Home / ଇତିହାସ / ନିଆଳିରେ ହିନ୍ଦୁ ମୁସଲମାନ ଭାଇଚାରା

ନିଆଳିରେ ହିନ୍ଦୁ ମୁସଲମାନ ଭାଇଚାରା

ଓଡ଼ିଶାରେ ସୌହାର୍ଦ୍ୟର ସଂସ୍କୃତି (ସାକ୍ଷାତକାର: ପ୍ରଫେସର ସ୍ୱାଧୀନାନନ୍ଦ ପଟ୍ଟନାୟକ)

ଫୋଟୋ କ୍ରେଡିଟ -https://bit.ly/3kk81Aa

ନିଆଳିରେ ହିନ୍ଦୁ ମୁସଲମାନ ଭାଇଚାରା

ନଟବର ଷଡଙ୍ଗୀ

୧୯୪୨-୪୩ରୁ କଥା ଆରମ୍ଭ । ଆମ ଗାଁ ତ ନରିଶୋ । ଆମ ଗାଁ ଠୁଁ ଉତ୍ତରକୁ ପ୍ରାଚୀ ନଈପାରି ହେଲେ ନିଆଳି । ଡାକେ ବାଟ। ସେତେବେଳେ ବାହାର ଜଗତକୁ ନିଆଳିର ପରିଚୟ ନିଆଳି-ମାଧବ। ମାଧବରେ ଗୋଟେ ଐତିହାସିକ ମନ୍ଦିର ଅଛି ତ । କାରୁକାର୍ଯ୍ୟ ହେଇଛି । ସେତେବେଳେ ଠାକୁର ଭଗବାନ କାରବାର ଖୁବ୍ ବେଶୀ ଥାଏ । ବୋଧହୁଏ ମାଧବ ମନ୍ଦିର ଦର୍ଶନ ପାଇଁ ଦୂର ଦୂରାନ୍ତରରୁ ଲୋକେ ଆସୁଥିଲେ । କଟକ ଆଡ଼ୁ ଆସିଲେ ଆଗ ନିଆଳି ପଡ଼ିବ । ୨/୩ କୋଶ ପରେ ମାଧବ । ପୁଣି କେତେକେ କୁହନ୍ତି ମାଧବାନନ୍ଦ ଠାକୁର ଜଗନ୍ନାଥଙ୍କର ମାମୁଁ । ନିଆଳିରେ ସେମିତି ଗୋଟେ ମନ୍ଦିର ଅଛି । ଶୋଭନେଶ୍ୱ ମନ୍ଦିର । ନିଆଳିର ଇଷ୍ଟଦେବ । ଅଶୋକଙ୍କ ଶିଳାଲିପି ଅଛି । ଆଜିକାଲି ମାଧବାନନ୍ଦ ଠାରୁ ଶୋଭନେମ୍ବର ବେଶି ଡାକ । କିନ୍ତୁ ବଂଶ ଶତାବ୍ଦୀ ଆରମ୍ଭ ପର୍ଯ୍ୟନ୍ତ ଶୋଭନେଶ୍ୱର ସେତୋଟା ଟେକି ନ ଥିଲେ । କଟକ ଜିଲାରେ ନିଆଳି ଗାଁ । କଟକ ଠାରୁ ପୂର୍ବକୁ ୩୨ କୋଶ ବାଟ । ନିକଟରେ ଜିଲ୍ଲାର ପୁର ଭାରତୀ ହୁଡ଼ାରେ ପ୍ରତ୍ନତ୍ତତ୍ୱ ବିଭାଗର ଖୋଳାତଡାରୁ ପ୍ରତ୍ନତତ୍ତ୍ୱବିତମାନେ ପ୍ରାଚୀ ସଭ୍ୟତାର ବୟସ ୩୦୦୦ ରୁ ୪୦୦୦ ହୋଇପାରେ ବୋଲି ପରୀକ୍ଷା ନିରକ୍ଷାରୁ ଜାଣୁଛନ୍ତି । ତେଣୁ ବର୍ତ୍ତମାନ ସହଜରେ କହି ହେବ ନିଆଳିର ବୟସ ୩୦୦୦ ବର୍ଷ ପର୍ଯ୍ୟନ୍ତ ହୋଇପାରେ ।

ନିଆଳି ସାହି ମୂଳ ଗାଁ । ବଳଭଦ୍ର ଗୋତ୍ରୀ ବ୍ରାହ୍ମଣମାନଙ୍କ ବସତି । ମନୁ ବାବୁ ଜାତିପ୍ରଥାଟି ଯେତେବେଳେ ବ୍ୟାପକ କରିଛନ୍ତି ବ୍ରାହ୍ମଣଙ୍କୁ ଛତିସପାଟକରେ ରାଜା ବନେଇ ଦେଇଛନ୍ତି । ବ୍ରାହ୍ମଣରେ କେତେ ଉପଜାତି । ଶାସନି ବ୍ରାହ୍ମଣ, କ୍ଷେତ୍ରିୟ ବ୍ରାହ୍ମଣ, ବଳଭଦ୍ର ଗୋତ୍ରୀ ବ୍ରାହ୍ମଣ । ମୂଳ ବ୍ରାହ୍ମଣ ଜାତି ବିଚାରରେ ବଳଭଦ୍ରଗୋତ୍ରୀ ଟିକେ ନିକମା ବ୍ରାହ୍ମଣ । ସେମାନେ ହଳ କରୁଥିଲେ । ବଳଭଦ୍ରଙ୍କର ଲଂଗଳ ପ୍ରତୀକ । ହଳ କରନ୍ତି ବୋଲି ମୋ ପିଲା ଦିନେ ମୁଁ ଶୁଣିଛି ଏମାନଙ୍କୁ ହଳୁଆ ବ୍ରାହ୍ମୁଣ ବୋଲି କହନ୍ତି । ଶାସନି ବ୍ରାହ୍ମଣ ଓ ହଳୁଆ ବ୍ରାହ୍ମଣ ଭିତରେ ସେତେବେଳେ ବାହାଘର ସମ୍ଭବ ନ ଥିଲା । ଉପଜାତି ବାଦର ରାଜ ଚାଲିଥାଏ ତ । ନିଆଳି ସାହିକୁ ଲାଗି, ଭୋଇସାହି, କଣ୍ଡରା ସାହି, ଧୋବା ସାହି, ପୂର୍ବଖଣ୍ଡ ଶାସନ, ବେହେରା ସାହି. ମଝିଖଣ୍ଡ, କୁଆରୀ ସାହି ହରିଜନ ବସ୍ତି, ହଳଦୀ ବସନ୍ତ ଚଷା ସାହି ଏସବୁ ପଡ଼ାର ପରିଚୟ ନିଆଳି ।

ପ୍ରାଚୀ କୂଳରେ ଗାଁ, ଚାରିଆଡ଼େ ବାଲି, ବିରାଟ ବାଲିକୁଦ। ଜଂଗଲ, ଗୋଖରା କଣ୍ଟା, ସେତେବେଳକୁ ଯୋତା ଚପଲ ନିଆଳି ମାଡ଼ିନି। ଖାଲି ଗୋଡ଼ରେ ଚାଲିବା । ଗୋଖରା କଣ୍ଟା ଟପ୍ ଟପ୍ ଗଳି ଯାଉଥିବ । ଆମେ ନରିଶୋରୁ ଆସି ନିଆଳି ମାଇନର ସ୍କୁଲ ଧରିଲା ବେଳକୁ ପାଦରୁ ରକ୍ତ ଝରଝର ବୋହୁଥିବ । କହନ୍ତି ତ କିଏ ଗୋଟେ କୃଷ୍ଣ ଅଛି କଷ୍ଟ କଲେ ସେ ମିଳନ୍ତି । କେଡ଼େ ଭାଗ୍ୟ । କୃଷ୍ଣ ମିଳିବେ । ଗୋଖରା କଣ୍ଟା କଷ୍ଟ ସହି ଯାଉ । ମୋରତ ସେଇ ପିଲାଦିନୁ କୃଷ୍ଣଙ୍କ ସଂଗେ ଭଲ ପଡ଼େନି । ମୁଁ ଭାବେ କଷ୍ଟ କରି ପାଠ ପଢ଼ିଲେ ଗୋଟେ ବଡ଼ ମଣିଷ ହବା । ବୋଉ ବି ମୋତେ ଏଇ ମନ୍ତ୍ର ଦେଇଥାଏ । ଚାରି ଆଡ଼େ ଜଂଗଲ । କଟକରୁ ନିଆଳି ଗୋଟେ ଶଗଡ଼ ସରି ବାଟ । ଆମେ ସ୍କୁଲରୁ ଦେଖୁ ପ୍ରତିଦିନ ପାଞ୍ଚ ସାତ ଖଣ୍ଡ ଶଗଡ଼ରେ ମାଲ ଯିବା ଆସିବା କରୁଥିବ । ୨/୩ ଖଣ୍ଡ ଶଗଡ଼ରେ ତାଟଲାଗିଥିବ । କଉଁଫୁଲିଆ ବଡ଼ ବଡ଼ ବଳଦ ଯୋଚା ହେଉଥେବେ । ବେକରେ ଘଣ୍ଟିଘାଗୁଡ଼ି ମୁଣ୍ଡରେ କଉଡ଼ିମାଳ । ତାଟି ଭିତରେ ନୂଆ ବୋହୂ । ବେଳେବେଳେ ମକଦ୍ଦମ, ଜମିଦାର କଟକ କଚେରୀକୁ ଯିବେ ତ ବଳଦ ଗାଡ଼ିରେ ବସି ଯିବେ । ଚଲା ଲୋକ କଟକ ଶଗଡ଼ ସରି ରାସ୍ତାରେ ଯାଆନ୍ତି ନାହିଁ । ବାଗଲ ପୁରଠାରୁ ଡାହାଣକୁ ବାଗାନ୍ତି । ଗୋବିନ୍ଦପୁର, ସଂଖତ୍ରାସ ଦେଇ ମୁକାମ ସହରର ଠାରେ କାଠ ପୋଡ଼ି ପାରିହେଲେ ତ କିଲଟରଙ୍କ ଦପ୍ତର । କଚେରୀ ଖରା ଦିନତକ ନଈରେ ପସି କଟକ ଧରନ୍ତି । ବର୍ଷାଦିନେତ ୪ ମାସ ବଢ଼ି । ଡଂଗାରେ ଯିବା ଆସିବା । ଗୋବିନ୍ଦପୁର ସଂଖତ୍ରାସ, ବାଟେ କଟକ ୪/୫ କୋଶ ବାଟ କଟିଯାଏ । ମୁଁ ଦେଖିଛି ନନା ମାଲିମକଦ୍ଦମା ତାରିଖ ଜଗିବାକୁ କଟକ ଯିବେ, ଭୋର ୪ ଟା ୫ଟାରୁ ବାହାରନ୍ତି । ୧୦ଟା ବେଳକୁ କଟକ ଧରନ୍ତି । ୫/୬ ଘଣ୍ଟାର ବାଟ, ଅର୍ଥାତ୍ ଘଣ୍ଟାକୁ ୫/୬ କୋଶ ଚାଲନ୍ତି । ଆଜି ମୁଁ ଦେଖୁଛି ନିଆଳି ଠାରୁ ହଳଦୀବସନ୍ତ ୭୦୦/୮୦୦ ମିଟର ବାଟ ଚାରିଚକିଆକୁ ଚାହିଁଥେବେ । ଚାଲିବାଟା ଯିମିତି ଗୋଟେ ହାଣକୁ ଯିବା କାମ! ମୁକାମ ସହର ଠାରୁ ମାଧବ ପର୍ଯ୍ୟନ୍ତ ସେଇ ଶଗଡ଼ ଶରିର ଦୁଇ ପଟେ ଖଜୁରି ଗଛ । ୫ଟା ୩ଟା ନୁହେଁ ହଜାର ହଜାର ଖଜୁରି ଗଛ । ବାଟଯାକ ଗାଁକୁ ଗାଁ ଚମାରମାନେ ତାଂକର ନିଜ ନିଜର ଇଲାକା ଠିକ୍ କରିନେଇଥାନ୍ତି । ଖଜୁରି ଗଛକୁ ଚାହିଁବ ମାଠିଆ ବଂଧା ହେଇଛି । ଗଛକୁ ଥାକକୁ ଥାକ ଛେଲେଇଦେବେ । ମାଠିଆଟେ ବାଂଧି ଦେବେ । ସକାଳୁ ସକାଳୁ ଗଛ ମୂଳରେ ଯାତ । ଭୋର ଭୋରରୁ ମାଠିଆ କାଢ଼ି ଆଣିଲେ ଖଜୁରି ରସ । ସୂର୍ଯ୍ୟ ଉଦୟ ପୂର୍ବରୁ ସେ ରସ ପିଇଲେ ଲୋକେ କୁହନ୍ତି ମୋଟା ହବ । ରକ୍ତ ଚହଟିବ । ପିଲା ବଡ଼ ସମସ୍ତେ ପିଇପାରିବେ । ମାଟି ଗିଲାସ । ଗିଲାସକୁ ୨ ପଇସା । ସେତେବେଳ ଟଂକାକ ୭୪ ପଇସା ଚଳନିଥାଏ । ଖରା ପଡ଼ିଗଲା । ରସ ତାଡ଼ି ହୋଇଗଲା । ନିଶା । ତାଡ଼ି ଗରାଖ ଜଣକେ ୨/୩ ଗ୍ଲାସ ପିଇଦେବେ । ଶନିବାରିଆ ଆମରତ ସକାଳ ସ୍କୁଲ । ସ୍କୁଲ ଆଗରେ ଖଜୁରି ତାଡ଼ି କାରବାର । ଜଣକେ ୨/୩ ଗ୍ଲାସ ହାଁଙ୍କି ଦିଅନ୍ତି । ବେଳେ ବେଳେ ନିଜ ନିଜ ଭିତରେ ମାଡ଼ ଫଉଜଦାରି । ପୁଣି କେତେବେଳେ ରାସ୍ତାରେ ଚାରିପଟାଙ୍ଗ ହେଇ ପଡ଼ିଯାନ୍ତି କେହି କେହି ଗଡ଼ନ୍ତି ।

ଆମେ ଏବେ ବୁଝୁଛୁ । ଖଜୁରି ଗଛରେ ଗୋଟେ ଅର୍ଥନୀତି ଥିଲା । ହଜାର ହଜାର ଚମାର, ଦଳିତ ଶ୍ରେଣୀର ଲୋକ ୨୦/୩୦ଟା ଖଜୁରୀ ଗଛରେ ପାଞ୍ଚ ପ୍ରାଣୀ ଚଳାଉଥିଲେ । ତାଡ଼ିତ ବିକିଲେ । ଖଜୁରୀପତ୍ର କାଟି ଝାଡ଼ୁ, ପଟି, ବିଞ୍ଚଣା କରି ବିକୁଥିଲେ । ସମୟ କ୍ରମେ ବିକାଶ ରାକ୍ଷଶ ଆସିଲା । ଗଛକୁ କାଟି ଭାଂଗି, ହାଣି, ତାଡ଼ି ସଫାକରି ଦେଲା । ଚମାରଙ୍କ ଜୀବିକାବି ସଫାହୋଇ ଗଲା । ରାସ୍ତା ଦିପଟେ ଆମ୍ବ, ପଣସ, ଜାମୁ, ବର, ଓସସ୍ତ, ଗମ୍ଭାରୀ ନାନା ଜାତିର ଗଛ ଥାଏ । ବାଟୋଇ ଆମ୍ବବେଳେ ଆମ୍ବ, ଜାମୁ ବେଳେ ଜାମୁକୋଳିତ ଖାଉଥିଲେ । ଦଳିତ ଶ୍ରେଣୀ ସ୍ତ୍ରୀ ଲୋକମାନେ ଶୁଖିଲା ପତର, ଡାଳ, କାଠିକୁଟା ଜାଳିବାକୁ ପାଉଥିଲେ । ବାଟୋଇ ଛାଇ ପାଉଥିଲା । କେତେ ଯେ ଅମ୍ଳଯାନ ମିଳୁଥିଲା ଆଜି ଗଛଗୁଡ଼ିକୁ ନିପାତ କଲାପରେ ବୈଜ୍ଞାନିକମାନେ ଅମ୍ଳଯାନର ହିସାବ ଦଉଛନ୍ତି । ନିର୍ଲଜ ସଭ୍ୟ ମଣିଷ । ହଜାର ହଜାର ବର୍ଷ ଆଜିର ସଭ୍ୟମଣିଷ ବିଚାରରେ ସେ କାଳର ତଥା କଥିତଅସଭ୍ୟ ମଣିଷ ଯେଉଁ ପ୍ରାକୃତିକ ସଂପଦକୁ ପୁଅଠାରୁ ବଳି ସୁରକ୍ଷା ଦେଇ ଆସିଥିଲେ, ବଞ୍ଚାଇ ଆସିଥିଲେ ଆଜିର ମଣିଷ ଅବିଚାରିତ ଭବେ ତାକୁ ଧ୍ୱଂସ କରିଦେଲା । ନିଆଳି ରାସ୍ତା ଏବେ ସିମେଣ୍ଟ କଂଗ୍ରିଟ ରାସ୍ତା । ରାସ୍ତା ଦି ପଟେ ଗଛ ଶୂନ । ବୈଶାଖ, ଜ୍ୟେଷ୍ଠ ଦ୍ୱିପହରର ଖରାରେ ଠିଆ ହୋଇଯିବାକୁ ଟିକେ ଛାଇ ନାହିଁ ।

ମୁଁ ନିଆଳି ପଢ଼ିବାକୁ ଆସିବା ଆଗରୁ ଆମ ଗାଁକୁ ନିଆଳିରୁ ମୁସଲମାନ ମଉସା, ମାଉସୀମାନେ ଆସୁଥାନ୍ତି । କନ୍ଦଳ ନଦୀରେ ବଢ଼ି ଯୋଗୁଁ ନିଆଳିର ଗହୀରରେ ଧାନ ଭଲ ହଉନଥାଏ । ପାଟ, ପାଟ ଚାରିଆଡେ ପାଟ । ସାପ, ଗଧିଆ, ବିଲୁଆ ମାନଙ୍କର ରାଜ । ବାରିତଳ ଅଳ୍ପ ଜମିରେ ଧାନ ହୁଏ । କଷ୍ଟେ ମଷ୍ଟେ ବର୍ଷକ ଖାନ୍ତି । ମୁସଲମାନ ଭାଇମାନଙ୍କର ଚାଷ ଜମି ନଥାଏ । କିନ୍ତୁ ସେମାନେ କଠିନ ପରିଶ୍ରମ କରିପାରନ୍ତି । ଗୋରୁ ମାଂସ ଖାଆନ୍ତି ତ । ତାକତ୍ ଖୁବ୍ ବେଶୀ । ସେମାନଙ୍କ ଭିତରୁ ଅନେକ ଆମ ଗାଁକୁ ସକାଳୁ ସକାଳୁ ଧାଡ଼ି ଲଗାନ୍ତି । ଧାନ କିଣିବେ । ଘରେ ସ୍ତ୍ରୀ ଲୋକମାନେ ଉସେଇଁ ଚାଉଳ କଲେ ନିଆଳି ହାଟରେ ମର୍ଦ୍ଦମାନେ ଚାଉଳ ବିକିବେ । ଭଲ ଦି ପଇସା ପାଆନ୍ତି । ଧାନ ଉସେଇଁବେ । ହାଣ୍ଡି ଦରକାର । ନୁଆଗାଁ, ସାରୁଆସାହି, ହଜାରିପାଟଣା କୁମ୍ଭାରମାନେ ହାଣ୍ଡି, ମାଠିଆ, ଘଡ଼ି, ଠେକି, ପଲମ ଗଢ଼ନ୍ତି । ପ୍ରାଚୀ କୂଳେ କୂଳେ ପଟୁପଡ଼ି ପଡ଼ି କଅଁଳିଆ ମାଟିର ଅଭାବ ନାହିଁ ।

ଚାରିଆଡ଼େ ତୋଟା ବଗିଚା । ଲଟା, ପତ୍ର, କାଠିକୁଟା, ମାଗଣା । ଶାଳରେ ହାଣ୍ଡି ତିଆରି କଲେ । ଭାଟିରେ ପୋଡ଼ିଲେ । ସାହି ସାହି ବୁଲି ବୁଲି କୁମ୍ଭାରୁଣୀମାନେ ବିକିଲେ । ଧାନ ଉସେଁଇବାକୁ ବଡ଼ ବଡ଼ ତାଡ଼ିଆ ରଖନ୍ତି । ଜାଳ । ପଥର ପଡ଼ିଆ, ପୋଗରୀ, ଖର୍ଦ୍ଦା ନରିଶୋରେ ହଜାର ହଜାର ଆମ୍ବ ଗଛ । ପଠଉଣୀ ବୁଢ଼ୀମାନେ ତୋଟାକୁ ଗଲେ । ପତର ବୋଝ ବାନ୍ଧି ବୋଝକୁ ବୋଝ ବୋହି ଆଣିଲେ । ତୋଟା ମାଲିକ କ’ଣ କହିବ? ନାଁ, ମାଲିକର ଏଇ ଶୁଖିଲା ପତର ପାତେରି ପାଇଁ ଧରିସାରଣା ନ ଥାଏ ।

ମୁସଲମାନ ପୁରୁଷ ଖୁବ୍ ଖଟିପାରନ୍ତି । ଆମେ ତ ଆଗରୁ ତାଂକ ଖାଦ୍ୟ କଥା କହିଛୁ । ମୋଟା ମାଂସ ଖାଆନ୍ତି ତ । ଖୁବ୍ ସୁସ୍ଥ ସବଳ । କାହାରି ଜାମିବାଡ଼ି ପ୍ରାୟ ନ ଥାଏ । ଚାରି ବାହା ସୁସ୍ଥ ଅଛି ତ ଏମାନେ ପାହାଡ଼ ଟାଳି ଦେବେ । ସେତେବେଳକୁ ପାନ ବରଜ ଆରମ୍ଭ ହେଇଗଲା । ମୁସଲମାନମାନେ ପାନ ବରଜ କାମରେ ଓସ୍ତାତ୍ । ସେମାନଙ୍କ ଭିତରେ କେତେ ଜଣ ଥେଲାବାଲାଙ୍କର ବରଜ ଥାଏ । ହିନ୍ଦୁ, ଖଣ୍ଡାୟତ, ଚଷା, ତେଲି ତାମିଲ ବି ପାନ ବରଜ ଆରମ୍ଭ କରି ଦିଅନ୍ତି । ବରଜ ବସାଇବା ଗୋଟେ ଇଂଜିନିୟରିଂ କାମ ଭଳି ମାପ, ଚୁପ୍ ଅଛି । ମୁସଲମାନ ଭାଇମାନେ ବରଜ ବସାଇବା ପାଇଁ ଚାଳ ହୁଅନ୍ତି । ବରଜ ବସାଇବା, ମାଟି, ପାଣି, ଲବଂଧା ତାଟି ବଂଧା, ବରଜ ଚାକ କାମା, ପାଖୁଡ଼ି ମରା, ପାନଭଂଗା, ପାନ ଲଛା, ନିଆରା ନିଆରା କାମ ।

ମାଟି କାଂକରେ ହାଣିବ । ଗୁଣ୍ଡ କରିବ । ବେତ ଟୋକେଇରେ ଅଣ୍ଟାରେ ଧରି ପାହି ପାହିକରି ପକାଇବ । ଏ ଖୁବ୍ ବିନ୍ଧାଣୀକାମ । ପାଣିତ ପାନ ଗଛର ଜୀବନ । ବରଜ ମାଠିଆ କୁମ୍ଭାର ଦବ । ଗୋଟେ ମାଠିଆରେ ୩୦/୪୦ ଲିଟର ପାଣି । ବରଜ ଚଉକା ୨୦/୨୫ ଫୁଟ ଗଭୀର । ଅଣ୍ଟାରେ ପାଣି ମାଠିଆ ଧରି ଉପରକୁ ଉଠିବା ମନ ଘର ଧରିଯିବ । ମୁସଲମାନ ପୁରୁଷମାନେ ଏଇସବୁ କାମରେ ଧୁରନ୍ଧର ମଜୁରୀ ଏମାନେ ଧାନ ଚାଉଳରେ ଆଣନ୍ତି ନାହିଁ । ପଇସା ଦିନକୁ ମଜୁରି ୪ ଅଣା । ତେଲ ମସଲା ପନିବରିବା ଖର୍ଚ୍ଚ ପାଇଯାଏ । ଚାଉଳତ ମାଇପେ ଧାନ କୁଟି ଘର ପାଇଁ ରଖିଥାନ୍ତି । ବଳକା ଚାଉଳ ମର୍ଦ୍ଦମାନେ ଦନେଇ ସାହୁ ଦୋକାନରେ ବିକନ୍ତି । ସେର ୨ ପଇସାରେ ଦନେଇ ସାହୁ କିଣେ । ବିକେ ୪ ପଇସାରେ । ବାଣିଜ୍ୟେ ବସତି ଲକ୍ଷ୍ମୀ । ଶହେ କେ ଶହେ ଲାଭ । ମୁସଲମାନ ମାନେ ଗଣ୍ଡେ ଖାଆନ୍ତି । ବକତକେ ପାଏ ଚାଉଳର ଭାତ ଟେକି ଦେବେ । ଖାଇ ମଣିଷ ନା ନଖାଇ ମଣିଷ । କାମ ସେମିତି । ଏକା ଏକା ୫୦ ଗଛ ବରଜକୁ ପାଣି ଦବା ଆମ ଭାଇ ବା ଚଷା କାମକା ହଦେଇ ଯିବେ ।

ନିଆଳିରେ ମୁସଲମାନ ମୂଳବାସିନ୍ଦା ନୁହେଁ । ମୁସଲମାନ ରାଜତ୍ୱ ବେଳେ ଏକାଧିକ ବାର ହିନ୍ଦୁ ରଜା ଆଉ ମୁସଲମାନ ମାନଙ୍କ ଭିତରେ ଯୁଦ୍ଧ ହୁଏ । ଯୁଦ୍ଧରେ ନିପାଣିଆ ଲୋକମାନେ ବାସହରା ହୁଅନ୍ତି । ନିଜ ସାତ ପୁରୁଷର ଭିଟାମାଟି ଛାଡ଼ି ଆଶ୍ରୟ ପାଇଁ ଦୂରଦୂରାନ୍ତ ଇଲାକାରେ ପହଞ୍ଚିଥାନ୍ତି । ମନେ ହୁଏ ନିଆଳି ଅଞ୍ଚଳର ମୁସଲମାମାନେ ମହାମ୍ମଦ ତୋଗଲକ ସମୟରେ ଏବଂ ଆଉ କେତେକ ମୋଗଲ ବାଦଶାହାଙ୍କ ସମୟରେ ଓଡ଼ିଶାକୁ ଆସିଛନ୍ତି । ୧୩ଶ ୧୬ଶ ଶତାବ୍ଦୀରେ ଏମାନେ ନିଆଳି ଆସିଥାଇପାରନ୍ତି । ନିଆଳି ମୁସଲମାନଙ୍କ ଶରୀର ଗଠନକୁ ଲକ୍ଷ୍ୟ କଲେ ଜଣାଯାଏ ଏମାନଙ୍କ ମଧ୍ୟରେ ପଠାଣ୍ ଅଧିକ । ମୋଗଲ ବଂଶଜ କମ୍ । ମହମ୍ମଦ ତୋଗଲକତ ପଠାଣ । ଏତେ ଗୁଡ଼ାଏ ଗହୀରକୁ ଯିବା ଆମ ଓଅଜ ବାହାରେ । ନିଆଳିକୁ ଆଉ ଦଳେ ଲୋକ ସମ୍ଭବତଃ ମୋଗଲ ରାଜତ୍ୱ ବେଳେ ଆସିଥିଲେ । ରାଜପୁତ ନିଆଳି ଦିନାସିଂହ ପାଟଣା ରାଜପୁତମାନଙ୍କର ଆଡ୍ଡା । ସିଂହ ସାହି । ରାଜପୁତନାରୁ ସେମାନେ ଆସିଥିବା କେହି କେହି କୁହନ୍ତି । ରାଜପୁତ ଆଉ ମୋଗଲ ବାଦସାହା ମାନଙ୍କ ମଧ୍ୟରେ ଯୁଦ୍ଧ ଆମେ ଇତିହାସରୁ ଜାଣିଛେ । ସେ ଯାହା ହେଉ ନିଆଳି ମୁସଲମାନ ଆଉ ସିଂହସାହି ଲୋକଙ୍କ ଭିତରେ ବହୁଦିନ ପର୍ଯ୍ୟନ୍ତ ଗରମାଗରମ ସ୍ଥିତିଥିବାର ପୁରୁଣା ଲୋକଙ୍କ ଠାରୁ ମୁଁ ଶୁଣିଛି ।

ନିଆଳି ବସ୍ତିରେ ୧୯୪୨-୪୩ ବେଳକୁ ୪ଟି ସାହି ଥାଏ । ମିର ମହଲା, ନଳିତା ପାରି, ମସଜିଦ୍ ମହଲଶ ଆଉ ଉସ୍‌ମାନ ବସ୍ତି । ପିଲାଛୁଆ, ମାଇପେ, ମର୍ଦ୍ଦ ହେଇ ୪୦୦/୫୦୦ ହେବେ ।

ନିଆଳି ପାଖାପାଖି ସିପେଇ ମହଲା, ପଦନପଦା, ଅଥଙ୍ଗା, ମାଧବ, କଳାପାଞ୍ଚଣରେ ମୁସଲମାନ ବସ୍ତି । ନିଆଳିରେ ଗୋଟିଏ ଛୋଟିଆ ବଜାର । ପଞ୍ଚୁ ସାହୁ, ଗୁଡ଼ିଆ ଦୋକାନ ଆଉ ଦନେଇ ସାହୁ ତେଜରାତି ଦୋକାନ । ସପ୍ତାହରେ ୨ ଦିନ ହାଟ ହୁଏ । ରବିବାର, ଗୁରୁବାର । ୪/୫ ଖଣ୍ଡ ହାଟଚାଳି । ଲୋକ ୩୦୦/୪୦୦ ବିକା କିଣା କରନ୍ତି । ସାରୁ, ମାଟିଆଳୁ, ବାଇଗଣ ସେତେବେଳର ହାଟପରିବା । ନଡ଼ିଆ ନରିଶୋ ବ୍ରାହ୍ମଣମାନେ ବିକିବାକୁ ଆଣନ୍ତି । ଆଳୁ, ପିଆଜ, ରସୁଣ ପଡ଼ି ନଥାଏ । ତୁଳସୀପୁର ଗାମୁଛା, ମୋଟା ଲୁଗା ତନ୍ତ ତିଆରି ପଡ଼େ । ବନମାଳିପୁରରୁ ଛୋଟ ଛୋଟ ଗୁଆ, ମସଲା, ଦୋକାନ ୪/୫ଟି । ବାଇଗଣି, ଧୂଆଁପତ୍ର ପିକା ଉପରେ ଖୁବ୍ ମାଡ଼ ହୁଏ । ପାନହାଟରେ ବରଜିମାନେ ପାନ ଗଦା କରନ୍ତି । କଟକରୁ ଛୋଟ ଛୋଟ ବେପାରି ଶଗଡ଼ରେ ପାନ ନିଅନ୍ତି । ହାଟ ଦଣ୍ଡିଆ ୫/୭ ଜଣ ହଟାର/ ହାଟୁଆ ଭଲମନ୍ଦ ବୁଝନ୍ତି । ନିହାଲ ସିଂହ, ସୋଭାନ ଖାଁ, ମହେଶ୍ୱର ମହାପାତ୍ର, ଫକୀର ସେନାପତି ଏମାନେ ହାଟ ଦଣ୍ଡିଆ । ବେଳେ ବେଳେ ଦୋକାନୀ ଗରାଖଙ୍କ ଭିତରେ ପାଟିତୁଣ୍ଡ ହୁଏ । ଦୋକାନୀ ଦଣ୍ଡିଆଙ୍କ ପାଖେ ଫେରାଦ ହୁଅନ୍ତି । ମକଦ୍ଦମା ବୁଝାହୁଏ ମହେଶ୍ୱର ମହାପାତ୍ରଙ୍କର ଗୋଟେ ବଡ଼ ବଟୁଆ । ବମ୍ବେଇ ଫାଳ ଗୁଆ, କେତକୀ ଖଇର, ବାସନା ଗୁଣ୍ଡି, ଚଉଷଠି ମସଲା, ଗୋଟେ ବଡ଼ ଗୁଆକାଢ଼ି ପିତ୍ତଳ ତିଆରି, ଚୂନଖାଇ, ପାନ, ପଇସା ମୁଣିରେ ଥାଏ । ତାଂକ କାମ ପାନ ଭାଂଗିବେ । ସମସ୍ତଙ୍କୁ ଖଣ୍ଡକ ପରେ ଖଣ୍ଡେ ଦଉଥିବେ । ନିଜେ ଖଣ୍ଡେ ଲେଖାଏଁ ପାଟିରେ ପୁରାଉଥିବେ । ସୋଭାନ ଖାଁ ଜଜ୍ । ନିହାଲ ସିଂହ ବୁଝିଲେ ସେଟିକେ କେ ନିଆଁ ହେଇଯିବେ । ମାଡ଼ୁଆ, ଗୁହାରିଆଙ୍କୁ ଗୋଟେ ଦିଟା ଥୋଇ ଦେବେ । ସୋଭାନ ଖାଁ ଥଣ୍ଡା ମିଜାସ୍ ଲୋକ । ଗୋରା ତକ୍‌ତକ୍ । ଡେଙ୍ଗା, ପାଚିଲା ଦାଢ଼ି । ଖୁବ୍ ସଫା ସୁତୁରା । ଟିକେ ମାଉଜିଆ ଲୋକ । ଅମ୍ବିକା ଧୋତି, ଧଳା ପଂଜାବି । ବରାଦିଆ ଗାମୁଛା । ଏ ସବୁ କଟକରୁ ଯୋଗାଡ଼ କରିଥାନ୍ତି । କେସ୍ ବୁଝା ହେବ । ଜଣକର ଦୋଷ ତ ଅନ୍ୟ ଜଣଙ୍କର କସୁର । ମୁଦେଇ ମୁଦଲା ହାତଧରି ଧରି ହେଇ ଫେରନ୍ତି । କଳି ମିଳେଇଯାଏ । ମୁଁ ପଢ଼ୁଥାଏତ । ଯିବା ଆସିବା ବେଳେ ଆଖି ପଡ଼ିଛି ।

ପାନଦାଟର ମାମଲଲତକାର ମଲ୍ଲିକ ମତଲୁବ୍ ଅଲ୍ଲି । ସିଂହ ସାଇରୁ ୨/୩ ଜଣ ଥାନ୍ତି । ସେମାନେ କିନ୍ତୁ କଥାକଥାକେ ନାଲି । ମତ୍‌ଲୁବ୍ ମିଆଁ ସେମାନଙ୍କୁ ବନ୍ଦ କରି ନିଜେ କେସ୍ ହାତ୍‌କୁ ନିଅନ୍ତି । ମୋଟା, ମୋଟି ସାବନାବର୍ଣ୍ଣ, ମୁହଁରେ କଳାଧଳା ବାଢ଼ି ଗୋଲ ଆଖି । ଠୁଙ୍ଗୁରା ଲୋକ, ପାନ ଖାଉଥିଲେ ନାଲି ଛେପ ଗଳି ପଡ଼ୁଥିବ । ତାଂକୁ ବରଜି ମାନନ୍ତି । ମହଣ୍ଡା ପାନ ୨/୩ କଡ଼ା ସବୁ ହାଟପାଳି ବରଜିଆଙ୍କଠାରୁ ଚାନ୍ଦା କରନ୍ତି । ହାଟ ଦଣ୍ଡିଆଙ୍କ ପାଖେ ପହଞ୍ଚାନ୍ତି ।ହାଟ ମଝି ବରଗଛ ତଳେ ଖଣ୍ଡେ ଖଟିଆ ପଡ଼ିଥାଏ । ଦଣ୍ଡିଆମାନଙ୍କର ଆସର ସେଇଠି । ଖଣ୍ଡେ ସଉପ ଉପରେ ଚକାପାକଇ ବସିଥାନ୍ତି । ସୋଭାନ ଖାଁ ଖଟିଆଦାଢ଼କୁ ଗୋଡ଼କୁ ଲମ୍ବାଇ ବସିଥାନ୍ତି । ପ୍ରାୟ ସମୟ ପଁଜାବି ଝାଡ଼ୁଥିବା ଦେଖିବ । ଗାମୁଛାରେ ମୁହଁ ପୋଛି ପକାଉଥିବେ । ମୁସଲମାନମାନେ ୫୦୦/୬୦୦ ବର୍ଷ ରହିଲା ପରେ ଉର୍ଦ୍ଦୁ, ଓଡ଼ିଆ ମିଶା, କଥାବାର୍ତ୍ତା ହୁଅନ୍ତି । ତାଂକ କଥାକୁ ଶୁଣିଲା ଲୋକ ଖୋଲଠି କୁହନ୍ତି । ପାନ ହାଟରେ ବିଡ଼ି ଧୂଆଁ । ବିଡ଼ି ଟାଣିଲା ବେଳେ ଜାତି, ଧର୍ମ ପଛରେ। ହିନ୍ଦୁ ଟାଣୁଛି ତ ମିଆଁ ଦି ଟଣା ତା ଠାରୁ ମାରି ଦଉଥିବ । ମିଆଁ ବରଜି ଟାଣୁଛିତ ହିନ୍ଦୁ ବରଜି ତା ଠାରୁ ୨/୩ ଟାଣୁଥିବ । ଆଜି ବି ଏକଥା ବଂଚିଛି । ମିଆଁମାନେ ତ ବରଜ କାମରେ ପୋକ । ବରଜରେ ଲଅ ବାନ୍ଧୁଥିବେ । ବରଜି ବିଡ଼ି ଲଗେଇବ, ନିଜେ ଟାଣୁଥିବ, ମିଆଁ କାମକାକୁ ଦଉଥିବ । ଭାଇଚାରାକୁ ମାନିବାକୁ ହେବ ।

ନିଆଳି ହାଟ ବଜାର କଥା ତ ଏମତି । ନିଆଳିରେ ମାଇନର ସ୍କୁଲଟିଏ ଥାଏ । ଜିଲ୍ଲା ବୋର୍ଡ଼ ଡାକ୍ତର ଖାନା ଆଉ ଗୋଟେ ଡାକ ବଂଗଳା । ଡାକ୍ତର ଖାନାଟି ସେତେବେଳେ ନିଆଳିରେ ପ୍ରଥମ କୋଠାଘର । ଡାକ୍ତର ଅମଜାଦ୍ ଅଲ୍ଲି । ମିଆଁ ଡାକ୍ତର ନାଁରେ ପରଚିତ । ରୋଗୀ କୁହନ୍ତି ହାତ ଲାଗିଲେ ରୋଗ ଲୁଚିଯିବ । ରାମବାକୁ ଓରଫ ରାମଚନ୍ଦ୍ର ଯୋସି କଂପାଉଡ଼ର, ଖେତି ମାଉସୀ ନର୍ସ ଆଉ ପହଲି ବାରିକ ହେଲପର । ଗାଁକୁ ରାସ୍ତାଘାଟ ତ ନାହିଁ । ଦୂରଦୂରାନ୍ତ ରୋଗୀ ଗାଁ କବିରାଜ ଚିକିତ୍ସାରେ ରହନ୍ତି । ବଂଚନ୍ତୁ ବା ମରଂତୁ । ପାଖାପାଖି ରୋଗୀ ଡାକ୍ତରଖାନା ଆସିଥାନ୍ତି । ଆମେ ବି ବେଳେ ବେଳେ ଡାକ୍ତରଖାନା ଚାଲିଯାଉ । ସେତେବେଳେ ମେଲେରିଆର ରାଜତ୍ୱ ।

(୨) ପିତା ଯେ ପିତା । ଚାରି ଯୁଗ ପିତା । ଗୋଟାଏ ଲେଖାଏଁ ପାଟିରେ ପକାଇ ତା ମହିମା ଜାଣିଯାଉ । ଫୋପାଡ଼ି ଦଉ । ଯିଏ ଡାକ୍ତରଖାନା ଗଲା ଆଂଜୁଳାଏ କୁଇନାଇନ ବଟିକା ରାମବାବୁ ଧରେଇ ଦିଅନ୍ତି । ଅମଜାଦ୍ ଅଲ୍ଲି ଆଉଟ୍ ଡୋର୍‌ରେ ବସିଥାନ୍ତି । ରୋଗୀ ୫୦/୬୦ ଦିନକୁ ହୁଅନ୍ତି । ଦି ବେଳା ଡାକ୍ତର ଖାନା । ଆମେ ତସ୍କୁଲ ଛୁଟି ହେଲେ କୁଆଡ଼େ ବୁଲାଚାଲା କରିବୁ । ଶନିବାରିଆ ପ୍ରାୟ ୧୦ଟା ୧୧ଟା ବେଳେ ଡାକ୍ତର ଖାନା ଆଡ଼େ ଯାଉ । ପ୍ରାୟଦିନ ଦେଖୁ ସେଭାନ ଖାଁ ବସିଥିବେ । ସେ ଡାକ୍ତରଖାନା କମିଟର ପ୍ରେସିଡେଣ୍ଟ । ତାଂକର ପୋଟେ ସବୁଦିନିଆ ରୋଗ । ବଦ ହଜମି । ଡାକ୍ତର ବାବୁ ରାମବାବୁଙ୍କୁ ବରାଦ କରନ୍ତି । ସୋଭାନ ମଉସା ରାମବାବୁଙ୍କ ଶୁଣେଇ କହନ୍ତି, “ରାମବାବୁ ଟିକେ ଚଢ଼ା ଡୋଜ ଦବ । ହମକୋ ତୁମ ଦବାଇ କାଠଟୁ କରେଙ୍ଗା ନାହିଁ ।” ରାମ ବାବୁ ନାଲିପାଣି ବିକରରେ ଦିଅନ୍ତି । ମିଆଁ ସାହେବ ଏକାଦମ୍‌ରେ ପିଇ ଦିଅନ୍ତି, “ରାମବାବୁ ଆଜ୍ ଆଚ୍ଛାମାଲ୍ ଥିଲା, “୨/୪ଟା ହେକୁଟିି ମାରି ଦିଅନ୍ତି । ତାପରେ ଉଠିଲେ । ମୁଁ ତ ପିଲାଟାଏ । ରାମବାବୁଙ୍କୁ ସାହସ ବାନ୍ଧି କହିଲି, “ସାର୍ ମୋତେ ଟିକିଏ ସେ ନାଲିପାଣି ଦିଅନ୍ତେ ନି” । ଆରେ ତୋର କ’ଣ ପେଟ ଖରାପ ଅଛି । ହଉ ପିଲାଟେ କହିଲାଣୁ ଦଉଛି । ମୁଁ ପିଇଦିଏ । ତଣ୍ଟି ପୋଡ଼ିଗଲା ଭଳି ଲାଗୁଛି । ମିଠାପାଣି । ରାମବାବୁ କହିବି ଦିଅନ୍ତି” ଆରେ ସେ କାର୍ମନେଟିଭ ମିକ୍‌ସଚର ମୁଁ ତିଆରି କରୁଥିଲି ଦେଖିଲୁନି ।” ସେତେବେଳେ ଡାକ୍ତର ଖାନାରେ ସବୁ ଔଷଧ ମିଳୁଥିଲା । କଂପାଉଡ଼ର ତିଆରି କରି ଦଉଥିଲେ । ମୋତେ ରାମବାବୁଙ୍କର ସୁପାରିଶ କାହିଁକି କି ତାଂକ ବଡ଼ ପୁଅ ବିଷ୍ଣୁ ମୋ ସାଙ୍ଗେ ପଢ଼ୁଥିଲା । ବିଷ୍ଣୁ ଏବେ ଆମୋରିକାରେ । ଗୋଟେ ବଡ଼ ବାବା ବନିଯାଇଛି । ମୁଁ ବୁଝିଗଲି ଆରେ ସୋଭାନ ମଉସା ଏଇ ମିଠାଳିଆ ତଣ୍ଟି ଝିମଝିମ ପାଣି ପାଇଁ ସବୁ ଦିନ ଡାକ୍ତର ଖାନାକୁ ଧାଉଡ଼ି ।

ନିଆଳୀ ମାଇନର ସ୍କୁଲ ମ୍ୟାନେଜିଂ କମିଟୀରେ ସୋଭାନ ଖାଁ ଜଣେ ମେମ୍ବର । ଦିନେ ଦିନେ ସେ ସ୍କୁଲକୁ ବୁଲିବାକୁ ଆସନ୍ତି । ବସ୍ତିରୁ ୫/୭ ଜଣ ମିଆଁ ପିଲାବି ପଢ଼ୁଥାନ୍ତି । ହଦନ୍‌, ସନାଉଲ୍ଲା, ଅଜିମୁଦ୍ଦିନ୍ ମୋ ତଳେ ଉପରେ ପଢ଼ୁଥାନ୍ତି । ମୋ ସାଙ୍ଗରେ ସିପେଇ ମହଲ୍ଲା ଆଦିଲ୍‌ମିଆଁଙ୍କ ପୁଅ ସଫା (ଡାକନାମ) ପଢ଼ୁଥାଏ । ଅଦିଲ ମିଆଁବି ବେଳେ ବେଳେ ସ୍କୁଲକୁ ଆସନ୍ତି । ସୋଭାନ ମଉସାଙ୍କୁ ସାଙ୍ଗରେ ଆଣିଥାନ୍ତି । ଆଜିଲ୍ ମିଆଁ ଛଅଫୁଟ୍ ଛ ଇଞ୍ଚ ଡେଙ୍ଗା । ଚକ୍‌ଚକ୍ ଗୋରା । ଧଳା ପାଇଜାମ, ସିଲ୍କ ପଂଜାବି ଉପରେ କୋର୍ଟଟେ ଚଢ଼ାଇଥାନ୍ତି । ଭାରି ସଉକିଆ ଲୋକ । ଅତର ଆଣିଥାନ୍ତି । ସାରମାନଙ୍କର ସାର୍ଟରେ ପକାନ୍ତି । ବାସନା ଚହଟିଯାଉଥାଏ । ଦିନେ ଦିନେ ବଂଧୁକ ଧରି ଆସିଥିବେ । ମୋତେ ବଂଧୁକକୁ ଡର । ଅଫିସରେ ୨ ଖଣ୍ଡ ଚେୟାର । ହେମାଷ୍ଟର ଅଚ୍ୟୁତାନନ୍ଦ ନନ୍ଦ ଟୋକା ଲୋକ ଗୋଟିଏ ଚେୟାରରେ ବସନ୍ତି । ଆର ଖଣ୍ଡକ ଭଂଗା ଏମାନେ ଆସିଲେ ବେଞ୍ଚଟିଏ ପଡ଼େ ବସନ୍ତି । କ’ଣ ଭଲମନ୍ଦ ସାର୍‌ଙ୍କ ସାଙ୍ଗରେ କଥା ହଉଥିବେ । ରଘୁବାବୁ ଓରଫ ରଘୁନାଥ ପରିଡ଼ା । ସେ ସ୍କୁଲର କ ଠାରୁ କ୍ଷ ପର୍ଯ୍ୟନ୍ତ । ପାଠ ପଢ଼େଇବେ, ହତାରୁ ଗାଈ ବାଡ଼େଇବେ । ମାଟି ଚକଟି କାନ୍ଥ ଦଉଥବେ । ଟିକେ ହାଉଳିଆ ଲୋକ । ଦିନେ ଆଜିଲ୍ ମିଆଁ ଆସିଛନ୍ତି । ହାଣ୍ଡିଏ ଡାଳି ଗଜା ତାଙ୍କ ଘରେ ତିଆରି କରି ଆଣିଛନ୍ତି । ସାରଙ୍କୁ ଦେଲେ” ଆପଣମାନେ ଖାଇବେ, ପିଲାଙ୍କୁ ଦେବେ ।” ଲୁଙ୍ଗାବାକୁ ବଂଗାଳି । । ସତ୍ୟବାଦୀ ବନବିଦ୍ୟାଳୟର ଛାଟ ତାଙ୍କ ଉପରେ ଲାଗିଥାଏ । ଉଗ୍ରଶୃଙ୍ଖଳାବାଦି । ଆଗ ପିଲାଙ୍କୁ ବାଣ୍ଟି ଦେଲେ । ପିଲାବୋଲି ୪ କ୍ଲାସରେ ୫୦/୬୦ ହେବୁ । ବାକି ଅଫିସକୁ ଆଣିଲେ । ପରୀକ୍ଷା କାଗଜ ଚିରି ସମସ୍ତଙ୍କୁ ବାଣ୍ଟିଲେ । ହେଡ଼ ମାଷ୍ଟ୍ରେ, ଆଉ ହେଡ଼ପଣ୍ଡିତେ ବଳଭଦ୍ର ନାଏକ ନଖାଆନ୍ତି । ଭିତିରି କଥା ମୁସଲମାନ ଘରୁ ଆସିଛି । ଛୁଆଁ । ଖାଇବେ କିମିତି? ରଘୁବାବୁତ ଆଖାଡ଼ୁଆ ସାର୍ । କହିଲେ, “ହଇଓ ହେଡ଼ମାଷ୍ଟ୍ରେ, ବଳଭଦ୍ରଭାଇ ଆମେ ମାଷ୍ଟର । ଆମେ ପୁଣି ଛୁଆଁ ଅଛୁଆଁ କହିବା । ହଇହୋ ଆଜିଲ୍ ଭାଇଙ୍କ ଭଳି ସଫାସୁତୁରା ତୁମେ କିଏ କହିଲ? ଲୁଙ୍ଗା ବାବୁ ଦିଅ ସେମାନେ ଖାଇବେ ।” ରଘୁବାବୁଙ୍କ କଥା କାଟିପାରିଲେ ନାହିଁ । ଦୁଇ ସାର ଖାଇଲେ । ରଘୁବାବୁ ନିଜେ ଖଣ୍ଡେ କାଗଜରେ ନେଲେ । ଆଜିଲ୍ ମିଆଁ ଆଉ ସୋଭାନ ଖାଁଙ୍କୁ ୨ ଖଣ୍ଡ କାଗଜରେ ଧରେଇଲେ । ସେତେବେଳେ ନୁହେଁ ଆଜି ବି ଆମ ହିନ୍ଦୁ ଭାଇମାନେ ମିଆଁଙ୍କ ଠାରୁ ଚା ପର୍ଯ୍ୟନ୍ତ ଧରନ୍ତି ନାହିଁ । କିନ୍ତୁ ମିଆଁମାନେ ସେମାନଙ୍କ ଘରକୁ କାମ ଦାମ ହେଉ ବା ଭାବରେ ହେଉ ଗଲେ ଖାପିଆ କରନ୍ତି । ମାନବ ଧର୍ମି ସହିତ ଆମ ହିନ୍ଦୁ ଭାଇମାନଙ୍କ ସଂପର୍କ କମ୍ । ଆମେ ତ ଅଫିସ ଆଗରେ ଗଦା ହେଇଥାଉ । ଆଜିଲ ମିଆଁ ପଦେ ଶୁଣାଇ ଦେଲେ ନା “ହିନ୍ଦୁ ଧର୍ମର ଛୁଆଁ ଅଛୁଆଁ କଥାକୁ ହତିଆର କରି ଇଂରେଜମାନେ ଆମ ଦେଶକୁ ଶାସନ କରୁଛନ୍ତି । ଆମ ଭିତରେ ଶିଖ ମନାଇ ଅଛନ୍ତି । ମିରଜାଫରବି ଅଛନ୍ତି। ଶୋଭନା ଭାଇ ଉଠ । ରଘୁଦାଦା ଥାଆ ।” ଖୁବ୍ ନମ୍ର ହସ ହସ ମୁହଁ । ଆଫଗାନ ବଂଶଜ ବୋଲି ତାଙ୍କ ଚେହେରାରୁ ମୁଁ ଏବେ ମନେ କରୁଛି ।

ସୋଭାନ ମଉସା, ମଡ଼ଲୁବ୍ ଅଲ୍ଲି, ଅଜିମୁଦ୍ଦିନର ବାପାଙ୍କ ଭଳି ଆଙ୍ଗୁଠି ଗଣତି ୫/୭ ଜଣଙ୍କର ଆଟୁ ବା ପାଞ୍ଚ ଶ୍ରେଣୀଆ ଘର ଥାଏ । ଅନ୍ୟମାନଙ୍କର ଘର ଦ୍ୱାର କୁଡ଼ିଆ ବଖରେ ଦି ବଖରା ହୋଇପାରେ । ପରିବାରର ୫/୭ ଜଣ, ଛେଳି ୨/୪ ଟା କୁକୁଡ଼ା ୧୫/୨୦ଟା, ବତକ ବି ଆଠ ଦଶଟା । ସମସ୍ତେ କୁଡ଼ିଆ ଭିତରେ ଖୁନ୍ଦିଖୁନ୍ଦି ହେଇ ରୁହନ୍ତି । ପ୍ରତ୍ୟେକ ପରିବାର ପାଇଁ ଘରଡିହ ଯଥେଷ୍ଟ ଥାଏ । ଯେତେବେଳେ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ନିଆଳିରେ ଥଇଥାନ କରାଯାଉଛି ନିଆଳିରେ ବି ଲୋକ କମଥିବେ । ସେମାନଙ୍କର ଘରଡିହ ସହିତ ଜମି ବି ଥାଏ ନା । ବହୁତ ଯାଗା ପଡ଼ିଆ ତୋଟା ବାଡ଼ି ପଡ଼ିଥିବ । ମୂଳ ମୁସଲମାନମାନେ ଜାଗା ଆଦରିଛନ୍ତି । ଘରଦ୍ୱାର କରିବାକୁ ଅଣ୍ଟାରେ କରଡ଼ି ନାହିଁ । ବସ୍ତି ମଝିରେ ଗୋଟିଏ ମସଜିଦ୍ । ସେମାନଙ୍କର ନିଜ ନିଜ ଭିତରେ ଜାତି, ଛୁଆଁ, ଅଛୁଁଆ ନାହିଁ । ମସଜିଦକୁ ସମସ୍ତେ ଆସନ୍ତି । ନମାଜ ପଢ଼ିବେ । ଆଲାଙ୍କୁ ଡାକିବେ, ମାଇକି ଆସିନି, ଚୁଂଗାରେ ଜଣେ ମୌଲଭି କୋରାନ ପଢ଼ନ୍ତି । ଅନ୍ୟମାନେ ନିରବରେ ମସଜିଦ୍ ଭିତରେ ପ୍ରାର୍ଥନା କରନ୍ତି । ଯେଉଁମାନେ ମସ୍‌ଜିଦ୍ ଆସିପାରନ୍ତି ନି, ସ୍ତ୍ରୀ ଲୋକମାନଙ୍କୁ ତ ମସ୍‌ଜିଦ୍ ମନା ଚୁଙ୍ଗା ଶୁଣି ଘରେ ଆଲ୍ଲାଙ୍କ ପ୍ରାର୍ଥନା କରନ୍ତି ।

ମୁସଲମାନଙ୍କର ସଂଖ୍ୟାତ କମ୍ । ଏଣେ ହିନ୍ଦୁମାନେ ତାଂକୁ ନାକ ଟେକୁଛନ୍ତି । ହାଟ, ବାଜାରରେ ବେଳେବେଳେ ହିନ୍ଦୁ ମୁସଲମାନ ଝଗଡ଼ାବି ଲାଗିଯାଏ । ଦଣ୍ଡିଆମାନେ ଶାନ୍ତିଶୃଂଖଳା ରକ୍ଷା କରନ୍ତି । ଏଣେ ସିଂହ ସାହିରେ ରାଜପୁତମାନଙ୍କର ମିଆଁଙ୍କ ସଂଗେ ଭଲପଡ଼େନି । ଦୁଇ ଗୋଷ୍ଠି ବାହାରୁ ଆସିଛନ୍ତି । ପୁଣି କରି ହାର ଜିତରେ ଆଶ୍ରୟ ପାଇଁ ଚଲିଆସିଛନ୍ତି । ମୋଗଲ ଓ ରାଜପୁତମାନଙ୍କ ମଧ୍ୟରେ ତ ବାରଂବାର ଯୁଦ୍ଧ ହେଇଛି । ସେଇରକ୍ତ ନେଇ ଆସିଛନ୍ତି । ତେଣୁ ନିଆଳିରେ ଏହି ଦୁଇ ଗୋଷ୍ଠିଙ୍କର ରକ୍ତ ଟିକେକେ ଟକମକ ଫୁଟୁଥାଏ । ସିଂହ ସାହିରେ ଆଡ୍ଡାଘର ଥାଏ । ଯୁବକମାନେ ସଂଧ୍ୟାରେ ଏକାଠି ହୁଅନ୍ତି । କୁସ୍ତି, କସରତ, ଖଣ୍ଡା ଚଳାଇବା, ବର୍‌ଛା, ତାଲ, ସାଂଜୁ ପିନ୍ଧାପିନ୍ଧି କରି ନିଜ ଭିତରେ ଦୁଇ ଦଳ ହୋଇ ଯୁଦ୍ଧ ଅଭ୍ୟାସ କରନ୍ତି । ବର୍ଣ୍ଣାଟି ବୁଲାନ୍ତି । ଦଶହରା, ପର୍ବପର୍ବାଣୀରେ ଫରିଖେଳ ଖେଳନ୍ତି । ଠିକ୍ ଅବିକଳ ରାଜପୁତମାନଙ୍କ ଭଳି ମୁସଲମାନେ ମଧ୍ୟ ଅଭ୍ୟାସ କରନ୍ତି । ଫରି ଖେଳନ୍ତି । ଦଶହରାରେ ସିଂହ ସାହିରେ ଖଣ୍ଡା, ତଳଓ୍ୟାର ପୂଜାବସେ । ୪ଟା ବେଳେ ସିଂହ ସାହି ଓ ବସ୍ତି ଭିତରେ ଅଚିନା ପଡ଼ିଆରେ ଫରିଖେଳ, ବର୍ଣ୍ଣାଟିବୁଲା ଚାଲେ । ଏସବୁ ମିଛି ମିଛିକା ପ୍ରତିଯୋଗିତା । ଖେଳ ଶେଷରେ ଦୁଇଦଳ ମିଶି ହସଖୁସି ହୁଅନ୍ତି । ବେଳେ ବେଳେ ନିହାଲ ସିଂହ, ସୋଭାନ ଖାଁଙ୍କ ଭଳି ମାମଲତକାର ସମସ୍ତଙ୍କୁ ମିଠେଇ ବାଣ୍ଟନ୍ତି । ସମସ୍ତେ ପାଟିମିଠା କରି ଘରକୁ ଫେରନ୍ତି ।

ସବୁ ସମୟ କ’ଣ ଏକାଭଳି ଯିବ । ବେଳେ ବେଳେ କମ୍ ସମୟ ପାଇଁ ବିସ୍ଫୋରଣ ହୁଏ । ମୁଁ ଦେଖିନି ଶୁଣିଛି । ପିଲାଦନ କଥା । ହୁଏତ ୧୯୧୦-୨୦ମସିହା ଘଟଣା ହୋଇପାରେ । ମୋର ସେତେବେଳେକୁ ଜନ୍ମନାହିଁ ନିଆଳି ବସ୍ତିକୁ ଲାଗି ଶୋଭନେଶ୍ୱର ମନ୍ଦିର । ଶୋଭାନେଶ୍ୱରଙ୍କ ଚଳନ୍ତି ପ୍ରତିମା କେତେକ ପର୍ବରେ ବିମାନରେ ସିଂହସାହି ପାଖ ସପ୍ତମୀ ପଡ଼ିଆକୁ, ମକର ସଂକ୍ରାନ୍ତିରେ ନିଆଳି ସାହି ପାଖକୁ ଏମିତି ଯିବା ଆସିବା ତାଂକରଥାଏ । ବେହେରା ଅଛୁଆଁ ନ ହେଲେ ବି ବ୍ରାହ୍ମଣଙ୍କର ସେବକ । ସୋଭନେଶ୍ୱରଙ୍କ ବିମାନ କାନ୍ଧେଇବା ଏମାନଙ୍କର କାମ । ଶୋଭନେଶ୍ୱରର ମନ୍ଦିରରୁ ମସ୍‌ଜିଦ୍ ବାଟ ନେଇ ବିମାନ ବାଜାରକୁ ନେବେ, ଶଂଖ, ମହୁରୀ, ଖୋଳ, କର୍ତ୍ତାଳ, ଢୋଲ, ଘଣ୍ଟ, ଘଣ୍ଟା, ବଜାଇ ମହା ଆଡ଼ମ୍ବରରେ ବିମାନ ନିଅନ୍ତି । ଆମ ଠାକୁର ପାଟିତୁଣ୍ଡ ହୋହଲ୍ଲାକୁ ଭଲ ପାଆନ୍ତି । ମାତ୍ର ଆଲ୍ଲାଖୁବ୍ ଶାନ୍ତି ପ୍ରିୟ । ମସଜିଦ୍ ପାଖରେ କେତେବେଳେ କିଛି ବାଜା ବାଜେ ନାହିଁ । ମୁସଲମାନମାନଙ୍କର ମରମ କଥା ସୋଭନେଶ୍ୱର ପଲଟଣ ଜାଣନ୍ତି । ମସ୍‌ଜିଦ୍‌ର ୧୫/୨୦ ହାତ ଆଗରୁ ଏବଂ ୧୫/୨୦ ପର ପର୍ଯ୍ୟନ୍ତ ବାଜା ବନ୍ଦ କରିଯାଆନ୍ତି । ଭଲ କଥା । ବେଳେ ବେଳେ କିଛି କଳ ପ୍ରକୃତିର ଲୋକଥାନ୍ତି ଭଲରେ ଭେଲ ମିଶାଇ ଦିଅନ୍ତି । ଥରେ ସୋଭନେଶ୍ୱର ଗଲାବେଳେ କେତେଜଣ ବାହାଦୁରିଆ କହିଦେଲେ, “ବଜାଅବେ । ବଜା ବନ୍ଦ କରନି ।” ହେଲାତ ହୋହାଲ୍ଲା ମାଡ଼ ଫୌଜାଦାରି । ଭକ୍ତମାନେ ସୋଭନେଶ୍ୱରଙ୍କୁ କ’ଣ ନେବେ, ଲାଗି ପଡ଼ିଲେ ବାଡ଼ିଆପିଟାରେ । ମୁସଲମାନ ବି ନଛାଡ଼ନ୍ତି । ତାଂକ ଇଲାକରେ ଯାଉଛନ୍ତି । ତାଂକ ଆଲ୍ଲାକୁ ଏତେ ଅପମାନ । ବିଜୁଳି ବେଗରେ ଖବର ଚାରିଆଡ଼େ ବ୍ୟାପିଗଲା । ପାଖ ଗାଁମାନଙ୍କରୁ ଠେଙ୍ଗା ବାଡ଼ିଧରି ଗଦାହୋଇ ପଡ଼ିଲେ । ଉଭୟ ପକ୍ଷରୁ ମୁରବୀ ଲୋକ ପହଞ୍ଚି ବନ୍ଦ କରିବାକୁ ଲାଗିଲେ ହେଲେ ନିଆଁତ ଘୋଟି ଯାଇଛି । ଏତେ ସହଜରେ କ’ଣ ଲିଭୁଛି । ରାସ୍ତାଘାଟ ନାହିଁ । ଗୋବିନ୍ଦପୁର ଥାନା ୧୦ କୋଶ ଦୂର । ଦଫାଦାର, ଚୌକିଆ ଖବର ଦେଇଥିବେ । ଦାରୋଗା ବାବୁ ପଲଟଣ ଆଣି ପହଞ୍ଚିଗଲେ । ସକାଳୁ ସକାଳୁ । ନିଆଁ କୁହୁଳୁଛି । ନିରବତା ଭିତରେ ସୋଭନେଶ୍ୱରଙ୍କୁ ବିଦାକଲେ । ଫିରିଙ୍ଗି ଶାସନ । ବାଘ, ଛେଳି, ଏକା ତୁଠରେ ପାଣି ପେଇ ଜାଣନ୍ତି । କଟକରୁ ମୁନସିସାହେବ ଆସି ପହଞ୍ଚିଗଲେ । ଶାନ୍ତି କମିଟୀ ଗଠନ ହେଲା । ଗୋଟିଏ ପକ୍ଷର ଦୋଷ ଆଉ ପକ୍ଷର କସୁର । ତେଣୁ ଭିଡ଼ା ଓଟରା ନାହିଁ । ପୋଲିସରେ ଲେଖାପଢ଼ା ହେଲା । ସେହିଦିନୁ ସୋଭନେଶ୍ୱର ବା ଦେବୀ ମେଢ଼ ମସଜିଦ୍‌ବାଟେ ଗଲେ ଆଉ ବାଜା ବାଜେ ନାହିଁ । ଉଭୟ ସଂପ୍ରଦାୟ ଏହି ନିଷ୍ପତ୍ତିକୁ ଅକ୍ଷରେ ଅକ୍ଷରରେ ମାନି ଆଜି ପର୍ଯ୍ୟନ୍ତ ଚଳୁଛନ୍ତି ଭାଇଚାରାରେ । ପୁରୁଣା କଥା କେଉଁ କାଳୁ ଲିଭିଯାଇଛି ।

ପର୍ବପର୍ବାଣୀରେ ଦୁଇ ସଂପ୍ରଦାୟର ଲୋକଙ୍କୁ ଦେଖିବ । ଇଦ୍‌ରେ ହିନ୍ଦୁମାନେ ମୁସଲମାନ୍‌ମାନଙ୍କସହିତ କୋଳାକୋଳି କରିବା । ଇଦ୍ ମୋବରକ କେତେକ ହିନ୍ଦୁ କହିବା । ହିନ୍ଦୁ ମିଆଁଙ୍କ ଘରେ ବିରିଆନି ଖାଇବା, ମିଆଁଙ୍ଗା ଲଛା, ଖଜୁର, ହାଳୁଆ ହିନ୍ଦୁ ପ୍ରତୀବଂଧୁମାନଙ୍କ ଘରକୁ ଦବା, ସତ୍ୟପୀର ସିରିଣି ମିଆଁମାନେ ସମସ୍ତଙ୍କୁ ବାଣ୍ଟିବା ନିଆଳିରେ ଚଳନି ପାଲଟି ଗଲାଣି । ଦଶହରା, ରଜ, ଦୋଳଯାତ୍ରା, ମକରରେ ହିନ୍ଦୁମାନଙ୍କ ଘର ପିଠାପଣା ମିଆଁଙ୍କ ଘରକୁ ପଠାପଠି ହୁଏ । ମୁଁ ୫/୭ ଜଣ ସାଙ୍ଗଙ୍କ ସହିତ ବିଶେଷ କରି ଅଭି ନିଶ୍ଚୟ ଥିବ ଇଦରେ ମିଆଁଙ୍କ ଘରେ ଚିକିନ୍ ବିରିଆନି, ମଟନ ବିରିୟାନି ଚକାପକାଇ ଖାଇଛି । ମାଂସ, ବିରିୟାନି ରାନ୍ଧିବାରେ ମିଆଁଙ୍କୁ ମାନିବାକୁ ହେବ ।

କିସ୍‌ମିସ୍‌, ଗୁଜୁରାତି, ଅଳେଇଠି, ପେସ୍ତାବାଦାମ୍‌, କାଜୁ, ଲବଙ୍ଗ, ଡାଲଚିନ, ଯାଇଫଳ, ଜାଫ୍ରାନ୍ କେଶର କ’ଣ କ’ଣ ଯେ ମସଲା ସେମାନେ ପକାନ୍ତି ଆମକୁ ଏତେଟା ଜଣାନାହିଁ । ଯେତେ ଅଭାବ ଅସୁବିଧା ହେଲେ ବି ବାସୁମତି ଅରୁଆ ଚାଉଳ, ଗୁଆଘିଅ, ବିରିୟାନି ପାଇଁ ଯିମିତି ହେଲେ କିଣିବେନା । ତେଣିକି ମାହଲ ନିଲାମ ହଉ ବା ମହାଜନ ଠାରୁ କରଜ କରି ହଉ । ଆମ ଭଳି ତ ବର୍ଷାସାରା ପର୍ବପର୍ବାଣି ତାଙ୍କର ନ ଥାଏ । ଇଦ ମହରମ, ବକ୍ରିଜ ଏମତି ୩/୪ଟି ପର୍ବ ।

ରଜ ଓଡ଼ିଶାର ଗୋଟାଏ ବଡ଼ ପର୍ବ । ଝିଅ ମାନେ ତ ବେଶ ପୋଷାକ ହୋଇ ରଜ ବୁଲିବାକୁ ଯାଆନ୍ତି । ପୁଅମାନେ ଗୁଡ଼ିଉଡ଼ା, ବାଗୁଡ଼ି ଖେଳ, ଡାଗରର ପୁଅ ଖେଳରେ ଧୂଳି ଉଡ଼ି଼ଯାଏ । ଏ ଗାଁ, ଗାଁରେ ବାଗୁଡ଼ିଖେଳ । ଖାସି ବଂଧା ହେବ । ବାଗୁଡ଼ି ଖେଳ । ତିନି ଦିନ । ଦଳ ଦଳ ଖେଳି ଶେଷ ଦିନ ଯେଉଁ ଦୁଇ ଦଳ ଖେଳିବେ ଜିତିବା ଦଳ ଖାସି ଫିଟେଇବ । ମାଂସ ଭାତ ଖାଇ ମଜା ବାଡ଼େଇବେ । ନିଆଳିରେ ରଜକୁ ବାଗୁଡ଼ି ଖେଳର ନାଁ ଥିଲା । ଡାକ୍ତରଖାନାକୁ ଲାଗି ବାଗୁଡ଼ଗୁଡ଼ ପଡ଼ିଆ, ବାଲିକୁଦ । ଖେଳଯାଗାରେ ଆଣ୍ଠୁଏ ବାଲି । ପଡ଼ିଗଲେ ହାତଗୋଡ଼ ଭାଂଗିବା ଭୟ ନଥାଏ । ପଡ଼ିଆକୁ ଲାଗି ବିରାଟ ବରଗଛ । ଖେଳନ୍ତି ପ୍ରତିଦିନ ୧୦/୧୨ ଦଳ । ଦର୍ଶକ ଗ୍ୟାଲେରୀ ବାଲିକୁଦ, ବରଗଛ ମୂଳ । ସକାଳ ୮ଟା ରୁ ସଂଧ୍ୟା ୬ଟା ୧୨ଟା ଗୋଟେ ପର୍ଯ୍ୟନ୍ତ ୭/୮ ବର୍ଷ ବୟସରୁ ୧୩/୧୪ ବର୍ଷ ପିଲାମାନେ ଖେଳନ୍ତି । ଦର୍ଶକ ବି ପିଲା । ହିନ୍ଦୁ, ମୁସଲମାନ ମିଶି କରି ଖେଳନ୍ତି । ବାଉରି ବାବରତ ସେତେବେଳେ ପୁରାପୁରି ଅଛୁଆଁ । ସେମାନେ ତାଂକ ଭିତରେ ୨ ଦଳ ହୋଇ ଖେଳନ୍ତି । ୧ଟା ୨ଟା ବେଳକୁତ ତୋକ ଖେଳ । ମୁଣ୍ଡମାଳ, ସୋରିଷ ପକାଇବାକୁ ଯାଗା ନଥିବ । ୧୫ବର୍ଷରୁ ୪୦ ବର୍ଷ ବୟସର ଟୋକାମାନେ ଫରିକଛା ମାରି ଯେତେ ବେଳେ ମଇଦାନକୁ ବାହାରିବେ ଆଗ ବାଲିରେ ଗୁଡ଼ାଏ ମାଙ୍ଗଡ଼ ଚିତ୍ ମାରିଯିବେ । ଉଠବସ୍ ଦଣ୍ଡ ବୈଠକି କରିପକାଇବେ । ଆଜିକାଲି ଖେଳାଳିମାନେ ୱାର୍ମିଂ ଅପ୍ ହଉନାହାଁନ୍ତି । ସେମିତି ଗୋଡ଼ହାତ ଖୋଲା କରନ୍ତି । ସିଂହସାହି ଟୋକା ଆଉ ମିଆଁଟୋକା ଦିଦଳ ହେଇ ଖେଳୁଥିବେ । ଦର୍ଶକମାନେ ଚିଅରଅପ୍ କରୁଥିବେ । ଖାସି ବଂଧା ହେଇଥିବ । କଣ ଅଲଗା ଅଲଗା ଦଳ କି । ସିଂହସାହି ଟୋକା ମିଆଁଟୋକା ମିଶିମାଶି ଦି ଦଳ ହେବେ । ସିଂହ ଗୋଟାଏ ଦଳରେ ମୋର ପାଠ ପଢ଼ା ସାଙ୍ଗ ଅଭି ଦଳପତି ତ ଅନ୍ୟ ଗୋଟେ ଦଳରେ ମୁନ୍‌ସି କରିମୁଦ୍ଦିନ ଦଳପତି । ଅଭିର ଫରିକଛା ମରାନ ଥାଏ । ଡାହାଣ ହାତରେ ଲୁଗା ଫେର ଟେକି ଧରିଥିବ, ବାଁ ହାତରେ କାଳି ଦବ । ତାକୁ କେହି ଧରିପାରନ୍ତି ନି । କାଠିଏ ବଳ, ମାରି ୩/୪ ଶୁଆଇ ଦିଏ । ଯଦି କିଏ ଧଇଳା ହାତ ଛାଟିଦିଏତ ପାଞ୍ଚହାତ ଦୂରରେ ଖେଳାଳି ପଡ଼ିଲେ । ମୁସଲମାନ ଟୋକାବି କମ୍ ନୁହେଁ । ଜଣେ ଜଣେ କାଳି ଦବାକୁ ଯିବେ ଘାମରେଇ ତ ପକେଇବେ । ତାଳି, ତାଳି, ତାଳି ଖଇଫୁଟି ଯାଉଥିବ । ବେଳେ ବେଳେ ବଡ଼ ମଣିଷ ଙ୍କର ଖେଳହୁଏ । ସେଥିରେ ଗୁଡ଼ାଏ ଖେଚିଡ଼ିଆ ଆଥାନ୍ତି । ହୁରି ବୋଲନ୍ତି । ଶୁଣିଲା ଲୋକେ ହସି ହସି ଗଡ଼ି ଯାଆନ୍ତି । ଆମ ଗାଁର ସର୍ବେଶ୍ୱର ସତପଥୀ ହୁରି ବୋଲି ମାଡ଼ିତ ଯିବେ କାଳି ଦିବାକୁ । ଯାଇଛନ୍ତି ମାଡ଼ିବସିବେ । ମାଡ଼ି ବସିବେ ସମସ୍ତେ । ବଳ ନ ଥାଏ । ମାତ୍ର ସଅକ ।

ଶେଷ ଦିନ ଖେଳ । ବାଲିକୁଦରେ ସୋଭାନ ଖାଁ, ମତଲୁବ ଅଲ୍ଲି, ନିହାଲ ସିଂହ, କୁଳମଣି ମହାପାତ୍ର, ମହେଶ୍ୱର ମହାପାତ୍ର, (ବାପା, ପୁଅ) ଫକୀର ସେନାପତି ସବୁ ଦାମକା ଲୋକ ହାଜର । ଜଣେ ଖାସିଟା ଧରି ୨/୪ ଥର ବୁଲେଇ ଆସିବ । ଢୋଲ, ମହୁରୀ, ତାଳେ ତାଳେ ବାଜୁଥିବ । ଶେଷଦନି ଦର୍ଶକଜାମ । ଡାକ୍ତର ବାବୁ, ମାଷ୍ଟ୍ରେ ଏମାନଙ୍କୁ ନିମନ୍ତ୍ରଣ ଥିବ । ସେଇ ବାଲିକୁଦରେ ବସିବେ । ଶେଷ ଖେଳ ଆରମ୍ଭ ହବ । ଦଳେତ ଜିତିବେ । କିନ୍ତୁ କ’ଣ ଖାସି ସେଇମାନେ ନେଇ ଭୋଜିକରି ଖାଇବେ କି? ଦି ଦଳ ଟୋକା ଏକାଠି ମିଶି ଫିଷ୍ଟ କରିବେ । ହିନ୍ଦୁ ୧୦/୧୨ ଜଣ ମିଆଁ ୧୦/୧୨ ଜଣ । ସଂଧ୍ୟା ହୋଇଯାଉଥିବ । ଦେଖଣାହାରି ଗଲେ । ସୌକତ ମିଆଁ ଖାସି କାଟିବ । ୨/୩ ଘଣ୍ଟା ରୋଷେଇ ବାସ ଲାଗିବ । ଭୋତିଆ ଉସୁନା ଚାଉଳ ଭାତ । ମାଂସ ତରକାରି । ମାଂସ ତରକାରି ମିଆଁ ପିଲା କରନ୍ତି । ମୁଁ ତ ପଢ଼ୁଥାଏ । ଅଭିର ମୋର ସାଙ୍ଗ । ଅଭି ମୋତେ ବାଧ୍ୟକରେ ଭୋଜିରେ ରହିବା ପାଇଁ, ରୋଗୀ ଖୋଜୁଥିଲା ଯାହା ବଇଦ କହିଲା ସେଇଆ । ମୋର ତ ଭିତରେ ଗୋଟା ପଣ ଆଶା ଥାଏ । ମଂଜ କଦଳୀପତ୍ର ପଡ଼ିଯିବ । ଭାତ ଲାଗିବ । ମନ୍ଦା କରିବେ । ଲିଆକତ୍ ଭାଇ ମାଂସ ତରକାରୀ ଲଗେଇବ । ମିଆଁତ ମାଂସ ରୋଷେଇ ଭଲ କରନ୍ତି । ଝୋଳ ବୋହି ଯିବାର ନାହିଁ । ତା ଛଡ଼ା ବାଲିତ । ପତ୍ର ତଳେ ଖୋଳିଗାତ କରି ଦେଇଥାଉ । ଝୋଳ ରହିଯାଏ ଡାକ୍ତରଖାନା କୁଅରେ ଭଲ ପାଣି । ମାଠିଆରେ ପାଣି ଆଗରୁ ଆସିଥୁଆ ହୋଇଥାଏ । ବାଲଟି ସେତବେଳକୁ ବଜାର ଦେଖିନି । ଖାଇପିଇ ଗୁଡ଼ାଏ କୋଳାକୋଳି ହୁଅନ୍ତି । ଏଠି ସମସ୍ତେ ଏକ । ହିନ୍ଦୁ, ମୁସଲମାନ ସଂକୀର୍ଣ୍ଣତା ନାହିଁ । ଅନ୍ଧାର ହୋଇଯାଏ । ଅଭି ମତେ ପ୍ରାଚୀ ପାଖେ ବଳେଇଦିଏ । ମୁଁ ଦୌଡ଼ି ଦୌଡ଼ି ଘରେ । ଗଧିଆ ସେଇ ବେଳାରେ ସିଂହସାହି ଗଧିଆ କଣରୁ ବସ୍ତି ସାହବଖାନା (ଯେଉଁଠି ଗୋରୁ ମାଂସ କଟା ହୁଏ)କୁ ଲାଇନ ଲଗାଇଥାନ୍ତି ତ । ଭାରି ମୁରାଟ ।

କାଳିଆ ମିସ୍ତ୍ରୀ ଉପାଖ୍ୟାନ । ହାଣ୍ଡିକଳା ଭଳି କଳା, ଡେଙ୍ଗା, ବଳିଲା ଭଳି ଦିହ । ବିହାରି ମିସ୍ତ୍ରୀ କାଳିଆମିସ୍ତ୍ରୀ, ମିଆଁ ନିଆଳିରେ ସପରିବାରେ ପହଞ୍ଚିଯାଏ । ୧୯୪୪-୫୫ ହେବ । ମସ୍‌ଜିତ୍ ପାଖରେ ଖଣ୍ଡିଏ କୁଡ଼ିଆରେ ଆସ୍ତାନ ଜମାଏ । ସେତେବେଳକୁ ଇଟା, ସିମେଣ୍ଟ, କୋଠାଘର ଠାଏ ଠାଏ ଆରମ୍ଭ ହୋଉଥାଏ । ମାଗରାଗୁଦରେ ମିସ୍ତ୍ରୀ । ଭାରି ଠକ । ୨ ସରି ଇଟା ବସେଇ ଦେଇଗଲେତ ମାସେ । କାଳିଆ ମିସ୍ତ୍ରୀ ଏକ ନମ୍ବର ମିସ୍ତ୍ରୀ । ମିଆଁତ । ମସ୍‌ଜିତ୍ ତିଆରିରେ ତାର ନାଁ ଅଛି । କଥା ପ୍ରଘଟ ହୋଇଗଲା । କାଳିଆ ପାଖରେ କାମ ପାଇଁ ଲାଇନ ଲାଗେ । ଅତ୍ୟନ୍ତ ମଧୁର ବ୍ୟବହାର । ବସ୍ତିରେତ ପିଲା ବେଶି । ୪/୫,୧୦/୧୨ ବର୍ଷିଆ ପିଲାଧରି କାଳିଆ ମିସ୍ତ୍ରୀ କାମକୁ ବାହରନ୍ତି । ସେତେବେଳ ଶିଶୁ ଶ୍ରମିକ କଥା ଉଠିନି । ତେଣୁ ଛୋଟ ପିଲାଙ୍କୁ କାମରେ ଲଗାଏ । ପାଠ ପଢ଼ା ମିଆଁଙ୍କର ଟିକେ କମ୍ । ମାସ ୨/୩ଟାରେ କାଳିଆ ମିସ୍ତ୍ରୀ ନାଁ ବ୍ୟାପିଯାଏ । କାଳିଆ ମିସ୍ତ୍ରୀ ଘର ଭାଗଦବ । ଇଟା, ସିମେଣ୍ଟ, ବାଲି ଥୋଇଦେଲ ତ ଘରୁ ଆର ମିସ୍ତ୍ରୀ ସାଥିରେ କିଛି କଥା ନାହିଁ । ୮/୧୦ ଘଣ୍ଟା କଥା । ହାତ ବନ୍ଦ ହବନି । ମଝିରେ ଚା ଟିକିଏ ପିଏ । ମାଲିକ ଚା ଦିଅନ୍ତି । ପିଲାମାନେ ମୁଢ଼ି, ଚୁଡ଼ା ଦିଟା ଚୋବାଇ ଦିଅନ୍ତି । ସମୟ ଗଡ଼ିଯାଉଛି, ଯେଉଁ ପିଲା ହେଲପର କାମ କରୁଥିଲେ ସେମାନେ ମିସ୍ତ୍ରୀ ହେଲେଣି । କାମରେ ଗଲତି କଲେ କାଳିଆ ମିସ୍ତ୍ରୀ ଫୋପାଡ଼ିବ କରଣି । ମୁଣ୍ଡରେ ପିଠିରେ, ପେଟରେ ଯେଉଁଠି ବାଜୁ । ଆକଟସିନା କରୁଥିଲା । ଯିଏ କାଳିଆ ମିସ୍ତ୍ରୀ କରଣିମାଡ଼ ଖାଇଛି ସିଏ ଆଜି ନାମକରା ମିସ୍ତ୍ରୀ । ଦେଖୁ ଦେଖୁ ନିଆଳି ବସ୍ତିରେ ଘରେ ଘରେ ମିସ୍ତ୍ରୀ । ବାଲେଶ୍ୱର, ଭଦ୍ରକଠାରୁ ବ୍ରହ୍ମପୁର, ପୁରୀ, କଟକ, ଭୁବନେଶ୍ୱରରେ ମିସ୍ତ୍ରୀ ଦରକାରମାନେ ନିଆଳି ମିସ୍ତ୍ରୀ, ବଡ଼ ବଡ଼ କାମରେ କାଳିଆ ମିସ୍ତ୍ରୀକୁ ଡକାନ୍ତି । ଏକ ବୈପ୍ଲବିକ ପରିବର୍ତ୍ତନ । ଆଉ ପୂର୍ବ ଦାରିଦ୍ର୍ୟ ନାହିଁ । ପାଠ ପଢ଼ିଲେଣି । ଦରଜୀ କହିଲେ ମିଆଁ । ଡ୍ରାଇଭର ଖୋଜୁଛ ତ ମିଆଁ । ଖଟିଲେ ପେଟ ଅପୋଷା ରହେନି । ୧୯୫୦ ବେଳକୁ ବସ୍ତିଯାକ ଆଜବେଷ୍ଟସ, କୋଠା ଘର । ଚୋରି କରି ନୁହେଁ । ଭାଡ଼ଭାଂଗି କମେଇ ଘର ଡେରି ଦେଲେ । କାଳିଆ ମିସ୍ତ୍ରୀ ପ୍ରାୟ ୩୦ ବର୍ଷ ନିଆଳିରେ କାମ କଲା । ମଲା ବେଳେ ହଜାର ହଜାର ମୁସଲମାନ, ପୁଅ, ଝିଅ ତାର ସବାଧାରରେ ଚାଲି କବର ଦେଲେ । ପ୍ରତି ବର୍ଷ କାଳିଆ ମିସ୍ତ୍ରୀର ମୃତ୍ୟୁ ବାର୍ଷିକି ମିଆଁଙ୍କର ଗୋଟେ ବଡ଼ ଦିନ ।

୧୯୪୭ । ନିଆଳି ହାଇସ୍କୁଲର ଜନ୍ମ । ଜୁଲାଇ ୧ । ନିଳମଣି ପ୍ରଧାନ କଂଗ୍ରେସର ଜଣେ ଟାଣୁଆ କର୍ମି । ବ୍ରଜବଂଧୁ ଷଡ଼ଙ୍ଗୀ ଜଣେ ସମାଜସେବି । ଆଦିଲ ମିଆଁ, ସୋଭାନ ଖାଁ, ନିହାଲ ସିଂହ ଏମାନେ ସ୍କୁଲ ପରିଚାଳନା କମିଟି ମେମ୍ବର । ନିଳମଣି ପ୍ରଧାନ ସେକ୍ରେଟାରି । ବ୍ରଜବଂଧୁ ଷଡ଼ଙ୍ଗୀ କାର୍ଯ୍ୟକାରି ସେକ୍ରେଟାରୀ । ନିରିଶୋ ଗୋବିନ୍ଦଚନ୍ଦ୍ର ଷଡ଼ଙ୍ଗୀ ହେଡମାଷ୍ଟର ।

ଆମେ ୧୨/୧୩ ଜଣ ପ୍ରଥମ ଅଷ୍ଟମ ଶ୍ରେଣୀ ଛାତ୍ର । ଆଦିଲ ମିଆଁ ଟିକେ ଜମିଦାରିଆ ଲୋକ, ସ୍କୁଏ ଘର ତୋଳା ହବ । କାଠ, ବାଉଁସ ଗଦା ଦ କରିଦେଲେ । ହାତଖୋଲା ଲୋକ । ସେଭାନ ଖାଁ ପରିଚାଳନା କମିଟୀ ସଭାପତି । ମିଳିମିଶି କାମ କରିବାରେ ଦୁଇ ସଂପ୍ରଦାୟ ଭିତରେ ବୁଝାମଣା ଥାଏ । ସିଂହ ସାହିତ ଜଂଗଲ । ଅଭି ସେତେବେଳେକୁ ଟିକେ ଠେକ ହେଇଛି । ୧୭/୧୮ ବର୍ଷ । ସିଂହ ସାହିରୁ ବି କାଠ କୁଟା, ବାଉଁସ ପିଲାମାନେ ବୋହିଆଣିଲେ । ସେ ଦିନ ଅଗଷ୍ଟ ୧୫ । ପୂର୍ବଦିନରୁ ନିଳମଣି ପ୍ରଧାନ କହି ଦେଇଛନ୍ତି, “ଆରେ ବ୍ରଜ ଭାଇନା କାଲି ଭାରତ ସ୍ୱାଧୀନ ହବ । ତୁମେ ସବୁ ସ୍କୁଲ ପିଲାଙ୍କୁ ନେଇ ଗାଁ ଗାଁରେ ବୁଲାଇବ । ଲୋକଙ୍କୁ ଜଣାଇବ ।” ଏଡ଼େ ବଡ଼ ଖବର । ବିପୁଳ ବେଗରେ ଚାରିଆଡ଼େ ବ୍ୟାପିଗଲା । ସେ ଦିନ ସକାଳୁ ମୁଁ ସ୍କୁଲରେ ପହଞ୍ଚିଲା ବେଳକୁ ବରଗଛତଳେ ପିଲାଏ, ସାର୍ ଗଦା ହୋଇଛନ୍ତି । ମୁଁ ଏତେଟା ଚାଲାଖ ଚତୁର ନୁହେଁ । କିଛି ବୁଝି ପାରୁନି । ଅଭି କହିଲା, “ଆରେ ବୋକାଟାଏ କିରେ, ଆଜି ପରା ଆମେ ସ୍ୱାଧୀନ ହେଲେ।” ଲୁଙ୍ଗାବାବୁ ହୁଇସିଲ ମାଇଲେ । ସମସ୍ତେ ଆଟେନସନ ପୋଜରେ ଠିଆ ହୋଇଗଲୁ । ଲୁଙ୍ଗା ବାବୁଙ୍କ ଦିହରେ ସୁବାଷ ବୋଷଙ୍କ ଡାକରା ଭରିଯାଇଥାଏ । ସେ ଗୀତ ବୋଲେଇଲେ, “ଚାଲରେ ଚାଲରେ ଚାଲ୍‌, କଦମ୍ କଦମ୍ ବଢ଼ାଇ ଚାଲ୍‌,ଲେପ୍ଟ, ରାଇଟ, ଲେଫଟ ।” ପିଲେ, ସାରେ କେତେକ ଭଦ୍ରଲୋକ ସହର ପରିକ୍ରମାରେ ଚାଲିଲୁ “ମହାତ୍ମା ଗାନ୍ଧୀ କି ଜୟ, ସୁବାଷ ବୋଷ କି ଜୟ, ଜବାହାର ଲାଲ ନେହେରୁ କି ଜୟ । ଭାରତ ମାତା କି ଜୟ, ସ୍ୱାଧୀନ ଭାରତ କି ଜୟ, ତ୍ରିରଙ୍ଗା ପତାକା କି ଜୟ । ବଂଦେ ମାତରମ୍‌”, ଆକାଶ ପବନ ଫାଟିପଡ଼ୁଥାଏ । ସାହି ସାହିରେ ମାର୍ଚ୍ଚିଂ କରି ଗଲା ବେଳେ ମର୍ଦ୍ଦ, ମାଇପେ, ପିଲାଛୁଆ ଚାଲିଆସୁଥାନ୍ତି । ଆମ ସଙ୍ଗେ ସେମାନେ ବି କେତେକ ଜାଗାରେ ସ୍ଲୋଗାନ ଦିଅନ୍ତି । ବସ୍ତିକୁ ଯାଉ । ବସ୍ତିରେ ମହିଳାମାନେ ସେତେଟା ବହାରୁକ ବହାରିବା ବିଧି ନାହିଁ । ସେ ଦିନ କିନ୍ତୁ କଣ ପବନ ବୋହିଲା, ଝିଅ, ବୋହୂ, ମାଇପେ, ମରଦ ସମସ୍ତେ ରାସ୍ତା କଡ଼ରେ ଆଗରୁ ଠିଆ ହୋଇଛନ୍ତି । ଖାଲି ସେତିକି ନୁହେଁ । ଠା ଠା କରି ଫୁଲ ଧରିଥାନ୍ତି ଆମ ଉପରକୁ ପକାଉଥାନ୍ତି । ସ୍କୁଲକୁ ଫେରିବା ବେଳକୁ ୧୦ଟା ହବ । ସତ୍ତା ହେଲା । ଗୋବିନ୍ଦ ବାବୁ ସଭାପତି । ଆମକୁ ସ୍ୱାଧୀନତା ମହତ୍ତ୍ୱ ବୁଝାଇଲେ । ଆଉ ସାରମାନେ ବି କହିଲେ । ଆମର କହିବା ଓଜ ହୋଇ ନଥାଏ । ଆମେ ଖାଲି ଲୁଙ୍ଗାବାବୁଙ୍କ ବରାଦ ଅନୁସାରେ ସ୍ଲୋଗାନ ଦଉଥାଉ । ତଣ୍ଟିଫଟାଇ ରଡ଼ି କରୁଥାଉ । ହଠାତ୍ ସୋଭାନ ଖାଁ ଠିଆ ହୋଇଗଲେ । ଚିକ୍ ଚିକ୍ ସଫା ଅଂବିକା ଧୋତି । ଧଳା ପଂଜାବି, କଳା କୋଟଟେ ଚଢ଼ାଇଥାନ୍ତି । କୋକ ସିଂହ ଏଭିତରେ ପଞ୍ଚୁ ଦୋକାନରୁ ବେତାଏ ମିଠେଇ ଆଣିଛନ୍ତି । ସୋଭାନ ମଉସା ବରାଦ କଲେ “ଆରେ ଆମର ଆଜି ଖୁସିର ଦିନ । ଆମ ପିଲା ସ୍ୱାଧୀନ ଦେଶର ପିଲା । ତାଙ୍କ ପାଟି ମିଠାକର । ଗୋବିନ୍ଦ ବାବୁ ସାର୍ ମାନେ ବିଠେଇ ବାଣ୍ଟ । ନଅଣ୍ଟ ହେଲେ ମୁଁ ପଞ୍ଚୁକୁ କହିଛି । ଆଉ ଦବ ।” ମୁଁ ତାଂକ କଥାରୁ ଜାଣିପାରିଲି ସୋଭାନ୍ ମଉସା ମିଠାଇ ବରାଦ କରିଥିଲେ । ଭାରତ ପାଇଁ ସେ ଦିନ ତ ଏକ ଐତିହାସିକ ଦିନ । ମୁଁ ଖାଲି ଭାବୁଥାଏ ହାଇସ୍କୁଲଟି ଖୋଲିଲା ବୋଲି ସିନା ମୁଁ ଏତେ କଥା ଦେଖିଲି । ଯଦି ହାଇସ୍କୁଲ ନ ଖୋଲିଥାନ୍ତା । ମୁଁ ତ ଗାଁରେ ତୋଟା ବାଡ଼ିରେ ବୁଲୁଥାନ୍ତି । ଆମର ଅଣ୍ଟା ଯୋର ନଥିଲା । ନିମାପଡ଼ା ବା ଜଗତସିଂହପୁର ହାଇସ୍କୁଲରେ ମୋତେ ପଠେଇବେ । ମୋ ପାଇଁ ସେ ଦିନ ଏକ ଐତିହାସିକ ଦିବସ । ହିନ୍ଦୁ, ମୁସଲମାନ ଭାଇଚାରାର ଏକ ଚମକପ୍ରଦ ଉଦାହରଣ ।

ଆମେ ତ ନିଆଳି ହାଇସ୍କୁଲରେ ପ୍ରଥମ ବ୍ୟାଚ । ୧୨/୧୩ ଜଣ ପିଲା ଛିଣ୍ଡି ଛିଣ୍ଡି ଏକାଦଶକୁ ଥାଉ ୭ ଜଣ । ଅଭି, ନିହାଲ ସିଂହଙ୍କ ପୁଅ, ଦିନାସିଂ ପାଟଣା ସାମିଲ ସିଂହସାଦ ଘର ଆଉ ମୁଁ ଖୁବ୍ ସାଙ୍ଗ ଥାଉ । ୧୯୪୭ ଅଗଷ୍ଟ ୧୫ରେ ତ ଭାରତ ସ୍ୱାଧୀନ ହୁଏ । ଏକ ନୂଆ ଦେଶ ପାକିସ୍ଥାନର ବି ଜନ୍ମ ହୁଏ । ପାର୍ଟିସନରେ ଉଭୟ ଦେଶରେ ବହୁ ରକ୍ତପାତ ଘଟିଛି । ଭାରତରେ ସାଂପ୍ରଦାୟିକ ଦଂଗା ଭାରତକୁ ଦିଖଣ୍ଡ କରି ଦେଇଯାଇଛି । ଓଡ଼ିଶାରେ କଟକ, ଭଦ୍ରକ, ରାଉରକେଲାରେ ହିଂସା । ଧର୍ମକୁ ଆଧାର କରି ପୃଥିବୀରେ ଯେତେରକ୍ତ ପାତ ହୋଇଛି ତାହା ବର୍ଣ୍ଣନାତୀତ । ବ୍ରଟାଣ୍ଡ ହବସଲ ଲେଖନ୍ତି “The amount of intolerance that has gone into religion is beyond description” ଆନୁଷ୍ଠାନିକ ଧର୍ମର ସଂକୀର୍ଣ୍ଣତାରୁ ମୁକ୍ତ ହେଇ ଯଦି କେତେବେଳେ ମାନବଧର୍ମ ପ୍ରକାଶ ପାଇପାରେ ପୃଥିବୀ ଧାର୍ମିକ ଅସହନଶୀଳତାରୁ ମୁକ୍ତିପାଇ ସ୍ଥାୟୀ ଶାନ୍ତି ଦେଖିପାରିବ । ଆମେ ତ ଆଗରୁ କହିଛୁ ନିଆଳି ଲାଗି ଚାରିଆଡ଼େ ମୁସଲମାନ ବସ୍ତି । ଯେତେବେଳେ ପବନ ବୁହେ ମୂଜାଗାତରେ ପବ ପଶେ । ସାମ୍ପ୍ରଦାୟିକ ଦଂଗା ଭିଆଇବା ପାଇଁ ଉଭୟ ଧର୍ମରେ କିଛି କିଛି ଦୁଷ୍ଟ ପ୍ରକୃତିର ଲୋକ ଥାନ୍ତି । ନିଆଁ ଲଗାଇବାତ ଅତି ସହଜ । ସେ ନିଆଁରେ ଲାଗଇବା ଲୋକ ବି ଜଳିଯିବ ସେ ଭାବନା ସହସା ନ ଥାଏ । । ଧର୍ମାନ୍ଧ ମାନେ ଏଭଳି ରକ୍ତପାତ ଭିଆଇବାରେ ଆନନ୍ଦ ପାଇଥାନ୍ତି । ସେ ଦିନ ୪ଟା ୫ଟା ବେଳ । ସବୁଦିନ ପରି ନିଆଳି ବଜାରରେ ବସିଛନ୍ତି ପାକୁବାବୁ ଓରଫ ଭାରତ ବଲ୍ଲଭ ରାଏ, ସୋଭନା ଖାଁ, ବ୍ରଜବଂଧୁ ଷଡ଼ଙ୍ଗୀ ଓ ଅନ୍ୟମାନେ । ସେତବେଳକୁ ଅଥଙ୍ଗା, କଳାପାଞ୍ଚଣ, ବନମାଳିପୁର ବସ୍ତିରେ ଗଣ୍ଡୋଗଳ ପାଇଁ ହୁଙ୍କୁ ହୁଙ୍କୁ ହେଲେଣି । ସମାନ ପରିମାଣରେ ହିନ୍ଦୁମାନେ ବି କାଁ ଭାଁ ଟୁପୁଟାପ ହଉଛନ୍ତି । ଅଭି ଘରେ ଥାଏ । ତାକୁ ଟାଇଫଏଡ଼ ହୋଇଥାଏ । ସଂଧ୍ୟା ବେଳକୁ ଗଣ୍ଡୋଗଳର ସୂଚନା ମିଳିଲାଣି । ଅଭି ଖଟ ଉପରେ ବସିଛି । ଜର ତ, ନିହାଲ ଅଜା ତାକୁ ବଂଧୁକଟା ଧରେଇ ଦେଇଛନ୍ତି । ଝରକା ରଡ଼ ଫାଙ୍କରେ ବଂଧୁକ ନଳୀ ବାହାରକୁ ରଖି ଅଭି ବସିଛି । ସିଂହ ବଚ୍ଚାତ । ଖୁରିକୁ ଆଗସାର । ଟୁପଟାପ ହେଲେଣି, ଅଭି କାନରେ ପଡ଼ୁଛି । ପାଠ ସିନା ଟିକିଏ କମ୍ ଅଭିର ତୀକ୍ଷ୍ମ ବୁଦ୍ଧି । କ’ଣ ସୂଚକ ବାରିଲା ମୋତେ ବରାଦ କଲା । ନଟ ତୁ ପାକୁବାବୁଙ୍କ ଘରକୁ ଯିବୁ । ତାଂକୁ କହିବୁ ମୁଁ କହୁଛି ବୋଲି ସେ ରାତାରାତି କଲେକ୍ଟରଙ୍କ ପାଖକୁ ଖବର ପଠାନ୍ତୁ ନିଆଳିରେ କେଉଁ ମୁହୂର୍ତ୍ତରେ ଦଂଗା ହୋଇପାରେ ।” ରାତି ତ ହୋଇଗଲାଣି । ମୁଁ ଟିକେ ଯିବାକୁ ଭିଡ଼ିମୋଡି ହେଲି । ମୋ ସାଙ୍ଗରେ ଦିନା ଭାଇକୁ ପଠାଇଲା । ଦିନା ଭାଇ ମୋ ଠାରୁ ୧୫/୨୦ ବର୍ଷ ବଡ଼ । ହେଲେ ସେ ବି ସେଇ ଖୁରିଲଗା ଦଳରେ । ଅଭି ଚାଲାଖ । ଦିନା ଭାଇକୁ କିଛି ନ କହି କହିଲା, ଆରେ ଦିନା ଭାଇ ନଟକୁ ଟିକେ ପାକୁ ବାବୁ ଘରେ ଝାଡ଼ିଦବୁ । ତାର କ’ଣ କାମ ଅଛି । ପାକୁବାବୁ ତ ହାଇସ୍କୁଲ କମିଟିର ମେମ୍ବର । ସେ ଲେଖି ଦେଲେ ତାର ଦରମା ଫ୍ରି ହୋଇଯିବ ।” ଡାହା ମିଛ । ନୂଆ ସ୍କୁଲ । ଆମେ କେତେଟା ପିଲା । ଦରମା ଦେଲେ ନ ଦେଲେ କଟକଣା ନାହିଁ । ଖାଲି ଥୟ ହେଇ ରହନ୍ତୁ । ସ୍କୁଲ ଚାଲିବ । ଦିନା ଭାଇର ମୋର ଚାଲିଲୁ ଅନ୍ଧାରରେ । ବାଟରେ ଝୁଣ୍ଟି ଝୁଣ୍ଟି ଯାଉଛୁ । ପାକୁବାବୁଙ୍କ ଘରେ ପହଞ୍ଚିଲୁ । ଦିନା ଭାଇକୁ ମୁଁ ଲୁଙ୍ଗାବାବୁଙ୍କ ଘରକୁ ପଠାଇଦେଲି । ତାକତର କରେ କଥାଟା କହିବାକୁ ହବ ।

ପାକୁବାବୁ ବଂଗାଳି ଲୋକ । ଟିକେ ଭଲ ଖିଆପିଆ କରନ୍ତି । ପକୁଡ଼ି ବୋଧେ ଘରେ ଛଣା ହୋଇଛି ତାଂକ ପାଖରେ ପ୍ଳେଟ ଥୁଆ ହୋଇଛି । ଖଣ୍ଡେ ଖଣ୍ଡେ ଚଲୁଛନ୍ତି । ମାଉସୀ ଯିବା ଆସିବା କରୁଛନ୍ତି । ଆମେତ ଅଳଂକାର ମଧ୍ୟରେ ନିମକାଠି ୧୨/୧୩ ଖଣ । ମୋତେ ଚିହ୍ନିଛନ୍ତି । “ବାବୁ କିଏ ତୁ । ତୋତେ ଜାଣିଛି ଯେ ନାଁ ଟା କ’ଣ । ରାତିରେ କହିଁକି ଆସିଛୁ?” କହି ପକଡ଼ି ୨/୪ ଖଣ୍ଡ ବଢ଼େଇ ଦେଲେ, ନେ ଖା’ । ମୁଁ ଅଭି ଯାହା କହିଥେଲା ଗୋଠିକଠୁ କହିଲି । ଚମକି ପଡ଼ିଳା ଭଳି ଜଣାଯାଉଥାନ୍ତି । ଉଠିଲେ ଜାମା ଯୋଡ଼ ହେଲେ । କହିଲେ ଆ ମୋ ସାଥିରେ” ଟର୍ଚ୍ଚ ପକାଉଥାନ୍ତି । ଆମେ ଦିହେଁ ଚାଲିଲୁ । ଦିନା ଭାଇତ ଲୁଙ୍ଗାବାବୁ ଙ୍କ ଘରେ ବସିଥବ । ସେ ଜାଣିଲେ ପ୍ରଘଟ କରିଦବ, ତାକୁ ନ କହି ମୁଁ ପାକୁବାବୁଙ୍କ ପଛେ ପଛେ ଚାଲିଲି । ଯାଇ ସୋଭାନ ଖାଁ ଦାଣ୍ଡ ପିଣ୍ଡାରେ ହାଜର । ସୋଭାନ ମଉସା ଲୁଙ୍ଗି ପିନ୍ଧିଛନ୍ତି । ପୁରାହାତ ଗଂଜି ଦିହରେ । ଗାମୁଛା ଝାଡ଼ି ଝାଡ଼ି ବାହାରି ପଡ଼ିଲେ,” କିଓ ପାକୁ ବାବୁ । କଥା କ’ଣ ।” ମୁଁ ବାହାରେ ଠିଆ ହେଲି । ଦିହେଁ ଭିତରକୁ ଗଲେ । ୧୫/୨୦ ମିନିଟ ପରେ ଘରୁ ଦିହେଁ ବାହାରିଲେ ପାକୁ ବାବୁ ପଚାରିଲେ, “ଆରେ ଅଭି ଘରେ ଅଛିଟି?, ମୁଁ କହିଲି ପରା, ତାକୁ ଜର, ମତେ ଖବର ଦେଇ ପଠାଇଛି ।” ହଉ । ସୋଭାନ ଭାଇ ୨ଟା ଲୋକ କଟକ ଯିବେ । ଏ ଚିଠି ଦେଇ ପଠେଇବା ନା ।” ବାରଗୋତିଆ ବେହେରା ସାହିର ଜଣେ ବେହେରା । ବୟସ ୩୫/୪୦ ହବ । ବାଞ୍ଛାନିଧି ସାହୁଙ୍କର ତ ଅଫିମ, ଗଂଜେଇ ବେପାର । ତାକୁ କଟକ ପଠାନ୍ତି । ସେ ଗୋଦାମରୁ ମାଲ ଆଣେ । ସୋଭାନ ମଉସା ତାକୁ ଠାକ କଲେ । ମୋତେ ଜଣକ ସହିତ ବଜାର ପଠାଇଲେ । ମୁଁ ବଜାରରୁ ଘରକୁ ଚାଲିଲି ।

ତା ପର ଦିନ ସକାଳ । ଶନିବାର ସ୍କୁଲ । ଆମେ ସ୍କୁଲରେ ପହଞ୍ଚି ଦେଖୁତ ମିଲେଟେରୀ ରାସ୍ତାରେ ମଚମଚ କରି ମାର୍ଚ୍ଚିଂ କରୁଛନ୍ତି । ବଂଧୁକ ଅଛି । ମତେ ଡର ଲାଗୁଥାଏ । ୪ ଦଳ ହୋଇ ମିଲେଟାରି ପୂର୍ବ ଦିଗରେ ହଳଦୀବସନ୍ତ । ପଶ୍ଚିମରେ ବସ୍ତି, ଦକ୍ଷିରରେ ସିଂହ ସାହି, ଆଉ ଗୋଟେ ଦଳ ବଜାର ସାହିରେ ଆଜି କାଲିକା କଥାରେ ଫ୍ଲଗ ମାର୍ଚ୍ଚ କଲେ । ଫେରିଲେ । ମାଇନର ସ୍କୁଲ ପଛକୁ ନିଆଳି ଏଇପି ସ୍କୁଲ । ସେଇଠିକୁ ସମସ୍ତେ ମାର୍ଚ୍ଚିତ କରି ଯାଉଥାନ୍ତି । ଆମେ ସବୁ ପିଲାତ ଦଳଦଳ ହେଇ ତାଂକ ପଛେ ପଛେ ଡରିଡ଼ରି ଚାଲିଥାଉ । ଇଲୋ ବୋପାଲୋ । ପୋଲିସ ହେଇଥିଲେ ଗୋଟେ କଥା । ମିଲେଟାରି ବଂଧୁକ । ଫିରଙ୍ଗି ଶାସନ ଆଜବ କାଇଦା ଏବେ ବି ଅଛି । ଚାରିଆଡ଼ ଶୂନଶାନ୍ । ଶୁଣିଲୁ କଳାପାଞ୍ଚଣ ମିଆଁ ଖଣ୍ଡା ତଲୁଆର ଧରି ବାହାରି ଆସିଥିଲେ । ବିଳାଶୁଣୀ, ବାଙ୍କିଆଟି, ତାଂପଡ଼ା କପାସିରୁ ଚଷା ଖଣ୍ଡାୟତ ଠେଙ୍ଗାଧରି ଶହ ଶଡ ଆସୁଥାନ୍ତି । ମିଲେଟେରୀ କଥା ତ ଚାରିଆଡ଼େ ଘୋଟିଗଲାଣି । ନାଇଁରେ ବାପା । ଚାଲ ପୈତୃକ ପ୍ରାଣ ନେଇ ଯେଯୁଆଡ଼େ ଭାଗିସ୍ । ଚାଲୁଆ ଚାଳରେ । ଗାଡ଼ୁଆ ଗାତରେ କି ବିଚକ୍ଷଣ ବୁଦ୍ଧି ଅଭିର । କି ବୁଦ୍ଧି ଠାକୁ ବାବୁଙ୍କର । ଅଲବତ ମାମଲାତକାର ।

କଥା ଥଣ୍ଡା ପଡ଼ିଲା । ପରେ ଜଣାପଡ଼ିଲା । ସେ ଦିନ ରାତାରାତି ଦୂତ ଦି ଜଣ କଟକରେ ପହଞ୍ଚିଛନ୍ତି । ପଚାରି ପଚାରି କଲେକ୍ଟରଙ୍କୁ ବଂଗଳାରେ ଚିଠି ଦେଇଛନ୍ତି । ତତକ୍ଷଣାତ୍ କଲେକ୍ଟର ମିଲେଟେରୀଙ୍କୁ ପଠାଇଛନ୍ତି । ଭୋର ଭୋରରୁ ଗୋବିନ୍ଦପୁର ଥାନା ଦାରୋଗା, ୨/୩ ଜଣ କନେଷ୍ଟବଳ ବି ଆସିଯାଇଛନ୍ତି । ଗୋଟାଏ ଆସନ୍ନ ଦଂଗା ଟଳିଗଲା । ନିଆଳିରେ ହିନ୍ଦୁମୁସଲମାନ ଭାଇଚାରା ଆଜି ଚାରିଆଡ଼େ ଆଲୋଚ୍ୟ ବିଷୟ । କାଁ ଭାଁ ଛୋଟ ମୋଟ ଘଟଣା ଘଟିବା ତ ସ୍ୱାଭିବିକ । ମାତ୍ର ଆଜି ୨୦୨୧ ମସିହାରେ ନିଆଳିରେହିନ୍ଦୁ ମୁସଲମାନ ଭାଇ ଭାଇ ଭଳି ଚଳୁଛନ୍ତି । ମୁସଲମାନ ପିଲା ଏହି ହାଇସ୍କୁଲଯୋଗୁଁ ପାଠଶାଠ ପଢ଼ି ବଡ଼ ବଡ଼ ପଦ ପଦବୀରେ ରହିଲେଣି । ସେମାନଙ୍କର ବହୁତ ଜାଗାତ ରାସ୍ତା ଦାଢ଼କୁଥିଲା । ବଡ଼ ବଡ଼ ଦୋକାନ ବଜାର କଲେଣି । ନିଆଳି ବଜାରରେ ୫୦୦ରୁ ଅଧିକ ଛୋଟବଡ଼ ଦୋକାନ । ବଜାର କମିିଟିର ପ୍ରେସିଡେଣ୍ଟ ଜଣେ ମୁସଲମାନ । ଗ୍ରାଣ୍ଡ ଟେଲର ମାଷ୍ଟର ସେକ୍ଟ, ୟାକୁଦ୍ । ସପ୍ତମୀ ଯାତ୍ରା, ନିଆଳି ମହୋତ୍ସବ ଭଳି ସାମୁହିକ କାର୍ଯ୍ୟକ୍ରମରେ କାନ୍ଧଖୁ କାନ୍ଧ ମିଶାଇ ଦୁଇ ସଂପ୍ରଦାୟର ଲୋକମାନେ ଲାଗିପଡ଼ନ୍ତି । ରାଜନେତାମାନେ ନିଆଳିର ଧର୍ମନିରପେକ୍ଷ ବିଚାରକୁ ଦେଖି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବାକୁ ସାହାସ କରନ୍ତି ନି । ଗଲା କେତେ ମାସ ତଳେ ଭାରତ ସରକାରଙ୍କ ନାଗରିକ ସଂଶୋଧନ ଆଇନ ବିରୁଦ୍ଧରେ ନିଆଳିରେ ଯେଉଁ ବିରାଟ ଜନସଭା ହୋଇଥିଲା ସେଥିରେ ପାଞ୍ଚହଜାର ଉର୍ଦ୍ଧ୍ୱ ହିନ୍ଦୁମୁସଲମାନ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ଆଇନର ତୀବ୍ର ବିରୋଧ କରିବା ଆଉ ଏକ ଉଲ୍ଲେଖନୀୟ ଘଟଣା । ଆମେ ସମସ୍ତେ ଭାରତବାସୀ ନିଆଳିର ପ୍ରତ୍ୟେକ ନାଗରିକର ଦୁନିଆକୁ ବାର୍ତ୍ତା ।

 

 

About ନଟବର ଷଡ଼ଙ୍ଗୀ

ନଟବର ଷଡ଼ଙ୍ଗୀ
ଅବସରପ୍ରାପ୍ତ ଶିକ୍ଷକ, ବିଶିଷ୍ଟ ଜୈବ ଚିନ୍ତକ ଓ ଦେଶୀଚାଷୀ

Check Also

ଭାଷା ସଂଗ୍ରାମ ଓ ନବ ଓଡ଼ିଶାର ସ୍ଥାପନା

ଓଡ଼ିଶାର ସ୍ୱାଧୀନତାର ୧୫୬୮ସାଲର ଅବଲୁପ୍ତି ପରେ, କ୍ରମଶଃ ସଙ୍କୁଚିତ ହୋଇ ଓଡ଼ିଶାର ସୀମା ୧୮୦୩ ବେଳକୁ କ୍ଷୁଦ୍ର ଓଡ଼ିଶା ଡିଭିଜନର …

Leave a Reply

Your email address will not be published. Required fields are marked *