Home / ନାଟକ / ପଥପ୍ରାନ୍ତ ନାଟକ / ନାଟକରେ ନାରୀ (ସାକ୍ଷାତକାର – ନାଟ୍ୟ ନିର୍ଦ୍ଦେଶିକା ଓ ନାଟ୍ୟାଭିନେତ୍ରୀ ସୁଜାତା ପ୍ରିୟମ୍ବଦା)

ନାଟକରେ ନାରୀ (ସାକ୍ଷାତକାର – ନାଟ୍ୟ ନିର୍ଦ୍ଦେଶିକା ଓ ନାଟ୍ୟାଭିନେତ୍ରୀ ସୁଜାତା ପ୍ରିୟମ୍ବଦା)

ଜଣେ ସାହସୀ, ସମ୍ବେଦନଶୀଳ ଓ ସାମାଜିକ ଚେତନାରେ ସକ୍ରିୟ କଳାକାର ସୁଜାତା । ନାଟ୍ୟଚେତନା ପରିବାରର ଏକ ଅବିଛେଦ୍ୟ ଅଙ୍ଗ ସେ। ନାଟକ ଆନ୍ଦୋଳନରେ ଦୀର୍ଘ ୨୦ବର୍ଷ କାମ କରିବା ଭିତରେ ସେ ଜଣେ ସଫଳ ନିର୍ଦ୍ଦେଶକର ପରିଚୟଟିଏ ପାଇସାରିଛନ୍ତି । ‘ନାଟକରେ ନାରୀ’ ବିଷୟଟି ତାଙ୍କ ଅନୁଭୂତିର ଏକ ଅନ୍ତରଙ୍ଗ ଅଂଶବିଶେଷ । ଆମେ ଏହି ଅନନ୍ୟ ପ୍ରତିଭାଙ୍କୁ କେତୋଟି ପ୍ରଶ୍ନ ପଚାରିଥିଲୁ । ଉତ୍ତରରେ ସେ ଯାହା ଲେଖିଥିଲେ ଏଠାରେ ଉପସ୍ଥାପିତ କରୁଛୁ ।       – ସମ୍ପାଦକ

ପ୍ରଶ୍ନ: ଆପଣ ନିଜ ସମ୍ପର୍କରେ ଏବଂ ନିଜ ଜନ୍ମସ୍ଥାନ, ବାପା, ମା’ ଏବଂ କେତେ ବୟସରୁ ନାଟକ କଲେଣି ସେ ବିଷୟରେ କିଛି କହିବେ କି?

ଉ: ମୋର ଜନ୍ମ ରାଉରକେଲା, ସୁନ୍ଦରଗଡ଼ରେ । ବାପା ଶ୍ରୀ ଶରତ ଚନ୍ଦ୍ର ଚୌଧୁରୀ ଓ ମା’ ଶ୍ରୀମତୀ  ବିଜୟ ଲକ୍ଷ୍ମୀ ଚୌଧୁରୀ । ମୁଁ ୨୦ ବର୍ଷ ବୟସରୁ ନାଟକ ଆରମ୍ଭ କରିଛି ।

ପ୍ର: କିଏ ନାଟକ କରିବା ପାଇଁ ଆପଣଙ୍କୁ ପ୍ରୋତ୍ସାହନ ଦେଇଥିଲେ? କାହିଁକି ନାଟକ ଆପଣଙ୍କୁ ଭଲ ଲାଗିଲା? କେତେ ବର୍ଷ ନାଟକରେ କାମ କରିଛନ୍ତି?

ଉ: ନିଜ ଆଗ୍ରହରୁ  ହିଁ ଆରମ୍ଭ କରିଥିଲି । ନାଟକ ପରିବେଷଣ ପରେ ସିଧାସଳଖ ଦର୍ଶକଙ୍କ ପାଖରୁ ପ୍ରତିକ୍ରିୟା ପାଇପାରେ । ପ୍ରଥମେ  ତ ଏହା ହୃଦୟଙ୍ଗମ କରିଥିଲି । କିନ୍ତୁ ପରେ ପରେ ସମାଜ ପରିବର୍ତ୍ତନରେ ନାଟକର ଏକ ମୁଖ୍ୟ ଭୂମିକା ରହିଛି, ଏହା ଆହୁରି ବେଶୀ ଭଲ ଲାଗିଥିଲା ।

ପ୍ର: ନାଟକରେ ଯୋଗଦେବା ପରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ କ’ଣ ଅନୁଭୂତି ରହିଛି?

ଉ: ନାଟକରେ ଯୋଗଦେବା ପରେ ନାଟକରେ ଅଭିନୟ କରିବା ଯେତିକି ଆତ୍ମବିଶ୍ୱାସ ବଢାଇବାରେ ସହଯୋଗ କରିଛି ତା ସହିତ ଅଧିକ ଲୋକସର୍ମ୍ପକ, କାର୍ଯ୍ୟକ୍ରମ ପରିଚାଳନା ବା ସଂଯୋଜନା କରିବା ଦ୍ୱାରା ନିଜକୁ ଆତ୍ମତୃପ୍ତିି ଦେଇଛି । ସବୁଠାରୁ ବଡ଼କଥା ହେଲା ଜଣେ ଦଳପତି ହିସାବରେ ଦଳକୁ କିପରି ଆଗେଇ ନେଇ ହେବ ସେ ଅନୁଭୂତି ମୋ ଭିତରେ ଜନ୍ମ ନେଇଛି ।

ପ୍ର: ମଞ୍ଚ ନାଟକରେ ନାରୀମାନଙ୍କୁ ଅଭିନୟ କରିବା ପାଇଁ କେବେ ସୁଯୋଗ ମିଳିଲା? ଏବେବି ନାରୀମାନେ ଗ୍ରାମାଞ୍ଚଳରେ ନାଟକ ଭିତରକୁ ଆସିବା ପାଇଁ ଶଙ୍କା ଅନୁଭବ କରୁଛନ୍ତି । ତା’ର କାରଣ କ’ଣ ବୋଲି ଆପଣ ଭାବୁଛନ୍ତି?

ଉ – ନାଟ୍ୟ ଇତିହାସ କୁହେ, ନାଟ୍ୟକାର କାଳୀ ଚରଣ ପଟ୍ଟନାୟକ ପ୍ରଥମେ ନାରୀମାନଙ୍କୁ ନାଟକ ଭିତରକୁ ଆଣିଥିଲେ । ୧୯୪୨ମସିହାରେ କଟକ ବାଳିକା ମହାବିଦ୍ୟାଳୟର ଝିଅମାନଙ୍କୁ ନେଇ ନାଟକ ପ୍ରଯୋଜନା କଲେ । ଅବିବାହିତ ଝିଅମାନଙ୍କୁ ନଆଣି ସ୍ତ୍ରୀଲୋକମାନଙ୍କୁ ନାଟକ ସମ୍ପୃକ୍ତ କରାଇଲେ । ନ ହେଲେ ଏହା ପୂର୍ବରୁ ବଙ୍ଗଳାରୁ ଝିଅମାନଙ୍କୁ ଆଣି ନାଟକରେ ଅଭିନୟ କରାଯାଉଥିଲା । ବର୍ତ୍ତମାନ ପରିସ୍ଥିତିରେ ଝିଅମାନେ ଆଲ୍ବମ୍ ହେଉ ବା ଟିଭିରେ ମୁହଁ ଦେଖାଇବାକୁ ଖୁବ୍ ଆଗ୍ରହ ପ୍ରକାଶ କରୁଛନ୍ତି, କିନ୍ତୁ ନାଟକରେ ଅଂଶଗ୍ରହଣ କରିବାକୁ କୁଣ୍ଠାବୋଧ କରୁଛନ୍ତି । ଭାରତୀୟ ସଭ୍ୟତା ସଂସ୍କୃତିସମ୍ପନ୍ନ ସଭ୍ୟତା । ଆଉ ଏହି ସଭ୍ୟତା ଗ୍ରାମାଞ୍ଚଳରୁ ଆରମ୍ଭ ହୋଇଛି । ରକ୍ଷଣଶୀଳ ପରିବାରର ଝିଅମାନଙ୍କୁ କେବଳ ଘରର ଚାରିକାନ୍ଥ ଭିତରେ ରଖାଯାଉଥିଲା । ଆମର ପୂର୍ବପୁରୁଷମାନେ ନାଟକକୁ ନିଜର ସମ୍ପତ୍ତି ଭଳି ବ୍ୟବହାର କରୁଥିଲେ ଅର୍ଥାତ୍ ପରିବାରକୁ ଉପେକ୍ଷା କରି ବିପୁଳ ଭାବରେ ନିଶାଗ୍ରସ୍ତ ହେବା, ଏକାଧିକ ନାରୀଙ୍କ ସହ ସମ୍ପର୍କ ରଖିବା ପରିବାର ପ୍ରତି ଏକ ଯନ୍ତ୍ରଣାଦାୟକ ଥିଲା । କଳା ଏକ ସାଧନା, କଳା ଏକ ପୂଜା ପରିବର୍ତ୍ତେ ଏହା ଏକ କଳଙ୍କ ହୋଇପଡିଲା । ଯେଉଁଠି ଝିଅମାନଙ୍କୁ ପାଠ ପଢିବାକୁ ଛାଡୁନଥିଲେ ସେଠି ନାଟକରେ ଅଂଶଗ୍ରହଣ କରିବାକୁ କିପରି ଛାଡିବେ? ସମୟ ବଦଳିଲା, ଝିଅମାନେ ବାହାରକୁ ବାହାରି ନିଜ ଗୋଡରେ ଠିଆ ହେଲେ । କିନ୍ତୁ ଏ ପର୍ଯ୍ୟନ୍ତ ମୋ ଭିତରେ ପ୍ରଶ୍ନ ମଧ୍ୟ ଅଛି, ବର୍ତ୍ତମାନ ସମୟରେ ଯଦି ଝିଅମାନେ ସିନେମା ବା ଟିଭି ବା ଆଲ୍ବମ୍ରେ ଯାଇ ପାରୁଛନ୍ତି ତେବେ ନାଟକରେ ଆସିବା ଅସୁବିଧା ରହୁଛି କେଉଁଠି? ଯେଉଁଠି କି ଏସବୁର ଉତ୍ସ ହେଉଛି – ନାଟକ ।

ପ୍ର: ନାଟକରେ ନାରୀ ଭୂମିକାରେ ପୁରୁଷମାନେ ଅଭିନୟ କରୁଥିଲେ । ତେବେ ନାରୀ କାହିଁକି ନାଟକ ଭିତରକୁ ଆସିଲେ?

ଉ: ଶରୀର ହେଉଛି ଦୃଶ୍ୟମାନ, କିନ୍ତୁ ମନ ଅଦୃଶ୍ୟମାନ । ଜଣେ ବ୍ୟକ୍ତି ନିଜର ଭାବକୁ ନିଜେ ଦର୍ଶକଙ୍କ ସାମ୍ନାରେ  ରଖି ରସ ସୃଷ୍ଟି କରିପାରିବା ଓ ଅନ୍ୟ ଜଣେ କରିବା ସାଧାରଣତଃ ଭିନ୍ନ । ତେଣିକି ସେ ପୁରୁଷ ହେଉ ବା ନାରୀ ହେଉ । ଉଦାହରଣ ମହାଭାରତର ଦ୍ରୌପଦୀଙ୍କର ଜୀବନ କଥାକୁ ନେଇ ବହୁତ ଗାଳ୍ପିକ/ଉପନ୍ୟାସିକମାନେ ବହି ଲୋଖିଛନ୍ତିି, କିନ୍ତୁ ପ୍ରତିଭା ରାୟଙ୍କ ଯାଜ୍ଞସେନୀ ଉପନ୍ୟାସ କାହିଁକି ସମସ୍ତଙ୍କ ଦ୍ୱାରା ଆଦୃତ ହୋଇପାରିଲା? ମୋ ମତରେ ଜଣେ ନାରୀ ହିସାବରେ ନିଜକୁ ସେ ‘ଦ୍ରୌପଦୀ’ଙ୍କୁ ନିଜ ସ୍ଥାନରେ ରଖି ମନର କଥାକୁ ପ୍ରକାଶ କରିପାରିଥିଲେ । ଜୀବନ ଏକ ନାଟକ । ଏହି ନାଟକରେ ପୁରୁଷ ଓ ନାରୀ ଦୁଇଜଣ ଚରିତ୍ର । ନାରୀ କଥାକୁ ଜଣେ ପୁୁରୁଷ ଚିତ୍ରଣ କରିବା ଠାରୁ, ଜଣେ ନାରୀ ଚିତ୍ରଣ କରିବା ଖୁବ୍ ହୃଦୟସ୍ପର୍ଶୀ ହୋଇପାରେ ।

ପ୍ର: ନାଟକରେ ଯୋଗଦେବା ପରେ ନାଟ୍ୟ ଦଳ ଭିତରେ ଆପଣଙ୍କ ପ୍ରତି କେଉଁଭଳି ବ୍ୟବହାର ଥିଲା?

ଉ: ଓଡିଶା ଭଳି ଏକ ରକ୍ଷଣଶୀଳ ରାଜ୍ୟରେ ନାଟ୍ୟଦଳରେ ଝିଅଟିଏ ଅଛିମାନେ ଦଳପାଇଁ ଏହା ଏକ ଖୁବ୍ ଆନନ୍ଦର କଥା । ନହେଲେ ଭଡ଼ାରେ ଆଣି ଦଳ ଭିତରେ ସମ୍ପୃକ୍ତ କରାନ୍ତି । ରାଉରକେଲା ହେଉ ବା ନାଟ୍ୟଚେତନା ହେଉ କୌଣସିଠାରେ ସେପରି କିଛି ବ୍ୟବହାର ପାଇ ନାହିଁ, ଯାହା ମତେ ନାଟକଠାରୁ ଦୂରେଇ ରଖିବ । ବରଂ ଏହା ମତେ ଦାୟିତ୍ୱବହୁଳ କରିଛି ଜଣେ ଝିଅ ହିସାବରେ ।

ପ୍ର: ପୁରୁଷମାନଙ୍କ ଦ୍ୱାରା ଯେଉଁ ସବୁ ଭୂମିକା ପରିବେଷିତ ହୋଇଆସିଥିଲା ଜଣେ ନାରୀ ଭାବରେ ସେହି ଭୂମିକାରେ ଅବତାରଣା କଲାପରେ କିଭଳି ପ୍ରତିକ୍ରିୟା ଅନୁଭବ କରିଥିଲେ?

ଉ: ମୋ ନିିଜ କଥା, ନିଜ ଭାବ, ମୁଁ ନିଜେ ଦର୍ଶକଙ୍କ ଆଗରେ ପ୍ରଦର୍ଶନ କରିପାରୁଛି ।

ପ୍ର: ମଞ୍ଚରେ ଅଭିନୟ ସରିବା ପରେ ଦର୍ଶକମାନେ କେଉଁଭଳି ପ୍ରତିକ୍ରିୟା କରୁଥିଲେ? କେହି ଆପଣଙ୍କୁ ଭେଟିବା ପାଇଁ ଆସୁଥିଲେ କି? ଜଣେ ନାରୀ ନାଟକରେ ଯୋଗ ଦେଇଥିବାକୁ ନେଇ ଦର୍ଶକଙ୍କର ପ୍ରତିକ୍ରିୟା ଥିଲା କି?

ଉ: ମଞ୍ଚରେ ଅଭିନୟ ସରିବା ପରେ ଦର୍ଶକମାନେ ଭାବ ବିହ୍ୱଳ ହୋଇଛନ୍ତି, ଉତ୍ସାହ ଦେଇଛନ୍ତି, ମୋର ଅଭିନୟକୁ ସାବାସି କରିଛନ୍ତି । କେହି କେହି ନିଜର ପିଲାମାନଙ୍କୁ ମୋ ଭଳିଆ କରିବାକୁ କହିଛନ୍ତି । ସବୁଠାରୁ ବଡ଼କଥା ହେଲା, ମଞ୍ଚ ବାହାରେ ଦେଖିଥିବା ଏଇ ମଣିଷଟି ଯେ, ମଞ୍ଚ ଉପରେ ଅଭିନୟ କରୁଥିଲା, ସେମାନେ ବିଶ୍ୱାସ କରିପାରନ୍ତି ନାହିଁ । ଉଦାହରଣ – ନାଟ୍ୟଚେତନାରେ ନାଟକ “ସୀତା ଅସୀତା” ପ୍ରଦର୍ଶନ ହୋଇସାରିବା ପରେ ଜଣେ ସ୍ତ୍ରୀ’ଲୋକ ଆସି ମୋ ହାତରେ ୧୦ଟଙ୍କା ଦେଇ କହିଲେ, “ମା ତୁ ଆଜି ମୋ ଆଖି ଖୋଲିଦେଇଛୁ । ଆଜି ମୁଁ ମୋ ଝିଅମାନଙ୍କୁ ଉତ୍ତର ଦେଇପାରିବି, ସେମାନଙ୍କର ପ୍ରତ୍ୟେକ ଦିନର ଦାବିକୁ ନେଇ ।” ନାଟକର ବିଷୟବସ୍ତୁ ଥିଲା- ବର୍ତ୍ତମାନ ପରିସ୍ଥିତିରେ ଝିଅମାନଙ୍କ ମନରେ ଥିବା “ସୁନ୍ଦରୀ – ଅସୁନ୍ଦରୀ” ଦ୍ୱନ୍ଦ୍ୱକୁ ନେଇ । “ପୁରୁଣା ଯୁଗର ସୀତା ହୋଇ ବଞ୍ôଚବ ନା ଆଧୁନିକ ଯୁଗର ଆଧୁନିକ ନାରୀ ହୋଇ ବଞ୍ôଚବା?”

ପ୍ର: ଆପଣ ନିଜର ଭୂମିକାକୁ ନେଇ କ’ଣ ଅନୁଭବ କରୁଥିଲେ?

ଉ: କଳାକାର ଜୀବନ, ସଦାବେଳେ କିଛି ନୂଆ ଖୋଜି ନୂଆ ପାଇବାର ଉନ୍ମାଦତା ଥାଏ । ସେହିଭଳି ମୁଁ ଭୂମିକାଟିଏ ପାଇବା ପରେ ଅଭିନୟ କ୍ଷେତ୍ରରେ ନୂତନତ୍ୱ ଆଣିବାକୁ ଚେଷ୍ଟା କରେ ।

ପ୍ର: ଯେଉଁସବୁ ଭୂମିକାରେ ଆପଣ ଅଭିନୟ କରିଛନ୍ତି ସେସବୁ ଭିତରୁ କେଉଁ ଭୂମିକା ଆପଣକୁ ଅଧିକ ପ୍ରଭାବିତ କରିଥିଲା?

ଉ: ଏଯାବତ୍ ସେସବୁ ବାବଦରେ କେବେ ବିଶ୍ଳେଷଣ କରିନାହିଁ । କାରଣ ଜଣେ କଳାକାର ହିସାବରେ ନିଜର ଆତ୍ମସନ୍ତୋଷ ପାଇଁ, ସମାଜର କିଛି ଚରିତ୍ରକୁ ଦର୍ଶକଙ୍କ ଆଗରେ ସୂଚାରୁ ରୂପେ ଉପସ୍ଥାପିତ କରିବା ପାଇଁ ଏଯାବତ୍ ଚେଷ୍ଟା କରିଛି । ମନେପଡେ ଫକୀର ମୋହନ ସେନାପତୀଙ୍କ “ରେବତୀ” ଗପ କଥା । ଓଡ଼ିଆ ସାହିତ୍ୟରେ ପ୍ରଥମ ଗପ ଯାହା ପୁଣି ଝିଅମାନଙ୍କ ଶିକ୍ଷା ଉପରେ ଆଧାରିତ, ଏ ଗପକୁ ମୁଁ ମୋ ନିର୍ଦ୍ଦେଶନାରେ ପରିବେଷଣ କରିଥିଲି । ସେଥିରେ ମୁଁ ନିଜେ ଅଭିନୟ କରୁଥିଲି । ଯେହତୁ ଛୁଆବେଳୁ ଅଭିନୟ କରିବାର ସୁଯୋଗ ପାଇନଥିଲି ଆଉ ଏହି ବୟସରେ ଏକ ୧୨/୧୩ବର୍ଷର ଝିଅର ଭୂମିକାରେ ଅଭିନୟ କରିବି, ତାହା ଖୁବ୍ ପ୍ରଭାବିତ କଲା । ଦୂରଦର୍ଶନର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ (ଫକୀର ମୋହନ ସେନାପତିଙ୍କ ୧୫୦ତମ ଜନ୍ମ ଉତ୍ସବ)ରେ ଏହି ନାଟକ ପ୍ରଦର୍ଶନ କରାଗଲା । ଏହି ନାଟକ ଦେଖି ଭାରତର ସବୁ ଦୂରଦର୍ଶନର ଉଚ୍ଚପଦସ୍ଥ ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ । ରେବତୀ ଚରିତ୍ର ସହିତ ମୁଁ ଏତେ ଯୋଡ଼ିଯାଇଥିଲି, ପୁରା ଭାରତବର୍ଷର ଦୂରଦର୍ଶନର ମୁଖ୍ୟ ଅଧିକାରୀ ମୋତେ ତାଙ୍କ ସଭାରେ ସମ୍ମାନିତ କରିଥିଲେ । ମୋତେ ଯେତେବେଳେ ଦେଖିଲେ, ସିଏ ବିଶ୍ୱାସ କରିପାରିଲେ ନାହିଁ, ମୁଁ ସେଇ ଝିଅ, ଯିଏ ଗତ ରାତିରେ ରେବତୀ ଭୂମିକାରେ ଅଭିନୟ କରୁଥିଲା ।

ପ୍ର: ଆପଣ ଯଦି ନାଟକ ଲେଖୁଥାନ୍ତେ ତେବେ ସମାଜ ପାଇଁ କେଉଁଭଳି ନାରୀ ଚରିତ୍ର ସୃଷ୍ଟି କରିଥାନ୍ତେ?

ଉ: ସମାଜରେ ଅନେକ ଝିଅ ଅଛନ୍ତି, ଯେଉଁମାନେ ସଂଘର୍ଷମୟ ଜୀବନରେ କାଳ କାଟୁଛନ୍ତି । ଯଦି ନାଟକ ଲେଖିବି, ସେଇମାନଙ୍କର ସଂଘର୍ଷମୟ କଥାବସ୍ତୁକୁ ନେଇ ନାଟକ ରଚନା କରିବି ।

ପ୍ର: ଆପଣଙ୍କ ପରିବାର ଭିତରେ ଆପଣଙ୍କ କଳା ପ୍ରତିଭାକୁ ନେଇ କ’ଣ ପ୍ରତିକ୍ରିୟା ଥିଲା? ପରିବାର ଲୋକେ ନାଟକକୁ ନେଇ କ’ଣ ଭାବୁଥିଲେ?

ଉ: ଯଦି ଏହା ମୋର ପାରିବାରିକ କଳା ହୋଇଥାନ୍ତା ତେବେ ବୋଧହୁଏ ମୋତେ ସେପରି ପ୍ରତିକ୍ରିୟା ପରିବାରରେ ସାମନା କରିବାକୁ ପଡିନଥାନ୍ତା । ଆମ ବଂଶରେ ଯେହେତୁ ପ୍ରଥମ କରି ଏହି କ୍ଷେତ୍ରରେ ନିଜ ଚେଷ୍ଟାରେ ପାଦ କାଢ଼ିଛି, ତେଣୁ ପ୍ରତିକ୍ରିୟାର ସାମନା କରିବାକୁ ପଡ଼ିଛି । ନାଟକ କରିକି, ବିଳମ୍ବିତ ରାତିରେ ଫେରିଲା ପରେ ସାହିପଡ଼ିଶା କ’ଣ କହିବେ, ଏସବୁ ମୋର ଭବିଷ୍ୟତ ଜୀବନରେ ପ୍ରଭାବ ପକାଇବ, ସେମାନେ ଏଭଳି ଆଶଙ୍କା ପ୍ରକାଶ କରିଥିଲେ । ସମୟ ଅତିକ୍ରାନ୍ତରେ ମୋର ଦୃଢ଼ ପରିକରତା ସେମାନଙ୍କୁ ଭରସା ଓ ବିଶ୍ୱାସ ଦେଇପାରିଥିଲା ।

ପ୍ର: ଜଣେ କଳାକାର ଭାବରେ ଆପଣଙ୍କୁ କେଉଁଭଳି ସାମାଜିକ ପ୍ରତିକ୍ରିୟାର ସାମ୍ନା କରିବାକୁ ପଡ଼ିଥିଲା ।

ଉ: ଜଣେ ଝିଅ ନାଟକକୁ ପେଷା ଭାବରେ ଗ୍ରହଣ କଲେ ତା’ର ବ୍ୟକ୍ତିଗତ ଚରିତ୍ର ବାବଦରେ, ତା’ର ଚାରିପାଖରେ ଥିବା ଲୋକମାନଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୁଏ । କିଏ ରାଗରେ କେତେବେଳେ କହିପକାନ୍ତି, କେହି କହିନପାରି ଆଖିରେ ଆଖିରେ କୁହନ୍ତି ବା କେହି କେହି ଚୁପ୍ ରହି ନୀରବରେ ଜଣାଇଦିଅନ୍ତି । ଏହି ସମ୍ପର୍କକୁ ନେଇ କଦବାକ୍ୱଚିତ କେତେବେଳେ ପ୍ରତିକ୍ରିୟାର ସାମ୍ନା କରିବାକୁ ପଡ଼ିଛି କିନ୍ତୁ ମୋ ନିଜର ଅତୁଟ ବିଶ୍ୱାସ ମୋତେ ଏସବୁ ପ୍ରତିକ୍ରିୟା ପ୍ରଭାବିତ କରିପାରି ନାହିଁ ।

ପ୍ର: ଆପଣଙ୍କ କଳାକାର ଜୀବନର ଅନୁଭୂତି ଭିତରେ କେଉଁଭଳି ନାଟକ ସମାଜରେ ଅଧିକ ଲୋକପ୍ରିୟତା ହାସଲ କରିଆସିଛି?

ଉ: ମନୋରଞ୍ଜନଧର୍ମୀ ବ୍ୟବସାୟିକ ନାଟକ ଯାହା ଓଡ଼ିଶାରେ ଯାତ୍ରା ନାମରେ ପରିଚିତ, ତାହା ବେଶ୍ ଲୋକପ୍ରିୟ କୁହାଯାଇପାରେ । ତେବେ ଏହି ପ୍ରକାରର ଲୋକପ୍ରିୟ ହେବା ନାଟକର ଲକ୍ଷ୍ୟ ନୁହେଁ । ବରଂ ଚିତ୍ତରଞ୍ଜନ କରି, ଭଲ-ମନ୍ଦର ଯୁଦ୍ଧ ଦେଖାଇ, ଜୀବନରେ ଆଦର୍ଶ ସୃଷ୍ଟି କରାଇବାକୁ  ଉତ୍ସାହ ଦେବା ନାଟକର ଲକ୍ଷ୍ୟ । ଲୋକାଭିମୂଖୀ ବିଷୟ ଓ ସୃଜନଶୀଳ ନାଟକ ଲୋକମାନଙ୍କୁ ଅଧିକ ଆକର୍ଷିତ କରିବ ।

ପ୍ର: ସାମାଜିକ ନାଟକ ସେ ସମୟରେ କେଉଁଭଳି ଗୁରୁତ୍ତ୍ୱ ପାଉଥିଲା?

ଉ: ସାମାଜିକ ନାଟକ ଏକ ଆଧୁନିକ ନାଟ୍ୟ ପ୍ରକ୍ରିୟା, ଯାହା ପାରମ୍ପରିକ ପୌରାଣିକ ନାଟକରୁ ଭିନ୍ନ ହେଲା । ଦର୍ଶକ ଦେଖୁଥିବା ଚରିତ୍ରମାନେ ମଞ୍ଚରେ ଦେଖାଦେଲେ । ତେଣୁ ନାଟକର ବିଷୟବସ୍ତୁକୁ ଦର୍ଶକମାନେ ସହଜରେ ନିଜ ଜୀବନ ସହ ସଂଯୋଗ କରିପାରିଲେ । ବିଗତ ୫୦ବର୍ଷ ଭିତରେ ସାମାଜିକ ନାଟକର ପ୍ରସାର ଓ  ପରିଚିତି ଘଟିଲା ।

ପ୍ର: ନାଟକକୁ ଅଧିକ ଲୋକାଭିମୁଖି କରିବା ପାଇଁ କ’ଣ କରାଯିବା ଆବଶ୍ୟକ ବୋଲି ଆପଣ ଭାବୁଛନ୍ତି?

ଉ: ଲୋକମାନଙ୍କର ଜୀବନଭିତ୍ତିକ କଥାବସ୍ତୁକୁ ସହଜ ଓ ସୃଜନଶୀଳ ଢଙ୍ଗରେ ସଜାଇ, ନାଟକକୁ ଦର୍ଶକଙ୍କ ପାଖକୁ ନେଇଯିବା ଦରକାର ।

ପ୍ର: ୨୦ରୁ ୩୦ବର୍ଷ ତଳେ ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ, ବିଶେଷକରି ଜାତିପ୍ରଥା ଲୋପ, ନାରୀ ନିର୍ଯାତନା ବିରୁଦ୍ଧରେ ଏବଂ ଅନ୍ୟୟ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତ୍ୱଳନ କରିବା କ୍ଷେତ୍ରରେ ନାଟକ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲା ବୋଲି କୁହାଯାଉଛି? ଏଭଳି କିଛି ନାଟକକୁ ନେଇ ଆପଣଙ୍କର କିଛି ଅନୁଭୂତି ଅଛି କି?

ଉ: ଦୀର୍ଘ ୧୬-୧୭ବର୍ଷର ନାଟକ ଅଭିଜ୍ଞତାରୁ ଯାହା ଶୁଣିଛି, ସାମାଜିକ ବିବର୍ତ୍ତନ କ୍ଷେତ୍ରରେ ନାଟକ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲା କିନ୍ତୁ ସିଧାସଳଖ ଭାବରେ ମୋର ସେପରି କିଛି ଅଭିଜ୍ଞତା ନାହିଁ ।

ପ୍ର: ମଣିଷର ଜୀବନ ଆଉ ନାଟକ ଭିତରେ କ’ଣ ଫରକ ରହିଛି?

ଉ: ଏହା ସତ୍ୟ ଯେ, ଜୀବନ ଏକ ନାଟକ । କିନ୍ତୁ ଜୀବନ ଗତାନୁଗତିକ ଭାବରେ ଅନେକ ଉତ୍ଥାନ-ପତନ ଦେଇ କୌଣସି ନିର୍ଦ୍ଦିଷ୍ଟ ସମୟ/ ସ୍ଥାନ/ ଚରିତ୍ର ଭିତରେ ସୀମିତ ନହୋଇ ଚାଲେ । ଅର୍ଥାତ୍ ନଅଟକି ଆଗକୁ ମାଡ଼ିଚାଲେ କିନ୍ତୁ ନାଟକ ଏକ ପରିସୀମା ଭିତରେ ଯୋଜନାବଦ୍ଧ ହୋଇ ଉପସ୍ଥାପନା କରାଯାଏ ।ଏଥିରେ ସୀମିତ କଳାକାର, ସୀମିତ ସ୍ଥାନ, ସୀମିତ ସମୟ ଭିତରେ ପରିବେଷଣ ହୁଏ । ଜୀବନ ବ୍ୟକ୍ତିଗତ ହୋଇଥିବା ବେଳେ ନାଟକ ସାମୂହିକ ।

ପ୍ର: ନାଟକର ଭବିଷ୍ୟତକୁ ନେଇ  ଆପଣ କ’ଣ କହିବେ?

ଉ: ନାଟକ ବଞ୍ôଚଥିଲା, ବଞ୍ôଚଛି ଆଉ ବଞ୍ôଚଥିବ । ଯେଉଁମାନେ ଆଗାମୀ କାଲିର ଭବିଷ୍ୟତ ଅର୍ଥାତ୍ ବର୍ତ୍ତମାନର ଯୁବପିଢ଼ି ନାଟକରୁ ଦୂରେଇ ନରହି, ନାଟକ ଯେ ଏକ ଶିକ୍ଷା, ଏକ ସାଧନା ଏହା ବୁଝି ଆଗେଇ ଆସିଲେ ନାଟକର ଭବିଷ୍ୟତ ଉଜ୍ୱଳ ହେବ । ପାଶ୍ଚାତ୍ୟ ଦେଶଗୁଡ଼ିକରେ ତାଙ୍କ ଶିକ୍ଷା ସାରଣୀରେ ନାଟକ ଏକ ବାଧ୍ୟତାମୂଳକ ବିଷୟ ରହିଆସିଛି ଯାହାକି ବର୍ତ୍ତମାନ ଆମ ଦେଶରେ ଆରମ୍ଭ ହେବାକୁ ଯାଉଛି ।

About ସୁଜାତା ପ୍ରିୟମ୍ବଦା

ସୁଜାତା ପ୍ରିୟମ୍ବଦା
ନାଟ୍ୟ ନିର୍ଦ୍ଦେଶିକା ଓ କଳାକାର

Leave a Reply

Your email address will not be published. Required fields are marked *