Home / ସମୀକ୍ଷା / ଭାରତୀୟ ଯୋଗୀ ପରମ୍ପରାର ଦୁଇ କୃତୀ ସାଧକ: ବୁଦ୍ଧ ଓ ଗାନ୍ଧୀ

ଭାରତୀୟ ଯୋଗୀ ପରମ୍ପରାର ଦୁଇ କୃତୀ ସାଧକ: ବୁଦ୍ଧ ଓ ଗାନ୍ଧୀ

ଫୋଟୋ କ୍ରେଡିଟ – ଉଇକି ମିଡ଼ିଆ କମନ

ଭାଗବତ ପ୍ରସାଦଙ୍କ ଜନ୍ମଦିନରେ ତାଙ୍କ କଲମରୁ

ତପସ୍ୱୀ ଭ୍ୟୋଽଧିକୋ ଯୋଗୀ ଜ୍ଞାନିଭ୍ୟେଽପି ମତୋଽଧିକଂ

କର୍ମିଭ୍ୟାଶ୍ଚାଧିକୋ ଯୋଗୀ ତସ୍ମାଦ୍ ଯୋଗୀ ଉବାର୍ଜୁନ ।

‘ତପସ୍ୱୀ, ଜ୍ଞାନି, କର୍ମୀ : ସମସ୍ତଙ୍କ ଠୁ ଯୋଗୀ ଊର୍ଦ୍ଧ୍ୱରେ,

ତେଣୁ ଯୋଗୀ ହୋଇଯାଅ ତମେ ଅର୍ଜୁନ ।

(ଗୀତା ଷଷ୍ଠ ଅଧ୍ୟାୟ ଶ୍ଳୋକ ୪୬)

ଭାରତବର୍ଷର ସାଂସ୍କୃତିକ ଇତିହାସ ମୁଖ୍ୟତଃ ଯୋଗୀଙ୍କର ଇତିହାସ । ଗାନ୍ଧି ମାନସକୁ ବୁଝିବାକୁ ହେଲେ ଭାରତରେ ‘ଯୋଗ’ର ବିବର୍ତ୍ତନ ପ୍ରକ୍ରିୟାକୁ ଉଜାଗର କରିବାକୁ ପଡ଼ିବ ।

ଭାରତୀୟ ସଭ୍ୟତା ଓ ଗାନ୍ଧି ବ୍ୟକ୍ତିତ୍ୱର ସଠିକ୍ ମୂଲ୍ୟାୟନ କରିଥିଲେ ରୋମା ରୋଲାଁ । ସେ କହିଥିଲେ ‘For if there is such a thing as genius, great by its own strength, whether or not it corresponds to the ideals of its surroundings, there can be no genius of action, no leader who does not incarnate the instincts of his race, satisfy the need of the hour and requite the yearning of the world.’

ନିଜ ଶକ୍ତିରେ ଉଜ୍ଜ୍ୱଳ ଏକ ତୁଙ୍ଗ ପ୍ରତିଭା ତା’ର ତତ୍କାଳୀନ ସାଂସ୍କୃତିକ ପରିବେଶ ସହ ନିଜକୁ ଖାପ ଖୁଆଇପାରେ କିମ୍ବା ନ ପାରେ । କିନ୍ତୁ ଏଭଳି କୌଣସି କ୍ରିୟାଶୀଳ ତୁଙ୍ଗ ପ୍ରତିଭା ସମ୍ଭବ ନୁହେଁ, ଯାହାର ଗଠନରେ ତା’ର ଜାତିର ଅନ୍ତଃପ୍ରବୃତ୍ତିର ଅବଦାନ ଅନୁପସ୍ଥିତ। ଏଇ ଅସାଧାରଣ ବ୍ୟକ୍ତି କେବଳ ତା’ର ଦେଶ ନୁହେଁ, ସାରା ପୃଥିବୀକୁ ଦିଗ୍‌ଦର୍ଶନ ଦେଇଥାଏ ।’

ରୋମାଁରୋଲାଁଙ୍କର ମର୍ମାର୍ଥକୁ ଆଉ ଟିକିଏ ଅଗାକୁ ନେଇ କୁହାଯାଇପାରେ ଯେ, ଏଭଳି ତୁଙ୍ଗ ପ୍ରତିଭା କେବଳ ଗୋଟିଏ ଯୁଗ ନୁହେଁ, ସବୁ ଯୁଗ ପାଇଁ ଜଳୁଥାଆନ୍ତି ବତୀଘର ଭଳି ।

ଭାରତୀୟ ସାଂସ୍କୃତିକ ଇତିହାସର ପ୍ରଥମ ବିଶ୍ୱସ୍ତରୀୟ ବ୍ୟକ୍ତିତ୍ୱ ଗୌତମ ବୁଦ୍ଧ ।

ବୁଦ୍ଧ ଓ ଗାନ୍ଧୀ ଗୋଟିଏ ସୂତ୍ରରେ ବନ୍ଧା ଏବଂ  ସେ  ସୂତ୍ରଟି ହେଉଛି ଶ୍ରୀକୃଷ୍ଣ ଚିହ୍ନିତ ‘ଯୋଗୀତ୍ୱ’ ଯାହାର ମୁଖ୍ୟ ଉପାଦାନ ଥିଲା ଅହିଂସା ଓ ସତ୍ୟ ।

ବୁଦ୍ଧ ‘ଧର୍ମପଦ’ର ଗୋଟିଏ ଶ୍ଲୋକରେ ଭାରତର ସନାତନ ଧର୍ମର ପ୍ରଧାନଲକ୍ଷଣକୁ ଶିଷ୍ୟମାନଙ୍କ ସମକ୍ଷରେ ଥୋଇଛନ୍ତି । ପାଲି ଶ୍ଲୋକଟି ହେଉଛି ‘ନ ହି ବେରେନ ବେରାନି ସମ୍ମନ୍ତ୍ରୀଥ କୁଜାଚନ ଅବେରେନ ହି ସମ୍ମନ୍ତି ଏକ ଧର୍ମ ସନନ୍ତୋନୋ’ । ଶତ୍ରୁତ୍ୱକୁ ଶତ୍ରୁତା ଦ୍ୱାରା ନିବାରଣ କରାଯାଇ ପାରେନା । ଶତ୍ରୁତ୍ୱକୁ ନିବାରଣ କରିବାର ଏକ ମାତ୍ର ରାସ୍ତା ହେଉଛି ‘ମୈତ୍ରୀ’ । ପ୍ରାଚୀନ ଭାରତର ମହାଜନ ବା ଯୋଗୀସମାଜ ବିଷୟରେ ମହାଭାରତରେ ଲିଖିତ ଅଛି ଯେ ସେମାନଙ୍କର ମୁଖ୍ୟ ଲକ୍ଷଣ ଥିଲା ବିଶ୍ୱମେତ୍ରୀ ।

ସର୍ବୋଷାଂ ଯଃ ସୁହୃଦ୍ ନିତ୍ୟଂ

ସର୍ବୋଷାଂ ଯାଃ ହିତେ ରତଃ

କାୟେନ ମନସା ବାଚା, ତଦ୍ଧମି ବଦ ଜାବାଲେ ।’

ହେ ଜାବାଲେ! ଯିଏ ସମସ୍ତଙ୍କୁ ସହଜଭାବେ, ଯେ କାୟ ମନୋବାକ୍ୟରେ ସମସ୍ତଙ୍କର ହିତ କାମନା କରେ, ସେହି ପ୍ରକୃତ ଧାର୍ମିକ ।- (ମହାଭାରତ, ଶାନ୍ତି ପର୍ବ -୨୬୨/୯)

ବୁଦ୍ଧଙ୍କ ଅଷ୍ଟାଙ୍ଗ ଆର୍ଯ୍ୟମାର୍ଗ ଥିଲା ପ୍ରଚୀନ ଯୋଗୀ ମାନସର ଯୁଗଧର୍ମୀ ପରିବର୍ତ୍ତିତ ରୂପ । ସତ୍ ବଚନ ଓ ସତ୍ କର୍ମ ଦୁଇଟି (ଅଷ୍ଟାଙ୍ଗ ଆର୍ଯ୍ୟମାର୍ଗର ଯଥାକ୍ରମେ : ତୃତୀୟ ଓ ଚତୁର୍ଥ ମୂଲ୍ୟବୋଧ) ସତ୍ୟର ପ୍ରତୀକ । ସତ ଜୀବିକା ( ପଞ୍ଚମ ଆର୍ଯ୍ୟମାର୍ଗ) ଥିଲା ନିର୍ଭରଶୀଳ । ‘ଅହିଂସା’ ମୂଲ୍ୟବୋଧ ଉପରେ ।

ଅହିଂସା, ସତ୍ୟ, ଅସ୍ତ୍ରେୟ ଓ ଅପରିଗ୍ରହ ଚାରୋଟି ମୂଲ୍ୟବୋଧର ଭିତ୍ତିଭୂମି ଉପରେ ସ୍ଥାପିତ ହୋଇଥିଲା । ‘ଯୋଗସାଧାନା’ ର ଭବ୍ୟ ମହଲ ।

ପ୍ରାଚୀନ ଯୋଗୀମାନେ ଥିଲେ ତତ୍‌କାଳୀନ ସମାଜର ସର୍ବୋଚ୍ଚ ସ୍ଥାନରେ । ସେହି ଅତୀତ ସମାଜ ସମ୍ପର୍କରେ ମହାଭାରତକାର ଲେଖିଛନ୍ତି ।

‘ନ ବୈ ରାଜ୍ୟଂନ ରାଜାଽସୀନ୍ନ ଚ ଦଣ୍ଡୋ ନ ନାଣ୍ଡିକଃ

ଧର୍ମେଣୈବ ପ୍ରଜାଃ ସବା ରକ୍ଷନ୍ତି ସ୍କ ପରସ୍ପରମ୍ ।’

(ମହାଭାରତ ଶାନ୍ତି ପର୍ବ ୫୯-୧୪)

ସେତେବେଳେ ରାଜ୍ୟ ନଥିଲା, ରାଜା ନଥିଲେ, ଦଣ୍ଡ ନ ଥିଲା, ଦଣ୍ଡଦାତା ନଥିଲେ, ଧର୍ମରେ ରତ ରହି ପ୍ରଜାମାନେ ପରସ୍ପରର ହିତ ସାଧନ କରୁଥିଲେ ।

ଏକମାତ୍ର ସୃହୃଦତ୍ୱ ହିଁ ଧର୍ମ, ଏହା ପୂର୍ବଶ୍ଲୋକରେ ପ୍ରତିପାଦିତ ହୋଇଛି । ଶାନ୍ତି ପର୍ବର ଷାଠିଏ ଅଧ୍ୟାୟ, ୧୨ ଶ୍ଳୋକ ହେଉଛି, ‘କୁର୍ଯ୍ୟାଦନ୍ୟନ୍ନ ବା କୁର୍ଯ୍ୟାନ୍‌ମୈତ୍ରୋ ବ୍ରାହ୍ମଣ ଉଚ୍ୟତେ’ । ସମାଜର ଶ୍ରେଷ୍ଠ ସ୍ଥାନରେ ଥିବା ଯୋଗୀ ଆଉ କିଛି କରୁ ବା ନ କରୁ, ‘ମୈତ୍ରୀ’କୁ ଜୀବନରେ ରୂପାୟିତ କରିବା ଦରକାର ।

(ସେହି ପ୍ରାଚୀନ ଯୁଗରେ ବର୍ଣ୍ଣଧର୍ମର ଚିହ୍ନବର୍ଣ୍ଣ ନ ଥିଲା । ତେଣୁ ଶ୍ଲୋକଟିର ବ୍ରାହ୍ମଣ ଶବ୍ଦକୁ ‘ଯୋଗୀ’ ଅର୍ଥରେ ଗ୍ରହଣ କରିବା ଅଧିକ ଯୁକ୍ତିଯୁକ୍ତ)

‘ଅହିଂସା’, ‘ସତ୍ୟ’, ‘ଅସ୍ତ୍ରେୟ’ ଓ ‘ଅପରିଗ୍ରହ’ ଚାରୋଟିଯାକ ମୂଲ୍ୟବୋଧ ସମାଜର ସହ ସମ୍ପର୍କିତ । ସେତେବେଳର ଯୋଗୀମାନଙ୍କ ଲକ୍ଷ୍ୟ ଥିଲା ଏକ ଧର୍ମ ।

(ମୈତ୍ରୀ ନିର୍ଭଶୀଳ ସମାଜ ଗଠନରେ ମୁଖ୍ୟ ଅଂଶ ଗହଣ କରିବା । ଯୁଗ ବଦଳିଗଲା, ଯୋଦ୍ଧାମାନେ କବଳିତ କଲେ ସମାଜକୁ । ସୃଷ୍ଟି ହେଲା ରାଜତନ୍ତ୍ର (ବିଶ୍ୱସାରା) ଓ ସାମନ୍ତତନ୍ତ୍ର (ଲିଚ୍ଛବି, ବଜ୍ଜିଳ ଶଲ୍ଲ ଓ ଶାକ୍ୟକୁଳ ମାନେ) ବୁଦ୍ଧ ଦେଖିଲେ ରାଜା ଓ ସାମନ୍ତଙ୍କ କ୍ଷମତାକୁ ଟଳାଇବା ଯୋଗୀ ପକ୍ଷରେ ସମ୍ଭବ ନୁହେଁ ।

ଯୋଗୀ ସାଧନାର ରହିଛି ତିନୋଟି ଅଙ୍ଗ । ଗୋଟିଏ ଅଙ୍ଗ ହେଉଛି ସୁସ୍ଥ ଶାରୀର ଗଠନ ପାଇଁ ଆସନ ପ୍ରାଣାୟମର ବ୍ୟବସ୍ଥା, ଦ୍ୱିତୀୟଟି ହେଉିଛି ମନକୁ ସୁସ୍ଥ ଏକାଗ୍ର କରିବା ପାଇଁ ଧ୍ୟାନ, ଧାରଣ ଓ ସମାଧିର  ପ୍ରୟୋଗ, ତୃତୀୟଟି ହେଉଛି ଯୋଗୀର ଚରମ ଲକ୍ଷ୍ୟ ସାଧନ ପାଇଁ ଶରୀର ଓ ଏକାଗ୍ର ମନକୁ ବ୍ୟବହାର କରିବା । ପ୍ରାଚୀନ ଯୁଗର ଚରମ ଲକ୍ଷ୍ୟ ସମାଜକୁ ମୈତ୍ରୀ ଭାବରେ ଆପ୍ଳୁତ କରି ନିୟନ୍ତ୍ରିତ କରିବା ପାଇଁ ଚାରି ମୂଲ୍ୟବୋଧର ସୃଷ୍ଟି ହୋଇଥିଲା । ପୂର୍ବ ଚିନ୍ତନକୁ ବଦଳାଇବା ଆବଶ୍ୟକ ପଡ଼ିଲା ବୁଦ୍ଧଯୁଗରେ, କାରଣ ସମାଜର ନିୟନ୍ତାହେଲେ ରାଜା ଓ ସାମନ୍ତମାନେ ।

ନୂଆଯୁଗରେ ବୁଦ୍ଧଙ୍କର ଲକ୍ଷ୍ୟ ହୋଇଗଲା ଅନେକ ମାତ୍ରାର ବ୍ୟକ୍ତିଗତ । କାରଣ ପୂର୍ବରୁ ସମତାଭିତ୍ତିକ ସମାଜ ଭାଙ୍ଗିପଡ଼ିଥିଲା ଓ ସମାଜରେ ଧନୀ ଓ କ୍ଷମତାଶାଳୀ ଗୋଷ୍ଠୀ ପ୍ରବଳ ହୋଇଉଠିଥିଲେ । ଏହି କ୍ଷମତାଶୀଳ ଗୋଷ୍ଠୀ ପ୍ରବଳ ହୋଇଉଠିଥିଲେ । ଏହି ‘ଗୋଷ୍ଠୀ’କୁ ‘କରୁଣା’ ମୂଲ୍ୟବୋଧ ମାଧ୍ୟମରେ ଜନାଭିମୁଖୀ କରିବା ପାଇଁ ବୁଦ୍ଧ ଉଦ୍ୟମ କରିଥିଲେ କାରଣ ଜନତା ସୁଖ ଏଇ ଗୋଷ୍ଠୀର ‘କରୁଣା’ ଉପରେ ଅନେକ ମାତ୍ରାରେ ନିର୍ଭରଶୀଳ ହୋଇସାରିଥିଲା ।

ସତ୍ୟ ଓ ଅହିଂସାକୁ ଅଷ୍ଟାଙ୍ଗ ଆର୍ଯ୍ୟ ମାର୍ଗରେ ବୁଦ୍ଧ ମୁଖ୍ୟସ୍ଥାନ ଦେଇଥିଲେ । ସତ୍ୟବାଚନ, ସତ୍ୟକର୍ମ ଓ ସତ୍‌ଜୀବିକା ଜରିଆରେ (ସତ୍‌ଜୀବିକା ମୁଖ୍ୟତଃ ‘ଅହିଂସା’ ମୂଲ୍ୟବୋଧ ଉପରେ ପ୍ରତିଷ୍ଠିତ ଥିଲା ।)

ପୁଣି ସମାଜ ବଦଳିଲା, ଇଂରେଜମାନେ ଭାରତର ଶାସକ ହେଲେ, ଊନବିଂଶ ଶତାବ୍ଦୀର ଭାରତରେ ରାମକୃଷ୍ଣ ପରମହଂସ, ବିବେକାନନ୍ଦ ଓ ଅରବିନ୍ଦ ଯୋଗ ସାଧନା ପ୍ରତି ଗୁରୁତ୍ୱ ଦେଇଥିଲେ । ସେତେବେଳକୁ ବେଦ ପାଶ୍ଚାତ୍ୟ ବିଦ୍ୱାନମାନଙ୍କ ଦୃଷ୍ଟି ଆକର୍ଷଣ କରିଲାଣି । ଭାରତୀୟ ଦାର୍ଶନିକମାନେ ‘ମୋକ୍ଷ’କୁ ପ୍ରାଧାନ୍ୟ ଦେଇ ଦେଲେଣି ।

ତେଣୁ ୟୁରୋପରେ ରାଷ୍ଟ୍ରବାଦ ପ୍ରବଳ ହୋଇ ଉଠିଥିଲା ଓ ତାର ଧକ୍କା ଭାରତରେ ଲାଗିଥିଲା । ରାଷ୍ଟ୍ରବାଦୀମାନେ କେବଳ ସହିଂସ ସଂଗ୍ରାମ ମାଧ୍ୟମରେ ବିଦେଶୀଙ୍କ ତଡ଼ିବା ଉଦ୍ୟମକୁ ସବୁପ୍ରକାର ସମର୍ଥନ ଦେଇଥିଲେ । ଯୁକ୍ତ ରାଷ୍ଟ୍ର ଓ ଇଟାଲିରେ ରାଷ୍ଟ୍ର ସ୍ୱାଧୀନତା ପାଇଁ ସହିଂସା ସଂଗ୍ରାମ କରି ବିପ୍ଲବୀମାନେ ସଫଳ ହୋଇଥିଲେ ।

ଭାରତର ଦୁଇଯୋଗୀ ପରାଧୀନ ଭାରତରେ ଦୁର୍ଦ୍ଦଶାରେ ବ୍ୟଥିତ ଥିଲେ ଓ ଭାରତର ହିଂସାବାଦୀ ବୀର ଯୁବକମାନଙ୍କ ପ୍ରତି ଅତିମାତ୍ରାରେ ସହାନୁଭୂତିଶୀଳ ଥିଲେ ।

ଆଲୋକ୍‌ଜାଣ୍ଡାର୍ ସୋଲ୍‌ଜଟିନ୍‌ସିନ୍ (Alexander Solzheitsyn) ଲେଖିଥିଲେ Anyone who has proclaimed violence, his method imescorably must choose lying as his principle.

ହିଂସା ଯେଉଁଠି, ଅସତ୍ୟ ବା ମିଥ୍ୟା ସେଇଠି । ପ୍ରାଚୀନ ଭାରତୀୟ ଯୋଗର ଦୁଇ ପ୍ରଧାନ ମୂଲ୍ୟବୋଧ ସତ୍ୟ ଓ ଅହିଂସାକୁ ପ୍ରାଧାନ୍ୟ ଦେବା ଊନବିଂଶ ଶତାବ୍ଦୀର କୌଣସି ଯୋଗୀଙ୍କ ପକ୍ଷରେ ସମ୍ଭବ ହୋଇନ ଥିଲା । ସମାଜ ଚେତନ ବିବେକାନନ୍ଦ ‘କରୁଣା’କୁ ପ୍ରାଧାନ୍ୟ ଦେଇ ଖ୍ରୀଷ୍ଟିୟାନ ମିଶନ୍ ଢ଼ାଞ୍ଚାରେ ମିଶନ୍ ଗଠନ କରି  ଜନସେବାର ପ୍ରଥା ଖୋଲି ଦେଇଥିଲେ ଓ ଏଥିରେ ତୃପ୍ତି ପାଇଥିଲେ । ଅରବିନ୍ଦ ସମାଜଠୁ ଦୂରେଇ ଯାଇ ଯୋଗ ସାଧନାରେ ନିଜକୁ ମଗ୍ନ କରି ଦେଇଥିଲେ ।

ଗାନ୍ଧୀଙ୍କ ଆଗମନ ପୂର୍ବରୁ ଭାରତର ଯୁବଶକ୍ତି ହିଂସାର ରାସ୍ତାରେ ସ୍ୱାଧୀନତା ସଂଗ୍ରାମ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲା । ଗାନ୍ଧୀ ପ୍ରାଚୀନ ଯୋଗର ଦୁଇ ମୁଖ୍ୟ ମୂଲ୍ୟବୋଧ ‘ସତ୍ୟ’ ଓ ‘ଅହିଂସା’କୁ ପ୍ରାଧାନ୍ୟ ଦେଇ ଏକ ଅଭିନବ ସଂଗ୍ରାମର ପନ୍ଥା ଆବିଷ୍କାର କରିଥିଲେ । ଏଇ ପନ୍ଥାକୁ ସେ ନାମ ଦେଇଥିଲେ ‘ସତ୍ୟାଗ୍ରହ’ ।

ପ୍ରାଚୀନ ଯୋଗରେ ଭଗବାନ ଥିଲେ ଅନୁପସ୍ଥିତ । ସେଥିପାଇଁ ପାତଞ୍ଜଳି ତାଙ୍କ ‘ଯୋଗ ଦର୍ଶନ’ ରେ ସୂତ୍ର ରଖିଥିଲେ ‘ଈଶ୍ୱର ପ୍ରଣିଧାନାତ୍‌’ ବା (ବିକଳ୍ପରେ ଈଶ୍ୱର ଆରାଧନା କରି ସିଦ୍ଧିଲାଭ କରାଯାଇପାରେ) ।

ପାତଞ୍ଜଳିଙ୍କ ବେଳକୁ ସମାଜ ଅନେକ ମାତ୍ରାରେ ଇଶ୍ୱରବିଶ୍ୱାସୀ ହୋଇ ସାରିଥିଲା । ତେଣୁ ମୂଳ ଯୋଗଦର୍ଶନକୁ ପାତଞ୍ଜଳି କିଛିଟା ପରିବର୍ତ୍ତନ କରିଥିଲେ । ମହାଭାରତରେ ପ୍ରାଚୀନ ଧର୍ମର କଥା ଯେଉଁଠି ଉଲ୍ଲେଖ ରହିଛି, ସେଠି ଭଗବାନ ଅନୁପସ୍ଥିତ ।

ଅମର୍ତ୍ତ୍ୟ ସେନ୍ ଲେଖିଛନ୍ତି ‘Sanskrit (including its variants, pall and Prakrit) has a larger literature in the atheistic and agnostic tradition than exists in any other classical language (Greek, Roman, He-brew or Arabic).

ପୃଥିବୀର ଯେତେ ପୁରାତନ ଭାଷା ରହିଛି, ସେମାନଙ୍କ ମଧ୍ୟରେ ସବୁଠୁ ବେଶୀ ନିରୀଶ୍ୱରବାଦୀ ଓ ସନ୍ଦେହବାଦୀ ଲେଖାରହିଛି ସଂସ୍କୃତ ଓ ତାର ସହଯୋଗୀ ଭାଷା ପାଲି ଓ ପ୍ରାକୃତରେ । The Argumentative india-P-354, କେ.ଡ଼ି କାନେଭ୍ (ସଭ୍ୟ, ଦର୍ଶନ, ବିଜ୍ଞାନ ସମାଜ, ବୁଲ୍‌ଗେରିଆ) ଲେଖିଛନ୍ତି – On the basis of abundant material, Chatto padhyaya convincingly maintains in his work the stand point that the majority of eminent ancient sages and philosophers are atheists.)

The Myth of the theistic character of Indian philosophy, reputed from the book. Philosophy, Science and Social progress p.146)

ଦେବୀ ପ୍ରସନ୍ନ ଚଟ୍ଟୋପାଧ୍ୟାୟ ଅଗଣିତ ଗ୍ରନ୍ଥ ଅଧ୍ୟୟନ କରି ନିଶ୍ଚିତ ହୋଇଗଲେ ଯେ ପ୍ରାଚୀନ ଭାରତର ଅଧିକାଂଶ ସନ୍ଥ ଓ ଦାର୍ଶନିକ ଥିଲେ ନିର୍ରୀଶ୍ୱରବାଦୀ । ମହାଯୋଗୀ ବୁଦ୍ଧ ଥିଲେ ସନ୍ଦିଗ୍ଧବାଦୀ (Agnostic)

ଭାରତର ଯୋଗୀ ପରମ୍ପରାରେ ଈଶ୍ୱରଙ୍କ ସ୍ଥାନ ନଗଣ୍ୟ, ଷୋଡଶ ଶତାବ୍ଦୀରେ ଓଡ଼ିଆ ଯୋଗୀ ଅଚ୍ୟୁତାନନ୍ଦ ଲେଖିଲେ, ‘ଏଇ ମନ ସିନା ଚତୁର୍ଦ୍ଧା ମୁରତି, ମୁଢ଼ମତି…’ । ଏଇ ଲେଖାରେ ପ୍ରତିଧ୍ୱନିତ ହେଉଛି ଧର୍ମପଦର ପ୍ରଥମ କେତୋଟି ପାଲି ଶ୍ଲୋକର ଭାବନା । ‘ମନ ହିଁ ଧର୍ମର ମୂଳ । ମନକୁ ନେଇ ସୁଖ ଓ ଦୁଃଖ ହୁଅନ୍ତି ସୃଷ୍ଟି ।’

(ମନୋ ପୂର୍ବାଙ୍ଗମା ଧର୍ମ । ମନୋ ସେଝଠା ମନୋମୟା…) ଉନବିଂଶ ଶତାବ୍ଦୀର ଦୁଇ ବିଶିଷ୍ଟ ଯୋଗୀ ବିବେକାନ୍ଦ ଓ ଅରବିନ୍ଦ ଈଶ୍ୱର ବିଶ୍ୱାସକୁ ପ୍ରାଧାନ୍ୟ ଦେଇଥିଲେ ।

‘…in the spiritual, the oriental finds everything’.. ପ୍ରାଚ୍ୟଦେଶରେ ଆଧ୍ୟାତ୍ମକତା ହିଁ ସବୁକିଛି । (ବିବେକାନନ୍ଦ c.wiv.-p.150)

‘‘Nationalism is a religion that has come from god’ରାଷ୍ଟ୍ରବାଦ ଏକ ଧର୍ମ ଏହା ଭଗବାନ ପ୍ରଦ । (ଅରବିନ୍ଦ ବକ୍ତବ୍ୟ – କ୍ଟ୍ର-୭/ଚ-୭୬)

ରମିଲା ଥାପ୍ପର ତାଙ୍କର ‘ସର୍ଦ୍ଦାର ପଟେଲ୍ ବ୍ୟାଖ୍ୟାନମାଳା’ ଭାଷଣରେ କହିଥିଲେ ‘Yet another stereotype was… where the oriental was described as spiritual…’ (The past and prejudicep.5)

‘ଆଉ ଏକ ପ୍ରଚଳିତ ବଦ୍ଧ ଧାରଣା ହେଉଛି ପ୍ରାଚ୍ୟ ଦେଶଗୁଡ଼ିକ ଥିଲା ଆଧ୍ୟାତ୍ମିକ…’

‘The ideal of the earlier tests that the best life on earth is a balance between DHARMA, ARTHA and KAMA as how a healthy unconcern for any obsession with either the spiritual or the material.’

ପ୍ରାଚୀନ ରାଷ୍ଟ୍ରମତରେ ସଫଳ ଜୀବନୀର ମନ୍ତ୍ର ହେଉଛି ଧର୍ମ, ଅର୍ଥ ଓ କାମ ମଧ୍ୟରେ ସମତାରକ୍ଷା । ଆଧ୍ୟାତ୍ମିକତା କିମ୍ବା ଜଡତା କୌଣସିଟି ପ୍ରତି ଅତିରିକ୍ତ  ଆକର୍ଷଣ ପ୍ରାଚୀନ ଭାରତୀୟ ସଭ୍ୟତାରେ ନଥିଲା (ରମିଲା ଥାପ୍ସର – The past and Prejudice P.6)

ପ୍ରାଚୀନ ଭାରତର ନୀରଶ୍ୱରବାଦ ପ୍ରତିଫଳିତ ହୋଇଥିଲା ଗାନ୍ଧୀ ଦର୍ଶନରେ । ଗାନ୍ଧୀଙ୍କ ପାଇଁ ସତ୍ୟ ହିଁ ଭଗବାନ ଏବଂ ଅହିଂସା ହେଉଛି ସତ୍ୟର ବାସ୍ତବ ଜୀବନରେ ରୂପାୟନ । ଗାନ୍ଧୀ କୌଣସି ମନ୍ଦିରକୁ ପୂଜାପାଠ ପାଇଁ ଯାଉନଥିଲେ । ଗୋରାଙ୍କ ଭଳି ନିରୀଶ୍ୱରବାଦୀ ମଧ୍ୟ ଗାନ୍ଧୀଙ୍କ ମୁଖ୍ୟ ଶିଷ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇଥିଲେ ।

ଈଶ୍ୱର ବିଶ୍ୱାସ ନଥିବାରୁ ପ୍ରାଚୀନ ଯୋଗୀମାନେ ଓ ଗୌତମ ବୁଦ୍ଧ ନିଜ ମନକୁ ଆୟତ୍ତରେ ରଖିବା ଲକ୍ଷ୍ୟକୁ ସର୍ବୋଚ୍ଚ ସ୍ଥାନ ଦେଇଥିଲେ । ମହାଭାରତରେ ଲେଖା ଅଛି ‘ଜମ’ ବା ଇନ୍ଦ୍ରିୟ ସଂଯମ ହିଁ ପ୍ରାଚୀନ ଯୋଗୀମାନଙ୍କର ମୁଖ୍ୟ ଧର୍ମ ଥିଲା ।

‘ଜମମେବ ମହାରଜ ଧର୍ମମାହୁଃ  ପୁରାତନମ୍‌’ (ଶାନ୍ତିପର୍ବ ୬୦-୯)

ଐଶୀଶକ୍ତି ଉପରେ ବିଶ୍ୱାସ ନଥିବାରୁ ଯୋଗୀମାନସ ଚମତ୍କାର ଓ ରହସ୍ୟବାଦଠୁ ((Miracale and Mysticism)) ପ୍ରମୁଖ ସ୍ଥାନ ଗ୍ରହଣ କରିଛି । ସେହିଭଳି ଯଜ୍ଞରେ ବୋଲାଯାଉଥିବା ବେଦ ମନ୍ତ୍ରରେ ଅଦ୍‌ଭୁତ ଶକ୍ତି (Miraculous) ରହିଛି ବୋଲି ପୁରୋହିତମାନେ ପ୍ରଚାର କରି ଜନମାନସକୁ ବିଭ୍ରାନ୍ତ କରୁଥିଲେ । ଗାନ୍ଧିଜୀ ସମାଜରେ ପ୍ରଚଳିତ ଈଶ୍ୱର ବିଶ୍ୱାସକୁ ବିରୋଧ ନକରି ମଧ୍ୟ ଯୋଗର ମୂଲ୍ୟବୋଧଗୁଡ଼ିକୁ ପ୍ରତିଷ୍ଠିତ କରିପାରିଥିଲେ ।

ଗାନ୍ଧିଜୀ ବିଶ୍ୱାସ ରଖିଥିଲେ ଯେ ସତ୍ୟ ଓ ଅହିଂସାର ବ୍ରତ ପାଳନରେ ଯେତେ ସଫଳ ହେବେ, ସେତିକି ପରିମାଣରେ ଐଶୀଶକ୍ତି ତାଙ୍କୁ ସାହାଯ୍ୟ କରିବ କାରଣ ସତ୍ୟ ହିଁ ଭଗବାନ । ‘ସତ୍ୟ ହିଁ ଭଗବାନ’ ଘୋଷଣା କରି ସେ ଊନବିଂଶ ଶତାବ୍ଦୀର ଈଶ୍ୱର ନିର୍ଭରଶୀଳତାକୁ କାଟି ଆତ୍ମଶକ୍ତି ବିଶ୍ୱାସକୁ ସମାଜରେ ପ୍ରତିଷ୍ଠିତ କରିଥିଲେ ।

ସ୍ୱାଧୀନ ଭାରତରେ ଗୁଜରାଟ ମୁସଲମାନ ହତ୍ୟା ଏକ ଅଲିଭା କଳଙ୍କ । ଦୁଃଖର କଥା ଦୁଇ ପ୍ରସିଦ୍ଧ ଯୋଗୀ ବିବେକାନନ୍ଦ ଓ ଅରବିନ୍ଦଙ୍କ ଭକ୍ତମାନେ ଏ ଅମାନୁଷିକ ନାରକୀୟ କାର୍ଯ୍ୟକୁ ସମାଲୋଚନା କରିବାପାଇଁ ପଶ୍ଚାତ୍‌ପଦ ହୋଇଛନ୍ତି ।

ସେମାନଙ୍କର ଏ ନିଷ୍କ୍ରିୟତା ପାଇଁ ସେମାନଙ୍କ ଗୁରୁମାନଙ୍କର ଈଶ୍ୱର ନିର୍ଭରଶୀଳତା କେତେ ଦୂର ଦାୟୀ, ତାକୁ ହୁଏତ ଭବିଷ୍ୟତ ପରିଷ୍କାର କରିପାରେ । ଗୁଜୁରାଟ ଘଟଣାକୁ ନିନ୍ଦାକରି ଗାନ୍ଧିବାଦୀ, ସମାଜବାଦୀ, ବିଭିନ୍ନଗୋଷ୍ଠୀର ମାନବବାଦୀ ଓ ସାମ୍ୟବାଦୀମାନେ ଭାରତର ‘ବୈଷମ୍ୟ ମଧ୍ୟରେ ଐକ୍ୟ’ ପରମ୍ପରାର ଯଥାର୍ଥ ଦାୟଦରୂପେ କାମ କରିଛନ୍ତି ଏବଂ ବିଶ୍ୱରେ ଭାରତର ଭାବମୂର୍ତ୍ତିକୁ ଉଜ୍ଜ୍ୱଳ କରିପାରିଛନ୍ତି ।

‘ଅହିଂସା’ର କାର୍ଯ୍ୟକାରିତାକୁ ନେଇ ଉଭୟ ବୁଦ୍ଧ ଓ ଗାନ୍ଧି ଜିଜ୍ଞାସୁଙ୍କର ଅନେକ କଠିନ ପ୍ରଶ୍ନର ସମ୍ମୁଖୀନ ହୋଇଥିଲେ । ବୁଦ୍ଧଙ୍କୁ ତତ୍କାଳୀନ ଭାରତର ଜଣେ ବିଖ୍ୟାତ ସେନାପତି ‘ସିଂହ’ ପଚାରିଥିଲେ ପ୍ରଶ୍ନଟିଏ ‘ମୁଁ ଜଣେ ସେନାପତି । ମୋର କର୍ତ୍ତବ୍ୟ ହେଲା ଆମ ରାଜ୍ୟକୁ ଆକ୍ରମଣ କରୁଥିବା ଯେକୌଣସି ଶତ୍ର୍ରୁକୁ ଯୁଦ୍ଧ କରି ପରାଜିତ କରିବା ।

ମୁଁ ଯଦି ‘ଅହିଂସା’ର ପୂଜକ ବନିଯାଏ, ରାଜ୍ୟର ପ୍ରଜାମାନଙ୍କୁ ଶତ୍ରୁମାନେ ହତ୍ୟା କରିବେ । ମୋ ରାଜ୍ୟର ସମସ୍ତ ସମ୍ପଦକୁ ଓ ସ୍ତ୍ରୀମାନଙ୍କୁ ସେମାନେ ଅପହରଣ କରିନେବେ? ଏଭଳି ପରିସ୍ଥିତରେ ‘ଅହିଂସା’ ପକ୍ଷପାତି ଉପଦେଶ ମୁଁ କାର୍ଯ୍ୟକାରୀ କରିପାରିବି କେମିତି?’ ଶାନ୍ତି ରକ୍ଷା ପାଇଁ ସମସ୍ତ ଉଦ୍ୟମ କଲାପରେ ଯଦି ତମେ ଅସଫଳ ହେବ, ତେବେ ନ୍ୟାୟପାଇଁ ତମକୁ ସଂଗ୍ରାମ କରିବାକୁ ହିଁ ପଡ଼ିବ । ଏ ଲଢ଼େଇରେ ତମେ ବିଜୟୀ ହେଲେ ଶତ୍ରୁକୁ ଘୃଣାପୂର୍ଣ୍ଣ ବ୍ୟବହାର ନ କରି ପ୍ରେମପୂର୍ଣ୍ଣ ବ୍ୟବହାର କରିବ ।

ମନେରଖ ଆତ୍ମଜୟ ହଁ ହେଉଛି ଶ୍ରେଷ୍ଠଜୟ’ । ବୁଦ୍ଧଙ୍କ ଭଳି ଗାନ୍ଧି କହୁଥିଲେ, ‘ସବୁଠୁ ଖରାପ କଥା ହେଉଛି କାପୁରୁଷ ହୋଇଯିବା । ପ୍ରଥମ ମହାଯୁଦ୍ଧରେ ଯୋଗ ଦେବା ପାଇଁ ମୁଁ ଗୁଜୁରାଟରେ ଲୋକଙ୍କୁ ଉତ୍ସାହିତ କରୁଥିଲି । ମୋର ଉଦ୍ଦେଶ୍ୟ ଥିଲା ସେମାନଙ୍କ କାପୁରୁଷତ୍ୱ ଦୂର କରିବା ।  ଅହିଂସା ବୀରର ଧର୍ମ, ଭୀରୁର ନୁହେଁ ।

ଅହିଂସା ଉପାୟରେ ଅନ୍ୟାୟକୁ ପ୍ରତିରୋଧ କରିବା ସର୍ବଶ୍ରେଷ୍ଠ ପଥ । ‘ଅହିଂସା’ର ରାସ୍ତାରେ ଜୀବନକୁ ବାଜିଲଗାଇ ନପାରିଲେ ନୀରବରେ ଅନ୍ୟାୟକୁ ସହି ନ ଯାଇ ହିଂସାତ୍ମକ ଉପାୟରେ ପ୍ରବଳ ଆକ୍ରମଣର ପ୍ରିତରୋଧ କରି ଜୀବନ ହରାଇଦବା ଶ୍ରେୟସ୍କର ।’

ହିଟ୍‌ଲରଙ୍କର ପବଳ ପରାକ୍ରାନ୍ତ ବାହିନୀ ସମ୍ମୁଖରେ ପୁରୁଣା ଅସ୍ତ୍ରଶସ୍ତ୍ର ଧରି ଲଢ଼େଇ କରି ପୋଲାଣ୍ଡର ଯେଉଁ ସୈନିକମାନେ ଜୀବନ ହରାଇଲେ, ଗାନ୍ଧିଜୀ ସୋନଙ୍କୁ ପ୍ରଶଂସା କରିଥିଲେ ।

ଏକବିଂଶ ଶତାବ୍ଦୀର ପୃଥିବୀରେ ଅହିଂସା ଆନ୍ଦୋଳନ ପାଇଁ ଅଧିକ ଅନୁକୁଳ ପରିବେଶ ସୃଷ୍ଟି ହୋଇଛି । ପୃଥିବୀର ବିଭିନ୍ନ ଦେଶରେ ‘ମାନବ ଅଧିକାର’ ପାଇଁ କାମ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଯଥେଷ୍ଟ ବଢ଼ିଛି ।

ଲାଟିନ୍ ଆମେରିକାରେ ବିନା ରକ୍ତପାତରେ ଜନବିରୋଧୀ ସରକାରମାନଙ୍କ ପତନ ଘଟିଛି, ଦଶବର୍ଷରୁ ଊର୍ଦ୍ଧ୍ୱକାଳ ଜାପାଟିଷ୍ଟମାନେ (Japatistas) ମେକ୍ସିକୋରେ ତାଙ୍କର ଗଣତାନ୍ତ୍ରିକ ଆନ୍ଦୋଳନକୁ ଚଳାଇ ରଖିଛନ୍ତି । ଗାନ୍ଧିଜୀ କହୁଥିଲେ ରାଷ୍ଟ୍ରଶକ୍ତି ଯେତେ କମ ବ୍ୟବହାର ହେବ, ସମାଜର ସେତେ ମଙ୍ଗଳ ହେବ ।

ଆଜି ସମଗ୍ର ବିଶ୍ୱରେ ସେଇ ସ୍ତରର ଚିନ୍ତା ବଢ଼ିବାରେ ଲାଗଛି । ପୃଥିବୀର ପ୍ରାୟ ସମସ୍ତ ସରକାରମାନେ ଜନବିରୋଧୀ ହୋଇଯାଇଛନ୍ତି । ସବୁଦେଶର ପୋଲିସ, ମିଲିଟାରୀ ମୁଖ୍ୟତଃଶୋଷଣକାରୀ ବିଶ୍ୱ କମ୍ପାନୀମାନଙ୍କ ସ୍ୱାର୍ଥରକ୍ଷା କାମରେ ବ୍ୟବହୃତ ହେଉଛି । ଯୁକ୍ତରାଷ୍ଟ୍ର ଭଳି ଦେଶରେ ମିଲିଟାରୀ ଏକ ନିଜସ୍ୱ ଅପ୍ରତିହତ ପ୍ରଭାବ ରହିଛି ।

ଲୋଭ ଏବଂ ହିଂସାର ମାତ୍ରା ବଢ଼ାଇବା ପାଇଁ ସରକାରମନେ ଆପ୍ରାଣ ଉଦ୍ୟମ କରୁଛନ୍ତି । ମିଡ଼ିୟା ତାଙ୍କୁ ଏ କାମପାଇଁ ବହୁତ ସାହାଯ୍ୟ କରୁଛି । ଗାନ୍ଧୀୟ ରାସ୍ତାରେ ସତ୍ୟାଗ୍ରହକୁ ଆଜିର ବିଶ୍ୱରେ ପ୍ରଚୁର ସମର୍ଥନ ମିଳିବା ନିଶ୍ଚିତ କାରଣ ପୃଥିବୀର ସଂକଟ (ବିଶେଷତଃ) ପରିବେଶର ଦ୍ରୁତ ବିନାଶ ଯୋଗୁଁ ଉଦ୍‌ବେଗ) ସଚେତନା ଜନସାଧାରଣଙ୍କ ମଧ୍ୟରେ ଯଥେଷ୍ଟ ମାତ୍ରାରେ ବଢ଼ିବା ଓ ଇଣ୍ଟରନେଟ୍ ଏହି ସଚେତନତା ବଢ଼ାଇବାର ମୁଖ୍ୟ ଭୂମିକା ତୁଲାଇଛି ।

ପ୍ରବନ୍ଧଟି ଶେଷ କରିବା ପୂର୍ବରୁ ‘ଯୋଗୀ’ଙ୍କ ଚରିତ୍ରର ଆଉ ଏକ ଉଜ୍ଜ୍ୱଳ ଦିଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବା ଉଚିତ୍ ମନେ କରୁଛି । ପିଲାଦିନେ ସ୍କୁଲରେ ପଢ଼ିଥିଲି ଚୁମ୍ବକୀୟ ଶକ୍ତିର ଉପସ୍ଥିତିର ସୂଚନା ଆକର୍ଷଣ ଦ୍ୱାରା ମିଳେନି, ମିଳେ ବିକର୍ଷଣ ଦ୍ୱାରା । ବଡ଼ ହେଲା ପରେ ମହାଭାରତରେ ପଢ଼ିଲି ଯୋଗୀ ବ୍ୟକ୍ତିତ୍ୱର ସଫଳତାର ମାପକାଠି ତା’ର ଜନପ୍ରିୟତା ନୁହେ ବରଂ ତାର ଜନଅପ୍ରିୟତା ।

ସତ୍ୟ ଓ ଅହିଂସାର ପଥରେ ଗତି କଲାବେଳେ ଯୋଗୀ ତା’ର ସମାଜର ଶତ୍ରୁମାନଙ୍କ ପ୍ରତି ମଧ୍ୟ ନ୍ୟାୟଭାବନା ପୋଷଣ କରିଥାଏ । ତେଣୁ ସ୍ୱଗୋଷ୍ଠୀପ୍ରେମୀ ଜନତାର ଅପ୍ରିୟହବା ତା’ପକ୍ଷରେ ବିଚିତ୍ର ନୁହେଁ ।

ଗାନ୍ଧିଜୀଙ୍କ ବିରୁଦ୍ଧରେ ପ୍ରଧାନ ଅଭିଯୋଗ ଥିଲା ସେ ମୁସଲମାନ ପକ୍ଷପାତି କାରଣ ସବୁ ଧର୍ବାବଲମ୍ବୀଙ୍କୁ ସମାନ ସ୍ନେହ ଦୃଷ୍ଟିରେ ଦେଖିବା ଗାନ୍ଧୀ ଚରିତ୍ରର ମୁଖ୍ୟ ଉପାଦାନ ଥିଲା । ଗାନ୍ଧୀ ଜୀବନର ଶ୍ରେଷ୍ଠ ମୁହୂର୍ତ୍ତ ଥିଲା ଆଦର୍ଶ ପାଇଁ ଜୀବନ ସପର୍ମଣ ।

ଅନୁରୂପ ଭାବରେ ଶେଖ୍ ଅବ୍‌ଦୁଲ୍ଲାଙ୍କୁ ନ୍ୟାୟ ଦେବାକୁ ଯାଇ ଜୟପ୍ରକାଶ ‘ଦେଶଦ୍ରୋହୀ’ ଆଖ୍ୟାରେ ଭୂଷିତ ହୋଇଥିଲେ । ଗାନ୍ଧି ଓ ଜୟପ୍ରକାଶ ଯେ ଭାରତର ପ୍ରାଚୀନ ଯୋଗୀ ସମାଜର ଉପଯୁକ୍ତ ଦାୟାନ ତାହା ନିମ୍ନ ଶ୍ଲୋକ ଦ୍ୱାରା ପ୍ରମାଣିତ ହୋଇଯାଉଛି ।

ଅମୃତସେବ୍ୟ ସଂତୃପ୍ୟେ ଦବମାନସ୍ୟ ତତ୍ତ୍ୱବିତ୍‌,

ବିଷସ୍ୟେ ବୋଦ୍ଧିଜେତ୍ ନିତ୍ୟଂ ସମ୍ମାନସ୍ୟ ବିଚକ୍ଷଣଃ

ସମ୍ମାନକୁ ବିଷ ମଣି ପରିହାର କରିବା, ଅପମାନକୁ ଅମୃତ ମଣି ସ୍ୱାଗତ କରିବା ଯୋଗୀର ବୈଶିଷ୍ଟ୍ୟ । (ଶାନ୍ତିପର୍ବ-୨୨-୨୧)

ଭାରତୀୟ ସଂସ୍କୃତିର ଭବ୍ୟ, ବିଶ୍ୱପ୍ରେମୀ ଯୋଗୀ ରୂପ ଯୋହା ସମଗ୍ର ବିଶ୍ୱର ବନ୍ଦନାର ଯୋଗ୍ୟ, ତା’ର ଶ୍ରେଷ୍ଠ ଉଦାହରଣ ‘ଗୌତମ ବୁଦ୍ଧ’ ଓ ‘ଗାନ୍ଧୀ’ । ଯୋଗୀର ବିଶ୍ୱହିତବାଦୀ ସାଧନାକୁ ହୃଦୟଙ୍ଗମ କରି ନ ପାରି ରସ ବୋଲି ଚୋପାକୁ ଚୋବାଇବାରେ ଆମର ଶିକ୍ଷିତ ଗୋଷ୍ଠୀର ଏକ ପ୍ରମୁଖ ଭାଗ ପଶ୍ଚାତ୍‌ପଦ ହେଉ ନାହାନ୍ତି । ସେମାନଙ୍କୁ ଲକ୍ଷ୍ୟ କରି ଦୂରଦ୍ରଷ୍ଟା ବେଦବ୍ୟାସ ଲେଖିଲେ –

‘ଆହ୍ୱାୟକା ଦେବକଳା ନାକ୍ଷତ୍ରା ଦେବଯାଜାକଃ

ଏତେ ବ୍ରାହ୍ମଣ ଚାଣ୍ଡାଳ ମହାପଥିକ ପଞ୍ଚମାଃ’ (ଶାନ୍ତିପର୍ବ-୬୭-୬)

ଶ୍ଳୋକଟିରେ ଅନ୍ୟମାନଙ୍କ ସହ ଦେବମନ୍ଦିର ପୂଜକ, ଗ୍ରାମ ପୁରୋହିତ ଓ ଜ୍ୟୋତିଷଙ୍କୁ ଅତି ନିମ୍ନ ସ୍ଥାନ ଦିଆଯାଇଛି । ଏମାନେ ବ୍ରାହ୍ମଣ ହେଲେ ମଧ୍ୟ ଚଣ୍ଡାଳ ତୁଲ୍ୟ ନିକୃଷ୍ଟ ବୋଲି ବେଦବ୍ୟାସ କହିଛନ୍ତି ।

ଏ ଶ୍ଲୋକଟି ମହାଭାରତରେ ପଢ଼ିଲା ପରେ ପୁରୋହିତ ବିଦ୍ୟା ଓ ଜ୍ୟୋତିଷ ବିଦ୍ୟାକୁ ଆଧୁନିକ ବିଜ୍ଞାନ ସମାନ ପ୍ରାଧାନ୍ୟ ଦେଉଥିବା ତଥାକଥିତ ହିନ୍ଦୁତ୍ୱବାଦୀମାନେ କେଉଁ ହିନ୍ଦୁଧର୍ମର ପ୍ରବକ୍ତା, ତାହା ବୁଝିବା ମୋ ପାଇଁ କଷ୍ଟକର ହୋଇପଡ଼ିଛି ।

ବର୍ତ୍ତମାନ ସମାଜରେ ଅନେକେ ନିଜକୁ ‘ଯୋଗୀ’ ବୋଲି ପରିଚିତ କରାଉଛନ୍ତି ଓ ପ୍ରାଚୀନ ଯୋଗୀଙ୍କର ଜୀବନକୁ ମହତ୍ତ୍ୱ ପ୍ରଦାନ କରୁଥିବା ସତ୍ୟ, ଅହିଂସା, ଅସ୍ତ୍ରେୟ, ଅପରିଗ୍ରହ ବ୍ରତକୁ ହେୟ ଦୃଷ୍ଟିରେ ଦେଖୁଛନ୍ତି । ଆସନ, ପ୍ରାଣାୟାମ, ଧ୍ୟାନ, ଧାରଣା, ସମାଧି ଧ୍ୟେୟ ନୁହେଁ । ଦେହ ଓ ମନକୁ ସୁସ୍ଥ ରଖିବା ପାଇଁ ଏଗୁଡ଼ିକର ଅସୀମ ମୂଲ୍ୟ ରହିଛି ।

ଶାସ୍ତ୍ର ମତରେ ମଣିଷର ଅସଲ ଲକ୍ଷ୍ୟ ହେଉଛି ‘ଧର୍ମ’ (ବିଶ୍ୱମୈତ୍ରୀ) । ତେଣୁ ଏକ ସୁନ୍ଦର ଶୋଷଣହୀନ ସ୍ନେହପୂର୍ଣ୍ଣ ସମାଜ ଗଢ଼ିବା ଦିଗରେ ଏକ ସୁସ୍ଥ ଶରୀର ଓ ମନ ଯଦି କାମରେ ନ ଲାଗନ୍ତି, ତେବେ ଶ୍ରୀକୃଷ୍ଣ ଗୀତାରେ ଯୋଗୀଙ୍କୁ ଯେଉଁ ଉଚ୍ଛ୍ୱସିତ ପ୍ରଶଂସା କରିଛନ୍ତି ସେ ପ୍ରଶଂସା ମୂଲ୍ୟହୀନ ହୋଇଯିବ ।

ଯେଉଁ ଯୋଗୀମାନେ ସତ୍ୟ ଓ ଅହିଂସା ନୁହେଁ ଲୋକ ଓ ଘୃଣା (ଗୋଷ୍ଠୀ ବିଦ୍ୱେଷ)ର ଜୀବନ୍ତ ପ୍ରତିମା ବା ପ୍ରବକ୍ତା ସେମାନଙ୍କୁ ‘ଯୋଗୀ’ ଶବ୍ଦର ଅପମାନ ହେବ । ।

ବି.ଦ୍ର.: ପ୍ରାକ୍ ବୈଦିକ ପ୍ରଚୀନ ଭାରତରେ (ସିନ୍ଧୁ ସଭ୍ୟତାର ଯୁଗ)

ଯେଉଁ ସମୟରେ ‘ଯୋଗ’ର ସୃଷ୍ଟି ହୋଇଥିଲା, ସେତେବେଳେ ସମାଜରେ ବର୍ଣ୍ଣ ବିଭାଗ ଓ ଅସ୍ପୃଶ୍ୟତା ନ ଥିଲା, ପୁନର୍ଜନ୍ମ ଓ ‘ମୋକ୍ଷ’ ସମ୍ପର୍କୀୟ ଧାରଣା ଜନ୍ମଲାଭ କରିନଥିଲା ।

About ପ୍ରଫେସର ଭଗବତ ପ୍ରସାଦ

ପ୍ରଫେସର ଭଗବତ ପ୍ରସାଦ
ସର୍ବୋଦୟ କର୍ମୀ, ସମାଜ ବିଜ୍ଞାନୀ

Check Also

ଚାପହୀନ ଶାନ୍ତ ମସ୍ତିଷ୍କ ଓ ‘ସୁଖ’

‘ଧିକ୍ ସେ ସମାଜ, ମୃତ୍ୟୁରେ ଯହିଁ ଶ୍ରେଷ୍ଠତ୍ୱ ମପାହୁଏ ।’ ହିଂସା, ବ୍ୟାଧିପୀଡ଼ିତ ପୃଥିବୀରେ ‘ଉଦ୍ଭଟ୍ଟତା’ ଓ ‘ଟ୍ରାଜେଡ଼ି’ ରେ …

One comment

  1. Avatar

    ଭାଗବତ ପ୍ରସାଦଙ୍କର ଏହି ଲେଖାଟି ପଢ଼ିଲି…ସମୟୋପଯୋଗୀ ମନେହେଲା…ଧନ୍ୟବାଦ ସମଧ୍ୱନି ଟିମ ତମ ଉଦ୍ୟମ ଜାରିରହୁ… ଏଭଳି ଲେଖା ଆଜିର ଶାସକମାନଙ୍କର ମତିଭ୍ରମ ଦୂର କରୁ ଏତିକି ଆଶା

Leave a Reply

Your email address will not be published. Required fields are marked *