Home / ସଙ୍ଗୀତ / ଶାସ୍ତ୍ରୀୟ ସଙ୍ଗୀତ / ଭାରତୀୟ ସଙ୍ଗୀତରେ ତାଳର ମହତ୍ୱ

ଭାରତୀୟ ସଙ୍ଗୀତରେ ତାଳର ମହତ୍ୱ

 

ଭାରତ ହେଉ ବା ବିଶ୍ୱର ଯେକୌଣସି ସଙ୍ଗୀତ ବିନା ତାଳବାଦ୍ୟରେ ପରିବେଷଣ ହୋଇପାରେନା । ବେଳେ ବେଳେ ଦେଖିବାକୁ ମିଳେ କିଛି ଅସାଧାରଣ ବାଦ୍ୟ ଗାଁ’ର କଳାକାରମାନେ ମଧ୍ୟ ପର୍ବ ପର୍ବାଣୀରେ ବଜାନ୍ତି । ଲେଖକଙ୍କ ମତରେ, “ତାଳ ଓ ଲୟ ବିନା ସୃଷ୍ଟି ଏବଂ ସଙ୍ଗୀତ ଅସମ୍ଭବ । ତେଣୁ ତାଳ ହିଁ ସଙ୍ଗୀତର ମାପ କାଠି ଏବଂ ଏହା ସଙ୍ଗୀତକୁ ଏକ ଆଧାର ଏବଂ ସ୍ଥାୟିତ୍ୱ ପ୍ରଦାନ କରିଥାଏ ।” ଲେଖକ ସନ୍ଦିପ କୁମାର ରାଉତ୍ ଜଣେ କଳାକାର ତଥା ତବଲା ବିଭାଗର ଅଧ୍ୟାପକ ହୋଇଥିବାରୁ ‘ସଙ୍ଗୀତରେ ତାଳର ମହତ୍ୱ’ ବିଷୟ ଉପରେ ନିଜର ଏକ ଦୃଷ୍ଟିଭଙ୍ଗୀ ପ୍ରଦାନ କରିଛନ୍ତି ।                             – ସମ୍ପାଦକ

                ଯେଉଁ ମହାକାବ୍ୟର ଶେଷ ପୃଷ୍ଠା ଦର୍ଶନ ଅସମ୍ଭବ, ଯେଉଁ ପାରାବାରର ତଳ ଅତଳ ଓ ଦିଗନ୍ତ ପ୍ରସାରି ବାଲୁକା ରାଶିର ଶେଷ କେବଳ ଦିଗବଳୟ ତାହାହିଁ ସଙ୍ଗୀତ । ଏହି ସଙ୍ଗୀତକୁ ଜିବନ୍ତ ଓ ନୈସର୍ଗିକ ଭାବରେ ପରିପ୍ରକାଶ କରିବାର ଏକ ମାଧ୍ୟମ ହିଁ ତାଳ । ସଙ୍ଗୀତରେ ତାଳ ଏକ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ସଙ୍ଗୀତରେ ବ୍ୟବହୃତ ହେଉଥିବା ସମୟର ମାପିବା ପ୍ରଣାଳୀକୁ ତାଳ କୁହାଯାଏ  । ତାଳ ‘ତଲ’ ଧାତୁରୁ ଉଦ୍ଧୃତ କରାଯାଇଛି । ଅର୍ଥାତ ସଙ୍ଗୀତକୁ ଏକ ଆଧାର ପ୍ରଦାନ କରିବା ହେଉଛି ତାଳର ଧର୍ମ । ପୌରାଣିକ ମତ ଅନୁସାରେ :-

                “ତକାର: ଶଙ୍କର: ପ୍ରୋକ୍ତୋ: ଲକାର: ପାର୍ବତୀ ସ୍ମୃତ: ।

                ଶିବଶକ୍ତି ସମାୟୋଗାତ୍ ତାଳ ଇତ୍ୟଭି ଧିୟେତେ”।।

                ଅର୍ଥାତ୍ ‘ତା’ ଶବ୍ଦ ଶଙ୍କରଙ୍କ ଠାରୁ ଏବଂ ‘ଳ’ ଶବ୍ଦ ପାର୍ବତୀଙ୍କ ଠାରୁ ଉତ୍ପତି ହୋଇଅଛି । କାରଣ ଶିବ ଏବଂ ଶକ୍ତି ସ୍ୱରୂପା ପାର୍ବତୀ ଏକ ହୋଇଥିବାରୁ ପ୍ରାଣ ଓ ଆତ୍ମାର ମହାମିଳନରୁ ହିଁ ତାଳର ସୃଷ୍ଟି । ଯେପରି ଶିବଶକ୍ତିଙ୍କ ଲୟପୂର୍ଣ୍ଣ ଗତିରେ ବିଶ୍ୱର ସୃଜନ ହେଲା ସେହିପରି ତାଳର ଅଦ୍ଭୂତ ସୃଜନାତ୍ମକ କ୍ରିୟା ଦ୍ୱାରା ଗାୟନ, ବାଦନ ଏବଂ ନୃତ୍ୟରେ ପ୍ରାଣ ପ୍ରବାହ ହୋଇଥାଏ।

                ନାଟ୍ୟଶାସ୍ତ୍ରର ରଚୟିତା ଭରତମୁନି ସଙ୍ଗୀତକୁ ‘ସ୍ୱରତାଳ ପଦାତ୍ମକମ’ କହିଛନ୍ତି  । ସଙ୍ଗୀତରେ ସ୍ୱର, ପଦ ଓ ତାଳ ଏହି ତିନିଗୋଟି ତତ୍ତ୍ୱର ଆବଶ୍ୟକତା ହୋଇଥାଏ । ସ୍ୱରର ତାତ୍ପର୍ଯ୍ୟ ସଙ୍ଗୀତପଯୋଗୀ ଧ୍ୱନି ଅଟେ, ପଦର ଅର୍ଥ ଗୀତର ଶବ୍ଦ ଏବଂ କାଳର ଅର୍ଥ ସମୟକୁ ମାପିବା ପ୍ରଣାଳୀକୁ ବୁଝାଇଥାଏ । ସଙ୍ଗୀତରେ ସ୍ୱର, ଶବ୍ଦ ଓ ତାଳର ଅପୂର୍ବ ମିଳନରୁ ହିଁ ସଙ୍ଗୀତର ଉତ୍କୃଷ୍ଟତା ପ୍ରତିପାଦିତ ହୋଇଥାଏ  ।

                ସଙ୍ଗୀତରେ ଲୟ ଏବଂ ତାଳ ପରିପୂୂରକ । କାରଣ ଲୟର ଜନ୍ମ ସହିତ ତାହାକୁ ଦର୍ଶାଇବା ପାଇଁ କ୍ରିୟାର ଆବଶ୍ୟକତା ପଡ଼ିଲା ଓ ଏହି ପ୍ରକ୍ରିୟା ଦ୍ୱାରା ତାଳର ଜନ୍ମ ହେଲା । ଲୟକୁ କାଳ ଏବଂ କ୍ରିୟାକୁ ନିୟନ୍ତ୍ରିତ କରିବା ପାଇଁ ତାଳର ଉଦ୍ଭାବନା ହେଲା । ଲୟ ସ୍ୱୟଂ ଏକ ବ୍ୟାପକ ଏବଂ ଅଖଣ୍ଡିତ କ୍ରିୟା ଅଟେ । ଏହି ଅଖଣ୍ଡିତ କ୍ରିୟାକୁ ଏକ ନିଶ୍ଚିତ ଅନ୍ତରାଳରେ ଦର୍ଶାଇବାକୁ ତାଳ କୁହାଗଲା ।

                ସମୟ ଅଖଣ୍ଡ ଏବଂ ଅନନ୍ତ ଅଟେ । ଏହା ସମସ୍ତ ବ୍ରହ୍ମାଣ୍ଡରେ ପରିବ୍ୟାପ୍ତ ଅଟେ । ସମୟ ଗତିମାନ ଅଟେ ଏବଂ ସର୍ବଦା ଆଗକୁ ଅଗ୍ରସର ହୋଇଥାଏ । ଏହି ଅନନ୍ତ ଓ ଅଖଣ୍ଡ ସମୟକୁ ମନୁଷ୍ୟ ବର୍ଷ, ମାସ, ଦିନ, ଘଣ୍ଟା, ମିନିଟ, ସେକେଣ୍ଡ ଇତ୍ୟାଦିରେ ବିଭାଜିତ କରିଥାଏ  । ଲୟ ଓ ତାଳର ଶ୍ରେଷ୍ଠତା ବିଶ୍ୱର କୋଣ-କୋଣରେ ବ୍ୟାପ୍ତ । ପୃଥିବୀ, ସୂର୍ଯ୍ୟ, ନକ୍ଷତ୍ର ଇତ୍ୟାଦି ନିୟମିତ ଗତିରେ ଚଳାୟମାନ । ପୃଥିବୀର ଗତି, ଋତୁମାନଙ୍କର ପରିବର୍ତ୍ତନତା, ସମୁଦ୍ରର ଜୁଆର ଭଟ୍ଟା ଇତ୍ୟାଦିର ଗତି ପ୍ରକୃତି ନ୍ୟସ୍ତ କରିଛି । ସେହିପରି ମାନବ ସଭ୍ୟତାରେ ମଣିଷର ଚାଲିବା, କଥା କହିବା, ନିଶ୍ୱାସ-ପ୍ରଶ୍ୱାସ ନେବା, ହୃଦୟର ଗତି ଇତ୍ୟାଦି ଏକ ନିଶ୍ଚିତ ଗତିର ଚାଲୁରହିଛି । ଏହି ଗତିରେ ଟିକେବି ବ୍ୟତିକ୍ରମ ହେଲେ ପୃଥିବୀ ଏବଂ ମନୁଷ୍ୟର ବିନାଶ ଘଟିବ । ସେହିପରି ସଙ୍ଗୀତରେ ବ୍ୟବହୃତ ସମୟର ଗତିକୁ ତାଳ ମାଧ୍ୟମରେ ନିୟନ୍ତ୍ରିତ କରାଯାଇଥାଏ । ଅର୍ଥାତ୍ ସଙ୍ଗୀତରେ ବୃବହୃତ ସମୟକୁ ତାଳ ଦ୍ୱାରା ବିଭାଜିତ କରାଯାଇଥାଏ ଯଥା ତିନତାଳ (୧୬ ମାସ), ଝାମ୍ପତାଳ (୧୦ ମାତ୍ରା), ରୂପକ (୭ ମାତ୍ରା), କହରବା (୮ ମାତ୍ରା), ଦାଦରା (୬ ମାତ୍ରା) ଇତ୍ୟାଦି । ଏହି ତାଳ ସଙ୍ଗୀତକୁ ସ୍ଥାଇତ୍ୱ ପ୍ରଦାନ କରିଥାଏ ଏବଂ ରସପୁର୍ଣ୍ଣ ବନାଇଥାଏ । କାରଣରେ କୁହାଯାଇଛି :-

                “ଗୀତ ବାଦ୍ୟ ନୃତ୍ୟ ୟାତସ୍ତାଲେ ପ୍ରତିଷ୍ଠିତମ୍” ଅର୍ଥାତ୍ ଗୀତ, ବାଦ୍ୟ ଏବଂ ନୃତ୍ୟ ତାଳ ଦ୍ୱାରାହିଁ ପ୍ରତିଷ୍ଠା ଲାଭ କରିଥାଏ। ସଙ୍ଗୀତର ଏହି ତିନି ଅଙ୍କ ମଧ୍ୟରୁ ତାଳର ମହତ୍ୱ ସର୍ବଶ୍ରେଷ୍ଠ ଅଟେ । ସଙ୍ଗୀତର ପ୍ରମୁଖ ଲକ୍ଷ୍ୟ ଆନନ୍ଦ ପ୍ରାପ୍ତି ଅଟେ, ଯାହାର ପ୍ରାପ୍ତି ପାଇଁ ତାଳର ଭୂମିକା ମହତ୍ୱପୂର୍ଣ୍ଣ ଅଟେ ।

                ଭାରତୀୟ ଦାର୍ଶନିକମାନେ ‘ଲୟ’କୁ ମାୟା ଏବଂ ତାଳକୁ ‘ବ୍ରହ୍ମ’ ରୂପରେ ପରିକଳ୍ପନା କରିଛନ୍ତି । ଯେପରି ନିରାକାର ବ୍ରହ୍ମ ମାୟାର ସାହାରା ବିନା ନିରାକାର ହୋଇ ରହିଥାଏ ଅର୍ଥାତ୍ ବ୍ରହ୍ମର କୌଣସି ସ୍ୱରୂପ ପରିପ୍ରକାଶ ପାଇ ନଥାଏ, ଠିକ ସେହିପରି ସ୍ୱର ମଧ୍ୟ ଲୟ ଏବଂ ତାଳ ବିନା ପ୍ରଭାବ ଶୂନ୍ୟ ଏବଂ ନିଷ୍କ୍ରିୟ ହୋଇଥାଏ । ସଙ୍ଗୀତ ଶାସ୍ତ୍ରରେ ଲୟ ତାଳର ଜନନୀ ବୋଲି କୁହାଯାଇଛି ।

                ତାଳ ଓ ଲୟ ଏକ ଶକ୍ତିର ପରି ଅଟେ ଯାହାକି ପୁରା ସଂସାରକୁ ଲୟ ଏବଂ ତାଳ ଯୁକ୍ତ କରି ଚଳାଇଥାଏ । ଯତଦ୍ୱାରା ତାଳ ଓ ସ୍ୱରର ସଂଯୋଗରେ ସଙ୍ଗୀତ ଆକର୍ଷକ ଏବଂ ପ୍ରଭାବଶାଳୀ ହୋଇଥାଏ। ଯେପରି ବ୍ୟାକରଣ ବିନା ଭାଷା ଶୁଦ୍ଧ ଏବଂ ଏହାର ପରିପୃଷ୍ଟ ରୂପ ପରିପ୍ରକାଶ ପାଏ ନାହିଁ ସେହିପରି ତାଳ ବିହୀନ ସଙ୍ଗୀତ ଗାୟନ, ବାଦନ ଏବଂ ନୃତ୍ୟକୁ ପ୍ରଭାବହୀନ ଏବଂ ଅନାଆକର୍ଷଣୀୟ କରିଥାଏ । ତେଣୁ ତାଳକୁ ସଙ୍ଗୀତର ପ୍ରାଣ ବୋଲି କୁହାଯାଏ । ତାଳ ବିହୀନ ସଙ୍ଗୀତ ନିର୍ଜୀବ ଏବଂ ନିରର୍ଥକ ହୋଇଥାଏ । ସେହିପରି ତାଳ ରହିତ ଗୀତ ନାସା ହୀନ ମୁହଁ ସହିତ ସମାନ ଅଟେ । ତେଣୁ ଯଥାର୍ଥରେ କୁହାଯାଇ ଅଛି

– ମୁଖ ପ୍ରଧାନ ଦେହସ୍ୟ ନାସିକା ମୁଖମଧ୍ୟକେ ।।

                                                                             ତାଳହୀନ ତଥା ଗୀତ ନାସାହିନ ମୁଖ ୟଥା ।।

ଡ. ସନ୍ଦିପ କୁମାର ରାଉତ

                ଅର୍ଥାତ ଯେପରି ଶରୀରରେ ମୁହଁ ପ୍ରଧାନ ଅଟେ ଏବଂ ମୁହଁର ସୌନ୍ଦର୍ଯ୍ୟ ନାକ ଦ୍ୱାରା ବୃଦ୍ଧି ପାଇଥାଏ, ସେହିପରି ତାଳ ରହିତ ଗୀତ ନାସିକାହୀନ ମୁହଁ ସହିତ ସମାନ ଅଟେ  ।

                ସଙ୍ଗୀତରେ ତାଳର ଜନ୍ମ ପ୍ରାକୃତିକ ରୂପରେ ହୋଇଛି ଯାହାର ପ୍ରମାଣ ପ୍ରାଗ୍ଐତିହାସିକ କାଳିନ ସଙ୍ଗୀତ ଅଧ୍ୟୟନରୁ ଜଣାପଡ଼େ । ପ୍ରାଚୀନ ପ୍ରସ୍ତର ଏବଂ ଗୁମ୍ଫା ମାନଙ୍କର ଚିତ୍ରିତ ନର ନାରୀଙ୍କର ଅଙ୍ଗ ସଂ•ଳନ କରୁଥିବା ଚିତ୍ରରୁ ଜଣାପଡ଼େ ଯେ ସେ ସମୟରେ ମାନବ ମଧ୍ୟରେ ତାଳର ଭାବନା ବିଦ୍ୟମାନ ଥିଲା । ଏହା ବ୍ୟତିତ ବୈଦିକ ସାହିତ୍ୟରେ ବର୍ଣ୍ଣିତ ଅଛି ଯେ ସାମଗାନ ଗାୟନ ସମୟରେ ହାତରେ ତାଳି ଦେଇ ମାତ୍ରାର ନିର୍ବାହ କରାଯାଉଥିଲା । ସାମଗାନରେ ଯେପରି ସ୍ୱର ଶୁଦ୍ଧିର ଆବଶ୍ୟକତା ଥିଲା ସେହିପରି କାଳ ମାପିବା ମଧ୍ୟ ଅନିବାର୍ଯ୍ୟ ଥିଲା । କିନ୍ତୁ ସେ କାଳରେ ତାଳ ‘ଶବ୍ଦ’ର ଦୃଷ୍ଟିଗୋଚର ହୁଏ ନାହିଁ ।

                ତାଳ ଶବ୍ଦର ବ୍ୟାଖ୍ୟା ଭରତଙ୍କ ଦ୍ୱାରା ରଚିତ ନାଟ୍ୟଶାସ୍ତ୍ରରୁ ମିଳେ । ନାଟ୍ୟ ସଙ୍ଗୀତ ଓ ରସ ଶାସ୍ତ୍ର ବିଷୟରେ ସୁକ୍ଷ୍ମ୍ମତମ ବିବେଚନା ଏହି ଗ୍ରନ୍ଥରୁ ହିଁ ହୋଇଅଛି । ଭରତଙ୍କ ଅନୁସାରେ କଳା (କ୍ରିୟା)ର ପରିମାପକ କାଳ ବା ସମୟ ଅଟେ । ତେଣୁ ସେ ଏହାକୁ ତାଳ ବୋଲି ପରିଭାଷିତ କରିଛନ୍ତି । ଆ•ର୍ଯ୍ୟ ଭରତଙ୍କ ପାଇଁ କାଳର ସ୍ୱରୂପ ଏହି ପ୍ରକାର ବ୍ୟକ୍ତ କରିଛନ୍ତି –

                କଳା,ପାତ ଓ ଲୟର ସମିଶ୍ରଣକୁ ସେ ତାଳ ବୋଲି ବିବେଚନା କରିଛନ୍ତି  । ତେଣୁ ଏକ ଶ୍ଳୋକରେ ସେ ଉଲ୍ଲେଖ କରିଛନ୍ତି-

                “ୟସ୍ତୁ ତାଳ ନଜାନାତି, ଗାୟକ ନ ଚ ବାଦକ  ।”

                ଅର୍ଥାତ୍ ଯେ ତାଳ ବିଷୟରେ ଜାଣେ ନାହିଁ ଅଥବା ତାହା ବିଷୟରେ ଜ୍ଞାନ ନାହିଁ ସେ ନା ଗାୟକ ହୋଇପାରିବ ନା ବାଦକ ହୋଇପାରିବ । ତେଣୁ ନିରନ୍ତର ପରିଶ୍ରମ ଏବଂ ସାଧନାଦ୍ୱାରା ତାଳ ବିଦ୍ୟାକୁ ସାଧିବା ଆବଶ୍ୟକ ଅଟେ ।

                ତାଳର ସମ୍ପର୍କ ଲୟ ସହିତ ରହିଛି ଏବଂ ଲୟ ସଙ୍ଗୀତର ଆଧାର ଅଟେ । ସଙ୍ଗୀତରେ ଲୟର ମହତ୍ୱ ବିଷୟରେ କୁହାଯାଇଛି- “ଶ୍ରୃତି: ର୍ମାତା, ଲୟ : ପିତା” ଅର୍ଥାତ୍ ସଙ୍ଗୀତରେ ଶ୍ରୃତି ମାତା ଏବଂ ଲୟ ପିତା ଅଟେ । ଲୟ ସଙ୍ଗୀତର ମାଧ୍ୟମ ଅଟେ ଯାହାଦ୍ୱାରା ସଙ୍ଗୀତର ଆନନ୍ଦ ଏବଂ ରସ ଶ୍ରୋତାମାନଙ୍କ ପାଖରେ ପହଞ୍ଚିପାରେ  ।

                ଲୟର ସଂଶୋଧିତ ଏବଂ ବିକସିତ ରୂପ ତାଳ ଅଟେ । ଲୟରୁ ମାତ୍ରା (ତାଳର ପ୍ରତ୍ୟକ ଏକକକୁ ମାତ୍ରା କୁହାଯାଏ) । ଏବଂ ମାତ୍ରାରୁ ତାଳ ନିର୍ମିତ ହେଲା । ଲୟ ଓ ତାଳ ସର୍ବବ୍ୟାପକ । ପୃଥିବୀ ମଧ୍ୟ ଏକ ନିଶ୍ଚିତ ଗତିରେ ଗତି କରୁଛି ଯତ୍ଦ୍ୱାର ଦିନ-ରାତି, ଋତୁ ମାନଙ୍କର ପରିବର୍ତ୍ତନ ଇତ୍ୟାଦି ଏକ ନିଶ୍ଚିତ ଲୟରେ ହେଉଅଛି ଅର୍ଥାତ ସୃଷ୍ଟିର ପ୍ରତ୍ୟକ ଜୀବଧାରୀ ଏକ ନିଶ୍ଚିତ ତାଳରେ କାର୍ଯ୍ୟ କରୁଛନ୍ତି । ଶୋଇବା, ଉଠିବା, ଚାଲିବା, ବସିବା, ଖାଇବା, ପିଇବା ଇତ୍ୟାଦି ସବୁ କ୍ରିୟା ତାଳମୟ ଅଟେ । ଏତତ୍ବ୍ୟତୀତ ଶରୀରରେ ବାୟୁର ସଂଚାର, ନାଡ଼ିର ଚଳନ, ହୃଦୟର ସ୍ପନ୍ଦନ ଏବଂ ପେଟର ସବୁ ଯନ୍ତ୍ରର କାର୍ଯ୍ୟକଳାପ ଏକ ତାଳରେ ହେଉଅଛି, ଏଣୁ ଏହି ତାଳର ସାମନ୍ୟ ବିଚ୍ୟୁତି ଦ୍ୱାରା ପୃଥିବୀରେ ପ୍ରଳୟ ହୋଇଯିବ ।

                ତେଣୁ ସାଧାରଣ ଜୀବନରେ ହେଉ କିମ୍ବା ସଙ୍ଗୀତରେ ହେଉ ତାଳ ଏକ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ତାଳ ଓ ଲୟ ବିନା ସୃଷ୍ଟି ଏବଂ ସଙ୍ଗୀତ ଅସମ୍ଭବ । ତେଣୁ ତାଳ ହିଁ ସଙ୍ଗୀତର ମାପ କାଠି ଏବଂ ଏହା ସଙ୍ଗୀତକୁ ଏକ ଆଧାର ଏବଂ ସ୍ଥାୟିତ୍ୱ ପ୍ରଦାନ କରିଥାଏ ।

                ବାସ୍ତବରେ ସଙ୍ଗୀତରେ ତାଳ ଏକ ଶବ୍ଦ ନୁହେଁ । ଏକ ଅଭିଧାନ, ଔଷଧ ନୁହେଁ ଏକ ମହୌଷଧୀ, ନାଦ ନୁହେଁ ଓଁ କର ପ୍ରଣବର ଝଁଙ୍କାର, ଗୋଟିଏ ସୂକ୍ତ ନୁହେଁ ବରଂ ବେଦ । ସର୍ବୋପରି ସଙ୍ଗୀତକୁ ଜୀବନ୍ତ, ମୁର୍ତ୍ତିମନ୍ତ, ରୁଦ୍ଧିମନ୍ତ ତଥା ସୁଦୂର ପ୍ରସାରି ଉଚ୍ଚସ୍ତରୀୟ ସାଧନା ସିଦ୍ଧ ହେବାର ଏକ ବଳିଷ୍ଠ ମାଧ୍ୟମ ।

Photo credit – internet

About ଡ଼ଃ ସନ୍ଦିପ କୁମାର ରାଉତ

Avatar
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ତବଲା ବିଭାଗର ଅଧ୍ୟାପକ

Check Also

ବାଦ୍ୟ ବିନୋଦ ପଣ୍ଡିତ କ୍ଷେତ୍ରମୋହନ କରଙ୍କର ଅବଦାନ

ଉତ୍କୃଷ୍ଟ କଳାର ରାଜ୍ୟ ଭାବରେ ଓଡ଼ିଶା ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଅଛି ଏହା ନିଃସନ୍ଦେହ । …

Leave a Reply

Your email address will not be published. Required fields are marked *