Home / କଳା / ମାଟିର ମୂର୍ତ୍ତିକାର ଶିଳ୍ପୀ ଦେବରାଜ ସାହୁ

ମାଟିର ମୂର୍ତ୍ତିକାର ଶିଳ୍ପୀ ଦେବରାଜ ସାହୁ

 

ଟେରାକୋଟା ଶିଳ୍ପି ଏବଂ ବିଶିଷ୍ଟ ଚିତ୍ରକର ‘ଦେବରାଜ ସାହୁ’ଙ୍କ ଉପରେ ଏଠାରେ ଏକ ଉପସ୍ଥାପନା ପ୍ରସ୍ତୁତ କରିଛନ୍ତି ଲେଖକ ଅଶୋକ କୁମାର ମହାନ୍ତି । ତାଙ୍କ ମତରେ ଶିଳ୍ପିର ସୃଜନ ଶକ୍ତି ହିଁ ମାଟିରେ ଜୀବନ ଆଣେ, ରଙ୍ଗ ତୂଳିକୁ ଜୀବନ୍ତ କରେ । କିନ୍ତୁ ବିନା ପରିବେଶରେ କଳାକାରଟିଏ ଜନ୍ମନେବା କଷ୍ଟକର । ଗାଁ’ ଓ ଗାଁ’ ସହିତ  ଯୋଡ଼ିହୋଇଥିବା ଅନେକ ସାଂସ୍କୃତିକ ଧାରା କଳାକାର ଭିତରେ ସୃଜନଶୀଳତାକୁ ପରିପୃଷ୍ଠ କରିଥାଏ । ପରବର୍ତ୍ତୀ ପର୍ଯ୍ୟାୟରେ ତାହା ପ୍ରକାଶିତ ହୁଏ । ଯାହା ଦେଖିବାକୁ ମିଳିଥିଲା ଦେବରାଜ ସାହୁଙ୍କ ଭିତରେ । ଗାଁ’ର ରାମଲୀଳା, କୃଷ୍ଣଲୀଳା, ଚିତା ତାଙ୍କୁ କଳାକାରଭାବେ ତିଆରି କରିଥିଲା, ଯେଉଁସବୁ ଲୋକକଳା ଆଜି ଲୋପପାଇବାକୁ ବସିଛି ।                   -ସମ୍ପାଦକ

ମାଟି ଓ ମଣିଷ, ଦୁହେଁ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଶିଳ୍ପୀର ସୃଜନ ଶକ୍ତି ବଳରେ ମାଟି ପିଣ୍ଡୁଳା ପାଏ ଜୀବନ୍ୟାସ। ପିଲାଟିଏ ଜନ୍ମ ହୁଏ। ଟିକେ ବଡ଼ ହେଲେ ସେ ବାଲି ଧୂଳି ଖେଳରେ ମାତିଥାଏ । କଣ୍ଢେଇ କରେ। ମାଟି ଧୂଳିରେ କେତେ ଖେଳର ଆସର ଜମିଯାଏ। ସେ ମାଟିକୁ ଆପଣାର କରେ। ମାଟି ବି ତାକୁ ଭଲପାଏ । ଜନ୍ମଠାରୁ ମରଣ ପର୍ଯ୍ୟନ୍ତ ମାଟି ସହ ସଂପର୍କ । ଯେତେ ବଡ଼ ହେଲେ ବି ଆକାଶକୁ ଉଡ଼ିଲେ ମଧ୍ୟ ଶେଷରେ ମାଟିରେ ତା ପଞ୍ଚଭୂତ ଲୀନ ହୋଇଯାଏ ।

ମାଟି କେବେହେଲେ ତା ଜୀବନଠୁ ଦୂରେଇ ଯାଏ ନାହିଁ । ସେଇ ମାଟିକୁ ଭଲ ପାଇ ଜୀବନ ସାରା ମାଟିର ମୋହରେ ବଂଚି ମାଟିକୁ ବିଭିନ୍ନ ରୂପ ଦେଇଥିବା ଓଡ଼ିଶାର ପ୍ରଖ୍ୟାତ ଟେରାକୋଟା ଶିଳ୍ପୀ ହେଉଛନ୍ତି, ‘ଦେବରାଜ ସାହୁ’। ଯିଏ ନୟାଗଡ଼ ରଣପୁରଗଡ଼ ପାଟରାସାହିରେ ୨୭ ମାର୍ଚ୍ଚ ୧୯୪୧ରେ ପିତା ଲକ୍ଷ୍ମଣ ସାହୁ ଓ ମାତା ସାଧବାଣୀ ସାହୁଙ୍କ ଔରସରୁ ଜନ୍ମଲାଭ କରିଥିଲେ ।

                ପିଲାବେଳେ ଗାଁରେ ରଜାଘର ଜଗନ୍ନାଥ ମନ୍ଦିରରେ ରଥ କାମ ଚାଲୁଥିବାବେଳେ ସେ ତାକୁ ଦେଖିବାକୁ ଭଲ ପାଉଥିଲେ । ତାଙ୍କ ଗାଁରେ ଥିବା ପଥର, କାଠ ଓ ମାଟି କାରିଗରଙ୍କ ବିଭିନ୍ନ କାମକୁ ଦେଖି ତାଙ୍କ ଭିତରେ ଶିଳ୍ପୀ ହେବାର ଇଚ୍ଛାଟିଏ ଜନ୍ମ ନେଲା । ଯାହା ଫଳରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିଲାବେଳେ ଗାଁ ରାମଲୀଳା କମିଟିର ସଦସ୍ୟ ହୋଇ ଖଳାବାଡ଼ିରେ ସାଙ୍ଗସାଥି ମେଳରେ ମୁହଁରେ ମୁଖା ଲଗାଇ ରାମଲୀଳା କରୁଥିଲେ ।

ଗାଁ ରାମଲୀଳାରେ କୃଷ୍ଣଙ୍କ ଜୀବନ ଚରିତ ଦେଖି ତା’ ପ୍ରତି ଆକର୍ଷିତ ହୋଇଥିଲେ । ସେଇ ରାମଲୀଳାରେ କୃଷ୍ଣ ଭାବେ ଅଭିନୟ କରୁଥିଲେ । ଲୀଳା ସୁଆଙ୍ଗ ଓ କଳା ଭିତରେ ପାଠରେ ମନ ଲାଗୁ ନଥାଏ । ଯାଥାକଥା ମ୍ୟାଟ୍ରିକ୍ ପାସ୍ ପରେ ସେ ଖଲ୍ଲିକୋଟ୍ କଳା ବିଦ୍ୟାଳୟରେ ନାମ ଲେଖାଇଲେ । ଏହିଠାରେ ଚାରିବର୍ଷ ଧରି ତାଙ୍କ ସ୍ୱପ୍ନକୁ ରୂପାୟିତ କରିବାର ସୁଯୋଗ ପାଇଲେ । ସେଇ ଚାରୁ ଓ କାରୁକଳା ବିଦ୍ୟାଳୟରୁ ଫାଇନ୍ ଆର୍ଟରେ ୧୯୬୨ ରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ ।

୧୯୬୩ରେ ଆର.ସି.ଏସ୍. ଡିପାର୍ଟମେଣ୍ଟ କଟକରେ ଆର୍ଟିଷ୍ଟ କମ୍ କ୍ରାଫ୍ଟସ ମ୍ୟାନ୍ ଭାବେ ଚାକିରୀ ପାଇଲେ। ସେଠାରେ ୧୪ବର୍ଷ ବିତାଇଲା ପରେ ବିଭୁତି କାନୁନ୍ଗୋ କଳା ମହାବିଦ୍ୟାଳୟ ଆରମ୍ଭ ହେଲା । ସେଇ ଆରମ୍ଭ ସମୟରେ ତାଙ୍କ ବନ୍ଧୁ ୰ଦୀନନାଥ ପାଠୀ ତାଙ୍କୁ ଅଧ୍ୟାପକ ଭାବେ ଡେପୁଟେସନରେ ନେଇ ଆସିଥିଲେ। ସେଠାରେ ଦୁଇବର୍ଷ ରହଣୀ ପରେ ରାଜ୍ୟ ହସ୍ତକଳା ତାଲିମ କେନ୍ଦ୍ରରେ ସିନିୟର ଇନିଷ୍ଟ୍ରକ୍ଟର ଭାବେ ଯୋଗ ଦେଇଥିଲେ। ସେଠାରେ ୧୯ବର୍ଷ ଚାକିରୀ କରିବା ପରେ ୧୯୯୯ ମାର୍ଚ୍ଚ ୩୧ ତାରିଖରେ ଚାକିରୀରୁ ଅବସର ନେଲେ । ଇତିମଧ୍ୟରେ ୧୯୮୫ ରେ ବାଙ୍ଗାଲୁରୁ ରିଜିଓନାଲ ଆଣ୍ଡ ଟେକ୍ନିକାଲ ଡେଭଲପମେଣ୍ଟ  ସେଣ୍ଟରରୁ ସେରାମିକ୍ ଓ ଗ୍ଲେଜ୍ ପଟେରୀ କାମରେ ତାଲିମ ହାସଲ କରିଥିଲେ ।

                ଅବସର ପରେ ଝାଡ଼ଖଣ୍ଡ, ନାଗପୁର, ଖଜୁରାହୋ, ଆମ ରାଜ୍ୟର ଅଧିକ କୁମ୍ଭକାର ରହୁଥିବା ସ୍ଥାନରେ କର୍ମଶାଳା ମାନ ଆୟୋଜନ କରି ମାଟିରେ ବିଭିନ୍ନ ମୂର୍ତ୍ତି କିପରି କରାଯାଇ ପୋଡ଼ି ନିଜ ଅବସ୍ଥାର ପରି ପରିବର୍ତ୍ତନ ଅଣାଯାଇପାରିବ ସେ ସଂପର୍କରେ ଶିକ୍ଷା ଦେଉଥିଲେ ।

ଟେରାକୋଟା ବ୍ୟତୀତ ବାଉଁଶ, କଂସା, ପିତ୍ତଳ, ଶାମୁକା, ନଡ଼ିଆକତା, ଚାନ୍ଦୁଆ ଓ ଲାଖ ଇତ୍ୟାଦି ହସ୍ତକଳା ମଧ୍ୟ ଶିକ୍ଷା ଦେଉଥିଲେ। ସରକାରଙ୍କ ହସ୍ତ ଶିଳ୍ପ ବିଭାଗ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ଅନେକ ତାଲିମ କାର୍ଯ୍ୟକ୍ରମକୁ ସେ ପରିଚାଳାନା କରୁଥିଲେ। ଏହା ବ୍ୟତୀତ ସେ ଭଦ୍ରକ, ବାରିପଦା, ସୁନ୍ଦରଗଡ଼ରେ ଥିବା କଳା ମହାବିଦ୍ୟାଳୟରେ ଆୟୋଜିତ ଟେରାକୋଟା କର୍ମଶାଳାରେ ଶିକ୍ଷା ମଧ୍ୟ ଦେଇଥିଲେ।

କ୍ରାଫ୍ଟ ବ୍ୟତୀତ ଧୌତ ଚିତ୍ର ଓ ଆଦିବାସୀ ଚିତ୍ରକଳା ଉପରେ ମଧ୍ୟ ସୁନ୍ଦର ଭାବେ ଚିତ୍ର ଆଙ୍କି ପାରୁଥିଲେ। ସେ ୨୦୦୧ରେ ଭୁବନେଶ୍ୱର ଠାରେ ‘କୃର୍ତ୍ତିକା ଆର୍ଟ ସ୍କୁଲ’ ପ୍ରତିଷ୍ଠା କରି ପିଲାମାନଙ୍କୁ ଚିତ୍ର ଶିକ୍ଷା ଦେଉଥିଲେ। ମୋଟ୍ ଉପରେ ଟେରାକୋଟାକୁ ଘରେ ଘରେ ପରିଚିତ କରାଇବାରେ ତାଙ୍କର ସବୁଠାରୁ ବଡ଼ ଭୂମିକା ଥିଲା। ପିଲାଟି ଦିନେ କରୁଥିବା ରାମଲୀଳା, ରାସଲୀଳାକୁ ଟେରାକୋଟାରେ ରୂପ ଦେଉଥିଲେ।

ମା’ଙ୍କ ଚିତା ପ୍ରଭାବ ତାଙ୍କ ଉପରେ ପଡ଼ିଥିବାରୁ ମା’ଙ୍କୁ ସେ ସବୁଠାରୁ ବେଶୀ ଭଲ ପାଉଥିଲେ। ମା’ଙ୍କୁ ନେଇ ଅନେକ ଟେରାକୋଟା ମୂର୍ତ୍ତି ଓ ଚିତ୍ର ଅଙ୍କନ କରିଥିଲେ। ସେ ଟେରାକୋଟାରେ ଗଣେଶ, ଦୁର୍ଗା, ଶିବପାର୍ବତୀ, ମୃଦଙ୍ଗ ବାଦକ, ବଂଶୀ ବାଦକ, କୃଷ୍ଣଙ୍କ ବସ୍ତ୍ର ଚୋରି, ଘଟକଳସୀ, ଅମର ପ୍ରେମ, ଗ୍ରାମ ଦେବତୀ, କାଳୀୟ ଦଳନ, ମାତା ପାର୍ବତୀ, ମୋ ମା’, କେଶ ବିନ୍ୟାସ, ଶକ୍ତି ରୂପିଣୀ ପ୍ରଭୃତି ଶହଶହ ମୂର୍ତ୍ତି ତିଆରି କରିଛନ୍ତି। ଏହାଛଡ଼ା ଚିତ୍ରରେ ସେ ରାସଲୀଳା, ରୂଷ୍ୟଶୃଙ୍ଗ ଦେବତା, ଅବଲୋକନରେ ସୀତା ପ୍ରଭୃତି ଚିତ୍ରମାନ ଅଙ୍କନ କରିଛନ୍ତି।

ସେଥିପାଇଁ  ସେ ବହୁ ପୁରସ୍କାର ଓ ସମ୍ବର୍ଦ୍ଧନା ପାଇଛନ୍ତି । ସେଥି ମଧ୍ୟରୁ ଟେରାକୋଟା ପାଇଁ ରାଜ୍ୟ ପୁରସ୍କାର-୧୯୯୦, ଜାତୀୟ ପୁରସ୍କାର-୧୯୯୦, ରାଜ୍ୟ ଲଳିତକଳା ଏକାଡ଼େମୀ ପୁରସ୍କାର-୧୯୯୧, ସୁରଜକୁଣ୍ଡ ସର୍ବଭାରତୀୟ କଳାମେଳା ନିଧି ସମ୍ମାନ-୧୯୯୩, ଭୁବନେଶ୍ୱର ସାହିତ୍ୟ ସମାଜ ସମ୍ମାନ-୧୯୯୭, କଳାୟତନ ସୁନ୍ଦରଗଡ଼ ପକ୍ଷରୁ ମାଟି ମଣିଷ ସମ୍ମାନ-୧୯୯୮, ମୁଖମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ସମ୍ମାନ-୨୦୦୯ ଓ ରାଜ୍ୟ ହସ୍ତତନ୍ତ୍ର, ବୟନ ଓ ହସ୍ତ ଶିଳ୍ପ ବିଭାଗ ପକ୍ଷରୁ ଜୀବନ ବ୍ୟାପୀ ସାଧାନା ପାଇଁ ପୁରସ୍କାର-୨୦୧୩ । ଏହି ପ୍ରତିଭାବାନ ଟେରାକୋଟା ଶିଳ୍ପୀଙ୍କର ମାର୍ଚ୍ଚ ମାସ ୨୦ ତାରିଖ ୨୦୧୬ରେ ଦେହାନ୍ତ ହୋଇଥିଲା।

About ଶ୍ରୀ ଅଶୋକ କୁମାର ମହାନ୍ତି

ଶ୍ରୀ ଅଶୋକ କୁମାର ମହାନ୍ତି
ଚିତ୍ରକର, କଳା ଶିକ୍ଷକ, ଲେଖକ

Check Also

ଇତିହାସ ପୃଷ୍ଠାରେ ଅନନ୍ୟ ବାନ୍ଧକଳା

କଳା ଅଦ୍ୱିତୀୟ । କୌଣସି ବି କଳାର କୌଣସି ବିକଳ୍ପ ନାହିଁ । ଏହାର ଅନ୍ତଃକରଣ ବା ଅନୁକରଣ ସମ୍ଭବ …

One comment

  1. Avatar

    ଅଶୋକ ଭାଇ ଗାଁ ଗାଁ ରେ ଏମିତି ଅନେକ୍ କଳାକାର ଅଛନ୍ତି ଯେଉଁମନ୍ଂକୁ ଆମେ ଅହୁରି ଖୋଜି ବାହର କରିବା ଜରୁରୀ ଯେଉଁମନଂକ ଭିତରେ ଅନନ୍ୟ ପ୍ରତିଭା ଭରି ରହିଛି …ଏ ଦିଗରେ ସମସ୍ତେ ପ୍ରୟାସ କରିବା ଦରକାର …

Leave a Reply

Your email address will not be published. Required fields are marked *