Home / ସମୀକ୍ଷା / ଖାଦ୍ୟ ସଂସ୍କୃତି / ପଶ୍ଚିମ ଓଡ଼ିଶାର ଖାଦ୍ୟ ସଂସ୍କୃତିର ଅନୁସନ୍ଧାନ କ୍ରମରେ…

ପଶ୍ଚିମ ଓଡ଼ିଶାର ଖାଦ୍ୟ ସଂସ୍କୃତିର ଅନୁସନ୍ଧାନ କ୍ରମରେ…

ଓଡ଼ିଶାରେ ବିଭିନ୍ନ ଅଞ୍ଚଳର ଖାଦ୍ୟ ଭିନ୍ନ ଭିନ୍ନ, କାରଣ ନିର୍ଦ୍ଦିଷ୍ଟ ଅଞ୍ଚଳର ଜଳବାୟୂକୁ ନେଇ ସେଠିକାର ଚାଷବାସ ଓ ଖାଦ୍ୟ ପାନୀୟ। ଏହିସବୁ ଭିନ୍ନତା ଗୁଡ଼ିକ ସମୟର ପରିବର୍ତ୍ତନ ସହିତ ଲୋପପାଇବାକୁ ବସିଛି ଆଧୁନିକତାର ପ୍ରଭାବରେ। ସେଠି ପାନୀୟ ମାଗିଲେ ଆଉ ଲେମ୍ବୁ କି ଦହି ସରବତ୍ ମିଳୁନି। ସମସ୍ତେ ମୃଦୁ ପାନୀୟକୁ ସଭ୍ୟତାର ପ୍ରତୀକ ଭାବିନେଲେଣି। ଏକ ଆସନ୍ନ ବିପଦର ସମ୍ମୁଖିନ ହୋଇଛି ଆମ ସଂସ୍କୃତି ଓ ଆମ ଖାଦ୍ୟ ପଦାର୍ଥ। ଆମ ଗାଁ ଗହଳିର ଖାଦ୍ୟକୁ ଲିପିବଦ୍ଧ କରିବାପାଇଁ ଏହା ଏକ କ୍ଷୁଦ୍ର ପ୍ରୟାସ ଯେଉଁଥିରେ ଆମେ ପାଠକମାନଙ୍କୁ ସାମିଲ କରିବାପାଇଁ ଆହ୍ୱାନ କରୁଛୁ। ସମସ୍ତେ ନିଜ ନିଜର ଦୈନନ୍ଦିନ ଖାଦ୍ୟକୁ ଓ ଖାଦ୍ୟ ତିଆରି କରିବାର ପ୍ରଣାଳୀକୁ ନିଜ ଖତାରେ ଟିପି ରଖନ୍ତୁ କାରଣ ଆମ ପର ପିଢ଼ି ସେ ଖାଦ୍ୟକୁ ତ ଜାଣିବେନି କେତେବେଳେ ଯଦି ମନ ହେଲା ତେବେ ଆମ ଖାତାଟିକୁ ଦେଖି କେବେ କେମିତି ରାନ୍ଧିବାର ପ୍ରୟାସଟି କରିପାରନ୍ତି। ଆମ ପିଲାଦିନର ଖାଦ୍ୟର ସ୍ମୃତିସବୁକୁ ଗପ ଆକାରରେ ମଧ୍ୟ ଲେଖିଦେଇପାରିବା ।   – ସମ୍ପାଦକ

ମଣିଷ ଉତ୍ପତ୍ତି ଠାରୁ ବଞ୍ଚିବା ପାଇଁ ଖାଦ୍ୟର ଆବଶ୍ୟକତାର ଅନୁଭବ କରିଆସିଛି । ପ୍ରକୃତି ଭିତରୁ ନିଜ ଖାଦ୍ୟ ଯୋଗାଡ଼ କରିଛି ଏବଂ ଏହାକୁ ସାଇତି ରଖିବାପାଇଁ ଚାଷବାସ କରିବା ଶିକ୍ଷାଲାଭ କରିଛି । ଇତିହାସର ପ୍ରତ୍ୟେକ ସମୟରେ ମଣିଷ ଯାହା କିଛି ନୂଆ ଉଦ୍ଭାବନ କରିଛି ସେସବୁ ନିଜର ଆବଶ୍ୟତା ପୂରଣପାଇଁ ଉଦ୍ଦିଷ୍ଟ ହୋଇଆସିଛି ।  ବିଜ୍ଞାନର ଯାଦୁଗରୀ ବିକାଶ ପଛରେ ମଧ୍ୟ ମଣିଷର ଆବଶ୍ୟକତା ହିଁ ଏକମାତ୍ର କାରଣ । ହେଲେ କେଉଁସବୁ ଆବଶ୍ୟକତା କେଉଁଭଳି ବିପଦ ସୃଷ୍ଟିକରିଚାଲେ ସେ ସମ୍ବନ୍ଧରେ ସବୁକିଛି ଜାଣିବି ବିଜ୍ଞାନୀ ମଣିଷ ଭୂଲ ରାସ୍ତାରେ ନିଜକୁ ଆଗେଇ ନେଉଛି । ବୈଜ୍ଞାନିକ ଯୁଗରେ ଖାଦ୍ୟର ସୁରକ୍ଷା ଏବଂ ସଠିକ୍ ବଣ୍ଟନ କରାନଯାଇ ଅଧିକ ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯାଉଛି । ଯାହା ଫଳରେ ମଣିଷ ପ୍ରକୃତିକୁ ଧ୍ୱଂସ ଆଡ଼କୁ ଠେଲିଦେବା ସହ ନିଜର ସ୍ୱାସ୍ଥ୍ୟ ଏବଂ ଭବିଷ୍ୟତକୁ ବିନାଶର ରାସ୍ତା ଦେଖେଇଛି । ଆମ ପାଖରେ ଯାହାକିଛି ସମ୍ବଳ ଏବଂ ସଂସ୍କୃତି ନାଁରେ ଯାହାକିଛି ଉପଲବ୍ଧି ରହିଥିଲା ସେସବୁ ଏବେ ଅଦରକାରୀ ମନେହେବାରୁ ହଜିହଜି ଯାଉଛି ।  ବିଶେଷଭାବରେ ଯେଉଁ କଥାଟି ଆମ ଭିତରେ ଆମ ଅଜାଣତରେ କାୟା ବିସ୍ତାର କରିଛି ତାହା ହେଲା ଆମର ଖାଦ୍ୟ ସଂସ୍କୃତି ଏବଂ ଖାଦ୍ୟ ଉତ୍ପାଦନ ପ୍ରଣାଳୀ । ଏବେ ବିଦେଶୀ ଖାଦ୍ୟ ପ୍ରତି ଆମେମାନେ ପ୍ରୟ ସମସ୍ତେ ଆକର୍ଷିତ ହୋଇଚାଲିଛନ୍ତି । ଯାହା ଫଳରେ ଆମ ନିକଟରେ ଥିବା ହଜାର ହଜାର ବର୍ଷର ଖାଦ୍ୟ ଓ ତାହାର ପ୍ରସ୍ତୁତିର ଧାରାଟି ଏବେ ଆଉ ଖୋଜିଲେବି ମିଳୁନାହିଁ । ନିଜର ସବୁ ଜିନିଷପ୍ରତି ହୀନମନ୍ୟତା ଏବଂ ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହେବାର ଯେଉଁ ପ୍ରକ୍ରିୟା ସମଗ୍ର ବିଶ୍ୱରେ ବିଜ୍ଞାନଯୁଗରେ ଆରମ୍ଭ ହୋଇଛି ତାହାଯେ କେତେ ଅବୈଜ୍ଞାନିକ ଆମେ ଏଯାଏ ବିଷୟଟିକୁ ବୁଝିପାରିନାହୁଁ । ଆମ ଅଞ୍ଚଳର ଖାଦ୍ୟ ପଦାର୍ଥ ଗୁଡ଼ିକ ଆମ ଗାଁ’ରୁ କୁଆଡ଼େ ଉଭେଇଗଲା ଓ କେତେବେଳେ ଆମ ଅଜାଣତରେ ଲେମ୍ବୁପାଣି ସରବତ କୋକା କୋଲା ବୋତଲରେ ପରିବର୍ତ୍ତିତ ହେଲା ଆମେ କିଛି ଜାଣିପାରିଲେ ନାହିଁ ।

ଆମେ ଏହିକ୍ରମରେ ଯେତେବେଳେ ଆମ ନିଜ ଅଞ୍ଚଳ ଓଡ଼ିଶାର ପଶ୍ଚିମାଞ୍ଚଳର ପାରମ୍ପାରିକ ଖାଦ୍ୟଗୁଡ଼ିକ ସମ୍ପର୍କରେ ଆଲୋଚନା କରିବାପାଇଁ ଚାହିଁବା ପ୍ରଥମେ ଆମେ ଜାଣିବାକୁ ପାଇବା ଯେ ଏହିସବୁ ଅଞ୍ଚଳର ଖାଦ୍ୟପଦାର୍ଥ ଗୁଡ଼ିକ ଆଗରୁ ବିଶେଷ ଭାବରେ ଧାନ ଓ ଚାଉଲରୁ ତିଆରି ହେଉଥିଲା । ଆଗକାଲରେ ସକାଲ ଜଳଖିଆ କହିଲେ ଚକୁଲି, ପୁଡ଼ାଲା ପିଠା (ଥିର ପିଠା), ମୁଢ଼ି, ଗୁଡ଼, ଲିଆ, ଗୋରସ ଏବଂ ବାସି ପଖାଳ ବେଶୀ ଖାଉଥିଲେ । ଏହା ଥିଲା ସେ ସମୟର ପ୍ରଧାନ ଜଳଖିଆ । ବର୍ତ୍ତମାନ ସେହି ଖାଦ୍ୟ ଦେଖିବା ତ ଦୂରର କଥା ବହୁତ କମ୍ ଲୋକ କହିବାର ଶୁଭାଯାଉଛି । ଏହି କଥା ଯେଉଁମାନେ କହୁଛନ୍ତି ସେମାନେ କେତେ ବର୍ଷ ଆଗରୁ ଏହି ଖାଦ୍ୟ ଖାଇଥିଲେ ତାହା ସଠିକ୍ ଭାବରେ ମଧ୍ୟ କହିପାରୁନାହାନ୍ତି ।

ଓଡ଼ିଶାରେ ଖାଦ୍ୟ ସଂସ୍କୃତି ଏବଂ ପର୍ବପର୍ବାଣୀ ଯୋଡ଼ିହୋଇ ରହିଥିଲା । ବାର ମାସରେ ତେର ପର୍ବ ପାଳିତ ହେଉଥିଲା ଏବଂ ଏବେବି ଯେଉଁଗୁଡ଼ିକ ପାରମ୍ପାରିକତାକୁ କେବଳ ବଜାୟି ରଖିଛନ୍ତି ହେଲେ ଯେଉଁ ଦୃଷ୍ଟିଭଙ୍ଗୀ ନେଇ ସେସବୁ ପାଳନ କରାଯାଉଥିଲା ତାହା ଲୋପ ପାଇଯାଇଛି । ଆଗରୁ ଯେଉଁ  ପର୍ବପର୍ବାଣୀ ପାଳନ କରାଯାଉଥିଲା ତାହା ସହ ଚାଷ ଓ ଚାଷୀର ସମ୍ପର୍କ ଥିଲା । ଏବେ ସେହି ସମ୍ପର୍କ ଦେଖିବାକୁ ମିଳୁନି । ସେଥିପାଇଁ ପୂର୍ବର ସେହି ଖାଦ୍ୟ ପରମ୍ପରାର ମଧ୍ୟ ଆଉ ଦେଖାଯାଉନାହିଁ । ପନା ସଂକ୍ରାନ୍ତୀ, ସ୍ନାନପୂର୍ଣ୍ଣିମା, ରଜପର୍ବ, ନୂଆଁଖାଇ ଆଦି ଯେଉଁ ସବୁ ପର୍ବ ପାଳନ କରାଯାଉଛି । ପ୍ରତ୍ୟେକ ପର୍ବର ଏକ ସ୍ୱାତନ୍ତ୍ର୍ୟ ରହିଛି ଏବଂ ଏହି ଦିନମାନଙ୍କର ଖାଦ୍ୟଗୁଡ଼ିକର ଏକ ସ୍ୱାତନ୍ତ୍ର୍ୟ ଗୁରୁତ୍ୱ ମଧ୍ୟ ରହିଛି ।

ପନା ସଂକ୍ରାନ୍ତୀ ଦିନ ଗାଁର ପ୍ରତ୍ୟେକଙ୍କ ଘରେ ଗୁଡ଼, ବେଲ, ମରିଚ, ପନା ସଂଗ୍ରହ କରି ଭଗବାନଙ୍କଠାରେ ଏହାର ମିଶ୍ରଣ କରି ପ୍ରସାଦ ଭାବେ ଭୋଗ ଲଗାଯାଇଥାଏ ଏବଂ ସେହି ପ୍ରସାଦକୁ ଗାଁର ପ୍ରତ୍ୟେକ ବ୍ୟକ୍ତି ପିଇଥାନ୍ତି । ଲୋକେ କହନ୍ତି ଏହି ପନା ପିଇଲେ ଜ୍ୱର, ଥଣ୍ଡା ଏବଂ ବିଭିନ୍ନ ରୋଗ ଆମକୁ ଆକ୍ରମଣ କରିପାରେ ନାହିଁ । ତେଣୁ ଏହି ଦିନ ପରେ ଗାଁ ଲୋକେ ଆଗକାଳରେ ଦି ବେଲା ଗାଧୋଇବା ଆରମ୍ଭ କରୁଥିଲେ । କେତେ ଲୋକେ ଏହି ପନାରେ ନିଜର ଶଉକ ପାଇଁ ଭାଙ୍ଗ ମିଶାଇ ପିଇଥାନ୍ତି ।

ରଜବର୍ପ ବିଶେଷ କରି ପୂର୍ବାଞ୍ଚଳରେ ଧୁମ୍ ଧାମରେ ମାନନ୍ତି  । କିନ୍ତୁ ପ୍ରଥମ ରଜ, ଭୂମିଦହନ, ସଂକ୍ରାନ୍ତୀ ଏହି ତିନିଦିନ ପଶ୍ଚିମାଞ୍ଚଳରେ  ମାନିଥାନ୍ତି । ଏହି ତିଦି ଦିନ ରେ ଗାଁରେ ଲୋକମାନେ ହଲ ଲଙ୍ଗଲ ଫାନ୍ଦନ୍ତି ନାହିଁ, ମାଛ, ମାଂସ ଆଇଁଷ ଜିନିଷ ଖାଆନ୍ତି ନାହିଁ । କେତେ ଜାଗାରେ ଏବେ ବି ରନ୍ଧାବଢ଼ା ନକରି ଗୋଟିଏ ଦିନ ଫଳମୂଳ ଖାଇ ରହନ୍ତି ।

ଏହା ପରେ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଭଗବାନ ଜଗନ୍ନାଥଙ୍କୁ ସ୍ନାନ କରାଇଥିବାରୁ ସ୍ନାନ ପୂର୍ଣ୍ଣିମା କହନ୍ତି । ସ୍ନାନ ଏହି ପରେ ଭଗବାନଙ୍କୁ ଜ୍ୱର ହୋଇଥାଏ ବୋଲି ବିଶ୍ୱାସକରି ଗାଁରେ ପଣ୍ଡିତ ମାନେ  ପଞ୍ଚମୂଳ ଓ ଦଶମୂଳ ବାଣ୍ଟିଥାନ୍ତି ।

ରଥଯାତ୍ର ସମୟରେ ଆଗରୁ ଲୋକେ ବହୁ ଧୁମ୍ ଧାମରେ ମାନୁଥିଲେ ଯେତିକି ନାଚଗୀତ ହୋଉଥିଲା ସେମିତି ଖାଦ୍ୟ ସାମଗ୍ରୀ ମଧ୍ୟ ତିଆରି କରୁଥିଲେ । ଏହି ଦିନରେ ଗାଁର ପ୍ରତ୍ୟେକଙ୍କ ଘରେ ଚାଉଲରେ ତିଆରି ସୁଆଁଲି ପିଠା, ମଣ୍ଡା, ମୁଗିଆ ଖଜା, ଦାନ୍ତିରି ଖଜା, ରାଶି ଖଜା, ମୁଫଲି ଖଜା (ବାଦାମ ଖଜା) ଦେଖିବାକୁ ମିଳୁଥିଲା । ଏହି ସମୟରେ ପାଚିଲା ତାଲ ମିଳୁଥିବାରୁ ତାଲବରା ମଧ୍ୟ ଦେଖିବାକୁ ମିଲୁଥିଲା । ଏବେ ସେ ସବୁ ପରିବର୍ତ୍ତେ ଚାଉମିନ୍, ମନ୍ଚୁରିୟାନ୍, ବ୍ରେଡ଼୍ ଚପ୍ ଆଦି ଜିନିଷ ଦେଖିବାକୁ ମିଳୁଛି ।

ପର୍ବପର୍ବାଣୀ ମାନଙ୍କ ଭିତରେ ନୂଆଁଖାଇ ପର୍ବଟି ହେଉଛି ପଶ୍ଚିମାଞ୍ଚଳର ଏକ ମୁଖ୍ୟ ପର୍ବ । ଏହାକୁ ଚାଷୀଭାଇଙ୍କର ପର୍ବ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ଏହି ଦିନରେ ଧାନ ଚାଷର ପ୍ରଥମ ଅନ୍ନକୁ ଘିଅ ମହୁ, ଗୁଡ଼ ଦେଇ ଗାଁର ଇଷ୍ଟଦେବାଦେବୀଙ୍କଠାରେ ଝାକର ଭୋଗ ଲଗାଇ ପ୍ରତ୍ୟେକ ଘରରେ ବାଣ୍ଟିଥାଏ ସେହି ନବାନ୍ନକୁ ପ୍ରତ୍ୟେକ ଲୋକେ ଖାଇଥାନ୍ତି । ଏହି ଦିନେ ବିଭିନ୍ନ ଲୋକେ ବିଭିନ୍ନ ପତ୍ରରେ ନୁଆଁ ଖାଇଥାନ୍ତି । ଜାଉ, ସୁଆଲି, ମଣ୍ଡା, ବିଭିନ୍ନ ପ୍ରକାର ଶାଗ, ଅରୁଆ ଭାତ, ତରକାରୀ ରାନ୍ଧି ଖଲି ଦନାରେ ଖାଉଥିଲେ । କିନ୍ତୁ ଏବେ ସେହି ସବୁ ଖାଦ୍ୟ ବଦଳରେ କିଛି ନୂଆଁ ଖାଦ୍ୟ ତିଆରି କରୁଛନ୍ତି ଏବଂ ଷ୍ଟିଲ୍ କିମ୍ବା ପ୍ଲାଷ୍ଟିକ୍ ବାସନରେ ଖାଉଛନ୍ତି । ପର୍ବପର୍ବାଣୀ ସହ ବିବାହ ବ୍ରତରେ ଆରିସା ଜାଉ ରନ୍ଧାଯାଉଥିଲା । ତେଣୁ ଏହା ହେଉଛି ଆମ ଅଞ୍ଚଳର ଏକ ପ୍ରସିଦ୍ଧ ଖାଦ୍ୟ ।

ଖାଦ୍ୟ ତିଆରି ପାଇଁ ମାଟିପାତ୍ର, ଚୁଳିରେ ରାନ୍ଧିବା ବ୍ୟବସ୍ଥା, ଘରେ ତିଆରି ମୁମ୍ଫଲି ତେଲ(ବାଦାମ ତେଲ) ରାଶି ତେଲ, ଡୁରି ତେଲ (ଟୋଲ ତେଲ), ଗାଈ ଘିଅ, ପଥରରେ ସମଲା ବେସାର ବଟା ହେଉଥିଲା ଏବଂ ଖାଇବା ପାଇଁ କଂସା ବାସନର ବହୁଲ ବ୍ୟବହାର ହେଉଥିଲା । କିନ୍ତୁ ଏବେ ଗ୍ୟାସ, ଇଲେକ୍ଟ୍ରିକ୍ ହିଟରରେ ଷ୍ଟିଲ ବାସନରେ ରାନ୍ଧାବଢ଼ା, ରିଫାଇନ୍ ତେଲ ବ୍ୟବହାର ଏବଂ ଖାଇବା ପାଇଁ ପ୍ଲାଷ୍ଟିକ ପାତ୍ର ବ୍ୟବହାର ହେଉଛି । ତେଣୁ ସେ ସବୁ ଖାଦ୍ୟର ସ୍ୱାଦ ମଧ୍ୟରେ ପାର୍ଥକ୍ୟ ରହିଛି ।

ସେ ସମୟରେ ଗାଈ ଗୋରୁ ବହୁଳ ଭାବରେ  ପାଳନ କରାଯାଉଥିବାରୁ ଗୋରସ ଅଧିକ ଉତ୍ପାଦନ ହେଉଥିଲା । ଏଥିରୁ ହଦି, ଘିଅ, ମହି, ଖରିସା ଆଦି ତିଆରି କରୁଥିଲେ । ଗାଁରେ ସାଧାରଣ ଲୋକଙ୍କର ପ୍ରତ୍ୟେକ ଦିନ ସକାଲେ ବାସି ପଖାଲ ଥିଲା ଜଳଖିଆ । ଶାଗ-ପଖାଲ ଥିଲା ତାଙ୍କର ଅତି ପ୍ରିୟ ଖାଦ୍ୟ । ପୁରାତନ ଖାଦ୍ୟ ସଂସ୍କୃତିକୁ ଦେଖିଲେ ଜାଣିହେବ ଯେ ସେ ସମୟରେ ଏତେ ରୋଗବୈରାଗ ନଥିଲା ।

ପଶ୍ଚିମ ଓଡ଼ିଶାର ଖାଦ୍ୟ ସମ୍ପର୍କରେ ଜାଣିବାପାଇଁ କିଛି ବୟସ୍କ ଗ୍ରାମବାସୀଙ୍କୁ ଭେଟିଥିଲୁ ଏବଂ ସାକ୍ଷାତକାର ସମୟରେ ସେମାନେ ଯାହାସବୁ କହିଥିଲେ ଏଠାରେ ଉପସ୍ଥାପନ କରାଯାଇଛି ।

ପଦ୍ମନ ବେହାର: ୧- ଏହାଦେ ବେଲେ ମିସିନ୍ ମୁରୁହି(ମୁଢ଼ି), ଚିନିଲଗା ଚା, ରୁଟି ତରକାରୀ, ଉପମା କେଭେ କେଭେ ଖାଉଛୁଁ । ହେଲେ ଆଗରୁ ଆମେ ବାସି ଖାଉଥିଲୁ । ଗୁଢ଼ ଚା ପିଉଥିଲୁ, କେଉଁଟ ଭଜା ମୁଢ଼ି, ଗୁରସ (ଗୋରସ) ପିଉଥିଲୁଁ ।

୨) ଆଗରୁ ବାର ମାସେ ତେର ପରବ ମାନୁଥିଲେ । ସବୁ ପରବ ମାନବାଟା ଅଲଗ ଅଲଗ ଆଏଁ । ନ ସବୁ ପରବଥୁ ଜାଉ ରନ୍ଧା ହେଉଥିଲା ଏନ୍ତା କି ମୁଢ଼ି ଛିଆ ଥି ବି ଜାଉ ରାନ୍ଧୁଥିଲେ । ପନା ସଂକ୍ରାନ୍ତୀ କେ ପନା ସାଙ୍ଗେ ଗୁଡ଼, ବେଲ, ମରିଚ ଗାଁନୁ ମାଗୁଥିଲେ ପନା ବନଉଥିଲେ, ରଜପର୍ବ କେ ହଲ ନଙ୍ଗଲ ନାଇଁ ଧରି କରି ଆଇଁଷ ବିସର ନା ଖାଉଥାଇଁ, ରଥଯାତ୍ରା ଦିନଯେ ଯେନକେ ଦେଖବ ସୁଆଲି ମଡ଼ା, ମୁଗିଆ ଖଜା, ରାଏଶ୍ ଖଜା, ମଫଲି ଖଜା, ଦାତିରି ଖଜା ଦେଖିବାରକେ ମିଳୁଥିଲା । ଏବେ ସେଟା ଆଉ ନାଇଁନ ଯେନକେ ଦେଖବ ଗୁପଚୁପ ଆଉ ଚାଟ । ଅଷାଢ଼େ ତାଲ ପାଚଲା ବଲି ବରଷକ ଥରେ ବଲି ତାଲ ବରା କରି କରି ସଭେଁ ଖାଉଥିଲେ । ନୁଆଁଖାଇ ନୁଆଁ ଚାଉଲ୍ ସାଙ୍ଗେ ପିଠାମଡ଼ା, ଜାଉ, ମୁଗ୍ ବରା ଯାହାର ଖରକେ ଦେଖବ । ପୁସ୍ ପୁନି ଦିନ ଅଏର୍ସା ପିଠା । ବହା, ବଡ଼ୁ  ଅଏର୍ସା ଖଜା ଆଉ ଜାଉ ଏଭର୍ ମିତାଲ ବୁନ୍ଦି, ମିଠା ନାଇଥାଇ ।

୩- ତରକାରି ମାନେ ହେନ୍ତୋ ରାନ୍ଧୁଥିଲେ । ଯହକରି ଶାଗ ପଖାଲ ଥିଲା । ଯେନ୍ ତରକାରି ରାନ୍ଧୁଥିଲେ ବି ଶିଲଥିଁ ବେସାର ଆଉ ମସଲା ବାଟି କରି ରାନ୍ଦୁଥିଲେ । ଡୁରି ତେଲ, ରାଏଶ୍ ତେଲ ଆଉ ମଫଲି ତେଲ୍ । ଏତ୍ ପ୍ରକାର ମସଲା ନାଇଥିାଇଁ ମିରଚ, ଜିରା, ଧନିଆଁ, ଲେସୁନ, ସୁର୍ଷୋ ହେଲେ ହେଉଥିଲା । ଆଗରୁ ଚୁଲି, ମାଟି ହାଡଡ଼ି ପାତଲି ଥି ରାନ୍ଧୁଥିଲେ । କମ୍ ମସଲା ଲଗାଇ କରି । ଇହାଛିନି ସେବୁ ଖାଇବାଟା ଦୁରର କଥା ଦେଖିବାର ଲାଗି ବି ନାଇଁ ମିଲବାର।

୪) ପିଠାପଣା ବେଲ, ସେ ସମିଆ ଥି ସୁଆଲି, ମଡା, ସିଝା ମଡା, ମୁଗବରା, ପୋଡ଼ପିଠା ଏସବୁ ଖାଇବାରକେ ମୁଳୁଥିଲା।

୫) ସେ ବେଲେ ସଭେଁ ଗାଏ-ଦାମୁର ରଖୁଥିଲେ ଯାହାର ଘରକେ ଦେଖବ ଗୁରସ । ଯାହାର ଘରେ ନାଇଁ ଥାଇଁ ପୂଜା ଦିନ ସେତାକେ ଲୋକେ ପୂଜା କରବା ବୋଲି ମାଫି ଦେଉଥିଲେ । ଏଭେଁ ବହୁତ୍ କମ୍ ଲୋକ ଗାଈ ରଖୁଛନ । ହେଲେ ପଇସା ଦେଇ କରି ବି ଗୁରସ ଘିନ୍ଲେ ଗର୍ସେ ପାଣି ସାଙ୍ଗେ, ଲୁଣ, ଲେମ୍ବୁ ମିଶିଇଦେଉଛନ୍ ଯେନଟାକି ଗୁରସ୍ ଖରାପ୍ ହେଉଛେ । ଦୁଇ ପଇସା ଲାଗି ଲୁକେ ଏନ୍ତା କରୁଛନ୍।

୬) ମାଛ ଆଗରୁ କେଉଁଟମାନଙ୍କୁ ମିଳୁଥିଲା । ଛୋଟ ଝୁରୀ, ବଡ଼ ଝୁରୀ ଯେନ୍ତା ବଲବ ମିଲୁଥିଲା । ସେ ସବୁ ଝୁରୀ ଆଉ ନାଇଁ ମିଲବାର୍ । ସବୁ ଖେତମାନକେ ମିଳୁଥିଲା, ଆରୁ ଖେତେ ପତର୍ଥି ଲୁଣ ହଳଦି ଦେଇ ଜୁଏ ଥି ପୁର୍ଗି  (ପୁଡ଼େଇ) କରି ଖାଉଥିଲେ । ଏଭେ ସବୁ ନାଇ ହେବାର । ମାଛକେ ବେସାର୍, ମସଲା ଦେଇ କରି ପୁଡ଼ାଇ କରି, ଭଜା କରି କରି ଖାଉଥିଲେ ।

୭) ଗଉଁତିଆ, ସାହୁକାରମାନଙ୍କୁ ଛାଡ଼ି ନେଲେ, ସାଧାରଣ ଲୋକମାନେ ସବୁ ଦିନ ପଖାଲ ଭାତ, ଶାଗ, ଛୁରୀଛୁରା ମାରି କରି ଖାଉଥିଲେ।

୮) ଆଗର ଖାଇବାଟାକେ ଏହାଚିନିଟା ନାଇଁପାରେ । ଏଭର ଖାଇବା ଆଗର ମିତାଲ୍ ସୁଆଦ ନାଇଁ ଲାଗବାର । ଟୋ ଖାଇଲେ ଦେହିକେ ବଲ ଦେଉଥିଲା । ଏହାଚିନି ଖାଲି ସାର ଆଉ ଉସୋ ଖାଉଛୁ ଆଉ ବେମାରେ ପଡୁଛୁଁ।

୯) ଏହି ଚିନି ଆଗର ଖାଦ୍ୟ ରାନ୍ଧି ନାଇଁ ହଏ । କେଭେ ବି ନାଇଁ ପାରନ୍ । ମାଟି ମହାଡ଼ି ପାତ୍ଲି, ଚୁଲି ସିନେ ମିଲବା, ହେଲେ ସେ ତୁନଶାଗ (ପନିପରିବା), ତେଲ ହଲଦି ନାଇଁ ମିଲେ, ସବୁ ଥି ତ ସାର ଆଉ ଉସୋ ଖାଲି । ଥୁଡ଼େ ଆଗର ମିତାଲ ସୁଆଦ୍ କରବା । ଲୁକେ ଚାହେଁଲେଁ ହେଇପାରେ ।

ଆଜିକାଲିର ଖାଦ୍ୟ ସମ୍ପର୍କରେ ଆଲୋଚନା କଲାବେଳେ ଆଗର ଖାଦ୍ୟ ବହୁମାତ୍ରାରେ ଲୋପପାଇଯାଇଛି ଏକଥା ଅନୁମାନ କରିହୁଏ । ଆଜିକାଲି ବିଦେଶୀ ସଂସ୍କୃତିର ପ୍ରଭାବ କେବଳ ଲୁଗାପଟା କିମ୍ବା ନାଚଗୀତ, ସିନେମାରେ ପଡ଼ିନାହିଁ ବରଂ ଏହାସହ  ବିଦେଶୀ ଖାଦ୍ୟର ବହୁଳ ବ୍ୟବହାର ହେଉଛି । ଏହି ପରିସ୍ଥିତିରେ ସେହି ପୁରାତନ ଖାଦ୍ୟ ସଂସ୍କୃତି ଖୋଜିବାର ପ୍ରୟାସ କଲେ ମଧ୍ୟ ଖୋଜିବା ବିଫଳ ହୋଇଛି । କହିବାପାଇଁ ଲୋକ ମିଳୁନାହାଁନ୍ତି । ସେପରି ଖାଦ୍ୟ ରାନ୍ଧିବାକୁ ଚାହିଁଲେ ସେପରି ପଦ୍ଧତିରେ ରାନ୍ଧିଲେ ବି ଖାଦ୍ୟର ସ୍ୱାଦ ସେପରି ମିଳିପାରୁ ନାହିଁ । କାରଣ ଲୁଣଠୁ ଆରମ୍ଭ କରି ପ୍ରତ୍ୟେକ ଜିନିଷରେ ଅପମିଶ୍ରଣ କରାଯାଉଛି । ଚାଷରୁ ଉତ୍ପାଦନ କରାଯାଉଥିବା ପ୍ରତ୍ୟେକ ଖାଦ୍ୟଶସ୍ୟରେ ଏତେ ମାତ୍ରାରେ ରାସାୟନିକ ସାର ଓ ଔଷଧର ପରିମାଣ ପ୍ରୟୋଗ କରାଯାଉଛି ଯେ ଖାଦ୍ୟର ପ୍ରକୃତ ସ୍ୱାଦ ମିଳିବା କଷ୍ଟ ହେଉଛି । ଅତ୍ୟଧିକ ରାସାୟନିକ ସାର ଓ ଔଷଧର ପରିମାଣ ଯୋଗୁ ଏବେ ଶୁଭାଯାଉଛି ବରଗଡ଼ ଜିଲ୍ଲା କ୍ୟାନସର ରୋଗରେ ଦ୍ୱୀତୀୟ ସ୍ଥାନରେ ଅଛି ।

Photo credit- https://bit.ly/2R9k0Ev

https://bit.ly/3gQHuJH

About ରୀମା ସାହୁ

Avatar

Check Also

ପରମ୍ପରାଟା ଯଦି ଉନ୍ନତ ଚିନ୍ତନର ବିରୋଧୀ ହୁଏ?

ଭଗବତ ପ୍ରସାଦ ଜଣେ ପ୍ରଗତିଶୀଳ ବୁଦ୍ଧିଜୀବୀ ଯିଏକି 2019 ମସିହାରେ ମୃତ୍ୟୁବରଣ କରିଛନ୍ତି । ସମଧ୍ୱନି ସହିତ ଧାରାବାହିକ ଭାବେ …

Leave a Reply

Your email address will not be published. Required fields are marked *