Home / ସମ୍ପାଦକୀୟ / ନାଚୁଣୀ (ମୂଳ ଲେଖା-ଭାନୁ ଭାରତୀ)

ନାଚୁଣୀ (ମୂଳ ଲେଖା-ଭାନୁ ଭାରତୀ)

9

ନାଚୁଣୀ …ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟ ଲେଖକ ଭାନୁ ଭାରତୀଙ୍କର ଏକ ଅନବଦ୍ୟ ସୃଷ୍ଟି । ଭାନୁ ଭାରତୀଙ୍କର ଏହି ଲେଖାଟି ହିନ୍ଦୀ ଭାଷାରେ ଲିଖିତ ଏକ ପୁସ୍ତକ ଯାହାକୁ ସଂଗୀତ ଓ ନାଟକ ପ୍ରିୟ ପାଠକ ମାନଙ୍କ ନିକଟରେ ଭାଷାନ୍ତର କରି ଉପସ୍ଥାପିତ କରିଛନ୍ତି ଲେଖିକା ଅଞ୍ଜଳି ଆଚାର୍ଯ୍ୟ । ଏହା ଏକ ଧାରାବାହିକ ଲେଖା। ଅଞ୍ଜଳି ଆଚାର୍ଯ୍ୟଙ୍କର ଏହି ଉଦ୍ୟମ ଓଡ଼ିଆ ଭାଷା ପ୍ରତି ଏକ ବଳିଷ୍ଠ ସହଯୋଗ ବୋଲି କୁହାଯାଇପାରେ ଓ ଏହି ସହଯୋଗ ଓଡ଼ିଶାର ନୃତ୍ୟ ଓ ସଂଗୀତରେ ମଧ୍ୟ ନୂତନ ଚିନ୍ତନକୁ ଉତ୍ସାହିତ କରିବ ବୋଲି ବିଶ୍ୱାସ । ନାଚୁଣୀର ଚରିତ୍ରଟି ଅତି ସାମାନ୍ୟ ଜଣାଯାଉଥିଲେବି ଏକ ଅସାମାନ୍ୟ ନାରୀ ଚରିତ୍ର ଯାହାର ନିଜ ଦେହ ଉପରେ ବି ନିଜର କିଛି ଅଧିକାର ନାହିଁ । ସମାଜରେ ନିନ୍ଦିତ, ଲାଂଛିତ ଏକ ଝିଅ ନାଚୁଣୀ ଯାହାପାଇଁ ଅନ୍ୟର ସହୃଦୟତା, ପରିବାର, ପିଲା ସବୁ ସ୍ଵୋପ୍ନ । ହୁଏତ ଚରିତ୍ରଟିକୁ ଆମେ ସମସ୍ତେ ପଢିବା ଜରୁରୀ , ନାଚୁଣୀର ଅନ୍ତର ବେଦନା କୁ ବୁଝିବା ଜରୁରୀ ଏହି ଉଦ୍ଦେଶ୍ୟରେ ଏଠାରେ ଉପସ୍ଥାପନ କରାଯାଇଛି – ନାଚୁଣୀ। ଭାନୁ ଭାରତୀଙ୍କର ଏହି ମହାନ ନାରୀ ଚରିତ୍ରଟିକୁ ଆପଣମାନଙ୍କ ନିକଟରେ ନୃତ୍ୟାଭିନୀତ ଫୋଟୋ ମାଧ୍ୟମରେ ଉପସ୍ଥାପନ କରିଛନ୍ତି ଓଡିଶୀ ନୃତ୍ୟାଙ୍ଗନା ଭାଗିରଥି ସାହି। କାଠମାଣ୍ଡୁ ନେପାଳରୁ ଆସି ଓଡ଼ିଶାରେ ରହି ସେ ଓଡିଶୀ ଗବେଷଣା କେନ୍ଦ୍ରରୁ ନୃତ୍ୟ ଶିକ୍ଷା ଗ୍ରହଣ କରିବା ସହିତ ବିଶ୍ଵର ବିଭିର୍ନ୍ନ ଦେଶରେ ଯାଇ ନିଜ କଳାକାରୀତା ପ୍ରଦର୍ଶନ କରିଛନ୍ତି । ଭାଗିରଥି ସାହିଙ୍କର ଏହି ଅକୁଣ୍ଠ ସହଯୋଗ ପାଇଁ ସମଧ୍ୱନି ବିଶେଷ ଭାବରେ ଉପକୃତ । – ସମ୍ପାଦକ

ଘରକୁ ପହଞ୍ଚିଲି ଦେଖିଲି ସେଠି ମୃତ୍ୟୁର କରାଳ ଛାୟା ପରି ଶୁନ୍ ପରିବେଶ । ଛାତି ଥରିଉଠିଲା, ମୁଁ ଦରଜା ଠେଲି ଭିତରକୁ ଗଲି, ମୋ ବର ମଦନିଶାରେ ତଳେ ପଡ଼ି ରହିଥିଲା । ତୁ ସେଠି କୁଆଡ଼େ ନ ଥିଲୁ । ସେ ସ୍ତ୍ରୀ ଲୋକଟିବି ନ ଥିଲା । ଯାହାକୁ ସେ ନିଜ ଭଉଣୀ କହି ଆଣିଥିଲା ଆଉ ମୁଁ ତାକୁ ତତେ ଧରେଇ ଦେଇ ଚାଲିଆସିଥିଲି ନାଚିବା ପାଇଁ । ମୋର ତ ଛାତି ଯୋରରେ ଥରିଲା ।

ନାଚଣୀ – ମୋ ପାଲା କାହିଁ? କେଉଁଠି ଅଛି ମୋ ପିଲା, ଆଉ ଯେଉଁ ଡାହାଣୀକୁ ତୁ ଆଣଇଥିଲୁ ସେ କୁଆଡ଼େ ଗଲା?

ଲୋକ – (ନିଶା ଓହ୍ଲେଇ ନ ଥିଲା) : ଆରେ ତୁ?

ନାଚୁଣୀ – ହଁ ମୁଁ କୁଆଡ଼େ ଗଲା ମୋ ଝିଅ? କ’ଣ କଲୁ କହ କମିନା?

ନାଚୁଣୀ- କ’ଣ କହିଲୁ? ମୁଁ ରକ୍ତ ପଇଯିବି ତୋ’ର । ସତ କଥା କହ । ସେ କୁଆଡ଼େ ଗଲା?

ଲୋକ – ଭଗବାନଙ୍କ ରାଣ ସେ ମରିଗଲା । କାଲି ତାକୁ ନଦୀରେ ପକେଇ ଆସିିଲି ।

(ନାଚୁଣୀ ତା’ର ଗଳା ଚିପେ, କପୁର ଆଗେ ଆସେ)

କପୁର – ଆରେ କ’ଣ କରୁଛ ଛାଡ଼ ତାକୁ?

ନାଚୁଣୀ – ଇଏ ମୋ ପିଲାକୁ ବିକ୍ରି କରିଦେଇଛି କପୁର ସାହେବ । ନିଜ ନିଶା ପାଇଁ ମୋ ଝିଅକୁ ବିକ୍ରି କରିଦେଇଛି । ଛାଡ଼ିବି ନାହିଁ ଏହି କମିନା ଲୋକଟାକୁ ।

କପୁର – ପାଗଳ ହୁଅ ନାହିଁ । ତୁ ଚାଲ ମୋ ସହିତ । ମୁଁ ତାକୁ ଖୋଜିବି । ଆ… ଚାଲ୍ …(ନାଚୁଣି ମଞ୍ଚର ତଳକୁ ଆସେ ଆଉ)

ନାଚୁଣୀ – କପୁର ସାହେବ ସେଇ ଟାଙ୍ଗାରେ ମତେ ଆଣି ଆସିଲେ । ମୁଁ କିନ୍ତୁ ପଥର ହୋଇ ଯାଇଥିଲି ଝିଅ । ନା ଖାଉଥିଲି ନା ପିଉଥିଲି । ନା କାହା ସହିତ କଥା ହେଉଥିଲି । କେବଳ ଗୁମ୍ ସୁମ୍ ଗୋଟିଏ କୋଣରେ ବସି ରହୁଥିଲି । କପୁର ସାହେବ ମୋ ମୁଣ୍ଡରେ ହାତ ବୁଲାନ୍ତି । କେତେ କଥା ବୁଝାନ୍ତି । ମତେ କିନ୍ତୁ କିଛି ଶୁଣାଯାଏ ନି । ଗୋଟିଏ ଦିନ ରାତିରେ କହ୍ନୈୟା ଆସି ମୋ ପାଖରେ ବସିଲା । ସେ ପଗଡ଼ି ମାରିଥିଲା । ସେ ଢୋଲ ବଜେଇବାରେ ଲାଗିଲା । ମୋ କାନରେ ବହୁଦିନ ପରେ ଶୁଣାଗଲା ନାଚ କିସୁକି ନାଚ । ଆଉ ମୁଁ ଉଠି ନାଚିବାରେ ଲାଗିଲି । ମୁଁ ନାଚୁ ଥିଲି ଆଉ ତୁ ଦେଖାଯାଉଥିଲୁ । ତୁ ବହୁତ ଦୂର ଅନ୍ଧାର ସେ ପାଖରେ ଚମକୁଥିଲୁ । ମୁଁ ତୋ ଆଡ଼କୁ ବଢ଼ିଲି । ଅନ୍ଧାରଟା ଯେମିତି ମୋ ଶରୀରରେ ମିଶି ଯାଉଛି । ନିଜକୁ ତା’ଠାରୁ ଛଡ଼େଇଲି । ମୁଁ ତତେ ଆଣିବା ପାଇଁ ହାତ ବଢ଼େଇଲି । ମୋର ନିଶ୍ୱାସ ବନ୍ଦ ହୋଇଗଲା ଆଉ ମୁଁ ତଳେ ଧଡ଼ାମ୍ କି ପଡ଼ିଗଲି ।

ସକାଳେ ଶୋଇକି ଉଠିଲା ପରେ ମନ ବହୁତ ଶାନ୍ତ ଆଉ ହାଲୁକା ଲାଗିଲା । ବାହାରକୁ ଆସିଲି ତ ଦେଖିଲି ଚାଣିଆଡ଼େ ଧୋଇ ହୋଇ ପବିତ୍ର ଲାଗୁଛି । ସେ ଯାଦୁ ଭଳି ପ୍ରେମବନ୍ଧନରୁ ମୁଁ ଯାଇ ଆମ୍ବଗଛ ତଳେ ବସିଲି ।

ମୋର ଏସବୁ ଭାବନା ଭାଙ୍ଗିଲା ଯେବେ କପୁର ସାହେବ ଆସି ଚା କପ୍ ଆଣି ମୋ ପାଖରେ ବସିଲେ । ସେ ଚା ପସନ୍ଦ କରୁଥିଲେ । ନିଜେ ଚା ତିଆରି କରନ୍ତି ଆଉ ବହୁତ ଆଗ୍ରହରେ ରୂପାର ବାସନରେ ପିଅନ୍ତି । ସେ ଚା ତିଆରି କରି ମୋ ଆଡ଼େ ବଢ଼େଇ ଦେଇ କହିଲେ, ଚା ପିଅ । ସେଇ ଚା ହାତରେ ଧରି ମୁଁ କପୁର ସାହେବଙ୍କୁ ଗୋଟିଏ ଲୟରେ ଦେଖୁଥିଲି । ସେ ଯେତେବେଳେ ପଚାରିଲେ ଏମିତି କ’ଣ ଦେଖୁଛ?  ଚା କ’ଣ ପାଇଁ ପିଉନ? ମୁଁ ତାଚ୍ଛଲ୍ୟରେ ହସିଦେଲି । ମୁଁ ଚା ପିଇଲେ ଏଇ ବାସନ ଖରାପ ହୋଇଯିବନି ।

କପୁର – ଏଇ କଥାରେ ମୁଁ ବିଶ୍ୱାସ କରେ ନା ଛୁଆଁ ଅଛୁଆଁ । ଚା ପିଉ ପିଉ ମୁଁ ନାଚିବାରେ ଲାଗିଲି । ଆମେ ସ୍ତ୍ରୀ ଲୋକ ମାନେ ବି ଭାରି ଅଜବ । ଯଦି ଜଣେ ପୁରୁଷ ଟିକେ ଭଲରେ କଥା ହେଲା ତେବେ ବିଗଳିତ ହୋଇଯାଉଁ । ଥରଟିଏ ବିଗଳିତ ହୋଇଗଲେ ବହିବାରେ ଲାଗିଯାଉଁ ପାହଡ଼ରୁ ଠେଲି ଦେଲେ ନଦୀପରି ବହିଯାଉ ପୁଣି ସେ ପୁରୁଷ ଯେମିତି ହୋଇଥାଉ । ତା’ର ହଜାରେ ଲାଞ୍ଛନା ସହୁ । ନଜରରୁ କିନ୍ତୁ ତାକୁ ଦୂର କରୁନା । ସେ ଲାତ ମାରି ତଡ଼ି ଦେଉ ସେ ଅଲଗା କଥା । କାହିଁକି ଆମେ ଏମିତି?

କପୁର-କ’ଣ ବିଚାର କରୁଛ କିସୁକିବାଈ ।

ନାଚୁଣୀ – କିଛି ତ ନାହିଁ କପୁର ସାହେବ – ନିଜ ଭାଗ୍ୟ କଥା ଭାବୁଛି । କହି ମୁଁ ସେଠୁ ଉଠିପଡ଼ିଲି । କିନ୍ତୁ ଝିଅ -ଉଠିଲା ପରେ ନିଜକୁ କ’ଣ ମୁଁ ରୋକି ପାରିଲି? ସେଇ ଖୁଣ୍ଟିଟିବି ଏବେ ପର୍ଯ୍ୟନ୍ତ ପୋତା ହୋଇ ରହିଯାଇଛି ହୃଦୟରେ । କପୁର ଲୋକଟା ନିଜେ ଭଲ । ତାଙ୍କର ଜିଦି କିନ୍ତୁ କମ୍ ନଥିଲା । ତାଙ୍କର ପଇସାର ସବୁବେଳେ ସଂକଟ ଲାଗି ରହିଥିଲା । କଂପାନୀ କରଜରେ ଡୁବି ଯାଉଥିଲା । ସେ କିନ୍ତୁ ବଦଳିବା ପାଇଁ ଚାହୁଁନଥିଲେ । କହୁଥିଲେ ଲୋକଙ୍କୁ ଭଲ ନାଟକର ଦରକାର ନାହିଁ, ତେବେ ମତେ ବି ଲୋକଙ୍କର ଦରକାର ନାହିଁ । ମୁଁ ହସିକି କୁହେ ରସି ଜଳି ଗଲାଣି, ବଳ ଯାଉନି ।

About ଅଞ୍ଜଳୀ ଆଚାର୍ଯ୍ୟ

ଅଞ୍ଜଳୀ ଆଚାର୍ଯ୍ୟ
ଲେଖିକା

Check Also

ମୋ ପାଇଁ ଅପେକ୍ଷା କର (ଶ୍ରଦ୍ଧାଞ୍ଜଳି ଇରଫାନ)

(ଫୋଟୋ କ୍ରେଡିଟ – ପୁରୁଷୋତ୍ତମ ସିଂ ଠାକୁର) ମୋ ପାଇଁ ଅପେକ୍ଷା କର , ଏହା ଥିଲା ତୁମର ଅଙ୍ଗରେଜି …

Leave a Reply

Your email address will not be published. Required fields are marked *