ଭଲ ଲାଗୁଛି

1 Min Read

ନା କ୍ଷମତା ଅଛି

ନା ପତିଆରା ଅଛି

ଭଲ ଲାଗୁଛି ।

ନା ମଂଚ ଅଛି

ନା ଛାଂଚ ଅଛି

ଭଲ ଲାଗୁଛି ।

ନା ସ୍ୱୀକୃତିର ବୋଝ ଅଛି

ନା ସମ୍ମାନର ଶୋଷ ଅଛି

ଭଲ ଲାଗୁଛି ।

ନା ମୁଁ କାହାକୁ ଅପେକ୍ଷା କରୁଛି

ନା ମୋତେ କେହି ଅପେକ୍ଷା କରୁଛି

ଭଲ ଲାଗୁଛି ।

ନା ମୁଁ କାହାର ମାଲିକ ହେଉଛି

ନା କାହା ମାଲିକାନାରେ ମୁଁ ରହିଛି

ଭଲ ଲାଗୁଛି ।

ନା ମୁଁ କାହାକୁ ନିୟନ୍ତ୍ରଣ କରୁଛି

ନା କେହି ମୋତେ ଦରକାରୀ ଭାବୁଛି

ଭଲ ଲାଗୁଛି ।

ଅଜଣା ଅଚିହ୍ନା

ଭିଡରେ ଚାଲୁଛି

ଭଲ ଲାଗୁଛି ।

ଦଣ୍ଡେ ଠିଆ ହୋଇ

ପ୍ରତିବାଦ ସ୍ଲୋଗାନ ଶୁଣୁଛି

ଭଲ ଲାଗୁଛି ।

ଧମନୀରେ ବହୁଥିବା

ଉଷ୍ଣ ରକ୍ତ

ମୁଣ୍ଡକୁ ଉଠୁଛି

ଭଲ ଲାଗୁଛି ।

ଭଲ ଲାଗୁଛି

ସମୟର ବେପରୁଆ ପ୍ରବାହ,

ଭଲ ଲାଗୁଛି

ଶୂନ୍ୟତାର ମୋହ ।

ସହର ମଝିରେ

ଏ ଗାଁ ଟି ଭିତରେ

ଯେବେ ଏକାକୀ ବସୁଛି

ଭଲ ଲାଗୁଛି ।

ମୋ ହାତରେ ଲେଖନୀ

ମୋ ମୁଁହରେ ବଚନ

ଅବାରିତ ଚାଲିଛି

ଭଲ ଲାଗୁଛି ।

ତେବେ, ଯେତିକି ଦେଖୁଛି

ତା’ଠାରୁ କମ ଲେଖୁଛି

ଭଲ ଲାଗୁଛି ।

(ରଚନା: ୦୧/୦୧/୨୦୧୭)

Photo credit -https://www.google.co.in/search?biw=1366&bih=657&tbm=isch&sa=1&ei=JdvGW7e6IYmZkwWwv5boCA&q=truth+in+sand+art&oq=truth+in+sand+art&gs_l=img.3…78668.80709.0.81802.5.5.0.0.0.0.420.420.4-1.1.0….0…1c.1.64.img..4.0.0….0.pd6ooolNUlU#imgrc=ZBEChWCuGxIcKM:

Share This Article
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ