Home / ନାଟକ / ଲୋକ ନାଟକ / ଭଦ୍ରକର ମୋଗଲ ତାମସା – ଏକ ସଂକ୍ଷିପ୍ତ ଆକଳନ

ଭଦ୍ରକର ମୋଗଲ ତାମସା – ଏକ ସଂକ୍ଷିପ୍ତ ଆକଳନ

ଭଦ୍ରକ କହିଲେ ଭଦ୍ରକାଳୀ ଓ ମୋଗଲ ତାମସା ପାଇଁ ପ୍ରସିଦ୍ଧ । ଭଦ୍ରକର ଅନ୍ୟ ଏକ ବିଶେଷତ୍ୱ ପାଳୁଅ ଲଡ଼଼ୁ ମଧ୍ୟ । ଭଦ୍ରକ ଭଳି ସାଂସ୍କୃତିକ ଐତିହ୍ୟ ସମ୍ପନ୍ନ ସହରରେ ମୁଖ୍ୟ ଲୋକନାଟକ ମୋଗଲ ତାମସା ଅଧୁନା ଭଦ୍ରକରୁ ଯାଇ ସର୍ବଭାରତୀୟ ସ୍ତରରେ ଖ୍ୟାତିଲାଭ କରିଛି । ଚୈତ୍ରମାସରେ ପରିବେଷିତ ହେଉଥିବା ତାମସାଗୁଡ଼ିକ ମଧ୍ୟରୁ ମୋଗଲ ତାମସା ଅନ୍ୟତମ । ଗରଦପୁରର ସ୍ୱର୍ଗତଃ ସୁରେନ୍ଦ୍ର ମହାପାତ୍ର ଗରଦପୁରଠାରେ ବଂଶୀବଲ୍ଲଭ ସାହିତ୍ୟ ସଂସଦ ଗଠିନକରି ଏହି ତାମସା ଅଭିନିତ କରାଉଥିଲେ । ଏହା ଭଦ୍ରକ ସହର ନିକଟବର୍ତ୍ତୀ ଗ୍ରାମମାନଙ୍କରେ ସାତଦିନ ଧରି ପରିବେଷିତ ହେଉଥିବା ଶୁଣିବାକୁ ମିଳେ । ଚୈତ୍ରମାସର ଶେଷରେ ମହାଦେବଙ୍କ ପାଖରେ ଘଟଯାତ୍ରା ସହ ସାତଦିନ ଧରି ଏହା ପରିବେଷିତ ହେଉଥିଲା । ଅଧୁନା ଗୋଟିଏ ଦିନ ହେଉଛି । ଏହି ତାମସାର ରଚୟିତା ହେଲେ କବି ବଂଶୀବଲ୍ଲଭ ଗୋସ୍ୱାମୀ । ସେ ପିତା ସତ୍ୟନାରାୟଣ ଓ ମାତା ସତ୍ୟବତୀ ଦେବୀଙ୍କ ଔରସରୁ ୧୧୩୫ଶାଲ ବା ୧୭୨୮ମସିହାରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲା ଅଧୁନା ଭଦ୍ରକ ଜିଲ୍ଲା ଅନ୍ତର୍ଗତ ସଙ୍ଗତଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟଜୀବନରେ ଶିକ୍ଷା ପ୍ରତି ଅନାଗ୍ରହ ଭାବ ଯୋଗୁଁ ସମସ୍ତଙ୍କ ଦ୍ୱାରା ଉପେଷିତ ହୋଇ ସାଳନ୍ଦୀ କୂଳସ୍ଥ ଉତ୍ତରବାହିନୀ ଗ୍ରାମର ଉତ୍ତରେଶ୍ୱର ମହାଦେବଙ୍କ ନିକଟରେ ଧାରଣାରେ ରହି କବିତ୍ୱ ଲାଭ କରିଥିଲେ ବୋଲି ଶୁଣିବାକୁ ମିଳେ ।

ଅଷ୍ଟାଦଶ ଶତକର ଶେଷଭାଗରେ ରଚିତ ମୋଗଲ ତାମସା କବି ବଂଶୀବଲ୍ଲଭ ଗୋସ୍ୱାମୀଙ୍କ ପ୍ରାଚୀନ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିକୁ ଏକ ମହତ୍ତମ ଦାନ । ଓଡ଼ିଶାରେ ନାଟକର କ୍ରମବିକାଶ କ୍ଷେତ୍ରରେ ଭଦ୍ରକର ବହୁ ବିଖ୍ୟାତ ମୋଗଲ ତାମସାର ଐତିହାସିକ ମୂଲ୍ୟାୟନ କରାଗଲେ ଜଣାପଡ଼ିବ ଯେ ୧୫୬୮ରେ ଓଡ଼ିଶାର ସ୍ୱାଧୀନତା ଲୋପପାଇଲା ପରେ ଦୀର୍ଘ ୨୦୦ବର୍ଷ ଯାଏଁ ଓଡ଼ିଶାର ଶାସନ ତଥା ସମାଜ ଜୀବନରେ ଇସଲାମ ପ୍ରଭାବ ପଡ଼ିବା ଫଳରେ ଇସଲାମୀୟ ସାହିତ୍ୟ, ଫାର୍ସି, ଉର୍ଦ୍ଦୁ, ହିନ୍ଦୀ ଏବଂ ଓଡ଼ିଆ ଭାଷାର ମଧୁର ସମ୍ମିଶ୍ରଣରୁ ଜନ୍ମ ଲାଭ କରିଥିଲା ମୋଗଲ ତାମସା । ମୋଗଲ ରାଜୁତିରେ ଶାସକଙ୍କ ଅତ୍ୟାଚାର, ବିଳାସବ୍ୟସନ, ଅନ୍ଧ ବୁଝାମଣା, ଅଦୂରଦର୍ଶିତା, ରାଜ କର୍ମଚାରୀଙ୍କ ଆଚାର ବ୍ୟବହାର, ସାମାଜିକ ଚଳଣୀ ଓ ଶାସନର ସ୍ୱରୂପ ବ୍ୟଙ୍ଗ ବିଦ୍ରୁପ ଛଳରେ ‘ମୋଗଲ ତାମସା’ର ରୂପାୟିତ ହୋଇଛି । କିନ୍ତୁ ହିନ୍ଦୁ ମୁସଲମାନଙ୍କ ଭିତରେ ଶାନ୍ତି, ମୈତ୍ରୀର ଡୋରି ଯେ ଏହି ତାମସା ଏଥିରେ ସନ୍ଦେହ ନାହିଁ । ମୋଗଲ ତାମସା ୨୦୦ବର୍ଷର ପୁରାତନ ହୋଇଥିଲା ବେଳେ ମୂଳ ଲେଖା ବିଭିନ୍ନ ସମୟରେ କଳାକାରଙ୍କ ଦ୍ୱାରା ଏହାର ଫାର୍ସି, ବଙ୍ଗଳା ଆଦି ଭାଷା ବିକୃତ ହୋଇଥିବା ବେଳେ ଏହି ସବୁ ଭାଷା ଅନଭିଜ୍ଞ-ଅର୍ଦ୍ଧଶିକ୍ଷିତ ଅଭିନେତାମାନଙ୍କ ତୁଣ୍ଡରେ ଉଚ୍ଚାରିତ ହେଲାବେଳେ ତାହା ବିକୃତ ହେବା ସ୍ୱାଭାବିକ । ସେଥିପାଇଁ ମୂଳ ପାଣ୍ଡୁଲିପିର ପରବର୍ତ୍ତି ପାଣ୍ଡୁଲିପିମାନଙ୍କରେ ବିିଭିନ୍ନ ସ୍ଥାନରେ ଭାଷା ଦୁର୍ବୋଧ ଓ ଅବୋଧ୍ୟ ହୋଇଛି । ପରବର୍ତ୍ତି ସମୟରେ ଏହାକୁ ସଜାଡ଼ି ମନୋରଞ୍ଜନ ଧର୍ମୀ କରିଛନ୍ତି ଭଦ୍ରକର ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ବାଦଲ ସିକଦାର । ତାଙ୍କ ନିର୍ଦ୍ଦେଶନାରେ ଏହା ପ୍ରଥମେ ଫେକର ରିକ୍ରିଏସନ କ୍ଲବ ମାଧ୍ୟମରେ ଗାରିର୍ବିଡ଼ଠାରେ ପ୍ରଦର୍ଶିତ ହୋଇ ଅଣଓଡ଼ିଆମାନଙ୍କ ଦ୍ୱାରା ଗ୍ରହଣୀୟ ହେବା ପରେ ସେ ଆଉ ପଛକୁ ଚାହିଁନାହାନ୍ତି । ଅଳ୍ପ କେତେଦିନ ଏଠାରେ ଥିବା ମନମୋହନ ସଙ୍ଗୀତ ପରିଷଦ ମାଧ୍ୟମରେ ସ୍ୱର୍ଗତଃ ଦିଲ୍ଲୀପ ବୋଇତିଙ୍କ ସହଯୋଗ କ୍ରମେ ଏହା କାଶ୍ମୀର, ଦିଲ୍ଲୀ ପ୍ରଭୁତି ବିଭିନ୍ନ ସ୍ଥାନକୁ ସଂସ୍କୃତି ବିଭାଗ ସହାୟତାରେ ଅଭିନିତ ହେବାପରେ ଗତ କିଛିବର୍ଷ ହେଲା ତାଙ୍କ ନିଜସ୍ୱ ନାଟ୍ୟ ଅନୁଷ୍ଠାନ ‘ସଙ୍କେତ’ ମାଧ୍ୟମରେ ଓଡ଼ିଶା ସଂସ୍କୃତି ବିଭାଗ, ଓଡିଶା ସଙ୍ଗୀତ ନାଟକ ଏକାଡ଼େମୀ ଓ ବିଭିନ୍ନ ବ୍ୟକ୍ତିଗତ ଅନୁଷ୍ଠାନମାନଙ୍କ ପୃଷ୍ଠପୋଷକତାରେ ଏହା ଅଭିନୀତ ହୋଇଆସୁଛି । ସେ ଏହାକୁ ଅତି ସଂକ୍ଷିପ୍ତ କରି ଓଡ଼ିଆ ଡ୍ରାମା ଏବଂ ଫିଲ୍ମ ଡିଭିଜନ ଦ୍ୱାରା ପରିବେଷଣ କରାଇଥିଲାବେଳେ ଏକଘଣ୍ଟାର କାର୍ଯ୍ୟକ୍ରମ କରାଇ ଆକାଶବାଣୀ ଓ ଦୂରଦର୍ଶନରେ ପ୍ରସାର କରାଇପାରିଛନ୍ତି । ସ୍ଥଳ ବିଶେଷରେ ସେ ତିନିଘଣ୍ଟାରୁ ଛଅଘଣ୍ଟାର କାର୍ଯ୍ୟକ୍ରମ କରାଇଥାନ୍ତି । ଏହା ତାଙ୍କ ନିର୍ଦ୍ଦେଶନା ଓ ନାଟ୍ୟ ରଚନାର ବିଶେଷତ୍ୱ । ଉଦାହରଣ ସ୍ୱରୂପ ମୋଗଲ ତାମସାର ଓଭସ୍ତି ଓ ଚୋପଦାରର ଏକ ସଂଳାପରୁ ଏ ବିଷୟରେ କିଛିଟା ଅନୁମାନ କରାଯାଇପାରେ-

ଚୋପଦାର – ଯାଓ ଯାଓ, ତୁମକୋ ପାଞ୍ଚଶୋ ରୁପେୟା ମିଲଗୟା ଲେକେ ଭାଗୋ ।

ଓଭସ୍ତି – ହାମାର ଇତ୍ନା ରୂପେୟା କ୍ୟାହୋଗା? ହମ୍କୋ ଏକ ମହିନା ଅଫିମ୍ ଖାନେକୋ ହୋଗା ନେହିଁ ।

ଚୋପଦାର – କ୍ୟା ତୁମ୍ ଇତ୍ନା ଅଫିମ୍ ଖାତା ହୈ?

ଓଭସ୍ତି – ତୁମ୍ କ୍ୟା ଜାନୋ ଅଫିମ୍ କା ବାତ୍ । ହରଘଡ଼ି ପାନିକା କାମ୍ କରେଗା, ଜ୍ୟାଦା ଅଫିମ୍ ନେଇଁ ଖାନେ ସେ କୈସେ ହୋଗା ।

(ଗୀତ)

କତ ମଜା ଏ ଅଫିମ ଖେଲେ

କତ ରାଜା ମାରି ବାଦସା ମାରି

ଚେଖ ବୁଜେ ଯାୟ ଟଲେ

ସିଦ୍ଧି ଖେଲେ ବୁଦ୍ଧିବାଡ଼େ

ଗାଞ୍ଜା ଖେଲେ ଲକ୍ଷ୍ମୀଛାଡ଼େ

ଗୌରସ ଖେଲେ ଚକ୍ଷୁଚଢ଼େ

କତ୍ ମଜ୍ ଖେଲେ ପାଟଲେ ।’

ଚୋକଦାର – ଭାଗୋ, ଭାଗୋ ଯୋମିଲା ସୋ ଲେକେ ଯାଓ ।

ଏଥିରେ ନାଟ୍ୟକାର ନିର୍ଦ୍ଦେଶକ ଅଫିମ ସ୍ଥାନରେ ପରିବର୍ତ୍ତନ କରି ସେ ସ୍ଥାନରେ ଗାଞ୍ଜା (ଗଞ୍ଜେଇ)କୁ ସ୍ଥାନିତ କରିଛନ୍ତି ଏବଂ ଏଥିସହ ଗୀତକୁ ପରିବର୍ତ୍ତନ କରାଇ ସେ ସ୍ତାନରେ ଲେଖିଛନ୍ତି –

‘ଗାଞ୍ଜାର ଗୁନ୍ ଯାନେନା ବାବୁ

ବୋଲୋ ଗାଞ୍ଜାଖୋର

ଏକ୍ ଚିଲମ୍ମେ ହୟେଜୋ ମଜା

ଦୋ ଚିଲମ୍ ମେ ଶରୀର ତାଜା

ତିନି ଚିଲମ୍ମେ ମଦନ ମୋହନ

ଚାର ଚିଲମ୍ମେ ନରେଶ୍ୱର

ଗାଞ୍ଜାର ଗୁନ୍ ଯାନେନା ବାବୁ ବୋଲା ଗାଞ୍ଜା ଖୋର୍ ।’

ଅଫିମ ଓ ଗଞ୍ଜେଇ ମଧ୍ୟରେ ଫରକ ବିଶେଷ ନାହିଁ ଉଭୟ ନିଶା ପଦବାଚ୍ୟ ଏଣୁ ବାଦଲ ସିକନ୍ଦରଙ୍କ ଲେଖାରେ ଛନ୍ଦସୁନ୍ଦର ଭାବେ ରହିବା ସଙ୍ଗେ ସଙ୍ଗେ ଏହା ସୁବୋଧ୍ୟ ଓ ଶ୍ରୁତିମଧୁର ହୋଇଥାଏ । ଏଣୁ ସେ ମୋଗଲ ତାମସାର ମୂଳଲେଖାକୁ ବିଶେଷ ପରିବର୍ତ୍ତନ ନକରି ତହିଁରେ କାବ୍ୟିକ ଦିଗଟି ଏଭଳି ଶ୍ରୁତିମଧୁର କରିଥାନ୍ତି ଥରେ ଯେ ଦେଖିଛି ସେ ଭୁଲିପାରିବ ନାହିଁ । ଶ୍ରୀଯୁକ୍ତ ସିକଦାର ସଂସ୍କୃତି ବିଭାଗ ଓ ନ୍ୟାସନାଲ ଡେନ୍ସ ଏବଂ ଡ୍ରାମା ଡିଭିଜନ ମିଳିତଭାବେ ହୋଇଥିବା ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ତାଙ୍କର ସନ୍ଦର୍ଭ ଉପସ୍ଥାପନ କରିଥିଲେ । ଏହି ପରିବର୍ତ୍ତନକୁ ଅନ୍ୟମାନେ ସ୍ୱାଗତ କରିଥିବା ସମ୍ପର୍କରେ ସମ୍ବାଦପତ୍ରରୁ ଜାଣିଥିଲି । କଲିକତାରେ ଇଷ୍ଟର୍ଣ୍ଣ ଜୋର୍ନାଲ କଲଚରାଲ ସେଣ୍ଟର ଦ୍ୱାରା କଲିକତାର ବିଭିନ୍ନ ସ୍ଥାନରେ ଅଡିଟରିୟମ ମାନଙ୍କରେ ମୋଗଲ ତାମସା ବିଭିନ୍ନ ସମୟରେ ‘ସଙ୍କେତ’ ଅନୁଷ୍ଠାନ ଦ୍ୱାରା ଅଭିନିତ କରାଇ ବହୁ ଭାବରେ ସେ ପ୍ରଶଂସିତ ହୋଇଥିଲେ । ସେ ଗୁରୁଶିଷ୍ୟ ପରମ୍ପରା ମାଧ୍ୟମରେ ବହୁ ଅଭିନେତା ତିଆରି କରିଛନ୍ତି, ଯେଉଁମାନେ ପରବର୍ତ୍ତୀ ସମୟରେ ଜଣେ ଜଣେ ନିର୍ଦ୍ଦେଶକ ପାଲଟି ବିଭିନ୍ନ ଅଞ୍ଚଳରେ ନିର୍ଦ୍ଦେଶନା ଦେଇ ଆସୁଛନ୍ତି । ଏମାନଙ୍କ ମଧ୍ୟରେ ‘ବିମଳ ନାଟ୍ୟ ସଂସଦ’ ରାହାଞ୍ଜିଆର ଗୌରାଙ୍ଗ ବାରିକ, ଏରେଇଁ ଗ୍ରାମର ବାବୁରାମ ସାହୁ, ମନମୋହନ ସଙ୍ଗୀତ ପରିଷଦର ସୁବାଷରାମ ପ୍ରମୁଖ ସଙ୍କେତ ଅନୁଷ୍ଠାନରୁ ଯାଇ ନୂତନ ଭାବେ ସଙ୍ଗଠନ କରି ମୋଗଲ ତାମସା ମଞ୍ଚସ୍ଥ କରାଇଛନ୍ତି । ଏହି ତାମସା ଗରଦପୁର, ସାହାପୁର, ଏରେଇଁ, ଜାନୁଗଞ୍ଜ, କୁଅାଁସ ପ୍ରଭୃତି ଗ୍ରାମମାନଙ୍କରେ ଅଭିନୀତ ହୋଇଥାଏ । ଏହାକୁ ଭଦ୍ରକ ବାହାରେ ଭଦ୍ରକର ଲୋକପ୍ରିୟ ନେତା ଶ୍ରୀଯୁକ୍ତ ଯୁଗୋଳ କିଶୋର ପଟ୍ଟନାୟକ ସଂସ୍କୃତି ମନ୍ତ୍ରୀ ଥିବା ବେଳେ ଭୁବନେଶ୍ୱରର ‘ଅଭିନୟ’ ନାଟ୍ୟାନୁଷ୍ଠାନ ମାଧ୍ୟମରେ ପ୍ରଥମେ ରବୀନ୍ଦ୍ରମଣ୍ଡପରେ ମଞ୍ଚସ୍ଥ କରାଇଥିଲେ । ପରବର୍ତ୍ତୀ ସମୟରେ ଓଡ଼ିଆ ଲେଖକ ସାମ୍ମୁଖ୍ୟ ଆନୁକୂଲ୍ୟରେ ରାଉରକେଲାରେ ଅଭିନୀତ ହୋଇ ପ୍ରଚୁର ଲୋକପ୍ରିୟତା ହାସଲ କରିଥିଲା, ଯେଉଁଥିରେ ମୁଖ୍ୟ ମୋଗଲ ଭାବେ ଲଲାଟେନ୍ଦୁ ମହାନ୍ତି ଅଭିନୟ କରିଥିଲେ । ଶ୍ରୀ ମହାନ୍ତିଙ୍କର ଅଭିନୟ କଳା ନିଆରା । ପରବର୍ତ୍ତୀ ସମୟରେ ସେ କାର୍ଯ୍ୟକ୍ରମଟି ଦୂରଦର୍ଶନରେ ପ୍ରସାରିତ ହୋଇଥିଲା । ଏହାପରେ ଭଦ୍ରକର ନାଟ୍ୟ ନିର୍ଦ୍ଦେଶକ ଶ୍ରୀ ନିର୍ମଳ ରାଉତଙ୍କ ଦ୍ୱାରା ‘ଝରାବଉଳ’ ନାଟ୍ୟ ପରିଷଦ ଦ୍ୱାରା ଏହା ଅଭିନୀତ ହୋଇଥିଲା ବେଳେ ସେଥିରେ ମୁଖ୍ୟ ମୋଗଲ ଭୂମିକାରେ ଅଧ୍ୟାପକ ନିହାର ରଞ୍ଜନ କର ଅଭିନୟ କରିଥିଲେ । ଏଥିସହ ମୋଗଲ ତାମସାର ପୁରୁଣା କଳାକାରମାନଙ୍କ ସାକ୍ଷାତକାର ମଧ୍ୟ ପ୍ରସାରିତ ହୋଇଥିଲା । ଭଦ୍ରକରେ ସ୍ୱର୍ଗତଃ ଉପେନ୍ଦ୍ର ନାୟକ ଏକା ଏକା ସମଗ୍ର ମୋଗଲ ତାମସାକୁ ଅଭିନୟ କରି ବିଭିନ୍ନ ସଭାମାନଙ୍କରେ ଶ୍ରୋତାମାନଙ୍କ ମନୋରଞ୍ଜନ କରାଉଥିଲେ । ସେ ମୋଗଲ ତାମସାର ଜଣେ ପୁରୁଣା କଳାକାର ଥିଲେ ଏବଂ ସମଗ୍ର ମୋଗଲ ତାମସାକୁ ସେ ମୁଖସ୍ତ କରିଦେଇଥିଲେ । ତାଙ୍କ ବିୟୋଗ ପରେ ସେ ସ୍ଥାନ ଆଜି ଶୂନ୍ୟ ପଡ଼ିଛି । ମୋଗଲ ତାମସାର ବିଭିନ୍ନ ସ୍ଥାନରେ ମୋଗଲ ଭାବେ ଯେଉଁମାନେ ଅଭିନୟ କରୁଛନ୍ତି, ସେମାନେ ହେଲେ ‘ସଙ୍କେତ’ ନାଟ୍ୟାନୁଷ୍ଠାନ ପକ୍ଷରୁ ଶ୍ରୀ ରବୀନ୍ଦ୍ର କୁମାର ପାତ୍ର, ସେ ମଧ୍ୟ ଶଙ୍କରପୁରର ନାଟ୍ୟଚେତନା ଅନୁଷ୍ଠାନର ସଦସ୍ୟ ଥାଇ ସେ ଅମଳରେ ମୋଗଲ ତାମସାର ନିର୍ଦ୍ଦେଶନା ମଧ୍ୟ ଦିଅନ୍ତି । ସଙ୍କେତ ଅନୁଷ୍ଠାନର ‘ଝାଡ଼ୁବାଲା’ ଭାବେ ଅଭିନୟ କରୁଥିବା ଶ୍ରୀ ନରେନ୍ଦ୍ର ପରିଡ଼ା ଗେଲପୁର ଗ୍ରାମରେ ନାଟକ ଏବଂ ମୋଗଲ ତାମସାରେ ନିର୍ଦ୍ଦେଶନା ଦେଇଥାନ୍ତି । ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ ଅଭିନୀତ ନାଟକ ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ୱର ଦ୍ୱାରା ପ୍ରଦର୍ଶିତ ହୋଇଛି । ସଙ୍କେତ ଅନୁଷ୍ଠାନର ସଙ୍ଗୀତ ନିର୍ଦ୍ଦେଶକ ଥାଇ ସଙ୍ଗୀତଗୁଡ଼ିକୁ ସ୍ୱର ଦେଇଥିବା ଶ୍ରୀ ସୁବାସରାମ ଏବେ ମନମୋହନ ସଙ୍ଗୀତ ପରିଷଦ ଆନୁକୂଲ୍ୟରେ ତାଙ୍କ ନିଜସ୍ୱ ନିର୍ଦ୍ଦେଶନାରେ ବିଭିନ୍ନ ସ୍ଥାନରେ ମୋଗଲ ତାମସା ଅଭିନୀତ କରାଉଛନ୍ତି । ତାଙ୍କର ଏବଂ ରାହାଞ୍ଜିଆର ବିମଳା ନାଟ୍ୟ ସଂସଦର ମୋଗଲ ଭାବେ ଅଭିନୟ କରୁଥିବା ଶ୍ରୀ ସୁଧାଂଶୁ ବିଶ୍ୱାଳ ପୂର୍ବରୁ ସଙ୍କେତ ଅନୁଷ୍ଠାନର ମୋଗଲ ଭାବେ ଅଭିନୟ କରୁଥିଲେ । ସେତେବେଳେ ସୁବାସରାମ ଓ ସୁମତୀ ପଣ୍ଡାଙ୍କ ଯୋଡ଼ି ସଙ୍ଗୀତ କ୍ଷେତ୍ରରେ ଏକ ସଫଳ ଯୋଡ଼ି ଭାବେ ଦର୍ଶକମାନଙ୍କର ମନୋରଞ୍ଜନ କରିପାରୁଥିଲେ । ଗରଦପୁରର ପୁରୁଣା ଅନୁଷ୍ଠାନ ବଂଶୀବଲ୍ଲଭ ସାହିତ୍ୟ ସଂସଦ ପକ୍ଷରୁ ବିଭିନ୍ନ ସ୍ଥାନରେ ଅଭିନୀତ ହେଉଥିବା ମୋଗଲ ତାମସାରେ ମୋଗଲ ଭାବେ ଅଭିନୟ କରିଆସୁଛନ୍ତି । ଶ୍ରୀ ବିଜୟ କୁମାରଙ୍କ ଭଳି ଏମାନଙ୍କର ବିଶେଷତ୍ୱ ହେଲା ଏହି ଯେ ସେମାନେ ବଂଶୀବଲ୍ଲଭଙ୍କ ମୂଳଲେଖାକୁ ନେଇ ଅଭିନୟ କରିଥାଆନ୍ତି ଯାହା ଏବେ ଏତେ ବେଶୀ ଲୋକପ୍ରିୟତା ହାସଲ କରିନଥାଏ । ସେହିଭଳି ସାହାପୁରରେ ଭକ୍ତ ହରି ଦାଶ, ଏରେଇଁରେ ବାବୁରାମ ସାହୁ, ଜାନୁଗଞ୍ଜରେ ପ୍ରେମାନନ୍ଦ ପୃଷ୍ଟି, କୁଅାଁସରେ ରବୀନ୍ଦ୍ର ପାତ୍ର ମୋଗଲ ଭାବେ ଅଭିନୟ କରିଥାନ୍ତି । ଏ ଲେଖକ ମଧ୍ୟ ମନମୋହନ ସଙ୍ଗୀତ ପରିଷଦ ଓ ପରବର୍ତ୍ତୀ ସମୟରେ ସଙ୍କେତ ନାଟ୍ୟାନୁଷ୍ଠାନ ପକ୍ଷରୁ ଅଭିନୀତ ମୋଗଲ ତାମସାରେ ଜମିଦାର ଭୂମିକାରେ ଦୀର୍ଘବର୍ଷ ଧରି ଅଭିନୟ କରିଆସିଛି ଯାହା ବର୍ତ୍ତମାନ ହରେକୃଷ୍ଣ ମହାନ୍ତି କରୁଛନ୍ତି । ଏତଦ୍ଭିନ୍ନ ମୋଗଲ ତାମସାର ସୁନାମଧନ୍ୟ କଳାକାରମାନେ ହେଲେ ରବୀନ୍ଦ୍ର ପାତ୍ର, ରତ୍ନାକର ଭୂୟାଁ, ଅରବିନ୍ଦ ବେହେରା, ନରେନ୍ଦ୍ର ପରିଡ଼ା, ନାରାୟଣ ସାହୁ, ଗୌରାଙ୍ଗ ବାରିକ, ଭାସ୍କର ଜେନା, ହରେକୃଷ୍ଣ ମହାନ୍ତ, ଅମୀୟ ମହାନ୍ତି, ମନୋଜକୁମାର ଓଝା, ତାପସୀ ସାହୁ, ଜଗବନ୍ଧୁ ଦାସ, ସୁନନ୍ଦ ଜେନା, ଶୁଶ୍ରୀସଙ୍ଗୀତା କର, ଐଶ୍ୱର୍ଯ୍ୟା ନାୟକ, ପ୍ରଜ୍ଞାପାରମିତା ପାତ୍ର, ସନ୍ଧ୍ୟାରାଣୀ ବେହେରା, ଲଳିତା ଦାସ, ସ୍ୱପ୍ନା ପଣ୍ଡା, ଅନନ୍ତ ଖୁଣ୍ଟିଆ, ପର୍ଶୁରାମ ସେଠୀ, ସୁଧୀର ମହାପାତ୍ର, ବାବୁରାମ ସାହୁ, କେଦାରନାଥ ସ୍ୱାଇଁ, ପ୍ରଫୁଲ୍ଲ ଦାସ ଓ ସୁରେଶଚନ୍ଦ୍ର ମହାନ୍ତି ।

ଯେଉଁମାନେ ମୂଳ ପାଣ୍ଡୁଲିପିକୁ ଧରି ଅଭିନୟ କରୁଛନ୍ତି ସେମାନେ ହେଲେ ବିଜୟ ବହଳି, ପ୍ରଦ୍ୟୋତନ ସୁଆର, ସରୋଜ ସିଂହ, ଅଶୋକ ସାହୁ, ରଞ୍ଜନକୁମାର ମହାନ୍ତି, ମନୋଜ ସାହୁ, ଅଜିତ ଦାସ, ପ୍ରଣୟକୁମାର ହୋତା, ରଶ୍ମିତା ଦାସ, ରୂପରଞ୍ଜନ ଅଗସ୍ତି, ପ୍ରଭାତକୁମାର ମହାନ୍ତି, ରଞ୍ଜନକୁମାର ମହାନ୍ତି, ପୀତବାସ ବହଳୀ, ପିନାକୀ ଗୁପ୍ତା, ଚକ୍ରଧର ତ୍ରିପାଠୀ ଓ ଲୀନା ମହାରାଜ ପ୍ରମୁଖ । ଏ ସଂସ୍ଥାର ମୁଖ୍ୟ ପରିଚାଳକ ହେଲେ ଆଡ଼ଭୋକେଟ ମନୋରଞ୍ଜନ ମହାନ୍ତି, ଉପଦେଷ୍ଟା ଡଃ କୃଷ୍ଣଚରଣ ବେହେରା ଏବଂ ପରିଚାଳନାରେ ସହଯୋଗ କରିଥାନ୍ତି ପୁରୁଣା ମୋଗଲ ତାମସା କଳାକାର ଶ୍ରୀ ଅର୍ଜୁନଚରଣ ମହାନ୍ତି ଓ ଶ୍ରୀ ରାମ ପ୍ରସାଦ ମହାନ୍ତି ।

ମୋଗଲ ତାମସାର ବାଦ୍ୟଯନ୍ତ୍ର ଭାବେ ମହୁରୀ ଓ ଯୋଡ଼ିନାଗରା, ବିଗୁଲ୍, ପଖୋଜ, ହାରମୋନିୟମ୍ ଏବଂ କୁବୁଜି ବ୍ୟବହାର କରାଯାଉଥିବାବେଳେ ବର୍ତ୍ତମାନ ବିଗୁଲ, ଯୋଡ଼ିନାଗରା, ମହୁରୀ, ଢୋଲ, ହାରମୋନିୟମ, ଡୁଗିତବଲା, ପଖୋଜ, କୁବୁଜି, ବେହେଲା ଓ ସିନ୍ଥେସାଇଜର୍ ପ୍ରଭୃତି ବ୍ୟବହାର କରାଯାଉଛି । ଏସବୁ ବାଦ୍ୟର ସୁନାମଧନ୍ୟ ବାଦ୍ୟକାରମାନେ ହଲେ ସୁବାଷ ମଲ୍ଲିକ, ଉଦୟନାରାୟଣ ବେହେରା, ବାବୁମଣ୍ଡଳ, ଗୋପାଳଚନ୍ଦ୍ର ଜେନା, ପ୍ରମୁଖ । ପୂର୍ବରୁ ସଙ୍ଗୀତ ନିର୍ଦ୍ଦେଶନା ସୁବାଷରାମ ଦେଉଥିବା ବେଳେ ଏବେ ଏବେ ସୁରୋନ୍ଦ୍ର ଗାହାଣ ଓ ପଦ୍ମଲୋଚନ ଦାସ ଦେଇଥାନ୍ତି ଏବଂ ସେମାନେ ସମସ୍ତେ ଅଧୁନା ନିର୍ଦ୍ଦେଶନା ସଙ୍ଗେ ସଙ୍ଗେ କଣ୍ଠଦାନ ମଧ୍ୟ କରିଥାନ୍ତି । କେବଳ ନାରୀକଣ୍ଠରେ ସୁଲଳିତ କଣ୍ଠ ସଙ୍ଗୀତ ପରିବେଷଣ କରିପାରନ୍ତି ସେବତୀ ସାହୁ ଓ ସୁମତୀ ପଣ୍ଡା ।

ମୋଗଲ ତାମସାର ବିଷୟବସ୍ତୁ ହାସ୍ୟରସାତ୍ମକ ଓ ବ୍ୟଙ୍ଗାନୁକରଣରେ ରଚିତ । ବାଦଶାହାମାନଙ୍କର ବେପରୁୱା ଚଳଣୀକୁ ଉପହାସିତ କରି ଲେଖିଥିଲେ ବଂଶୀବଲ୍ଲଭ । ଶୁଣାଯାଏ ମରହଟ୍ଟାମାନେ ପରବର୍ତ୍ତୀ ସମୟରେ ରାଜୁତି କଲା ପରେ ମୋଗଲମାନଙ୍କୁ ବ୍ୟଙ୍ଗ କରି ଲେଖିବା ପାଇଁ ବଂଶୀବଲ୍ଲଭଙ୍କୁ କହିଥିଲେ । ମୋଗଲ ଶାସନ ସମୟରେ ସେ ଜଣେ ଜଣେ ମିର୍ଜାଙ୍କୁ ଏହାର କର ଆଦାୟ ପାଇଁ ପଠାଉଥିଲେ । ଏଣୁ ମିର୍ଜା ସାହେବ ମତ୍ତହସ୍ତୀ ଭଳି ଲୋକ ଗହଳିରୁ ଦୁଇଜଣ ସୈନିକମାନଙ୍କ କାନ୍ଧରେ ହାତପକାଇ ଜଗନ୍ନାଥଙ୍କ ପହଣ୍ଡିବିଜେ ଭଳି ଆସିବା ଏବଂ ମଞ୍ଚ ଉପରେ ଥିବା ଦୁଇ ଚୋପଦାର ତାଙ୍କ ସ୍ତୁତିଗାନରେ ମୁଖରିତ କରୁଥିବା ବେଳେ ଆତସବାଜୀରେ ମଞ୍ଚସ୍ଥଳ ପ୍ରକମ୍ପିତ ହୋଇଉଠେ । ଏମିତିରେ ଦର୍ଶକମାନଙ୍କ ମଧ୍ୟରେ ମିର୍ଜା ସାହେବଙ୍କୁ ଦେଖିବାର ଇଚ୍ଛା ପ୍ରବଳ ହୋଇଯାଏ ଯାହା ପରବର୍ତ୍ତୀ ସମୟରେ ହାସ୍ୟ ଉଦ୍ରେକ କରିଥାଏ । ମିର୍ଜା ସାହେବ ସିଂହାସନ ଆରୋହଣ କରିବା ପରେ ଦୁଇଜଣ ପରିଚାରିକା ଦୁଇପଟରେ ପଙ୍ଖା ବିଞ୍ଚୁଥାଆନ୍ତି । ପରେ ପରେ ଭେସ୍ତିକାଲା, ନାଇ, ଚଟଣିବାଲା, ଚୌକିଦାର, ଫରାସ ପ୍ରଭୃତି ମିର୍ଜା ସାହେବଙ୍କ ନିକଟରେ ନିଜର ଗୁହାରୀ ଜଣାନ୍ତି । ନିଜର ବଡ଼ିମା ଦେଖାଇ ଜମିଦାରଙ୍କୁ ତଲବ କରନ୍ତି ଓ ଚୋକରୀ, ବକ୍ରୀ, ଛପନଖଟ ମଶାରୀ ଓ ଚିରାବନ ବେ ଫସଲ ଆଦି ଦାବୀ କରନ୍ତି ଗୁମାସ୍ତାଙ୍କ ଚକ୍ରାନ୍ତରେ । ପାନବାଲି ଓ ଗଉତୁଣୀ ସେଠାକୁ ପାନ ଓ ଦହି ନେଇଯାନ୍ତି । ପାନବାଲି କୌଶଳକ୍ରମେ ଖସିଆସିଲା ପରେ ମିର୍ଜାସାହେବ ଗଉତୁଣୀ ପାଖରେ ନିଜର ପ୍ରିତିଭିକ୍ଷା କରନ୍ତି ତ ଗଉତୁଣୀ ରାଗୀ ତାଙ୍କୁ ମୁଥଟିଏ ମାରେ ଏତିକିବେଳେ ତାଙ୍କ ଦିଲ୍ଲୀ କୋଠା ଜଳିଯିବା ଓ ସେଥିରେ ବେଗମ୍ଙ୍କ ମୃତ୍ୟୁ ହେବା ଖବର ଦିଅନ୍ତି ତୋତିବାଲା । ଅବଶୋଷ ଅବଶୋଷ କହି ବିଦାୟ ନିଅନ୍ତି ମିର୍ଜା ସାହେବ । ତା’ ପରେ ଗଉଡ଼, ଗଉଡ଼ୁଣୀଙ୍କ କଳି ଲାଗେ ଗୁମାସ୍ତା ତାଙ୍କୁ ମେଣ୍ଟାଇ ଶିବଙ୍କ ପାଖରେ ସ୍ତୁତି କରି ବିଦାୟ ନିଅନ୍ତି ।

ନାଟକରେ ହିନ୍ଦୁ ଓ ମୁସଲମାନ ସଭିଏଁ ଅଂଶଗ୍ରହଣ କରିଥାଆନ୍ତି । ଭ୍ରଦକରେ ବହୁ ସଂଖ୍ୟାର ମୁସଲମାନ ଥିବାବେଳେ ସେମାନଙ୍କ ଭିତରେ ଭାଇଚାରା ବଜାୟ ରଖିବା ପାଇଁ ବଂଶୀବଲ୍ଲଭ ଏ ଗୀତିନାଟ୍ୟ ରଚନା କରିଥିବାର ଜଣାଯାଏ । ଓଡ଼ିଆ ନାଟକର କ୍ରମବିକାଶ କ୍ଷେତ୍ରରେ ଭଦ୍ରକର ଏହି ମୋଗଲ ତାମସାର ଐତିହାସିକ ମୂଲ୍ୟାୟନ ଅନସ୍ୱୀକାର୍ଯ୍ୟ । ଏହାକୁ ପ୍ରଥମ କରି ପ୍ରଫେସର କୃଷ୍ଣଚରଣ ବେହେରା ୧୯୬୬ମସିହାରେ ସଂଗ୍ରହ କରି ସମ୍ପଦନା ସହ ଏହାକୁ ଲିଖିତ ଆକାରରେ ପ୍ରକାଶ କରାଇଥିଲେ । ଏହାକୁ ଭାଗବତ ପ୍ରେସ୍ ପକ୍ଷରୁ ପ୍ରବୋଧାନନ୍ଦ ମହାପାତ୍ର ପ୍ରକାଶ କରିଥିଲେ । ଏହା ପୂର୍ବରୁ ଭଦ୍ରକର ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ପାଖରେ ପାଣ୍ଡୁଲିପି ଆକାରରେ ଏହା ଥିଲା । ବଂଶୀବଲ୍ଲଭ ସାହିତ୍ୟ ସଂସଦ ଗରଦପୁର ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଥିବା ବେଳେ ଡଃ ମନୀନ୍ଦ୍ର ମହାନ୍ତି ସେଠାରେ ସେମାନଙ୍କୁ ସହଯୋଗ କରିଥିଲେ । ୧୯୮୪ମସିହାରେ ବଂଶୀବଲ୍ଲଭଙ୍କର ଏକ ଆନୁମାନିକ ଚିତ୍ର ଲେଖକ ପ୍ରସ୍ତୁତ କରିଥିଲେ ଯାହାକୁ ରାଜ୍ୟସ୍ତରୀୟ ସ୍ୱୀକୃତି ମିଳିଥିଲା । ପରେ ପରେ ଦେବେନ୍ଦ୍ର ମହାପାତ୍ର ଚଇତି ତାମସା ନାଁରେ ମୋଗଲ ତାମସା ପୁସ୍ତକଟିଏ ପ୍ରକାଶ କରିଛନ୍ତି । ୨୦୦୩ମସିହାରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ଡଃ କୃଷ୍ଣଚରଣ ବେହେରା ଓ ଡକ୍ଟର ମନୀନ୍ଦ୍ର ମହାନ୍ତିଙ୍କ ମିଳିତ ପ୍ରଚେଷ୍ଟାରେ ଚଇତି ତାମସା ନାମକ ଏକ ପୁସ୍ତକ ପ୍ରକାଶ ପାଇଛି ଯେଉଁଥିରେ ମୋଗଲ ତାମସା ବ୍ୟତୀତ କବିଙ୍କର ଅନ୍ୟାନ୍ୟ ରଚନା ‘ଭିଲ ତାମସା’, ରାଧାକୃଷ୍ଣ ତାମସା, ଚଉଡ଼ା ତାମସା, ଯୋଗୀ ତାମସା, ଫକୀର ତାମସା ଓ ମୋଗଲ ତାମସାକୁ ପ୍ରସ୍ତୁତ କରାଯାଇଛି । ଏହି କାର୍ଯ୍ୟ ପାଇଁ ସେ ଦୁହେଁ ଧନ୍ୟବାଦର ପାତ୍ର । ପରବର୍ତ୍ତୀ ସମୟରେ ବହୁ ଲେଖା ମୋଗଲ ତାମସା ଉପରେ ପ୍ରକାଶ ପାଇଛି ଓ ଗବେଷକ ବାଇଧର ସାହୁ ଗବେଷଣା କରି ଡିଲିଟ୍ ପ୍ରାପ୍ତ ହୋଇଛନ୍ତି । ସ୍ୱର୍ଗତଃ ଗୋବର୍ଦ୍ଧନ ପୃଷ୍ଟି ଗୋଟିଏ ବର୍ଷ ସହରର ସମସ୍ତ ମୋଗଲ ତାମସା ଦଳମାନଙ୍କୁ ନିମନ୍ତ୍ରଣ କରି ମୋଗଲ ତାମସା ପ୍ରତିଯୋଗିତା କରାଇ ବିଭିନ୍ନ ଦଳମାନଙ୍କୁ ପୁରସ୍କୃତ କରିଥିଲେ । ସେ ଅକାଳରେ ମୃତ୍ୟୁବରଣ କରିବାରୁ ଏହା ବନ୍ଦ ହୋଇଗଲା । ଡାଏନାମିକ କ୍ୟାସେଟ କମ୍ପାନୀ ଯେତେବେଳେ ଥିଲା ସେତେବେଳେ ବାଦଲ ସିକଦାରଙ୍କ ନିର୍ଦ୍ଦେଶନାରେ ମୋଗଲ ତାମସାର ଦୁଇଖଣ୍ଡ କ୍ୟାସେଟ ପ୍ରସ୍ତୁତ କରିଥିଲେ । ପରେ ପରେ ସୁବାଷରାମଙ୍କ ନିର୍ଦ୍ଦେଶନାରେ ଏକ ସିଡ଼ି ପ୍ରସ୍ତୁତ କରାଯାଇଛି । ଇଂରାଜୀ ଭାଷାରେ ଏହା ଉପରେ ନିବନ୍ଧମାନ ପ୍ରକାଶ ପାଇ ଆନ୍ତର୍ଜାତିକ ଦୃଷ୍ଟି ଆକର୍ଷଣ କରିପାରିଛି, ଆହୁରି ବହୁ ଗବେଷକ ମାନେ ଏହିପରି କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଭଦ୍ରକର ଏହି ତାମସାର ଯେଉଁ ବିଶେଷତ୍ୱ ରହିଛି ତାହା ସମଗ୍ର ଓଡ଼ିଶା ତଥା ଓଡ଼ିଆ ସାହିତ୍ୟର ସମ୍ପଦ । ଏହା ଉପରେ ଅଧିକ ଗବେଷଣା ହେଲେ ଆହୁରି ନୂତନ ତଥ୍ୟ ସମ୍ମୁଖକୁ ଆସନ୍ତା ଏଥିରେ ସନ୍ଦେହ ନାହିଁ ।

Photo- Internet

ବିଶିଷ୍ଟ ନାଟ୍ୟକାର ହବିବ୍ ତନବୀରଙ୍କ ଦ୍ୱାରା ଉପସ୍ଥାପିତ ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ମୋଗଲ ତାମସା ଥିଲା ଏକ ଜନପ୍ରିୟ ନାଟକ । ଭଦ୍ରକରେ ପ୍ରଦର୍ଶୀତ ଏହି ନାଟକଟି ସମ୍ପର୍କରେ ହୁଏତ ଓଡ଼ିଶାବାସୀ କମ୍ ଜାଣିଥିବେ । ବିଶିଷ୍ଟ ଚିତ୍ରଶିଳ୍ପୀ ଅଶୋକ କୁମାର ମହାନ୍ତିଙ୍କ ଦ୍ୱାରା ଉପସ୍ଥାପିତ ଏହି ତଥ୍ୟଭିତ୍ତିକ ଲେଖାଟିକୁ ପଢ଼ିବା ପରେ ମୋଗଲ ତାମସାକୁ ଜାଣିବାର ଆଗ୍ରହଟି ନିଶ୍ଚୟ ବଢ଼ିବ । ମୁସଲମାନ ସମ୍ପ୍ରଦାୟର ଏକ ଆଖିଦୃଷ୍ଟିଆ ସଂଖ୍ୟା ଭଦ୍ରକ ଅଞ୍ଚଳରେ ବସବାସ କରୁଥିବା ଦୃଷ୍ଟିରୁ ନାଟକର ଉପସ୍ଥାପନା ପଛରେ ଏକ ଅଘୋଷିତ ମହତ୍ ଉଦ୍ଦେଶ୍ୟ ରହିଥିବା କଥା ଜାଣିବା ଶୁଣିବା ଲୋକେ କୁହନ୍ତି । ପ୍ରକୃତରେ କଳା ଏବଂ ତାହାର ଉପସ୍ଥାପନାର ଯାଦୁ ସମାଜକୁ ଗୋଟିଏ ସୂତାରେ ବାନ୍ଧିରଖେ । ଭିନ୍ନ ଭିନ୍ନ ଜାତି, ଧର୍ମର ଲୋକେ ସେଠି ଏକାଠି ହୁଅନ୍ତି ଏବଂ ଏକାକାର ହୋଇଯାଆନ୍ତି କଳାକୁ ଭିନ୍ନ ଭିନ୍ନ ଭୂମିକାରେ ନିଭାଇବା ଭିତରେ । ଏହିଭଳି ଏକ ବୁଝାମଣା ଭିତରୁ ହୁଏତ ମୋଗଲ ତାମସାର ସୃଷ୍ଟି ।                     – ସମ୍ପାଦକ

About ଶ୍ରୀ ଅଶୋକ କୁମାର ମହାନ୍ତି

ଶ୍ରୀ ଅଶୋକ କୁମାର ମହାନ୍ତି
ଚିତ୍ରକର, କଳା ଶିକ୍ଷକ, ଲେଖକ

Check Also

ବରଗଡ଼ ଧନୁଯାତ୍ରାର ସେନାପତି ହଂସଧ୍ୱଜ

ବରଗଡ଼ ଧନୁଯାତ୍ରାର ସେନାପତି ହଂସଧ୍ୱଜ । ଯାତ୍ରାର ମୁଖ୍ୟ ନାୟକ ମହାରାଜ କଂସଙ୍କ ସେନାପତି ହଂସଧ୍ୱଜ ଭୂମିକାରେ ବୃନ୍ଦାବନ ପ୍ରଧାନ …

Leave a Reply

Your email address will not be published. Required fields are marked *