Home / ଇତିହାସ / ଛୋଟ ମୋର ଗାଁ’ଟି (ଗୋବିନ୍ଦପୁରର ସାଂସ୍କୃତିକ ଜୀବନ)

ଛୋଟ ମୋର ଗାଁ’ଟି (ଗୋବିନ୍ଦପୁରର ସାଂସ୍କୃତିକ ଜୀବନ)

ଆଦିତ୍ୟ ବର୍ଦ୍ଧନ ଗଜପତି ଜିଲ୍ଲା ଗୁଣ୍ଡିମା ଆଦର୍ଶ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର । ସେ ନିଜ ଗାଁର ଜୀବନୀ ଲେଖିବା ଭିତରେ ଗାଁକୁ ପୁଣିଥରେ ବୁଝିବା ଓ ଭୌଗଳିକ ପରିସ୍ଥିତିକୁ ଜାଣିବାପାଇଁ ସକ୍ଷମ ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ତାଙ୍କର ଏହି ଗାଁ ଜୀବନୀ ଭିତରେ ଅନେକ କଥା ପ୍ରକାଶିତ ହୋଇଛି । ସମଧ୍ୱନି ଏହି ଛାତ୍ରଛାତ୍ରୀ ମାନଙ୍କୁ ଜଣେ ଜଣେ ଜୀବନୀ ଲେଖକ ଭାବରେ ଓ ଛାତ୍ର ସାମ୍ବାଦିକ ଭାବରେ ସମ୍ମାନିତ କରିବା ସହିତ ଏହି ନିଆରା ଉଦ୍ୟମକୁ ପ୍ରଶଂସା କରୁଛି । ଏହି ଉଦ୍ୟମ ରାଜ୍ୟର ଯୁବ ଛାତ୍ର ମାନଙ୍କୁ ନିଜ ଗାଁ ସମ୍ପର୍କରେ ଲେଖିବା ପାଇଁ ଓ ଗାଁ କୁ ଆଉଥରେ ଜାଣିବା ପାଇଁ ପ୍ରେରଣା ଦେବ । – ସମ୍ପାଦକ

ମୋ ଗାଁ ଗୋବିନ୍ଦପୁରଟି ସେଭଳି କିଛି ଐତିହ୍ୟ ସମ୍ପନ୍ନ ନ ହେଲେ ମଧ୍ୟ ପ୍ରାକୃତିକ ଓ ଭୌଗୋଳିକ ଦୃଷ୍ଟିରୁ ଭିନ୍ନ ଅଟେ । ଯାହା ଇତିହାସ କହେ ପାଖରେ ଥିବା ଆଦିମ ଜନଜାତି ଗ୍ରାମ ପତିଲିପଙ୍କାରେ କନ୍ଧ ସମ୍ପ୍ରଦାୟର ଲୋକମାନେ ବସବାସ କରୁଥିଲେ । ସେ ସମୟରେ ଅନେକ ଲୋକ ବେପାର ବାଣିଜ୍ୟ କରିବାକୁ ଆସୁଥିଲେ ସୁଦୂର ବଡ଼ଗଡ଼ ଅଞ୍ଚଳରୁ, ସେମାନଙ୍କ ସଂସ୍ପର୍ଶରେ ଆସୁଥିବା ଜନଜାତିମାନେ ବିଭିନ୍ନ ପ୍ରକାର ଜାତିକୁ ସ୍ଥାନ ଦେଇ ଗ୍ରାମ କରାଇଲେ ଓ ଚାଷବାସ ପାଇଁ ଜମି ମଧ୍ୟ ଦେଲେ ଏବଂ ଗାଁଟିକୁ ଗୋବିନ୍ଦପୁର ବୋଲି ନାମକରଣ କଲେ । ସର୍ବପରେ ପତିଲିପୁଙ୍କାର ଲୋକଙ୍କ ଜାଗାରେ ଗ୍ରାମଟି ହୋଇଥିବାରୁ ଗୋବିନ୍ଦପୁର ପୂର୍ବରୁ ପତି ଲଗାଗଲା ଓ ବର୍ତ୍ତମାନ ପତି ଗୋବିନ୍ଦପୁର ଭାବରେ ଗ୍ରାମଟି ପରିଚିତ ହେଲା ।

ଆମ ଗ୍ରାମଟି ପାଖାପାଖି ୩୦୦ ବର୍ଷ ପୂର୍ବରୁ ପ୍ରତିଷ୍ଠା ହୋଇଅଛି ଯାହା ବର୍ତ୍ତମାନର ବୃଦ୍ଧ ଲୋକମାନଙ୍କ ମୁଖରୁ ଶୁଣିବାକୁ ମିଳେ ଏବଂ ତାହା ବି ସଠିକ୍ ନୁହେଁ କାରଣ ବର୍ତ୍ତମାନର ବୃଦ୍ଧମାନେ ସେମାନଙ୍କ ଜେଜେ ବାପା ଓ ପଣି ଜେଜେ ବାପାଙ୍କୁ ଏଠାରେ ଦେଖୁଛନ୍ତି । ଏହି ଗ୍ରାମର ପ୍ରଥମ ବାସିନ୍ଦାମାନେ ହେଲେ ବର୍ଜ ନାୟକ, ସାଇବ ନାୟକ, ସଦା ପ୍ରଧାନ, କାଶି ପାତ୍ର, କାଳୁ ସାହୁ,ଦାମ ସାହୁ, ଅର୍ଜୁନ ନାୟକ, ଚୁରୀ ବେହେରା ଇତ୍ୟାଦି ।

ଆମ ଗାଁରେ ସେଭଲି କିଛି ବଡ ନଦୀ ନାହିଁ କେବଳ ଅନତି ଦୂରରେ ଛୋଟିଆ ନାଳ ପ୍ରବାହିତ ହେଉଛି, ତାର ନାମ ଚନ୍ଦନ ଗାଡି କାରଣ ସେହି ସମୟରେ ନାଳର ଉଭୟ ପାର୍ଶ ଗୁଡିଏ ଚନ୍ଦନ ଗଛରେ ପରିପୂର୍ଣ୍ଣ ଥିଲା ତେଣୁ ଏପରି ନାମ ହୋଇଛି । ବର୍ତ୍ତମାନ ଗାଁରେ ଥିବା କୁମୁଟି ଜାତି (ଆଦିକନ୍ଦ ପାତ୍ର, ରବିନ୍ଦ୍ର ପାତ୍ର, ମହେଶ୍ୱର ପାତ୍ର ଓ ରାମେଶ୍ୱର ପାତ୍ର ଙ୍କ) ଜେଜେ ବାପା ସ୍ୱର୍ଗତଃ କାଶି ପାତ୍ର ଗ୍ରାମ ନିକଟରେ ନିଜ ପାଇଁ ଏକ ପୋଖରୀ ଖୋଳାଇଥିଲେ । ପରେ ତାହା ପଂଚାୟତକୁ ହସ୍ତାନ୍ତର କରିଦେଲେ ଏବଂ ସରକାରଙ୍କ ଅନୁଦାନରେ ଆଉ ଦୁଇଟି ପୋଖରୀ ଓ ଗୋଟିଏ ଘାଇ କରାଯାଇଛି । ଘାଇଟିର ନାମ ହେଲା ବଡ ମଳେଇ ଘାଇ ।

ଗ୍ରାମଟିର ଚତୁଃପାର୍ଶ ବିରାଟ ଜଂଗଲରେ ପରିପୂର୍ଣ୍ଣ ଥିଲା । ପୂର୍ବପଟେ କରଡପଙ୍ଗା ପର୍ବତ, ପଶ୍ଚିମ ପଟେ ଗୁଡାରି ଜଙ୍ଗଲ, ଉତ୍ତର ପଟେ ରାଇଗାଡି ପର୍ବତ ଓ ଦକ୍ଷିଣ ପଟେ ପତିଲିପଙ୍କା ଗ୍ରାମ ଅବସ୍ଥିତ । ଗ୍ରାମର ଐଶାନ୍ୟ ଦିଗରେ ଛୋଟିଆ ଡଙ୍ଗରଟିଏ ଅବସ୍ଥିତ ଯେଉଁଠାରେ ବର୍ତମାନ ହନୁମାନଙ୍କର ଛୋଟିଆ ମନ୍ଦିର କରାଯାଇଛି । ଆମ ଗାଁର ଚତୁଃପାର୍ଶରେ ଥିବା ଜଙ୍ଗଲ, ପର୍ବତରେ ପ୍ରାୟ ଭାଲୁ, ବାଘ, ବାରହା, କୁଟ୍ରା, ଝିଙ୍କ, ଠେକୁଆ ଇତ୍ୟାଦି ପଶୁପକ୍ଷୀ ମାନଙ୍କର ଭେଁ ଭାଁ ଶୁଣିବାକୁ ମିଳେ । ଦିନଥିଲା ଲୋକେ ବଡବଡ ବାଘମାନଙ୍କୁ ମଧ୍ୟ ଶିକାର କରିବା କଥା ଶୁଣାଯାଏ। ଏଠାରେ ପ୍ରାୟ ସବୁ ପ୍ରକାର କୀଟପତଙ୍ଗ ଯଥା ଝିଟିପିଟି , ଗୋଧି, ଝୀଂଟିକା, ମୂଷା, ,ବେଙ୍ଗ, ସାପ, ପ୍ରଜାପତି, ପାଟପୋକ, ମାଛି, ମହୁମାଛି ଇତ୍ୟାଦି ଦେଖାଯାଆନ୍ତି । କୀଟନାଶକ ଔଷଧ ସିଞ୍ଚନ ଯୋଗୁଁ କିଛି ଲୋପ ପାଇଗଲେଣି । ଆମ ଗାଁ ଚତୁଃପାର୍ଶ ଜଙ୍ଗଲରେ ବିଭିନ୍ନ ପ୍ରକାରର ବୃକ୍ଷ ଦେଖାଯାଏ ଯଥା ବର , ଅଶ୍ୱତଥ୍‌, ଗମ୍ଭାରି, ବାଉଁଶ, ଆମ୍ବ, ପଣସ, ଶାଳ, ପିଆଶାଳ, ଶିଶୁଆ, କେନ୍ଦୁ, ହରଡା, ବାହାଡା, ତେନ୍ତୁଳି ଇତ୍ୟାଦି ଗଛ ଦେଖାଯାଏ । ଜଙ୍ଗଲ ବିଭାଗ ଦ୍ୱାରା ପ୍ରତିବର୍ଷ, ବୃକ୍ଷରୋପଣ ଓ ନବୀକରଣ କାର୍ଯ୍ୟ ଚାଲୁରହିଛି । ଫୁଲରେ  ଟଗର, କନ୍ୟାରି, ମନ୍ଦାର, ଗୋଳାପ, ମଲ୍ଲୀ, ଚମ୍ପା, ଡାଲିଆ, ଗେଣ୍ଡୁ, ଇଟିମଲା ଇତ୍ୟାଦି ଦେଖାଯାଏ । ଫଳରେ ଆମ୍ବ, ପଣସ, ପିଜୁଳି, ତେନ୍ତୁଲି, କଦଳୀ ଇତ୍ୟାଦି ଋତୁ ଅନୁଯାୟୀ ମିଳେ । ଏଠାକାର ଆଦୀବାସୀମାନଙ୍କର ମୁଖ୍ୟ ଫସଲ ହେଲା ଧାନ ଓ ମକା । ଏହାଛଡା ମୁଗ, ବିରି, କୋଳଥ, କାଲ, ମାଣ୍ଡିଆ, ଝୁଡଙ୍ଗ, କାନ୍ଦୁଲ, ଅଦା ,ହଳଦୀ ଇତ୍ୟାଦି ଶସ୍ୟ ଅମଳ କରାଯାଏ ।

ମୋର ଗ୍ରାମ ଗୋବିନ୍ଦପୁର ଗୋଟିଏ ବହୁ ପୁରାତନ ଗ୍ରାମ ଏବଂ ଗ୍ରାମ ପଂଚାୟତ ମଧ୍ୟ । ଆମ ଗ୍ରାମର ଜନସଂଖ୍ୟା ଜାଣିବା ପାଇଁ ଗ୍ରାମ ପଂଚାୟତର ସରପଂଚଙ୍କ ପାଖକୁ ଯାଇ ପଚାରିଲି, ଆମ ଗ୍ରାମର ଜନସଂଖ୍ୟା ପାଖାପାଖି ୮୦୦ ହେବା କଥା ସେ କହିଲେ । ଏହି ଗୋବିନ୍ଦପୁର ଗ୍ରାମର ଲୋକମାନଙ୍କର ଚାଲିଚଲଣି ଜୀବିକା ଅତି ନିଆରା କାରଣ ୮୦୦ ଜନସଂଖ୍ୟା ବିଶିଷ୍ଟ ଗ୍ରାମର ଲୋକମାନେ କୃଷିକାର୍ଯ୍ୟ, ବେପାର ବାଣିଜ୍ୟ ଚାକିରି ବିଦେଶକୁ ଯାଇ ଜୀବିକା ନିର୍ବାହ କରନ୍ତି । ଆମ ଗ୍ରାମରେ କମାର, ରଜକ, ମଧୁବୈଶ୍ୟ, ତୈଳବୈଶ୍ୟ, ପୂଜାରୀ, ସଣ୍ଡିକ, ଗୌଡ ଇତ୍ୟାଦି ଜାତିର ବହୁଲୋକ ନିଜର କୌଳିକ ବୃତ୍ତି କରି ନିଜର ପରିବାର ପୋଷଣ କରନ୍ତି ।

ମୋ ଗାଁ ଗୋବିନ୍ଦପୁରର ସବୁଠାରୁ ସୁନ୍ଦର ଓ ବଡଘରଟି ଗ୍ରାମପଂଚାୟତର ପୁର୍ବତନ ଅବସର ପ୍ରାପ୍ତ ସେକ୍ରେଟାରୀ ଶ୍ରୀଯୁକ୍ତ ହାଡିବନ୍ଧୁ ସାହୁ ମହୋଦୟଙ୍କର ଅଟେ । ତାଙ୍କୁ ଯାଇ ସାକ୍ଷାତ କରି ତାଙ୍କ ସୁନ୍ଦର ଘର ତିଆରି ବିଷୟରେ ପଚାରିଲି । ଘରର ଆୟତନ ତୁଳନାରେ ଗ୍ରାମର ଆଉ ଜଣେ ପୁରୁଣା ଜମିଦାର ସ୍ୱର୍ଗତ ଶ୍ରୀ କ୍ଷେତ୍ରୀ ସାହୁଙ୍କର ଘର ଅଛି । କିନ୍ତୁ ସେ ଘରେ ପୂରାତନ କାର୍ଯ୍ୟର ଛାପ ରହିଛି ଏବଂ ତାଙ୍କ ପରିବାରର ଏକ ଯୌଥ ପରିବାର । ଆଜିର ସାକ୍ଷାତରେ ଶ୍ରୀଯୁକ୍ତ ହାଡିବନ୍ଧୁ ସାହୁ କହିଲେ ଏହିଘରେ ତିଆରି ପାଇଁ ସ୍ୱଳ୍ପ ଦରମାର ଚାକିରି ସତ୍ତ୍ୱେ ଜୀବନରେ ମିଳିଥିବା ସମସ୍ତ ଅର୍ଥକୁ ବିନିଯୋଗ କରିଛି ଏବଂ କୃଷି, କାର୍ଯ୍ୟ ଉପରେ ନିର୍ଭର କରିଛି ଏବଂ ଦୁଇ ପୁଅରୁ ଗୋଟିଏ ପୁଅକୁ ପାଠ ପଢାଇ ପୋଷ୍ଟ ମାଷ୍ଟର ଚାକିରି କରେଇଛି । ଯାହା ଦେଖିଲି ଘରଟିରେ ଆଧୁନିକତାର ଛାପ ଥିବାରୁ ଲୋକଙ୍କ ମନକୁ ଟାଣିନିଏ । ଏକଥା କହୁକହୁ ଶ୍ରୀ ସାହୁ କହିଲେ ଅତୀତରେ ମୋ ଗାଁଟିର ବହୁ ଘର ଚାଳଛପର ଥିବାରୁ ୩ରୁ ୪ଥର ଅଗ୍ନିକାଣ୍ଡ ଘଟି ଅନେକ ଘର,ଧନ ସମ୍ପତ୍ତି ନଷ୍ଟ ହୋଇଯାଇଥିଲା କିନ୍ତୁ ବର୍ତ୍ତମାନ ସରକାରଙ୍କ ସହାୟତା ଓ ଜୀବନର ଝାଳବୁହା ପରିଶ୍ରମର ଅର୍ଥ ଲଗାଇ ପ୍ରାୟ ପକ୍କାଘର ହୋଇସାରିଲାଣି । ସବୁଠାରୁ ଛୋଟ ଘର ମଧ୍ୟରେ ଗ୍ରାମର ମନ୍ଦିର ପୂଜକ ଶ୍ରୀ ଘାସୀରାମ ଜାନୀଙ୍କର ଏକ ଝାଟିମାଟିର ଘର ଓ ତାଙ୍କ ସ୍ତ୍ରୀ ଜଣେ ବିକଳାଙ୍ଗ ଏବଂ ପିଲାଛୁଆ ଛୋଟ । ରୋଜଗାର କେବଳ ଘାସୀରାମ ଉପରେ ନ୍ୟସ୍ତ ।

ମୋ ଗାଁର ଅଧିକାଂଶ ଲୋକମାନେ କୃଷି ଉପରେ ନିର୍ଭର କଲେ ମଧ୍ୟ କେତେ ଲୋକ ସୁରାଟ ବା ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ଗୋଆ ଭଳି ବିଭିନ୍ନ ରାଜ୍ୟକୁ ଯାଇ ପରିବାରର ଆର୍ଥିକ ଅବସ୍ତାକୁ ବଢାନ୍ତି । କେତେଲୋକ ଗାଡି ଚଲାଇ ତଥା ବିଭିନ୍ନ ସରକାରୀ ପଦବୀରେ ରହି ଗୁଜୁରାଟ ମେଣ୍ଟାଇଥାନ୍ତି ।

ଅସୁବିଧାରେ ଥିବା ଲୋକଙ୍କ ପାଇଁ ଗ୍ରାମ ପଂଚାୟତର ୱାଡମେମ୍ବର, ସରପଞ୍ଚ, ଗ୍ରାମ ପଞ୍ଚାୟତର ଅଫିସର (G.P.O) ପଲ୍ଲୀସଭା ମାଧ୍ୟମରେ ରାସନକାର୍ଡ ଜବ୍ କାର୍ଡ ସ୍ୱାସ୍ଥ୍ୟ କାର୍ଡ M.G, N.R.G କାର୍ଡ଼ ଯୋଗାଇଥାନ୍ତି ଓ ରାସନ ସାମଗ୍ରୀ, କାମଧନ୍ଦା, ସ୍ୱାସ୍ଥ୍ୟ, ଭତ୍ତା ଇତ୍ୟାଦି ବ୍ୟବସ୍ଥା କରିଥାନ୍ତି ।

ମୋ ଗ୍ରାମରେ ଦୁଇ ପ୍ରକାର ଧର୍ମର ଯଥା ହିନ୍ଦୁ ଖ୍ରୀଷ୍ଟିୟାନ ଲୋକ ବାସ କରନ୍ତି କିନ୍ତୁ ଦୁଇଧର୍ମ ମଧ୍ୟରେ କୌଣସି ଭେଦଭାବ ନଥାଇ ଭାଇ ଭଉଣୀର ସମ୍ପର୍କ ଦେଖା ଯାଏ । ହିନ୍ଦୁ ସଂପ୍ରଦାୟର ଲୋକମାନଙ୍କର ଧାର୍ମିକ ଉପାସନା ପର୍ବପର୍ବାଣୀ ପାଇଁ ଗ୍ରାମ ମଧ୍ୟ ଭାଗରେ କେଉଁ ଆବାହମାନ କାଳରୁ ଦେବୀ କୁଜିପୁନି ଆବିର୍ଭୂତା ହୋଇଛନ୍ତି । ଏବଂ ମାଁଙ୍କର ଏକ ପ୍ରାଚୀନ ମନ୍ଦିର ରହିଛି । ଗ୍ରାମର ଔଶାନ୍ୟ କୋଣରେ ଥିବା ମୁଣ୍ଡିଆ ପବ ର୍ତ ଉପରେ ହନୁମାନଙ୍କର ଏକ ଛୋଟ ମନ୍ଦିର ରହିଛି । ସେହିଭଳି ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକମାନଙ୍କ ପାଇଁ ଗୋବିନ୍ଦପୁର ନିକଟସ୍ଥ ପତିଲିପଙ୍କା ଗ୍ରାମରେ ଏକ ଚର୍ଚ୍ଚ ମଧ୍ୟ ନିର୍ମାଣ କରାଯାଇଛି , ଯାହା ଗୋବିନ୍ଦପୁର ସମେତ ଆଖ ପାଖ ଯଥା ପତିଲିପଙ୍କା, ଖ୍ରୀଷ୍ଟପୁର, ବେଲପଡା, କେରାଖାଲରେ ଥିବା ଖ୍ରୀଷ୍ଟିୟାନ ସଂପ୍ରଦାୟର ଭାଇ ଭଉଣୀମାନେ ପ୍ରତି ରବିବାର ଦିନ ଉପାସନା ପାଇଁ ଆସନ୍ତି ।

ଆମ ଗାଁ ଆମଜୀବନରେ ଧର୍ମୀୟ ଭାବନା ଧର୍ମୀୟ ଚେତନା ଲୋକମାନଙ୍କ ମନରେ ଉଦ୍ରେକ କରିବାପାଇଁ ଓ ଭଗବତ ପ୍ରେମୀ ହେବା ପାଇଁ ଗ୍ରାମର କୁଜିପୁନିଙ୍କ ମନ୍ଦିର ଓ ହନୁମାନଜୀଙ୍କ ମନ୍ଦିର ଗୁରୁତ୍ତ୍ୱ ବହନ କରେ । ସେହିପରି ଚର୍ଚ୍ଚଟି ମଧ୍ୟ ଧର୍ମୀୟ ଉପାସନା ଓ ଖ୍ରୀଷ୍ଟିୟାନ ଧର୍ମର ପ୍ରଚାର ଓ ପ୍ରସାର ନିମନ୍ତେ କାର୍ଯ୍ୟ କରେ ।

ଆମ ଗାଁର ପର୍ବପର୍ବାଣୀ ମଧ୍ୟରେ ହିନ୍ଦୁମାନଙ୍କର ବାଲିଯାତ୍ରା ଦଶହରା, କୁମାର ପୂର୍ଣ୍ଣିମା, ଚଇତି ପର୍ବ କାର୍ତ୍ତିକ ପୂର୍ଣ୍ଣମୀ ହୋଲି ଖେଳ, ଗହ୍ମା ପୂର୍ଣ୍ଣମା ମେଷ ସଂକ୍ରାନ୍ତି ଗଣେଷ ପୂଜା ସରସ୍ୱତୀ ପୂଜା ଇତ୍ୟାଦି ପ୍ରମୁଖ ଅଟନ୍ତି । ସେହିଭଳି ଖ୍ରଷ୍ଟିୟାନ ସଂପ୍ରଦାୟରେ ଲୋକମାନେ ମଧ୍ୟ ବିଭିନ୍ନ ପ୍ରକାରର ପର୍ବ ପାଳନ କରନ୍ତି ଯଥା ବଡଦିନ, ଜାନୁୟାରୀ ୧, ଜାନୁୟାରୀ ୨୫ (ଗାଁ ଯାତ୍ରା) ଗୁଡ ଫ୍ରାଇଡେ ଇତ୍ୟାଦି ପାଳନ କରନ୍ତି ।

ଆମ ଗ୍ରାମରେ ଛୋଟରୁ ବଡ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଖେଳ ଖେଳାଯାଏ ଯଥା ଭଲିବଲ୍‌, କ୍ରିକେଟ, ତାସ, କବାଡି ଇତ୍ୟାଦି। ପାଠ ପଢୁଥିବା ପିଲାମାନେ ସାଧାରଣତଃ ଭଲିବଲ, କ୍ରିକେଟ ଖେଲନ୍ତି । ଗ୍ରୀଷ୍ମ ଅବକାଶ ସମୟରେ ଟୁର୍ଣ୍ଣାମେଂଟ ଗୁଡିକରେ ଭାଗ ନିଅନ୍ତି ଏବଂ ସେମାନ ବହୁତ ଥର ବିଜୟୀ ହୋଇଛନ୍ତି ସେହିପରି କୁମାର ପୂର୍ଣ୍ଣମୀ ଦିନ ବୟସ୍କ ଲୋକମାନେ ଦିନ ସାରା ତାସ୍ ଖେଳରେ ମାତି ଯାଆନ୍ତି ଏବଂ ଗ୍ରହ୍ମା ପୂର୍ଣ୍ଣିମା ପ୍ରତିବର୍ଷ ଆମ ଗ୍ରାମରେ ଏକ କବାଡି ପ୍ରତିଯୋଗିତାର ଆୟୋଜନ କରାଯାଏ। ଝିଅ ମାନଙ୍କ ପାଇ ପୁଚିଖେଳ କରାଯାଏ । ଗ୍ରାମର ସବୁ ପର୍ବପର୍ବାଣି ମଧ୍ୟରେ ଗ୍ରାମର ମୁଖ୍ୟ ପର୍ବ ହେଉଛି ବାଲିଯାତ୍ରା । ଏହି ପର୍ବଟି ଭାରି ଯାକଯମକର ସହିତ ୩ଦିନ ଧରି ପାଳନ କରାଯାଏ । ବିଭିନ୍ନ ପ୍ରକାର ଖେଳନା ଦୋକାନ, ମିଠା ଦୋକାନ, ଭଳିକିଭଳି ଜିନିଷ ମିଳେ, ନାଚଗୀତର ଆସର ଜମେ । ଛୋଟରୁ ବଡ ଯାଏଁ ସମସ୍ତ ବୟସର ଲୋକମାନେ ରଙ୍ଗ ବେରଙ୍ଗର ପୋଷାକ ପିନ୍ଧନ୍ତି । ଘରେ ବିଭିନ୍ନ ପ୍ରକାରର ମିଠା, ପିଠା ତିଆରି କରି ପରସାଯାଏ ଓ ସାଙ୍ଗ ସାଥି, ସାହି ପଡିଶା, ବନ୍ଧୁବାନ୍ଧବଙ୍କୁ ଡାକି ଖାଇବାକୁ ଦିଅନ୍ତି । ରାତିରେ ମା କୁଜିପୁନିଙ୍କର କଂଟା ପିଢା କାର୍ଯ୍ୟକ୍ରମ, ନିଆଝୁଲ ଭଲି ଅନେକ ଦୁଃସାହାସିକ ଖେଳ ମାଁଙ୍କ ଦେହୁରି ଦେଖାଇଥାନ୍ତି । ଏପରିକି ନିଃସନ୍ତାନ ମାନଙ୍କୁ ମାନସିକ ଫଳଦାନ ଏବଂ ମାନସିକ କାମନା ପୂର୍ଣ୍ଣ କରିଥାନ୍ତି ଓ ଯାହାର କାମନା ପୂର୍ଣ୍ଣ ହୋଇଥାଏ ସେଇ ଲୋକ ଛାଗଳ, କୁକୁଟ ଇତ୍ୟାଦି ବଳି ଦେବାର ପ୍ରଥା ରହିଛି । ଶେଷରେ ଆଧୁନିକ ଯୁଗରେ ନାଚଗୀତ ସହିତ ଯାତ୍ରାଟି ସମ୍ପୂର୍ଣ୍ଣ ହୁଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥିରେ ହିନ୍ଦୁ ଓ ଖ୍ରୀଷ୍ଟିୟାନ ଦୁଇ ସଂପ୍ରଦାୟର ଲୋକେ ସହଯୋଗ କରନ୍ତି । ଏହା ଆମ ଗ୍ରାମରେ ସବୁଠାରୁ ବଡ ପର୍ବ । କେଉଁ ଆବାହମାନ କାଳରୁ ଆମ ଗ୍ରାମର ଜାନିଯାତ୍ରା, ସଂସ୍କୃତି ପରମ୍ପରା, ଜୀବନଜୀବିକା ସହ ସମୟର ତାଳେତାଳେ ପାଦ ଦେଇ ଆଜି ଏକବିଂଶ ଶତାବ୍ଦିରେ ପଦାର୍ପଣ କରିଛି ।

ସ୍ୱାଧିନତାର ବହୁ ବର୍ଷ ପୂର୍ବରୁ ସ୍ଥାପିତ ହୋଇଥିବା ଏହି ଗୋବିନ୍ଦପୁର ଗାଁ ବର୍ତ୍ତମାନର ଜନସଂଖ୍ୟା ପ୍ରାୟ ପାଖାପାଖି ୮୦୦ରେ ପହଂଚି ସାରିଛି । ସେଥି ମଧ୍ୟରୁ ପ୍ରାୟ ୫୦ ଭାଗ ଲୋକ ଶିକ୍ଷିତ ଅଛନ୍ତି ଏହି ଗାଁ ମାଟି ଅନେକ ଶିକ୍ଷିତ ଲୋକଙ୍କୁ ସୃଷ୍ଟି କରିପାରିଛି । ଯେଉଁମାନେ ରାଜ୍ୟ ବା ରାଜ୍ୟ ବାହାରେ ଅନୁଷ୍ଠାନରେ ପାଠପଢି ଶିକ୍ଷାଗତ ଯୋଗ୍ୟତା ହାସଲ କରିଛନ୍ତି ସେମାନଙ୍କ ଭିତରେ କାର୍ତ୍ତିକେଶ୍ୱର ସାହୁ, ସୁଜିତ କୁମାର ବିଷୋୟୀ, ବୁନୁ ବେହେରା, ମୁନା ନାୟକ, ରାଜନ ସାହୁ, ସଞ୍ଜିବ ପ୍ରଧାନ, ବିଭୂ ପାତ୍ର, ମହେଶ୍ୱର ପାତ୍ର, ଜିତୁ ସାହୁ ଇତ୍ୟାଦି ।

କେବଳ ଶିକ୍ଷିତ ବ୍ୟକ୍ତି ନୁହନ୍ତି କେତେ ଗୁଡିଏ ଜ୍ଞାନୀ ବ୍ୟକ୍ତି ମଧ୍ୟ ଜନ୍ମ ନେଇଛନ୍ତି । ସେଭଲି ଜଣେ ଜ୍ଞାନୀ ବ୍ୟକ୍ତି ହେଉଛନ୍ତି ସୁଜିତ୍ ବିଷୋୟି । ସେ ରାଜ୍ୟ ଓ ରାଜ୍ୟ ବାହାରେ ଶିକ୍ଷାନୁଷ୍ଠାନରେ ରହି କାର୍ଯ୍ୟ କରିଛନ୍ତି ଏବଂ ଏହି ଗ୍ରାମରେ ଅନେକ ଜ୍ଞାନୀ-ଗୁଣି ବ୍ୟକ୍ତି ଅଛନ୍ତି । ସେମାନେ ହେଲେ ଭାଷ୍କର ନାୟକ,ହାଡି ବନ୍ଧୁ ସାହୁ, ଅରୁଣ ନୀଧି ବେହେରା, ଲକ୍ଷ୍ମୀନାରାୟାଣ ସାହୁ, ଉମାଶଙ୍କର ସାହୁ ଇତ୍ୟାଦି । ଏହି ବ୍ୟକ୍ତିମାନେ ଆମ ଗାଁର ପଥ ପ୍ରଦର୍ଶକ, ଆଗ ପିଢିର ମାର୍ଗ ଦର୍ଶକ ଏବଂ ଚିର ନମସ୍ୟ ଅଟନ୍ତି। ଗାଁଟିରେ ଶିକ୍ଷିତ, ଅର୍ଦ୍ଧ ଶିକ୍ଷିତଙ୍କ ବ୍ୟତୀତ ପାଠ ନ ପଢିଥିବା ପ୍ରାୟତଃ ବୃଦ୍ଧ ବ୍ୟକ୍ତିମାନେ ଅଛନ୍ତି । ଯେଉଁ ମାନେ ନିଜ ନାମ ଠିକଣା, ଲେଖାପଢା, ହିସାବ କିତାବ କରିବାରେ ଅସୁବିଧା ଭୋଗ କରନ୍ତି ଅବଶ୍ୟ ଅପାଠୁଆ ଅଛନ୍ତି । କିନ୍ତୁ ଅନେକ ଗୁଡିଏ କାର୍ଯ୍ୟରେ ନିପୁଣତା ହାସଲ କରିଛନ୍ତି ଯାହାକି ଅନ୍ୟମାନଙ୍କ ପାଇଁ ଆଦର୍ଶ ଅଟନ୍ତି । କିନ୍ତୁ ବର୍ତ୍ତମାନ ସର୍ବଶିକ୍ଷା ଅଭିଯାନରେ ଅନୁପ୍ରାଣିତ ଓ ଶିକ୍ଷା ପ୍ରତି ସଚେତନ ହୋଇ ଶତ ପ୍ରତିଶତ ଛାତ୍ରଛାତ୍ରୀମାନେ ବିଦ୍ୟାଳୟାଭିମୁଖି ହୋଇଯାଇଛନ୍ତି । ଏହା ସରକାରଙ୍କ ଶିକ୍ଷା ଯୋଜନାର ସଫଳ ନିଦର୍ଶନ ଅଟେ ।

ଆମ ଗ୍ରାମରେ ଅନେକ ଗୁଡିଏ ସର୍ବ ସାଧାରଣ ଅନୁଷ୍ଠାନ ଯଥା ପୋଷ୍ଟଅଫିସ, ଜଂଗଲ ବିଭାଗ, ରାଜସ୍ୱ ବିଭାଗ, ଡାକ୍ତରଖାନା ରହିଛି । ଶିକ୍ଷା ଗ୍ରହଣ ନିମନ୍ତେ ତିନି ଗୋଟି ବିଦ୍ୟାଳୟ ଅଛି, ଏକ ମଧ୍ୟ ଇଂରାଜୀ ବିଦ୍ୟାଳୟ ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲାଯାଇଛି ଏବଂ ଉଚ୍ଚ ଶିକ୍ଷାର ଅଭାବକୁ ଦୂରୀଭୁତ କରିବା ପାଇଁ ବେସରକାରୀ ଭାବେ ଏକ କ୍ଷେତ୍ରୀ ସାହୁ ଉଚ୍ଚ ବିଦ୍ୟାଳୟ ସ୍ଥାପନ କରାଯାଇଛି । ସେହି ଭଳି ଛୋଟ ଛୋଟ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାଦାନ ନିମନ୍ତେ ଏକ ଇଂରାଜୀ ମିଡିୟମ ସ୍କୁଲ ସ୍ଥାପନା କରାଯାଇଛି ।

ସାଧାରଣ ମନୁଷ୍ୟର ମୌଳିକ ଆବଶ୍ୟକତା ମଧ୍ୟରେ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ଯୋଗାଯୋଗ କୃଷିର ଉନ୍ନତି, ଅନ୍ତର୍ଭୁକ୍ତ ଅଟେ। ସେଥି ମଧ୍ୟରୁ କିଛି ସମସ୍ୟା ଦୂର ହେଇ ପାରିଛି କିନ୍ତୁ ବର୍ତ୍ତମାନର କିଛି ବଡ଼ ସମସ୍ୟା ହେଲା

୧.        ଗ୍ରାମରେ ଥିବା କିଛି ଯୋଗ୍ୟ ହିତାଧିକାରୀ ମାନେ ରାସନ କାର୍ଡର ଉପଭୋକ୍ତା ହୋଇ ପାରିନାହାନ୍ତି ।

୨.        ଯୋଗ୍ୟ ହିତାଧିକାରୀ ମାନଙ୍କୁ ଇନ୍ଦିରା ଆବାସ ଯୋଜନାର ଲାଭ ପାଇ ନାହାନ୍ତି ।

୩.        ଗ୍ରାମରେ ଥିବା ତିନି ଗୋଟି ସର୍ବସାଧାରଣ ଜଳାଶୟ ର ଉନ୍ନତି କରାଯାଇ ନାହିଁ । ଯାହାକି ଗ୍ରୀଷ୍ମ ଋତୁ ରେ ଦୂଷିତ ପାଣି ଯୋଗୁଁ ଗୋରୁ ଗାଈ, ମନୁଷ୍ୟ ମାନଙ୍କ ପାଇଁ ବିରାଟ ସମସ୍ୟା ସୃଷ୍ଟି କରୁଛି ।

୪.        ବଡଗଡ ଠାରୁ ମୋହନା ପର୍ଯନ୍ତ ଏକ ସଡକ ନିର୍ମାଣ ହୋଇଥିଲେ ମଧ୍ୟ ବିଶେଷକରି ଆଦର୍ଶ ବିଦ୍ୟାଳୟ ଗୁଣ୍ଡିମାରେ ପଢୁଥିବା ପିଲାମାନଙ୍କ ନିମନ୍ତେ ଦୀର୍ଘ ୩୦ କି.ମି. ରାସ୍ତା ଅତିକ୍ରମ କରି ଠିକ୍ ସମୟରେ ଉପସ୍ଥାନ ଓ ପ୍ରସ୍ଥାନ ନିମନ୍ତେ ସମସ୍ୟା ସୃଷ୍ଟି କରୁଛି ।

କିଛି ବୟସ୍କ ଲୋକଙ୍କୁ ପଚାରି ବୁଝିବାରୁ କହିଲେ ଆମ ଗ୍ରାମଟି ଅନେକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଯଥା ବନ୍ୟା, ବାତ୍ୟା ଏବଂ ଘରପୋଡି । ମୋର ଜାଣିବାରେ ଏହି ଗତ ୩ ବର୍ଷରେ ତିତିଲି, ଫାଇଲିନ ହୁଡହୁଡ ଭଳି ପ୍ରାକୃତିକ ବିପର୍ଯ୍ୟୟର ମଧ୍ୟ ସମ୍ମଖୀନ ହୋଇଅଛି । ୨୦୧୯ ମସିହାରେ ତିତିଲି ଭଳି ବାତ୍ୟା ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଇଥିଲା । ଲୋକଙ୍କ ଧନଜୀବନ, ବାସଗୃହ ମଧ୍ୟ ଭାଙ୍ଗି ଛାରଖାର ହୋଇଯାଇଥିଲା । ବନ୍ୟା ପ୍ରପୀଡିତ ଲୋକମାନେ ବାସହୀନ ହୋଇ କିଛିଦିନ ବିଦ୍ୟାଳୟରେ, ପକ୍କାଘର, ରାଜୀବଗାନ୍ଧୀ ସେବା କେନ୍ଦ୍ର, ପଂଚାୟତ ଗୃହରେ ଆଶ୍ରୟ ନେଇଥିଲେ । ଭୋକ ଉପାସ ଅନିଦ୍ରାରେ ଜୀବନ ଦୁର୍ବିସହ ହୋଇପଡିଥିଲା । ସରକାରଙ୍କ ତରଫରୁ କିଛିଦିନ ସେମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ, ରିଲିଫ ଯୋଗାଣ କରାଯାଇଥିଲା । ବେସରକାରୀ ଅନୁଷ୍ଠାନ ତରଫରୁ (KARITAS INDIA) ରିଲିଫର ସହାୟତା ଯୋଗାଇଦିଆ ଯାଇଥିଲା । ଏପରିକି ଭିଟାମାଟିକୁ ଫେରିବା ପରେ କିଛି ମାସ ପାଲ ଘୋଡାଇ ଭଙ୍ଗାଘରେ ଆଶ୍ରୟ ନେଇଥିଲେ।

ଆମଗାଁର ଲୋକମାନେ ବିଭିନ୍ନ ପ୍ରକାରର ଜୀବୀକାର୍ଜନ କରି ପରିବାର ପ୍ରତି ପୋଷଣ କରନ୍ତି ଯଥା କୃଷି, ବଢେଇ, ବେପାର ବାଣିଜ୍ୟ, ମିସ୍ତ୍ରୀ, ଚାକିରୀ, ଲୁହାକାମ ଇତ୍ୟାଦି ।

କ)        ଆମ ଗାଁ ଗୋବିନ୍ଦପୁରରେ ପ୍ରାୟ ୩୦ ଭାଗ ଲୋକ ଚାଷବାସ କରନ୍ତି । ସାଧାରଣତଃ ଏଠାରେ ଦୁଇ ପ୍ରକାର ଫସଲ କରାଯାଏ ୧) ରବି ଫସଲ, ୨) ଖରିଫ ଫସଲ କରାଯାଏ । ରବି ଫସଲ ସାଧାରଣତଃ ଅକ୍ଟୋବର ଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ ଓ ଖରିଫ ଫସଲ ଜୁନ୍ ଠାରୁ ସେସ୍ଟେମ୍ବର ପର୍ଯ୍ୟନ୍ତ କରାଯାଏ । ବର୍ତ୍ତମାନ ଆମ ଗାଁରେ ଚାଷବାସରେ ଆଧୁନିକତାର ଛାପ ପଡିଗଲାଣି ଯଥା ଟ୍ରାକ୍ଟର, ପାୱାର ଟିଲର ଇତ୍ୟାଦି ସାହାଯ୍ୟରେ ଚାଷବାସ କାର୍ଯ୍ୟ ସମ୍ପାଦନ କରାଯାଉଛି । ଆମ ଗାଁରେ ମୁଖ୍ୟତଃ ମକା, ଧାନ, ମାଣ୍ଡିଆ, କୋଳଥ, କାନ୍ଦୁଲ, ଫୁଲକୋବି, ପତ୍ରକୋବି, ବାଇଗଣ, ଅମୃତଭଣ୍ଡା ଇତ୍ୟାଦି ଚାଷ କରାଯାଏ ।

ଖ)        କୃଷିକାର୍ଯ୍ୟ ଛଡା ଆମ ଗାଁର କିଛିଲୋକ ଜଂଗଲ ଉପରେ ନିର୍ଭର କରନ୍ତି । ଯଥା ଜଂଗଲରୁ କାଠ, ବାଉଁସ, ମହୁ, ପତ୍ର ଇତ୍ୟାଦି ସଂଗ୍ରହ କରି ବାଉଁଶରେ କୁଲା, ତଲାରି, ଜୁଆଳି ପତ୍ରରୁ ଖଲି ସିଲେଇ କରି ଓ କେତେ ଲୋକ ଛାଂଚୁଣୀ ସଂଗ୍ରହ କରି ବିକ୍ରି କରନ୍ତି ।

ଗ)        କିଛିଲୋକ ଚାଷ କାର୍ଯ୍ୟରେ ରୋଜଗାର ବୃଦ୍ଧି ପାଇଁ ମାଛ ଚାଷ କରନ୍ତି । ସେମାନେ ସରକାରଙ୍କ ମତ୍ସ୍ୟ ବିଭାଗର ସହାୟତା ନେଇ ପୋଖରୀ ଖନନ କରି ମାଛ ଚାଷ କରନ୍ତି ।

ଆମ ଗାଁରେ କାହାର ସ୍ୱାସ୍ଥ୍ୟ ଖରାପ ହେଲେ ଆମ ଗାଁରେ ଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ଯାଆନ୍ତି । ଅତ୍ୟଧିକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଆମ୍ବୁଲେନ୍ସ ଯୋଗେ ମୋହନା କିମ୍ବା ବ୍ରହ୍ମପୁରକୁ ସ୍ଥାନାନ୍ତରଣ କରାଯାଏ। ଆମ ଗାଁରେ ଏକ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଅଛି । ଗ୍ରାମର ପଂଚାୟତ ସମିତି ମୋହନା ଠାରେ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଛି ଏବଂ ଗାଁ ଠାରୁ ୩ କି.ମି. ଦୂରରେ କମଲାପୁର ଠାରେ ଏକ ବେସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଛି । ଆମ ଗାଁରେ ପ୍ରାୟ ଲୋକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଆନ୍ତି ।

ଆମ ଗାଁରେ ହେଉଥିବା ଜାନିଯାତ୍ରା, ମେଳା, ମହୋତ୍ସବ, ଭାଇଚାରାର ସମ୍ପର୍କ ନେଇ କାର୍ଯ୍ୟ କରିଥାନ୍ତି । ବିପଦ ଆପଦରେ, ସୁଖଦୁଃଖରେ ଜଣେ ଅନ୍ୟ ଜଣକୁ ମଧ୍ୟ ସାହାଯ୍ୟ କରିଥାନ୍ତି । ଗ୍ରାମରେ ଥିବା ଯୁବଗୋଷ୍ଠୀ (ବିଜୁଯୁବ ବାହିନୀ) ମାନେ ଗତ କିଛି ମାସ ତଳେ ଗୋଟିଏ ରକ୍ତଦାନ ଶିବିର ଆୟୋଜନ କରିଥିଲେ । ଏହି ସବୁ କଥା ମୋତ ଭାରିଭଲ ଲାଗେ । ଆମ ଗ୍ରାମର ଚାଷୀ ପାଇଁ ପ୍ରତିବର୍ଷ ବାତ୍ୟା ଅତ୍ୟନ୍ତ ଦୁଃଖ ଦିଏ । ଏହି ବର୍ଷ ମଧ୍ୟ ବାତ୍ୟାର ପ୍ରଭାବ କିଛି ମାତ୍ରାରେ ପଡିଛି । ବେଳେବେଳେ କିଛି ଅସାମାଜିକ ଲୋକ ଅନ୍ୟର ଧନ ସମ୍ପଦ ଚୋରି କରନ୍ତି । ଏହି ସବୁ ବହୁ ଦୁଃଖଦାୟକ ଅଟେ ।

ଆମ ଗାଁରେ କିଛି ପୌରାଣିକ ଓ ସାମାଜିକ ନାଟକ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ ଯଥା – ବଦଳି ଗଲାଣି ମୋ ଗୋବିନ୍ଦପୁର, ମହାଭାରତ, ରାମାୟଣ, ଭାରତଲୀଳା, ମନ ରାଇଜରେ ଚାନ୍ଦ ଉଁଇଁଲା, ହଜିଲା ଦିନର ସ୍ୱପ୍ନ ଇତ୍ୟାଦି । ଆମ ଗାଁରେ ବହୁତ ଜଣ ପୌରାଣିକ କାର୍ଯ୍ୟକ୍ରମରେ ଭାଗ ନିଅନ୍ତି ଯଥା-ସୁବାଷ ଚନ୍ଦ୍ର ବଦ୍ଧ ର୍ନ, ସଂଜିବ ପ୍ରଧାନ, ଅଜିତ ଦୋରା, ଖଲିଆ ନାୟକ , ନିଳାଚଳ ନାୟକ, କଂଗ୍ରେସ ବେହେରା, ଗୌରୀ ସାହୁ ଇତ୍ୟାଦି ଲୋକମାନେ ନାଚ, ଗୀତରେ ଅଂଶ ଗ୍ରହଣ କରନ୍ତି ।   ଆମ ଗାଁରେ ହେଉଥିବା କଳା ସଂସ୍କୃତି ଇତ୍ୟାଦିରେ କୌଣସି ପ୍ରକାର ସରକାରୀ ପ୍ରୋତ୍ସାହନ ମିଳେ ନାହିଁ । ଏହା ଚାନ୍ଦା କିମ୍ବା କିଛି ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟରେ ହୁଏ । ଯଦି ସରକାରୀ ସାହାଯ୍ୟ ଓ ପ୍ରୋତ୍ସାହନ ମିଳନ୍ତା ତେବେ କଳା ସଂସ୍କୃତିର ପ୍ରସାର ହୋଇପାରନ୍ତା ।

ମୁଁ ଆମ ଗ୍ରାମର ଜଣେ ବୟସ୍କ ଲୋକ ପ୍ରଭାକର ପ୍ରଧାନ ଙ୍କୁ ପ୍ରଶ୍ନ ପଚାରିଲି ଓ ସେ ଉତ୍ତର ଦେଲେ, ଏ ଗୋବିନ୍ଦପୁର ଗ୍ରାମରେ ଭାରି ଜଂଗଲ ଥିଲା ଓ ରୋଡ ସାଇଡରେ ମଧ୍ୟ ଜଂଗଲ ଥିଲା । ବର୍ତ୍ତମାନ ଆମର ଏ ଗୋବିନ୍ଦପୁର ସ୍କୁଲକୁ ଆମେ ପାଂଚହାତି ଗାମୁଛା ପିନ୍ଧି ପାଠପଢୁଥିଲୁ । ବର୍ତ୍ତମାନ ଆମେ ଛୋଟରୁ ବଡ ହେଲୁ । ଆମର ଗ୍ରାମର ପ୍ରସିଦ୍ଧ ହେଉଛି କୁଜୁସୁନୀ ଏବଂ ଏହିଯାତ୍ରା ଆଶ୍ୱିନ ମାସରେ ଯାତ୍ରା ହୁଏ । କଂଟା ଦୋଳି, ନିଆଝୁଲ କରି ବିଭିନ୍ନ ଯାତ୍ରାର ଆୟୋଜନ କରାଯାଏ । ମୋ ଗାଁ ମାଟି ମୋତେ ଭାରିଭଲ ଲାଗେ ।

ଖ)        ମୁଁ ଆମ ଗ୍ରାମର ଜଣେ ବୟସ୍କ ବ୍ୟକ୍ତି ଧ୍ରୁବ ପ୍ରଧାନଙ୍କୁ ମୁଁ ମୋର ପ୍ରଶ୍ନ ପଚାରିଥିଲି ଓ ସେ ଉତ୍ତର ଦେଲେ-ବଣ ଜଂଗଲ ହୋଇକିଥିଲା, ଧୋତି ପିନ୍ଧି ସ୍କୁଲ ଯାଉଥିଲୁ ଖାଇବାକୁ ମିଳୁନଥିଲା, ମାଂଡିଆ ଜାଉ ଖାଇକି ଯାଉଥିଲୁ ଏବେ ସବୁ ସୁବିଧା ଅଛି । ପାଣିର ସୁବିଧା ଅଛି , ରାସ୍ଥା ଘାଟର ବି ସୁବିଧା ଅଛି । କରେଂଟର ସୁବିଧା ଅଛି ଆଉ କିଛି ଅଭାବ ନାହିଁ ଏବେ ।

ଗ)        ମୁଁ ଆମ ଗ୍ରାମର ଜଣେ ବୟସ୍କା ମା ନର୍ମଦା ନାୟକଙ୍କୁ ମୋର ପ୍ରଶ୍ନ ପଚାରିଥିଲି ଓ ସେ ଉତ୍ତର ଦେଲେ ମୁଁ ଏହି ଗାଁକୁ ୪୫ ବର୍ଷ ତଳେ ବାହା ହୋଇ ଆସିଥିଲି ଯେ, ବାପା ଏ ଗାଁରେ ରାସ୍ତାଘାଟ ନଥିଲା, ବହୁତ ଗଛପତ୍ର ଥିଲା ପାଣି ନଥିଲା, କରେଂଟ ନଥିଲା ଯେ ଦୀପରେ ଚଳୁଥିଲୁ ଅନ୍ଧାରରେ ଯୁଆଡେ ଗଲେ ଦୀପ ଓ ନିଆଖୁଡା ଧରି ଯାଉଥିଲୁ ଓ ଏବେ ଲାଇଟ ଆସିଲା, ରୋଡ ହେଲା, ପାଣି ପାଖକୁ ଆସିଲା, ଟାୱାର ହେଲା ଓ ଫୋନରେ କଥା ହେଇପାରିଲୁ ଆଉ ଆଗେ ଆମ ବେଳେ କିଛି ନ ଥିଲା ।

ମୁଁ ବଡ ହେଲେ ମୋ ଗାଁର ଉନ୍ନତି ପାଇଁ ଚେଷ୍ଟା କରିବି ବିଶେଷତଃ ଶିକ୍ଷାର ଉନ୍ନତି ପାଇଁ ଚେଷ୍ଟା କରିବି, ପରିବେଶ ସୁରକ୍ଷା, ଶିକ୍ଷା ପାଇଁ ସଚେତନ କରାଇବି ।

About ଆଦିତ୍ୟ ବର୍ଦ୍ଧନ

ଆଦିତ୍ୟ ବର୍ଦ୍ଧନ
ଛାତ୍ର ସାମ୍ବାଦିକ (Student Journalist)

Check Also

ଓଡ଼ିଶାର ଐତିହ୍ୟରେ ନାରୀ – ଡ଼ଃ ନବୀନ କୁମାର ସାହୁ

(ଏକାଦଶ ଶତାବ୍ଦୀ ପର୍ଯ୍ୟନ୍ତ) ଓଡ଼ିଶାର ଅତୀତ ସଂସ୍କୃତିରେ ନାରୀଜାତିର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ପ୍ରାଚୀନ କାଳରେ ଆର୍ଯ୍ୟ ଓ …

Leave a Reply

Your email address will not be published. Required fields are marked *