ଗାନ୍ଧୀ

13 Min Read
Mahatma Gandhi, Mrs.Kasturba Gandhi & sardar valladhbhai Patel ay Congress party Session held in haripura,1938,In this session Subhash Chorndra bose was elected as congress President

ଶେଷ ବସ୍ ଟି ବି ଚାଲିଗଲା ।

Support Samadhwani

ଗୋଟିଏ ପରେ ଗୋଟିଏ ଚାରିଗୋଟି ବସ୍ ଚଢ଼ିବାରେ ଅକୃତକାର୍ଯ୍ୟ ହୋଇ ସ୍ୱାଧୀନତା ସଂଗ୍ରାମୀ ନରହରି ଲିମକା, ନୋଭା ବିକାଳୀର ବେଞ୍ଚ ଉପରେ ନଥ୍ କିନା ବସିପଡ଼ିଲେ ।

ଏବେ ଯିବେ କୁଆଡ଼େ?

ସତୁରୀ ବର୍ଷ ବୟସରେ ଦିନ ଦୁଇଟାରୁ ସନ୍ଧ୍ୟା ସାତଟା ପର୍ଯ୍ୟନ୍ତ ବସ୍ ଦୁଆର ମୁହଁରେ ଠେଲାପେଲା, ତାଙ୍କ ମୁହଁରେ କ୍ଳାନ୍ତି ଓ ଅସହାୟତାର ଏକ ମିଶ୍ରିତ ପ୍ରଲେପ ବୋଳି ଦେଇଥିଲା ।

Support Samadhwani

ପାଣି ଗ୍ଲାସେ ମାଗିଲେ ସେ ।

ଠେଲାପେଲାର ଅନୁଭୂତି ତାଙ୍କ ପାଇଁ କିଛି ନୂଆ ନୁହେଁ । ବ୍ରିଟିଶ ପୋଲିସର କର୍ଡନ ଭାଙ୍ଗିବାବେଳେ ପୋଲିସ ସହିତ ଠେଲାପେଲା, ଧସ୍ତାଧସ୍ତିରେ ତାଙ୍କ ଯୌବନ କଟିଯାଇଛି । କିନ୍ତୁ ସ୍ୱାଧୀନ ଭାରତରେ ବସ୍ ଟି ଚଢ଼ିବା ପାଇଁ ଏ ବୟସରେ… ।

ଢକଢକ କରି ପାଣି ପିଇଗଲେ ନରହରି । ସବୁ ବୃଦ୍ଧଙ୍କ ଭାଗ୍ୟ କ’ଣ ଏହିଭଳି! ଉଠିଲେ ସେ ।

କାଲି ସକାଳ ପର୍ଯ୍ୟନ୍ତ ଯିବେ କୁଆଡ଼େ?

ସହ ସଂଗ୍ରାମୀ ହରିହର ଏ ସହରର ବୟୋଜ୍ୟେଷ୍ଠ ପୂଜ୍ୟପାଦ ବୋଲି ସେ ଶୁଣିଛନ୍ତି । ଯିବେ କି ତାଙ୍କ ପାଖକୁ? ଅନାଇଲେ ନରହରି ପିନ୍ଧିଥିବା ଫତେଇଟିକୁ । ପଛକଥା ଗୁଡ଼ା ମନେ ପଡ଼ିଗଲା ।

ହରିହର ଥିଲେ ତାଙ୍କ ନେତୃତ୍ୱରେ ପରିଚାଳିତ ଦଳର ପୋଷ୍ଟର ଲେଖାଳୀ । ଦୁର୍ବଳ ଶରୀର ହେଲେ ବି ଚମତ୍କାର ଅକ୍ଷର, ଭିଡ଼ କାମକୁ ପାରିବେ ନାହିଁ ବୋଲି ନରହରି ଦେଇଥିଲେ ତାଙ୍କୁ ପୋଷ୍ଟର ଲେଖିବାର ଦାୟିତ୍ୱ । କେତେ ସମୟ ସେ ନଷ୍ଟ କରିନାହାନ୍ତି ହରିହରଙ୍କୁ ବୁଝାଇବାରେ ଯେ ରାମାୟଣ ଯୁଦ୍ଧରେ ହନୁମାନ ଓ ଗୁଣ୍ଡୁଚି ମୂଷା ଉଭୟର ଦାନ ସମାନ ବୋଲି! ହରିହରଙ୍କର ସେ ଥିଲେ ସେତେବେଳେ ଏକମାତ୍ର ସହୃଦୟ । ତେବେ ଆଜି କ’ଣ ହରିହର ତାଙ୍କୁ ଚିହ୍ନିବେ?

ଅଠତିରିଶ ବର୍ଷ ସ୍ୱାଧୀନତା ପରେ ନରହରି-ହରିପୁର ଗାଁର ନରହରି ଦାସ ମାତ୍ର । କିନ୍ତୁ ହରିହର କେତେ ନାଁ କେତେ ଉପାଧିଧାରୀ, କେତେ ସଭା ସମିତି ମଣ୍ଡନକାରୀ ମହାତ୍ମା ହରିହର ମିଶ୍ର ।

ସେ ଦିନଟି ତ ତାଙ୍କର ସ୍ପଷ୍ଟ ମନେଅଛି, ଯେଉଁଦିନ ହରିହର ତାଙ୍କ ଗାଁ ମାଇନର ସ୍କୁଲ ଉଦ୍ଘାଟନ ସଭାକୁ ଆସିଥିଲେ ମୁଖ୍ୟ ଅତିଥି ହୋଇ । ଦେହରେ କି ଫିନ୍ ଫିନ୍ ଧୋତି ଓ ପଞ୍ଜାବୀ, ବଗର ରଙ୍ଗ ବି ମଳିନ ପଡ଼ିଯିବ । ଉଦ୍ଘାଟନ କରି କେତେ କେତେ କଥା କହିଥିଲେ ହରିହର ।

ଉଦ୍ୟୋକ୍ତାମାନଙ୍କୁ କହି ସେଦିନ ନରହରି ଦେଖା କରିଥିଲେ ହରିହରଙ୍କୁ । ଡାକବଙ୍ଗଳାର ମୋଟା ମୋଟା ଗଦି ଉପରେ ଆରାମ କରୁଥିବା ହରିହରଙ୍କୁ ଦେଖି ନରହରି କାହିଁକି ଭାରି ସଙ୍କୁଚିତ ହୋଇପଡ଼ିଲେ । ନୋଆଖୋଲିର ଗାନ୍ଧୀ, ରାମଚନ୍ଦ୍ରପୁରରେ ଗୋପବନ୍ଧୁଙ୍କର ଉପଯୁକ୍ତ ଦାୟାଦ କ’ଣ ହରିହର?  ନରହରି ଭାବିଥିଲେ ହରିହର ତାଙ୍କୁ ଦେଖିଲା ମାତ୍ରେ ଗଦିରୁ ଉଠିପଡ଼ି କୁଣ୍ଢାଇ ପକାଇବେ-ସ୍ମୃତିଚାରଣ କିଛି ସମୟ ହେବ । ନରହରି ଯେ ତାଙ୍କର ଏକଦା ନେତା ଥିଲେ, ତାହା ସେ ଗ୍ରାମବାସୀଙ୍କ ଆଗରେ ସ୍ୱୀକାର କରିବେ । ଯୌବନରେ ତାଙ୍କ ଦୁଃସାହସିକତା ସମ୍ପର୍କରେ ଗ୍ରାମବାସୀଙ୍କୁ କହିବେ । ଏସବୁ କିଛି ହେଲାନାହିଁ । ନରହରି ସେ ଗାଁର ଆଉ କେତେଜଣ ଭେଟିବାକୁ ଆସିଥିବା ଗ୍ରାମବାସୀ ଦାମୋଦର, ଶରତ, ଅକ୍ରୁରଙ୍କ ଭଳି ଜଣେ ହୋଇଯାଇଥିଲେ । ନରହରି ଭାବୁଥିଲେ ହରିହର ତାଙ୍କୁ ଚିହ୍ନି ପାରୁନାହାନ୍ତି । ଚିହ୍ନା ଦେବାପାଇଁ ଉଦ୍ୟମ କରନ୍ତେ, ହରିହର କହିଥିଲେ, “ନରହରିବାବୁ! ସ୍ୱାଧୀନତା ସଂଗ୍ରାମୀଙ୍କୁ ସରକାର ପେନ୍ସନ୍ ଦେବାର ବନ୍ଦୋବସ୍ତ କରୁଛନ୍ତି । ଆପଣ ସେ ସମ୍ପର୍କୀୟ କାଗଜପତ୍ର ଯୋଗାଡ଼ କରୁଥାନ୍ତୁ-ବୁଝିବା ।” ନରହରି ହତବାକ୍ ହୋଇଯାଇଥିଲେ । ସେ ତ ହରିହରଙ୍କ ପାଖକୁ ଯାଇ ନ ଥିଲେ ପେନ୍ସନର ଅନୁଗ୍ରହ ପାଇଁ । ସେ ଯାଇଥିଲେ ହରିହରଙ୍କୁ ସଙ୍ଖୋଳିବାକୁ । କିନ୍ତୁ ହରିହର ବୁଝିଲେ କ’ଣ? ହରିହରଙ୍କୁ ନମସ୍କାର କରି ସେ ଫେରିଥିଲେ ସେଦିନ ।

ଏହା ଭିତରେ ପନ୍ଦର ବର୍ଷ ବିତିଗଲାଣି । ଆଉ ଦେଖା ହୋଇନାହିଁ । ଆଜି ଯଦି ଯାଆନ୍ତି ତେବେ ହୁଏତ ହରିହର କହିବେ ଏତେ ଡେରିରେ ଆସିଲେ, ଆଉ କ’ଣ ପେନ୍ସନ ମିଳିବ?

ନରହରି ରାଜପଥକୁ ଉଠିଲେ । ବହୁଦିନ ପରେ ସହରକୁ ଆସୁଛନ୍ତି । ଏହା ଭିତରେ ଉନ୍ନତି ତ ବହୁତ ହୋଇଛି । ରାସ୍ତାଗୁଡ଼ିକ ବେଶ୍ ପ୍ରଶସ୍ତ ହୋଇଛି । ଆଉ ଛକ ଜାଗାମାନଙ୍କରେ ଉଜ୍ଜ୍ୱଳ ଆଲୋକର ବ୍ୟବସ୍ଥା ସୂର୍ଯ୍ୟକୁ ବି ମାତ୍ କରିଦେବ । ଗାଡ଼ି ପରେ ଗାଡ଼ି, ଚାଲିବା ଲୋକ ପାଇଁ ଆଉ କିଛିଦିନ ପରେ ହୁଏତ ଥାନ ନ ଥିବ । ସେତେବେଳେ ତାଙ୍କ ଭଳି ବୃଦ୍ଧମାନେ କ’ଣ କରିବେ? ଦୀର୍ଘଶ୍ୱାସଟିଏ ଛାଡ଼ିଲେ ନରହରି ।

ନରହରି ଚାହୁଁ ଚାହୁଁ ଆସି ବାଇମୁଣ୍ଡି ଛକରେ ପହଞ୍ôଚଲେ । ଏକଦା ଜନଶୂନ୍ୟ ଏହି ଅଞ୍ଚଳଟି ଜନାରଣ୍ୟରେ ପରିଣତ ହୋଇଯାଇଛି । ଅନେକ ଗୁପ୍ତ ମନ୍ତ୍ରଣା ସଭା ଏହିଠାରେ ଥିବା ଜଙ୍ଗଲ ଓ ବୁଦା ଭିତରେ ତାଙ୍କର ହୋଇଥିଲା । ଭାରି ସନ୍ତସନ୍ତିଆ ଥିଲା ଏହି ଜାଗାଟା । ଏବେ ତ ଚାରିଆଡ଼େ କୋଠା ମାଳମାଳ, କଂକ୍ରିଟ ରାସ୍ତା, ଖାଲ ସବୁ ପୋତି ହୋଇଯାଇଛି । ସବୁ ବଦଳି ଯାଇଛି ।

ନରହରି ଆଗେଇଲେ । ଆଲୋକରେ ଝିଲ୍ମିଲ୍ ଆଖିଟା ଉପରେ ପୁଣି ଅନ୍ଧାର ଓହ୍ଲାଇ ଆସିଲା । ସେହି ପ୍ରଶ୍ନ-ସକାଳ ପର୍ଯ୍ୟନ୍ତ ସେ ରହିବେ କେଉଁଠି?

ରାସ୍ତା କଡ଼କୁ ଓହ୍ଲାଇ ପଡ଼ିଲେ ନରହରି । ରାସ୍ତାକୁ ଲାଗି ବିସ୍ତୀର୍ଣ୍ଣ ପଡ଼ିଆ । ଅନ୍ଧାରରେ ଧସେଇ ଚାଲିଲେ ସେ । କାଁ ଭାଁ କିଛି ଲୋକଙ୍କ ବ୍ୟତୀତ ପରିବେଶ ସମ୍ପୂର୍ଣ୍ଣ ନିରୋଳା । ଭଲ ଲାଗିଲା ନରହରିଙ୍କୁ । ସେ ଆଗେଇଲେ । ହଠାତ୍ ସାମନାରେ କଂକ୍ରିଟ୍ ସ୍ତମ୍ଭ ଦେଖି ଅଟକି ଗଲେ । ପଡ଼ିଆ ମଝିଟାରେ କଂକ୍ରିଟ୍ ସ୍ତମ୍ଭ! କାହାରି ପ୍ରତିମୂର୍ତ୍ତି ରହିଥିବ ବୋଧେ । ନରହରି ଟର୍ଚ୍ଚ ଟିପିଲେ ।

“ଓଃ! ଗାନ୍ଧୀ” ନରହରି ଯେପରି ଅପ୍ରସ୍ତୁତ ହୋଇପଡ଼ିଲେ ।

“କିଏ…?” କେହି ଜଣେ ପ୍ରଶ୍ନ କଲା ।

ନରହରି ଚମକି ପଡ଼ିଲେ । ସେ ବାରିବାକୁ ଚେଷ୍ଟା କଲେ ଅନ୍ଧାର ଭିତରେ ଶବ୍ଦଟା କେଉଁଠୁ । ପୁଣି ଥରେ ସେହି ପ୍ରଶ୍ନ । ଅଥଚ ସ୍ୱର ସାମାନ୍ୟ କଠୋର । ଗଞ୍ଜେଇ ଧୂଆଁ ଦମକାଏ ନରହରିଙ୍କ ନାକରେ ବାଜିଲା ।

କେହି ଦୁବୃର୍ତ୍ତ ଏଠାରେ ନାହିଁ ତ! ନରହରି ସାମାନ୍ୟ ଶଙ୍କିଗଲେ ।

ହଁ କ’ଣ ନେବାକୁ ଅଛି ତାଙ୍କଠାରୁ, ନିଜକୁ ସାମାନ୍ୟ ସହଜ କରିନେଇ ସେ ଉତ୍ତର ଦେଲେ, “ମୁଁ ଜଣେ ବୃଦ୍ଧ । ବସ୍ ଫେଲ୍ ହୋଇଗଲି । ରହିବା ପାଇଁ ଜାଗା ଖୋଜୁଛି ।”

“ବେଶ୍ ଭଲ ଜାଗାରେ ପହଁଚିଯାଇଛ, ଗାନ୍ଧୀର ପ୍ରତିମୂର୍ତ୍ତି ତଳେ । ଆରାମରେ ଶୋଇପଡ଼ ।” ନରହରି କୃତଜ୍ଞତା ଜଣାଉ ଜଣାଉ କହିଲେ, “ବାବା ତମେ କିଏ? କେଉଁଠାରେ ଅଛ? ମୁଁ ତ ଦେଖିପାରୁ ନାହିଁ!”

ଉତ୍ତର ଆସିଲା, “ମୁଁ ଏହିଠାରେ ଅଛି । ତୁମେ ପ୍ରତିମୂର୍ତ୍ତିର ସାମନା ପଟେ ଅଛ । ଆଉ ମୁଁ ପଛପଟରେ ବସି ଗଞ୍ଜେଇ ଟାଣୁଛି । ବେକାର ଯୁବକଟିଏ ତ!” ନରହରି ସ୍ତମ୍ଭ ତଳ ପକ୍କା ଚଟାଣ ଉପରେ ବସିପଡ଼ିଲେ । ବେକାର ଯୁବକଟିଏ ଗାନ୍ଧୀ ମୂର୍ତ୍ତି ତଳେ ବସି ଗଞ୍ଜେଇ ଟାଣୁଛି-ତାଙ୍କୁ ଭାରି ବେଖାପ ଲାଗିଲା । ରୁଚିକୁ ବାଧିଲା । ତାଙ୍କର ମନେହେଲା, ଏହା ଯେପରି ଗାନ୍ଧୀଙ୍କ ପ୍ରତି ଖୋଲାଖୋଲି ଅବମାନନା, ସମ୍ପୂର୍ଣ୍ଣ ବେଖାତିର । ଗାନ୍ଧିବାଦୀ ନରହରି ନିଜକୁ ସମ୍ଭାଳି ପାରିଲେ ନାହିଁ । ପଚାରିଲେ, “ଆଚ୍ଛା ବାବା, ଗାନ୍ଧୀ ମୂର୍ତ୍ତି ତଳେ ବସି କ’ଣ ଗଞ୍ଜେଇ ଟାଣିବା ଉଚିତ?”

ସେ ଆଶା କରିଥିଲେ ଯୁବକଟି ନିଜର ଭୁଲ ବୁଝିପାରିବ । କିନ୍ତୁ ସେ ଓଲଟି ପଚାରିଲା, “କାହିଁକି ଉଚିତ ନୁହେଁ?”

“ଗାନ୍ଧୀ ଆମ ଜାତିର ଜନକ । ଆମକୁ ସ୍ୱାଧୀନତା ଆଣି ଦେଇଛନ୍ତି ସେ । ତାଙ୍କ ପ୍ରତି ଆମର ସମ୍ମାନ ରହିବା ଉଚିତ ନୁହେଁ କି?” ନରହରି କହିଲେ । ଜଣାପଡୁଛି ତୁମେ ସେହି ପୁରୁଣା କାଳିଆ ହୋଇ ରହିଯାଇଛ । ଗାନ୍ଧୀ ବିଷୟରେ ତୁମର କୌଣସି ଧାରଣା ନାହିଁ । ଗାନ୍ଧୀ ହେଉଛି ଗୋଟାଏ ସିନେମା । ଅର୍ଥାତ୍ ବାଇସ୍କୋପର ନାମ । ବେନ୍ କିଙ୍ଗ୍ସ୍ଲେ ହେଉଛି ଗାନ୍ଧୀ ।” ଯୁବକଟି ଉତ୍ତର ଦେଲା ।

ଗଞ୍ଜେଇର ପ୍ରଭାବରେ ଯେ ଯୁବକଟି ପୁରାପୁରି ଆକ୍ରାନ୍ତ ଏ ସମ୍ପର୍କରେ ଆଉ ସନ୍ଦେହ ରହିଲା ନାହିଁ ନରହରିଙ୍କର । ପକ୍କା ଚଟାଣ ଉପରେ ନରହରି ଶୋଇବାର ଆୟୋଜନ କଲେ ।

ନୀରବତାରେ କିଛିକ୍ଷଣ ବିତିଗଲା । ଯୁବକଟି ନୀରବତା ଭଙ୍ଗ କଲା । ପଚାରିଲା, “କ’ଣ ଶୋଇପଡ଼ିଲଣି? ଭାବୁଥିବ ଯେ ଏ ଟୋକାଟା ଗଞ୍ଜେଇ ଖାଇ କ’ଣ ଏମିତି ପ୍ରଳାପ କରୁଛି । ଚାରିବର୍ଷ ହେଲାଣି ବେକାରୀ, ଏ ସହରର ସବୁ ଅଫିସ୍, ସବୁ କାରଖାନା ବୁଲି ଆସିଲିଣି । କେଉଁଠି ଚାକିରି ନାହିଁ, ରାତିରେ ଗଞ୍ଜେଇ ଖାଇଲେ ଦିନର ଅନୁଭୂତିର ଭିତର ପଟଟା ଆହୁରି ସ୍ପଷ୍ଟ ହୋଇ ଦେଖାଦିଏ । ଅବୁଝା କଥାଗୁଡ଼ା ବୁଝି ହୋଇଯାଏ । ଗାନ୍ଧୀ ଓ ଗଞ୍ଜେଇ ଭିତରେ କୌଣସି ସମ୍ପର୍କ ନାହିଁ । ଏହି ପଥର ମୂର୍ତ୍ତି ସହିତ ଗାନ୍ଧୀଙ୍କ ପ୍ରତି ଖାତିର ବା ବେଖାତିରର ମଧ୍ୟ କୌଣସି ସମ୍ପର୍କ ନାହିଁ । ତୁମ ଗାନ୍ଧୀ ଓ ଆମ ଗାନ୍ଧୀ ଭିତରେ ତେଣୁ ତଫାତ୍ ଅନେକ-ଅନେକ ।

“ସେ ଲେଙ୍ଗୁଟିମରା ଗାନ୍ଧୀକୁ ନେଇ ଆମେ ଆଜି କୋଟି କୋଟି ଟଙ୍କା ରୋଜଗାରରେ ଲାଗିଛୁ । ଅବଶ୍ୟ ମୁଁ ବେକାର ଅଛି । ଆଚ୍ଛା, ଛାଡ଼ ସେ ଗାନ୍ଧୀ କଥା । ତୁମେ ତ ଖାଲି ଜଣେ ବୃଦ୍ଧ ହୋଇ ନ ଥିବ । ତୁମର ତ କିଛି ଗୋଟାଏ ପରିଚୟ ଥିବ । ଯେମିତିକା ମୁଁ ଜଣେ ଯୁବକ ଅଥଚ ବେକାର ଯୁବକ? ତୁମେ ସେମିତି କି ପ୍ରକାର ବୃଦ୍ଧ?”

ନରହରି ଭାବିଲେ କ’ଣ କହିବି? ଗାନ୍ଧୀ କହିଲେ ଯେ ସିନେମାର ନାଁ ବୁଝେ, ସେ ସ୍ୱାଧୀନତା ସଂଗ୍ରାମୀ କହିଲେ କ’ଣ ବୁଝିବ? ନୀରବ ରହିଲେ ।

ଯୁବକଟି ପୁଣି ପଚାରିଲା, “କାହିଁ କିଛି କହୁନାହଁ ଯେ, ରାଗିଗଲ କି ଆଜିକାଲିର ଟୋକାଙ୍କ ଚାଲିଚଳଣ, କଥାବାର୍ତ୍ତା, ଗତିବିଧି ଦେଖି? ଆଦୌ ସମ୍ମାନବୋଧ ନାହିଁ ନା!

“କିପରି ବା ରହିବ? ଆମ ପ୍ରତି କାହାର ଅଛି? ସବୁଠି ତ ଦୂର୍ଦୂର୍ । ହଉ ତୁମ ପରିଚୟ ଦିଅ, ମୋ ପରିଚୟ ଶୁଣିବା ପରେ ଅନ୍ତତଃ ସୌଜନ୍ୟ ଦୃଷ୍ଟିରୁ ।”

ନରହରି ଅତି ସଂକ୍ଷେପରେ କହିଲେ, “ସ୍ୱାଧୀନତା ସଂଗ୍ରାମୀ ।”

“କ’ଣ ପେନ୍ସନ୍ ନେବାକୁ ଆସିଥିଲେ?” ଯୁବକଟି ପଚାରିଲା ।

“ନା, ମୁଁ ପେନ୍ସନ୍ ପାଏନାହିଁ ।” ନରହରି ଉତ୍ତର ଦେଲେ ।

“କାହିଁକି, ଆପଣ ଜେଲ୍ ଯାଇ ନଥିଲେ?”

“ହଁ, ଦୁଇ ତିନିବର୍ଷ ଜେଲ୍ରେ କଟାଇଛି ।”

“ତା’ ସତ୍ତେ୍ୱ ବି ମିଳିଲା ନାହିଁ? ଶଳା ସବୁଠାରେ ତ ଧରାଧରି । ଆପଣଙ୍କର ଦରଖାସ୍ତଟିକୁ ଖାରଜ କରିଦେଇଥିବେ ।” ଯୁବକ କଣ୍ଠରେ ଉତ୍ତେଜନା ।

“ନା, ମୁଁ ଦରଖାସ୍ତ କରି ନ ଥିଲି ।”

“କାହିଁକି?”

“ମୁଁ ଏଥିରେ ବିଶ୍ୱାସ କରେନାହିଁ ।”

“କ’ଣ ଅଭିମାନ!”

“ନା, ନୀତି ଦୃଷ୍ଟିରୁ ।” ବୃଦ୍ଧଙ୍କ କଣ୍ଠରେ ଉତ୍ତେଜନାର ଆଭାସ ।

ସେ କହିବାକୁ ଲାଗିଲେ, “ମୁଁ ସ୍ୱାଧୀନତା ସଂଗ୍ରାମକୁ ତ ବୃତ୍ତି କରି ନ ଥିଲି ଯେ ସେଥିରୁ ଅବସର ନେଇଛି, ତେଣୁ ପେନ୍ସନ୍ ନେବି । ସ୍ୱାଧୀନତା ସଂଗ୍ରାମ ଥିଲା ମୋର ବ୍ରତ । ଦେଶ ସ୍ୱାଧୀନ ହେଲା, ମୋ ବ୍ରତ ସଫଳ ହେଲା । କିନ୍ତୁ ମୁଁ କେବେ ଭାବିନି ଯେ ସେଇଥିରେ ସଂଗ୍ରାମ ସରିଗଲା ବୋଲି, ମୁଁ ଅବଶ୍ୟ ବୃଦ୍ଧ ହୋଇଗଲି । ସଂଗ୍ରାମ ପାଇଁ ବଳ ହଟିଗଲା । ମୋ ସାଥୀମାନେ ଶାସକ ହୋଇଗଲେ ଆଉ ଯୁବକମାନେ…” ବୃଦ୍ଧଙ୍କ କଣ୍ଠ ରୁଦ୍ଧ ହୋଇଆସିଲା । “ହଁ, ଯୁବକମାନେ ଶାସକଙ୍କର ସ୍ତାବକ ହୋଇଗଲେ । ସୁରକ୍ଷିତ ଜୀବନଟିଏ ପାଇଁ ସବୁ ନୀତିକୁ ଜଳାଞ୍ଜଳି ଦେବାର ପ୍ରବଣତା ଦେଖାଇଲେ । ତାହା ଯଦି ନ କରିପାରିଲେ, ବସି ଗଞ୍ଜେଇ ଟାଣିଲେ । ଜୀବନ ସଂଗ୍ରାମରୁ ଖସିଯିବା ପାଇଁ ଚେଷ୍ଟା କଲେ ।” ନରହରି ନୀରବ ହେଲେ । ନୀରବତାରେ କିଛି ସମୟ କଟିଗଲା ।

“ଆପଣଙ୍କର ଚଳାଚଳ ବୋଧହୁଏ ସ୍ୱଚ୍ଛଳ?” ଯୁବକଟି ନୀରବତା ଭଙ୍ଗ କଲେ ।

“ଦୁଇ ଏକର ଜମି ଅଛି ।” କିଛିଟା ବ୍ୟଙ୍ଗ ମିଶ୍ରିତ କଣ୍ଠରେ ଉତ୍ତର ଦେଲେ ନରହରି ।

“ମାତ୍ର ଦୁଇ ଏକର!” ଯୁବକ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ପୁଣି-

“ଆପଣଙ୍କର ପିଲାପିଲି ବି ତ ଥିବେ?”

“ହଁ, ଦୁଇ ପୁଅ, ଗୋଟିଏ ଝିଅ । ଆରବର୍ଷ ଝିଅଟି ମରିଗଲା ଶାଶୁଘରେ । ପୁଅମାନେ କହିଲେ ତା’ର ମୃତ୍ୟୁ କାଳେ ଯୌତୁକ ମୃତ୍ୟୁ । ମୁଁ କିନ୍ତୁ ସେ ସବୁରେ ମୁଣ୍ଡ ପୂରାଇ ନାହିଁ ।”

“ପୁଅମାନେ ଭଲ ଚାକିରି ବାକିରି କରନ୍ତି?”

“ହଁ, ଜଣେ ନିମ୍ନ ପ୍ରାଥମିକ ସ୍କୁଲର ଶିକ୍ଷକ, ଆର ଜଣକ ହଲରମ୍ୟାନ୍ । ସେମାନେ ସମସ୍ତେ ବି ସଂସାରୀ ।” ଅତି ସହଜ ଭାବରେ ଉତ୍ତର ଦେଇ ଚାଲିଥିଲେ ନରହରି ।

“ତେଣୁ ପେନ୍ସନ୍ ନେବା…” କହୁ କହୁ ଯୁବକଟି ରହିଗଲା ।

“ହଁ, ପୁଅ ଦୁହେଁ ବହୁତ କହିଥିଲେ ବାପା ପେନ୍ସନ ନିଅ । ତିନିଶହ ଟଙ୍କା କିଛି କମ୍ ନୁହେଁ । ତୁମ ସାଙ୍ଗମାନେ କାହିଁ କ’ଣ ସବୁ ହେଲେଣି। ତୁମେ ତିନିଶହ ଟଙ୍କା ଆଣିଲେ ଆମ ଘର ତ ଚଳିଯିବ । ମୁଁ କେବଳ ତାଙ୍କୁ ଏତିକି କହିଥିଲି ଯେ, ଲୋକ ମରିଗଲା ପରେ ତ ଆଉ ପେନ୍ସନ ପାଏନାହିଁ । ମୁଁ ଯଦି ମରିଯାଏ ତୁମେ ଚଳିବ କିପରି? ଏହି ଅବସ୍ଥାରେ ହିଁ ଚଳି ଶିଖ । ଆଉ ସେହିଦିନଠାରୁ ସେମାନେ ମୋତେ କେବେ କିଛି କହିନାହାନ୍ତି । ଭାବୁଥିବେ ମୁଁ ତାଙ୍କ ପାଇଁ ମରିଯାଇଛି ।”

“କିନ୍ତୁ ଆପଣ ଚାହିଁଥିଲେ ଅନେକ କିଛି ନିଜ ପରିବାର ପାଇଁ କରିପାରିଥାନ୍ତେ?”

“ହଁ, ସଂଗ୍ରାମୀ ଜୀବନକୁ ପୁଞ୍ଜି କରି ଅନେକ କଥା କରିପାରିଥାନ୍ତି । କିନ୍ତୁ ନ କରିପାରିଥିବାରୁ ମୋର କୌଣସି ଅବଶୋଷ ନାହିଁ । ବରଂ ସନ୍ତୋଷ ଯେ ମୁଁ ଅବକ୍ଷୟର ପ୍ରବାହରେ ଭାସିଯାଇ ନାହିଁ । ବ୍ରତକୁ ବୃତ୍ତି କରିଦେଇ ନାହିଁ । ମୁଁ ଏକା ନୁହେଁ । ଏହିଭଳି ଅନେକ ଅଛନ୍ତି, ଯାହାଙ୍କୁ ଆଜି କେହି ଚିହ୍ନେ ନାହିଁ । ସେମାନଙ୍କ କଥା କେହି କହେ ନାହିଁ । ସେମାନଙ୍କ ଉପରେ କେହି ଲେଖେ ନାହିଁ । ଇତିହାସରେ ରହନ୍ତି ସେମାନେ କେବଳ ଗୋଟିଏ ଜନସମୂହ ହୋଇ ।” ନରହରି ଦୀର୍ଘଶ୍ୱାସଟିଏ ଛାଡ଼ିଲେ ।

ଚିଲମରେ ଆଉ ଗୋଟିଏ ଜୋର ଟାଣ ଦେଇ ଯୁବକଟି କହିଲା, “ଗାନ୍ଧୀଙ୍କ ଅନୁଚର ହୋଇ ଆପଣମାନେ ଅନେକ କିଛି ହରାଇଲେ, ଆଜିର ପରିଭାଷା ଅନୁଯାୟୀ ହାରିଗଲେ । ଅଥଚ ସେହି ଗାନ୍ଧୀଙ୍କୁ ପୁଞ୍ଜି କରି କେତେ ଲୋକ କେତେ ନା କ’ଣ ପାଇଲେ । ସ୍ୱାଧୀନତା ସଂଗ୍ରାମୀ କହି, ତ୍ୟାଗର ନଜିର ଦେଇ ସମାଜପତି ବନିଗଲେ । ହେଇ ଦେଖନ୍ତୁ ନା ହରିହରଙ୍କୁ! କେତେ ବଡ଼ ଲୋକ ସେ । ଗାନ୍ଧୀଙ୍କ ନାଁକୁ ଜପାମାଳି କରି ଜୀବନରେ ସବୁକିଛି ପାଇଲେ । ଘର, ଗାଡ଼ି, ଉଚ୍ଚ ପ୍ରତିଷ୍ଠିତ ସନ୍ତାନ ସନ୍ତତି ଓ ସର୍ବୋପରି ସାମାଜିକ ପ୍ରତିଷ୍ଠା । ଆପଣମାନେ ଗାନ୍ଧୀଙ୍କ ମଣିଷ ସହିତ ରହିଗଲେ, ଆଉ ସେମାନେ ଆପଣଙ୍କର ଭାଗ୍ୟନିୟନ୍ତା ହୋଇଗଲେ । ଆପଣ ହରିହରଙ୍କୁ ଚିହ୍ନନ୍ତି? ଏ ସହରର ବୟୋଜ୍ୟେଷ୍ଠ ଗାନ୍ଧୀବାଦୀ ସେ ।”

ହରିହରଙ୍କ ନାଁ ଶୁଣି ନରହରି ଏକ ଅଶ୍ୱସ୍ତି ଅନୁଭବ କଲେ । ଭାବିଲେ କ’ଣ ଦରକାର ଏହି ଯୁବକଙ୍କୁ ହରିହରଙ୍କ ଅତୀତ ସମ୍ପର୍କରେ କହିବା । କେବଳ ଛୋଟିଆ ‘ହୁଁ’ଟିଏ ମାରିଲେ ।

ଯୁବକଟି କହିଚାଲିଥାଏ, ଗାନ୍ଧୀ ଆମ ପାଇଁ ଗୋଟାଏ ଫାଙ୍କା ଆଦର୍ଶ । ଅର୍ଥ ଆଉ ପ୍ରତିଷ୍ଠା ହାସଲ ପାଇଁ ଗୋଟାଏ ସଫଳ ପୁଞ୍ଜି । ଗୋଟାଏ ଲାଭଜନକ ସିନେମାର ନାମ ମାତ୍ର । ବ୍ରିଟିଶ ଅଭିନେତା ବେନ୍ କିଙ୍ଗ୍ସ୍ଲେ ଆମ ପାଇଁ ଗାନ୍ଧୀ । ଦମକାଏ ଗଞ୍ଜେଇ ଧୂଆଁ ଆସି ନରହରିଙ୍କ ନାକରେ ବାଜିଲା । ନରହରି ମୁଣ୍ଡ ତଳେ ବୁଜୁଳାଟି ଦେଇ ଶୋଇବାକୁ ଚେଷ୍ଟା କଲେ ।

ରଚନା : ୧୯୮୫

PHOTO CREDIT-  https://www.google.co.in/search?q=gandhi&hl=en&source=lnms&tbm=isch&sa=X&ved=0ahUKEwjT-MSL4r7dAhUM-6QKHVdFAhAQ_AUIDigB&biw=1366&bih=662#imgrc=MCeUwXXTgsdS8M:

Share this Article
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ