Home / ସମ୍ପାଦକୀୟ / ସନ୍ଥ କବି ଭୀମଭୋଇଙ୍କର ପ୍ରାସଙ୍ଗିକତା

ସନ୍ଥ କବି ଭୀମଭୋଇଙ୍କର ପ୍ରାସଙ୍ଗିକତା

ପ୍ରାଣୀଙ୍କ

ରତ ଦୁଃଖ ଅପ୍ରମିତ ,

ଦେଖୁ ଦେଖୁ କେବା ସହୁ

ମୋ ଜୀବନ ପଛେ ନର୍କେ ପଡିଥାଉ

ଜଗତ ଉଦ୍ଧାର ହେଉ

ଯୁଗେଯୁଗେ ମାନବ ସଭ୍ୟତାର ବିକାଶରେ ସାହିତ୍ୟ ଏବଂ କବିତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ସମାଜ ବ୍ୟବସ୍ଥାର ନିଚ୍ଛକ ଛବି କେବଳ ସେହି ସମୟର ସାହିତ୍ୟ, କବିତାକୁ ଅବଲୋକନ କଲେ ଅନୁମାନ କରିହୁଏ । ତେବେ ସାରା ଭାରତବର୍ଷ ଏବଂ ଓଡ଼ିଶାରେ ସାହିତ୍ୟିକ ଏବଂ କବିଙ୍କର କୌଣସି ଯୁଗରେ ଅଭାବ ନାହିଁ । କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ହେଲା ଉନ୍ନବିଂଶ ଶତାବ୍ଦୀର ଦ୍ୱିତୀୟ ଭାଗରେ ଓଡ଼ିଶାର ପଶ୍ଚିମାଞ୍ଚଳରେ ଜନ୍ମଗ୍ରହଣ କରିଥିବା ସନ୍ଥ କବି ଭୀମଭୋଇ ଜଣେ ବୈପ୍ଳବିକ ଚିନ୍ତାଧାରାର କବି ଏବଂ ସମାଜ ପ୍ରବର୍ତ୍ତକ ଥିଲେ , କିନ୍ତୁ ତାଙ୍କର ଜନ୍ମକୁ ଦୁଇଶହ ବର୍ଷ ବିତିଯାଇଥିଲେ ମଧ୍ୟ ଓଡ଼ିଶାବାସୀ, ଓଡ଼ିଶାର ସାହିତ୍ୟ ସମାଜ ତାଙ୍କର ଅମୂଲ୍ୟ କୃତିକୁ ମୂଲ୍ୟାୟନ କରିବାରେ ବିଫଳ ହୋଇଛି ।

ବୁଦ୍ଧଙ୍କ ପରେ ଜ୍ଞାନର ପୂଜାରୀ ଭାବେ ଭୀମଭୋଇ ଉଦ୍ଭାସିତ ହୋଇଥିଲେ ମଧ୍ୟ ତାଙ୍କର ଚିନ୍ତା ଚେତନା ସମାଜର ତଥାକଥିତ ଜ୍ଞାନୀ, ସାହିତ୍ୟ ସମାଜ ସ୍ୱୀକୃତି ଦେଇନାହିଁ । ଆଦିବାସୀ ପରିବାରରେ ଜନ୍ମନେଇ ଓଡ଼ିଆ ସାହିତ୍ୟ, କବିତା କ୍ଷେତ୍ରରେ ଏକ ବୈପ୍ଳବିକ ଧାରାର ପ୍ରବର୍ତ୍ତକ ଥିଲେ ସେ । ସମସାମୟିକ ବ୍ୟବସ୍ଥାରେ ରାଜା, ମହାରାଜା, ଜମିଦାର ମାନଙ୍କର ପ୍ରଜା ଉତ୍ପୀଡ଼ନ ତାଙ୍କ କାବ୍ୟ କବିତାର ମୁଖ୍ୟପ୍ରସଙ୍ଗ ହୋଇଥିଲା । ତାଙ୍କର ବୈପ୍ଳବିକ ଚିନ୍ତାଧାରା ସମାଜର ଉତ୍ପୀଡ଼ନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲା । କେବଳ ସେତିକି ନୁହେଁ ମହିଳାମାନଙ୍କ ଉପରେ ହେଉଥିବା ଅକଥନୀୟ ସାମାଜିକ, ଶାରୀରିକ ଅତ୍ୟାଚାରକୁ ସେ ଘୋର ବିରୋଧ କରିଥିଲେ ଏବଂ ଯେଉଁଦିନ ନାରୀମାନେ ପୁରୁଷଙ୍କୁ ଜ୍ଞାନଶିକ୍ଷା ଦେବେ ସତ୍ୟଯୁଗ ଫେରିଆସିବ ବୋଲି ଘୋଷଣା କରିଥିଲେ ।

ଏହିଭଳି ଜଣେ ବୈପ୍ଳବିକ ଚିନ୍ତାଧାରାର କବି ଓଡ଼ିଶାର ସୋନପୁର ଅଞ୍ଚଳରେ କେବଳ ସୀମାବଦ୍ଧ ନଥିଲେ ସେତେବେଳେ ତାଙ୍କ କବିତା ଆନ୍ଧ୍ରପ୍ରଦେଶଠାରୁ ଆସାମ ଯାଏଁ ବିଭିନ୍ନ ସ୍ଥାନରେ ଟୁଙ୍ଗି ମାନଙ୍କରେ ଏବଂ ଗାଁର ଖଞ୍ଜଣି ଗୀତରେ ପ୍ରତିଭାତ ହେଉଥିଲା । ସେ ଯେଉଁ ଗୀତ ଲେଖୁଥିଲେ ତାର ଭାଷା ସାକ୍ଷରଠାରୁ ନିରକ୍ଷର, ଅତ୍ୟନ୍ତ ନିମ୍ନବର୍ଗର ଲୋକମାନେ ମଧ୍ୟ ହୃଦୟଙ୍ଗମ କରିପାରୁଥିଲେ । ଏହାଥିଲା ତାଙ୍କ ସାହିତ୍ୟ, କବିତାର ମାହାତ୍ମ୍ୟ । ତାଙ୍କ କବିତାରେ ସାଧାରଣ ମଣିଷର ଦୁଃଖ, ବେଦନା ପ୍ରସ୍ଫୁଟିତ ହେଉଥିଲା । ତେଣୁ ଆନ୍ଧ୍ରଠାରୁ ଆସାମ ଯାଏଁ ଲୋକମାନେ ତାଙ୍କ ଗୀତ ଖଞ୍ଜଣୀ ବଜାଇ ଗାନକରି ଆନନ୍ଦ ଲାଭ କରୁଥିଲେ ।

ଏତେ ବଡ଼ ପ୍ରତିଭାର ଅଧିକାରୀ, ଓଡ଼ିଆ ସାହିତ୍ୟରେ ବୈପ୍ଳବିକ ଚିନ୍ତାଧାରାର ପ୍ରବର୍ତ୍ତକ ହୋଇ ମଧ୍ୟ ସେତେବେଳର କବି, ସାହିତ୍ୟିକମାନେ କୌଣସି ସମୟରେ ତାଙ୍କୁ ସ୍ୱୀକୃତି ଦେଇନଥିଲେ । ଏପରିକି ସୋନପୁରର ରାଜା ମଧ୍ୟ ତାଙ୍କୁ ଚିହ୍ନିବା ପାଇଁ ଚେଷ୍ଟା କରିନଥିଲେ । ଏହାର କାରଣ ମଧ୍ୟ ସ୍ପଷ୍ଟ । ସେତେବେଳେ ପଶ୍ଚିମ ଓଡ଼ିଶା ସୋନପୁର ଅଞ୍ଚଳର ଗଙ୍ଗାଧର ମେହେରଙ୍କଠାରୁ ଉପକୂଳବର୍ତ୍ତୀ ସମସ୍ତ କବି ତାଙ୍କର କବିତାରେ କେବଳ ପ୍ରକୃତି ବର୍ଣ୍ଣନା ଏବଂ ରାଧାକୃଷ୍ଣ ପ୍ରେମକୁ କବିତା ଆକାରରେ ପ୍ରକାଶ କରୁଥିଲେ । ଭୀମଭୋଇ କିନ୍ତୁ ଏ ସମସ୍ତଙ୍କଠାରୁ ଥିଲେ ନିଆରା  ।

କନ୍ଧକୂଳରେ ଜନ୍ମ ନେଇ ମଧ୍ୟ ସାମାଜିକ ଉତ୍ପୀଡ଼ନ ତାଙ୍କୁ ଉଦ୍ବେଳିତ କରିଥିଲା । ତା’ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ଯାଇ ସେ କବିତା ରଚନା କରିଥିଲେ । ତାଙ୍କ କବିତା ଅହଂକାରୀ ସାହିତ୍ୟିକ ଗୋଷ୍ଠୀର ସୀମା ସ୍ପର୍ଶ କରିନଥିଲେ ମଧ୍ୟ, ଗାଁ ଗାଁରେ ଜନସ୍ୱୀକୃତି ପାଉଥିଲା । ଯେଉଁଥିପାଇଁ ସମସାମୟିକ କବିମାନେ ତାଙ୍କୁ ଭୟ କରୁଥିଲେ । ଭୀମଭୋଇଙ୍କ ହୃଦୟସ୍ପର୍ଶୀ ଏବଂ ବାସ୍ତବତାର ଚିତ୍ରପଟ ତୋଳି ରଖିଥିବା କବିତା/ଗୀତଗୁଡ଼ିକୁ ହୃଦୟର ସହିତ ଗାଇବା ପାଇଁ ସାଧାରଣ ଲୋକେ କାହାର ପ୍ରମାଣପତ୍ର ବା ସ୍ୱୀକୃତି ପତ୍ରକୁ ଅପେକ୍ଷା କରୁନଥିଲେ । ସେମାନେ ନିଜ ହୃଦୟରେ ଭୀମଭୋଇଙ୍କୁ ଯେଉଁ ସ୍ଥାନ ଦେଇଥିଲେ ତାହା ଯେକୌଣସି କବି ପାଇଁ ଏକ ଇର୍ଷାର କାରଣ ଥିଲା ।

ଭୀମଭୋଇଙ୍କୁ ଜାଣିବାରେ ଓଡ଼ିଶାର ସାହିତ୍ୟ ସାଧନା ଓ ଗବେଷଣାର କ୍ଷେତ୍ର ଯଥେଷ୍ଟ ଅବହେଳା କରିଛି । ପରବର୍ତ୍ତୀ ସମୟରେ ଯେତେବେଳେ ବିଦ୍ୱାନମାନେ ଭୀମଭୋଇଙ୍କ ସମ୍ପର୍କରେ ଆଲୋଚନା ଆରମ୍ଭ କରିଛନ୍ତି ତାହା କେବଳ ଭୀମଭୋଇ ଅନ୍ଧ ଥିଲେ କି ନାହିଁ, କନ୍ଧ ଥିଲେ କି ନାହିଁ ଏହିଭଳି ପ୍ରଶ୍ନ ମଧ୍ୟରେ ସଙ୍କୁଚିତ ହୋଇଯାଇଛି । ସନ୍ଥକବି ଭୀମଭୋଇ ଥିଲେ ସତ୍ୟର ପୂଜାରୀ । ସତ୍ୟ, କରୁଣା, ପ୍ରତିବଦ୍ଧତା ଥିଲା ତାଙ୍କ ରଚନାର ମହାତ୍ମ୍ୟ ।

‘ସତ୍ୟରେ ମରିବି, ସତ୍ୟରେ ତରିବି

ଏହି ଆଜ୍ଞା ମୋତେ ହେଉ’…

କହେ ଭୀମଭୋଇ ଏ ମର୍ତ୍ତ୍ୟମଣ୍ଡଳେ

ଯଶ ଅପଯଶ ଥାଉ….

ଗାନ୍ଧିଜୀଙ୍କର ବହୁ ପୂର୍ବରୁ ସେ ସତ୍ୟ ଏବଂ ଅହିଂସାର ବାର୍ତ୍ତା ପ୍ରଚାର କରିଯାଇଥିଲେ । କେବଳ ସେତିକି ନୁହେଁ ଭୀମଭୋଇ ସମାଜର ଉତ୍ପୀଡ଼ନ ସମ୍ପର୍କରେ ଅତି ନିମ୍ନବର୍ଗର ମଣିଷମାନଙ୍କ ପାଇଁ ଲେଖା ଆରମ୍ଭ କରିଥିଲେ ।

ଗୋଟିଏ ଦୃଷ୍ଟିରୁ ଦେଖିବାକୁ ଗଲେ ଭୀମଭୋଇ ସାମ୍ୟବାଦୀ ଥିଲେ । ସେ ଥିଲେ ଜଣେ ମାନବବାଦୀ, ବିପ୍ଳବୀ କବି । ସେ ସହରୀ ମଣିଷ ନଥିଲେ, ଉଚ୍ଚଶିକ୍ଷା ପାଇନଥିଲେ, ସାକ୍ଷର ବି ନଥିଲେ । ହେଲେ ଏତେସବୁ ପ୍ରତିବନ୍ଧକ ତାଙ୍କର ସୃଜନଶୀଳତାକୁ କସ୍ମିନ୍କାଳେ ଅବରୁଦ୍ଧ କରିପାରି ନଥିଲା । ବର୍ତ୍ତମାନ ସମୟରେ ଭୀମଭୋଇ ଓ ତାଙ୍କରି କବିତାର ପ୍ରାସଙ୍ଗିକତା ଅଧିକରୁ ଅଧିକ ଅନୁଭୂତ ହେଉଛି। ତାଙ୍କର ଥିଲା ଏକ ବିଶ୍ୱ ଦୃଷ୍ଟିଭଙ୍ଗୀ ।

ବିଶ୍ୱର ସମସ୍ତ ମାନବ, ଜୀବଜନ୍ତୁ, ପ୍ରକୃତିକୁ ସେ ପ୍ରେମ କରୁଥିଲେ, ଆଦର କରୁଥିଲେ, ସମସ୍ତଙ୍କର ମଙ୍ଗଳ କାମନା କରୁଥିଲେ । ତାଙ୍କର ଗୀତି-କବିତା ଅନେକ ମଣିଷର ଜୀବନପଥ ବଦଳାଇବାରେ ସହାୟକ ହୋଇଛି । ଭବିଷ୍ୟତରେ ଏହାର ସଠିକ୍ ପ୍ରଚାର ଏବଂ ପ୍ରସାର ହୋଇପାରିଲେ ଏହା ସମାଜ ଗଠନରେ ଏକ ସହାୟକ ଭୂମିକା ଗ୍ରହଣ କରିପାରିବ ।

 

PHOTO CREDIT- https://www.google.com/search?biw=1366&bih=577&tbm=isch&sa=1&ei=fKIfXNOVGM7KwALF1qjwBg&q=bhima+bhoi+image&oq=bhima+bhoi&gs_l=img.3.1.0l10.1435973.1441449..1444684…1.0..0.444.4702.4-11……0….1..gws-wiz-img…….0i10.WWGUfhTuLKk#imgrc=g-sRCuK9WTQoaM:

About Editor

Editor
କଳାକାର, ସମଧ୍ୱନି ଇ - ପତ୍ରିକା ଓ ତ୍ରୟୋମାସିକ ପତ୍ରିକାର ସମ୍ପାଦକ, ସାଂସ୍କୃତିକ ଗବେଷିକା ଓ ସାମ୍ବାଦିକ

Check Also

ନାଚୁଣୀ (ମୂଳ ଲେଖା-ଭାନୁ ଭାରତୀ)

9 ଘରକୁ ପହଞ୍ଚିଲି ଦେଖିଲି ସେଠି ମୃତ୍ୟୁର କରାଳ ଛାୟା ପରି ଶୁନ୍ ପରିବେଶ । ଛାତି ଥରିଉଠିଲା, ମୁଁ …

Leave a Reply

Your email address will not be published. Required fields are marked *