Home / ନାଟକ / ଓଡ଼ିଶାର ମୁଖା ନୃତ୍ୟ

ଓଡ଼ିଶାର ମୁଖା ନୃତ୍ୟ

ମଣିଷର ଶରୀର ଗୋଟିଏ ମୁଖା ସଦୃଶ୍ୟ । ଜୀବାତ୍ମା ଶରୀରରୂପକ ମୁଖାକୁ ଧାରଣ କରି ଜୀବନର ବିଭିନ୍ନ ପର୍ଯ୍ୟାୟରେ ଭିନ୍ନ ଭିନ୍ନ ରୂପରେ ଅଭିନୟ କରେ । ଯେତେବେଳେ ମଣିଷର ମୃତ୍ୟୁ ଆସି ଉପସ୍ଥିତ ହୁଏ, ସମସ୍ତ ଅଭିନୟର ପରିସମାପ୍ତି ଘଟେ, ଶରୀରରୂପକ ମୁଖାଟି ଅଲୋଡ଼ା ହୋଇ ମାଟିରେ ମିଶିଯାଏ ।

ମୁଖା କେବେ ଓ କେଉଁ ସମୟରେ ପୃଥିବୀରେ ସୃଷ୍ଟି ହେଲା ସେ ସମ୍ପର୍କରେ ଗବେଷକ ମାନେ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚି ପାରିନାହାଁନ୍ତି। ଯାହା ଅନୁମାନ କରାଯାଏ ପ୍ରାଗ୍‌-ଐତିହାସିକ ଯୁଗର ମଣିଷ ଯେତେବେଳେ ନିଜକୁ ଅସୁରକ୍ଷିତ ମନେକଲା, ପଶୁ ପକ୍ଷୀମାନଙ୍କ କବଳରୁ ନିଜକୁ ରକ୍ଷା କରିବାପାଇଁ ମୁଖା ବ୍ୟବହାର କରି ନିଜର କର୍ତ୍ତୃତ୍ୱ ଜାହିର କରିଥିଲା । ତେଣୁ ସେ ମୁଖାକୁ ଗୋଟିଏ ଅଦୃଶ୍ୟ ଶକ୍ତିର ମାଧ୍ୟମ ରୂପେ ଗ୍ରହଣ କରିବା ସହିତ ଅଭିନୟ ପାଇଁ ଗୋଟିଏ ଉପଯୋଗୀ ବସ୍ତୁ ଭାବେ ଗ୍ରହଣ କରିଥିଲା ।

ନାଟକ ପରିବେଷଣ କ୍ଷେତ୍ରରେ ମୁଖାର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ମୁଖା ମାଧ୍ୟମରେ ମଣିଷ ବିଭିନ୍ନ ଚରିତ୍ରରେ ଅବତାରଣା କରିବା ସହିତ ନାଟକରେ ଅଭିନୟ କରେ । ପୃଥିବୀ ପୃଷ୍ଠରେ ଯେତେବେଳେ ମଣିଷ ପ୍ରଥମେ ମୁଖାକୁ ଆବିଷ୍କାର କଲା, ସେ ନିଜେ ବି ଜାଣିନଥିଲା ସେ ହେଉଛି ଗୋଟିଏ ନାଟ୍ୟଶୈଳୀର ଜନ୍ମଦାତା । ବର୍ତ୍ତମାନ ଏହି ନାଟ୍ୟଶୈଳୀ ଶାସ୍ତ୍ରସିଦ୍ଧ ଓ ଆନୁଷ୍ଠାନିକ ବିଧିବିଧାନକୁ ନେଇ ପରିବେଷଣ କରାଯାଏ । ଅଦ୍ୟାବଧି ପ୍ରାଚୀନ ପଦ୍ଧତି ଓ ପରମ୍ପରାକୁ ନେଇ ପରିବେଷଣ କରାଯାଉଥିବା ଅନେକ ନାଟକ, ମୁଖାପିନ୍ଧି କିମ୍ବା ମୁଖକୁ ମୁଖାତୁଲ୍ୟ ଚିତ୍ରିତ କରି ଅଭିନୟରେ ଅଂଶ ଗ୍ରହଣ କରନ୍ତି ।

ମୁଖା କାରିଗର: ନାଟ୍ୟଶାସ୍ତ୍ରର ଅଷ୍ଟମ ଅଧ୍ୟାୟରେ ମହାମୁନୀ ଭରତ ଅଭିନୟକୁ ଚାରି ଭାଗରେ ବିଭକ୍ତ କରିଛନ୍ତି । ସେଗୁଡ଼ିକ ହେଲା, ଆଙ୍ଗିକ ବାଚିକ, ଆହାର୍ଯ୍ୟ ଏବଂ ସାତ୍ତ୍ୱିକ ଅଟେ । ମୁଖା ଆହାର୍ଯ୍ୟ ବିଭାଗର ଅଂଶ ବିଶେଷ । ଜୀବନ୍ତ ଅଭିନୟ ପାଇଁ ମୁଖା (mask) ମୁଖ ସଜ୍ଜା(make-up) ଓ ମୁକୁଟ୍ (Head-gears) ନାଟକ ପରିବେଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ।

ସେହିପରି ନାଟକରେ ଅଭିନୟ କରୁଥିବା ଚରିତ୍ର ଗୁଡ଼ିକ ଚାରିଭାଗରେ ବିଭକ୍ତ, ଯଥା – ଦେବତା, ନାୟକ, ଖଳଚରିତ୍ର ଏବଂ ଦାନବ। ବିଷୟବସ୍ତୁର ଆଧାରରେ ବିଭିନ୍ନ ଚରିତ୍ରର ଏହି ବିଭାଗୀକରଣକୁ ନେଇ ବେଶ ସଜ୍ଜାକାରୀ (make-up man) ଅଭିନେତାମାନଙ୍କ ପାଇଁ ମୁଖା ଓ ମୁକୁଟ ପ୍ରସ୍ତୁତ କରିଥାଏ । ତେଣୁ ନାଟକର ସଫଳତା କ୍ଷେତ୍ରରେ ମୁଖସଜ୍ଜାକାରୀମାନଙ୍କ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଅଭିନେତାମାନଙ୍କୁ ଭିନ୍ନ ରୂପରେ ସଜେଇବା ପାଇଁ ସେମାନଙ୍କୁ ଅନେକ ପୁରାଣ ଓ ଗ୍ରନ୍ଥ ଅଧ୍ୟୟନ କରିବାକୁ ପଡ଼ିଥାଏ ।

ଆଞ୍ଚଳିକ ଭିତ୍ତିରେ ମୁଖାର ପ୍ରସ୍ତୁତି ପ୍ରଣାଳୀରେ ବିଭିନ୍ନତା ଦେଖାଯାଏ । ଏଥିରେ ବ୍ୟବହୃତ ଜିନିଷ ଗୁଡ଼ିକ ମୁଖ୍ୟତଃ ବଣ ଜଙ୍ଗଲ ଓ ଗ୍ରାମାଞ୍ଚଳରୁ ସଂଗ୍ରହ କରାଯାଇଥାଏ । ସେଗୁଡ଼ିକ ହେଲା, ଚିକିଟାମାଟି, କାଠ, ବାଉଁଶ, ଗଛର ବଳ୍‌କଳ, ପଶୁଚମଡ଼ା, ମଣ୍ଡଦିଆ ମୋଟା କାଗଜ, ପିତ୍ତଳ ଓ ତମ୍ବା ପଟା, ଗୋବର, ଛିଣ୍ଡାକନା, ଓ ବିଭିନ୍ନ ରଙ୍ଗ ବ୍ୟବହାର କରାଯାଏ । ଅତୀତରେ ମୁଖାରେ ବ୍ୟବହୃତ ଚାରିଗୋଟି ରଙ୍ଗ ଯଥା, ନାଲି, ନୀଳ, ହଳଦିଆ ଓ ଧଳା, ଗ୍ରାମଳଞ୍ଚଳରେ ଉପଲବ୍‌ଧ ଦ୍ରବ୍ୟ ମାନଙ୍କରୁ ସଂଗ୍ରହ କରାଯାଉଥିଲା । ସଭ୍ୟତାର ବିକାଶ ସହିତ ମୁଖା ଗୁଡ଼ିକୁ ଜୀବନ୍ତ ଓ ମନୋମୁଗ୍‌ଧକର କରିବା ପାଇଁ ମୁଖା କାରିଗର ମାନେ ବଜାରରେ ଉପଲବ୍‌ଧ ରାସାୟନିକ ରଙ୍ଗ ବ୍ୟବହାର କରୁଛନ୍ତି ।

ସେହିପରି ଚରିତ୍ର ଗୁଡ଼ିକର ମୁଖସଜ୍ଜା ନିମନ୍ତେ ମୁଖା ସହିତ, ମୁକୁଟର ଆବଶ୍ୟକତା ଅପରିହାର୍ଯ୍ୟ । ମୁଖା ଓ ମୁକୁଟ ଦୁଇ ଭାଗରେ ବିଭକ୍ତ । ଅଭିନେତା ମୁଖା ପରିଧାନ କରବାପରେ ମୁକୁଟଟି ତାର ମୁଣ୍ଡ ଉପରେ ମୁଖାକୁ ସଂଲଗ୍ନ କରି ବାନ୍ଧି ଦିଆଯାଏ । ତେଣୁ ମୁଖାସଦୃଶ୍ୟ ବିଭିନ୍ନ ଜିନିଷର ସମାହାରରେ ଚିତ୍ରକାର ମୁକୁଟ ତିଆରି କରିଥାଏ । ମୁକୁଟ ପାଇଁ ବ୍ୟବହୃତ ଜିନିଷ ଗୁଡ଼ିକ ସାଧାରଣତଃ ହାଲୁକା ଶ୍ରେଣୀର : ଯଥା ସୋଲ, ସ୍ପଞ୍ଜ, ମଣ୍ଡଦିଆ ମୋଟା କାଗଜ, ବିଭିନ୍ନ କିସମର ମାଳି, ବିଭିନ୍ନ ରଙ୍ଗର ଜରି, ଛୋଟ ଛୋଟ ମିରର, ବିଭିନ୍ନ ରଙ୍ଗର କପଡ଼ା ଇତ୍ୟାଦି। ଓଡ଼ିଶାର ଅଧିକାଂଶ ଲୋକନାଟକ ଯଥା ପ୍ରହ୍ଲାଦନାଟକ, ରାମଲୀଳା, ଦେଶିଆନାଟର ସମସ୍ତ ମୁଖ୍ୟ ଚରିତ୍ର ମୁକୁଟ ବ୍ୟବହାର କରିବା ବେଳେ, କିଛି କିଛି ରାକ୍ଷସ ଓ ପଶୁପକ୍ଷୀ ଚରିତ୍ର ମୁଖା ପରିଧାନ କରିଥାଆନ୍ତି ।

ଉଲ୍ଲେଖଯୋଗ୍ୟ ଏହି କି ଓଡ଼ିଶାରେ ପରିବେଷିତ ଲୋକନାଟକଗୁଡ଼ିକ ରାମାୟଣ, ମହାଭାରତ, ଭାଗବତ ଓ ବିଭିର୍ଣ୍ଣ ପୁରାଣ ଉପରେ ଆଧାରିତ । ଏଥିରେ ଅଂଶଗ୍ରହଣ କରୁଥିବା ଚରିତ୍ରଗୁଡ଼ିକ ମୁଖ୍ୟତଃ ଦେବତା ଓ ଦାନବ ସଂପ୍ରଦାୟ ମଧ୍ୟରେ ସୀମାବଦ୍ଧ । ତେଣୁ ସେମାନେ ପରିଧାନ କରୁଥିବା ବେଶ, ପୋଷାକ ଓ ମୁକୁଟଗୁଡ଼ିକ ସୁନ୍ଦର ଭାବେ ବିଭିନ୍ନ କାରୁକାର୍ଯ୍ୟପୂର୍ଣ୍ଣ ଚିତ୍ରରେ ତିଆରି ହୋଇଥାଏ । ମୁଖକୁ ବିଭିନ୍ନ ରଙ୍ଗରେ ଚିତ୍ରିତ କରି କିମ୍ବା ମୁଖା ପରିଧାନପୂର୍ବକ, ମୁକୁଟ, ବେଶ ଓ ପୋଷାକର ସମାହାରରେ ସେମାନେ ଯେତେବେଳେ ମଞ୍ଚକୁ ପ୍ରବେଶ କରନ୍ତି, ଦର୍ଶକ ମାନଙ୍କ ମନରେ ପୌରାଣିକ ଯୁଗର ଭ୍ରମ ସୃଷ୍ଟିହୁଏ ।

କେତେକ ଲୋକନାଟକରେ ଗୋଟିଏ ଧରଣର ମୁକୁଟକୁ ସାମାନ୍ୟ ପରିବର୍ତ୍ତନ କରି ଦୁଇଟି ବା ତିନିଗୋଟି ଚରିତ୍ର ବ୍ୟବହାର କରନ୍ତି । ଯଥା –

(୧) ପ୍ରହ୍ଲାଦ ନାଟକରେ ହିରଣ୍ୟକଶ୍ୟପ ଓ ପ୍ରହ୍ଲାଦ ଚରିତ୍ର ପାଇଁ ବ୍ୟବହୃତ ମୁକୁଟରେ ବିଶେଷ ତଫାତ୍ ନଥାଏ । (୨)ରାମଲୀଳାରେ ଇନ୍ଦ୍ରଜିତ୍‌, କୁମ୍ଭକର୍ଣ୍ଣ, ଖର, ଦ୍ୱଷଣ ଓ ତ୍ରିସିରା ପାଇଁ ବ୍ୟବହୃତ ମୁକୁଟ ପ୍ରାୟ ଗୋଟିଏ ପ୍ରକାର ଦେଖାଯାଏ ।

ମୁଖାର ଗଠନ ଶୈଳୀ : ମୁଖା ତିଆରି କରିବାର ପରିକଳ୍ପନା ଓ ନକ୍‌ସା ପ୍ରସ୍ତୁତି, ନୃତ୍ୟକୁ ଆଖି ଆଗରେ ରଖି କରାଯାଏ । ଆବହମାନ କାଳରୁ ମୁଖାର ଆବିର୍ଭାବ ସହିତ ନୃତ୍ୟ ଅଙ୍ଗାଙ୍ଗୀଭାବେ ଜଡ଼ିତ । ତେଣୁ ମୁଖା ପ୍ରସ୍ତୁତକାରୀ ମୁଖାଟିକୁ ଚଳତ୍‌ଶକ୍ତିସମ୍ପନ୍ନ କରିବା ଲକ୍ଷ୍ୟରେ ନକ୍‌ସା ପ୍ରସ୍ତୁତ କରିଥାଏ । ଯେଉଁ କଳାକାର ମୁଖା ଧାରଣ କରେ, ତାର ଗତିବିଧି ସହିତ ସେ ସମ୍ପୂର୍ଣ୍ଣ ପରିଚିତ ଥାଏ ।

ମୁଖାକୁ ସାଧାରଣତଃ ଚଳନ୍ତି ବିଗ୍ରହ ରୂପରେ ଗ୍ରହଣ କରାଯାଏ । ଅଭିନୟ କାଳରେ ଗୋଟିଏ ମୁଖା ବିଭିନ୍ନ ଭଙ୍ଗୀରେ ଅଭିନୟ କରିବା ସହିତ ନିଜର ଭାବକୁ ଦର୍ଶକମାନଙ୍କ ନିକଟରେ ପରିବ୍ୟାପ୍ତ କରେ ଯାହା ଦର୍ଶକମାନଙ୍କୁ ରହସ୍ୟପୂର୍ଣ୍ଣ ମନେହୁଏ । ଦେବାଦେବୀଙ୍କ ଉଦ୍ଦେଶ୍ୟରେ ଦିଆ ଯାଉଥିବା ବଳି ନିମନ୍ତେ ନିର୍ମିତ ରାକ୍ଷସ ପ୍ରକୃତିର ମୁଖା ଏହି କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରେ ।

ରାମଲୀଳା, କୃଷ୍ଣଲୀଳା, ଦେଶିଆନାଟରେ ରାକ୍ଷସ ଚରିତ୍ରଗୁଡ଼ିକୁ ବାଦଦେଲେ, ଅନ୍ୟାନ୍ୟ ଚରିତ୍ରୋପଯୋଗୀ ମୁଖାଗୁଡ଼ିକ, ହାଲୁକା ଓ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ।

ମୁଖାର ପ୍ରସ୍ତୁତ ଓ ସଂରକ୍ଷଣ କ୍ଷେତ୍ରରେ ପରମ୍ପରାଗତ ରୀତି-ନୀତି ପାଳନ କରାଯାଏ । ମୁଖା ପାଇଁ କାଷ୍ଠ ସଂଗ୍ରହ ଓ ମୁଖା ନିର୍ମାଣର ପ୍ରତ୍ୟେକ ସ୍ତରରେ ମୁଖା-ଶିଳ୍ପୀ ଅତି ପବିତ୍ର ଓ ନୈଷ୍ଠିକ ମନରେ ନିଜକୁ ସେଥିରେ ନିୟୋଜିତ କରିଥାଏ । ମୁଖା ଗଠନପରେ, ଜୀବନ୍ୟାସ ପ୍ରଦାନ କଲାବେଳେ ଗ୍ରାମ ଉତ୍ସବ ମୁଖର ହୋଇଉଠେ ଏବଂ ମୁଖା ଗଠନର ପରିସମାପ୍ତି ଘଟେ ଚକ୍ଷୁଦାନ ପରେ । ମୁଖା ଗଠନ କାଳରେ ମୁଖା କାରିଗର ଶୁଦ୍ଧପୂତ ମନରେ ନୀତି ନିୟମ ଓ ଶାସ୍ତ୍ରୀୟ ପରମ୍ପରାକୁ ନେଇ କାର୍ଯ୍ୟ ସମାପନ କରେ । ମୁଖା ଗଠନ ଆରମ୍ଭରୁ ଶେଷ ଯାଏଁ ସାତ୍ତ୍ୱିକ ଆହାର ସହିତ ଶୁଭ୍ରବସ୍ତ୍ର ପରିଧାନ କରିବା ସହ ମଦ ଓ ମାତ୍ସର୍ଯ୍ୟ ଠାରୁ ସେ ଦୂରେଇ ରହିଥାଏ।

ମୁଖା ତିଆରି କରୁଥିବା କାରିଗର ଓ ମୁଖା ଧାରଣ କରୁଥିବା ଅଭିନେତାମାନେ ମୁଖା ପ୍ରତି ଯଥେଷ୍ଟ ଶ୍ରଦ୍ଧା ଓ ଭକ୍ତି ପ୍ରଦର୍ଶନ କରନ୍ତି । ରାମଲୀଳାରେ ବ୍ୟବହୃତ ସମସ୍ତ ମୁଖା, ମୁକୁଟ ଓ ବେଶ ପୋଷାକ ଗ୍ରାମର ମନ୍ଦିର ମଧ୍ୟରେ ଯଥାବିଧି ପୂଜା, ଅର୍ଚ୍ଚନା ସହିତ ରଖାଯାଇଥାଏ। ରାମ ନବମୀ କିମ୍ବା ଲୀଳା ପ୍ରଦର୍ଶନର ନିର୍ଦ୍ଦିଷ୍ଟ ଦିବସରେ, ପରମ୍ପରା ଅନୁଯାୟୀ ପୂଜାବିଧି ସହିତ ସେ ଗୁଡ଼ିକୁ ବାହାର କରି ନାଟକରେ ବ୍ୟବହାର କରାଯାଏ ।

ବିଭିନ୍ନ ପାରମ୍ପରିକ ଲୋକନୃତ୍ୟ ସହିତ ବଣ-ଜଙ୍ଗଲରେ ରହୁଥିବା ଆଦିବାସୀ ସମାଜରେ ମୁଖା ନୃତ୍ୟର ପ୍ରଚଳନ ବିଧି ପରିଲକ୍ଷିତ ହୁଏ । ଭୂତପ୍ରେତ ଭୟ ଓ ହିଂସ୍ରଜନ୍ତୁଙ୍କ ଆକ୍ରମଣରୁ ରକ୍ଷାପାଇବା ପାଇଁ ସେମାନେ ମୁଖା ଧାରଣ କରିବା ସହିତ ଗୀତ, ବାଦ୍ୟର, ତାଳେ ତାଳେ ନୃତ୍ୟ କରିବା ସହିତ ପୂଜାର୍ଚ୍ଚନା କରିଥାଆନ୍ତି ।

ଓଡ଼ିଶାରେ ପ୍ରଚଳିତ ପାରମ୍ପରିକ ମୁଖା ନୃତ୍ୟ ରାମାୟଣ, ମହାଭାରତ, ଭାଗବତ ଓ ବିଭିନ୍ନ ପୌରାଣିକ କାହାଣୀ ଓ କିମ୍ବଦନ୍ତୀ ଉପରେ ଆଧାରିତ । ଏହା ନୃତ୍ୟ, ଗୀତ, ବାଦ୍ୟ, ସଂଳାପ ଓ ଅଭିନୟରେ ପରିପୂର୍ଣ୍ଣ । ଏହି ନୃତ୍ୟର ଅନ୍ୟ ଏକ ବିଶେଷତ୍ତ୍ୱ ହେଲା ଅଭିନେତାମାନଙ୍କ ମୁଖସଜ୍ଜା । ମୁଖାତୁଲ୍ୟ ରୂପସଜ୍ଜା ସହିତ ଅଭିନେତାମାନଙ୍କ ଅଲୌକିକ ପରରୂପ ଧାରଣ ଓ ଆଳଙ୍କାରିକ ବେଶ-ବିନ୍ୟାସ, ଦର୍ଶକମାନଙ୍କୁ ଆମୋଦିତ କରେ । ଏହି କ୍ଷେତ୍ରରେ ଗୋଲାମୁଣ୍ଡଳାର ରାମଲୀଳା, ପଙ୍କାଳବାଡ଼ିର କୃଷ୍ଣଲୀଳା, ବିଶିପଡ଼ାର ଲଙ୍କାପୋଡ଼ି ଯାତ୍ରା, ଓ ଗଞ୍ଜାମ ଜିଲ୍ଲାର ପ୍ରହଲ୍ଲାଦ ନାଟକ ସ୍ୱତନ୍ତ୍ର ଆଲୋଚନା ଦାବୀ କରେ । ଶାସ୍ତ୍ରୀୟ ବିଧି ଅନୁଯାଇ ମୁଖ-ସଜ୍ଜା ନିମନ୍ତେ ପାଞ୍ଚଗୋଟି ରଙ୍ଗ ବ୍ୟବହାର କରାଯାଏ । ଯଥା – ନାଲି, ନୀଳ, ହଳଦିଆ, ଧଳା ଓ କଳା ।

ପ୍ରାଚୀନ ପରମ୍ପରା ମୁଖା:- ବହୁ ପ୍ରାଚୀନ କାଳରୁ ଭାରତବର୍ଷରେ ମୁଖା ନୃତ୍ୟର ପ୍ରଚଳନ ଥିଲା । ଖ୍ରୀ:ପୂ: ୨ୟ ଶତାବ୍ଦୀର ନାଟ୍ୟଶାସ୍ତ୍ର ପ୍ରଣେତା ଭାରତ ମୁନୀଙ୍କ ନାଟ୍ୟଶାସ୍ତ୍ରରେ ମୁଖାର ପ୍ରଚଳନ ବିଧି ସଂପର୍କରେ ଲେଖାଅଛି –

ନାନାବସ୍ଥା ସମାସାଦ୍ୟ ଶୁଭାଶୁଭକୃତସ୍ତଥା ।

ତଥା ପ୍ରତିଶିରଶ୍ଚାପି କର୍ତ୍ତବ୍ୟଂ ନାଟକାଶ୍ରୟମ ।

                (ଶ୍ଳୋକ : ୧୩୫ – ବିଂଶ ଅଧ୍ୟାୟ)

ନାଟକରେ ମସ୍ତକର ରୂପସଜ୍ଜା, ଅବସ୍ଥା ଓ ପାତ୍ରକୁ ନେଇ କରାଯିବ । ଦେବତା, ମନୁଷ୍ୟ, ଦେଶ ଓ ଜାତି ଅନୁଯାୟୀ ଆବଶ୍ୟକ ସ୍ଥଳରେ ପ୍ରତି ଶିର ଅର୍ଥାତ୍ ‘ମୁଖା’ ବ୍ୟବହାର କରାଯିବ । ଏକାଦଶ ଶତାବ୍ଦୀର ମହାନ୍ ନାଟ୍ୟଗବେଷକ ଅଭିନବଗୁପ୍ତ ନାଟ୍ୟଶାସ୍ତ୍ରକୁ ବିଶ୍ଳେଷଣ କରିବାକୁ ଯାଇ ମୁଖା ପ୍ରଚଳନ ବିଧି ଉପରେ ବିଶଦ୍‌ଭାବେ ବର୍ଣ୍ଣନା କରିବା ସହିତ, ନାଟ୍ୟ ଉପସ୍ଥାପନା କ୍ଷେତ୍ରରେ ଏହାର ପ୍ରୟୋଗ ବିଧିର ଉଲ୍ଲେଖ କରିଛନ୍ତି । ଏଥିରୁ ଅନୁମାନ କରାଯାଏ ଖ୍ରୀଷ୍ଟପୂର୍ବ ୨ୟ ଶତାବ୍ଦୀ ପୂର୍ବରୁ ଅଦ୍ୟାବଧି ବିଗତ ୨୫୦୦ବର୍ଷ ଧରି ମୁଖାନୃତ୍ୟ ପ୍ରଚଳନର ଏକ ବଳିଷ୍ଠ ପରମ୍ପରା ଭାରତବର୍ଷରେ ପ୍ରଚଳିତ ଅଛି । ଅଦ୍ୟାବଧି, ଦେଶର ବିଭିନ୍ନ ରାଜ୍ୟ ଯଥା – କେରଳ, କର୍ଣ୍ଣାଟକ, ତାମିଲ୍‌ନାଡ଼ୁ, ଆନ୍ଧ୍ରପ୍ରଦେଶ, ଆସାମ, ସିକିମ୍‌, ଅରୁଣାଞ୍ଚଳ ପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, ବିହାର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ ସହିତ ପ୍ରାୟ ସମଗ୍ର ବିଶ୍ୱରେ ମୁଖା ନୃତ୍ୟର ପରମ୍ପରା ବଞ୍ଚି ରହିଛି । ଓଡ଼ିଶାର ଲୋକନୃତ୍ୟରେ ମୁଖାର ପ୍ରୟୋଗ କେବେ ଏବଂ କେଉଁ ସମୟରେ ହୋଇଥିଲା ସେ ସଂପର୍କରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ଦୃଷ୍ଟିଗୋଚର ହୁଏନାହିଁ ।

ଓଡ଼ିଶାରେ ଲୋକନାଟ୍ୟ ପରିବେଷଣ କ୍ଷେତ୍ରରେ ରାମଲୀଳାର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ୧୬ଶହ ଶତାବ୍ଦୀରେ ଚୈତନ୍ୟ ଦେବଙ୍କ ଆଗମନ ପରେ ଓଡ଼ିଶାର ଧର୍ମପ୍ରାଣ ଜନତା ବୈଷ୍ଣବ ଧର୍ମ ପ୍ରତି ଆକୃଷ୍ଟ ହୋଇଥିଲେ । ତା’ ପୂର୍ବରୁ ଓଡ଼ିଶାରେ ରାମଚେତନା ଗ୍ରାମାଞ୍ଚଳର ଲୋକମାନଙ୍କୁ ଉଦବୁଦ୍ଧ କରିଥିଲା । ରାମଚେତନାର ଅନ୍ୟତମ ମୁଖ୍ୟ ମାଧ୍ୟମ ଥିଲା ରାମଲୀଳା ନାଟ୍ୟାଭିନୟ । ଓଡ଼ିଶାରେ ସେତେବେଳେ ଶତାଧିକ ରାମଲୀଳା ସଂଘ ଓ କୋଡ଼ିଏରୁ ଊର୍ଦ୍ଧ୍ୱ ରାମଲୀଳା ରଚୟିତା ସମଗ୍ର ରାଜ୍ୟକୁ ରାମଧର୍ମରେ ଆଚ୍ଛାଦିତ କରି ରଖିଥିଲେ । ଯେହେତୁ ରାମଲୀଳାରେ ମୁଖାର-ପ୍ରୟୋଗ ଏକ ଅନିବାର୍ଯ୍ୟ ଅଙ୍ଗ, ଓଡ଼ିଶାରେ ମୁଖାନୃତ୍ୟର ଆବିର୍ଭାବ ୧୫ଶ ଶତାବ୍ଦୀ ପୂର୍ବରୁ ହୋଇଥିବା ଅନୁମାନ କରାଯାଇପାରେ । ସଭ୍ୟତାର ବିକାଶ ସହିତ, ଚଳଚ୍ଚିତ୍ର ଓ ଦୂରଦର୍ଶନର ପ୍ରଭାବ ଫଳରେ, ଆଜି ଲୋକଙ୍କର ପୁରାତନ ନାଟ୍ୟ ପରମ୍ପରା ପ୍ରତି ଆଗ୍ରହ କମିବାରେ ଲାଗିଛି । ଅତୀତର ଗୌରବମୟ ରାମଲୀଳାର ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇ ଆସିଛି । ବର୍ତ୍ତମାନ ଓଡ଼ିଶାର ଗଞ୍ଜାମ, କନ୍ଧମାଳ, ନୟାଗଡ଼, ପୁରୀ, ଭଦ୍ରକ ଓ କଟକ ଜିଲ୍ଲାକୁ ବାଦ୍ ଦେଲେ, ଅନ୍ୟତ୍ର ରାମଲୀଳା ପରିବେଷଣ ଦୃଷ୍ଟି ଗୋଚର ହୁଏନାହିଁ ।

ସୌଜନ୍ୟ – ସମଦୃଷ୍ଟି-୧-୧୫ ନଭେମ୍ବର ୨୦୧୪

Photo credit- https://bit.ly/2AUd5ri

https://bit.ly/3gPfL8W

https://bit.ly/2ZY3yI1

https://bit.ly/38JUyKL

https://bit.ly/3iRTHw7

https://bit.ly/3iOxDTf

About ମନମଥ ଶତପଥୀ

ମନମଥ ଶତପଥୀ
ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ପୂର୍ବତନ ସମ୍ପାଦକ

Check Also

ନାଚୁଣୀ (ମୂଳ ଲେଖା-ଭାନୁ ଭାରତୀ)

ତା ପରେ ମୁଁ ସେଇ ଛୋଟ ପିଲାଟିକୁ ଚିହ୍ନିନଥିବା ଜଣେ ସ୍ତ୍ରୀ ଲୋକ ହାତରେ ଦେଇ ଚାଲିଆସିଲି । ତା …

Leave a Reply

Your email address will not be published. Required fields are marked *