Home / ଇତିହାସ / ବ୍ଲାକ ପାଗୋଡାର ଅଧଃପତନ

ବ୍ଲାକ ପାଗୋଡାର ଅଧଃପତନ

କୋଣାର୍କ ମନ୍ଦିର ତିଆରି ପୂର୍ବରୁ  ସ୍ଥପତି ମାନଙ୍କ ଦ୍ୱାରା ପରିକଳ୍ପିତ ମନ୍ଦିର ସଦୃଶ୍ୟ ଏକ କ୍ଷୁଦ୍ର ମନ୍ଦିର କୋଣାର୍କରୁ ଅନତୀ ଦୁର ବୟାଳିଶବାଟି ଗ୍ରାମରେ ନିର୍ମାଣ କରିଥିଲେ । ଏବେ ମନ୍ଦିରଟି ଅଛି ଯାହାକୁ ଦେଖିଲେ ବିଶାଳ ସୂର୍ଯ୍ୟ ମନ୍ଦିର କଳ୍ପନା କରିହୁଏ । କୋଣାର୍କ ମନ୍ଦିର ସହିତ ଯୋଡିହୋଇଛି ବାରଶହ ବଢେଇଙ୍କର ଆତ୍ମ କାହାଣୀ, ତେବେ ମନ୍ଦିରକୁ ନେଇ ଗର୍ବ ଓ ଗୌରବ ଅନୁଭବ କରୁଥିବା ଲୋକେ ତାହାର ଇତିହାସଟିକୁ କେତେ ଠିକରେ ବୁଝିଛନ୍ତି ନିଜକୁ ନିଜେ ପ୍ରଶ୍ନ କଲେ ଉତ୍ତରଟିଏ ମିଳିଯିବ ନିଶ୍ଚୟ। ଅନେକ ଐତିହାସିକ ବାଧା ବିଘ୍ନ ସତ୍ୱେ ଭଗ୍ନ କୋଣାର୍କ ମୁଣ୍ଡ ଯେକି ଛିଡ଼ାହେଇ ରହିଛି । ତାହାର ନିର୍ମାଣକୁ ନେଇ ମନ ଭିତରେ ଯାହା ପ୍ରଶ୍ନ ଥିଲେବି ଅପୂର୍ବ ଭାସ୍କର୍ଯ୍ୟ ଓ ସ୍ଥାପତ୍ୟର ପ୍ରତୀକ କୋଣାର୍କ ତା’ର ପ୍ରାସଙ୍ଗିକତା ବଜାୟି ରଖିଛି । କୋଣାର୍କର ସଂରକ୍ଷଣ ଆମ ସମସ୍ତଙ୍କର ଏକ ସାମୁହିକ ଦାୟିତ୍ୱ – ସମ୍ପାଦକ

କୋଣାର୍କକୁ ନେଇ ଲେଖା ହୋଇଛି ଅସଂଖ୍ୟ କାବ୍ୟ ଓ କବିତା । କିଏ କିଭଳି କୋଣାର୍କକୁ କେଉଁ ଦୃଷ୍ଟିରେ ଦେଖିଛନ୍ତି ତାହା ପ୍ରତିଫଳନ ହୋଇଛି ସେମାନଙ୍କର ଲେଖାମାଧ୍ୟମରେ । ଯେମିତି କୋଣାର୍କକୁ ‘ବ୍ୟଥାର ଆରତି ଦେଇ’ ଲେଖିଥିଲେ ଜ୍ଞାନପୀଠ ବିଜେତା ସଚ୍ଚି ରାଉତରାୟ ଏବଂ ଗୋଟେ ମୁଲିଆର ଆଖିନେଇ ସେ କୋଣାର୍କର ସବୁ କାରୁକାର୍ଯ୍ୟ ଭିତରେ ‘କୋଟି କଙ୍କାଳ ଭଗ୍ନ ବୁକର ସ୍ତୁପ’ ଦେଖିଥିଲେ । ସେ କହିଥିଲେ ‘ମୁଲିଆର ଆଖିନେଇ/ ମୁଁ ଦେଖିଛି ସେଇ ମନ୍ଦିର ବ୍ୟଥାର ଆରତି ଦେଇ’ । କିନ୍ତୁ ପ୍ରେମିକ କବି ମାୟାଧର ମାନସିଂହଙ୍କର ଦୃଷ୍ଟି ଥିଲା ସମ୍ପୁର୍ଣ୍ଣ ଭିନ୍ନ  । ତାଙ୍କ ଦୃଷ୍ଟିରେ କୋଣାର୍କ ଥିଲା ବୃଦ୍ଧ, ସେଥିପାଇଁ ସେ ବାଲିରେ ମନଦୁଃଖରେ ଶୋଇ ରହିଥିଲା । ତେଣୁ କବି ମାନସିଂହଙ୍କ ସମ୍ବୋଧନରେ କୋଣାର୍କ ଥିଲା ‘ସୈକତ ଶୟନା’ । ତାଙ୍କ କବିତାରେ ସେ କହିଥିଲେ କାଳ ହେଉଛି କୀର୍ତ୍ତିର କୀଟ ତା’ର କ୍ରୃଦ୍ଧ ଦଂଶନରେ କୀର୍ତ୍ତି ସବୁ  ଜୀର୍ଣ୍ଣ ହୁଏ ।  ବାରଶହ ବଢେଇଙ୍କ ବାର ବର୍ଷର ପରିଶ୍ରମରେ ଗଢା ହୋଇଛି ବିଶ୍ୱପ୍ରସିଦ୍ଧ କୋଣାର୍କ ସୁର୍ଯ୍ୟ ମନ୍ଦିର । ସେ ହେଉ ରାଜାଙ୍କର ସ୍ୱପ୍ନ ବା ତାଙ୍କ ପ୍ରେମିକା ପ୍ରତି ଶ୍ରଦ୍ଧାଞ୍ଜଳି । ରାଜାଙ୍କର ଇଛାକୁ ପୁରଣ କରିବାକୁ ଯାଇ ବାରଶହ ବଢେଇ ଓ ଶ୍ରମିକ ମାନଙ୍କ ଭିତରୁ କେତେ ସେହି ପଥରର ତଳେ ସମାଧି ନେଇଥିବେ ତାହା କାହାକୁ ଜଣାନାହିଁ । କିନ୍ତୁ ସେମାନଙ୍କ ନିହାଣ ମୁନ ଓ ପରିଶ୍ରମରେ ସୃଷ୍ଟି କରିଯାଇଥିବା ‘କୋଣାର୍କ’ ବିଶ୍ୱ ଇତିହାସରେ ଆମ ରାଜ୍ୟ ଓ ଦେଶକୁ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି । ଏହି କୋଣାର୍କ ପାଇଁ ଆମେ ବିଶ୍ୱ ଦରବାରରେ ପରିଚିତ । ଘରଦ୍ୱାର, ସ୍ତ୍ରୀ , ପିଲା ଛୁଆ, ବାପ ମାଙ୍କୁ ଭୁଲି ଦିର୍ଘ ବାରବର୍ଷ  କାଳ ଏକାଗ୍ରତାର ସହ କାର୍ଯ୍ୟକରି ଯେଉଁ ବିଶାଳ ରଥଟି ଗଢିଥିଲେ ତାହା ଆଜି କାଳର କରାଳ ଗତିରେ ଧ୍ୱଂସ ଯାହା ଅଛି ତାହା କେବଳ ତାର ଭଗ୍ନାବଶେଷ  ।

ପ୍ରଥମ ଲାଙ୍ଗୁଳା ନରସିଂହ ଦେବଙ୍କ ପୂର୍ବରୁ କୋଣାର୍କରେ ସୂର୍ଯ୍ୟ ମନ୍ଦିର ଥିଲା ବୋଲି  ପୁରାଣ ଓ ମାଦଳା ପାଞ୍ଜିରୁ ଜଣାଯାଏ । ବରାହ ପୁରାଣ ବର୍ଣ୍ଣନା ଅନୁଯାୟୀ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କୋଣାର୍କରେ ପ୍ରଥମେ ସୂର୍ଯ୍ୟ ମନ୍ଦିର ନିର୍ମାଣ କରାଇଥିଲେ । ମାଦଳା ପାଞ୍ଜିରୁ ଜଣାଯାଏ ସୋମବଂଶୀ ରାଜା ପୁରନ୍ଦର କେଶରୀ ନବମ ଶତାବ୍ଦୀରେ କୋଣାର୍କରେ ସୂର୍ଯ୍ୟ ମନ୍ଦିର ନିର୍ମାଣ କରାଇଥିଲେ । ସେ ମନ୍ଦିର ଏବେ ନାହିଁ । ଆମେ ଏବେ ଯେଉଁ ସୈକତ ଶୟନା ଭଗ୍ନ ମନ୍ଦିର ଦେଖୁଛୁ ତାହା ତ୍ରୟୋଦଶ ଶତାଦ୍ଦୀରେ ପ୍ରଥମ ଲାଙ୍ଗୁଳା ନରସଂହ ଦେବଙ୍କ ରାଜ୍ୱତ କାଳରେ ନିର୍ମିତ । ସେ ବଙ୍ଗ ବିଜୟ ପରେ ବିଶାଳ, କମନୀୟ ଓ ଚିତ୍ତାକର୍ଷକ ମନ୍ଦିର ନିର୍ମାଣର ପରିକଳ୍ପନା କରିଥିଲେ । ତାଙ୍କର ଈଛାଥିଲା ସପ୍ତାଶ୍ୱ ସଂଯୋଜିତ ଧାବମାନ ସୂର୍ଯ୍ୟରଥ ସଦୃଶ ନିର୍ମାଣ କରିବା । ଏହି ଦାୟୀତ୍ୱ ସେ ଶିବେଇ ସାଆନ୍ତରାଙ୍କ ଉପରେ ନ୍ୟସ୍ତ କରିଥିଲେ ।

ଏହି ମନ୍ଦିର ତିଆରି ପୂର୍ବରୁ  ସ୍ଥପତି ମାନଙ୍କ ଦ୍ୱାରା ପରିକଳ୍ପିତ ମନ୍ଦିର ସଦୃଶ୍ୟ ଏକ କ୍ଷୁଦ୍ର ମନ୍ଦିର କୋଣାର୍କ ରୁ ଅନତୀ ଦୁର ବୟାଳିଶବାଟି ଗ୍ରାମରେ ନିର୍ମାଣ କରିଥିଲେ । ଏବେ ମନ୍ଦିରଟି ଅଛି ଯାହାକୁ ଦେଖିଲେ ବିଶାଳ ସୂର୍ଯ୍ୟ ମନ୍ଦିର କଳ୍ପନା କରିହୁଏ । ଲାଙ୍ଗୁଳା ନରସିଂହ ଦେବ ନକ୍ସା, କ୍ଷୁଦ୍ର କୋଣାର୍କ ମନ୍ଦିର ଓ ଯୋଜନା ଅନୁମୋଦନ କରିବା ପରେ ୧୨୪୬ ଖ୍ରୀଷ୍ଟାଦ୍ଦ ପବିତ୍ର ଅକ୍ଷୟ ତୃତୀୟାର ପୁଣ୍ୟ ମୃହୁର୍ତ୍ତରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ୧୨୫୮ ଖ୍ରୀଷ୍ଟାଦ୍ଦ ମାଘ ସପ୍ତମୀ ଦିନ ଏହି ମନ୍ଦିର ପ୍ରତିଷ୍ଠା ହୋଇଥିଲା । ମୁଖ୍ୟ ମନ୍ଦିର ଉଚ୍ଚତା ଥିଲା ୨୨୫ ଫୁଟ । କଳସକୁ ବାଦ ଦେଇ ଭୂମି ପତନଠାରୁ ଜଗମୋହନର ଉଚ୍ଚତା ୧୨୮ ଫୁଟ । ଜଗମୋହନ ଟି ଥିଲା ବର୍ଗାକର ଯାହାର  ଲମ୍ବ ୬୦ ଫୁଟ ଓ ପ୍ରସ୍ଥ ୬୦ଫୁଟ ଥିଲା ଓ ମନ୍ଦିର କାନ୍ଥର ଚଉଡା ୨୮ଫୁଟ ୬ ଇଂଚ ଥିଲା । କୋଣାର୍କ ମୂଖ୍ୟ ମନ୍ଦିରର ଆକାର ଏକ ଚଳନ୍ତି ରଥସଦୃଶ ଥିଲା । ବିମାନ ଓ ଜଗମୋହନ ଦ୍ୱୟ ମଧ୍ୟରେ ୨୪ ଗୋଟି ଚକ ବିଦ୍ୟମାନ । ସାତଗୋଟି ଅଶ୍ୱ ସଂଯୋଗ ହୋଇଥିବା  ଏହି ରଥ ରୂପୀ ମନ୍ଦିର ପୂର୍ବ ଦିଗକୁ ଗତି କରୁଥିବା ସଦୃଶ୍ୟ  ଦେଖାଯାଏ । ପ୍ରତ୍ୟେକଟି ଚକରେ ଆଠ ଗୋଟି ଲେଖାଏଁ ଅର ରହିଛି । ପ୍ରତ୍ୟେକ ଚକର ବ୍ୟାସ ୯ଫୁଟ ୯ଇଂଚ । ଚବିଶ ଚକ ହେଉଛି ବାରମାସର ଚବିଶ ଗୋଟି ପକ୍ଷ ଏବଂ ପ୍ରତେକ ଚକରେ ଥିବା ଆଠଗୋଟି ଅର ହେଉଛି ଅଷ୍ଟପ୍ରହରର ନିଦର୍ଶନ ।

ମନ୍ଦିର ନିର୍ମାଣ ଓ ସ୍ଥାପତ୍ୟ କଳାର ଇତିହାସରେ କୋଣାର୍କ ଥିଲା ବିଶ୍ୱର ଅଦ୍ୱୀତିୟ ମନ୍ଦିର । ୧୨୫୮ ମସିହା ମନ୍ଦିର ପ୍ରତିଷ୍ଠା ହେବା ଦିନ ଠାରୁ ୧୫୮୧ରେ ଆବୁଲ ଫାଜଲ କୋଣାର୍କ ପରିଦର୍ଶନରେ ଆସିବା ପର୍ଯ୍ୟନ୍ତ ମନ୍ଦିର ଅକ୍ଷୁର୍ଣ୍ଣ ଅବସ୍ଥାରେ ରହିଥିଲା ଓ ନିୟମିତ ସେବାପୂଜା ହେଉଥିଲା । ୧୬୦୯ ମସିହାରେ ପ୍ରଥମେ ମନ୍ଦିରର ଧ୍ୱଜପଦ୍ମ ଖସିପଡିଲା । ଏହାପରେ କ୍ରମଶଃ ମନ୍ଦିରଟି ଭାଙ୍ଗିବାକୁ ଆରମ୍ଭ କଲା । ତତ୍କାଳୀନ ମୋଗଲ ସୁବେଦାର ଏଥିପ୍ରତି ଗୁରୁତ୍ୱ ଦେଲେନାହିଁ । ସେ ସମୟରେ ଖୋର୍ଦ୍ଧା ରାଜା ପୁରୁଷୋତ୍ତମ ଦେବଙ୍କ ଅବସ୍ଥା ଅତି ଶୋଚନୀୟ ଥିଲା । ୧୬୨୮ରେ ବଖର ଖାଁ ନାମକ ଏକ ସୁବେଦାର ଧ୍ୱଜପଦ୍ମ ଖଚିତ କଳସ ଭିତରେ ଥିବା ଧନରତ୍ନ ଲୁଟିନେଲେ । ୧୬୨୮ ମାର୍ଚ୍ଚ ୧୭ ତାରିଖରେ କୋଣାର୍କର ସୂର୍ଯ୍ୟ ମୂର୍ତ୍ତୀକୁ ପୁରୀ ନିଆଯାଇ ଶ୍ରୀମନ୍ଦିର ବେଢାରେ ଥିବା ଇନ୍ଦ୍ର ମନ୍ଦିରରେ ସ୍ଥାପନା କରାଗଲା । ସେହି ବର୍ଷ ୧୫୦ଫୁଟ ଉପରେ ସ୍ଥାନିତ ବୃହତ ଗଜସିଂହ ଶିଳା ଖସିପଡିଲା । ୧୮୩୭ ମସିହାରେ ଜେମସ୍ ଫଗୁସନ କୋଣାର୍କ ମନ୍ଦିର ପରିଦର୍ଶନ ବେଳେ ଦକ୍ଷିଣ ଓ ପଶ୍ଚିମ  ପାଶ୍ୱର କାନ୍ଥ ୧୫୦ ଫୁଟ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ଥିଲା । ଏହି କାନ୍ଥ ୧୮୪୮ ମହାବାତ୍ୟାରେ ଭୁଷୁଡି ପଡିଥିଲା । ୧୮୬୮ ମସିହାରେ ରାଜେନ୍ଦ୍ରଲାଲ ମିତ୍ର କୋଣାର୍କ ଗୋଟିଏ ପ୍ରସ୍ତର ସ୍ତୁପରେ ପରିଣତ ହୋଇଛି ବୋଲି ମତ ଦେଇଥିଲେ ।

୧୮୫୯ ମସିହାରେ ରାମଚନ୍ଦ୍ର ଦେବ ଜଗନ୍ନାଥ ମନ୍ଦିରର ମରାମତି ପାଇଁ ପୁରୀ ମାଜିଷ୍ଟ୍ରେଟଙ୍କ ପାଖରୁ ଅନୁମତି ନେଇ କୋଣାର୍କରୁ ମୂର୍ତ୍ତୀ ଓ ପଥର ଭାଙ୍ଗିବା କାମ ଏତେ ବ୍ୟଗ୍ରତାର ଓ ତତ୍ପରତାର ସହ ଆରମ୍ଭ କରିଥିଲେ ଯେ ଏସିଆଟିକ ସୋସାଇଟିର ହସ୍ତକ୍ଷପରେ ମାଜିଷ୍ଟ୍ରେଟଙ୍କୁ ସେ ଅନୁମତି ପ୍ରତ୍ୟାହାର କରିବାକୁ ପଡିଥିଲା ।

ରାମଚନ୍ଦ୍ର ଦେବଙ୍କ ଲୋକମାନେ କୋଣାର୍କ ମନ୍ଦିର ଉପରୁ ବେଶ କିଛି ମୂର୍ତ୍ତୀ କାଢି ତଳକୁ ପକାଇ ଦେଇଥିଲେ ଏବଂ ସେଥିରୁ ଅନେକ ପଥର ଓ ମୂର୍ତ୍ତୀ ପୁରୀକୁ ଅଣାଯାଇଥିଲା । ଏସବୁ ମୂର୍ତ୍ତୀକୁ ଦେଖାଇ ରାମଚନ୍ଦ୍ର ଦେବ ପୁତ୍ର ବିରକିଶୋରକୁ କହୁଥିଲେ କମିଶନର ରିକେଟସ ଯଦି ବାଧା ଦେଇ ନଥାନ୍ତେ, ମୁଁ କୋଣାର୍କରୁ ଅଧା ପଥର ପୁରୀ ନେଇ ଆସିଥାନ୍ତି । ରାମଚନ୍ଦ୍ରଙ୍କର ଗୋଟିଏ ଅବଶୋଷ ରହିଯାଇଥିଲା ନବଗ୍ରହ ପାଟକୁ ନେଇ । ଅନ୍ୟ ମୃର୍ତ୍ତୀ ସବୁ ମନ୍ଦିର ଉପରୁ ତଳକୁ ପକାଇଲା ବେଳେ ଭାଙ୍ଗି ରୁଜି ଯାଉଥିଲା କିନ୍ତୁ ରାମଚନ୍ଦ୍ର ଦେବ ତାଙ୍କ ଲୋକମାନଙ୍କୁ କହିଥିଲେ ଯେ ନବଗ୍ରହ ମୃର୍ତ୍ତୀ ଯେମିତି ନିଖୁଣ ତଳକୁ ଆସେ । ବହୁତ ସାବଧାନର ସହ ନବଗ୍ରହ ପାଟକୁ ତଳକୁ ଖସାଇଥିଲେ ପଥୁରିଆମାନେ । ରାମଚନ୍ଦ୍ର ଚାହୁଁଥିଲେ ନବଗ୍ରହକୁ ପୁରୀ ମନ୍ଦିର ଭିତରେ ପ୍ରତିଷ୍ଠା କରିଥାନ୍ତେ କିନ୍ତୁ ଏ କାମଟି ସେ କରିପାରିନଥିଲେ ।

କୋଣାର୍କ ମନ୍ଦିରକୁ ରାଜା ରାମଚନ୍ଦ୍ର ଦେବ ପୁରାଭାଙ୍ଗି ମାଟିରେ ମିଶାଇ ଦେଇଥାନ୍ତେ ଯଦି ୨୦ ବର୍ଷ ତଳେ ସେତେବେଳର କମିଶନର ହେନେରି ରିକେଟସ ବାଧା ଦେଇନଥାନ୍ତେ । କିନ୍ତୁ ରିକେଟସ ଖାଲି ଭଙ୍ଗାରୁଜା କାମ ବନ୍ଦ କରିନଥିଲେ ବରଂ ମନ୍ଦିରର କିପରି ସଂରକ୍ଷଣ ହେବ ସେ ବିଷୟରେ ମଧ୍ୟ ମୁଣ୍ଡ ଖେଳାଇଥିଲେ କିନ୍ତୁ ଏ ବିଷୟରେ କୌଣସି ପ୍ରସ୍ତାବ କାର୍ଯ୍ୟକାରୀ ହୋଇନଥିଲା ଏବଂ ବ୍ଲାକ ପାଗୋଡାଟି ଭାଙ୍ଗିବାକୁ ଲାଗିଥିଲା ।

ପୁରୀ ମାଜିଷ୍ଟ୍ରେଟ, କମିଶନର ଜି.ଏଫ.କକବର୍ଣ୍ଣଙ୍କୁ କୋଣାର୍କ ମନ୍ଦିର ମରାମତି ବିଷୟରେ ପ୍ରସ୍ତାବ ଦେଇଥିଲେ । କକବର୍ଣ୍ଣ ତାର ଜବାବରେ ଲେଖିଥିଲେ , କଳା ପାଗୋଡା ଭାଙ୍ଗି ପଡୁଥିବାରେ ଦୁଖଃ କରିବା ବଦଳରେ ବରଂ ମୋ ମତରେ ଏକଥାରେ ନିଷ୍କପଟ ଖୁସି ହେବା କଥା । ଏଥିରେ ଯେଉଁ ପାଶବିକ ମୃର୍ତ୍ତୀମାନ ଖୋଳା ହୋଇଛି, ସେଥିଯୋଗୁଁ ମୁଁ ଭାବୁଛି ଅବଶିଷ୍ଟ ଅଶଂକୁ ମାଟିରେ ମିଶାଇ ଦେବା ଦରକାର ମନ୍ଦିରର ଘୃଣିତ ବାକି ଅଶଂକୁ ସୁରକ୍ଷିତ ରଖିବା ପାଇଁ ଟଙ୍କାଏ ବି ଖର୍ଚ୍ଚ କରିବାର ଯଥାର୍ଥତା ନାହିଁ ।

କକବର୍ଣ୍ଣଙ୍କର ଗୋଟିଏ ଅଭ୍ୟାସ ଥିଲା ସେ ପୁରୁଣା କାଗଜପତ୍ର କୁ ଦେଖିବା । ପୁରୁଣା କାଗଜପତ୍ର ଦେଖୁଦେଖୁ ସେ ଜାଣିବାକୁ ପାଇଲେ ଯେ କୋଡିଏ ବର୍ଷ ତଳେ ବଙ୍ଗ ସରକାର କୋଣାର୍କର ନବଗ୍ରହ ପାଟକୁ କଲିକତା ପଠାଇବାକୁ ଲେଖିଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ସେ ବିଷୟରେ କୌଣସି କାର୍ଯ୍ୟକ୍ରମ ହୋଇନଥିଲା । ପୁରୀ ରାଜା ତାକୁ ମନ୍ଦିର ଉପରୁ ତଳକୁ ଖସାଇ ଦେବାପରେ ପଥରଖଣ୍ଡଟି ସେହିପରି ତଳେପଡିଥିଲା । କକବର୍ଣ୍ଣ ସ୍ଥିର କଲେ ଯେ ସମ୍ପୁର୍ଣ୍ଣ ମନ୍ଦିରକୁ ଭାଙ୍ଗି ତାର ପଥରକୁ କଲିକତା ପଠାଇ ନପାରିଲେ ବି ସେ ଏହି ନବଗ୍ରହ ଖଣ୍ଡଟିକୁ ଯଦିଓ ଏଥିରେ କିଛି ଅଶ୍ଳୀଳ ମୃର୍ତ୍ତୀ ନଥିଲା କଲିକତାକୁ ନିଶ୍ଚୟ ପଠାଇବେ ।

କକବର୍ଣ୍ଣଙ୍କ ଚିଠିପାଇ ଇଂଜିନିୟର ଜିଂ.ରେନର ପୁରୀରୁ ଆସି କୋଣାର୍କରେ ପହଚିଂଲେ । ରେନର ଆସିବା ମାତ୍ରେ ସିଧା ନବଗ୍ରହ ପଥର ଖଣ୍ଡ ପାଖକୁ ଯାଇଥିଲେ ଏବଂ ଫିତାରେ ତାର ଦୈର୍ଘ୍ୟ ପ୍ରସ୍ଥର ମାପନେଇ ନାନା ପ୍ରକାର ଗଣନା କରି ତାର ଓଜନ ବାହାର କରିଥିଲେ । ନବଗ୍ରହ ପାଟଥିଲା ୩୬୧.୫ ଘନଫୁଟ, ଓଜନ ୬୨୯୯୭.୨୫ ହଜାର ଅଥବା ୨୬.୬୭ଟନ । ବାଲି ଅପନ୍ତରା ଭିତରୁ ନବଗ୍ରହକୁ ସମୁଦ୍ର ପର୍ଯ୍ୟନ୍ତ ନେବାକୁ ହେଲେ ଗୋଟିଏ ରାସ୍ତା କରିବାକୁ ପଡିବ । ସେଇ ରାସ୍ତା ଉପରେ ପଟା ପକାଇ ତା ଉପରେ ରୋଲର ଦେଇ ଦଉଡିରେ ଟାଣି ଓ ହାତରେ ସମ୍ଭାଳି ଏତେବଡ ପଥରକୁ ସମୁଦ୍ରକୁଳକୁ ନେବାକୁ ପଡିବ । ଏଥିପାଇଁ ଦରକାର ହେବ ବାରଟି ଚାରି ଇଂଚିଆ ପଟା, ରୋଲର ପାଇଁ ଆଠଟି ଶାଳ କାଠଗଡ, ପଚାଶଟି ଲୁହା କିଳା, ପଚିଶଟି ଶାବଳ , ୨ ଇଂଚିଆ ଦଉଡି ଶହେଫୁଟ ଏବଂ ପଚାଶ ଜଣ ଲୋକ । ସମୟ ଲାଗିବ ମନ୍ଦିରରୁ ସମୁଦ୍ର ପର୍ଯ୍ୟନ୍ତ ନେବାଲାଗି ୪ ଦିନ ।

ସମୁଦ୍ର କୁଳରୁ ଜାହାଜ ପର୍ଯ୍ୟନ୍ତ ନେବାଲାଙ୍ଗି ଭେଳା ଓ ଡଙ୍ଗା । ୬୫୦୦ ଗ୍ୟାଲେନ ବା ତାଠାରୁ ବେସି ପାଣି ଧରୁଥିବା ପିପା ମାନଙ୍କ ଉପରେ ଏ ଭେଳାଟି ବସିବ । କେତୋଟି ଡଙ୍ଗା ତାକୁ ଟାଣି ଟାଣି ଜାହାଜ ପାଖକୁ ନେବେ ।ଏଥିପାଇଁ ମଜୁରୀ ଓ ସାମଗ୍ରୀ ବାବଦ ଖର୍ଚ୍ଚ ହେବ ୨୨୫ଟଙ୍କା ପଥର ଯେଉଁଠି ଅଛି ସେଠୁ ସମୁଦ୍ର ପର୍ଯ୍ୟନ୍ତ । ଏତକ ଟିପଣା ପଢିସାରି ଖାତା ର ପୃଷ୍ଠା ଲେଉଟାଇଲେ ରେନର ଏଥିରେ ଏକ ବଡ ପ୍ରଶ୍ନ ଚିହ୍ନ ଥିଲା । ଭେଳା ଉପରୁ କିପରି ଏତେବଡ ପଥରକୁ ଜାହାଜ ଉପରକୁ ଉଠାଯିବ । ତାର କୌଣସି ସମାଧାନ ନଥିଲା ରେନରଙ୍କ ପାଖରେ ।

୧୯୦୧ ରେ କୋଣାର୍କର ପୁନଃଉଦ୍ଧାର ଓ ସଂରକ୍ଷଣ କାମ ଆରମ୍ଭ ହେଲା ଏବଂ ପ୍ରଥମେ ମନ୍ଦିର ଭିତରୁ ବାଲି ପଥର କଢାଗଲା । ୧୯୦୩ରେ ମୁଖଶାଳା ଭିତରେ ବାଲିଭର୍ତ୍ତି କରାଗଲା ଏବଂ ମୁଖଶାଳାକୁ ସୁଦୃଢ କରିବା ପାଇଁ ମୁଖଶାଳା ଭିତରେ ପାଶ୍ୱରେ ୧୫ଫୁଟ ମୋଟେଇର କାନ୍ଥ ନିର୍ମାଣ କରାଗଲା । ୧୯୩୯ ରେ ଭାରତୀୟ ପତ୍ନତତ୍ତ୍ୱ ବିଭାଗ କୋଣାର୍କ ମନ୍ଦିର ସଂରକ୍ଷଣ ଦାୟୀତ୍ୱ ବହନକଲେ । ସ୍ୱାଧୀନତା ପରେ ୧୯୫୦ ମସିହାରେ ଭାରତ ସରକାର କୋଣାର୍କର ସଂରକ୍ଷଣ ନିମିତ୍ତ ଏକ ଉଚ୍ଚ ସ୍ତରିୟ କମିଟି ଗଠନ କଲେ ଏବଂ ଏହି କମିଟିର ସୁପାରିସ କ୍ରମେ ୧୯୫୩ ମସିହା ଠାରୁ କେନ୍ଦ୍ର ପତ୍ନତତ୍ତ୍ୱ ବିଭାଗ କୋଣାର୍କ ମନ୍ଦିର ସଂରକ୍ଷଣ ଓ ଉନ୍ନୟନ କାର୍ଯ୍ୟ କରୁଛି ।

୨୦୦୧ ଥିଲା କୋଣାର୍କ ପୁନଃରୁଦ୍ଧାର ଓ ସଂରକ୍ଷଣର ଶତବାର୍ଷିକୀ ବର୍ଷ । ତା ପରଠାରୁ ୧୮ ବର୍ଷ ବିତିଯାଇଥିଲେ ବି, କୋଣାର୍କର ପୁନଃଉଦ୍ଧାର କାମ ରେ କିଛି ଆଖିଦୁର୍ଶିଆ କାର୍ଯ୍ୟ ପରିଲିଖିତ ହୋଇନାହିଁ ।

କୋଣାର୍କକୁ ଭାଙ୍ଗିନେବା ପୁରୀ ରାଜା ରାମଚନ୍ଦ୍ର ଦେବଙ୍କ ଠାରୁ ଆରମ୍ଭକରି ଇଂରେଜ କମିସନର କକବର୍ଣ୍ଣଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଇଛା ଥିଲା କୋଣାର୍କ ମନ୍ଦିରକୁ ଭାଙ୍ଗି ତାର ମୃର୍ତ୍ତୀ ଗୁଡିକୁ ନେଇଯିବା । କିନ୍ତୁ ଏଥିରେ ରାମଚନ୍ଦ୍ର ଦେବ କିଛିମାତ୍ରାରେ ସଫଳ ହୋଇଥିଲେ ମଧ୍ୟ କକବର୍ଣ୍ଣ ଇଛାକରି ମଧ୍ୟ ନେଇ ପାରି ନଥିଲେ । ୧୮୯୪ ମସିହାରେ କୋଣାର୍କରୁ ୧୩ ଗୋଟି ମୃର୍ତ୍ତୀ କଲିକତା ଜାତୀୟ ସଂଗ୍ରାହଳୟକୁ  ନିଆଯାଇଥିଲା।

କୋଣାର୍କ ମନ୍ଦିର ସଂରକ୍ଷଣ ପ୍ରତି ସଠିକ ଭାବେ ଧ୍ୟାନ ଦିଆଯାଉନାହିଁ । ଓଡିଶା ସରକାର ଏଥିପ୍ରତି ଯେଉଁ ଦୃଷ୍ଟି ଦେବା କଥା ଦେଉନାହାନ୍ତି । ଏ .ଏସ. ଆଇ କୁ ସଂରକ୍ଷଣର ଦାୟୀତ୍ୱକୁ ହସ୍ତାନ୍ତର କରି ଦେଇ ଚୁପଚାପ ବସିଛନ୍ତି ରାଜ୍ୟ ସରକାର । କିନ୍ତୁ ସଂରକ୍ଷଣ ଓ ରକ୍ଷଣା ବେକ୍ଷଣ ଦାୟୀତ୍ୱରେ ଥିବା ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ଅଯତ୍ନରୁ କୋଣାର୍କ ର ଲାବଣ୍ୟ  ଆହୁରି ନଷ୍ଟ ହେଉଛି । ସମ୍ବେଦନହୀନ ଓ ଅଦୂରଦର୍ଶୀ ସଂରକ୍ଷଣ ପାଇଁ  କୋଣାର୍କର ପତନ ଘଟିବ । ଏ.ଏସ.ଆଇ ଦ୍ୱାରା ନିଯୁକ୍ତ ସିବିଆଇ ସଂସ୍ଥା ତାହାର ସଦ୍ୟତମ ରିପୋର୍ଟରେ କହିଛି, କୋଣାର୍କ ସ୍ଥିତି ଏବେ ଏପରିଯେ ଗୋଟିଏ ଅଳ୍ପ ତୀବ୍ରତାର ଭୂମିକମ୍ପ ବି ତାକୁ ଭୂଲୁଣ୍ଠିତ କରିଦେବ । ସେଥିପାଇଁ ଦାବି ଉଠିଛି , ଦିଲ୍ଲୀର ‘ହୁମାୟୁନଙ୍କ କବର’ ପରି କୋଣାର୍କର ନଷ୍ଟ ସ୍ଥାପତ୍ୟ ସ୍ଥାନରେ କାରୁକାର୍ଯ୍ୟପୁର୍ଣ୍ଣ ପଥର ଖଞ୍ଜାଯାଉ, ତା ନହେଲେ ଏ.ଏସ.ଆଇ ଠାରୁ ପ୍ରତ୍ୟାହାର କରିଆଣି ତାହାର ସଂରକ୍ଷଣ ଦାୟୀତ୍ୱ ‘ୟୁନେସ୍କୋ’ ହାତରେ ଦିଆଯାଉ ।

ଏ ପ୍ରସଙ୍ଗରେ ବିଶ୍ୱର ଦୁଇଟି ମନ୍ଦିର ସଂରକ୍ଷଣ ଏକ ଏକ ଦୃଷ୍ଟାନ୍ତ ହୋଇ ରହିଛି । ଗୋଟିଏ ଇଣ୍ଡୋନେସିଆର ବୌଦ୍ଧମଠ ‘ବୋରୋବୋଦୁର’ ଓ ଅନ୍ୟଟି ମିଶରର ‘ଆବୁସିମ୍ବେଲ’ ସୂର୍ଯ୍ୟମନ୍ଦିର । ଆସଓାନ (Aswan) ଜଳଭଣ୍ଡାର ଭିତରେ ବୁଡିଯିବାର ଆଶଙ୍କା ଦେଖାଦେବାରୁ ଆବୁସିମ୍ବେଲ ମନ୍ଦିର ଥିବା ପାହାଡକୁ ୧୦୫୦ଖଣ୍ଡରେ କାଟି ନେଇ ୬୯୦ଫୁଟ ଦୁରରେ ୨୦୦ଫୁଟ ଉଚ୍ଚତାରେ ଯୋଡି ଦିଆଯାଇଥିଲା । ତାହା ପ୍ରାଚୀନ କ୍ରୀର୍ତ୍ତିର ଇତିହାସରେ ଯୋଡିଥିଲା ଏକ ଚମକପ୍ରଦ ଅଧ୍ୟାୟ ।୧୯୬୯ ମେ ସଂଖ୍ୟା  ‘ନ୍ୟାସନାଲ ଜୋଗ୍ରାଫିକ’ ପତ୍ରକାରେ ପ୍ରକାଶିତ । ‘ବୋରୋବୋଦୂର’ ର ସଂରକ୍ଷଣ ଥିଲା ଆହୁରି ଜଟିଳ । ସାତ ଥାକର ଗଢା ସେହି ମନ୍ଦିରର ମୁଳଦୂଆ ଥିଲା ବିଶାଳ ୩୮୭ ଫୁଟ ରେ ୩୮୭ ଫୁଟ । ସେହି କୀର୍ତ୍ତି ପ୍ରତି ବିପଦ ଥିବାରୁ ତାହାର ୮ଲକ୍ଷ ଖଣ୍ଡ କାରୁକାର୍ଯ୍ୟ ପଥରକୁ ଗୋଟି ଗୋଟି କରି କାଢି ସେ ସବୁର ବୈଷୟିକ ଉପଚାର କରି ପୁଣି ପୂର୍ବପରି ଯୋଡି ଦିଆଗଲା । କୋଣାର୍କ ମନ୍ଦିରରୁ ବାର୍ଷିକ ଟିକଟ ବାବଦକୁ ଆୟ କିଛି କମନୁହେଁ । ଲୋକସଭାରେ ଶ୍ରୀ ରାୟପତି ସମ୍ବାସିବ ରାଓଙ୍କ  ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ମହେଶ ଶର୍ମା ତିନିବର୍ଷର ଟିକଟ ବାବଦକୁ ଆୟର ବିବରଣୀରେ ଯାହା ତଥ୍ୟ ଦେଇଛନ୍ତି ତାହା ୨୦୧୩-୧୪ ରେ ୨୪୩୫୨୦୬୦, ୨୦୧୫-୧୬ରେ ୨୫୭୦୨୧୩୦ ଏବଂ ୨୦୧୫-୧୬ରେ ୨୯୯୬୫୦୫୦ଟଙ୍କା ଆଦାୟ ହୋଇଥିଲା ।

ଇଂରେଜ ସମ୍ବାଦ ପତ୍ର ୨୬.୧୧.୨୦୧୭ ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ତଥ୍ୟ ଅନୁଯାୟୀ କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୂବନେଶ୍ୱରର ରାଜାରାଣି ମନ୍ଦିର ଏବଂ ଯାଜପୁରର ରତ୍ନଗିରିର ବୁଦ୍ଧ କିତ୍ତୀ କୁ କେନ୍ଦ୍ର ସରକାର ଏକ ଘୋରୋଇ କମ୍ପାନୀ ଟି.କେ. ଇଣ୍ଟରନ୍ୟାସନାଲ ଲିମିଟେଡ଼୍ କୁ ପାଞ୍ଚ ବର୍ଷ ପାଇଁ ଦେବେ ବୋଲି ଯୋଜନା କରିଥିଲେ ।

୧୫.୦୩.୧୧ ଦ ଟେଲିଗ୍ରାଫ୍ର ତଥ୍ୟ ଅନୁଯାୟୀ ବର୍ଷା ପାଣିକୁ ମନ୍ଦିର ପରିସରରୁ ଡ୍ରେନ୍ ଦ୍ୱାରା ବାହାର କରିବା ପାଇଁ ୧.୫୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି । କିନ୍ତୁ  ଏବେବି ବର୍ଷା ପାଣିରେ ଜଳମଗ୍ନ ହେଉଛି କୋଣାର୍କ ପରିସର ।

କୋଣାର୍କ ମନ୍ଦିରର ନଷ୍ଟ ହେଉଥିବା ପଥରକୁ କାଢି ସେହିପରି ପଥର ଲଗାଯିବା କଥା କିନ୍ତୁ ସେଠାରେ ସାଧା ପଥରକୁ ଲଗାଯାଉଛି । ଏହା ଦ୍ୱାରା ମନ୍ଦିରକୁ ପର୍ଯ୍ୟଟକ ମାନଙ୍କର ଦେଖିବା ଆଗ୍ରହ ଧିରେ ଧିରେ କମିକମିଯାଉଛି ।

ଯେଉଁ ରାଜ୍ୟର କାରିଗରମାନେ ତ୍ରୟୋଦଶ ଶତାଦ୍ଦୀରେ କୋଣାର୍କ ଗଢି ଯାଇଥିଲେ ଆଜିକ’ଣ ଏହି ଅତ୍ୟାଧୁନିକ ଯୁଗରେ ସେମାନଙ୍କର ବଂଶଧର ମାନେ କୋଣାର୍କ ମନ୍ଦିରକୁ ମରାମତି କରିପାରିବେ ନାହିଁ? ଯେଉଁଥିପାଇଁ ଆମ ରାଜ୍ୟ ଓ ଦେଶ ବିଶ୍ୱ ପର୍ଯ୍ୟଟନ ଚିତ୍ରରେ ପରିଚିତ ସେଥିପାଇଁ କେହି ଚିନ୍ତା କରୁଛନ୍ତି ବୋଲି ମନେହେଉନାହିଁ । ପତ୍ର ଦିଆନିଆ ରେ ଚାଲୁଛି ସଂରକ୍ଷଣ କାର୍ଯ୍ୟ । ଓଡିଶାର ମୂଖ୍ୟ ମନ୍ତ୍ରୀ କୋଣାର୍କର କାରୁକାର୍ଯ୍ୟ ପୁର୍ଣ୍ଣ ପଥରକୁ କାଢି ସାଧା ପଥର ଲଗାଯାଉଛନ୍ତି ଓ କୋଣାର୍କ ମନ୍ଦିରର ସଂରକ୍ଷଣ କାମ ଠିକ ଭାବେ ହେଉନାହିଁ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଥିଲେ ଯାହାର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଲେ ଯେ କୋଣାର୍କ ମନ୍ଦିର ପ୍ରତି କୋଣସି ବିପଦ ନାହିଁ ଆଉ ୧୯୯୭ ଠାରୁ କୋଣାର୍କରେ କୌଣସି ସାଧା ପଥର ଲଗାଯାଇନାହିଁ ।

କେହି କେହି କହୁଛନ୍ତି କୋଣାର୍କ ସୂର୍ଯ୍ୟ ମନ୍ଦିର ଆଉଗୋଟେ ନିମାର୍ଣ ହେବା ଦରକାର  । ଆମେ ସେ ବିତର୍କ ଭିତରକୁ ଏବେ ଯାଉନାହୁଁ । କୋଣାର୍କ ମନ୍ଦିର ନିର୍ମାଣରେ ପ୍ରାୟ ୩୫ଲକ୍ଷ ମାଢ ବା ୧୭ ଲକ୍ଷ ୫୦ ହଜାର ତୋଳା ସୁନା ଖର୍ଚ୍ଚ ହୋଇଥିଲା, ଏବେ କେତେ ଖର୍ଚ୍ଚ ହେବ ତାହା ଆକଳନ କରିବା ନିତ୍ୟାନ୍ତ ଜରୁରୀ ।  କିନ୍ତୁ ପୁରୁଣା ମନ୍ଦିରକୁ ସାଇତି ନରଖି ନୂତନ ମନ୍ଦିର ତିଆରି କରିବାର ସ୍ୱପ୍ନ ଦେଖିବା ଉଚିତ୍ ହେବନାହିଁ । ଇତିହାସକୁ ଛାଡିଦେଲେ ବର୍ତ୍ତମାନର କିଛି ମାନେ ରୁହେନା ।

ଉପାଦାନ ସୂଚୀ ୧. କୋଣାର୍କ – ପଣ୍ଡିତ କୃପାସିନ୍ଧୁ ମିଶ୍ର ।

୨. କୋଣାର୍କ- ବଳରାମ ମିଶ୍ର ।

୩. ଦେଶକାଳପାତ୍ର – ଜଗନ୍ନାଥ ପ୍ରସାଦ ଦାସ ।

୪. Dec 2018, TheTimes of India

  1. 15th march 2011, The Telegraph
  2. 26 November 2017, The Times of India
  3. 21dec 2018, The Samaja

 ୮. ପୌରୁଷ- ଡିସେମ୍ବର ୨୦୧୮

Photo credit- https://bit.ly/2UYCqKc

About ଶିବାଶିଷ ରାୟ

ଗବେଷକ (ଇତିହାସ ବିଭାଗ)

Check Also

ଲୋକଧାରା: ବିବିଧ ବିଭାବ

ଲୋକଧାରା ଅଧ୍ୟୟନର ଇତିହାସ ବା ଲୋକ କିଏ ଓ ଲୋକଧାରା କାହାକୁ କହିବା ଆଦି ପ୍ରସଙ୍ଗ ଉପରେ ଚାଲିଥିବା ଶତାବ୍ଦୀ …

Leave a Reply

Your email address will not be published. Required fields are marked *