Home / ବ୍ୟକ୍ତି ଓ ବ୍ୟକ୍ତିତ୍ୱ / ଜଣେ ଅନନ୍ୟ ଶିକ୍ଷକରୁ ବିଶିଷ୍ଟ ଜୈବକୃଷକ ନଟବର ଷଡ଼ଙ୍ଗୀ (ପ୍ରଥମ ଭାଗ )

ଜଣେ ଅନନ୍ୟ ଶିକ୍ଷକରୁ ବିଶିଷ୍ଟ ଜୈବକୃଷକ ନଟବର ଷଡ଼ଙ୍ଗୀ (ପ୍ରଥମ ଭାଗ )

ନଟବର ଷଡ଼ଙ୍ଗୀଙ୍କର ଶିକ୍ଷକ ଜୀବନ

ପୁରାଣ ପ୍ରସିଦ୍ଧ ନଈଟିଏ । ନାଁ ତାର ପ୍ରାଚୀ । ନଈର ଦୁଇ ପାର୍ଶ୍ୱରେ ଦୁଇଟି ଗାଁ, ଗୋଟିଏ କଟକ ଜିଲ୍ଲାର ନିଆଳୀ ଆଉ ଆରଟି ଅବିଭିକ୍ତ ପୁରୀ ଜିଲ୍ଲାର ନରିଶୋ । ଦୁଇ ଗାଁର ସମ୍ପର୍କ ଖୁବ ନିବିଡ଼ । ଏ ଗାଁର ଚାଷୀ ତା’ର ବିଭିନ୍ନ ଫସଲ ନେଇ ଆର ଗାଁ ହାଟରେ ବିକେ । ଆର ଗାଁର ଝିଅଏ ଗାଁର ଯୁବକକୁ ନିଜର ସ୍ୱାମୀ ରୂପେ ପାଇଲେ ନିଜକୁ ଧନ୍ୟ ମନେକରେ । ସେଇ ନିଆଳୀ ଗାଁର ଝିଅଟିଏ ଚଂଚଳା ଦେବୀ । ସିଏ ବିବାହ କରି ଥିଲେ ନରିଶୋର ଶ୍ରୀଯୁକ୍ତ ଉଦୟ ନାଥ ଷଡ଼ଙ୍ଗୀକୁ । ସେ ଦୁଇଜଣର ଅତି ଆଦରର ଜ୍ୟେଷ୍ଠ ସନ୍ତାନ ଥିଲେ ଶ୍ରୀମାନ ନଟବର ଷଡ଼ଙ୍ଗୀ । ଚଂଚଳା ଦେବୀଙ୍କର ତିନି ଜଣ ସୁପୁତ୍ର ଓ ତିନି ଜଣ ସୁପୁତ୍ରୀଙ୍କ ମଧ୍ୟରେ ସାନ ଭାଇ ଭଉଣୀମାନଙ୍କର ସେ ଥିଲେ ଗୃହଶିକ୍ଷକ ।

ଏକ କୃଷକ ଦମ୍ପତ୍ତିଙ୍କର ଅଲିଅଳ ପୁତ୍ର ହିସାବରେ ପିତାମାତାଙ୍କର ଅମାପ ଭଲପାଇବା ସହ ଭାଇ ଭଉଣୀମାନଙ୍କର ଦାୟିତ୍ୱ ନେଉଥିଲେ।  ସେ ପରିବାରରେ ପ୍ରାଚୁର୍ଯ୍ୟ ନଥିଲା କି ଅଭାବ ମଧ୍ୟ ନ ଥିଲା । ନଟବରଙ୍କର ଜନନୀଙ୍କର ଥିଲା ତୀକ୍ଷ୍ଣ ଦୂରଦୃଷ୍ଟି । ଯଦିଓ ତାଙ୍କର କୌଣସି ଔପଚାରିକ ଶିକ୍ଷାଗତ ଯୋଗ୍ୟତା ନଥିଲା ତଥାପି ବିଭିନ୍ନ ଶାସ୍ତ୍ର ପୁରାଣ ଶୁଣି ଶୁଣି ସେ ଜୀବନକୁ ଖୁବ୍ ଭଲଭାବେ ଚିହ୍ନିଥିଲେ । ସାଧାରଣ ଗ୍ରାମୀଣ ମହିଳାଙ୍କ ଠାରୁ ବହୁଗୁଣରେ ସେ ଆଗୁଆ ଥିଲେ ।

ନିଜର ଶିକ୍ଷା ସମାପ୍ତ ପରେ ଶିକ୍ଷକତା କରିବାକୁ, ନଟବର ଅଧିକ ପସନ୍ଦ କରିଥିଲେ । କିଛି ଦିନ ଗଲେ ପୁରୀ । ଏରଞ୍ଚ ଓ ବନମାଳୀପୁରରେ ଶିକ୍ଷକତା କରିବା ପରେ ତାଙ୍କୁ ତାଙ୍କର ନିଜେ ପଢ଼ିଥିବା ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ଶିକ୍ଷକତା କରିବାର ସୁଯୋଗ ମିଳିଥିଲା ବି.ଜେ.ବି କଲେଜ୍‌ର ଫିଜିକ୍ସ ଡିପାର୍ଟମେଣ୍ଟ ହେଉ ବା ଖଡ଼ଗପୁର ରେଲୱେ ଷ୍ଟେସନର ଷ୍ଟେସନ ମାଷ୍ଟର ଏ ସବୁ ବୃତ୍ତିର ଆକର୍ଷଣୀୟ ପଦ ମର୍ଯ୍ୟାଦା କି ଅଧିକ ବେତନ ଠାରୁ ନିଜ ଅଂଚଳର ବିଦ୍ୟାଳୟରେ ଶିକ୍ଷକତା ତାଙ୍କୁ ଅଧିକ ଆକର୍ଷଣୀୟ ମନେ ହୋଇଥିଲା ।

ନରିଶୋରେ ରହି ନିଆଳୀ ବିଦ୍ୟାଳୟକୁ ଯାଇ ସେଠାରେ ଶିକ୍ଷାଦାନ କରିବା ଥିଲା ତାଙ୍କର ସବୁଠାରୁ ଆନନ୍ଦ ଦାୟକ କାମ, ଅଧିକାଂଶ ସମୟ ସେ ସାଇକେଲ୍‌ରେ ଯାଉଥିଲେ । ସମୟେ ସମୟେ ଚାଲି ଚାଲି ଯାଉଥିଲେ।

 ସେ ସମୟରେ ନରିଶୋ ପଞ୍ଚାୟତରେ ଉଚ୍ଚ ଇଂରାଜୀ ବିଦ୍ୟାଳୟ ନଥିଲା ତେଣୁ ନରିଶୋର ସବୁ ଛାତ୍ର ଛାତ୍ରୀ ନିଆଳୀ ଯାଉଥିଲେ । ନଟବର ଷଡ଼ଙ୍ଗୀ କୌଣସି ପ୍ରଶିକ୍ଷଣ ମହାବିଦ୍ୟାୟରେ ଅଧ୍ୟୟନ କରିନଥିଲେ କି ଶିକ୍ଷା ବିଷୟଟି ମଧ୍ୟ ପଢ଼ିନଥିଲେ ମାତ୍ର ତାଙ୍କର ଶିକ୍ଷାଦାନ ଶୈଳୀ ଥିଲା ଅପୂର୍ବ । ସେ କୌଣସି ଦିନ କାହାକୁ ପରୀକ୍ଷାରେ ଅଧିକ ନମ୍ବର ରଖିବା ପାଇଁ ପଢ଼ଉ ନ ଥିଲେ । ତାଙ୍କ ହିସାବରେ ଜୀବନ ପାଇଁ ଶିକ୍ଷାର ଆବଶ୍ୟକତା ଖୁବ୍ ଜରୁରୀ ଥିଲା । ଜଣେ ଶିକ୍ଷକଙ୍କର ଯେଉଁ ସବୁ ଗୁଣ ରହିବା କଥା ସେସବୁ ତାଙ୍କ ଭିତରେ ଭରପୁର ଥିଲା ।

ଶ୍ରୀଯୁକ୍ତ ନଟବର ଷଡ଼ଙ୍ଗୀ ଜଣେ ଛାତ୍ରବତ୍ସଳ ଶିକ୍ଷକ ଥିଲେ ଓ ତାଙ୍କ ଛାତ୍ରମାନଙ୍କୁ ସେ ନିଜର ସନ୍ତାନ ସଦୃଶ ଭଲ ପାଉଥିଲେ । ଯେଉଁ ଛାତ୍ରମାନେ ପରୀକ୍ଷା ଫିସ୍ ବା କୌଣସି ଚାନ୍ଦା ଦେବାକୁ ଅସମର୍ଥ ଥିଲେ ସେ ସେମାନଙ୍କୁ ପଇସା ଦେଉଥିଲେ କିନ୍ତୁ ସେମାନେ ଯେପରି ଏକଥାକୁ ସାହାଯ୍ୟ ମନେ ନକରନ୍ତି ସେଥିପାଇଁ ଯତ୍ନବାନ୍ ଥିଲେ। ବହି କିଣି ପାରୁ ନଥିବା ପିଲାଙ୍କୁ ମଧ୍ୟ ଉପର ଶ୍ରେଣୀର ପିଲାଙ୍କ ଠାରୁ ବହି ଆଣି ଯୋଗାଇ ଦେଉଥିଲେ। ତାଙ୍କ ନିକଟରେ ସବୁ ପିଲା ସମାନ ଥିଲେ । ସମସ୍ତେ ଭାବୁଥିଲେ ସାର୍ ମୋତେ ସବୁଠାରୁ ବେଶି ଭଲ ପାଆନ୍ତି ।

କୌଣସି ଛାତ୍ର ଯଦି ବିଦ୍ୟାଳୟରେ ଅନୁପସ୍ଥିତ ରହେ ତେବେ ତା’ର କାରଣ ଅନୁସନ୍ଧାନ କରୁଥିଲେ, ବହୁତ ପିଲା ସାମାଜିକ କୁସଂସ୍କାର ଓ ଅନ୍ଧବିଶ୍ୱାସର ଶିକାର ହୋଇ ଅସୁସ୍ଥତାର ମୁକାବିଲା କରିବା ପାଇଁ ଗୁଣି ଗାରେଡ଼ି, ହୁକୁମ ଓ ବାବାଙ୍କର ଆଶ୍ରୟ ନେଉଥିଲେ । ଶ୍ରୀଯୁକ୍ତ ଷଡ଼ଙ୍ଗୀ ଏ ସବୁର ପ୍ରତିବାଦ କରିବା ସହ ଛାତ୍ରମାନେ କିପରି ସୁବିଧାରେ ଚିକିତ୍ସା ସହାୟତା ପାଇବେ ଓ ସଂକ୍ରାମକ ରୋଗରୁ ରକ୍ଷା ପାଇବେ ସେ ବ୍ୟବସ୍ଥା କରୁଥିଲେ । ବିଦ୍ୟାଳୟକୁ ଦୂର ଗ୍ରାମରୁ ଆସୁଥିବା ଛାତ୍ରମାନଙ୍କର ଅସୁବିଧା ପ୍ରତି ନଜର ରଖୁଥିଲେ ।

ଶ୍ରୀଯୁକ୍ତ ଷଡ଼ଙ୍ଗୀ ଜଣେ କର୍ତ୍ତବ୍ୟ ନିଷ୍ଠ ଶିକ୍ଷକ ଥିଲେ । ନିଜର କାମକୁ ସେ ଖୁବ୍ ଭଲପାଉଥିଲେ । କୌଣସି ବିଷୟ ପଢ଼େଇଲା ବେଳେ ସେ ଛାତ୍ରଟିଏ ହୋଇ ଯାଉଥିଲେ। ଛାତ୍ର ମନରେ ଯେଉଁ ସବୁ ପ୍ରଶ୍ନ ଉଠିପାରେ ସେ ସବୁ ବୁଝି ଛାତ୍ରର ସ୍ତରକୁ ଯାଇ ସେ ପାଠ ବୁଝାଉଥିଲେ । ତାଙ୍କ ମତରେ ପ୍ରତ୍ୟେକ ପାଠର ଜୀବନରେ ଗୁରୁତ୍ୱ ଅଛି । ପଢ଼ାଯାଉଥିବା ପାଠ ବଂଚିବା ପାଇଁ କିପରି ସାହାଯ୍ୟ କରିବ ଜାଣି ପାରିଲେ ଛାତ୍ରମାନେ ପାଠ ପ୍ରତି ଅଧିକ ମନଯୋଗୀ ହୋଇଉଠନ୍ତେ। ଶିକ୍ଷାଦାନ ସମୟରେ ସବୁଛାତ୍ର ବୁଝିବା ପର୍ଯ୍ୟନ୍ତ, ସେ ବିଷୟକୁ ବୁଝାନ୍ତି । ବିଦ୍ୟାଳୟରେ ଥିବା ସମସ୍ତ ବିଷୟ କିପରି ପରସ୍ପର ସହ ସଂପର୍କିତ ସେ କଥା ତାଙ୍କ ଶିକ୍ଷା ଦାନରୁ ବୁଝା ପଡ଼େ । ପିରିୟଡ଼ ସରିବା ପୂର୍ବରୁ କେବେ ଶ୍ରେଣୀ ଛାଡ଼ି ଚାଲି ଯାଆନ୍ତି ନାହିଁ ।

କୌଣସି ଶିକ୍ଷକଙ୍କ ଅନୁପସ୍ଥିତିରେ ଯଦି ସେ ତାଙ୍କ ଶ୍ରେଣୀକୁ ଯାଇଥାନ୍ତି ତେବେ ଛାତ୍ରମାନଙ୍କୁ ଖୁବ୍ ଶିକ୍ଷଣୀୟ ସାଧାରଣ ଜ୍ଞାନ, ବିଜ୍ଞାନ ଅଥବା ଦେଶର ରାଜନୈତିକ ବାତାବାରଣ ସମ୍ପର୍କରେ ଆଲୋଚନା କରିଥାନ୍ତି । ଆଲୋଚନାରେ ସବୁ ପିଲା ଅଂଶ ଗ୍ରହଣ କରିବାକୁ ସୁଯୋଗ ପାଇଥାନ୍ତି । ଜଣେ ଶିକ୍ଷକ ଶ୍ରେଣୀ କକ୍ଷରେ ନେତୃତ୍ୱ ନେବା ଆବଶ୍ୟକ । ଶ୍ରୀଯୁକ୍ତ ଷଡ଼ଙ୍ଗୀ ତାଙ୍କ ଛାତ୍ରମାନଙ୍କ ପାଇଁ ଜଣେ ଆଦର୍ଶ ନେତା । ସବୁଠୁ ବଡ଼ କଥା ହେଲା ଛାତ୍ରମାନେ କେମିତି ଭଲ ନେତା ହେଉପାରିବେ ସେଥିପ୍ରତି ସେ ସଜାଗ ଥିଲେ । ଛାତ୍ରମାନଙ୍କର ବ୍ୟବହାରକୁ ଦୂରରୁ ତଥା ନିକଟରୁ ଅନୁଧ୍ୟାନ କରି ସେ ସେମାନଙ୍କ ପ୍ରତିଭାର ଅନ୍ୱେଷଣ କରୁଥିଲେ । ପ୍ରତିଭାର ବିକାଶ ସାଧନ ପାଇଁ ସେ ଯତପରୋନାସ୍ତି ଉଦ୍ୟାମ କରୁଥିଲେ ।

ଆଚରଣ ଓ ଉଚ୍ଚାରଣରେ ସମାନତା ତାଙ୍କ ଚରିତ୍ରର ଏକ ବଳିିଷ୍ଠ ଦିଗ । ଛାତ୍ରମାନଙ୍କୁ ଯେଉଁ କାମ କରିବା ପାଇଁ ସେ ବାରଣ କରନ୍ତି ସେପରି କାର୍ଯ୍ୟ ସେ କେବେ ବି କରନ୍ତି ନାହିଁ । ନିଆଳୀରେ ବହୁତ ମୁସଲମାନ ବାସ କରନ୍ତି । ସେମାନେ ସଂଖ୍ୟା ଲଘୁ ସମ୍ପ୍ରଦାୟ ହୋଇଥିବାରୁ ସାଧାରଣରେ ସେମାନଙ୍କୁ ଛୁଇଁବାକୁ, ତାଙ୍କ ସହ ଏକାଠି ଖାଇବାକୁ କି ତାଙ୍କ ସହ ବଂଧୁତା କରିବାକୁ କେହି ପସନ୍ଦ କରୁନଥିଲେ । ଶ୍ରେଣୀ କକ୍ଷରେ ସବୁ ଶିକ୍ଷକମାନେ ସେମାନଙ୍କ ଠାରୁ ଯଥେଷ୍ଟ ଦୂରତା ରକ୍ଷା କରୁଥିଲେ କିନ୍ତୁ ପଢ଼େଇଲା ବେଳେ କହୁଥିଲେ ସମସ୍ତେ ଈଶ୍ୱରଙ୍କ ସନ୍ତାନ ସମାନ । ହିନ୍ଦୁମାନଙ୍କ ମଧ୍ୟରେ ମଧ୍ୟ ବିଭିନ୍ନ ଜାତି ବିଭେଦ ଥାଇ ଛୁଆଁ ଅଛୁଆଁ ଭେଦଭାବ ଥିଲା । ଶ୍ରୀଯୁକ୍ତ ଷଡ଼ଙ୍ଗୀ କିନ୍ତୁ ଏ ସବୁ କଥାକୁ ଖାତିର କରୁନଥିଲେ । ଇଦ୍ ପର୍ବରେ ସେ ତାଙ୍କର ପ୍ରିୟ ସାଙ୍ଗ ଆବାସ୍ ସାର୍‌ଙ୍କ ଘରକୁ ଯାଇ ଖାଇକି ଆସୁଥିଲେ । ଦଶହରା ଦିନ ତାଙ୍କ ପୁଅର ପ୍ରିୟ ସାଙ୍ଗ ଉସିମ୍ ମିଆଁ ଡାକି ଘରର ପିଠାଖୁଆଉ ଥିଲେ । କିଏ କ’ଣ କହିବ ସେଥିପ୍ରତି ସେ କେବେ ଖାତିର୍ କରୁନଥିଲେ ।

ତାଙ୍କ ସାନ ଭାଇର ପ୍ରିୟ ସାଙ୍ଗ ଥିଲେ ଡାକ୍ତର କମ୍ରୁଲ ହୋଦା । ସବୁ ଛାତ୍ରଙ୍କ ପାଇଁ ତାଙ୍କ ଘରର ଦରଜା ସର୍ବଦା ଖୋଲାଥିଲା । ଟିକମ୍ ମିଆଁ, ଫକୀର ସିଂ, ପୂର୍ଣ୍ଣ ମଲ୍ଲିକ, ବାସୁଦେବ ସାହୁ ରାଜେନ୍ଦ୍ର ତ୍ରିପାଠୀ ଏ ସମସ୍ତେ ତାଙ୍କପାଇଁ ଏକାପରି ଥିଲେ । ଛାତ୍ରର ସମସ୍ୟା ଦେଖିଲାମାତ୍ରେ ସେ ତା’ର ଆସୁ ସମାଧାନ କରିବାକୁ ଆନ୍ତରିକ ଉଦ୍ୟମ କରୁଥିଲେ । ସମୟାନୁବର୍ତ୍ତୀତା ତାଙ୍କର ଏକ ବିଶେଷ ଗୁଣ । କୌଣସି ବିଶେଷ କାରଣ ନ ଥିଲେ ସେ କେବେ ବି ଡେରିରେ ଶ୍ରେଣୀ କକ୍ଷକୁ ଯାଉନଥିଲେ । ଅନ୍ୟ ଜଣେ ଶିକ୍ଷକ ନଆସିବା ପର୍ଯ୍ୟନ୍ତ ସେ ଶ୍ରେଣୀ ଛାଡୁ ନଥିଲେ। କଥା ଆଉ କାମରେ ଥିବା ଐକ୍ୟ ଯୋଗୁଁ ସେ ସମସ୍ତଙ୍କର ପ୍ରିୟ ଥିଲେ ।

ଦିନଟିଏ ମଧ୍ୟ କୌଣସି ପ୍ରଶିକ୍ଷଣ ବିଦ୍ୟାଳୟରେ ପ୍ରଶିକ୍ଷିତ ନହୋଇ ମଧ୍ୟ ତାଙ୍କର ଶିକ୍ଷା ଦାନର ଶୈଳୀ ଥିଲା ଅନନ୍ୟ । ସକ୍ରେଟିସ୍‌, ପ୍ଲାଟୋ, ବ୍ରଟାଣ୍ଡ ରସେଲ୍‌, ଇଭାନ୍ ଉଲିଚ୍‌ଙ୍କ ଶିକ୍ଷା ଦର୍ଶନକୁ ସେ ନିଷ୍ଠାର ସହ ଅଧ୍ୟୟନ କରୁଥିଲେ ଏବଂ ଶିକ୍ଷାଦାନ ସମୟରେ ପ୍ରୟୋଗ କରୁଥିଲେ । ଛାତ୍ର ମାନଙ୍କ ଆବଶ୍ୟକତାକୁ ଲକ୍ଷ୍ୟରେ ରଖି ସେ ତାଙ୍କର ଅଲିଖିତ ପାଠ୍ୟ ଯୋଜନା ପ୍ରସ୍ତୁତ କରୁଥିଲେ । ଦୁର୍ବଳ ଛାତ୍ରମାନଙ୍କ ପ୍ରତି ସେ ଅଧିକ ସଂବେଦନଶୀଳ ଥିଲେ । ସେମାନେ ବୁଝିବା ପର୍ଯ୍ୟନ୍ତ ସେ ବୁଝାଉଥିଲେ ।

ଗୋଟେ ବହୁତ ସହଜ ଓ ଶିକ୍ଷଣୀୟ ଧାରାରେ ସେ ପଢ଼ଉଥିଲେ। ଯେକୌଣସି ବିଷୟ (ସାହିତ୍ୟ, ଗଣିତ, ବିଜ୍ଞାନ…) ପଢ଼ାଇଲା ବେଳେ ସେହି ବିଷୟଟି ଜୀବନରେ କିପରି ଦରକାରରେ ଲାଗିବ ତା’ର ପ୍ରୟୋଗ କିପରି ହୋଇପାରିବ ସେକଥା ସେ ବୁଝାଇ ଦେଉଥିଲେ । ଯାହା କିଛି ପୁସ୍ତକ ମାଧ୍ୟମରେ ବିଦ୍ୟାଳୟରେ ଶିକ୍ଷା ଦିଆଯାଏ ସେସବୁ ଯେ ଭବିଷ୍ୟତ ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ ସେ କଥା ସେ ଜୀବନ୍ତ ଉଦାହରଣ ମାଧ୍ୟମରେ ଉପସ୍ଥାପନ କରୁଥିଲେ । ସାଧାରଣତଃ ଭୂଗୋଳ ପଢ଼ିବାକୁ ଅଧିକ ଛାତଛାତ୍ରୀ ବିଶେଷ ଆଗ୍ରହ ପ୍ରକାଶ କରନ୍ତିନି କିନ୍ତୁ ଯଦି ଶିକ୍ଷକମାନେ ଶ୍ରୀଯୁକ୍ତ ଷଡ଼ଙ୍ଗୀଙ୍କ ଧାରାରେ ପଢ଼ାଇବାକୁ ଚେଷ୍ଟା କରନ୍ତେ ତେବେ ଭୂଗୋଳ ମଧ୍ୟ ରସାଳିଆ ଗପ ପରି ଆନନ୍ଦ ଦାୟକ ହୋଇ ପାରନ୍ତା ।

ଏକବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଆମ ରାଷ୍ଟ୍ରପତି ଅବ୍‌ଦୁଲ କାଲାମ୍ ଆଖି ଖୋଲା ରଖି ସ୍ୱପ୍ନ ଦେଖିବାକୁ ଆହ୍ୱାନ ଦେଇଛନ୍ତି ମାତ୍ର କାହିଁ କେତେ ଆଗରୁ ୧୯୬୦ ମସିହା ବେଳୁ ଶ୍ରୀଯୁକ୍ତ ଷଡଙ୍ଗୀ ଛାତ୍ରମାନଙ୍କୁ ଉଚ୍ଚାଭିଳାଷୀ ହେବାକୁ ପ୍ରେରଣା ଦେଉଥିଲେ । ଛାତ୍ରର ସାମର୍ଥ୍ୟ ଅନୁସାରେ ତା ଆଖିରେ ସ୍ୱପ୍ନର ଅଂଜନ ମାଖି ଦେବାରେ ସେ ପାରଙ୍ଗମ ଥିଲେ । ନାନାଦି କାରଣରୁ କେତେକ ଛାତ୍ର ଶିକ୍ଷା ସମାପ୍ତି ପୂର୍ବରୁ ବିଦ୍ୟାଳୟ ପରିତ୍ୟାଗ କରୁଥିଲେ । ବାଟଘାଟରେ ସେମାନଙ୍କ ସହିତ ଭେଟ ହେଲେ ସେମାନେ କରୁଥିବା କାମକୁ କିପରି କଲେ ବଂଚିବା ସେମାନଙ୍କ ପାଇଁ ସହଜ ଓ ସୁଗମ ହେବ ସେ ବୁଝାଇ ଦେଉଥିଲେ ।

ପାନ ବରଜରେ କାମ କରୁଥିବା ଛାତ୍ର ତାଙ୍କର ପରାମର୍ଶ ପାଇଁ ଆସିଲେ ସେ ତାକୁ ଉପଯୁକ୍ତ ଦିଗଦର୍ଶନ ଦେଉଥିଲେ । ପ୍ରଶାସନିକ ଅଧିକାରୀ ପଦ ପାଇଁ ଆଶାୟୀ ଛାତ୍ରଟିଏ ତାଙ୍କ ପାଖକୁ ଆସିଲେ ସେ ତାକୁ ଅନୁରୂପ ଦିଗ୍‌ଦର୍ଶନ ଦେଉଥିଲେ । ଛାତ୍ରମାନେ ତାଙ୍କ ଠାରୁ ଶିଖୁଥିଲେ, କର୍ମ ହିଁ ଭଗବାନ । ସେ କେବେ ବି ଭଗବାନଙ୍କ କଥା କହି ଛାତ୍ର ମାନଙ୍କୁ ଦୁର୍ବଳ କରୁନଥିଲେ । ଅନ୍ୟ ପକ୍ଷରେ ସେ ଛାତ୍ର ମାନଙ୍କର ବ୍ୟକ୍ତିତ୍ୱର ସନ୍ତୁଳିତ ବିକାଶ ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରୁଥିଲେ ।

କୋଠାରୀ କମିଶନ୍ ତାଙ୍କ ରିପୋର୍ଟରେ ବିଦ୍ୟାଳୟମାନଙ୍କରେ ଛାତ୍ର ଓ ଛାତ୍ରୀମାନଙ୍କର ବୈଜ୍ଞାନିକ ମନୋଭାବର ବିକାଶ ପାଇଁ କର୍ମାନୁଭୂତି ମାଧ୍ୟମରେ ଶିକ୍ଷା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଶ୍ରୀଯୁକ୍ତ ଷଡ଼ଙ୍ଗୀ ମଧ୍ୟ ସେହି ସମୟରେ ତାଙ୍କ ବିଦ୍ୟାଳୟରେ ବିଜ୍ଞାନଗାରରେ ବିଭିନ୍ନ ପରୀକ୍ଷା କରି ପ୍ରତ୍ୟକ୍ଷ ଶିକ୍ଷା ଦାନର ବ୍ୟବସ୍ଥା କରୁଥିଲେ । ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ସମୟରେ ବିଦ୍ୟାଳୟର ଛୁଟି ରହେ, ସେତେବେଳେ ସେ ନିଜ ଗାଁରେ ଥିବା ଛାତ୍ରଛାତ୍ରୀମାନଙ୍କୁ ଡାକି ଏହି ମହାଜାଗତିକ କ୍ରିୟାକୁ ଦର୍ଶନ କରାଉଥିଲେ । (ବିଭିନ୍ନ ସରଳ ଯନ୍ତ୍ର ସାହାଯ୍ୟରେ)

ଯେଉଁ ଛାତ୍ରମାନେ ଉଚ୍ଚ ପ୍ରତିଭାର ଅଧିକାରୀଥିଲେ ସେମାନେ କିପରି ନିଜର ଭବିଷ୍ୟତ ଗଠନ କରିବେ ସେ ବିଷୟରେ ସେମାନଙ୍କୁ ଉତ୍ସାହିତ କରୁଥିଲେ । ଛାତ୍ର ଛାତ୍ରୀଙ୍କ ମନରୁ ହୀନମାନ୍ୟତା ଦୂର କରିବାକୁ ସେ କେବଳ କହୁନଥିଲେ ବରଂ ନାନା ଜ୍ୱଳନ୍ତ ଉଦାହରଣର ସାହାଯ୍ୟରେ ସେଇ କାମଟି କରୁଥିଲେ । ଦୁର୍ବଳ ଛାତ୍ରମାନଙ୍କ ମଧ୍ୟରେ କିପରି କୌଣସି ଏକ କୌଶଳର ବିକାଶ ହୋଇ ପାରିବ ସେଥିପ୍ରତି ମଧ୍ୟ ସେ ଦୃଷ୍ଟି ରଖୁଥିଲେ ।

ନିଆଳୀ ଉଚ୍ଚ ଇଂରାଜୀ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ଅନେକ ଛାତ୍ରଛାତ୍ରୀ କେବଳ ଓଡ଼ିଶା କି ଭାରତ ନୁହେଁ ବିଦେଶ ମାଟିରେ କାମ କରି ନିଜକୁ ଗୌରବାନ୍ୱିତ ମନେ କରନ୍ତି । ଛାତ୍ରଟିଏ ଶ୍ରଯୁକ୍ତ ଷଡ଼ଙ୍ଗୀଙ୍କ ପ୍ରତି ଯଦିବା କେବେ ବିରୋଧୀ ମନଭାବ ରଖିଥାଏ ସେଥିପ୍ରତି ସେ କେବେ ବି ପ୍ରତିକ୍ରିୟା ପ୍ରଦର୍ଶନ କରନ୍ତି ନାହିଁ । ସେଇ ଛାତ୍ରଟିର ଯଦି କେବେ ଆବଶ୍ୟକତା ପଡ଼େ ଶ୍ରୀଯୁକ୍ତ ଷଡ଼ଙ୍ଗୀ ତାକୁ ଅକୁଣ୍ଠ ସାହାଯ୍ୟ କରିଥାନ୍ତି । କାହାର ଭୁଲ୍ ବାଛିବାକୁ ସେ ଆଦୌ ପସନ୍ଦ କରୁ ନଥିଲେ ବରଂ ଜଣେ ଭୁଲ ବାଟରୁ ମୁକୁଳି କେମିତି ଠିକ୍ ଦିଗରେ ଯିବ ସେଥିପ୍ରତି ସେ ନଜର ଦେଉଥିଲେ ।

ଛାତ୍ରଛାତ୍ରୀମାନଙ୍କର ସାମଗ୍ରୀକ ବିକାଶ ପାଇଁ ଷଡ଼ଙ୍ଗୀ ସାର୍ ସହଶିକ୍ଷା ଓ ବାହ୍ୟଶିକ୍ଷା କାର୍ଯ୍ୟକ୍ରମ ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ। ବିଦ୍ୟାଳୟରେ ତଥା ବିଦ୍ୟାଳୟ ବାହାରେ ଛାତ୍ରଛାତ୍ରୀମାନଙ୍କ ଶାରିରୀକ ବିକାଶ ପାଇଁ ସେ କ୍ରୀଡ଼ା ଶିକ୍ଷକଙ୍କ ସହ ମିଳିତ ହୋଇ ସଦାସର୍ବଦା ନାନାଦି ପ୍ରକାରର କ୍ରୀଡ଼ାର ଆୟୋଜନ କରୁଥିଲେ । ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ସମୟରେ ସେ ଛାତ୍ରମାନଙ୍କୁ ଖୁବ୍ ଉତ୍ସାହିତ କରୁଥିଲେ ।

ଛାତ୍ରଛାତ୍ରୀମାନଙ୍କର ଆବେଗିକ, ବିକାଶ ପାଇଁ ବିଦ୍ୟାଳୟରେ ନାଚ, ଗୀତ, ଅଭିନୟ, ବକୃତା ପ୍ରତିଯୋଗିତା ଇତ୍ୟାଦି କାର୍ଯକ୍ରମ ସେ ନିୟମିତ ଭାବେ ଆୟୋଜନ କରୁଥିଲେ। ତାଙ୍କ ବିଦ୍ୟାଳୟ ଏକ ମାତୃଭାଷା ମାଧ୍ୟମ ବିଦ୍ୟାଳୟ । ନିଜର ଅନୁଭୂତିରୁ ସେ ଜାଣିଥିଲେ ଯେ ଉଚ୍ଚଶିକ୍ଷା ପାଇବା ପାଇଁ ଇଂରାଜୀ ଉପରେ ଅଧିକ ଦଖଲ ଥିବା ଆବଶ୍ୟକ। ସେଥିପାଇଁ ତାଙ୍କ ପିଲାଙ୍କର ଇଂରାଜୀ ଜ୍ଞାନ ବଢ଼ାଇବା ପାଇଁ ପ୍ରାର୍ଥନା ପରେ ପରେ ଇଂରାଜୀରେ ଖବର ପଢ଼ିବା ପାଇଁ ସେ ପିଲାମାନଙ୍କୁ ପ୍ରବର୍ତ୍ତାଉଥିଲେ ।

ଇଂରାଜୀ ପଢ଼ାଇବା ସମୟରେ ସେ ଛାତ୍ରମାନଙ୍କୁ ସେଇ ଭାଷାରେ କଥୋପକଥନ ପାଇଁ ଉତ୍ସାହିତ କରୁଥିଲେ ଓ ଆବଶ୍ୟକୀୟ ସାହାଯ୍ୟ ମଧ୍ୟ କରୁଥିଲେ । ଏବେ ସିନା ଗ୍ରାମାଞ୍ଚଳରୁ ଭୁବନେଶ୍ୱର, କଟକ, ପୁରୀ ପରି ସହରକୁ ଆସିବା ସହଜ ହୋଇଗଲାଣି କିନ୍ତୁ ଷାଠିଏ ଦଶକ ବେଳେ ଗମନାଗମନର ଏତେ ସୁବିଧା ନଥିଲା । ଛାତ୍ର ଛାତ୍ରୀମାନଙ୍କୁ କଟକ ଭୁବନେଶବ ନେଇ ବିଭିନ୍ନ ପ୍ରକାରର ପ୍ରଦର୍ଶନୀ ଓ ସର୍କସ ଦେଖାଇବାର ବ୍ୟବସ୍ଥା କରୁଥିଲେ । NCC, Red cross ଓ Scout ଛାତ୍ରମାନଙ୍କୁ ରାଜ୍ୟର ବିଭିନ୍ନ ସ୍ତାନକୁ ନେଇ କ୍ୟାମ୍ପ କରଉଥିଲେ । ବିଦ୍ୟାଳୟର ପରିବେଶକୁ ସଫା ସୁତୁରା ଓ ସୁନ୍ଦର ରଖିବାକୁ ଛାତ୍ରମାନଙ୍କୁ ପ୍ରବର୍ତ୍ତାଉ ଥିଲେ ।

ଉଚ୍ଚାଭିଳାଷୀ ଛାତ୍ରମାନେ କିପରି ନିଜର ଲକ୍ଷ ସ୍ଥଳରେ ପହଂଚିପାରିବେ ସେଥିପାଇଁ ସେମାନଙ୍କ ମନରେ ପୁସ୍ତକ ଅଧ୍ୟୟନ ତଥା ବିଭିନ୍ନ ପ୍ରକାରର ଆଲୋଚନାରେ ଅଂଶ ଗ୍ରହଣ କରିବା ପାଇଁ ଆଗ୍ରହ ସୃଷ୍ଟି କରୁଥିଲେ । ଛାତ୍ର ମାନଙ୍କୁ ବିଭିନ୍ନ ଦର୍ଶନୀୟ ସ୍ଥାନକୁ ପରିଦର୍ଶନ ପାଇଁ ନେବା ବିଦ୍ୟାଳୟର ପାଖାପାଖି ସୁନ୍ଦର ସ୍ଥାନରେ ବଣଭୋଜୀ କରିବା ପାଇଁ ସେ ଖୁବ୍ ଭଲ ପାଉଥିଲେ ।

୨୦ ଦଶକରେ ନିଆଳୀରେ କେବଳ ଦୈନିକ ସମାଜ ମିଳୁଥିଲା । ଇଂରାଜୀ ଖବର କାଗଜ କି କୌଣସି ପ୍ରକାର ଇଂରାଜୀ ପତ୍ରିକା ମିଳୁ ନଥିଲା କିନ୍ତୁ ଶ୍ରୀଯୁକ୍ତ ଷଡ଼ଙ୍ଗୀ Illustrated weekly, Blitz, Statesman, Readers digest, soviet Desh ପରି ଇଂରାଜୀ ପତ୍ର ପତ୍ରିକା ଓ ଖବର କାଗଜର ନିୟମତି ଗ୍ରାହକ ଥିଲେ । ତାଙ୍କ ଘର ପାଖରେ ରହୁଥିବା ଛାତ୍ରଛାତ୍ରୀ ମାନଙ୍କୁ ସେସବୁ ପଢ଼ିବା ପାଇଁ ଉତ୍ସାହିତ କରୁଥିଲେ । ସେ ବହୁତ ପଢ଼ାପଢ଼ି କରୁଥିଲେ ବିଭିନ୍ନ ବୌଦ୍ଧିକ ଆଲୋଚନାରେ ଅଂଶଗ୍ରହଣ କରୁଥିଲେ ରେଡ଼ିଓର ସର୍ବଦା ଖବର ଓ ଆଲୋଚନା ଶୁଣୁଥିଲେ ।

ସେ ନିଜେ ଖୁବ୍ ଆଧୁନିକ ମନୋଭାବର ଅଧିକାରୀ ଥିଲେ । କୌଣସିପ୍ରକାର କୁସଂସ୍କାରକୁ ସହ୍ୟ କରୁନଥିଲେ । ଭବିଷ୍ୟତ ନାଗରିକମାନେ କିପରି ନିର୍ଭିକ ହେବେ, ନିର୍ଭୟରେ ନିଜର ମତବ୍ୟକ୍ତ କରିପାରିବେ, କେମିତି ଭୁଲ୍ ଠିକ୍ ଜାଣି ପାରିବେ ସେଥିପାଇଁ ସେ ସବୁବେଳେ ଚେଷ୍ଟା କରୁଥିଲେ।

 ବଂଚିବା ପାଇଁ ଯେ ଧର୍ମର କୌଣସି ଆବଶ୍ୟକତା ନାହିଁ ଏ କଥା ସେ ଖୁବ୍ ଭଲଭାବରେ ଜାଣିଥିଲେ । ସେ କୌଣସି ଧର୍ମ ଜନିତ ବାହ୍ୟ ଆଚରଣରେ ଆଦୌ ବିଶ୍ୱାସ କରୁନଥିଲେ । ସେ ଜଣେ ଧର୍ମ ନିରପେକ୍ଷ ଓ ମାନବ ଧର୍ମରେ ବିଶ୍ୱାସ କରୁଥିବା ଶିକ୍ଷକ । ଷହଙ୍ଗୀ ସାର ସର୍ବଦା ପଡ଼ିବାକୁ ଭଲ ପାଉଥିଲେ । ଯଦି କେବେ କିଛି ପଇସା ତାଙ୍କ ପାଖରେ ରହି ଯାଉଥିଲା ତତ୍‌କ୍ଷଣାତ୍ ସେ ବହି କିଣି ପକଉଥିଲେ । କଟକ କିମ୍ବା ଯେତେବେଳେ ବି ବାହାରକୁ ଯାଉଥିଲେ କୌଣସି ବିଳାସ ସାମଗ୍ରୀ ନ କିଣି ବହି କିଣୁଥିଲେ । ବହି ପଢ଼ିବା ତାଙ୍କର ଏକ ମାତ୍ର ନିଶା ଥିଲା । ବହି ଦ୍ୱାରା ଅନୁପ୍ରାଣିତ ହୋଇ ସେ ଗଭୀର ଅନ୍ତର୍ଦୃଷ୍ଟି ଓ ପ୍ରଖର ଦୂରଦୃଷ୍ଟିର ଅଧିକାରୀ ହୋଇପାରିଥିଲେ ।

ଜଣେ ସୁଶିକ୍ଷକ ହେବା ପାଇଁ ଜ୍ଞାନର ପ୍ରଦୀପକୁ ଅଧ୍ୟୟନର ଇନ୍ଧନ ଯୋଗେ ଅହରହ ପ୍ରଜ୍ଜଳିତ ରଖିବା ଯେ ଏକାନ୍ତ ଆବଶ୍ୟକ ଏକଥା ସେ ମର୍ମେ ମର୍ମେ ଅନୁଭବ କରିଥିଲେ । ୧୯୬୦ରୁ ୧୯୯୨ ଦୀର୍ଘ ୩୨ବର୍ଷ ସେ ଗ୍ରାମାଞ୍ଚଳର ଶିକ୍ଷାନୁଷ୍ଠାନପରେ ଶିକ୍ଷକତା କରିଥିଲେ । ସେ ସମୟରେ ଛାତ୍ର, ଅଭିଭାବକ ସମସ୍ତେ ଶିକ୍ଷକମାନଙ୍କୁ ଖୁବ୍ ଗୁରୁତ୍ୱ ଦେଉଥିଲେ । ଛାତ୍ର ବତ୍ସଳ ଶିକ୍ଷକମାନଙ୍କର ସମ୍ମାନ ସ୍ୱତନ୍ତ୍ର ଥିଲା । କେହି ବି କୌଣସି ସମସ୍ୟାରେ ପଡ଼ି ଯଦି ଷଡ଼ଙ୍ଗୀ ସାର୍‌ଙ୍କ ନିକଟକୁ ଆସୁଥିଲେ ସେ ତା’ର ସମାଧାନ କରିବା ପାଇଁ ଯତପରୋନାସ୍ତି ଉଦ୍ୟମ କରୁଥିଲେ ।

ସାହିତ୍ୟ, ଦର୍ଶନ, ବିଜ୍ଞାନ, ଶରୀର ତତ୍ତ୍ୱ , ସମାଜ ତତ୍ତ୍ୱ ତଥା ସଂସ୍କୃତି ସଂପର୍କୀୟ ବହି ସେ ପଢ଼ୁଥିଲେ । ସେ କହୁଥିଲେ ଏବଂ ବିଶ୍ୱାସ ମଧ୍ୟ କରୁଥିଲେ ଯେ ସବୁ ସମସ୍ୟାର ସମାଧାନର ବାଟ ବହି ଭିତରେ ଅଛି । ଯଦିଓ ସେ କୌଣସି ଧାର୍ମିକ ଅନୁଷ୍ଠାନକୁ ପସନ୍ଦ କରୁ ନଥିଲେ କିନ୍ତୁ ତଥାପି ବିଭିନ୍ନ ଧର୍ମର ତତ୍ତ୍ୱ ଉପରେ ତାଙ୍କର ଦଖଲ ଥିଲା । ପ୍ରକୃତି ଓ ପୁସ୍ତକ ପ୍ରତି ତାଙ୍କର ଗଭୀର ପ୍ରେମଥିଲା। ପ୍ରତିଦିନ ସେ ମୁକୁଳା ଆକାଶ ତଳେ ଚାଲି ଚାଲି କିଛି ସମୟ କଟଉଥିଲେ । ପ୍ରକୃତିର ପ୍ରତ୍ୟେକ ଉପାଦାନର ସେ ଜୀବନ ପାଇଁ ଆବଶ୍ୟକୀୟ ତଥ୍ୟ ସବୁ ସଂଗ୍ରହ କରିଯାଇଥିଲେ ।

ଶିକ୍ଷାନୁଷ୍ଠାନର ସମସ୍ତ ସହକର୍ମିଙ୍କୁ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଭଲ ପାଉଥିଲେ । ନିଆଳୀ ଉଚ୍ଚ ଇଂରାଜୀ ବିଦ୍ୟାଳୟର ଅଧିକାଂଶ କର୍ମଚାରୀ ସେଇ ପାଖାପାଖି ଅଂଚଳର ଥିଲେ । ଶ୍ରୀଯୁକ୍ତ ଷଡ଼ଙ୍ଗୀଙ୍କ ସହ ସବୁରି ବ୍ୟକ୍ତିଗତ ସମ୍ପର୍କ ଭଲଥିଲା । ସମସ୍ତଙ୍କର ପାରିବାରିକ ସୁଖ ଦୁଃଖରେ ତାଙ୍କର ଭାଗିଦାରୀ ଥିଲା । ଯେଉଁ ଶିକକ୍ଷମାନେ ବାହାରୁ ଆସୁଥିଲେ ସେମାନଙ୍କ ସହ ସେ ଖୁବ୍ ଆନ୍ତରିକ ସଂପର୍କ ସ୍ଥାପନ କରୁଥିଲେ । ନିଜ ପରିବାରର ଛୋଟ ଛୋଟ ଉତ୍ସବକୁ ସେ ସେମାନଙ୍କୁ ନିମନ୍ତ୍ରଣ କରୁଥିଲେ । ସେମାନେ କିପରି ସେଠିକାର ଲୋକମାନଙ୍କ ସହ ସୁ ସଂପର୍କ ରଖିପାରିବେ ସେଥିପ୍ରତି ଧ୍ୟାନ ଦେଉଥିଲେ । ଯୁବ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ ସେ ନିଜର ସନ୍ତାନ ସଦୃଶ ବ୍ୟବହାର କରୁଥିଲେ । ସେମାନଙ୍କର ସନ୍ତାନମାନଙ୍କର ସେ ପ୍ରିୟ ନଟ ଅଜାଥିଲେ ।

ପ୍ରକୃତି ଜ୍ଞାନର ଗନ୍ତାଘର । ଜୀବନକୁ ସରସ ଓ ସୁନ୍ଦର କରିବା ପାଇଁ ପ୍ରକୃତି ତା’ର ବିସ୍ତିର୍ଣ୍ଣ ବିଜ୍ଞାନଗାରରେ ଅହରହ ଗବେଷଣା ଚାଲୁରଖିଥାଏ । ସେଥିରୁ ଜ୍ଞାନ ଆହରଣ କରିବାକୁ ହେଲେ ଆମକୁ ଆମର ଇନ୍ଦ୍ରିୟମାନଙ୍କୁ ସର୍ବଦା ଖୋଲା ରଖିବାକୁ ହେବ । ସେଇମାନଙ୍କ ସାହାଯ୍ୟରେ ଆମେ ତତ୍ତ୍ୱକୁ ତଥ୍ୟରେ ପ୍ରକାଶିତ କରି ବ୍ୟବହାର କରିପାରିବା । ଏ କଥା ଷଡ଼ଙ୍ଗୀ ସାର ବୁଝିଥିଲେ ଏବଂ ବୁଝଉଥିଲେ । ତାଙ୍କର ଚିନ୍ତା, ଚେତନା ଓ ଯୋଜନା ସବୁକୁ ସେ ଖୁବ୍ ସୁନ୍ଦର ଭାବରେ ପରିଚାଳିତ କରିପାରୁଥିଲେ । ଶିକ୍ଷକତାର ଅନ୍ତିମ ସମୟ ପର୍ଯ୍ୟନ୍ତ ସେ ଖୁବ୍ କମ୍ ବେତନ ପାଉଥିଲେ ।

ନିଜର ଅଧିକାର ପାଇଁ ସେ କେବେ, ବି କୌଣସି ଅଫିସକୁ ଯାଇ କାହାରି ଅନୁଗ୍ରହ ଭୀକ୍ଷା କରି ନାହାଁନ୍ତି ଅର୍ଥ ଯେ ପ୍ରଗତି ପଥର ଅନ୍ତରାୟ ନୁହେଁ ଏ କଥା ତାଙ୍କ ଜାଣିଥିବା ସମସ୍ତେ ବିଶ୍ୱାସ କରିବେ । ତା’ଙ୍କର ମା’ ଶ୍ରୀମତୀ ଚଂଚଳା ଦେବୀ ସବୁ ବେଳେ କହୁଥିଲେ; ହାତରେ ସିନା ନାହିଁ ମୋ ଧନ ମନରେ ଅଛି ବଳ, ମନର ବଳେ କରି ପାରେ ମୁଁ ଦୁନିଆ ଟଳମଳ । ଶ୍ରୀଯୁକ୍ତ ଷଡଙ୍ଗୀ ମନ ବଳରେ ବଳୀୟାନ ଥିଲେ । ଯଦି ଆଜିର ଶିକ୍ଷକ ଶିକ୍ଷୟିତ୍ରୀମାନେ ଶ୍ରୀଯୁକ୍ତ ଷଡ଼ଙ୍ଗୀଙ୍କ ଶିକ୍ଷକତାର ପ୍ରଣାଳୀରୁ ନିଜ ବ୍ୟକ୍ତିତ୍ୱର ବିକାଶ ପାଇଁ କିଛି ଉପାଦାନ ପାଇପାରିବେ ତେବେ ଏ ଲେଖା ସାର୍ଥକ ମନେହେବ ।

About ଡ଼ଃ ନମୀତା ଷଡ଼ଙ୍ଗୀ

Avatar
ଅଧ୍ୟାପିକା

Check Also

ଭାଗବତ ପ୍ରସାଦଙ୍କୁ ଜାଣିବାର ପ୍ରୟାସରେ (ଭାଗବତ ପ୍ରସାଦଙ୍କ ଜୀବନ ଓ ଦର୍ଶନର କିଛି ଝଲକ)

ଓଡ଼ିଶାର ଗଞ୍ଜାମ ଜିଲ୍ଲା – କୋଦଳା ତହସିଲର ଗୋଟିଏ ସରଳରେଖା ବିନ୍ଦୁପରି ଗ୍ରାମଟିଏ ଲାଠୁଳି, ରଘୁନାଥପୁର । ସେହି ଗ୍ରାମରେ …

One comment

  1. Avatar

    ଉଚ୍ଚ କୋଟିର ଶିକ୍ଷକ ଓ ଅନୁଶୀଳନ ସାପେକ୍ଷ ବ୍ୟକ୍ତିତ୍ୱ । 🙏

Leave a Reply

Your email address will not be published. Required fields are marked *