Home / ସାହିତ୍ୟ / କବିତା / ଭୂମିକମ୍ପ: ତିନୋଟି ପ୍ରତିକ୍ରିୟା

ଭୂମିକମ୍ପ: ତିନୋଟି ପ୍ରତିକ୍ରିୟା

-୧-

ସବୁ ଭାଂଗି ପଡିବା ପରେ

ମୃତ୍ୟୁ ଏତେ ସହଜରେ ଆସି

ତୁମକୁ ଆଦରି ନେବା ପରେ

ତୁମେ ସବୁ ନିର୍ବାକ୍ ହେଲ

ଆଉ ମୋତେ ଶମ୍ପିବାକୁ

ଆରମ୍ଭ କରିଲ ।

କାହିଁକି ମୁଁ ତୁମକୁ ଆଗରୁ

ନ କହିଲି

ଯେ ମୁଁ ଆସୁଛି ବୋଲି ?

ମୋ ପେଟ ଭିତରର କଥା

ତୁମକୁ କାହିଁକି

କହିଥାନ୍ତି ଯେ ।

ତୁମେ କଣ କହିଥିଲ

ଗାନ୍ଧୀକୁ ମାରିବ ବୋଲି?

ତୁମେ କଣ କହିଥିଲ

ଅଂଜନାକୁ ଧର୍ଷଣ କରିବ ବୋଲି?

ତୁମେ କଣ କହିଥିଲ

ଗ୍ରାହାମ୍ ଷ୍ଟେନସ୍‌ଙ୍କୁ

ପୋଡି ଦେବ

ତାଙ୍କ ଶିଶୁ ପୁତ୍ର ସହ?

ନା, କହୁଛ କେତେବେଳେ ଆସିଯିବ

ଆଉ ସୁନ୍ଦରୀ କାଶ୍ମୀରୀ ଲଳନା

ଅବୋଧ ସୁନ୍ଦର ଶିଶୁଙ୍କୁ

ନିର୍ମମ ମାରିବ?

ତୁମେ କେହି

ତୁମ ପେଟ ଭିତରର କଥା

ଆଗରୁ କହି ନାହଁ, କହୁନାହଁ ।

ଅତର୍କିତ ଆସି

ତୁମ କାମ ଫତେ କରି

ନିର୍ବିିଘ୍ନେ ଯାଉଛ

ମାଟି ଉପରେ ବସିଥିବା

ତୁମ ଇଷ୍ଟଦେବଙ୍କର

ଶରଣରେ ଥାଇ

ଅସହାୟ ମଣିଷଟିକୁ

ବେଶ ବିଦ୍ରୁପ କରିଛ

ଆଜି ତେଣୁ

ମୋତେ କାହିଁକି ଶମ୍ପୁଛ?

ଅତର୍କିତ ତୁମେ ହୋଇପାର

ଆଉ ମୁଁ ହୋଇପାରେ ନା?

ଯାଇଚ୍ଛା ତାହା କରିପାର

ମୁଁ ତାର ପ୍ରତିବାଦ କରି ପାରେ ନା?

-୨-

ସହରଟା ତାସ ଘର ପରି

ଭୁଷୁଡି ପଡିଲା

ଭୁଷୁଡି ପଡିଲା ତାର

ଗର୍ବ , ଅହଙ୍କାର ।

ସମସ୍ତଙ୍କୁ କନ୍ଦାଇଥିବା ଲୋକଟି

ଶିଶୁ ଭଳି ଅସହାୟ କାନ୍ଦିଲା ।

ସମସ୍ତଙ୍କ ଠାରୁ ସାହାରା ଛଡାଇ

ନେଇଥିବା ଲୋକଟି

ବିଚରା ଏତେ ବେସାହାରା

ହୋଇଗଲା!

ସହରଟା ତାସ ଘର ପରି

ଭୁଷୁଡି ପଡିଲା ।

ଭଲ ହେଲା, ନା ଖରାପ ହେଲା

ମଂଚ ଗୁଡା କିନ୍ତୁ ଧରାଶାୟୀ ହେଲା

କଂସ ମଂଚରୁ ଗଡିଲା

ସତ

ତା ସହିତ ମଲେ ମଥୁରାର

ସାଧାରଣ ଲୋକେ

ଅନେକେ ।

ଏହାହିଁ ଖରାପ ହେଲା ।

ଭଲ ହେଲା କଂସ ମଲା

ଆଉ ଏକ ସମାଜ ଗଢିବାର

ସମ୍ଭାବନା ସୃଷ୍ଟି ହେଲା

କିନ୍ତୁ କିଏ ଜାଣେ

ଯାହା କିଛି ଭଲ ଥିଲା

ତା ସବୁଦିନ ପାଇଁ

ଯେ ସମାଧି ନ ନେଲା?

-୩-

ତୁମେ ମୋତେ ଜୟ କରିବା ପାଇଁ

କୈାଶଳ କାଢିଲ ।

ମୁଁ ବାରମ୍ବାର ତୁମକୁ କହୁଥିଲି

ଆସ ସାଥି ହୋଇ ରହିବା ।

ତୁମେ କିନ୍ତୁ ନା ମୋ ଭାଷା ବୁଝିଲ

ନା ମୋ ବ୍ୟାକରଣରେ ମୁଣ୍ଡ ପୁରାଇଲ

ତୁମେ ମୋତେ ବିକଳ କରିଲ

ବିକଳାଂଗ କଲ

ସଭା ସମିତି, ସେମିନାର କରି

ମୋତେ ଜୟ କରୁଛ ବୋଲି

ବକ୍ତବ୍ୟ ବାଢିଲ ।

ତୁମ ସୃଷ୍ଟିକୁ ମୁଁ ଅପେକ୍ଷା କରିଥିଲି

କେତେ ଆଶା ନେଇ

ଯେ, ମୋ ଗର୍ଭରେ ଯିଏ ବଢୁଛି

ସେ ଏ ସୃଷ୍ଟିର ସବୁଠାରୁ ସୁନ୍ଦର ଜୀବ ହେବ

ଜନ୍ମ ହେଲେ, ସବୁ ସୁନ୍ଦର ଦିଶିବ

ଏ ମାଟି, ଆକାଶ, ଜଳ, ଜଂଗଲ

ସବୁ କିଛି ।

କିନ୍ତୁ କିଏ ଜାଣିଥିଲା ଯେ

ପର୍ଶୁରାମ ମୋ ଗର୍ଭରେ ବଢୁଛି?

ମୋର ସବୁ ହାରି, ଗୁହାରି

ସାଥିରେ ରହିବା ପାଇଁ ସବୁ ଅନୁରୋଧ

ସବୁଥିଲା ଅର୍ଥହୀନ

ତୁମ ପାଇଁ ।

ତୁମେ ଧରି ନେଲ

ମୁଁ ନିଶ୍ଚିତ ବିଜିତ

କେବଳ ସମୟର କଥା ।

ତୁମେ ବୋଧେ ଭୁଲ କଲ ।

ମୁଁ ଜାଣେ ନାହିଁ

ଏଥିପାଇଁ ତୁମେ କେତେ ଅନୁତପ୍ତ

କିନ୍ତୁ ମୁଁ ନିଶ୍ଚିତ ଦୁଃଖିତ

ଯେ ଭୂପୃଷ୍ଠରେ ଏତେ ବଡ ଦୁର୍ଘଟଣା ହେଲା ।

(ରଚନା ୨୦୦୧)

Photo credit- https://bit.ly/2XMK8GS

About ପ୍ରଫେସର ବୀରେନ୍ଦ୍ର ନାୟକ

ପ୍ରଫେସର ବୀରେନ୍ଦ୍ର ନାୟକ
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ

Check Also

ମୋତେ ହତିଆର କର ନାହିଁ

ଯେଉଁ ଲେଖା ତୁମକୁ ନ ସୁହାଇଲା ତା ବିରୁଦ୍ଧରେ ଲଗାଇଲ ଦେଶଦ୍ରୋହର ମାମଲା, ଦେଶକୁ ପଚାରୁଛି କିଏ ଯେ ଲେଖକର …

Leave a Reply

Your email address will not be published. Required fields are marked *