Home / ଇତିହାସ / ବିବର୍ତ୍ତନବାଦ

ବିବର୍ତ୍ତନବାଦ

ସଙ୍ଗୀତ ବିଦ୍ୟାର୍ଥୀମାନଙ୍କ ପାଇଁ ସଙ୍ଗୀତର ଇତିହାସ ଜାଣିବା ଅତ୍ୟନ୍ତ ଆବଶ୍ୟକ । ସଙ୍ଗୀତ ଇତିହାସ ଜାଣିବାକୁ ହେଲେ, ଯାହାର ବଳିଷ୍ଠ ଯୋଗଦାନରେ ସଙ୍ଗୀତର କ୍ରମବିକାଶ ଘଟିଛି ଏବଂ ସଙ୍ଗୀତ ଅଧିକରୁ ଅଧିକ ସମୃଦ୍ଧ ହୋଇପାରିଛି, ସେହି ମାନବର ସଭ୍ୟତା ଓ ସଂସ୍କୃତିର ଇତିହାସକୁ ଜାଣିବା ପ୍ରଥମେ ଆବଶ୍ୟକ । ମାନବସଭ୍ୟତା ଓ ସଂସ୍କୃତିର ଇତିହାସକୁ ଜାଣିବା ପୂର୍ବରୁ ମାନବ ସୃଷ୍ଟିର ଇତିହାସ ମଧ୍ୟ ଜାଣିବା ବିଧେୟ ଏବଂ ମାନବ ସୃଷ୍ଟିର ଇତିହାସ ଜାଣିବା ନିମିତ୍ତ ମହାନ ବୈଜ୍ଞାନିକ ଚାର୍ଲସ୍ ରବର୍ଟ ଡାରୱିନଙ୍କ ଦ୍ୱାରା ପ୍ରବର୍ତ୍ତିତ ‘ବିବର୍ତ୍ତନ-ବାଦ’ ସମ୍ପର୍କରେ ଆମର ସାଧାରଣ ଧାରଣା ରହିବା ଅତୀବ ପ୍ରୟୋଜନୀୟ ।

ସଭ୍ୟତା ଓ ସଂସ୍କୃତି ପରିବର୍ତ୍ତନଶୀଳ । ଏହା ଚିରକାଳ ପାଇଁ ଅପରିବର୍ତ୍ତିତ ହୋଇ ସ୍ଥାଣୁ ରୂପେ ରହି ନପାରେ । ଜ୍ଞାନର ଅଭିବୃଦ୍ଧି ତଥା ଲୋକରୁଚିର ପରିବର୍ତ୍ତନ ସହିତ ସମତା ରକ୍ଷାକରି ସଭ୍ୟତା ଓ ସଂସ୍କୃତି ପରିବର୍ତ୍ତିତ ହୋଇଥାଏ । ଜ୍ଞାନର ଅଭିବୃଦ୍ଧି ଦ୍ୱାରା ରୁଚି ମାର୍ଜିତ ହୁଏ, ସେହି ପରିମାଣରେ ଲୋକସଂସ୍କୃତି ପରିବର୍ତ୍ତିତ ହୁଏ । ଏହି ଦୃଷ୍ଟିରୁ ସଭ୍ୟତା ଓ ସଂସ୍କୃତିର କ୍ରମପରିବର୍ତ୍ତନରେ ଜ୍ଞାନ ଓ ବିଜ୍ଞାନର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ । କାରଣ ଜ୍ଞାନବିଜ୍ଞାନ କ୍ଷେତ୍ରରେ ଯେଉଁ ପରିମାଣରେ ଉକ୍ରର୍ଷ ସାଧିତ ହୁଏ, ସେହି ପରିମାଣରେ ସଭ୍ୟତା ଓ ସଂସ୍କୃତି ପ୍ରଭାବିତ ହୋଇ କାଳକ୍ରମେ ପରିବର୍ତ୍ତିତ ହୋଇଥାଏ ।

ମାନବସଭ୍ୟତା ଓ ସଂସ୍କୃତିକୁ ପୁଙ୍ଖାନୁପୁଙ୍ଖ ଭାବେ ଅନୁଧ୍ୟାନ କଲେ ଜଣାଯାଏ ଯେ, ଚଳିତ ବିଂଶ ଶତାବ୍ଦୀରେ ସଭ୍ୟତା ଓ ସଂସ୍କୃତିର ଗତି ଯେପରି ଅତି ପ୍ରଖର ହୋଇଅଛି, ତାହା ଅଷ୍ଟାଦଶ ଓ ଉନବିଂଶ ଏହି ଦୁଇଶତ ବର୍ଷ ମଧ୍ୟରେ ସମ୍ଭବ ନଥିଲା । ସେହିପରି ଅଷ୍ଟାଦଶ ଓ ଉନବିଂଶ ଶତାବ୍ଦୀର ସଭ୍ୟତା ଓ ସଂସ୍କୃତିର ପରିବର୍ତ୍ତନର ଗତିଠାରୁ ତାହାର ପୂର୍ବବର୍ତ୍ତି ଚାରିଶତ ବର୍ଷ ଅର୍ଥାତ ଚତୁର୍ଦ୍ଦଶଠାରୁ ଅଷ୍ଟାଦଶ ଶତାବ୍ଦୀର ସଭ୍ୟତା ଓ ସଂସ୍କୃତିର ଗତି ଅପେକ୍ଷାକୃତ ମନ୍ଥର । ଏହିପରି ଆମେ ଯେତେ ଯେତେ ପୁରାତନ କାଳର ସଭ୍ୟତା ଓ ସଂସ୍କୃତିକୁ ଅନୁଧ୍ୟାନ କରିବା, ଆମେ ଜାଣିପାରିବା ଯେ ଏହି ସଭ୍ୟତା ଓ ସଂସ୍କୃତିର ସମୟସୀମା ଅଧିକରୁ ଅଧିକ ବୃହତ ଏବଂ ପରିବର୍ତ୍ତନର ଗତି ଅଧିକରୁ ଅଧିକ ମନ୍ଥର । ଏହା ନିମ୍ନଲିଖିତ ବିଷୟରୁ ଅଧିକ ସ୍ପଷ୍ଟ ହୋଇପାରିବ ।

ଐତିହାସିକମାନେ ମାନବ ସଭ୍ୟତା ଓ ସଂସ୍କୃତିର ସମଗ୍ର ସମୟସୀମାକୁ ସ୍ଥୂଳତଃ ଦୁଇଭାଗରେ ବିଭକ୍ତ କରିଛନ୍ତି । ପ୍ରଥମଟି – ପ୍ରାଗ୍-ଐତିହାସିକ ଯୁଗ ଓ ଦ୍ୱିତୀୟଟି ଐତିହାସିକ ଯୁଗ । ପ୍ରାଗ୍-ଐତିହାସିକ ଯୁଗ ପ୍ରାୟ ଖ୍ରୀ:ପୂ: ୫୦୦,୦୦୦ ଠାରୁ ଖ୍ରୀ:ପୂ: ୫,୦୦୦ ପର୍ଯ୍ୟନ୍ତ ବ୍ୟାପ୍ତ ଏବଂ ଐତିହାସିକ ଯୁଗ ଖ୍ରୀ:ପୂ: ୫,୦୦୦ଠାରୁ ଆଜିପର୍ଯ୍ୟନ୍ତ ବ୍ୟାପ୍ତ । ପ୍ରାଗ୍-ଐତିହାସିକ ଓ ଐତିହାସିକ ଯୁଗର ସମୟସୀମା ତଥା ସଭ୍ୟତା-ସଂସ୍କୃତିର ପରିବର୍ତ୍ତନର ଗତିକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ପ୍ରାଗ୍-ଐତିହାସିକ ଯୁଗର ସମୟସୀମା ୪୫୦ହଜାର ବର୍ଷ ପର୍ଯ୍ୟନ୍ତ ବ୍ୟାପ୍ତ ହୋଇଥିବା ସ୍ଥଳେ, ଐତିହାସିକ ଯୁଗର ସମୟସୀମା ଏ ପର୍ଯ୍ୟନ୍ତ ସୁଦ୍ଧା ମାତ୍ର ସାତହଜାର ବର୍ଷକୁ ଆତିକ୍ରମ କରିପାରି ନାହିଁ । ଏହି ଐତିହାସିକ ଯୁଗରେ ସଭ୍ୟତା ଓ ସଂସ୍କୃତି ଯେପରି ଦ୍ରୁତଗତିରେ ପରିବର୍ତ୍ତିତ ହୋଇଚାଲିଛି, ସେ ପ୍ରକାର ଦ୍ରୁତଗତିର ପରିବର୍ତ୍ତନ, ପ୍ରାଗ୍-ଐତିହାସିକ ଯୁଗର ସଭ୍ୟତା ଓ ସଂସ୍କୃତି କ୍ଷେତ୍ରରେ ଆଦୌ ସମ୍ଭବ ନଥିଲା । ବରଂ ପ୍ରାଗ୍-ଐତିହାସିକ ଯୁଗରେ ସଭ୍ୟତା ଓ ସଂସ୍କୃତିର ପରିବର୍ତ୍ତନର ଗତି କଳ୍ପନାତୀତ ମନ୍ଥର ଥିଲା । ଆହୁରି ମଧ୍ୟ ଐତିହାସିକ ଯୁଗର ସଭ୍ୟତା ଓ ସଂସ୍କୃତିକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ଏହି ଯୁଗର ଅତି ପ୍ରାଚୀନ କାଳର ସମୟସୀମା ଠାରୁ ପ୍ରାଚୀନ କାଳର ସମୟସୀମା କମ୍, ପ୍ରାଚୀନକାଳର ସମୟ ସୀମାଠାରୁ ମଧ୍ୟକାଳର ସମୟସୀମା କମ୍ ଏବଂ ମଧ୍ୟକାଳର ସମୟସୀମା ଠାରୁ ଆଧୁନିକ କାଳର ସମୟସୀମା କମ୍ । ସେହିପରି ଐତିହାସିକ ଯୁଗର ସଭ୍ୟତା-ସଂସ୍କୃତି ପରିବର୍ତ୍ତନର ଗତିକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ଅତୀ ପ୍ରାଚୀନକାଳର ଗତି ଅପେକ୍ଷା ପ୍ରାଚୀନକାଳର ଗତି ଅଧିକ ଦ୍ରୁତ । ପ୍ରାଚୀନକାଳର ଗତି ଠାରୁ ମଧ୍ୟକାଳର ଗତି ଅଧିକ ଦ୍ରୁତ ଏବଂ ମଧ୍ୟକାଳର ଗତିଠାରୁ ଆଧୁନିକ କାଳର ଗତି ଆହୁରି ଅଧିକ ଦ୍ରୁତ । ଅତଏବ, ଯେତେ ଯେତେ ପୁରାତନ କାଳର ସଭ୍ୟତା ଓ ସଂସ୍କୃତିକୁ ଆମେ ଅନୁଧ୍ୟାନ କରିବା ଆମେ ଜାଣିପାରିବା ଯେ ସଭ୍ୟତା ଓ ସଂସ୍କୃତିର ସମୟସୀମା ସେହି ଅନୁସାରେ ଅଧିକରୁ ଅଧିକ ବୃହତ ଏବଂ ପରିବର୍ତ୍ତନର ଗତି ଅଧିକରୁ ଅଧିକ ମନ୍ଥର ।

ଏଠାରେ ଆହୁରି ଗୋଟିଏ ବିଷୟ ମନେରଖିବାକୁ ହେବ ଯେ, ଯେଉଁ ସମୟସୀମା ବା କାଳ ମଧ୍ୟରେ ଜ୍ଞାନ-ବିଜ୍ଞାନ କ୍ଷେତ୍ରରେ ଅଧିକ ପରିମାଣରେ ଉକ୍ରର୍ଷ ସାଧିତ ହୋଇଛି, ସେହି ସମୟସୀମା ବା କାଳ ମଧ୍ୟରେ ସଭ୍ୟତା ଓ ସଂସ୍କୃତି ସେତେ ଅଧିକ ପରିମାଣରେ ଗତିଶୀଳ ହୋଇ ପରିବର୍ତ୍ତିତ ହୋଇଛି । ଏହି ପରିବର୍ତ୍ତନକୁ ‘ବିବର୍ତ୍ତନ’ ବୋଲି କୁହାଯାଏ ଏବଂ ସେହି ଗତିଶୀଳତା ହିଁ ବିବର୍ତ୍ତନର ପ୍ରଧାନ କାରଣ ଅଟେ । ଉପରୋକ୍ତ ଦୃଷ୍ଟି କୋଣରୁ ବିଚାର କରାଯାଇ ସଭ୍ୟତା ଓ ସଂସ୍କୃତିର ଏହି କ୍ରମ ପରିବର୍ତ୍ତନକୁ ‘ବିବର୍ତ୍ତନ-ବାଦ’ର ଅନ୍ତର୍ଭୁକ୍ତ କରାଯାଇଛି ।

ମାନବସଭ୍ୟତା ଓ ସଂସ୍କୃତିର ଇତିହାସ ଜାଣିବା ପୂର୍ବରୁ, ଆମେ ବସବାସ କରୁଥିବା ଏହି ପୃଥିବୀରେ ପ୍ରକୃତମାନବର ସୃଷ୍ଟି ଏବଂ ତାହା ପୂର୍ବରୁ ଅନ୍ୟ ପ୍ରାଣୀ (ଜଳଚର, ସ୍ଥଳଚର, ଉଭୟଚର ଓ ନଭଚର ପ୍ରାଣୀ ଇତ୍ୟାଦି) ମାନଙ୍କର ସୃଷ୍ଟିର ଇତିହାସ ଜାଣିବା ମଧ୍ୟ ଆବଶ୍ୟକ ତଥା ଏହି ଆବଶ୍ୟକତା ଦୃଷ୍ଟିରୁ ‘ବିବର୍ତ୍ତନବାଦ’ ସମ୍ପର୍କରେ ଆମର ସାଧାରଣ ଧାରଣା ରହିବା ମଧ୍ୟ ବିଧେୟ ।

ମାନବସୃଷ୍ଟିର ବହୁକାଳ ପରେ ସଭ୍ୟତା ଓ ସଂସ୍କୃତିର ଅଭ୍ୟୁଦୟ ଘଟିଥିଲା ଏବଂ ମାନବସୃଷ୍ଟିରୁ ବହୁକାଳ ପୂର୍ବରୁ ବିଭିନ୍ନ ପ୍ରକାରର ସ୍ଥଳଚର ଓ ନଭଚର ପ୍ରାଣୀମାନଙ୍କ ସୃଷ୍ଟି ହୋଇଥିଲା । ସ୍ଥଳଚର ଓ ନଭଚର ପ୍ରାଣୀ ସୃଷ୍ଟିର ବହୁକାଳ ପୂର୍ବରୁ ଜଳ-ସ୍ଥଳଚର ପ୍ରାଣୀର ସୃଷ୍ଟି ତଥା ଜଳ ସ୍ଥଳଚର ପ୍ରାଣୀମାନଙ୍କର ସୃଷ୍ଟିର ବହୁକାଳ ପୂର୍ବରୁ ଜଳଚର ପ୍ରାଣୀର ସୃଷ୍ଟି ହୋଇଥିଲା ଏବଂ ଜଳଚର ପ୍ରାଣୀ ସୃଷ୍ଟିର ବହୁ ପୂର୍ବରୁ ଜଳ ଓ ସ୍ଥଳ ଭାଗରେ ଲତା, ଗୁଳ୍ମ ଓ ଉଦ୍ଭିଦର ସୃଷ୍ଟି ହୋଇଥିଲା । ଜଳ ଓ ସ୍ଥଳ ଭାଗରେ ଲତା, ଗୁଳ୍ମ ଓ ଉଦ୍ଭିଦ ସୃଷ୍ଟିର ବହୁ ଲକ୍ଷ ବର୍ଷ ପୂର୍ବରୁ ଆମର ଏହି ପୃଥିବୀର ସୃଷ୍ଟି ହୋଇଥିଲା । ଆମର ପୃଥିବୀ ପ୍ରଥମେ ଗୋଟିଏ ଗୋଲାକାର ଉତ୍ତପ୍ତ ବା ଜ୍ୱଳନ୍ତ ବାଷ୍ପୀୟ ମଣ୍ଡଳ ରୂପେ ସୂର୍ଯ୍ୟଠାରୁ ବିଚ୍ଛିନ୍ନ ହୋଇ ସୂର୍ଯ୍ୟର ଚତୁଃପାଶ୍ୱର୍ରେ ପ୍ରଖର ଗତିରେ ଘୁରୁଥିଲା ଏବଂ ଏହାର ବର୍ତ୍ତମାନର ସ୍ୱରୂପ ଆସିବା ପାଇଁ ପୃଥିବୀକୁ ବହୁ ଲକ୍ଷ ବର୍ଷ ଲାଗିଥିଲା ।

ପୃଥିବୀର ଉତ୍ପତ୍ତି କେବେ ହୋଇଥିଲା ତାହା ଏ ପର୍ଯ୍ୟନ୍ତ ସଠିକଭାବେ ସ୍ଥିର ହୋଇପାରି ନାହିଁ । କେତେକଙ୍କ ମତରେ ପୃଥିବୀ ଆଜକୁ ପ୍ରାୟ ୨୦୦୦,୦୦୦,୦୦୦ ବର୍ଷ ପୂର୍ବେ ଏବଂ ଅନ୍ୟ କେତେକଙ୍କ ମତରେ ଆଜକୁ ପ୍ରାୟ ଚାରିଶହ ପଚାଶ କୋଟି ବା ତାହାଠାରୁ ଅଧିକ ବର୍ଷ ପୂର୍ବେ ପୃଥିବୀ ସୂର୍ଯ୍ୟଠାରୁ ବିଚ୍ଛିନ୍ନ ହୋଇ ଏକ ଗୋଲାକାର ଜ୍ୱଳନ୍ତ ଗ୍ୟାସୀୟ ପଦାର୍ଥ ରୂପେ ସୂର୍ଯ୍ୟର ଚତୁଃପାଶ୍ୱର୍ରେ ଅତି ପ୍ରଖର ଗତିରେ ଘୂର୍ଣ୍ଣାୟମାନ ହେଉଥିଲା । ଧିରେ ଧିରେ ଏହାର ଗତି ମନ୍ଥର ହେବା ସଙ୍ଗେ ସଙ୍ଗେ ଏହା ଶୀତଳ ହେବାକୁ ଲାଗିଲା । ଏହାର ଉତ୍ତପ୍ତ ବାଷ୍ପମଣ୍ଡଳ ଶୀତଳ ହେବା ପରେ ପୃଥିବୀପୃଷ୍ଠରେ ବୃଷ୍ଟିପାତ, ବାୟୁପ୍ରବାହ, ହିମପ୍ରବାହ ଆରମ୍ଭ ହେଲା ତଥା ପୃଥିବୀର ଆଭ୍ୟନ୍ତରୀଣ ଉତ୍ତପ୍ତ ଗ୍ୟାସୀୟ ଓ ତରଳ ପଦାର୍ଥର ଦ୍ରୁତ ଗତିଶୀଳତା ହେତୁ ପୃଥିବୀପୃଷ୍ଠରେ ବିଭିନ୍ନ ସମୟରେ ଝରଣା, ନଦୀ, ହ୍ରଦ, ସାଗର, ମହାସାଗର, ସମତଳଭୂମି, ପାହାଡ଼, ପର୍ବତ, ଆଗ୍ନେୟଗିରି, ହିମଗିରି ଇତ୍ୟାଦି ଜଳଭାଗ ଓ ସ୍ଥଳଭାଗର ସୃଷ୍ଟିହେଲା । ପୃଥିବୀର ଭୂପୃଷ୍ଠର ଏହି ପରିବର୍ତ୍ତନ ଫଳରେ ପୃଥିବୀର ବିଭିନ୍ନ ସ୍ଥାନରେ ଓ ବିଭିନ୍ନ ସମୟରେ ଜଳବାୟୁ ମଧ୍ୟ ପରିବର୍ତ୍ତିତ ହେବାକୁ ଲାଗିଲା । ଜଳବାୟୁର ପରିବର୍ତ୍ତନ ପୃଥିବୀରେ ଜୀବଜଗତ ସୃଷ୍ଟି ପାଇଁ ସହାୟକ ହୋଇଥିଲା, ତଥା ଜୀବ ସୃଷ୍ଟିର ପ୍ରକ୍ରିୟାକୁ ମଧ୍ୟ ପ୍ରଭାବିତ କରିଥିଲା । ଏଣୁ ସାରାଂଶରେ ଏହା କୁହାଯାଇପାରେ ଯେ ପୃଥିବୀ ସୂର୍ଯ୍ୟଠାରୁ ବିଚ୍ଛିନ୍ନହେବା ପରଠାରୁ ପୃଥିବୀରେ ଜୀବ ସୃଷ୍ଟି ହେବା ପର୍ଯ୍ୟନ୍ତ ବହୁ ଲକ୍ଷ ବର୍ଷ ଅତିବାହିତ ହୋଇଯାଇଅଛି ।

ଜଳବାୟୁର ପରିବର୍ତ୍ତନ ଦ୍ୱାରା ପୃଥିବୀର ଜଳଭାଗ ଓ ସ୍ଥଳଭାଗରେ ପ୍ରଥମେ ଉଦ୍ଭିଦ ଓ ପରେ ଜଳଚର ପ୍ରାଣୀ ଜାତ ହେଲେ । ଏହାପରେ ଜଳ ଓ ସ୍ଥଳଚର (ଉଭୟଚର) ପ୍ରାଣୀ ଜାତ ହେଲେ । ଶେଷରେ ସ୍ଥଳଭାଗରେ ସ୍ତନ୍ୟପାୟୀ ପ୍ରାଣୀ ଓ ପକ୍ଷୀମାନେ ଜାତହେଲେ । କାଳକ୍ରମେ ଏହି ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ମଧ୍ୟରେ ବାନର ଜାତୀୟ ପ୍ରାଣୀ ଦେଖାଦେଲେ । ବାନର ଜାତୀୟ ପ୍ରାଣୀମାନଙ୍କର କ୍ରମବିକାଶ ଘଟି ପ୍ରଥମେ ମନୁଷ୍ୟକୃତ ବାନର ଜାତ ହେଲେ । ମନୁଷ୍ୟକୃତ ବାନରମାନଙ୍କର କ୍ରମବିକାଶ ଘଟି ବାନରାକୃତି ମନୁଷ୍ୟମାନଙ୍କର ସୃଷ୍ଟି ହୋଇଥିଲା । ବୈଜ୍ଞାନିକମାନେ ଏହି ବାନରାକୃତି ମନୁଷ୍ୟକୁ ଆଦିମାନବ  ବୋଲି ସ୍ଥିର କରିଛନ୍ତି । ବହୁକାଳ ପର୍ଯ୍ୟନ୍ତ ଏହି ଆଦିମାନବ ବା ବାନରାକୃତି ମାନବର କ୍ରମବିକାଶ ଘଟିବା ପରେ ନିୟନ୍ ଡର୍ଥାଲ ମନୁଷ୍ୟ ଜାତ ହେଲେ ଏବଂ ଶେଷରେ କ୍ରୋ-ମ୍ୟାନନ୍ ମନୁଷ୍ୟ ବା ପ୍ରକୃତ ମାନବର ସୃଷ୍ଟି ହୋଇଥିଲା ବୋଲି ବୈଜ୍ଞାନିକମାନେ ସ୍ଥିର କରିଛନ୍ତି ।

ବୈଜ୍ଞାନିକମାନଙ୍କ ମତ ଅନୁସାରେ ଆଜିଠାରୁ ପ୍ରାୟ ପାଞ୍ଚଲକ୍ଷ ବା ତାହାଠାରୁ ଅଧିକ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରେ ଆଦିମାନବ (ବାନରାକୃତି ମନୁଷ୍ୟ)ର ସୃଷ୍ଟି ହୋଇଥିଲା ଏବଂ ଆଜିଠାରୁ ପ୍ରାୟ ୫୦ହଜାର ବର୍ଷ ବା ତାହାଠାରୁ ଅଧିକ ବର୍ଷ ପୂର୍ବରୁ ପ୍ରକୃତ ମାନବର ସୃଷ୍ଟି ହୋଇଥିଲା । ଏଣୁ ପୃଥିବୀ ସୂର୍ଯ୍ୟଠାରୁ ବିଚ୍ଛିନ୍ନ ହେବା ପରଠାରୁ ପୃଥିବୀରେ ପ୍ରକୃତ ମାନବ ସୃଷ୍ଟି ହେବା ପର୍ଯ୍ୟନ୍ତ କୋଟି କୋଟି ବର୍ଷ ବିତିଯାଇଛି ବୋଲି ବୈଜ୍ଞାନିକମାନଙ୍କର ମତ ।

ପୃଥିବୀର ବାୟୁମଣ୍ଡଳ ଓ ଜଳ-ସ୍ଥଳ ଭାଗର କ୍ରମ ପରିବର୍ତ୍ତନ ଏବଂ ସେହି କ୍ରମ ପରିବର୍ତ୍ତନର ଫଳସ୍ୱରୂପ ପୃଥିବୀରେ ସୃଷ୍ଟି ହୋଇଥିବା ବିଭିନ୍ନ ଜୀବମାନଙ୍କର କ୍ରମବିକାଶକୁ ‘ବିବର୍ତ୍ତନ’ ବୋଲି କୁହାଯାଏ । ଏହି ଦୃଷ୍ଟିରୁ ପୃଥିବୀରେ ଜୀବସୃଷ୍ଟି ସମ୍ପର୍କିତ ଉପରୋକ୍ତ ମତବାଦକୁ ‘ବିବର୍ତ୍ତନବାଦ’ ବୋଲି କୁହାଯାଏ । ଏହି ‘ବିବର୍ତ୍ତନବାଦ’ର ପ୍ରବର୍ତ୍ତକ ହେଉଛନ୍ତି ମହାନ ବୈଜ୍ଞାନିକ ଚାର୍ଲସ ରବର୍ଟ ଡାରୟିନ୍ ।

ଜୀବର କ୍ରମବିକାଶ କ୍ଷେତ୍ରରେ ‘ବିବର୍ତ୍ତନବାଦ’ ଯେପରି ଗୃହିତ, ସେହିପରି ସଙ୍ଗୀତର କ୍ରମବିକାଶ କ୍ଷେତ୍ରରେ ‘ବିବର୍ତ୍ତନବାଦ’ ମଧ୍ୟ ଗୃହିତ । କାରଣ ମାନବ ସୃଷ୍ଟିର ବହୁକାଳ ପୂର୍ବରୁ ସଙ୍ଗୀତର ଉତ୍ପତ୍ତି ଘଟିଛି । ଏପରିକି ଏହି ନିଖିଳ ବିଶ୍ୱ ଓ ସଙ୍ଗୀତର ଉତ୍ପତ୍ତି ଏକ ସମୟରେ ହୋଇଛି ବୋଲି ଜ୍ଞାନୀମାନେ ବିଚାର କରିଛନ୍ତି । ମାନବ ସୃଷ୍ଟିର ପୂର୍ବରୁ ଯେଉଁ ସଙ୍ଗୀତ ଉତ୍ପତ୍ତି ଲାଭ କରିଛି ତାହାକୁ ପ୍ରାକୃତିକ ସଙ୍ଗୀତ ତଥା ମହାଜାଗତିକ ସଙ୍ଗୀତ ବୋଲି କୁହାଯାଏ । ଅନ୍ଧକାର ଯୁଗର ମୁକ ମାନବ ପ୍ରଥମେ ପ୍ରାକୃତିକ ସଙ୍ଗୀତରୁ ଆନନ୍ଦ ଓ ପ୍ରେରଣା ଲାଭକରି କାଳକ୍ରମେ ସଙ୍ଗୀତକୁ ଶିକ୍ଷା କରିବାକୁ ଲାଗିଲା । ପରେ ମାନବ ତା’ର କଳାତ୍ମକ ବୁଦ୍ଧିକୁ ପ୍ରୟୋଗ କରି ସଙ୍ଗୀତକୁ ଅଧିକରୁ ଅଧିକ ସମୃଦ୍ଧ କରିବାକୁ ଲାଗିଲା, ଯାହାର ଫଳସ୍ୱରୂପ ସଙ୍ଗୀତ ଭିନ୍ନ ଭିନ୍ନ ଯୁଗରେ ଭିନ୍ନ ଭିନ୍ନ ରୂପ ଧାରଣ କଲା ଏବଂ ସେଥିସହିତ ଅଧିକରୁ ଅଧିକ ବିକଶିତ ହେବାକୁ ଲାଗିଲା ।

ସଭ୍ୟତାର ପ୍ରାରମ୍ଭରୁ ସଙ୍ଗୀତ, ମାନବ ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ ରୂପେ ରହିଆସିଛି । ଏହି କାରଣରୁ ମାନବ ସଭ୍ୟତାର କ୍ରମବିକାଶ ସହିତ ସମତା ରକ୍ଷାକରି ସଙ୍ଗୀତ ତା’ର କ୍ରମବିକାଶ ପଥରେ ଆଜିପର୍ଯ୍ୟନ୍ତ ଆଗେଇ ଆସି ବର୍ତ୍ତମାନ ସ୍ୱରୂପକୁ ବହନ କରିଛି । ପୃଥିବୀର କୌଣସି ଦେଶର ସଙ୍ଗୀତ ଏହି ନିୟମରୁ ବହିର୍ଭୁତ ନୁହେଁ । ଏଣୁ ଭାରତୀୟ ସଙ୍ଗୀତ ମଧ୍ୟ ଏହି ନିୟମରୁ ବହିର୍ଭୁତ ହୋଇନାହିଁ ।

ଭାରତୀୟ ସଙ୍ଗୀତର ଇତିହାସକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ଭିନ୍ନ ଭିନ୍ନ ଯୁଗରେ ଭାରତୀୟ ସଭ୍ୟତା ଓ ସଂସ୍କୃତିରେ ଯେପରି ପରିବର୍ତ୍ତନ ଘଟିଛି, ଠିକ୍ ସେହିପରି ଭିନ୍ନ ଭିନ୍ନ ଯୁଗରେ ଭାରତୀୟ ସଙ୍ଗୀତର ମଧ୍ୟ ପରିବର୍ତ୍ତନ ଘଟିଛି । ଭାରତୀୟ ସଙ୍ଗୀତର ଏହି କ୍ରମ ପରିବର୍ତ୍ତନକୁ ଗଭୀର ଭାବେ ଅନୁଧ୍ୟାନ କଲେ ଜଣାଯାଏ ଯେ ଭାରତୀୟ ସଙ୍ଗୀତର ଆଧୁନିକ ଯୁଗର ସମୟସୀମା ଓ ସଙ୍ଗୀତ- ପରିବର୍ତ୍ତନର ଗତି ଅତି ଆଧୁନିକ ଯୁଗର ସମୟସୀମା ଠାରୁ ଅପେକ୍ଷାକୃତ ବୃହତ ଏବଂ ସଙ୍ଗୀତ – ପରିବର୍ତ୍ତନର ଗତିଠାରୁ ଅପେକ୍ଷାକୃତ ମନ୍ଥର ତଥା ମଧ୍ୟଯୁଗର ସମୟସୀମା ଓ ସଙ୍ଗୀତ ପରିବର୍ତ୍ତନର ଗତି ଆଧୁନିକ ଯୁଗର ସମୟସୀମା ଠାରୁ ଅଧିକ ବୃହତ ଏବଂ ସଙ୍ଗୀତ ପରିବର୍ତ୍ତନ ଗତିଠାରୁ ଅଧିକ ମନ୍ଥର, ଏହିପରି ଭାରତୀୟ ସଙ୍ଗୀତର ଯେତେ ଯେତେ ପୁରାତନ କାଳକୁ ଆମେ ଅନୁଧ୍ୟାନ କରିବା ଆମେ ଜାଣିପାରିବା ଯେ ସେହି ସେହି ପୁରାତନ କାଳର ସଙ୍ଗୀତ ସମୟ-ସୀମା ଅଧିକରୁ ଅଧିକ ବୃହତ ଏବଂ ସଙ୍ଗୀତ ପରିବର୍ତ୍ତନର ଗତି ଅଧିକରୁ ଅଧିକ ମନ୍ଥର ।

ଉପରୋକ୍ତ ସମସ୍ତ ବିଷୟରୁ ଏହା ବୁଝାଯାଏ ଯେ, ଭାରତୀୟ ସଭ୍ୟତା ଓ ସଂସ୍କୃତି ଯେପରି ଭିନ୍ନ ଭିନ୍ନ ଯୁଗରେ ପରିବର୍ତ୍ତିତ ହୋଇଛି, ସେହିପରି ଭାରତୀୟ ସଙ୍ଗୀତ ମଧ୍ୟ ଭିନ୍ନ ଭିନ୍ନ ଯୁଗରେ ପରିବର୍ତ୍ତିତ ହୋଇ ବର୍ତ୍ତମାନର ସ୍ୱରୂପକୁ ବହନ କରିଛି । ଅତି ପୁରାତନ ଯୁଗଠାରୁ ଅତି ଆଧୁନିକ ଯୁଗ ମଧ୍ୟରେ ଭାରତୀୟ ସଙ୍ଗୀତ ଯେଉଁ ପ୍ରକାରର କ୍ରମ ପରିବର୍ତ୍ତନ ବା କ୍ରମବିକାଶ ଘଟିଛି ତାହାକୁ ଭାରତୀୟ ସଙ୍ଗୀତର ‘ବିବର୍ତ୍ତନ’ ବୋଲି ବୁଝାଯାଏ ।

ଭାରତୀୟ ସଙ୍ଗୀତ ଇତିହାସକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ଏହା ଭାରତୀୟ ସଭ୍ୟତା ଓ ସଂସ୍କୃତିର ପରିବର୍ତ୍ତନ ସହିତ ସମତା ରକ୍ଷାକରି ଭିନ୍ନ ଭିନ୍ନ ଯୁଗରେ ଭିନ୍ନ ଭିନ୍ନ ରୂପକୁ ବିବର୍ତ୍ତିତ ହୋଇଛି । ଭାରତୀୟ ସଭ୍ୟତା ଓ ସାଂସ୍କୃତିକ ଇତିହାସର ସମଗ୍ର ସମୟସୀମା ଯେଉଁ ଛ’ଅ ଭାଗରେ ବିଭକ୍ତ, ଠିକ୍ ସେହିପରି ଭାରତୀୟ ସଙ୍ଗୀତ ଇତିହାସର ସମଗ୍ର ସମୟ-ସୀମା ସେହି ଛ’ଅ ଭାଗରେ ବିଭକ୍ତ ଏବଂ ସେହି ସେହି ସମୟସୀମା ମଧ୍ୟରେ ପର୍ଯ୍ୟବେଷିତ । ଏଥିସହିତ ଅନୁଧ୍ୟାନ କଲେ ଏହା ମଧ୍ୟ ଜଣାଯିବ ଯେ ଭାରତୀୟ ସଭ୍ୟତାର ଯେପରି ପ୍ରତ୍ୟେକଟି ଯୁଗ ମଧ୍ୟରେ କ୍ରମ ପରିବର୍ତ୍ତନ ବା କ୍ରମବିକାଶ ଘଟିଛି, ଭାରତୀୟ ସଙ୍ଗୀତର ମଧ୍ୟ ପ୍ରତ୍ୟେକଟି ଯୁଗରେ କ୍ରମବିକାଶ ଘଟିଛି । ଭାରତୀୟ ସଙ୍ଗୀତର ଏହି କ୍ରମବିକାଶକୁ ଭାରତୀୟ ସଙ୍ଗୀତର ‘ବିବର୍ତ୍ତନ’ ବୋଲି ମଧ୍ୟ କୁହାଯାଇଥାଏ ।

ଭାରତୀୟ ସଙ୍ଗୀତର ଇତିହାସ ଜାଣିବାକୁ ହେଲେ କେଉଁ କେଉଁ ସମୟରେ କେଉଁ କେଉଁ ପରିସ୍ଥିତିରେ ତଥା କିପରି ଭାବରେ ଭାରତୀୟ ସଙ୍ଗୀତର ପରିବର୍ତ୍ତନ ଘଟି କ୍ରମବିକାଶ ହୋଇଛି, ତାହା ଜାଣିବା ଅତ୍ୟନ୍ତ ପ୍ରୟୋଜନୀୟ ହୋଇଥାଏ । ଏଣୁ ‘ବିବର୍ତ୍ତନ-ବାଦ’ କ’ଣ ଏବଂ ଭାରତୀୟ ସଙ୍ଗୀତର ଇତିହାସ କ୍ଷେତ୍ରରେ ଏହି ମତବାଦର କିପରି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ସେ ସମ୍ପର୍କରେ ସଙ୍ଗୀତ ବିଦ୍ୟାର୍ଥୀ ଏବଂ ସଙ୍ଗୀତାନୁରାଗୀମାନଙ୍କର ସାଧାରଣ ଧାରଣା ରହିବା ଏକାନ୍ତ ପ୍ରୟୋଜନ ।

‘ବିବର୍ତ୍ତନ-ବାଦ’ ଏହି ଯୁଗ୍ମଶବ୍ଦର ଉଚ୍ଚାରଣ ମାତ୍ରେ ଏହି ମତବାଦର ପ୍ରବର୍ତ୍ତକ ସେହି ମହାନ ବୈଜ୍ଞାନିକ ଚାର୍ଲସ୍ ରବର୍ଟ ଡାରୟିନ୍ଙ୍କୁ ଆମେ ସ୍ୱତଃ ଭକ୍ତି ଓ ଶ୍ରଦ୍ଧାର ସହିତ ସ୍ମରଣ କରିଥାଉ । ଜୀବର ସୃଷ୍ଟି ଓ ଇତିହାସ କ୍ଷେତ୍ରରେ ଡାରୟିନଙ୍କର ସିଦ୍ଧାନ୍ତ ଏକ ଅମ୍ଳାନ କୀର୍ତ୍ତି ହୋଇଥିବାରୁ ସମଗ୍ର ବିଶ୍ୱରେ ସେହି ମହାନ ବୈଜ୍ଞାନିକ ବନ୍ଦନୀୟ ଓ ସ୍ମରଣୀୟ ହୋଇ ରହିଛନ୍ତି ।

“ସଭ୍ୟତା ଓ ସଂସ୍କୃତି ପରିବର୍ତ୍ତନଶୀଳ । ଏହା ଚିରକାଳ ପାଇଁ ଅପରିବର୍ତ୍ତିତ ହୋଇ ସ୍ଥାଣୁ ରୂପେ ରହି ନପାରେ । ଜ୍ଞାନର ଅଭିବୃଦ୍ଧି ତଥା ଲୋକରୁଚିର ପରିବର୍ତ୍ତନ ସହିତ ସମତା ରକ୍ଷା କରି ସଭ୍ୟତା ଓ ସଂସ୍କୃତି ପରିବର୍ତ୍ତିତ ହୋଇଥାଏ । ମାନବ ସୃଷ୍ଟିର ବହୁକାଳ ପୂର୍ବରୁ ସଙ୍ଗୀତର ଉତ୍ପତ୍ତି ଘଟିଛି । ଏପରିକି ଏହି ନିଖିଳ ବିଶ୍ୱ ଓ ସଙ୍ଗୀତର ଉତ୍ପତ୍ତି ଏକ ସମୟରେ ହୋଇଛି ବୋଲି ଜ୍ଞାନୀମାନେ ବିଚାର କରିଛନ୍ତି ।”  ପଦ୍ମକେଶରୀ ପଣ୍ଡିତ ଡଃ ଦାମୋଦର ହୋତାଙ୍କ ଲିଖିତ ‘ଭାରତୀୟ ସଙ୍ଗୀତର ଇତିହାସ’ ପୁସ୍ତକଟିରେ ସଙ୍ଗୀତର ବିବର୍ତ୍ତନ ସମ୍ପର୍କରେ ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇଛି । ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ସଙ୍ଗୀତ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଏହିସବୁ ବିଷୟରେ ଜଣାଇବା ଲକ୍ଷ୍ୟରେ ଏହି ଉପସ୍ଥାପନା ଯାହା  ଗତ କିଛି  ସଂଖ୍ୟାରେ ପ୍ରକାଶ ହୋଇ ବନ୍ଦ ହୋଇଯାଇଥିଲା ଏବେ ପୁନଃ ପ୍ରକାଶ କରାଯାଇଛି ।        -ସମ୍ପାଦକ

Photo credit- Internet

About ଡ଼ଃ ଦାମୋଦର ହୋତା

ଡ଼ଃ ଦାମୋଦର ହୋତା
ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ମହାନଗୁରୁ(ଓଡ଼ିଶା), ସ୍ୱରରଙ୍ଗର ପ୍ରତିଷ୍ଠାତା ତଥା ପୂର୍ବତନ ଅଧ୍ୟକ୍ଷ୍ୟ, ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟ, ଭୁବନେଶ୍ୱର)

Check Also

ରାଜା କେବେ ଭୂଲ କରନ୍ତି ନାହିଁ (ଜୀବନ୍ତ ସଂସ୍ମୃତି)

୧୯୪୬-୪୭ ମସିହା ହବ । ମୋତେ ୧୨-୧୩ ବର୍ଷ । ନିଆଳି ମାଇନର ସ୍କୁଲରେ ପଢ଼ୁଥାଏ । ଆମ ଗାଁ …

Leave a Reply

Your email address will not be published. Required fields are marked *