Home / ସାହିତ୍ୟ / ଉପନ୍ୟାସ / ନାଚୁଣୀ- ୪ (ମୂଳ ଲେଖା – ଭାନୁ ଭାରତୀ)

ନାଚୁଣୀ- ୪ (ମୂଳ ଲେଖା – ଭାନୁ ଭାରତୀ)

(ନାଚୁଣୀ ନାଚେ)

ବହୁତ ପ୍ରଶଂସା ହେଲା ମୋ ନାଚର । ମହାରାଜା ମତେ ବିଶିଷ୍ଟବ୍ୟକ୍ତିଙ୍କ ରହିବା ଜାଗାରେ ଜାଗାଦେଲେ । ମୋ ଦୁନିଆଁ ଯେମିତି ବଦଳି ଗଲା । ସକାଳୁ ସଂନ୍ଧ୍ୟା ପର୍ଯ୍ୟନ୍ତ ଖାଲି ନାଚ ଗୀତ । ଜଣକଠୁ ଆଉ ଜଣେ ବଡ଼ ଭଳି- ଗାଇବା ବଜେଇବା ଲୋକ ପହଞ୍ଚିଲେ ସେଠି । ତାଙ୍କ ସହଯୋଗ ଓ ଗୁରୁଜୀଙ୍କ ତାଲିମ୍ । ମୋ ନାଚ ଯେମିତି ସିଆଣିଆ ହୋଇଉଠିଲା । ସେଠି ରହଣି, ସହଣି କଥାବାର୍ତ୍ତା ସବୁ ବି ବଦଳିଗଲା । ନାଚିବା ଗାଇବାର ଗୋଟିଏ ଗୋଟିଏ ସୂକ୍ଷ୍ମ ଜିନିଷ ମୁଁ ବୁଝି ପାରିଲି । ଗୁଣିଲୋକର ସଙ୍ଗତି ଆଉ ମୋର ପରିଶ୍ରମ ମତେ ଉପରକୁ ଉଠେଇ ଦେଲା । ସମସ୍ତଙ୍କ ଆଖିରେ ମୁଁ ନାଚିଉଠିଲି । ମହାରାଜଙ୍କର ବି ମୁଁ ଏବେ ଖାସ ନାଚିବା ଲୋକ ହୋଇଗଲି । ଯେତେବେଳେ, ସେତେବେଳେ ସେ ମତେ ତାଙ୍କ ମହଲକୁ ଡାକନ୍ତି । ନିଜେ ତବଲା ବଜାନ୍ତି ମୁଁ ନାଚେ। ସେ ବହୁତ ଭଲ ତବଲା ବଜଉ ଥିଲେ । ମୋ କହ୍ନୈୟା ବହୁତ ମନେ ପଡ଼େ ସେ ସମୟରେ । ମୁହଁରେ ତ ନୁହେଁ ତାଙ୍କଠାରେ କିଛିଟା ଥିଲା ସେମିତି । ଯାହାକି କହ୍ନୈୟା ଚିହ୍ନି ପରିଥିଲା । ମୁଁ ପୁଣି ଫୁଟି ଉଠିଲି । କେମିତି ଯୋଡ଼ିହୁଏ ଏଇ ପୁରୁଷ ଓ ନାରୀର ସମ୍ବନ୍ଧ । ଭିତରୁ ବାହାରୁ ଯେମିତି ଲହ ଲହ ହୋଇ ଉଠେ ।

ମହାରାଜ ସଙ୍ଗେ ମୋ ଭଲ ସଂପର୍କ ଲୋକଙ୍କୁ ଭାରି ଖରାପ ଲାଗୁଥିଲା । ତତେ କହି ହଉନାହିଁ କେତେ ଜଣଙ୍କୁ ଯେମିତି ବିରୁଡ଼ି କାଟିଲାଭଳି ଲାଗୁଥିଲା । ଏମିତି ଜଳିବା ଓ ଅହଂଭାବ ମୁଁ କେବେ ଦେଖୁନାହିଁ । ନାଚୁଥିଲେ, ଶହେ ଲୋକ ଇର୍ଷା କରନ୍ତେ, ଗୁଣିଗାରିଡ଼ି କରନ୍ତେ, ଉଚ୍ଚ ନିଚ କଥା କହନ୍ତେ । ଏଠି ତ ଭୟାନକ ପରିସ୍ଥିତି ଥିଲା । ରାଜାର କାନରେ ମନ୍ତ୍ରଦେବା ଲୋକଠୁ ମହଲର ସ୍ତ୍ରୀଲୋକ ପର୍ଯ୍ୟନ୍ତ ଏମିତି ଜଣେ ନଥିଲେ ଯିଏ ମୋର ମହାରାଜା ସଙ୍ଗେ ମିଶିବା ଦେଖି ଖୁସି ହେଉଥିଲେ । ସବୁଠୁ ବଡ଼କଥା ଗୁଣିଜନ ମାନଙ୍କ ପାଖରେ ବି ମୁଁ ଠିକରେ ନିଃଶ୍ୱାସ ନେଇ ବସିପାରୁନଥିଲି । ସବୁଠୁ ବେଶୀ ନିଆଁ ଜଳୁଥିଲା ଜାନବାଇର । ସେ ତ ଯେମିତି ପଛରେ ପଡ଼ି ଯାଇଥିଲା । ଅପେକ୍ଷାରେ ଥିଲା କେବେ ସମୟ ଆସିବ ଦେଖିବା । ଆଉ ତା’ର କାମ ଥିଲା ସେଇଟା। ତେଣୁ ଏତେ ବଡ଼ ବିପତ୍ତି ଆସିଲା ।

ଗୁଣିଜନ ଦଳରେ ଜଣେ ସାରଙ୍ଗିୟା ଥିଲା – ରାମ ଗୋପାଲ । ଭଲ ସାରଙ୍ଗି ବଜାଉଥିଲା । ମହାରାଜା ବି ଭଲ ପସନ୍ଦ କରୁଥିଲେ ତାକୁ । ତେଣୁ ତାକୁ ଲୋକ ରାଗୁଥିଲେ । କିନ୍ତୁ ମୋର ତା’ ସହିତ ଭଲ ସଂପର୍କ ଥିଲା । ଫୁରସତରେ ଥିଲେ ତା ପାଖରେ ଯାଇ ବସେ । ଆମ ଦୁଇ ଜଣଙ୍କୁ ନେଇ ମହାରାଜା ପାଖରେ କିଏ କ’ଣ କହିଲା, ସେ ସକାଳୁ ସକାଳୁ ମତେ ଡାକିଲେ । ରାଗିକି ନିଆଁ ବାଣ ହୋଇ କହିଲେ, କ’ଣ ଚାଲିଛି ତୋର ଓ ରାମ ଗୋପାଲର । ସବୁ ସତ କହିଲେ ବି କିଛି ବୁଝିଲେ ନି । ମୁଁ କେତେ ପ୍ରକାର ବୁଝେଇକି କହିଲି ତଥାପି ବୁଝିଲେ ନି । ମୁଁ ହଜାରେ ପ୍ରକାର ସଫେଇ ଦେଲି, ରାଣ ପକେଇଲି କିନ୍ତୁ ସେ କିଛି ଶୁଣିବା ପାଇଁ ପ୍ରସ୍ତୁତ ନଥିଲେ । କହିଲେ ସମସ୍ତେ ମିଛ କହୁଛନ୍ତି ତୁ ଖାଲି ଜଣେ ସତୀ । ମୁଁ ବି ରାଗିଗଲି । ରାଗିକି କହିଲି ହଁ ସମସ୍ତେ ମିଛ କହୁଛନ୍ତି । ଆମ ଦୁଇଜଣଙ୍କୁ ହିଂସା କରୁଛନ୍ତି । ତା ପରେ ଆଉ କ’ଣ । ଯାହା ମୋ ଉପରେ ବିତିଲା ମୁଁ ଜାଣିଛି । ରାମ ଗୋପାଲର ବି କିଛି ଭଲ ହେଲା ନାହିଁ । ସେତ ଆଉ କେବେ ଦେଖାଗଲା ନାହିଁ । ମତେ ଗୁଣିଲୋକଙ୍କ ଭିତରୁ ବାହାରି କରି ବନ୍ଦୀ ଘରେ ରଖାଗଲା । ଭୟାନକ ସେଇ କାରାଗାର । ଚାରିକଡ଼େ ଖଣ୍ଡାଧାରୀ ଲୋକର ପ୍ରହାର । ଟିକିଏ ଏପଟ ସେପଟ ହେଲେ ବିପଦ ।

ଏଇ ଅବସ୍ଥାରେ ମୁଁ ପୁଣି ଗର୍ଭବତୀ ହେଲି । ସେଇ ସମୟରେ କ’ଣ ବିତିଥିବ ମୋ ଉପରେ କହ, ତୁ ବୁଝିପାରୁଛୁ ଝିଅ । ଯେମିତି ଜାଣିଲି ତ ଡରିଗଲି । ବୁଝିପାରିଲି ନାହିଁ କରିବି କ’ଣ? ଭାବିଲି ମହାରାଜଙ୍କୁ ଜଣେଇବି । ପୁଣି ଭାବିଲି କ’ଣ ଫାଇଦା । ପୁଣି କେଉଁଠିକି ଫୋପାଡ଼ି ଦେବେ । ଏମିତି ତ ଚାରି ଆଡ଼େ ଶତ୍ରୁ ଅଛନ୍ତି । ପ୍ରଥମେ ତ ନିଜେ ମହାରାଜ ଚାହିଁବେ ନାହିଁ ଯେ ତାଙ୍କ ବିଜରୁ ମୁଁ ଗର୍ଭବତୀ ହୁଏ । ଯଦି ବି ସେ ମାନିବେ ତେବେ ଏଇ ବନ୍ଦିଶାଳାର ଡାହାଣୀ ଯେ ମତେ ଦିନରାତି ଜଗିଛି ସେ କ’ଣ ଛାଡ଼ିବ? ସମସ୍ତଙ୍କ ଉପରେ କେମିତି ଆଖି ରଖିଛି ଦେଖୁନ । ‘ମା’ ହେବାର ସ୍ୱପ୍ନ ମନକୁ କାବୁ କରିଦେଇ ଥିଲା । କଷ୍ଟେ ମଷ୍ଟେ ଦୁଇମାସ କାଟି ଦେଲି । ସେଇ ନିଭୃତ କକ୍ଷରୁ ଦୁଇମାସ କାଟି ବାହାରିବା ଭାରି କଷ୍ଟ ଥିଲା । ତୁ ବୁଝି ବି ପାରିବୁନି । ଯିଏ ଭୋଗିଛି ସେ ଜାଣିବ । ମୁଁ ପ୍ରତିଦିନ ଭାବେ ବନ୍ଦିଶାଳରୁ ଲୁଚିକି ପଳେଇବି । ଜଙ୍ଗଲରେ ହଜିଯାଏ କେହି ଜାଣି ନପାରନ୍ତୁ, କାହାକୁ ଜଣା ନ ପଡ଼ୁ । ତାହା କ’ଣ ସହଜ ଥିଲା । କେତେ ଭଗବାନଙ୍କୁ ପ୍ରାର୍ଥନା କଲି, କିଛି ହେଲା ନାହିଁ । ମୁଁ ରାଜ ନର୍ତ୍ତକୀ ଥିଲି । ରାଜାଙ୍କର ଖାସ୍ ଲୋକ । ଏତେ ସହଜରେ କେମିତି ପଲେଇ ପାରିବି । ସାତ ପହରା ଦେଇ ଜଗିଛନ୍ତି । ଆସିବା ଯିବା ପାଇଁ ଅନୁମତି ନାହିଁ । ବଡ଼ କଷ୍ଟରେ ଟିକେ ଆସିବା ଯିବା । ହେଲେ ଆଗ ପଛରେ ଖଣ୍ଡାଧାରୀ, ଖଣ୍ଡାବାହାର କରି ପହରା ଦିଅନ୍ତି ।

ମୁଁ ଆଜି ପର୍ଯ୍ୟନ୍ତ ଜାଣିପାରୁ ନି ଯେ, କେମିତି ଏହି ରହସ୍ୟ ରାଜା ଜାଣିଲେ । କିଏ କ’ଣ କଲା କେଜାଣି । ସେ ଦିନ ଉଠୁ ଉଠୁ ରାତି କାଟିବା ଭାରି କଷ୍ଟ ହୋଇପଡ଼ିଲା । ଯାହାକୁ ଏତେ ଯତ୍ନରେ ପେଟରେ ରଖିଥିଲି ତାହା ଫଟା ମାଠିଆ ପାଣିଭଳି ବହିଗଳା । ଓହୋ ମରିଗଲା ଭଳି ହୋଇଗଲି । ବଡ଼ କଷ୍ଟରେ ଜୀବନ ବଂଚିଲା । ମୋ ଦେହ ଏବେ ଭଲ ହେଉନଥିଲା । ମୁଁ ନିଜକୁ ସମ୍ଭାଳି ପାରିନଥିଲି। ନାଦରଜୀଙ୍କ ଡାକରା ଆସିଲା । ସ୍ତ୍ରୀ ଲୋକଙ୍କ ପାଇଁ ଯାହା ଯାହା ଦରକାର ନାଦରାଜୀ ବୁଝୁଥିଲେ । ମତେ ଟିକେ ସଂକୋଚ ଲାଗିଲା । ତଥାପି ଗଲି । ସେ କହିଲେ କସୁକିବାଈ ଏବେ ତୁ ଏଇ ଘର ଖାଲି କରିଦିଅ । ଏହା ଶୁଣି ମୋର ପାଦତଳୁ ମାଟି ଖସିଗଲା ଭଳି ଲାଗିଲା । କହିଲି କାହିଁକି ନାଦରଜୀ । କ’ଣ ମହାରାଜଙ୍କର ମୋ ଉପରେ ବହୁତ ରାଗ ଅଛି । ସେ ଜାଣିଛନ୍ତି ରାଗ ଅଛି । ସେ ଜାଣିଛନ୍ତି ମୋ ଦେହତ ଭଲ ନାହିଁ ।

ନାଦର – ସମୟ ବଦଳି ଗଲାଣି । ଏବେ ମହାରାଜା ପାଇଁ ଏହି ଖର୍ଚ୍ଚ ଉଠେଇବା ବଡ଼ କଷ୍ଟ ହେଉଛି ।

ନାଚୁଣୀ – ତା ଅର୍ଥ କ’ଣ? ସମୟ ବଦଳି ଗଲା? ମହାରାଜା ଠିକ୍ ତ ଅଛନ୍ତି? ଏମିତି କାହିଁକି କହୁଛନ୍ତି ଆପଣ?

ନାଦର – ତମକୁ ଜଣାନାହିଁ, ରାଜ ପାଟ ଏବେ ହାତରୁ ଯାଉଛି, ଏବେ ଏମିତିରେ ରାଜା ପ୍ରସାଦ ଖର୍ଚ୍ଚ ତୁଲେଇବା ମହାରାଜଙ୍କ ପାଇଁ କଷ୍ଟ ।

ନାଚୁଣୀ – ହଁରେ ଝିଅ । ଏତେ ବଡ଼ ହୋଇବି ମୁଁ କିଛି ଜାଣି ପାରୁନଥିଲି । ଯେବେଠୁ ପ୍ରାସାଦକୁ ଆସିଲି, ଦୁନିଆଁର କିଛି ଖବର ବି ରଖିନି । ବାହାର ଲୋକଙ୍କୁ ତ ଭୁଲି ସାରିଥିଲି ଆଉ ରାଜ ଶାସନ ସରିଯାଇଥିଲା ସବୁ ଆଡ଼େ ନିଆଁ ଲାଗିଥିଲା । ହିନ୍ଦୁ ମୁସଲମାନ ଜଣେ ଅନ୍ୟ ଜଣକ ଜୀବନର ଶ୍ରତୁ ହୋଇଯାଇଥିଲେ। ଲୋକବାକ, ପୁରୁଖା ଘର ଦ୍ୱାରା ଛାଡ଼ି ଚାଲିଯାଉଥିଲେ । ଏମିତି ଅବସ୍ଥାରେ ମୁଁ ବି ସଡ଼କରେ ଫୋପଡ଼ା ହେଲି । ସ୍ତ୍ରୀମାନଙ୍କ ବନ୍ଦିଶାଳରୁ ବାହାରିଲି । ତଲାସି ନାଁରେ ମୋ ପାଖରେ ଯାହାଥିଲା ପହରାଦାରମାନେ ନେଇଗଲେ । ସବୁ ଛାଡ଼ିକି ଆସିଲି ଯେ ମହାରାଜାଙ୍କୁ ଭେଟ ବି ପଡ଼ି ପାରିଲି ନାହିଁ । ବୁଝିଲି ଯେ ମହାରାଜ କେତେ ଦିନ ହେଲାଣି ଦିଲ୍ଲୀରେ ଅଛନ୍ତି । କେବେ ଫେରିବେ ଠିକଣା ନାହିଁ । ଜୀବନର ବି କ’ଣ କ’ଣ ଖେଳ ଯେ ।

ଝିଅ ଶୁଣ- ଯେତେବେଳେ ମୁଁ ଗର୍ଭବତୀ ଥିଲି ଆଉ ବନ୍ଦିଶାଳାରୁ ପଳେଇବା ପାଇଁ ଚାହୁଁଥିଲି, ସେଇ ସମୟରେ ମୋ ଉପରେ ସାତ ପ୍ରକାର ପହରା ଥିଲା । ଆଉ ଏବେ, ଏବେ ତ ମୁଁ ମୋ ନିଜର ସବୁ କିଛି ହଜେଇ ସାରିଲିଣି । ଏବେ ଏଠୁ ବାହାର କରିଦେଲେ? ଖାଲିହାତ ଆଉ କିଛି ବି ଠିକଣା ନାହିଁ ।

କିଛି ବୁଝି ପାରିଲି ଯେବେ କହ୍ନୈୟାର ଗାଁକୁ ଫେରିଲି । କିନ୍ତୁ ସେଠିବି ମୋ ପାଇଁ କିଛି ଜାଗା ନଥିଲା । ମୋ ଘରଟି କହ୍ନୈୟାର ପୁଅମାନେ ଦଖଲ କରି ସାରିଥିଲେ । ଆଉ ତାଙ୍କ ସହିତ ମୋର ଭଲ ସଂପର୍କ ନଥିଲା । ସେଇଠୁ ମୁଁ ତୋ ବାପା ଯିଏ ତା’ ପାଖରେ ପହଞ୍ଚିଲି । କହ୍ନୈୟା ପରେ ସେ ଥିଲା ମୋର ସହଯୋଗୀ । ମତେ ଦେଖିକି କହିଲା କୁଆଡ଼େବି ଏପଟ ସେପଟ ହେବା ଦରକାର ନାହିଁ । ଏଇଠି ରହ ମୋ ସଙ୍ଗରେ । ବୁଡ଼ି ଯାଉଥିଲା ଲୋକର କୁଟା ଟିଏବି ଭରସା । ମତେ ତ ତାକୁ ଏତେ ପସନ୍ଦ ନ ଥିଲା କିନ୍ତୁ କରନ୍ତି କ’ଣ । କିଛି ତ ଗୋଟିଏ ଠିକଣା ଦରକାର ରହିବା ପାଇଁ । ପୁଣି ଆରମ୍ଭ ହେଲା ସେଇ ମେଳାରେ ନାଚିବା ।

ଘୋଡ଼ା ଗାଡ଼ିରେ ମାଇକି ଲଗେଇ ଡକାଯାଏ, ରାଜନର୍ତ୍ତକୀ କିସୁକିବାଈର ନାଚ, ଟିକଟ ଦୁଇଅଣା, ଚାରିଅଣା ଆଉ ଛଅ ଅଣା ରାଜ ଉଆସର ଚାରିକାନ୍ଥର ବାହାରେ ଦୁନିଆଟା ପୂରାପୂରି ବଦଳି ଯାଇଥିଲା । ଏହି ପରିବେଶରେ ମୁଁ ନିଜକୁ ଅଜଣାଭାବେ ପାଇଲି । ପ୍ରଥମେ ପ୍ରଥମେ ରାଜ ନର୍ତ୍ତକୀ ବୋଲି ଲୋକ ଆସୁଥିଲେ । କିନ୍ତୁ ମୋ ମନ ତାଙ୍କ ବୁଝିବା ବାହାରେ ଥିଲା । ସେହି ସମୟରେ ଜାଗା ଜାଗା ତମ୍ବୁ ଲଗେଇ ବାଇସ୍କୋପ ଦେଖାଯାଉଥିଲା । ସେଠି ସବୁଭିଡ଼ ମାଡ଼ ପଡ଼ୁଥିଲେ । ତା ପରେ ଆମେ ମଞ୍ଚ ଉପରେ ବାଇସ୍କୋପର କାହାଣୀ ବଜେଇଲୁ । ତା ଗୀତରେ ନାଚିବା ହେଉଥିଲା । ନାଚୁଣୀମାନଙ୍କର ପୋଷାକ କେମିତି ଅଜବ ଧରଣର ହୋଇ ଯାଇଥିଲା । ମୁଁ ସେଠି ମେଳାରେ ପ୍ରଥମ ଥର ବାଇସ୍କୋପ ଦେଖିଲି । ଚାଲୁଥିବା କଥା କହୁଥିବା ଦୃଶ୍ୟ ଲୋକଙ୍କୁ ପାଗଳ କରି ଦେଉଥିଲା । ସେଇ ଚିକଣିଆ ଫୋଟୋ ଆଗରେ ଏଇ ହାଡ଼ ମାଂସଧାରୀ କିସୁକିବାଈ ଫିକା ପଡ଼ିଯାଇଥିଲା । ଝିଅ ଏବେ ମୋ ନାଚରେ ତମ୍ବୁର ଓ ପଟାର ଦାମ୍ ବାହାର କରିବା କଷ୍ଟ ହୋଇଯାଇଥିଲା ।

ତୋ ବାପାର ମଦ ଅଭ୍ୟାସ ତ ଥିଲା । ଲଗାତର ଟଙ୍କା ପଇସାର ଅଭାବ ତାଙ୍କୁ ଚିଡ଼ଚିଡ଼ା କରିଦେଇଥିଲା । ସେ ସକାଳୁ ପିଇବା ଆରମ୍ଭ କରିଦିଏ । ଖର୍ଚ୍ଚପାଇଁ ଟଙ୍କା ମତେ ମାଗେ । ଟଙ୍କା ନ ଦେଲେ ମାରପିଟ କରେ । ଗାଳି କରେ ଓ କୁହେ ବଜାରରେ ଯାଇ ବସ । ଧନ୍ଦା କର । ରାଜନର୍ତ୍ତକୀ ରେକର୍ଡ଼ ଡାନସ୍ କରିବନି । ଏମିତି ସେମିତି କପଡ଼ା ପିନ୍ଧିବିନି । ଆରେ ଆମେ କ’ଣ ଜାଣିନୁ ରାଜଦରବାରରେ ଥିଲୁ ଯେତେବେଳେ ତୁ କ’ଣ ମହାରାଣୀ ଥିଲୁ? ସେଇ ତ ନାଚୁଣୀ, ରାଣ୍ଡୀ ।

ଏଇ ସମାଜ ନାଚୁଣୀକୁ ଖରାପ ନଜରରେ କାହିଁକି ଦେଖେ । ନାଚ ତ ଜୀବନର ଅମୂଲ୍ୟ ରତ୍ନ ଅଟେ । ଯାହାକି ମରିଗଲେ ଅମର ହୋଇ ରହିଯାଏ । ତେଣୁ ମଣିଷ ନିଜକୁ ହଜେଇ ଦେଇ ନାଚି ଉଠେ । ଜ୍ଞାନୀ ଗୁଣୀ ଓ ଗୁରୁଜୀ ନାଚଟା ବି ବଡ଼ ମୂଳ୍ୟବାନ ଜିନିଷ । ତା ଉପରେ ଏଇ ପୁରୁଷ ଜାତି ଆମ ନାଚୁଣୀଙ୍କୁ ରାଣ୍ଡୀ ବନେଇବା ପାଇଁ କାହିଁକି ଚେଷ୍ଟା କରେ । (ନାଚୁଣୀ ସେ) ବୋଧହୁଏ ନାରୀର ଶରୀରଟି ତନ୍ମୟ ହୋଇ ଯେଉଁମାନେ ପୁରୁଷ ସହିପାରେ ନାହିଁ । ସେ ଚାହେଁ ଆମେ ଲାଜ କରୁ । ନିଜେ ନାରୀ ହେବାର ଲାଜ, ନିଜ ଶରୀରକୁ ଲାଜ । ଆଉ ଯେତେବେଳେ ଆମେ ଲାଜ କରୁନୁ ସେ ଆମକୁ ରାଣ୍ଡୀ ବନେଇବା ପାଇଁ ଚେଷ୍ଟା ଚଲାଏ । ଭଲ ହେଲା ଯେ ମତେ ଗୋଟିଏ ଛୋଟ କମ୍ପାନୀରେ କାମ ମିଳିଗଲା । ଜାଣିନି ସେ ମୋର କ’ଣ କ’ଣ କରିଥାନ୍ତି । ସେ କମ୍ପାନୀଟି ଗାଁ ଗାଁ ବୁଲି ନାଟକ ଦେଖାଏ । ମଝି ମଝିରେ ନାଚ ଗୀତିବି ହୁଏ । କଂପାନୀର ମାଲିକ କପୁର ସାହେବ । ସେ ଅନ୍ୟ କଂପାନୀର ମାଲିକଠୁ ଟିକେ ଅଲଗା । ଗୁଣୀ ଲୋକର ସେ ପ୍ରଂଶସା କରୁଥିଲେ ସମ୍ମାନ ଦେଉଥିଲେ । ତେଣୁ ସେଠି କାମ କରିବା ବେଶି ଖରାପ ଲାଗୁ ନ ଥିଲା । ଟଙ୍କା ବେଶୀ ମିଳୁନ ଥିଲା କିନ୍ତୁ ଚଳି ଯାଉଥିଲା ।

ଏମିତି ଦିନ ଗୁଡ଼ିକ ଗଡ଼ିଯାଉଥିଲା । ଅନୁର୍ବର ଜମିରେ ଚାଷ ହୋଲାଭଳି ଏହା ଥିଲା । ମୁଁ ତ ନିଜ ଭାଗ୍ୟରେ ବୁଝାମଣା କରି ସାରିଥିଲି । କିଛି ଆଶା ଭରସା ବି ରଖି ତ୍ନଥଲି । ସେହି ସମୟରେ ପେଟରେ ପୁଣି ପିଲା ରହିଲା । ମୋ ବଞ୍ôଚବା ପାଇଁ ଆଶା ଜାଗ୍ରତ ହୋଇ ଉଠିଲା । ଅନୁର୍ବର ଜମିରେ ଟିକିଏ ପାଣି ପଡ଼ିଲେ ଫସଲ ଖେଳି ଉଠିଲା ଭଳି ହେଲା । ସେ ଦିନ ଯେଉଁ ମୁଁ ନାଚିଲି, କପୁର ସାହେବ କୁଣ୍ଡେଇ ପକେଇଲେ । କହିଲେ ଆଜିତ କମାଲ ନାଚିଲ କିସୁକିବାଈ । ଏମିତି ଆଗରୁ କେବେ ନାଚି ନ ଥିଲ । ମୁଁ ହସି ଦେଲି । କହିଲି ନାଚିବି ନାହିଁ? ସୁଖିଲା ଜମିରେ ଫସଲ ଯେଉଁ ଖେଳି ଉଠିଛି । ସେ କ’ଣ ବୁଝିଲେ କେଜାଣି କହିଲେ ଶୁଭେଚ୍ଛା ତୁମକୁ । ମୋ ମନ ଭିତରେ କିନ୍ତୁ ବହୁସମୟ ପର୍ଯ୍ୟନ୍ତ ଏହି ଶବ୍ଦ ପ୍ରତିଧ୍ୱନି ହେବାରେ ଲାଗିଲା । ହିଁ କପୁର ସାହେବ ଏଥର ନିଜର ଭାଗ୍ୟର ମାଠିଆକୁ ଏମିତି ଭାଙ୍ଗିବାକୁ ଦେବି ନାହିଁ । ଯାହା ବି ହୋଇଯାଉ । ଏଇ ଯେଉଁ ମୋ ପେଟରେ ଅଛି । ତାକୁ ମୋଠାରୁ କେହି ଛଡ଼େଇ ନେଇ ପାରିବେ ନାହିଁ । କେହି ବି ନୁହଁ । ମୁଁ ବଡ଼ ଖୁସିରେ ରହୁଥିଲି । କମ୍ପାନୀର ଅନ୍ୟ ଝିଅଙ୍କ ସହ ମିଳାମିଶା କରେ। ଗୀତ ଗାଏ ଆଉ ନାଚେ, ଯେମିତି ଶହେଟି ଝରଣାରେ ମୁଁ ଭିଜି ଭିଜି ନାଚୁଛି । ଧୀରେ ଧୀରେ ଶରୀରରେ ପୂର୍ଣ୍ଣତା ଆସିବାରେ ଲାଗିଲା । ବହୁତ ସମୟପରେ ଏବେ ମୁଁ ନିଜକୁ ଭଲ ପାଇବାରେ ଲାଗିଲି ।

…କ୍ରମଶଃ

ନାଚୁଣୀ …ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟ ଲେଖକ ଭାନୁ ଭାରତୀଙ୍କର ଏକ ଅନବଦ୍ୟ ସୃଷ୍ଟି । ଭାନୁ ଭାରତୀଙ୍କର ଏହି ଲେଖାଟି ହିନ୍ଦୀ ଭାଷାରେ ଲିଖିତ ଏକ ପୁସ୍ତକ ଯାହାକୁ ସଂଗୀତ ଓ ନାଟକ ପ୍ରିୟ ପାଠକ ମାନଙ୍କ ନିକଟରେ ଭାଷାନ୍ତର କରି ଉପସ୍ଥାପିତ କରିଛନ୍ତି ଲେଖିକା ଅଞ୍ଜଳି ଆଚାର୍ଯ୍ୟ । ଏହା ଏକ ଧାରାବାହିକ ଲେଖା। ଅଞ୍ଜଳି ଆଚାର୍ଯ୍ୟଙ୍କର ଏହି ଉଦ୍ୟମ ଓଡ଼ିଆ ଭାଷା ପ୍ରତି ଏକ ବଳିଷ୍ଠ ସହଯୋଗ ବୋଲି କୁହାଯାଇପାରେ ଓ ଏହି ସହଯୋଗ ଓଡ଼ିଶାର ନୃତ୍ୟ ଓ ସଂଗୀତରେ ମଧ୍ୟ ନୂତନ ଚିନ୍ତନକୁ ଉତ୍ସାହିତ କରିବ ବୋଲି ବିଶ୍ୱାସ । ନାଚୁଣୀର ଚରିତ୍ରଟି ଅତି ସାମାନ୍ୟ ଜଣାଯାଉଥିଲେବି ଏକ ଅସାମାନ୍ୟ ନାରୀ ଚରିତ୍ର ଯାହାର ନିଜ ଦେହ ଉପରେ ବି ନିଜର କିଛି ଅଧିକାର ନାହିଁ । ସମାଜରେ ନିନ୍ଦିତ, ଲାଂଛିତ ଏକ ଝିଅ ନାଚୁଣୀ ଯାହାପାଇଁ ଅନ୍ୟର ସହୃଦୟତା, ପରିବାର, ପିଲା ସବୁ ସ୍ଵୋପ୍ନ । ହୁଏତ ଚରିତ୍ରଟିକୁ ଆମେ ସମସ୍ତେ ପଢିବା ଜରୁରୀ , ନାଚୁଣୀର ଅନ୍ତର ବେଦନାକୁ ବୁଝିବା ଜରୁରୀ ଏହି ଉଦ୍ଦେଶ୍ୟରେ ଏଠାରେ ଉପସ୍ଥାପନ କରାଯାଇଛି – ନାଚୁଣୀ। ଭାନୁ ଭାରତୀଙ୍କର ଏହି ମହାନ ନାରୀ ଚରିତ୍ରଟିକୁ ଆପଣମାନଙ୍କ ନିକଟରେ ନୃତ୍ୟାଭିନୀତ ଫୋଟୋ ମାଧ୍ୟମରେ ଉପସ୍ଥାପନ କରିଛନ୍ତି ଓଡିଶୀ ନୃତ୍ୟାଙ୍ଗନା ଭାଗିରଥି ସାହି। କାଠମାଣ୍ଡୁ ନେପାଳରୁ ଆସି ଓଡ଼ିଶାରେ ରହି ସେ ଓଡିଶୀ ଗବେଷଣା କେନ୍ଦ୍ରରୁ ନୃତ୍ୟ ଶିକ୍ଷା ଗ୍ରହଣ କରିବା ସହିତ ବିଶ୍ଵର ବିଭିର୍ନ୍ନ ଦେଶରେ ଯାଇ ନିଜ କଳାକାରୀତା ପ୍ରଦର୍ଶନ କରିଛନ୍ତି। ଭାଗିରଥି ସାହିଙ୍କର ଏହି ଅକୁଣ୍ଠ ସହଯୋଗ ପାଇଁ ସମଧ୍ୱନି ବିଶେଷ ଭାବରେ ଉପକୃତ । – ସମ୍ପାଦକ

About ଅଞ୍ଜଳୀ ଆଚାର୍ଯ୍ୟ

ଅଞ୍ଜଳୀ ଆଚାର୍ଯ୍ୟ
ଲେଖିକା

Check Also

ନାଚୁଣୀ (ମୂଳ ଲେଖା-ଭାନୁ ଭାରତୀ)

ତା ପରେ ମୁଁ ସେଇ ଛୋଟ ପିଲାଟିକୁ ଚିହ୍ନିନଥିବା ଜଣେ ସ୍ତ୍ରୀ ଲୋକ ହାତରେ ଦେଇ ଚାଲିଆସିଲି । ତା …

Leave a Reply

Your email address will not be published. Required fields are marked *