Home / ନାଟକ / ମଂଚ ନାଟକ / ନାଟକରେ ନାରୀ- (ସାକ୍ଷାତକାର : ନାଟ୍ୟ ନିର୍ଦ୍ଦେଶକ ଅରୁଣ କୁମାର ସାହୁ)

ନାଟକରେ ନାରୀ- (ସାକ୍ଷାତକାର : ନାଟ୍ୟ ନିର୍ଦ୍ଦେଶକ ଅରୁଣ କୁମାର ସାହୁ)

ଅରୁଣ କୁମାର ସାହୁ – ନାଟକ ତାଙ୍କ ପାଇଁ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ ବରଂ ସେ ନାଟକକୁ ଶିକ୍ଷାର ଅନ୍ୟତମ ମାଧ୍ୟମ ଭାବରେ ଗ୍ରହଣ କରନ୍ତି । ଜଗତୀକରଣର ପ୍ରଭାବରେ ଗ୍ରାମ୍ୟ ଜୀବନ, ଗ୍ରାମ୍ୟ ସଂସ୍କୃତି ଯେଉଁଭଳି ଭାବରେ ଭାଙ୍ଗି ଭାଙ୍ଗି ଯାଉଛି ଏବଂ କୃଷିଭିତ୍ତିକ ସମାଜ ସହିତ ଯୋଡ଼ିହୋଇଥିବା ଜୀବିକାଗୁଡ଼ିକ  ଯେଉଁଭଳି ଭାବରେ ଲୋପ ପାଇ ପାଇ ଯାଉଛି ସେ ସମ୍ପର୍କରେ ଗାଁ’ ଲୋକଟିକୁ ସଚେତନ କରାଇବା ତାଙ୍କ ନାଟକର ମୂଳ ଉଦ୍ଦେଶ୍ୟ ବୋଲି କୁହନ୍ତି ଅରୁଣ ସାହୁ । ଏହି ଭିନ୍ନ ଚେତନାର ନାଟ୍ୟକାରଙ୍କୁ ଆମେ ‘ନାଟକରେ ନାରୀ’ ପ୍ରସଙ୍ଗରେ କିଛି ପ୍ରଶ୍ନ ପଚାରିଥିଲୁ । ସେ ସମ୍ପର୍କରେ ସେ ଯାହା କହିଛନ୍ତି ଏଠାରେ ଉପସ୍ଥାପନ କରିଛୁ ।                                                                                                 -ସମ୍ପାଦକ

ପ୍ରଶ୍ନ: ଆପଣ ନିଜର ନାଟକ ଜୀବନର ଆରମ୍ଭ ଓ ବିକାଶ ସମ୍ପର୍କରେ କିଛି କହିବେ କି?

ଉତ୍ତର: ମୋର ପିତା ସ୍ୱର୍ଗତଃ ପ୍ରହଲ୍ଲାଦ ସାହୁ, ମାତା ସ୍ୱର୍ଗତଃ ମନ୍ଦୋଦରୀ ସାହୁ ଏବଂ ଜନ୍ମସ୍ଥାନ – କଟାପାଲି (ବରଗଡ଼ ନିକଟସ୍ଥ ଏକ ବଡ଼ ଗାଁ)। ମୋ ଜୀବନର ଦ୍ୱିତୀୟଭାଗ ମାନେ ବାହାସାହା, ପିଲାପିଲି ସଂସାର କରିସାରିଲା ପରେ ୪୩ବର୍ଷ ବୟସରେ ୨୦୦୫ମସିହାରେ ମୁଁ ପ୍ରଥମେ ନାଟକ ଲେଖିଥିଲି ଓ ନିର୍ଦ୍ଦେଶନା ଦେଇଥିଲି । ସେମିତି କିଛି ବ୍ୟକ୍ତି ବିଶେଷଙ୍କ ଠାରୁ ପ୍ରେରଣା ପାଇଥିବା ମନେ ନାହିଁ । କିନ୍ତୁ ୨୦୦୫ମସିହାରେ ଆମେ କିଛି ବନ୍ଧୁ ମିଶି ଗାଁ’ରେ ଏକ ଶ୍ରମଦାନ ଭିତ୍ତିକ କାର୍ଯ୍ୟକ୍ରମ କରିଥିଲୁ । ଗୋଟିଏ ସାର୍ବଜନୀନ ରାସ୍ତାକୁ ମରାମତି କରିବା ପାଇଁ ଗାଁ’ର ଆବାଳବୃଦ୍ଧବନିତା ସାମିଲ ହୋଇଥିଲେ । ସେହି କାର୍ଯ୍ୟକ୍ରମ ଭିତରେ ମୁଁ ଏକ ପୁରୁଣା ଗ୍ରାମ୍ୟ ଜୀବନର ଚିତ୍ର ଦେଖିବାକୁ ପାଇଥିଲି ଏବଂ ଉକ୍ତ ଘଟଣାଚକ୍ରକୁ ନାଟ୍ୟରୂପ ଦେଇ ଉକ୍ତ କାର୍ଯ୍ୟକ୍ରମର ଉଦ୍ୟାପନୀ ଉତ୍ସବରେ ଗ୍ରାମବାସୀମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ମୋର ପ୍ରଥମ ନାଟକ ‘ସେ ଆଏବେ’ ।

ପ୍ର: ଆପଣ କାହିଁକି ନାଟକ ଲେଖାରେ ଆଗ୍ରହ ନେଲେ?

ଉ: ମୋ ଗାଁ’ରେ ତଥା ଆଖପାଖ ଅଞ୍ଚଳରେ ଯେଉଁ ନାଟକଗୁଡ଼ାକ ଦେଖିବାର ସୁଯୋଗ ମିଳୁଥିଲା, ସେଗୁଡ଼ାକ ଚିରାଚରିତ କଥାବସ୍ତୁ ତଥା ପରିବେଷଣ ଶୈଳୀ ଥିଲା । ମୋ ରୁଚି ମୁତାବକ ନାଟକ ଦେଖିବାକୁ ପାଇଲିନି । ଏଣୁ ମୁଁ ନିଜେ ଲେଖିଲି, ନିର୍ଦ୍ଦେଶନା ଦେଲି ଓ କିଛି ବନ୍ଧୁମାନଙ୍କ ସହଯୋଗରେ ସ୍ପେସ୍ ଥିଏଟର ଗଢ଼ାହେଲା ଏବଂ ପ୍ରତିବର୍ଷ ଏକ ନୂଆ ନାଟକ ପ୍ରସ୍ତୁତ କରାଗଲା । ୨୦୦୫ମସିହାରୁ ଏ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ଏକ ନୂଆ ନାଟକ  ଲେଖେ, ପ୍ରସ୍ତୁତ କରେ ଓ ପ୍ରାୟ ଗ୍ରାମାଞ୍ଚଳମାନଙ୍କରେ ମଞ୍ଚସ୍ଥ କରାଇଥାଉ । ପ୍ରତ୍ୟେକ ନାଟକ ପ୍ରାୟ ୧୫/୨୦ଟି ସ୍ଥାନରେ ପ୍ରଦର୍ଶିତ ହୋଇଥାଏ ।

ପ୍ର: ଆପଣ କ’ଣ କରନ୍ତି?

ଉ: ମୁଁ ଗାଁ’ରେ ରୁହେ । ଚାଷବାସ କରେ । ଆମ ଅଞ୍ଚଳରେ ଚାଲିଥିବା କୃଷକ ଆନ୍ଦୋଳନ ସହିତ ଯୋଡ଼ିହୋଇ ରହିଛି । ବିକଳ୍ପ ରାଜନୀତିରେ ବିଶ୍ୱାସ କରେ । କୃଷକ ସଙ୍ଗଠନର ପତ୍ର ପତ୍ରିକା ଇତ୍ୟାଦିରୁ ବିଶ୍ୱ ପୁଞ୍ଜିବାଦ, କର୍ପୋରେଟ ଗଣମାଧ୍ୟମ, କର୍ପୋରେଟ ଲବି, ବଜାରବାଦ ଆଦି ବାବଦରେ ଜାଣିବାକୁ ପାଇଲି । ଜାଗତିକରଣ ନୀତି ନିଷ୍ପତ୍ତି ଦ୍ୱାରା ଗ୍ରାମ୍ୟ ଜୀବନ କିପରି ପ୍ରଭାବିତ ହୋଇଚାଲିଛି, ମୋ ଛୋଟିଆ ଗାଁ’ର ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ଚାଷବାସ କିପରି ବିଦେଶୀ ପୁଞ୍ଜି ଦ୍ୱାରା କବଳିତ ହୋଇଚାଲିଛି ବୁଝିବାକୁ ଚେଷ୍ଟାକଲି । ବଜାରର ସୂକ୍ଷ୍ମ ଆକ୍ରମଣ ରହସ୍ୟମାନଙ୍କୁ ମୋର ନାଟକମାନଙ୍କରେ ପ୍ରଦର୍ଶିତ କରିବାକୁ ଚେଷ୍ଟା କରିଥାଏ ।

ପ୍ର: ‘ନାଟକରେ ନାରୀ’ ଏଭଳି ଏକ ପ୍ରସଙ୍ଗ ଉପରେ ଆପଣ କିଛି କହିବେ କି?

ଉ: ନାରୀମାନେ ନାଟକ କ୍ଷେତ୍ରକୁ କେବେ ଆସିଲେ ଜାଣିନି ମାତ୍ର ଗ୍ରାମାଞ୍ଚଳ କାହିଁକି ସହରମାନଙ୍କରେ ମଧ୍ୟ ନାରୀମାନେ ନାଟକକୁ ଆସୁନାହାନ୍ତି । ସ୍କୁଲ, କଲେଜମାନଙ୍କର ବାର୍ଷିକୋତ୍ସବମାନଙ୍କରେ ପୁଅ-ଝିଅମାନେ ଅଲଗା ଭାବରେ ନାଟକ କରିଥାନ୍ତି । ଆମ ଅଞ୍ଚଳର ଯେଉଁ କେତୋଟି ହାତଗଣତି ବ୍ୟବସାୟିକ ଯାତ୍ରା ଦଳ ଅଛନ୍ତି, ନାରୀ ଚରିତ୍ର ପାଇଁ ଉପକୂଳ ଅଞ୍ଚଳରୁ ଅଭିନେତ୍ରୀ ଆଣିଥାନ୍ତି । ଆମ ସମାଜ ରକ୍ଷଣଶୀଳ ହୋଇଥିଲେ ମଧ୍ୟ ଏବେ ଆଭିମୁଖ୍ୟରେ ପରିବର୍ତ୍ତନ ଘଟିିଛି କାରଣ ସିନେମା ବା ଟିଭି ସିରିଏଲ ପାଇଁ ଅଭିନେତ୍ରୀର ଅଭାବ ରହୁନାହିଁ । କାରଣ ସେଠି ପଇସା ଓ ପ୍ରତିଷ୍ଠା ଅଛି । କାଲି ଯଦି ମୁଁ ମୋର ନାଟକରେ ଗୋଟିଏ କଳାକାରକୁ ମାସିକ ୪୦/୫୦,୦୦୦ଟଙ୍କା ଦରମା ଦେବାର ଘୋଷଣା କରେ ତା’ହେଲେ ସମାଜର ରକ୍ଷଣଶୀଳତା ଭାଙ୍ଗିଯିବ ବୋଲି ଭାବୁଛି ।

ପ୍ର: ନାଟକରେ କାହିଁକି ନାରୀମାନେ ଅଂଶଗ୍ରହଣ କରିପାରୁନାହାଁନ୍ତି ବୋଲି ଆପଣ ଭାବୁଛନ୍ତି?

ଉ: ରକ୍ଷଣଶୀଳ ସମାଜରେ ନାରୀ ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ହୋଇ ଘରର ଶୋଭାବର୍ଦ୍ଧନ କରୁଥିଲା ଏଣୁ ନାଟକମାନଙ୍କରେ ପୁରୁଷମାନେ ନାରୀ ଚରିତ୍ରରେ ଅବତୀର୍ଣ୍ଣ ହେଉଥିଲେ । କିନ୍ତୁ ପୁରୁଷଟିଏ ଯେତେପ୍ରକାର ବେଶ, ପରିପାଟୀ ହେଲେ ମଧ୍ୟ ନାରୀ ସୁଲଭ ଭାବଭଙ୍ଗୀ, ଚାହାଣୀ ‘ୁଟାଇପାରିବ ନାହିଁ । ମୋ ଜାଣିବାରେ ନାଟକମାନଙ୍କରେ ନାରୀ ଚରିତ୍ରମାନଙ୍କ ପ୍ରଭାବ ସବୁବେଳେ ଗୋଟିଏ ସୀମା ଭିତରେ ରହିଆସିଛି । ନାରୀଟିଏ ପୁରୁଷର ଅର୍ଦ୍ଧାଙ୍ଗିନୀ ନାଁ’ରେ ଦାସୀଟିଏ ସାଜିଥାଏ, ସୀତା, ସାବିତ୍ରୀ ଭଳି ପତିବ୍ରତା ହେବାକୁ ଚେଷ୍ଟା କରି ନିଜର ଆବେଗ, ସ୍ୱାଚ୍ଛନ୍ଦତାକୁ ଚପାଇଥାଏ । ନାରୀ ଚରିତ୍ରର ପ୍ରଭାବ ସବୁବେଳେ ପୁରୁଷ କୈନ୍ଦ୍ରିକ ସମାଜକୁ ସୁହାଉଥିଲା ପରି ହୋଇଆସିଛି ।

ପ୍ର: ଆପଣ ଯଦି ନାରୀ ଚରୀତ୍ରଟିଏ ନିଜ ନାଟକରେ ରଖିବେ କିଭଳି ଚରୀତ୍ର ଲେଖିବେ?

ଉ: ଏମିତି ନାରୀ ଚରିତ୍ର ଯିଏ କାହାଣୀକୁ ମୋଡ଼ ଦେଉଥିବ । ସେ ଚରିତ୍ରର ସ୍ୱର ନାରୀର ଅନ୍ତଃସ୍ୱର ହୋଇଥିବ । ମୋ ନାଟକରେ ନାରୀ ଚରିତ୍ରଟି ଅନ୍ତତଃ ନିଜ କଥା କହି ପୁରୁଷ ବର୍ଗକୁ ପ୍ରଶ୍ନ କରୁ । ନାରୀର ସାମାଜିକ ସ୍ଥିତି ଏବେ ବି ସଙ୍ଗିନ । ଯଦିଓ ଆଧୁନିକତାର ସ୍ପର୍ଶରେ ସେ ମୁକ୍ତ ଅନୁଭବ କରୁଛି, ମାତ୍ର ଆଧୁନିକତା ହିଁ ତାକୁ ପୁଣିଥରେ ମାୟାବି ‘ାଶରେ ରଜ୍ଜୁବଦ୍ଧ କରିବା ପାଇଁ ପ୍ରଚେଷ୍ଟାରତ ।

ପ୍ର: କେଉଁଭଳି ନାଟକ ସାଧାରଣତଃ ଲୋକପ୍ରିୟ ହୋଇଥାଏ ବୋଳି ଆପଣ ଭାବୁଚନ୍ତି?

ଉ: ଲୋକପ୍ରିୟତା ଏକ ଆପେକ୍ଷିକ ଶବ୍ଦ । ଆମେ କେଉଁ ଆଧାରରେ ଲୋକପ୍ରିୟତାକୁ ମାପିବା । ବିକ୍ରି ହେଉଥିବା ଟିକେଟ ସଂଖ୍ୟାକୁ ନେଇ ନା ଦର୍ଶକଙ୍କ ସାମୟିକ ଉତ୍ତେଜନାକୁ ନେଇ । ମୋ ଅନୁଭବରେ ମନୋରଞ୍ଜନ ସହ ସାମାଜିକ ବାର୍ତ୍ତାର ସନ୍ତୁଳନ ଥିବା ନାଟକ ବେଶୀ ଲୋକପ୍ରିୟ ହୋଇଥାଏ । ସାମାଜିକ ନାଟକର ଗୁରୁତ୍ୱ ପୂର୍ବ ସମୟ ଅପେକ୍ଷା ଏବେ ବେଶୀ ଗୁରୁତ୍ୱ ପାଇଛି ବୋଧହୁଏ । କୌଣସି ନାଟକ ଲୋକାଭିମୁଖୀ କରିବାକୁ ହେଲେ ନାଟକ ଲେଖକ ନିଜ ଜୀବନର ସଂଘର୍ଷକୁ ନାଟକର କାହାଣୀରେ ଆପଣେଇବାକୁ ପଡ଼ିବ ।

ପ୍ର: ନାଟକର ଭବିଷ୍ୟତ ସମ୍ପର୍କରେ କିଛି କହିବେ କି?

ଉ: ନାଟକ ଜୀବନରୁ ଜୀବନ ପାଇଥାଏ । ଜୀବନ ଠୁଁ ଭିନ୍ନ ନାଟକରେ ମାଜିଘସି କୌଣସି ଏପିସୋଡ଼କୁ ବାରମ୍ବାର ଚିକ୍କଣ କରିଦିଆଯାଇଥାଏ କିନ୍ତୁ ବାସ୍ତବ ଜୀବନରେ ଏତେ ସୁଯୋଗ ନଥାଏ । ନାଟକର ଭବିଷ୍ୟତ ଆଗକୁ ବେଶ୍ ସମ୍ଭାବନାମୟ । ଚରମ ଭାବେ ବ୍ୟସ୍ତ ଜୀବନଶୈଳୀ ଆଗକୁ ମଣିଷକୁ ନାଟକ ପାଖକୁ ଟାଣି ଆଣିବ । ନାଟକର ସଜୀବପଣ ଓ ନୂତନତ୍ୱ ଏହାକୁ ବଞ୍ଚାଇ ରଖି ଚିରନ୍ତନ କରିଥିବ ।

About ଅରୁଣ ସାହୁ

Avatar
ନାଟ୍ୟକାର ଏବଂ ସାମାଜିକ କର୍ମୀ

Check Also

ଆମ ରଙ୍ଗମଞ୍ଚ ଆଜି କେତେ ସ୍ୱାଧୀନ?

  ନାଟକ ହେଉଛି ସମସାମୟିକ ମଣିଷ ଜୀବନର ପ୍ରତିଛବି ଏବଂ ସତ୍ୟପ୍ରକାଶର ଏକ ବଳିଷ୍ଠ ମାଧ୍ୟମ । ଏହି ପରିପ୍ରେକ୍ଷୀରେ …

Leave a Reply

Your email address will not be published. Required fields are marked *