Home / ବ୍ୟକ୍ତି ଓ ବ୍ୟକ୍ତିତ୍ୱ / ପଣ୍ଡିତ ଘାସିରାମ ମିଶ୍ରଙ୍କ ସହ ସାକ୍ଷାତକାର

ପଣ୍ଡିତ ଘାସିରାମ ମିଶ୍ରଙ୍କ ସହ ସାକ୍ଷାତକାର

କଳାଶ୍ରୀ ଗୁରୁଶ୍ରୀ  ପଣ୍ଡିତ ଘାସିରାମ ମିଶ୍ର ଓଡ଼ିଶାର ବରପୁତ୍ରଭାବରେ ସମଗ୍ର ଦେଶରେ ଚର୍ଚ୍ଚିତ । ଦୀର୍ଘ ପଚାଶବର୍ଷର ସାଧନା ପରେ ବି ସେ ଥକିପଡ଼ି ନାହାଁନ୍ତି ନିଜର ସାଧନାର ପଥରେ। ୧୯୪୫ ମସିହା ମଇମାସ ୬ ତାରିଖରେ ବଲାଙ୍ଗୀର ଜିଲ୍ଲାର ରାଧାରାଣୀ ପଡ଼ାରେ ଜନ୍ମ ନେଇଥିଲେ ଏହି ମହାନ କଳାକାର। ବାପା ଶ୍ରୀ ବିଶ୍ୱମ୍ବର ମିଶ୍ର ଥିଲେ ଜଣେ କଳାକାର । ପିଲାଟି ଦିନରୁ ସାଙ୍ଗୀତିକ ପରିବେଶ ଭିତରେ ନିଜକୁ ଗଢ଼ିବାର ସୁଯୋଗ ପାଇଥିଲେ ଗୁରୁଶ୍ରୀ ଘାସିରାମ ମିଶ୍ର।  ଏହି ମହାନ ସାଧକ ଶାସ୍ତ୍ରୀୟ ବାଦ୍ୟ ଏବଂ ନୃତ୍ୟରେ ଶିକ୍ଷାଲାଭ ପରେ ସମ୍ବଲପୁରୀ ଲୋକକଳା ବାଦ୍ୟ କ୍ଷେତ୍ରରେ ଅଗାଧ ପାଣ୍ଡିତ୍ୟ ଅର୍ଜନ କରିଛନ୍ତି  ଯାହା ଉପରେ ସେ ଏବେବି ଗବେଷଣା ଜାରିରଖିଛନ୍ତି। ନିକଟରେ ତାଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ମିଳିଛି ।  ନିଜ ଜୀବନର ଦୀର୍ଘ ୫୦ବର୍ଷ ଲୋକକଳା ସଂସ୍କୃତିର ପୁନଃରୁଦ୍ଧାର ପାଇଁ ଉତ୍ସର୍ଗ କରିଥିବା ସାଧକଙ୍କୁ ଏହି ସାକ୍ଷାତକାର ମାଧ୍ୟମରେ ପ୍ରକାଶ କରିବାର ପ୍ରଚେଷ୍ଟା ଆମର ଧୃଷ୍ଟତା ହୋଇପାରେ । କିନ୍ତୁ ଓଡ଼ିଶାର ଯୁବ କଳାକାରମାନଙ୍କ ଭିତରେ ଗବେଷଣା ମନୋବୃତ୍ତି ସୃଷ୍ଟି କରିବା ପାଇଁ  ପଣ୍ଡିତ ମହାଶୟଙ୍କ ନିକଟରୁ ଏହି ସାକ୍ଷାତକାର ସଂଗ୍ରହ କରାଯାଇଛି। ଯୁଧିଷ୍ଠିର ମେହେର  ଯିଏକି  ଜଣେ ସାମ୍ବାଦିକ ଅଟନ୍ତି ଏହି ସାକ୍ଷାତକାରଟିକୁ ସଂଗ୍ରହ କରିଛନ୍ତି । ଆମର ଆଶା ଓଡ଼ିଶାର କଳାକାରମାନେ ଏହିଭଳି ସାଧକମାନଙ୍କର ପଥ ଅନୁସରଣ କରିବେ ଏବଂ ଓଡ଼ିଶାର କଳା ଓ ସଂସ୍କୃତିକୁ ସମୃଦ୍ଧ କରିବା ପାଇଁ ଗବେଷଣାରେ ମନୋନିବେଶ କରିବେ ।              – ସମ୍ପାଦକ

ପ୍ର- ଆପଣ କାହିଁକି କଳାପ୍ରତି ଆକୃଷ୍ଟ ହେଲେ?  ଏଥିପାଇଁ କାହାଠାରୁ ଅଧିକ ପ୍ରେରଣା ପାଇଥିଲେ?

ଉ – ଆଧ୍ୟାତ୍ମ ପରିବେଶ ଭିତରେ ଆମ ପରିବାର ଗଢ଼ା । ଘରେ କେଉଁ ପୂର୍ବପୁରୁଷରୁ ଶ୍ରୀ ରାଧାକୃଷ୍ଣ ଯୁଗଳ ମୂରତି ଉପାସନା ହୋଇ ଆସୁଛି । ପ୍ରତ୍ୟହ ସନ୍ଧ୍ୟା ଆରତିରେ ଘଣ୍ଟ, ଶଙ୍ଖ, ମୃଦଙ୍ଗ ବାଜେ । ବାପା ମଧ୍ୟ ଟିକିଏ ମୃଦଙ୍ଗ ବଜାଉଥିଲେ । ପ୍ରଥମ ପ୍ରେରଣା ମୋ ସ୍ୱର୍ଗତ ପିତା,ମାତା ସ୍ୱର୍ଗତ ବିଶ୍ୱମ୍ଭର ମିଶ୍ର ଓ ସୁଶିଳା ଦେବୀଙ୍କ ଠାରୁ ପାଇଛି । ଆମ ପଡ଼ାର ନାଁ ରାଧାରାଣୀ ପଡ଼ା ପୁନଃ ଆମ ଘର ସଂଲଗ୍ନ ଘରରେ ନିତ୍ୟ ରାଧାରାଣୀ କିର୍ତ୍ତନ ପାର୍ଟି ଦ୍ୱାରା ଗୌଡ଼ିୟ ପରମ୍ପରା ହେଉଥିଲା । ଘର ସମ୍ମୁଖରେ ମୋର କାକା ପୂର୍ବତନ ମନ୍ତ୍ରୀ ଡଃ ରାମ ପ୍ରସାଦ ମିଶ୍ରଙ୍କ ଘରେ ମୋର ଦୁଇ ବଡ଼ଭଉଣୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରୁଥିଲେ । ସେହିସବୁ ଜନ୍ମରୁ କାନରେ ପଡ଼ି ପଡ଼ି ସ୍ୱତଃ ସଙ୍ଗୀତ ପ୍ରତି ଆକୃଷ୍ଟ ହେଲି । ପରେ କୋଶଳ କଳାମଣ୍ଡଳରେ ସ୍ୱର୍ଗତ ଗୁରୁ ଶ୍ରୀ ଚିତ୍ତରଞ୍ଜନ ସାହାଣୀଙ୍କ ଆଶ୍ରୟରେ ଶାସ୍ତ୍ରୀୟ ତବଲା ବାଦନ ଶିକ୍ଷା କଲି । ସେତେବେଳେ ମୋର ସୌଭାଗ୍ୟ ସ୍ୱର୍ଗତ କ୍ଷେତ୍ରମୋହନ କର ଶ୍ରୀ ଧିରେନ୍ଦ୍ର ନାଥ ଦତ୍ତ, ଶ୍ରୀ ନନ୍ଦନିଧି ଧଳ, ଶ୍ରୀ ନାରାୟଣ ଦାସ ସ୍ୱର୍ଗତ ନଟବର ମହାରଣା ପ୍ରମୁଖ ଓଡ଼ିଶାର ଲବ୍ଧ ପ୍ରତିଷ୍ଠ ସଙ୍ଗୀତଜ୍ଞ ଗୁରୁମାନଙ୍କ ମାର୍ଗଦର୍ଶନ ମିଳିଲା ।

ପ୍ର – କେତେ ବୟସରୁ କଳାଶିକ୍ଷାରେ ବ୍ରତି ହେଲେ?

ଉ- ପ୍ରାୟଃ ମୋର ବୟସ ଶୁଣିବା ଅନୁସାରେ ୩ରୁ ୫ବର୍ଷ ଭିତରେ ହୋଇଥିବି ।

ପ୍ର- ଆପଣ ପ୍ରଥମ ମଞ୍ଚ ପରିବେଷଣ ବେଳେ କିପରି ଅନୁଭବ କରିଥିଲେ?

ଉ – ୧୯୬୫ସାଲରେ ଗୋଟିଏ ଜିଲ୍ଲାସ୍ତରୀୟ ତବଲା ପ୍ରତିଯୋଗିତା ହେଉଥାଏ। ହଲ୍ ରେ ଲୋକ ପୂର୍ଣ୍ଣ। ମୋ ପାଳି ଆସିଲା ବେଳେ ଭୟରେ ଛାତି ଦୋହଲି ଯାଉଥାଏ । ଝାଳନାଳ ହୋଇ ପ୍ରଥମ ତବଲା ଲହରା ବାଦନ କଲି ଏବଂ ଭାବିଥିଲି କିଛି ହେବାର ନାହିଁ, କିନ୍ତୁ ଫଳ ଘୋଷଣା ହେଲା ଯେ ମୁଁ ପ୍ରଥମ ସ୍ଥାନ ଅଧିକାର କରିଛି । କରତାଳିରେ ହଲ୍ ଗର୍ଜିଉଠିଲା । ଭିତରେ ଭିତରେ ମାତାପିତା ଗୁରୁଙ୍କୁ ପ୍ରଣାମ କରି କୁଣ୍ଡେମୋଟ ହୋଇଗଲି ଏବଂ ବିଶ୍ୱାସ ଜନ୍ମିଲା ଯେ ମୁଁ ଠିକ୍ ମାର୍ଗରେ ଶିକ୍ଷାଗ୍ରହଣ କରୁଛି । ତେଣିକି ଦିନକ ଆଠଘଣ୍ଟା ଅଭ୍ୟାସ ଭାରତର ବିଭିନ୍ନ ଗୁରୁମାନଙ୍କ ଆଶ୍ରୟରେ ମାର୍ଗଦର୍ଶନ ଲାଭକଲି, ଆଗେଇ ଗଲି । ତା ପରେ କଣ୍ଠସଙ୍ଗୀତ ନୃତ୍ୟର ବ୍ୟାକରଣ ଅନୁଧ୍ୟାନ ପ୍ରାୟତଃ ଅର୍ଣ୍ଣପୂର୍ଣ୍ଣା ବଲାଙ୍ଗୀର ଆସୁଥାଏ ତହିଁରେ ସ୍ୱର୍ଗତ ପଦ୍ମ ବିଭୂଷଣ ଗୁରୁଜୀ କେଳୁଚରଣ ମହାପାତ୍ରଙ୍କ ପାଇଁ ଓଡ଼ିଶୀ ନୃତ୍ୟ ଆଦୃତ ହେଉଥାଏ ତାହା ପ୍ରତି ଟାଣିହୋଇ ସେ ଦିଗରେ ଗୁରୁ ମହାପାତ୍ର ଓ ଗୁରୁ ନଟବର ମହାରଣାଙ୍କ ଆଶିଷ ପ୍ରାପ୍ତି ହେଲା ନିର୍ଭୟରେ ଆଗକୁ ଯିବାପାଇଁ ।

ଗୋଟିଏ ଦିନ ଏପରି ଏକ ସଭାରେ ଏ ଅଞ୍ଚଳର ଲୋକକଳାକୁ କିଛି ପୂର୍ବାଞ୍ଚଳ ବିଦ୍ୱାନ ଏହା ଏକ କୁସଂସ୍କାର ଭିତ୍ତିହୀନ ଅନାର୍ଯ୍ୟ ସଂସ୍କୃତି ବୋଲି ଗାଳିକରିବାରୁ ଶାସ୍ତ୍ରୀୟ ପରିବର୍ତ୍ତେ ଲୋକକଳା ଭିତରେ ମୁଣ୍ଡ ପୁରେଇ ଏଯାବତ୍ ଖୋଜୁଛି… କିଛି ପାଇଛି… ।

ପ୍ର- ଦିନୁଦିନ ଲୋକକଳା, ଲୋକବାଦ୍ୟ ଅପସରିଯାଇଛି । କ’ଣ କରାଯାଇପାରିଲେ ପୁଣି ଏହା ଲୋକଙ୍କ ଭିତରେ ଆଦ୍ରୁତ ହେବ?

ଉ- ପୂର୍ବ ପରମ୍ପରା ଅନ୍ତର୍ଗତ ଲୋକକଳା ବା ବାଦ୍ୟ ପ୍ରଣାଳୀ, ନୃତ୍ୟର କାରଣ ଓ ଭାବ,ରସ, ଛଳ ଆଦି ଲିପିର ଇତିହାସ ନଥିବାରୁ ଏହା ଲୋପପାଇବାକୁ ବସିଛି ଯଦିବା କାଁ ଭାଁ କିଛି କିଛି ଲିପି ରହିଛି ତାହା ପୁଣି ପ୍ରକୃତି କୋଳରେ ଗ୍ରାମ ପରମ୍ପରାକୁ ନିଜ ଖିଆଲି ମନରେ ମଞ୍ଚରେ ପରିବେଷଣ କରି ଉପଯୁକ୍ତ ସଫଳତା ପାଇପାରୁ ନାହାଁନ୍ତି । ବ୍ୟବସାୟୀକରଣ ପାଇଁ ଏହା ଉଦ୍ଦିଷ୍ଟ ହୋଇପାରୁନଥିବାରୁ ଏବଂ ସରକାର ତଥା ଆଜିର କର୍ମବ୍ୟସ୍ତ ଶିକ୍ଷିତ ଦର୍ଶକ ମଞ୍ଚ ଚମତକାରିତା, ନାରୀ ଶୋଭା ଗୋଷ୍ଠୀର ନୃତ୍ୟ ବା କଳ୍ପିତ ବାଦ୍ୟ ବୃନ୍ଦଙ୍କୁ ପ୍ରୋତ୍ସାହନ ଦେବା ହେତୁ ଅବକ୍ଷୟ ତ ନୁହେଁ ଲୋକକଳା ଲୁପ୍ତ ହେବାକୁ ବସିଲାଣି । ଏହିସବୁ କଳାର ସେତେବେଳେ ଯାଇ ସଂରକ୍ଷଣ ସମ୍ଭବ ହେବ ଯେତେବେଳେ ସରକାରଙ୍କ ସଂସ୍କୃତି ବିଭାଗ, ଶିକ୍ଷାବିଭାଗ, ପ୍ରତ୍ନତତ୍ତ୍ୱ ବିଭାଗ ଆନ୍ତରିକତାର ସହିତ ଏହାର ସୁରକ୍ଷାପାଇଁ ଉଦ୍ୟମ କରିବେ । ଏହାସହିତ ସଙ୍ଗୀତଜ୍ଞ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଗ୍ରାମାଞ୍ଚଳର ସୃଷ୍ଟି ତତ୍ତ୍ୱ ସହ, ପ୍ରକୃତି ସହ ଏକ ମେଳ ହୋଇ କିଛି ନୀତି ନିର୍ଦ୍ଧାରଣ କରିବେ । ସେତେବେଳେ ଯାଇ ଏହିସବୁ  ଅଞ୍ଚଳର ସଂସ୍କୃତି ରକ୍ଷା ହେବ ତାହା ନୁହେଁ ସମଗ୍ର ଓଡ଼ିଶା ସାଂସ୍କୃତିକ କ୍ଷେତ୍ରରେ ବେଶ ବିତ୍ତଶାଳୀ ହୋଇ ଭାରତ କାହିଁକି ବିଶ୍ୱ ଦରବାରରେ ବିଜୟ ଧ୍ୱଜା ଉଡ଼ାଇ ଗର୍ବିତ ହେବ । ରାଜନୈତିକ କୁଟିଳତା ଛାଡ଼ିଲେ ଏବଂ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ମନୋଭାବ ଛାଡ଼ିଲେ ଯାଇ ଏସବୁ ସମ୍ଭବ ।

 Photo credit- internet

About ଯୁଦ୍ଧିଷ୍ଟିର ମେହେର

ଯୁଦ୍ଧିଷ୍ଟିର ମେହେର
ସାମ୍ବାଦିକ

Check Also

ଜଣେ ଅନନ୍ୟ ଶିକ୍ଷକରୁ ବିଶିଷ୍ଟ ଜୈବକୃଷକ ନଟବର ଷଡ଼ଙ୍ଗୀ (ପ୍ରଥମ ଭାଗ )

ନଟବର ଷଡ଼ଙ୍ଗୀଙ୍କର ଶିକ୍ଷକ ଜୀବନ ପୁରାଣ ପ୍ରସିଦ୍ଧ ନଈଟିଏ । ନାଁ ତାର ପ୍ରାଚୀ । ନଈର ଦୁଇ ପାର୍ଶ୍ୱରେ …

Leave a Reply

Your email address will not be published. Required fields are marked *