Home / ସମୀକ୍ଷା / ସାଂସ୍କୃତିକ ସମୀକ୍ଷା / ଯେଉଁମାନଙ୍କର ଜୀବନଚର୍ଯ୍ୟା ସଙ୍ଗୀତମୟ

ଯେଉଁମାନଙ୍କର ଜୀବନଚର୍ଯ୍ୟା ସଙ୍ଗୀତମୟ

 

“ବ୍ୟକ୍ତିଗତ ଅଭିମାନକୁ ଛାଡ଼ି ପ୍ରକୃତିରୁ ବଞ୍ଚୁଥିବା, ପ୍ରକୃତିକୁ ଧାରଣ କରିଥିବା, ପ୍ରକୃତିକୁ ରକ୍ଷଣ କରୁଥିବା ଏବଂ ପ୍ରକୃତିକୁ ପ୍ରାଣ ବୋଲି ବିବେଚନା କରୁଥିବା ଆଦିବାସୀମାନଙ୍କର କଳା ସଂସ୍କୃତିକୁ ଆହରଣ କରିବା ଜରୁରୀ । ସମସ୍ତଙ୍କର ଏ ସୃଷ୍ଟିରେ ବଂଚିବାର ଅଧିକାର ଅଛି ଏଇଟାକୁ ଅଗ୍ରାଧିକାର ଦେଇ ସାଙ୍ଗୀତିକ ଧାରାକୁ ପୁନରୁଦ୍ଧାର କରିବାର ପ୍ରୟାସ କରାଯାଉ” । ଗୁରୁଶ୍ରୀ ଘାସିରାମ ମିଶ୍ରଙ୍କର ଆଦିବାସୀ ସଂସ୍କୃତି ଓ ସେଥିରେ ସାଙ୍ଗୀତିକ ମୂଲ୍ୟବୋଧ ଉପରେ ଧାରାବାହିକଭାବେ ଚାଲିଥିବା ଗବେଷଣାକୁ ସମ୍ମାନ ଦେଇ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ତାଙ୍କୁ ‘ଡ଼ିଲିଟ୍’ ପ୍ରଦାନ କରିଛି । କିନ୍ତୁ ଏହି ଗବେଷଣାଲବ୍ଧ ଜ୍ଞାନ ଏବଂ ଅନୁଭୂତିକୁ ସରକାର ଓ କଳାପ୍ରେମୀ ମଣିଷମାନେ ପୁଞ୍ଜି କରି ସଂସ୍କୃତିକୁ ବଞ୍ଚାଇରଖିବାପାଇଁ ପ୍ରୟାସ ନକରିବା ଯାଏ ଏହି ଡ଼ିଲିଟ୍ କିମ୍ବା ପୁରସ୍କାରର କିଛି ଅର୍ଥନାହିଁ ବୋଲି ଅନୁଭବ କରନ୍ତି ଗୁରୁଜୀ ମହୋଦୟ ।          – ସମ୍ପାଦକ

ମଣିଷ ଆଦିପର୍ବରେ ଯେତେବେଳେ ନିଜ ଜୀବନ ନିର୍ବାହ କରିବାକୁ ପ୍ରୟାସ କରିଛି ସେ ଏତିକି ନିଶ୍ଚିତ ହୋଇଛି ଯେ, ଧ୍ୱନି ବିନା ଏ ଜଗତ ତିଷ୍ଠିବା ଅସମ୍ଭବ । ଧ୍ୱନି ଜଳ, ସ୍ଥଳ, ଉଦ୍ଭିଦ ଠାରୁ ଆରମ୍ଭକରି ସମସ୍ତ ସ୍ଥାନରେ ଅଛି । ମଣିଷ ପଥର ଉପରେ ପଥର ବାଡ଼େଇଛି ଛାତି ଭିତରେ ତାର ଅନୁକରଣ କରିଛି ଏବଂ ପଞ୍ଚତତ୍ତ୍ୱକୁ ନେଇ ଯେତେବେଳେ ଗବେଷଣା ଆରମ୍ଭ କରିଛି, ସେତେବେଳେ ସେ ପଞ୍ଚଭୂତରେ ଥିବା ଧ୍ୱନିକୁ ଆହରଣକରି ତାର ଶରୀରରେ ପାଞ୍ଚଟି ଯାଗାରେ ପ୍ରଥମରେ ତାକୁ ଅନୁକରଣ କରି ସମ୍ମୀଶ୍ରଣ କରିବାକୁ ଚେଷ୍ଟା କରିଛି । କେତେବେଳେ ଛାତିରେ କେତେବେଳେ ପିଚାରେ କେତେବେଳେ ହାତରେ ତାଳି ଦେଇ, କେତେବେଳେ ମୁହଁରେ ହୁହା କରି ଏପରି ଭାବରେ ସେ ଅନେକ କାମ କରିସାରିଛି  ।

ଧ୍ୱନିର ଗୋଟିଏ ନିର୍ଦ୍ଧିଷ୍ଟ ରୂପ ନାହିଁ  । ଧ୍ୱନିର ସ୍ଥିତିଟିକୁ ଆମେ ସମସ୍ତେ ହୃଦୟଙ୍ଗମ କରିପାରିବା ସିନା କିନ୍ତୁ ତାର ଠିକଣା ଅନୁସନ୍ଧାନ କରିବା ସାଧାରଣ ମଣିଷ ପକ୍ଷେ ବା ଆମମାନଙ୍କ ପକ୍ଷେ ଅସମ୍ଭବ । ଧ୍ୱନିକୁ କେହି ତିଆରି କରିନାହାଁନ୍ତି ଏଇଟା ପ୍ରକୃତିରେ ରହିଛି ଏବଂ ପ୍ରକୃତି ଯାହା ଦେଇଛି ତାକୁ ଆମେ ଗ୍ରହଣ କରିଛୁ ।

ଧ୍ୱନିରୁ ଭାଷା, ସାହିତ୍ୟ, ସଙ୍ଗୀତ ସବୁର ସୃଷ୍ଟି ଯେଉଁଥିରେ କି ପଞ୍ଚତତ୍ତ୍ୱର ସମସ୍ତ ଗୁଣ ରହିଛି । ଆଦିବାସୀ ସଂସ୍କୃତିରେ ମଧ୍ୟ ତାହା ପାଳନ କରାଯାଏ । କୌଣସି ଯାଗାରେ ଯଦି ବର୍ତ୍ତମାନ ସେମାନଙ୍କ ପରିବାରର ଅୟମାରମ୍ଭ ହୁଏ କାଷ୍ଠରେ ଥିବା ଲୁକକାୟୀତ ଧ୍ୱନିଗୁଣକୁ ସେମାନେ ପ୍ରୟୋଗ କରନ୍ତି । ସେମାନେ ଗୋଟିଏ ଗର୍ତ୍ତ କରି ସେଇ ଗର୍ତ୍ତ ଭିତରେ କାଷ୍ଠକୁ ପୋତି ଦିଅନ୍ତି ଏବଂ ଗୋଟିଏ ସମୟସୀମା ନିର୍ଦ୍ଧାରଣ କରିଥାନ୍ତି ଯେ, କାଷ୍ଠରେ ଥିବା ଧ୍ୱନିଗୁଣ ଏବଂ କାଷ୍ଠରେ ଥିବା ଜୀବନୀ ଶକ୍ତି ଯେତେବେଳେ ମାଟିରେ ମିଳେଇଯିବ, ପାଣି ସାଙ୍ଗରେ ପାଣି ମିଳେଇଯିବ, ଅଗ୍ନି ସାଙ୍ଗରେ ଅଗ୍ନି ମିଳେଇଯିବ ଯେତେବେଳେ ତାହା ଜୀର୍ଣ୍ଣ ଅବସ୍ଥାକୁ ଆସିଯିବ ସେମାନେ ସେଇଠୁ ବସବାସ ଛାଡ଼ି ଚାଲିଯିବେ । ତାର କାରଣ ହେଲା ଧ୍ୱନି ବିନା ସୃଷ୍ଟି କଳ୍ପନା କରାଯାଇପାରିବ ନାହିଁ । ତେଣୁ ସେଇ କାଷ୍ଠଟା ହେଲା ଧ୍ୱନି ଗୁଣଥିବା ମେରୁ । ସେଇ ମେରୁ ଗଢ଼ିଛନ୍ତି ଆମେ ନୁହେଁ ଆଦିବାସୀମାନେ ।

ମୂଳରୁ ସେମାନେ ମେରୁ ପୂଜନ କରି ଆସିଛନ୍ତି । ସେଥିପାଇଁ ତାଙ୍କର ଦେବତା ହେଉଛି କାଷ୍ଠ ଦେବତା ଏବଂ ସେଇ ଦେବତାକୁ ସେମାନେ ଆଦି ଦେବତା ବା ‘ବଣ୍ଡା’ ମୂଳ ଭାବେ ପୂଜା କରନ୍ତି । ମେରୁର ଗୋଟିଏ ଅନ୍ୟନାମ ହେଲା ବଣ୍ଡା । ବଣ୍ଡାଦେଉ ବା ମୂଳ ଦେବତା  । ତାକୁ ପରବର୍ତ୍ତୀ ଅଧ୍ୟାୟରେ ଆର୍ଯ୍ୟ ଓ ଅନାର୍ଯ୍ୟଙ୍କ ଭିତରେ ଯେତେବେଳେ ଦ୍ୱନ୍ଦ ଉପୁଜିଛି ଆପଣାର ସାଂସ୍କୃତିପାଇଁ ଯେତେବେଳେ ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଛି ସେତେବେଳେ ସେମାନେ ତାର ନାମକରଣ ମଧ୍ୟ କରିଛନ୍ତି ।

କାରଣ ଜଗନ୍ନାଥ ହେଲା ଅଣ୍ଟାରୁ ଉପରକୁ ଏବଂ ଆଦି ପରମ୍ପରା ହେଲା ଅଣ୍ଟାରୁ ତଳକୁ ଏଣୁ ତାର ନାମ ହେଲା ଜଘାଂରୁ । ସେଇ ଧ୍ୱନି ଯାହା ଆମକୁ ମେରୁରୁ ମହାମେରୁ ରୂପଦେଲା ଏବଂ ମହାମେରୁରୁ ଆମକୁ ଦାରୁ ରୂପ ଦେଲା ଏବଂ ସେଇ ଦାରୁ ରୂପରେ ମଧ୍ୟ ନାମ ପ୍ରକାଶ କଲା ଯେ, ଇଏ ହେଉଛି ଜଗତର ନାଥ ଜଗନ୍ନାଥ । ଏ ସଂସ୍କୃତି ଭିତରେ ଥିବା ଚେତନା ଶକ୍ତି ହୁଏତ ଆଉ ପରମ୍ପରା ହେବାର ପ୍ରକାଶ କରିପାରନ୍ତି ନାହିଁ । କାରଣ ଏ ଭାଷା ତାଙ୍କର ଭାଷା ନୁହେଁ ।

ଏ ଭାଷା ତାଙ୍କ ଉପରେ ଲଦି ଦିଆଯାଇଥିବା ହେତୁ ସଂସ୍କୃତ ହେଉ ବା ଓଡ଼ିଆ ହେଉ ବା ଭାରତରେ ଯେତିକି ଭାଷା ଅଛି ସେ ସ୍ୱୀକୃତ ଭାଷା ତାଙ୍କର ଭାଷା ହୋଇ ନଥିବାରୁ ତାକୁ ସେମାନେ ପ୍ରକାଶ କରିପାରୁନାହାଁନ୍ତି । କିନ୍ତୁ ତାଙ୍କର ଭାବ, ତାଙ୍କର ପୂଜନ, ତାଙ୍କର ରହଣ, ତାଙ୍କ ସହନ, ତାଙ୍କର ଖୁସି, ତାଙ୍କର ପର୍ବପର୍ବାଣୀ, ତାଙ୍କର ବୈବାହିକ ଜୀବନ, ତାଙ୍କର ସଂସାରିକ ପ୍ରଥା ସମସ୍ତ ଭିନ୍ନଭିନ୍ନ ଏବଂ ତାହାର ସବୁଥିରେ ମୂଳ ସଂସ୍କାର ହେଉଛି ଧ୍ୱନି । ତେଣୁ ଆଦିବାସୀ ସଂସ୍କୃତିର ମୂଳତତ୍ତ୍ୱ କ’ଣ ବୋଲି ଯଦି ପଚରାଯାଏ ତାହାଲେ ସେଇଟା ହେଉଛି ଧ୍ୱନି । ଏହା ଆଗରୁ ଆମେ ଆଲୋଚନା କରିଛେ ଧ୍ୱନି ସମ୍ବନ୍ଧରେ ।

ସାଧନ ମାର୍ଗ ଅଲଗା ହୋଇପାରେ କିନ୍ତୁ କେନ୍ଦ୍ରବିନ୍ଦୁ ହେଉଛି ଏକମାତ୍ର ଧ୍ୱନି । ତେଣୁ ଏ ଜୀବନ ମଧ୍ୟ ଧ୍ୱନି ବିନା ଅସମ୍ଭବ । ବର୍ତ୍ତମାନ ସମୟ ଆହ୍ୱାନ କରିଛି ବିଜ୍ଞ ମଣ୍ଡଳିମାନଙ୍କୁ ଯେ; ଧ୍ୱନି ବିଜ୍ଞାନକୁ ଆହରଣ କରନ୍ତୁ, ଗବେଷଣା କରନ୍ତୁ, ଅନୁଶୀଳନ କରନ୍ତୁ ଏବଂ ବର୍ତ୍ତମାନ ଯୁଗରେ ତାକୁ ବିନିଯୋଗ କରନ୍ତୁ ଏହାହିଁ  ସଙ୍ଗୀତର ମୂଳ । ନାଦ ଶବ୍ଦଟିକୁ ଆସିଲେ ଆମର ଏଇଠି ଗୋଟିଏ ପ୍ରଥାଅଛି ଶାବଳକୁ ନାଦ କୁହାଯାଏ  । ମାଟି ଖୋଳୁଥିବା ଲୁହାକୁ ମଧ୍ୟ ନାଦ କୁହାଯାଏ  । ମୁଁ ତ ମେରୁକଥା କହୁଥିଲି ମେରୁରୁ ଏଠି ନାଦର କଥା ଆସିଲା  ।

ନାଦ କ’ଣ ? ନାଦ ଗୋଟିଏ ଚରିତ୍ର  । କଠିନରୁ କଠିନ ଭୂମି ହେଲେ ମଧ୍ୟ ତାକୁ ଯଦି କୌଣସି ଗର୍ତ୍ତ କରିବାର ଆବଶ୍ୟକତା ପଡ଼େ ତାହାଲେ ସେଇ ଶାବଳ ପରିବର୍ତ୍ତେ ଆଉ ଗୋଟିଏ ଲୁହା ଅଛି । ଶକ୍ତ ଲୁହା । ମାଟି ଖୋଳିବାପାଇଁ ଯେତିକି ଅସ୍ତ୍ର ଅଛି । ଯେତିକି ଯନ୍ତ୍ରପାତି ଅଛି ସବୁଠୁ ଅନ୍ତିମ ପର୍ଯ୍ୟାୟ ଆସିଲେ ନାଦର ବ୍ୟବହାର ହୁଏ ଏବଂ ନାଦ ଭୂମି କର୍ଷଣ କରିବାପାଇଁ, ଅନ୍ତର୍ଭେଦ କରିବାପାଇଁ ବ୍ୟବହାର ହୁଏ । ତାହେଲେ ଏଇଠି ପ୍ରଶ୍ନ ଉଠିବ ଯେ ସଙ୍ଗୀତ ସାଙ୍ଗରେ ସେ ନାଦର କ’ଣ ସମ୍ପର୍କ? ଯେତେ ଗଭୀରକୁ ଆପଣ ଖୋଳିବେ ସେତିକି ସେତିକି ତରଙ୍ଗାଇତ ଶବ୍ଦ ବାହାରିବ ।

ତେଣୁ ତାକୁ ସଂସ୍କୃତରେ ଓ ହିନ୍ଦିରେ “ଖାଇ” ବୋଲି କୁହାଯାଏ । ଯେମିତି ଆମର ଡ଼ାଲଖାଇ, ନୂଆଖାଇ, ଚୁଡ଼ାଖାଇ ଏମିତି ଖାଇ ଶବ୍ଦ । ଖାଇ ମାନେ କ’ଣ ? ଏପରି ଏକ ଗର୍ତ୍ତ ଛୋଟ ହେଉକି ବଡ଼ ହେଉ ଯେଉଁଠୁ ଧ୍ୱନି ପ୍ରତ୍ୟାବର୍ତ୍ତନ କରୁଥିବ ଏବଂ ତାର ମଞ୍ଜିଟିକ, ଯେଉଁ ବିନ୍ଦୁଟିକୁ ସେଇଠି ଅନୁଭବ କରିହେବ । ଏଇ ଖାଇ ଶବ୍ଦଟିକୁ ଦେଖନ୍ତୁ କିପରି ଭାବରେ ଆଦିବାସୀ ସଂସ୍କୃତି ଭିତରେ ରହିଛି । ସେମାନେ ଜାଣିନାହାଁନ୍ତି ଶାସ୍ତ୍ରୀୟ, ମାର୍ଗୀୟ ହେବ ନା ଦେଶୀ ହେବ ସେମାନଙ୍କର କିଛି ଯାଏ ଆସେ ନାହିଁ । ଦେଶୀ କହିଲେବି ତାଙ୍କର ଅପମାନ ନାହିଁ ମାନ ନାହିଁ କି ମାର୍ଗୀୟ କହିଲେ ବି ମାନ କି ସମ୍ମାନ କି ଅପମାନ କିଛିନାହିଁ । ସେମାନେ ଏକମାତ୍ର ଜାଣନ୍ତି ବଂଚିବି ସଙ୍ଗୀତରେ, ମରିବି ମଧ୍ୟ ସଙ୍ଗୀତରେ ।

ଶୋଳଶହ ସଂସ୍କାରରେ ଶୋଳଶହ ପ୍ରକାରର ଧନାତ୍ମକ ଗୁଣକୁ ସଂଯୋଜନା କରାଯାଇଛି ଏବଂ ତାକୁ ତାଳ କରାଯାଇଛି ବା ‘ପା’ କରାଯାଇଛି ଯାହା ମାଧ୍ୟମରେ ମାନବୀୟ ଧନାତ୍ମକ ଗୁଣକୁ ଜଣେ ଟାଣିନେଲେ ମଧ୍ୟ ଆର ଜଣେ ବଂଚିଛି  । ସେ ସୃଷ୍ଟି କରିବ । ଏ ଅବକ୍ଷୟ ଆଉଥରେ ଆବିର୍ଭବା କରିବାର ସୁଯୋଗ ସୃଷ୍ଟି କରିବ । ଏଠି ସଙ୍ଗୀତର ପ୍ରଭାବ ଦେଖାଯାଏ  ।

ଶିବଙ୍କର ଅନ୍ୟନାମ ଆମ ଅଞ୍ଚଳରେ ହେଉଛି ‘ଡ଼ଙ୍ଗର ବୁଢ଼ା’  । ପାର୍ବତୀଙ୍କର ଅନ୍ୟନାମ ହେଉଛି ‘ଡ଼ଙ୍ଗରୀ’  । ଡ଼ଙ୍ଗରୀ ଏବଂ ଡ଼ଙ୍ଗର । ଏଇ ନୃତ୍ୟଗୀତ ଟୋକି ପର୍ବଠାରୁ ଆରମ୍ଭ କରି ଧାଙ୍ଗଡ଼ା ପର୍ବ ପର୍ଯ୍ୟନ୍ତ, ବଳିପ୍ରଥା ଠାରୁ ଆରମ୍ଭ କରି ବଳିଦାନ ପର୍ଯ୍ୟନ୍ତ ଏବଂ କନ୍ୟାଦାନ ପର୍ଯ୍ୟନ୍ତ ସବୁଥିରେ ସଙ୍ଗୀତ । ଏତିକି ମଧ୍ୟ କୁହାଯାଇପାରେ ନାରୀ ରଜସ୍ୱାଳା ହେଲେ ମଧ୍ୟ ସିଏ ସମାଜରେ ସୃଷ୍ଟି କରିବା ପାଇଁ ତାର ଦକ୍ଷତା ହେଲା ବୋଲି ଗୋଟିଏ ଉତ୍ସବ ପାଳନ କରାହୁଏ ଆଦିବାସୀ ସଂସ୍କୃତିରେ ।

ସେଇ ସଂସ୍କୃତି ଏପରି ମହାନ ସଂସ୍କୃତି ଯେ, ବନ୍ଧୁବାନ୍ଧବ ସମସ୍ତଙ୍କୁ ଡ଼ାକି ସେଠାରେ କୁହାଯିବ ବର୍ତ୍ତମାନ ଯେଉଁ ବାଳିକା ଥିଲା ବର୍ତ୍ତମାନ ସିଏ ନାରୀ ଓ ଭବିଷ୍ୟତ ପାଇଁ ସେ ଜଣେ ମା। ସେଥିପାଇଁ ମାତୃତ୍ୱ ସମ୍ମାନ ଦେବାପାଇଁ ତାଙ୍କୁ ସମ୍ମାନ ଦେଇ ଉତ୍ସବ ପାଳନ କରାଯାଏ । ଆଦିବାସୀ ସଂସ୍କୃତିକୁ ଅପସଂସ୍କୃତି ବୋଲି କହୁଥିବା ଲୋକଙ୍କୁ ଆମେ ସୂଚନା ଦେବାକୁ ଚାହିଁବୁ ଯେ, ଭଲକରି ନିରିକ୍ଷଣ କରନ୍ତୁ  । ଆଦିବାସୀ ସଂସ୍କୃତିର ଜନ୍ମରୁ ମରଣ ପର୍ଯ୍ୟନ୍ତ ଯେଉଁ ଷୋହଳଟି ବିଭାଗ ରହିଲା  ଧ୍ୱନାତ୍ମକ ଗୁଣରେ ଷୋହଳ ଭରଣୀ ବୋଲି କୁହାଗଲା । ଷୋହଳ ପ୍ରକାର ବାଦ୍ୟଯନ୍ତ୍ର ଦ୍ୱାରା ଶରୀର ଭିତରେ ଭାବକୁ ଭରଣ କରିବାପାଇଁ ଷୋଳଭରଣୀ ଏବଂ ଏଇ ଆଦିବାସୀ ସଂସ୍କୃତିରେ ଯେହେତୁ ମୁଁ ମୂଳରୁ କହିଛି ଯେ, ମୂଳ ଏବଂ କାଷ୍ଠରେ ହେଲା ମେରୁ ।

ସେଇ ମେରୁଙ୍କ ଭିତରେ ଉଦଗମ ହୋଇଥିବା ଶାଖାପ୍ରଶାଖା ଏ ସମସ୍ତଙ୍କୁ ନେଇକି ଏ ସାଂସ୍କୃତିକ ବୃକ୍ଷକୁ ଏଠି ଗ୍ରହଣ କରାଯାଇଛି । ସଂସ୍କୃତି ହେଲା ଆହୁରି ଗୋଟିଏ ରକମର ବିଶାଳ ଅକ୍ଷୟ ବୃକ୍ଷ ଏବଂ ଏଇ ବୃକ୍ଷରେ ବିଭିନ୍ନ ଶାଖାକୁ ନେଇ ବିିଭିନ୍ନ ଯାନିଯାତ୍ରା; କେଉଁଠି ଡ଼ାଲଖାଇ, କେଉଁଠି କାଠିଯାତ୍ରା, କେଉଁଠିି ପତର । ମୁଁ ତ ମୂଳରୁ କହିଛି ବୃକ୍ଷ ହେଉଛି ସଙ୍ଗୀତର ଭଣ୍ଡାର । କେତେବେଳେ କେଉଁ ରୂପରେ କେଉଁ ଧ୍ୱନି ବିଚରଣ କରିବ ନେବା ଲୋକଙ୍କର ମନ ଏବଂ ହୃଦୟ ଖୋଲା ରହିଥିବା ଦରକାର । ଏଡ଼େବଡ଼ ବିଶାଳ ବୃକ୍ଷ, ସାଂସ୍କୃତିର ବୃକ୍ଷ ସେ ବୃକ୍ଷର ପ୍ରତ୍ୟେକ ଶାଖା ପ୍ରଶାଖା ଓ ପତ୍ରରେ ଯେଉଁ ଗୋଟିଏ ଗୋଟିଏ ସଂସ୍କୃତି ଓ ପରମ୍ପରା ଭରିହୋଇଛି । ତାକୁ ଲେଖିବା, କରିବାପାଇଁ ଜଣେ ବ୍ୟକ୍ତିବିଶେଷ ପାଇଁ ସମ୍ଭବପର ନୁହେଁ  ।

ତେଣୁ ଗୋଷ୍ଠୀ ପ୍ରଚେଷ୍ଟାର ଆବଶ୍ୟକତା ରହିଛି । କାହାର ପରମ୍ପରା କାହା ଉପରେ ଲଦିଦେଲେ ହୁଏ ନାହିଁ । ମଧ୍ୟବିତ୍ତ ଲୋକଙ୍କର କିଛି ଭାଷା, କିଛି ସାହିତ୍ୟ ଏବଂ କିଛି ବ୍ୟବସାୟିକ ମନୋବୃତ୍ତିର ସାହିତ୍ୟିକ ଯେଉଁମାନେ କିଛି ଲେଖି ବ୍ୟବସାୟ କରିବା ଆଶାରେ ନିଜର ବହି ବିକ୍ରି କରୁଛନ୍ତି ସେମାନେ ମଧ୍ୟ ସତର୍କ ରହିବା ଉଚିତ୍ ଯେ, ଏଇ ଧାରା ବହୁଦିନ ପର୍ଯ୍ୟନ୍ତ ରହିପାରିବ ନାହିଁ । ସଭ୍ୟତା ଆଗକୁ ଦୌଡ଼ୁଛି ସେଇ ଆଦିବାସୀଙ୍କ ଭିତରେ ଉଚ୍ଚଶିକ୍ଷିତ ମଧ୍ୟ ଆବିର୍ଭାବ ହେଲେଣି, ତାଙ୍କର ସଭ୍ୟତାକୁ ଯେତେବେଳେ ସେମାନେ  ମନ୍ଥନ କରୁଛନ୍ତି ସେମାନେ ବର୍ତ୍ତମାନ ମଧ୍ୟ ଦାବୀ କଲେଣି ଯେ, ଆମର ସଂସ୍କୃତି ଆଦିସଂସ୍କୃତି ।

ଆର୍ଯ୍ୟମାନଙ୍କର ଆଗମନ କେବେ ହେଲା? ଇତିହାସକୁ ବର୍ତ୍ତମାନ ବିକୃତ କରାଯାଉଛି । କିନ୍ତୁ କିଛି ବ୍ୟକ୍ତି ଟେବୁଲ ଉପରେ ଟିପ୍ଟପରେ ବସି ଯାହାସବୁ ବିକୃତ ଇତିହାସ ଆର୍ଯ୍ୟ ଭାରତକୁ ଆସିନାହାଁନ୍ତି ବୋଲି ଲେଖନ୍ତି ସେମାନେ ଇତିହାସକୁ ଉପହାସ କରନ୍ତି । ଏଇଟା ସତ୍ୟ ଇତିହାସ ନୁହେଁ ଏଇଟା ମୋର ବ୍ୟକ୍ତିଗତ ମତ ।

ଏ ସମସ୍ତ ବିକୃତି ସତ୍ତେ୍ୱ ପୁଣି ଯଦି ଧ୍ୱନିକୁ ନେଇ ସଙ୍ଗୀତର ଜନ୍ମକଥା ଚିନ୍ତା କରିବା ତାହାଲେ ଧ୍ୱନିକୁ ସୂକ୍ଷ୍ମରୁ ସୂକ୍ଷ୍ମ ସ୍ୱର ତରଙ୍ଗପାଇଁ ଭିନ୍ନ ଏକ ଗୋଷ୍ଠୀର ଆବଶ୍ୟକ ଅଛି । ଯେଉଁମାନେ କି ଗଭୀର ଭାବରେ ଅନୁଶୀଳନ କରିବେ ଗବେଷଣା କରିବେ ଏବଂ ତାର ନିସ୍କର୍ଷ ସେଇ ଆଦିବାସୀମାନଙ୍କୁ, ସେଇ ଆଦି ପରମ୍ପରାର ବିଶ୍ୱାସୀ ଲୋକମାନଙ୍କୁ ଏକତ୍ରକରି ସେଇଠି ସେମାନେ ଉପସ୍ଥାପନା କରିବେ । ଇନ୍ଦ୍ରଭୁବନରେ ଏମିତି କୌଣସି ଯାଗା ନାହିଁ ଯେଉଁଠି ଦେବତା ନାଚେ ନାହିଁ । ଆଦିବାସୀ ସଂସ୍କୃତିରେ ଏପରି କୌଣସି ଦେବତା ନାହାଁନ୍ତି ଯିଏକି ନାଚନ୍ତି । ଆଦିବାସୀର ଦେବତା ବନ, ପର୍ବତ, ପାହାଡ଼ ଗାଁ ମୁଣ୍ଡରେ ଅଳିଆ ଗଦାରେ କେଉଁଠି କ’ଣ ଥାନ୍ତି ଯେତେବେଳେ ଯାତ୍ରାହୁଏ ହଜାର ହଜାର ଲୋକ ଜମା ହୁଅନ୍ତି ।

କିନ୍ତୁ ପଥର ଦେଉଳ ଭିତରେ, ସିମେଣ୍ଟ ଦେଉଳ ଭିତରେ ଆଇରନର ଗେଟ ଲାଗିଥିବା, ବଡ଼ବଡ଼ ତାଲା ଲାଗିଥିବା ବନ୍ଦୀ ହୋଇଥିବା ଠାକୁରମାନେ ହେଲେ ଆମର ଠାକୁର । ଆଦିବାସମାନେ ଯେମିତି ଉନ୍ମକ୍ତ ତାଙ୍କର ଠାକୁର ମଧ୍ୟ ସେମିତି ଉନ୍ମକ୍ତ । କିଛି ବନ୍ଧନ ଭିତରେ ନାହାଁନ୍ତି । ଆଦିବାସୀମାନଙ୍କର ଜୀବନଚର୍ଯ୍ୟା ଭିତରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ କେବଳ ବାଜା, ଯାହା ସଙ୍ଗୀତମୟ ନୃତ୍ୟଗୀତରେ ଭରପୂର । ଦୁଃଖରେ ନୃତ୍ୟ, ଆନନ୍ଦରେ ନୃତ୍ୟ ସବୁ ଯାଗାରେ ନୃତ୍ୟ । ତେଣୁ ଆଦିବାସୀମାନଙ୍କର ସଂସ୍କୃତି ଉପରେ ବାରମ୍ବାର ମନ୍ଥନ ହେଉ । କୌଣସି ଗବେଷଣାକୁ ଶେଷ ଗବେଷଣା ବୋଲି ବିଚାର କରାନଯାଉ । ସମସ୍ତଙ୍କର ଏ ସୃଷ୍ଟିରେ ବଂଚିବାର ଅଧିକାର ଅଛି ଏଇ ଅଗ୍ରାଧିକାର ଦିଆଯାଉ ଏବଂ ଆଦିମାନବର ସାଙ୍ଗୀତିକ ଧାରାକୁ ପୁନରୁଦ୍ଧାର କରିବାର ପ୍ରୟାସ କରାଯାଉ । ଯେଉଁମାନେ ସଙ୍ଗୀତ ଗବେଷକ, ଯେଉଁମାନେ ଏ ବାବଦରେ ମାନବୀୟ କଲ୍ୟାଣପାଇଁ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି ତାଙ୍କଦ୍ୱାରା ଯେଉଁ ନିଷ୍କର୍ଷ ଆସୁଛି ତାକୁ ମଧ୍ୟ କିପରି ସମାଜରେ ଉପସ୍ଥାପନା କରାଯାଇପାରିବ ଏବଂ ଗବେଷଣା କାର୍ଯ୍ୟ କିପରି ହୋଇପାରିବ ସେ ଦିଗରେ ଦୃଷ୍ଟି ଦିଆଯାଉ ।

Photo credit – Internet

About ଗୁରୁଶ୍ରୀ ଘାସିରାମ ମିଶ୍ର

ଗୁରୁଶ୍ରୀ ଘାସିରାମ ମିଶ୍ର
ସଙ୍ଗୀତ ନିର୍ଦ୍ଦେଶକ, ଜାତୀୟ ସ୍ତରର ଲୋକକଳାର କଳାକାର, ଗବେଷକ

Check Also

ଲୋକସଂସ୍କୃତି କ୍ରମରେ ‘ପାଲା’

ପାଲା ସଂସ୍କୃତି ପ୍ରଥମେ ଲୋକସଂସ୍କୃତି ଏବଂ ତା’ର ବର୍ଗୀକରଣରେ ଲୋକନାଟକର ଏକ ଅଂଶ ଏବଂ ଏହି ବିଭାଗରେ ଏହା ବୋଧେ …

Leave a Reply

Your email address will not be published. Required fields are marked *