Home / ସଙ୍ଗୀତ / ଶାସ୍ତ୍ରୀୟ ସଙ୍ଗୀତ / କିଶୋରୀ ଅମୋନକର୍: ଏକ ମହାରାଗିଣୀର ଜୀବନଗାଥା

କିଶୋରୀ ଅମୋନକର୍: ଏକ ମହାରାଗିଣୀର ଜୀବନଗାଥା

Singer Kishori Amonkar. Express archive photo *** Local Caption *** Singer Kishori Amonkar.

ଗତ ଏପ୍ରିଲ୍ ୩ ତାରିଖ ଦିନ କିଶୋରୀ ଅମୋନକର୍ (୧୦ ଏପ୍ରିଲ୍ ୧୯୩୨-୩ ଏପ୍ରିଲ୍ ୨୦୧୭)ଚାଲିଗଲେ  । ଯେଉଁମାନେ ଶାସ୍ତ୍ରୀୟ ସଙ୍ଗୀତର ରସିକ, ସେମାନଙ୍କ ଜୀବନରେ କିଶୋରୀ ଅମୋନକର୍ଙ୍କ ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଯେଉଁମାନେ ଶାସ୍ତ୍ରୀୟ ସଙ୍ଗୀତ ବିଷୟରେ କିଛି ଜାଣନ୍ତି ନାହିଁ, ସେମାନଙ୍କ ପାଇଁ କିଶୋରୀ କେବଳ ଏକ ନାଁ। ଏକ ଦୁର୍ବୋଧ୍ୟ ନାଁ, ଯିଏ ବହୁ ପ୍ରସିଦ୍ଧ, ହେଲେ କାହିଁକି ପ୍ରସିଦ୍ଧ, ତାହା କାହାକୁ ଜଣାନାହିଁ। ଜୟପୁର- ଅତ୍ରାଉଲି ଘରାନାର ଏହି ପ୍ରସିଦ୍ଧ ଗାୟିକା ନିଜ ଜୀବନକାଳ ଭିତରେ ଶୁଦ୍ଧ ସଙ୍ଗୀତର ଉପାସନାକୁ ନିଜ ଜୀବନର ବ୍ରତ ଭାବରେ ଗ୍ରହଣ କରି ନେଇଥିଲେ। ତାଙ୍କ ପାଇଁ ସଙ୍ଗୀତ ଥିଲା ଦିବ୍ୟ ଅନୁଭବର ମାଧ୍ୟମ। କିଶୋରୀ ଥରେ କହିଥିଲେ – ‘ସଙ୍ଗୀତ ଦୁଇ ପ୍ରକାରର। ଗୋଟିଏ ମନୋରଞ୍ଜନ ପାଇଁ ଆରଟି ଆତ୍ମାନୁରଞ୍ଜନ ପାଇଁ। ମୁଁ ମନୋରଞ୍ଜନ ପାଇଁ କେବେ ଗାଏ ନାହିଁ।’

ତେବେ ମନୋରଞ୍ଜନ ପାଇଁ ଯେଉଁ ଗାୟିକା ଗୀତ ଗାଆନ୍ତି ନାହିଁ, ତାଙ୍କୁ ନୂଆ ପିଢ଼ିର ଲୋକେ ଜାଣିବେ ଅବା କାହିଁକି? ତେବେ କିଶୋରୀ ତାଙ୍କ ଜୀବନରେ ତାଙ୍କୁ କିଏ ଜାଣୁ, ଏକଥା ସେ କେବେ ଚାହୁଁନଥିଲେ। ତାଙ୍କ ପଛରେ ବହୁ ସାମ୍ବାଦିକ ପଡ଼ିଥା’ନ୍ତି, ଅଥଚ କେବେବି କାହାକୁ ସାକ୍ଷାତକାର ଦେବାକୁ ସେ ଚାହିଁନାହାନ୍ତି। ୮୪ ବର୍ଷର ଜୀବନକାଳ ମଧ୍ୟରେ ତାଙ୍କର ୧୦ଟି ସାକ୍ଷାତକାର ଖୋଜି ପାଇବା ସମ୍ଭବ ନୁହେଁ। ଏପରିକି କଳାକାର ଜଗତରେ ତାଙ୍କର ଖ୍ୟାତି ବଡ଼ ବିଚିତ୍ର। ଯେଉଁମାନେ ତାଙ୍କୁ ଶୁଣିଛନ୍ତି ଓ ପାଖରୁ ଦେଖିଛନ୍ତି, ସେମାନେ ବି କହନ୍ତି, କିଶୋରୀ ପ୍ରଚଣ୍ଡ ଭାବରେ ଉଗ୍ର, ବେଳେବେଳେ ଅହଂକାରୀ, ଅତ୍ୟଧିକ ଭାବପ୍ରବଣ ଓ ନିଜ ଇଚ୍ଛାର ଈଶ୍ୱରୀ। ତାଙ୍କର ମନେହେଲା ତ ସେ ଗୀତ ଗାଇବେ, ନଚେତ୍ ମଞ୍ଚ ଛାଡ଼ି ଚାଲିଯିବେ। ତାଙ୍କ ଗୀତ ଶୁଣିବା ପାଇଁ ଶ୍ରୋତାକୁ ଯୋଗ୍ୟ ହେବାକୁ ପଡ଼େ।

ଏକଥା କହିଲାବେଳେ ଆମେ ଭଲଭାବରେ ଜାଣୁ ଯେ, ଯୋଗ୍ୟ ଶ୍ରୋତା ହେବାପାଇଁ ଏବେ ଆଉ କେହି ଚାହାଁନ୍ତି ନାହିଁ। ସମସ୍ତେ ଭାବନ୍ତି ଗୀତ ସରଳ ହେବା ଦରକାର ଓ ସହଜରେ ବୁଝି ହେଉଥିବା ଦରକାର। ଭାରତର ଶାସ୍ତ୍ରୀୟ ସଙ୍ଗୀତ ଏହି ସହଜ ଶ୍ରୁତିର ପରମ୍ପରାକୁ ସବୁବେଳେ ଖାରଜ କରି ଆସିଛି। ସଙ୍ଗୀତ ଏକ ଶାସ୍ତ୍ରୀୟ, ଶୁଦ୍ଧ, ଗାଣିତିକ ଓ ବୈଜ୍ଞାନିକ ଧାରା। ଏହା କେବଳ ମନୋରଞ୍ଜନର ବ୍ୟବସାୟିକ ଉତ୍ତେଜନା ନୁହେଁ। ଗୀତକୁ ମନୋରଞ୍ଜନ ଭାବରେ ବିକ୍ରି କରିବା ବିରୋଧରେ କିଶୋରୀ ଆମୋନକର୍ ସାରା ଜୀବନ ସଂଘର୍ଷ କରିଛନ୍ତି। ତାଙ୍କ ଲାଗି ରାଗ ହେଉଛି ଗୋଟିଏ ଜୀବନଶୈଳୀ। ଯେକୌଣସି ରାଗର ଗାୟନ ବେଳେ ତାକୁ ବଂଚିବା ଦରକାର। ଗୋଟିଏ ରାଗ କେବଳ ଗୋଟିଏ ସ୍ୱରର ବ୍ୟାପ୍ତି ନୁହେଁ। ବିଲମ୍ବିତ ଆଳାପରୁ ଆରମ୍ଭ କରି ମଧ୍ୟ ଲୟ, ତାନକାରୀ, ସରଗମ୍ ଓ ଦ୍ରୁତ ଲୟ ଦେଇ ଗୋଟେ ରାଗ ଯଦି ସରିଯାଏ, ତାହା କେବଳ ଯାନ୍ତ୍ରିକ ସ୍ୱର ସଂଚାର ହୁଏତ ହୋଇପାରେ। ଏଥିରେ ସ୍ୱରର ପ୍ରାଣ ନାହିଁ।

କିଶୋରୀ ଆମୋନକର୍ କହନ୍ତି, ଗୋଟେ ରାଗ ହେଉଛି ପ୍ରାଣବନ୍ତ ସତ୍ତା। ଗାୟକର ପ୍ରାଣ ସହିତ ରାଗର ପ୍ରାଣ ଏକାକାର ହେଲେ ଯାଇ ସଫଳ ସଙ୍ଗୀତ ସୃଷ୍ଟି ହୁଏ। ତାଙ୍କର ବହୁଚର୍ଚ୍ଚିତ ରାଗ ହେଉଛି ଭୂପ। କିଶୋରୀ କହନ୍ତି ଭୂପର ଅର୍ଥ ହେଉଛି ରାଜା। ରାଗମାନଙ୍କ ଭିତରେ ସେ ହେଉଛି ସମ୍ରାଟ୍। ପାଞ୍ଚୋଟି ସ୍ୱରରେ ତାକୁ ଗାଇବାକୁ ପଡ଼େ। ବଡ଼ କଠିନ ଓ କଷ୍ଟସାଧ୍ୟ ତା’ର ସାଧନା। ତାକୁ ଏତେ ସହଜରେ ଗାଇହେବ କେମିତି ? ଯେଉଁମାନେ କିଶୋରୀ ଆମୋନ୍କର୍ଙ୍କ ଭୂପ ରାଗରେ ‘ସହେଲାରେ ମିଲ୍କର୍ ଗାଏଁ…’ ଶୁଣୁଛନ୍ତି, ତାଙ୍କୁ ଏତେ କିଛି ଜଟିଳତା ଜଣାପଡ଼ିବ ନାହିଁ। ଗୀତଟି ଶୁଣିବାକୁ ବେଶ୍ ମଧୁର। ଅଥଚ ପ୍ରତି ସ୍ୱର ଓ ଶ୍ରୁତି ଭିତରେ ଅଦ୍ଭୁତ ଜଟିଳତା ରହିଛି। ତାକୁ ଗାଇବା ପାଇଁ ରାଜାକୁ ମଣ କରିବାକୁ ପଡ଼େ। କିଶୋରୀ ଅମୋନକର୍ କହନ୍ତି, ‘ଭୂପ ରାଗକୁ ଗାଇଲାବେଳେ ମୁଁ ନିଜକୁ ରାଜମାତା ବୋଲି ଭାବିଥାଏ। ସେ ଅନ୍ୟମାନଙ୍କ ପାଇଁ ସିନା ରାଜା, ହେଲେ ମୋ ପାଇଁ ମୋ ସନ୍ତାନ। ମୁଁ ତା’କୁ ଖେଳାଏ, ବୁଲାଏ ଓ ତା’କୁ ସୁନ୍ଦର କରି ବଢ଼ାଏ।’ ପ୍ରତ୍ୟେକ ରାଗକୁ କିଶୋରୀ ଅମୋନକର୍ ଏମିତି ବଞ୍ଚନ୍ତି । ବଞ୍ଚନ୍ତି ବୋଲି କହିବାର ଅର୍ଥ ହେଉଛି – ଶାସ୍ତ୍ରୀୟ ସଙ୍ଗୀତରେ ଗାୟନ ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ତା’ଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ରାଗର ଅନୁଭବ। ରାଗକୁ ନିଜ ଶ୍ୱାସପ୍ରଶ୍ୱାସରେ ଯୋଡ଼ିବାକୁ ପଡ଼େ। ତାକୁ ପ୍ରାଣର ପ୍ରତିମା ଭାବରେ ଅଭିଷିକ୍ତ କରିବାକୁ ହୁଏ। ଗାୟିକା ବା ଗାୟକ ନିଜ ପ୍ରାଣର କିଛି ଅଂଶ ରାଗିଣୀକୁ ଦିଏ। ତା’ପରେ ଯାଇ ସାର୍ଥକ ରାଗଟିଏ ନିର୍ମାଣ ହୁଏ। ଏମିତି ଶହ ଶହ ଶାସ୍ତ୍ରୀୟ ରାଗର ଜନନୀ ଭାବରେ କିଶୋରୀଙ୍କର ଏକ ସ୍ୱତନ୍ତ୍ର ଭୂମିକା ରହିଛି।

କିଶୋରୀ ସବୁବେଳେ ନିଜକୁ ପାରମ୍ପରିକ ଧାରାର ଗାୟିକା ବୋଲି ପରିଚିତ କରି ଆସିଛନ୍ତି। ମା’ ମୋଗୁବାଈ କୁର୍ଦ୍ଦିକର୍ଙ୍କଠାରୁ ଗୀତ ଶିଖିଲାବେଳେ ସବୁଠୁ କଷ୍ଟସାଧ୍ୟ ତାଲିମ୍ ତାଙ୍କୁ ମିଳିଛି। ପିଲାବେଳେ ମା’ ତାଙ୍କୁ ଗୀତ ଶିଖାଇଲାବେଳେ ଯେକୌଣସି ବନ୍ଦିସ୍ର ଗୋଟିଏ ଧାଡ଼ିକୁ ଅତିବେଶୀରେ ଦୁଇଥର ବୋଲିକି ଶୁଣେଇବେ। ତା’ଠୁ ଅଧିକ ଆଶା କରିବା ବୃଥା। ସେହି ଭିତରେ ସ୍ୱର, ଶ୍ରୁତି, ଲୟ ଓ ତାନ୍କୁ କିଶୋରୀଙ୍କୁ ଅକ୍ତିଆର କରିବାକୁ ପଡ଼ୁଥିଲା। ସେଥିପାଇଁ ତାଙ୍କ ଭିତରେ ପ୍ରଚଣ୍ଡ ଏକାଗ୍ରତା ଆସିଥିଲା। ଗୁରୁ ଗାଉ ଗାଉ ତା’କୁ ଆତ୍ମସ୍ଥ କରିବାର ତାଲିମ୍ ତାଙ୍କୁ ସେହି ପିଲାବେଳୁ ମିଳିଥିଲା।

ମା’ଥିଲେ ଅତ୍ୟନ୍ତ କଠୋର, କାରଣ ସେ ଯେଉଁ ପରମ୍ପରାରୁ ଗୀତ ଶିଖିଥିଲେ, ସେ ପରମ୍ପରାର ଧାରା ବି ସେମିତି କଠିନ ଥିଲା। ମା’ ମୋଗୁବାଈ ଥିଲେ ପ୍ରଖ୍ୟାତ ଉସ୍ତାଦ୍ ଆଲ୍ଲାଦିଆ ଖାଂକ ଶିଷ୍ୟା। କୋହ୍ଲାପୁରର ଏଇ ମହାନ୍ ସଙ୍ଗୀତଜ୍ଞ ଭାରତର ବହୁ ପ୍ରଖ୍ୟାତ ଶିଳ୍ପୀଙ୍କର ଗୁରୁ। ତାଙ୍କର ଶିକ୍ଷ୍ୟା ଭାବରେ କେଶରବାଈ କେରକର୍, ଧୋନ୍ଦୁତାଈ ଓ ମୋଗୁବାଈ କୁର୍ଦ୍ଦିକର୍ ଅନ୍ୟତମ। ମୋଗୁବାଈ ଥିଲେ କିଶୋରୀଙ୍କର ବାପା ଓ ମା’। କାରଣ ୬ବର୍ଷ ବୟସ ହୋଇଥିଲାବେଳେ କିଶୋରୀଙ୍କ ବାପା ମୃତ୍ୟୁବରଣ କରନ୍ତି। ମା’ଙ୍କର କଡ଼ା ଅନୁଶାସନ ଭିତରେ ସଙ୍ଗୀତ ସାଧନା ଆରମ୍ଭ ହୁଏ। ତେବେ ପରମ୍ପରାକୁ ନେଇ ଜୟପୁର ଘରାନାର ଯେଉଁ ଗାୟନଶୈଳୀ ରହିଥିଲା, ତା’କୁ କିଶୋରୀ ଅନେକାଂଶରେ ଅତିକକ୍ରମ କରିଛନ୍ତି। ଘରାନା ସବୁ ସଙ୍ଗୀତରେ ବିଭିନ୍ନ କୌଶଳକୁ ପ୍ରତୀକିତ କରନ୍ତି । ପ୍ରତ୍ୟେକ ରାଗର ଚରିତ୍ର ସମାନ ହେଲେ ହେଁ ସେମାନଙ୍କର ଗାୟନ ଶୈଳୀ ଭିନ୍ନ। ଜୟପୁର ଘରାନାର ଗାୟକୀ ସହିତ ଆଗ୍ରା ଘରାନାର ଯେଉଁ ବିଭେଦ ତାହା କେବଳ ବୈଷୟିକ। ସେଠି ଭାବର କୌଣସି ପରିବର୍ତ୍ତନ ଘଟେ ନାହିଁ। ରାଗ ହେଉଛି ଭାବ ପ୍ରଧାନ ଓ ଏହା ଏକ ନିର୍ଦ୍ଦିଷ୍ଟ ପରିବେଶ ନିର୍ମାଣ କରିଥାଏ। କିଶୋରୀ ଏକଥାକୁ ବେଶ୍ ଭଲଭାବରେ ହୃଦୟଙ୍ଗମ କରିଥିଲେ। ତେଣୁ ତାଙ୍କ ଗାୟିକୀରେ ଜୟପୁର ଘରାନାର ଶୁଦ୍ଧତା ସହିତ ଆଗ୍ରା, ଭିଣ୍ଡିବଜାର୍ ଓ ଗ୍ୱାଲିଅର୍ ଘରାନାର ମିଶ୍ରଣ ଘଟିଥିଲା। ଏପ୍ରକାର ପରିବର୍ତ୍ତନକୁ ସେତେବେଳେ ଅନେକ ବିରୋଧ ମଧ୍ୟ କରିଥିଲେ। ତେବେ କିଶୋରୀଙ୍କର ଯୁକ୍ତି ଥିଲା, ‘ରାଗର ପରିବେଶ ସୃଷ୍ଟି କରିବା ପାଇଁ ଓ ତା’ର ଭାବକୁ ଏକନିଷ୍ଠ ଭାବରେ ପରିବେଷଣ କରିବାପାଇଁ ଯେକୌଣସି ଶୈଳୀର ଆଶ୍ରୟ ନେବାରେ କୌଣସି ଅସୁବିଧା ନାହିଁ। ଘରାନା, ସଙ୍ଗୀତରେ ଗୋଟେ ପ୍ରକାର ଜାତିଭେଦ ସୃଷ୍ଟି କରୁଛି ବୋଲି ସେ ଥରେ କହିଥିଲେ।’

ନୂଆ ନୂଆ ଯେତେବେଳେ ପରିବେଷଣ ଆରମ୍ଭ ହେଲା, ସେତେବେଳେ କିଶୋରୀଙ୍କୁ ବହୁ ସ୍ଥାନରେ ଗାଇବା ପାଇଁ ଆମନ୍ତ୍ରଣ ମିଳୁଥିଲା। ଥରେ ଭାରି ଖୁସି ହୋଇ କିଶୋରୀ ମା’ ମୋଗୁବାଈଙ୍କୁ କହିଥିଲେ, ‘ଜାଣିଛୁ, ମୋତେ ମାସକୁ ୮ଟି ସ୍ଥାନରେ ଗୀତ ଗାଇବାକୁ ନିମନ୍ତ୍ରଣ ମିଳୁଛି। ବଡ଼ ଗମ୍ଭୀର ଭାବରେ ମା’ ମୋଗୁବାଈ ପଚାରିଥିଲେ, ‘ମାସକୁ ୮ଟା ମାନେ, ପ୍ରତି ପରିବେଷଣ ପାଇଁ ଯିବା ଆସିବା ଓ ଗାଇବାରେ ତୋ’ର ହାରାହାରି ଚାରିଦିନ ଯାଉଛି। ତା’ହେଲେ ତୁ ରିଆଜ୍ କରୁଛୁ କେତେବେଳେ। ବିନା ରିଆଜ୍ରେ ଯଦି ତୁ ଗୀତ ଗାଇବୁ, ତା’ହେଲେ ମୋର ଶିଷ୍ୟା ବୋଲି କେଉଁଠି ହେଲେ ପରିଚୟ ଦେବୁ ନାହିଁ। ତାହା ଥିଲା କିଶୋରୀଙ୍କ ଜୀବନର ସବୁଠୁ ବଡ଼ ଶିକ୍ଷା। ତା’ପରଠୁ କେବେବି ମାସକୁ ଚାରିଟାରୁ ଅଧିକ ସେ ପରିବେଷଣ କରିନାହାଁନ୍ତି।

ପ୍ରତ୍ୟେକ ପରିବେଷଣ ପାଇଁ ଦିନ ଦିନ ଅଭ୍ୟାସ କରିଛନ୍ତି। ମଞ୍ଚକୁ ଯିବା ପର୍ଯ୍ୟନ୍ତ ତାଙ୍କ ଭିତରେ ପ୍ରଚୁର ଅସ୍ଥିରତା। ଯେମିତି ରାଗ ତାଙ୍କ ଅକ୍ତିଆରକୁ ଆସୁନାହିଁ। ବାରମ୍ବାର ସେ ରାଗକୁ ସାନ ପିଲାଟିଏ ଭଳି ମନାଇବାକୁ ଚେଷ୍ଟା କରିଛନ୍ତି। ତାଙ୍କର ଏହି ପ୍ରବୃତ୍ତିକୁ ବେଳେବେଳେ ଔଦ୍ଧତ୍ୟ ବୋଲି ଆୟୋଜକମାନେ ଭାବନ୍ତି। କିନ୍ତୁ କିଶୋରୀ କାହାକୁ ଖାତିର୍ କରନ୍ତି ନାହିଁ। ତାଙ୍କ ପାଇଁ ରାଗ ହେଉଛି ଗୁରୁତ୍ୱପୂର୍ଣ୍ଣ। ବାକି ଦୁନିଆ ତାଙ୍କୁ କ’ଣ କହୁଛି, ସେ ବିଷୟରେ ତାଙ୍କର କୌଣସି ଶୋଚନା ନଥାଏ। ନିଜ ସାଧନାରେ ମଗ୍ନ ଏହି ସନ୍ୟାସିନୀ ଜଣକ ଜାଗତିକ ଯଶ ପଛରେ କେବେ ଗୋଡ଼େଇ ନାହାଁନ୍ତି। ତାଙ୍କ ପାଦତଳେ ଯଶ ଓ ଅର୍ଥ ବିଛେଇ ହୋଇ ପଡ଼ିଛି। ଭାରତର ସବୁ ବଡ଼ ବଡ଼ ପୁରସ୍କାର ତାଙ୍କୁ ମିଳିଛି। ଯେତେବେଳେ ଏମ୍.ଏସ୍. ଶୁଭଲକ୍ଷ୍ମୀଙ୍କୁ ଭାରତ ରତ୍ନ ପ୍ରଦାନ କରାଗଲା, ସେତେବେଳେ ସମସ୍ତେ ଭାବୁଥିଲେ ସେହି ସମ୍ମାନ ଯୋଗ୍ୟତାର ଅଧିକାରିଣୀ କେବଳ କିଶୋରୀ ଆମୋନକର୍। ତେବେ କିଶୋରୀ କେବେ କାହା ଆଗରେ ଗୋଡ଼ ଭାଙ୍ଗି ଛିଡ଼ା ହେବାର କଳା ଜାଣନ୍ତି ନାହିଁ। କାହା ସାଙ୍ଗରେ ପଦେ କଥା ହେବାକୁ ତାଙ୍କର ବେଳ ନଥାଏ। ନିଜ ସାଧନା, ରିଆଜ୍ ଓ ପରିବେଷଣ ଭିତରେ ଏକ ଅଦ୍ଭୁତ ଭାବର ଜଗତ ସେ ସୃଷ୍ଟି କରିଥିଲେ। ସେ ଜଗତ କେବଳ ତାଙ୍କର ନିଜସ୍ୱ। ସେଠି କାହାର ଅନୁପ୍ରବେଶକୁ ସେ ବରଦାସ୍ତ କରିପାରନ୍ତି ନାହିଁ।

ତାଙ୍କ ଗୀତ ଶୁଣିବାକୁ ହେଲେ ଆପଣଙ୍କୁ ଠିକ୍ ତାଙ୍କ ପରି ହେବାକୁ ପଡ଼ିବ। ତାଙ୍କର ଅନୁଭବ ସହିତ ନିଜ ପ୍ରାଣକୁ ଏକାଗ୍ର କରିବାକୁ ପଡ଼ିବ, ନଚେତ୍ ସେ ଆପଣଙ୍କୁ ତାଙ୍କ ବୈଠକ ଖାନାରୁ ବିଦା କରିଦେଇ ପାରନ୍ତି। ବହୁ ବଡ଼ ବଡ଼ ସାମ୍ବାଦିକ ଓ ରାଜନେତାଙ୍କୁ ନିଜ ପରିବେଷଣ ସମୟରେ ବାହାରି ଚାଲିଯିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କୁ ସାମ୍ନା କରିବା ଲୁହା ଚଣା ଚୋବାଇବା ସହ ସମାନ। କେତେବେଳେ କି’ ପ୍ରକାର ପ୍ରତିକ୍ରିୟା ତାଙ୍କଠୁ ମିଳିବ ତାହା ଶ୍ରୋତା ଜାଣେ ନାହିଁ। ଶ୍ରୋତାକୁ ତାଙ୍କର ଏକନିଷ୍ଠ ଅନୁରାଗୀ ଓ ଅନୁଗାମୀ ହେବାକୁ ପଡ଼େ। ତେବେ ଶ୍ରୋତା ପାଇଁ ଏହା ଆଦୌ କଷ୍ଟକର ନୁହେଁ। ସ୍ୱରର ସରସ୍ୱତୀଙ୍କୁ ପାଇବାକୁ ହେଲେ, ଆପଣଙ୍କୁ କଠୋର ସାଧନା କରିବାକୁ ହେବ। ବିନା ସାଧନାରେ ଜୀବନର ମାଧୁର୍ଯ୍ୟ ମିଳିବ ନାହିଁ।

କିଶୋରୀଙ୍କର ଗାୟନ ଶୈଳୀରେ ଯେଉଁ ମାଧୁର୍ଯ୍ୟ ଥିଲା, ତା’ର କୌଣସି ସମସାମୟିକ ତୁଳନା ନାହିଁ। କୌଣସି ମୁହୂର୍ତ୍ତରେ ବି ବେସୁରା ହେବା ତାଙ୍କୁ କେହି କେବେ ଦେଖିନାହାଁନ୍ତି। ସେଥିପାଇଁ ମଞ୍ଚକୁ ଆସିବା ପୂର୍ବରୁ ସେ କାହାକୁ ଭେଟନ୍ତି ନାହିଁ। ମଞ୍ଚକୁ ଆସିବା ପୂର୍ବରୁ ଦୀର୍ଘ ଘଣ୍ଟାର ନିରବତାକୁ ସେ ନିଜ ଭିତରେ ସମାବିଷ୍ଟ କରନ୍ତି। ତା’ରି ଭିତରେ ରାଗ ସହିତ ତାଙ୍କର ଆଳାପ ଚାଲିଥାଏ। ତାଙ୍କର ଶ୍ୱାସ ପ୍ରଶ୍ୱାସରେ ରାଗର ଉତ୍ତରଣ ଓ ଅବତରଣ ଚାଲିଥାଏ। ନିଜ ମନ ଭିତରେ ଆତ୍ମବିଶ୍ୱାସ ନ ଆସିବା ଯାଏଁ ସେ ମଞ୍ଚକୁ ଆସନ୍ତି ନାହିଁ। ସେଥିପାଇଁ ତାଙ୍କର ଏକ ବଦନାମ ଥିଲା ଯେ, ସଠିକ୍ ସମୟରେ ସେ କେବେବି ମଞ୍ଚକୁ ଆସନ୍ତି ନାହିଁ। ଅର୍ଥାତ୍ ତାଙ୍କୁ ଶୁଣିବାପାଇଁ ଶ୍ରୋତାଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼େ। ସେଥିପାଇଁ କେହି କେହି ତାଙ୍କୁ ଉଦ୍ଧତ, ଅହଂକାରୀ ଓ ଅଣପେଶାଦାର ବୋଲି କହିଥା’ନ୍ତି। କିଶୋରୀ ହସି ହସି ଏହାର ଉତ୍ତରରେ କହନ୍ତି, ‘ସଙ୍ଗୀତ ମୋ’ ପାଇଁ ପେଶା ନୁହେଁ, ସାଧନା। ମୁଁ ଗୀତକୁ ଆୟତ୍ତ ନକଲା ଯାଏ ମଞ୍ଚକୁ ଆସେ ନାହିଁ। ଯେତେବେଳେ ମୋ’ଉପରେ ରାଗିଣୀ ସବାର ହୁଏ, ସେତେବେଳେ ମୁଁ ତାକୁ ତା’ର ପୂର୍ଣ୍ଣାଙ୍ଗ ସ୍ୱରୂପରେ ମୋ’ଶ୍ରୋତାମାନଙ୍କ ପାଖରେ ପହଞ୍ଚାଏ। ମୁଁ ଜାଣେ ମୋ’ର ଶ୍ରୋତାମାନେ ମୋତେ ଶୁଣିବା ପାଇଁ ଅପେକ୍ଷା କରିଛନ୍ତି। ଏକ ପରିପୂର୍ଣ୍ଣ ରାଗକୁ ଶୁଣିବାପାଇଁ ଶ୍ରୋତା ଭିତରେ ଧୈର୍ଯ୍ୟର ମଧ୍ୟ ଆବଶ୍ୟକତା ରହିଛି  ।’ ବାସ୍ତବରେ ତାଙ୍କୁ ଶୁଣିବା ଲାଗି ବହୁ ଧୈର୍ଯ୍ୟ ଲୋଡ଼ା ହୁଏ। ଶୁଦ୍ଧ, ସାତ୍ତ୍ୱିକ ଓ ପ୍ରାଣବନ୍ତ ରାଗକୁ ଅନୁଭବ କରିବା ଲାଗି ଶ୍ରୋତାକୁ ନିଜକୁ ପ୍ରସ୍ତୁତ କରିବାକୁ ପଡ଼େ।

ଆଜିର ତାରଖରେ ଯେତେବେଳେ ଶସ୍ତା ମନୋରଞ୍ଜନ ଓ ସହଜ ବ୍ୟବସାୟର ମାଧ୍ୟମ ଭାବରେ ସଙ୍ଗୀତ ବ୍ୟବହାର ହେଉଛି, ସେତେବେଳେ କିଶୋରୀ ଅମୋନକର୍ ଆମଠୁ ବିଦାୟ ନେଇ ଚାଲିଯାଉଛନ୍ତି। ତାଙ୍କ ଜୀବନକାଳ ଭିତରେ ଶାସ୍ତ୍ରୀୟ ସଙ୍ଗୀତରେ ଅନେକ ପରିବର୍ତ୍ତନ ଆସିଛି। ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ସହିତ ପାଶ୍ଚାତ୍ୟ ଶାସ୍ତ୍ରୀୟ ସଙ୍ଗୀତର ବହୁ ମିଶ୍ରଣ ଇତିମଧ୍ୟରେ ବଜାରକୁ ଆସିଛି। ଏପ୍ରକ୍ରିୟା ଆରମ୍ଭ ହୋଇଛି ପଣ୍ଡିତ ରବିଶଙ୍କରଙ୍କ ପ୍ରାଚ୍ୟ ପାଶ୍ଚାତ୍ୟ ମିଳନରୁ। କିଶୋରୀଙ୍କ ସମସାମୟିକ ଅନେକ ମହାନ୍ ଗାୟକ / ଗାୟିକା ପାଶ୍ଚାତ୍ୟ ସହିତ ସମ୍ବନ୍ଧ ରଖିଛନ୍ତି ଓ ପ୍ରାଚ୍ୟ ପାଶ୍ଚାତ୍ୟର ଫ୍ୟୁଜନ୍ ପ୍ରସ୍ତୁତ କରିଛନ୍ତି। ଏହାକୁ ଗୋଟେ ପ୍ରକାର ନୂଆ ଆବିଷ୍କାର ବୋଲି କୁହାଯାଇଛି। ତେବେ କିଶୋରୀ ଏହାକୁ ତୀବ୍ର ବିରୋଧ କରିଛନ୍ତି। ଫ୍ୟୁଜନ୍କୁ କନ୍ଫ୍ୟୁଜନ୍ ବୋଲି ସେ ଅତି ସ୍ପଷ୍ଟ ଭାବରେ କହିଛନ୍ତି। ଗୋଟେ ରାଗର ଗତି ସହିତ ଅନ୍ୟ ଏକ ବିଦେଶୀ ସ୍ୱରକୁ ଆଣି ଯୋଡ଼ିବା ଅର୍ଥ ହେଉଛି ରାଗକୁ ହତ୍ୟା କରିବା ବୋଲି ସେ ଯୁକ୍ତି କରିଛନ୍ତି। ଏପରିକି ଭାବପ୍ରଧାନ ରାଗକୁ କେବଳ ଶାସ୍ତ୍ରୀୟ ଧାରା ଭିତରେ ବୈଷୟିକ ନିୟମ ଭିତରେ ବାନ୍ଧିବାକୁ ମଧ୍ୟ ସେ ଚାହିଁନାହାଁନ୍ତି  । ତାଙ୍କ ମତରେ ଭାରତୀୟ ସଙ୍ଗୀତର ମୂଳ ହେଉଛି ବେଦ। ବୈଦିକ ଗାୟନ ପରମ୍ପରା ସହିତ ଆଧୁନିକ ଗାୟନ ପରମ୍ପରାକୁ ଯୋଡ଼ିବା ପାଇଁ ନିଜ ତରଫରୁ ସେ ପ୍ରୟାସ କରିଛନ୍ତି। ବୈଦିକ ସାମଗାନ ସହିତ ଆଧୁନିକ ଖୟାଲ୍ର ଗାୟକୀକୁ ସେ ନୂଆ କରି ପରିଚିହ୍ନିତ କରିଛନ୍ତି। ନିଜକୁ ପରମ୍ପରାର ଦାୟାଦ ଓ ରକ୍ଷଣଶୀଳ ବୋଲି ମାନୁଥିବା କିଶୋରୀ ବହୁ ପରମ୍ପରାକୁ ନିଜ ଗାୟକୀରେ ଭାଙ୍ଗିଛନ୍ତି। କୌଣସି ବୈଷୟିକ ସୀମାରେ ନରହି ରାଗର ଭାବ ପରିବେଷଣ ପାଇଁ ସେସବୁ ପ୍ରକାର ବିଦ୍ରୋହ ଘୋଷଣା କରିଛନ୍ତି। ତାଙ୍କର ରାଗ ସେଥିପାଇଁ ଭାବକୁ ନେଇ ଗତିଶୀଳ ହୁଏ। ଯଦି ଆପଣ ଭୈରବୀ ଶୁଣୁଛନ୍ତି, ତା’ହେଲେ ଆପଣଙ୍କ ଭିତରେ ସକାଳର ଅନୁଭବ ଆସିବାକୁ ବାଧ୍ୟ। ସ୍ୱର ଏବଂ ଶ୍ରୁତି ଭିତରେ ରସର ସଂଚାର କଲାବେଳେ ସେ ରାଗର ଚରିତ୍ରକୁ ଅନାବୃତ୍ତ କରନ୍ତି। ରାଗ ଭୂପ, ୟମନ୍, ବିଲାସଖାନୀ ତୋଡ଼ି, ବିଭାସ, ସମ୍ପୂର୍ଣ୍ଣ ମାଲକୋଶ୍, ଦରବାରୀ, ଲଳିତ ଇତ୍ୟାଦି ରାଗକୁ ସମ୍ପୂର୍ଣ୍ଣ ଶୁଦ୍ଧତା ଓ ପାରମ୍ପରିକ ମାନ୍ୟତା ଦେଇ ସେ ଗାଇଛନ୍ତି। ଏହା ସହିତ ଅନେକ ଲଘୁ ଶାସ୍ତ୍ରୀୟ ଗୀତ ମଧ୍ୟ ତାଙ୍କର ରହିଛି। ମୀରା ଭଜନ ଗାଇଲାବେଳେ ତାଙ୍କ କଣ୍ଠର ଯେଉଁ ତନ୍ମୟତା ଓ ଆତୁରତା, ତାହା ଅନ୍ୟ କୌଣସି ଗାୟକଙ୍କ କଣ୍ଠରେ ଶୁଣିବାକୁ ମିଳେ ନାହିଁ। ମରାଠୀ ଅଭଙ୍କ ଗାୟନରେ ସେ ଏକ ନୂଆ ଧାରା ସୃଷ୍ଟି କରିଛନ୍ତି। ସେଠି ଲୋକସ୍ୱର ସହିତ ଶୁଦ୍ଧ ଶାସ୍ତ୍ରୀୟତାର ସମନ୍ୱୟ ଘଟିଛି। ମରାଠୀ ଭଜନ ଗାୟନର ଶୈଳୀକୁ ଜୟପୁର ଘରାନାର ଶାସ୍ତ୍ରୀୟ ମର୍ଯ୍ୟାଦାକୁ ଆଣିଲାବେଳେ ସଚେତନତାର ସହିତ ସେ ଲୋକ ଏବଂ ମାର୍ଗର ମିଶ୍ରଣ ଘଟାଇଛନ୍ତି। ଗୋଟେ ସମୟରେ ମୁମ୍ବାଇ ଆକାଶବାଣୀରେ ବହୁ ସୁଗମ ସଙ୍ଗୀତ ସେ ଗାଇଛନ୍ତି। ଗୋଟେ ଦିଇଟା ହିନ୍ଦୀ ସିନେମାରେ ମଧ୍ୟ ତାଙ୍କର ଗୀତ ରହିଛି। ତେବେ ଏତେ ସବୁ ଗାୟନର ଧାରା ଭିତରେ ନିଜକୁ ପରମ୍ପରାର ଜଗୁଆଳୀ ବୋଲି ସେ ଘୋଷଣା କରିଛନ୍ତି। କେବେବି ପରମ୍ପରା ବାହାରକୁ ଯାଇ ସଙ୍ଗୀତକୁ ବିକ୍ରି ହେବାକୁ ଦେବେ ନାହିଁ ବୋଲି ସେ ଘୋଷଣା କରିଥିଲେ ଓ ସେହି ତପସ୍ୟା ସହିତ ସେ ଆମଠୁ ବିଦାୟ ନେଇଛନ୍ତି।

Indian classical singer Kishori Amonkar being felicitated at ‘Gaansaraswati Mahotsav’ at Ganesh Kala Krida Manch on Sunday. Express Photo by Shivakumar Swamy. 03.03.13.

ନୂଆ ପିଢ଼ି ପାଇଁ କିଶୋରୀ ଆମୋନକର୍ ଏକ ଦୁର୍ବୋଧ୍ୟ ଗାୟନର ଠାଣି ହୋଇପାରନ୍ତି, ହେଲେ ତାଙ୍କ ସ୍ୱଦର ଯାଦୁକରୀରରେ ଶହ ଶହ ବର୍ଷ ଧରି ଭାରତୀୟମାନେ ମୁଗ୍ଧ ହେବାକୁ ବାଧ୍ୟ। କେବଳ ଭାରତୀୟ ନୁହଁନ୍ତି ପୃଥିବୀର ସବୁ ସଙ୍ଗୀତପ୍ରେମୀ ତାଙ୍କ କଣ୍ଠରେ ଯାଦୁକାରୀରେ ମୋହିତ ହେବେ ନିଶ୍ଚୟ। ଭାରତ ବାହାରେ ବହୁତ କମ୍ ପରିବେଷଣ ସେ କରିଛନ୍ତି। ଏହାର କାରଣ ସ୍ୱରୂପ ସେ କହିଥିଲେ, ‘ଯଦି ମୋର ଗୀତ ଶୁଣିବାକୁ ସେମାନେ ଆଗ୍ରହୀ ସେମାନେ ମୋ’ ପାଖକୁ ଆସି ମୋ’ରି ପରିବେଶରେ ଗୀତ ଶୁଣନ୍ତୁ  । ସେମାନଙ୍କର ପରିବେଶ ମୋତେ ଭଲ ଲାଗେନା। ଅଯୋଗ୍ୟ ଶ୍ରୋତାଙ୍କୁ ଗୀତ ଶୁଣାଇବାକୁ ମୁଁ କେବେବି ଚାହେଁନା।’

କିଶୋରୀଙ୍କ ଗୀତ ଶୁଣିବାପାଇଁ ଏକ ଯୋଗ୍ୟ ଭାରତୀୟ ଶ୍ରୋତାମଣ୍ଡଳୀ ଅବଶ୍ୟ ଅଛନ୍ତି। ସେମାନଙ୍କ ସଂଖ୍ୟା ହୁଏତ୍ କମ୍। ପାରମ୍ପରିକ ଶୁଦ୍ଧ ସଙ୍ଗୀତର ଶ୍ରୋତା ଯେତେ କମ୍ ହେଲେ ବି ସେମାନେ କୋଟି କୋଟି ସାଧାରଣ ଶ୍ରୋତାଙ୍କଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ସଙ୍ଗୀତର ବ୍ୟବସାୟ ଭିତରେ କିଶୋରୀ ଅମୋନ୍କର୍ଙ୍କ ଭଳି ତପସ୍ୱିନୀ ଆମକୁ ନୂଆ ଗୋଟେ ସମୟର ଚାବିକାଠି ଧରାଇଦେବେ। ତାଙ୍କୁ ନ ଶୁଣିଲେ ଭାରତର ଆତ୍ମାକୁ ଅନୁଭବ କରିହେବ ନାହିଁ। ତାଙ୍କ ନ ଜାଣିଲେ ଭାରତର ସଂସ୍କୃତିକୁ ଛୁଇଁ ହେବ ନାହିଁ। ହେଲେ ତାଙ୍କୁ ଅନୁଭବ କରିବା ବା ଛୁଇଁବା ସହଜ କଥା ନୁହେଁ। ସେଥିପାଇଁ ନିଜକକୁ ଯୋଗ୍ୟ କରିବାକୁ ପଡ଼ିବ। ଯୋଗ୍ୟ ନ ହେଲା ଯାଏଁ ମୋକ୍ଷର ଭୋଗ ମିଳେ ନାହିଁ। ଏକଥା କିଶୋରୀ ଅମୋନକର୍ଙ୍କ ଜୀବନରୁ ଆମକୁ ଶିଖିବାକୁ ପଡ଼ିଛି।

“ସଙ୍ଗୀତ ଏକ ଶାସ୍ତ୍ରୀୟ, ଶୁଦ୍ଧ, ଗାଣିତିକ ଓ ବୈଜ୍ଞାନିକ ଧାରା। ଏହା କେବଳ ମନୋରଞ୍ଜନର ବ୍ୟବସାୟିକ ଉତ୍ତେଜନା ନୁହେଁ । ଗୀତକୁ ମନୋରଞ୍ଜନ ଭାବରେ ବିକ୍ରି କରିବା ବିରୋଧରେ କିଶୋରୀ ଆମୋନକର୍ ସାରା ଜୀବନ ସଂଘର୍ଷ କରିଛନ୍ତି। ତାଙ୍କ ଲାଗି ରାଗ ହେଉଛି ଗୋଟିଏ ଜୀବନଶୈଳୀ । ନିଜକୁ ପରମ୍ପରାର ଦାୟାଦ ଓ ରକ୍ଷଣଶୀଳ ବୋଲି ମାନୁଥିବା କିଶୋରୀ ବହୁ ପରମ୍ପରାକୁ ନିଜ ଗାୟକୀରେ ଭାଙ୍ଗିଛନ୍ତି। କୌଣସି ବୈଷୟିକ ସୀମାରେ ନରହି ରାଗର ଭାବ ପରିବେଷଣ ପାଇଁ ସେ ସବୁପ୍ରକାର ବିଦ୍ରୋହ ଘୋଷଣା କରିଛନ୍ତି। ତାଙ୍କର ରାଗ ସେଥିପାଇଁ ଭାବକୁ ନେଇ ଗତିଶୀଳ ହୁଏ। ମହାନ ଗାୟିକା କିଶୋରୀଜିଙ୍କ  ଦେହାବସାନ ପରେ ତାଙ୍କର ସ୍ମୃତିଚାରଣ କରିଛନ୍ତି ବିଶିଷ୍ଟ କବି, ସାମ୍ବାଦିକ ତଥା ଜଣେ ସୁପରିଚିତ ସଙ୍ଗୀତ ସମାଲୋଚକ କେଦାର ମିଶ୍ର।    -ସମ୍ପାଦକ

further reading- https://www.huffingtonpost.in/2017/04/04/15-extraordinary-performances-by-kishori-amonkar-that-bring-out_a_22024882/

 

Photo and video credit- internet

About କେଦାର ମିଶ୍ର

କେଦାର ମିଶ୍ର
କବି, ସାମ୍ବାଦିକ, ସଙ୍ଗୀତ ସମାଲୋଚକ

Check Also

କିଶୋରୀ ଅମୋନକର୍: ଉଦୟ, ଅସ୍ତ, ପୁନଃ ଆବିର୍ଭାବ (ସାରାଂଶ)

ଏପ୍ରିଲ ୩, ୨୦୧୭ । ଆମ ଗହଣରୁ ଚାଲିଗଲେ ପ୍ରଖ୍ୟାତ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ଗାୟୀକା କିଶୋରୀ ଅମୋନକର୍ । …

Leave a Reply

Your email address will not be published. Required fields are marked *