Home / ବ୍ୟକ୍ତି ଓ ବ୍ୟକ୍ତିତ୍ୱ / ଅଭିଭାଷଣ /  ଜେ. ଏନ୍. ୟୁର ଶେଷ ଦୀକ୍ଷାନ୍ତ ଭାଷଣ

 ଜେ. ଏନ୍. ୟୁର ଶେଷ ଦୀକ୍ଷାନ୍ତ ଭାଷଣ

ବଲରାଜ ସାହାନୀ ଜେ. ଏନ୍. ୟୁରେ ଯେଉଁ ଶେଷ ଭାଷଣ ଦେଇଥିଲେ ତାହାର ଓଡିଆ ଅନୁବାଦ କରିଛନ୍ତି ପ୍ରଫେସର ବୀରେନ୍ଦ୍ର ନାୟକ

ଉଲ୍ଲେଖଯୋଗ୍ୟ ଯେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେ ଏନ ୟୁ)ରେ ସମାବର୍ତ୍ତନ ଉତ୍ସବ ହୁଏ ନାହିଁ । ୧୯୭୨ ମସିହାରେ ଶେଷ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଥିଲା ଓ ଏହି ଉତ୍ସବରେ ଅତିଥି ଥିଲେ ଖ୍ୟାତନାମା ଅଭିନେତା ବଲରାଜ ସାହନୀ । କାହିଁକି ସେହି ଦିନଠାରୁ ସମାବର୍ତ୍ତନ ଉତ୍ସବ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ବନ୍ଦ ହୋଇଯାଇଛି, ତାହାର କାରଣ ଦର୍ଶାଇ ଏକଦା ଏହି ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଓ ସଂପ୍ରତି ବିଶ୍ୱବିଦ୍ୟାଳୟର ବରିଷ୍ଠ ପ୍ରଫେସର ଆନନ୍ଦ କୁମାର କୁହନ୍ତି , “ଆଦ୍ୟ ସତୁରି ଦଶକରେ, ସେ ଦିନମାନଙ୍କରେ, ସମାବର୍ତ୍ତନ ଉତ୍ସବକୁ ବହୁ ଛାତ୍ର ସାଧାରଣତଃ ଶିକ୍ଷାନୀତି ବିରୋଧରେ ପ୍ରତିବାଦ କରିବାର ଏକ ଅବସର ଭାବେ ବ୍ୟବହାର କରୁଥିଲେ ।

ଏହି ଅବସରରେ ସେମାନେ ନିଜର ଡିଗ୍ରିକୁ ପୋଡୁଥିଲେ, ଉତ୍ସବକୁ ବାସନ୍ଦ କରୁଥିଲେ xxx ତେବେ ସେହିବର୍ଷ ଆମର ମତ ଥିଲା ଯେ ଏହା ଆତ୍ମସମୀକ୍ଷାର ବେଳ, କୌଣସି ମନ୍ତ୍ରୀଙ୍କୁ ଗ୍ଲାମରାଇଜ କରିବାର ସମୟ ନୁହେଁ, ଯେଉଁ ମାନେ ସାଧାରଣତଃ ଏହି ପରି ଉତ୍ସବକୁ ଅତିଥି ହୋଇ ଆସିଥାନ୍ତି । କୁଳପତି ଆମକୁ ପ୍ରତିଶୃତି ଦେଲେ ଯେକୌଣସି ଅତିଥିଙ୍କୁ ନିମନ୍ତ୍ରଣ କରାଯିବ ନାହିଁ । କିନ୍ତୁ ଜଣାଗଲା ଯେ ସମ୍ମାନିତ ଅତିଥି ହେଉଛନ୍ତି ଅଭିନେତା ବଲରାଜ ସାହନୀ ।

ଆମେ ସମସ୍ତେ କୁଳପତିଙ୍କୁ କହିଲୁ ଯେ ଯଦି ସମ୍ମାନିତ ଅତିଥି ଭାଷଣ ଦେବେ ତାହାଲେ ଛାତ୍ରସଂସଦର ସଭାପତି ମଧ୍ୟ ଭାଷଣ ଦେବାପାଇଁ ହକଦାର । xxxxxx ଆପୋଷ ଆଲୋଚନା ପରେ ସେମାନେ ରାଜି ହେଲେ ଯେ ସଭାପତିଙ୍କର ଅଭିଭାଷଣଟି ଛାତ୍ରମାନଙ୍କର ଡିନଂକ ଅନୁମୋଦନ ଲାଭ କରିବାକୁ ହେବ  ଏବଂ ଏହା ହେଲା ମଧ୍ୟ । କିନ୍ତୁ ରାତିଅଧରେ ଆମେ ଅଭିଭାଷଣଟିକୁ ବଦଳାଇଦେଲୁ । ଅଭିଭାଷଣ ବେଶ ବୈପ୍ଳବିକ ଓ ରଙ୍ଗୀନ ହୋଇଥିଲା । ଯାହାର ପରିଣତି ସ୍ୱରୂପ ସମାବର୍ତ୍ତନ ସମ୍ପୁର୍ଣ୍ଣ ଭାବେ ନିଷିଦ୍ଧ ହେଲା । ଆଜି ପର୍ଯ୍ୟନ୍ତ ଏହା ପୁନର୍ବାର ଆରମ୍ଭ ହୋଇନାହିଁ ।

‘କଳାକାରର ଇଲାକା ହେଉଛି ତାର କଳାକୃତି’

(‘Artist’ s domain is his work’)

ବକ୍ତା: ବଲରାଜ ସାହନୀ

ପ୍ରାୟ କୋଡ଼ିଏବର୍ଷ ତଳେ କଲିକତା ଚଳଚ୍ଚିତ୍ର ସମ୍ବାଦିକ ସଂଘ ‘ଦୋ ବିଘା ଜମିନ’ର ନିର୍ମାତା ସ୍ୱର୍ଗତ ବିମଳ ରାୟ ଓ ତାଙ୍କର ସହଯୋଗୀ ଅର୍ଥାତ୍ ଆମ୍ଭମାନଙ୍କୁ ସମ୍ମାନିତ କରିବେ ବୋଲି ସ୍ଥିର କରିଥାଏ । ଉତ୍ସବଟି ଆଡ଼ମ୍ବରହୀନ କିନ୍ତୁ ଅତ୍ୟନ୍ତ ରୁଚିସମ୍ପନ୍ନ ହୋଇଥାଏ । ଭଲ ଭଲ ଭାଷଣ ମଧ୍ୟ ଦିଆଯାଏ । କିନ୍ତୁ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରୁଥାନ୍ତି ବିମଳ ରାୟଙ୍କର ଭାଷଣକୁ। ଆମେ ସମସ୍ତେ ତଳେ ବସିଥାଉ । ମୁଁ ବିମଳ ଦା’ଙ୍କ ପାଖରେ ବସିଥାଏ । ମୁଁ ଦେଖୁଥାଏ ଯେ ଯେତେବେଳେ ବିମଳଦାଙ୍କର କହିବା ପାଳି ଆସନ୍ନ ହେଉଥାଏ ସେ କିପରି ନର୍ଭସ୍ ହେଉଥାନ୍ତି, ଅଶ୍ୱସ୍ତି ଅନୁଭବ କରୁଥାନ୍ତି । ଯେତେବେଳେ ତାଙ୍କ ପାଳି ପଡିଲା ସେ ଉଠି ଠିଆହେଲେ ଓ ଯୋଡ଼ହସ୍ତ କରି କହିଲେ,“ମୋର ଯାହା କହିବାକୁ ଥାଏ ମୁଁ ତାହା ମୋର ଚଳଚ୍ଚିତ୍ର ଜରିଆରେ ହିଁ କହିଥାଏ । ଏହାଠାରୁ ଅଧିକା ମୋର ଆଉ କିଛି କହିବାର ନାହିଁ ।” ଓ ବସି ପଡ଼ିଲେ ।

ବିମଳ ଦା’ ଯାହା କଲେ ସେଥିରେ ବହୁତ କିଛି ଅଛି ଓ ମୋର ମଧ୍ୟ ଆଗ୍ରହ ହେଉଛି ତାଙ୍କର ଉଦାହରଣକୁ ଅନୁସରଣ କରିବା ପାଇଁ। କିନ୍ତୁ ମୁଁ ଏହା କରିପାରୁ ନାହିଁ ତାହାର ମୁଖ୍ୟ କାରଣ ହେଉଛି ଏହି ଗରିମାମୟ ଅନୁଷ୍ଠାନ ଯାହାଙ୍କ ନାମକୁ ଧାରଣ କରୁଛି ତାଙ୍କ ପ୍ରତି  ମୋର ଗଭୀର ସମ୍ମାନ । ଏତଦ୍ ବ୍ୟତୀତ ଆଉ ଏକ କାରଣ ହେଉଛି ଏହି ଅନୁଷ୍ଠାନ ସହ ସମ୍ପୃକ୍ତ ଶ୍ରୀଯୁକ୍ତ ପି.ସି.ଜୋଷୀଙ୍କ ପ୍ରତି ମୋର ସମ୍ମାନ । ମୋ ଜୀବନର କେତେକ ଚମକପ୍ରଦ ମୁହୂର୍ତ୍ତ ସମ୍ଭବ ହୋଇଛି ଏହି ବ୍ୟକ୍ତିଙ୍କ ପାଇଁ ଯାହାଙ୍କର ଋଣ ମୁଁ କେଭେଁ ଶୁଝି ପାରିବି ନାହିଁ । ଏହାହିଁ କାରଣ ଯେ ଯେତେବେଳେ ମୁଁ ଏହି ସମାବେଶରେ କିଛି କହିବା ପାଇଁ ନିମନ୍ତ୍ରଣ ପାଇଲି ତାହାକୁ ଅସ୍ୱୀକାର କରିବା ମୋ ପକ୍ଷରେ ଅସମ୍ଭବ ଥିଲା । ଆପଣ ମାନେ ଯଦି ଆପଣଙ୍କ ବାରଣ୍ଡା ଓଳାଇବା ପାଇଁ ମୋତେ ନିମନ୍ତ୍ରଣ କରିଥାନ୍ତେ, ମୁଁ ଅନୁରୂପ ଆନନ୍ଦ ଲାଭ କରିଥାନ୍ତି ଓ ଗୋରବାନ୍ୱିତ ହୋଇଥାନ୍ତି । ବୋଧହୁଏ ସେହି କାର୍ଯ୍ୟଟି ମୋର ଦକ୍ଷତା ଅନୁରୂପ ହୋଇଥାନ୍ତା ।

ଦୟାକରି ମୋତେ ଭୁଲ ବୁଝିବେ ନାହିଁ । ମୁଁ ବିନମ୍ର ହେବାପାଇଁ ଚେଷ୍ଟା କରୁନାହିଁ । ମୁଁ ଯାହା କହୁଛି ତାହା ଆପଣମାନଙ୍କର ମନମୁତାବକ ହୋଇପାରେ ଓ ଏହି ଅବସରର ଆତ୍ମା ଓ ପରମ୍ପରା ସହ ସୁସଂଗତ ହୋଇପାରେ ବା ନ ହୋଇପାରେ ମଧ୍ୟ ।  କିନ୍ତୁ ମୁଁ ଯାହା କହିଲି ତାହା  ହୃଦୟରୁୁ ଓ ଯାହା କହିବି ତାହା ମଧ୍ୟ ହୃଦୟରୁ । ଆପଣମାନେ ଜାଣି ଥାଇପାରନ୍ତି ଯେ ମୋର ଶିକ୍ଷା ଜଗତଠାରୁ ଦୂରେଇଯିବା ପ୍ରାୟ ୨୫ବର୍ଷରୁ ଊଦ୍ଧ୍ୱର୍ ହୋଇଗଲାଣି । ଏହା ପୂର୍ବରୁ କୌଣସି ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଁ ଭାଷଣ ଦେଇନାହିଁ ।

ଏଠାରେ ଉଲ୍ଲେଖ କରିବା ଅସମୀଚିନ ହେବ ନାହିଁ ଯେ ଆପଣମାନଙ୍କର ଦୁନିଆସହ ମୋର ସମ୍ପର୍କ ଛିନ୍ନ ହେବା ସ୍ୱତଃପ୍ରବୃତ୍ତ ନ ଥିଲା । ଏହା ଥିଲା ଆମଦେଶରେ ଚଳଚ୍ଚିତ୍ର ପ୍ରସ୍ତୁତ କରାଯିବାର ଏକ ବିଶେଷ ଅବସ୍ଥାର ପରିଣତି । ଆମର ଏହି ଛୋଟିଆ ଚଳଚ୍ଚିତ୍ର ଜଗତ ଅଭିନେତାମାନଙ୍କୁ କେତେବେଳେ ଖୁବ କମ୍ କାମ ଦେଇଥାଏ, ଏତେ କମ୍ ଯେ ସେମାନେ ତାଙ୍କର କର୍ମହୀନ ସମୟ ବିଷାଦଗ୍ରସ୍ତ ଅବସ୍ଥାରେ ଅତିବାହିତ କରୁଥାନ୍ତି । ଆଉ ବେଳେବେଳେ ଏତେ ବେଶୀ କାମ ଦେଇଥାଏ ଯେ ସେମାନେ ଜୀବନର ଅନ୍ୟାନ୍ୟ ପ୍ରବାହଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପନ୍ତି । ସେମାନେ କେବଳ ସାଧାରଣ ପାରିବାରିକ ଜୀବନର ସୁଖ ସ୍ୱାଚ୍ଛ୍ୟନ୍ଦକୁ ତ୍ୟାଗ କରନ୍ତି ନାହିଁ, ସେମାନେ ବାଧ୍ୟ ହୁଅନ୍ତି ତାଙ୍କର ବୌଦ୍ଧିକ ଓ ଆଧ୍ୟାତ୍ମିକ ଚାହିଦାକୁ ଅଣଦେଖା କରିଦେବା ପାଇଁ । ଗତ ପଚିଶ ବର୍ଷରେ ମୁଁ ୧୨୫ରୁ ଅଧିକ ଚଳଚ୍ଚିତ୍ରରେ କାର୍ଯ୍ୟ କରିଛି ।

ଏତିକି ସମୟରେ ଏକ ସମକାଳିକ ୟୁରୋପୀୟ ବା ଆମେରିକୀୟ ଅଭିନେତା ୩୦ରୁ ୩୫ଟି ଚଳଚ୍ଚିତ୍ର ହିଁ କରିଥିବ । ଏହିଥିରୁ ଆପଣମାନେ ଅନୁମାନ କରିପାରୁଥିବେ ଯେ ମୋ ଜୀବନର କେଡ଼େ ବିରାଟ ଅଂଶ ସିନେମା ଫିଲ୍ମର ରିଲ୍ ପଟିରେ ପୋତି ହୋଇଯାଇଛି । ଅନେକ ବହି ଯାହା ମୁ ପଢ଼ିବା ଉଚିତ ତାହା ପଢ଼ିପାରି ନାହିଁ । ଅନେକ କାର୍ଯ୍ୟକ୍ରମ ଯେଉଁଥିରେ ମୁଁ ଅଂଶଗ୍ରହଣ କରିଥାନ୍ତି ତାହା ହୋଇପାରିନାହିଁ । ମୋତେ ଲାଗୁଛି ଯେ ମୁଁ ସାଂଘାତିକ ଭାବରେ ପଛରେ ପଡିଯାଇଛି । ମୋର ନୈରାଶ୍ୟ ବଢୁଛି ଯେତେବେଳେ ମୁଁ ମୋ ନିଜକୁ ପଚାରୁଛି ଯେ ଏହି ଶହେ ପଚିଶଟି ଚଳଚ୍ଚିତ୍ର ମଧ୍ୟରୁ କେତୋଟି ଭିତରେ ଉଲ୍ଲେଖନୀୟ ବିଶେଷତ୍ୱ ରହିଛି? ଏହିମାନଙ୍କ ମଧ୍ୟରୁ କେତୋଟି ସ୍ମରଣୀୟ ହେବ? ବୋଧହୁଏ, ଅଳ୍ପ କେତୋଟି ଯାହା ଗୋଟିଏ ହାତର ଆଂଗୁଳିରେ ଗଣିହେବ; ଅନେକଗୁଡିକୁ ଲୋକେ ବିସ୍ମୃତ ହେବେଣି ବା ଖୁବ ଶୀଘ୍ର ବିସ୍ମୃତ ହେବେ ।

ସେଇଥିପାଇଁ ମୁଁ କହୁଥିଲି ଯେ ମୁଁ ବିନମ୍ରତା ପ୍ରଦର୍ଶନ କରୁ ନାହିଁ । ମୁଁ କେବଳ ଆପଣମାନଙ୍କୁ ସତର୍କ କରିଦେଉଛି ଯେ ଯଦି ମୁଁ ଆପଣମାନଙ୍କୁ ନିରାଶ କରେ, ତାହାହେଲେ ଆପଣମାନେ ମୋତେ କ୍ଷମାଦେବେ । ବିମଳ ରାୟ ଠିକ କରିଥିଲେ । କାରଣ କଳାକାରର ଇଲାକା ହେଉଛି ତାର କଳାକୃତି । ତେଣୁ, ଯେହେତୁ ମୋତେ କହିବାକୁ ପଡିବ, ମୁଁ ମୋର ବକ୍ତବ୍ୟକୁ ମୋର ଅଭିଜ୍ଞତା ମଧ୍ୟରେ ହିଁ ସୀମିତ ରଖିବି, ଯାହା ଦେଖିଛି ଓ ଯାହା ଅନୁଭବ କରିଛି ତାହାକୁ ହିଁ ବ୍ୟକ୍ତ କରିବି । ଏହା ବାହାରକୁ ଯିବା ଆତ୍ମବଡ଼ିମା ହେବ ଓ ନିର୍ବୋଧତା ହେବ ।

ମୁଁ ମୋ କଲେଜ ପଢ଼ା ସମୟର ଗୋଟିଏ ଘଟଣା ଆପଣମାନଙ୍କୁ କହିବି ଯାହା ମୁଁ କେଭେ ବି ଭୁଲି ପାରିନାହିଁ । ଏହି ଘଟଣା ମୋ ମନରେ ଏକ ଅଲିଭା ଛାପ ଛାଡ଼ି ଦେଇ ଯାଇଛି ।

ମୁଁ ଆମ ପରିବାର ସହ ଖରାଛୁଟି ଉପଭୋଗ କରିବା ପାଇଁ ରାୱଲପିଣ୍ଡିରୁ କାଶ୍ମୀର ବସ୍ରେ ଯାଉଥାଏ । ଅଧାବାଟ ଯାଇଥିବୁ ଆମ ବସ ଅଟକିଲା । କାରଣ ପୂର୍ବ ରାତିରେ ଏକ ଭୂସ୍ଖଳନ ଯୋଗୁ ରାସ୍ତାର ଏକ ବଡ଼ ଅଂଶ ବୋହି ଯାଇଥିଲା । ଭୂସ୍ଖଳିତ ସ୍ଥାନର ଉଭୟ ପାଶ୍ୱର୍ରେ ଧାଡି ବାନ୍ଧି ଠିଆ ହୋଇଥିବା ଗାଡି ଗୁଡିକରେ ଆମେ ମଧ୍ୟ ସାମିଲ ହୋଇଗଲୁ । ଅସ୍ତବ୍ୟସ୍ତ ହୋଇ ଆମେ ଅପେକ୍ଷା କରିଥାଉ ରାସ୍ତା କେତେବେଳେ ପରିଷ୍କାର ହେବ । ପିଡବ୍ଲ୍ୟୁଡି ବିଭାଗ ପାଇଁ ଏହା ବେଶ୍ କଷ୍ଟକର ବ୍ୟାପାର ହୋଇଥାଏ । ରାସ୍ତା ବାହାର କରିବା ପାଇଁ ବେଶ କିଛି ଦିନ ସେମାନଙ୍କୁ ଲାଗିଗଲା । ଏହି ସମୟ ମଧ୍ୟରେ ଯାତ୍ରୀ ଓ ଗାଡ଼ିଚାଳକ ମାନେ ପରିସ୍ଥିତିକୁ ଜଟିଳ କରୁଥାନ୍ତି ବିଶେଷତଃ ସେମାନଙ୍କର ଅଧୈର୍ଯ୍ୟ ବ୍ୟବହାର ଓ ବିକ୍ଷୋଭ ଦ୍ୱାରା । ଏପରିକି ଏହି ସହରିଆ ଯାତ୍ରୀଙ୍କ ବ୍ୟବହାରରେ ସେ ଆଖ ପାଖ ଗାଁର ଲୋକେମଧ୍ୟ ଅତିଷ୍ଠ ହୋଇ ପଡିଥାନ୍ତି ।

ଦିନେ ସକାଳେ ଓଭରସିଅର ମହାଶୟ ଘୋଷଣା କଲେ ଯେ ରାସ୍ତା ପ୍ରସ୍ତୁତ ହୋଇଗଲା । ଗାଡିଚାଳକମାନଙ୍କ ଉଦ୍ଦେଶ୍ୟରେ ସବୁଜ ପତାକା ଦେଖାଇ ଦିଆଗଲା । କିନ୍ତୁ ଏହି ତିଆରିକରା ରାସ୍ତା ଉପରେ କୌଣସି ଗାଡିଚାଳକ ପ୍ରଥମେ ଯିବାକୁ ବାହାରିଲେ ନାହିଁ । ସେମାନେ ଠିଆ ହୋଇ ପରସ୍ପରକୁ ଉଭୟ ପଟରୁ ଚାହୁଁଥାନ୍ତି । ନିଃସନ୍ଦେହ, ରାସ୍ତାଟି ଅସ୍ଥାୟୀ ଥିଲା ଓ  ବେଶ୍ ବିପଦ ସଙ୍କୁଳ ଥିଲା। କାରଣ ଗୋଟିଏ ପଟେ ଥିଲା ପାହାଡ, ଅନ୍ୟ ପଟେ ଥିଲା ଏକ ବିରାଟ ଖାଲ ଓ ତଳେ ପ୍ରବାହିତ ହେଉଥିଲା ନଈ । ଉଭୟ ଥିଲା ଭୀତିପ୍ରଦ ।

ଓଭରସିଅର ମହାଶୟ ଖୁବ ଯତ୍ନର ସହ ରାସ୍ତା ପ୍ରସ୍ତୁତକୁ ତଦାରଖ କରିଥିଲେ ଓ ସମସ୍ତ ଦାୟିତ୍ୱବୋଧର ସହ ରାସ୍ତାଟିକୁ ବ୍ୟବହାର ପାଇଁ ଖୋଲିଥିଲେ । କିନ୍ତୁ କେହି ତାଙ୍କ ନିଷ୍ପତ୍ତିକୁ ବିଶ୍ୱାସ କରି ପାରୁନଥିଲେ ଯଦିଓ ଏହି ବ୍ୟକ୍ତିମାନେ ହିଁ ସେ ପର୍ଯ୍ୟନ୍ତ ତାଙ୍କୁ ଓ ତାଙ୍କର ବିଭାଗ ବିରୋଧରେ ଦୀର୍ଘସୂତ୍ରୀ ଓ ଅପରାଗ ବୋଲି ଅଭିଯୋଗ କରୁଥିଲେ । ସମ୍ପୂର୍ଣ୍ଣ ନୀରବତାରେ ପ୍ରାୟ ଅଧ ଘଣ୍ଟା ଅତିବାହିତ ହୋଇଗଲା । କେହି ହଲୁ ନଥାନ୍ତି । ହଠାତ୍ ଆମେ ଦେଖିଲୁ ଏକ ସବୁଜ ରଂଗର ସ୍ପୋର୍ଟସ୍ କାର୍ଟିଏ ଆସୁଛି । ଦେଖିଲୁ ଜଣେ ଇଂରାଜ ବ୍ୟକ୍ତି ଗାଡିଟିକୁ ଚଳାଉଛନ୍ତି ଓ ସେ ଗାଡିରେ ସେ ଏକୁଟିଆ ହିଁ ଥାନ୍ତି । ସେ ଏତେ ଗାଡ଼ି ଓ ଭିଡ଼ ଦେଖି ଟିକିଏ ଆଶ୍ଚର୍ଯ୍ୟ ହୋଇଗଲେ । ମୋର ବେଶ ପୋଷାକ ଫଳରେ ମୁଁ ଟିକିଏ ବାରି ହୋଇ ପଡୁଥିଲି । ସେ ମୋତେ ପଚାରିଲେ, “କଣ ହେଇଛି?”

ମୁଁ ତାଙ୍କୁ ସମୁଦାୟ ଘଟଣାଟି କହିଲି । ସେ ଖୁବ ଜୋରରେ ହସିଲେ ଓ ହର୍ଣ୍ଣ ବଜାଇ ସିଧା ଆଗେଇ ଗଲେ ଓ ତିଳେ ମାତ୍ର ଦ୍ୱିଧାଗ୍ରସ୍ତ ନ ହୋଇ ସଦ୍ୟ ତିଆରି ହୋଇଥିବା ବିପଦସଙ୍କୁଳ ରାସ୍ତା ଉପରଦେଇ ଆର ପଟକୁ ଚାଲିଗଲେ ।

ଏବେ ପେଣ୍ଡୁଲମ ବିପରୀତ ଦିଗରେ ଦୋଳାୟିତ ହେଲା । ସମସ୍ତେ ଯିବା ପାଇଁ ଏତେ ବ୍ୟଗ୍ର ହୋଇ ଉଠିଲେ ଯେ ପରସ୍ପର ସାମନାକୁ ଚାଲିଆସିଲେ ଓ କିଛି ସମୟ ପାଇଁ ଏକ ବିଶୃଙ୍ଖଳିତ ପରିବେଶ ସୃଷ୍ଟି ହୋଇଥିଲା । ଗାଡିମାନଙ୍କର ଇଂଜିନ ଶବ୍ଦ ଓ ଶହ ଶହ ହର୍ଣ୍ଣର ଶବ୍ଦ ଅସହ୍ୟ ହେଉଥିଲା । ସେହି ଦିନ ମୁଁ ି ନିଜ ଆଖିରେ ଦେଖିଲି ଗୋଟିଏ ସ୍ୱାଧୀନ ରାଷ୍ଟ୍ରରେ ବଢ଼ିଥିବା ବ୍ୟକ୍ତି ଓ ପରାଧୀନ ରାଷ୍ଟ୍ରରେ ବଢ଼ିଥିବା ବ୍ୟକ୍ତି ମଧ୍ୟରେ ପାର୍ଥକ୍ୟ ।  ନିଜେ ଚିନ୍ତାକରିବା, ନିଷ୍ପତ୍ତି ନେବା ଓ ଏହାକୁ କାର୍ଯ୍ୟକାରୀ କରିବାର କ୍ଷମତା ଗୋଟିଏ ସ୍ୱାଧୀନ ମଣିଷର ଥାଏ । କିନ୍ତୁ ଦାସର ଏହି କ୍ଷମତା ନ ଥାଏ । ସେ ସଦା ସର୍ବଦା ଅନ୍ୟର ଚିନ୍ତା ଭାବନାକୁ ହିଁ ଧାର କରିଥାଏ, ନିଷ୍ପତ୍ତି ନେବା ପାଇଁ ଇତଃସ୍ତତ ହୁଏ ଓ ଅଧିକାଂଶ ସମୟରେ ଚିରାଚରିତ ବାଟକୁ ହିଁ ବାଛି ନିଏ ।

ମୁଁ ଏହି ଘଟଣାରୁ ଗୋଟିଏ ଶିକ୍ଷା ଲାଭ କଲି ଯାହା ମୋ ପାଇଁ ମୂଲ୍ୟବାନ ହୋଇ ରହିଛି । ଏହାକୁ ମୁଁ ମୋର ଜୀବନର ଏକ ପରୀକ୍ଷା ଭାବେ ଗ୍ରହଣ କଲି । ମୋ ଜୀବନରେ ଯେତେବେଳେ ମୁଁ ନିଜେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସମର୍ଥ ହୋଇଛି, ମୁଁ ସନ୍ତୋଷ ଲାଭ କରିଛି । ମୋ ମୁଁହ ଉପରେ ମୁଁ ମୁକ୍ତିର ପ୍ରଶ୍ୱାସ ଅନୁଭବ କରିଛି । ମୋ ନିଜକୁ ଏକ ସ୍ୱାଧୀନ ମଣିଷ ବୋଲି ଭାବିଛି । ମୋ ଆତ୍ମା ଅମାପ ଆନନ୍ଦରେ ଭରିଉଠିଛି । ମୁଁ ଜୀବନକୁ ଉପଭୋଗ କରିଛି କାରଣ ମୁଁ ସେଥିରେ ଜୀବନର ଅର୍ଥକୁ ଅନୁଭବ କରିଛି ।

କିନ୍ତୁ ଖୋଲା କଥା ହେଉଛି ଏହିଭଳି ମୁହୂର୍ତ୍ତ ମୋ ଜୀବନରେ ବହୁତ କମ୍ ଆସିଛି । ଅଧିକାଂଶ ସମୟରେ, ସଙ୍କଟରେ ପଡ଼ିଥିବା ବେଳେ ମୁଁ ମୋର ସାହସ ହରାଇ ବସିଛି ଓ ଅନ୍ୟମାନଙ୍କର ବିଜ୍ଞତାର ଶରଣ ନେଇଛି । ମୁଁ ନିରାପଦ ବାଟଟିକୁ ବାଛିଛି । ମୁଁ ସେହି ନିଷ୍ପତ୍ତି ନେଇଛି ଯାହା ମୋଠାରୁ ମୋର ପରିବାରବର୍ଗ, ମୋର ବୁର୍ଜ୍ଜୁଆ ଶ୍ରେଣୀ ଓ ସେମାନଙ୍କ ଦ୍ୱାରା ଅନୁମୋଦିତ ମୂଲ୍ୟବୋଧ ଆଶା କରନ୍ତି । ମୁଁ ଚିନ୍ତା କରିଛି ଗୋଟିଏ ପ୍ରକାର, କିନ୍ତୁ କାର୍ଯ୍ୟ କରିଛି ଆଉ ଗୋଟିଏ ପ୍ରକାର । ଏହି କାରଣରୁ ପରେ ଦୋଷୀ ଭଳି ମୁଁ ଅନୁଭବ କରିଛି । କେତେକ ନିଷ୍ପତ୍ତି ମାନବୀୟ ସୁଖ ପାଇଁ ଅତ୍ୟନ୍ତ ଧ୍ୱଂସକାରୀ ବୋଲି ପ୍ରମାଣିତ ହୋଇଛି । ଯେତେବେଳେ ମୁଁ ସାହସ ହରାଇଛି, ମୋ ଜୀବନ ଏକ ଅର୍ଥହୀନ ବୋଝଟିଏ ହୋଇଯାଇଛି ।

ମୁଁ ଆପଣମାନଙ୍କୁ ଇଂରାଜ ଲୋକଟିର କଥା କହିଲି । ମୁଁ ଭାବୁଛି ଏହା କହିବା ମୋର ହୀନ ମନୋଭାବକୁ ହିଁ ଦର୍ଶାଏ ଯାହା ମୁଁ ସେତେବେଳେ ଅନୁଭବ କରିଥିଲି । ମୁଁ ଆପଣମାନଙ୍କୁ ସର୍ଦ୍ଦାର ଭଗତ ସିଂହଙ୍କ ଉଦାହରଣ ଦେଇପାରିଥାନ୍ତି ଯିଏ କି ସେହିବର୍ଷ ଫାଶୀ ପାଇଥିଲେ । ମୁଁ ଆପଣମାନଙ୍କୁ ମହାତ୍ମା ଗାନ୍ଧୀଙ୍କ ଉଦାହରଣ ଦେଇପାରିଥାନ୍ତି ଯାହାଙ୍କର ସବୁବେଳେ ସାହସ ଥିଲା ନିଜ ନିଷ୍ପତ୍ତି ନିଜେ ନେବା ପାଇଁ ।

ମୋର ମନେ ପଡୁଛି କିପରି ମୋ କଲେଜ ପ୍ରଫେସରମାନେ ଓ ଆମ ସହରର ସମ୍ମାନାସ୍ପଦ ବ୍ୟକ୍ତିମାନେ ମାହାତ୍ମା ଗାନ୍ଧୀଙ୍କର ମୁର୍ଖାମୀ ଉପରେ ମୁଣ୍ଡ ହଲାଉଥିଲେ,କାରଣ ମହାତ୍ମା ଗାନ୍ଧୀ ଭାବୁଥିଲେ ଯେ ସେ ପୃଥିବୀର ସବୁଠାରୁ ଶକ୍ତିଶାଳୀ ସାମ୍ରାଜ୍ୟକୁ ସତ୍ୟ ଓ ଅହିଂସା ଭଳି ୟୁଟୋପୀୟ ନୀତି ଦ୍ୱାରା ପରାସ୍ତ କରି ଦେଇ ପାରିବେ । ମୁଁ ଭାବୁଛି ମୋ ସହରର ଶତକଡ଼ା ଏକ ଭାଗରୁ କମ୍ ଲୋକ ହୁଏତ ସ୍ୱପ୍ନ ଦେଖୁଥିବେ ଯେ ତାଙ୍କ ଜୀବଦ୍ଦଶାରେ ଭାରତ ସ୍ୱାଧୀନ ହେବା ସେମାନେ ଦେଖିପାରିବେ । କିନ୍ତୁ ମହାତ୍ମା ଗାନ୍ଧୀଙ୍କର ନିଜ ଉପରେ, ନିଜ ଦେଶ ଉପରେ ଓ ନିଜ ଲୋକଙ୍କ ଉପରେ ଥିଲା ଅଖଣ୍ଡ ବିଶ୍ୱାସ । ଆପଣମାନଙ୍କ ମଧ୍ୟରୁ କେତେଜଣ ହୁଏତ ନନ୍ଦଲାଲ ବୋଷଙ୍କ ଦ୍ୱାରା ଅଙ୍କା ଯାଇଥିବା ଗାନ୍ଧୀଙ୍କ ଚିତ୍ର ଦେଖିଥିବେ । ଏହା ହେଉଛି ଏକ ବ୍ୟକ୍ତିର ଚିତ୍ର ଯାହାର ସାହସ ଅଛି ସ୍ୱାଧୀନ ଭାବେ ଚିନ୍ତା କରିବାର ଓ କର୍ମ କରିବାର ।

କଲେଜରେ ପଢୁଥିବା ସମୟରେ ମୋ ଉପରେ ନା ଭଗତ ସିଂହଙ୍କର ପ୍ରଭାବ  ପଡିଥିଲା ନା ମହାତ୍ମା ଗାନ୍ଧୀଙ୍କର । ମୁଁ ପଂଜାବ ପ୍ରଦେଶର ସବୁଠାରୁ ଭଲ ଶିକ୍ଷାନୁଷ୍ଠାନ ଲାହୋର ସରକାରୀ କଲେଜରେ ଇଂରାଜୀ ସାହିତ୍ୟରେ ଏମ.ଏ ପଢୁଥାଏ । ଭଲ ପଢୁଥିବା ଉକ୍ରୃଷ୍ଟ ଛାତ୍ରମାନେ ହିଁ ଏହି କଲେଜରେ ପଢିବାର ସୁଯୋଗ ପାଉଥିଲେ ।  ସ୍ୱାଧୀନତା ପରେ ମୋର ଅନେକ ଛାତ୍ର ସମୟର ବନ୍ଧୁ ଭାରତ ଓ ପାକିସ୍ଥାନ ସରକାରରେ ଓ ସମାଜରେ ବହୁ ଉଚ୍ଚ ପଦ ପଦବୀର ଅଧିକାରୀ ହୋଇଛନ୍ତି । କିନ୍ତୁ ଏହି କଲେଜରେ ପ୍ରବେଶ କରିବା ସମୟରେ ଆମକୁ ଏକ ପ୍ରତିଶୃତି ପତ୍ରରେ ଦସ୍ତଖତ କରିବାକୁ ପଡୁଥିଲା ଯେ ଆମେ କୌଣସି ରାଜନୈତିକ ଆନ୍ଦୋଳନରେ ଅଂଶଗ୍ରହଣ କରିବୁ ନାହିଁ । ସେତେବେଳେ ରାଜନୈତିକ ଆନ୍ଦୋଳନ କହିଲେ ସ୍ୱାଧୀନତା ଆନ୍ଦୋଳନକୁ ହିଁ ବୁଝାଯାଉଥିଲା ।

ଆଜିକା ବର୍ଷରେ ଆମେ ଆମ ସ୍ୱାଧୀନତାର ୨୫ତମ ବର୍ଷ ପାଳନ କରୁଛେ ।  ଆମେ କିନ୍ତୁ କ’ଣ ସାଧୁତାର ସହ କହି ପାରିବା ଯେ ଆମେ ଆମର ଦାସ ମନୋବୃତ୍ତିରୁ, ଆମର ହୀନମନ୍ୟତାରୁ ମୁକ୍ତ ହୋଇଛନ୍ତି ବୋଲି? ଆମେ କ’ଣ ଦାବି କରିପାରିବା ଯେ ବ୍ୟକ୍ତିଗତ, ସାମାଜିକ ବା ଆନୁଷ୍ଠାନିକ ସ୍ତରରେ ଆମର ନିଷ୍ପତ୍ତି କି ଆମର କାର୍ଯ୍ୟ ସବୁ ଆମ ନିଜର, ଧାର କରା ନୁହେଁ? ଆମେ କ’ଣ  ଆଧ୍ୟାତ୍ମିକ ଦୃଷ୍ଟିରୁ ପ୍ରକୃତରେ ସ୍ୱାଧୀନ? ଆମେ କ’ଣ ଆମ ନିଜପାଇଁ ଭାବିବା ଓ କାର୍ଯ୍ୟ କରିବାର ସାହସ ରଖୁ? ନା ଆମେ ଏହା କରିବାର ଛଳନା କରୁ, ଉପର ଠାଉରିଆ ଭାବେ ନିଜର ସ୍ୱାଧୀନତା ପ୍ରଦର୍ଶନ କରୁ?

ମୁଁ ଆପଣମାନଙ୍କର ଦୃଷ୍ଟି ଚଳଚ୍ଚିତ୍ର ଜଗତ ପ୍ରତି ଆକର୍ଷଣ କରିବି ଯେଉଁ ଜଗତରେ ମୁଁ ବିଚରଣ କରେ । ମୁଁ ଜାଣିଛି ବହୁ ଚଳଚ୍ଚିତ୍ର ଏପରି ଅଛି ଯାହାର ନାମ ଉଚ୍ଚାରଣ କଲେ ଆପଣମାନଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି ହେବ । ଶିକ୍ଷିତ, ବୁଦ୍ଧିମାନ ବ୍ୟକ୍ତିଙ୍କ ଦୃଷ୍ଟିରେ ହିନ୍ଦୀ ଚଳଚ୍ଚିତ୍ର ହେଉଛି କେବଳ ମାତ୍ର ଏକ ତାମସା । ସେଗୁଡିକର କଥାବସ୍ତୁ ହେଉଛି ପିଲାଳିଆ, ଅବାସ୍ତବ ଓ ଅଯୌକ୍ତିକ । କିନ୍ତୁ ସେଗୁଡିକରେ ସବୁଠାରୁ ବଡ଼ ଦୋଷ ହେଉଛି ଯେ କଥାବସ୍ତୁ, ଶୈଳୀ, ଗୀତ ଓ ନାଚ ସବୁ ହେଉଛି ପାଶ୍ଚାତ୍ୟ ଚଳଚ୍ଚିତ୍ରର ଅନ୍ଧ, କଲ୍ପନାହୀନ, ନିର୍ଲଜ୍ଜ ଅନୁକରଣ । ଏପରି ହିନ୍ଦୀ ଚଳଚ୍ଚିତ୍ର ଅଛି ଯାହା ବିଦେଶୀ ଚଳଚ୍ଚିତ୍ରରୁ ସମ୍ପୂର୍ଣ୍ଣ ଭାବେ ନକଲ କରାଯାଇଛି ।  ଆପଣ ତରୁଣମାନେ ଯେ ଆମ ଉପରେ ହସୁ ଥିବେ, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, ଯଦିଓ ଆପଣମାନଙ୍କ ମଧ୍ୟରୁ ଅନେକେ ଅଭିନେତା ହେବାର ସ୍ୱପ୍ନ ବି ଦେଖୁଥିବେ ।

ହିନ୍ଦୀ ଚଳଚିତ୍ର ଉପରେ ହସିବା ମୋ ପକ୍ଷରେ ଏତେ ସହଜ ନୁହେଁ । ମୁଁ ଯେ ମୋର ଆହାର ଏଥିରୁ ପାଏ । ଏହା ମୋତେ ପ୍ରଚୁର ଐଶ୍ୱର୍ଯ୍ୟ ଓ ସମ୍ମାନ ଆଣିଦେଇଛି । ଆଜି ମୋତେ ଯେଉଁ ସମ୍ମାନ ଏଠି ଆପଣମାନେ ଦେଇଛନ୍ତି ତାହାର ଶ୍ରେୟ ମୁଁ କିଛି ଅଂଶରେ ଏହି ହିନ୍ଦୀ ଚଳଚ୍ଚିତ୍ର ସହ ସମ୍ପୃକ୍ତିକୁ ହିଁ ଦେବି ।

ମୁଁ ଯେତେବେଳେ ଆପଣମାନଙ୍କ ଭଳି ଛାତ୍ର ଥିଲି ସେତେବେଳେ ଆମର ଶିକ୍ଷକ, ସେ ଗୋରା ହୁଅନ୍ତୁ ବା କଳା, ଆମକୁ ବିଭିନ୍ନ ଉପାୟରେ ବୁଝାଇବାକୁ ଚେଷ୍ଟା କରୁଥିଲେ ଯେ ଲଳିତ କଳା ଗୋରା ଲୋକଙ୍କର ହିଁ କାର୍ଯ୍ୟ । ଉଚ୍ଚକୋଟୀର ଚଳଚ୍ଚିତ୍ର, ଉଚ୍ଚକୋଟୀର ନାଟକ, ଉଚ୍ଚକୋଟୀର ଅଭିନୟ, ଉଚ୍ଚକୋଟୀର ଚିତ୍ର ଆଦି କେବଳ ଇଉରୋପ ଓ ଆମେରିକାରେ ହିଁ ସମ୍ଭବ । ଭାରତୀୟ ଲୋକ, ସେମାନଙ୍କ ଭାଷା ଓ ସଂସ୍କୃତି ଏତେ ଅନୁନ୍ନତ ଓ ରୁଚିହୀନ ଯେ ପ୍ରକୃତ କଳାତ୍ମକ ଅଭିବ୍ୟକ୍ତି  ଏଠାରେ ଅସମ୍ଭବ । ଅମେ ଏଥିପାଇଁ  କ୍ଷୁବ୍ଧ ହେଉଥୁଲୁ ଓ ବାହାରକୁ ଆମେ ଆମର ରୋଷ ବ୍ୟକ୍ତ କରୁଥୁଲୁ । କିନ୍ତୁ ଭିତରେ  ଭିତରେ ଆମେ ଏହି ଧାରଣାକୁ ଗ୍ରହଣ ନ କରି ରହିପାରୁ ନ ଥିଲୁ ।

ସେ ସମୟ ବହୁତ ବଦଳି ଯାଇଛି । ସ୍ୱାଧୀନତା ପରେ କଳାର ପ୍ରତ୍ୟେକ ବିଭାଗରେ ବେଶ୍ ଉନ୍ନତି ହୋଇଛି । ଚଳଚ୍ଚିତ୍ର ନିର୍ମାଣରେ ସତ୍ୟଜିତ ରାୟ, ବିମଳ ରାୟଙ୍କ ଭଳି ବ୍ୟକ୍ତିମାନେ ଆଜି ଆନ୍ତର୍ଜାତିକ ବ୍ୟକ୍ତିତ୍ୱ ଭାବେ ପରିଚିତ । ଆମର ଅନେକ କଳାକାର, କ୍ୟାମେରାମାନ, ଟେକନିସିଆନ ଆଜି ବିଶ୍ୱର ଯେ କୌଣସି ଉକ୍ରର୍ଷ କଳାକାର, କ୍ୟାମେରାମାନ ଓ ଟେକନିସିଆନ ସହ ତୁଳନୀୟ । ସ୍ୱାଧୀନତା ପୂର୍ବରୁ ଆମେ ଦଶ କି ପନ୍ଦର ଚଳଚ୍ଚିତ୍ର କରିଥିବୁ ଯାହା ଉଲ୍ଲେଖନୀୟ । ଆଜି ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ଼ ଚଳଚ୍ଚିତ୍ର ନିର୍ମାଣକାରୀ ଦେଶ । ଆମ ଚଳଚ୍ଚିତ୍ରଗୁଡିକ କେବଳ ଆମ ଦେଶରେ ଜନପ୍ରିୟ ହୋଇନାହିଁ, ଜନପ୍ରିୟ ହୋଇଛି ପାକିସ୍ଥାନରେ, ଆଫିଗାନିସ୍ଥାନରେ, ଇରାନରେ, ସୋଭିଏତ ସଂଘର ପୂର୍ବାଞ୍ଚଳ ରାଷ୍ଟ୍ରରେ, ଇଜିପ୍ଟରେ, ଆରବ ଦେଶରେ ଓ ବହୁ ଆଫ୍ରିକୀୟ ଦେଶରେ । ଆମେ ଏହି କ୍ଷେତ୍ରରେ ହଲିଉଡର ଏକଚାଟିଆ ଆଧିପତ୍ୟକୁ ଭାଙ୍ଗିଛୁ ।

ସାମାଜିକ ଦାୟିତ୍ୱବୋଧ ଦୃଷ୍ଟିରୁ ଆମ ଭାରତୀୟ ସିନେମା ସେଭଳି ନିମ୍ନ ସ୍ତରକୁ ଖସି ଯାଇନାହିଁ ଯେଉଁଭଳି ସ୍ତରକୁ ପଶ୍ଚିମ ଦେଶ ଗୁଡିକ ଖସିଛି । ଭାରତରେ ଚଳଚ୍ଚିତ୍ର ପ୍ରଯୋଜକମାନେ ଲାଭ ପାଇଁ ଯୌନ ଓ ଅପରାଧକୁ ଏଯାବତ୍ ପ୍ରସଙ୍ଗ କରିନାହାନ୍ତି ଯେପରି ଆମେରିକୀୟ ଚଳଚ୍ଚିତ୍ର ପ୍ରଯୋଜକମାନେ ବର୍ଷ ବର୍ଷ ଧରି କରି ଆସୁଛନ୍ତି ଯାହା ତାଙ୍କ ଦେଶରେ ସାମାଜିକ ସମସ୍ୟା ସୃଷ୍ଟି କରିଛି । କିନ୍ତୁ ଏହି ସୁଗୁଣଟି ଗୋଟିଏ ଦୋଷ ଦ୍ୱାରା ଢାଙ୍କି ହୋଇଯାଉଛି । ତାହା ହେଉଛି ଆମର ଅନୁକରଣ ଓ ନକଲ କରିବାର ଦୋଷ । ଏହି ଦୋଷଟି ଆମକୁ, ସବୁଠାରେ, ବୁଦ୍ଧିମାନ ଲୋକଙ୍କ ପାଖରେ ଲୋକହସା କରୁଛି । ଆମେ ଧାରକରା, ଅଚଳ ହୋଇପଡିଥିବା ଫର୍ମୁଲାକୁ ନେଇ ଚଳଚ୍ଚିତ୍ର କରୁଛୁ । ଆମର ସାହସ ନାହିଁ ନିଜ ସିଂହରେ ମାଟି ତାଡିବାର, ଆମ ଦେଶର ବାସ୍ତବିକତାକୁ ବୁଝି ନିଜ ପ୍ରତିଭାକୁ ପ୍ରୟୋଗ କରି ଏହାକୁ ବିଶ୍ୱସନୀୟଭାବେ ଉପସ୍ଥାପିତ କରିବାର ।

ମୁଁ ଏହା କେବଳ ହିନ୍ଦୀ ବା ତାମିଲରେ ବକ୍ସ ଅଫିସ ଚଳଚ୍ଚିତ୍ର ସନ୍ଦର୍ଭରେ କହୁ ନାହିଁ । ଏହି ଅଭିଯୋଗ ମୁଁ ଆମର ତଥାକଥିତ ପ୍ରଗତିଶୀଳ, ପରୀକ୍ଷାମୂଳକ ଚଳଚିତ୍ର ବିରୁଦ୍ଧରେ ମଧ୍ୟ କରୁଛି, ଯାହା ହୋଇପାରେ ବଂଗଳାରେ, ହିନ୍ଦୀରେ ବା ମାଲାୟାଲମରେ । ସତ୍ୟଜିତ ରାୟ, ମୃଣାଳ ସେନ, ଶୁକଦେବ, ବାସୁ ଭଟ୍ଟାଚାର୍ଯ୍ୟ ବା ରାଜେନ୍ଦ୍ର ସିଂହ ବେଦୀଙ୍କର କୃତିକୁ ପ୍ରଶଂସା କରିବାରେ ମୁଁ କାହାଠାରୁ ପଛରେ ନାହିଁ । ମୁଁ ଜାଣେ ଯେ ସେମାନେ ଖୁବ ଉଚ୍ଚ ପ୍ରଶଂସିତ ଓ ଯଥାର୍ଥରେ ପ୍ରଶଂସିତ । ଏହା ସତ୍ତେ୍ୱ ମଧ୍ୟ ମୁଁ ନ କହି ରହି ପାରୁ ନାହିଁ ଯେ ଇଟାଲୀ, ଫ୍ରାନ୍ସ, ସ୍ୱିଡେନ, ପୋଲାଣ୍ଡ ବା ଚେକେସ୍ଲୋଭାକିଆରେ ବହୁ ଥିବା ପବନର ସହସା ପ୍ରଭାବ ଏମାନଙ୍କ କଳାକୃତି ଉପରେ ପଡିଛି । ସେମାନେ ନୂଆ କିଛି କରିଛନ୍ତି କିନ୍ତୁ ଏହାକୁ କେହି ଜଣେ କରି ସାରିଲା ପରେ ।

ସାହିତ୍ୟ ଜଗତରେ, ଯେଉଁଥିରେ ମୋର ବେଶ ରୂଚି ରହିଛି, ସେଠାରେ ମଧ୍ୟ ମୁଁ ସମାନ ଚିତ୍ର ଦେଖୁଛି । ଆମର ଔପନ୍ୟାସିକ, ଗାଳ୍ପିକ  ଓ କବି ଇଉରୋପରେ ଚାଲିଥିବା ଫେସନ ଦ୍ୱାରା ଅତି ସହଜରେ ପ୍ରଭାବିତ ହୋଇ ଯାଉଛନ୍ତି, ଯଦିଓ ଇଉରୋପ, ସୋଭିଏଟ ଇଉନିୟନକୁ ବାଦ ଦେଲେ, ଭାରତୀୟ ସାହିତ୍ୟ ସମ୍ପର୍କରେ ଏ ଯାବତ୍ ରହିଛି ଅପରିଚିତ । ଉଦାହରଣସ୍ୱରୂପ, ମୋ ନିଜ ପ୍ରଦେଶ ପଂଜାବରେ ତରୁଣ କବିଙ୍କ ମଧ୍ୟରେ ବର୍ତ୍ତମାନର ସାମାଜିକ ବ୍ୟବସ୍ଥା ବିରୋଧରେ ଏକ ପ୍ରତିବାଦର ଢେଉ ଦେଖାଦେଇଛି । ଏହି ବ୍ୟବସ୍ଥା ବିରୋଧରେ ପ୍ରତିବାଦ କରିବାକୁ, ଏହି ବ୍ୟବସ୍ଥାକୁ ଛିନ୍ନ ଭିନ୍ନ କରିବାକୁ ଓ ଦୁର୍ନୀତି, ଅନ୍ୟାୟ ତଥା ଶୋଷଣମୁକ୍ତ ଏକ ଉନ୍ନତ ସମାଜ ଗଢ଼ିବାକୁ ସେମାନଙ୍କର କବିତା ଲୋକଙ୍କୁ ଆହ୍ୱାନ କରୁଛି । ଏହି ଭଳି କବିତାର ଆତ୍ମାକୁୁ ପୂର୍ଣ୍ଣପ୍ରାଣରେ ଅନୁମୋଦନ ନ କରି ରହି ହେଉ ନାହିଁ କାରଣ ବର୍ତ୍ତମାନର ସମାଜ ବ୍ୟବସ୍ଥାରେ ପରିବର୍ତ୍ତନ ନିହାତି ଜରୁରୀ ।

ଏହିଭଳି କବିତାର ବିଷୟ ବସ୍ତୁ ବେଶ୍ ପ୍ରଶଂସନୀୟ । କିନ୍ତୁ ଶୈଳୀ ଦେଶଜ ନୁହେଁ । ଏହାକୁ ପାଶ୍ଚାତ୍ୟରୁ ଧାର କରା ଯାଇଛି । ଛନ୍ଦ ଓ ପଦର ବ୍ୟବହାର ତ ପାଶ୍ଚାତ୍ୟ କବିତାରୁ କେବେଠାରୁ ବିଦାୟ ନେଇଛି । ତେଣୁ ଆମର ପଂଜାବୀ କବି ମଧ୍ୟ ଏହାକୁ ଛାଡିବ । ସେ ମଧ୍ୟ ଅତି ଜଟିଳ ଓ ଅତି-ଉଗ୍ର ଚିତ୍ରକଳ୍ପର ପ୍ରୟୋଗ କରିବ । ପରିଣତି ହେଉଛି କେବଳ କାଗଜ ଉପରେ ଧ୍ୱନି ଓ ରୋଷ ଯାହା ସୀମିତ ପରସ୍ପର ପ୍ରଶଂସାରେ ବିହ୍ୱଳିତ ଛୋଟ ଛୋଟ ସାହିତ୍ୟ ଗୋଷ୍ଠୀ ମଧ୍ୟରେ । ସାଧାରଣ ଲୋକ, ଶ୍ରମିକ, ଚାଷୀ ଯାହାକୁ ବିପ୍ଳବ ପାଇଁ ଆହ୍ୱାନ ଦିଆଯାଏ ସେ ଏହି କବିତାର କୌଣସି ଆଦି ଅନ୍ତ ପାଏନା । ଏହା ତାକୁ ଉଦାସୀନ ଓ କିଂକର୍ତ୍ତବ୍ୟବିମୁଢ କରି ଦିଏ । ମୁଁ ବୋଧହୁଏ ଭୁଲ କହୁ ନାହିଁ ଯଦି କହେ ଯେ ଅନ୍ୟ ଭାରତୀୟ ଭାଷା ମଧ୍ୟ ଆଜି ନ୍ୟୁ ୱେଭ କବିତାର କବ୍ଚାରେ ।

ମୁଁ ଚିତ୍ରକାରିତା ସମ୍ପର୍କରେ କିଛି ଜାଣେ ନାହିଁ । ମୁଁ କହି ପାରିବି ନାହିଁ କେଉଁ ଚିତ୍ରଟି ଭଲ ବା କେଉଁଟି ଖରାପ । କିନ୍ତୁ ଏହି କ୍ଷେତ୍ରରେ ମଧ୍ୟ ମୁଁ ଦେଖୁଛି ଯେ ଆମର ଚିତ୍ରକରମାନେ ବିଦେଶରେ ଚାଲିଥିବା ଫେଶନକୁ ହିଁ ଅନୁକରଣ କରୁଛନ୍ତି । ବହୁ କମ୍ ଏପରି ଅଛନ୍ତି ଯେଉଁମାନଙ୍କର ସ୍ରୋତର ପ୍ରତିକୂଳରେ ସନ୍ତରଣ କରିବାର ସାହସ ଅଛି ।

ଶୈକ୍ଷିକ ଜଗତରେ ଦୃଶ୍ୟ କ’ଣ? ମୁଁ ଆପଣମାନଙ୍କୁ ଆଇନା ଦେଖିବା ପାଇଁ ଆମନ୍ତ୍ରଣ କରୁଛି । ଯଦି ଆପଣମାନେ ହିନ୍ଦୀ ଚଳଚ୍ଚିତ୍ର ଉପରେ ହସୁଥାନ୍ତି ତାହାହେଲେ ବୋଧହୁଏ ଆପଣ ନିଜ ଉପରେ ହସିବାର ମୋହକୁ ସମ୍ବରଣ କରି ପାରିବେ ନାହିଁ । … କ୍ରମଶଃ

Photo credit- internet

About ପ୍ରଫେସର ବୀରେନ୍ଦ୍ର ନାୟକ

ପ୍ରଫେସର ବୀରେନ୍ଦ୍ର ନାୟକ
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ

Check Also

‘କଳାକାରର ଇଲାକା ହେଉଛି ତାର କଳାକୃତି’ (‘Artist’ s domain is his work’)

୨ ବକ୍ତା: ବଲରାଜ ସାହନୀ ଏହିବର୍ଷ ମୋ ନିଜ ରାଜ୍ୟ ମୋତେ ଗୁରୁ ନାନକ ବିଶ୍ୱବିଦ୍ୟାଳୟର ସିନେଟକୁ ମନୋନୀତ କରି …

Leave a Reply

Your email address will not be published. Required fields are marked *