କ୍ଷମତା, ଈଶ୍ୱର ଓ ଆଦିବାସୀ ସମାଜ

ପ୍ରଫେସର ଭଗବତ ପ୍ରସାଦ
ପ୍ରଫେସର ଭଗବତ ପ୍ରସାଦ 221 Views
4 Min Read

ଭଗବତ ପ୍ରସାଦ ହେଉଛନ୍ତି ଇଂରାଜୀ ଭାଷାର ଅବସରପ୍ରାପ୍ତ ଅଧ୍ୟାପକ । ଜଣେ ପ୍ରଗତିଶୀଳ ବୁଦ୍ଧିଜୀବୀ ଭାବରେ ଅନେକ ପତ୍ରପତ୍ରିକାରେ ତାଙ୍କର ନିବନ୍ଧ ପ୍ରକାଶିତ ହୋଇଛି । ଏଭଳି ଜଣେ ଗାନ୍ଧିବାଦୀ ବ୍ୟକ୍ତିତ୍ୱଙ୍କ ସହିତ ‘ସମଦୃଷ୍ଟି’ର ସମ୍ପାଦକ ତଥା ବିଶିଷ୍ଟ ସମାଜବିଜ୍ଞାନୀ ସୁଧୀର ପଟ୍ଟନାୟକ ଯେଉଁ ଆଲୋଚନା କରିଛନ୍ତି ତାହା ଏଠାରେ ଉପସ୍ଥାପିତ କରାଯାଇଛି । ଜଗନ୍ନାଥ ସଂସ୍କୃତି ଏବଂ ବର୍ତ୍ତମାନ ସମୟରେ ଏହାସହିତ ଯୋଡ଼ି ହୋଇଥିବା ବିଭିନ୍ନ ପ୍ରସଙ୍ଗ ଏହି ଆଲୋଚନାର ମୁଖ୍ୟ ବିଷୟ ।             – ସମ୍ପାଦକ

ଆଦିବାସୀର ଈଶ୍ୱର ଚେତନା ଆମ ସମାଜର ବିଶେଷକରି  ସାଧାରଣ ସମାଜର ଈଶ୍ୱର ଚେତନା ଭିତରେ ଆପଣ କ’ଣ ଫରକ ଦେଖୁଛନ୍ତି?

ଭଗବତ ପ୍ରସାଦ – ଆଦିବାସୀର ଈଶ୍ୱର ଚେତନା ଭିତରେ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀର ସୃଷ୍ଟି ପ୍ରାୟ ହୋଇପାରିନି କହିଲେ ଚଳେ । ସେଠି ଅନେକଟା ଭାବରେ ଈଶ୍ୱର ଚେତନା ବ୍ୟକ୍ତିଗତ ହୋଇ ରହିଯାଇଛି । ତାଙ୍କର ଯିଏ ‘ଜାନି’ ଅଛନ୍ତି ସେ ପୂଜା କରନ୍ତି । ସେ ଜଣେ ଏବଂ ସେଠିବି ସେ ଅନ୍ୟମାନଙ୍କ ସହିତ ସମାନ । ସେ ନିଜକୁ ଅତି ବଡ଼ ବୋଲି ଦାବୀ କରିପାରିବେ ନାହିଁ । ଈଶ୍ୱର ଚେତନା ଆଉ ଈଶ୍ୱରଙ୍କ ପ୍ରତି ଆନୁଗତ୍ୟରେ ସମସ୍ତଙ୍କର ସମାନତା ରହିଛି ଏବଂ ଈଶ୍ୱରଙ୍କ ସେବା କରିବାରେ ବି ସମସ୍ତେ ସମାନ । କିନ୍ତୁ ଆମର ଈଶ୍ୱର ଏବଂ ଭକ୍ତଙ୍କ ମଧ୍ୟରେ ମଧ୍ୟସ୍ଥି ରହିଛନ୍ତି ଯାହାଙ୍କ ମାଧ୍ୟମରେ ଈଶ୍ୱରଙ୍କୁ ଭେଟାଯିବ । କାରଣ ପୁରୋହିତ ମାଧ୍ୟମରେ, ଯଜ୍ଞ ମାଧ୍ୟମରେ ଆମେ ଯାଇ ଭଗବାନଙ୍କୁ ପାଇବା । ଯଜ୍ଞଟା କରିପାରିବେ କେବଳ ବ୍ରାହ୍ମଣମାନେ ।

ଯେହେତୁ ଆପଣ ସେମାନଙ୍କ ସହିତ ନିବିଡ଼ ଭାବରେ ଜଡ଼ିତ ଆଉ ଗୋଟିଏ କଥା ଆପଣ ଲକ୍ଷ୍ୟ କରିଥିବେ ଯେ ଆଦିବାସୀର ଈଶ୍ୱର ତା’ର ପ୍ରାକୃତିକ ପରିବେଶ ଭିତରେ ସବୁବେଳେ ରହିଛନ୍ତି କିନ୍ତୁ ସାଧାରଣ ଲୋକ ତାଙ୍କୁ ଇଟାକାନ୍ଥର ମନ୍ଦିର ଭିତରେ ସବୁବେଳେ ରଖିବା ପାଇଁ ଚାହୁଁଛନ୍ତି । ବର୍ତ୍ତମାନ ଆମେ ଦେଖୁଛେ ଗୋଟିଏ ମନ୍ଦିର ଭାଙ୍ଗିଲେ ଯେଭଳି ପ୍ରତିକ୍ରିୟା ସାଧାରଣତଃ ହୋଇଥାଏ   ଯେତେବେଳେ ଗୋଟେ ପ୍ରାକୃତିକ ପରିବେଶ ଯେଉଁଥିରେ କି ଖାଲି ମଣିଷ ରହୁନି ତା ସହିତ ଜୀବଜନ୍ତୁ ଅନ୍ୟାନ୍ୟ ଜୀବଜଗତ ବି ସୁନ୍ଦର ଭାବରେ ସହାବସ୍ଥାନ କରି ରହୁଛନ୍ତି ସେଇଟା ଆଦିବାସୀର ଦୁନିଆରେ ରହିଆସିଛି । ସେହିଦୃଷ୍ଟିରୁ ଦେଖିଲେ ସାଧାରଣ ଓଡ଼ିଆର ବା ସାଧାରଣ ମଣିଷର ଈଶ୍ୱର ଓ ଆଦିବାସୀର ଈଶ୍ୱର ଭିତରେ ଗୋଟେ ବଡ଼ ତଫାତ ରହୁଛି କି?

ଭଗବତ ପ୍ରସାଦ – ହଁ  ରହୁଛି । ସାଧାରଣ ଭାବରେ ସଭ୍ୟ ସମାଜ ଈଶ୍ୱରଙ୍କୁ ନିଜ କାମରେ ବ୍ୟବହାର କରିପାରୁଛି । ନିଜର ସୁବିଧା ପାଇଁ ସେ ଭଗବାନଙ୍କୁ ଡାକୁଛି । ସାଧାରଣ ମଣିଷଙ୍କର ଦୁଇଟା ଜିନିଷ କାମ୍ୟ, ଗୋଟିଏ ହେଲା ଯେଉଁମାନେ ଶକ୍ତିମାନ – ସମ୍ଭ୍ରାନ୍ତ ଶ୍ରେଣୀ ସେମାନଙ୍କୁ ଦରକାର ଅର୍ଥ; ଦ୍ୱିତୀୟଟି ତାଙ୍କୁ ଦରକାର କ୍ଷମତା । ଏ ଦୁଇଟିଯାକ ପାଇବା ପାଇଁ ସେମାନେ ଈଶ୍ୱରଙ୍କୁ ବ୍ୟବହାର କରିପାରୁଛନ୍ତି । କିନ୍ତୁ ଆଦିବାସୀର ସେସବୁ କିଛି ନାହିଁ । ସେ କ୍ଷମତା ପାଇଁ ବ୍ୟସ୍ତ ନୁହେଁ କି ଅର୍ଥ ପାଇଁ ବ୍ୟସ୍ଥ ନୁହେଁ । ତାଙ୍କୁ ବ୍ୟବହାର କରି ନିଜେ ଲାଭବାନ ହେବା, ନିଜେ ଶକ୍ତିଶାଳୀ ହେବା ଅନ୍ୟକୁ ଶାସନକରିବା ଏଇ ସ୍ତରକୁ ଆଦିବାସୀ ସମାଜ ଯାଇନି । ଏହି ସ୍ତରଟିକୁ ଆମେ ସଭ୍ୟସ୍ତର କହୁଛେ କିନ୍ତୁ ଅସଭ୍ୟ ସ୍ତର କହିଲେ ଅଧିକ ସଙ୍ଗତ ହେବ ।

ତାଙ୍କର ଯେଉଁଭଳି ସମତାଭିତ୍ତିକ ସମାଜ ରହିଛି ସେମିତି ଧର୍ମ ବି ସମତାଭିତ୍ତିକ ରହିଛି । କିନ୍ତୁ ଆମ ସମାଜ ତ ସମତାଭିତ୍ତିକ ସମାଜ ନୁହେଁ । ଆମ ସମାଜରେ ଅସମତା ଭରିରହିଛି । ଏଠି କିଏ ଅଧିକ କ୍ଷମତା ଉପଭୋଗ କରେ କିଏ କମ୍ କରେ । ଆଉଗୋଟେ କଥା ଏଠି ଅଛି, ଧରନ୍ତୁ ଜଗନ୍ନାଥଙ୍କୁ ସ୍ପର୍ଶ କରିବା ଅତି ଆନନ୍ଦର କଥା ବୋଲି କୁହାଯାଏ, ପୂଣ୍ୟ କାର୍ଯ୍ୟ । ଜଗନ୍ନାଥ ଏବଂ ଭକ୍ତଙ୍କ ମଝିରେ କେବଳ ତାଙ୍କର ମଧ୍ୟସ୍ତ ରହିଛନ୍ତି ସେବାୟତମାନେ । ସେବାୟତମାନେ ଯଦି କିଛି ପଇସା ପାଇବେ ଜଗନ୍ନାଥଙ୍କୁ ସ୍ପର୍ଶ କରିବା ପାଇଁ ଆପଣଙ୍କୁ ସହଯୋଗ କରିବେ । ତେଣୁ ଏ ଯେଉଁ ମଧ୍ୟସ୍ତର ଭୂମିକା ଯାହା ଖ୍ରୀଷ୍ଟିଆନ୍ମାନଙ୍କର ଚର୍ଚ୍ଚରେ ଅଛି । ତାଙ୍କ ଚର୍ଚ୍ଚଲୋକଙ୍କ ସାହାଯ୍ୟରେ ସାଧାରଣ ମଣିଷ ସ୍ୱର୍ଗକୁ ଯିବେ । ଯାହାକିଛି ଧର୍ମକାର୍ଯ୍ୟ ଆପଣ ଚର୍ଚ୍ଚ ସାହାଯ୍ୟରେ କରିପାରିବେ ନହେଲେ ନାହିଁ । ସେଥିରେ ବିଦ୍ରୋହ କରି ପ୍ରୋଟେଷ୍ଟାଣ୍ଟ ଗୋଷ୍ଠୀ ତିଆରି ହେଲେ । ଧର୍ମଟା ବିଭକ୍ତ ହୋଇଗଲା । ମୁସଲମାନ ଧର୍ମରେ ବି ଭଗବାନଙ୍କ ପାଖଲୋକ ହୋଇ ମୌଲାମାନେ ଏବଂ ଅନ୍ୟମାନେ ଅଛନ୍ତି  । ତାଙ୍କ ଜରିଆରେ ଭଗବାନଙ୍କ ପାଖକୁ ଯାଇହେବ । କିନ୍ତୁ ଆଦିବାସୀ ସମାଜରେ ମଧ୍ୟସ୍ତର ଭୂମିକା କିଛି ନାହିଁ । ଭଗବାନଙ୍କ ପାଖରେ ପ୍ରବେଶ ତାଙ୍କର ସିଧା ।

photo credit-https://bit.ly/2PokWEG

Share This Article
ସର୍ବୋଦୟ କର୍ମୀ, ସମାଜ ବିଜ୍ଞାନୀ