Home / ନାଟକ / ନାଟ୍ୟ ଆନ୍ଦୋଳନର ଚିନ୍ତା

ନାଟ୍ୟ ଆନ୍ଦୋଳନର ଚିନ୍ତା

‘ସ୍ଥୁଳଦୃଷ୍ଟିରୁ ଯଦି ବିଚାର କରାଯାଏ ଓଡ଼ିଶା ଓ ଓଡ଼ିଶା ବାହାର ନାଟକ ମଧ୍ୟରେ କେତେଗୋଟି ଆଖିଦୃଶିଆ ପ୍ରଭେଦ ରହିଛି, ଯାହାର ଚର୍ଚ୍ଚା କଦାଚିତ ଅନାବଶ୍ୟକ ନୁହେଁ । ଗୋଟିଏ ହେଲା ନାଟକ ଆରମ୍ଭରେ ଆୟୋଜିତ ହେଉଥିବା ସଭା । ଓଡ଼ିଶାରେ ନାଟକ ଆୟୋଜକମାନେ ମନ୍ତ୍ରୀ, ରାଜନେତାମାନଙ୍କୁ ଡାକି ନାଟ ଆରମ୍ଭ ପୂର୍ବରୁ ଏତେ ଭାଷଣ ଦେବାର ସୁଯୋଗ ଦିଅନ୍ତି ଯେ ଦର୍ଶକର ନାଟକ ଦେଖା ମନ ପୂର୍ଣ୍ଣତଃ ମରିଯାଏ । ଏମିତି ଆତ୍ମଦୟା ଗ୍ରସ୍ତ ହୋଇ କି କେବେ ଜୀବନ ଓ ଜଗତର ରହସ୍ୟ ଉଦ୍ଘାଟନ କଥା କେଉଁ ସମାଜ ଚିନ୍ତା କରିପାରିବ? ଏହା ବ୍ୟତୀତ  ନାଟ୍ୟାଭିନୟ ପାଇଁ ଓଡ଼ିଶାରେ ମହିଳାମାନେ ଯଥେଷ୍ଟ ଆଗଭର ହୁଅନ୍ତି ନାହିଁ କାହିଁକି? ଏହାର ଏକ ବଡ଼ କାରଣ ହେଲା ଯେ ଆମ ପୁରୁଷପ୍ରଧାନ ସମାଜ ଜଣେ ମହିଳା କଳାକାରକୁ ଯଥୋଚିତ ସମ୍ମାନ ଦିଏନା । ତାଙ୍କୁ ନଷ୍ଟଚରିତ୍ର ମନେ କରାଯାଏ । କିନ୍ତୁ ତା’ଠାରୁ ବଡ଼ କଥା ଜଣେ ମହିଳାର କଳାଜଗତକୁ ଅଭିନୟ ପାଇଁ ଆସିବା ଅର୍ଥ ପାରମ୍ପରିକ ଋଢ଼ିବାଦୀ ସମାଜ ବ୍ୟବସ୍ଥା ବିରୁଦ୍ଧରେ ରୀତିମତ ନିଜକୁ ବିଦ୍ରୋହିଣୀ ଘୋଷଣା କରିବା ।’ ଏକଥା କହିଛନ୍ତି ପ୍ରଫେସର୍ ପ୍ରୀତୀଶ୍ ଆଚାର୍ଯ୍ୟ ଯିଏକି ଆଞ୍ଚଳିକ ଶିକ୍ଷାପ୍ରତିଷ୍ଠାନର ଇତିହାସ ବିଭାଗରେ ଏବେ ଅଧ୍ୟାପନା କରୁଛନ୍ତି ଏବଂ ବିଶିଷ୍ଟ ସ୍ତମ୍ବକାର ଭାବରେ ଓଡ଼ିଶାର ଜନଗଣଙ୍କ ନିକଟରେ ପରିଚିତି ଅର୍ଜନ କରିଛନ୍ତି, ଉକ୍ତ ଲେଖାଟି ମାଧ୍ୟମରେ ଓଡ଼ିଶାର ନାଟ୍ୟକାର, ପ୍ରଯୋଜକ, ଦର୍ଶକ ସମସ୍ତକଙ୍କୁ ପୁନଃ ଚିନ୍ତନ ପାଇଁ ଆହ୍ୱାନ କରିଛନ୍ତି ।             -ସମ୍ପାଦକ

ନାଟକ ଦେଖା ହେଲା ଏକ ଅପୂର୍ବ ଅନୁଭବ । ବହିପାଠ ତୁଳନାରେ ଏହା କଦାପି କମ୍ ମହତ୍ୱପୂର୍ଣ୍ଣ ବା କମ୍ ଶିକ୍ଷଣୀୟ ହୋଇ ନପାରେ । ନାଟକ ମାଧ୍ୟମରେ ବିଷୟଟିଏ ବୁଝିବା କେବଳ ସହଜ ନୁହେଁ, ସାଙ୍ଗରେ ଅଧିକ ଆନନ୍ଦଦାୟୀ ମଧ୍ୟ । ପିଲା ପାଇଁ, ବୁଢ଼ା ପାଇଁ, ସଭିଙ୍କ ଲାଗି । ନାଟକରେ ବାସ୍ତବ ଜଗତକୁ ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ଦେଖିବାର ଏକ ଅବସର ମିଳେ, ଯାହା ଦୃଷ୍ଟିକୁ ଉନ୍ମୁକ୍ତ ଓ ବ୍ୟାପକ କରେ । ଅଭିନେତା ପୃଥକ ପୃଥକ ଚରିତ୍ର ମାଧ୍ୟମରେ ନାଟକରେ ନିଜକୁ ଅଭିବ୍ୟକ୍ତ କରନ୍ତି । ସଫଳ ଅଭିନେତା ତାଙ୍କୁ ଗଣାଯାଏ, ଯାହାଙ୍କ ଅଭିନୟ ଦେଖି ଦର୍ଶକ ‘ଆତ୍ମହରା’ ହୁଅନ୍ତି । ଅର୍ଥାତ ଅଭିନେତା କିଛିକ୍ଷଣ ପାଇଁ ହେଲେ ସୁଦ୍ଧା ଦର୍ଶକକୁ ତା’ଠାରୁ ପୃଥକ କରିଦେବାର ସାମର୍ଥ୍ୟ ରଖନ୍ତି । ଯେଉଁ ପ୍ରକାରେ ଅଭିନୟ ବେଳକୁ ଅଭିନେତା ଚରିତ୍ର ସାଙ୍ଗରେ ଏକିଭୂତ ହୋଇଯାଇଥାନ୍ତି, ସେହିପ୍ରକାରେ ଦର୍ଶକ ମଧ୍ୟ ନିଜକୁ ଭୁଲିଯାଇ ବା ଆତ୍ମହରା ହୋଇ ଚରିତ୍ରର ଦୁଃଖ ସୁଖରେ ହସନ୍ତି, କାନ୍ଦନ୍ତି ଜାଣି, ନିଜଠାରୁ ସେ ଏକ ଭିନ୍ନସତ୍ତା । ନିଜଠାରୁ ପୃଥକ ହେବାର ଭାବ ବା “ମୁଁ”କାରତ୍ୱ ହରାଇବାର ସେହି ନୈସ୍ୱର୍ଗିକ ଭାବ ଯଦି ବ୍ୟକ୍ତିଠାରେ, ସେ ଅଭିନେତା ହୁଅନ୍ତୁ ବା ଦର୍ଶକ ବା ଆଉ କେହି, ଦୀର୍ଘସ୍ଥାୟୀ ହୁଏ, ତାହା ବ୍ୟକ୍ତିକୁ ଏକ ବୃହତ୍ତର ସମାଜ ଓ ସାମାଜିକ ପ୍ରଶ୍ନଗୁଡ଼ିକ ପ୍ରତି ସମମର୍ମୀ, ସମ୍ବେଦନଶୀଳ ଓ ସମଭାବପୂର୍ଣ୍ଣ କରାଏ । ‘ଅନ୍ୟ’ ପ୍ରତି ଅଙ୍ଗୀକାରବଦ୍ଧତା ଓ ସାମାଜିକ ଭାବ ମଧ୍ୟ ଏଥିରୁ ଉତ୍ପନ୍ନ ହୁଏ । ସେହିଦୃଷ୍ଟିରୁ ଦେଖିଲେ, ସମାଜକୁ ଚିହ୍ନିବା, ଜାଣିବା ଲାଗି ଧର୍ମ ଓ ଦର୍ଶନ ଭଳି ନାଟକ ଏକ ସେତୁ ସଦୃଶ କାମ କରେ । ପୁଣି, ଅନେକ ସମୟରେ, ଅନ୍ୟଥା ଦୁର୍ବୋଧ୍ୟ ପ୍ରତୀତ ହେଉଥିବା ଧାର୍ମିକ ଓ ଦାର୍ଶନିକ ତତ୍ତ୍ୱ ଓ ସାମାଜିକ ଜ୍ଞାନ ଆଦି ମଧ୍ୟ ନାଟ୍ୟରୂପ ପାଇଲେ ସହଜବୋଧ ହୁଅନ୍ତି । ଫଳତଃ, ଗଭୀର ମନନ, ଚିନ୍ତନରେ ନିର୍ବିଷ୍ଟ ହେବା ଲାଗି ମଧ୍ୟ ନାଟକ ଦେଖା ଏକ ପ୍ରଥମପାହାଚ ଭଳି କାମକରେ । ନାଟକୀୟତା ପାଠୁଆ ପିଲାକୁ ପ୍ରବୃଦ୍ଧ କରିବାର ସାମର୍ଥ୍ୟ ରଖେ ।

ଦୁଃଖ ଲାଗେ ଯେ, ଅଳ୍ପ କେତେକ ସିନେମାକୁ ବାଦ ଦେଲେ, ଅଧିକାଂଶ ସିନେମା, ଟିଭି ସିରିଅଲ ଏବଂ ଏଭଳିକି ‘ନାଟକ’ ଆଖ୍ୟା ପାଇଥିବା ଓଡ଼ିଆ ଯାତ୍ରା ଏହି ଧରଣର ନାଟକୀୟତାକୁ ପ୍ରୋତ୍ସାହିତ କରନ୍ତି ନାହିଁ । ଫଳସ୍ୱରୂପ, ସେଗୁଡ଼ିକ କେବଳ ମନୋରଞ୍ଜନ ଧର୍ମୀ ହୋଇ ରହିଯାଆନ୍ତି । ଆବଶ୍ୟକ ମାତ୍ରାରେ ସମାଜୋପଯୋଗୀ, ଶିକ୍ଷଣୀୟ ତଥା ମୂଲ୍ୟବୋଧଭିତ୍ତିକ ହୋଇପାରନ୍ତି ନାହିଁ । ତହିଁରେ ଦର୍ଶକ ଏକ ବାସ୍ତବିକ ଜଗତରୁ ସାମୟିକ ଭାବେ ଏକ କୃତ୍ରିମ ମରିଚିକାମୟ ଦୁନିଆକୁ ଠେଲି ହୋଇଯାଏ । ଫଳରେ ସାମୟିକ ଭାବେ ମନୋରଞ୍ଜନ ହୁଏ ସିନା, ଅନ୍ତଃମନରେ ତା’ର ପ୍ରଭାବ ଦୀର୍ଘସ୍ଥାୟୀ ହୋଇ ରହିପାରେନା । ଏହି କାରଣରୁ ଟିଭି ହୁଏ ‘ଇଡ଼ିଅଟ୍ ବକ୍ସ’; ଦର୍ଶକ ତା’ଆଗରେ ଅଠାକାଠିରେ ଲାଖି ରହିଲା ଭଳି ଲଟକି ରହେ ସିନା, ଆରମ୍ଭ ଓ ଶେଷ ମଧ୍ୟରେ ପାର୍ଥକ୍ୟ ଦେଖିପାରେନା ।

ନାଟକ ଦେଖିବା ହେଲା ମୋର ଏକ ବଡ଼ ସଉକ । କାମରେ ଯାହିଁ ଯେଉଁଠି ରହେ, ସେଠାରେ ନାଟକ ଦେଖିବାର ଅବସର ଖୋଜେଁ । ମତେ ଜଣାନଥିବା ଭାଷାର ନାଟକ ଦେଖିବାରେ ବି ମୋର ଉଣା ଆଗ୍ରହ ନଥାଏ । ନୂଆ ସଂସ୍କୃତି ସମ୍ବନ୍ଧରେ ଅନ୍ତତଃ କିଛିଟା ଜାଣିବା ଲାଗି ନାଟକ ସେତେବେଳେ ‘ବର୍ଣ୍ଣବୋଧ’ ଶିକ୍ଷକ ଭଳି ପ୍ରାରମ୍ଭିକ ସହାୟତା ଦିଏ । ପୁଣି, ନାଟକ ସମ୍ବନ୍ଧୀୟ ପୋଥିଗତ ଜ୍ଞାନର ଅଭାବ ସେତେବେଳେ ବରଦାନ ତୁଲ୍ୟ ମନେହୁଏ, କାରଣ, ମୋତେ ଲାଗେ, ସମାଲୋଚନାର ଖାଇ ଭିତରେ ରହି ନାଟକକୁ ମନଭରି ଉପଭୋଗ କରିବା କାଠିକର କଥା ।

ଖୁବ୍ ଅଧିକ ନହେଲେ ବି ଓଡ଼ିଶା ବାହାରେ ଅନେକ ସହରରେ ମୁଁ ନାଟକ ଦେଖିବାର ସୁଯୋଗ ପାଇଛି; ଓଡ଼ିଶାରେ ବି ନାଟକ ଦେଖିଛି; ଦେଖୁଛି । ନାଟକ ସମ୍ବନ୍ଧୀୟ ପୋଥିଗତ ଜ୍ଞାନ ଯେହେତୁ ମୋର ନାହିଁ, ଓଡ଼ିଶା ଓ ବାହାର ନାଟକ ମଧ୍ୟରେ ତାତ୍ତ୍ୱିକ ତୁଳନା କରିବା ମୋର ସାମର୍ଥ୍ୟ ବାହାରେ । ଦ୍ୱିତୀୟତଃ, କଳାକାର (କେବଳ କଳାକାର କାହଁକି ସମସ୍ତ ସୃଜନଶୀଳ ବ୍ୟକ୍ତି) ସର୍ବଦା ଚେଷ୍ଟା କରେ ପ୍ରତିଥର ତା’ର ସର୍ବୋକ୍ରୃଷ୍ଟ କଳାନୈପୁଣ୍ୟ ପ୍ରଦର୍ଶନ କରିବା ସକାଶେ । ଅଭିନୟ ପ୍ରଦର୍ଶନ ବେଳେ କେବେ ସେ କାର୍ପଣ୍ୟ କରେନା । ଅନ୍ୟମାନେ ଯଦି ତା’ଭିତରେ ‘ତଳ’, ‘ଉପର’, ‘ମଝି’ ଆଦିର ସ୍ତର ଦେଖନ୍ତି, ସେ ବା କ’ଣ କରିବ? ସେହିଦୃଷ୍ଟିରୁ ମୋ ବିଚାରରେ ଓଡ଼ିଶା ନାଟକ ବି ଭଲ, ଆସାମ ନାଟକ ବି ଭଲ । କେହି ନା ଉପର, ନା ତଳ । ପ୍ରତେକ କଳାକାର ନିଜ ସାଧ୍ୟମତେ ଜୀବନ ଓ ଜଗତର ରହସ୍ୟକୁ ଦର୍ଶକ ଆଗରେ ପାଖୁଡ଼ା ପାଖୁଡ଼ା କରି ବାଢ଼ିବାର, ବଖାଣିବାର ତଥା ବୁଝିବାର ପ୍ରୟାସ ମାତ୍ର କରିଥାନ୍ତି । ଅଙ୍ଗୀକାରବଦ୍ଧତା ତଥା କର୍ତ୍ତବ୍ୟନିଷ୍ଠା ଯଦି ମାନକ ହୁଏ, ସେତୁବନ୍ଧ ନିର୍ମାଣରେ ବ୍ରତୀ ‘ଗୁଣ୍ଡୁଚି ମୂଷା’ ନିଶ୍ଚିତ ରୂପେ ‘ହନୁମାନ’ ଠାରୁ ଅଲଗା, ମାତ୍ର କଦାପି ‘ସାନ’ ବା ‘ବଡ଼’ ହୋଇ ନପାରେ ।

ଏସବୁ ତ ଗଲା ସୂକ୍ଷ୍ମ ଦୃଷ୍ଟିର କଥା । ମାତ୍ର ସ୍ଥୁଳଦୃଷ୍ଟିରୁ ଯଦି ବିଚାର କରାଯାଏ ଓଡ଼ିଶା ଓ ଓଡ଼ିଶା ବାହାର ନାଟକ ମଧ୍ୟରେ କେତେଗୋଟି ଆଖିଦୃଶିଆ ପ୍ରଭେଦ ରହିଛି, ଯାହାର ଚର୍ଚ୍ଚା କଦାଚିତ ଅନାବଶ୍ୟକ ନୁହେଁ । ଗୋଟିଏ ହେଲା ନାଟକ ଆରମ୍ଭରେ ଆୟୋଜିତ ହେଉଥିବା ସଭା । ଓଡ଼ିଶାରେ ନାଟକ ଆୟୋଜକ ମାନେ ମନ୍ତ୍ରୀ, ରାଜନେତାମାନଙ୍କୁ ଡାକି ନାଟ ଆରମ୍ଭ ପୂର୍ବରୁ ଏତେ ଭାଷଣ ଦେବାର ସୁଯୋଗ ଦିଅନ୍ତି ଯେ ଦର୍ଶକର ନାଟକ ଦେଖା ମନ ପୂର୍ଣ୍ଣତଃ ମରିଯାଏ । ସଭାରେ ଯୋଗଦେବାକୁ ଥିବା ଭିଆଇପିମାନଙ୍କ ଯୋଗୁଁ ନାଟକ ଠିକ୍ ସମୟରେ ଆରମ୍ଭ ହୋଇପାରେନା; ଭାଷଣ ଯୋଗୁଁ ଘଣ୍ଟା ଘଣ୍ଟା ବିଳମ୍ବ ଘଟେ । ସେତେବେଳେ ମନେହୁଏ, ମନ୍ତ୍ରୀ, ମହାମନ୍ତ୍ରୀ ଆଦିଙ୍କ କେବଳ ଦୟାରେ ରହିଛନ୍ତି ନାଟକ, କଳାକାର, ମଞ୍ଚ ଏବଂ ସର୍ବୋପରି ଦର୍ଶକ ଗଣ । ଏମିତି ଆତ୍ମଦୟା ଗ୍ରସ୍ତ ହୋଇ କି କେବେ ଜୀବନ ଓ ଜଗତର ରହସ୍ୟ ଉଦ୍ଘାଟନ କଥା କେଉଁ ସମାଜ ଚିନ୍ତା କରିପାରିବ? ଓଡ଼ିଶା ବାହାରେ ଦିଲ୍ଲୀ, ପାଟନା, ପୁନା, ଯାହିଁ ଯେଉଁଠି ମୁଁ ନାଟକ ଦେଖିଛି, ସବୁଠି ଦର୍ଶକ ଉଣା ସଂଖ୍ୟାରେ ଥାନ୍ତୁ ପଛେ, ନିର୍ଦ୍ଦିଷ୍ଟ ସମୟରେ ନାଟକ ଆରମ୍ଭ ହୁଏ । ଅତି ବେଶି ହେଲେ ନାଟକ ଶେଷରେ ପ୍ରମୁଖ ଅତିଥି ମଞ୍ଚକୁ ଆମନ୍ତ୍ରିତ ହୁଅନ୍ତି ଏବଂ ସମସ୍ତ ନାଟ୍ୟମଣ୍ଡଳୀକୁ ଶୁଭେଚ୍ଛା ଦିଅନ୍ତି । ସେତେବେଳେ ଲାଗେ, ନିର୍ଦ୍ଦେଶକ ଓ କଳାକାରଠାରୁ ଆରମ୍ଭକରି ମଞ୍ଚପଛରେ ପରିଚାଳନାରେ ରହିଥିବା କର୍ମକର୍ତ୍ତାଗଣ ସମସ୍ତେ ସମାନ । ନାଟ୍ୟମଣ୍ଡଳୀ ମଧ୍ୟରେ ରହିଥିବା ଏହି ସମଭାବ, କିଛିଟା ଦେଖାଣିଆ ହେଉ ପଛେ ନାଟକକୁ ‘ତାରକା’ ମଣ୍ଡିତ ସିନେମା ବା ଟିଭି ସିରିଅଲ ଆଦିରୁ ପୃଥକ କରାଏ । ଅନ୍ୟଶବ୍ଦରେ କହିଲେ, ଅତିଥି ନାମରେ ଆସିଥିବା ନେତା, ମନ୍ତ୍ରୀମାନଙ୍କୁ ଯେଉଁମାନଙ୍କର ପ୍ରାୟତଃ କଳାକାରିତା ସହ ସମ୍ବନ୍ଧ ନଥାଏ, ନାଟକ ମଞ୍ଚସ୍ଥନ ବେଳେ ଉଚ୍ଚ ଆସନ ଓ କତ୍ତୃତ୍ୱ ଦେଇ, ଓଡ଼ିଶାରେ ନାଟ୍ୟ ଆୟୋଜକମାନେ ନାଟକର ବୀଜମନ୍ତ୍ରଟିକୁ ଅବଜ୍ଞା କରନ୍ତି । ଯଦି ଅନ୍ୟ ମନୋରଞ୍ଜନ ତୁଳନାରେ ଓଡ଼ିଶାରେ ନାଟକ ଦେଖିବା ଲାଗି ଆବଶ୍ୟକ ମାତ୍ରାରେ ଦର୍ଶକ ଜୁଟନ୍ତି ନାହିଁ, ତେବେ ତା’ ପଛରେ ଏହି କାରଣଟିକୁ କ’ଣ ଦେଖାଯିବା କଥା ନୁହେଁ?

ଅନ୍ୟ ନାଟକ ତୁଳନାରେ ଓଡ଼ିଶା ନାଟକରେ ଆଉ ଏକ ବିଶେଷତ୍ୱ ହେଲା ଯଥେଷ୍ଟ ମାତ୍ରାରେ ନାରୀ ଚରିତ୍ରର ଅଭାବ । ଆଗେ ତ ନାରୀ କଳାକାରର ଅଭାବ ମେଣ୍ଟାଇବା ଲାଗି ପୁଅ ପିଲାକୁ ନାରୀ ଭୂମିକାରେ ଅଭିନୟ କରିବାକୁ ପଡ଼ୁଥିଲା । ସମୟ ବଦଳିଛି । ମାତ୍ର, ସେହି ଅଭାବ ଆଜି ସୁଦ୍ଧା ପୂର୍ଣ୍ଣତଃ ଦୂର ହୋଇନି । ଦିଲ୍ଲୀ ଭଳି ବଡ଼ ସହରରେ ଏହି ଅଭାବ ନାହିଁ । ବରଂ ସେଠାକାର ଅନେକ ନାଟ୍ୟମଣ୍ଡଳୀରେ ପୁରୁଷ ତୁଳନାରେ ନାରୀ କଳାକାର ଅଧିକ । ଅନ୍ୟପକ୍ଷରେ, ଓଡ଼ିଶାରେ ନାରୀ କଳାକାରର ଅଭାବ ମେଣ୍ଟାଇବା ଲାଗି ନାଟ୍ୟକାର- ନିର୍ଦ୍ଦେଶକ ଜାଣିଶୁଣି କମ୍ ନାରୀ ଚରିତ୍ର ରଖୁଛନ୍ତି, ଅଥବା ସାନ ଝିଅମାନଙ୍କୁ ପ୍ରାପ୍ତ ବୟସ୍କ ନାରୀ ଭୂମିକାରେ ଅଭିନୟ କରାଉଛନ୍ତି । ଏହା ଆଦୌ ସ୍ୱାଭାବିକ ନୁହେଁ । ସେ ନାଟ୍ୟ ଆନ୍ଦୋଳନ ହେଉ ବା ରାଷ୍ଟ୍ରବାଦୀ ଜନଆନ୍ଦୋଳନ, ଯେଉଁ ସାମାଜିକ ଆନ୍ଦୋଳନରେ ସମାଜର ଅଧା ସଂଖ୍ୟକ ବ୍ୟକ୍ତି ଉପେକ୍ଷିତ, ଅନୁପସ୍ଥିତ କିମ୍ବା ଅନାଗ୍ରହୀ ତା’ର ଭବିଷ୍ୟତ କି କେବେ ଉଜ୍ଜ୍ୱଳ ହୋଇପାରେ?

ନାଟ୍ୟାଭିନୟ ପାଇଁ ଓଡ଼ିଶାରେ ମହିଳାମାନେ ଯଥେଷ୍ଟ ଆଗଭର ହୁଅନ୍ତି ନାହିଁ କାହିଁକି? ଏହାର ଏକ ବଡ଼ କାରଣ ହେଲା ଯେ ଆମ ପୁରୁଷ ପ୍ରଧାନ ସମାଜ ଜଣେ ମହିଳା କଳାକାରକୁ ଯଥୋଚିତ ସମ୍ମାନ ଦିଏନା । ଏପରିକି ମହିଳା କଳାକାରକୁ ଆବଶ୍ୟକ ସାମାଜିକ ସୁରକ୍ଷା ମିଳିବା ମଧ୍ୟ କାଠିକର ହୋଇପଡ଼େ । ତାଙ୍କୁ ନଷ୍ଟଚରିତ୍ର ମନେ କରାଯାଏ । କିନ୍ତୁ ତା’ଠାରୁ ବଡ଼ କଥା ଜଣେ ମହିଳାର କଳାଜଗତକୁ ଅଭିନୟ ପାଇଁ ଆସିବା ଅର୍ଥ ପାରମ୍ପରିକ ଋଢ଼ିବାଦୀ ସମାଜ ବ୍ୟବସ୍ଥା ବିରୁଦ୍ଧରେ ରୀତିମତ ନିଜକୁ ବିଦ୍ରୋହିଣୀ ଘୋଷଣା କରିବା । ଏହି ବିଦ୍ରୋହ ବେଳେ ତା’ର ଧାରଣା ଯେ ପୁରୁଷ କଳାକାର ତା’ ଭାବନାକୁ ବୁଝିବ; ପୁରୁଷ କଳାକାର ଆଗରେ ସେ ଲିଙ୍ଗ ବୈଷମ୍ୟର ଶିକାର ହେବନାହିଁ । ମାତ୍ର ତା’ର ଏକାନ୍ତ ଆପଣାର କଳାକାର ଦୁନିଆରେ ମଧ୍ୟ ତାକୁ ପୁରୁଷତନ୍ତ୍ରର କତ୍ତୃତ୍ୱ ଅନୁଭବ କରିବାକୁ ପଡ଼େ । ଫଳରେ, କଳାକାରିତାରୁ ତା’ର ଆସ୍ଥା ତୁଟିଯାଏ । ସିନେମା ଭଳି ନାଟକରେ ଯେହେତୁ ଗ୍ଲେମର ବା ପଇସା ନାହିଁ, ସେ ଏତେ ସବୁ ସାମାଜିକ ଅସୁରକ୍ଷାକୁ ଉପେକ୍ଷା କରି ନାଟ୍ୟ ଅଭିନୟ ପ୍ରତି ଆଗଭର ହେବ ବା କେମିତି? ଏହାର ବିକଳ୍ପ ଲାଗି ‘ଯାତ୍ରା’ ଜଗତକୁ ଯାଇଥିବା ମହିଳା କଳାକାର ବୟଃ ପ୍ରାପ୍ତ ହେଉ ହେଉ ପୁରୁଷ କଳାକାର ଜଣକୁ ବାହା ହୁଏ ଅଥବା ବାହା ହେବାକୁ କଥା ଦିଏ । ଏହା ତାକୁ ପୁରୁଷର ଲୋଲୁପ ଦୃଷ୍ଟିରୁ ସୁରକ୍ଷା ଦିଏ ସତ, ହେଲେ ପୁରୁଷତାନ୍ତ୍ରିକ କତ୍ତୃୃତ୍ୱରୁ ଇପ୍ସିତ ବିମୁକ୍ତି ଦିଏନା । ମୋଟ କଥା ହେଲା, କଳାକାରମାନେ ନିଜ ନିଜ ଭିତରେ ଯେମିତି ଛୋଟବଡ଼ ଭାବ ରଖିବା ଅନୁଚିତ, ସେମିତି ଲିଙ୍ଗ ବୈଷମ୍ୟରୁ ଊଦ୍ଧ୍ୱର୍ରେ ରହିବା ଉଚିତ । ଏହି ଭାବ ‘ସ୍ୱ’ରୁ ଊଦ୍ଧ୍ୱର୍କୁ ଉଠିପାରିଲେ ଯାଇ ହିଁ ଜାଗ୍ରତ ହେବ । ଏହାକୁ କଳ୍ପନାବିଳାସ ବୋଲି କହି କେହି ହୁଏତ ହସି ଉଡ଼େଇ ଦେଇପାରନ୍ତି । ମାତ୍ର ଏଭଳି ଅଙ୍ଗୀକାରବଦ୍ଧ କଳାକାର ଗୋଷ୍ଠିଟିଏ ହିଁ ନାଟକ ମାଧ୍ୟମରେ ସମାଜକାମ କରିବାର ସାମର୍ଥ୍ୟ ରଖନ୍ତି- ଏଥିରେ ଦ୍ୱିରୁକ୍ତି ନାହିଁ ।

ସ୍ଥୁଳ ପାର୍ଥକ୍ୟ ମଧ୍ୟରେ ହଲରେ ମୋବାଇଲ ଫୋନର ଅବାଧ ଉପଯୋଗ ମଧ୍ୟ ଓଡ଼ିଶାରେ ନାଟକ ନାଟ୍ୟ ପରିବେଶକୁ ଉପରକୁ ଉଠିବାକୁ ଦେଉନି । ଯଦି ଦର୍ଶକ ମହଲରେ ଅଭିନୟ ବେଳେ ମୋବାଇଲ ବନ୍ଦ କରିବାର ଔପଚାରିକତା ସୃଷ୍ଟି ହୋଇପାରୁନି, ନାଟ୍ୟ ପରିଚାଳକମାନେ ଆଦେଶ ମାଧ୍ୟମରେ ଏହାକୁ ଲାଗୁ କରିପାରିବେ । ଓଡ଼ିଶା ବାହାରେ ସବୁଠି ହଲ୍ରେ ମୋବାଇଲ ବନ୍ଦ ରହେ; ଯଦି କଦାଚିତ କାହାରି ବାଜେ, ସେ ଖୁବ୍ ଲଜ୍ଜିତ ଅନୁଭବ କରନ୍ତି । ମାତ୍ର ଓଡ଼ିଶାରେ ଏହାର ଅବାଧ ପ୍ରୟୋଗ ହୁଏ ଯାହା କି ବ୍ୟକ୍ତିର ‘ସ୍ୱ’ ବା ‘ମୁଁ’କାରତ୍ୱକୁ ସ୍ଥାପିତ କରେ । ତେଣିକି ନାଟକ ଦେଖି ଦର୍ଶକ ଆତ୍ମହରା ହେବ ବା କେମିତି? ଅର୍ଥାତ, ଏହା ଦର୍ଶକ ଓ ଅଭିନେତାର ଏକାଗ୍ରତାକୁ ନଷ୍ଟ କରେ । ଅର୍ଥାତ ‘ସ୍ୱ’କୁ ଭୁଲି ଅଭିନେତା ଓ ଦର୍ଶକର ନାଟ୍ୟ ଚରିତ୍ରରେ ସମାହିତ ହେବାର ପ୍ରକ୍ରିୟା କଳାକାରର ବଳିଷ୍ଠ ଅଭିନୟ ସତ୍ତେ୍ୱ ବାଧାପ୍ରାପ୍ତ ହୁଏ ।

ଏଭଳି ସ୍ଥିତିରେ ଆଗାମୀ ଦିନରେ ଓଡ଼ିଶାର ନାଟ୍ୟାଭିନୟ କଳା କେମିତି ବିଶ୍ୱସ୍ତରରେ ସ୍ୱୀକୃତି ଓ ପରିଚିତି ପାଇବ ସେ କଥା ଚିନ୍ତାକରିବା କଥା।

About ଡ଼ଃ ପ୍ରୀତୀଶ ଆଚାର୍ଯ୍ୟ

ଡ଼ଃ ପ୍ରୀତୀଶ ଆଚାର୍ଯ୍ୟ
ଇତିହାସ ବିଭାଗର ପ୍ରଫେସର(ରିଜୋନାଲ କଲେଜ), ସ୍ତମ୍ବକାର

Check Also

କ୍ଷମତା, ଈଶ୍ୱର ଓ ଆଦିବାସୀ ସମାଜ

ଭଗବତ ପ୍ରସାଦ ହେଉଛନ୍ତି ଇଂରାଜୀ ଭାଷାର ଅବସରପ୍ରାପ୍ତ ଅଧ୍ୟାପକ । ଜଣେ ପ୍ରଗତିଶୀଳ ବୁଦ୍ଧିଜୀବୀ ଭାବରେ ଅନେକ ପତ୍ରପତ୍ରିକାରେ ତାଙ୍କର …

Leave a Reply

Your email address will not be published. Required fields are marked *