Home / ଅନ୍ୟାନ୍ୟ / ନାରୀ / ନଟି ବିନୋଦିନୀଙ୍କର ଜୀବନ କଥା(୪)

ନଟି ବିନୋଦିନୀଙ୍କର ଜୀବନ କଥା(୪)

ବିନୋଦିନୀଙ୍କର ‘ଅବସର’ ସମ୍ପର୍କରେ ଇତିହାସ ପ୍ରାୟ ନିରବ । ଗିରିଶଚନ୍ଦ୍ର, ଅମୃତଲାଲ, ଅର୍ଧେନ୍ଦୁଶେଖର, ଅମରେଶଚନ୍ଦ୍ର ପ୍ରମୁଖ ନାଟ୍ୟଜଗତର ପ୍ରଧାନ ପୁରୁଷମାନେ ଏଇ ବିଷୟରେ ମୌନ ରହିବାଟା ଶ୍ରେୟ ମନେକରିଛନ୍ତି । ଯାହା ହେଉ, ଗୁରୁତ୍ୱ ଦେଲେ ଗିରିଶଚନ୍ଦ୍ରଙ୍କର କଥା ପ୍ରଥମେ ଆସେ । ‘ଆମାର କଥା’ର ଭୂମିକାରେ ‘ଅନେକ ସତ୍ୟ ଘଟଣାର ଉଲ୍ଲେଖ ନଥିଲା’ କହିଛନ୍ତି ବିନୋଦିନୀ । ପୁଣି ‘ସତ୍ୟ ଅପ୍ରିୟ ଓ କଟୁ’ ହେଲେ ତା’ର ଉଲ୍ଲେଖ ଅଭିପ୍ରେତ ନୁହେଁ, ଏଭଳି ମତ ବି ପ୍ରକାଶ କରିଛନ୍ତି ଗିରିଶଚନ୍ଦ୍ର । ନୂଆ ଥିଏଟର ନିର୍ମାଣରେ ଅଗ୍ରଣୀ ଭୂମିକା ଗ୍ରହଣ କଲେ ବି ବିନୋଦିନୀଙ୍କର ନାଁ ଛାଡ଼ି କାହିଁକି ‘ଷ୍ଟାର’ ରଖାହେଲା ତା’ର କୌଣସି ବ୍ୟାଖ୍ୟା ରମେଶଚନ୍ଦ୍ରଙ୍କର ଭୂମିକାରେ ନାହିଁ । ତା’ହେଲେ କ’ଣ ଧରିନେଲେ ଭୁଲ୍ ହେବ ଯେ, ‘ସତ୍ୟ ଅପ୍ରିୟ ଓ କଟୁ’ ବୋଲି ଗିରିଶଚନ୍ଦ୍ର ତାହା ପରିହାର କରିଛନ୍ତି? ବିନୋଦିନୀ ବାରାଙ୍ଗନା ଏଇ ସତ୍ୟ ସାର ସତ୍ୟ ହୋଇଥିବାରୁ ବିନୋଦିନୀଙ୍କର ନାଁ ବାଦ ଦିଆଯାଇଛି । ଅର୍ଥାତ କାମ ହେବା ପର୍ଯ୍ୟନ୍ତ ତାଙ୍କୁ ବ୍ୟବହାର କରି ତାଙ୍କୁ ପ୍ରବଞ୍ଚନା କରାଯାଇଛି । ଏହାହିଁ ଏଇ ଘଟଣାର ଶେଷକଥା। ରାମକୃଷ୍ଣ ବିବେକାନନ୍ଦଙ୍କର ସ୍ନେହ ସ୍ନାତ ମଣିଷଟି ନାମବିଲୋପର ଏଇ ଷଡ଼ଯନ୍ତ୍ର କେମିତି ନୀରବରେ ସହିଗଲେ ତାହା ବୁଝିବା କଠିନ ।

ଗୁର୍ମୁଖ ରାୟ ବିନୋଦିନୀଙ୍କୁ ସ୍ୱତ୍ୱ ଦାନ କରିବାକୁ ଚାହିଁଥିଲେ, ଗିରିଶଚନ୍ଦ୍ର ଭିନ୍ନ ଭୂମିକା ଗ୍ରହଣ କଲେ । ବିନୋଦିନୀ ବା ତାଙ୍କ ମା କାଳେ ଅଧା ସ୍ୱତ୍ୱ ନେଇଯିବେ (ବା ନପାନ୍ତୁ) ସେଥିପାଇଁ ତାଙ୍କ ମାଁ’ଙ୍କୁ ପ୍ରବାହିତ କରିଥିଲେ । ସେ ଜାଣିଥିଲେ ବିନୋଦିନୀଙ୍କ ମାଁ ତାଙ୍କୁ ଅତ୍ୟନ୍ତ ଶ୍ରଦ୍ଧା କରୁଥିଲେ, ତାଙ୍କ କଥା କେବେ ଅମାନ୍ୟ କରିପାରିବେ ନାହିଁ । ଏହାର କୌଣସି ଯୁକ୍ତିଯୁକ୍ତ ବ୍ୟାଖ୍ୟା ନାହିଁ । ଥିଏଟର ନିର୍ମାଣରେ ବିନୋଦିନୀଙ୍କର ଐତିହାସିକ ଅବଦାନକୁ ଅସ୍ୱୀକାର କରିବାର ନୀଚ୍ଚତା କାହିଁକି ଗିରିଶଚନ୍ଦ୍ରଙ୍କୁ ଗ୍ରାସ କଲା ତାହା ବି ଏକ ରହସ୍ୟ ।

ଗୁର୍ମୁଖ ରାୟ ସ୍ୱତ୍ୱ ହସ୍ତାନ୍ତର କରିବା ପରେ ଷ୍ଟାରର ମାଲିକ ହୁଅନ୍ତି ଅମୃତଲାଲ ବସୁ, ଅମୃତଲାଲ ମିତ୍ର, ହରିପ୍ରସାଦ ବସୁ ଓ ଦାସୁଚରଣ ନିୟୋଗୀ, ମ୍ୟାନେଜର ଗିରିଶଚନ୍ଦ୍ର ଘୋଷ । ଅର୍ଥାତ ଘୋଷ-ବୋଷ-ମିତ୍ରମାନଙ୍କର ଏଇ ସମାବେଶରେ ‘ପତିତା’ ବିନୋଦିନୀ କେମିତି ସ୍ଥାନ ପାଇବେ? ବିନୋଦିନୀ ସ୍ୱତ୍ୱାଧିକାରୀ ହେଲେ ସେ ବି ଜଣେ ମାଲିକ ହୋଇଥାନ୍ତେ । ଏଇଟା ନିଶ୍ଚୟ ମାନିବା ସହଜ ନୁହେଁ ।

ତେବେ ହେମେନ୍ଦ୍ରନାଥ ଦାଶଗୁପ୍ତଙ୍କର ଭାରତୀୟ ନାଟ୍ୟମ (୨ୟ ଖଣ୍ଡ) ଗ୍ରନ୍ଥରେ ଘଟଣାଟି ଅନ୍ୟରକମ ଉଲ୍ଲେଖ ଦେଖାଯାଏ । ବିଶ୍ୱମଣ୍ଡଳ ନାଟକରେ ଚିନ୍ତାମଣି ଭୂମିକା ଅଭିନୟ ପରେ ‘… ବିନୋଦିନୀଙ୍କର କିଛି କିଛି ବିଷୟରେ ଅଭିମାନ ଗିରିଶଚନ୍ଦ୍ରଙ୍କୁ ବି ଉତ୍ୟକ୍ତ କରିଦେଉଥିଲା ।’କିଛି ବିବାଦୀୟ ଭୂମିକା ଯୋଗୁଁ ବିନୋଦିନୀଙ୍କ କ୍ଷୋଭ ଓ ଅଭିମାନ ବଢ଼ିଲା । ସେ ଭାବିଲେ ଗିରିଶଚନ୍ଦ୍ର ଜାଣିଶୁଣି ତାଙ୍କ ଭୂମିକାରୂପ ଏଭଳି କରିଛନ୍ତି । ଅଭିମାନ କରି ବିନୋଦିନୀ ଥିଏଟର ଛାଡ଼ିଦେଲେ । … ଗିରିଶଚନ୍ଦ୍ର ଆଗରୁ ହିଁ ବିନୋଦିନୀଙ୍କର ମନଭାବ ବୁଝିପାରିଥିଲେ ଭିତରେ ଭିତରେ କିରଣମାଳା ଓ ଅନ୍ୟ ଅଭିନେତ୍ରୀଙ୍କୁ ତାଙ୍କର ଭୂମିକା ଗୁଡ଼ିକ ଦେବାପାଇଁ ରଖିଥିଲେ । ସୁତରାଂ ରଙ୍ଗମଞ୍ଚ ପକ୍ଷରେ ବିନୋଦିନୀଙ୍କର ଅଭାବ ଅପୂର୍ଣ୍ଣ ରହିଲେ ବି ଷ୍ଟାର ଥିଏଟର ଚଳିବା ପାଇଁ କୃତପକ୍ଷଙ୍କର ଆଉ ଅସୁବିଧା ହେଲାନି ।…ମନ୍ତବ୍ୟ ସେ ନିଷ୍ପ୍ରୟୋଜନ ।

ତାଙ୍କ ଜୀବନର ପ୍ରଥମ ପ୍ରେମ ଥିଏଟର ତ୍ୟାଗ କରିବା ପରେ ବିନୋଦିନୀ ୫୫ବର୍ଷ ବଞ୍ôଚଥିଲେ । ପ୍ରିୟତମ କନ୍ୟା ଶକୁନ୍ତଳା ଓ ତାଙ୍କର ଆଶ୍ରୟଦାତାକୁ ଅବଲମ୍ବନ କରି ଚାଲିଥିଲା ତାଙ୍କ ଜୀବନ । କିନ୍ତୁ ୧୯୦୩ମସିହାରେ ୧୩ବର୍ଷ ବୟସର କନ୍ୟା ଓ ୧୯୧୨ମସିହାରେ ପରମ ସଦାଶୟ ଆଶ୍ରୟଦାତାର ମୃତ୍ୟୁ ତାଙ୍କର ଚଲାପଥକୁ ବେଦନା-ବିଧୁର କରିଦିଏ । ତାଙ୍କର ବିଶେଷ ସାମାଜିକ ଅବସ୍ଥାନ ପାଇଁ ଝିଅକୁ ବିଦ୍ୟାଳୟରେ ପଠେଇ ନପାରିବାର ମର୍ମବେଦନା ତାଙ୍କୁ ବୋହିବାକୁ ପଡ଼ିଛି ସାରା ଜୀବନ । ଏ ବ୍ୟାପାରରେ ବିନୋଦିନୀଙ୍କର ବନ୍ଧୁସ୍ଥାନୀୟ ପର୍ଯ୍ୟନ୍ତ ତାଙ୍କୁ ସାହାଯ୍ୟ ନକରି ବାଧା ଦେଇଛନ୍ତି । ଏ ମାନସିକ ଯନ୍ତ୍ରଣା ତାଙ୍କୁ ଆହୁରି ବେଶୀ ପୀଡ଼ା ଦେଇଛି ଏବଂ ‘ଆମାର କଥା’ରେ ବି ତାହାର ଉଲ୍ଲେଖ ଅଛି । ଗିରିଶଚନ୍ଦ୍ର ଏଇ ଉଲ୍ଲେଖକୁ ‘କଟାକ୍ଷ’ କରି କହିଛନ୍ତି ଏବଂ ତାଙ୍କର ‘ଭୂମିକା’ରେ ଏହାର ସମାଲୋଚନା କରିଛନ୍ତି । ବିନୋଦିନୀ କ’ଣ ଏ ପ୍ରଶ୍ନରେ ତାଙ୍କ ପାଖରୁ ଟିକେ ଉଦାର ମନୋଭାବନା ପ୍ରତ୍ୟାଶା କରିପାରି ନଥାନ୍ତେ? ଗିରିଶଚନ୍ଦ୍ର ଅବଶ୍ୟ ଏଇ ଘଟଣାକୁ ଶୁଣା ଘଟଣା (ଶୁଣିଥିଲି) ବୋଲି ବର୍ଣ୍ଣନା କରିଛନ୍ତି।

ଥିଏଟର ସହିତ ସମ୍ପର୍କ ଛେଦର ୧୬ବର୍ଷ ପରେ ‘ଆମାର କଥା’ ପ୍ରକାଶିତ ହୁଏ । ଏଇ ଆତ୍ମଚରିତର ମୁଖ୍ୟ ଆକର୍ଷଣ ବିନୋଦିନୀଙ୍କର ଅକପଟ ଆତ୍ମ-ଉନ୍ମୋଚନ । ଅଜସ୍ର ପ୍ରତିକୁଳତାର ମୁହାଁ ମୁହିଁ ହୋଇ ବି ନିଜକୁ ପ୍ରତିପାଦିତ କରିବା ବିଷୟରେ ତାଙ୍କର ମାନସିକ ଦୃଢ଼ତାର ତୁଳନା ନାହିଁ । ଦେହ ବ୍ୟବସାୟକୁ କୁହାଯାଏ ଆଦିମ ବ୍ୟବସାୟ । ବିନୋଦିନୀ ସେଇ ସମ୍ପର୍କରେ ସାହସର ସହ ପ୍ରଶ୍ନ ଉଠେଇଛନ୍ତି । ଶହେ ବର୍ଷ ତଳେ ଲେଖା ଏଇ ଆତ୍ମଚରିତ ଏବେବି ପାଠ୍ୟ ଏବଂ ପ୍ରାସଙ୍ଗିକ ।

ଏଇ ପ୍ରତିବେଦନ ପାଠ କରି ପାଠକ ଯଦି ‘ଆମାର କଥା’ ସମ୍ପର୍କରେ ଆଗ୍ରହୀ ହୁଅନ୍ତି ତା’ହେଲେ ତାହା ହିଁ ମୋର ପାଉଣା ।

ଇତିହାସରେ ଏମିତି କିଛି ଅନନ୍ୟ ଚରିତ୍ର ଅଛନ୍ତି ଯାହାଙ୍କୁ ସେ ସମୟର ସମାଜ କମ୍ ବୁଝିଛି । ନିଜ ଅଜାଣତରେ ସେମାନେ ନିଜର ପ୍ରତିଭା ମାଧ୍ୟମରେ ସମାଜରେ କିଛି ଧାରା ସୃଷ୍ଟି କରି ଚାଲିଯାଇଥାନ୍ତି । ବଙ୍ଗଳାର ନାଟ୍ୟ ଇତିହାସରେ ଏକଦା ଚହଳ ପକାଇ ଦର୍ଶକମାନଙ୍କର ହୃଦୟ ଜିଣିଥିବା ‘ବିନୋଦିନୀ’ ସେଭଳି ଏକ ଚରିତ୍ର । ତାଙ୍କ  ଅଭିନୟ ଦେଖି ବିମୋହିତ ହେଉଥିବା ଦର୍ଶକମାନେ ହୁଏତ ବହୁତ କମ୍ ଜାଣିଥିବେ ବିନୋଦିନୀଙ୍କର ବ୍ୟକ୍ତିଗତ ଜୀବନର ସଂଘର୍ଷମୟ ଦିଗଗୁଡ଼ିକ । ତାଙ୍କ ଜୀବନ କାହାଣୀର ପ୍ରତିଟି ପାଖୁଡ଼ାରେ ସତେଯେମିତି ଭରିରହିଛି ନିଜକୁ ଅସହାୟ ମନେକରୁଥିବା ନାରୀ ସମାଜ ପାଇଁ ଅଜସ୍ର ଆଶା ଓ ସମ୍ଭାବନା । ଆମେ ତାଙ୍କୁ ଜଣେ ବନ୍ଧୁଙ୍କ ସୌଜନ୍ୟରୁ ଜାଣିବାର ଓ ବୁଝିବାର ସୁଯୋଗଟିଏ ପାଇଲୁ । ସେଇ ବୁଝାମଣାଟି ପାଠକମାନଙ୍କ ଭିତରେ ବାଣ୍ଟିବା ପାଇଁ ଆଉ ଜଣେ ବନ୍ଧୁଙ୍କର ସହଯୋଗ ନେଲୁ । ଉଭୟଙ୍କ ନିକଟରେ ଆମେ କୃତଜ୍ଞ । ନଟୀ ବିନୋଦିନୀ ନାମରେ ପରିଚିତ ଏହି ମହାନ କଳାକାରଙ୍କୁ ଆମେ ଜଣେ ନାରୀ ହିସାବରେ ଉପସ୍ଥାପନ କରିବାପାଇଁ ଚାହୁଁନୁ । ତାଙ୍କର ଜୀବନ କାହାଣୀ ପ୍ରତିଟି ମଣିଷ ପାଇଁ ପ୍ରେରଣା ଯୋଗାଇବ ଏହା ହିଁ ଆମର ଆଶା ।    – ସମ୍ପାଦକ

photo credit- https://bit.ly/3kXycO6

About ସମିଧା ବେଦବାଳା

ସମିଧା ବେଦବାଳା
ସୀତାରର କଳାକାର, ଅଧ୍ୟାପିକା (ସଙ୍ଗୀତ ବିଭାଗ, ସିକିମ୍ ବିଶ୍ୱବିଦ୍ୟାଳୟ)

Check Also

ମୋ କଥା ଓ ଅନ୍ୟାନ୍ୟ ରଚନା (3)

ଅଧିନାର ନିବେଦନ ମୋର ଗୁରୁ ସ୍ଵର୍ଗତଃ ଗିରିଶଚନ୍ଦ୍ର ଘୋଷ ମହାଶୟଙ୍କର ଅନୁରୋଧରେ ଏଇ ଆତ୍ମକାହାଣୀ ଲେଖି ଯେତେବେଳେ ତାଙ୍କୁ ଦେଖେଇଥିଲି, …

Leave a Reply

Your email address will not be published. Required fields are marked *