରେ, ବିମ୍ବ ଆଉ ଭାଷାର ଶକ୍ତି ମାଧ୍ୟମରେ, ଯାଦୁ ମାଧ୍ୟମରେ, ସାମୂହିକ ଲୟାତ୍ମକ ଗତି ମାଧ୍ୟମରେ ଅଥବା ଏହିପରି ଅନ୍ୟ ଜିନିଷ ମାଧ୍ୟମରେ ହାସଲ କରିଛି I ଯେହେତୁ ସେ ପ୍ରକୃତିର ନିୟମଗୁଡ଼ିକୁ ପାଳନ କରିବା, କାରଣ ଓ ପରିଣାମର ସମ୍ବନ୍ଧକୁ ଖୋଜିବା, ସାମାଜିକ ସଙ୍କେତ, ଶବ୍ଦ, ଧାରଣା ଓ ପରିପାଟୀ ପରିପୂର୍ଣ ଏକ ସଚେତନ ସଂସାରର ନିର୍ମାଣ କରିବା ଏବେ ଆରମ୍ଭ କରିଥିଲା; ଏଇଥିପାଇଁ ଏହା ସ୍ୱାଭାବିକ ଯେ ସେ ଅସଂଖ୍ୟ ମିଥ୍ୟା ନିଷ୍କର୍ଷରେ ପହଞ୍ଚିଗଲା ଏବଂ ସାମାନ୍ୟ ଅନୁମାନରୁ ଦିଗଭ୍ରମିତ ହେବା କାରଣରୁ ତା ମନରେ ଏପରି ଧାରଣା ଉତ୍ପନ୍ନ ହେଲେ, ଯାହା ମୂଳତଃ ଭୁଲ I (ସେଗୁଡ଼ିକ ମଧ୍ୟରୁ ଅନେକ ଧାରଣା ଏବେ ବି ଆମର ଭାଷା ଓ ଦର୍ଶନମାନଙ୍କରେ କୌଣସି ନା କୌଣସି ରୂପରେ ସୁରକ୍ଷିତ ଅଛି) I ତଥାପି ବି କଳାର ନିର୍ମାଣରେ ସେ ନିଜର ଶକ୍ତିବୃଦ୍ଧି ତଥା ଜୀବନ ସମୃଦ୍ଧିର ଏକ ବାସ୍ତବ ପ୍ରକ୍ରିୟା ଖୋଜିନେଲା I

ଶିକାରକୁ ଯିବା ପୂର୍ବରୁ ଆଦିମ ମଣିଷଗୋଷ୍ଠି ଯେଉଁ ଉନ୍ମତ୍ତ ନୃତ୍ୟ କରୁଥିଲେ, ସେଥିରେ ବାସ୍ତବିକ ରୂପରେ ସେମାନଙ୍କ ମଧ୍ୟରେ ଶକ୍ତିର ଭାବନା ବଢ଼ିଯାଉଥିଲା  I ଯୁଦ୍ଧ ସମୟରେ ଶରୀରରେ ରଙ୍ଗ ବୋଳିବା ଓ ଚିତ୍କାର କରିବା ଦ୍ୱାରା ଯୋଦ୍ଧା ବାସ୍ତବରେ ଅଧିକ ଦୃଢ଼ନିଶ୍ଚୟୀ ତଥା ଶତୃ ପାଇଁ ଆତଙ୍କପ୍ରଦ ହୋଇଯାଉଥିଲା I ଗୁମ୍ଫାମାନଙ୍କରେ ଅଙ୍କନ କରାଯାଉଥିବା ଚିତ୍ର ବାସ୍ତବରେ ଶିକାରୀ ମନରେ ସୁରକ୍ଷାର ଭାବନା ତଥା ଶିକାରଠାରୁ ଶ୍ରେଷ୍ଠତର ହୋଇଥିବାର ଧାରଣା ଉତ୍ପନ୍ନ କରିବାରେ ସହାୟକ ଥିଲା I ପରିପାଟୀଗୁଡ଼ିକ ଦୃଢ଼ ଭାବରେ ପାଳନ କରିବା ମାଧ୍ୟମରେ କରାଯାଉଥିବା ଧାର୍ମିକ ସମାରୋହସବୁ ବାସ୍ତବରେ ଜନଜାତିର ପ୍ରତ୍ୟେକ ସଦସ୍ୟଙ୍କୁ ସାମାଜିକ ଅନୁଭବର ଶିକ୍ଷାଦେବା ଓ ସମଷ୍ଟିର ଅଭିନ୍ନ ଅଙ୍ଗକରି ରଖିବାରେ ସହାୟକ ଥିଲା I ମଣିଷ, ଯିଏ ଭୟଙ୍କର, ଅବୁଝା ଓ ଆତଙ୍କପ୍ରଦ ପ୍ରକୃତି ସହ ସଂଘର୍ଷରେ ଏକ ଦୁର୍ବଳ ଜୀବ ଥିଲା; ଆପଣା ବିକାଶର ଯାଦୁରେ ଲାଭାନ୍ୱିତ ହେଲା I

ମଣିଷର ଜୀବନଯାତ୍ରାର କ୍ରମବିକାଶ ପଥରେ କୃଷିର ଉଦ୍ଭାବନ ଫଳରେ ସମାଜ ଜୀବନର ଗତିପଥରେ ଏକ ବିରାଟ ପରିବର୍ତ୍ତନ ଆସିଲା I କୃଷି ସହ ସ୍ଥାୟୀ ବସତି ସ୍ଥାପନ ଆରମ୍ଭ ହେଲା ତଥା ଗୋଷ୍ଠିଜୀବନ ଅଧିକ ବ୍ୟବସ୍ଥିତ ହୋଇ ରାଜ୍ୟର ଉଦ୍ଭବ ଘଟିଲା I ଗୋଷ୍ଠିଗତ ଜୀବନର ଗୋଷ୍ଠିସମ୍ପଦର ଧାରଣା ପରିବର୍ତ୍ତିତହୋଇ ବ୍ୟକ୍ତିଗତ ସମ୍ପଦାଧିକାର ଧାରଣାର ଅଭ୍ୟୁଦୟ ହେଲା I ଫଳରେ ସମାଜରେ ବିଭିନ୍ନ ବର୍ଗର ଉଦୟ ହେଲା I ବର୍ଗସମାଜରେ ମଧ୍ୟ କଳା ସାମାଜିକ ଗତିଶୀଳତାର ରୂପରେଖ ନିର୍ମାଣରେ ପ୍ରଭୂତ ଭୂମିକା ନିର୍ବାହ କଲା I ବର୍ଗୀୟ ସମାଜଗୁଡ଼ିକରେ କଳା ବିବିଧ ବର୍ଗର ରୁଚି, ଆବଶ୍ୟକତା ଓ ଉଦ୍ଦେଶ୍ୟଗୁଡ଼ିକୁ ପ୍ରତିଫଳିତ କରିଥାଏ I

ଲୋକକଳାକୁ ମଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ I ସେଗୁଡ଼ିକ ହେଲେ କ) ଲୋକବାଦ୍ୟ ଓ ଲୋକନୃତ୍ୟ, ଖ) ଚିତ୍ରକଳା I

କ) ଲୋକବାଦ୍ୟ ଓ ଲୋକନୃତ୍ୟ:

            ଲୋକକଳା ସଦାବେଳେ ସାମୂହିକତାର ପ୍ରତିନିଧିତ୍ୱ କରିଥାଏ I ଏହି ଦୃଷ୍ଟିରୁ ଲୋକବାଦ୍ୟ ଓ ଲୋକନୃତ୍ୟ ଅଧିକାଂଶ ସମୟରେ ସାମୂହିକ ରୂପରେ ପାଳିତ ଓ ପ୍ରଦର୍ଶିତ ହୋଇଥାଏ I ଆଦିମ ଜୀବନରେ ଶିକାର କରିବାକୁ ଯିବା ପୂର୍ବରୁ ଅଭ୍ୟାସ ସ୍ୱରୂପ ଗୋଷ୍ଠିସମାଜଗୁଡ଼ିକରେ ସାମୂହିକ ନୃତ୍ୟଗୀତ ଅତି ଉନ୍ମତ୍ତ ଭାବରେ ପାଳନ କରାଯାଉଥିଲା I ଏହି ଅଭ୍ୟାସ ଆଦିମ ମଣିଷର ଆତ୍ମବିଶ୍ୱାସ ଓ ଆତ୍ମପ୍ରେରଣାକୁ ବହୁ ପରିମାଣରେ ବଢ଼ାଇ ଦେଉଥିଲା ଏବଂ ଏହି ପ୍ରକ୍ରିୟା ଫଳରେ ଶିକାରୀ ନିଜକୁ ଶିକାରଠାରୁ ଶ୍ରେଷ୍ଠତର ବୋଲି ଭାବୁଥିଲା I ଏହି ଆତ୍ମପ୍ରେରଣା ଓ ଆତ୍ମବିଶ୍ୱାସ ତାକୁ ଭୟହୀନ କରି ଶିକାର ଉଦ୍ଦେଶ୍ୟରେ ପ୍ରେରିତ କରୁଥିଲା I ସେହିପରି ଶିକାରର ଭୋଜନ ମଧ୍ୟ ସାମୂହିକ ଭାବରେ ନିଆଁର ଚାରିପାର୍ଶ୍ୱରେ ଘେରିବସିଥିବା ଗୋଷ୍ଠିଜନଙ୍କ ସାମୂହିକ ନୃତ୍ୟ-ବାଦ୍ୟର ସମାରୋହ ମଧ୍ୟରେ ପରିପାଳିତ ହେଉଥିଲା I ଏହି ପ୍ରକ୍ରିୟାଗୁଡ଼ିକ ପରବର୍ତ୍ତୀ ସମୟରେ ଲୋକଉତ୍ସବମାନଙ୍କରେ ବିକଶିତ ହୋଇଥିଲା I

କୃଷିଭିତ୍ତିକ ସମାଜରେ ମଧ୍ୟ ସାମୂହିକତାର ମହତ୍ତ୍ୱ ଅତି ଗୁରୁତ୍ୱପୂର୍ଣ I କୃଷିକର୍ମର ବିଭିନ୍ନ ପର୍ଯ୍ୟାୟରେ ଫସଲ ବୃଦ୍ଧିର ମିଥୀୟ ବିଶ୍ୱାସ ଅନୁକୂଳରେ ଲୋକସମାଜସବୁରେ ସାମୂହିକ ନୃତ୍ୟ-ଗୀତ-ବାଦ୍ୟର ପ୍ରଚ଼ଳନ କରାଗଲା I ଏହା ବ୍ୟତୀତ ଲୋକର କର୍ମଜୀବନରେ, ବିଶେଷକରି ଶାରୀରିକ ପରିଶ୍ରମ ସମୟରେ ବ୍ୟବହୃତ ହେଉଥିବା ବାଦ୍ୟ ଓ ଉଚ୍ଚାରଣସବୁ କର୍ମକୁ ଲୟଯୁକ୍ତ ଓ ବ୍ୟବସ୍ଥିତ କରିବା ସଙ୍ଗେସଙ୍ଗେ ସାମୂହିକତାର ସ୍ରୋତରେ ଯୋଡ଼ିବାରେ ମୁଖ୍ୟ ଭୂମିକା ନିର୍ବାହ କରିଆସିଛି I

ସୁବ୍ୟବସ୍ଥିତ ସମାଜ ଜୀବନର ଉତ୍ସବମାନଙ୍କରେ ଲୋକବାଦ୍ୟ ଓ ନୃତ୍ୟର ପ୍ରଚଳନ ଅଧିକ ଦେଖାଯାଏ I ସମାଜ ବ୍ୟବସ୍ଥିତ ଓ ବିକଶିତ ହେବାର ପ୍ରକ୍ରିୟାରେ ତଥା କର୍ମଜୀବନର କଳାକୁ ଅଧିକ ସଙ୍ଗଠିତ କରିବାର ପ୍ରକ୍ରିୟାରେ ବିବିଧ ପ୍ରକାର ବାଦ୍ୟଯନ୍ତ୍ର ଓ ନୃତ୍ୟକୌଶଳ ସବୁ ଉଦ୍ଭାବିତ ଓ କ୍ରମବିକଶିତ ହେଲେ I କର୍ମ, ଜୀବନ ଓ ନୃତ୍ୟ-ଗୀତ-ବାଦ୍ୟର ଗୋଟିଏ ସମନ୍ୱିତ ଅଭ୍ୟାସ ମଣିଷର ଜୀବନଛନ୍ଦର ବିକାଶକୁ ସୁବ୍ୟବସ୍ଥିତ କରିବାରେ ମୁଖ୍ୟ ଭୁମିକା ନିର୍ବାହ କରିଛି I

ଖ) ଚିତ୍ରକଳା:

            ଲୋକର ଚିତ୍ରକଳାର ପ୍ରାରମ୍ଭ ହୁଏ ଆଦିମ ଜୀବନରୁ I ଆଦିମ ଜୀବନରେ କର୍ମପ୍ରେରଣାର ସଂକେତ ସ୍ୱରୂପ ଚିତ୍ରକଳାର ଉଦ୍ଭବ ଓ ବିକାଶ ହୋଇଥିଲା I ଆଦିମ ଜନର ପ୍ରସ୍ତରଗାତ୍ରର ଚିତ୍ରସବୁରେ ଏଇଥିପାଇଁ ଶିକାରର ଦୃଶ୍ୟ ପ୍ରକଟିତ ହୋଇଛି I ସମାଜର ବିକାଶ ସହ କର୍ମଜୀବନଧାରାର କ୍ରମ ପରିବର୍ତ୍ତନ ସହ, ଲୋକର ମିଥୀୟ ବିଶ୍ୱାସର କ୍ରମବିବର୍ତ୍ତନ ତଥା ଧାର୍ମିକ ପରମ୍ପରାସବୁର ଅଭ୍ୟୁଦୟ ଓ ବିକାଶ ସହ ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ କଳାରୂପ ପରି ଚିତ୍ରକଳାର ବିକଶିତ ପରିବର୍ତ୍ତନସବୁ ପରିଲକ୍ଷିତ ହୁଏ I

 ଲୋକବିଜ୍ଞାନ:

          ଜୀବନର ବିକାଶକ୍ରମରେ ବିଜ୍ଞାନ ଅତି ପ୍ରାଚୀନ କାଳରୁ ପ୍ରଭୂତ ଭୂମିକା ଗ୍ରହଣ କରିଛି I ମାନବୀୟ ବୁଦ୍ଧିର କ୍ରମବିକାଶ ସହ ମଣିଷର ଅନ୍ୱେଷୀ ବିସ୍ମୟତାର ପ୍ରତିଫଳ ସ୍ୱରୂପ ବିଜ୍ଞାନର ଆବିଷ୍କାର ହୁଏ  I ପ୍ରାଥମିକ ସ୍ତରରେ ପ୍ରାକୃତିକ ଅନ୍ତର୍କ୍ରିୟାର ମଣିଷ ବିଜ୍ଞାନକୁ ଭେଟେ, ଚିହ୍ନେ I ନିଆଁର ଆବିଷ୍କାର, ପଥର ଓ ଅନ୍ୟାନ୍ୟ ପ୍ରାକୃତିକ ଉପାଦାନଗୁଡ଼ିକୁ ସରଳ ଯନ୍ତ୍ର ରୂପରେ ବ୍ୟବହାର କରିଶିଖିବା ତଥା ପରବର୍ତ୍ତୀ ସମୟରେ ତମ୍ବା, ଲୁହା ଆଦି ଧାତୁଦ୍ରବ୍ୟର ପରିଚିହ୍ନନ ଓ ବ୍ୟବହାର ଇତ୍ୟାଦି ଆଦିମ ଜୀବନରେ ବିଜ୍ଞାନକୁ ରୂପ ପ୍ରଦାନ କରିବା ସହ କ୍ରମବ୍ୟବସ୍ଥିତ କଲା I ମାନବୀୟ ବ୍ୟବହାର କୌଶଳର ବିକାଶ ସହ ଜନସମାଜଗୁଡ଼ିକରେ ବିଜ୍ଞାନ କ୍ରମବିକଶିତ ହୋଇଆସିଲା I ଲୋକବିଜ୍ଞାନକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ I କ) ବାସ୍ତୁକଳା, ସ୍ଥପତି ଓ କାରିଗରୀ ବିଦ୍ୟା   ଖ) ଆୟୁର୍ବେଦ, ରସାୟନ ଆଦି ବିକଶିତ ଲୋକବିଜ୍ଞାନ

କ) ବାସ୍ତୁକଳା, ସ୍ଥପତି ଓ କାରିଗରୀ ବିଦ୍ୟା:

ଲୋକର ଜୀବନଧାରଣ ଆବଶ୍ୟକତାର ପରିପୂରଣ ଉଦ୍ଦେଶ୍ୟରେ ବାସ୍ତୁକଳା, ସ୍ଥପତି ଓ କାରିଗରୀ ବିଦ୍ୟାର ଗୁରୁତ୍ୱ ରହିଛି I କୃଷି ସଂସ୍କୃତିର ପ୍ରାରମ୍ଭ ଓ ସ୍ଥାୟୀ ବସତି ସ୍ଥାପନ ବେଳେ ସୃଷ୍ଟିହୋଇଥିବା ନୂତନ ଆବଶ୍ୟକତାସବୁ କ୍ରମୋନ୍ନତ ବାସ୍ତୁକଳା ଓ କାରିଗରୀ ବିଦ୍ୟାର ଜନକ I ବାସସ୍ଥାନ ନିମନ୍ତେ ଗୃହ ନିର୍ମାଣର ଆବଶ୍ୟକତା, କୃଷିକର୍ମ ପାଇଁ ବିବିଧ ଉପକରଣର ଆବଶ୍ୟକତା, ଫସଲ ସଂରକ୍ଷଣ ପାଇଁ ବିବିଧ ପ୍ରକାର ଉପାଦାନର ଆବଶ୍ୟକତା ଲୋକର ବାସ୍ତୁକଳାର ଜନ୍ମ ଓ ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରିଛି I ଗୃହ, କୃଷି ଉପକରଣ (ଲଙ୍ଗଳ, ଜୁଆଡ଼ି, କସନା, ଶଗଡ଼ ଇତ୍ୟାଦି) ତଥା ଖାଦ୍ୟ ସଂରକ୍ଷଣ ପାଇଁ ମାଟି, ବାଉଁଶ, ପାଳ, ପତ୍ର, ଇତ୍ୟାଦି ଦ୍ୱାରା ନିର୍ମିତ ବିଭିନ୍ନ ପ୍ରକାରର ଟୋକେଇ, ଘଡ଼ା ଇତ୍ୟାଦି ଲୋକଜୀବନର ବାସ୍ତୁକଳାର ପରିଚୟ ପ୍ରଦାନ କରନ୍ତି I

 ଖ) ଆୟୁର୍ବେଦ, ରସାୟନ ଆଦି କ୍ରମୋନ୍ନତ ଲୋକବିଜ୍ଞାନ:

ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ I ଜୀବନର ଯାତ୍ରା ପଥରେ ପ୍ରକୃତି ସହ ସହାବସ୍ଥାନୀୟ ସଂଘର୍ଷପୂର୍ଣ ଅନ୍ତର୍କ୍ରିୟାର ପଥରେ ଭେଟୁଥିବା ବିବିଧ ପ୍ରକାର ସଙ୍କଟ, ଦୁଃଖ ଓ ରୋଗର ପ୍ରତିକାର ନିମନ୍ତେ ମଣିଷ ନୂତନ ଉନ୍ନତ ଜ୍ଞାନକୌଶଳର ଅନୁସନ୍ଧାନ କଲା I ଏହି ଅନୁସନ୍ଧାନର ମାଧ୍ୟମ ଥିଲା କର୍ମ ଓ ପ୍ରକୃତି ସହ ନିରବିଚ୍ଛିନ୍ନ ଅନ୍ତର୍କ୍ରିୟା I ସାମାଜିକ ଜୀବନର ବିକାଶ ନିମନ୍ତେ ବି ନୂତନ ଜ୍ଞାନକୌଶଳର ଆବଶ୍ୟକତା ରହିଥିଲା I ବସ୍ତୁତଃ ଆଦିମ ମଣିଷର ଜୀବନଧାରଣ ପାଇଁ ମଧ୍ୟ ଏହା ଅନିବାର୍ଯ୍ୟ ଥିଲା  I

ଆଦିମ ମଣିଷ କେବଳ ଖାଦ୍ୟର ଅନ୍ୱେଷଣ ପାଇଁ ଘୁରିବୁଲୁନଥିଲା ବରଂ, ତାର ଖାଦ୍ୟାନ୍ୱେଷୀ ଯାଯାବର ଜୀବନରେ ସେ ବିଭିନ୍ନ ବିଷୟରେ ଜ୍ଞାନ ମଧ୍ୟ ଆହରଣ କରିଚାଲିଥିଲା; ଯାହା ତାର ବଞ୍ଚିରହିବା ବା ତିଷ୍ଠିରହିବା ବା ଜୀବନଧାରଣ ପାଇଁ ଅତ୍ୟାବଶ୍ୟକ ଥିଲା I ସେ ଯେଉଁ ସମୟରେ ଯେଉଁ ଅଞ୍ଚଳ ବା ଉପତ୍ୟକାରେ ରହୁଥିଲା; ସେ ଅଞ୍ଚଳ ବା ଉପତ୍ୟକାର ପ୍ରତିଟି ଗଛବୃକ୍ଷ, ପ୍ରତିଟି ନଦୀ, ଝରଣା, ପ୍ରତିଟି ଗୁମ୍ଫା, ପଥର, ସେ ଅଞ୍ଚଳରେ ଥିବା ପ୍ରତିଟି ପଶୁପକ୍ଷୀଙ୍କୁ ଠିକ୍ ଭାବରେ ଚିହ୍ନିବା, ଜାଣିବା, ବୁଝିବା ପାଇଁ ପ୍ରଯତ୍ନ କରୁଥିଲା I କେଉଁ ଖାଦ୍ୟ ତା ପାଇଁ ଉପକାରୀ, କେଉଁଟା ଅପକାରୀ ଜାଣିବା ପାଇଁ ଅନବରତ ଚେଷ୍ଟା କରୁଥିଲା I କେଉଁ ଗଛ, ଲତା, ପତ୍ର, ଚେର ଆଦି ତା ଦିହର ଅସୁଖ ବା ରୋଗ ପାଇଁ ଉପକାରୀ ଥିଲା; ସେ ସେଗୁଡ଼ିକୁ ଖୋଜି ଚିହ୍ନିଥିଲା I ଏହି ପ୍ରୟାସ ସେ ରହିଆସିଥିବା ପ୍ରତ୍ୟେକ ସ୍ଥାନରେ ତଥା ତାର ସମଗ୍ର ଜୀବନକାଳରେ ତଥା ତାର ପ୍ରବଜନ ବା ଯାଯାବରୀ ପଥର ପ୍ରତ୍ୟେକ ରହଣିରେ କରିଆସିଥିଲା I ଏହା ତାର ବଞ୍ଚିରହିବା ସଂଗ୍ରାମର ଏକ ଅନିବାର୍ଯ୍ୟ ଅଂଶ ଥିଲା I  ଆଦିମ ମଣିଷ ଏହି ପ୍ରୟାସ ପରବର୍ତ୍ତି କାଳରେ ସଙ୍ଗଠିତହେଇ ଆୟୁର୍ବେଦର ରୂପ ଧାରଣ କରିଥିଲା I ପରବର୍ତ୍ତୀ ସମୟରେ ଯେତେବେଳେ ପ୍ରାକୃତିକ ଜିନିଷଗୁଡ଼ିକ ସହ ଧାତୁର ବ୍ୟବହାର ଶିଖିଲା, ବିଭିନ୍ନ ପ୍ରକାର ଧାତୁ ତଥା ଉଦ୍ଭିଦ ଓ ପ୍ରାଣୀଜାତ ସାମଗ୍ରୀମାନଙ୍କ ମିଶ୍ରଣରେ ସେ ରସାୟନଗୁଡ଼ିକ ପ୍ରସ୍ତୁତ କରିବାର ଶିଖିନେଲା I ଏହି ସବୁ ବିଦ୍ୟା ସେ ପ୍ରକୃତିକ ଅନ୍ୱେଷଣ ତଥା ନିରନ୍ତର ପ୍ରୟାସ ଓ ପରୀକ୍ଷାନିରୀକ୍ଷା ମାଧ୍ୟମରେ ଶିଖିଥିଲା I  ଏସବୁ ହଜାର ହଜାର ବର୍ଷର ତଥା ପୀଢ଼ି ପରେ ପୀଢ଼ିମାନଙ୍କର ନିରନ୍ତର ଉଦ୍ୟମ ଓ ଅଧ୍ୟବସାୟର ଫଳ ଥିଲା I

ମଣିଷ ଆପଣାର ଅନୁଭବ, ବୁଦ୍ଧି ଓ କର୍ମକୌଶଳ ସାହାଯ୍ୟରେ ଧିରେଧିରେ ନୂତନ ଜ୍ଞାନକୌଶଳଗୁଡ଼ିକର ଅନ୍ୱେଷଣ କରିଥିଲା ଓ କ୍ରମେ ସେଗୁଡ଼ିକୁ ବ୍ୟବସ୍ଥିତ କରିଥିଲା I ଏହି ଅନ୍ୱଷଣର ସବୁଠୁ ବ୍ୟବସ୍ଥିତ ମାଧ୍ୟମ ଥିଲା ତନ୍ତ୍ର I ତନ୍ତ୍ର ପ୍ରାଚୀନ ଜୀବନଧାରାରେ ବିଜ୍ଞାନର ଅବିକଳ ପ୍ରତିରୂପ ଥିଲା ଏବଂ ଏହାରି ମାଧ୍ୟମରେ ମଣିଷ ଆୟୁର୍ବେଦ, ରସାୟନ, ଭୌତିକବିଦ୍ୟା ଇତ୍ୟାଦିର ବିକାଶ କରିଥିଲା I ପ୍ରାଚୀନ ଜୀବନରେ ତନ୍ତ୍ର ମାନବର ସକଳ ବୈଜ୍ଞାନିକ ଜୀବନଜିଜ୍ଞାସାର ସମୁଚ୍ଚୟ ମାତ୍ର ଥିଲା I

ଭାଷିକ ମାଧ୍ୟମ:

            ଭାଷିକ ମାଧ୍ୟମରେ ଅଭିବ୍ୟକ୍ତ ଲୋକଉପାଦାନସବୁକୁ ଲୋକସାହିତ୍ୟର ଅନ୍ତର୍ଭୁକ୍ତ କରାଯାଇଥାଏ I ଭାଷା ଓ ଭାଷିକ ଉଚ୍ଚାରଣ ଅଭିବ୍ୟକ୍ତିର ସଂପ୍ରେଷଣ ବା ଆଦାନପ୍ରଦାନର ସର୍ବଶ୍ରେଷ୍ଠ ମାଧ୍ୟମ ଅଟେ I ଏହି ମାଧ୍ୟମ କଳାତ୍ମକ ରୂପରେ ସର୍ବୋତ୍କୃଷ୍ଟ ଭାବରେ ସାହିତ୍ୟରେ ପରିପ୍ରକାଶ ପାଇଥାଏ I ଲୋକସାହିତ୍ୟ ଲୋକର ବିଶ୍ୱାସ, କଳ୍ପନା, ଆଚାର, ବ୍ୟବହାର, ଜୀବନଶୈଳୀ, ଜୀବନ ତଥା ଜୀବନଧାରଣ ଇତ୍ୟାଦି ସକଳ ରୂପର ପରିବହନ ସଦୃଶ ଲୋକଜୀବନକୁ ଗତିଶୀଳ କରିଥାଏ I ଲୋକର ସାମାଜିକ, ଆର୍ଥିକ, ରାଜନୀତିକ, ସାଂସ୍କୃତିକ ଓ ଧର୍ମୀୟ ଜୀବନର ସମଗ୍ର ରୂପରେଖ ଲୋକସାହିତ୍ୟଗୁଡ଼ିକରେ ପ୍ରକଟିତ ହୋଇଥାଏ I ଲୋକସାହିତ୍ୟକୁ ମୁଖ୍ୟତଃ ଚାରି ଭାଗରେ ବିଭକ୍ତ କରାଯାଇପାରେ I ସେଗୁଡ଼ିକ ହେଲେ –                  କ) ଲୋକଗୀତ    ଖ) ଲୋକଗଦ୍ୟ ଆଖ୍ୟାନ       ଗ) ଲୋକୋକ୍ତି       ଘ) ଲୋକୋତ୍ସବ

ଲୋକୋତ୍ସବ ବା ଯାତ୍ରାଗୁଡ଼ିକ ଲୋକନାଟକର ମୂଳସ୍ୱରୂପ ଅଟନ୍ତି I ଆଦିମ ଜୀବନରେ ଶୀକାର ପୂର୍ବବର୍ତ୍ତୀ ଅନୁକରଣଶୀଳ ଉଚ୍ଚାଟନମୟ ଉନ୍ମତ୍ତ ସମବେତ ନୃତ୍ୟ, ବାଦ୍ୟ ଓ ସଙ୍ଗୀତ ତଥା ଗୋଷ୍ଠିଜୀବନଧାରଣ ଅନୁକୂଳ ଆଦିମ ଆଚାର, ଅଭିଚାର ଆଦି ହିଁ ପରବର୍ତ୍ତୀ ସମୟରେ ଅଧିକ ବ୍ୟବସ୍ଥିତ ସମାଜଜୀବନରେ ଲୋକୋତ୍ସବ ଓ ଯାତ୍ରାଗୁଡ଼ିକର ରୂପ ନେଇଛି I ଲୋକୋତ୍ସବ ଓ ଯାତ୍ରାଗୁଡ଼ିକର ଆୟୋଜନ ପଛରେ ସମବେତ କର୍ମର ପ୍ରେରଣା ତଥା ଲୋକର ମିଥୀୟବିଶ୍ୱାସ ଅନୁକୂଳ ଜଗତ ଓ ଜୀବନପ୍ରକ୍ରିୟାର ଅନୁକରଣ ରହିଛି I ଲୋକୋତ୍ସବ ଓ ଯାତ୍ରାସବୁ ବିକଶିତହୋଇ ଲୋକନାଟକର ରୂପ ପରବର୍ତ୍ତୀ କାଳରେ ପରିଗ୍ରହଣ କରିଛି I ଲୋକନାଟକଗୁଡ଼ିକ ସାମାଜିକ, ସାଂସ୍କୃତିକ ଜୀବନର ପରିବହନ କରିବା ସଙ୍ଗେସଙ୍ଗେ ଲୋକକୁ ସାମୂହିକ ସାମାଜିକ ଜୀବନରେ ବାନ୍ଧି ରଖିବାରେ ପ୍ରଭୂତ ଭୂମିକା ନିର୍ବାହ କରିଛନ୍ତି I

ଲୋକସାହିତ୍ୟର ଅନ୍ୟାନ୍ୟ ବିଭବ ଯଥା ଲୋକଗୀତ, ଲୋକଗଦ୍ୟ ଆଖ୍ୟାନ ତଥା ଲୋକୋକ୍ତି ବିଷୟସବୁ ବିଷଦ ଆଲୋଚନାର ଅପେକ୍ଷା ରଖେ I ଏଗୁଡ଼ିକର ତାତ୍ତ୍ୱିକ ଦିଗ ସହ ଓଡ଼ିଶାର ଲୋକସାହିତ୍ୟର ବିଷଦ ଆଲୋଚନା ପରବର୍ତ୍ତୀ ପ୍ରବନ୍ଧମାନଙ୍କରେ କରାଯିବ I

ସୂଚ଼ନା ଓ ଟୀକା:

  1. कला की जरूरत, अर्नेस्ट फिशर, 1990

विभ्रम और यथार्थ, क्रिस्टोफर कडवेल,

  1. कला की जरूरत, p- 40
  2. कला की जरूरत p- 40-41

ଡକ୍ଟର ସୁଧୀର କୁମାର ସାହୁ

ଅଧ୍ୟକ୍ଷ, ଓଡ଼ିଆ ବିଭାଗ

ଜାମସେଦପୁର ମହିଳା ବିଶ୍ୱବିଦ୍ୟାଳୟ

ଜାମସେଦପୁର, ଝାରଖଣ୍ଡ, 831001

Photo Credit- https://bit.ly/3Fu1FH4

 

About ସୁଧୀର କୁମାର ସାହୁ

ଡକ୍ଟର ସୁଧୀର କୁମାର ସାହୁ (ଅଧ୍ୟକ୍ଷ, ଓଡ଼ିଆ ବିଭାଗ, ଜାମସେଦପୁର ମହିଳା ବିଶ୍ୱବିଦ୍ୟାଳୟ ଜାମସେଦପୁର, ଝାରଖଣ୍ଡ, 831001)

Check Also

ପଢ଼ିଆରୀ ପରିବାରର ତାଜିଆ ଶୋଭାଯାତ୍ରା – ଅଶୋକ ପ୍ରଧାନ

ବାଦ ବିବାଦ ବିସମ୍ବାଦ କାହିଁ କାହିଁ ଅସହନୀୟ ହେଉଥିବାବେଳେ ସ୍ନେହ ସୌହାର୍ଦ୍ଦ୍ୟ ସଂପ୍ରୀତି କାହିଁ କାହିଁ ଆଶ୍ୱସନା ଦେଉଥାଏ । …

Leave a Reply

Your email address will not be published. Required fields are marked *