Home / ସାହିତ୍ୟ / ଗଳ୍ପ / ରୂପାନ୍ତର

ରୂପାନ୍ତର

ଆଶାର ସ୍ଵପ୍ନକୁ ଅସାର ଭାବି ଦୁନିଆଁକୁ  ପର କରି ସାରିଥିବା ମଣିଷକୁ ବଞ୍ଚି ରହିବାକୁ ଦୁର୍ବିସହ ଲାଗେ । ତୁଟି ଯାଇଥିବା ମୋହ ମାୟା ଭରା ମମତା, ସ୍ନେହ ଓ ପ୍ରେମକୁ ସେ’ ମନେ ପକାଏନି । ସେ’ ଭାବେ ଏ’ ଦୁନିଆଁ ତା’ ପାଇଁ  ନିରର୍ଥକ-ଅନାବଶ୍ୟକ । ସେତେବେଳେ ସେ’ଜୀବନକୁ ଉତ୍ସର୍ଗ କରେ କିମ୍ବା ଆତ୍ମହତ୍ୟା କରେ । ଉତ୍ସର୍ଗ କରି ସମାଜ ସେବାରେ କିମ୍ବା ଆତ୍ମହତ୍ୟା କରି ସଂସାରରୁ ବିଦାୟ ନେବାରେ ବେଶ ଆତ୍ମୋସନ୍ତୋଷ ଲାଭ କରେ । ଆଉ ଯେଉଁମାନେ ଜୀବନକୁ ନିହାତି ନିଜର କରି ବଞ୍ଚି ରହନ୍ତି, ସେମାନେ ଦହଗଞ୍ଜ ହୋଇ ଯମ-ଯନ୍ତ୍ରଣା ଭୋଗନ୍ତି । ବିତି ଯାଇଥାଏ ବୟସ- । ଆଗ ଭଳି ଜୀବନରେ ନଥାଏ ସରସତା । ସମୟର ପଛେ ପଛେ ଧାଇଁ ଧାଇଁ କିଛି ଅର୍ଥ-ପ୍ରତିପତ୍ତି  ହାସଲ କରି ଅଣାୟତ୍ତ ହୋଇ ପଡିଥିବା ମଣିଷର ଅକ୍ଲାନ୍ତ ପରିଶ୍ରମ ଭରା   ଜୀବନ ଖୋଜି ବୁଲେ ଟିକେ ବିଶ୍ରାମ-ବୟସର ଅପରାହ୍ନେ। ହେଲେ ତାହା ବି ମହଙ୍ଗା ପଡେ । ଆଉ ଜୀବନର ବଞ୍ଚିବାର ସୁଖ  କଥା ପଚାରେ କିଏ ? ଯେଉଁଠି ବଢି ଚାଲେ ସଂସାର । ବଢି ଯାଇଥାଏ ଦାୟିତ୍ଵ । ସଂସାରର  ଶିଳ୍ପକାର ହୋଇ ହାତର ନିହାଣ ମୁଗୁର ଧରି ନିଜ ହାତରେ ଗଢିଥିବା ସଂସାର ଓ ସାରା ଜୀବନ କିଛି ନୂଆ ସୃଷ୍ଟିକରି ଅବସ ହୋଇ ପଡିଥିବା ଶିଳ୍ପୀକୁ ପଚାରେ କିଏ ?ଶିଥିଳ ଚର୍ମ, କୋଟରଗତ ଚକ୍ଷୁ  ଅବସ ଅବୟବ, ବିଶ୍ରାମକୁ ଆମନ୍ତ୍ରଣ କରି ଥାଏ । ମାତ୍ର ମିଳେନା । ମିଳେନା ଟିକେ ସମସାମୟିକ ଲୋକ ମାନଙ୍କ ସହିତ କିଛି ସୁଖ ଦୁଃଖ ବାଣ୍ଟି ମନକୁ ହାଲୁକା କରିବାକୁ ,ସେଥିରେ ସନ୍ଦେହର ବଳୟ । ଘରେ କିଛି ଘଟି ଗଲେ ଅପବାଦ ଲାଗି ଯାଏ, ସମସାମୟିକ ବନ୍ଧୁ ମାନଙ୍କ ଉପରେ । ସେମାନେ ହୁଅନ୍ତି ସାଙ୍ଗ ପାଇଁ ଲୋକହସା ତାହା ପୁଣି ବୁଢା ବୟସରେ ।

ଅବସର ପରେ ବି ବିଶ୍ରାମ ମିଳେନା, ଏମିତିକି ବାକି ଜୀବନ ନାତି ନାତୁଣୀ ମାନଙ୍କ ସହିତ ମିଳିମିଶି ସମୟ କାଟିବାରେ କିମ୍ବା ସୁଖ ଦୁଃଖ ବାଣ୍ଟିବାରେ ସମ୍ଭବ ହୁଏନା । ତାଙ୍କ ସୁଖରେ ସମବେଦନା ଜଣାଇବା ସମ୍ଭବ ବି ହୁଏନା ।

 

//2//

ପ୍ରତିଯୋଗୀତା ଭରା ପାଠ ପଢାର ବ୍ୟସ୍ତ ବହୁଳ ଜୀବନ ସେମାନଙ୍କୁ ଦୂରେଇ ନିଏ- ଘରୁ ଠାରୁ ଟିଉସନ ହଲ ପର୍ଯ୍ୟନ୍ତ ବାକି ସମୟ କଟେ ଖେଳ କୁଦ କିମ୍ବା ଅନ୍ୟାନ ପ୍ରସ୍ତୁତିରେ । ସେଇ ପ୍ରସ୍ତୁତି ଭିତରେ ବନ୍ଧାପଡି ଯାଏ  ଶୈଶବ ଜୀବନ

ଏମିତି ଆଜି ଏକ ହତାଶର ଜଉଶାଳାରେ ଜଳୁଛନ୍ତି ଶଶି ବାବୁ ।

ଶଶି ବାବୁଙ୍କ ପରିବାର କହିଲେ, ବଡ ପୁଅ ଗୌରୀଶଙ୍କର ବୋହୁ ସରିତା । ସାନ ପୁଅ ନା’ ଭୋଳାଶଙ୍କର ବୋହୁ ସୂଚେତା । ନାତିଟେ ବଡ କଷ୍ଟରେ  କେତେ ଦିଅଁ-ଠାକୁରଙ୍କୁ ଡାକି କୋଳକୁ ଆସିଛି ବଡ ହୋହୁର । ନାତି ଜନ୍ମ ଦିନ ସେ ବହୁତ ଖସି ହୋଇ ଥିଲେ ନିଜ ପେନସନ  ଟଙ୍କାରୁ କିଛି ପୁଅ ବୋହୁ ଅଜାଣତରେ ଉଠେଇ ସାଙ୍ଗ-ସାଥି ମାନଙ୍କୁ ମିଠାରେ ପୋତି ପକେଇଥିଲେ । ସମସ୍ତେ ତାଙ୍କୁ ଜେଜେ ହେବାର ସୌଭାଗ୍ୟକୁ ସ୍ଵାଗତ କରିଥିଲେ । ସେ ଭୁଲି ଯାଇଥିଲେ, ଭାବିଥିଲେ ‘’ ଆତ୍ମହରା ଖୁସୀ ଆଗରେ କେଇଟା ଅର୍ଥ ଖର୍ଚ୍ଚ ମୂଲ୍ୟହୀନ ।‘’

ସମୟ ସୂଅରେ ସବୁ ବିତି ଯାଇଛି ……ବିତି ଯାଇଛି ଅତୀତ ।

ଶଶି ବାବୁ,ଜୀବନ ସାରା ବଞ୍ଚିବାର ସଂଗ୍ରାମ କରି ରୋଜଗାର କରି  ରଖିଥିବା ସମସ୍ତ ପଇସା ପିଲା ପିଲିଙ୍କ ପାଠ ପଢେଇବାରେ ଗଲା ବାକି ଯାହା ସବୁ ଥିଲା ସେତେକ ଝିଅ ବାହାଘରରେ ଖର୍ଚ୍ଚ ହେଲା । ପୁଅ ଦି’ଟା ଭଲ ଚାକିରି କରି ସହରରେ ରହନ୍ତି । ପତ୍ନୀ ବହୁତ ଆଗରୁ ଶଶି ବାବୁଙ୍କ ଠାରୁ ବିଦାୟ ନେଇ ଆରପାରେ । କେବଳ ଦୁଃଖକୁ ନେଇଶଶି ବାବୁ ଏକା ଏକା।ସ୍ତ୍ରୀ ଥିଲେ ଭାବନ୍ତା ଟିକେ ସ୍ଵାମୀ କଥା ।କାରଣ ଅଧା ଜୀବନ ବାପ-ଘରେ କାଟି ଅଧା ଜୀବନ ସ୍ଵାମୀ ସହିତ କଟେଇ ଶେଷ ସମୟ ପର୍ଯ୍ୟନ୍ତ ଅପେକ୍ଷାରତା ସ୍ତ୍ରୀ ହୋଇ ଯାଏ ସ୍ଵାମୀର ପ୍ରିୟତ୍ତମା । ଇହ କାଳ ଓ ପର କାଳର ଦେବତା ପାଇଁ ସବୁ କିଛି ତ୍ୟାଗକୁ ସ୍ଵୀକାର କରି ସ୍ତ୍ରୀ ହୁଏ ଆଦର୍ଶର ବଧୁ ଅନୁସୂୟା-ସବିତ୍ରୀ ସ୍ଵାମୀ ପାଇଁ ସ୍ତ୍ରୀ ହିଁ ଏକମାତ୍ର ପଥପ୍ରଦର୍ଶିକା । ତା’ ବିନେ ଭଲ ଲାଗେନା କି ବାସ୍ତବଜୀବନକୁ  ଅନୁଭବ କରି ହୁଏନା । ବାପ ମା’ ଅଧା ସମୟରେ ଅଧା ବାଟରେ ଛାଡି ଚାଲି

ଗଲା ପରେ ସେଇ ଅଧାକୁ ପୂରଣ କରିବାକୁ ସ୍ତ୍ରୀ ଟିଏ ଦେଇ ଯାଇଥାନ୍ତି । ସେଇ ହିଁ ରହେ ଜୀବନର ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ । ସୁଖ ଦୁଃଖକୁ ପାଥେୟ କରି ।

//3//

…………କିନ୍ତୁ ତାହା ଠାରୁ ଦୂରେ ଥିଲେ ଶଶିଶେଖର ବାବୁ….. ପୁଅ-ବୋହୁର ଘର ।

କଥା କଥାରେ ବୋହୁମାନେ ପୁଅକୁ ଆକଟ କରି କହନ୍ତି-‘’ତୁମ ବାପର ଏତେ ସେବା ଆମେ କରି ପାରିବୁ ନାହିଁ’’ । ତାହା ଦେଖି ଶୁଣି ଶଶି ବାବୁ ବଡ ଦୁଃଖିତ ହୁଅନ୍ତି । କହିବେ କାହାକୁ । ନିଜ ପତ୍ନୀ  ଉପରେ ଅଧିକାର ଛଡା ବୋହୁକୁ କହିବା ଭଲ ହେବନି । ଆଜିକାଲି କେଉଁ ଧର୍ମ କର୍ମ କୁ ମାନି ଚଳନ୍ତି ବା କିଏ ? ବହୁତ ବ୍ୟତିବ୍ୟସ୍ତ ହୁଅନ୍ତି ଶଶି ବାବୁ । ହେଲେ ନୀରବରେ ସବୁ କିଛି ସହି ଯାନ୍ତି।

ଅତୀତକୁ ମାନେ ପକାନ୍ତି ସେ’- ।

ଡାକ ମୁନସୀ ଗଳ୍ପରେ ତାଙ୍କ ଚରିତ୍ରର କିୟଦଂଶ ଉଙ୍କି ମାରେ । ସେ ଦୀର୍ଘ ଶ୍ଵାସ ମାରନ୍ତି । ମନ କଥା ମନରେ ଆତ୍ମ ଗୋପନ କରେ । ବେଶୀ କିଛି ହେଲେ ମନ କୁ ଆଶ୍ଵସ୍ତି ଦେବାକୁ ଯାଇ ଶୋଇ ଯାନ୍ତି ସେ’ । ନାତି ଶୁଭକାନ୍ତ ତାଙ୍କୁ ଖୁବ ଭଲ ପାଏ । ବେଳେବେଳେ ଆସି ବସେ । ଜେଜେଙ୍କ ସହିତ କିଛି କଥା ହୁଏ । ଜେଜେ ପରୀ ରାଇଜର କାହାଣୀ ଶୁଣାନ୍ତି । ସେ ଖୁସୀ  ହୋଇ ଯାଏ । ପିଲା ମନ  ଚପଳାମି…….।

ପୁଅ ଡି ଜଣ ବେଳେ ବେଳେ ଶୀଘ୍ର ଘରକୁ ଆସି ବାପା କଥା ସ୍ତ୍ରୀ କୁ ପଚାରି ବୁଝନ୍ତି । ଗୋଟିଏ ସହରରେ ଗୋଟିଏ ବଡ ଫ୍ଲାଟଟିଏ  ନେଇ ସମସ୍ତେ ଏକାନ୍ନବର୍ତ୍ତୀ ହୋଇ ରହନ୍ତି । ଆଗେ ଆଗେ ସବୁ ଠିକ ଠାକ ଚାଲୁଥିଲା । ଏବେ କିନ୍ତୁ କିଛିଟା ପରିବର୍ତ୍ତନ ହେବାଟା ପରିଲକ୍ଷିତ କରୁଛନ୍ତି – ଶଶି ବାବୁ । ଯେମିତି ନିଜ ଦେହ ନିଜକୁ  ସହଯୋଗ ଦେଉନି ଖାଇବା କମି ଯାଉଛି, ବୟସ ବଢିବା ସହିତ ଆଖିକୁ ଭଲ ଦେଖା ଯାଉନି । …. ତଥାପି, ସେ କେମିତି କେମିତି କାହାର ବିନା ସହଯୋଗ ରେ ନିଜ କାମ ନିଜେ କରି ନିଅନ୍ତି । ଆଉ ଏଣିକି ସେ ପାରୁ ନାହାନ୍ତି ।  ସାହାର୍ଯ୍ୟ ସହଯୋଗ ପାଇଁ ଅନେଇଁ ବସନ୍ତି । କେବେ କେବେ ଡାକନ୍ତି ବୋହୁ ମାନଙ୍କୁ । ହେଲେ କେହି ଶୁଣନ୍ତି ନାହିଁ । ବିରକ୍ତିକର ହେଲେ ବି କାହାକୁ କହିବେ । ନିଜେ ନିଜର କାମ ରେ ବ୍ୟସ୍ତ । ଘର ବାହାରେ କିଛି

 

 

//4//

ବାଟ ଗଲେ ଗୋଟିଏ କେବିନରେ ଚା’ ଦୋକାନ । ବେଳେ ବେଳେ ଚା’ଟିକେ ପିଇବା ପାଇଁ ସେ’ବୋହୁ ମାନଙ୍କ ଉପରେ ନିର୍ଭର ନକରି ଚାଲ ଚାଲ ହୋଇ ଦୋକାନକୁ ଯାଇ ଚା’ କପେ ପିଇ ଚାଲି

ଆସନ୍ତି । ହେଲେ ଆଜି କାଲି ସେ ଆଉ ପାରୁ ନାହାନ୍ତି ।କିଛି ବାଟ ଯିବାକୁ ଥିଲେ  କାହାର ସାହାର୍ଯ୍ୟ ନେବାକୁ ଦରକାର ହେଉଛି । ନାତି ଉପରେ ଭରସା ରଖନ୍ତି, ହେଲେ ବୋହୁ ମାନେ ଆକଟ କରି କହନ୍ତି-‘’ ମୋର ଛୋଟ ବକଟେ ପିଲା ଟା କୁ ତୁମେ କାହିଁକି ଘୋଷାଡ଼ି ଚାଲିଛ । ତୁମେ ତୁମ କାମ କରିବା ପାଇଁ ଚାକରଟିଏ ରଖ ‘’।

ଶଶି ବାବୁ ସେ କଥା ଭାବି ଥିଲେ । ହେଲେ ତାଙ୍କ ପୁଅମାନେ ଜୋର ଦେଇ କହି ଥିଲେଯେ , ବାପଙ୍କ ସେବା କରିବେ । ତା’ଛଡା ଘରେ କାମ କ’ଣ ଅଧିକ ଅଚ୍ଛିଯେ, ସେ ଚାକର ରଖିବେ ।

ଦୁଇ ଦୁଇଟା ବୋହୁ ଉପରେ ନିର୍ଭର କରି ପୁଅ ମାନେ ଭାବିଥିଲେ ସବୁ ଠିକ ଠାକ ହୋଇ ଯିବ।

ବୟସ ବଢି ଚାଲିଛି ଶଶି ବାବୁଙ୍କର-। ଏଣିକି ଦରକାର ହେଉଛି ତାଙ୍କ ପାଇଁ ଜଣେ ଅନ୍ତରଙ୍ଗ ଲୋକ । ଯିଏ ତାଙ୍କ କଥା ବୁଝି ପାରି ସମୟାନୁସାରେ ସେବା ଶୁଶ୍ରୂଷା କରିବ । ବଡ ପୁଅ ଦେଖେ ବାପା ଆଉ ଆଗ ଭଳି ପାରୁ ନାହାନ୍ତି । ସେ ଯାଇ ତା’ଙ୍କ  ସ୍ତ୍ରୀ  ସରିତା କୁ କହନ୍ତି ।ସରିତା ଶୁଣନ୍ତି କିନ୍ତୁ କିଛି ଦୃଷ୍ଟାନ୍ତ ମୂଳକ ପଦ କ୍ଷେପ ନେଇ ବ ଶଶୁରଙ୍କୁ ପିତା ସମାନ ଭାବି କାମ କରିବାରେ ସକ୍ଷମ ନୁହନ୍ତି । ସେ ସବୁ ବେଳେ ନିଜର ବଡେଇ ଅର୍ଥାତ ବଡ ହୋଇ ଅନ୍ୟକୁ କହିବାର ଅଧିକାର ନେଇ ସବୁ ବେଳେ ସାନ ବୋହୁ ସୁଚେତା ଉପରେ ଗର ଗର ହୁଅନ୍ତି । ସୁଚେତା ଅଭିଜାତ୍ୟ ସମ୍ପନ୍ନ ଘରର ଝିଅ ସେ ବାଧ୍ୟ ହୋଇ  ଶଶୁରଙ୍କୁ ବାପା ଠାରୁ ଆହୁରି ସ୍ନେହ କରି ଯେତେଦୂର ସମ୍ଭବ ସହଯୋଗ କରି ଖାଇବା ପିଇବା ଯୋଗେଇ ଦେଇଥାନ୍ତି । କିନ୍ତୁ ସେ କେଇଦିନ ହେବ ଅନ୍ତସତ୍ତା ଡାକ୍ତର କହିଛନ୍ତି, ଉଚ୍ଚ ସ୍ଥାନରୁ  ତଳକୁ ଆସିବା ଆକଟ । ସନ୍ତାନ ନଷ୍ଟ ହେବାର ସମ୍ଭାବନା । ତେଣୁ ସେ ଆଜି କାଲି ଶଶୁରଙ୍କ ସେବା ଠାରୁ ଦୂରେରେ ରହୁଛନ୍ତି ।

ଦିନେ ହଠାତ ଶଶିଶେଖର ବାବୁ ଅସୁସ୍ଥ ହୋଇ ପଡିଲେ । ଘରେ କେବଳ ବଡ ବୋହୁ ଥିଲେ ସୁଚେତା ନିଜ ସ୍ୱାସ୍ଥ୍ୟ ଦେଖେଇବାକୁ ମେଡିକାଲ ଯାଇଥାନ୍ତି । ସରିତା ଜାଣିଲେ ଶାଶୁରଙ୍କ ଦେହ ବିଗିଡିବାରେ ଲାଗିଛି । କିନ୍ତୁ ସେଥିପ୍ରତି ତାଙ୍କର ନିଘା ନ ଦେଇ ଶୁଭକୁ  ସ୍କୁଲରେ ଛାଡିବାକୁ ଜାଣି

//5//

ଶୁଣି ଚାଲିଗଲେ । ସେଇ ସମୟରେ ଶଶି ବାବୁ ଚାହୁଥିଲେ ଟିକେ ନାତି ଶୁଭ ତାଙ୍କ ପାଖକୁ ଆସନ୍ତାକି? ସେ ନାତୀକୁ କହି ଅଉଷଧଟିକେ ଖାଇ କଫ-ଶ୍ଵାସ ରୋଗରୁ ଲାଘବ ହୋଇଥାନ୍ତେ ।

କିନ୍ତୁ ସମସ୍ତ କଟକଣା ମା’ର ଶୁଭ ଉପରେ ଲାଗୁ କରି ଗୋଟିଏ ରୋଗିଣା ବୁଢା ପ୍ରତି ଘୋର ଅନ୍ୟାୟ କରି ହାତକୁ ଟାଣି ଟାଣି ନେଇଗଲେ ସ୍କୁଲକୁ ।  ଶୁଭଶଙ୍କର ଜେଜେଙ୍କ ପ୍ରତି ସ୍ନେହକୁ ବି ଧ୍ୟାନ ଦେଲେ ନାହିଁ । ପାଠ ପଢିବା ଆଗରେ ଗୋଟିଏ ମୂହୁର୍ତ୍ତ ମମତା ଓ ଭକ୍ତିର ମହାର୍ଘ୍ୟ ମିଳନ ହାରି ଯିବ ଓ ସ୍ନେହ ପ୍ରେମ ଭକ୍ତି ସବୁ ମିଶିଯିବ ଗୋଟିଏ ହୀନପ୍ରଭ ବର୍ତ୍ତିଳିକା ଆଗରେ, ସେ କଥା ବାରି ହୋଇ  ପଡୁଥିଲା ଏଇଥିରୁ ।

ଶ୍ଵାସରୂଦ୍ଧ କଣ୍ଠ । ଖନେଇ ଖନେଇ  ଡାକିଲେ ବଡ ପୁଅକୁ ଶଶି ବାବୁ –‘’ଗୌରୀ –ଗୌରୀ । ‘’

  • ଗୌରୀ ଶଙ୍କର ଦଉଡି ଆସିଲେ,
  • କ୍ଷୀଣରୁ କ୍ଷୀଣୋତ୍ତୋର ହୋଇ ଆସୁଥିଲା କଣ୍ଠ । ଆଖି ଆଗରେ ଦେଖୁଥି
  • ଲେ ସେ, ଗୌରୀର ଜନ୍ମଦିନ କଥା କେତେ ଖୁସୀ ହୋଇ ସେଦିନ। ଗୌରୀର ମା’ କହିଉଠୁଥିଲେ -,ହଇଏ! ଦେଖୁଛ ମୋ’ ପୁଅ ତୁମ ଭଳି ହେଇଛି ଏଥର ତୁମ ଦୁଃଖ ଗଲା । ବଡ ପୁଅ ବାପା ସେବାରେ,ସାନ ପୁଅ ମା’ର । ସେଦିନ ଆଉ ଆଜି …..ଆକାଶ ପାତାଳ  ତଫାତ । ସେଦିନର ଗୌରୀଶଙ୍କର ଥିଲେ ବାପାଙ୍କ ଆଜ୍ଞାଧୀନ ।କାରଣ ସେ ଥିଲେ ବାପାର ସ୍ନେହାଧିନ ପୁତ୍ର । ଆଜିର ଗୌରୀଶଙ୍କର ହେଉଛି,ସ୍ତ୍ରୀ ଦ୍ଵାରା ପରାଧୀନ ଓ ବାପାର କୃତଘ୍ନ ପୁତ୍ର । ସେଦିନ ପୁତ୍ର ପାଗଳ ରାଜା ବିମ୍ବିସାର ଜାଣି ନ ଥିଲେ ତାଙ୍କ ପୁତ୍ର ଅଜାତଶତ୍ରୁ ହେବ ତାଙ୍କ ମୃତ୍ୟୁର କାରଣ  କିମ୍ବା ରାଜା ଶୁଦ୍ଧୋଦନ ଜାଣି ନ ଥିଲେ ସିଦ୍ଧାର୍ଥ ଦିନେ ତ୍ୟାଗ କରି ଚାଲିଯିବେ ରାଜ ସୁଖ । ଏମିତି ଅନେକ କିଛି ଭାବନ୍ତି ସେ, ଭାରାକ୍ରାନ୍ତ ମନ ତାଙ୍କୁ ଦୁର୍ବଳରୁ ଆହୁରି ଦୁର୍ବଳ କରି ଦେଇଛି ଓ ସେ ଶେଷରେ ଜୀବନର ଶେଷ ମୁହୁର୍ତ୍ତକୁ ଅପେକ୍ଷା କରିଛନ୍ତି ।
  • ଗୌରୀ ଶଙ୍କର ରିକ୍ସା ଡାକିଲେ । ଡାକ୍ତର ଖାନାକୁ ନେଇ ଗଲେ ।

 

 

//6//

ଡାକ୍ତର ରୋଗୀର ନିଦାନ ଅନୁସାରେ କିଛି ଔଷଧ ଦେଇ ଘରକୁ ନେଇ ଯିବାକୁ କହିଲେ । କିନ୍ତୁ ସେବାର ଅବହେଳାକୁ ଆଖି ଆଗରେ ରଖି, ଗୌରୀଶଙ୍କର ଡାକ୍ତରଙ୍କୁ କହିଲେ, ସାର ! ବାପାଙ୍କୁ ଏଠାରେ ଅଡିମିସନ କରି ରଖିଲେ ସୁବିଧା ହୁଆନ୍ତା । ଘରକୁ ନେଇଗଲେ ତା’ଙ୍କୁ

ସମୟରେ ଔଷଧ ଦେବା ବଡ କଷ୍ଟ ହେବ । ମୁଁ କାମକୁ ଗଲା ପରେ ତାଙ୍କ ସେବା କରିବାକୁ କେହି ନାହାନ୍ତି । ମୋ’ ଶସନ ଭାଇ କେବେ କିଛି କରିବ ନାହିଁ । ତା’ସ୍ତ୍ରୀ ପୁଅ ଝିଅ ହେବାର ଅଛି। ତାଙ୍କୁ ଡାକ୍ତର ସମ୍ପୂର୍ଣ ଆରାମ ପାଇଁ ଲେଖି ଦେଇଛନ୍ତି ।‘’

ପୁତ୍ରର ପିତା ଭକ୍ତିକୁ ଡାକ୍ତର ମାପି ଚାଲିଥିଲେ ନିଜ ଡାକ୍ତରୀ ଗାଣିତିକ ସୂତ୍ରରେ …। ଅନୁବଂଶିକ ରକ୍ତ-ଗତ ଡିଏନଭିତରେ କିଛି ବିଭ୍ରାନ୍ତିକର ତଥ୍ୟକୁ ସେ ନିଜ ମାନସିକତାରେ ପରଖି ସନ୍ଦେହ ଆଖିରେ ଦେଖୁ ଥିଲେ ।

ସମୟ ସନ୍ଧ୍ୟା । ଆକାଶରେ ତାରାର ଆସର ।

ଏହି ସମୟରେ ଆସିଲାଗିଲା କାରଟିଏ ଓହ୍ଲେଇଲେ ସୁଚେତା । ସବା ସାନ ବୋହୁ ।ପେଟର ଯନ୍ତ୍ରଣା -। ସଙ୍ଗେ ସଙ୍ଗେ ଡାକ୍ତର ପ୍ରସୂତି ବିଭାଗକୁ ନେଇ ସ୍ତ୍ରୀ ରୋଗ ବିଶେଜ୍ଞଙ୍କୁ ଡାକି ଆରମ୍ଭ କରିଦେଲେ ଚିକତ୍ସା । ଗୋଟେ ପଟେ ଶଶୁର ଅନ୍ୟପଟେ  ସାନ ବୋହୁର ଚିକିତ୍ସା  ଚାଲିଲା । କିଛି ସମୟ ପରେ ଜନ୍ମ ନେଲା ନୂଆ ମୁହଁ ଟିଏ । ହେଲେ ଏ କ’ଣ ? ଏ ପଟେ ଶଶି ବାବୁ ଇହଲୀଳା ସମ୍ବରଣ କରି ଆର ପାରିକୁ ଚାଲିଗଲେ । ହସ କାନ୍ଦ ରୋଲ ଭିତରେ ନଇଁ ଆସୁଥିଲା ମାଘ ମାସର ଶୀତ । କମ୍ପୁଥିଲା ଗୌରୀଶଙ୍କରଙ୍କ ସାରା ଦେହ । ଆଗରେ ତାଙ୍କ ପୁଅଶୁଭ ବସି ବାରମ୍ବାର କହୁଥିଲା ଜେଜେ ତୁମ ଉଠୁନା କାହିଁକି ? ମୁଁ ଆସିଛି ପରା ଆସ – ସେ’ ରାଜା ପୁଅ ସହିତ ଦେଖା ହୋଇ ଥିବା  ପରୀ ରାଇଜର କାହାଣୀଟା ଅଧା ଥିଲା ପରା ପୁରା-କହି ଦିଆନା ।ସେଇ ଅଧୁରା କାହାଣୀର ଅସମାପ୍ତି  କଥା ରହିଗଲା । ସରିତା ନେଇ ଗଲେ ଶୁଭକୁ ଭିତରକୁ ଭିଡି ଭିଡି । ଅପର ପଟେ କୁଆଁ-କୁଆଁ କ୍ରନ୍ଦନରେ ନୂଆ ହୋଇ ଜନ୍ମ ହୋଇଥିବା ଛୁଆଟା ସତର୍କ ର ସୂଚନା ଦେଇ କହୁଥିଲା- ’ଉଧାର ମାଣକ ତିନି ପା’-‘। ଅର୍ଥାତ ତୁମେ ଯେମିତି କରିବ ସେମିତି ଭୋଗିବାକୁ ପ୍ରସ୍ତୁତ ହେବାକୁ ପଡିବ ।

 

//7//

ଶଶି ଶେଖର ବାବୁଙ୍କ ରକ୍ତର ଦୁଇ ବୁନ୍ଦା ଯେମିତି ଶୁଭ ଓ ନୂଆ କରି ଜନ୍ମ ହୋଇ ଥିବା ଶିଶୁ ପୁତ୍ର ଦେହରେ ଦଉଡୁଥିଲା । ଜନ୍ମ ହୋଇଥିବା କୋମଳ ଶିଶୁଟିର କ୍ରନ୍ଦନ କହୁଥିଲା । ମୁଁ ସେଇ ଉତ୍ତର ଦାୟାଦ । ପାପର ପ୍ରତିଶୋଧ ନେବାବାକୁ ମୁଁ ଜନ୍ମ ନେଇଛି ।

ଆକାଶରେ ଭରପୁର ତାରାଫୁଲର ହସ । ଉତ୍ତର ଦିଗରୁ ଦକ୍ଷିଣ ପର୍ଯ୍ୟନ୍ତ ଲମ୍ବି ଯାଇଥିଲା ଆକାଶରେ ପରିପଥ-ଆକାଶ ଗଙ୍ଗାସେଇ ନିହାରିକା ମାଳାରେ ଗୁନ୍ଥି ହୋଇ ଯାଇଥିଲା ଶଶି ଶେଖରଙ୍କ ଉଜ୍ଜ୍ଵଳ ଜୀବନ ।

ତଳେ ହାତକୁ ପାଟିରେ ଦେଇ ବାପା ମା’ ଠାରୁ ପୁର୍ବଜଙ୍କ ପ୍ରତି ଅନ୍ୟାୟର  ପ୍ରତିଶୋଧ ନେବାର ମୂର୍ତିମନ୍ତ ପ୍ରତୀକ ନବ ଜାତ ହସୁଥିଲା।

ରୂପାନ୍ତରିତ ହେଉଥିଲା ପୃଥିବୀ । କ୍ଷଣ କ୍ଷଣକେ ଆନ ଭିତରେ ଆତ୍ମ ଗୋପନ କରୁଥିଲା କାଲି ଆଗାମୀ କାଲିର ବାର୍ତ୍ତାବହ ହୋଇ ଆସିଥିଲା କେହି ଜଣେ ଅଜାତ ଶତ୍ରୁ ।

 

***

ଗଗନ ବିହାରୀ ନାୟକ

ବିଡିଏ॰ ଚନ୍ଦ୍ରଶେଖର ପୁର, ଭୁବନେଶ୍ବର ଓଡିଶା  ଦୂର ଭାଷ-୭୨୦୫୨୯୩୮୫୭

 

About ଗଗନ ବିହାରୀ ନାୟକ

ଗଗନ ବିହାରୀ ନାୟକ

Check Also

ଏରାମ୍ମାର ମାଟି

ଏରାମ୍ମାର କ୍ଷୀଣ ଶରୀରଟିକୁ ଚିତା ଉପରେ ଥୋଇଦେଲା ଲଛେୟା । ଲଛେୟା ଭାବୁଥିଲା, ‘ଏତେ ବଡ଼ ଗାଁରେ ଲୋକଙ୍କ ଭିତରେ …

Leave a Reply

Your email address will not be published. Required fields are marked *