କରମସାନୀ ବାହାକ(ବାୟକ) ବିପିନ ପ୍ରଧାନଙ୍କ ମର୍ମସ୍ପଶୀ ମାନ୍ଦଲ ପାର୍

ଉମେଶ ଚନ୍ଦ୍ର ବିଶ୍ୱାଳ
ଉମେଶ ଚନ୍ଦ୍ର ବିଶ୍ୱାଳ 274 Views
6 Min Read

 

Support Samadhwani

ବରଗଡ଼ ଜିଲ୍ଳା ର ଅଗନାଅଗନି ବନସ୍ତ ଭିତରେ ‘ଝଗଡ଼ା ବେହେରା’ ଏକ ଛୋଟିଆ ଗାଁ … ଗାଁର ଲୋକେ ସବୁଦିନପାଇଁ ଗାଁ ଛାଡ଼ି ଯାଉଥିବାର ଖବର ପାଇ ଆମ ଭିଡିଓ ଟିମ୍ ଗାଁ କୁ ଯାଇଥାଉ।

ଗାଁ ରେ ବୁଲୁଥିବା ବେଳେ ହଠାତ ଭେଟହୁଏ ଗାଁର ଜଣେ ବର୍ଷିଆନ କଳାକାର ବିପିନ ପ୍ରଧାନଙ୍କୁ । ବୟସ ପାଖାପାଖି ଷାଠିଏ । କରମସାନୀ ବାହାକ(ବାୟକ) ଭାବରେ ସେ ଆଖପାଖରେ ପରିଚିତ । ପ୍ରତିବର୍ଷ ଭାଦ୍ରବ ମାସରେ କରମସାନୀଙ୍କ ପୂଜା ହୁଏ । ଆଦିବାସୀମାନେ ରାତିସାରା ଉଜାଗର ରହି ନାଚି ଗୀତଗାଇ ଏହି ପର୍ବକୁ ପାଳନ କରିଥାନ୍ତି ।

ବିପିନ ଛୋଟ ଦିନରୁ ଜଣେ କରମସାନୀ  କଲାକାର୍ ଭାବରେ ମାନ୍ଦଲ ବଜାଇ ଆସୁଛନ୍ତି । ଖୁସି ଆଉ ଦୁଃଖ ସମୟରେ ସେ ମାନ୍ଦଲ ବଜାଇ କେତେବେଳେ ନିଜର ଦୁଃଖକୁ ଲାଘବ କରିଥାନ୍ତି ତ କେତେବେଳେ ନିଜର ଖୁସି ବ୍ୟକ୍ତ କରିଥାନ୍ତି । ସେଦିନ ତାଙ୍କ ଘରେ ପହଂଚିବା ବେଳେ ସେ ଜିନିଷପତ୍ର ସାମଗ୍ରୀ ସବୁ ଏକାଠି କରିବାରେ ବ୍ୟସ୍ତ ଥାଆନ୍ତି ।

Support Samadhwani

ଗାଁ ଛାଡ଼ି ଚାଲିଯାଉଛନ୍ତି ବୋଲି ମନଭିତରେ ଥିବା ତାଙ୍କ ବେଦନା ଓ କୋହ ବେଶ ଠଉରାଇ ହେଉଥାଏ। ସବୁଦିନ ପାଇଁ ଗାଁ ଛାଡ଼ିବା ପୂର୍ବରୁ ବିପିନ ତାଙ୍କର ପ୍ରିୟ ମାନ୍ଦଲରେ ଶେଷ ସ୍ୱର୍ଶ ଦେଇଥିଲେ ଯାହା ଥିଲା ଅତ୍ୟନ୍ତ ମର୍ମସ୍ପଶୀ। ମାନ୍ଦଲ ପାର୍ ସହିତ ଗାଁଲୋକେ ନିଜ ହାତରେ ତିଆରି କରୁଥିବା ଘରଗୁଡିକୁ ଭାଙ୍ଗୁଥିବା ଦୃଶ୍ୟ… ଏକ ଆବେଗମୟ ପରିବେଶ ସୃଷ୍ଟି କରିଥିଲା।

   ବରଗଡ଼ ଜିଲ୍ଳା ସଦର ମହକୁମାରୁ ଝଗଡ଼ା ବେହେରା ଗାଁର ଦୂରତା ପ୍ରାୟ ୩୦ କିଲୋମିଟର । ଖଜୁରିଆ ଗାଁରୁ ଡ଼େବ୍ରୀଗଡ଼ ଜଙ୍ଗଲ ଆରମ୍ଭ ହୁଏ। ଅଭୟାରଣ୍ୟ ଭିତରକୁ ଯିବା ମନା ।  ସେଠାରେ ବନ୍ୟପ୍ରାଣୀ ବିଭାଗର ଏକ ନାକା ରହିଛି । ଭିତରକୁ ଯିବାକୁ ହେଲେ ଜଙ୍ଗଲ ବିଭାଗର ଅନୁମତି ନେବାକୁ ପଡ଼ିଥାଏ । ସେଇଥିପାଇଁ ଏଠାକାର ଲୋକେ ନାକା ବଦଳରେ ଅନ୍ୟ ରାସ୍ତା ଦେଇ ଜଙ୍ଗଲ ଭିତରକୁ ଯାଇଥାନ୍ତି ।

ଆମେ ମଧ୍ୟ ସେହି ରାସ୍ତା ଦେଇ ଜଙ୍ଗଲ ଭିତରକୁ ଗଲୁ। କିଛି ଦୂର ପଥୁରିଆ ରାସ୍ତା ଦେଇ ଯିବା ପରେ ତାହା ମୁଖ୍ୟ ରାସ୍ତା କୁ ଲାଗିଛି। ଜଙ୍ଗଲ ବିଭାଗ ଏହି ରାସ୍ତାର ମରାମତି କରୁଥିବାରୁ ମାଟି ରାସ୍ତା ହୋଇଥିଲେ ମଧ୍ୟ ଭଲ ରାସ୍ତା ଥିଲା । ବେଶ କିଛି କିଛି ସମୟ ଉଠାଣି ଗଡ଼ାଣି ଅଙ୍କା ବଙ୍କା ରାସ୍ତାରେ ଯିବା ପରେ ଆମେ ପହଂଚିଲୁ ଝଗଡ଼ାବେହେରା ଗାଁରେ ।

ସେତେବେଳେ ଗାଁ ଲୋକେ ସବୁଦିନ ପାଇଁ ନିଜର ଭିଟାମାଟି ଛାଡ଼ିବା ପାଇଁ ଘରର ଜିନିଷପତ୍ର ସବୁ ଏକାଠି କରୁଥିଲେ । ବନ୍ୟପ୍ରାଣୀ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି, ଦୁଇଦିନ ଭିତରେ ଗାଁ ଛାଡ଼ିବାକୁ ହେବ । ସେହି ସମୟ ମଧ୍ୟରେ ଘରର ସବୁ ସାମଗ୍ରୀ ନେଇ ଏଠାରୁ ଅନ୍ୟତ୍ର ଯିବାକୁ ପଡ଼ିବ । କ୍ଷତିପୂରଣ ବାବଦରେ ସରକାର ପରିବାର ପିଛା ଦଶଲକ୍ଷ ଟଙ୍କା ଦେବେ ।

ଜଙ୍ଗଲ ସରକାର ଏଠାକୁ ଆସିବା ପୂର୍ବରୁ ଗାଁର କୌଣସି ଚିହ୍ନବର୍ଣ୍ଣ ନଥିବା କଥା ନହେଲେ ଦଶ ଲକ୍ଷ ଟଙ୍କା ମିଳିବ ନାହିଁ ବୋଲି ଜଙ୍ଗଲ ଚପରାଶୀ ତାଗିଦ କରି ଯାଇଛି । ସେହି ଭୟରେ ଗ୍ରାମବାସୀ ରାତିଦିନ ଗୋଟିଏ କରି ଘରର ସମସ୍ତ ସାମଗ୍ରୀ ଅନ୍ୟତ୍ର ସ୍ଥାନାନ୍ତର କରିବାରେ ଲାଗି ପଡ଼ିଥାନ୍ତି ।  ଏହି ଗାଁର ଲୋକସଂଖ୍ୟା ଦେଢଶହ ପାଖାପାଖି । ଅଧିକାଂଶ ଲୋକେ ଆଦିବାସୀ । ଜଙ୍ଗଲରୁ ଫଳମୂଳ ସଂଗ୍ରହ କରି ତଥା ଜମିରେ ଚାଷ କରି ଏମାନେ ପରିବାର ଚଳାଇଥାନ୍ତି ।

ଜଙ୍ଗଲବିଭାଗ ରାସ୍ତା ମରାମତି ତଥା ଅନ୍ୟ କାମ ମଧ୍ୟ ଦେଇଥାନ୍ତି । ଏହି ଗାଁଲୋକଙ୍କ କହିବା ଅନୁସାରେ ପ୍ରାୟ ଦେଢଶହ ବର୍ଷରୁ ଅଧିକ ହେବ ଏଠାରୁ କିଛି ଦୂରରେ ଏକ ବସ୍ତି ବସାଇଥିଲେ । ସେତେବେଳ ତାହା ପରୁଆଭାଡ଼ି ନାମରେ ପରିଚିତ ଥିଲା । ସେଠାରୁ କୌଣସି କାରଣବଶତଃ ଏଠାକୁ ଉଠି ଆସି ବସତି ସ୍ଥାପନ କରିଥିଲେ । ହୀରାକୁଦ ବନ୍ଧ ନିର୍ମାଣ ସମୟରେ ବିସ୍ଥାପିତ ହୋଇଥିଲା କିଛି ପରିବାର ମଧ୍ୟ ପରେ ଏହି ଗାଁକୁ ଆସି ରହିଥିଲେ ।

ଘୋର ଜଙ୍ଗଲ ଭିତରେ ଶିକ୍ଷା, ସ୍ୱାସ୍ଥ୍ୟ ଗମନାଗମନ ପରି ମୌାଳିକ ଆବଶ୍ୟକତା ନଥିଲେ ମଧ୍ୟ ଗ୍ରାମବାସୀ ଗାଁକୁ ଭଲ ପାଇ ଏଠାରେ ରହି ଆସିଥିଲେ । ଦୁଇବର୍ଷ ଆଗରୁ ଜଙ୍ଗଲ ବିଭାଗର ଅଫିସରମାନେ ଗାଁକୁ ଆସି କହିଥିଲେ ଜଙ୍ଗଲ ଭିତରେ ମଣିଷ ଓ ବନ୍ୟପ୍ରାଣୀ ଏକାଠି ରହିପାରିବେ ନାହିଁ । ସେଥିପାଇଁ ଗାଁ ଛାଡ଼ିବାକୁ ପଡ଼ିବ ବୋଲି କହିବା ପରେ ଲୋକଙ୍କ ମୁଣ୍ଡରେ ବଜ୍ର ପଡ଼ିଥିଲା। ଗାଁ ଛାଡ଼ିବାକୁ ଯିବା ପାଇଁ ଇଚ୍ଛା ନଥିଲେ ମଧ୍ୟ ଗାଁର ଏକତା ଯୋଗୁଁ ତାହା ସମ୍ଭବ ହୋଇନଥିଲା ।

ଗାଁ ଲୋକଙ୍କ ଏକତାକୁ ଭାଙ୍ଗିବାରେ ଜଙ୍ଗଲ ବିଭାଗ ସଫଳ ହୋଇଥିଲେ । ପୁଣି ଗାଁରେ ଥିବା ସ୍କୁଲ ଟିକୁ ମଧ୍ୟ ବନ୍ଦ କରି ଦିଆଗଲା। ଜଙ୍ଗଲ ଭିତରେ ରହିବା ଅପେକ୍ଷା ଯେଉଁଠି ଶିକ୍ଷା, ସ୍ୱାସ୍ଥ୍ୟ ଗମନାଗମନ ସବୁ ସୁବିଧା ଥିବ କ୍ଷତିପୂରଣ ନେଇ ସେହି ଜାଗାକୁ ଚାଲିଯିବା ଭଲ ବୋଲି ଗାଁ ଲୋକଙ୍କ ମଧ୍ୟରେ ମାନସିକତା ତିଆରି ହୋଇସାରିଥିଲା । ସରକାରଙ୍କ ନିୟମ ଅନୁସାରେ ୧୮ ବର୍ଷରୁ ଅଧିକ ସମସ୍ତ ପୁରୁଷ ଓ ମହିଳା କ୍ଷତିପୂରଣ ପାଇବାର ବ୍ୟବସ୍ଥା ଥିଲେ ମଧ୍ୟ ସେମାନଙ୍କୁ ଏଯାଏଁ କ୍ଷତିପୂରଣ ଟଙ୍କା ମିଳିନାହିଁ । ଝଗଡ଼ା ବେହେରା ଗାଁ ଲୋକଙ୍କୁ ମଧ୍ୟ ଜଙ୍ଗଲ ବିଭାଗ ଦେଇଥିବା ପ୍ରତିଶୃତି ପୂରଣ ହେବ କି ନାହିଁ ତାହା ମଧ୍ୟ ଅଜଣା ।

ବର୍ଷେ ଆଗରୁ ଡ଼େବ୍ରୀଗଡ଼ ଗାଁ’ର ଲୋକେ ବିସ୍ଥାପିତ ହୋଇଥିଲେ । ବରଗଡ଼ ଜିଲ୍ଳା ମାନଚିତ୍ରରୁ ଲିଭି ଲିଭି ଆସୁଥିବା ଏହି ଗାଁର ଶେଷ ସୂର୍ଯ୍ୟାସ୍ତ ଦେଖି ସେଦିନ ଆମେ ଘରକୁ ଫେରିବା ବେଳେ ମନରେ ସୃଷ୍ଟି ହେଉଥିଲା ଅନେକ ପ୍ରଶ୍ନ ।

[box type=”shadow” align=”” class=”” width=””]ବିକାଶ ଓ ବିସ୍ଥାପନ ସଂସ୍କୃତିର ସୁରକ୍ଷା ପାଇଁ ଆଜିର ସମୟରେ ଭୟାନକ ବିପଦ ସୃଷ୍ଟିକରିଛି । ଗୋଟିଏ ପଟେ ଅତି ସରଳ ନିରାଡ଼ାମ୍ବର ଭାବେ ହଜାର ହଜାର ବର୍ଷଧରି ଆମ ତଥାକଥିତ ସଭ୍ୟ ସମାଜଠାରୁ ଅଲଗା ହୋଇ ଗଢ଼ି ଉଠିଥିବା ଜନ-ସଂସ୍କୃତି ଅନ୍ୟପଟେ ବଜାର ଏବଂ ବଜାରର ଚାହିଦା ମେଣ୍ଟାଇବା ପାଇଁ ସରକାରୀ ଆଇନ କାନୁନ୍ । ଦୁଇଟି ଯାକ ବିପରୀତ ଧର୍ମୀ। ବିକାଶ ଧ୍ୱଂସର ରାସ୍ତାରେ ଆଗେଇଥିବା ବେଳେ ଏହାର ପରିଣତି ଯେ ଆହୁରି ଭୟାନକ ଭାବରେ ସଂସ୍କୃତିକୁ ସାଉଁଟିରଖିଥିବା ମଣିଷର ବିନାସରେ ସହଯୋଗ କରୁଛି ବାରମ୍ବାର ଆମ ଆଗରେ ଉଦାହରଣ ହୋଇଚାଲିଛି। ଯେଉଁ ଉଦାହରଣଟି ଏଠାରେ ଉପସ୍ଥାପିତ କରାଯାଇଛି ତାର ନାଁଟି ହେଲା ‘ଝଗଡ଼ା ବେହେରା’ ଗାଁ। ସେଦିନର ସେହି ଝଗଡ଼ା ବେହେରା ଗାଁ’ର ଶେଷ ସୂର୍ଯ୍ୟାସ୍ତଟିକୁ କ୍ୟାମେରାରେ ଧରିରଖିଛନ୍ତି ଦୂରଦର୍ଶନର ବରଗଡ଼ ଜିଲ୍ଲା ପ୍ରତିନିଧି, ଲେଖକ ତଥା ବୃତ୍ତଚିତ୍ର ନିର୍ମାତା ଉମେଶ ବିଶ୍ୱାଳ ଓ ତାଂକ କ୍ୟାମେରା ଟିମ୍ ସଦସ୍ୟ ଅମିତାବ ପାତ୍ର ଓ ପ୍ରଭାତ ତ୍ରିପାଠୀ । ଏମିତି ଅନେକ ବିସ୍ଥାପନର କାହାଣୀ ଓ ତାହାସହ ଯୋଡ଼ିହୋଇଥିବା କରୁଣ ଦୁଃଖକୁ ସେ ଚେତାବନୀ ଭଳି ଆମ ଆଗରେ ଉପସ୍ଥାପିତ କରିଚାଲିଛନ୍ତି। –ସମ୍ପାଦକ[/box]

Share this Article
ସାମ୍ବାଦିକ, ବୃତ୍ତଚିତ୍ର ନିର୍ମାତା