Home / ବ୍ୟକ୍ତି ଓ ବ୍ୟକ୍ତିତ୍ୱ / ଓଡ଼ିଶାରେ ସୌହାର୍ଦ୍ୟର ସଂସ୍କୃତି (ସାକ୍ଷାତକାର: ପ୍ରଫେସର ସ୍ୱାଧୀନାନନ୍ଦ ପଟ୍ଟନାୟକ)

ଓଡ଼ିଶାରେ ସୌହାର୍ଦ୍ୟର ସଂସ୍କୃତି (ସାକ୍ଷାତକାର: ପ୍ରଫେସର ସ୍ୱାଧୀନାନନ୍ଦ ପଟ୍ଟନାୟକ)

ବିଶିଷ୍ଟ ଗଣିତଜ୍ଞ ତଥା ଗଣିତ ପ୍ରୟୋଗ କେନ୍ଦ୍ରର ଉପଦେଷ୍ଟା ନିର୍ଦ୍ଦେଶକ ପ୍ରଫେସର ସ୍ୱାଧୀନାନନ୍ଦ ପଟ୍ଟନାୟକ କେବଳ ଜଣେ ସୁନାମଧନ୍ୟ ଗଣିତ ବିଶେଷଜ୍ଞ ନୁହଁନ୍ତି ବରଂ ତାଙ୍କୁ ଜଣେ ସମାଜ ଚିନ୍ତକ ତଥା ସମାଜ ବିଜ୍ଞାନୀ କହିଲେ ଅତ୍ୟୁକ୍ତି ହେବନାହିଁ । ଗଣିତକୁ ସାଧାରଣ ପିଲାମାନଙ୍କ ସ୍ତରକୁ ନେବାପାଇଁ ସେ ଯେଉଁଭଳି ପ୍ରୟାସ କରିଆସିଛନ୍ତି ସମାଜରେ ଥିବା ଜାତି ଭେଦ ତଥା ଅସହିଷ୍ଣୁତାର ସଂସ୍କୃତିର ବିଲୋପ କ୍ଷେତ୍ରରେ ମଧ୍ୟ ବିଶେଷ ଭାବରେ ନିଜେ ସମଗ୍ର ଜୀବନ ପ୍ରୟାସ ଜାରୀରଖିଛନ୍ତି । ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସିଏ ଗଣିତ ବିଭାଗ ହେଉ କି ଇତିହାସ ବିଭାଗ, ବିଶ୍ୱବିଦ୍ୟାଳୟକୁ ନିଜର ପରିବାର ବୋଲି ବିଚାର କରି ଏକ ଚିନ୍ତନ ଓ ଚର୍ଚ୍ଚା ପ୍ରକ୍ରିୟା ପ୍ରଫେସର ସ୍ୱାଧୀନାନନ୍ଦ ପଟ୍ଟନାୟକ ଯେଉଁ ଉଦ୍ୟମ ନିଜେ ଆରମ୍ଭ କରିଥିଲେ ତାହା ଆଜିବି ସେହିସବୁ ଚର୍ଚ୍ଚାରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନେ ମନେପକାନ୍ତି । ସେହିଭଳି ଜଣେ ଇଂରାଜୀ ବିଭାଗର ଛାତ୍ର ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ କେଶରଞ୍ଜନ ପ୍ରଧାନ କୁହନ୍ତି ଯେ, ସ୍ୱାଧୀନ ସାର ହେଉଛନ୍ତି ମୋ ଜୀବନର ପ୍ରେରଣା । ଚିରାଚରିତ ଶିକ୍ଷା ବ୍ୟବସ୍ଥା ଠାରୁ ଭିନ୍ନ ଚିନ୍ତନ ଓ ସମାଜକୁ ଗଭୀର ଭାବରେ ଅନୁଶୀଳନ କରିବାର ଓ ପରିବର୍ତ୍ତନ କରିବାର ଦୃଷ୍ଟିଭଙ୍ଗୀ ତାଙ୍କର ରହିଆସିଛି । ସେଥିପାଇଁ ସେହିଭଳି ଜଣେ ଚିନ୍ତାଶୀଳ ବ୍ୟକ୍ତିତ୍ୱଙ୍କଠାରୁ ଆମେ ଜାଣିବା ପାଇଁ ଚାହିଁବା ଯେ, ସେ ଓଡ଼ିଶାରେ ଧାର୍ମିକ ସୌହାର୍ଦ୍ଧ୍ୟପୂର୍ଣ୍ଣ ପରିବେଶକୁ କେଉଁଭଳି ନିଜ ପିଲାବେଳୁ ଦେଖିଆସିଛନ୍ତି । ଯେହେତୁ ତାଙ୍କ ବାପା ଜଣେ ଡ଼ାକ୍ତର ଥିଲେ ଏବଂ ରାଜ୍ୟର ବିଭିନ୍ନ ସ୍ଥାନକୁ ବଦଳି ହେଉଥିଲେ ତେଣୁ ପ୍ରଫେସର ସ୍ୱାଧୀନାନନ୍ଦ ପଟ୍ଟନାୟକ ଏହିସବୁ ସ୍ଥାନରେ ବିଭିନ୍ନ ଧର୍ମ ଓ ସଂସ୍କୃତି ଭିତରେ ଥିବା ସମ୍ପର୍କକୁ କେଉଁଭଳି ଦେଖିଛନ୍ତି, ସେ ବିଷୟଟି ଉକ୍ତ ସାକ୍ଷାତକାରରେ ପ୍ରକାଶ କରାଯାଇଛି । ବର୍ତ୍ତମାନ ତାଙ୍କର ବୟସ ୮୦ ସେଥିପାଇଁ ତାଙ୍କର ଏ ବିଷୟରେ ଏକ ଦୀର୍ଘ ଅନୁଭୂତି ଓ ଭିନ୍ନ ଦୃଷ୍ଟିଭଙ୍ଗୀ ରହିଛି ବୋଲି ଏହିଭଳି ଏକ ସାକ୍ଷାତକାର ସଂଗ୍ରହ କରାଯାଇଛି । – ସମ୍ପାଦକ

ସ୍ଵୟଂପ୍ରଭା ପାଢ଼ୀ  : ବହୁ ଦିନ ଧରି ବିଭିନ୍ନ ଧର୍ମର ଲୋକ ଓଡ଼ିଶାରେ ବସବାସ କରି ଆସୁଛନ୍ତି ଏବଂ ଏହି ଧର୍ମ ଭିତରେ ଏକ ସୌହାର୍ଦ୍ୟପୂର୍ଣ୍ଣ ସମ୍ପର୍କ ରହିଛି ବୋଲି ସମସ୍ତେ ଗର୍ବ କରି ଆସିଛନ୍ତି । ଏହି ଯେଉଁ ସୌହାର୍ଦ୍ୟପୂର୍ଣ୍ଣ ସମ୍ପର୍କ ରହିଛି ତାକୁ ନେଇ ଆପଣଙ୍କର କ’ଣ ଅନୁଭୂତି ରହିଛି?

ପ୍ରଫେସର ସ୍ଵାଧୀନାନନ୍ଦ ପଟ୍ଟନାୟକ: ପ୍ରଥମ କଥା ହେଲା ମୋର ମାମୁଁ ଜଣେ ଖ୍ରୀଷ୍ଟ୍ରିଆନ ଝିଅକୁ ବାହା ହୋଇଥିଲେ । ତାଙ୍କୁ ଆମର ଅଜା ଗ୍ରହଣ କରିଥିଲେ । ସେ ଆମ ଘରକୁ ଯା ଆସ କରନ୍ତି । ମୋର ଗୋଟିଏ ମାମୁଁ ପୁଅ ଭାଇ ଖ୍ରୀଷ୍ଟିଆନ ଝିଅ ବହା ହୋଇଛି । ତାଙ୍କୁ ତ ସମସ୍ତେ ଗ୍ରହଣ କରିଛନ୍ତି । ତାଙ୍କର ଝିଅ ଗୋଟିଏ ହିନ୍ଦୁ ପୁଅକୁ ବାହାହେଲା । ତାକୁ ପୁଣି ହିନ୍ଦୁ ରୀତିରେ ବାହାଘର କଲେ । ଏଇମିତି ଖ୍ରୀଷ୍ଟିଆନମାନଙ୍କ ସହିତ ଆମର ସମ୍ପର୍କ । ଭଦ୍ରକରେ ମୋର ପିଲାଦିନ କଟିଛି । ଭଦ୍ରକରେ ମୁଁ ଦେଖିଛି- ଆମର ଜଣେ ମୁସଲମାନ ପଡ଼ୋଶୀ ଥିଲେ । ତାଙ୍କ ଘରୁ ବହୁ ଖାଇବା ଜିନିଷ ଆମ ଘରକୁ ଆସେ । ରୋଜ୍ କେକ୍ କରି ସେ ଆମ ଘରକୁ ପଠାନ୍ତି । ସେଇଟା ମୁଁ ଦେଖିଛି ।

ତା ପରେ ମୁଁ ଯାହା ଶୁଣିଛି ଆମ ଗାଁରେ, ଖୋର୍ଦ୍ଧାରେ ମାଣିକଗୌଡ଼ା ଗୋଟିଏ ଗାଁ । ସେଇଠି ଯେଉଁ ଦୁର୍ଗା ପୂଜା ହୁଏ,ତାର କର୍ତ୍ତା ଜଣେ ମୁସଲମାନ । ଆଉ କାଇପଦର ପୀରବାବାଙ୍କୁ ମୁଁ ୧୯୫୦-୫୧ ମସିହାରୁ ଦେଖୁଛି । ସେଠିକି ହିନ୍ଦୁ, ମୁସଲମାନ ସମସ୍ତେ ଆସନ୍ତି । କାହିଁକି ନା ସେଠି କୁଆଡ଼େ ଭୋଗ ଚଢ଼ାଇଲେ ଯାହାର ଯାହା ମନସ୍କାମନା ପୂର୍ଣ୍ଣ ହୁଏ । ପୂର୍ଣ୍ଣହୁଏ କି ନା ମୁଁ ଜାଣିନି କିନ୍ତୁ ଲୋକମାନଙ୍କର ବିଶ୍ୱାସ ରହିଆସିଛି । ଏବେ କାଇପଦର ଉପରଟା ବହୁତ ଚକ୍‌ଚକ୍ କରୁଛି କିନ୍ତୁ ସେତେବେଳେ ଏମିତି ନ ଥିଲା । ଗୋଟିଏ ଛୋଟ ସ୍ତୂପ ଭଳିଆ ଥିଲା । ତା ଦେହରେ ଚନ୍ଦନ ସିନ୍ଦୁର ବୋଳା ହେଉଥିଲା । ତା ପରେ ଗୋଟିଏ ଚାଳଘର ଥିଲା ଆଉ କିଛି ନଥିଲା । ସେଇ ଚାଳଘର କାନ୍ଥରେ ଯାହାର ଯାହା ଇଚ୍ଛା ଅଛି ସେ ଲେଖିଦିଅନ୍ତି । ଲେଖି ଦେଲେ ପୀର ବୁଝିପାରିବେ ତାଙ୍କର ମନସ୍କାମନା ପୂର୍ଣ୍ଣ ହୋଇଯାଏ । ମୋର ମନେ ଅଛି ଜଣେ କିଏ ଲେଖିଥିଲା ମୁଁ ପରୀକ୍ଷାରେ ପାଶ୍ କଲେ ଅଣାଏର ଭୋଗ ଦେବି । ପେନ୍‌ସିଲରେ କାନ୍ଥରେ ଲେଖିଥିଲା । ଆଜିକାଲି କାନ୍ଥରେ ଲେଖା ହେଉନାହିଁ କାଗଜରେ ଲେଖି ଟାଙ୍ଗି ଦେଉଛନ୍ତି ସେଇଠି । ସେଠାକୁ ମୁସଲମାନ କମ୍ ହିନ୍ଦୁ ବେଶୀ ଆସନ୍ତି । ସେଠି ଯିଏ ପୂଜାରୀ ଥାଏ ଲୋକଙ୍କୁ ଭୋଗ ଦିଏ ଲୋକ ବି ଖାଆନ୍ତି । ଏଇଟା ମୁଁ ଦେଖିଛି ।

ଆମ ଗାଁ ପାଖରେ କେରଙ୍ଗ ବୋଲି ଗୋଟିଏ ଗାଁ ଅଛି । ଜନସଂଖ୍ୟାର ୭୫ ଭାଗ ହେଉଛନ୍ତି ମୁସଲମାନ । ସେଇ ଗାଁରେ ଦୋଳଯାତ୍ରା ବେଳକୁ ସମସ୍ତଙ୍କ ଘରକୁ ଚାରେରି ବୁଲେ ଭୋଗ ଖାଇବା ପାଇଁ ଚାନ୍ଦା ମାଗନ୍ତି, ସମସ୍ତେ ଦିଅନ୍ତି । ମୁସଲମାନ ସମ୍ପ୍ରଦାୟର ଜଣେ ପ୍ରସିଦ୍ଧ ଲୋକ ଥିଲେ ମୁଶାୟତ୍ ଖାନ୍ ତାଙ୍କ ଘରକୁ ଯାଆନ୍ତି ସେ ବି ଦିଅନ୍ତି । ଏଇଟା ମୁଁ ଜାଣିଛି । ତା ଛଡ଼ା ଆମ ଘରେ ଯେଉଁ ସତ୍ୟନାରାୟଣ ପୂଜା ହୁଏ, ସତ୍ୟନାରାୟଣ ପୂଜାରେ କ’ଣ ହୁଏ, ସେଇ ବହିରେ ଦେଖିବ ସତ୍ୟନାରାୟଣଙ୍କୁ ଗାର୍କୀ ବୋଲି ଲେଖାଅଛି। ଗୋଟିଏ ଜାଗାରେ ପୀର ଲେଖାହୋଇଛି । ଆଉ ଗୋଟିଏ ଜାଗାରେ ସତ୍ୟନାରାୟଣ ଲେଖା ହୋଇଛି । ଆଉ ଗୋଟିଏ ଯାଗାରେ ଲେଖାହୋଇଛି, ଧୀରେ ନିମାଜ ପଢ଼ଇ । ଏମିତି ବି ଲେଖା ହୋଇଛି। ସତ୍ୟନାରାୟଣ ପୂଜା ତ ସମସ୍ତଙ୍କ ଘରେ ହୁଏ । ଏ ସବୁ ଦେଖିଛି ।

ଆଉ ଗୋଟିଏ କଥା ମୁଁ ଶୁଣିଛି । ମନସା ମଙ୍ଗଳ ବୋଲି ଗୋଟିଏ ବହି ଅଛି। ମନସା ମଙ୍ଗଳ ବଙ୍ଗଳାରେ ଲେଖା ହୋଇଛି, ସେଇଟା ବହୁତ ପୁରୁଣା । ମନସା ମଙ୍ଗଳା ସେଠି ଜଣେ ଦେବୀ ଅଟନ୍ତି । ସେ ମନସା କାଳେ ପ୍ରତ୍ୟକ୍ଷ ଦେବୀ । ସେ ଯାହାକୁ ଖୁସି ହୁଅନ୍ତି ନିଜେ ଯାଇ ଯୁଦ୍ଧ କରନ୍ତି । ତାଙ୍କର ଦୁଇଜଣ ମୁସଲମାନ ଭାଇ ଅଛନ୍ତି । ଏଇ କଥାଟି ମୁଁ ପ୍ରଥମେ ଶୁଣିଥିଲି ବାଂଲାଦେଶୀ ମୁସଲମାନ ପିଲା ଠାରୁ । ସେତେବେଳେ ମୁଁ ଆମେରିକାରେ ଥିଲି । ସେତେବେଳେ ଭାରତ, ପାକିସ୍ଥାନ, ବାଂଲାଦେଶ ଯୁଦ୍ଧ ବେଳେ ଶୁଣି ଥିଲି ଏଇ କଥା । ସେଇ ଇଷ୍ଟ ପାକିସ୍ଥାନର ପିଲା ଆମ ସଙ୍ଗେ ଫ୍ରେଣ୍ଡଲି ଥିଲା । ସେ କହିଥିଲା ମନସା କଥା । ମନସା ସାପ ହୋଇଯିବେ ଏମିତି କେତେ କଥା । ତା ପରେ ମୁଁ ଆସି ଦେଖିଲି । ଏଇ ତିନିଟା ଜିନିଷ ମୋର ମନେ ଅଛି । କାଇଜର ହକ ନାମକ ଜଣେ ବ୍ୟକ୍ତି ଏ ବିଷୟରେ ଇଂରାଜୀରେ ଲେଖିଛନ୍ତି।

ତା ପରେ ଆଉ ଗୋଟିଏ କଥା କନଭେଣ୍ଟ ସ୍କୁଲ କଥା । ତାଙ୍କ ପିଲାମାନଙ୍କୁ ଚର୍ଚ୍ଚକୁ ନିଅନ୍ତି ବେଳେ ବେଳେ । ହିନ୍ଦୁ ପିଲା ଶିଖ୍ ପିଲା ସମସ୍ତେ ତ ଚର୍ଚ୍ଚକୁ ଯାଉଥିଲେ । ଆଉ ଖ୍ରୀଷ୍ଟମାସ୍ ଦିନ ତ ଆମେ କେକ୍ କାଟୁଛୁ । ଏଭଳି ଜିନିଷ ବହୁତ ଆଗରୁ ଅଛି । ଆମେ ଜାଣିବାରେ ଓଡ଼ିଶାର ପ୍ରଥମ ଖ୍ରୀଷ୍ଟିଆନ ହେଉଛିନ୍ତି ଜଣେ ବ୍ରାହ୍ମଣ । ତାଙ୍କ ନାଁ ଭୁଲିଯାଇଛି କି ଷଡଙ୍ଗୀ ମନେ ପଡ଼ୁନାହିଁ । ସେ ପ୍ରଥମେ ଖ୍ରୀଷ୍ଟିଆନ୍ ହୋଇଥିଲେ । ତାଙ୍କର ଜଣେ ଗୁରୁଥଲେ । ସେ ତାଙ୍କ ଗୁରୁଙ୍କୁ ପଚାରିଲେ ଦୀକ୍ଷା ନେବା କଥା । ସେ କହିଲେ ନେ ଦୀକ୍ଷା ନେ ।

ମୁଁ ଯେଉଁ ମାମୁଁଙ୍କ କଥା କହୁଥିଲି । ମୋ ମାଁଙ୍କର ବଡ଼ ବପା ପୁଅ ଭାଇ । ସେ ଯାହାକୁ ବାହା ହୋଇଥିଲେ । ସେ ହେଉଚନ୍ତି ଲାଲ ମୋହନ ପଟ୍ଟନାୟକ, ଓଡ଼ିଶା ଆସେମ୍ଲିର ସ୍ପିକର ଥିଲେ ତାଙ୍କ ଝିଅ । ଘର ପାଖାପାଖି ଥିଲା ଇଏ ତାଙ୍କୁ ଦେଖିଥିଲେ । ତା ପରେ ମାମୁଁ ଆର୍ମିରେ ଜଏନ କଲେ । ସେ ଅଫିସର ହୋଇଥିଲେ । ତାଙ୍କର ମଝିରେ ମଝିରେ ଦେଖା ହୁଏ । ସେଇଠୁ ସେ କହିଲେ ମୁଁ ତାଙ୍କୁ ବାହାହେବି । ପ୍ରଥମେ ଅଜା ନିଶ୍ଚୟ ଅମଙ୍ଗ ହୋଇଥିବେ । ମୋର ତ ଜନ୍ମ ହୋଇନଥିଲା । ପରେ ମୁଁ ମାମୁଁଙ୍କୁ ଦେଖିଛି । ଗୋବିନ୍ଦପୁର କନଷ୍ଟିଚୁଏନ୍‌ସି ଯେତେବେଳେ ଥିଲା ନିଆଳି । ସେହି ମାଇଁ ଏଇଠି ଠିଆ ହୋଇ ଜିତିଥିଲେ ଏବଂ ଏମଏଲଏ ହୋଇଥିଲେ । ତା ପରେ ମୋର ମାମୁଁ ସୁକାନ୍ତ କିଶୋର ରାୟ, ତାଙ୍କ ପୁଅ ସେବି ଜଣେ ଖ୍ରୀଷ୍ଟିଆନ୍ ଝିଅକୁ ବାହାହେଲା । ତାପରେ ତାର ଗୋଟିଏ ଝିଅ ହିନ୍ଦୁ ପୁଅକୁ ବାହାହେଲା ତାରି ଘରେ ହିଁ ବାହାଘର ହେଲା । ସେ କନ୍ୟାଦାନ କଲା । ମୁଁ ଦେଖିଛି, ଏମିତି ଚାଲିଛି ।

ବ୍ରହ୍ମପୁରରେ ଦେଖିଛି ଖ୍ରୀଷ୍ଟିଆନ୍ ଚର୍ଚ୍ଚ ସମ୍ବଲପୁରରେ ଦେଖିଛି ଚର୍ଚ୍ଚ । ସମ୍ବଲପୁରରେ ଗୋଟିଏ ଛକ ଅଛି ତା ନାଁ ପୀରବାବା ଛକ । ସେ ଛକରେ ସେମିତି କିଛି ନାହିଁ । ଥରେ କ’ଣ ହେଲା ସେଇମାନଙ୍କ ଭିତରେ ଜଣେ ମୁସଲମାନ ସଲିମ ଦର୍ଜୀ ବୋଲି, ଚୋରି ନା କ’ଣ କରିଥିଲା । ପୁଲିସ ଜାଣନ୍ତି ତାକୁ ଧରିକି ନିଅନ୍ତି ପିଟନ୍ତି ଛାଡନ୍ତି । ଥରେ ଏମିତି ପିଟୁପିଟୁ ମରିଗଲା । ମରିଗଲା ଯେତେବେଳେ ଲୋକମାନେ ଉତ୍ତ୍ୟକ୍ତ ହେଲେ । ସିଏ ଯେଉଁ ସାହିରେ ରହୁଥିଲା ସେଇ ସାହିର ଲୋକ ବେଶୀ ଉତ୍ତ୍ୟକ୍ତ ହେଲେ । ହିନ୍ଦୁ ମୁସଲମାନ ସମସ୍ତେ ଥିଲେ । ପୁଲିସ ଚେଷ୍ଟା କରି ଗୋଟିଏ ହିନ୍ଦୁ ମୁସଲମାନ ଦଙ୍ଗା କରାଇଦେଲା । ଏଇଟା ମୁଁ ଦେଖିଛି ସମ୍ବଲପୁରରେ ଥିଲାବେଳେ ।

ପ୍ରଶ୍ନ- ଆପଣ ପିଲାଦିନରୁ ବର୍ତ୍ତମାନ ଭିତରେ ସୌହାର୍ଦ୍ଦ୍ୟ ସଂସ୍କୃତିର ପରିବର୍ତ୍ତନଟାକୁ କେମିତି ଦେଖୁଛନ୍ତି?

ଉତ୍ତର : ଗୋଟିଏ କଥା ହେଉଛି ମୁଁ ଯାହା ଭାବିପାରୁଛି ଯେ, ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ସବୁବେଳେ ଥିଲା । ସବୁବେଳେ ଲୋକମାନେ ଏହାକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ବିଶେଷ କରି ଯେଉଁମାନେ ନିଜ ନିଜ ସମ୍ପ୍ରଦାୟରେ ପ୍ରାଧାନ୍ୟ ଆଣିବାକୁ ଚାହୁଁଛନ୍ତି ସେମାନେ ଅନ୍ୟ ସମ୍ପ୍ରଦାୟକୁ ନିନ୍ଦା କରି, ମାନେ ସେମାନେ ଆମକୁ କେମିତି ହଇରାଣ କରିଛନ୍ତି, କେମିତି ମାରପିଟ୍ କରିଛନ୍ତି ଇତ୍ୟାଦି ସବୁ କହି ସେମାନେ ଅଭିଯୋଗ ଆଣୁଛନ୍ତି । ଏଇ ଜିନିଷ ବହୁତ ଯାଗାରେ ହେଉଛି ଆଉ ମୁଁ ଦେଖିଛି ।

ଥରେ ଭଦ୍ରକରେ ୧୯୯୧ ମସିହା ପୂର୍ବରୁ ଗୋଟେ ଘଟଣା ଘଟିଲା । ମୁଁ ସେତେବେଳକୁ ବାଣୀବିହାର ଆସିଥିଲି। ସେଇଠି ଜଣେ ସ୍ଲୋଗାନ ଲେଖିଛି, ଜଣେ ହିନ୍ଦୁ ଲଳନା ଆଜି ଲାଂଛିତ, ତା ବିରୁଦ୍ଧରେ ତମେ ସ୍ୱର ଉତ୍ତୋଳନ କରୁନ କାହିଁକି? ଆଉ ଥରକର ଘଟଣା ମୁଁ ଦେଖିଛି । ଭବାନୀ ପାଟଣାରେ ଦଙ୍ଗା ହୋଇଥିଲା । ଦଙ୍ଗା ବେଳକୁ କ’ଣ ହେଲା ମୁଁ ପ୍ରେମାନନ୍ଦ ପଣ୍ଡା ଆଉ ପ୍ରସନ୍ନ ତ୍ରିପାଠୀ ତିନି ଜଣ ଯାଇଥିଲୁ ସେଠିକୁ ଦେଖିବାକୁ ଲୋକଙ୍କୁ ପଚାରିଲୁ କ’ଣ କେମିତି ହେଲା । ଦୁର୍ଗା ପୂଜା ଭସାଣି ମେଢ଼ ଯାଉଥିଲା । ବିସର୍ଜନ ହେବା ବେଳକୁ ପ୍ରସେଶନ ଯାଉଛି, ସେ ପଟେ ଗୋଟିଏ ମୁସଲମାନ ପିଲା ଯାଉଥିଲା । ମୋଟର ସାଇକେଲରେ, ଖୁବ୍ ଜୋର୍‌ରେ । ତାକୁ କହିଲେ ଏଇ ଖୁବ୍ ଜୋରରେ ପାଟି କରୁଛି । ତା ପରେ ପରେ ଆରମ୍ଭ କରିଦେଲେ ମୁସଲମାନ ଏୟା କଲେ ସେୟା କଲେ । ବହୁତ ଲୋକ ଥିଲେ । ପଚାରିଲେ କ’ଣ ହେଲା ସେମାନେ କହିଲେ ଆମେ ବିସର୍ଜନ କରିବାକୁ ଯାଉଥିଲୁ ସେମାନେ ମୂର୍ତ୍ତିର ଲୁଗାପଟା କାଢ଼ି ଦେଉଥିଲେ । ତାଙ୍କୁ ପଚାରିଲେ ତମେ ଦେଖିଛ? ଉତ୍ତର ଥିଲା ନ ଆମେ ଶୁଣିଛୁ ନା ଆମେ ଶୁଣିଛୁ । ଏମିତ କିନ୍ତୁ କିଛି ହେଇନି । କିନ୍ତୁ ତାଙ୍କ ଭିତରେ ଜଣେ ଗୁଣ୍ଡା ଥିଲା, ମୁଁ ଜାଣିଛି, ପାଶା ବୋଲି, ଏମାନେ ସେଇଟାକୁ ଗୋଟିଏ ଆଳ କରି ଝଗଡ଼ା ସୃଷ୍ଟି କଲେ । ପାଶାର ଭାଇ ଯାଉଥିଲା ଇତ୍ୟାଦି ଇତ୍ୟାଦି ଏମିତି ଗୋଟିଏ ଷ୍ଟୋରି ତିଆରି କରି ଯେତେବେଳେ ଦଙ୍ଗା ଆରମ୍ଭ କଲେ । ପୁଲିସ ଆସିଲା । ଲାଠି ଚାଳନା କରିଛି । ଗୋଟିଏ ଲୋକ ଉପରେ ଲାଠି ବାଜିଲା । ତା ଗାମୁଛାରେ ଟିକେ ରକ୍ତ ଲାଗିଥିଲା । ମନମୋହନ ମାଥୁର ଜଣେ କଂଗ୍ରେସ ନେତା ସେଠାରେ ଥିଲେ । ସେ କହିଲେ ଦେଖ ଆଜି ଏମାନଙ୍କ ଲାଗି ହିନ୍ଦୁର ରକ୍ତ ଏଇଠି ବୋହୁଛି । ମୁଁ ତାର ଇଣ୍ଟରଭ୍ୟୁ କରିବାକୁ ଚାହୁଁଥିଲେ ସେ ମନା କଲେ । ସେ କିଛି କହିଲେ ନାହିଁ । ପଛରେ ଲୋକ ଆମକୁ କହିଲେ । ତା ପରେ ପାଶାର ଭାଇ ଯିଏ ସେଠି ଥିଲେ ତାର ଇଣ୍ଟରଭ୍ୟୁ କରିଛୁ । ସେ କହିଲା ଦେଖ ଏଇଟାତ ଆମର ଏମିତି କେବେ ବି ନ ଥିଲା । ଆମେ ତ ସବୁବେଳେ ଭଲରେ ଚଳିଆସୁଥିଲୁ । ସେତେବେଳେକୁ କଳାହାଣ୍ଡିର ରଜା ପ୍ରତାପ କେଶରୀ ଦେଓ ବଞ୍ଚିଥିଲେ । ତାକୁ ବି ଇଣ୍ଟରଭ୍ୟୁ କରିଛି । ସେ ଗୋଟିଏ ଅଲଗା କଥା କହିଲେ । ସେ କହିଲେ – ଆମର ଯେବେଠୁ ପ୍ରଦେଶ ମିଶ୍ରଣ ହୋଇଗଲା ସେବେଠୁ ଏଇ ସବୁ ଜିନିଷ ଆରମ୍ଭ ହେଲା । ଏଇ ଘଟଣାର ମୁଁ ନିଜେ ଇନଭେଷ୍ଟିଗେସନ କରିବା ପାଇଁ ଯାଇଥିଲି ।

ପ୍ରଶ୍ନ : ଲଭ୍ ଜେହାଦକୁ ନେଇ ଆପଣ କ’ଣ କହିବେ?

ଜୋହଦ୍‌ମାନେ ଯେଉଁଟା ଇଣ୍ଟରପ୍ରିଟେସନ୍ କରୁଛନ୍ତି ସେଇଟା ନୁହେଁ, ଜେହାଦମାନେ ହେଉଛି ଷ୍ଟ୍ରଗଲ । ଷ୍ଟ୍ରଗଲ ଫର୍ ଟ୍ରୁଥ୍ । ସତ୍ୟ ପାଇଁ ସଂଘର୍ଷ । ସେଇଟାକୁ ଏମାନେ ଧର୍ମଯୁଦ୍ଧ ବୋଲି ଇଣ୍ଟରପିଟେସନ୍ କରୁଛନ୍ତି । ଏଇ ନାଁରେ ସେମାନେ ଯୁଦ୍ଧ କରି ଲୋକମାନଙ୍କୁ ଅଣମୁସଲମାନ ମାନଙ୍କୁ ମୁସଲମାନ ଧର୍ମରେ ଦୀକ୍ଷୀତ କରେଇବେ । ପଚାରିବେ ଗୋଟିଏ ହାତରେ ଖଣ୍ଡା ଆଉ ଗୋଟିଏ ହାତରେ କୋରାନ୍ କେଉଁଟା ନେବ ? ଏଇଭଳି ଜିନିଷଟା ହୋଇଛି ବୋଲି କହୁଛନ୍ତି । କିନ୍ତୁ କୋରାନରେ କେଉଁ ଯାଗାରେ ଏମିତି କିଛି ଲେଖାହୋଇନି ଯେ, ଲୋକଙ୍କୁ ଜବରଦସ୍ତ ଏମିତି ଧର୍ମ ପରିବର୍ତ୍ତନ କରେଇବେ । ଏଇଟା ଗୋଟିଏ ଯାଗାରେ କୋରାନରେ ଲେଖାହୋଇଛି ମୁଁ ଦେଖିଛି , ତମେ ଯାହାକୁ ପୂଜା କରୁଛ ମୁଁ ତାକୁ ପୂଜା କରିବିନି । ମୁଁ ଯାହାକୁ ପୂଜା କରୁଛି ତମେ ପୂଜା କରିବନି । ତମେ ତମ ବାଟରେ ଯାଅ ମୁଁ ମୋ ବାଟରେ ଯାଉଛି । ପ୍ରଫେଟ ନିଜେ କହିଛିନ୍ତି ।

ଲଭ୍ ଜିହାଦ୍‌ମାନେ କ’ଣ? ଏମାନେ କହିଲେ ଲଭ୍ ଜିହାଦ୍‌ମାନେ ଧର୍ମଯୁଦ୍ଧ । ଲୋକଙ୍କୁ ଜବରଦସ୍ତ ମୁସଲମାନ କରାଇବେ । ବର୍ତ୍ତମାନ ସେଇଟାକୁ କ’ଣ କହୁଛନ୍ତି ଲଭ୍‌ଜିହାଦ୍‌ମାନେ ଝିଅମାନଙ୍କୁ ଲଭ୍‌ରେ ଫସେଇ କି ମୁସଲମାନ୍ କରିଦେବେ ।

ଲଭ୍ ଜିହାଦଟା ପରେ ଆସିଲା ଜିହାଦରମାନେ ବି ନୁହଁ ଧର୍ମ ଯୁଦ୍ଧ । ଜିହାଦର ମାନେ ନୁହେଁ ଯେ, ଲୋକଙ୍କୁ କନଭର୍ଟ କରେଇବା । ଜିହାଦ୍‌ରମାନେ ହେଉଛି ସତ୍ୟ ପାଇଁ ସଂଘର୍ଷ । ମୋ ପାଖରେ କୋରାନ୍ ଅଛି । ସେଥିରେ ଏଇ କଥା ଲେଖା ହୋଇଛି । ତେଣୁ ଜିହାଦମାନେ ଏୟା ନୁହଁ । କିନ୍ତୁ ଆମକୁ ବୁଝେଇ ଦିଆ ହୋଇଛି ଯେ, ଜିହାଦ୍‌ମାନେ ଧର୍ମଯୁଦ୍ଧ । ବର୍ତ୍ତମାନ ଏମାନେ ଏମିତି ଧର୍ମ ପରିବର୍ତ୍ତନ କରୁଛନ୍ତି, ଥ୍ରୁ ଲଭ୍ । ଗୋଟିଏ ଝିଅକୁ ପ୍ରେମ ନିବେଦନ କରୁଛନ୍ତି । ବାହାହେବା ପାଇଁ ରାଜି ହୋଇଗଲେ କହୁଛନ୍ତି ତୁ ମୁସଲମାନ ହୋଇଯାଆ । ଏଇଟା ହେଉଛି ଲଭ୍ ଜିହାଦ୍‌ର ମୂଳ । ସେତେବେଳେ ତ ଆମେ ଶୁଣିଛୁ ଯେ, ମୁଜାଫର ନଗରରେ ଯାହା ହେଲା ଗଣ୍ଡଗୋଳ । ସେତେବେଳେ ପ୍ରଚାର କଲେ ଯେ, ସାଉଦି ଆରବିଆ ପଇସା ଦେଉଛି ମୁସଲମାନ ପିଲାମାନଙ୍କୁ ମୋଟର ସାଇକେଲ କିଣିବା ପାଇଁ । ସେମାନେ ଭଲ୍ ଡ୍ରେସ୍ ପିନ୍ଧି ମୋଟର ସାଇକେଲ ଚଢ଼ି ଦେ ଆର ଇମପ୍ରେସ୍ ଦି ଗାର୍ଲ । ଏମିତି ଝିଅମାନେ ତାଙ୍କ ପ୍ରେମରେ ପଡ଼ିଯାଉଛନ୍ତି । ଏମିତି କରି ବହୁତ ଲୋକଙ୍କୁ ସେମାନେ ମୁସଲମାନ କରେଇ ଦେଇଛନ୍ତି । ଖାଲି ସେତିକି ନୁହଁ ଆଉ ଗୋଟିଏ କଥା ବି ମୁଁ ଶୁଣିଛି । ଗୋଟିଏ ବ୍ରାହ୍ମଣ ଆସି ଚାଉଳ ପୂଜା କରି ଝିଅମାନଙ୍କୁ ଖୁଆଉଥିଲା। କହୁଥିଲା ଖୁଆଇ ଦେଲେ ସେଇ ଝିଅମାନେ ଆଉ ସେଥିରେ ପଡ଼ିବେ ନାହିଁ । ଏମିତି କରି ସେ ବହୁତ ପଇସା ରୋଜଗାର ମଧ୍ୟ କରିଛି ।

ପ୍ରଶ୍ନ : ଓଡ଼ିଶାରେ ଯେଉଁ ସାମ୍ପ୍ରଦାୟିକ ବିଭେଦ ସୃଷ୍ଟି ହେଉଛି ତାର କାରଣ କ’ଣ ହୋଇପାରେ?

ଉତ୍ତର : କାରଣ ହେଉଛି କେତେ ଜଣ କ୍ଷମତାକୁ ଆସିବାକୁ ଚାହୁଁଛନ୍ତି । ଏଇ ପରିପ୍ରେକ୍ଷୀରେ ମୁଁ କହିବି ଆଲବର୍ଟ ଆଇନଷ୍ଟାଇନ୍ କହିଥିବା ଗୋଟିଏ ଗପ। ତାଙ୍କୁ ଥରେ ପଚରାଯାଇଥିଲା ଇହୁଦିମାନଙ୍କ ବିରୁଦ୍ଧରେ ଏଇଭଳି ବିଦ୍ୱେଷ କାହିଁକି? ହିଟଲର ସିନା ତାଙ୍କୁ ଏ ଅବସ୍ଥାକୁ ଆଣିଲା କିନ୍ତୁ ଇହୁଦି ବିରୋଧୀ ମନୋବୃତ୍ତି ଇଉରୋପରେ ବହୁତ ଥିଲା । ସେକ୍ସପିଅରଙ୍କ ମରଚାଣ୍ଟ ଅଫ ଭେନିସ”ରେ ଭିଲିଆନ୍ ହେଉଛି ସାଇଲିନ ଦି ଜ୍ୟୁ । ଇହୁଦି ବିରୋଧୀ ମନୋବୃତ୍ତି ଥିଲା । ଆଇନଷ୍ଟାଇନ୍ ବି ଜଣେ ଇହୁଦି ଥିଲେ । ତାଙ୍କୁ ପଚରା ଯାଇଥିଲା କାହିଁକି ଇହୁଦି ବିରୋଧୀ ମନୋବୃତ୍ତି ଅଛି । ସେ କହିଲେ ତମକୁ ଗୋଟିଏ ଗପ କହୁଛି ଶୁଣ ।

“ଗୋଟିଏ ଘାସ ପଡ଼ିଆରେ ଗୋଟିଏ ଘୋଡ଼ା ଓ ଗୋଟିଏ ହରିଣ ଚରୁଥିଲେ । ଏକାଠି ଚରନ୍ତି । ଦିନ ଦିନ ଚରନ୍ତି । ତାଙ୍କ ଭିତରେ କିଛି ବୈରିଭାବ କିଛି ନଥିଲା । ଦିନେ ମଣିଷ ଆସି ଘୋଡ଼ାକୁ କହିଲା – ଦେଖ୍‌, ହରିଣ ତୋ ଘାସ ଖାଇଯାଉଛି । ସେଇଠୁ ଘୋଡ଼ା କହୁଛି ସତେତ ସେ ମୋ ଘାସ ଖାଇଯାଉଛି । କିନ୍ତୁ ମୁଁ କ’ଣ କରିପାରିବି । ମୁଁ ଯେତେ ଯୋରରେ ଦୌଡ଼ିପାରିବି ସେ ବି ସେତେ ଯୋରରେ ଦୌଡ଼ି ପାରିବ । ତେଣୁ ମୁଁ କିଛି କରିପାରିବି ନାହିଁ । ମଣିଷ କହିଲା ଆଚ୍ଛା ହେଉ, ମୋତେ ତୋ ଉପରେ ଚଢ଼ିବାକୁ ଦେ ମୁଁ ତାକୁ ବାହାର କରିଦେବି । ମଣିଷ ଚଢ଼ିଲା । ଠିକ୍ ସେୟା ହୋଇଛି । ଯେତେବେଳେ ଅନ୍ୟ ମନରେ ଘୃଣା ସୃଷ୍ଟି କରିବାକୁ ଆମେ କହୁଛୁ ଦେଖ୍ ସେ ତୋ ସୁବିଧା ନେଇ ଯାଉଛି । ମୋତେ ତୋ ଉପରେ ପ୍ରଭୁତ୍ୱ ଜାହିର କରିବାକୁ ଦେ। ମୁଁ ତାକୁ ତଡ଼ିଦେବି । ଏଇଟା ଆଇନଷ୍ଟାଇନ୍ କହିଥିଲେ । ବର୍ତ୍ତମାନ ଦେଖ ସୁବୁଆଡ଼େ ସେଇଆ ହେଉଛି । ଯାହା ଘଟୁଥିଲା ଏବେ ବି ସେଇଆ ଘଟୁଛି ।

ପ୍ରଶ୍ନ- ଓଡ଼ିଶାରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଆହୁରି କେମିତି ସୃଷ୍ଟି କରାଯାଇ ପାରିବ ବୋଲି ଆପଣ ଭାବୁଛନ୍ତି ।

ଉତ୍ତର : ପ୍ରଥମ କଥା ହେଲା, ଆମର ଇତିହାସ ଆମେ ପଢ଼ିବା ଆବଶ୍ୟକ । ଇତିହାସକୁ ଯେମିତି ବିକୃତ କରି ପଢ଼ୁଛନ୍ତି ସେମିତି ପଢ଼ିଲେ ହେବନାହିଁ । ଇତିହାସଟା କେବଳ ରାଜା ରାଜୁଡ଼ାକୁ ବ୍ୟବହାର କରିହେବ, ସେଇଗୁଡ଼ାକୁ ଆଗକୁ ନେବାକୁ ପଡ଼ିବ । ତାଙ୍କ ଭିତରେ ଯାହା ସବୁ ଭଲ ଜିନିଷ ଅଛି ଯେଉଁଟାକୁ ବ୍ୟବହାର କରିହେବ, ସେଇଗୁଡ଼ାକୁ ଆଗକୁ ନେବାକୁ ପଡ଼ିବ । ଯେଉଁ କୌଣସି ଯାତ୍ରାଦେଖ, ବାଲିଯାତ୍ରା ହେଉ କି ଦୁର୍ଗାପୂଜା ହେଉ ସବୁଥିରେ ହିନ୍ଦୁମୁସଲମାନ ଅଛନ୍ତି । ସେଇଠି ଯଦି ଆମେ କହିବା ଯେ, ମୁସଲମାନ ଆସିଗଲା ଚୁଇଁ ଦେଲା କି କ’ଣ କଲା ଏମିତିରେ ହେବ ନାହିଁ । ଛୁଆଁଅଛୁଆଁ ତ ଆହୁରି ଗୋଟିଏ ଖରତନାକ ଜିନିଷ । ଛୁଆଁଅଛୁଆଁ ଯେ, କେତେ ଖରାପ ଜିନିଷ ଆମେ ତାକୁ ଧରିପାରୁନୁ । ଯେଉଁମାନେ କ୍ଷମତା ଦଖଲ କରିବାକୁ ଚାହୁଁଛନ୍ତି ଆମ ଭିତରେ ଯେଉଁ ଦୁର୍ବଳତା ଅଛି ତାକୁ ନ କହି ଏହି କଥା କହୁଛନ୍ତି । ଏକ ଭଦ୍ରବ୍ୟକ୍ତି ଲେଖିଛନ୍ତି ପ୍ରମେୟରେ ମିରକାଶୀମ ଓ ଜୟଚନ୍ଦ୍ର କଥା । ମାନେ ଆକାଶ କଇଁଆ ଚିଲାକା ମାଛ ମୀର କାଶୀମ କାହା ସହିତ ଯୁଦ୍ଧ କରିଥିଲା । ମୀର କାସିମ 710   ଖ୍ରୀଷ୍ଟାବ୍ଦରେ ସିନ୍ଧୁ ଆକ୍ରମଣ କରିଥିଲେ । ଜୟଚନ୍ଦ୍ର ପୃଥ୍ଵୀରାଜଙ୍କ ବିରୁଦ୍ଧରେ ମହାମଦ ଘୋରୀଙ୍କୁ ସାହାଯ୍ୟ କରିଥିଲେ । ତାହା 1192 ଖ୍ରୀଷ୍ଟାବ୍ଦରେ । ମୀର କାଶୀମ ଯେତେବେଳେ ଆକ୍ରମଣ କଲା ସେତେବେଳେ ସିନ୍ଧୁ ରାଜାଥିଲେ ଜାହିର। ତାର ଅଳ୍ପଦିନ ଆଗରୁ ହଜାର ହଜାର ବୌଦ୍ଧମାନଙ୍କୁ ମାରି ଦିଆଯାଇଥିଲା । ସାଧାରଣ ଲୋକ ଯେଉଁମାନେ ସୈନ୍ୟବାହିନୀରେ ଥିଲେ ସେମାନେ ଯେତେବେଳେ ଏତେ ସଂଖ୍ୟାରେ ସାଧାରଣ ଲୋକଙ୍କୁ ହତ୍ୟା କଲେ  କାହିଁକି ତମ ପାଇଁ ଯୁଦ୍ଧ କରିବେ ! ତମେ ତ ଏତେ ଲୋକଙ୍କୁ ମାରିଛ । ତେଣୁ ତମେ ହାରିବ ।

ଦେଖ ତମେ ଯଦି ଇତିହାସ ଦେଖିବ । ପ୍ରଥମ ମୁସଲମାନ ଆସିଥିଲେ ଭାରତକୁ କେବେ ଆସିଥିଲେ? ମହମ୍ମଦ ବଞ୍ଚିଥିବା ବେଳକୁ ଆସିଥିଲେ । ସେଇ ସମୟରେ କେରଳର ଜଣେ ରଜା ଚେରମାନ ପେରୁମଲ । ସେସମୟରେ ଆରବରୁ ଅନେକ ବଣିକ କେରଳକୁ ଆସୁଥିଲେ ବାଣିଜ୍ୟ ପାଇଁ । ସେମାନଙ୍କଠାରୁ ରାଜା ଶୁଣିଲେ ଯେ, ଆରବରେ ଜଣେ ସନ୍ଥ ଅଛନ୍ତି । ତାଙ୍କ ବିଷୟରେ ବହୁ ପ୍ରସଂଶା ଶୁଣି ରାଜା ନିଜେ ତାଙ୍କୁ ଭେଟିବାକୁ ଚାହିଁଲେ । ସେ ତାଙ୍କ ସିଂହାସନର ଦାୟିତ୍ୱ ତାଙ୍କ ପୁଅକୁ ଦେଇ ମକ୍କା ଯାତ୍ରା କଲେ ଓ ମହମ୍ମଦଙ୍କୁ ସାକ୍ଷାତ କଲେ । ସେଠାରୁ ସେ ଗୋଟିଏ ଚିଠି ଲେଖିଥିଲେ କେରଳରେ ଗୋଟିଏ ମସଜିଦ ସ୍ଥାପନ କରିବା ପାଇଁ । ତାଙ୍କ ଇଛା ଅନୁସାରେ ତାଙ୍କ ପୁଅ 629 ଖ୍ରୀଷ୍ଟାବ୍ଦରେ ଚେରମାନ ଜୁମ୍ମା ମସଜିଦ ସ୍ଥାପନ କଲେ । ଏହା ଏବେ ମଧ୍ୟ କେରଳରେ ଅଛି ଓ ବ୍ୟବହାର ହେଉଛି । ସେ ତ ଯୁଦ୍ଧ କରି କି ଆସିନାହାନ୍ତି । ଯୁଦ୍ଧ କରିଛନ୍ତି ମହମ୍ମଦ ବିନ କାଶୀମ୍ ଏହାର ପ୍ରାୟ ୧୦୦ ବର୍ଷ ପରେ ଆସିଛନ୍ତି ତାର ମହମ୍ମଦ ବିନ କାଶୀମ୍ 712 ତାର ୨୦୦ ବର୍ଷ ପରେ ଆସିଲା ମହମ୍ମଦ ଗଜନୀର ମାମୁଦ । ତାର ୨୦୦ ବର୍ଷ ପରେ ଆସିଲେ ମହମ୍ମଦ ଘୋରୀ । ଏଇ ମଝି ସମୟରେ କ’ଣ ହେଉଥିଲା । ତା ପରେ ବାବର ଯେତେବେଳେ ଆସିଲେ କାହା ବିରୁଦ୍ଧରେ ଯୁଦ୍ଧ କରିଥିଲେ? ଇବ୍ରାହିମ୍ ଲୋଦି ଆଉ ଜଣେ ମୁସଲମାନ ରଜା ବାବରଙ୍କ ସହିତ 1526 ଖ୍ରୀଷ୍ଟାବ୍ଦରେ ଯୁଦ୍ଧ କରିଥିଲେ (ବାବର ସେତେବେଳେ ଯୁଦ୍ଧକରି ଭାରତରେ ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା କଲେ) ବାବର ଜଣେ ବିଦେଶୀ କାହିଁକି ନା ଇବ୍ରାହିମ୍ ଲୋଦି ହେଉଛନ୍ତି ଭାରତୀୟ । 1930ରେ ବାବର ଯେତେବେଳେ ମରିଗଲେ ତାଙ୍କ ପୁଅ ହୁମାୟୁନ୍ ଓ ପୌତ୍ର ଆକବର ଭାରତୀୟ ହୋଇଗଲେ ।

ପ୍ରଶ୍ନ : ଆମ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ବାତାବରଣକୁ ସୁଦୃଢ଼ କରିବା ପାଇଁ କ’ଣ କରାଯିବା ଦରକାର?

ଉତ୍ତର : ପ୍ରଥମ କଥା ହେଲା ଆମ ସମସ୍ତଙ୍କୁ ବୁଝିବା କଥା ଯେ, ଧର୍ମଟା କିଛି ଖାସ୍ ଜିନିଷ ନୁହେଁ । ଧର୍ମକୁ ବିଶ୍ୱାସ କରିବ ନ କରିବ ଅଲଗା କଥା । ତମେ ଯେତେ ନାସ୍ତିକ ହେବ ସେତେ ଭଲ ମୋ ମତରେ । ତମେ ବିଶ୍ୱାସ କର କିଛି ନାଇଁ ଅନ୍ୟ ଉପରେ ତମର ବିଶ୍ୱାସକୁ ଲଦି ଦିଅ ନାହିଁ । ଯେକୌଣସି ଧର୍ମ ହେଉ ତାକୁ ବ୍ୟବହାର କର ନାହିଁ । ଅନ୍ୟକୁ ଘୃଣା କରିବାରେ । ଆମ ଧର୍ମ ଭିତରେ ଯେଉଁ କୁସଂସ୍କାର ଅଛି ଆମେ କାହିଁକି ଦୂର କରୁନେ । ଆମ ଭିତରୁ ବହୁତ ଲୋକ ଖ୍ରୀଷ୍ଟିଆନ ହୋଇଗଲେ କେମିତି ହୋଇଗଲେ? ସେମାନଙ୍କ ଭିତରୁ ଅଧିକାଂଶ ଅସ୍ପୃଶ୍ୟ ଥିଲେ । କାହିଁକି ହେଲେ? ତମେ ତାଙ୍କୁ ଛୁଇଁବନି । ବିବେକାନନ୍ଦ କହିଛନ୍ତି ଯେ, ତମେ କହୁଛ ଯେ, ଭାରତ ବର୍ଷରେ ଏତେ ଲୋକ ମୁସଲମାନ ହୋଇଗଲେ, ଖାଲି ଖଣ୍ଡା ଡରରେ ତା ନୁହେଁ । ତମେ ଯେଉଁ ଲୋକମାନଙ୍କୁ ମାର୍ଜିନାଲାଇଜଡ଼୍ କରି ରଖିଥିଲ, ସେମାନେ ମୁସଲମାନ ହୋଇଛନ୍ତି । ଏ ବିଷୟରେ ଗୋଟିଏ ଅନୁଧ୍ୟାନ ହୋଇଥିଲା Indian Statistical Institute ଦ୍ୱାରା। ସେମାନେ ଜୈବ ଅନୁସନ୍ଧାନ କରି (Genetic Study ) ଦେଖିଲେ ଯେ, ଶୁଦ୍ର ଓ ମୁସଲମାନ ମାନଙ୍କ ଭିତରେ ଜେନେଟିକ୍‌ ଦୂରତ୍ୱ ସବୁଠାରୁ କମ । ତା ମାନେ ଏକା ଜିନ୍‌ର ସେମାନେ । ଅଧିକାଂଶ ଅଛୁତ । ମୁସଲମାନ ହୋଇଯାଇଛନ୍ତି । ସେଟାକୁ ତୁମେ ବନ୍ଦ କଲ ନାହିଁ କାହିଁକି? ଅତିକମ୍‌ରେ ସେ ମୁସଲମାନ ହୋଇଗଲେ ଗୋଟିଏ ପ୍ରକାର ସୁରକ୍ଷା ପାଇଲେ । ଏଇଟା ତ ବହୁତ ଦିନର କଥା ନୁହଁ ଏବେକାର କଥା। ମୀନାକ୍ଷୀ ପୁରମ୍‌ର କଥା କହୁଛି । ୧୯୮୦-୯୦ ମସିହାର କଥା । ମୀନାକ୍ଷୀପୁରମରେ କେତେଜଣ ଦଳିତ ପ୍ରଦିବାଦ ସ୍ୱରୂପ ମୁସଲମାନ ହୋଇଯାଇଛନ୍ତି । ସେତେବେଳେ ସୁବ୍ରମଣ୍ୟମ ସ୍ୱାମୀ ଯାଇଥିଲେ ସେଠିକି । ବୁଝିବା ପାଇଁ ଯାଇଥିଲେ କ’ଣ ହୋଇଛି ବୋଲି । ଏଇଗୁଡ଼ାକ କେମିତି ହେଉଛି । ଆମେ ଆମ ଧର୍ମକୁ ଠିକ୍ ମାର୍ଗ ଦେଲେ କିଏ କାହିଁକି ମୁସଲମାନ ହେବ କି ଖ୍ରୀଷ୍ଟିଆନ୍ ହେବ । ଆମେ ତ କହୁଛୁ ଢୋଲକ, ଗବରା, ଶୁଦ୍ର, ପଶୁ, ନାରୀ ୟେ ସବ ପତନ କି ଅଧିକାରୀ । ଏଇଟା ଯଦି ତମେ କହିବ କେମିତି ସୌହାର୍ଦ୍ଦ୍ୟ ଆସିବ । ଆମ ଭିତରେ ତ ଗଣ୍ଡଗୋଳ ହେବ । ଏମିତି ସମାଜକୁ ଖଣ୍ଡ ଖଣ୍ଡ କରି ରଖିଲେ କାହାର ଲାଭ ହେଉଛି? କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଏ ସବୁ କରୁଛନ୍ତି । ୟାକୁ ତା ବିରୁଦ୍ଧରେ ତାକୁ ୟା ବିରୁଦ୍ଧରେ କହି ନିଜେ କ୍ଷମତାକୁ ଆସିବା ପାଇଁ ଚାହୁଁଛନ୍ତି । ସେଇଆ ହେଉଛି । ଏ ପର୍ଯ୍ୟନ୍ତ ଚାଲିଛି । କିନ୍ତୁ ସେମାନେ ବେଶୀଦିନ କ୍ଷମତାରେ ରହିପାରିବେନି ।

ଆମେ ପ୍ରକୃତ ଶିକ୍ଷା ଦେବା । ଶିକ୍ଷାମାନେ ନୁହେଁ ମୁଖସ୍ଥ କରି ପରୀକ୍ଷାରେ ଲେଖିଦେଲେ ହୋଇଯିବ । ଶିକ୍ଷାମାନେ ହେଉଛି କ’ଣ ଗୋଟିଏ ଜାଣିବା ପାଇଁ ଚେଷ୍ଟା କଲେ ଜାଣିବ । ପରୀକ୍ଷାରେ ପାଶ୍ କରିବା ପାଇଁ ନୁହଁ । ପ୍ରକୃତ ଶିକ୍ଷା ଦେଲେ ବହୁତ କଥା ଜାଣିପାରିବ ।

ପ୍ରଶ୍ନ : ଆପଣ ଓଡ଼ିଶାରେ ସେମିତି କିଛି ଉଦାହରଣ ଦେଖିଛନ୍ତି ଯେଉଁମାନେ ଧାର୍ମିକ ସୌହାର୍ଦ୍ଧ୍ୟ ରକ୍ଷା କରିବାପାଇଁ କିଛି ପ୍ରୟାସ କରିଥିବେ ?

ଉତ୍ତର : ଯଦିଓ ମୁଁ ଗୋପବନ୍ଧୁ ଚୌଧୁରୀଙ୍କୁ ଦେଖିନାହିଁ । ୧୯୮୫ ମସିହାରେ ତାଙ୍କର ଦେହାନ୍ତ ହେଲା । ତାଙ୍କ କଥା ଶୁଣିଛି । ତାଙ୍କ ସାନ ଭାଇ ନବକୃଷ୍ଣ ଚୌଧୁରୀଙ୍କୁ ମୁଁ ଦେଖିଛି । ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ । ତାଙ୍କର ବହୁତ ମୁସଲମାନ ବନ୍ଧୁଥିଲେ ମହମ୍ମଦ ବାଜିଙ୍କୁ ମୁଁ ଦେଖିଛି । ଏମାନଙ୍କୁ ମୁଁ ନିଜେ ଦେଖିଛି । ଚମ୍ପତି ମୁଣ୍ଡରେ ସେମାନେ ଶିକ୍ଷା ଉପରେ ଗୋଟିଏ ଏକ୍ସପେରିମେଣ୍ଟ କରୁଥିଲେ । ସେଠି ପ୍ରିନ୍ସିପାଲ ଥିଲେ ମହମ୍ମଦ ୱାହିଦ । ପରେ ଏମରଜେନ୍ସ ଆସିଲା ପରେ ତାଙ୍କୁ ବାହାର କରି ଦେଲେ । ୱାହିଦ ଏବେ ଚାଲିଗଲେ । ମୁଁ ଜାଣିବାରେ ଅତିକମ୍‌ରେ ଗାନ୍ଧୀବାଦୀମାନେ କନସିଅସଲି ଚେଷ୍ଟା କରିଛନ୍ତି, ମୁସଲମାନମାନଙ୍କ ସହ ବନ୍ଧୁତା ସ୍ଥାପନ କରିବାପାଇଁ, କିନ୍ତୁ ଅନ୍ୟ ଲୋକମାନଙ୍କ ଏଇଟାକୁ ଚେଷ୍ଟା କରିନାହାନ୍ତି । ଏତେ ପଲିଟିକାଲ ପାର୍ଟି ଅଛନ୍ତି ଏମିତି କେହି ଚେଷ୍ଟା କରିନାହାଁନ୍ତି ଯେମିତି ଏମାନେ କରୁଥିଲେ।

About ସ୍ୱୟଂପ୍ରଭା ପାଢ଼ୀ

ସ୍ୱୟଂପ୍ରଭା ପାଢ଼ୀ
ସ୍ଵୟଂପ୍ରଭା ପାଢ଼ୀ ଜଣେ ଗାୟିକା ଓ ମୁକ୍ତ ବୃତ୍ତିର ସାମ୍ବାଦିକ ଅଟନ୍ତି । ସେ ସମଧ୍ୱନି ପତ୍ରିକାର ସମ୍ପାଦକ , ସମଧ୍ୱନି ସାଂସ୍କୃତିକ ସଂଗଠନ (୨୦୦୫ ମସିହାରୁ ଓଡ଼ିଶାରେ କାମକରୁଛି) ଓ ସମଧ୍ୱନି ସାଂସ୍କୃତିକ ଗବେଷଣକେନ୍ଦ୍ରର ମୁଖ୍ୟ। ସମଗ୍ର ଓଡିଶାରେ ସାଂସ୍କୃତିକ ବାତାବରଣ ତିଆରି କରିବା ଓ ସାଧାରଣ ଲୋକମାନଙ୍କ ସ୍ୱରକୁ ସାଂସ୍କୃତିକ ମାଧ୍ୟମରେ ତୋଳିଧରିବା ପାଇଁ ସେ କାମ କରିଚାଲିଛନ୍ତି।

Check Also

ନଟି ବିନୋଦିନୀଙ୍କର ଜୀବନ କଥା (୨)

ବିନୋଦିନୀଙ୍କର ଜୀବନ କଥାର ଭିତ୍ତି ମୂଳତଃ ତାଙ୍କରି ଆତ୍ମଚରିତ ‘ଆମାର କଥା’ (ମୋ କଥା) ଯାହା ସେ ଲେଖିଛନ୍ତି ତାଙ୍କ …

Leave a Reply

Your email address will not be published. Required fields are marked *