Home / ଇତିହାସ / ଇତିହାସ ପୃଷ୍ଠାରୁ / ଚିତ୍ତ ଯେଉଁଠି ଭୟପୂର୍ଣ୍ଣ, ଅବନତ ଯହିଁ ଶିର

ଚିତ୍ତ ଯେଉଁଠି ଭୟପୂର୍ଣ୍ଣ, ଅବନତ ଯହିଁ ଶିର

ଉକ୍ତ ପ୍ରବନ୍ଧର ଲେଖକ ପ୍ରଫେସର ଭାଗବତ ପ୍ରସାଦ ଯିଏକି ଆମ ଗହଣରୁ ଦୁଇବର୍ଷ ହେଲା ଚାଲିଗଲେଣି, ସେ ସବୁବେଳେ କୁହନ୍ତି ନାରୀମାନେ ହିଁ ଆଜିର ବିଧ୍ୱଂଶରୁ ଭାରତକୁ ଓ ବିଶ୍ଵକୁ ରକ୍ଷା କରିପାରିବେ । ସେମାନେ ଭବିଷ୍ୟତ ଭାରତର ନେତୃତ୍ୱ ନେବେ । ସାହିନବାଗରେ ଓ ସମଗ୍ର ଦେଶରେ ନାରୀମାନଙ୍କ ଦ୍ୱାରା ଏନଆରସି ଓ ସିଏଏ ବିରୁଦ୍ଧରେ ଯେଉଁ ପ୍ରତିବାଦ ଆନ୍ଦୋଳନ ଆରମ୍ଭ ହୋଇଛି ତାଙ୍କର ସେହି କଥାଟିକୁ ପୁଣିଥରେ ମାନେପକାଇଦିଏ । ସବୁ ପ୍ରତିକୂଳ ପରିସ୍ଥିତିକୁ ସାମନାକରି ନାରୀ ସମାଜ ଭବିଷ୍ୟ ବଂଶଧର ମାନଙ୍କର ସୁରକ୍ଷାର ପ୍ରସଙ୍ଗରେ ଆଜି ରାଜରାସ୍ତାରେ ଦଣ୍ଡାୟମାନ । ରବିନ୍ଦ୍ରନାଥଙ୍କର ସେହି କଥାଟି ଏଠି ପ୍ରାସଙ୍ଗିକ ଯେ; ‘ଜୀବନ ଯେଉଁଠି ଭୟଶୂନ୍ୟ, ଉନ୍ନତ ଯହିଁ ଶିର’ – ସମ୍ପାଦକ

ପରାଧୀନ ଭାରତର ଚିନ୍ତକମାନେ କିଭଳି ସ୍ୱାଧୀନ ଭାରତକୁ ଗଢ଼଼ିବାକୁ ଚାହୁଁଥିଲେ, ତାହା ରବି ଠାକୁରଙ୍କ ‘ଜୀବନ ଯେଉଁଠି ଭୟଶୂନ୍ୟ, ଉନ୍ନତ ଯହିଁ ଶିର’ କବିତାରେ ସ୍ପଷ୍ଟ ହୋଇଯାଇଛି । ଆଜିର ଭାରତରେ ଜୀବନ ଭୟପୂର୍ଣ୍ଣ, ଶିର ଅବନତ । ହେତୁବାଦୀମାନେ ଏଠାରେ ଅସୁରକ୍ଷିତ ।

କଥା ଓ ଲେଖାର ସ୍ୱାଧୀନତା ଧୀରେ ଧୀରେ ଉଭାଇ ଯାଉଛି । ଯେଉଁ ଦେଶର ପ୍ରଧାନ ମୂଲ୍ୟବୋଧ ହେଉଛି ଅହିଂସା, ସେ ଦେଶରେ ହିଂସା ଓ ହତ୍ୟାକୁ ପ୍ରଧାନ ସ୍ଥାନ ଦିଆଯାଉଛି । ଏହାଠୁ ଅଧିକ ଦୁରବସ୍ଥା ଆଉ କଣ ହୋଇପାରେ? କେଉଁ ଯୋଗର କଥା ପ୍ରଚାର କରୁଛନ୍ତି ଆଚାର୍ଯ୍ୟ ରାମଦେବ?

ଯୋଗର ପ୍ରଧାନ ମୂଲ୍ୟବୋଧଗୁଡ଼ିକ ତ ଅହିଂସା, ମୈତ୍ରୀ, କରୁଣା, ମୁଦିତା । ଏସବୁ ଛାଡ଼ି କେବଳ ଆସନ, ପ୍ରାଣାୟମ କଲେ କଣ ଯୋଗ ସାଧନ ହୋଇଗଲା?

ଗୀତାରେ ତ ପରିଷ୍କାର କୁହାଯାଇଛି ସମତ୍ୱଂ ଯୋଗ ଉଚ୍ୟତେ । ପାତଞ୍ଜଳି ଯୋଗ ଦର୍ଶନରେ ଲେଖା ଅଛି ଯୋଗଃ ଚିତ୍ତ ବୃତ୍ତି ନିରୋଧଃ । ଚିତ୍ତ ବୃତ୍ତି ନିରୋଧ କେବଳ ଚିତ୍ତର ସମତ୍ୱ ଓ ଉଚିତ୍ ମୂଲ୍ୟବୋଧର ସାଧନା ଦ୍ୱାରା ସମ୍ଭବ । ବିଶ୍ୱର ସବୁଦେଶରେ ଦୁଇଟି ସଂସ୍କୃତିର ଅବସ୍ଥାନ ଦେଖିବାକୁ ମିଳୁଛି ।

ଗୋଟିଏ ହେଉଛି ଯୋଦ୍ଧା ସଂସ୍କୃତି । ଆରଟି ହେଉଛି ଯୋଗୀ ସଂସ୍କୃତି । ଯୋଦ୍ଧା ସଂସ୍କୃତିର ଚରମ ବିକାଶ ଦେଖିବାକୁ ମିଳେ ଆମେରିକା, ୟୁରୋପ ଓ ଇସ୍‌ଲାମୀୟ ଦେଶମାନଙ୍କରେ । ଯୋଗୀ ସଂସ୍କୃତିର ଚରମ ବିକାଶ ଘଟିଥିଲା କେବଳ ଅତୀତର ଅବେଦୀୟ ଭାରତବର୍ଷରେ । କୌଟିଲ୍ୟ ଯୋଗୀ ସଂସ୍କୃତିକୁ ପୃଥବୀର ଶ୍ରେଷ୍ଠ ସଂସ୍କୃତି କହନ୍ତି (ଅର୍ଥଶାସ୍ତ୍ର) । ଏହା ପୂର୍ଣ୍ଣମାତ୍ରାରେ ହେତୁବାଦୀ (ଅର୍ଥଶାସ୍ତ୍ର) ।

ଯୋଦ୍ଧାସଭ୍ୟତା ପୂର୍ଣ୍ଣ ଭାବରେ ଶକ୍ତିବାଦୀ (ବୀର ଭୋଗ୍ୟା ବସୁନ୍ଧରା) । ବୁଦ୍ଧ, ମହାବୀର, ଗାନ୍ଧୀ ଯୋଗୀସଭ୍ୟତାର ଶ୍ରେଷ୍ଠଦାୟାଦ । ବୁଦ୍ଧଙ୍କ ଉପଦେଶ ଥିଲା ଯୋଦ୍ଧା ସଭ୍ୟତାର ଅତ୍ୟାଚାରରୁ ଯୋଗୀସଭ୍ୟତାକୁ ରକ୍ଷା କରିବାପାଇଁ ଆତ୍ମରକ୍ଷାମୂଳକ ଯୁଦ୍ଧ ଲଢ଼ିବା ଦୋଷାବହ ନୁହେଁ, କିନ୍ତୁ କୌଣସି ପରିସ୍ଥିତିରେ ଆକ୍ରାମକ ଯୁଦ୍ଧ ଲଢ଼ିବା (ଅନ୍ୟଦେଶକୁ ନିଜ ଦଖଲକୁ ଆଣିବା) ଉଚିତ୍ ନୁହେଁ । ମହାଭାରତ କହେ ପ୍ରାଚୀନ ଭାରତୀୟ ସଂସ୍କୃତିର ମୁଖ୍ୟ ଉପାଦାନ ହେଉଛି ଯୋଗ ।

ମହାଭାରତର ଶାନ୍ତି ପର୍ବରେ ଲେଖାଅଛି ସତ୍ୟଯୁଗରେ ଯଜ୍ଞ ନଥିଲା, କିନ୍ତୁ ଯୋଗଥିଲା । ଯଜ୍ଞର ବ୍ୟବହାର ଆରମ୍ଭ ହୋଇଥିଲା ତ୍ରେତା ଯୁଗରେ । ଜାତିପ୍ରଥା ମଧ୍ୟ ତ୍ରେତା ଯୁଗରେ ଆରମ୍ଭ ହୋଇଥିଲା । ଯୋଗ ଯୁଗର (ସତ୍ୟ ଯୁଗ) ଲୋକାୟତ ଦର୍ଶନ ଜାତି ପ୍ରଥାର ଘୋର ବିରୋଧୀ ଥିଲା ।

ହିନ୍ଦୁତ୍ୱବାଦୀମାନେ ଯୋଦ୍ଧା (ହିଟ୍‌ଲରୀୟ) ସଂସ୍କୃତିର ଅନୁକରଣ କରି ପ୍ରକୃତ ଭାରତୀୟ ସଂସ୍କୃତିକୁ ପ୍ରଚଣ୍ଡ ଧକ୍କା ଦେଉଛନ୍ତି । ପ୍ରାୟ ସବୁ ଯୋଦ୍ଧାସଭ୍ୟତା ଭୋଗବାଦୀ ଓ ନାରୀଲୋଭୀ ।

ବର୍ତ୍ତମାନ ପୃଥିବୀର ସର୍ବନାଶ କରୁଥିବା ଦୁଇ ଭୟଙ୍କର ଉପାଦାନ ହେଉଛନ୍ତି ଜଳବାୟୁ ନଷ୍ଟହେବା ଓ ସମରସଜ୍ଜାରେ ଅର୍ଥ ବରବାଦ କରିବା । ଏହି ଦୁଇଟି କେବଳ ଯୋଦ୍ଧାସଭ୍ୟତାର ଅବଦାନ ।

ଯୋଗୀ ସଭ୍ୟତାରେ ଅପରିଗ୍ରହ ଓ ଅହିଂସା ଦୁଇଟି ମୁଖ୍ୟ ମୂଲ୍ୟବୋଧ ।

ସୌଜନ୍ୟ – ସମଦୃଷ୍ଟି

Photo credit- https://www.google.co.in/search?q=where+the+mind+is+without+fear&safe=active&biw=1366&bih=657&tbm=isch&sxsrf=ACYBGNRfBPxBK6nPmqo4HYBtOx5Z-reoWQ:1581002646858&source=lnms&sa=X&ved=0ahUKEwjVjJ7pnb3nAhXOSH0KHXF0B_AQ_AUICigB#imgrc=ySc6Wba2iADMyM

About ପ୍ରଫେସର ଭଗବତ ପ୍ରସାଦ

ପ୍ରଫେସର ଭଗବତ ପ୍ରସାଦ
ସର୍ବୋଦୟ କର୍ମୀ, ସମାଜ ବିଜ୍ଞାନୀ

Check Also

ଉତ୍କଳ ସମ୍ମିଳନୀ ଓ ବିଚ୍ଛିନ୍ନାଞ୍ଚଳ

ଉକ୍ରଳ ସମ୍ମିଳନୀ ୧୯୦୩ମସିହାରେ ଗଠନ ହୋଇଥିଲା । ଏହା ପୂର୍ବରୁ ଓଡ଼ିଆ ଜାତିର ଏକତ୍ରୀକରଣ ସମ୍ପର୍କରେ ୧୯୦୨ମସିହାରେ ରମ୍ଭା ରାଜବାଟୀଠାରେ …

Leave a Reply

Your email address will not be published. Required fields are marked *