Home / ନାଟକ / ପାଠପଢ଼ାରେ ନାଟକର ପ୍ରୟୋଗ

ପାଠପଢ଼ାରେ ନାଟକର ପ୍ରୟୋଗ

ଜାତୀୟ ପାଠ୍ୟକ୍ରମ ଖସଡ଼ା – ୨୦୦୫ରେ ପାଠପଢ଼ାକୁ ଉପଯୋଗୀ ଓ ଆମୋଦଦାୟୀ କରିବା ସକାଶେ ନାଟକର ପ୍ରୟୋଗ ଉପରେ ଖୁବ୍ ମହତ୍ତ୍ୱ ଦିଆଯାଇଛି । ଏ ନେଇ ଖସଡ଼ାର ପୃ.୫୪ରେ ଉଲ୍ଲେଖ ଅଛି :

Theatre is one of the most powerful, yet least utilized art forms in education. In the exploration of self in relation to others, the development of the self, and of critical empathy, not only for humans but also towards the natural, physical and social worlds, theatre is a medium par excellence. Dramatizing texts is only one small part of theatre. Much more significant experiences are possible through role play, theatre exercises, body and voice control and movement, and group and spontaneous enactments. Such experiences are important not only for teachers in their own development, but also for teachers to provide to children.

ଉପରୋକ୍ତ ଉଦ୍ଧୃତିକୁ ଯଦି ବୁଝିବାକୁ ଚାହିଁବା ତା’ର ସାରାଂଶ ହେବ : ଥିଏଟର ବା ନାଟକ ଶିକ୍ଷା ତାଲିମ ଓ ଶିକ୍ଷାଦାନ ନିମନ୍ତେ ଏକ ଅତି ଶକ୍ତିଶାଳୀ ମାଧ୍ୟମ । ମାତ୍ର ବିଭିନ୍ନ କାରଣରୁ ଆମ ବିଦ୍ୟାଳୟମାନଙ୍କରେ ଏହାର ଆଶାନୁରୂପ ଉପଯୋଗ ହୋଇନଥାଏ । ବ୍ୟକ୍ତିର ଅନ୍ତଃଶକ୍ତିକୁ ଆବିଷ୍କାର କରିବା ସକାଶେ ତଥା ଅନ୍ୟକୁ ବୁଝିପାରିବା ସକାଶେ ନାଟକ ଖୁବ୍ ସହାୟକ ହୋଇଥାଏ । ଏହା କେବଳ ନିଜଠାରୁ ଭିନ୍ନ ବ୍ୟକ୍ତି ବା ବିଚାର ପ୍ରତି ସହମର୍ମିତା ରଖିବାରେ ସାହାଯ୍ୟ କରେ ନାହିଁ, ତା’ ସାଙ୍ଗରେ ମାନବେତର ବା ଅନ୍ୟ ପ୍ରାଣୀ ସମାଜ ଓ ପ୍ରାକୃତିକ ସମାଜ ପ୍ରତି ସହମର୍ମିତା ରଖିବାରେ ମଧ୍ୟ ଉପଯୋଗୀ ସିଦ୍ଧ ହୁଏ ।

ଥିଏଟର ବା ନାଟକ କେବଳ ମଞ୍ଚାଭିନୟ ନୁହେଁ, ବରଂ ମଞ୍ଚାଭିନୟ ହେଉଛି ଥିଏଟରର ଏକ ସାମାନ୍ୟ ଅଂଶ ମାତ୍ର । ଅନ୍ୟ ଚରିତ୍ରରେ ଅଭିନୟ କରୁଥିବା ବ୍ୟକ୍ତି ଅଭିନୟ ସମୟତକ ଏବଂ ତଦ୍ପରେ ମଧ୍ୟ ଉକ୍ତ ଚରିତ୍ରରେ ନିଜକୁ ରୂପାନ୍ତରିତ କରିଦିଏ ଯାହା ତାକୁ ସମ୍ବେଦନଶୀଳ ହେବାରେ ସାହାଯ୍ୟ କରେ ।

ଥିଏଟରରେ ବ୍ୟାୟାମ କରିବାକୁ ପଡ଼େ; ସ୍ୱର ଏବଂ ଶରୀରକୁ ନିୟନ୍ତ୍ରଣ କରିବାକୁ ପଡ଼େ ତଥା ଏକ ସମୂହ ସାଙ୍ଗରେ ପାରମ୍ପାରିକତା ଆଧାରରେ ମିଳିମିଶି କାମ କରିବାକୁ ପଡ଼େ । ସେହି ମର୍ମରେ ଦେଖିଲେ, ନାଟ୍ୟକଳା ଶିକ୍ଷକର ଶିକ୍ଷକତାକୁ ପରିମାର୍ଜିତ ଓ ରୁଚିପୂର୍ଣ୍ଣ ତଥା ଆମୋଦଦାୟୀ କରିବାରେ ଖୁବ୍ ସହାୟକ ହୁଏ । ଏହା ସହିତ ନାଟ୍ୟକଳାର ସ୍ୱାଦ ଚାଖିଥିବା ଶିକ୍ଷକ ପିଲାର ପାଠପଢ଼ା ପ୍ରକ୍ରିୟାକୁ ସର୍ବଦା ଅଭିନବଶୈଳୀ ମାଧ୍ୟମରେ ପରିମାର୍ଜିତ, ଉପାଦେୟ, ଉପଯୋଗୀ ଏବଂ ସରସସୁନ୍ଦର କରିପାରେ ।

ଶିକ୍ଷକତା ଓ ନାଟ୍ୟକଳା ମଧ୍ୟରେ ପାର୍ଥକ୍ୟ ଯେ ନାହିଁ, ସେକଥା ନୁହେଁ । ମାତ୍ର ଉଭୟଟି ମଧ୍ୟରେ ଯେତେ ମାତ୍ରାରେ ସାମଞ୍ଜସ୍ୟ ରହିଛି, ତାକୁ ନିରୀକ୍ଷଣ କଲେ ମନେହେବ ଅଜାଣତରେ ହେଉ ପଛେ, ପ୍ରତ୍ୟେକ ସଫଳ ଶିକ୍ଷକ ଜଣେ ଜଣେ ଅଭିନେତା ବା ମଞ୍ଚଶିଳ୍ପୀ ଏବଂ ପ୍ରତ୍ୟେକ ମଞ୍ଚଶିଳ୍ପୀ ଜଣେ ଜଣେ କୃତିଶିକ୍ଷକ । ଉଦାହରଣସ୍ୱରୂପ, ଯେମିତି ଅଭିନେତା ପାଖରେ ଏକ ଗ୍ଦମକ୍ସସକ୍ଟ୍ରଗ୍ଧ ଥାଏ ସେମିତି ଶିକ୍ଷକ ପାଖରେ ଏକ ପାଠ୍ୟ ଯୋଜନା ଥାଏ, ଯାହା ତାକୁ ଏକ ନିର୍ଦ୍ଦିଷ୍ଟ ଦିଗରେ ଏବଂ ଏକ ନିର୍ଦ୍ଦିଷ୍ଟ ସମୟାବଧି ମଧ୍ୟରେ ଅଭିନୟ ବା ଶିକ୍ଷକତା କରିବା ଲାଗି ଆଲୋକବର୍ତ୍ତିକା ତୁଲ୍ୟ ହୁଏ । ବିନା ପାଠ୍ୟ ଯୋଜନାରେ ଶିକ୍ଷକ ଶ୍ରେଣୀଗୃହରେ ପ୍ରବେଶ କରିବା ନିରର୍ଥକ ଏବଂ ଅସମ୍ଭବ ମନେ କରେ, ଠିକ୍ ସେହିଭଳି ସ୍ଥିତି ମଞ୍ଚଶିଳ୍ପୀର ।

ଅଭିନୟ ଆରମ୍ଭରୁ ଶେଷ ଯାଏଁ ପ୍ରତ୍ୟେକଟି ମିନିଟର କାର୍ଯ୍ୟକୁ ସେ ଯୋଜନା କରିଥାଏ; ଯେଉଁ ମଞ୍ଚ କଳାକାର, ନିର୍ଦ୍ଦେଶକ ଏବଂ ସେମାନଙ୍କ ସହଯୋଗୀଗଣ ଯୋଜନାରେ ଅଧିକ ନିପୂଣ ଏବଂ ଯୋଜନାକୁ ପୂର୍ଣ୍ଣତଃ କାର୍ଯ୍ୟକାରୀ କରନ୍ତି, ସେହି କଳାକାର ସେତେ ଅଧିକ ସଫଳକାମ ହୁଅନ୍ତି । ସାଙ୍ଗରେ ଏକଥା ବି ସତ ଯେ, ପ୍ରତ୍ୟେକ ଶିକ୍ଷକଠାରେ ପାଠ୍ୟ ଯୋଜନା ରହିବା ଯେତେ ଜରୁରୀ, ଯୋଜନାକୁ ସ୍ୱାଭାବିକ ଓ ସହଜ କରିବା ଲାଗି ତହିଁରେ ନମନୀୟତା ରହିବା ବି ସେତେ ଜରୁରୀ।

ଅର୍ଥାତ ଯୋଜନା ତିଆରିବା ଏବଂ ଆବଶ୍ୟକ ପଡ଼ିଲେ ଯୋଜନାରୁ ଆଗକୁ ଯାଇ ସ୍ପୋନ୍ଟାନିୟସ୍ ହେବା ପ୍ରତ୍ୟେକ ଶିକ୍ଷକର ଧର୍ମ । ଅନ୍ୟଥା ତାଙ୍କ ଶିକ୍ଷକତା ସ୍ଥାଣୁ ହୋଇଯାଏ । ସେହିଭଳି କଳାକାର ମଧ୍ୟ ସମୟ ପଡ଼ିଲେ ତା’ର ଅଭିନୟ ଓ dialogue କୁ ମଞ୍ଚନବେଳେ ହିଁ ନୂତନତ୍ୱ ଦିଏ । ସେହି କାରଣରୁ ଗୋଟିଏ ଭୂମିକାରେ ଏକାଧିକଥର ଅଭିନୟ କଲେ ବି ତା’ର ଅଭିନୟ ପୁରୁଣା ହୁଏନା । ସେତେବେଳେ ସେ ନିଜେ ନିଜର ଗୁରୁ ଓ ନିର୍ଦ୍ଦେଶକ । ମେସିନ ଭଳି ଗୋଟିଏ ଜିନିଷକୁ ସେହି ଏକା ଢଙ୍ଗରେ ପେଶ୍ କରିବା କଦାପି ନା ସଫଳ ଅଭିନୟ ହେବ ନା ସଫଳ ଶିକ୍ଷକତା ପଦବାଚ୍ୟ ହେବ । ଶିକ୍ଷକ ପାଇଁ ଯେମିତି ଶିକ୍ଷାର୍ଥୀଗଣ କଳାକାର ପାଇଁ ସେମିତି ଦର୍ଶକମଣ୍ଡଳୀ । ଏହି ସ୍ଥିତିରେ ଶିକ୍ଷକ ପାଇଁ ଶ୍ରେଣୀଗୃହ ହୁଏ ମଞ୍ଚ ।

ନିରନ୍ତର ଛାତ୍ର ସମାଜ ସହ ସେ ଅଭିନୟ ମାଧ୍ୟମରେ ବାର୍ତ୍ତାଳାପ କରୁଥାଏ । ଏମିତିରେ ଦେଖିଲେ ଦର୍ଶକସମାଜ ଭଳି ଶ୍ରେଣୀଗୃହର ଛାତ୍ରଛାତ୍ରୀମାନେ ନିରବତା ରକ୍ଷା କରନ୍ତି ନାହିଁ, ଅବୁଝା ରହିଯାଉଥିବା ପାଠ୍ୟକୁ ଜାଣିବା ପାଇଁ ପଢ଼ା ମଝିରେ ପ୍ରଶ୍ନ ପଚାରନ୍ତି । ଯେଉଁ ଶିକ୍ଷକ ଯେତେ ଅଧିକ ପ୍ରଶ୍ନକୁ ପ୍ରୋତ୍ସାହନ ଦିଅନ୍ତି, ସେ ସେତେ ଅଧିକ ସଫଳ ଶିକ୍ଷକ । ପ୍ରଶ୍ନ ଅନୁତ୍ତରିତ ରହୁ ପଛେ, କେବଳ ତାହା ଅବଦମିତ ହେବା କଥା ନୁହେଁ । କଳାକାର ମଧ୍ୟ ଦର୍ଶକମଣ୍ଡଳୀ ସହ ବାର୍ତ୍ତାଳାପ ନକଲେ ସୁଦ୍ଧା ନିରନ୍ତର ଯୋଗସୂତ୍ର ରକ୍ଷା କରିଥାଏ । ଯେଉଁ ବିଷୟଟିକୁ ନେଇ ସେ ନାଟକ କରୁଥାଏ, ତତ୍ ସମ୍ପର୍କୀୟ ନାନାଦି ପ୍ରଶ୍ନ ଦର୍ଶକମଣ୍ଡଳୀ ମନରେ ଉଙ୍କି ମାରୁଥାଏ । ଯଦି ନାଟକ ମାଧ୍ୟମରେ ବା ଅଭିନେତାର ଅଭିନୟ ମାଧ୍ୟମରେ ସେସବୁ ପ୍ରଶ୍ନର ଉତ୍ତର ମିଳେନାହିଁ, ନାଟକ ଅସଫଳ, ଅଭିନୟକାରୀ ବିଫଳ ବୋଲି ଧାରଣା ଜନ୍ମେ । ଅର୍ଥାତ ଶିକ୍ଷକ ଭଳି ଅଭିନେତା ମଧ୍ୟ ବିଷୟଟିକୁ ପ୍ରାଞ୍ଜଳ ଭାବରେ ବ୍ୟାଖ୍ୟାକରେ।

ମୋଟ କଥା ହେଲା ଯେ ଜଣେ ଶିକ୍ଷକ ଯଦି ନାଟକ ଓ ଅଭିନୟ କଳା ସହିତ ପରିଚିତ, ସେ ଶିକ୍ଷକତାକୁ ଅଧିକ ଭଲ ପାଇପାରିବେ ତଥା ତାଙ୍କ ଶିକ୍ଷକତା ସମାଜ ପାଇଁ ଅଧିକ ଉପଯୋଗୀ ସିଦ୍ଧ ହେବ। ଏହି କାରଣରୁ ଆମେ ଶିକ୍ଷକତା ଓ ନାଟ୍ୟ ଅଭିନୟ ମଧ୍ୟରେ ସାମଞ୍ଜସ୍ୟ ଦେଖନ୍ତି। ଏହାର ଅର୍ଥ ନୁହେଁ ଯେ ଦୁହିଙ୍କ ମଧ୍ୟରେ ପାର୍ଥକ୍ୟ ନାହିଁ । ଯଦି ପାର୍ଥକ୍ୟ ନଥାନ୍ତା, ଆମେ ଉଭୟଙ୍କ ପାଇଁ ଦୁଇଟି ଭିନ୍ନ ନାଁର ଆବଶ୍ୟକତା ଅନୁଭବ କରୁ ନଥାନ୍ତେ।

ପାଠପଢ଼ାରେ ନାଟକର ପ୍ରୟୋଗ ଖୁବ୍ ମହତ୍ୱପୂର୍ଣ୍ଣ ଉପଲବ୍ଧି ଦିଏ ବୋଲି ଆମର ବିଶ୍ୱାସ। ଏହି କାରଣରୁ ଆମେ ଶିକ୍ଷକ ତାଲିମ କେନ୍ଦ୍ରରେ ଏହାର ଉପଯୋଗ ହେବା କଥା ବୋଲି ମନେକରୁ ଏବଂ ସେ ଦିଗରେ କିଛି ପ୍ରୟାସ ମଧ୍ୟ କରିଛୁ । ତା’ର ଅବତାରଣା ହେଲେ ଶିକ୍ଷକତା ପାଇଁ ଥିଏଟରର ପ୍ରୟୋଗ କଥାକୁ ବୁଝିହେବ।

ଥିଏଟର ସହ ଶିକ୍ଷକତାର ସମ୍ବନ୍ଧକୁ ଅନୁଭବ କରି ଆମେ ରିଜିଓନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ, ଭୁବନେଶ୍ୱରରେ ବିଗତ ଦିନରେ ପାଞ୍ଚଥର ‘ଥିଏଟର ୱାର୍କସପ୍’ର ଆୟୋଜନ କରିଛୁ । ଅନୁଷ୍ଠାନର ବିଦ୍ୟାର୍ଥୀମାନେ ମୋଟ ୨୦ଦିନ ଏବଂ ପ୍ରତିଦିନ ଚାରିଘଣ୍ଟା ଧରି ଚାଲୁଥିବା ଏହି ୱାର୍କସପ୍ ବା କର୍ମଶାଳାରେ ଭାଗ ନିଅନ୍ତି । ସେମାନଙ୍କୁ ତାଲିମ ଦିଅନ୍ତି ଅଭିନୟ କଳାରେ ନିପୁଣ ବ୍ୟକ୍ତିମାନେ । ଗତ ୨୦୧୪ ଏବଂ ୨୦୧୫ରେ ଭୁବନେଶ୍ୱରର ‘ନାଟ୍ୟଚେତନା’ ଅନୁଷ୍ଠାନର ଶ୍ରୀଯୁକ୍ତ ସୁବୋଧ ପଟ୍ଟନାୟକ ଏବଂ ସୁଜାତା ପ୍ରିୟମ୍ବଦା, ଆମ କର୍ମଶାଳାରେ ତାଲିମ ଦେବା ପାଇଁ ଆସିଛନ୍ତି । ଯେହେତୁ ଶନିବାର ଓ ରବିବାର ପିଲାଙ୍କ କ୍ଲାସ ହୁଏ ନାହିଁ, ସେହି ଦୁଇଦିନ ଓ ମଝିରେ ପଡ଼ୁଥିବା ଛୁଟିଦିନରେ କର୍ମଶାଳା ସକାଳ ୯ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଅନୁଷ୍ଠିତ ହୁଏ । ଛୁଟିଦିନ କର୍ମଶାଳା ଅନୁଷ୍ଠିତ ହେଉଥିବାରୁ ପିଲାଙ୍କ ପାଠପଢ଼ା ଆଗରେ ଏହା ଅଧିକ ହୁଏନାହିଁ । ଏହାରି ମାଧ୍ୟମରେ ଆମେ ଦର୍ଶାଇବାକୁ ଚାହୁଁ ଯେ ପାଠପଢ଼ା ଓ ନାଟକ ଶିକ୍ଷା ପରସ୍ପରର ଅନୁପୂରକ ଏବଂ ପରସ୍ପର ପାଇଁ କଦାପି ପ୍ରତିବନ୍ଧକ ନୁହଁନ୍ତି ।

ସାଧାରଣତଃ ଆମେ ଦେଖନ୍ତି ଯେ ପରିବାରରେ ଏବଂ ସ୍କୁଲରେ ଗୀତ, ନାଚ, ନାଟକ ବା ଖେଳ ଆଦିକୁ ପାଠପଢ଼ାରେ ବାଧକ ମନେ କରାଯାଏ । ସେହି କାରଣରୁ ପିଲାର ସେ ଦିଗରେ ଆଗ୍ରହକୁ ଅଭିଭାବକ ଓ ଶିକ୍ଷକମାନେ ଅବଦମିତ କରିଦିଅନ୍ତି । ମାତ୍ର ବାସ୍ତବିକତା ହେଲା ଯେ ବିଷୟଜ୍ଞାନ ନିମନ୍ତେ ଏହି ଧରଣର ବିଷୟତର ଆଗ୍ରହର ଯଥେଷ୍ଟ ମହତ୍ତ୍ୱ ରହିଥାଏ । ପାଠକୁ ବୁଝିବା ଲାଗି ଏହା ସାହାଯ୍ୟ କରେ । ପୁଣି, ପାଠର ଚାପକୁ ତୁଲେଇନେବା ଲାଗି ମଧ୍ୟ, ଖେଳକୁଦ ତଥା ନାଟ୍ୟ ସଙ୍ଗୀତ ପ୍ରତି ବିଦ୍ୟାର୍ଥୀର ଆଗ୍ରହ ଖୁବ୍ ଉପଯୋଗୀ ସିଦ୍ଧ ହୁଏ । ଏହି ସ୍ଥିତିରେ ଶିକ୍ଷକର ମାନସିକତାରେ ପରିବର୍ତ୍ତନ ଆସିବା କଥା; ଅଭିଭାବକର ବିଷୟେତର ବିଷୟ other curricular subjects ପ୍ରତି ଦୃଷ୍ଟିଭଙ୍ଗୀ ବଦଳିବା କଥା, ତାକୁ ବିଦ୍ୟାଳୟ ଶିକ୍ଷାର ବାଧକ ମନେ କରାଯିବା କଥା ନୁହେଁ । ଆମେ ଶିକ୍ଷକ ତାଲିମ କେନ୍ଦ୍ରରେ ନାଟକ କର୍ମଶାଳା ମାଧ୍ୟମରେ ସେ ଦିଗରେ ଏକ ପ୍ରୟାସ ମାତ୍ର କରିଛୁ । ମାତ୍ର ୨୦ଦିନର (ଦିନକୁ ଚାରିଘଣ୍ଟା)କର୍ମଶାଳା ନାଟ୍ୟ କଳାକୁ ବୁଝିବା ଏବଂ ହାସଲ କରିବା ଲାଗି କେବେ ଯଥେଷ୍ଟ ହୋଇ ନପାରେ ।

ନାଟକ ମହାବିଦ୍ୟାଳୟରେ ଯେଉଁ ଶିକ୍ଷାକ୍ରମକୁ ତିନିବର୍ଷରେ ଅଧ୍ୟୟନ କରାଯାଏ, ତାକୁ ମାତ୍ର ୮୦ଘଣ୍ଟାରେ ହାସଲ ବା କରିହେବ କେମିତି? ଅନ୍ୟ ଏକ ଦୃଷ୍ଟିରୁ ଦେଖିଲେ, ଅନ୍ତତଃ ସେ ଦିଗରେ ଯତ୍ ସାମାନ୍ୟ ସମ୍ପୃକ୍ତି ରହିଲେ ବି, ଶିକ୍ଷକ ସମାଜର ବିଷୟତର ବିଷୟକୁ ନେଇ ମାନସିକତା ବଦଳିବ। ଯଦି ଆମ ଅନୁଷ୍ଠାନରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ର ଶିକ୍ଷକତା ନ କରି ଅନ୍ୟ କୌଣସି ପେଷା ଆପଣାଏ, ସେହି ସ୍ଥିତିରେ ମଧ୍ୟ ଅଭିଭାବକ ରୂପରେ ତା’ର ଦୃଷ୍ଟିଭଙ୍ଗୀ ନାଟକକୁ ନେଇ ବଦଳିବ । ନାଟକ ବା (ଖେଳକୁଦ ଆଦି) କଦାପି ପାଠପଢ଼ାର ପରିପନ୍ଥୀ ନୁହେଁ, ବରଂ ପରିପୂରକ ବୋଲି ଧାରଣା ସୃଷ୍ଟି ହେବ, ଯାହା ଏକ ସୃଜନଶୀଳ ସମାଜ ଗଢ଼ିବାରେ ସହାୟକ ହେବ।

କର୍ମଶାଳାରେ ଭିନ୍ନ ଭିନ୍ନ ଥିଏଟର ବ୍ୟାୟାମ କରାଯାଏ ଏବଂ ପିଲାଙ୍କୁ ସ୍କ୍ରିପ୍ଟ ଲେଖିବା ପାଇଁ ତଥା ଅଭିନୟ କରିବା ପାଇଁ ପ୍ରୋତ୍ସାହନ ଦିଆଯାଏ। ଆଲୋଚନା ମାଧ୍ୟମରେ ଆମେ ସିଦ୍ଧ କରନ୍ତି ଯେ ପ୍ରତ୍ୟେକ ପିଲା ନାଟକ କରିବା ଲାଗି ଯୋଗ୍ୟ ଏବଂ ସ୍କ୍ରିପ୍ଟ ଲେଖିବାର ସାମର୍ଥ୍ୟ ରଖନ୍ତି । କେବଳ ସେ ନେଇ ସେମାନଙ୍କର ଆଗ୍ରହ ରହିବା କଥା; ଆଗ୍ରହ ସେମାନଙ୍କୁ ମେଧାବୀ କରି ଗଢ଼ିବ । ବ୍ୟାୟାମ ମାଧ୍ୟମରେ ସେମାନଙ୍କୁ ପରସ୍ପର ପ୍ରତି ଆସ୍ଥାବାନ ହେବାକୁ ତଥା ପରସ୍ପର ମଧ୍ୟରେ ରହିଥିବା ପରିପୂକତାକୁ ବୁଝିବାକୁ ସୁଯୋଗ ମିଳେ । ଫଳରେ କର୍ମଶାଳାରେ ଭାଗ ନେଉଥିବା ପ୍ରତିଭାଗୀ ଲିଙ୍ଗୀକ ଅସମାନନତା ତଥା ସାମାଜିକ ଅସମାନତାକୁ ହୃଦୟଙ୍ଗମ କରି ତହିଁରୁ ଊଦ୍ଧ୍ୱର୍କୁ ଉଠିବାରେ ଏକରକମର ସାମର୍ଥ୍ୟ ପାଇଥାନ୍ତି । କର୍ମଶାଳାରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ନିଡ଼ର ଓ ନିର୍ଭୟ ଭାବ ତଥା ଆତ୍ମବିଶ୍ୱାସ ଏବଂ ନିରାଶା-ବିମୁକ୍ତ ଭାବ ଜାଗୃତ ହେବାର ଲକ୍ଷ୍ୟ କରାଯାଏ । ଏହା ସେମାନଙ୍କୁ ଉତ୍ତମ ଶିକ୍ଷକ ହେବାରେ ଖୁବ୍ ସାହାଯ୍ୟ କରିବ ବୋଲି ଆଶା କରାଯାଏ।

ନାଟକ କର୍ମଶାଳାରେ ଆମେ ଶୃଙ୍ଖଳାକୁ ନେଇ ଖୁବ୍ ସଜାଗ ରହୁ । ସକାଳ ନ’ଟାରେ କର୍ମଶାଳା ଆରମ୍ଭ ହୁଏ ଏବଂ ତହିଁରୁ ସାମାନ୍ୟ ବିଳମ୍ବକୁ ମଧ୍ୟ ଏକ ଗୁରୁତର ଭୁଲ୍ ବୋଲି ମନେ କରାଯାଏ । ପ୍ରତିଦିନ ଶ୍ରେଣୀଗୃହରେ ପଡ଼ିଥିବା ବେଞ୍ଚ୍-ଟେବୁଲ୍କୁ ବାହାର କରାଯାଇ ପ୍ରଥମେ ଗୃହକୁ କର୍ମଶାଳା ଉପଯୋଗୀ ଏକ ଟ୍ରେନିଂ ହଲ୍ରେ ପରିଣତ କରାଯାଏ । ସମସ୍ତ ପ୍ରତିଭାଗୀ ଏଥିରେ ଅଂଶଗ୍ରହଣ କରି ମାତ୍ର ପାଞ୍ଚ-ଦଶ ମିନିଟରେ କାମଟିକୁ ସମ୍ପନ୍ନ କରନ୍ତି । ତା’ପରେ ଦୁଇମିନିଟ ଧ୍ୟାନ କଲାପରେ ପୂର୍ବ କର୍ମଶାଳାରେ ହୋଇଥିବା ଗତିବିଧିର ଏକ ବିବରଣୀ ପେଶ୍ କରାଯାଏ। ଏଥିପାଇଁ ପୂର୍ବରୁ ଦୁଇଜଣ ପ୍ରତିଭାଗୀଙ୍କୁ ଦାୟିତ୍ୱ ଦିଆଯାଇଥାଏ । ରିପୋର୍ଟକୁ ନେଇ ଅନ୍ୟମାନେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କଲାପରେ ଆଗତ ଦିନ ପାଇଁ ରିପୋର୍ଟ ପ୍ରସ୍ତୁତ କରିବା ଲାଗି ଦୁଇଜଣ ସାମ୍ବାଦିକ, ଟ୍ରେନିଂ ହଲ୍ ଠିକଣା କରିବା ଲାଗି ଦୁଇଜଣ ଏବଂ ଜଳପାନ ଦାୟିତ୍ୱ ନେବାପାଇଁ ଦୁଇଜଣଙ୍କୁ ବଛାଯାଏ । ଯେଉଁ ପ୍ରତିଭାଗୀମାନେ ଗତ ଦିନମାନଙ୍କରେ ଏହି ଦାୟିତ୍ୱ ନେଇନାହାନ୍ତି, ସେମାନଙ୍କ ମଧ୍ୟରୁ କେତେକଙ୍କୁ ଏଥିପାଇଁ ବଛାଯାଏ ।

ଦ୍ୱିତୀୟତଃ ପ୍ରତିଭାଗୀମାନେ ସ୍ୱତଃପ୍ରବୃତ୍ତ ହୋଇ ଦାୟିତ୍ୱ ନିଅନ୍ତି; ସେମାନଙ୍କ ଉପରେ ଦାୟିତ୍ୱକୁ ବୋଝ ଭଳି ଲଦି ଦିଆଯାଏ ନାହିଁ। ଏସବୁ ପଛରେ ଉଦ୍ଦେଶ୍ୟ ଥାଏ ପ୍ରତିଭାଗୀଙ୍କ ମଧ୍ୟରେ ଶୃଙ୍ଖଳାଜ୍ଞାନ ଓ ଦାୟିତ୍ୱବୋଧ ସୃଷ୍ଟି କରିବା । ସେ ସାନ ବୟସର ପିଲା ହେଉ ବା ପରିପକ୍ୱ ବ୍ୟକ୍ତି ହେଉ, ଯେତେବେଳେ କାର୍ଯ୍ୟପଛରେ ଥିବା ଉଦ୍ଦେଶ୍ୟ (ବା ପାଠପଢ଼ା ପଛର ଉଦ୍ଦେଶ୍ୟ)କୁ ହୃଦୟଙ୍ଗମ କରେ, ତା ମନରେ ଶୃଙ୍ଖଳା ଓ ଦାୟିତ୍ୱବୋଧ ସ୍ୱତଃ ଆସିଯାଏ । ଏହା ତାକୁ କାର୍ଯ୍ୟ ପ୍ରତି ପ୍ରତିବଦ୍ଧ ଏବଂ କାର୍ଯ୍ୟଟିକୁ ଆମୋଦଦାୟୀ କରେ । ଯଦି ନାଟକ କର୍ମଶାଳା ମାଧ୍ୟମରେ ଛାତ୍ର ଓ ଶିକ୍ଷକ ମନରେ ଶୃଙ୍ଖଳା ଜ୍ଞାନ ଓ ଦାୟିତ୍ୱ ବୋଧ ସୃଷ୍ଟି ହୋଇପାରୁଛି ତାହା କ’ଣ ବିଦ୍ୟାଳୟ ଶିକ୍ଷା ନିମନ୍ତେ ଏକ ବିଶେଷ ଉପଲବଧି ହେବନାହିଁ?

ଆମେ ନାଟକ କର୍ମଶାଳାରେ କୌଣସି ପ୍ରକାର ତଣ୍ଟିକଟା ପ୍ରତିଯୋଗିତା ଭାବକୁ ଉତ୍ସାହ ଦେଉ ନାହିଁ । ପରସ୍ପର ସହଯୋଗରେ ସବୁକିଛି ସମ୍ଭବ ବୋଲି ଧାରଣା ସୃଷ୍ଟିକରାଯାଏ । ସେହି ଆଧାରରେ କର୍ମଶାଳାରେ ଭାଗ ନେଉଥିବା ପ୍ରତିଭାଗୀଙ୍କୁ ପ୍ରଥମ ବା ଦ୍ୱିତୀୟ ଆଦିରେ ବଣ୍ଟାଯାଏ ନାହିଁ। ପ୍ରତ୍ୟେକ ପ୍ରତିଭାଗୀଙ୍କୁ କର୍ମଶାଳା ଶେଷରେ ପ୍ରତିଭାଗୀ ବୋଲି ଏକ ପ୍ରମାଣପତ୍ର ମାତ୍ର ପ୍ରଦାନ କରାଯାଏ । ଅସଲରେ ଆମେ କର୍ମଶାଳାକୁ process oriented କରିବାକୁ ପ୍ରୟାସ କରନ୍ତି । ଦୀର୍ଘ ୨୦ଦିନର ୮୦ଘଣ୍ଟା ବ୍ୟାପୀ କର୍ମଶାଳା ପ୍ରକ୍ରିୟାରେ ଯଦି ଜଣେ ଆଗ୍ରହରଖି ଭାଗ ନିଏ, ସେ ତା’ର ସୁଫଳ ପାଇବ ବୋଲି ମନେ କରାଯାଏ । ତାକୁ ଅଯଥା ଶ୍ରେଣୀ ବିଭକ୍ତ କଲେ ତା’ମନରେ ସହଯୋଗ ମନସ୍କତା ଉନ୍ମେଷ ଲାଭ କରିପାରିବ ନାହିଁ । ଅନ୍ୟ ଶବ୍ଦରେ କହିଲେ, ଛାତ୍ର ଓ ଶିକ୍ଷକ ମନରେ ସହଯୋଗ ମନସ୍କତାର ଉନ୍ମେଷ ଏକ ବଡ଼ ଉପଲବ୍ôଧ, ଯାହା ବିଦ୍ୟାଳୟ ଶିକ୍ଷାକୁ ଉପାଦେୟ ଓ ଆମୋଦଦାୟୀ କରିବ । ନାଟକ କର୍ମଶାଳା ମାଧ୍ୟମରେ ଯଦି ସେହି ଉପଲବଧି ଆମେ ହାସଲ କରନ୍ତି, ନିଶ୍ଚିତ ରୂପେ ତାହା ସ୍ୱାଗତଯୋଗ୍ୟ । କର୍ମଶାଳାରେ ମତ ବିନିମୟ ଓ ଯୁକ୍ତିତର୍କକୁ ପ୍ରାଧାନ୍ୟ ଦିଆଯାଏ, ଯାହା ପ୍ରତିଭାଗୀକୁ ଅଭିବ୍ୟକ୍ତି କୁଶଳ ହେବାରେ ସାହାଯ୍ୟ କରେ ।

କର୍ମଶାଳାର ଶେଷଦିନରେ ପିଲା ନିଜ ଉଦ୍ୟମରେ ସାମୂହିକ ଭାବେ ଲିଖିତ ଏକ ନାଟକ ପ୍ରସ୍ତୁତ କରନ୍ତି । ଯେହେତୁ କର୍ମଶାଳାରେ ଭାଗ ନେଉଥିବା ୩୦ଜଣ ପିଲାଙ୍କୁ ତିନୋଟି ଭାଗରେ ବିଭକ୍ତ କରାଯାଇଥାଏ, ଆମେ ତିନୋଟି କ୍ଷୁଦ୍ରନାଟକ ପ୍ରସ୍ତୁତ କରିବାରେ ସମର୍ଥ ହେଉ । ପିଲା ଯେତେବେଳେ ଶିକ୍ଷକତା କରନ୍ତି, ଏହି ପ୍ରକ୍ରିୟା କୈନ୍ଦ୍ରିକ କର୍ମଶାଳା ସେମାନଙ୍କୁ କେବଳ ନାଟକ କାହିଁକି, ଖେଳକୁଦ ତଥା ନାଚଗୀତରେ ମଧ୍ୟ ଆଗ୍ରହୀ କରେ, ଯାହା ଶିକ୍ଷକର ଏକ ବିଶେଷଗୁଣ ହୁଏ ଏବଂ କର୍ମସଂସ୍ଥାନ ନିମିତ୍ତ ଉପଯୋଗୀ ସିଦ୍ଧ ହୁଏ । ବିଷୟ ଅଧ୍ୟାପନାରେ ସାମର୍ଥ୍ୟ ରଖୁଥିବା ଜଣେ ଶିକ୍ଷକ ଯଦି ନାଟ୍ୟକଳାରେ ମଧ୍ୟ  ଆଗ୍ରହ ରଖେ, ସେ ନିଶ୍ଚିତ ରୂପେ ଅଧିକ ସଫଳ ଶିକ୍ଷକ ହୋଇପାରିବ ଏଥିରେ ଦ୍ୱିରୁକ୍ତି ନାହିଁ । ଶିକ୍ଷାନୁଷ୍ଠାନ ନିମନ୍ତେ ଏହି ନାଟ୍ୟପ୍ରିୟ ଶିକ୍ଷକ ଯେ ସର୍ବଦା ସମ୍ପତ୍ତି ତୁଲ୍ୟ ହେବେ – ଏହା ନିଃସନ୍ଦେହ।

ଅସଲରେ ନାଟକ କର୍ମଶାଳା ଏକ ଉଦାହରଣ ମାତ୍ର । ନାଚ, ଗୀତ, ଖେଳକୁଦରେ ମଧ୍ୟ ଏଭଳି କର୍ମଶାଳା ଆୟୋଜନ କରି ଆମେ ଛାତ୍ରକୁ କର୍ମଚଞ୍ଚଳ ଏବଂ ଦାୟିତ୍ୱ ପରାୟଣ କରିପାରିବା । ଯଦି କିଛି ପିଲା ନାଟକ ବଦଳରେ ନାଚଗୀତର କର୍ମଶାଳାରେ ଯୋଗ ଦିଅନ୍ତି, ସେମାନଙ୍କ ଠାରୁ ଆମେ ଏକା କିସମର ସୁଫଳ ପାଇପାରିବା । ଯାହା ଆରମ୍ଭରେ କୁହାଯାଇଛି, ଏହି ଧରଣର ନାଟକ କର୍ମଶାଳା ପାଠପଢ଼ାର ଆଦୌ ପରିପନ୍ଥୀ ନୁହେଁ, ବରଂ ପାଠପଢ଼ାକୁ ସରସସୁନ୍ଦର କରିବାର ସାମର୍ଥ୍ୟ ରଖେ । ଅନ୍ୟ ଶବ୍ଦରେ କହିଲେ, ପାଠପଢ଼ାରେ ବା ବିଦ୍ୟାଳୟ ଶିକ୍ଷାରେ ନାଟକର ପ୍ରୟୋଗ ଏକ ଅଭିନବ ପାଠପଢ଼ା ଶୈଳୀକୁ ଇଙ୍ଗିତ କରେ । ଯଦି ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଓ ଶିକ୍ଷକ ଏଥିପ୍ରତି ଧ୍ୟାନ ଦେବେ ତେବେ, ବିଦ୍ୟାଳୟ ଶିକ୍ଷା ନିରସ ଏବଂ ନିରର୍ଥକ ହେବାରୁ ବହୁମାତ୍ରାରେ ନିବୃତ୍ତି ଲାଭ କରିବ, ଏଥିରେ ସନ୍ଦେହ ନାହିଁ।

ଜାତୀୟ ପାଠ୍ୟକ୍ରମ ଖସଡ଼ାକୁ ଅନୁଧ୍ୟାନ କରି ରିଜିଓନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ, ଭୁବନେଶ୍ୱରରେ ନାଟକଶିକ୍ଷାକୁ ପ୍ରୋତ୍ସାହନ ଦିଆଯାଉଛି । ଛାତ୍ର/ଛାତ୍ରୀମାନଙ୍କୁ (ଭବିଷ୍ୟତର ଶିକ୍ଷକମାନଙ୍କୁ) ନାଟକ ଓ ସଙ୍ଗୀତର ଉପଯୋଗୀତା ସମ୍ପର୍କରେ ଏକ ବିଶେଷ ଦୃଷ୍ଟିଭଙ୍ଗୀ ପ୍ରଦାନ କରିବାପାଇଁ ଚେଷ୍ଟା କରାଯାଉଛି ବୋଲି ଉଲ୍ଲେଖ କରିଛନ୍ତି ଲେଖକ ପ୍ରଫେସର ପ୍ରୀତୀଶ ଆଚାର୍ଯ୍ୟ ଯିଏକି ଦୀର୍ଘଦିନ ଧରି ଏହି ଶିକ୍ଷାୟତ୍ତନରେ ଇତିହାସ ବିଭାଗର ପ୍ରଫେସର ରହିଛନ୍ତି । ତାଙ୍କ କହିବାର କଥା ହେଲା ଯେ ‘ଜଣେ ଶିକ୍ଷକ ଯଦି ନାଟକ ଓ ଅଭିନୟ କଳା ସହିତ ପରିଚିତ, ସେ ଶିକ୍ଷକତାକୁ ଅଧିକ ଭଲ ପାଇପାରିବେ ତଥା ତାଙ୍କ ଶିକ୍ଷକତା ସମାଜ ପାଇଁ ଅଧିକ ଉପଯୋଗୀ ସିଦ୍ଧ ହେବ । ଏହି କାରଣରୁ ଆମେ ଶିକ୍ଷକତା ଓ ନାଟ୍ୟ ଅଭିନୟ ମଧ୍ୟରେ ସାମଞ୍ଜସ୍ୟ ଦେଖନ୍ତି ।’ ପ୍ରଫେସର ପ୍ରୀତୀଶ ଆଚାର୍ଯ୍ୟଙ୍କର ଏହିଭଳି ଏକ ଲେଖା ସମୟୋପଯୋଗୀ ମନେହୁଏ । ନାଟକର ଆବଶ୍ୟକତା ଏବଂ ଶିକ୍ଷା କ୍ଷେତ୍ରରେ ଏହାର ପ୍ରୟୋଗକୁ ପ୍ରାଧାନ୍ୟ ଦେଇ ଯଦି ରାଜ୍ୟସରକାର ଆମର ଶିକ୍ଷାନୁଷ୍ଠାନ ମାନଙ୍କରେ ଶିକ୍ଷାଦାନ ଢ଼ାଞ୍ଚାରେ କିଛି ପରିବର୍ତ୍ତନ ଆଣିପାରିବେ ତେବେ ଅଧିକାଂଶ ଛାତ୍ର ଛାତ୍ରୀ ଉପକୃତ ହୋଇପାରିବେ। ରାଜ୍ୟର ସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ଶିକ୍ଷାଦାନ କ୍ଷେତ୍ରରେ ଯେଉଁ ଶିଥିଳତା ଦେଖାଦେଇଛି ନାଟକ ଶିକ୍ଷାର ପ୍ରୟୋଗ ସେଥିରେ ନୂତନ ଉତ୍ସାହ ଆଣିପାରିବ ନିଶ୍ଚୟ ।                                                                                   -ସମ୍ପାଦକ

Photo credit- Inernet

About ଡ଼ଃ ପ୍ରୀତୀଶ ଆଚାର୍ଯ୍ୟ

ଡ଼ଃ ପ୍ରୀତୀଶ ଆଚାର୍ଯ୍ୟ
ଇତିହାସ ବିଭାଗର ପ୍ରଫେସର(ରିଜୋନାଲ କଲେଜ), ସ୍ତମ୍ବକାର

Check Also

Featured Video Play Icon

ଚଣ୍ଡାଳିକା

କବିଗୁରୁ ରବିନ୍ଦ୍ରନାଥ ଠାକୁରଙ୍କର ସାହିତ୍ୟ ରଚନା ଭାରତ ତଥା ପୃଥିବୀର ପ୍ରାୟ ସବୁ ଭାଷାରେ ଅନୁବାଦିତ ହୋଇଛି । ତାଙ୍କର …

Leave a Reply

Your email address will not be published. Required fields are marked *