Home / ଦୃଶ୍ୟ ଓ ଶ୍ରାବ୍ୟ / ପଦମପୁର ଅଂଚଳ କଲେଜରେ : ‘ଗଁଡ଼ାବଜା’ ସଂପାନ

ପଦମପୁର ଅଂଚଳ କଲେଜରେ : ‘ଗଁଡ଼ାବଜା’ ସଂପାନ

୨୦୧୯ ଡ଼ିସେମ୍ବର ୮ତାରିଖରେ “ଗଁଡ଼ାବଜା”କୁ ପ୍ରସଙ୍ଗ କରି ଏକ ଜାତୀୟ ସଂପାନ ବରଗଡ଼ ଜିଲ୍ଲା, ପଦମପୁର ଅଂଚଳ କଲେଜରେ ଅନୁଷ୍ଠିତ ହୋଇଯାଇଛି ।

ପଦମପୁରର ‘ଦ ଲୁ’ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଏହି ସଂପାନରେ ଓଡ଼ିଶାର ବିଶିଷ୍ଟ ବୁଦ୍ଧିଜୀବୀ, ସଂସ୍କୃତି ପ୍ରେମୀ ସମ୍ବେଦନଶୀଳ କଳାପ୍ରେମୀ ମଣିଷ, ଗଁଡ଼ାବଜାର କଳାକାର ତଥା ଅଞ୍ଚଳ କଲେଜର ଛାତ୍ର ଓ ଛାତ୍ରୀମାନେ ବହୁସଂଖ୍ୟାରେ ଯୋଗ ଦେଇଥିଲେ ।

ଅନେକ ଦୃଷ୍ଟିରୁ ‘ଦ ଲୁ’ ଦ୍ୱାରା ଆୟୋଜିତ ଏହି ସଂପାନଟି ଥିଲା ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ଏବଂ ସମୟୋପଯୋଗୀ ।

ସଂପାନର ଆୟୋଜକ ‘ଦ ଲୁ’ର ସମ୍ପାଦକ ବିଶିଷ୍ଟ ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ(ଚଳିତବର୍ଷ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କୃତ) କେଶରଞ୍ଜନ ପ୍ରଧାନ ଜାତୀୟ ସଂପାନର ଭିତ୍ତିପତ୍ର ଉପସ୍ଥାପନ କରି ଗଁଡ଼ାବଜାର ଐତିହାସିକ ଗୁରୁତ୍ତ୍ୱ ସମ୍ପର୍କରେ ଆଲୋକପାତ କରିବା ସହିତ ସାଂସ୍କୃତିକ ଆଧିପତ୍ୟ ଓ ଗଁଡ଼ାବଜା କ୍ଷେତ୍ରରେ ଏହାର ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ।

ସେ ନଜର ଏହି ଆଲୋଚନା ଆରମ୍ଭ ପୂର୍ବରୁ ସୁନାମଧନ୍ୟ କବି ପଦ୍ମଶ୍ରୀ ହଳଧର ନାଗଙ୍କର ଗଁଡ଼ାବଜା ଉପରେ ଏକ ଭିଡ଼ିଓ ଡ଼କ୍ୟୁମେଣ୍ଟ ଦର୍ଶକଙ୍କୁ ଦେଖାଇ ପଶ୍ଚିମ ଓଡ଼ିଶାର ଜନଜୀବନରେ ଗଁଡାଵଜାର ଗୁରୁତ୍ୱ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ‘ସମଧ୍ୱନି’ର ବାରମ୍ବାର ଉଦ୍ୟମ ଓ ଅନୁରୋଧ କ୍ରମେ ଉକ୍ତ ସଂପାନର ଆୟୋଜନ ସମ୍ଭବ ହୋଇପାରିଛି ବୋଲି ମଧ୍ୟ କେଶରଞ୍ଜନ ପ୍ରଧାନ ‘ସମଧ୍ୱନି’ର ସମ୍ପାଦକ ସ୍ୱୟଂପ୍ରଭା ପାଢ଼ୀଙ୍କୁ ବିଶେଷ ଧନ୍ୟବାଦ ପ୍ରଦାନ କରିଥିଲେ ।

ଏହି ସଂପାନକୁ ଉଦଘାଟନ କରି ଗଣିତ ପ୍ରତିଷ୍ଠାନ ଓ ପ୍ରୟୋଗ କେନ୍ଦ୍ରର ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରଫେସର ସ୍ୱାଧୀନାନନ୍ଦ ପଟ୍ଟନାୟକ କହିଥିଲେ ଯେ, ଗଁଡ଼ାବଜା ଭଳି ଏକ ପ୍ରାଚୀନ ବାଦ୍ୟକୁ ସୁରକ୍ଷା କରାଯିବାର ଜରୁରୀ ଆବଶ୍ୟକତା ରହିଛି ।

ଏହି ବାଦ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ନାମରେ ଓଡ଼ିଶାର ସଂସ୍କୃତି ସହିତ ଯୋଡ଼ିହୋଇ ରହିଆସିଛି । ପ୍ରତ୍ୟେକ ସ୍ଥାନରେ ଦଳିତମାନେ ହିଁ ବଜା ବଜେଇ ଓ ସାଂସ୍କୃତିକ ପରିବେଷଣ କରି ସଂସ୍କୃତିର ସୁରକ୍ଷା କରିଆସିଛନ୍ତି ।

ଏବେ ଆମେ କେମିତି ସେମାନଙ୍କୁ ସୁରକ୍ଷା ପ୍ରଦାନ କରିପାରିବା ସେ ବିଷୟଟି ଗୁରୁତ୍ତ୍ୱପୂର୍ଣ୍ଣ ।

ଏହି ଆଲୋଚନାରେ ପ୍ରଥମ ପ୍ରବନ୍ଧ ପାଠକରି କଲେଜର ପୁରାତନ ଛାତ୍ର ତଥା ବିଶିଷ୍ଟ ଯୁବ ସାହିତ୍ୟିକ କ୍ଷେତ୍ରବାସୀ ନାୟକ ଗଁଡ଼ାମାନଙ୍କୁ ନିବେଦନ କରିଥିଲେ ଯେ, ଆମେମାନେ ଯେଉଁମାନେ ବଜଉଛୁ ପ୍ରଥମେ ନିଜକୁ ଛୋଟ ଭାବିବା ନାହିଁ । ସଙ୍ଗୀତକୁ ସବୁବେଳେ ଦେବାଦେବୀମାନଙ୍କ ସହ ଯୋଡ଼ିବାର ପ୍ରୟାସ କରିବା ନାହିଁ, ସଙ୍ଗୀତ ହେଉଛି ପ୍ରକୃତିର ସୃଷ୍ଟି, ଭଗବାନ ସଙ୍ଗୀତ ସୃଷ୍ଟି କରିନାହାଁନ୍ତି ।

ତାଙ୍କର ଯୁକ୍ତି ଥିଲା ଯେ, ଲୋକକଳାର ପ୍ରୟୋଗ କରି ସରକାର ଦାଦନ ସମସ୍ୟା ରୋକିବାର ପ୍ରୟାସ ଗତ କିଛିଦିନ ତଳେ ଆରମ୍ଭ କରିଛନ୍ତି, ଗଁଡ଼ା କଳାକାରମାନଙ୍କୁ ଦାଦନ ଯିବାରୁ ରୋକିବାପାଇଁ ଲୋକକଳାର ପ୍ରୟୋଗ ଏକ ହାସ୍ୟାସ୍ପଦ କଥା ନୁହେଁ କି? ସରକାରୀ କାର୍ଯ୍ୟକ୍ରମକୁ ସମାଲୋଚନା କରି ସେ କହିଥିଲେ ଯେ, ଯଦି ସରକାର ଏହି କାର୍ଯ୍ୟକ୍ରମମାନଙ୍କ ପାଇଁ ବ୍ୟୟ ନକରି କଳାକାରମାନଙ୍କୁ ଭତ୍ତା ଦେଇପାରନ୍ତେ ହୁଏତ ଗଁଡ଼ା କଳାକାରମାନେ ପ୍ରକୃତରେ ଉପକୃତ ହୁଅନ୍ତେ ଏବଂ ଦାଦନ ଯିବା ବନ୍ଦ କରନ୍ତେ।

ଯେତେ ଗଁଡ଼ାବଜାର କଳାକାର ଅଛନ୍ତି ସମସ୍ତଙ୍କୁ କଳାକାର ମାନ୍ୟତା ମିଳିବା ଦରକାର ଓ ସେମାନଙ୍କୁ କଳାକାର ଭତ୍ତା ମିଳିବା ଦରକାର ବୋଲି ସେ ଦାବୀ କରିଥିଲେ ।

ବିଶିଷ୍ଟ ଜନବାଦୀ ସାମ୍ବାଦିକ ରାଜୀବ ସଗରିଆ ମଧ୍ୟ ତାଙ୍କର ପ୍ରବନ୍ଧରେ ଅନେକ ଐତିହାସିକ ତଥ୍ୟ ଉତ୍ଥାପନ କରିଥିଲେ । ତାଙ୍କର ଯୁକ୍ତି ଥିଲା ଯେ, ହଜାର ହଜାର ବର୍ଷର ଆଘାତ ଯେଉଁ ବଜାକୁ ନଷ୍ଟ କରିବାରେ ଅସମର୍ଥ ରହିଥିଲା, ଆଜିର ଦିନରେ ଏହାର ମୌଳିକତାକୁ ଅପହରଣ କରି ନାମକରଣ ଓ ବଜା ତିଆରିରେ ଆଧୁନିକରଣ କରିବାର ଯେଉଁ ଚକ୍ରାନ୍ତ ଚାଲିଛି ହୁଏତ ତାକୁ ପ୍ରତିହତ କରିନପାରିଲେ ଆମ ସଂସ୍କୃତିର ଏହି ଶେଷ ପରିଚୟଟିକୁ ଆମେ ହରାଇଦେବା ।

 ସମ୍ବଲପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରଫେସର ଗୋପିନାଥ ବାଗ୍ ଗଁଡ଼ାମାନଙ୍କର ନିଜସ୍ୱ ଭାଷା ଥିଲାବୋଲି ଏକ ଗୁରୁତ୍ତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ ଯାହା ଚର୍ଯ୍ୟାଗୀତରେ ଦେଖିବାକୁ ମିଳେ ବୋଲି ମଧ୍ୟ ଯୁକ୍ତି ଉପସ୍ଥାପନ କରିଥିଲେ ।

ସମ୍ବଲପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରଫେସର ନାକୁ ହାସଁଦା ମୟୂରଭଞ୍ଜରେ ଡ଼ମମାନଙ୍କୁ ପଶ୍ଚିମ ଓଡ଼ିଶାର ଗଁଡ଼ା ବୋଲି କହିଥିଲେ ଏବଂ ମୟୂରଭଞ୍ଜରେ ଡ଼ମମାନେ ଏକ ସମ୍ମାନୀୟ ସ୍ଥାନ ପାଇଆସିଛନ୍ତି ବୋଲି କହିଥିଲେ ।

ସବୁଠୁ ଅଧିକ ଭାବସ୍ପର୍ଶୀ ଥିଲା ନାଟ୍ୟକାର ଶିବଲାଲ ସାଗରଙ୍କର ବକ୍ତବ୍ୟ । ସେ ଆସିଥିଲେ ସୁଦୂର ଜାମସେଦପୁର ଟାଟାରୁ । ସେ ନିଜେ ଗଁଡ଼ା ସମ୍ପ୍ରଦାୟର ଜଣେ ଯୁବ କଳାକାର (ନାଟ୍ୟକାର) । ଟାଟା ଅଞ୍ଚଳରେ ରହୁଥିବା ହଜାର ହଜାର ଗଁଡ଼ା ସମ୍ପ୍ରଦାୟ ଅତ୍ୟନ୍ତ ଦୁର୍ଦ୍ଦିନରେ କଳାତିପାତ କରୁଛନ୍ତି ଏବଂ ଯେଉଁମାନଙ୍କୁ କୌଣସି ଜାତିର ମାନ୍ୟତା ଗଣତାନ୍ତ୍ରୀକ ସରକାର ଏଯାଏଁ ଦେଇନାହାଁନ୍ତି ବୋଲି ସେ ଗଭୀର ଦୁଃଖ ପ୍ରକାଶ କରିଥିଲେ ।

ଜାତିର ତାଡ଼ନା ଏବଂ ଆର୍ଥିକ ତାଡ଼ନାକୁ ସହି ହଜାର ହଜାର ବର୍ଷଧରି ଗଁଡ଼ାମାନେ ସଂସ୍କୃତିର ସୁରକ୍ଷା କରିଆସିଛନ୍ତି । ଆମ ସମାଜର ଏକ ମୌଳିକ ପ୍ରଶ୍ନ ଉତ୍ଥାପନ କରି ସେ କହିଥିଲେ, ଆଜି ଗଁଡ଼ା ଯେମିତି ପରିତ୍ୟକ୍ତ ଅବସ୍ଥାରେ ଗାଁରେ ଅଛି ଗାଁର ଗ୍ରାମ ଦେବତୀ ଠିକ୍ ସେମିତି ପରିତ୍ୟକ୍ତ ହୋଇ ଗାଁ ମୁଣ୍ଡରେ ପଡ଼ି ରହିଛନ୍ତି ।

ଗଁଡ଼ା ନୁହଁ ଆମ ସମାଜ ପ୍ରକୃତି ସହିତ ଖେଳୁଛି ବୋଲି କହିଥିଲେ ନାଟ୍ୟକାର ଶିବଲାଲ ସାଗର । ନିଜର ଭାବୋଦ୍ଦିପକ ବକ୍ତବ୍ୟରେ ଗଁଡ଼ା ସମ୍ପ୍ରଦାୟ ତରଫରୁ ଏକ ବିଦ୍ରୋହର ଡ଼ାକରା ମଧ୍ୟ ଦେଇଥିଲେ ଯେ; “ଆମକୁ ତମେ ସମ୍ମାନ ଦିଅ ଆମେ ତୁମ ସଂସ୍କୃତିକୁ ବଞ୍ଚେଇବୁ”।

ସମଗ୍ର ଆଲୋଚନା ଥିଲା ଗଁଡ଼ା ସମ୍ପ୍ରଦାୟ ଓ ସଂସ୍କୃତିର ସୁରକ୍ଷାପାଇଁ ବିଭିନ୍ନ ଦୃଷ୍ଟିଭଙ୍ଗୀରୁ ଯୁକ୍ତି ଓ ତଥ୍ୟର ଏକ ସମାହାର । ଉକ୍ତ ଆଲୋଚନାରେ ଅଧ୍ୟକ୍ଷତା କରି ବିଶିଷ୍ଟ ସାମ୍ବାଦିକ ସୁଧୀର ପଟ୍ଟନାୟକ ରାଜ୍ୟ ସରକାରଙ୍କ ଅବୁଝାମଣାକୁ ଦୃଷ୍ଟାନ୍ତ ଦେଇ କହିଥିଲେ ଯେ, ସରକାରଙ୍କର ସଂସ୍କୃତି ସମ୍ପର୍କିତ ଜ୍ଞାନ କେବଳ କମ ତାହା ନୁହଁ, ବୁଝିବାପାଇଁ ମାନସିକ ପ୍ରସ୍ତୁତି ମଧ୍ୟ ପ୍ରଶାସକମାନଙ୍କର ନାହିଁ ।

ବାରମ୍ବାର ଲୋକକଳାର ସୁରକ୍ଷାପାଇଁ ବିଭିନ୍ନ ସମୟରେ ସେ ସଂସ୍କୃତି ବିଭାଗରେ ବଡ଼ ବଡ଼ କର୍ମକର୍ତ୍ତାମାନଙ୍କୁ ବିଭିନ୍ନ ଅଂଚଳ ଭିତ୍ତିକ ଗବେଷଣା ଓ ପ୍ରୟୋଗ କେନ୍ଦ୍ରମାନ ଖୋଲିବାପାଇଁ ଅନୁରୋଧ କରିଥିଲେ ବି ଆଜିଯାଏ କେହି ତାଙ୍କ ପରାମର୍ଶକୁ ଗ୍ରହଣ କରିବାତ ଦୂରର କଥା ବୁଝିବାରେ ଅକ୍ଷମ ରହିଛନ୍ତି । ସେ ଦୁଃଖ ପ୍ରକାଶ କରିଥିଲେ ଯେ ସରକାରଙ୍କ ବଡ଼ ବଡ଼ କର୍ମକର୍ତ୍ତା ମାନଙ୍କ ଅବୁଝାମଣା ଯୋଗୁଁ ସଂସ୍କୃତି ବିପର୍ଯ୍ୟୟ ଆଡ଼କୁ ଯାଉଛି ତଥାପି ଆମେ ପ୍ରୟାସ କରିବା ଗଁଡ଼ାବଜାକୁ କେମିତି ବଞ୍ଚାଇ ରଖାଯାଇପାରିବ ।

ସମଗ୍ର ଆଲୋଚନାର ଶେଷ ଅଭିଭାଷଣ ତଥା ଧନ୍ୟବାଦ ପ୍ରଦାନ ସମୟରେ ସମଧ୍ୱନିର ସମ୍ପାଦକ ସ୍ୱୟଂପ୍ରଭା ପାଢ଼ୀ ପୁଣିଥରେ ମନେପକାଇବା ପାଇଁ ଚାହିଁଥିଲେ ସମଧ୍ୱନି ଇ- ପତ୍ରିକାର ୨୦୧୯ ମାର୍ଚ୍ଚ ୧୦ ତାରିଖରେ ‘ନିଷ୍ପେଷିତଙ୍କ ସଙ୍ଗୀତ’ ଆଲୋଚନାରେ ପ୍ରଫେସର ବୀରେନ୍ଦ୍ର ନାୟକଙ୍କ ଶେଷ ବାର୍ତ୍ତାଟିକୁ ; ‘ଗଡ଼ାଁବଜା ନିଶ୍ଚୟ ବଞ୍ଚିବ ହେଲେ ଗଁଡ଼ାମାନେ ବଞ୍ଚିରହିବେ କି’? ଚାଷର ଉଦାହରଣ ଦେଇ ବୀରେନ୍ଦ୍ର ନାୟକ ସେଦିନ କହିଥିଲେ ସମଗ୍ର ବିଶ୍ୱରେ ଚାଷ ଏବେବି ବଞ୍ଚିଛି ହେଲେ ଚାଷୀ ବଞ୍ଚିଛି କି ନାହିଁ କାହାର ନିଘା ନାହିଁ ।

ସମଧ୍ୱନିର ସମ୍ପାଦକ ସ୍ୱୟଂପ୍ରଭା ପାଢ଼ୀ ନିଜ ବକ୍ତବ୍ୟରେ  ଆଶ୍ଚର୍ଯ୍ୟ ପ୍ରକଟ କରି କହିଥିଲେ ଯେ, ବିଶ୍ୱରେ ହୁଏତ ଏହି ଗଁଡ଼ାବଜା ସର୍ବପୁରାତନ ଓ ସର୍ବପ୍ରଥମ ଶାସ୍ତ୍ରୀୟ ବାଦ୍ୟର ମାନ୍ୟତା ପାଇବାକୁ ଯୋଗ୍ୟ ହୋଇପାରେ ଯାହା ଗବେଷଣା ସାପେକ୍ଷ, ଅଥଚ ଆମ ରାଜ୍ୟରେ ଏହି କଳାକୁ ଲୋକକଳା ବୋଲି ମଧ୍ୟ ମାନ୍ୟତା ମିଳିପାରିନାହିଁ କାହଁକି? ଗଁଡ଼ାମାନଙ୍କ ସମସ୍ୟାକୁ ‘ସମଧ୍ୱନି’ ପ୍ରାଥମିକତା ଦେଇ ଲଗାତର ଉତ୍ଥାପନ କରିବ ଏବଂ ଏହି ସମସ୍ୟା କେମିତି ଓଡ଼ିଶାରେ ଜନମାନସକୁ ଆନ୍ଦୋଳିତ କରିବ ସେଥିପାଇଁ ‘ସମଧ୍ୱନି’ ପ୍ରୟାସ ଜାରୀରଖିବ ବୋଲି ସେ ଏହି ସଂପାନରେ ଘୋଷଣା କରିଥିଲେ ।

ଏହିଭଳି କିଛି ଭାବୋଦ୍ଦିପକ ଆଲୋଚନା ମଧ୍ୟରେ ଆଲୋଚନା ଶେଷ ହୋଇଥିଲା । ତା’ପରେ ଆରମ୍ଭ ହୋଇଥିଲା ଗଁଡ଼ାବଜାର ପ୍ରସ୍ତୁତି ପ୍ରକ୍ରିୟାର ଏକ ପ୍ରଦର୍ଶନୀ । ଘାସି ସମ୍ପ୍ରଦାୟର କାରୀଗର ଓ କଳାକାରମାନେ କେମିତି ଚମଡ଼ାରୁ ଓ କାଠରୁ ଏହି ବାଦ୍ୟ ପ୍ରସ୍ତୁତ କରୁଛନ୍ତି ତାହାର ବିଶେଷ ପ୍ରଦର୍ଶନ ବ୍ୟବସ୍ଥା କରାଯାଇଥିଲା, ଯେଉଁଠି ସେମାନେ ବାଦ୍ୟର ପ୍ରସ୍ତୁତିକୁ ଗୋଟି ଗୋଟି କରି ବୁଝଉଥିଲେ । ବାଦ୍ୟର ପ୍ରସ୍ତୁତି ସମ୍ପର୍କିତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ କିଛି କାରୀଗର ଯେମିତିକି, ମାଣ୍ଡିଆଡ଼ିହି ଗାଁ’ରୁ କର୍ମୁ ସିନ୍ଧୁ, ଦେଓଲି ଗାଁ’ରୁ ଦୁର୍ଯ୍ୟୋଧନ ଗୁର୍ଲା, କଣ୍ଡୁମୁଣ୍ଡା ଗାଁ’ରୁ ହେମସାଗର ଦୀପ୍, ସାଂକ୍ରି ଗାଁ’ରୁ ନୀଳମଣି ପାତ୍ର ଆଦି କାରୀଗରମାନେ ।

 

ତା ପରେ ପରେ ଆରମ୍ଭ ହୋଇଥିଲା ଗଁଡ଼ା କଳାକାରମାନଙ୍କ ଦ୍ୱାରା ଗଁଡ଼ାବଜାର ପ୍ରଦର୍ଶନ । ଅତ୍ୟନ୍ତ ଅଭିନବ ଓ କଳାକୌଶଳରେ ପରିପୂର୍ଣ୍ଣ ଏହି ଗଁଡ଼ା କଳାକାରମାନଙ୍କର ବାଦ୍ୟ ବଜାଇବାର ଯାଦୁ ସମସ୍ତ ଦର୍ଶକଙ୍କୁ ସ୍ତମ୍ବିଭୂତ କରିଚାଲିଥିଲା । ଭେଦବାହାଲ, ମୁଡ଼ମହୁଲ, ରାମେଡ଼େଗା, ଧୁମବେମା ଆଦି ୪ଟି ଗାଁ’ର କଳାକାର ତଥା ଅନ୍ୟାନ୍ୟ ବୟସ୍କ ନୀପୁଣ କଳାକାରମାନେ ବିଭିନ୍ନ ଅଞ୍ଚଳରୁ ଆସି ଗଁଡ଼ାବଜାର ପ୍ରଦର୍ଶନରେ ଯୋଗ ଦେଇଥିଲେ ।

ସକାଳର ଜଳଖିଆ ଠାରୁ ମଧ୍ୟାହ୍ନ ଭୋଜନ, ସଂଧ୍ୟାର ଚା’ ସବୁଠି କଳାକାର ଓ କଳକାରିତାର ଯାଦୁ ବାରିହେଉଥିଲା ଏହି ସଂପାନରେ। ଅଂଚଳ କଲେଜ ଛାତ୍ରମାନେ ମଧ୍ୟ ଏକ ଗଁଡାଵଜାର ପ୍ରଦର୍ଶନ ପ୍ରସ୍ତୁତ କରିଥିଲେ ଓ ଅନେକ କଲେଜ ଛାତ୍ର ଓ ଛାତ୍ରୀମାନେ ଏହାର ତାଳସହ ତାଳଦେଇ ନୃତ୍ୟ କରିବା ଆରମ୍ଭ କରିବାରୁ ସମଗ୍ର ପରିବେଶ ନୃତ୍ୟମୟ ହୋଇଉଠିଥିଲା। ସଂପାନରେ ଯୋଗଦେଇଥିବା ସମସ୍ତ ବ୍ୟକ୍ତି ଗଁଡାଵଜାର ତାଳସହ ତାଳଦେଇ ନାଚିବା, ଝୁମିବାର ମନୋରମ ଦୃଶ୍ୟ ଏହି ସଂପାନର ଉଦଜାପନୀକୁ ରଙ୍ଗୀନ କରିଦେଇଥିଲା।

ଗଁଡ଼ାବଜାକୁ ହଜାର ହଜାର ବର୍ଷ ଧରି ସମସ୍ତ ପ୍ରକାର ସାମାଜିକ ତାଡ଼ନା, ଜାତିଗତ ବୈଷମ୍ୟ, ଭେଦଭାବ, ଆର୍ଥିକ ଅନାଟନ ଭିତରେ ଗଁଡ଼ା ସମ୍ପ୍ରଦାୟ ଯେଭଳି ଭାବରେ ମା’ପରି ପୂଜାର୍ଚ୍ଚନା କରି ବଂଚାଇ ରଖିଛନ୍ତି ସେହି ଗଁଡ଼ାବଜା ନିଶ୍ଚୟ ଭବିଷ୍ୟତରେ ବଂଚିବ, ତାକୁ ବଡ଼ ବଡ଼ ସହରର ଆଲୋକପୂର୍ଣ୍ଣ ଚକମକିଆ ମଣ୍ଡପ, ସରକାରୀ ପରବ, ମହୋତ୍ସବମାନେ ବଞ୍ଚାଇ ରଖିବେ ହେଲେ ସେଥିରେ ଗଁଡ଼ା ସମ୍ପ୍ରଦାୟ ବଂଚିପାରିବେ କି? ଆଜି ଭାରତବର୍ଷର ସାଧାରଣ ମଣିଷ ଯେଉଁଭଳି ଅତ୍ୟାଚାର ଓ ସାମାଜିକ ଉତ୍ପିଡ଼ନ ଭିତରେ ଗତି କରୁଛନ୍ତି, ଏହିଭଳି ଘଡ଼ିସନ୍ଧି ସମୟରେ ଅତୀତରେ ଇଂରେଜ ଶାସନ କାଳରେ ଯେଉଁବାଦ୍ୟକୁ ଅପରାଧୀ ବାଦ୍ୟ (୧୯୪୭, କୋରାପୁଟ ଗେଜେଟିୟର) ବୋଲି ବିଭିନ୍ନ ସ୍ଥାନରେ ଘୋଷଣା କରାଯାଇଥିଲା, ସେହିଭଳି ଏକ ପୁରାତନ ଶାସ୍ତ୍ରୀୟ ବାଦ୍ୟ ଓ ସଙ୍ଗୀତକୁ ବର୍ତ୍ତମାନ ନୂଆ ସମସ୍ୟାମାନଙ୍କ ଭିତରେ ବଂଚାଇ ରଖିବା କ’ଣ ଗଁଡ଼ାବଜାର ସୁରକ୍ଷାପାଇଁ ଅଣ୍ଟା ଭିଡ଼ିଥିବା ସମ୍ବେଦନଶୀଳ ସଂସ୍କୃତିପ୍ରେମୀ ମଣିଷମାନଙ୍କପାଇଁ ଏକ ବିରାଟବଡ଼ ଆହ୍ୱାନ ନୁହେଁ କି?- ସମ୍ପାଦକ

About ଲକ୍ଷ୍ମୀଧର ମୁର୍ମୁ

ଲକ୍ଷ୍ମୀଧର ମୁର୍ମୁ

Check Also

Featured Video Play Icon

୨୦୨୦ ବିଶ୍ବ ନାଟ୍ୟ ଦିବସର ବାର୍ତ୍ତା

ବିଶ୍ବ ନାଟ୍ୟ ଦିବସରେ ଓଡିଶାର ସୁନାମଧନ୍ୟ ନାଟ୍ୟ ନିର୍ଦ୍ଦଶକ କେଶରଞ୍ଜନ ପ୍ରଧାନ ଉପସ୍ଥାପନା କରିଛନ୍ତି ପାକିସ୍ଥାନର ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ …

3 comments

  1. Avatar

    Beautiful presentation
    Namaskar

  2. Avatar
    ଓଡିଶା କ୍ରିଏଟିଭ ଗ୍ରୁପ

    Excellent work…

Leave a Reply

Your email address will not be published. Required fields are marked *