ରାଜା କେବେ ଭୂଲ କରନ୍ତି ନାହିଁ (ଜୀବନ୍ତ ସଂସ୍ମୃତି)

ନଟବର ଷଡ଼ଙ୍ଗୀ
ନଟବର ଷଡ଼ଙ୍ଗୀ 295 Views
56 Min Read

[box type=”info” align=”” class=”” width=””]ଓଡ଼ିଶାର କୃଷି ସଂସ୍କୃତିର ଜୀବନ୍ତ ବାହକ ହେଉଛନ୍ତି ବିଶିଷ୍ଟ ଜୈବଚାଷୀ ନଟବର ଷଡ଼ଙ୍ଗୀ (ବାପା) । କଥାଟିର ତାତ୍ପର୍ଯ୍ୟହେଲା, ସେ ଓଡ଼ିଶାର କୃଷକ ମାନଙ୍କର, ଦିନ ମଜୁରିଆ ତଥା ଜାତିଗତ ବୈଷମ୍ୟର ଶିକାର ହୋଇଆସୁଥିବା ଲୋକଙ୍କ କଥା ଏହି ସ୍ମୃତି ଭିତରେ ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ ତାଙ୍କ ପିଲାଦିନର ଅନୁଭୂତି (1945-46 ମସିହାର କଥା) ଭିତରେ ଇଂରେଜ ଶାସନରେ ସାଧାରଣ ଖଟିଖିଆ ମଣିଷ ଜାତିଗତ ବୈଷମ୍ୟର ଶିକାର ହୋଇ ସମାଜରେ କେମିତି ନିର୍ଯ୍ୟାତିତ ହେଉଥିଲେ ଓ ସେମାନଙ୍କୁ ସାମାଜିକ ନ୍ୟାୟ କେମିତି ମିଳୁଥିଲା ନିଜ ଅନୁଭୂତି ଗୁଡିକୁ ଗଳ୍ପ ଆକାରରେ ଏଠାରେ ଉପସ୍ଥାପନ କରିଛନ୍ତି। ସେ ସମୟରେ ଆମ ରାଜ୍ୟର କୃଷିର ଐତିହ୍ୟ, କୃଷକ ମାନଙ୍କର ଦୈନନ୍ଦିନ ଜୀବନ, ଜାତି ଭେଦ, ସାମାଜିକ ଅବସ୍ଥା, ଓଡ଼ିଶାର ବିଲ, ବାଡ଼ି, ଗଛ ଲତା , ବଣ ଇତ୍ୟାଦିକୁ ନିଜ ସ୍ମୃତିରେ ସାଇତି ରଖିଛନ୍ତି ଯାହା ଉକ୍ତ ଲେଖାରେ ପ୍ରତିଫଳିତ ହୋଇଛି। ସେ କେବଳ ଲେଖା ମାଧ୍ୟମରେ ନିଜର ଜୀବନ୍ତ ସ୍ମୃତର ଇତିହାସକୁ ପରିପ୍ରକାଶ କରିନାହାନ୍ତି ବରଂ ତାହାର ପୁନଃରୁଦ୍ଧାର ପାଇଁ ଶିକ୍ଷକତାରୁ ଅବସର ନେବାପରେ ସବୁତକ ସମୟ ସେହି କାର୍ଯ୍ୟରେ ନିୟୋଜିତ କରିଛନ୍ତି। ଧାନ ବିହନ ତଥା ପାରମ୍ପରିକ ବିହନର ସୁରକ୍ଷା କଥା ହେଉ କି ପୁରୁଣା ଦେଶୀ ଉପାୟରେ ଚାଷ କରିବା କଥା ହେଉ ଜୀବନ ଜିଇଁବାର ଗାଉଁଲି ନିରାଡ଼ମ୍ବର ବାଟକୁ ଫେରିବା ପାଇଁ ସେ ଯେଉଁସବୁ କଥା ଆମକୁ ବାରମ୍ବାର କହୁଛନ୍ତି ସେସବୁକୁ ନିଜେ କାମରେ କରି ଅନବରତ ନିଜ ଅଞ୍ଚଳରେ ଓ ସାରା ଓଡ଼ିଶାରେ ଏକ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି । ତାଙ୍କ କଥା ଗୁଡିକୁ ଶୁଣିବା ପାଇଁ ସବୁବେଳେ ଅପେକ୍ଷା ଥାଏ। ତାଙ୍କର ଜୀବନ୍ତ ସ୍ମୃତିକୁ ଲିପିବଦ୍ଧ କରିବାର ଏହି ପ୍ରୟାଶ ଆମ ସମସ୍ତଙ୍କ ପାଇଁ ତଥା ଆଗାମୀ ପିଢ଼ିପାଇଁ ଅତ୍ୟନ୍ତ ଉପାଦେୟ । ଭବିଷ୍ୟତରେ ଆହୁରି ଅନେକ ଜୀବନ୍ତ ସ୍ମୃତି ଆମେ ତାଙ୍କଠାରୁ ଶୁଣିବାର ଓ ପଢ଼ିବାର ସୁଯୋଗ ପାଇବା। ବୟସ ତାଙ୍କ ପାଖରେ ହାର ମାନିଛି, 86ବର୍ଷ ବୟସରେ ଦୀର୍ଘ ସମୟଧରି ଏହି ଲେଖା ଗୁଡିକୁ ସେ ଲେଖିଚାଲିଛନ୍ତି ସେଥିପାଇଁ ସମଧ୍ୱନି ତରଫରୁ ଓ ମୋ ତରଫରୁ ତାଙ୍କୁ ଅଶେଷ ଧନ୍ୟବାଦ  । – ସମ୍ପାଦକ[/box]

୧୯୪୬-୪୭ ମସିହା ହବ । ମୋତେ ୧୨-୧୩ ବର୍ଷ । ନିଆଳି ମାଇନର ସ୍କୁଲରେ ପଢ଼ୁଥାଏ । ଆମ ଗାଁ ନରିଶୋ, ବେଶ୍ ବଡ଼ ଗାଁ’ଟିଏ । ନରିଶୋ ଶାସନ ମୂଳ ଗାଁ । ହାଟୁଆ ସାହି, କୁଶପଦା, ଭଗତପଡ଼ା, ବାଡ଼ୁଆ ସାହି, ଚଣ୍ଡିପଡ଼ା, ଖଜୁରିଆପଡ଼ା ଏଗୁଡ଼ିକ ନରିଶୋର ପଡ଼ା ଗାଁ । ନିଧି ସାହି, ହୃଦଙ୍ଗାସାହି, ବଡ଼ ପୋଖରୀ ସାହି, ହାଡ଼ିସାହି, ପାଣସାହି, ବାଡ଼ୁଆ ଭୋଇ ସାହି, ଏଗୁଡ଼ିକ ଭୋଇ, ମଳିକ, ଡ଼ମ, ଦାସ ଛୋଟ ଜାତିର ଲୋକଙ୍କ ବସତି ।

ନରିଶୋ ଶାସନି ବ୍ରାହ୍ମଣ, କନୌଜରୁ ଆସିଥିବା ଲୋକେ କୁହନ୍ତି । ପୁରୀ ରଜା କନୌଜରୁ ବ୍ରାହ୍ମଣ ଆଣି ନରିଶୋ ଗାଁ ବସାଇଥିବା ପୁରୁଣା ଲୋକେ କୁହନ୍ତି । ସୌତ୍ରିୟ ବ୍ରାହ୍ମଣ । ଭାରି ଖାତିର । ପଡ଼ା ଗାଁମାନଙ୍କରେ ଚଷା, କ୍ଷତ୍ରିୟ, ତୈଳିକ ବୈଶ୍ୟ, ମଧୁ ବୈଶ୍ୟ, ଉଚ୍ଚ ଜାତିର ପରିବାରମାନେ ବସବାସ କରନ୍ତି । ଶାସନ ଓ ପଡ଼ା ଗାଁ ଲୋକେ ଉଚ୍ଚା ଡିହରେ ଘରବାଡ଼ି କରିଥାନ୍ତି । ମକଦ୍ଦମ ମାନଙ୍କର ଦୋ ଚାଳି ଆଟୁଘର । ପାଞ୍ଚଶେଣୀଆ ବା ତିନି ଶେଣୀଆ ଘର । କାଠ ବଉଁଶରେ ତିଆରି । ଛଣ ଛପର ।

ବାଉରି ବାବର ଅଛୁଆଁ ଜାତିଙ୍କର ନିଜର ଜମି ଘରଡ଼ିହ ନ ଥାଏ । ପୋଖରୀ ହୁଡ଼ା, ପାଟ, ନାଳୀ, ଗୋଚର ଜମି, ଜମିଦାର, ମକଦ୍ଦମଙ୍କର ପଡ଼ିଆ ପଦର ଜମିରେ ଦଳିତମାନେ କୁଡ଼ିଆ କରି ରହିଥାନ୍ତି । ସାଆନ୍ତ ମକଦ୍ଦମଙ୍କ ଜମି ବୋଲି ତାଙ୍କ ଘରେ ବେଠି ଖଟନ୍ତି । ବାଡ଼ି ଘରେ ଫଳଫୁଲରି ଯାହା କରନ୍ତି ସାଆନ୍ତଙ୍କ ଘରେ ଥୁଅନ୍ତି । ସାଆନ୍ତଙ୍କ ଘରେ ଚାକିରିଆ, କୋଠିଆ ବା ହଳିଆ କାମ କରିଥାନ୍ତି । ଏମାନଙ୍କ ଛାଇ ପଡ଼ିଲେ ବ୍ରାହ୍ମଣ, ଉଚ୍ଚ ଜାତି ଲୋକଙ୍କର ନାହି ନେଉଟେ । ଏମାନେ ଅଛୁଆଁ । ମନୁ ବାଦିମାନେ ଆମଦେଶର ୪୦ ପ୍ରତିଶତ ଲୋକଙ୍କୁ ଅଛୁଆଁ କରି ରଖିଛନ୍ତି । ଜାତିବାଦର ଉଗ୍ରମାନସିକତାର ଛୁଆଁ ଅଛୁଆଁ ନଗ୍ନ ସ୍ୱରୂପ ।

ସେତେବେଳେ ସ୍ଥାନର ପରିଚୟ ଜିଲ୍ଲା, ଥାନା,ପ୍ରଗଣା, ୟୁନିୟନ ଓ ଗାଁ । ଆମ ଗାଁ ସେତେବେଳେର ପୁରୀ ଜିଲ୍ଲା ବାଲି ପାଟଣା ଥାନା ୨୪ ପ୍ରଗଣା, ୯ନମ୍ବର ୟୁନିୟନ । ଫିରିଙ୍ଗ ଶାସନ ବ୍ୟବସ୍ଥାର ଢାଞ୍ଚା । ଆମ ୯ନମ୍ବର ୟନିୟନର ହାକିମ /ପ୍ରେସିଡ଼େଣ୍ଟ ଜଣେ ଶାସିନୀ ବ୍ରାହ୍ମଣ ଥାଆନ୍ତି । ଗୋପାଳ ମହାପାତ୍ର, ସା- ଅଭୟମୁଖୀ, ୯ନମ୍ବର ୟୂନିଅନ୍ ପ୍ରେସିଡ଼େଣ୍ଟ । ବ୍ରାହ୍ମଣ ତ ଛତିଶ ପାଟକର ରଜା ବୋଲାନ୍ତି, ବିଲାତ ସରକାର ଶିର ଦେଖି ଚଡ଼଼ୁଦେବାରେ ଧୁରନ୍ଧର । ବ୍ରାହ୍ମଣ ଙ୍କୁ ଉଚ୍ଚପଦ ପଦବୀରେ ଥୋଇ ଦେଲେ ଗୋରୁ ମୁଣ୍ଡ ଥାପି କପା ତୋଳିବା ସହଜ ହେବ ।

ପ୍ରେସିଡେଣ୍ଟଙ୍କର ଜଣେ ଦଫାଦାର ଓ ୩ ଜଣ ଚୌକିଆ ଥାନ୍ତି । ଦଫାଦାର ମୁନ୍ସି ସଲିମ ଖାଁ ଘର ସିପେଇ ମହଲାଙ୍କ ବେଶ୍ ମୁରାଟ । ଲମ୍ବା ନିଶ । ଡେଙ୍ଗା ଚେହେରା । ପଠାଣ ଠାଣି, ଚାହାଣି । ତାଙ୍କର କାମ ଚୌକିଦାର ଟିକସ୍ ଆଦାୟ କରି ପ୍ରେସିଡ଼େଣ୍ଟଙ୍କୁ ଜମାଦେବେ । ଜନ୍ମ, ମୃତ୍ୟୁ ହିସାବ ଥାନାରେ ପହଞ୍ଚେଇବେ । ଚୌକିଦାରର ସେତେବେଳର ଦରମା ୨ଟଙ୍କା । ରାତିରେ ଚୋର ଜଗିବେ । ଗାଁରେ ଫୌଜଦାରି, ଜାନକାରି, ଜମିବାଡ଼ି ଗଣ୍ଡୋଗଳ ହେଲେ ପହଞ୍ଚିବେ । ତାଙ୍କଠାରୁ ବଳିଲେ ଦଫାଦାରଙ୍କୁ ଜଣାଇବେ । ସାହାବ ଇଲାକା ଆସିଲେ ତାଙ୍କ ରୋଷେଇବାସର ପାଇଁ କାଠ ଚିରିବେ । ହଲଟଲ ହେବେ । ରାତି ଡିଉଟି ନାଁକୁ ମାତ୍ର । ବହୁ ସମୟରେ ଜଣାଯାଏ ଚୋର ସାଙ୍ଗରେ ମିଶି ଏମାନେ ବି ଚୋରି କରୁଛନ୍ତି । ନ ହେଲେ ଗାଁ ଦାଣ୍ଡରେ ୨/୩ ଡାକ ‘ହୁସିଆର’ ଡାକି କାହା ପଣ୍ଡାରେ ବସି ଢ଼ୁଳାନ୍ତି ।

ଗୋପାଳ ସାଆନ୍ତ ୨/୩ ମାସରେ ଥରେ ଗାଁକୁ ଭିଜିଟରେ ଆସନ୍ତି । ୯ନମ୍ବର ୟୁନିୟନରେ ୧୮ଖଣ୍ଡ ରାଜସ୍ୱ ଗ୍ରାମ । ବଡ଼ ସାଆନ୍ତ ଗାଁକୁ ଆସିବାକ଼ୁ ଥିଲେ ଆଗରୁ ତାଙ୍କ ରହଣି, ଖାଇବା ପିଇବା, ଭେଟି କଥା ଗାଁ ମକଦ୍ଦମ ନରହରି ଷଡ଼ଙ୍ଗୀଙ୍କୁ ଦଫାଦାର ଖବର ଦିଅନ୍ତି । ସେ ଯୋଗାଡ଼ରେ ଲାଗିଯାନ୍ତି । ଗୁଆ ଘିଅ, କଞ୍ଚା ପାଚିଲା କଦଳି, ପନିପରିବା, ଉଦି ସାହୁ ଗୁଡ଼ିଆ ଘରୁ ବରାଦ କରି ମିଠା, ସାକର ଭଳି ଭେଟି ସଂଗ୍ରହ ଚାଲେ । ଚା’ ତ ସେତେବେଳକୁ ଚଳନି ନାହିଁ । ଜଳଖିଆରେ ଅମାଲୁ, କାକରା, ପାଟକପୁରା କଦଳୀ, ଦହି ଛେନା (କ୍ଷୀର ଛେନା ତିଆରି ବା ରସଗୋଲା ତିଆରି ସେତେବେଳେକୁ ସେତେଟା ଚଳନି ନ ଥିଲା) । ମଧ୍ୟାହ୍ନ ଭୋଜନକୁ ଦେଉଳିଆ ଘର ଡାଲି, ଦେଶୀ ଘିଅ, ନବାତ, ପଦ୍ମକେଶରୀ ଚାଉଳ, ୧୦ ମସଲାରେ ତିଆରି କାନିକା (ପଲାଉ), ବଡ଼ ମାଛ ବେସାର, ପେଟି ଭଜା ଏମିତି ଖାଇବା ତିଆରି ହୋଇଥାଏ । ପ୍ରେସିଡେଣ୍ଟ ଘୋଡ଼ା ଚଢ଼ି ଗାଁକୁ ଆସନ୍ତି । ତାଙ୍କ ଘୋଡ଼ା ଠାଣିମାଣି, ମୁରାଟ ଦେଖିଲେ ଗର୍ଭିଣୀ ଗାଈ ବାଟ ଛାଡ଼ି ଦେବ । ଅଖଂଜ ସ୍ତ୍ରୀ ଲୋକର ପିଲା ଖସି ପଡ଼ିବ ।

ଫିରିଙ୍ଗ ଶାସନରେ ଗାଁ ଗଣ୍ଡା ଥରୁଥିଲା ତ । ପ୍ରେସିଡ଼େଣ୍ଟ କିଲଟରଙ୍କର ଦୂତ । ତାଙ୍କର ଗୋଟେ ସ୍ୱତନ୍ତ୍ର ପରିଚୟ ଥାଏ । ବାଘ ନ ଦେଖିଲେ ବିଲେଇ ଦେଖିବା ଭଳି କିଲଟର, ଦାରୋଗାଙ୍କୁ ଲୋକେ କ୍ୱଚିତ୍ ଦେଖିଥାନ୍ତି । ଗୋପାଳ ମହାପାତ୍ରେ ଓରଫ ବଡ଼ ସାଆନ୍ତ ଓରଫ ପ୍ରେସିଡ଼େଣ୍ଟ ସରକାରଙ୍କର ଚଳନ୍ତି ଠାକୁର । ଆମ ଗାଁର ନରହରି ମକଦ୍ଦମ ଭିଙ୍ଗାରପୁର ଜମିଦାରଙ୍କ ସିରସ୍ତା ବୁଝନ୍ତି । ପ୍ରେସିଡ଼େଣ୍ଟଙ୍କର ସେବି ଗୁମାସ୍ତା । ଲୋକେ କୁହନ୍ତି ତାଙ୍କ ଟୋକା ବେଳେ ତାଙ୍କର ୨/୩ ଏକର ଜମି ଥିଲା । ଜମିଦାରଙ୍କର ସିରସ୍ତା ବୁଝି ୨୦/୩୦ ବର୍ଷ ଭିତରେ କଲମ ଚୋରି କରି ସେ ୫/୬ ବାଟି ଜମି (ବାଟିକ ୨୦ ଏକର) ନିଜ ନାଁରେ ଦରଜ କରାଇ ପାରିଛନ୍ତି । ପ୍ରେସିଡେଣ୍ଟଙ୍କର ଖିଆ, ପିଆ ବୁଝି ଭେଟି ବନ୍ଧାବନ୍ଧି କରି ଦେବା ପର୍ଯ୍ୟନ୍ତ ତାଙ୍କୁ ନିଶ୍ୱାସ ନେବାକୁ ବେଳେ ନଥାଏ । ଦୀପ ତେଜିଲେ ହାତ ଚିକ୍କଣ । ପ୍ରେସିଡ଼େଣ୍ଟଙ୍କ ନାଁରେ ୩/୪ ବସ୍ତା ମାଲ ଇଲାକାରୁ ଯୋଗାଡ଼ ହୁଏ । ତାଙ୍କୁ ୨/୩ ବସ୍ତା ଦେଲେ ସେବି ବସ୍ତେ ଦିବସ୍ତା ହାତେଇଥାନ୍ତି ।

ଆସିବା ଆମ ଗାଁ କଥାକୁ । ଗାଁରେ ସେତେବେଳେ ୬୦୦/୭୦୦ ଲୋକ ହେବେ । ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଛୁଆଁ ଜାତି, ୪/୫ ଶହ ହେବେ । ଦଳିତ ଯେଉଁମାନଙ୍କୁ ତଥା କଥିତ ଉଚ୍ଚ ଜାତିର ଲୋକମାନେ ବାଉରି କଣ୍ଡରା, ଧୋବା, ହାଡ଼ି, ପାଣ, ଚମାର, କେଉଟ, ଛୋଟ ଜାତି ବୋଲି ସେମାନଙ୍କ ମୁହଁରେ କହିଥାନ୍ତି ସେମାନେ ଅଛୁଁଆଁ । ବ୍ରାହ୍ମଣ, ଉଚ୍ଚ ଜାତି ବୋଲି ସେମାନଙ୍କର ଘରଡ଼ିହ ଉଚ୍ଚ । ଓସାରିଆ ଦାଣ୍ଡ । ଉଚ୍ଚପିଣ୍ଡା । ବାଉରିବାବର ପିଣ୍ଡାକୁ ଉଠିବା ମନା । ପିଣ୍ଡା ତଳେ କଥାବାର୍ତ୍ତା ସାରି ଫେରନ୍ତି । ଉଚ୍ଚ ଜାତି ସମସ୍ତଙ୍କ ଘରେ ଜମି ଅନୁପାତରେ ହଳେ, ଦିହଳ ଏପରିକି ୭/୮ ହଳ ବଳଦ । ଶଗଡ଼ ୫/୧୦ ରୁ ଆରମ୍ଭ କରି ୫୦/୬୦ ପର୍ଯ୍ୟନ୍ତ ଗାଈ, ୪/୫ ଲଙ୍ଗଳ, ଟିପେଇ, ଜୁଆଳି, ମଇ, ବିଦା ଭଳି ଚାଷ ଉପରକଣ ବାହାର ଘରେ ନାଇତ ଗୁହାଳ କଣରେ ସଜାହୋଇ ଥୁଆ ହୋଇଥାଏ । ଉଚ୍ଚ ଜାତି ଲୋକଙ୍କର ଚାଷ ପଧାନ ବେଉସା । ନୀଚ ଜାତି ଲୋକେ ତାଙ୍କ ବିଲରେ ଖଟନ୍ତି । ଗଧ ଖଟଣି, ଚାକିରିଆ ଓ ବର୍ଷକିଆ ଦରମାରେ ଥାଏ ।

କୋଠିଆ ବର୍ଷକିଆ ୨୦ଗୁଣ୍ଠ ଜମି ହେତା ନିଏ, ଦିନକୁ ମଜୁରୀ ୪ସେର ଧାନ ଅର୍ଥାତ୍ ପ୍ରାୟ ଆଜିକା ଓଜନରେ କିଲେ । ଦିନ ମଜୁରୀଆ ପୁରୁଷ ୪ ସେର ଧାନ ନହେଲେ ଆଠ ଅଣା (୫୦ପଇସା) ମଜୁରୀ, ମାଇପି ମଣିଷ ଦିନକୁ ୨ସେର ଧାନ ନହେଲେ ୪ ଅଣା (୨୫ପଇସା) ମଜୁରୀ । ଧାନ ହଉ ବା ପଇସା ଆଜିକା ଦାମକୁ ହିସାବ କଲେ ମର୍ଦ୍ଦ ମଣିଷ ଦିନକୁ ୧୮ଟଙ୍କା ମଜୁରୀ, ମାଇପି ମାନଙ୍କର ୯ଟଙ୍କା ମଜୁରୀ । ବୁଢ଼ା ବାପ, ମା, ପିଲା ୩/୪ ରୁ କମ୍ ନୁହେଁ । ଏଇ ପଇସାରେ ଦିନଟିଏ ଚଳିବେ, ବୁଝି ହେଉଥିବ କି ଅବିଚାର, ନିଷ୍ଠୁର ବିଚାର । ପୁଣି କେଉଁମାନେ ବ୍ରାହ୍ମଣ ଯେଉଁମାନେ ଚଳନ୍ତି ବିଷ୍ଣୁ ବୋଲି ଦାବୀ କରନ୍ତି । ଅଛୁଆଁ ମୁଣ୍ଡ ଝାଳ ତୁଣ୍ଡରେ ମାରି ସକାଳୁ ସଂଜଯାଏ ଖଟିବେ । ବ୍ରାହ୍ମଣ ଅମାର ଫସଲରେ ଭରିଦେବେ । ସାଆନ୍ତାଣୀ, ଫସଲ ଘରକୁ ଆସିଲେ ଲକ୍ଷ୍ମୀ ଠାକୁରାଣୀଙ୍କୁ ପୂଜା କରିବେ । ବିଚରା ଧରମା, ଅଲେଖା, ସଦେଇ ପରିବାର ମାନେ ଖଟି ଭୋକ ଉପାସରେ କିଲିବିଲ ହୋଇ ବଂଚିବେ । ପିଲାଙ୍କୁ ବି ଦିଗୁଣ୍ଡା ଦେଇପାରିବେନି । ଧନ୍ୟରେ ମନୁ ଧନ୍ୟ ତୋର ଜାତିବାଦ!

ବାହ୍ମଣ ଡିହରେ ତ ଦଳିତମାନଙ୍କ କୁଡ଼ିଆ । ବ୍ରାହ୍ମଣ ଘରେ ଗଧ ଖଟଣି ଖଟନ୍ତି । ଘୁସୁରି ଭଳି ବଖରାଏ କୁଡ଼ିଆରେ ୫/୭ ଜଣ ମାଡ଼ିମକଚି ଚଳନ୍ତି । ଦିନରେ ଘଣ୍ଟେ ଦି’ଘଣ୍ଟା ସମୟ ବଞ୍ଚାଇ ବାଡ଼ିଘରେ ବାଇଗଣ, ସାରୁ, କଖାରୁ, କାକୁଡ଼ି, କଞ୍ଚା ପାଚିଲା କଦଳୀ ଲଗାଇଥାନ୍ତି । ମକଦ୍ଦମଙ୍କ ଘରେ ବାରଣା ପହଞ୍ଚାନ୍ତି । ତାଂକ ଯାଗାରେ ଫଳିଛି ନା! ଡ଼ର । କି ଉଚ୍ଚ ବିଚାର ବିଚରା ଅଛୁଆଁ ଲୋକଟିର! ଯଦି ସୁବିଧା ଅସୁବିଧାରେ ୨/୩ ଦିନ ଡେରି ସହଳ ହୋଇଗଲା ମକଦ୍ଦମ ତା ଦୁଆରେ ହାଜର “କିରେ ବିକା ତୋର କ’ଣ ଦେଖା ଦର୍ଶନ ନାହିଁ । ବ୍ରାହ୍ମଣ ଧନ ଖାଇଲେ କୁଷ୍ଠ ହୋଇଯିବ । ଛାଡ଼ ସେ କଥା । ତୁ କିଛି ଦବା ଦରକାର ନାହିଁ । କାଲି ସକାଳୁ ଦେଖିବି ତୁ ମୋ ଡିହ ଛାଡ଼ି ଆଉ କେଉଁଠିକି ଉଠିଯାଉଛୁ । ଆରେ ବିଲେଇ ଆଖି ବୁଜି ଦୁଧ ପିଉଛି । ନାଇଁ?” ବିକା ମୁଣ୍ଡରେ ଯେମିତି ଚଡ଼କ ପଡ଼ିଗଲା । ଲମ୍ବ ହୋଇ ସାଆନ୍ତଙ୍କ ଗୋଡ଼ ତଳେ ତ ପଡ଼ିଯିବ । “ତମେ ଆପଣେ ଯାଅ, ମୁଁ ପଛେ ପଛେ ବୋଝ ମୁଣ୍ଡାଇ ପହଞ୍ଚିଯିବି ।” ମକଦ୍ଦମ ଟିକେ ପଛକୁ ଘୁଞ୍ଚିଯାଇ ଗର୍ଜି ଉଠନ୍ତି, “ଆରେ ଛୁଇଁବୁ ଛୁଇଁବୁ ! ତୁ ପାଞ୍ଚହାତ ଛଡ଼ାରେ ରହିବା ଲୋକ । ମୋ ପାଖକୁ ମାଡ଼ିଆସୁଛୁ । ହଉ, ମୁଁ ଯାଉଛି । ତୋର ଭଲଗତି ଅଛି ତ ଘରକୁ ଆସି ଆସନ୍ତାଣିଙ୍କୁ ଦେଖାକର । ଆଉ ଯେପରି ଆଗକୁ ଏ ଭୁଲ ନ ହୁଏ । ଏଥର ଛାଡ଼ି ଦେଲି ।”

ସାଆନ୍ତେ ଆଖି ପକାଇଲେ । ଭଲ ପାଟକପୁରା କଦଳୀ କାନ୍ଦିଏ ପୁରାସାରା ହୋଇଗଲାଣି । ଆଟିକା କରି ଦେଇ ଗଲେ । ବ୍ରାହ୍ମଣ ଗଲାପରେ ବିସିଆ ଘର ମଣିଷ ବାହାରି ଆସି ପଛରେ ୨/୪ ପଦ ଝାଡ଼ିଦିଏ” କି ନିଆଁ ଲଗା ଗାତ ମଣିଷଟା ମଁ । ବ୍ରାହ୍ମଣ କେଞ୍ଚଉଛି । କଦଳୀ କାନ୍ଦିଟା ମୁଁ ଭାବିଥିଲି ମଂଗଳାଙ୍କ ପାଖେ ନାଗି କରିବି । କାଳି ପାଇଁ ଯାଚିଥିଲି । ତୁ କହିପାରିଲୁ ନି । ତାର ଛଞ୍ଚାଣ ଆଖି ତା ଉପରେ ପଡ଼ିଗଲା,” ବିସିଆ ପାଟିରୁ କଥା ବାହାରୁନି । ମାଇପିଟା ହେଲେବି ତ ଉଚିତ କଥା କହୁଛି । ଯଦି ସତକୁ ସତ ମକଦ୍ଦମ ଡିହରୁ ଉଠାଇ ଦିଅନ୍ତି, ପିଲାଛିଆଁଙ୍କୁ ଧରି ସେ କେଉଁଠି ଠିଆ ହେବ । ପରିସ୍ଥିତି ତାକୁ ମଲା ମୂଷା କରିଛି ।

ଏମାନଙ୍କରତ ବାଡ଼ି ଅଗରେ ଅଗେ ମାଟି ନାହିଁ । ବଞ୍ଚିବେ କିମିତି? ଜୀବନ ସାରା ବ୍ରାହ୍ମଣ, ଉଚ୍ଚଜାତି ଘରେ ମୁଣ୍ଡ ବିକିବେ । ୬/୭ ବର୍ଷ ହୋଇଗଲେ ଉଚ୍ଚଜାତି ଘରେ ଚାକିରୀ, ଜମି ଅନୁସାରେ ସମସ୍ତଙ୍କ ଘରେ ଜଣେ ଦୁଇ ଚାକିରିଆ । ଏମାନେ ତ କ୍ରୀତଦାସ ପରି । ଦିନରାତି ୨୪ ଘଣ୍ଟା ସାଆନ୍ତ ଘରେ । ଭୋରରୁ ଉଠି ଦୁଆର ଘର ଓଳାଇବେ । ଗୁହାଳ ଗୋବର କରିବେ । ଗାଈ ବଳଦଙ୍କୁ ଦାଣ୍ଡରେ ବାନ୍ଧି କୁଟା ପକାଇବେ । ଅଳିଆ, ଗୋବର, ନେଇ ଖତଗଦାରେ ପକାଇବେ, ମୂତ କାଢିବେ । କଅଁଳି ଗାଧୁଆ ବେଳକୁ ଜମିକୁ ହଳଯୋଚା ହେବ । ବଳଦଙ୍କୁ କୁଣ୍ଡା, କୋଳଥ, ତୋରାଣି, ପେଜ, ପାଣି ଦେଇ ମୁହିଁବେ । କୁଅଁ ତ ଛୁଇଁକରି ପାଣି କାଢିବେ ନାହିଁ । ସାଆନ୍ତାଣୀ ପାଣି ଦେଲେ ହାତ ଧୋଇବେ, ବର୍ତ୍ତମାନ ରାତିର ପଖାଳଭାତ, ଆମ୍ବୁଲ ଖଣ୍ଡେ ଦିଖଣ୍ଡ ମିଳିବ । ସାଆନ୍ତାଣୀ ଠିଆ ହୋଇ ଟିଣ ବେଲାରେ ଢାଳି ଦେବେ । ପେଟ ପୁରେନି । ତଳି ପେଟକୁ ପାଏ । ଖାଇ ଉଠିଲେ ଗାଇ ଫିଟାଇବେ । ସେତେବେଳେ ତ ସବୁ ଘରେ ଗାଈ । କ୍ଷୀର ୪/୬ଟା ଗାଈରେ ସେରେ ଦି ସେରେ ହବ । ମାତ୍ର ଗୋବର…, ସାର, ଔଷଧ ତ ପଡ଼ିବନି । ଗୋବର ଖତ । ଏକରକୁ ୪/୫ ଶଗଡ଼ ଖତ ଖେଳା ହୋଇଛି ତ ୮/୯ ଭରଣ ଧାନ ମାଲିକ କାଟିବ ( ଭରଣ ୮୦ ଗୋଣୀ । ଗୌଣୀକ ୨.୫ କିଲୋ । ଭରଣେ ଧାନ ଆଜି ମାପରେ ୨କ୍ୱିଣ୍ଟାଲ । ଅର୍ଥତ୍ ଦେଶୀଧାନ, ସାର ଔଷଧ ନପଡ଼ି ସେତେବେଳେ ୧୬ ରୁ ୧୮ କ୍ୱିଣ୍ଟାଲ କାଟୁଥିଲେ) ଗାଁ ଗୋଠ, ଶହେ ଦୁଇଶହ ଗାଈ । ୪/୫ ଜଣ ଜଗୁଆଳି ପିଲା । ପଖାଳ ଗଣ୍ଡେ ଖାଇ ଗାଈ ଫିଟାଇବେ ଯେ ସଂଜ ବେଳକୁ ଲେଉଟିବେ । ଗାଈ ବନ୍ଧାବାନ୍ଧି କରି ଖାଇଲା ବେଳକୁ ବଜରା ସଂଧ୍ୟା । ପୁଣି ପଖାଳ । ଅବଶ୍ୟ ସଜ ପାଖଳ । ବଳକା ଘର ଅଇଁଠା ତରକାରି ପତ୍ର ଯାହାଥାଏ ମାଲିକାଣି ଫୋପାଡ଼ିବେ କାହିଁକି ଚାକରକୁ ଦିଅନ୍ତି ।

କାମକଲେ ସୁନା ପିଲା । ନ କଲେ ନାଲି ଆଖି । ବାଉଁଶ ଫାଳିଆ, କାଠ ଫାଳିଆ ଯାହା ପାଇଲେ କେତେବେଳେ ମାଲିକ ଓ କେତେବେଳେ ମାଲିକାଣି ପିଠିରେ ନୋଳା ଫଟାଇ ଦିଅନ୍ତି । ମୁଣ୍ଡ ବିକିଛନ୍ତି ନା । ବାପ ୨୫ଟଙ୍କା ବର୍ଷକୁ ଦରମା ଧରିଛି । ମୋଡ଼ି ଭିଡ଼ି ହେଲେ କେହି ପିଠିରେ ପଡ଼ିବାକୁ ନାହିଁ । ଲୁଚିକରି ଘରକୁ ପକାଇଲେ ବାପେ ମାରି ମାରି ସାଆନ୍ତଙ୍କ ଘରେ ଛାଡ଼ିବା ପର୍ଯ୍ୟନ୍ତ। ପୁଅକୁ ବୁଝାନ୍ତି । ଆରେ ସେତେବେଳେ ଆମେ ଯେତେ ଖଟୁଥିଲୁ ତୁ ଶୁଣିଲେ ତାଜୁବ ହୋଇଯିବୁ । ସେମାନେ ବ୍ରାହ୍ମଣ ଉଚ୍ଚଜାତିର ଲୋକ । କିଛି ହୁଡ଼ିକରି କହିବୁନି । ଅଭିଶାପ ଦେବେ । ସେମାନେ ତ ଚଳନ୍ତି ଭଗବାନ । ତାଂକ ଅଭିଶାପ ସାଙ୍ଗେ ସାଙ୍ଗେ ଫଳିବ ।” ବା ତ ଏମିତି ଡରଉଛି । ବୋଉ ଶୁଣିଲେ ବାକୁ ୨/୪ କଥା ଟାଣି କରି କଲେ । ମା ମନ ତ । ପିଲା ପାଇଁ ଘାଣ୍ଟୁଛି । ତାଙ୍କ ଭାଗ୍ୟ ତ ଛୋଟ । ସେମାନେ ଅଛୁଆଁ । ବାମନ ହେଇ ଚାନ୍ଦକୁ ହାତ ବଢାଇବେ କାହିଁକି । ପୁଅକୁ ବୁଝାଇ ସୁଝାଇ ପୁଣି ସାଆନ୍ତଙ୍କର ଅର୍ଗଳିରେ ପୁରାଇ କାନ୍ଦି କାନ୍ଦି ମନେ ମନେ ସାଆନ୍ତ, ସାଆନ୍ତାଣୀଙ୍କୁ ସାତ ପୁରୁଷ ଉଜାଇଁ ଘରକୁ ଫେରେ । ଶେଷକୁ ଆରେ ଢମଣା ବୁଲି ବୁଲି କରି ସେଇ ଅଗଣା ।

ସେକାଳର ନରିଶୋ ଗାଁ । ଆଜିଭଳି ସାଟଲାଇଟ ସୁବିଧା ଥିଲେ ନରିଶୋ ଦେଖାଯାଉଥାନ୍ତା । ତୋଟା, ଜଙ୍ଗଲ, ଲଟାପତ୍ରର ସବୁଜିମା ଭିତରେ ବୁଦା ବୁଦା କେତେଟା ଘର । ଘରର ଦାଣ୍ଡବାରଣ୍ଡା ତଳକୁ ଜଙ୍ଗଲ । ଚାରିଆଡ଼େ ଆମ୍ବ, ପଣସ, ଲିମ୍ବ, କରଂଜ, ପୁଲାଙ୍ଗ, ବଉଳ, ଜାମୁ, ବର, ଓସ୍ତ, ଚାକୁଣ୍ଡା, ଖେରଞ୍ଚ ଜାତି ଜାତିକା କ୍ରାନ୍ତି ବଳୟ ଗଛ । ବଣ ବୁଦା ଭିତରେ ବେତ, ବାଇଡଙ୍କ, କୁମ୍ଭାଟୁଆ ଲଟା ଛନ୍ଦିଛନ୍ଦି ହୋଇ ଲଟେଇଥିବ । ଦିନ ଦ୍ୱିପ୍ରହରେ କିଟିମିଟି ଅନ୍ଧାର । ରାତ୍ରିର ଭ୍ରମ ସୃଷ୍ଟି କରେ । ଠେକୁଆ, ଗାଧିଆ, ବିଲୁଆ, ସାପ, ଗୋଧି, ନେଉଳ, କଟାଶ ଏପରିକି ବାଘ, ବାଡ଼ିଘରେ ଯା’ ଆସ କରୁଥାନ୍ତି । କି ଥଣ୍ଡା । ଦିନରେ ଖରାଦିନ ରାତିରେ ଗାଁ ଲେକେ ତୋଟା, ଲଟା, ଜଙ୍ଗଲ ଭିତରେ ସପ, ମଶିଣା ପକାଇ ଶୋଉଥିଲେ । ପ୍ରାକୃତିକ ବାୟୁ ଶୀତଳିକରଣ ଯନ୍ତ୍ର ଜାଣ (natural air conditioner) । ବେଶ୍ ଥଣ୍ଡା । ମୁଁ ଦିନବେଳେ ତୋଟାରେ ବହୁଥର ଶୋଇଛି । ମୋର ନନା (ବାପା) ଥରେ ଶୋଇଛନ୍ତି ତ ବାଘ ଆସି ତକିଆ ଭିଡ଼ୁଛି । ନନା ଉଠିପଡ଼ି ଠେଙ୍ଗା ଧରିଲାବେଳକୁ ବାଘ ଡିଆଁମାରି ପାର । ଭୋଇବିରାଦ ଲୋକେ ଛେଳି, ମେଣ୍ଢା, କୁକୁଡ଼ା ମୁକୁଳା ଚାଳିରେ ରଖିଥାନ୍ତି । ବହୁ ସମୟରେ ବାଘ ଚାଳିରେ ପଶି ଛେଳି ମେଣ୍ଢା ଉଠାଇ ନିଏ । ସାପ ସବୁ ଚାଳିରେ ପସି କୁକୁଡ଼ା, କୁକୁଡ଼ା ଛୁଆଙ୍କୁ ଖାଇଯାନ୍ତି ।

ଆମ ଘର ପାଖେ ଓତାବାଡ଼ି । ବେତରେ ଭର୍ତ୍ତି । ଆଡ଼େଇ ଆଡ଼େଇ ଭିତରକୁ ପସି ଚୁନୁଚୁନିଆ ବେତ କୋଳି ଖାଇଲାବେଳକୁ ଗୋଡ଼ ବେତକଣ୍ଟାରେ ସିଲେଇ ହୋଇଯାଇଥାଏ । ବୋଉ ପାଟି କରେ । ଛୁଞ୍ଚିରେ ଗୋଟି ଗୋଟି କରି କଣ୍ଟା କାଢ଼େ । ଦିନ ଦିପହରେ ଓତାବାଡ଼ିରେ କିଟିମିଟି ଅନ୍ଧାର । ମୋର ସାନ ଭାଇ ଦାମ ଖାଇବା ପାଇଁ ଇଜିରିବିଜିରି କଲେ ବୋଉ ଡରାଇ କୁହେ “ମୋ ସୁନାଟା ପରା ଖାଇଦେ, ଓତାବାଡ଼ିରେ କୋକମିନା ଅଛି । ଡାକି ଦେବି । ଆସି ଧରିନବ ।” ଦାମ ସୁନାପିଲା ଭଳି ଖାଇଦିଏ । ବଡ଼ ପିଲା ହେଲାରୁ ଓତାବାଡ଼ିରେ କୋକମିନାକୁ ବହୁତ ଧୁନ୍ଦିଛି । ପାଇନି । ବୋଉକୁ ପଚାରି ବୁଝିଲି,” ଆରେ କୋକମିନା କିଛି ନାହିଁବା । ଦାମ ଖାଇଦେବ ଡରାଇବାକୁ ସେପରି କହୁଥିଲି ନା ।” ମୁଁ ତ ଏବେ ବୁଢ଼ା ହୋଇଗଲିଣି । ବୋଉର କୋକମିନା ଗପ କିନ୍ତୁ ମୋତେ ଆଜି ଖୁବ୍ ବଳ ଦେଇଛି । କୋକ ମିନା’ କଥାକୁ ମୁଁ ଅନ୍ୟମାନଙ୍କ ‘ଭଗବାନ’ ସହିତ ମିଶାଉଛି । ମୋର ତ ଭଗବାନ ଫଗବାନଙ୍କ ପାଖରେ କିଛି କାମ ନଥାଏ । ମୋତେ ପଢ଼ାଶୁଣା ଲୋକେ ନାସ୍ତିକ ବୋଲି କହୁଛନ୍ତି । ଭିତରେ ମୋ ପ୍ରତିଟିକେ ଘୃଣା ଭାବଥିବା ମୁଁ ଅନୁମାନ କରେ । ମୁଁ କହିଥାଏ, “ଆରେ ଭଗବାନ ଫଗବାନ କିଛି ନାହିଁ । ଆମେ ନିଜେ ଡରି କରି ହଉ ବା ପୂଜକ ଶ୍ରେଣୀମାନଙ୍କର ଯଜମାନମାନଙ୍କୁ ଭଗବାନ ଡର ବିକି ମୋଟା ଦକ୍ଷିଣା ଆଦାୟ କରିବାକୁ ହେଉ ଏଭଳି ଗୋଟିଏ ନାଁ ଉଦ୍ଭାବନ୍ କରିଛନ୍ତି ।”

ଗାଁ ଚାରିପଟେ, ତୋଟା ବାଡ଼ିରେ ବେତ ଜଂଗଲ ଥିବାରୁ ଶହ ଶହ ବେତ କାରିଗର (ଏମାନେ ବି ଅଛୁଆଁ ଜାତି) ବେତ କାଟି ବେତ ଟୋକେଇ, ବେତା, ଡାଲ, ଗଉଣୀ, ମାଉଁଣୀ (ଧାନ ମାପିବା ପାଇଁ), ଅଡ଼ା ତିଆରି କରି ବେଶ୍ ରୋଜଗାର କରିଥାନ୍ତି । ଆଜି ଆଉ ବେତ ନାହିଁ କି ସେମାନଙ୍କର ଜୀବିକା ନାହିଁ । ସଭ୍ୟତା ଚକରେ ସେମାନଙ୍କର ଜୀବନ ଜୀବିକା ଚାପି ହୋଇଯାଇଛି । ମରି ଯାଇଛି । ଧନ୍ୟରେ ବିକାଶ, ଧନ୍ୟ ଧନୀକ ଶ୍ରେଣୀ!

ଗାଁ କଥାକୁ ଆସିବା । ଆମ ଗାଁକୁ ଲାଗି ପ୍ରାଚୀ ନଦୀ । ଆଜି ଆଉ ସେ ନୌବାଣିଜ୍ୟ ସମୟର ନଈ ନାହିଁ । ପ୍ରାଚୀ ମହାତ୍ମାର ପ୍ରାଚୀ ନଦୀ ହଜିଯାଇଛି । ସମୟ ଥିଲା ପ୍ରାଚୀ ଆମର ଜୀବନ ରେଖା ଥିଲା । ଆଜି ପ୍ରାଚୀ ନଦୀ ଅଛି କଙ୍କାଳ ସାର ମଣିଷ ଭଳି । କେବଳ ପ୍ରାଚୀ ସଭ୍ୟତାର ପ୍ରତୀକ ମାତ୍ର । ନିଆଳି ବଜାରର ଅଳିଆ ଆବର୍ଜନ, ନର୍ଦ୍ଦମା ପାଣି ପ୍ରାଚୀ ନଦୀର ଏବେ ପରିଚୟ । ପ୍ରାଚୀ ନଦୀର ଉତ୍ତରକୁ ନିଆଳି ଗୋଟିଏ ଛୋଟିଆ ଗାଁ । ଛୋଟ ବଜାରଟିଏ ଥାଏ । ସପ୍ତାହରେ ଦୁଇଥର ଗୁରୁବାର, ରବିବାର ହାଟ ବସେ । ବିକା କିଣା ହୁଏ । ଆମ ଗାଁ ଠାରୁ ନିଆଳି ଡାକେ ବାଟ । ସେତେବେଳେ ବି ନିଆଳିରେ ଆମ ଗାଁ ଲୋକେ ନଡ଼ିଆ, ବାଇଗଣ, ଗାଡ଼ି ଗାଡ଼ି ଆମ୍ବ, ସାରୁ, କଖାରୁ ବିଭିନ୍ନ ପନିପରିବା ବିକିଥାନ୍ତି । ନିଆଳି ନାଁ ବଡ଼ । କାମରେ ଛୋଟ କିଣିବେ, ବିକିବେ । ଗୋଟେ ଗାଉଁଲି ସିଙ୍ଗାପୁର ଜାଣ ।

ମୁଁ ନିଆଳି ମାଇନର ସ୍କୁଲରେ ପଢ଼ୁଥାଏ । ନିଆଳିର ନାଁ ମାଇନର ସ୍କୁଲ, ଆଉ ଡାକ୍ତରଖାନା ପାଇଁ । ଆମ ଗାଁରୁ ନିଆଳି ଗୋଟେ ଅନ୍ଧାରୁଆ ଗଳି ରାସ୍ତା । ହଳଯାଏ, ଶଗଡ଼ ବିଲକୁ ଯିବାଆସିବା କରେ । ଚଲାବାଟ । ୪/୫ ଫୁଟ ଓସାର ହେବ, ଶଗଡ଼ସରି । ରାସ୍ତାର ଦୁଇପଟେ ଘଞ୍ଚ ଜଂଗଲ । ଗଛର ଡାଳ, ପତ୍ର, ବେତଲାସି ରାସ୍ତାକୁ ଝୁଲି ପଡ଼ିଥାଏ । ଗାଁର ଧୋବରା ସେଇ ରାସ୍ତାରେ ବିଲକୁ ବୋହିଯାଏ । ପ୍ରକୃତିର ନିୟମ ବର୍ଷା, ବଢ଼ି ନଇ, ନାଳରେ ମାଟି ଧୋଇ ହୋଇଯାଏ । ରାସ୍ତାର ମାଟି ଖୋଳି ହୋଇ ଧୋଇଯିବା ଦ୍ୱାରା ରାସ୍ତା ଧୀରେ ଧୀରେ ଖାଲୁଆ ହୋଇ ଗୋହି ରୂପ ନେଇଥାଏ । ସେଥିପାଇଁ ରାସ୍ତାର ନାଁ ଅନ୍ଧ ଗୋହରି । ଆମେ ୩/୪ ଜଣ ପିଲା ସେଇ ଅନ୍ଧୁରିଆ ବାଟରେ ନିଆଳି ସ୍କୁଲକୁ ଯାଉ । ଡର ଡର ଲାଗେ । ଏଣେ ରାସ୍ତାର ଦିପଟେ ବୁଧୁ କୋଳି, ଭୂଇଁଚି କୋଳି, ଶଗଡ଼ବାଟୁଆ ନାଲି ଟହ ଟହ ପାଚିଲା କୋଳି, କ୍ଷୀର କୋଳି, ଲୁଣ କୋଳି, ଚୁନୁ ଚୁନ ବେତ କୋଳି, ଯନ୍ଦାଖିଆ କୋଳି କେତେ ଜାତିକା କୋଳି । ଗଲା ବେଳେ କୋଳି ଖାଇ ଖାଇ ଯାଇ । ସ୍କୁଲ ଡେରି ହୋଇଯିବ । ତରତରରେ ଗୋଟେ ଦିଟା ଖାଇ ଚାଲିଯାଉ । ସ୍କୁଲରୁ ଫେରିଲାବେଳକୁ ଚରି ତ ଯାଉ । ଘରେ ପହଞ୍ଚିଲାବେଳକୁ ଦିନେ ଦିନେ ଅନ୍ଧାର ହୋଇଯାଏ । ନନା ବୋଉଙ୍କ ଠାରୁ ଉତ୍ତମ ମଧ୍ୟମ ମିଳେ । ଏ କୋଳିକଥା ଖରାଦିନେ । ଆମ ଗାଁ ଆମ୍ବ ପାଇଁ ଡାକ । ଆମ୍ବ ବେଳେ ଆମ୍ବଖାଇ ଖାଇ ଯାଉ । ବଡ଼ ବଡ଼ ତୋଟା । ପଥର ପଡ଼ିଆ, ଖର୍ଦ୍ଦା, ପୋଖରୀ, ଯଇସମ ଖର୍ଦ୍ଦା । ହଜାର ହଜାର ଆମ୍ବଗଛ । ଶହ ଶହ କିସମର ଆମ୍ବ, ଦୋରସା, ଲଡ଼ୁଆ, କଞ୍ଚା ସୁଆଦି, ରସ ଗୋଲିଆ, ସପୁରିଆ, ନବାତିଆ, କାମୁଡ଼ୁଥୁ, ଲଙ୍ଗଳ କିଣ୍ଟିଆ, ଚେରୁଆ ସୁନ୍ଦରୀ, ଲାଟସୁନ୍ଦରୀ ଆମ୍ବର ଆକାର, ସ୍ୱାଦ ଅନୁସାରେ ନାଁ । ଆମ୍ବ ବେଳେ ଗାଇ ଚରିଯାନ୍ତି । ନିଆଳିକୁ ପ୍ରତିହାଟ ଦିନ, ଆମ୍ବ ଘୁସୁ ବେଳେ ଅବାରିଆରେ ଶଗଡ଼ ଶଗଡ଼ ଆମ୍ବ ନିଆଳି ଯାଏ । ପଣ (୮୦ଟା) ୨ଅଣା (ଏବେକା ୧୨ ପଇସା), ୫ ଅଣା (୩୦ ପଇସା) (ବଡ଼ ରସୁଆଳ ଆମ୍ବ), ଖୁବ୍ ବେଶୀ ଦେଲେ ୧୦ ଅଣା (ଏବେକା ପଇସା ୬୦ ପଇସା) । ଅଶିଟା ଆମ୍ବ ତଳେଥୁଆ ଗୋଡ଼ ଧୂଆ । ଘଡ଼ିକରେ ଶେଷ । ନିଆଳିରେ ମୁସଲମାନ ବେଶୀ । ସେଇମାନଙ୍କୁ ଯେତେ ଆମ୍ବ ଗଲେ ନଅଣ୍ଟ । ଏ କଥାଗୁଡ଼ାକ ଆଜିକା ପିଲାଙ୍କୁ ବୁଢ଼ୀ ଅସୁରୁଣୀ ଗପ ଭଳି ଲାଗିବ । ୩୦/୪୦ ବର୍ଷର ଲୋକେ ଭାବିବେ ନଟିଆ ବୁଢ଼ା ମନରୁ ଫାନ୍ଦି ଗପୁଛି! ଆଜି ଆଉ ତୋଟା ନାହିଁ । ଆମ୍ବ ସାତ ସପନ । ଖରାଦିନକୁ ଗଛ ଛାଇ ନାହିଁ, ଟାଇଁ ଟାଇଁ ଖରା । ଅଂଶୁଘାତରେ ଜୀବନ ଯାଉଛି । ମଣିଷର ବୁଦ୍ଧି ଦିନକୁ ଦିନ କେଡ଼େ ପାକଳ ହେଉଛି । ଗଛ କାଟି ପ୍ରକୃତିକୁ ଲଣ୍ଡାତ କରୁଛି । ବର୍ଷା ଦିନେ ଖରା । ଆଜି ଶ୍ରବଣ ମାସରେ ମାଟି ଫାଟି ଆଁ । ଆପେ ଅର୍ଜିଲା କର୍ମଫଳ, ବେଳୁ ହୋଇବ ସାବଧାନ । ଲେଡ଼ଗୁଡ଼ କହୁଣୀକୁ ବୋହି ଗଲେ ଯାହା ଫଳହୁଏ ! ବିକାଶ ଫଳ କିଭଳି ବିଷ ଜାଣିବାକୁ ଆହୁରି ବାକି ଅଛି?

 ଆଜି ଦିନରେ ଆମଗାଁ ଦଳିତ ଶ୍ରେଣୀ ଉଚ୍ଚବର୍ଗ ସାଧାରଣ ଲୋକଙ୍କ ଠାରୁ ଭଲ ରେ ଅଛନ୍ତି । ସେମାତେ ଖଟୁଥିଲେ ଆଜିବି ମୁଣ୍ଡ ଝାଳ ତୁଣ୍ଡରେ ମାରି ଖଟୁଛନ୍ତି । ଦି ପଇସା ରୋଜଗାର କରୁଛନ୍ତି। ଛତିଶ ପାଟକର ରାଜ ବ୍ରାହ୍ମଣ ଟୋକାଏ ଏବେ ଘାସକୁ ଲମ୍ବ ପାଳକୁ ଛୋଟ । ବାପ ପଇସାରେ ଛକରେ ବୋତଲ ପିଉଛନ୍ତି । ବିଲକୁ ଗଡ଼ିବା ନାହିଁ ସରକାରଙ୍କ ମାଗଣା ପଛରେ ଗୋଡ଼ାଇବା ନିତିଦିନିଆ କାମ ।

ଦଳିତମାନଙ୍କର ସେତେବେଳେ ପାଠ ପଢ଼ିବା ଅଧିକାର ନଥାଏ । ଆମ ଗାଁରେ ଏଲପି ସ୍କୁଲଟିଏ ଥାଏ । ଖଣ୍ଡେ ଭଂଗାରୁଜା ଚାଳ ଘର । ଜଣେ ମାଷ୍ଟର । ଆମ ବେଳେ ମଦନ ନାଏକ ଓରଫ ମଦନ ମାଷ୍ଟ୍ରେ ଥାଆନ୍ତି । ଦରମା ତ ନୁହେଁ । ଷ୍ଟାଇପେଣ୍ଡ ମାସକୁ ୨ ଟଙ୍କା । ତୃତୀୟ ଶ୍ରେଣୀଯାଏ ପାଠଥାଏ । ଗାଁରୁ ୨୫/୩୦ ଜଣ ଛୋଟବଡ଼ ପିଲା ବସନ୍ତି । ବ୍ରହ୍ମା ବିଷ୍ଣୁ ମହେଶଶ୍ୱର ଖଡ଼ିପାଠରୁ ପାଠ ଆରମ୍ଭ । ବେଗଫେଗ ତ ସେତେବେଳେ ନ ଥାଏ । ଖଣ୍ଡିଏ କନାରେ ବସ୍ତ୍ରାନୀ ବାନ୍ଧି ମା ମାନେ ପିଲାଙ୍କୁ ଦେଇଥାନ୍ତି । ସିଲଟ୍ ଖଡ଼ି, କାହାର କିମିତି ମଧୁସୂଦନ ବର୍ଣ୍ଣବୋଧ ଏମିତି କେତୋଟି ଜିନିଷ ବସ୍ତାନିରେ ଥାଏ । ଅଙ୍କ, ସାହିତ୍ୟ, ଭୂଗୋଳ, ଇତିହାସ ଏପରି ବହି ଜଣେ ଅଧେଙ୍କର ଥିବ । ବ୍ରହ୍ମଣ ପିଲା ବେସି । ୪/୫ ଜଣ ହାଟୁଆ, ଚଷା ପିଲାଥାନ୍ତି । ବାଉରି ବାବର ତ ଅଛୁଆଁ ତାଙ୍କ ପିଲା କ’ଣ ସ୍କୁଲରେ ଉଚ୍ଚଜାତି ପିଲାଙ୍କ ପାଖରେ ବସି ପାଠ ପଢ଼ିବେ? ମଦନ ମାଷ୍ଟ୍ରେ ଭାରି ରାଗି । ପଇସା ତ ୨ଟା ଟଂକା ମାସେ ଖଟଣି । ସେତେବେଳେ ପୁଣି ଦି’ ବେଳା ସ୍କୁଲ । ସକାଳୁ ଗାଧୁଆବେଳ ଯାଏ ପଢ଼ିବେ । ଖାଇବା ବେଳକୁ ଛୁଟି ପୁଣି ଦେଡ଼ାଖିଆ ବେଳକୁ ସ୍କୁଲ । ଗାଈ ଗୋଠରୁ ଫେରିଲା ବେଳକୁ ଛୁଟି । ଘଣ୍ଟ।ଫଣ୍ଟାତ ସାତ ସପନ । ଅନୁମାନିଆ ଯିବା ଆସିବା ।

ମଦନ ମାଷ୍ଟ୍ରେ ଭାରି ରାଗି । ଟିକେ ଭୁଲ ହେଲେ କାନଧରି ବସଉଠ ହୁଅ । ଶୂନ ଚୌକି ବସ । ଏକ ଗୋଡ଼ିଆ ଠିଆ ହୁଅ । ଯାଉଁଳି ବେତରେ ପିଣ୍ ପିଣ୍ ଗୋରୁ ଭଳି ମାଡ଼ । ବହୁ ପିଲା ଡରରେ ବର୍ଷେ ୨ ବର୍ଷରେ ସ୍କୁଲ ଛାଡ଼ିଥାନ୍ତି । ଏବେ ମୁଁ ବୁଝୁଛି ମାଷ୍ଟେ ତ ଦି’ଟି ଟଂକା ପାଇବେ । ନିଜ ପେଟକୁତ ହବନି । ଘରେ ପିଲା, ମାଇପେ ଅଛନ୍ତି । ଅବଶ୍ୟ ସ୍କୁଲ ସେକ୍ରେଟାରୀ ନରହରି ମକଦ୍ଦମେ ମାଷ୍ଟରଙ୍କ ଖାଇବା ପାଳି ବରଦା କରିଥାନ୍ତି । ପିଲା ଅନୁସାରେ, କେଉଁଠି ଅଭିଭାବକଙ୍କର ଆର୍ଥିକ ଅବସ୍ତାକୁ ବିଚାର କରି ଦିନେ ୨ ଦିନ ପାଳି ମାସକୁ ବରାଦ ହୋଇଥାଏ । ସକାଳୁ ମୁଢ଼ି, ନଡ଼ିଆ, ଗୁଡ଼ ବା ଚୁଡ଼ା ନଡ଼ିଆ ଜଳଖିଆ । ଦ୍ୱିପହରେ ଭାତ, ମାଷ୍ଟ୍ରାଙ୍କ ପାଳିଥିଲେ ମାମାନେ ଟିକେ ଭଳ ଖାଇବା କରିଥାନ୍ତି । ମାଷ୍ଟ୍ରେ ମାଛ ପାଇଁ ବିକଳ, ଅମା ଗାଁରେ ସେତେବେଳେ ଘରେ ଘରେ ମାଛ । ପୋଖରୀ ଗଡ଼ିଆମାଛ, ନଈ ମାଛ । ଧାନ ବିଲରୁ କଣ ମାଛ, ବର୍ଷା ବେଳେ ଉଠାମାଛ, ଖସା ମାଛ, ଅମାପ ମାଛ । ବାଉରି ବାବର ଯେଉଁମାନେ କୋଠିଆ, ଚାକରଥାନ୍ତି ସେମାନେ ନିଜେ ଖାଇ ବଳକା ବିଶା ବିଶା (୨ କିଲୋ ୫୦୦ ଗ୍ରାମ) ମାଛ ସାଅନ୍ତ ଘରେ ପହଞ୍ଚାନ୍ତି । କେତେବେଳେ ସେରେ ଦିସେର ଚାଉଳ ସାଆନ୍ତାଣି ଦେଇଥାନ୍ତି । ବ୍ରାହ୍ମଣ ଗୁଡ଼ାକ ତ ମାଗଣାଖିଆ । ତଳ ହାତରେ ନେଇଥାନ୍ତି । ଉପର ହାତ ବେଳେ ହାତଥରେ । ମାଷ୍ଟ୍ରେ ମନବୋଧ କରି ମାଛ ଖାଇଥାନ୍ତି ।

ସପନା ଭୋଇ ସ୍ତ୍ରୀ ପିଲା ହୋଇ ୭ ଜଣ । ବିଲବାଡ଼ିରେ ବ୍ରାହ୍ମଣ ଘରେ କାମ ପାଇଁ ପ୍ରାୟଦିନ ୪ଜଣ ବାହାରନ୍ତି । ବିଲବାଡ଼ି, ବାଡ଼ିଘରୁ ସାଗ, ମୁଗ କରନ୍ତି । ମାଛ ଧରିବା ପାଇଁ ସବୁ ଯନ୍ତ୍ର ଅଛି । କାଠି ପୋଡ଼ୁହ, ଜାଲ ପୋଡ଼ୁହ, ଖଇଞ୍ଚି, ଦାନ୍ତିଆ, ଅନ୍ଧୁଣୀ, ଦିପଟିଆ ଖିଅ, ଭଉଁରୀ ସବୁ ସଜ ରହିଛି । ବର୍ଷକ ବାର ମାସ ମାଛ । ସଂକ୍ରାନ୍ତି, ଏକାଦଶୀ, ଗୁରୁବାର କିଛି ବି ବାରଣ ଯାଏ ନାହିଁ । ମାଛ ମାରିତ ଖାଆନ୍ତି । ଦୋକାନୀ ଘରେ ମାଛ ଦେଇ ତେଲ, ମସଲା ସଉଦା ତକ ଯୋଗାଡ଼ କରନ୍ତି । ବ୍ରାହ୍ମଣ ଘରେ ମାଛ ଦିଏ । ବ୍ରାହ୍ମଣ ଗୁଡ଼ାକତ କଞ୍ଜୁସ । ତଥାପି ବେଳେ ବେଳେ ଚାଉଳ, ଡାଲି, ନଡ଼ିଆଟାଏ ଏମିତି ମିଳେ । ଟିକେ ଭଲ ଚଳେ ।

ସାନ ପୁଅ ଧରମା ଟିକେ ବାପ, ମାଙ୍କର ଅଧିକ ଗେଲବସରର । ଆମ ଘରକୁ ଯିବା ଆସିବା କରେ । ବୟସ ସେତେବେଳକୁ ୧୧/୧୨ ହେବ । ବୋଉଟିକେ ତାକୁ ଭଲ ପାଏ । ମୋ ସାଥିରେ ସାଙ୍ଗ । ବାଉରିପିଲା ସହିତ ବ୍ରାହ୍ମଣ ପିଲା ସାଂଗ ପୂର୍ବ ସୂର୍ଯ୍ୟ ପଶ୍ଚିମରେ ଉଇଁବା ଭଳି । ନରହରି ମକଦ୍ଦମ ନନାଙ୍କୁ ତାଗିଦ କରି କହନ୍ତି । ନନାଙ୍କର ଓ ଏ ମକଦ୍ଦମ ଗୁଡ଼ାକ ଉପରେ ମନ ଜଳୁଥାଏ । ଆମେ ମକଦ୍ଦମ ନୋହୁଁ । ଆମର ମକଦ୍ଦମି ନଥିଲା । ତେଣୁ ମକଦ୍ଦମ ଗୁଡ଼ାକ ନନାଙ୍କୁ ଟିକେ ଛୋଟ ଆଖିରେ ଦେଖନ୍ତି । ସେମାନେ କ’ଣ ଆମକୁ ପୋଷୁଛନ୍ତି ନାଁ କ’ଣ । ତାଂକରି ମୂତରେ ନିଆଁ ଜଳିବ । ଆମର ମକଦ୍ଦନ ନାହିଁ । ଆମେ ମଣିଷ ନୁହେଁ । ନନା ଆମର ଭାରି କାମିକା । ହାଟୁଆ, ଚଷା, କ୍ଷେତ୍ରିୟ, ନିଆଳିର ବଡ଼ ବଡ଼ ଲୋକେ ମୁସଲମାନମାନେ ନନାଙ୍କୁ ଭାରି ଭଲ ପାଆନ୍ତି । ଖାତିର କରନ୍ତି । ସୁନା ଚିହ୍ନେ ବଣିଆ ଗୁଣ ଚିହ୍ନେ ଗୁଣିଆ । ନନା ରୋକଠୋକ ନରହରି ମକଦ୍ଦମଙ୍କୁ ବତାଇ ଦିଅନ୍ତି, “ତୁମ କଥା ତୁମେ ବୁଝ ହୋ ମୋ କଥାରେ ମୁଣ୍ଡ ପୁରାଅ ନାହିଁ । ମୁଁ ତମ କଥାରେ ଚଳିବନି । କାହିଁକି ତୁମେ କ’ଣ ମୋର… ଖରାପ ଭାଷାରେ ପାଟିକରି ତାଙ୍କୁ ଚୁପ୍ କରି ଦିଅନ୍ତି ।”

ଦିନକର କଥା ସପନି ସାନପୁଅ ଧରମାକୁ ଧରି ସ୍କୁଲରେ ହାଜର । ପୁଅର ନାଁ ଲେଖେଇବ । ପୁଅ ପାଠ ପଢ଼ିବ । ମଦନ ମାଷ୍ଟ୍ରେ ତ ଆମ ଗାଁରେ ୫/୭ ବର୍ଷ ହେଲା ମାଷ୍ଟ୍ରେ ଅଛନ୍ତି । ଗାଁର ଗୋଡ଼ିମାଟି ତାଙ୍କର ଚିହ୍ନା… ମଦନ ମାଷ୍ଟ୍ରେ ସପନି କି ଦେଖିଛନ୍ତି ତ, ତାଙ୍କ ଦିହରେ ନିଆଁ ଚରିଗଲା । ମାଷ୍ଟ୍ରେ ତାକୁ ମାରେ ମାରେ । “ହଇରେ ମଦନ ତୋର କ’ଣ ବୁଦ୍ଧିଶୁଦ୍ଧି କୁଆଡ଼େ ଗଲାଣି । ହଇରେ ତୁମେ ସବୁ ବାଉରି ଅଛୁଆଁ ଜାତି । ତୋ ପୁଅ ଏ ସାଆନ୍ତ ଉଚ୍ଚଜାତିର ପିଲାଙ୍କ ସାଥିରେ ବସି ପଢ଼ିବ । ଆରେ ଚାକିରୀଆ ରହିବ କିଏ ? ହଳ କରିବ କିଏ ? ତୋର ତ ଭାରି ବହପ । ବାମନ ହୋଇ ଚାନ୍ଦକୁ ହାତ ବଢ଼ାଇଲୁଣୁ ।” ଅବିକଳ ଏହି କଥା ହୁଏତ କହି ନଥିବେ । ମେର ଯେତିକି ମନେ ପଡ଼ୁଛି ମାଷ୍ଟ୍ରେ ତା ଉପରେ ଗୁଡ଼ାଏ ବର୍ଷିଲେ । ଖାଲି ଛୁଆଁ ଅଛୁଁଆ କହୁଥାନ୍ତି । ମୁଁ ସେତେବେଳେ ଭାବେ ଧରମୁ ତ ମୋରିଭଳି ପିଲାଟିଏ । ମୋ ଠାରୁ ତାର ଫରକ କ’ଣ? ଆମ ଘରକୁ ତ ସେ ଯା ଆସ କରୁଛି । ମୋ ପାଖରେ ବସି ଖାଉଛି । ସେ ଅଛୁଁଆଁ କିପରି ହେଲା ?

ଏତିକି ବେଳେ ନରହରି ମକଦ୍ଦମ ସ୍କୁଲରେ ପହଞ୍ଚିଯାଇଛନ୍ତି! ସେତ ବଡ଼ ଲୋକ । ସ୍କୁଲର ସେକ୍ରେଟାରି । ସପନା, ତା ପୁଅକୁ ଦେଖି ସେତ ନିଆଁବାଣ ।” ହଇରେ ସପନା ତୋ ପୁଅ ଉଚ୍ଚ ଜାତି ପିଲାଙ୍କ ସଂଗେ ବସି ପଢ଼ିବ । ମାଷ୍ଟ୍ରେ ତାକୁ ଛୁଇଁ ସିଲଟ ଦେଖିବେ । ତୋ ସାତପୁରୁଷରେ କିଏ ସ୍କୁଲ ଦେଖିଛି? ତୋର ତ ଛାତିକି ଲଙ୍ଗଳ ଦଉଡ଼ି ପାଉନି । ଶଳା ଏଠୁ ଯାଉଛୁ ନାଁ ଦେଖିବୁ । ଚୁଚୁନ୍ଦରାକୁ ଛୁଇଁଲେ ହାତ ଗଂଧାଇବ । ତୋତେ ଦି ଥାପଡ଼ ମାରନ୍ତି ଯେ ଗାଧୋଇ ସାରିଛି । ପୁଣି ଅଣ୍ଟାପାଣି କରିବାକୁ ପଡ଼ିବ । ତୁମେତ ଅଛୁଁଆଁ ଜାତି, ବ୍ରାହ୍ମଣ, ଉଚ୍ଚଜାତିର ପିଲାଙ୍କ ସାଂଗରେ ବସି ତୋ ପିଲା କିପରି ପଢ଼ିବ? ଯା ପୁଅକୁ ନେଇ ଘରକୁ ଯା ।”

ସପନାର ସାତ ପୁରୁଷ ତ ପାଠ ପଢ଼ି ନଥିଲେ । ମକଦ୍ଦମେ କେଉଁ ସ୍କୁଲରେ ପଢ଼ିଥିଲେ? ମକଦ୍ଦମଙ୍କୁ ସେତେବେଳକୁ ୫୦/୫୫ ବର୍ଷ ହୋଇଥିବ । ମୁଁ ଏବେ ଭାବୁଛି ନରିଶୋ ଏଲପି ସ୍କୁଲ ୧୯୦୭ ମସିହାରେ ପ୍ରତିଷ୍ଠା ହୋଇଥିଲା । ସେତେବେଳେ ତ ସ୍କୁଲ ନଥିଲା । ଚାଟଶାଳି, ମାଟି କାମ ଅବଧାନ ପାଖରେ ସତର ଫଳା, କଡ଼ାଗଣ୍ଡା, ପାହିଗଣା ଜାଣିଗଲେ ପାଠ ହୋଇଗଲା । ମାଷ୍ଟ୍ରେଙ୍କଠାରୁ ଗାଳି, ମକଦ୍ଦମଙ୍କ ଠାରୁ ଗାଳି ଶୁଣି କାକୂସ୍ଥ ହୋଇଗଲା ସପନା ମଲା ମୁଷା ଭଳି । ତାର ଏବେ ହୋସ ଆସିଲା “ଆରେ ସତେ ତ । ଆମେ ତ ଅଛୁଁଆଁ ଜାତି । ଆମର ଗୋତି ଖଟିବାକୁ ଜନ୍ମ । ବ୍ରାହ୍ମଣ ଘରେ ଗୁହାଳ, ଗୋବର କରିବା ତ ଆମ ଭାଗ୍ୟରେ ଅଛି । ପାଠ ବଡ଼ ଜାତିଙ୍କ ପାଇଁ । ବ୍ରାହ୍ମଣ ପିଲାଙ୍କ ପାଇଁ ।” ସପନାର ପୁଅ ପାଠ ପଢ଼ା ନିଶା ଛାଡ଼ିଗଲା । ଦୀର୍ଘ ନିଃଶ୍ୱାସଟାଏ ପକାଇ ପୁଅକୁ ଧରି ଯେଉଁବାଟେ ଆସିଥିଲା ସେଇବାଟେ ଫେରି ଗଲା । ରମେଶ ମୋ ସାଙ୍ଗରେ ପଢ଼ିଥାନ୍ତା ହେଲାନି । ମୋ ମନ ଭାରି ଘାଣ୍ଟି ହେଲା ।

କଥାକୁ ଆସିବା । ଦଳିତ ମର୍ଦ୍ଦ, ମାଇପେ ତ ବିଲବାଡ଼ିରେ କାମ କରନ୍ତି । ପୁଅ ପିଲା ୬/୭ ବର୍ଷ, ହୋଇଗଲେ ସାଆନ୍ତମାନଙ୍କ ଘରେ ଚାକର ରୁହନ୍ତି । ଦୁଆର ଘର ଓଳାଇବା, ଗୁହାଳ ଗୋବର କରିବେ, ଗାଁ ଗୋଠରେ ଗାଈ ଯଗିବେ ଏମିତି । ବଢ଼ିଆଳି ଝିଅ, ବୁଢ଼ୀମା ବିଲବାଡ଼ିରେ ବୁଲି ଶାଗ, ମୁଗ କରନ୍ତି । ଘରେ ରନ୍ଧାବଢ଼ା କରନ୍ତି । ଚୂଳି ଜଳିବ । ଜାଳ ଦରକାର । ସମୟ କରି ସାଆନ୍ତଙ୍କ ତୋଟା ବଗିଚାରେ ବୁଲି ଶୁଖିଲା ଡାଳପତ୍ର ଗୋଟାନ୍ତି । କଅଁଳ ଗାଧୁଆ ବେଳୁ ବୁଲି ବୁଲି ଦିପହର ବେଳକୁ ବିଡ଼ାଏ କିମ୍ବା ଟୋକାଇଏ ଜାଳ ନେଇଥାନ୍ତି ।’ କାମକୁ ନ ଗଲେ ଚୁଲିକି ଯା ନ ହେଲେ ଜାଳକୁ ଯା’ । ସେମାନଙ୍କ ପରିବାରରେ ସବୁଦିନ ଦାଣ୍ଡରୁ ଆସିଲେ ହାଣ୍ଡିରେ ପଡ଼େ । ଜାଳ କଲେ ଚୂଲି ଜଳିବ ।

ଦିନକର କଥା । ସପନାର ସାନ, ବଡ଼ ଦି ଝିଅ ଟୋକେଇ ନଗି, ଦା ଧରି ଜାଳକୁ ଯାନ୍ତି । ବଡ଼ ଝିଅ ୧୮/୧୬ ବର୍ଷ । ଘରଯୋଗ୍ୟ ହେଲାଣି । ବାହା ହେଇନି । ୧୦୦/୨୦୦ ଟଂକା ଏକାଠି କଲେ ତ ଝିଅ ବାହା କରିବ । ତୋଳା କନିଆଁ ବାହା । ହେଲେ ବି ଝିଅଙ୍କୁ ଖଣ୍ଡେ କସ୍ତା, ପିତ୍ତଳ ଖଡ଼ୁ ଦିପଟ, ଗିଲିଟ କାନକୁ, ନାକକୁ ଥାନେ ଥାନେ । ଶଂଖା ଦିପଟ, ଝିଅ ପାଇଁ କଂସାଟିଏ ଜୋଇଁ ପାଇଁ ଲୁଗା ଖଣ୍ଡେ, ଖଣ୍ଡେ ଗାମୁଛା, କଂସାଥାଳି ପଟେ, ଗିନା ଗୋଟେ ଯୋଗାଡ଼ କରି ଦେଲେ ଝିଅକୁ ଉଠାଇଦବ । ଜୋଇଁ ଠିକ୍ କରିଛି । ଝିଅ ସିନା ରଂଗରେ କଳା । ହେଲେ ଗୋଟିଏ ଚାଉଳରେ ଗଢ଼ା । ଲକ୍ଷ୍ମୀ ସାଆନ୍ତାଣୀ ଭଳି ଚେହେରା । ଦିହ ଲୁଚେଇବାକୁ ତ ଲୁଗା ନାହିଁ । ଘଣ୍ଡେ ଚିରା ଦରବା ଘୋଡ଼େଇ ହୋଇଛି, ଛାତି ଲୁଚୁନି କି ଗୋଡ଼ ଲୁଚୁନି । ଦେହ ଲୁଚାଇବାକୁ ଥରକୁ ଥର ଦରବାକୁ ଏପଟ ସେପଟ କରେ । ବୁଝିବା ଲୋକର ଆଖିରେ ଲୁହ ଆସିଯିବ । ଛାତି ଲୁଚିଲେ ଅଣ୍ଟା ଲୁଚୁନି । ଝିଅଟେ ତ । ପୁଣି ବାଉରି ଘର ଝିଅ । ମୁଣ୍ଡରେ ଓଢ଼ଣା ନଦେଲେ ଚଳିବ । ଯାକିଯୁକି ହୋଇ ଲାଜରା ମୁହଁରେ ଜାଳ ପାଇଁ ବାହାରିଛି । ସାନ ଭଉଣୀ ବାସି । ୧୦/୧୨ ବର୍ଷର ହବ । ବୋଉ ଅଣ୍ଟ।।ରେ କଉପିନି ଖଣ୍ଡେ ଭିଡ଼ି ଦେଇଛି । ଦିହ, ପା ଖୋଲା । ପିଲା ତ, ତାକୁ ଲାଜ, ସରମ ଛୁଇଁନି ।

ଅନ୍ଧାରିଆ ତୋଟା । ତାଙ୍କର ଡରଭୟ ନାହିଁ । ଇଏତ ତାଙ୍କର ନିତିଦିନିଆ କାମ । ବଡ଼ ଭଉଣୀ ଲଗିରେ ଶୁଖିଲା ଡାଲ ଭାଂଗୁଛି । ସାନ ଦାରେ ଖଣ୍ଡ ଖଣ୍ଡ କରି ଟୋକେଇରେ ସଜାଡ଼ି ରଖୁଛି । ଦିନ ଦ୍ୱିପହର ହେବ । ହଠାତ୍ ଗୋଟେ ଭେଣ୍ଡା ବ୍ରାହ୍ମଣ ଟୋକା ମାତି ଆସିଲା କି । ଖଟ୍ୱାଙ୍ଗପୁରାଣ ଗାଳି ଦଉଛି । ଦି ଭଉଣୀ ଭୟରେ ଥରିଲେଣି ।” ତୁମ ବୋପା ଶଳାଙ୍କ ଖଇରାତ ଇଏ । କାହାକୁ କହି ଆମ ବାଡ଼ିକୁ ଆସିଛ ।” ଟୋକେଇ, ଲଗି ଛାଡ଼ି ଦି ଭଉଣୀ ଦୌଡ଼ି ପଳାଇଲା ବେଳକୁ ଟୋକା କାଳିକୁ ମାଡ଼ିବସି ତଳେ ପକାଇ ଦୁଷ୍କର୍ମ କଲା । ଆଖି ପିଛୁଳାକେ ଦୌଡ଼ି ପଳାଇଲା । କାଳି ଗୋଟାପଣ ଥରୁଛି । ପଡ଼ି ଉଠି ଦୌଡ଼ି ଦୌଡ଼ି ଘରେ ପହଞ୍ଚିଲା ବେଳକୁ କାଳି ତଳେ ପଡ଼ିଯାଏ । ଦିହିଙ୍କ ଆଖିରୁ ଝର ଝର ଲୁହ ବୋହିଯାଉଛି । ପାଟିରୁ କଥା ବାହାରୁନି । ସାବି ବଡ଼ ଝିଅକୁ ଗୋଡ଼ ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଚାହିଁ ଦେଇ ସବୁ ବୁଝିଗଲା । “ଆରେ ସେ କିଏ ରାକ୍ଷସ ତୋର ଏଦଶା କଲା? କାଳିର ତ ପାଟି ଫିଟୁନି । ସାନ ଝିଅ ପାଢ଼ୀ ଟୋକାକୁ ଚିହ୍ନିଥିଲା । ସେ ପାଢ଼ୀଘର ଗଣେଶ ଦେଇକି ମାଡ଼ିବସି ଭିଡ଼ା ଓଟରା କଲା” । ତାର ତ ବୟସ ହେଇନି । ଅନ୍ୟ କଥା ବୁଝିବାକୁ । ଚୂଲିରେ ପାଣି ଜାଳି ଦେଇ ଚାଲିଲା ପାଢୀ ଘରକୁ । ପାଢ଼ୀମାନେ ତ ପୂଜକ ଶ୍ରେଣୀର । ଜାତିରେ ଶାସନି ବ୍ରାହ୍ମଣଙ୍କ ଠାରୁ ନିକମା । ପାଢ଼ୀଘର ଆଉ ଶାସନି ବ୍ରାହ୍ମଣ ଘର ମଧ୍ୟରେ ଝିଅ, ପୁଅ ବାହା ନଥାଏ । ନଇକେ ବାଙ୍କ ଜାତିକେ ଫାଙ୍କ ।

ସାବିତ ରାଗରେ ପଞ୍ଚମ । ପାଟିକରି ଗାଳି ପକାଇଲା, “ହେ ଧରମ ଛଡ଼ା, ଆଧବଇସିଆ କୁଆଡ଼େ ଲୁଚିଲା, ବାହାରିଆ । ତୋତେ ଚିରି ଦେବି, ଫାଡ଼ି ଦେବି । ଜେଏଲ ଯିବି ପଛେ । ଆଜି ତୋର ଦିନକୁ ମୋର ଦିନେ, ତୁ ଅଖିଜଳା ତୋର ମାଇପ ଅଛି, ଦିଟା ପିଲା । ମୋ ପିଲାକୁ ଏତେ ସରି କରିଛୁ । ଏତିକି ବେଳେ ବାହାରି ଆସିଲେ ଟୋକାର ବାପ ଦୁଃଶାସନ ନାଁ କୁ ଚାହିଁ ରୂପ କଳା କିଟିକିଟି ଡେଙ୍ଗା, ମୋଟା, ପେଟୁଆ, ବୁଢ଼ା ଦୁଃଶାସନ । ମୂର୍ଖ ମୂର୍ଖ ମହାମୂର୍ଖ । ଖଡ଼ି ଛୁଇଁନି । ପାଠରେ ଶ୍ରୀ ଅକ୍ଷର ବିବର୍ଜତ । ମଣିଷତ ନୁହେଁ ଗୋଟେ ରାକ୍ଷସ । ପୁଅ ଯେମନ ବାପ ସେମନ । ବାପକୁ ଦେଖି ସେ ବି ବଡ଼ ସାନ ଭୁଲି ପୁଣି ବର୍ଷିଲା, ତୁ କି ବ୍ରାହ୍ମଣ ଦେଖଉଛୁ ବା? ତୋ ପୁଅକୁ ଆକଟ ନାହିଁ । ପୁଅକୁ ଡାକ ଦାଣ୍ଡକୁ । ତା ଅନ୍ତକାଢ଼ି ରକ୍ତ ପିଇବାଯାଏ ମୁଁ ଅଛି । ଶାବି ଭୁଲିଯାଇଛି ସେ ଦଳିତ । ଅଛୁଆଁ ଜାତି ତା ମୁଣ୍ଡକୁ ରକ୍ତ ଚିହିଙ୍କିଯାଇଛି । ସେ ଦାଉରୁ ଏ ଦାଉବଳିବ ।

ବ୍ରାହ୍ମଣ ରାଜା, ଖଣ୍ଟ ପରଜା । ବ୍ରାହ୍ମଣିଆ ତ ବାହାରି ପଡ଼ିବେ । ତାକୁ ବାଡ଼େଇ ପକେଇବେ । ବାପା ବାହରିଲେ ଏ “ହେ ସାବି ତୁ କଣ ବାଘକୁ ଫାଗ ଭାବୁଛୁ । ଜାଣିଛୁ ମକଦ୍ଦମଙ୍କୁ କହି ତୁମ ଯାନ ଆସନ ଉଠାଇଦେବି । କିଛି ନ କହିଲାରୁ ଭାରି ତ ବଢ଼ି ବଢ଼ି କହୁଛୁ । ଢିଙ୍କିକି କାଠ ଭାବୁଛୁ । ହଇଲୋ ଶାଳି ତୋ ବଢ଼ିବା ଝିଅକୁ କାହିଁକି ମୋ ତୋଟାକୁ ପଠାଇଥିଲୁ ବେ । ଏଠି ପାଟି ଦେଖଉଛି । ହେ ଗଣେଶ ବୋଉ । ମୋ ତଡାଟା ଆଣିବୁଟି । ତା ଅଣ୍ଟାରେ ଦି ତଡ଼ା ଦେଲେ ମୁଣ୍ଡରୁ ପିତ ଖସିପଡ଼ିବ ।” ଗଣେଶ ବୋଉ ବାହାରି ଆସିଲେ । ଗିରସ୍ତଙ୍କୁ ଘରକୁ ଭିଡ଼ିନେଇ କହିଲେ, “କାହିଁକି ସେ ଛୋଟଲୋକ ସାଙ୍ଗରେ ବରବର ହେଉଛ । ବଡ଼ ମକଦ୍ଦମଙ୍କୁ କହିଲେ ସେ ଜାଣିବ ପାଢ଼ୀ ବଂଶ କ’ଣ କରିପାରନ୍ତି । ଠାକୁରାଣୀ ଦେଉଳ ସେବକ ଆମେ, ଆମ ସାଙ୍ଗରେ ମୁଣ୍ଡ ପାକାଇବାକୁ ଆସିଗଲା ।”

ମହାପ୍ରଭୁ ମୁଣ୍ଡତଳକୁ ଗଡ଼ିଲେଣି । ସାବିର ହୋସ୍ ଆସିଲା । ରନ୍ଧାବଢ଼ା ତ ନାହିଁ । ପିଲାଛୁଆ ଖାଇବେ କ’ଣ ? କାଳିବାପା ହଳରୁ ଆସିବଣି । ଘରକୁ ଫେରିଲା ବେଳକୁ ସପନା ଘରକୁ ଫେରିଛି । ପିଲାଙ୍କଠୁ ସବୁବୁଝିଛି । ସେଗୁଡ଼ାକ କି ବ୍ରାହ୍ମଣ କେଞ୍ଚଉଛନ୍ତି । ଅଛୁଁଆ ଜାତି କହି ଆମ ଝିଅ ବୋହୂଙ୍କ ଇଜ୍ଜତ ନେବେ । ତୁ ଭାତ ବସା । ମୁଁ ଖାଇ ସାରି ସେ ଶଳା ବାପ ପୁଅଙ୍କୁ ପାନେ ଦଉଛି । ସାବି ଭାତ ଗାଳି ଦିଟା କାଳିଆ କଂକଡ଼ା ପୋଡ଼ି ୨ଟୋପା ସୋରିଷ ତେଲ ଗୋଟାଏ ବାଡ଼ି କଞ୍ଚାଲଂକା ଭାତ ଗେରସ୍ତ ପାଖେ ଥୋଇଦେଲା । ନାକରେ କାନରେ ପୁରାଇ ଖାଇ ସାରି ସପନା ବାହାରିଲା । ବଡ଼ ପୁଅ କାର୍ତ୍ତିକକୁ କହି କଳାକଣ୍ଟା ବାଇଗଣ ବାରିରୁ ସେରେ ଦିସେର ଅଣ୍ଟାରେ ପୁରେଇ ମୁଣ୍ଡରେ ଠେକା, ଗାମୁଛା କଛାମାରି ପିନ୍ଧିଛି । ଠେଙ୍ଗା ଧରି ସପନା ବିଲେ ବିଲେ ଯିବ । ତୁ କୁଆଡ଼େ ଯାଉଛୁ ? କିଏ ଆମ ନିଚ ଜାତିଙ୍କ କଥା ଶୁଣିବ ? “ଏଠି ହବନି । ଏ ସାଆନ୍ତ ଗୁଡ଼ାକ ସମସ୍ତେ ଗୋଟିଏ ଲାଉର ମଂଜି । ପୁଝାରୀ ବାପ, ପୁଅଙ୍କ ପାଇଁ ପେଟେଇ ପଡ଼ିବେ । ମୁଁ ସେ ଶଳାର ବୋପା ପାଖକୁ ଯାଉଛି । ତାକୁ ଏମିତି ପାନେ ଦେବି ଯେ ସେ ଶଳା ଜାଣିବ ବାଉରିଘର ଝିଅ ମାଇପିକୁ ଛୁଇଁଲେ ଏ ସାଆନ୍ତମାନଙ୍କର ହାଲତ କଣହୁଏ ।

୯ନମ୍ବର ୟୁନିୟନ ଫିଉନିୟନ କଥା ସେ କିଛି ଜାଣେନି । ସେ ଜାଣିଛି ଅଭିମୁଖୀ ଜଣେ ବଡ଼ ସାଆନ୍ତ ଅଛନ୍ତି ଗୋପାଳ ମହାପାତ୍ରେ ଗାଁ ସାଆନ୍ତଙ୍କୁ ବୁକେଇଲେ ସେ ବୁଝନ୍ତି । ବୟସ ୪୫/୫୦ ହେବ । ଡେଙ୍ଗା, ଗୋରା ତକତକ ଚେହେରା ଲମ୍ବା ନାକ । ଲମ୍ବା ମୁହଁ, ଲମ୍ବା ଲମ୍ବା ହାତ, ବଳିଲା ଭଳି ଦିହ । ଘିଅ, ଦୁଧ, ଦହି, ମାଛତ ଇଲାକାରୁ ଭେଟି ଆସେ । ଖାଇପିଇ ୩୦ ବର୍ଷିଆ ଟୋକା ଚେହେରା । ଅବକାରି ଭିତରେ ପାନ । ନିତିଦିନ ସଂଧ୍ୟାରେ ଭାଂଗ ଗ୍ଲାସେ ହୁଏ । ନରିଶୋରୁ ଅଭିମୁଖୀ ଦେଢ଼ କୋଶବାଟ । ଯାଗା ଧରିଲା ବେଳକୁ ଗାଇ ଲେଉଟା ବେଳ ।

ବଡ଼ ସାଆନ୍ତେ ଦାଣ୍ଡ ପିଣ୍ଡାରେ ଚଉକିରେ ବସିଛନ୍ତି । ଗୁହାରିଆ ୪/୫ ଜଣ ପିଣ୍ଡା ତଳେ ଠିଆ ହୋଇଛନ୍ତି । ସପନାକୁ ବଡ଼ସାଆନ୍ତ ଚିହ୍ନନ୍ତି । କେତେଥର କଞ୍ଚା, ପାଚିଲା କଦଳୀ, ବାଇଗଣ, ମାଛ ପହଞ୍ଚାଇଛି । ବାରଣ୍ଡାରେ ବାଇଗଣତକ ଅଣ୍ଟାରୁ ଢାଳି ଦେଇ ଗଣିଆ ବାରଣ୍ଡା ତଳେ ଲମ୍ବ ହୋଇ ଜୁହାର ହୁଏତ ସାଆନ୍ତେ ପଚାରିଲେ, “ହଉ ହେଲା ହେଲା” । ଆରେ କଥା କ’ଣ? ମୁହଁ ଟା ଶୁଖିଲା ଦେଖାଯାଉଛି ।” ସାଆନ୍ତଙ୍କ କଥା ନସରୁଣୁ ସପନା ଭୋ ଭୋ କାନ୍ଦି ପକାଇଲା । “ଆରେ ସପନା ରାଜାଙ୍କ ପାଖକୁ ଆସିଛୁ । ମୁଁ ବୁଝିବିନି ।” ସପନା ସବୁକଥା ଫିଟେଇ କହିଲା । “ସେ ଶଳା ପାଢ଼ୀ ଟୋକାର ଏତେ ବହପ । ଶଳା ଦାନ୍ତକୁ ଟାଣ ବୋଲି କ’ଣ ମୁଷଳକୁ ଟାଣ । ଶଳା ବାପ ପୁଅଙ୍କର ଶେଷବେଳ ପହଞ୍ଚିଲାଣି । ତୁ ଯାଆ । ଅନ୍ଧାର ହେଲାଣି । ଶୁଖିଲା ହିଡ଼ରେ ଝୁଣ୍ଣିବୁ । ଯା, ବାହାରିଯା । ହଁ ଚିଠି ଖଣ୍ଡେ ଦଉଛି । ନରି ମକଦ୍ଦମକୁ ଦେବୁ । ତାକୁ କହିବୁ କାଲି କଅଁଳ ଗାଧୁଆ ବେଳେ ମୁଁ ପହଞ୍ଚୁଛି । ମହାପାତ୍ରେ ବାଇଗଣକୁ ହାତରେ ଏପଟ ସେପଟ କରି ଗୁମସ୍ତାକୁ ବରାଦ କଲେ, “ରୋଷେଇଆକୁ କହିବୁ ୨/୩ଟା ବାଇଗଣ ନିଷ୍ଠୁର କରି ପୋଡ଼ିବ । ଘଣା ଷୋରିଶ ତେଲ, ୨/୩ ଟା ସୂର୍ଯ୍ୟମୁଖୀ ଲଂକା ଭାଂଗି ଚକଟିବ ରାତିରେ ଭାତ ସାଙ୍ଗରେ ଖାଇବା” ସେତେବେଳକୁ ରୁଟିର ଚଳନି ହୋଇନି । ଦେଶୀ ଧାନରୁ ଚାଉଳ । ବାଲାମ, ପଦ୍ମକେଶରୀ, ଗଂପା, ରତ୍ନଚୂଡ଼ି, ନୃତିଭୋଗ, ମାଛ, କଣ୍ଟା, ଅତୌରି, ଜାତି, ଜାତିକା ଧାନ । ସରୁଧାନ, ବାସନାଧାନ, ଅରୁଆ ପାଇଁ ଧାନ ଉସୁନା ପାଇଁ ଧାନ । ଭୋତିଆ ଚାଉଳ ପଖାଳ ବାଢ଼ି ଦେବ ଓ ଘରେ ବାଢ଼ିଲେ ଦାଣ୍ଡକୁ ବାସ ଚହଟିବ । ଧନୀ, ଗରିବ ସମସ୍ତେ ଦୁଇଓଳି ଭାତ ଖାଆନ୍ତି ।

ସପନା ନିଜକୁ ନିଜେ ଗୁଣୁ ଗୁଣୁ ହୋଇ ଗାଁକୁ ଫେରିଲା, “ଶଳା ବାହ୍ମଣ ସାଆନ୍ତ କେଞ୍ଚୁଛି । କାଲି ବଡ଼ ସାଆନ୍ତଙ୍କ ପାଖେ କଥା ପଡ଼ିଗଲେ ମୁଁହ ଢିଙ୍କି ଶାଳରେ ପୁରେଇବ । ବାପ, ପୁଅଙ୍କୁ ପାନେ ଦବାଯାଏ ମୁଁ ଅଛି । କେତେବେଳେ ଘରେ ପହଞ୍ଚିଗଲାଣି । ଅନ୍ଧାର ଘୋଟି ଯାଉଛି । କାଳୀ ମା’କୁ ସବୁ କଥା କହିଲା । ସାବି ମାଣ୍ଡିଆ ଜାଉ, ମଦରଙ୍ଗା ଶାଖ, ଗଡ଼ିଶା ମାଛ ସୋରିଷ, ବାଡ଼ି କଞ୍ଚା ଲଙ୍କା, ବେସର ଦେଇ ରୋଷେଇ କରିଛି । ସମସ୍ତେ ବସି ଖାଇଲେ । ତିନି ପୁଅ, କାଳି ଓ ସାବି । ତୁମେସବୁ ଶୁଅ । ମୁଁ ମକଦ୍ଦମଙ୍କ ଘରୁ ଆସୁଛି । ବଡ଼ସାଆନ୍ତେ ତାଙ୍କ ପାଖକୁ କ’ଣ ଚିଠି ଦେଇଛନ୍ତି । ସେତେବେଳେକୁ ରାତି ପହରେ ହେଲାଣି । କିଟିମିଟି ଅନ୍ଧାର । ତାଳି ମରି ମାରି ମକଦ୍ଦମଙ୍କ ଘରେ ହାଜର ।

ଗାମୁଛାରୁ ଗଣ୍ଠିଫିଟାଇ ଚିଠି ଖଣ୍ଡକ ମକଦ୍ଦମଙ୍କୁ ପକାଇଦେଲା । ସେ କ’ଣ ମକଦ୍ଦମଙ୍କୁ ଛୁଇଁବ । ଡିବି ଆଲୁଅରେ ସାନ ସାଆନ୍ତେ ଚିଠି ଖୋଲି ପଢ଼ିତ ନିଆଁବାଣ । ସପନାକୁ ମାରେ ନମାରେ ।” ହଇରେ ସପନା ତୋର ଭାରି ବହପ । ଘର ଦିଅଁଙ୍କୁ ନପୂଜି ଦାଣ୍ଡ ଦିଅଙ୍କୁ ନାଲିସ । ହାରାମ କାହାଙ୍କା, ହାଣ କୁରାଢ଼ୀ ବେକକୁ ଆଣୁଛୁ । ହଉ ଯା କାଲି ଠାକୁରାଣୀ ବେଢାକୁ ଆସିବୁ । ତୋ ଭାଇ ବିରାଦଙ୍କୁ ଡାକିଥବୁ । “ ସପନାତ ବଡ଼ଠାକୁରଙ୍କୁ ଧରିଛି । ସାନ ସାଆନ୍ତଙ୍କ କଥା ଖାତିର ନକରି ଘରକୁ ଫେରିଲା ।

ଘରବୋଲି ବଖରାଏ କୁଡ଼ିଆ । ହାଣ୍ଡି ସେଇଠି, ଗଣ୍ଡି ସେଇଠି । ଛିଣ୍ଡା ହେଁସ ଗୋଟାଏ, ଚିରା ଅଖା ୨/୩ଟା ଯୋଡ଼ି ପକାଇଛନ୍ତି । ଦରବା ଖଣ୍ଡେ ଦିଖଣ୍ଡ ତା ଉପରେ ପଡ଼ିଛି । କୁଟା ବିଣ୍ଡାକରି ୩/୪ ଟା ମୁଚୁଳା (ତକିଆ) ସାବି ତିଆରି କରିଛି । ପିଲାମାନେ ଶୋଇପଡ଼ିଲେଣି । ସାବି ଧୂଆଁ ଦେଇ ବସିଛି ସପନା ପହଞ୍ଚିଗଲା, ଆଲୋ କାଳି ମା ତୁ ଶୋଇନୁ । ରାତି ବେଶୀ ହେଲାଣି । ଶୋଇପଡ଼ିବା । ପିଲାମାନେ ଯାକିଯୁକି ହୋଇ ଶୋଇଛନ୍ତି । ସପନା ସାନପୁଅକୁ ଆଡ଼େଇ ପଡ଼ିଗଲା । ସାବି ବଡ଼ ଝିଅ ପାଖରେ ଗୋଡ଼ ଯାକି ଶୋଇଲା । ଗୋଡ଼ ଲମ୍ବେଇଲା ବେଳକୁ କାନ୍ଥରେ ବାଜିବ । ଦିନଯାକ ତ ଗୁଡ଼େ ଏପଟ ସେପଟ ହୋଇଛନ୍ତି, ହେଁସ ଛୁଉଁ ଛୁଁଉଁ ନିଦ ଲାଗିଗଲା । ରାତି ଅଧରେ ହଠାତ୍ ବଡ଼ ଝିଅ ବିଳି ବିଳେଇ ଉଠେ, “ଏ ଦା, ଦେଖୁଛୁଟି । କାଟି ଦେବି । ଚିରିଦେବି। ମୋତେ ଛାଡୁଛୁନା ନାହିଁ । ଛାଡ଼ି ଦେ । ବୋଉଲୋ ମରିଗଲି, ସେମାନେତ ବୁଝୁଛନ୍ତି । ସାବି କାଳୀକୁ ପାଖରେ ଶୁଆଇ ଥାପୁଡ଼ାଇ ଥାପୁଡ଼ାଇ ଦେଲା । କାଳୀ ଶୋଇପଡ଼ିଲା । ସପନା ରକ୍ତ ଚାଉଳ ଚୋବାଉଛି । ରାତି ପାହୁ । ତୋ ଯାନ ଆସନ ଛିନଛତ୍ର କରି ଦାଣ୍ଡରେ ସାତ ବେଣ୍ଟିକରି ନ ଚଲେଇଛିତ ମୁଁ ବୋପାର ପୁଅ ନୁହେଁ ।” ନିଦ ତ । ଶୋଇ ପଡ଼ିଲା । ସକାଳୁ ଉଠି ଗାଁ ଭାଇଙ୍କୁ ଜଣାଇଲା । ଠାକୁରାଣୀ ଚକଡ଼ାରେ ବେଳାବେଳି ପହଞ୍ଚିବାକୁ କହିଲା । ଚାରି ଭୋଇସାହି ମେରିଆ ଆଉ ସମସ୍ତଙ୍କର ଖୁଣ୍ଟ ମୁରବୀଙ୍କୁ ବୁଲି ବୁଲି ଜଣାଇଲା । ଟିକେ ଟିକେ ଘଟଣା କହି ଶୀଘ୍ର ଶୀଘ୍ର ଠାକୁରାଣୀ ବେଢ଼ାକୁ ଆସିବାକୁ କହିଲା । ବୁଲିଲା ବେଳେ ଏକୁଟିଆ କୋହ ଆସେ କାନ୍ଦ ଆସେ, କାନ୍ଦକୁ ଲୁଚାଇ ପୁଣି ଚାଲେ ।” କେଡ଼େ ଛୋଟ ଭାଗ୍ୟ ଆମର ଅଛୁଆଁ ବୋଲି ଆମର ମାନ ମହତ ନାହିଁ । ମନେ ମନେ ରକ୍ତ ଚାଉଳ ଚୋବାଇ ହୁଏ ।

ଦଳିତମାନଙ୍କର ବଳ ତାଙ୍କର ମେଳି । ପ୍ରଜାମେଳିକୁ ରଜା ମେଳି ଲାଗିବନି । ଖବର ବିଜୁଳି ବେଗରେ ଚାରି ଭୋଇସାହିରେ ପହଞ୍ଚିଗଲା । ନିଧିସାହି, ହୃଦଙ୍ଗା ସାହି, ବଡ଼ପୋଖରୀ ସାହି, ବାଡ଼ୁଅ ସାହି । ଭଗତପଡ଼ାରୁ ଠେଙ୍ଗାବାଡ଼ି ଧରି ୫୦/୬୦ଦଳିତ ଟୋକା, ବୁଢ଼ା, ଠାକୁରାଣୀମାଳରେ ବେଳାବେଳି ପହଞ୍ଚିଗଲେ । ସେମାନେତ ଅଛୁଆଁ । ଚକଡ଼ା ଉପରକୁ ଉଠିପାରିବେ ନାହିଁ । ଚକଡ଼ା ତଳେ ଚାରିଆଡ଼େ ଖେଳେଇ ହୋଇ ବସିଗଲେ । ଠେଙ୍ଗାଟିମାନ ପାଖରେ ଲମ୍ବାକରି ଶୁଆଇ ଦେଲେ । ନିଜ ନିଜ ଭିତରେ ଟୁପଟାପ୍ ହେଉଛନ୍ତି । ମୁହଁକୁ ଚାହିଁଲେ ଜଣାପଡ଼ିବ ଯେପରି ପାଢ଼ୀ ଟୋକାକୁ ଜିଅନ୍ତାରେ ପୋଡ଼ି ଦେବେ । ମଣିଷ ତ ଭାବିବାରେ ଛୁଆଁ ଅଛୁଁଆ କାମ କରିବନି । କନ୍ତୁ ସେମାନେ କେତେକର ଲୋକ । କାଳକାଳକୁ ତ ଅଛୁଆଁ, ଛୋଟଜାତି । ମୁରବି ଲୋକଗୁଡ଼ାକ ଛାତିଭିତରେ ଦୁଃଖ ଯନ୍ତ୍ରଣାକୁ ଯାକିଧରି ମନେ ମନେ ତଥା କଥିତ ଭଗବାନଙ୍କୁ ଧିକ୍କାର କରିବେ । ଭାଗ୍ୟକୁ ଧିକ୍କାର କରିବେ। ଏପରି ଭାବନା ତାଙ୍କର ନିଜସ୍ୱ । ବ୍ରାହ୍ମଣ, ଉଚ୍ଚଜାତିଙ୍କ ବଳକଳ କ’ଣ ପାଇବ?

ଗୋପାଳ ମହାପାତ୍ର ଖାଲି କ’ଣ ୟୁନିୟନ ପ୍ରେସିଡେଣ୍ଟ ? ସେ ହିନ୍ଦୁ ଧାର୍ମିକ ଚଳଣୀ ବୁଝି ନିରପେକ୍ଷ ନ୍ୟାୟ ଦେଇପାରନ୍ତି ବୋଲି ଫିରଙ୍ଗ ସରକାର ତାଙ୍କୁ ପୁରୀ ଦୌରା ଜଜ୍ କୋର୍ଟରେ ଜୁରୀ ମେମ୍ବର ରଖିଥାନ୍ତି । ପାଠ ଶାଠ ଶ୍ରୀ ଅକ୍ଷର ବରୁଣେ ପଣ୍ଡିତ । ଏତେ ବଡ଼ ପଦବୀ । କ’ଣ ସହଜ ସହଜ କଥା ନା କ’ଣ ? ଗୋପାଳ ସାଆନ୍ତଙ୍କୁ ଦେଖିଲେ ତାଙ୍କ ଠାଣି ମାଣିରୁ ସ୍ପଷ୍ଟ ଜାଣିହୁଏ ସେ ଯେମିତି କହୁଛନ୍ତି “ଆରେ ଗେଣ୍ଡାଳ ଦଳ ତୁମେ କ’ଣ ମୋତେ ଯାହିତାହି ଲୋକ ଭାବୁଛ । କିଲଟର, ଡେପୁଟୀଙ୍କ ପାଖରେ ମୁଁ ବସୁଛି । ହାଁ ।” ଦଳିତମାନେ ଗେଣ୍ଡା ଖାଆନ୍ତି ତ । ବ୍ରାହ୍ମଣ ଗୁଡ଼ାକ ତାଙ୍କୁ କଥା କଥାକେ ଗେଣ୍ଡାଳ ଡାକନ୍ତି । ବ୍ରାହ୍ମଣଙ୍କ ବଂଶଧରମାନେ ଏବେ ଫାଇବଷ୍ଟାର ହୋଟେଲରେ ପ୍ଲେଟକୁ ୨୦୦/୩୦୦ ଟଂକା ଦେଇ ଯେଉଁ ଅଏଷ୍ଟର ପ୍ଲେଟ ଖାଉଛନ୍ତି ସେଇ ଗେଣ୍ଡା । ଇଂରାଜୀରେ ଅଏଷ୍ଟର । ବଡ଼ ଲୋକଙ୍କ ପସନ୍ଦ ।

ସକାଳୁ ସକାଳୁ ମଙ୍ଗଳବାର । ଦଫାଦାର, ଚୌକିଆ ଦି’ଜଣ ପହଞ୍ଚିଗଲେ । ଦଫାଦାର ନରିମକଦ୍ଦଙ୍କୁ ସଲାମଟାଏ ବାଜାଇ ପ୍ରେସିଡେଣ୍ଟ କ’ଣ ବାତେନି ଦେଇଥିଲେ ଚୁପ୍ ଚୁପ୍ କଥା ହେଲେ । ମକଦ୍ଦମ ତ ପୂରୁଣା ମୂଷା । ପେଟରେ ପେଟେ ଡର । ଜାଲିଆତି କରି ଶହେ ଦେଢ଼ ଶହ ଏକରର ମାଲିକ । ମହାପାତ୍ରେତ କିଲଟରଙ୍କର ପାଖ ଲୋକ । କେତେବେଳେ କ’ଣ ଯଦି ଫୁଙ୍କି ଦେବେ ବାରବର୍ଷର ମେହନତ ମାଟିରେ ମିଶିଯିବ । ଚୋର ମନ ଚୋର ଗଣ୍ଠିରେ । “ଆରେ ସଲିମ ତୁ ଯା । ଗାଁ ରେ ମକଦ୍ଦମା ମାନଙ୍କୁ ୱାକପ କରିଦେ ଗାଁର ଠାକୁରାଣୀ ଚକଡ଼ାକୁ ଆସନ୍ତୁ । ଓ ଚଉକିଦାରଙ୍କ କଥା ବୁଝୁଛି । ମୁନସୀ ସଲିମ ଖାଁ ଚୌକିଦାର ଦିହିଙ୍କ ଶାସନରେ କହିବାକୁ ବରାଦ କଲା । ନିଜେ ପାଢୀ ଘରକୁଗଲା । ବାପ, ପୁଅ ଦିହେଁଯାକ ଗୋଖା । । ପୁଅ ନିଶଂକ । ବାପ ଦହ ପେଲିବାରେ ଓସ୍ତାତ୍ । ଦଫାଦାର ତ ଫିରିଙ୍ଗି ସରକାରଙ୍କ ଚାକରିଆ । ଭାରି ମୁରାଟ । ପାଢ଼ୀ ଘରକୁ ଯାଇ ଦାଣ୍ଡରେ ଦୁଃଶା ଭାଇନାଙ୍କୁ ତାଗିଦ ସ୍ୱରରେ କହିଦେଲା “ନାଁ ତ ଅର୍ଜିଛ । ବାପ, ପୁଅ ଦିହେଁ ତୁମ ଠାକୁରାଣୀ ଚକଡ଼ାକୁ ଆସ । ପ୍ରେସିଡେଣ୍ଟଙ୍କ ହୁକୁମ ।”

ଗାଁ ମକଦ୍ଦମ ସବୁ ଗୋଟି ଗୋଟି ହୋଇଗଡ଼ିଲେ । ଟୁପ୍ ଟାପ୍ ହେଉଥାନ୍ତି । “ହଇ ହୋ ଏ ସପନା ବାଉରିର ତ ଛାତିକୁ ଲଙ୍ଗଳ ଦଉଡ଼ି ପାଉନି । ଏ ଶଳା କଂକଡ଼ି କାଳ କାଳକୁ ଆମ ଗୋଡ଼ ତଳର ଲୋକ । ଏ ଶଳା ଗୋଟେ ଯାତ୍ରା ଲଗେଇଛି । କାହା ସାଙ୍ଗରେ ମୁଣ୍ଡ ପକାଇବାକୁ ଭାବିଛି ଶଳା ଜାଣିନି ପରା । ମୁଣ୍ଡ ଗଣ୍ଡି ଆଜି ଅଲଗା ହବ । ହଉ ଚାଲ ।”

 ଘୋଡା ଦୌଡ଼ାଇ ପହଞ୍ଚିଗଲେ ପ୍ରେସିଡେଣ୍ଟ ସାହେବ । ସିଧା ନରି ମକଦ୍ଦମଙ୍କ ଦାଣ୍ଡରେ ଘୋଡ଼ାରୁ ଓହ୍ଲାଇ ପଡ଼ନ୍ତିତ ସଲିମ ଅଣନିଃଶ୍ୱାସୀ ହୋଇ ଦୌଡ଼ି ଦୌଡ଼ି ଆସି ହାଜର । ବଡ଼ ସାଆନ୍ତଙ୍କୁ ପୁଲିସ କାଇଦାରେ ସଲାମଟାଏ ମାରି ଘୋଡ଼ାକୁ ଧରି ନରି ମକଦ୍ଦମଙ୍କ ବଳଦ ଖୁଣ୍ଟରେ ଠକେଇ ଦେଇ ବଡ଼ ସାଆନ୍ତଙ୍କ ପାଖେ ଠିଆ ହୋଇଗଲା ।” ସଲିମ୍ ତୁମେ ଯାଅ ସେଠି ସମସ୍ତଙ୍କୁ ବସାଅ । ମୁଁ ଏଠି ପାଣି ଗିଲାସେ ପିଇ ନରିଭାଇନାଙ୍କୁ ନେଇ ୫ ମିନିଟ ଭିତରେ ପହଞ୍ଚୁଛି । ମକଦ୍ଦମ ଭିତର ଘରକୁ ପ୍ରେସିଡେଣ୍ଟଙ୍କୁ ପାଛୋଟି ନେଲେ । ଜମିଦାରିଆ ଚାରିପୁରିଆ ସତରଂଜି ପଡ଼ିଛି । ଥାଳିରେ ସବୁଥୁଆ ହୋଇଯାଇଛି । ୪/୬ ଅମାଲୁ । ଶିଳୁପଆ ଭଳି ପୁରାସାରିଆ ୪ଟି ପାଟ କପୁରା କଦଳୀ, ଥଲଥଲ ବାସାଦହି ।

ଥାଳି କଡ଼ରେ ନବାତ । ନଡ଼ିଆ, କଦଳୀ,ଦହିଛେନା, ନବାତ, ଗୋଲ ମରିଚ ଚୂନା ପଡ଼ି ଚକଟା ଏମିତି କେତେ କ’ଣ ସଜଡ଼ା ହୋଇ ଥୁଆ ହୋଇଛି । ନରି ଭାଇନା ପାଣିଢ଼ାଳ ବଢ଼ାଇ ଦେଲେ । ମହାପାତ୍ରେ ହାତଧୋଇ ସତରଂଜିରେ ଚକାପକାଇ ବସିଗଲେ। ହଇଓ ଭାଇନା, ଏତେ ଗୁଡ଼ାଏ ଜିନଷ କ’ଣ? ଅମାଲୁ ତୁମର କିଏ କରି ଜାଣିଛି ? ତାର ଭାଗ ମାପ ତ ସମସ୍ତଙ୍କୁ ଜଣା ନାହିଁ ।” ଆମ ସାହି ସତ୍ୟବାଦୀ ଷଡ଼ଙ୍ଗୀ । ବହୁଦିନ ସିଲଟରେ ଥିଲେ ତ । ସେ ଅମାଲୁରେ ଓସ୍ତାଦ ।” କଥାବାର୍ତ୍ତା ଭିତରେ ମହାପାତ୍ରେ ଥାଳି ସଫା କରି ସାରିଲେଣି । ପାଣି ଗ୍ଲାସେ ପିଇ ଉଠିଲେ । ସେ ଦୁଃଶା ପାଢ଼ୀକୁ ସବୁକଥା କହିଛ ତ? ହଉ ଆସ ।” ମହାପାତ୍ରେ ଆଗରେ ଚାଳିଲେ । ପଛେ ପଛେ ନରିଭାଇନା ।” ସବୁ ଠିକ୍ ଅଛି । ଦେଖିବେନି ।”

ମହାପାତ୍ରେ ଦେଉଳ ମଣ୍ଡପ ପାଖରେ ପହଞ୍ଚିଗଲେ କି । ଦଳିତମାନେ ନିଜ ନିଜ ସ୍ଥାନରେ ରହି ଲମ୍ବା ଲମ୍ବା ଜୁହାର ହେଲେ । ସରକାରଙ୍କର ବଡ଼ ହାକିମ । ଆମର ମା, ବାପ, ଡରି ଡରି ଏମାନେ ତ କାଠ ପଥର ପାଲଟିଯାଇଛନ୍ତି । ଶାସନିଆ ବ୍ରାହ୍ମଣମାନେ ଠିଆ ହୋଇ ନମସ୍କାର କରନ୍ତି । “ଆରେ ସଲିମ । ସମସ୍ତେ ଆସିଛନ୍ତି ତ । ତୁମେ ୪ ସାହି ମୁରବୀ ଆସିଛ ଭଲ କଲ । ସପନି କୋଉଠି ବସିଛୁ ।” ସପନି ଠିଆ ହୋଇଗଲା । “ହଁ ବସ୍ ବସ୍ । ମୋ ପାଖରେ ବ୍ରାହ୍ମଣ ବାଉରି ନାହିଁ । ଛୁଆଁ ଅଛୁଆ ନାହିଁ । ସମସ୍ତଙ୍କ ପାଇଁ ସମାନ ବିଚାର । ଖଣ୍ଡା ଧାରରେ ବିଧାଏ । ଦୋଷୀକୁ ଦଣ୍ଡ । ଫିରିଙ୍ଗ ସାହବଙ୍କ ଠାରୁ ଶିଖିଛି ।” ମନ୍ଦିର ପୂଜକ ପାଦୁକ ଲଗାଇଲେ । ଚକଡ଼ା ଉପରେ ସମସ୍ତେ ପାଇଲେ । ଚକଡ଼ା ତଳେତ ଅଚ୍ଛବ । ସେମାନଙ୍କର ପାଦୁକାରେ ଦାବୀ ନାହିଁ । ଠାକୁର କିଏ ଗୋଟେ ଅଛି । ସେମାନଙ୍କର ଡର । ପାଦୁକ ନପାଇଲେ ବି ସମସ୍ତେ ପାଦୁକ ଉଦ୍ଦେଶ୍ୟରେ ଜୁହାର କଲେ ।”

ହଉ ନରିଭାଇନା କଥା ପକାଇବା । ଡେରିତ ହୋଇଗଲାଣି । ମୁଁ ଘରୁ ଠିକ୍ ବାହାରିଥିଲି । ବାଟରେ ଗୋବିନ୍ଦ ପଣ୍ଡିତଙ୍କ ଘରବାଟେ ଆସିଲି । ସପନା କଥା କହିଲି । ସେ ପୋଥି ଖେଳେଇ ଦେଖିଲେ । ଟିକେ ଡେରି ହୋଇଗଲା ।” ଗୋବିନ୍ଦ ପଣ୍ଡିତ ପାପ, ପୁଣ୍ୟ, ପ୍ରାୟଶ୍ଚିତ ବିଧାନ କୁହନ୍ତି । ମନୁ ସଂହିତା ତାଙ୍କର ପାଣି । ତାଙ୍କ ଜିଭ ଅଗରେ ‘କ’ ଠୁ  ‘କ୍ଷ’ ପର୍ଯ୍ୟନ୍ତ । ‘ଖୁଣ୍ଟ ମୁରବି ସବୁ ଅଛ । ଅଛୁଆଁ ହେଲେ ବି ତୁମ ନ୍ୟାୟ ଶୁଣିଛି । ତୁମର ବୁଦ୍ଧି ବିଚାର କିଛି କମ୍ ନୁହେଁ । ତୁମେ ସବୁ ଆସିଛ ଭଲ କରିଛ । ସପନାକୁ ବଳ । ହଉ ସପନି ତୋ କଥା ଆଦ୍ୟରୁ ପ୍ରାନ୍ତ ସବୁ କହ ।”

ସପନା ଏତେଗୁଡ଼ାଏ ଲୋକଙ୍କୁ ଦେଖି ଡରିଗଲାଣି । ଥଙ୍ଗେଇ ଥଙ୍ଗେଇ ସବୁ କଥା କହିଲା । “ଆରେ ତୋ ଝିଅ ଆସିଛି ତ ? ତାକୁ ଡାକ । ତାଠୁଁ ଶୁଣିବା” । ଖୁଣ୍ଟ ମୁରବୀ ରାମାଭୋଇ ମନକୁ ମହାପାତ୍ରଙ୍କ କଥା ପାଇଲାନି । ସାହସ ବାନ୍ଧି ପଚାରି ଦେଲା । ଆଜ୍ଞା ଏତ କିଲଟରଙ୍କ କୋର୍ଟ ନୁହେଁ । ଗାଁ ନ୍ୟାୟ । ଝିଅକୁ ଡାକିବା କ’ଣ ଫାବୁଛି ।” ମାରି ପାରିଲେ ମହାପାତ୍ରେ । ସେତ ଦେଖୁ ଦେଖୁ କେଉଁ ଶିରରେ କେଉଁ ପାଣି ଯାଉଛି ଜାଣି ଯିବା ଲୋକ । ରାଗ ସମ୍ଭାଳି ନେଇ କହିଲେ “ଆରେ ରାମା । ମାଡ଼ୁଆ ନ ଥାଇ ଗୁଆରିଆ? ମୁଁ ବ୍ରାହ୍ମଣ ସତ । ହେଲେ ମୁଁ ଶିର ଦେଖି ଚଡ଼ୁ ନେବା ଲୋକ । ଆମକୁ କାଇଁ କିଏ ଭୂଲ ଦେବ । ସପନା ଝିଅକୁ ଡାକ,” ସପନା ବଡ଼ ପୁଅ କର୍ତ୍ତିକକୁ ବରାଦ କଲା । କାର୍ତ୍ତିକ କାଳୀକୁ ଆଣି ପହଞ୍ଚିଗଲା । କାଳିମା ବି ଆସିଛି । ଝିଅତ ଡରି କରି ମୂଷା, ଆସୁନଥିଲା । ମା ବୁଝାଇ ଶୁଝାଇ ଅଣିଲା ।” ସେ ଚଣ୍ଡାଳ କଥା ବୁଝା ହେବ ।

ବଡ଼ ସାଆନ୍ତେ ଆସିଛନ୍ତି ତା ନାକ ଘସାଇ ଛାଡ଼ିବେ ।” କାଳୀ ଏବେ ବି ଥରୁଛି । ପୁଣି ଏତେ ଲୋକଙ୍କ ଆଗରେ ଠିଆ ହେବ । ଦିହ ଘୋଡ଼ାଇବାକୁ କନା ବି ପାଉନି । ବଡ଼ ସାଆନ୍ତେ ଝିଅକୁ ଏକା ଆଖିରେ ଚାହିଁ ରହନ୍ତି । ଏମାନଙ୍କର ତ ଟିକେ ଆଇଁସିଆ ଦୋଷଥାଏ । ଝିଅସିନା ଜାଣିନି । ବଡ଼ ସାଆନ୍ତ ଖୁବ୍ କରିତ୍ କର୍ମା । ନିଜ ଚାକିରିଆଣୀ ସହିତ ମନ୍ଦକର୍ମ କରି ତାକୁ ପାପ ଗର୍ଭକଲେ । ବିଚାରି ପୋଖରୀକୁ ଡ଼େଇଁ ଆତ୍ମହତ୍ୟା କଲା । ହାଡ଼ି ବାଇଦ କୋଷେ, ତୁଣ୍ଡ ବାଇଦ ଶହସ୍ର କୋଶ । ସମସ୍ତେ ଜାଣିଲେ । କିନ୍ତୁ ସେପରା ବଡ଼ ଲୋକ । ବଡ଼ଲୋକଙ୍କୁ ଉତ୍ତର ନାହିଁ କି ସ୍ୱର୍ଗକୁ ନିଶୁଣୀ ନାହିଁ । ଗାଁ ଲୋକେ ଟୁପଟାପ ହେଲେ । କିନ୍ତୁ ବିଲେଇ ବେକରେ ଘଣ୍ଟି ବାଁଧିବ କିଏ? ସମସ୍ତେ ତ ଊଣା ଅଧିକେ ବଡ଼ ସାଆନ୍ତଙ୍କ ଠାରେ ଧାରିଛନ୍ତି । ସେଇ ବଡ଼ ମକଦ୍ଦମ । ଏକା ମଣିଷ । ଘୁସୁରି ପ୍ରକୃତି ପଂକେ ଲୋଟେ । ମଣିଷ ପ୍ରକୃତି ମଲେ ତୁଟେ । ଝିଅଟାକୁ ଏକଲୟରେ ଏପରି ଚାହିଁଲେ ଯେ ଝିଅ ଡ଼ରି କାନ୍ଦି ପକାଇଲା ।” ହଉ ହଉ ଝିଅ ତ କାଲି ଘଟଣାରେ ଡରିଯାଇଛି । ସପନି ତା ମାକୁ କହ ଝିଅକୁ ନେଇ ଘରକୁ ଯାଉ ।”

ମାହାପାତ୍ରେ ମକଦ୍ଦମକୁ ବରାଦ କଲେ ଆରେ ସେ ପାଢ଼ୀ ଟୋକାକୁ ଡାକ । ଦୁଃଶାକୁ କଡ଼ାଗଳାରେ ପଚାରିଲେ, “ତୁମ ପୁଅ ସାଆନ୍ତ କାହାଁନ୍ତି ? ସଲିମ “ଯା ସେ ବାଳୁଙ୍ଗାକୁ ଆଣି ହାଜର କରା । ଭାରି ତ କାଢ଼ୁଆ । ଲୁଚୁଛି କାହିଁକି ? ଚଉକିଆ ଦିହଁକି ନିଅ ।” କଥା ସରିନି ବାପେ ଗୋଟେ ପେଖେନା ବାହାର କଲେ । “ଆଜ୍ଞା ମୁଁତ ଆସିଛି । ବାପ ଥିଲା ପୁଅ ସଭାରେ ହାରେ ନି । ଯଦି ଦୋଷାଦୋଷ ହେବ ମୁଁ ତ ମାନି ଅଛି । କ’ଣ ଗୋଟେ କଥା ଯେ ହଜୁର ତିଳକୁ ତାଳ କରୁଛନ୍ତି ।” “ଦୁଃଶାଃ । ମୁହଁ ସମ୍ଭାଳି କଥା କହ । ଢିଙ୍କିକି କାଠ ବୋଲି ଭାବୁଛୁ । ନାହିଁରେ ।” ଗାଁ ସାନ ସାଆନ୍ତ ବିଞ୍ଚୁଛନ୍ତି । ପାନ ଖଣ୍ଡେ ଖଣ୍ଡେ ଭାଂଗି କରି ଦଉଛନ୍ତି । ପାନବଟା ପାଖରେ ଥୁଆ ହୋଇଛି । ସଲିମ ପାଢ଼ୀ ଟୋକାକୁ ଆଣି ହାଜର କଲା । ମହାପାତ୍ରେ ରାଗରେ ଅଗ୍ନଶର୍ମା । ତାଙ୍କ ମନକୁ ଯାହା ଆସିଲା ଗାଳି ବର୍ଷିଲେ । “ହଇରେ ନିର୍ଲଜ ମୁର୍ଖ । ତୁ ପରା ବାହାତୋଳା ହେଇଛୁ । ଦି’ଟା ପିଲାର ବାପ । ଫେର ଏତେ ସଅକ । ତୁ ଠାକୁରାଣୀଙ୍କ ପୁଝାରୀ । ନ ହେଲେ ହଗା ଲଗାକରି ସେକି ଦିଅନ୍ତି । ପାଢ଼ୀ ଟୋକା ଖୁଣ୍ଟ ଭଳି ଠିଆ ହୋଇଥାଏ । ବାପା ତ ବାହାରି ପଡ଼ିଲେ,” ଆଜ୍ଞା ସେ ଗୁଡ଼ାକ ଅଛୁଆଁ ଛୋଟ ଜାତି । କାଳେ କାଳେ ବ୍ରାହ୍ମଣ ଛତିଶ ପାଟକରେ ରଜା । ରଜାର ଭୂଲ ଧରିବ ଅଛୁଆଁ ମଣିଷ । ବଡ଼ ସାଆନ୍ତେ ମୋ ପୁଅକୁ କୁକୁର ମାଂକଡ଼ ପରି ମୋ ଆଗରେ କହି ଚାଲିଛନ୍ତି ।…”

ଖୁଣ୍ଟ ଭୋଇତ ବାହାରିଲା । ସମ୍ଭାଳି ପାରିଲା ନି । ଶଳା ବ୍ରାହ୍ମଣ ଚୋରି କରି ପାହାରି ଜଗୁଛି । “ମୁହଁ ସମ୍ଭାଳି କଥା କହ ପାଢ଼ୀଏ । ଆଉ ପଦେ କହିଲେ ବାପ, ପୁଅକୁ ସେକି ଦବୁ । ସାହାବ ଫାଅବ କିଛି ମାନିବୁନି ।” ମହାପାତ୍ରେ ବୁଝିନେଲେଣି ଭୋଇମାନେ ରାଗି ଗଲେଣି। ତାଂକୁ ସୁହାଇଲା ଭଳି ଦିପଦ କହିବା ।” ମେରିଆ ଭାଇ (ଅକଳରେ ପଡ଼ିବା ଆଶଂକାରେ ଭାଇ ଡାକରା ?) ମୁଁ ତ ମୂଳରୁ ତୁମମାନଙ୍କ କଥା ଶୁଣିଛି । ବୁଝୁଛି । ପଚରା ଉଚରାରେ କିଛି କମ୍ କରୁଛି? ପକ୍ଷ ଧରୁଛି ? ମୋ ପାଖରେ ବାଉରି ବାହ୍ମଣ ସମାନ । ନ୍ୟାୟରେ ଜାତି ପାତି କଥା ନାହିଁ । ମୁଁ ନ୍ୟାୟ ଦଣ୍ଡ ଧରିଛି । ଫିରିଙ୍ଗ ସରକାର ବାଘ ଛେଳି ଏକା ତୁଠରେ ପାଣି ପେଉଛି । ମୁଁ ତାର ଦୌରାଜଜ୍ କୋର୍ଟରେ ଜୁରି ମେମ୍ବର । ବସ, ବସ ।”

ଭୋଇମାନେ ସେତବେଳକୁ ଠେଙ୍ଗାଧରି ଠିଆ ହୋଇଯାଇଥିଲେ । ମହାପାତ୍ରଙ୍କର ବିଚକ୍ଷଣ ବୁଦ୍ଧିତ । କିଛି ଅଘଟଣ ହେବା ଆଗରୁ ସ୍ଥିତିଟା ନରମ କରି ଦେଲେ । ଅଲେଖ ମକଦ୍ଦମ ଭାରି କୁହାଳିଆ ଲୋକ । “ହଇରେ ସପନା, ଭଗିଆ, ରାମା ତୁମେ ସବୁ ଆମ ଗୋଡ଼କଳର ଲୋକ । କ’ଣ ମୁଣ୍ଡରେ ବସିଲା ଭଳି କଥାବର୍ତ୍ତା କରୁଛି ।” ଅଲେଖ ମକଦ୍ଦମଙ୍କ କଥାରେ ବ୍ରାହ୍ମଣ ଗୁଡ଼ାକ ମହୁମାଛି ଦଳ ଭଳି ଭଁ କରି ଉଠିଲେ ।” ହୋ ପାଢ଼ୀ ଏ ଉଠ । ବାଉରି ଶଳା ବାଉଳା ଜାତି । ଫୁଙ୍କି ଦେଲେ ଉଡ଼ିଯିବେ ଶଳାଏ ବ୍ରାହ୍ମଣ ସାଙ୍ଗେ ମୁଣ୍ଡ ପକାଇବାକୁ ତିଆର । ଶଳାଏ ଉଁଚୁଁ କରୁ ନଥିଲେ । ଏ ଗାନ୍ଧୀବୁଢ଼ା ହରିଜନ କହି ଏମାନଙ୍କୁ ମୁହଁ ବଢ଼ାଇ ଦେଲାଣି, ଆରେ କୋଉ ଗାନ୍ଧୀ ଏଠି ପିଠିରେ ପଡ଼ିବେନି ।” କଂକଡ଼ାକୁ ଗୋଳିପାଣି ସୁହାଇଲା । ପାଢ଼ୀ ବାପ ପୁଅ ଉଠି ଚାଲିଯିବାକୁ ତିଆର । ମହାପାତ୍ରେ ପାଟିଟେ କରି ପାଢ଼ୀ ଦିହିଁଙ୍କି ତାଗିଦ କଲେ”, ବସୁଛନା ଦେଖିବ । ତୁମକୁ ଥାନା ହାଜତ ଦେଖାଇ ଦେବି । ଏ ମକଦ୍ଦମ କିଏ ତୁମ ପିଠିରେ ପଡ଼ିବେ ।” ଥାନା କଥା ଶୁଣି ସତକୁ ସତ ମକଦ୍ଦମ ବସିଗଲେ । ଏମାନେ ଭିଡ଼କୁ ନୁହେଁ । ହାଡ଼େ ହାଡ଼େ ଡର । ମୁହିଁ ଭଡ଼ଙ୍ଗ ବେଶୀ, ଥାନା, ପୋଲିସ କହିଲେ ଠିଆ ଠିଆ ମୁତି ପକାଇବେ । ଦୁଃଶାସନ ପୁଅକୁ ଡାକି ଚକଡ଼ାରେ ବସିଗଲେ ।

ଭୋଇବିରାଦ ଚକଡ଼ା ତଳେତ ବସିଥାନ୍ତି । ମହାପାତ୍ରଙ୍କ ପାଢ଼ୀ ବାପ, ପୁଅଙ୍କୁ ଗାଳି ଶୁଣି ନିଜ ନିଜ ଭିତରେ ଟୁପଟାପ ହୁଅନ୍ତି । ମୁହିଁରେ ଟିକେ ନାଲିହସ । ମହାପାତ୍ରେ ବସି ପଡ଼ିଲେ । ବୈଶାଖ, ଜ୍ୟୋଷ୍ଠ ଖରା । ଦିହରୁ ଗମ୍ଗମ୍ ଝାଳ ବୋହୁଛି । ନରି ମକଦ୍ଦମେ ଗ୍ଲାସେ ସରବତ ଧରାଇ ଦେଲେ, ଦି ଢୋକର ଢକ ଢକ ପିଇଦେଇ ପାନ ଖଣ୍ଡେ ଚଢ଼େଇ ଦେଲେ । ଆରମ୍ଭ କଲେ, “ପକ୍ଷମାନଙ୍କ କଥା ତ ସମସ୍ତେ ଶୁଣିଲ । ମୋ ପାଖେ କହେି ସାନ ବଡ଼ ନୁହେଁ । ଧର୍ମ ଦଣ୍ଡ ଧରିଛି । ପଣ୍ଡିତଙ୍କ ଠାରୁ ପାପ, ପୁଣ୍ୟ, ପ୍ରାୟଶ୍ଚିତ ବିଧାନ ବୁଝିଛି । ଏଇତ ମାର ହାଣ କଥା ନୁହେଁ । ଫୋଜଦାରି ଆଇନ କାମ କରିବନି । ଜମି ବାଡ଼ି ଗଣ୍ଡୋଗୋଳ କଥା ନୁହେଁ ଦେଓ୍ୟାନି ଆଇନ ଲାଗିବ । ବ୍ରାହ୍ମଣ ଶୁଦ୍ରଙ୍କ କଥା । ବ୍ରାହ୍ମଣ ଛତିଶ ବର୍ଣ୍ଣରେ ରାଜା ଆମେ ସମସ୍ତେ ଜାଣିଛେ । ପଣ୍ଡିତେ ଯାହା କହିଛନ୍ତି ଅପ୍ରିୟ ସତ୍ୟ କଥା । ନୀଚ ଜାତିର ଝିଅ ବୋହୂଙ୍କୁ ବ୍ରାହ୍ମଣ ଉପଭୋଗ କଲେ ମନୁସଂହିତା ଏଥିପାଇଁ ବ୍ରାହ୍ମାଣଙ୍କୁ ଦୋଷୀ କରୁନାହିଁ । ଆଜି ଗ୍ରାମ କୋର୍ଟ ସପନା ବ୍ରାହ୍ମଣ ସଭାରେ ପାଢ଼ୀପୁଅକୁ ଠିଆକରାଇଲା । ସେଇଥିପାଇଁ ତାକୁ ଟଂକା ଟିଏ ଜୋରିମାନ କରାଗଲା । ସପନା ତା ବସିବା ଯାଗାରେ ଗୋଡ଼ତଳେ ପଡ଼ି ବ୍ରାହ୍ମଣ ମକଦ୍ଦମ ମାନଙ୍କଠାରୁ ଦୋଷ ମାଗିନେବ । …”

ଆଉ କଣ କହୁଥିଲେ ଧରମା, ସପନାର, ସାନପୁଅ ଗାଳିତ ଦେଇଗଲା ।” ହଇଓ ବିଲାତ ସରକରଙ୍କ ଗୁମସ୍ତା । ଭାରି ତ ନ୍ୟାୟ ଦେଖାଉଛ । ତୁମେ କ’ଣ ଗାନ୍ଧୀ ବୁଢ଼ାକଥା ଶୁଣିନ କି । ଆଉ ବ୍ରାହ୍ମଣ ଛତିଶ ପାଟକ ରାଜା ନୁହେଁ । ଏବେ ବ୍ରାହ୍ମଣ, ଚଷା, ତେଲି, ତାମିଲ, ବାଉରି, ପାଣ ସମସ୍ତେ ଗୋଟିଏ ଜାତି । ମଣିଷ ଜାତି । ଆମେ ହରିଜନ । …” ଆରେ କାଲିକା ଲଣ୍ଡି । ୧୫/୧୬ ବର୍ଷର ପିଲାଟେ । ଗାଲ ଚିପି ଦେଲେ ମା କ୍ଷୀର ବାହାରି ପଡ଼ିବ ।” ହଇରେ ସପନା ଇଏ କ’ଣ ତୋ ପୁଅ… ।” ଆଉ କ’ଣ କରିଥାନ୍ତେ ନରିମକଦ୍ଦମେ ବାହାରି ପଡ଼ିଲେ, “ଏ ଟୋକା ୩/୪ ବର୍ଷ ତଳେ ପଢ଼ିବାବୁ ଆମ ସ୍କୁଲକୁ ଆସିଥିଲା । ଅଛୁଆଁ ପିଲା । ତାକୁ ଆମେ ଫେରେଇ ଦେଲୁ । ସେ ହରି ଷଡ଼ଙ୍ଗୀଙ୍କ ପୁଅ ରମେଶ ସଙ୍ଗେ ନିଆଳିରେ ପଢ଼େ । ଏ ଟୋକା ତାଙ୍କ ଘରକୁ ଯାଆସ କରେ । ସେ ରମେଶ ତାକୁ ଉପର ମୁହାଁ କରି ଦେଇଛି” ରମେଶ ଠିଆ ହୋଇ ନ୍ୟାୟ ଶୁଣୁଥିଲା । ତାକୁ ଧରମା କଥା ଖୁବ୍ ଭଲ ଲାଗୁଥିଲା । ନନାଙ୍କ ଡରରେ ସେ ଚକଡ଼ା ଛାଡ଼ି ପଳେଇଲା ।

ସଭାରେ ହାଜର ଥିବା ଭୋଇ ବ୍ରାହ୍ମଣଙ୍କ ଭିତରେ ପାଟିତୁଣ୍ଡ ଆରମ୍ଭ ହୋଇଗଲା । ଏଥି ଭିତରେ ସପନା ଟଂକାଟିଏ ଥୋଇ ଦଣ୍ଡବତ ସାରିଲାଣି । ଭୋଇମାନେ ରକ୍ତ ଚାଉଳ ଚୋବାଇ ଉଠିଲେ । ମେରିଆ ଦିପଦ କହିଦେଲା, “ସାଆନ୍ତେ ତୁମ ଦିନକାଳ ସରିଆସୁଛି । ଏଣିକି ତୁମ ରାଜୁତି ନୁହେଁ ଏଇ ଅଛୁଆଁଙ୍କ ପାଳି ଆସୁଛି । ମହାପାତ୍ରେ ସେଣିକି କାନ ପହରେଇ ଦେଇ ଉଠିଲେ । ଘୋଡ଼ା ଆସିଯାଇଛି । ଘୋଡ଼ା ଚଢ଼ିଲା ବେଳକୁ ସାନ ମକଦ୍ଦମ ଗୋଟିଏ ଛୋଟ ଅଖାରେ କ’ଣ ସବୁ ବାନ୍ଧିଥିଲେ ମହାପାତ୍ରଙ୍କୁ ଦବାପାଇଁ ଧରେଇଦେଲେ ।” ସେ ଯାହା ସବୁ ସଲିମକୁ ଦବ । ସେ ପହଞ୍ଚାଇବ ।”

ସପନା, ଭୋଇ ବିରାଦ ଦୋଷ ମୁଣ୍ଡାଇ ଘରକୁ ଫେରିଲେ । ସତକଥା ତ ସାତ ତାଳ ପଙ୍କରୁ ବାହାରେ । ସେଇ ଶାସନରୁ ଟୁପଟାପ ହେଲେ । ପାଢ଼ୀଏ ୨କିଲୋ ଗୁଆଘିଅ, କଞ୍ଚା କଦଳି କାନ୍ଦିଏ, ପାଟକପୁରା କଦଳୀ କାନ୍ଦିଏ, ସରୁ ପଦ୍ମକେଶରୀ ଚାଉଳ ୪/୫ ସେର ଯୋଗାଡ଼କରି ସାନ ମକଦ୍ଦମଙ୍କ କଥା ମୁତାବକ ମହାପାତ୍ରଙ୍କ ପାଇଁ ଆଗରୁ ଧରେଇ ଦେଇଥିଲେ ।

।। ସମାପ୍ତ ।

ତା.୦୩/୦୮/୨୦୨୦(ଗହ୍ମା ପୂର୍ଣ୍ଣିମା)

Share This Article
ଅବସରପ୍ରାପ୍ତ ଶିକ୍ଷକ, ବିଶିଷ୍ଟ ଜୈବ ଚିନ୍ତକ ଓ ଦେଶୀଚାଷୀ ( Indigenous farmer, Organic Thinker and Retired Teacher)