Home / ବ୍ୟକ୍ତି ଓ ବ୍ୟକ୍ତିତ୍ୱ / ଜନ ଲେନନ ଓ ଲୋକପ୍ରିୟ ଗୀତ ‘ଇମାଜିନ’

ଜନ ଲେନନ ଓ ଲୋକପ୍ରିୟ ଗୀତ ‘ଇମାଜିନ’

“ପତ୍ନୀ ଓନୋଙ୍କ ଜନ୍ମଦିନରେ ତାଙ୍କୁ ଏକ ନୂଆ ପିଆନୋ ଉପହାର ଦେଲେ ଲେନନ । ସେହି ପିଆନୋରେ ବନ୍ଧା ହୋଇଗଲା ‘ଇମାଜିନ’ର କାଳଜୟୀ ସ୍ୱର । ‘ଇମାଜିନ’ ଗୀତଟିର ପ୍ରଯୋଜକ ଥିଲେ ସ୍ୱୟଂ ଜନ୍ ଲେନନ, ତାଙ୍କ ପତ୍ନୀ ୟୋକୋ ଓନୋ ଏବଂ ବନ୍ଧୁ ହାର୍ଭେ ଫିଲିପ ସ୍ପେକ୍ଟର ।”  ଜନ୍ ଲେନନ ଓ ଇମାଜିନ ଗୀତ ସହିତ ପାଠକ ମାନଙ୍କୁ ପରିଚିତ କରାଇବା ତଥା ଗୀତଟିର ଏକ ଓଡ଼ିଆ ଭାବାନୁବାଦ ପ୍ରକାଶ କରିବାକୁ ପ୍ରୟାସ କରିଛନ୍ତି ଲେଖକ, ବିଶିଷ୍ଟ ସ୍ତମ୍ଭକାର ସରଳ କୁମାର ଦାସ। ପ୍ରସିଦ୍ଧ ‘ବିଟଲସ୍’ ରକ୍ ବ୍ୟାଣ୍ଡ  ସମ୍ପର୍କରେ ଓ ଜନ୍ ଲେନନଙ୍କ ସମ୍ପର୍କରେ ତଥ୍ୟାତ୍ମକ ଉପସ୍ଥାପନା କରାଯାଇଛି ଲେଖାଟିରେ । ଏଠାରେ ଆମେ ସ୍ପଷ୍ଟ ଭାବରେ କହିରଖିବାକୁ ଚାହୁଁ ଯେ ଜନ ଲେନନଙ୍କର ରାଜନୈତିକ ବିଚାରଧାରା କିମ୍ବା ତାଙ୍କର ଆଦର୍ଶକୁ ଏହି ଲେଖାଟି ପ୍ରଚାର କିମ୍ବା ପ୍ରସାର କରିବା ଆମର ଉଦ୍ଦେଶ୍ୟ ନୁହଁ । ‘ଇମାଜିନ’ ଗୀତଟିର ଲୋକ ପ୍ରିୟତା ଓ ଏହାର ସୃଷ୍ଟି ସମ୍ପର୍କରେ ଏକ ତଥ୍ୟାତ୍ମକ ଉପସ୍ଥାପନା କରିବା ହେଉଛି ଆମର ଉଦ୍ଦେଶ୍ୟ । – ସମ୍ପାଦକ

ପ୍ରସିଦ୍ଧ ‘ବିଟଲସ୍’ ରକ୍ ବ୍ୟାଣ୍ଡ ଭାଙ୍ଗି ଯିବା ପରେ ଏହାର ଅନ୍ୟତମ ପ୍ରମୁଖ ଗାୟକ ଜନ ଲେନନଙ୍କର ବ୍ୟକ୍ତିଗତ ଭାବେ ‘ଇମାଜିନ’ ନାମକ ଏକ ଗୀତ 1971ରେ ଆତ୍ମପ୍ରକାଶ କରି ସାରା ବିଶ୍ୱରେ ଚହଳ ପକାଇ ଦେଇଥିଲା । ବିଶ୍ୱ ଶାନ୍ତି ଓ ବିଶ୍ୱ ଭ୍ରାତୃତ୍ୱର କଥା କହୁଥିବା ଏହି ଗୀତଟି ଶ୍ରୋତାଙ୍କର ଏତେ ଆଦୃତି ଲାଭ କଲା ଯେ ତାହା ଆଉ କେବଳ ଗୋଟିଏ ଗୀତରେ ସୀମିତ ନ ରହି ଏକ ପ୍ରକାର ଏକ ଅନ୍ତର୍ଜାତୀୟ ସଙ୍ଗୀତ (International Anthem)ରେ ପରିଣତ ହୋଇଗଲା । ଏକ ଈର୍ଷା, ହିଂସା, ଦ୍ୱେଷରହିତ ଆଦର୍ଶ ବିଶ୍ୱର କଥା କହୁଥିବା ଏହି ଗୀତଟିକୁ ଏକ ପ୍ରେମ ସଙ୍ଗୀତ ବି କୁହା ଯାଇପାରେ । 50 ବର୍ଷ ତଳେ ପ୍ରସ୍ତୁତ ହୋଇଥିବା ଏହି ଗୀତଟି ଏହି ଗୀତର ଗାୟକ ଜନ ଲେନନଙ୍କ ମୃତ୍ୟୁର 41 ବର୍ଷ ପରେ ବି ବିଶ୍ୱର କୋଣ ଅନୁକୋଣରେ ଲକ୍ଷ ଲକ୍ଷ ଶ୍ରୋତାଙ୍କ ହୃଦୟକୁ ନିରବଚ୍ଛିନ୍ନ ଭାବେ ଉଦବେଳିତ କରି ଚାଲିଛି । ସେହି କାଳଜୟୀ ଗୀତ ‘ଇମାଜିନ’ର ପ୍ରସ୍ତୁତି ଓ ଏହାର ଗାୟକ ଜନ ଲେନନଙ୍କ ସଙ୍ଗୀତ ଯାତ୍ରା ସମ୍ପର୍କରେ ଅଧିକ ଜାଣିବାର ଅବକାଶ ରହିଛି ।

1940ରେ ଇଂଲଣ୍ଡର ଲିଭରପୁଲଠାରେ ଜନ୍ମିତ ସୁପ୍ରସିଦ୍ଧ ଗାୟକ ଜନ ଉଇନଷ୍ଟନ ଲେନନ ଏକାଧାରରେ ଜଣେ  ଉଚ୍ଚକୋଟୀର ସଙ୍ଗୀତକାର, ଗୀତିକାର ମଧ୍ୟ ଥିଲେ । ପିଲାଦିନରୁ ସେ ସଙ୍ଗୀତ ପ୍ରତି ଆକୃଷ୍ଟ ହୋଇ 1956ରେ ନିଜର ବ୍ୟାଣ୍ଡ ‘କ୍ୱେରିମେନ’ ପ୍ରତିଷ୍ଠା କରିଥିଲେ, ଯାହା 1960ରେ ‘ବିଟଲସ୍’ ଗ୍ରୁପର ରୂପ ନେଇଥିଲା । ଜନ ଲେନନ ‘ବିଟଲସ୍’ ଗ୍ରୁପର କେବଳ ଜଣେ ପ୍ରତିଷ୍ଠାତା ସଦସ୍ୟ ଥିଲେ ତାହା ନୁହେଁ, ସେ ପ୍ରାଥମିକ ଅବସ୍ଥାରେ ଏହାର ନେତୃତ୍ୱ ନେବା ସହ ଜଣେ ଭଲ ଗାୟକ, ଗୀତିକାର, ରିଦମ ଗିଟାର ବାଦକ ଥିଲେ । ସିନ୍ଥିଆ ପାଓଲଙ୍କ ସହ ତାଙ୍କର 1962ରେ ବିବାହ ସମ୍ପନ୍ନ ହୋଇ ମାତ୍ର 6 ବର୍ଷ ପରେ 1968ରେ ବିଚ୍ଛେଦ ହୋଇଥିଲା । ‘ବିଟଲସ୍’ ଗ୍ରୁପ ଭାଙ୍ଗିଯିବା ପରେ 1969ରେ ସେ ତାଙ୍କ ଦ୍ୱିତୀୟ ପତ୍ନୀ ୟୋକୋ ଓନୋଙ୍କ ସହ ମିଶି ‘ପ୍ଲାଷ୍ଟିକ ଓନୋ ବ୍ୟାଣ୍ଡ’ ପ୍ରତିଷ୍ଠା କରିଥିଲେ । ତାଙ୍କର ଚର୍ଚ୍ଚିତ ଗୀତଗୁଡିକ ମଧ୍ୟରେ ‘ଗିଭ ପିସ ଏ ଚାନ୍ସ’, ‘ଇନଷ୍ଟାଣ୍ଟ କର୍ମାଲ’, ‘ହ୍ୟାପି ଏକ୍ସମାସ’, ‘ଇମାଜିନ୍’ ଆଦି ଅନ୍ୟତମ । ତାଙ୍କର ସବୁଠାରୁ ଅଧିକ ବିକ୍ରି ହୋଇଥିବା ଆଲବମ ‘ଡବଲ ଫାଣ୍ଟାସି’ ପାଇଁ ତାଙ୍କୁ 1981ରେ ଗ୍ରାମି ଆୱାର୍ଡ ମିଳିଥିଲା । ଜଣେ ଶାନ୍ତି କର୍ମୀ (ପିସ ଆକ୍ଟିଭିଷ୍ଟ) ଭାବେ ପରିଚିତ ଲେନନ ଭିଏତନାମ ଯୁଦ୍ଧରେ ଆମେରିକାର ଭୂମିକାକୁ ସମାଲୋଚନା କରିଥିବାରୁ ତାଙ୍କୁ ନିକ୍ସନ ପ୍ରଶାସନର ରୋଷର ଶିକାର ହେବାକୁ ପଡିଥିଲା । 1980ରେ ଜନ ଲେନନଙ୍କୁ ଯେତେବେଳେ ମାତ୍ର 40 ବର୍ଷ ବୟସ, ‘ବିଟଲସ’ ଗ୍ରୁପର ଜଣେ ପ୍ରଶଂସକ ତାଙ୍କୁ ତାଙ୍କ ନିଉୟର୍କସ୍ଥିତ ବାସଭବନରେ ହତ୍ୟା କରିଥିଲେ ଓ ସଙ୍ଗୀତ ଆକାଶର ଏକ ଉଜ୍ଜ୍ୱଳ ଜ୍ୟୋତିଷ୍କ ହଠାତ୍ ଅନ୍ତର୍ହିତ ହୋଇଯାଇଥିଲା । ତାଙ୍କ ହତ୍ୟାର ଅନ୍ୟତମ କାରଣ ଥିଲା ତାଙ୍କର ‘ଇମାଜିନ’ ଗୀତ ଯେଉଁଥିରେ ସେ ଏକ ଧର୍ମବିହୀନ ସମାଜର କଥା କହିଥିଲେ ଏବଂ ଫଳସ୍ୱରୂପ ତାଙ୍କୁ ଏତେ ବଡ ମୂଲ୍ୟ ଦେବାକୁ ପଡିଥିଲା ।

ଜନ ଲେନନଙ୍କ ସଫଳତା ପଛରେ ‘ବିଟଲସ୍’ ଗ୍ରୁପ ଓ ଏହାର ସହ କଳାକାରମାନଙ୍କର ଅବଦାନ ମଧ୍ୟ କିଛି କମ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଇଂଲଣ୍ଡର ଲିଭରପୁରଠାରେ ‘ବିଟଲସ’ ରକ ବ୍ୟାଣ୍ଡଟି 1960ରୁ ତିଆରି ହୋଇଥିଲେ ବି ବିଧିବଦ୍ଧ ଭାବେ ଏହା ଅଗଷ୍ଟ 1962ରେ ପ୍ରତିଷ୍ଠିତ ହୋଇଥିଲା । ଏ ଯାବତ୍ ବିଶ୍ୱର ସର୍ବାଧିକ ପ୍ରଭାବଶାଳୀ ରକ ବ୍ୟାଣ୍ଡ ଭାବେ ‘ବିଟଲସ’କୁ ଗ୍ରହଣ କରା ଯାଇଥାଏ । ଏହାର ପ୍ରମୁଖ 4 ଜଣ କଳାକାର ଥିଲେ ଜନ ଲେନନ୍, ପଲ୍ ମାକାର୍ଟିନି, ଜର୍ଜ ହାରିସନ ଓ ରିଙ୍ଗୋ ଷ୍ଟାର । ସଙ୍ଗୀତ ଶିଳ୍ପରେ ଆଧୁନିକତା ଭରି ଦେଇ ତାକୁ ବିପ୍ଳବାତ୍ମକ କରିବା ସହ ଷାଠିଏ ଦଶକର ତରୁଣ ମାନସକୁ ଗଭୀର ଭାବେ ପ୍ରଭାବିତ କରି ପାରିଥିଲା ‘ବିଟଲସ୍’ । ମ୍ୟାନେଜର ବ୍ରିଆନ ଏପଷ୍ଟିନ ସେମାନଙ୍କୁ ଏକ ପେଷାଦାର ଗ୍ରୁପରେ ପରିଣତ କରିବାରେ ଏକ ବଡ ଭୂମିକା ନିର୍ବାହ କରିଥିଲେ । 1964 ସୁଦ୍ଧା ‘ବିଟଲସ୍’ ଗ୍ରୁପ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଅର୍ଜନ କରିବା ସହ ଏହାର ସବୁ କଳାକାର ଷ୍ଟାର ପାଲଟି ଯାଇଥିଲେ । ସେମାନଙ୍କ ନିଷ୍ଠା ଓ ମିଳିତ ପ୍ରୟାସ ଯୋଗୁ ପପ୍ ସଙ୍ଗୀତ ପ୍ରତି ଦର୍ଶକଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ହେବା ସଙ୍ଗେ ସଙ୍ଗେ ଏହାକୁ ଏକ ସ୍ୱତନ୍ତ୍ର କଳା ଶୈଳୀର ମାନ୍ୟତା ମିଳିବାରେ ସହାୟକ ହୋଇଥିଲା । ଏ ଭଳି ଏକ ସଫଳ ରକ ବ୍ୟାଣ୍ଡ ଶେଷରେ ଭାଙ୍ଗିଯିବା ଅପ୍ରତ୍ୟାଶିତ ହୋଇଥିଲେ ବି ଏହା ପଛରେ ଅନେକଗୁଡିଏ କାରଣ ଥିଲା । ତନ୍ମଧ୍ୟରୁ ପ୍ରମୁଖ ଥିଲା ‘ବିଟଲମାନିଆ’ । ବ୍ୟାଣ୍ଡର ଜନପ୍ରିୟତା ଇଂଲଣ୍ଡରୁ, ଆମେରିକା ହୋଇ ବିଶ୍ୱର ଅଧିକାଂଶ ଦେଶକୁ ବ୍ୟାପିଗଲା, ଯାହାକୁ ‘ବିଟଲମାନିଆ’ କୁହାଗଲା ଓ ଏହାର ପ୍ରଦର୍ଶନ ଦେଖିବାକୁ ଲକ୍ଷ ଲକ୍ଷ ଦର୍ଶକ ଆତୁରତାର ସହ ଅପେକ୍ଷା କରୁଥିଲେ । 1966ରେ ଜନ ଲେନନଙ୍କର ଏକ ବିବାଦୀୟ ମନ୍ତବ୍ୟ ‘ଗ୍ରୁପର ଲୋକପ୍ରିୟତା ଯୀଶୁଙ୍କଠାରୁ ଅଧିକ ହୋଇଯାଇଛି’ ପାଇଁ ଦଳକୁ ବିଭିନ୍ନ ସ୍ଥାନରେ ବିରୋଧ ଓ ହିଂସାର ସମ୍ମୁଖୀନ ହେବାକୁ ହେଲା । ତେଣୁ ବାଧ୍ୟ ହୋଇ ବ୍ୟାଣ୍ଡ ଟୁରରେ ନ ଯାଇ ଗତିବିଧିକୁ କେବଳ ଷ୍ଟୁଡିଓରେ ଗୀତ ରେକର୍ଡିଂ ମଧ୍ୟରେ ସୀମିତ ରଖିଲା । ଦଳକୁ ବାନ୍ଧି ରଖି ପାରୁଥିବା ମ୍ୟାନେଜର ବ୍ରିଆନ ଏପଷ୍ଟିନଙ୍କ 1967ରେ ମୃତ୍ୟୁ ମଧ୍ୟ ଦଳ ପାଇଁ ଚଡକ ପରି ହେଲା । ଦଳର ଚାରି କଳାକାର ହଠାତ୍ ଚାରି ଜଣ ବ୍ୟବସାୟୀ ପାଲଟିଗଲେ  ଓ ଦଳରେ ଏକ ଦୃଢ ମ୍ୟାନେଜରର ନେତୃତ୍ୱର ଅଭାବ ହିଁ ଦଳ ଭାଙ୍ଗିବାର ଏକ ବଡ କାରଣ ପାଲଟିଲା । ଦଳରେ ପଲ ମାକାର୍ଟିନିଙ୍କର ଅନ୍ୟମାନଙ୍କ ଉପରେ ଆଧିପତ୍ୟ ବିସ୍ତାର କରିବାର ପ୍ରବୃତ୍ତି, ଲେନନଙ୍କ ନିଶା ସେବନ, ବ୍ୟବସାୟଜନିତ ଅସୁବିଧା ଇତ୍ୟାଦି ମଧ୍ୟ ଦଳ ଭାଙ୍ଗିବାର କାରଣ ଥିଲା । ତେବେ ବିଟଲସର ପ୍ରଶଂସକମାନଙ୍କ ମଧ୍ୟରୁ କିଛି ଆଜି ଯାଏଁ ଦଳ ଭାଙ୍ଗିବା ପଛରେ ଜନ ଲେନନଙ୍କ ଜୀବନ ଭିତରକୁ ୟୋକୋ ଓନୋଙ୍କ ପ୍ରବେଶକୁ ଦାୟୀ କରିଥାଆନ୍ତି ଓ ତାଙ୍କୁ ‘ଡ୍ରାଗନ ଲେଡି’ର ଆଖ୍ୟା ଦେବାକୁ ବି ପଛାଇ ନ ଥାଆନ୍ତି । ଓନୋଙ୍କ ସଂସ୍ପର୍ଶରେ ଆସିବା ପରେ ଲେନନଙ୍କ ପ୍ରାଥମିକତା ସବୁ ବଦଳିଗଲା । ଷ୍ଟୁଡିଓ ପରିସରରେ ଓ ରେକର୍ଡିଂ ସମୟରେ ଲେନନଙ୍କ ସହ ଓନୋ ମଧ୍ୟ ଆସିବାକୁ ଲାଗିଲେ ଓ ତାଙ୍କ ଉପସ୍ଥିତିକୁ ଦଳର ଅନ୍ୟମାନେ ସହଜରେ ଗ୍ରହଣ କରି ପାରିଲେ ନାହିଁ  । ଏହା ସଦସ୍ୟଙ୍କ ମଧ୍ୟରେ ତିକ୍ତତା ବୃଦ୍ଧିର କାରଣ ପାଲଟିଥିଲା । 7 ବର୍ଷ ଧରି ସଫଳତାର ସହ କାର୍ଯ୍ୟ କରିବା ପରେ ପରିଶେଷରେ ସେପ୍ଟେମ୍ୱର 1969ରେ ‘ବିଟଲସ୍’ ରକ ବ୍ୟାଣ୍ଡ ଭାଙ୍ଗି ଯାଇଥିଲା । ଏହା ଭାଙ୍ଗିଯିବା ପରେ ବିଶ୍ୱ ସଙ୍ଗୀତ ଇତିହାସରେ ଏକ ସୁବର୍ଣ୍ଣ ଅଧ୍ୟାୟର ପରିସମାପ୍ତି ଘଟିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ପରବର୍ତ୍ତୀ ସମୟରେ ଏହାର ଚାରି ଜଣ ଯାକ କଳାକାର ବ୍ୟକ୍ତିଗତ ଭାବେ ଗୀତ ପ୍ରସ୍ତୁତ କରି ନିଜ ଖ୍ୟାତିକୁ ଅତୁଟ ରଖି ପାରିଥିଲେ ।

ଏମିତି ଏକ ସମୟରେ ‘ଇମାଜିନ’ ଗୀତଟି ତିଆରି ହୋଇଥିଲା ଯେତେବେଳେ ଜନ ଲେନନଙ୍କ କ୍ୟାରିଅର ଅନିଶ୍ଚିତତା ଭିତର ଦେଇ ଗତି କରୁଥାଏ । ବିଟଲସ ଗ୍ରୁପ ଭାଙ୍ଗିବାର ମାତ୍ର ବର୍ଷେ ହୋଇଥାଏ । ଗ୍ରୁପର ଅନ୍ୟତମ ସଦସ୍ୟ ପଲ ମାକାର୍ଟନି ଗ୍ରୁପର ଚୁକ୍ତିଭିତ୍ତିକ ଭାଗିଦାରୀକୁ ଭଙ୍ଗ କରିବାକୁ ଏକ ମାମଲା ରୁଜ୍ଜୁ କରିଥାଆନ୍ତି । ଏତିକିବେଳେ ପତ୍ନୀ ୟୋନୋଙ୍କ ଜନ୍ମଦିନରେ ତାଙ୍କୁ ଏକ ନୂଆ ପିଆନୋ ଉପହାର ଦେଲେ ଲେନନ । ସେହି ପିଆନୋରେ ବନ୍ଧା ହୋଇଗଲା ‘ଇମାଜିନ’ର କାଳଜୟୀ ସ୍ୱର । ‘ଇମାଜିନ’ ଗୀତଟିର ପ୍ରଯୋଜକ ଥିଲେ ସ୍ୱୟଂ ଜନ୍ ଲେନନ, ତାଙ୍କ ପତ୍ନୀ ୟୋକୋ ଓନୋ ଏବଂ ବନ୍ଧୁ ହାର୍ଭେ ଫିଲିପ ସ୍ପେକ୍ଟର । ସ୍ପେକ୍ଟର ଆମେରିକାର ଜଣେ ସୁପ୍ରସିଦ୍ଧ ରେକର୍ଡ ପ୍ରଯୋଜକ, ସଙ୍ଗୀତଜ୍ଞ ଓ ଓ ସଙ୍ଗୀତକାର ଥିଲେ । ଗୀତଟିର ପ୍ରାଥମିକ ରେକର୍ଡିଂ ମଇ 1971ରେ ଇଂଲଣ୍ଡର ଟିଟିନହର୍ଷ୍ଟ ପାର୍କସ୍ଥିତ ଲେନନଙ୍କ ଆସ୍କଟ ହୋମ ଷ୍ଟୁଡିଓରେ ହୋଇଥିଲା । ତେବେ ଏହାର ଓଭର ଡବିଂ ନିଉୟର୍କର ‘ରେକର୍ଡ ପ୍ଲାଣ୍ଟ’ଠାରେ ହୋଇଥିଲା ଓ ଗୀତଟିର ପୂରା ରେକର୍ଡିଂ ମଇ 27ରୁ ଆରମ୍ଭ ଜୁଲାଇ 4, 1971 ଅର୍ଥାତ୍ ମାତ୍ର 40 ଦିନ ମଧ୍ୟରେ ସରିଥିଲା । ଗୀତଟିର ଚୂଡାନ୍ତ ସଂସ୍କରଣରେ ଲେନନଙ୍କ କଣ୍ଠସ୍ୱର ଥିଲା ବେଳେ ବିଭିନ୍ନ ବାଦ୍ୟଯନ୍ତ୍ରରେ ଥିଲେ ପିଆନୋରେ ଲେନନ, ବାସ ଗିଟାରରେ କ୍ଲସ ଭୁରମାନ, ଡ୍ରମସରେ ଆଲାନ ହ୍ୱାଇଟ ଏବଂ ଷ୍ଟ୍ରିଙ୍ଗସରେ ଫ୍ଲକ୍ସ ଫିଡଲରସ୍ । ଗୀତଟି ସେହି ବର୍ଷ ଅକ୍ଟୋବର 8ରେ ଆମେରିକାରେ କମ ଟ୍ରାକ ବିଶିଷ୍ଟ ଗୋଟିକିଆ (ସିଙ୍ଗଲ୍)  ଗୀତ (ଆଲବମ ବା ଏଲ ପି ନୁହେଁ) ଭାବେ ମୁକ୍ତିଲାଭ କରିବା ମାତ୍ରେ ଜନପ୍ରିୟ ହେବାକୁ ଲାଗିଲା । ଚାହୁଁ ଚାହୁଁ ଏହା ସେଠାରେ ‘ବିଲବୋର୍ଡ’ ପତ୍ରିକା ଦ୍ୱାରା ଲୋକପ୍ରିୟ ଗୀତଗୁଡିକର ପ୍ରତି ସପ୍ତାହରେ ପ୍ରସ୍ତୁତ ହେଉଥିବା ଚାର୍ଟ ‘ହଟ 100’ରେ ତୃତୀୟ ସ୍ଥାନକୁ ଉନ୍ନୀତ ହେଲା । ତେବେ ଗୀତଟି ଇଂଲଣ୍ଡରେ ମୁକ୍ତିଲାଭ କଲା ବେଳକୁ ଆହୁରି ଚାରି ବର୍ଷ ଲାଗିଗଲା । ସେଠାରେ ମଧ୍ୟ ଏହା ଏତେ ଲୋକପ୍ରିୟ ହେଲା ଯେ ସେହି ବର୍ଷ ‘ୟୁକେ ସିଙ୍ଗଲସ ଚାର୍ଟ’ରେ ତାହା ଷଷ୍ଠ ସ୍ଥାନରେ ପହଞ୍ଚିଗଲା । ଡିସେମ୍ୱର 8, 1980ରେ ଜନ ଲେନନଙ୍କ ହତ୍ୟା ହେଲା ପରେ ଗୀତଟି ଅଧିକ ଲୋକପ୍ରିୟ ହୋଇ 1981ରେ ଲଗାତାର ଚାରି ସପ୍ତାହ ଧରି ସେହି ଚାର୍ଟର ଶୀର୍ଷରେ ରହିଥିଲା । ଆଜି ମଧ୍ୟ ଏହି ଗୀତର ଲୋକପ୍ରିୟତା ଏପରି ଅତୁଟ ରହିଛି ଯେ କେବଳ ବ୍ରିଟେନରେ 2013 ସୁଦ୍ଧା ଗୀତଟିର 16 ଲକ୍ଷରୁ ଅଧିକ କପି ବିକ୍ରି ହୋଇ ସାରିଛି । ଲଣ୍ଡନଠାରେ 2012ରେ ଅନୁଷ୍ଠିତ ହୋଇଥିବା ଅଲିମ୍ପିକ ଖେଳରେ ବି ଏହି ଗୀତଟିକୁ ପରିବେଷଣ କରା ଯାଇଥିଲା ଏବଂ ଠିକ ତା’ ପରେ ପରେ ଗୀତଟି ପୁଣି ସେଠାକାର ଶ୍ରେଷ୍ଠ 40ଟି ଗୀତର ତାଲିକାରେ ସ୍ଥାନ ପାଇଥିଲା ।

‘ଇମାଜିନ’ ଗୀତଟିର ରଚନାକୁ ନେଇ ଅନେକ ରୋଚକ ତଥ୍ୟ ରହିଛି । ଦୀର୍ଘ ଦିନ ଧରି ଜନ ଲେନନଙ୍କୁ ଏହି ଗୀତଟିର ଗୀତିକାରର ଶ୍ରେୟ ଦିଆ ହୋଇ ଆସୁଥିଲା । ତେବେ 1980ରେ ଲେନନ ତାଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ଏକ ସାକ୍ଷାତକାରରେ ସ୍ୱୀକାର କରିଥିଲେ ଯେ ଗୀତଟିର ରଚନାରେ ଓନୋଙ୍କର ମଧ୍ୟ ଅବଦାନ ରହିଛି । ତେଣୁ ଦୀର୍ଘ ଦିନ ପରେ ଉଭୟ ଜନ ଉଇନଷ୍ଟନ ଲେନନ ଓ ୟୋକୋ ଓନୋଙ୍କୁ ନ୍ୟାସନାଲ ମ୍ୟୁଜିକ ପବ୍ଲିଶର୍ସ ଆସୋସିଏସନ ଦ୍ୱାରା ଜୁନ 14, 2017ରୁ ଏହି ଗୀତର ଯୁଗ୍ମ ରଚୟିତା ଭାବେ ଘୋଷଣା କରାଗଲା । 1933ରେ ଜନ୍ମଲାଭ କରିଥିବା ମଲଟିମିଡିଆ ଜାପାନୀ କଳାକାର ୟୋକୋ ଓନୋ ଏକାଧାରରେ ଜଣେ ଗାୟକ, ସଙ୍ଗୀତକାର, ଫିଲ୍ମନିର୍ମାତା, ଚିତ୍ରକର ଓ ଶାନ୍ତି କର୍ମୀ ଥିଲେ । 1966ରେ ଲଣ୍ଡନର ଇଣ୍ଡିକା ଗ୍ୟାଲେରିରେ ଓନୋଙ୍କ ସହ ଲେନନଙ୍କର ପ୍ରଥମ ସାକ୍ଷାତ ହୋଇଥିଲା ତାଙ୍କର ଚିତ୍ରର ଏକ ପ୍ରଦର୍ଶନୀର ପ୍ରିଭିଉ ଅବସରରେ । ସେଠାରେ ଲେନନ ଓନୋଙ୍କର ଏକ ଚିତ୍ର ‘ହାମର’ରେ କଣ୍ଟାଟିଏ ମାରିବାକୁ ଚାହିଁବାରୁ ଓନୋ ରାଜି ହୋଇ ନ ଥିଲେ । ତେବେ ସେ ସେଥିପାଇଁ 5 ସିଲିଂ ଦେଲେ ସେ କଣ୍ଟା ମାରି ପାରିବେ ବୋଲି କହିଥିଲେ । ଲେନନ ତୁରନ୍ତ ତାଙ୍କୁ ଆଉ ଏକ ପ୍ରସ୍ତାବ ଦେଇ କହିଲେ ମନେକର (ଇମାଜିନ) ମୁଁ ତମକୁ ମିଛିମିଛିକା 5 ସିଲିଂ ଦେଲି ଓ ମିଛିମିଛିକା କଣ୍ଟାଟିଏ ମାରିଲି । ଉଭୟଙ୍କ ମଧ୍ୟରେ ତା’ ପରର କଥୋପକଥନ ‘ଇମାଜିନ’ ଶବ୍ଦକୁ ଆଧାର କରି ହେବାକୁ ଲାଗିଲା ଓ ଉଭୟ ହସି ଉଠିଲେ । କ୍ରମେ ଉଭୟ ଉଭୟଙ୍କ ପ୍ରତି ଆକୃଷ୍ଟ ହେଲେ ଓ ପରବର୍ତ୍ତୀ ସମୟରେ ତାହା ବିବାହର ରୂପ ନେଇଥିଲା । ଓନୋଙ୍କ 1964ରେ ପ୍ରକାଶିତ ଏକ କବିତା ପୁସ୍ତକ ‘ଗ୍ରେପଫ୍ରୁଟ’ର ଅନେକ କବିତାରେ ସେ ‘ଇମାଜିନ’ ଶବ୍ଦଟିର ପ୍ରୟୋଗ କରିଥିଲେ । ସେହି ଶବ୍ଦ ଏବଂ ସଂକଳ୍ପନା ଲେନନଙ୍କୁ ‘ଇମାଜିନ’ ଶବ୍ଦକୁ ବ୍ୟବହାର କରି ଗୀତଟିକୁ ସଂରଚନା କରିବା ପାଇଁ ଅନୁପ୍ରେରିତ କରିଥିଲା । ସେ ତାଙ୍କ ଅନ୍ୟ କେତେକ ଗୀତରେ ମଧ୍ୟ ‘ଇମାଜିନ’ ଶବ୍ଦର ବ୍ୟବହାର କରିଛନ୍ତି । ଆମେରିକୀୟ ଅଭିନେତା ଡିକ ଗ୍ରେଗରି ଦେଇଥିବା ଏକ ଖ୍ରୀଷ୍ଟିଆନ ପ୍ରାର୍ଥନା ବହିରେ ଥିବା ‘ସକାରାତ୍ମକ ପ୍ରାର୍ଥନା’ (ପଜିଟିଭ ପ୍ରେୟାର)ର ସଂକଳ୍ପନା ଦ୍ୱାରା ପ୍ରଭାବିତ ହୋଇ ଲେନନ ଗୀତଟିରେ ‘ନାହିଁ ଧର୍ମ ବୋଲି କିଛି’ ଶବ୍ଦଗୁଡିକର ବ୍ୟବହାର କରିଥିଲେ । ସେହି ଗୀତଟିର ଓଡିଆ ଅନୁବାଦ କିଛିଟା ନିମ୍ନ ପ୍ରକାରେ :

 

ମନେ କର  

ମୂଳ ଇଂରାଜୀ ଗୀତ : ଇମାଜିନ

ଗୀତିକାର : ଜନ ଉଇନଷ୍ଟନ ଲେନନ ଓ ୟୋକୋ ଓନୋ

ଅନୁବାଦ : ସରଳ କୁମାର ଦାସ

 

ମନେ କର ନାହିଁ ସ୍ୱର୍ଗ ବୋଲି କିଛି

ଭାରି ସହଜ ଯଦି ତମେ ଚାହଁ

ତଳେ ନାହିଁ ନର୍କ ବୋଲି କିଛି

ଉପରେ ଆମ ଖାଲି ଆକାଶ

 

ମନେ କର ସବୁ ଲୋକ

ବଞ୍ଚିଛନ୍ତି ଖାଲି ଆଜି ଲାଗି

ଉହୁ – ଉହୁ

 

ମନେ କର ନାହିଁ ଦେଶ ବୋଲି କିଛି

ମନେ କରିବା ନୁହେଁ ଜମା କଷ୍ଟ

ନାହିଁ କାରଣ ହତ୍ୟା କି ମୃତ୍ୟୁ ଲାଗି

ଏମିତି କି ନାହିଁ ଧର୍ମ ବୋଲି କିଛି

 

ମନେ କର ସବୁ ଲୋକ

ବଞ୍ଚିଛନ୍ତି ଶାନ୍ତିରେ

ଉହୁ – ଉହୁ

 

ହୁଏତ ମୁଁ ସ୍ୱପ୍ନ ଦେଖୁଛି

ହେଲେ ଖାଲି ମୁଁ ଏକୁଟିଆ ନୁହଁ

ସ୍ୱପ୍ନ ଦେଖିବ ଦିନେ ତମେ ବି

ଆଉ ପୃଥିବୀ ହେବ ଏକ

 

ମନେ କର ନାହିଁ ସମ୍ପତ୍ତି ବୋଲି କିଛି

ପାରିବ କି ମନେ କରି

ଲୋଭ ନାହିଁ କି ନାହିଁ ଭୋକ

ମଣିଷର ବନ୍ଧନ ଖାଲି ଭ୍ରାତୃତ୍ୱର

 

ମନେ କର ସବୁ ଲୋକ

ମିଳିମିଶି ଚଳୁଛନ୍ତି ବିଶ୍ୱରେ

ଉହୁ – ଉହୁ

 

ହୁଏତ ମୁଁ ସ୍ୱପ୍ନ ଦେଖୁଛି

ହେଲେ ଖାଲି ମୁଁ ଏକୁଟିଆ ନୁହଁ

ସ୍ୱପ୍ନ ଦେଖିବ ଦିନେ ତମେ ବି

ଆଉ ପୃଥିବୀ ରହିଥିବ ହୋଇ ଏକ

            କେବଳ ଶ୍ରୋତା ବା ଦର୍ଶକଙ୍କ ମଧ୍ୟରେ ନୁହେଁ ବରଂ ଗୀତଟି ଅନେକ ଗାୟକ ଗାୟିକାଙ୍କ ମଧ୍ୟରେ ଏତେ ଆଦୃତି ଲାଭ କରିଛି ଯେ ପ୍ରାୟ 200ରୁ ଊର୍ଦ୍ଧ୍ୱ ପ୍ରତିଷ୍ଠିତ କଳାକାର ଏହି ଗୀତଟିକୁ ଗାଇ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ନିଲ୍ ୟଙ୍ଗ, ଖ୍ରୀସ କର୍ଣ୍ଣେଲ, ଇଭା କାସିଡି, ମାଡୋନା, ଲେଡି ଗାଗା, ଡାଏନା ରସ, ଏଲଟନ ଜନ ପ୍ରମୁଖ । ଆମେରିକାର ଅଗ୍ରଣୀ ସଂସ୍ଥା ବ୍ରଡକାଷ୍ଟ ମ୍ୟୁଜିକ ଇଙ୍କ (ବିଏମଆଇ) ଦ୍ୱାରା ପ୍ରସ୍ତୁତ ବିଂଶ ଶତାବ୍ଦୀର ସର୍ବଶ୍ରେଷ୍ଠ 100ଟି ପ୍ରଦର୍ଶିତ ଗୀତ (ପରଫର୍ମଡ ସଙ୍ଗ) ତାଲିକାରେ ଏହି ଗୀତଟି ସ୍ଥାନ ପାଇଛି । ରେକର୍ଡିଂ ଇଣ୍ଡଷ୍ଟ୍ରି ଆସୋସିଏସନ ଅଫ ଆମେରିକା (ରିଆ) ଦ୍ୱାରା ପ୍ରସ୍ତୁତ ବିଂଶ ଶତାବ୍ଦୀର ଶ୍ରେଷ୍ଠ 365ଟି ଗୀତର ତାଲିକାରେ ଏହାକୁ 30ତମ ସ୍ଥାନ ମିଳିଛି । ଜେଫ୍ରି ଜୁଲିଆନୋଙ୍କ ପୁସ୍ତକ ‘ଲେନନ ଇନ ଆମେରିକା’ରେ ଲେନନ ‘ଇମାଜିନ’ ଗୀତ ସମ୍ପର୍କରେ ନିଜସ୍ୱ ମତ ରଖି କହିଛନ୍ତି, “ଏହା ଧର୍ମ ବିରୋଧୀ, ଜାତୀୟତାବାଦ ବିରୋଧୀ, ଗତାନୁଗତିକତା ବିରୋଧୀ, ପୁଞ୍ଜିବାଦ ବ୍ୟବସ୍ଥା ବିରୋଧୀ … କିନ୍ତୁ ଶର୍କରା ଲେପିତ ହୋଇଥିବାରୁ ଏହା ଗ୍ରହଣୀୟ ହୋଇଯାଇଛି ।“ ‘ଇମାଜିନ’ ଗୀତକୁ ନେଇ ଭିନ୍ନ ଭିନ୍ନ ଗୋଷ୍ଠୀଙ୍କର ଭିନ୍ନ ଭିନ୍ନ ମତ ରହିଛି । ଅନେକେ ଏହାକୁ ଶାନ୍ତିର ସଙ୍ଗୀତ (Anthem) ରୂପେ ଗ୍ରହଣ କରନ୍ତି । କିନ୍ତୁ ଏହାର ସମାଲୋଚକମାନେ ବି ଗୀତଟି ସମ୍ପର୍କରେ କଟୂ ମନ୍ତବ୍ୟ ଦେବାକୁ ପଛାଇ ନାହାନ୍ତି । ଗୀତଟି ମୁକ୍ତିଲାଭ କଲା ପରେ 1971ରେ ‘ରୋଲିଙ୍ଗ ଷ୍ଟୋନ’ ପତ୍ରିକାର ସମୀକ୍ଷକ ବେନ ଗେରସନ ଲେଖିଥିଲେ, “ଗାୟନ କୌଶଳବିହୀନ ଚିରାଚରିତ ହୋଇଥିବା ବେଳେ ସ୍ୱରରେ ସେ ଭଳି କୌଣସି ସ୍ୱାତନ୍ତ୍ର୍ୟ ନାହିଁ ।“ ହେଲେ ସେହି ଗୀତର ଭାବ, ସ୍ୱର, ଗାୟନ ଶୈଳୀ ଏତେ ବେଶି ହୃହୟସ୍ପର୍ଶୀ ଯେ 50 ବର୍ଷ ପରେ ବି ତାହା ଏକ କାଳଜୟୀ ଗୀତ ହୋଇ ବିଶ୍ୱର କୋଣ ଅନୁକୋଣରେ ଥିବା ଶ୍ରୋତାଙ୍କୁ ମୋହାଚ୍ଛନ୍ନ କରି ବାନ୍ଧି ରଖିବାକୁ ସକ୍ଷମ ହୋଇଛି ।

      

ସରଳ କୁମାର ଦାସ

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

www.SaralJatil.com

 

About ସରଳ କୁମାର ଦାସ

Check Also

ସଂସ୍କୃତି ସଂରକ୍ଷକ ସ୍ରଷ୍ଟା କାଳୀଚରଣ

କାଳୀଚରଣଙ୍କକର ଜନ୍ମ ଓଡ଼ିଆ ସଂସ୍କୃତିର ଏକ ବିପର୍ଯ୍ୟସ୍ତ ସମୟରେ ବିଂଶ ଶତାବ୍ଦୀ ଆରମ୍ଭର ଅବ୍ୟବହିତ ପୂର୍ବରୁ । ୧୮୭୬ ମସିହାରେ …

Leave a Reply

Your email address will not be published. Required fields are marked *