Home / ଇତିହାସ / ମୋ ସ୍ମୃତିରେ ‘ଆମ୍ବ’ (ସ୍ମୃତି ଓ ଅନୁଭୂତି)

ମୋ ସ୍ମୃତିରେ ‘ଆମ୍ବ’ (ସ୍ମୃତି ଓ ଅନୁଭୂତି)

ବିଶିଷ୍ଟ ଜୈବଚାଷୀ ନଟବର ଷଡ଼ଙ୍ଗୀ “ସ୍ମୃତି ଓ ଅନୁଭୂତି” ଶୀର୍ଷକରେ ନିଜ ପିଲାଦିନର ଅନେକ ନିଆରା କଥାକୁ ଜୀବନ୍ତ ଭାବେ ପ୍ରକାଶ କରିଛନ୍ତି । ଲେଖାଟିର ଶୀର୍ଷକ ତାଙ୍କର ପ୍ରୟାସକୁ ସୂଚାଉଛି। ଉକ୍ତ ଲେଖାରେ ତାଙ୍କ ପିଲାଦିନର ଅନୁଭୂତି ଭିତରେ ସେ ଆମ୍ବକୁ କେଉଁଭଳି ସ୍ଥାନିତ କରିଛନ୍ତି ସମସ୍ତେ ପଢିବା କଥା। ସେ ସମୟରେ ଆମ ଓଡ଼ିଆ ମାନଙ୍କ ଜୀବନରେ ଅମ୍ବର କ’ଣ ଗୁରୁତ୍ୱ ଥିଲା ଓ ଆମ ଗାଁରେ ଆମ୍ବ କେଉଁଭଳି ଜୀବନ ଜୀବିକାକୁ ସହଯୋଗ କରୁଥିଲା ଏକଥା ଚର୍ଚ୍ଚା ଭିତରକୁ ଆଣିବା ଏତେ ସାଧାରଣ କଥା ନୁହଁ, ଏଥିପାଇଁ ଦରକାର ଅନୁଭୂତିକୁ ସଠିକ ଦୃଷ୍ଟିଭଙ୍ଗୀରେ ସମୀକ୍ଷା କରିବା, ଯାହା ଏହି ଲେଖାରେ ଅତି ସୁନ୍ଦର ଭାବରେ ପ୍ରକାଶିତ ହୋଇଛି। ନଟବର ଷଡ଼ଙ୍ଗୀ ଜଣେ ଦେଶୀ ଚାଷୀ ବୋଲି ଓଡ଼ିଶାର ଜନଗଣ ତ ଜାଣନ୍ତି, କିନ୍ତୁ ସିଏ ଯେ ଜଣେ ଜୀବନଦର୍ଶୀ ତାଙ୍କର ଏହି “ସ୍ମୃତି ଓ ଅନୁଭୂତି” ଶୀର୍ଷକରେ ପ୍ରକାଶିତ ଲେଖାଗୁଡିକୁ ସମୀକ୍ଷା କଲେ ଅନୁଭବ କରିହୁଏ । ତାଙ୍କର ଏହି କଥା ଗୁଡିକୁ ଶୁଣିବା ପାଇଁ ସବୁବେଳେ ଅପେକ୍ଷା ଥାଏ। ନିଜର ଜୀବନ୍ତ ସ୍ମୃତିକୁ ଲିପିବଦ୍ଧ କରିବାର ନଟବର ଷଡ଼ଙ୍ଗୀଙ୍କର ଏହି ପ୍ରୟାଶ ଆମ ସମସ୍ତଙ୍କ ପାଇଁ ତଥା ଆଗାମୀ ପିଢ଼ିପାଇଁ ପ୍ରେରଣା ହେଉ । ଭବିଷ୍ୟତରେ ଆହୁରି ଅନେକ ଜୀବନ୍ତ ସ୍ମୃତି ଆମେ ତାଙ୍କଠାରୁ ଶୁଣିବା ଓ ପଢ଼ିବା ପାଇଁ ଆଶା କରୁଛୁ । ବୟସ ତାଙ୍କ ପାଖରେ ହାର ମାନିଛି, କରୋନା ସମୟରେ ନିଜ ସମୟକୁ ଏହିଭଳି ଉପାଦେୟ ଲେଖାପାଇଁ ନିୟୋଜିତ କରିବା ଫଳରେ ଆମ ନିକଟରେ ସ୍ୱାଧୀନତା ସମୟର ଓଡ଼ିଶାର ସାମାଜିକ ଓ ଗ୍ରାମ୍ୟ ସଂସ୍କୃତିର ଚିତ୍ର ପ୍ରକାଶିତ ହୋଇପାରିଛି । 87 ବର୍ଷ ବୟସରେ ଦୀର୍ଘ ସମୟଧରି ଏହି ଲେଖା ଗୁଡିକୁ ସେ ଲେଖି ଚାଲିଛନ୍ତି ସେଥିପାଇଁ ସମଧ୍ୱନି ତାଙ୍କ ନିକଟରେ କୃତଜ୍ଞତା ଜଣାଉଛି । – ସମ୍ପାଦକ

ଏମିତି ସମୟ ଥିଲା ଆମ୍ବ ଗୋରୁ ଚରୁଥିଲେ । ଏଭଳି କଥା ଆଜି କିଏବା ବିଶ୍ୱାସ କରିବ? କେମିତି ବିଶ୍ୱାସ କରିବ? ଆଜିତ ସଂକ୍ରାନ୍ତି, ଗୁରୁବାରରେ ପୂଜାପାଇଁ ଖୋଜିଲେ ଆମ୍ବ ଡାଳଟିଏ ମିଳୁନି । କାଁ ଭାଁ ଦେଶୀ ଆମ୍ବ ଗଛଟିଏ ଦେଖିବା କଷ୍ଟ । ଚାରିଆଡ଼େ ଆମ୍ବ ଗଛ ମରୁଡ଼ି। ଆମେ କିନ୍ତୁ ଆଖି ଛୁଇଁ କହୁଛୁ ତୁମକୁ ମିଛ ଆମକୁ ସତ ଆମ୍ବ ଗୋରୁ ଚରୁଥିଲେ । ୧୯୪୨-୧୯୮୨ । ମୋ ଦେଖିବାରେ ଏହି ୪୦ବର୍ଷ ଆମ ଅଂଚଳରେ ଆମ୍ବର ସାମ୍ରାଜ୍ୟ ଥିଲା । ୧୯୪୨ ବେଳକୁ ମୋର ଉତିଆଣି ଦୋଷ କଟିଲାଣି । ମୋତେ ସେତବେଳକୁ ଆଠ ବର୍ଷ । ମୁଁ ଦାଣ୍ଡକୁ ବାହାରିଲିଣି । ହେତୁ ପାଇଲାବେଳକୁ ମୁଁ ଗାଁ ସ୍କୁଲରେ । ନୁଆଁଳିଆ ଚାଳଘର ଖଣ୍ଡେ । ଚାଳରେ ମୁଣ୍ଡ ବାଜୁଥାଏ । ମୋର ନୁହଁ ବଡ଼ ମଣିଷଙ୍କର । ଆମ ଗାଁ ନରିଶୋ । ଚାରିଆଡ଼େ ଜଂଗଲ । ଦିନ ଦ୍ୱିପହରେ ଅନ୍ଧାର । ମୋ ସାନ ଭାଇ ଖାଇବାକୁ ଅଝଟ କଲାବେଳେ ବୋଉ ସେମାନଙ୍କୁ ଡ଼ରାଇବା ପାଇଁ କୁହେ “ଖାଇଦେ । ଓତାବାଡ଼ିରେ କୋକମିନା ବୋବଉଛି । ବାଘ ଘୁମୁରୁଛି ।” ଡର ମୋ ମନରେ ସେଇଦିନୁ ପସିଯାଇଥିଲା ।

ସ୍କୁଲକୁ ଯିବାକୁ ମୁଁ କୁନ୍ଥଉଥିଲି । ବୋଉ ଭିଡ଼ା ଭିଡ଼ି କଲାବେଳକୁ ମୁଁ ଗୋଡ଼ ଆଂଟି ଦେଉଥାଏ । ବୋଉ ମରାମରି କରେନି । ଶେଷକୁ ଟେକିନେଇ ମଦନମାଷ୍ଟରଙ୍କ ଆଗରେ ଥୋଇ ଦିଏ । ମଦନ ମାଷ୍ଟ୍ରେ ଗାଁର ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କର ମାଷ୍ଟ୍ରେ । ବଡ଼ ମକଦ୍ଦମ ନରହରି ଷଡ଼ଙ୍ଗୀ ସ୍କୁଲର ସେକ୍ରେଟାରୀ । ସେବି ଡାକନ୍ତି ‘ମାଷ୍ଟ୍ରେ’। ମାନ୍ୟ ଲୋକ । ବୋଉ ହାତେ ଲମ୍ବର ଓଢ଼ଣା ଟାଣି ଦେଇ ମାଷ୍ଟ୍ରେଙ୍କୁ କହିଲା, “ମାଷ୍ଟ୍ରେ ଆପଣେ ମୋ ପୁଅ ଲାଗିଲା । ବାସୁ ଅବଧାନଙ୍କ ଚାହାଳିରେ ସତରଫଳା ପଢ଼ିଛି । ମରାମରି କରିବେନି ।” ଖୁବ୍ ନରମ ଗଳାରେ ଧୀରେ ଧୀରେ ଏତକ କହିଦେଲା । ମାଷ୍ଟ୍ରେ କ’ଣ ଡେରି କଲେ ନାଁ କ’ଣ । କହିଲେ, “ବୋହୁ ମା ଉଦି ମୋ ସାନ ଭାଇ ଭଳି  ତୁମ ପୁଅତ ମୋର ପୁତୁରା ହବ । ତୁମେ ଯାଅ । ପୁଅ ମୋତେ ଲାଗିଲା । ହଁ, ସେକ୍ରେଟାରିତ ତୁମ ଘରେ ପାଳି ବରାଦ କରିବେ । ତୁମରତ ବର୍ଷକ ବାରମାସ ଆଇଁସ ପାଗ । ଉଦି ତ ମାଛ ଧରାରେ ଓସ୍ତାଦ୍ । ମୋ କଥା ଟିକେ ବୁଝୁଥିବ ।” ଆପେ ବଂଚିଲେ ବାପର ନାଁ । ନିପାରିଲା ଶଗଡ଼ିଆ ବେଳହୁଁ କାଳିଦିଏ । ମାଷ୍ଟ୍ରେ ଆଗରୁ ଜଗେଇ ଦେଲେ ।

ଆମେ ସାନବଡ଼ ୨୦/୩୦ ଜଣ ପିଲା । ବ୍ରାହ୍ମଣ ପିଲା ୧୫/୨୦ ହେଲେ ପଧାନ, ଚଷା, ହାଟୁଆ ପିଲା ୫/୧୦ ଜଣ ହେବେ । ବାଉରିବାବର ଆମ ଗାଁରେ ଅଧକୁ ଅଧେ ହେବେ । ମାତ୍ର ସେମାନଙ୍କ ପିଲାକୁ ସ୍କୁଲ ମନା । ସେମାନେ ଅଛୁଆଁ ଜାତି ତ । ଝିଅ ପିଲାଙ୍କୁବି ଦାଣ୍ଡକୁ ବାହାରିବା ମନା । ସ୍କୁଲତ ୧୦/୧୫ ହାତ ଦୂର । ବ୍ରହ୍ମଣ ଘର ଝିଅ  ୮/୧୦ ବର୍ଷ ହେଲେ ତୋଳା କନିଆଁ ବାହାଘର । ଘରେ ମା ପାଖରୁ ସଂଠଣା ଶିଖିବେ । ସ୍କୁଲକୁ ଯାଇ କ’ଣ ଲୋକ ହାସ କରିବେ? ବେଗ୍ ଫେଗ୍ ସେତେବେଳକୁ ବାହାରିନି । ବସ୍ତାନିରେ ସିଲଟ ଖଣ୍ଡେ, ମଧୁସୂଦନ ବର୍ଣ୍ଣବୋଧ, ୨/୩ ଖଣ୍ଡ କୋଚିଲା ଖଡ଼ି । ବେଶୀ ହେଲେ ଖଣ୍ଡେ ଖାତା, ଗୋଟେ ଓଢ଼ଣ ପେନ୍‌ସିଲ । ୨ୟ ୩ୟ ବେଳକୁ କାଳିଘଡ଼ି, ପର କଲମ । ସମସ୍ତଙ୍କ ପାଖେ ନଥାଏ । ପାଂଚ ସାତ ଜଣ ରଖନ୍ତି । ମୋର ବୋଉ ସଜାଡ଼ି ଦେଇଥାଏ । ପାଠ ପଢ଼ା ବାହାଁଚ ବେଟିଚ । କଥା କଥାକେ ତ ମାଷ୍ଟ୍ରେ ଗୌରାଙ୍ଗ ବିଜେ କରାନ୍ତି । ଯାଉଁଳି ବେତ । ପିଲାଏ ବେତ ମାଡ଼ ଖାଇବେ । ମାଷ୍ଟ୍ରେ ବେତ ଆଣିବାକୁ ବଡ଼ପିଲାଙ୍କୁ ବରାଦ କରିବେ । ବେତର ଜଂଗଲ । ବାଦ ବୁଦିଆରେ ବଡ଼ ପିଲାଏ ବେତ ଆଣନ୍ତି । ବାପାମାନେ ବେତ କାଟି ସାଉଁଳି ପିଲାଙ୍କୁ ଦିଅନ୍ତି । ଦିନେ ଦିନେ ୪/୬ ଡଜନ ବେତ୍ ଆଣିଥିବେ । ନହେଲେ ମାଡ଼ କିମିତି ଖାଇବେ? ସ୍କୁଲ ଦି ଓଳି ଖୋଲେ । ସକାଳୁ ଗାଧୁଆ ବେଳଯାଏ ପଢ଼ା । ଉପର ବେଳା ଗାଈ ଲେଉଟିବା ଯାଏ ସ୍କୁଲ । ଗଧ ଖଟଣି । ମାଷ୍ଟ୍ରେ ପଢ଼ାଇଲା ବେଳେ “ବୁଝିଲୁ, ବିଝିଲୁ” କହି ପାଠ ଧରିବା ପର୍ଯ୍ୟନ୍ତ ଚେଂଟେଇଥାନ୍ତି । ମାସକୁ ଦରମା ୨ଟଙ୍କା । ଗାଁ ଚୌକିଦାର ଦରମା ୩ଟଙ୍କା । ଦଫାଦାରର ୫ ଟଙ୍କା । ସେମାନେ ଶ୍ରୀ ଅକ୍ଷର ବରୁଣେଇ ପର୍ବତ । ମାଷ୍ଟେ ମାଇନର ପାସ୍ ଭର୍ନାକୁଲାର ଟ୍ରେନିଂ । ୨ ଟଙ୍କା । ବିଲାତ ଶାସନ ତ । ପିଲାଏ ପଢ଼ିଲେ ବଡ଼ ବେଳକୁ ସରକାରଙ୍କ ଅନ୍ୟାୟ ଓ ଶୋଷଣ ବିରୁଦ୍ଧରେ ବିଦ୍ରୋହ କରିପାରନ୍ତି । ବେଳହୁଁ ବାଟ ଉଗାଳି ଦେଲେ ଭଲ । ଗାଁ ଗଣ୍ଡାରେ କାଁ ଭାଁ ସ୍କୁଲ ଖଣ୍ଡେ ଥାଏ । ମାଷ୍ଟ୍ରେ ତାଂକ ଅଭାବ, ଅସୁବିଧା, ରାଗ ପିଲାଙ୍କ ପିଠିରେ ଶୁଝାନ୍ତି । କଥା କଥା କେ ହଗାଲଗା ମାଡ଼ । ମାଡ଼ ଗୋରୁ ଚରିଯିବ । ବେତ ମାଡ଼ । ଶୂନ ଚୌକି, ଏକ ଗୋଡ଼ିଆ ଠିଆ । ଆଣ୍ଠୁତଳେ ଗୋଡ଼ିରଖି ଅଣ୍ଠୋଇବା, ଉଳିକି ଭଳି ଦଣ୍ଡ । କେତେକ ବାପ, କକା ଆସି ମାଷ୍ଟ୍ରଙ୍କୁ ବରଦା କରନ୍ତି, “ଆଖି, କାନ ଛାଡ଼ି ତାକୁ ସେକିଦିଅ । ଆମର କିଛି ଆପତ୍ତି ନାହିଁ । ପଢ଼ିବନି, ତା ବୋପା ପଢ଼ିବ ।” ପିଲାମାନେ ମାଡ଼ ଖାଇ ଖାଇ ଗଇଁଅ ହୋଇଯାଆନ୍ତି । ସ୍କୁଲକୁ ଆସିବାକୁ ଡରନ୍ତି । ବର୍ଷେ ଛମାସ ପରେ ପାଠରେ ପୂର୍ଣ୍ଣଚ୍ଛେଦ ପଡ଼ିଯାଏ । ଆଜି ଆଉ ସେକାଳ ପଖାଳ ନାହିଁ । ମୋ ଉପରେ ମାଷ୍ଟ୍ରଙ୍କ କୋପଦୃଷ୍ଟି କମ୍ ପଡ଼େ । ଆମ ପାଳିରେ ବୋଉ ଭାକୁଡ଼ ମୁଣ୍ଡ ପକାଇ ସୋରିଷ ପାଣି ମାଛ ତିଅଣ, ପେଟି ମାଛ ଉଜା ୪/୬ ଖଣ୍ଡ ମାଷ୍ଟ୍ରଙ୍କ ମନବୋଧ କରି ଦେଇ ଦିଏତ ମାଷ୍ଟ୍ରେଟିକେ ମୋ ଉପରେ ସୁପାରିସ ଥାନ୍ତି।

ଶନିବାର ସ୍କୁଲ ନାଁ କୁ ମାତ୍ର । ମାଷ୍ଟ୍ରେ ଘରକୁ ଯିବେ । ପାଳି ବନ୍ଦ । ପାଳି ଘରେ ମାଷ୍ଟ୍ରେ ସିଧା ଆଟିକା କରିଥାନ୍ତି । ଜଣକ ମାନିଆ ଯାହା ମାଷ୍ଟ୍ରେନେବେ ପାଂଚଜଣଙ୍କର ହେବ । ଚାଉଳ ଦି ସେରେ (କିଲେ ଅନୁମାନ), ଭଜା ମୁଗଡ଼ାଲି ଅଧସେର (୫୦୦ ଗ୍ରାମ), ବାଇଗଣ, କଂଚା କଦଳି, ସାରୁ, ଜହ୍ନି, ଭେଣ୍ଡି, କଖାରୁ ଫାଳେ, ନଡ଼ିଆଟାଏ, ତେଲ ମସଲା ପାଇଁ ଚାରିଅଣା । ପଇସାକୁ ଛାଡ଼ି ବାକି ଜିନିଷ ସମସ୍ତ ଘରେ ଯାହାକୁ ଯେତେ । ଡିହ ବାଇଗଣ ପାଇଁ ନରିଶୋ ନିଆଳିରେ ଡାକୁ । ପନିପରିବା ଦୁଆରେ । ଚାଳରେ ଘରର ମା, ବୋହୂମାନେ କରିଥାନ୍ତି । ଆମର ଶନିବାର ପାଳି ପଡ଼ିଲେ ମାଷ୍ଟ୍ରେ ଗୋଟେ ଲମ୍ବା ଲିଷ୍ଟ ମୁହଁରେ କହୁଥାନ୍ତି । ଆମର ସିନା ଟିକେ ଅଭାବ ପକ୍ଷ । କିନ୍ତୁ ନନା ଜଣେ ଅସଲ ଚାଷୀ । ବର୍ଷକ ବାର ମାସ ବାଲାମ, ପଦ୍ମକେଶରୀ ଅରୁଆ-ଉସୁନା ଚାଉଳ, ଅମାପ ମୁଗ, ନନା ମୁଗଡ଼ାଲି ସକାଳେ ରାତିରେ ବେଲାରେ ବେଲାଏ ଲେଖାଏଁ ଖାନ୍ତି  (ପ୍ରାୟ ୩୦୦ ଗ୍ରାମ ଭଜା ମୁଗଡ଼ାଲିରେ ତିଆରି) । ବେଲାରେ ଟିକେ କମ୍ ହେଲେ ଖାଇବାଠୁଁ ବେଲାକୁ ଫୋପାଡ଼ି ଦେବେ ଯେ ବେଲା ଦୁଆରେ । ଅରଣା ମାଇଁଷ କୁ ଆଉଁସି ଆଉଁସି ଚରେଇବ । ବୋଉ ତାଂକ ରାଗ ହଜମ କରିଯାଏ । ବେଲା ପୂର୍ଣ୍ଣ କରି ଦେଲେ ତ ହେଲା । ମାଛତ ସବୁ ଦିନ । ପଖାଳ ଭାତ ପାଇଁ ଭୋତିଆ ଚାଉଳ । ଚୁଡ଼ା ପାଇଁ ଚଂପା, ରତ୍ନଚୁଡ଼ି, ଲିଆ (ଖଇ) ଧାନ ମଥୁରା, କ୍ଷୀରି ପାଇଁ ଅତୌରି ଚାଉଳ, ଘରେ ଖାଇଲେ ଦାଣ୍ଡକୁ ବାସ ଚହଟିବ । ମାଙ୍କେଡ଼ିସାରୁ ଇତ୍ୟାଦି ଇତ୍ୟାଦି ଇତ୍ୟାଦି । ମାଷ୍ଟ୍ରେ ଆମ ଘର ସିଧାରେ ପ୍ରାୟ ପଦ୍ମକେଶରୀ ବା ବାଲାମ ଅରୁଆ ପାଇଁ ବୋଉକୁ ବରାଦ କରିଥାନ୍ତି । ବୋଉ ତାଙ୍କ ବରାଦଠାରୁ ଅଧିକ ମାଲ ଦିଏ । ନନା ଟିକେ ଗରଗର ହୁଅନ୍ତି । ସେତ କମେଇବା ଲୋକ । ସେ ଜାଣନ୍ତି କୋଉ ଶିରରେ କେତେ ପାଣି ଯାଏ । ବୋଉର ହାତରେ ଗୋଡ଼ରେ ଲାଗୁନି । ହାତ ନ ଲାଗେ ଗୋଡ଼ ନ ଲାଗେ ଚଟୁ ପିଠା ଖଣ୍ଡି ସୁଆଦ ଲାଗେ । ବୋଉ ନନାଙ୍କ କଥାକୁ ଗଣ୍ଠି ନ କରି ମାଷ୍ଟ୍ରେଙ୍କୁ ମନବୋଧ କରି ସଂଚା ଦେଇଦିଏ । ତା ପୁଅକୁ ପରା ମାଷ୍ଟ୍ରେ ଟିକେ ଦେଖିବେ । ଫିରଙ୍ଗି ସରକାରତ ମାଷ୍ଟ୍ରଙ୍କ କଥା ବୁଝୁନି । ଏ ଶହସ୍ର ଅଗମଳିଆରେ କଣ ଗୌଣୀ ପୁରିବ । ଚକେ ଗଲେ ବାରହାତ । ସମୟ ଯିବା କଥା ।

ସ୍କୁଲରେ ଘଂଟା ବଜା କି ପରିଡ଼ ବୋଲି କିଛି ନଥାଏ । ଖଣ୍ଡିଏ ଭଂଗା କାଠ ଚେୟାର । ବସିଲାବେଳେ ମାଷ୍ଟ୍ରେ ଥରେ ଥରେ ଗଡ଼ିପଡ଼ନ୍ତି । ଆମେ ଦାନ୍ତ ଚିପି ଚିପି କି ହସି ପକାଉ । ଟେବୁଲର ଗୋଟିଏ ଗୋଡ଼ ଭଂଗା । ବାଉଁସ ଖଣ୍ଡେ ସାଇଜ କରି ମାଷ୍ଟ୍ରେ ଠକେଇ ଦେଇଥାନ୍ତି । ସେଇ ଭଂଗା ଚେୟାରରେ ମାଷ୍ଟ୍ରେ ବସନ୍ତି । ଆମେ ମଳାଭଳି ଚାରିଆଡ଼େ ଘେରିକରି ବସୁ । କିଏ କେଉଁ ଶ୍ରେଣୀ ବୋଲି କିଛି ନଥାଏ । ଯିଏ ପାଠଟିକିଏ ଭଲ ଧରିଲା ତାର ସ୍କୁଲରୁ ପଢ଼ାବି ଆଗ ସରିଲା । ଅପାଳକ ରାଇଜରେ ବିଜୁଳି ଲକ୍ଷେ ଟଙ୍କା କେହି ସେମିତି ଆଖି ଦୃଷ୍ଟିଆ ନପଢ଼ୁଥିବା ବେଳେ ମୁଁ କୁଆଡ଼େ ଟିକେ ଭଲ ପଢ଼ୁଥାଏ । ମାଷ୍ଟ୍ରେ ମୋତେ ଟେକୁଥାନ୍ତି । ସେ ଦିନ ଶନିବାର । ଖେଳ ପିରିୟଡ଼। ମାଷ୍ଟ୍ରେ ସେ ଦିନ ଆମକୁ କିଆ କିଆ ତୋଲ ଖେଳେଇଲେ । କିଆ କିଆ ତୋଲ ମହାନଦୀ ପୋଲ । ଯିବ ଯିବ ବର ପତ୍ର ଆଣିବ । ଦୌଡ଼ିଲୁ ଚାରି ଆଡ଼େ । ପୁଣି ବେଳେ ବେଳେ ପଣସ ପତ୍ର, ଆମ୍ବ ପତ୍ର, ବିଛୁଆତି ପତ୍ର, ଜାମୁ ପତ୍ର, ବେତ କୋଳି, ବାଉଁସ ପତ୍ର ଏମିତି ପତ୍ର ଫଳ ଆଣୁଆଣୁ ଆମେ ଗଛ ପତ୍ର ଚିହ୍ନଯାଉ ।

ଏବେ ତ ଚିତ୍ରରେ ମା, ବାପା, ମିସ ମାନେ ପିଲାଙ୍କୁ ଆମ୍ବ, ପଣସ ଗଛ, ବିଲେଇ, କୁଆ, କୋଇଲି ଚିହ୍ନଉଛନ୍ତି । ଏହି ସବୁ ବହିର ନିଆଁ ଧୂଆଁ ଦାମ । ବହି ଦେଖି ଚିତ୍ର ଆଙ୍କୁ ଆଙ୍କୁ ଯଦି ଗାଈ ଭଳି ଦିଶିଲାନି ପିଲା ଚିତ୍ର ତଳେ ଲେଖିଦେଲା “ବିଲାତି ଗାଈ” ହେଇଥିବ । ବିଲାତ ବା କିଏ ଦେଖିଛି । ସେ ଦେଶର ଗାଈ ଘୁଷୁରିଭଳି ଦିଶୁଥିବ । ୧୦ ହଜାରୁ ଲକ୍ଷେ ଟଙ୍କାରେ ନାମ ଲେଖାଇ ଯେଉଁ ଅଭିଭାବକମାନେ ଘରୋଇ ସ୍କୁଲରେ ତାଙ୍କ ପିଲାଙ୍କୁ ପଢ଼ାଇପାରୁଛନ୍ତି ବୋଲି ମନରେ ଗର୍ବ କରୁଥିବେ ସେମାନଙ୍କର ପିଲା ପ୍ରକୃତିକୁ ବହି ପୃଷ୍ଠାରେ ଚିହ୍ନିବ । ଆମ ବେଳେ ମାଷ୍ଟ୍ରେ ଖେଳ କୌତୁକରେ ପିଲାଙ୍କୁ ପ୍ରକୃତି ପର୍ଯ୍ୟବେକ୍ଷଣ କରାଉଥିଲେ । ସାମାନ୍ୟ ଖେଳୁଟିଏ ବାସ୍ତବ ଜ୍ଞାନ ଅର୍ଜନ ପାଇଁ କି ପ୍ରଚଣ୍ଡ ଶକ୍ତି!

ଫେରିବା ଶନିବାର ଦିନକୁ । କିଆ ଢୋଲତ ଚାଲିଛି । ବୈଶାଖ ମାସ । ଆମ୍ବ ଦିନ । ମାଷ୍ଟ୍ରେ କହିଦେଲେ ଯିବ ଯିବ ଦିଦିଟା ଆମ୍ବ ଆଣିବ । ସବୁ ପତ୍ର ବେଳେତ ଗୋଟେ କୁହନ୍ତି । ଆମ୍ବ ବେଳକୁ ଦିଟା କାହିଁକି? ମାଷ୍ଟରଙ୍କୁ ଏକଥା ପଚାରିବାକୁ କାହା ଜିଭରେ ହାଡ଼ ଅଛି । ଦୌଡ଼ିଲୁ ଦୌଡ଼ିଲୁ ଚାରିଆଡ଼କୁ ଖେଦିଗଲୁ । ଯୁଆଡ଼େ ଚାହିଁବ ଆମ୍ବଗଛ । ସଦେଇ ମକଦ୍ଦମଙ୍କ ଦାଣ୍ଡରେ ଗୋଟେ ଗଜା ଆମ୍ବଗଛ ଥାଏ କି  ଗଛରେ ଗଛେ ଆମ୍ବ ଲେସି ହେଇଥାଏ । ଆମ୍ବ ଗଣତି ଗଣ୍ଡା, ପଣ, କାହାଣରେ ହୁଏ । ଆମର ଗଣାଗଣିରେ ସେତେ ଦଖଲ ନଥାଏ । ବଡ଼ ପିଲା କୁହାକୁହି ହେଉଥାନ୍ତି ଦୁଇ ତିନି କାହାଣ ଆମ୍ବ । ତରା ଫୁଟିଲା ଭଳି । ଆମ୍ବ ପତ୍ର ଦିଶୁନି । ବିଲୁଆ ଅଙ୍ଗୁର ଗଛତଳେ ଠିଆ ହୋଇ ଚାହିଁ ରହିଲା ଭଳି ଆମେ ଗଛ ଚାରିପଟେ ଘେରି ଥାଉ । ଦାଣ୍ଡ । ଟେକା ପଥର ନାହିଁ । ଥିଲା ଥିଲା ତିଳ ବାହାରି ପଡ଼ିଲା । ବୟସ ଟିକେ ପାକଳ ହେଲାଣି । ୧୨/୧୩ ବର୍ଷ ।ଗଧ । ପାଠରେ ଶୂନ । ମୋତେ ମାମୁଁ ଡାକେ । ମୋର ମାଉସୀ ଝିଅ ଭଉଣୀ ତାର ଖୁଡ଼ୀ । ମଣିଷତ ଗୋଟେ ସାମାଜିକ ଜୀବ । ସଂପର୍କ ଯୋଡ଼ିବା ତାର ଧର୍ମ । କରଣ ମାନେ ଏ ସଂପର୍କ ଯୋଡ଼ା ଯୋଡ଼ିରେ ଖୁବ୍ ଆଗରେ । ଭଲ ଗୁଣ । ଆମେ ଏକୁଟିଆ ସିଂଘରେ କେତେ ମାଟି ପଡ଼ିବା । ସାତ ପାଂଚକା ଲାଠି ଏକ ଜଣକ ବୋଝ । ମଣିଷ ସାମାଜିକ ଜୀବ ଗର୍ବ କରେ । କିନ୍ତୁ ମଣିଷ ଠାରୁ ଜୀବର ସାମାଜିକ ସଂପର୍କ ଆମଠାରୁ ନିବିଡ଼ । ଗୋଟିଏ ପିଂପୁଡ଼ି ଉପରେ ଗୋଡ଼ ପଡ଼ିଗଲେ ଦଳଦଳ ପିଂପୁଡ଼ି କାମୁଡ଼ି ପକାଇବା ଆମେ ଅନୁଭବ କରିଛେ । ଗୋଟିଏ ମହୁମାଛିକୁ ଆଘାତ କଲେ ଫେଣାକଯାକ ମହୁମାଛି ଆକ୍ରମଣ କରୁ ନାହାନ୍ତି? ଗୋଟିଏ ହାତୀକୁ ଚିଡ଼େଇଲେ ଖେଦାଟାଯାକ ହାତୀ ମାଡ଼ି ଆସୁଛନ୍ତି ଶତୃକୁ ମାରିବା ପର୍ଯ୍ୟନ୍ତ ।

ଆମ୍ବ କଥା ଛାଡ଼ି ଆମେ ବେଙ୍ଗ ଆଡ଼େ ମାଡ଼ିଯାଉଛୁ । ଶାଠରେ ତିଳ ଓସ୍ତାଦ୍ । ଦୌଡ଼ିଯାଇ ଆମ୍ବ ଗଛରେ ଚଢି ଗୋଟାଏ ଡାଳତ ହଲାଇ ଦେଇଛି । କୋଳିଭଳି ଆମ୍ବ ଝଡ଼ି ତଳେ ଗଦା । ଆମେ ୨/୩ଟା ଲେଖାଏଁ ଧରି ମାଷ୍ଟ୍ରଙ୍କ ପାଖେ ହାଜର । ୫୦/୬୦ଟା ହବ ଟାକୁଆ ଲଗା । କଂଚା ଆମ୍ବ ଦେଖିଲେ ପାଟିରୁ ଲାଳ ନୁହେଁ  ମୁଁ କିଆଉ ଛାଡ଼େ । ଗୋଟେ ଆମ୍ବତ କାମୁଡ଼ି ଦେଇଛି ବ୍ରହ୍ମଖଟା । ଥୁଥୁ କରିବାକୁ ବେଳ ପାଇଲିନି । ଆମ୍ବ ଧରିତ ଦୌଡ଼ୁଛି ମାଷ୍ଟରଙ୍କୁ ଦେବି ।

ଦୌଡ଼ୁଛି । ପଛକୁ ଚାହିଁଲା ବେଳକୁ ସଦେଇ ମକଦ୍ଦମ ଲଂଗଲାମୁକୁଳା ହୋଇ ଆମ ପଛରେ ଭିଡ଼ିଛନ୍ତି । ମାଷ୍ଟ୍ରଙ୍କ ପାଖେ ହାଜର । ମୁଁ ମୁଁ ହଉଛନ୍ତି । ଗୋଡ଼ ହାତ ଥରୁଛି । ମୁଣ୍ଡକୁ ପିତ୍ତ ଚହଟିଯାଇଛି । ରାଗତ ବ୍ରହ୍ମଚଣ୍ଡାଳ । ଗୋଟେ ପିଲାକୁ ଠାଇ ଠାଇ ଦି ଥାପଡ଼ ଲଗାଇ ମାଷ୍ଟରଙ୍କ ପାଖେ ନାଲିସ ତୁମେ କି ମାଷ୍ଟର ହୋ । ତୁମେ କ’ଣ ମାଷ୍ଟରରେ ଲେଖା? ମୋ ଡ୍ୟାସ୍ (ମନ୍ଦ ଶବ୍ଦ) ପଢ଼ଉଛ । ମୋ ଆମ୍ବ ଗଛଟା ଉଜଡ଼ି ଦେଲେ… ।” ରାଗରେ ପଂଚମ । କଥା କହିଲା ବେଳକୁ ଓଠ ଥରୁଛି । ବାଟୁଳି ଭଳି ଗାଳିତ ଦେଇ ଗଲେ । ମାଷ୍ଟରଙ୍କ ଉପସ୍ଥିତି ବୁଦ୍ଧିକୁ ତାରିଫ କରିବାକୁ ହେବ । ପିଲାଙ୍କୁ ବଂଚେଇବା ପାଇଁ ଯାହାବି କହିଲେ ସେ ଆହୁରି ଗର୍ଜିବେ । କଥା ସେକ୍ରେଟାରିଙ୍କ କାନକୁ ଗଲେ ଏଦାଉରୁ ସେ ଦାଉ ବଳିବ । ମାଷ୍ଟ୍ରେ ଜଗିରଖି ଖୁବ୍ ନରମ ଗଳାରେ କହିଲେ, “ସଦେଇ ଭାଇନା, ତୁମେ କେତେକର ଲୋକ ଏଗୁଡ଼ାକ ଦୁଧଖିଆ ପିଲାଭଳି । ନାବାଳିକି କଟିନି । ଭୁଲ ତ କରିଛନ୍ତି । ତାଙ୍କୁ କଣ ଫାସି ଦବା । ତୁମ ପୁଅ ହୋଇଥାନ୍ତେ । ଏମାନେ କଣ ତୁମ ପିଲା ନୁହଁନ୍ତି?” କହି ସଦେଇ ଭାଇନାଙ୍କ ହାତ ଧରି ପକାଇଲେ । ସବୁ ଦୋଷ ମୋର ମୋତେ କ’ଣ ଦଣ୍ଡଦବ ଦିଅ ।” ସଦେଇ ନରମ ପଡ଼ିଗଲେଣି । ମୋତେ ମାରନା ମୁଁ ମଲାଣି । ପୁଅ କଥା ଯେତେବେଳେ ମାଷ୍ଟ୍ରେ କହିଦେଇଛନ୍ତି ସେଇଠୁ ସଦେଇ ଭାଙ୍ଗି ପଡ଼ିଲେଣି । ସଦେଇ ଥର ଥର ଗଳାରେ କହିଲେ । “ପୋଷଣା ହାରି ପୁଅ ତ ମୁଁ ଥାଉ ଥାଉ ମୋ ଆଗରେ ଚାଲିଗଲା । ଆଉ ଯୋଉ ପିଲା ଚାଖଣ୍ଡକ ଅଛି ସେ କୋଉ ଦିନ ବଡ଼ ହେବ ନା ବାଇଗଣ ଗଛକୁ ଆଙ୍କୁଡ଼ା ବଢ଼ାଇବ । ମାଷ୍ଟ୍ରେ ତୁମେତ ଜାଣିଛ । ମୋର କ’ଣ ସେମିତି ଭୂମି ଜମିବାଡ଼ି ଅଛି । ଭାତ ଗଣ୍ଡାକ ବର୍ଷକ ଯାଏ । ଗଛକୁ ଚାହିଁଛି । ଦି ପଇସା ହେଲେ ମାସେ ଦିମାସେ ହାଟ ବାଟ ଖର୍ଚ୍ଚ ଚଳିଯିବ । ଯାହାତ ହବାର ହେଲାଣି । ଏ ପିଲା ଗୁଡ଼ାକୁ ଟିକେ ଜବତ କରିବ । ଠାକୁର ଜାଣନ୍ତି । ଆଗକୁ କ’ଣ ଅଛି?” ସାଧାରଣ ମଣୀଷଟି, ସରଳ ମଣିଷଟି ମାଟି ହେଉ ବା ପଥର ହେଉ ସେଇ କାଳ୍ପନିକ ଠାକୁରଟିକୁ ବିପଦ ଆପଦ ବେଳେ ଡାକିଥାଏ । ଭୟ ହେଉ ବା ଭକ୍ତି, ଛଳନା ହେଉ ବା ସ୍ୱାର୍ଥ ସିଧି ପାଇଁ ହେଉ ଗୋଟାଏ କିଏ ଭଗବାନ ଅଛି ଏଇ ବିଶ୍ୱାସ ତାକୁ ବଂଚିବାର ଖୋରାକ ଜୋଗାଇଥାଏ । ଏଇ ଭଗବାନ ଶବ୍ଦଟି ଗରୀବକୁ ଶୋଷଣ କରିବା ପାଇଁ ଧନିକ ଶ୍ରେଣୀ ମାନଙ୍କର ଏକ ଶକ୍ତିଶାଳି ଅସ୍ତ୍ର ଏକଥା ବୁଝିବା ତା ପାଇଁ ତା ମୁଣ୍ଡ କାଇଁ?

ସଦେଇ ଉପାଖ୍ୟାନ ସରିଲା, କଅଁଳ ଗାଧୁଅ ବେଳ ହେଲାଣି, ପାଳିଘରୁ ସଂଚା ଆସିଯାଇଛି । ବଡ଼ ମକଦ୍ଦମ ଘର ୪୦/୫୦ ଗାଈ । ଦୂଧ, ଘିଅ କରନ୍ତି । ତାଙ୍କ ଘରୁ ୨/୩ ପିଲାବି ସ୍କୁଲରେ ପଢ଼ନ୍ତି । ତାଙ୍କୁତ ମାଷ୍ଟ୍ରେ ମୁହଁ ଖୋଲି କିଛି ମାଗିପାରିବେ ନାହିଁ । ମକଦ୍ଦମଙ୍କୁ ଲୁଚେଇ ତାଙ୍କ ଘରଣୀ ମାଷ୍ଟ୍ରଙ୍କୁ ପାଏ ଖଣ୍ଡେ ଘିଅ (୩୦୦ ଗ୍ରାମ ହେବ) ଗୋଟିଏ ବୋତଳରେ ଦେଇଥାନ୍ତି । ଲୁଣ୍ଡେଇ ପୁଣ୍ଡେଇ ସବୁ ଜିନିଷ, ଆମ୍ବତକ ଗୋଟିଏ ବୁଜୁଳି ବାନ୍ଧି ମାଷ୍ଟ୍ରେ ବିଲେ ବିଲେ ବୁଜୁଳି ମୁଣ୍ଡାଇ ଗାଁକୁ ବାହାରିଗଲେ । ଦେଢ଼ କୋଶ (୪ କିମି) ବାଟ । ଖାଇବା ବେଳକୁ ଘରେ ପହଂଚିଥିବେ । ସତକଥାତ ସାତତାଳ ପଙ୍କରୁ ଫଟେଇ ବାହାରିବ । ମାସେ ପନ୍ଦର ଦିନ ଯାଇଛି । ମାଷ୍ଟ୍ରେ ଗୋପାଳ ମକଦ୍ଦମଙ୍କ ସଂଗେ କଥା ହେଉ ହେଉ ଫିଟେଇ ଦେଲେ କି, ତୁମ ନରିଶ ଆମ୍ବରୁ ତିଆରି ଆମ୍ବୁଲ ଦିଖଣ୍ଡ ପଡି ମାଛ ସୋରିଷ ପାଣି ହୋଇଥିଲା । ଓଃ କି ସ୍ୱାଦ । ମଲା ଗଲା ହେଇ ପଡ଼ିଥିବା ରୋଗୀ ବିଛଣାରୁ ଉଠିଆସି ସେ ମାଛ ତରକାରି ଖାଇ ମରିବ ।” କୁଶଭଦ୍ରା ନଦୀ କୂଳରେ ଅଭିମୁଖୀ ଗାଁ । ସେଠି ମାଛ ସାଲୁବାଲୁ । ଭୋଇ ବିରାଦ ଲୋକ ମାଛମାରି ମକଦ୍ଦମଙ୍କ ଦୁଆରେ ପହଂଚିଥାନ୍ତି । ସେତେବେଳେ ପଇସାପତ୍ର ଚଳନି ବେଶି ନଥିଲା । ମକଦ୍ଦମ ମାନେ ଶାଗମୁଗ ଦରରେ କେତେବେଳେ ଚାଉଳ ଦିସେରେ କେତେବେଳେ ବିରି ବା ମୁଗ ଦେଇ ବଦଳରେ ମାଛ ରଖିଥାନ୍ତି । ଅଭୁମୁଖୀରେ ବି ଖୁବ୍ ବଡ଼ ବଡ଼ ଆମ୍ବ ତୋଟା । ନଈକୂଳ ତୋଟାତ । ପିଲା, ବଡ଼, ମାଇପେ ତୋଟାରେ ହାଉଯାଉ । ମାସେ ଦିମାସ ଆମ୍ବ ପର୍ବ ଚାଲେ । ମାଷ୍ଟ୍ରଙ୍କର ବି ୨୦/୩୦ଟା ବଡ଼ ବଡ଼ ଆମ୍ବଗଛ । ହେଲେ ମାଗଣା ମିଳିଲେ ଆଲକାତରା ପିଇପିବା ଭଳି ମଷ୍ଟ୍ରେ ନରିଶୋରୁ ଆମ୍ବ ନେବେ ଏବଂ ମାଷ୍ଟ୍ରାଣୀ ଆମ୍ବୁଲ କରିବେ ୟାର ଗୋଟେ ଦୋସରା ଖୁସବେଇନା । ମାଷ୍ଟ୍ରେ ସଦେଇ ମକଦ୍ଦମଙ୍କ ଆମ୍ବ ନେଇ ଆମ୍ବୁଲ କଲେ ଏକଥା ବିଜୁଳି ଭଳି ଚାରିଆଡ଼େ ବ୍ୟାପିଗଲା । ସଦେଇଙ୍କ କାନରେ ପଡ଼ିଲା । ସଦେଇ ଦିନେ ସ୍କୁଲରେ ପହଂଚିଗଲେ । ମାଷ୍ଟ୍ରେ ସଦେଇଙ୍କୁ ଦେଖି ଟିକେ ଦବିଯାଉଛନ୍ତି । ବସିବାକୁତ ସୁବିଧା ନାହଁ । ଠିଆ ଠିଆ ସଦେଇ କହି ପକାଇଲ, “ମାଷ୍ଟ୍ରେ ତୁମେ ତ ଭଲ ଲୋକ ନୁହଁ । ମତେ କହିଥିଲେ ମୁଁ ୨/୪ ପଣ ଆମ୍ବ ବାନ୍ଧି ଦେଇଥାନ୍ତି । ହଉ ପାନ ଖଣ୍ଡେ ଦିଅ ।” ମାଷ୍ଟ୍ରେ ଦମ୍ ନେଲେ । ଟିକେ ଲାଜରା ହୋଇଯାଇଛନ୍ତି । ବମ୍ବେଇ ପାଂଳ ଗୁଆ, କେତକୀ ଖଇର ପକାଇ ଖଣ୍ଡେ ବାସନା ପାନ ସଦେଇଙ୍କୁ ଧରେଇ ଦେଲେ । “ମାଷ୍ଟ୍ରେ ଖାଇବା ବେଳତ ହେଲାଣି । ସକାଳେ କ’ଣ ଖାଇ ଥେଲ ।” ହରି ଷଡ଼ଙ୍ଗୀଙ୍କ ଘରେ ପାଳି । ସକାଳୁ ଗୋଟିଏ କଂସାରେ ଅଧସେର ଚୁଡା (୬୧୫ ଗ୍ରମ ପ୍ରାୟ), ପାଏ ଗୁଡ଼, ଫାଳେ ନଡ଼ିଆ କୋରା, ଦିଟା ପାଟକପୁରା କଦଳୀ, ଦହିଛେନା ମାଷ୍ଟ୍ରଙ୍କ ପାଖେ ପହଂଚିଥିଲା । ମାଷ୍ଟ୍ରେ ଚକଟି ଚକାଟି ଗଣ୍ଠ କଂସେ ଗର୍ଭସ୍ଥ କରିଥିଲେ । ସଦେଇଙ୍କୁ ଉତ୍ତରରେ କହନ୍ତି, “ଦିଟା ପାଟିରେ ପକାଇବା କଥାତ, ଯାହା ଯେମିତି ଦେଇଥିଲେ । ଡାକରା ଆସିନି । ଖାଇବାକୁତ ଯିବ ।” ସଦେଇ ଗାଧେଇ ନାହାନ୍ତି । “ମାଷ୍ଟ୍ରେ, ମୁଁ ଯାଉଛି । ମୋ କଥା ଧରିନି । ମୁଁ ତ ଖୋଲା ଲୋକ, ଶୁଣିଲି । ମୁଁ ସଫା ତୁମେ ବି ସଫା । ହଁ ମୁଁ ଯାଉଛି । ଡେରି ହେଲାଣି । ତୁମ ଭାଉଜ ଏଇଲେ ଅବତରିବେ” କହି ସଦେଇ ଚାଲିଲେ । ମାଷ୍ଟ୍ରେ ଗୋଟେ ଦୀର୍ଘ ନିଃଶ୍ୱାସ ମାରି ଟେବୁଲ ଉପରେ ହାମୁଡ଼େଇ ଗଡ଼ିଲେ।

ଆମ୍ବ କଥାକୁ ଆସିବା । ଆମ୍ବ ଫଳମାନଙ୍କ ମଧ୍ୟରେ ରଜା । ଆମ ଅଂଚଳରେ ପାଂଚକୋଷ ଗୋଲେଇରେ ଆମ୍ବର ସାମ୍ରାଜ୍ୟ ବିସ୍ତୃତ ଥିଲା । ଜନବସତିକୁ ଲାଗି ଚାରିଆଡ଼େ ଆମ୍ବ, ପଣସ, ବର, ଓସ୍ତ, ପୁଲାଙ୍ଗ, ଜାମୁ, ଅକରକରା, ଗମ୍ଭାରୀ, ଗିରଙ୍ଗା ନାନା ଜାତିର ଗଛ । ବେତ ବଣ କଥାତ ଆଗରୁ କହିଛି । ଗାଁର ଉତ୍ତରକୁ ଡାକେ ବାଟରେ ନିଆଳି । ଆମ ଗାଁ ଠାରୁ ଛୋଟ । ହେଲେ କଟକ ସହିତ ଖଣ୍ଡେ ଅଂକାବଙ୍କା ଶଗଡ଼ ରାସ୍ତା ସହିତ ଯୋଡ଼ି ହୋଇଥାଏ ତ । କଟକ ସହର । ମାଲ ଗୋଦାମ । କଟକକୁ ଗାଁର ଚାଉଳ, ବିରି, ମୁଗ, ସୋରିଷ, ରାଶି, ପାନ, ଯିବ । କଟକରୁ ତେଜରାତି, ଲୁଗାପଟା, ଲୁହା ଲକଡ଼ୀ ଗାଁକୁ ଆସିବ । ଶଗଡ଼ ଏକମାତ୍ର ଯାନ । ଆମ ଗାଁରୁ ପ୍ରାଚୀ ନଦୀ ଡେଇଁ ଆମେ ନିଆଳି ଯାଉ । ନିଆଳିରେ ବଡ଼ ସ୍କୁଲରେ ପଢ଼ିବୁ । ନିଆଳିରେ ହାଟ । ବିକା କିଣା ପାଇଁ ଲୋକ ଯିବା ଆସିବା । ଗାଁରୁ ନିଆଳିକୁ ବି ସରୁଆ ଚଲାବାଟ । ଦିନ ଦିପହରେ ଅନ୍ଧାରୁଆ । ଅଣ୍ଡାଳି ଅଣ୍ଡାଳି ଯିବାକୁ ହୁଏ । ବାଟ ନା ଅନ୍ଧ ଗୋହିର । ବାଟ ଦିପାଖେ ଗଛ ଆଉ ଗଛ । ବେତ ବଣ । ସେଇବେଳର ସବୁଜିମା । ସାଟେଲାଇଟି ଥିଲେ ଚିତ୍ରରେ ଆମ ଗାଁ ସବୁଜ ଶାଢ଼ୀ ପିନ୍ଧି ଓଢଣା ଟାଣିଥିବା ଗୋଟିଏ ନୂଆ ବୋହୂର ଭ୍ରମ ସୃଷ୍ଟି କରିଥାନ୍ତି । କର୍ପୁର ଉଡ଼ିଯାଇଛି, କନା ଖଣ୍ଡକ ପଡ଼ିଛି । ଆଜି ସେ ଗାଁ ନାହିଁ । ସେ ଗଛ ପତ୍ର ସବୁଜିମା ନାହିଁ । ବିକାଶ ଯନ୍ତାରେ ସେମାନେ ପେଷି ହୋଇଯାଇଛନ୍ତି । ଚାରି ଆଡ଼େ ଶୂନ୍ୟ । ଦିନ ଆଠଟା ବେଳକୁ ମୁଣ୍ଡ ଫଟା ଖରା । ଯାହାବି କାଁଭାଁ ଖଣ୍ଡେ ଅଧେ ଗଛଥିଲା ସେଗୁଡ଼ିକ ହୋମ, ଯଜ୍ଞ ଧର୍ମ କାମରେ ଅକାଳ ମୃତ୍ୟୁ ବରଣ କରୁଛନ୍ତି । ରକ୍ଷକ ଯଦି ଭକ୍ଷକ ହୁଏ, ପ୍ରକୃତିକୁ ଯଦି ମନଗଢ଼ା ଠାକୁର ବି ଧ୍ୱଂସ କରନ୍ତି କାହାକୁ କହିବା, କପାଳରେ ସିନା ହାତ ମାରିବା । ଏ ଶୁନ୍ୟତାକୁ ଦେଖି କିଏବା ଲୁହ ଗଡ଼େଇବ । ପଢ଼ା ଶୁଣା ଲୋକେ, ତଥା କଥିତ ଜ୍ଞାନୀ ପଣ୍ଡିତମାନେ ତ ବିନାଶକାରୀ ବିକାଶର ଜୟଜୟକାର କରୁଛନ୍ତି । ପ୍ରକୃତି ତ୍ରାହି ତ୍ରାହି ଚିତ୍କାର କରୁଛି । ଯେଉଁ କେତେଜଣ ଆଙ୍ଗୁଠି ଗଣତି ୭୦/୮୦ ବର୍ଷର ବୁଢ଼ା ବୁଢ଼ୀ ଦେଖୁଛନ୍ତି । ଅଖିରୁ ଲୁହ ବି ଗଡ଼ଉଛନ୍ତି । ଭାବୁଛନ୍ତି କି ଥିଲା ଏ ରାଜ୍ୟ କି ହୋଇଛି ଆଜ, କାହାକୁ କହିବେ? କିଏ ଶୁଣିବ? ସେମାନେତ ନିଜେ ସୁରକ୍ଷିତ ନୁହଁନ୍ତି । ପଶ୍ଚିମା ପବନରେ ସେମାନେ ଅଦରକାରୀ ବସ୍ତୁ । ଉଡ଼ିଗଲେବି ଗୋଟେଇବାକୁ କେହି ନାହିଁ । ଗାଁ ମରିଯାଇଛି । ପ୍ରଚୀ ନଦୀ ମରିଯାଇଛି । ଆଜି ଆମେ ଯେଉଁ ଗାଁ ଦେଖୁଛୁ, ଯେଉଁ ନଈ ଦେଖୁଛୁ ସେଗୁଡ଼ିକ ମୁର୍ଦ୍ଦାର । ରିଅଲ ଇଷ୍ପେଟ ବାଲା ସେମାନଙ୍କର ସଂସ୍କାର କରିବାର ଠିକା ନେଲେଣି । ସରକାର ଠିକା ଦେଉଛନ୍ତି । ନଦୀ ଶଯ୍ୟାରେ କଂକ୍ରିଟ ଜଂଗଲ, (କଟକ ମହାନଦୀ ପଠା), ଗାଁରେ କଂକ୍ରିଟ ଜଂଗଲ । ବିନାଶ କାଳେ ବୀପରିତ ବୁଦ୍ଧି!

ଆଜିବି କେଉଁଠି କିମିତି ବ୍ରାହ୍ମଣଘର ବାହା ବ୍ରତରେ ପଣ୍ଡିତ ଶ୍ଲୋକ ବୋଲୁଛନ୍ତି “ଆମ୍ରବନ, ପୁନାଙ୍ଗବନ, ବକୁଳବନ, ଔଷସ୍ଥ ବନ…,” ନିର୍ଲଜ ଆରେ ତୁମ ବାହା ବ୍ରତ ଶ୍ରାଦ୍ଧରେ ଆଉ ବେତ କନ୍ଦା ନାହିଁ, ପଣସ ପତ୍ର ନାହିଁ । ସତାବରି ନାହିଁ, ଆମ୍ବ ଡାଳଟିଏ କଳସ ଉପରେ ଥୋଇବାକୁ ନାହିଁ । ଘରପୋଡ଼ିରୁ କୁଟାଖିଏ ଥିଲେ ସିଲ । ତା ବି ତୁମ ବ୍ରହ୍ମଣ କ’ଣ ରଖେଇଦେଲ । ଯେଉଁ କେତୋଟି ଆମ୍ବ ଗଛ କାଁ ଭାଁ ରହିଯାଇଥିଲେ ତୁମେ ଯଜ୍ଞକୁ ବରାଦ କଲ ଆମ୍ବ କାଠ । ଜଣେ ଭଣ୍ଡ ବାବା ଧୁନି ଜାଳିବ ଆମ୍ବ କାଠ, ସଂକ୍ରାନ୍ତି ହୁମ ହବ ଆମ୍ବ କାଠ । ସେ କେତୋଟି ଅସହାୟ ଗଛବି ତୁମ ବ୍ରାହ୍ମଣଙ୍କ ଦାଉରୁ ରକ୍ଷା ପାଇପାରିଲେ ନାହିଁ । ଏଣିକି? ହଁ ତୁମ ପାଖେ ସବୁ ଦୁଷ୍ଟ ବୁଦ୍ଧି ଅଛି । ତୁମେ ବସ୍ତ୍ରାଭାବେ ସୂତ୍ରଂଦଦାତ୍ କହିପାର । ଏବେ ଯଦି ଗଛପତ୍ର ମିଳୁନି କଣ ଗୁଁ ଗାଁ କରି ବୁଝା ନପଡ଼ିଲା ଭଳି ଚଳେଇ ଦବାରେ ବି ପୁରୋହିତ ଆପଣେ ଧୁରଂଧର । ଧନ୍ୟରେ ମନୁ । ଧନ୍ୟ ତୁମ ମିଥ୍ୟା ଶାସ୍ତ୍ର, ଛଳନା ବିଧାନ ।

ନରିଶୋରୁ ନିଆଳି ଯିବା ବାଟର ଦିକଡ଼ରେ ହଜାର ସଂଖ୍ୟାରେ ଆମ୍ବ ଗଛ । ଛୋଟ ବଡ଼ ଆମ୍ବ ତୋଟା । ପ୍ରାଚୀ ଦକ୍ଷିଣ କୂଳରେ ପଥର ପଡ଼ିଆ ତୋଟା ୨/୩ ହଜାର ଆମ୍ବ ଗଛ । କାଁ ଭାଁ ପାଟେଳି କରଂଜ, ଗୋଟେ ଦିଟା ବରଗଛ, ବେତ ବଣ ବୋଲି ବଣ ଛନ୍ଦି ଛାନ୍ଦି ତୋଟା ଭିତରେ ସୋରିଷ ପକାଇବାକୁ ଫାଙ୍କା ନଥାଏ । ପଥର ପଡ଼ିଆ ତୋଟାମାନଙ୍କ ଭିତରେ ରଜା । ତାକୁ ଘେରି ଜଇସମ ଖର୍ଦ୍ଦା, ବ୍ରାହ୍ମଣ ଖର୍ଦ୍ଦା, ପୋଗରି, କାଳି ବୁଢ଼ୀ ଖର୍ଦ୍ଦା । ସିଂହସାହି ଗଜାତୋଟା, ପ୍ରାଚୀ ଉତ୍ତରକୁ ଲାଗି ମହାଜନ ତୋଟା, କୁଆଁରି ସାହି ତୋଟା, ହଳଦୀବସନ୍ତ ତୋଟା, ବାଲିମୋଢ ତୋଟା, ନୁଆଗାଁ ତୋଟା, ତୋଟା, ତୋଟା ଆଉ ତୋଟା । ଆମ୍ବ ଆମ୍ବ ଆଉ ଆମ୍ବ । ଏସବୁ ତୋଟା ଭିତରେ ସର୍ଦ୍ଦାର ହେବ ପଥର ପଡ଼ିଆ । ଶୁଣାଯାଏ ଆଗେ ପ୍ରଚୀରେ ପଥର ବୁହା ହେଉଥିଲା । ମାଧବ, କୋଣାର୍କ ମନ୍ଦିର ପାଇଁ । ପଥର ପଡ଼ିଆରେ ଗୋଟେ ଶାଳଥିଲା । ପଥର କଟା କଟି ସାଇଜ କରି ମାଧବ ଓ କୋଣାର୍କ ନେଉଥିଲେ । ସତ କେତେ ମିଛ କେତେ ଗବେଷଣା ସାପେକ୍ଷ । ହେଲେ ଆମ୍ବ ଗଛ ତ ଗୋଟେ ଗୋଟେ ଦନୁଜ । ଗଣ୍ଡିକୁ ଲଙ୍ଗଳ ଦଉଡ଼ି ପାଇବନି । ୮/୧୦ ହାତ ଗୋଲେଇ । ଡାଳ ପତ୍ର ଝଙ୍କେଇ ଗୁଣ୍ଠେ ଗୁଣ୍ଠେ ଜମି ମାଡ଼ି ବସିଥାନ୍ତି । କୋଡ଼ିଏ ଏକର ଜମିରେ ତୋଟାଟି । ବାଘ, ଗଧିଆ, ସାପ, ବିଲୁଆ, ଠେକୁଆ, ବଣ କୁକୁଡ଼ା, ବଗ, ଶଂଖଚିଲ, ଛଂଚାଣ, ମାଟିଆଚିଲ, କାଠହଣା ଚଢେଇ, ସାଗୁଣା ଆଡ୍ଡା, କୋଇଲି, କୁମ୍ଭାଟୁଆ, କଜଳପାତିଙ୍କର କାକଳି । ମାଙ୍କଡ ସଂଖ୍ୟାରେ ୨୦୦ ହେବେ । ତାଙ୍କ ଭିତରେ ଯେତେବେଳେ ଝଗଡ଼ା ଝାଟି ହେବ ଡାଳକୁ ଡାଳ ଡିଆଁ ଡିଇଁ ବୁଢ଼ା ଗୁଡ଼ାଙ୍କର ହୁଙ୍କାର କାନ ଫଟାଇଦିଏ । ତେଣିକି ଗଲେ ମହାଭାରତ ହେବ । ଦୁଃଖ ଏତିକି ଯେ ଆମେ ସେସବୁ ପ୍ରକୃତିର ସଂଭାର ହରେଇସାରିଛୁ । ଥରେ ଯଦି ତୋଟାରେ ସାପ ନେଉଳ ଲଢ଼େଇ ଦେଖିବେ ଚାହିଁଥିବେ, ଚାହିଁଥିବେ ଆଖିରୁ ଡୋଳା ଲେଉଟାଇବାକୁ ଫୁରସତ ମିଳିବନି । ସିଧା ଆମ୍ବକୁ ଆସିବା । ଆମେ ତ ବହୁତ ତୋଟାର ହିସାବ ଦେଲେ । ଛୋଟ ଆଡ଼ୁ ଆସିବା ଡ଼ଙ୍ଗା ଘାଟକୁ ଲାଗି ଗଜା ତୋଟା । ନାଁ ରୁ ବୁଝି ହେଉଥିବା ୧୫/୨୦ ବର୍ଷିଆ ଛୋଟ ଛୋଟ ଗଛ । ତଥାପି ଉଚ୍ଚ ୩୦/୪୦ ଫୁଟ ହେବ । ଆୟତନ ୨/୩ ଡେସିମିଲ ଜମି । ଡ଼ାଳପତ୍ରରେ ମଣ୍ଡଳି ହୋଇ ସବୁଜ ପିରାମିଡ଼ ଆକାର । ୭୦/୮୦ଟି ଗଛ । କମ ବେଶୀ ସବୁଗଛରେ ଆମ୍ବ ଛାଇ ହୋଇଥାଏ । ଆମେ ଦୂରରୁ ଲକ୍ଷ୍ୟ କରିଛୁ । ଜଣେ ବୁଢ଼ାଳିଆ ନିସୁଆ କଳାମଚମଚ ବଡ଼ ମୁଣ୍ଡିଆ ଡେଙ୍ଗା ଲୋକଟାଏ ପ୍ରାୟ ସମୟରେ ତୋଟାରେ ଥାଏ । ସେ ଦିନ ଶନିବାର । ସ୍କୁଲ ଛୁଟି ହେଲା । ଆମେ ଶାସନର ଛଅଜଣ, ହାଟୁଆସାହି ଉଗତପଡ଼ାର ୩/୪ ଜଣ ଦଳ ହୋଇ ଠିକ୍ କଲୁ ଗଜା ତୋଟାରେ ଆଜି ଖଦା କରିବା । ଭଗିଆ ବେହେରା ଡ଼ଙ୍ଗାଘାଟ ବାଟ ଧଇଲୁ । ବୈଶାଖ ମାସ । ନିଆଳିତ ବାଲିଆ ଜାଗା । ଗୋଡ଼ ତାତି ଯାଉଥାଏ । ଯୋତା ଚପଲ ସେତେବେଳକୁ ନିଆଳି ମାଡ଼ି ନାହିଁ । ଖାଲି ଗୋଡ଼ରେ ଚାଲିଛୁ । ଗୋଖରା କଂଟାତ ଗୋଡ଼ରେ ସିଲେଇ ହେଇ ଯାଉଛି । ପିଲା ପାଦ । କଅଁଳି, ତାତି ଯାଉଛି । ସ୍କୁଲରୁ ଭଗିଆ ଘାଟ ମାଇଲିଏ ବାଟ । ମଝିରେ ମଝିରେ ବସ୍ତାନିକୁ ବାଲିରେ ପକାଇ ଦେଇ ତା ଉପରେ ଠିଆ ହେଇଯାଉଛୁ । ବିଦ୍ୟା, ପାଠ, ଗଣେଶଙ୍କ ଉପରେ ଠିଆ ହେଇଯାଉଛୁ! ଆତ୍ମାକୁ ପଡ଼ିଲେ ପ୍ରମାଦ ଗୁରୁ ବ୍ରାହ୍ମଣ ଶିରଚ୍ଛେଦ । ଆମ ମନ ଘର ଧରିଯାଉଛି । ତାଛଡ଼ା ମୋର ତ ଗଣେଶ କାର୍ତ୍ତିକଙ୍କ ସହିତ ସେଇ ଦିନୁ ପଡ଼ୁନଥିଲା । ପ୍ରାଚୀ ନଈ । ଅଂଟାଏ ପାଣି ଚାଲିଥାଏ । ପ୍ରାଚୀରେ ଠାଏ ଠାଏ ଗଣ୍ଡ । ଖରାଦିନ ବି ୭/୮ ହାତ ପାଣି । ମାଛୁଆଙ୍କ ଯାତ୍ରା । ଗୋଟେ ଦିଟା ଲେଖାଏଁ ପାଂଚସାତ ସେରିଆ ଭାକୁଡ଼ ରୋହି ପକ୍ଷୀମାଛ ପଡ଼ିଗଲେ ତାଙ୍କର କଚେପୁଅ ବାର କେହି ଫେଲ ହେବା ଆମେ ଦେଖିନୁ ।

ନଈ କୂଳେ ପହଂଚିଗଲୁ । ଆମକୁ ଅଂଟାଏ ଛାତିଏ ପାଣି ହବ । ଆମେ ବ୍ରାହ୍ମଣ ପିଲାତକ ବ୍ରତ ହୋଇଥାଉ । ବ୍ରତ ପିଲା ଲଙ୍ଗାଳା ମନା । ଅକାଳେ ନିୟମ ନାସ୍ତି । ସମସ୍ତେ ଲଙ୍ଗଳା ହୋଇପଡ଼ିଲୁ । ବସ୍ତାନି, ଡୋର ପେଣ୍ଟ, ସାର୍ଟ ସବୁ ପୁଟୁଳିକରି ଡାହାଣ ହାତରେ ଟେକି ଗୋଟେ ଭିଡ଼ରେ ପାଣିରେ ପସିଲୁ । ତିଳ ଟିକେ ଡ଼େଙ୍ଗା । ପାଣି ତାର ଅଣ୍ଟା ଖାଇଲା । କାହାର ଛାତିଏ, କାହାର ବେକେ । ଏଣେ ପୁଟୁଳି ଜଣେ ଦିଜଣଙ୍କର ବୁଡ଼ି ବୁଡ଼ି ହେଲାଣି । ଯାହା ହେଉ ଗଜାତୋଟା କୂଳକୁ ଉଠିଗଲୁ । ଏଣିକି ତେଣିକି ଚାହିଁ ପେଣ୍ଟ ଖଣ୍ଡକ ପିନ୍ଧି ପକାଉଥାଉ । ପଛକୁ ଚାହିଁଲା ବେଳକୁ ନକୁଳ ଭାଇନା ପାଣିରେ ଉବୁଟୁବ । ସେ ଟିକେ ଗେଟମା । ଦି ଚାରି ଢୋକ ପାଣି ପିଇସାରିଲାଣି । ଆମକୁ କିଛି ବୁଦ୍ଧି ବାଟ ଦିଶୁନି । ହଠାତ୍ ଅପୁନ୍ ଚାଚା କୂଳରୁ ଡଙ୍ଗା ଫିଟାଇ ନକୁଳ ଭାଇନାଙ୍କୁ ପାଣିରୁ ଘୋସାରି ଆଣିଲା । ପୈତୃକ ପ୍ରାଣ ବଂଚିଗଲା । ଅପୁନ୍ ଚାଚା ତାର ଖୋଳଟି ଚଲାଇଲା, “ଆରେ ତୁମ ତ ବନା ଭାଇନା ବେଟା ଅଛୁ । ବାପ, ବେଟା ଦୋବି ଗେଟମା । ଅଭିତ ମେ ନଥା ତୁମ ଡ଼ୁବ୍ ଜାତେ । ଚଲୋ ଆର କଭି ଏମନ୍ କରୁବୁନା । ଡଙ୍ଗାରୁ ଟେକିଟାକି କୂଳରେ ଠିଆ କରେଇ ଦେଲା । ମୁସଲମାନଙ୍କର ଭାଷା ଉର୍ଦ୍ଦୁ। ନିଆଳିରେ ତ ୩୦୦/୪୦୦ ବର୍ଷ ହେଲା ରହିଲେଣି । ଉର୍ଦ୍ଦୁ ଓଡ଼ିଆ ଗୋଳିଆ ମିଶା ଭାଷା । ଆମେ ଖୋଲିଟି କହୁ । ନକୁଳ ଭାଇନା ଅଦ୍‌ଭୁତ ଲଂଗଳା । ବହି ପେଣ୍ଟ, ଜାମା ସବୁ ଓଦା, ପାଣି ସରସର । ଓଦା ପେଣ୍ଟକୁ ଗଲେଇ ଦେଇ ଗଡ଼ ଜିତିଲା ଭଳି ଆମ ପାଖେ ହଜାର । ମୁହଁ ଭଡ଼ଙ୍ଗ । ଗାଲୁଆର ବାରବାଟି ଚାଷ ।” ଆରେ ମୁଁ ଯଦି ବୁଡ଼ିଯିବି କିଏ ନଈରେ ଦିଥର ଏକୂଳ ସେକୂଳ ହେବ । ତାର ବାହାପିଆ କଥାକୁ କାନ ଦେବାକୁ ଆମ ପାଖେ ବେଳ କାହିଁ? ପସିଗଲୁଁ ଗଜା ତୋଟାରେ । ଚାରିଆଡେ ଆଖି ବୁଲାଇଲୁ । ଶୂନଶାନ୍ । ବାହାରିତ ଆସିଲା କଳା ମଚ୍ ମଚ୍ ଚାରିହାତ ଡେଙ୍ଗା, ଦିଫାଳ ଲମ୍ବା ନିଶ କାନ ଯାଏ ଲମ୍ବିଛି । ଚାରି ସେରିଆ ହାଣ୍ଡି ଭଳି ମୁଣ୍ଡ, ବାଳ ଦାଢ଼େ ଦାଢ଼େ ପାଚିଲାଗଲାଣି । ୫୦/୬୦ ବର୍ଷର ଗୋଟାଏ ମସ୍ତବଡ଼ ମର୍ଦ୍ଦ । ଅସୁର କହିଲେ ଚଳିବ । “ଆବେ ତୁମେ କିଏ ବେ? ତୁମେ ତ ଢିଙ୍କି କି କାଠ ଭାବିଲଣି । ଆରେ ଏ ଲଛମନ ସିଂହ ତୋଟା ମୁଁ ନିଧି ସିଂହ (କହି ଛାତି ଫୁଲାଇ ଛାତିରେ ହାତ ବାଡ଼େଇ ଦଉଛି) । ଷାଠିଏ ବର୍ଷ ହେଲା ଏ ତୋଟା ଜଗି ଆସୁଛି । ଏଠିକି ସାପ, ବେଙ୍ଗର ପ୍ରବେଶ ନାହିଁ । ବାଳୁଙ୍ଗା ଦଳ । ତୁମର ତ ଭାରି ସାହସ । ବିଛାମନ୍ତ୍ର ନଜାଣି ସାପ ଗାତରେ ହାତ, ମୁଁ ଖାଲି ଭାବୁଥାଏ ଲୋକଟାକୁ ଖୁବ୍ ବେଶୀ ଷାଠିଏ ବର୍ଷ ହେବ । ଏ କଣ ମା ପେଟରୁ ତୋଟା ଜଗୁଛି । ହେଉଥିବ । ହାତରେ ୨ ଫୁଟିଆ ଠେଙ୍ଗେନି ଖଣ୍ଡେ ଧରିଥାଏ । ଫସ କିନା ଭିଡ଼ିଦେଲାତ, ଚକଚକିଆ ସରୁଆ ହାତି କିଆ ଲମ୍ବା ଛୁରିଟିଏ ବାହାରି ପଡ଼ିଲା । ୟାକୁ କୁଆଡ଼େ ଗୁପ୍ତି କୁହାଯାଏ । ଯାଉଛକି ଛୁରୀ ଭୁସିଦେବି ବୋପାକୁ ମଉଷା ଡାକୁଥିବ” କହି ଆମ ପଛେ ପଛେ ଦୌଡ଼ିଲା । ଆମେ ତ ଅତରଛରେ କିଏ ପେଣ୍ଟରେ ମୁତି ପକେଇଲାଣି ତ କାହାର ପେଣ୍ଟରେ ଦୁଇ ହୋଇଗଲାଣି । ନକୁଳ ଭାଇନା ବାହାପିଆ । ପାଟିରେ ବାଟୁଳି ବାଜିବନି । ଦୌଡ଼ୁଛି । କହି ଚାଲିଛି । ଖଣ୍ଡେ ୪/୫ ଫୁଟିଆ ଲୁହାରଡ଼ ଦେଲେ ମୁଁ ଏ ସିଂହ କ’ଣ ୟା ବୋପାକୁ ଚିତ୍ କରିଦେବି । ହସବି ମାଡ଼ୁଛି । ଡରବି ଲାଗୁଛି । ପଛକୁ ଟିକେ ଟିକେ ଚାହୁଁଛୁ । ଗୋଟିଏ ୧୬/୧୭ ବର୍ଷର ଝିଅର ଆବିର୍ଭାବ ହେଲା । ବୁଢ଼ାକୁ କ’ଣ ପାଟିକରି କହିଲା । ଆମକୁ ଡାକପକାଇଲା, “ପିଲାଏ ଆସ, ଆସ, ଆମ୍ବ ଦିଟା ଖାଇବତ ଆସ । ଆଗ ପଛ ହେଇ ମନ ଆଣ୍ଟ କଲୁ । ଏତେ ହିନସ୍ତା ତ ହେଲୁଣି । ଚାଲ ଭଉଣୀଟାତ ଡାକୁଛି । ଦେଖାଯିବ । ତିଳ ସେ ଝିଅ ଆଡ଼କୁ ଟିକେ ନିଠେଇ ଚାହୁଁଥାଏ । ତାକୁବି ୧୬/୧୭ ବର୍ଷ ହେଲାଣି । ଫେରିଲୁ ତୋଟାକୁ । ଦଣ୍ଡିବା ଶକ୍ତି ଯାର ଥାଇ ସେ ପୁଣି କ୍ଷମା ଆଚରଇ । ଭାଗବତ ପଦ ମନକୁ ଆସିଯାଉଥାଏ । ଲୋକଟାର ହୋସ୍ ଆସିଲା ବୋଧେ । ପହଂଚିଗଲୁ । ଆଖି ପଡ଼ିଗଲା । ୪/୫ ପଣ କଂଚା, ପାଚିଲା ଆମ୍ବ ଗଦା ହୋଇଛି । ବୁଢା ଆରମ୍ଭ କଲା, “ଆରେ ତୁମେ ସବୁ ସାଶନ ପିଲା । ଆମ ପଡ଼ିଶା । ମୋତେତ ନ କହି ଏଠି ଚଢ଼େଇ ବି ବୋବେଇବନି । ପତ୍ର ବି ହଲିବନି । ତୁମେ ମାଗିଥିଲେ ମୁଁ ତ ୫ ଗଣ୍ଡା ଲେଖାଏଁ ଆମ୍ବ ଦେଇ ଦେଇଥାନ୍ତି । ତୁମକୁ ସିନା ପାଟି କଲି । ମନଟା ଗୋଳେଇ ଘାଂଟି ହେଲା, ସେବତୀ ବି ମୋତେ ଦି ଚାରି ପଦ ଟାଣ ଟାଣ କରି କହିଲା । ମୁଁ ଏଇ ଲଢ଼ୁଆ ଗଛକୁତ଼ ଗୋଟେ ଟେକା ଛାଡ଼ିଦେଲି । ଟେକାତ ବୁଲି ବୁଲି ଯାଉଛି । ଆମ୍ବ ଝଡ଼ି ଝଡ଼ି ଯାଉଛି । ଗଣିଲା ବେଳକୁ ପାଂଚପଣ ଚାରିଗଣ୍ଡା ଦୁଇଟା । ହେଇଟି ଗଦା କରିଛି । ତୁମେ ସବୁ କିମିତି ନବ?” ଆମ୍ବ ନବୁ କ’ଣ । ମୁଁ ଖାଲି ଭାବୁଥାଏ ଟେକାଟେ ପକାଇଲେ ହଁ ୪/୬ଟା ଆମ୍ବ ପଡ଼ିପାରେ । ଟେକାଟା ବୁଲି ବୁଲି ଯିବ କେମିତି ପୁଣି ଏତେ ଆମ୍ବ ଝଡ଼ିବ । ପୁଣି ମନକୁ ବୁଝାଏ । ହେଇଥିବ । ଏ ଲୋକଟା କିଛି କିମିଆଁ ଜାଣିଥିବ । ଏ ଭିତରେ ତିଳ ଆଉ ସେବତୀ ଭିତରେ କଣ କଥାବାର୍ତ୍ତା ବି ହୋଇଗଲାଣି । ସେବତୀ ସମସ୍ତଙ୍କୁ ଜାମାରେ ୫/୭ ଗଣ୍ଡା କରି ଆମ୍ବ ଦେଲା । ତିଳକୁ ପ୍ରାୟ ୧୦ ଗଣ୍ଡା ଆମ୍ବ ଦେଲା । ଆମ୍ବ ତକ ଧରି ବୀର ଦର୍ପରେ ଆମେ ଘରକୁ ଫେରିଲୁ । ଦିନ ଦ୍ୱିପହର । ସମସ୍ତଙ୍କ ପିଠିରେ ଉତ୍ତମ ମଧ୍ୟମ । ଗଜା ତୋଟା ଆମ୍ବଖିଆ ନିଶା ଖସିପଡ଼ିଲା । ବେଶୀ ଦିନ ନୁହେଁ । ୩/୪ ଦିନ । ତିଳ ସେବତୀ କଥାଟି ପେଟ ଭିତରେ ରଖିଲା । ତା ପରେ ଦିନେ ୪ଟା ବେଳେ ଆମେ ସମସ୍ତେ ମେଳା ମେଳା ହଉଛୁ ତିଳ କଥାଟା ଫିଟାଇ ଦେଲା । ସେ ଦିନ ସେବତୀ ଆଉ ବୁଢ଼ା ରାତିରେ ଝଡ଼ିଥିବା ଆମ୍ବ ସକାଳୁ ଗୋଟେଇ ଗଦା କରିଥିଲେ । ବୁଢ଼ା ଡାହାମିଛ କହିଲା । ସିଂହ ସାହିଆତ ବାହାପିଆରେ ସରିଯାଇଛନ୍ତି । ଆକାଶରୁ କଥା ତୋଳି ଆଣିବେ, ଆମ୍ବ ଗଛରେ ପଣଷ ଫଳେଇଦେବେ । ଟେକା ଗୋଟେ ବୁଲି ବୁଲି ଯିବ କୁଆଡ଼ୁ । ସେବତୀ କେଡ଼େ ବିଶ୍ୱାସରେ କହି ଥିଲା, ତିଳତ ପେଟରେ ରଖିପାରିଲାନି । ବାନ୍ତି କରି ପକାଇଲା । ଆଉ କେଉଁ ତିଳ ସେବତୀରବା ଭେଟ ହେଉଛି?

ଆସିବା ପୋଗରି ତୋଟା / ୧୦ ଏକର ତୋଟା । ଆମ୍ବ ଗଛ ୩୦୦/୪୦୦ ହବ । ଜାତିଆ ଜାତିଆ ଆମ୍ବ । ଇଜମାଇଲ ତୋଟା । ୧୬ ଭାଗ । ଦୋରସା, ଛେନାପାଣିଆ, ଲଡ଼ୁଆ, ଲଂଗଲ କଣ୍ଟିଆ, ଖେଣ୍ଟା ସିନ୍ଦୁରୀ ଆମ୍ବ କିରସ ବେଶ୍ ନାମକରା । ପାଳି କରି ଜଗୁ । ଦୋରସା ଆମ୍ବ ପୋଗରିର ରାଣୀ । କଂଚା ରୁ ପାଚିଲା ପର୍ଯ୍ୟନ୍ତ ଆମ୍ବୁଲତ ସବୁ ଆମ୍ବରେ ହୁଏ । ଆଚାର ପାଇଁ ମାଉଁସିଆ ଆମ୍ବର କାଟତି ବେଶି । ଟାକୁଆ ପାକଳ ହେଇଯିବ । ଲମ୍ବାରେ ଚାରି ଚିରୁଡ଼ାକରି କାଟିବ । ଲୁଣ, ହଳଦୀ ଗୋଳେଇ ମାଟି ହାଣ୍ଡିରେ ରଖି ଆଠ ଦଶଟା ଖରା ଦବ । ସୋରିଷ, ଜିରା, ଲଂକା, ମେଥି ଆଦି ଚୂନା ଘଣା ସୋରିଷ ତେଲ ଗୋଲାଇ ପୁଣି ୨/୪ ଦିନ ଖରାରେ ଶୁଖାଇ ଆଟିକାରେ ସାଇତିବ । ଆଟିକା ମୁହଁରେ କନା ବାଂଧି ଦବ । ମାସେ ଦି ମାସ ପରେ ମହକରେ ଆଚାର ଘର ଫଟାଇବ । ବାଦ, ବିବାଦ, କଳିଚକରାଳ ଆଗରୁ ଥିଲେ ଆଚାର ମୋହରେ ସେ ସବୁ ପାଣି ଫାଟି ଯିବ । ରଜା ହେଲେ ବି ମାଗିବ ଆଚାର ଚାଖିବାକୁ । ରୋଗୀ ତ ଶେଜରୁ ଉଠି ଆସି ଲୁଚି ଲୁଚି ଆଚାର ଘଡ଼ି ଫିଟାଇ ଚଲେଇବ । ଗାଳି ଶୁଣିବା ପର୍ଯ୍ୟନ୍ତ । ଆଉ ପେଟରେ ସାତ ମାସର ପିଲା । ବୋହୂ କି ଶାଶୁକୁମାନେ । ଆଟିକା ଫିଟଇ ଚରିତ ଯିବେ । ଯେତେ ପୁରୁଣା ସେତେ ବାସନା, ସେତେ ନରମ । ଥିଲାବାଲା, ନଥିଲାବାଲା ବାରିବ ନାହିଁ । କମ୍ ବେଶୀ ସମସ୍ତଙ୍କ ଘରେ ଆଚାର । ମାଁ ମାନେ ଝିଅ ଘରକୁ ଦେବେ । ବଂଧୁ ବାଂଧବଙ୍କୁ ଦେବେ । ପଡ଼ିଶା କିଏ କରିପାରିନି ଦେବେ । ଜ୍ୱାଇଁ ଝିଅ ଘରକୁ ଆସିଛନ୍ତି ଚଢ଼େଇବେ । ଆଜିକ ବଜାର ଆଚାର ଭଳି ନୁହେଁ । ଉପର ବେଳା ମାଇପେ ତୋଟାକୁ ଆସିବେ । ଘରର ମାଇପେବି ବାଛ ବିଚାର ନାହିଁ । ତୋଟାକୁ ପନିକି ଛୋଟ ବାଉଁଶ ଟୋକିଈ ଆଣିଥିବେ । କଂଚା ଆମ୍ବ କାଟିତ ଯିବେ । ବାଦ ବୁଦିଆ କଟାକଟି । ଦୁଇ ତିନିଘଂଟା ଭିତରେ ୪/୫ ଟୋକେଇ କାଟି ପକାଇବେ । ଘରକୁ ନେଇ ଲୁଣ ହଳଦୀ ଗୋଳେଇ ଖରାରେ ଶୁଖାଇବେ । ବର୍ଷକ ପାଇଁ ଆମ୍ବୁଲ ସାଇତିବେ ତ । ଆଚାର, ଆମ୍ବୁଲ, କରଂକା ଆମ୍ବୁଲ, ଆମ୍ବ ଶଢ଼ା ଏସବୁ ମାଇପଙ୍କ କାମ । ଆମେତ ବହୁଥର କହିଲାଣୁ ନରିଶ, ନିଆଳି ୧୦ କୋଶ ମାଛ ଇଲାକା । ଷୋରିସ, ଆମ୍ବୁଲ ପଡ଼ି ମାଛ ତରକାରି । ଅରୁଚି ରୋଗୀ ପାଟିରୁ ଲାଳ ବାହାରିବ, ଅରୁଚି ଛାଡ଼ି ଯିବ ।

ପୋଗରିତ ଶୋଳଘରିଆ ଇଜିମାଇଲ ତୋଟା । ତୋଟାରେ ସବୁବେଳେ ଲୋକ ହାଉଯାଉ । ହାଲୋଇ ଜିନିଷ ଧରି ଗୁଡ଼ିଆଣୀ ଆସିବେ, ମିଠେଇ, ଡାଳିଗଜା, ଖୁସୀ କୋରା, ଜିଲାପି ବେଳେ ବେଳେ ସକାଳୁ ଗରମ ବରା । ପସରାରେ ଭର୍ତ୍ତିକରି ତୋଟାରେ ହାଜର ହୋଇଯିବେ । ଘେରିତ ଯାଉ । ଘଣ୍ଟାକ ଭିତରେ ପସରାରେ ହାଲୋଇମାଲ ବଦଳରେ ଆମ୍ବ ଭର୍ତ୍ତି । ସେକାଳେ ତ ପଇସା ପତ୍ର ଚଳଣି କମ୍ । ବିକା କିଣା ଜିନିଷ ବଦଳରେ ହୁଏ । ଏବେ ପାଠୁଆ କ’ଣ ତାକୁ ବାର୍ଟାର ଏକୋନମି କହୁଛନ୍ତି । ଗୁଡ଼ିଆ, ତେଲି, ତାମିଲଙ୍କର ଆମ୍ବଗଛ ବିଶେଷ ନଥାଏ । ଆମ୍ବ ନେଇ ଆମ୍ବୁଲ, ଆଚାର କରିବେ । ପାଚିଲା ବେଳେ ପାଚିଲା ଆମ୍ବ ଯାହାକୁ ଯେତେ । ଆମେ ଆମ୍ବ ବଦଳରେ ହିଙ୍ଗିଲ ତ ଖାଇଯାଉ । ଉପର ବେଳା ତେଲୁଣୀମାନେ ଆସିବେ । ତୋଟାକୁ ମାଇପେ ଆସିଥାନ୍ତି । ଘରୁ ବୋତଲ ବି ଆଣିଥାନ୍ତି । କିଣିବେ ସୋରିଷ ତେଲ, ମୁଣ୍ଡ ତେଳ । ସେତବେଳେ ବାସନା ତେଲର ଚଳଣି ହୋଇନି । ସ୍ତ୍ରୀ ଲୋକମାନେ ନଡ଼ିଆ ତେଲ ମୁଣ୍ଡରେ ଲଗାନ୍ତି । ସେ ହେଲା ମୁଣ୍ଡ ତେଲ । ଜିରା, ଲଂକା ସୋରିଷ, ଫୁଟଣ, ପୁଆ, ଗୁଣ୍ଡି, ଧନିଆ ଧୂଆଁପତ୍ର ସବୁଥିରୁ କିଛି କିଛି ବାଂଧନ୍ତି । ପାନ ବଟାତ ଘରେ ଘରେ । ନିଜେ ଖାଇବେ । ଘରକୁ କିଏ ଆସିଲା ଗଲା । ପାନ ଭାଂଗି କରି ଦେବେ । ବେଳେ ବେଳେ ପାନ ବଟା ଥୋଇ ଦେବେ । ସେତେବେଳେ ଆଜିକା ଭଳି ଛୋଟ ନଜର ନଥିଲା । ଦବା, ନବା, ବଂଧୁ ଚର୍ଚ୍ଚା ଅତି ମାମୁଲି କଥା ଥିଲା । ଅଜି କଲେ ପରଜି ଖାଇବା କଥା । ଚାଷୀ ଘରତ । ଚାଉଳ, ଧାନ, ବିରି, ମୁଗ, ପନିପରିବା ଠେଲ ଠେଲ । ପଇସା ଦରକାର ପଡ଼େନି । ମାଲ ଦେବେ ମାଲ ନେବେ । ତେଲୁଣୀ ମାନଙ୍କର ପସରାଖାଲି । ଆମ୍ବ ପସରାଏ ଧରି, “ଯାଉଛି ସମୁଦୂଣୀ । ଦି ଦନ ଛାଡ଼ି ଆସିବ ।” ସମୁଦୀ, ସମୁଦୁଣୀ, ଭାଇ, କକା ଦାଦା, ଜେଜେ ଏମିତି ବାହାର ଲୋକଙ୍କ ସହିତ ଡକାଡକି ଚାଲୁଥିଲା ।

ପୋଗରୀ ତୋଟା ମୋ ମନେତ ମଲା ପର୍ଯ୍ୟନ୍ତ ରହିବ । ଦୁଇଟି ବଡ଼ ଘଟଣା । ଆମେ ୪/୫ ଜଣ ପୁଅ ପିଲା, ଗୋଟିଏ ଝିଅ ୧୩/୧୪ ବର୍ଷ ହେବ । କାଳୀ । ଯୋଇଁ ମିଳୁ ନାହାନ୍ତି । ଯିଏ ଆସୁଛି ଝିଅକୁ ଦେଖି ମୁହିଁ ମୋଡ଼ୁଛି । ୧୩/୧୪ ବର୍ଷ । ହେଲେ ଘର ଯୋଗ୍ୟତ ହେଇନି । ମା ତୋଟା ପାଳିରେ ଝିଅକୁ ପଠାଇ ଦେଇଛି । ତୋଟାରେ ଗୋଟେ ଢୋଲା ଆମ୍ବ ଗଛ ଥାଏ । ଗଣ୍ଡି ପୋକ ଖାଇ ମେଲା । ୧୦/୧୫ ଲୋକ ଗଣ୍ଡି ଭିତରେ ରହିଯିବେ । ଅଦିନିଆଁ ବର୍ଷା ହେଲେ ତୋଟା ଜଗୁଆଳି ଗଛ ଖୋଲ ଭିତରକୁ ପଶିଯାନ୍ତି । ଆମେ ଠିକ୍ କଲୁ ଗୋଟେ ଫିଷ୍ଟ କରିବା । ସବୁ ଯୋଗାଡ଼ ହେଲା । ଶାନ୍ତି ରୋଷେଇ କରିବାକୁ ତୟାର । ପାଖରେ ହାଟୁଆ ସାହି ତିନ୍ତିମୁଣ୍ଡ । ୨ଟା ହାଣ୍ଡି ଆଣିଲୁ । ତୋଟା ଭିତରେ ଗୋଟେ ଚଉକା । ପାଣି ଗୋଟେ ହାଣ୍ଡିରେ ଆସିଲା । ଆମ ଘରେତ ସବୁବେଳେ ବାଲାମ ନଇଲେ ପଦ୍ମ-କେଶରୀ ଚାଉଳ । ମଁ ସେରେ ଅରୁଆ ଚାଉଳ ଆଣିଛି । କିଏ ଡାଲି, କିଏ ବାଇଗଣ, ସାରୁ, କଖାରୁ ଖଣ୍ଡେ ଅଧେ ଆଣିଛନ୍ତି । ପନିକି ତ ତୋଟାରେ ମହଜୁତ୍ ଥାଏ । ଶାନ୍ତି ପରିବା କାଟି ପକାଇଲା । ଝିଅ ଗୁଣ ଭଲ । ମୋ ବୋଉ ତା ମାକୁ ଆଶ୍ୱସନା ଦେଇ କୁହେ “ବଡ଼ ଜେ । ତୁମ ଝିଅ ଭଲ ସଂଠଣା । ତା ପାଇଁ ଭଲ ପିଲା ମିଳିବ । ରୂପ ସୁନ୍ଦର ଶ୍ମଶାନକୁ ଗୁଣ ସୁନ୍ଦର ସଂସାରକୁ । ଗୁଣ ଚିହ୍ନେ ଗୁଣିଆ, ସୂନାଚିହ୍ନେ ବଣିଆଁ, ଝିଅକୁ ଦେଖିବାକୁ ଯେତେବେଳେ କୁଣୁହାଁ ଆସୁଛନ୍ତି ମୋତେ ଡାକିବଟି….” ଶାନ୍ତିବୋଉ ଦୀର୍ଘ ନିଶ୍ୱାସଟେ ପକେଇ କହନ୍ତି, “ନଟ ବୋଉ, ତୁମେ ଜଣେ ଲୋକ ମୋ ଦୁଃଖ ବୁଝି ଦିପଦ କହିଲ । ମୋ ମନ ହାଲକା କରିଦେଲ । ତୁମେ ତ ହୃଦଙ୍ଗାକୁ ଗାଧୋଇ ଯାଅନା । ଆମ ସାହି ମାଇଁପେ ଯେପରି ଟାହିଟାପରା କରି କହୁଛନ୍ତି ମୁଁ ଆଉ ମାସେ ହେଲା ହୃଦଙ୍ଗା ଗାଧେଇବାକୁ ଯାଉନି ମଁ । “ଶାନ୍ତିବୋଉ, ଝିଅକୁ କ’ଣ ଖୁଣ୍ଟରେ ବାଂଧି ବୁଢ଼ୀ କରିବ । ଭଲ ଜ୍ୱାଇଁ ନ ମିଳିଲେ ଛୋଟା କଣାରେ ଦେଇ ଝିଅଟା ବିଦା କରିବ ନା । ଝିଅ, ଘିଅ । କେତେ ଦିନ ରଖିବ । ଝିଅ ତ ଆଡ଼େ ସାଡ଼େ ଉଦଣ୍ଡି ଭଳି ବୁଲୁଛି । କେତେବେଳେ କୁଁ କଥା ଥାଏ । ରାଗୁଛ କି? ତମ ଭଳି ବୁଲୁଛି । ତମ ଭଲ ପାଇଁ କହୁଛିୁ ନାଁ । ଏମିତି ତ ଗାଳି ଦେଇ ଯିବେ । ସତରେ ତ ମୁଁ ଝିଅକୁ ପର ଘରକୁ ଦେଇ ପାରୁନି । କହୁ କହୁ ଆଖିରେ ଲୁହ । ବୋଉ ତା କାନୀରେ ଲୁହ ପୋଛି ଦେଇ କେତେ ବୁଝାଇଲା । ଶାନ୍ତି ମା କହିଲେ “ତୁମ ତୁଣ୍ଡ ସୁତୁଣ୍ଡ ହେଉ । ମୁଁ ଝିଅ କୁ ଉଠେଇ ଦିଏ । ଏ ଆଲକ୍ଷଣୀ ଗୁଡ଼ାକଙ୍କ ମୁହଁ ଗାତରେ ପଶିବ । ତୁମେ ଦେଖିବନି । କଥା ଆମ୍ବରୁ ବେଙ୍ଗ ଆଡ଼କୁ ମାଡ଼ିଗଲାଣି । ହଁ କଟାକଟି ତ ସରିଲା ଇଟା ତିନି ଖଣ୍ଡ ଥୋଇ ଚୁଲି ହେଇଗଲା । ଶୁଖିଲା ଡ଼ାଳପତ୍ର ଗଦା କରି ଦେଲୁ । ଗଣ୍ଡିତ ଉଇ ଖାଇ ପଂପା । ତାରି ଭିତରେ ଗୁଲି । ନକୁଳ ଭାଇନାର ବିଢ଼ିଚାଲେ । ଶାନ୍ତି ଡାଳପତ୍ର ଚୂଲିରେ ଦେଇ ଡିଆସିଲ ମାଇଲା । ଶୁଖିଲା ପତ୍ର । ଫାଇକିନା ନିଆଁ ଧଇଲା । ହାଣ୍ଡିରେ ଭାତ କରିଛି । ନିଆଁ ଉପରକୁ ଉଠିଲାଣି । ହଠାତ୍ ଗୋଟେ ସାପ ଖୋଲ ଭିତରେ କେଉଁଠି ଲୁଚିଥିଲା । ବାହାରି ପଡିଲାକି । ଆମେ କି ଆଉ ଗଛ ମୂଳେ ରହୁ । ଛିନ ଛତ୍ର ହେଇ କିଏ କୁଆଡ଼େ ଦୌଡ଼ିଲୁ । ଭଇଁଚି କୋଳି କଣ୍ଟା ଗୋଡ଼ରେ ଗଳିଯାଉଛି । ତେଲିସାହି ବନା ତେଲି ଆଖି ପଡ଼ିପଯାଇଛି । ଚିତେ ଠେଙ୍ଗା ଧରି ବରଜରୁ ଫେରୁଛି । ବୋଡ଼ା ସାପ । ଦିନରେ ତାଙ୍କୁ ଭଲ ଦିଶେନି । ବେଶୀ ବାଟ ଯାଇନି । ବୁଢ଼ା ବୋଡ଼ା । ବେଙ୍କାଏ ମୋଟ । ୨/୩ ହାତ ଲମ୍ବ । ବନା କକା ୨/୩ ଠେଙ୍ଗା କସିଦେଲେ । ବୋଡ଼ା ନାରାୟଣ । ନକୁଳ ଭାଇନା ଆଖି ପଡ଼ିଗଲା । ଡାକ ପକାଇଲା । “ଆସରେ । ସାପ କାମ ଖତମ୍ ।” ଛାତିରେ ଛେପ ପକାଇ ସମସ୍ତେ ପହଂଚିଗଲୁ । ଆଉ କି ରୋଷଇ । ଗଛ ଭିତରେ ଦୁରଦୁର ହେଇ ନିଆଁ । ଦିନ ନଇଁଲାଣି । ପାଖ ହାଡ଼ି ସାହିରୁ ମାଠିଆ ଆଣି ପାଣି ବୋହି ନିଆଁ ଲିଭାଇଲେ । ଭାଷା ଆଭାଷା ଆମ ଉପରେ ବର୍ଷୁଥାନ୍ତି । ଆମେ ଠରା ଠରି ତୋଟା ଛାଡ଼ି ବାଗେଇଲୁ ଘରକୁ । ଭାତ ବସିଛି । ଫିଷ୍ଟ କାମ ଫତେ । ଶାନ୍ତି ଖୁବ୍ ଭାଙ୍ଗି ପଡ଼ିଛି । ଆମ ବେଳା ଭଲ ସାପ କାହାକୁ କାମୁଡ଼ିନି କହି ଶାନ୍ତି ମୋ ହାତଧରି ଆମେ ଘରେ ପହଂଚିଲୁ । ଆମେ ଘରେ ପହଂଚିବା ଆଗରୁ କଥା ଘରେ ପହଂଚିଯାଇଛି । ନନାତ ପଂଚମ । ବୋଉ ଉପରେ ଝାଡ଼ୁଛନ୍ତି, “ସୁନା ପୁଅ ଧୋଇ କି ନାଚ । ମରିବାକୁ ଆଉ କେତେ ସମୟ । ତାର କି ବିସ୍ ଥିଲା । ପୋଗରି ଯିବାକୁ । … “ବୋଉ କାନିରେ ମୋ ଦେହ ମୁଣ୍ଡ ଝାଡ଼ି ଦେଉ ଦେଉ କହୁଥାଏ, “ତୁମ ପିଲାବେଳେ ତୁମେ କଣ କିଛି କରୁ ନଥିଲ । ଜଗୁଲା କକେଇ ତୁମ ଗୁଣ ମତେ କହିଛନ୍ତି । ଗଛରୁ ପଡ଼ି କିମିତି ଦିହହାତ ଖଣ୍ଡିଆ ଖାବରା କରିଥିଲ । ପିଲାଟା । ଭୁଲ ଭଟକା କରିଛି । ତୁମେ ଏକଦମ ନିଆଁ ବାଣ । ଚାଲ୍ । ଖାଇବୁ ଚାଲ ।” ବାପ ପିଠି ଦେଖେତ ମା ପେଟ ଦେଖେ । ଶାନ୍ତି ତା ଘରକୁ ଗଲାଣି । ମୁଁ କାଠ ଭଳି ଠିଆ ହୋଇଥିଲି । ବୋଉ ହାତଧରି ଖାଇବାକୁ ନେଇଗଲା ।

ଆଉ ଦିନକର କଥା । ଏଥର ପିଲାଙ୍କ କଥା ନୁହେଁ । ବଡ଼ଙ୍କ ଖବର । ଆମ୍ବ ହାଉଯାଉ ପାଚିଲାଣି । ଗାଈଆଣ ଛୁଆ ତୋଟାକୁ ଗାଈ ଆଣିଥାନ୍ତି । ୨୦/୨୫ ଗାଈ । ଜଗୁଆଳି ଦୁଇ ଜଣ । ୧୫/୨୦ ବର୍ଷର ଧନୁ ଭୋଇ ପୁଅ ପରମା, ଅର୍ଜୁନ ଭୋଇ ଝିଅ ମାଳତୀ । ବୟସ ବି ୧୬/୧୭ ହବ । ଦିନ ୨ଟା ୩ଟା ବେଳ । ଆମେ ସବୁ ପୁଣି ପୋଗରୀରେ । ଗାଈ ଆଉ ଜଗୁଆଳି ଖର୍ଦ୍ଦାରେ । ପୋଗରୀ ଠାରୁ ଖର୍ଦ୍ଦା ବେଶି ଜଂଗଲ । ଆମ୍ବ ଗଛ ୧୦୦/୧୫୦ ହବ । ଛେନାପାଣିଆ, ଲଂଗଳ କଂଟିଆ, ଖେଂଟା ସିନ୍ଦୁରି, ହଳଦୀ ଖର୍ଦ୍ଦାର ନାମକରା ଆମ୍ବ । ପରମା ଗଛ ଉପରେ ବସି ବଇଁସୀ ବଜାଉଛି । ମାଳତୀ ଗାଈକୁ ଆଖି ରଖିଛି । ପାଚିଲା ଆମ୍ବ ଗୁଳୁଗୁଳୁ ଗଳୁଛି । ଗାଇ କିଆବୁଦା ମେଲାଯାଗ । ସବୁଠୁ ପାଚିଲା ଆମ୍ବ ଚରୁଛନ୍ତି । ଦିନକୁ ହଜାର ବାରଶହ ଆମ୍ବ ଚରୁଥିବେ । ଗୋଟା ଗିଳିଦିଅନ୍ତି । ଗୁହାଳରେ ସକାଳୁ ୨/୩ ଟୋକେଇ ଟାକୁଆ । ଘରଣୀମାନେ ଖରାରେ ଶୁଖାଇ ଜାଳ କରନ୍ତି । ଦୁହାଁଳିଆ ଗାଈ ଆମ୍ବବେଳେ ଠେକିପୁରାଇ କ୍ଷୀର ଦିଅନ୍ତି । ତିଳ ତ ଆମ ସାଙ୍ଗରେ ତୋଟାରେ ଥାଏ । ତାର ଆଖି ପରମା ଆଉ ମାଳତୀ ଉପରେ ଥାଏ । ସେ ଦିନ କଣ ହେଲା କେଜାଣି ଘନ ନନ୍ଦ ପାଟି କରି କଂପେଇଲେ । ସେ ଖର୍ଦ୍ଦା ଜଗୁଆଳି ଭିତରୁ ଜଣେ । “ତୁମକୁ ତ ଯାଗା ଅଯାଗା ଖାତିର ପଡ଼ୁନି । ଏଠି ରାସଲୀଳା କରୁଛ । କହୁଛି ତୁମ ବୋପାଙ୍କୁ ।” ପରମା, ମାଳତୀ ଥରିଲେଣି । ଆମେ ପାଟିଶୁଣି କିଛି ଠଉରେଇ ପାରୁନୁ । ନନ୍ଦେତ ତୋଟା ଛାଡ଼ି ଚାଲିଲେ । ମାଡିତ ଆସିଲେ ଠେଙ୍ଗା ବାଡ଼ି ଧରି ନିଧି ସାହି ଭୋଇ । ମାଳତୀ ଘର ନିଧି ସାହି । ପରମା ଘର ବାଡ଼ୁଆ ସାହି । କୁଆଡ଼େ ଗଲା ସେ ଟୋକା । ଆମ ଝିଅର ଇଜ୍ଜତ ନେଇଛି । ତାକୁ ମାରି ଶୁଆଇ ଦବୁ । ଜେଲ ଗଲେ ଯିବୁ ।” ମାଳତୀ କାଠ ହୋଇଗଲାଣି ପରମା କିଆବଣ ଭିତରେ ଲୁଚିଯାଇଛି । ଖବରତ କାନକୁ ପାଂଚକାନ ନିମିଶକେ ପହଂଚିଗଲା । ବାଡ଼ୁଆ ସାହିରୁ ୧୫/୨୦ ଠେଙ୍ଗାଧରି ହାଜର । ବୋଲାବୋଲି ହୋଇ ହାତା ହାତି ଯାଏ କଥା ଗଲାଣି । ଆମକୁ ମଜା ଲାଗୁଛି । ଦୂରରେ ରହି ସୁଆଙ୍ଗ ଦେଖୁଛୁ । ଆସି ପହଂଚିଗଲେ । ଥାନ ଅଧିପତି ନିଧି ଷଡଙ୍ଗୀ । ଖରଧାରେ ସେ ବାରଣା ଅଂଶୀଦାର । ନିଧି ମକଦମକୁ ଦେଖି ସମସ୍ତେ ଥମ ପଡ଼ିଗଲେ । ମକଦମ ଦେଖିଲେ କଥାଟା ସେପେଟା ସେପେଟି ନ କଲେ ତୋଟାଟା ଉଜୁଡ଼ିଯିବ । ପାଠ ଦି ଅକ୍ଷର ପଢ଼ିଥାନ୍ତି । ଧନୁ ଥାଉ ଅର୍ଜୁନାକୁ ଡ଼ାକିଲେ । ପଦେ ପଦେ କଥା । ଆରେ ଧନୁ ତୋ ପୁଅକୁ ୧୫/୨୦ ବର୍ଷ ହେଲାଣି । ବାଉରିଘର ପିଲା । ବାହା ହୋଇଥିଲେ ହେଁ ସେ ନାତି, ନାତୁଣୀ ଖେଳାନ୍ତୁଣି । ବାହା କରୁନୁ । ଏକାମ କଣ ସେ ଭଲ କଲା । ସେ କ’ଣ କରିବ? ବୟସର ଦୋଷ । ହଇରେ ଅର୍ଜୁନା, ଏତେବଡ଼ ବଢ଼ିଲା ଝିଅକୁ କାହିଁକି ରଖିଛୁ । ଦିହେଁ ଯାକ ମୋ କଥା ମାନ । ବାଉରି ପୁଅକୁ ବାଉରି ଝିଅ । ବଇସମ ଡାକି ବାହାଘର କରିଦିଅ । ସୂତାକୁ ମାଜିଲେ ସରୁ କଥାକୁ ମାଜିଲେ ମୋଟ । କଣ ବିଚାର କରୁଛ । ମୋ କଥା ମନକୁ ପାଉଛି ।” ସାଆନ୍ତେ ଆପଣେ ବାପା, ମା ଆପଣଙ୍କ କଥା ଫୋପାଡ଼ିବାକୁ ଆମେ କିଏ? ଆପଣ ଟିକେ ଭାଇ ବିରାଦଙ୍କୁ ବୁଝାଇ ଦିଅନ୍ତୁ । ଦିହେଁ ଲମ୍ବ ହେଇ ମକଦ୍ଦମଙ୍କ ଗୋଡ଼ତଲେ ପଡ଼ିଗଲେ । ନିଧି ମକଦ୍ଦମଙ୍କ ଛାତି ମୋଟା ହେଲାଣି । କତା, କୁରାଢ଼ୀ, କଟୁରୀ ଯାଏ ଯାଇଥିଲା । ଛୁଂଚିରେ ସେ ତୁଟାଇ ଦେଲେନା ।” ହଇରେ ତୁମେ ଦିସାହିର ମୁରବୀ ସବୁ ଠେଙ୍ଗା ବାଡ଼ି ଧରି ଆସିଗଲ ଯେ । କ’ଣ ପାଇଁ । ଆରେ ମିଆଁ ବିବିତ ରାଜି । କଣ କରିବେ କାଜି ।” ଯାଆ ବାହାଘର କରେଇ ଦିଅ । ତାଙ୍କ ଚଳନିତ ବାହାଁଚ ବେଟିଚ । ଦିହେଁ ବକତେ ମାଛଭାତ ଦେବେ । ଦି ସାହି ଖାଇବ ।” ସବୁ ରାଗ ରୋଷ ପାଣି ଫାଟିଗଲା । ଗାଈ ଏଣେ ତେଣେ ଗଲେଣି । ଅନ୍ଧାର । ସଂଜ ବେଳ । ଚାରିଦିନ ପରେ ପରମା ମାଳତୀ ହାତଗଣ୍ଠି ପଡ଼ିଗଲା । ମାଳତୀ ଝିଅ ଥେଲା । ବୋହୂ ହେଲା । ବାଉରିଘର ବୋହୂ । ଝାଟିକୁ ନଗଲେ ମାଟିକୁ ଯାଉ । ଏଣିକି ପରମା, ମାଳତୀ ତୋଟାକୁ ଆସୁଛନ୍ତି । ବ୍ରାହ୍ମଣ ଘର ବିଲକୁ ଖତ ଖେଳେଇବାକୁ ଯାଉଛନ୍ତି । ହସ ଖୁସୀ । ଖଟିଲେତ ଖାଇବେ । ଧନୁ, ଅର୍ଜୁନା ଦି ସମୁଦୀ ଏବେ ଖୁବ୍ ମେଳି । ଏକାଠି ମାହାଳ ପାଲା ଦେଖିଯିବା, ବଡ଼ ପୋଖରୀ ଗୋଳି ହଉଛିତ ମାଛ ଧରିବା ବେଶ୍ ସାଙ୍ଗ ସୁଖ । ବ୍ରାହ୍ମଣ ଘରେ ମୁଣ୍ଡ ବିକିଛନ୍ତି ବୋଲି ତାଙ୍କର ଜୀବନ କଣ ଜୀବନ ନୁହେଁ ।

ଆସ ଯଇସମ ଖର୍ଦ୍ଦା ଆଡ଼େ ଆଖି ପକାଇବା । ମୋଗଲ ରାଜସ୍ୱ ସମୟରେ ହିନ୍ଦୁ ମୁସଲମାନ ଯୁଦ୍ଧ । ଯୁଦ୍ଧରେତ ଲୋକେ ଏଠା ସେଠା ହୁଅନ୍ତି । କିଛି ମୁସଲମାନ ଆଉ କିଛି ରାଜପୁତ ନିଆଳିକୁ ଆସନ୍ତି । ୪୦୦/୫୦୦ ବର୍ଷ ତଲର କଥା । ଏବେ ନିଆଳିରେ ୩/୪ ହଜାର ମୁସଲମାନ । ସିଂହ ସାହିରେ ରାଜପୁତ ୪୦୦/୫୦୦ ହେବେ । ସେଇ ମୋଗଲ ସମୟରେ ମୁସଲମାନମାନଙ୍କୁ ଜମି, ତୋଟା ବାଡ଼ି କିଛି କିଛି ମିଳି ଥିଲା । ଯଇସମ ଜଣେ ମିଆଁ । ତାଙ୍କର ବଡ଼ ଆମ୍ବ ତୋଟାଥିଲା । ତାରି ନାଁ ଯଇସମ ଖର୍ଦ୍ଦା । କାଳକ୍ରମେ ହିନ୍ଦୁମାନେ ସାଗ ମାଛ ଦରରେ ତୋଟା କିଣି ନେଲେ । ହେଲେ ଯଇସମ ନାଁ କଣିପାରି ନାହାଁନ୍ତି । ଇତିହାସକୁ ମନେ ପକେଇବାକୁ ଯଇସମ ଆଜିବି ବଂଚିଛି ସ୍ମୃତିରେ । ଯଇସମ ଖର୍ଦ୍ଦାରେ ୨୦୦/୩୦୦ ଆମ୍ବଗଛ, ୮/୧୦ ଏକର ଜମି । ବେତ ବଣ । ଲଂଗଲ କଣ୍ଟିଆ, ନାଲି ସିନ୍ଦୁରି, ସପୁରିଆ, କାମୁଡ଼ ଥୋ, ରସୁଣିଆ, ରସଗୋଲିଆ ଜାତି ଜାତିକା ଆମ୍ବ । ଯଇସମ ଖର୍ଦ୍ଦାର ପଣଶୁଆ ଗୋଟେ ଗୋଟେ ଆମ୍ବ ଆଜିକା କିଲୋ ଓଜନରେ ଦେଢ଼ କିଲୋ ହବ । ଆମ୍ବ ବେଶି ନୁହେଁ । ସରୁଆ ଗଛଟେ । ଆମ୍ବ ୪/୫ ପଣ (୩୦୦/୪୦୦) ଥାଏ । ଦୂରକୁ ବଡ଼ ବଡ଼ ଲାଉ ଓହଳିଲା ଭଳି ଦିଶେ । ସିନେମା ଚିତ୍ର ଭଳି ମନରେ ଗୋଟିକ ପରେ ଗୋଟିଏ ଦୃଶ୍ୟ ଆସିଯାଉଛି । ମୋର ତ ମିଆଁଙ୍କ ସଙ୍ଗେ ଭଲପଡ଼େ । ତୋଟାକୁ ଲାଗି ମୋହଯିନ ମିଆଁଘର । ଟୁଣାକା ଟୁଣିକି ଔଷଧ ବୁଢାଦିଏ । ହାଡ଼ ଭାଂଗିଥିଲେ ବାଉଁସ ଫାଳିଆ ବାଂଧି ହାଡ଼ ଯୋଡ଼ିଦିଏ । ଖେଳୁ ଖେଳୁ ମୋର ଥରେ ଡାହାଣ ହାତ କହୁଣୀରୁ ଖସିଗଲା । ନନା ମୋହଜିନ ମିଆଁ ଘରକୁ ନେଲେ । ବୁଢ଼ା ମୋ ହାତକୁ ଯୋର ରେ ଭିଡ଼ି ଏପରି ବାଗରେ ଛାଡ଼ିଦେଲେ, ଠିକ୍ କରି କହୁଣୀରେ ହାତ ପଡ଼ିଗଲା । ତାପରେ ଠିକ୍ । ମୋହଯିନ ଅଜାଙ୍କ ପୁଅ, ଝିଅ ବହୁତ । ମୋର ତାଙ୍କ ସହିତ ସାଙ୍ଗ । ଖର୍ଦ୍ଦାରୁ ପାଚିଲା ଆମ୍ବ ଟେକା ପକାଇ ନବୁ । ତାଙ୍କ ଘରେ କଟାକଟି ହବ । ଚଲେଇବୁ । ଆମ୍ବତ ଅମାପ । ଧାନ ହେଁସରୁ କୁଆ ଥଣ୍ଟେ ନେଲା ଭଳି ଆମେ କେତେ ନବୁ । କାହାରି ଧରିସାରଣା ନଥାଏ । ବରଂ ବେଳେ ବେଳେ ତୋଟା ଜଗୁଆଳି କୁହନ୍ତି, ଆରେ ମିଠା ଆମ୍ବ ନିଅ । କେତେ ଆମ୍ବ ଖାଇବ । ୫/୧୦ ଗଣ୍ଡା, (୪୦ଟା) ଖାଇବ । ଖାଇଲ କେତେ ଖାଉଛ । ଲଙ୍ଗଳକଣ୍ଟିଆ ଆମ୍ବ ଟୋକେଇଏ ଆଗରେ ଥୋଇଦିଅନ୍ତି । ରସୁଆଳ ମିଠା ବୋଲି ବୀଟିକିଳିଆ ମିଠା । ଆଠ ଦଶଟା ଆମ୍ବ ଖାଇଲେ ମୂହ ବାନ୍ଧି ପକାଏ । ଆମେ ତିନି ଚାରି ଜଣ ମନବୋଧ ଖାଉ । ୪/୬ ଟା ଲେଖାଏ ଧରୁ । ଉଠୁ । ଆଜି ଆମେ ନଇରେ ହଜେଇ ପୋଖରୀରେ ଖୋଜିଲେ କୁଆଡ଼ୁ ଆସିବ । ପୋଗରି ତୋଟାରେ ତ ସେଦିନ ରୋଷେଇଫେଲେ ମାରିଲା । ଶାନ୍ତି ବେଳେ ବେଳେ ଦାଣ୍ଡରେ ଆମ ସାଙ୍ଗରେ କଥାବାର୍ତ୍ତା ହୁଏ । ଆଉ ତୋଟାକୁ ଯାଉନି । ଲୋକେ ତା ମା’କୁ ବାର କଥା କହିଲେ ତ । ଶାନ୍ତି ବୁଝିଲା ପିଲା । ନିଜ ଆଡ଼ୁ ରହିଗଲା । ଏଇ ଆମ୍ବ ମାସ ଭିତରେ ତ ଜଣେ ଶାନ୍ତିକୁ ଦେଖିବାକୁ ଆସିଲେ । ଭଲ ଚଳିଲା ଘର । ୪/୫ ମାଣ ଚାଷ ଜମି । ପାଂଚ ଶେଣୀଆ ଘର । ଶାନ୍ତି ବୋଉତ ବୋଉଠୁ ଇଲମ ପାଇଛି । ବୋଉକୁ ଡାକି ନେଲା । ନ ପଢ଼ିଲେ ବି ଶାନ୍ତି ତ ଆମ ସାଂଗଭଳି । ମୁଁ ବି ବୋଉ ପଛେ ପଛେ ଚାଲିଲି । ପାନ ବଟା ଥୁଆ ହୋଇଛି । ଶାନ୍ତି ବୋଉ ପଡ଼ିଶା ଘରୁ ଶିତଳ ପଟି ଆଣି ପକେଇ ଦେଇଛନ୍ତି । କୁଣୁହାଁ ପୁଅର ବାପ । ତାଙ୍କ ସାଙ୍ଗରେ ଗାଁରୁ ୨ଜଣ ଆସିଛନ୍ତି । ବୋଉ ଗୋଟଶ ନଆ କରି ବାଗ କଲା । ଶାନ୍ତି ନନା ଏ ଭିତରେ ଉଦିଆଗୁଡ଼ିଆ ଦୋକନରୁ କିଛି ହାଲୋଇ ଜିନିଷ ଆଣିଛି । ପରଶିବ କିମିତି । ବୋଉ ମୋତେ ଠାକ ବତାଇ ଦେଲା । ମୁଁ ଘରୁ ୪/୫ଟି କଂସା ଥାଳିଆ, ୩ଟା ଗ୍ଲାସ ଧରି ଦୌଡ଼ିଲି । ଜଳଖିଆ ବାଢାବଢି ହେଲା । ବୋଉ ଶାନ୍ତିକୁ ଲୁଗା ପିନ୍ଧାଇ ଦେଲା । ସେ କାଳରେ ତ ବ୍ଲାଉଜ ଫ୍ଲାଉଜ୍ ବାହାରି ନି । ଲୁଗାକୁ ଭଲ କରି ଦିହ ମୁଣ୍ଡରେ ଘେରେଇ ଜଳଖିଆ ପ୍ଲେଟିଏ ଶାନ୍ତି ହାତରେ ଧରାଇ ଦେଲା । ଶାନ୍ତି ବୋଉକୁ ଏ କଥା ଭଲ ଲାଗୁନି । ଝିଅ ନିଜେ ଯାଇ ଭାବି ଶ୍ୱଶୁରକୁ ଜଳଖିଆ ଦବ । ଲୋକେ କ’ଣ କହିବେ । ଏମିତି ତ ଚଳନି ହୋଇନି । ବୋଉକୁ କିନ୍ତୁ ସେ ରାମ କି ବିଷ୍ଣୁ କହୁନି । ବୋଉ ଶାନ୍ତି ପିଠିରେ ହାତ ଦେଇ କୁଣୁହାଁଙ୍କ ପାଖରେ ହାଜର କରିଦେଲା । ଶାନ୍ତି ଉଦଣ୍ଡୀ ହଁ । ବୋଉ କଥା ମାନି ସେ ଜଳଖିଆ ତଳେ ଥୋଇ ମୁଣ୍ଡିଆ ଗୋଟାକୁ ଗୋଟା ମାରିଗଲା । ଖାଇଲେ । ବୋଉ ଶାନ୍ତିକି ବିଦା କରି ଦେଲା । ଗାଇଲାତ ଗାଇଲା ସମୁଧି, ସୁନା ମୁଣ୍ଡାଟେ ପାଇବ । ସବୁ କାମରେ ସଠଣା । ଦିଟା ଲୋକର କାମ କରିବ । ଶାଶୁ,ଶଶୁରଙ୍କ ସେବା କରିବ । ରୋଷେଇ । କେଉଁଥିରେ ଖୁଣିବାକୁ ନାହିଁ । ଶାନ୍ତି ବୋଉକୁ କଣ ଠାରି ଦେଲା ସେ ଦୋରସା ଆମ୍ବ କାଟି ଦୁଇ ତିନିଟା କଂସାରେ ଥୋଇ ନେଲା, “ସମୁଧି । ଆମ୍ବ ଦିଦି ଖଣ୍ଡ ଖାଅ । ଆମ୍ବରେ ଏଗାଁ ‘ଟେକ’ । ସାଇ ମାଇପେ ଏପଟେ ସେପଟେ କାନେଇଛନ୍ତି । ସବୁ କାମ ସାରି କୁଣିହାଁ ଉଠିଲେ । ଶାନ୍ତି ନନା ଘାସକୁ ବଡ଼ । ପାଳକୁ ସାନ । ସମୁଧି କହିଲେ, “ଆମ ଘରକୁ ଆସ । କଥା ପକ୍କା କରିବା ।” ଉଠିଲେ । ବୋଉ ଶାନ୍ତି ବାପାକୁ କହିଲେ ଯାଅ ଗାଁ ମୁଣ୍ଡରେ ତାଂକୁ ବଳେଇ ଦେଇ ଆସିବ । ବଳେଇ ଦବା କଥା ମିଛ । ବାଟରେ କାଳେ କିଏ କ’ଣ ଫୋଡ଼ିବ ଜଗେଇଲା । ଶାନ୍ତି ବୋଉ ବୋଉକୁ କୁଣ୍ଢେଇ ପକାଇଲା ।” ଡେରି ହେଲାଣି । ନଟ ନନା ଖାଇବେ । ପରେ କଥା ହେବା” ମୋତେ ନେଇ ଘରକୁ ଗଲା । ବୋଉକୁ ଦେଖି ଗାଁ ମାଇପେ ଏଣେ ତେଣେ ଛାଟିପିଟିଛୁ ।

୫/୭ ଦିନ ଯାଇନି । ଶାନ୍ତିର ବାହାଘର । ତୋଳା କନିଆଁ । ବୋଉ ନନାଙ୍କୁ ଲୁଚାଇ ଶହେ ଦେଢ଼ଶହ ଟଂକା ରଖିଥିଲା । ଶାନ୍ତି ବୋଉକୁ ଦେଲା । ଶାନ୍ତି ବୋଉ ଝିଅକୁ ଯେଉଁ ଦିନ ଉଠାଇ ଦେଲା ବୋଉକୁ ଧରି ଭୋ ଭୋ କାନ୍ଦି ପକାଇଲା । ଦୁଃଖରେ ନୁହଁ । ଖୁସୀରେ । “ନଟ ବୋଉ ତୁମ ଋଣ ମୁଁ ଏ ଜୀବନରେ ଶୁଝିପାରିବିନି ।” କାଳି କନିଆ ଉପାଖ୍ୟାନ ଏତିକି । ଆମ୍ବକୁ ଯିବା । ପଥର ପଡ଼ିଆ ତୋଟା ତୋଟାମାନଙ୍କ ଭିତରେ ଟିକା । ଆଗରୁ ଆମେ କିଛି ସୂଚନା ଦେଉଛୁ । ୨/୩ ହଜାର ଛୋଟ ବଡ଼ ଆମ୍ବ ଗଛ । ତୋଟାର ପୂର୍ବକୁ ଡଂଗାଘାଟ ଚାଷ ଜମି । ତୋଟାରେ ପୁରୁବ ଖରା ପଡ଼େ । ପୂର୍ବପଟେ ଆମ୍ବ ଗଛ ଗୁଡ଼ାକ ବିରାଟକାୟ ବରଗଛ ଭଳି । ଗୋଟେ ଗୋଟେ ଗଛ ୨/୩ ଗୁଣ୍ଠ ଚକାଡ଼ାରେ ଡାଳପତ୍ର ଲଦି ହୋଇଥାଏ । ଅଷାଢ଼ୁଆ ଗଛ ୩/୪ ଗୁଣ୍ଠ ଆକାର । ସରୁପତ୍ର ମଣ୍ଡି ହୋଇଥାଏ । ନାକୋଇ, ସିନ୍ଦୁରୀ, ଧୋବଣୀ ଆମ୍ବ ଗଛ ଏକ କୁ ଆରେକ ବଡ଼ । ତୋଟା ଭିତରେ ବେତ ଜଂଗଲ । ବେତକୁ ବେତ ଛନ୍ଦିହୋଇ ବାଟ ଘାଟ ନଥାଏ । ବର୍ଷାଦିନେ ପତ୍ର ଶଢି ୨/୪ ଆଙ୍ଗୁଳି ଖତ । ହାତେ ଲମ୍ବ । ବୁତା ଆଙ୍ଗୁଠି ମୋଟର ଜିଆ ସାଲୁ ସାଲୁ । ତୋଟାରେ କଣ କିଏ ଖତସାର କରୁଛି । ପାଣି ଦଉଛି । ପ୍ରକୃତି ତାର ମା, ବାପ ।

ବଉଳ ଅମାବାସ୍ୟା । ମାର୍ଗଶୀର ମାସ ଅମାବାସ୍ୟା । ମା’ମାନେ ମଣ୍ଡାପିଠା କରି ଆମ୍ବ ଗଛକୁ ପୂଜା କରନ୍ତି । ବେଶୀ ଆମ୍ବ ହବ । ସେଇଠୁ ଆମ୍ବରେ ବଉଳ ଆସେ । ମାର୍ଗଶୀର ଠାରୁ ଫଗୁଣ ମାସ ଯାଏ ଆଗ ପଛ ହୋଇ ବଉଳ ବାହାରେ । ପାଂଚ କେଣ୍ଡିଆ ବଉଳ ଆସି-ଗଲେ ତୋଟା ଜଗୁଆଳି, ମକଦ୍ଦମ ଚାରିପଟେ ବାହାର ଗଛରେ ୧୦/୧୫ ଜାଗାରେ କିଆ ଖଣ୍ଡେ ଲେଖାଏଁ ଓହଲାଇ ଦିଅନ୍ତି । ତୋଟା ଏଣିକି ଜଗା ହେଲା । କିଆତାର ପ୍ରମାଣ । ବେତ ବଣ, ତୋଟାଭିତରେ ବୁଲିବେ କିମିତି । ଗାଁ ମୁଣ୍ଡ ପାଣକୁ ଡାକରା । ବେତ କାଟିବେ । ଚାଂଛିବେ । ମେଲା ଜାଗାରେ ଠାଠା କରି ଗଦା କରିବେ । ୩୦/୪୦ ହାତ (୫୦-୬୦ ଫୁଟ) ଲମ୍ବ ବେତ । ଗୋଟେ ଗୋଟ ଗଦା ୫/୬ ଫୁଟ ଉଚ୍ଚ । ୮/୧୦ ଫୁଟ୍ ଓସାର । ୨/୩ ହଜାର ବେତ ହେବ । ଜଣକେ ୧୦/୨୦ ଗଦା ସକାଳୁ ଉପରବେଳା ଯାଏ ବେତ କଟିବେ । ସକାଳୁ ପଖାଳ ଖାଇ ଆସିଥିବେ । ମଝିରେ ପିଲା ମାଇପେ, ଗରମ, ଭାତ, ମାଛ କଙ୍କଡ଼ା ନ ହେଲେ ଗେଣ୍ଡା ତରକାରୀ କରି ଆଣିଥିବେ । ଖାଇବେ ପ୍ରାଚୀ ନଦୀ ତ ଲାଗିଛି । ନଇ ପଣି ପିଇବେ । କାଚ କେନ୍ଦୁ ପରି ପାଣି । ସୁଅ ପଡ଼ିଥାଏ ତ । ସଫା । ବେତ କଟା ତକ ବାଉରାଣୀ ପଠଉଣୀ କେହି ପସିବାର ନାହିଁ । ବେତ ବଣ୍ଟା ହେବ । ୪ ଗଦା ଲେଖାଏ ପ୍ରତି ଗଦା ପାଖେ ଥୁଆ ହବ । ମକଦ୍ଦମଙ୍କର ୩ ଭାଗ, କଟାଳିଙ୍କର ଗୋଟେ ଭାଗ । ଆଗ ମକଦ୍ଦମଙ୍କ ଭାଗ ତାଂକ ଦାଣ୍ଡକୁ ବୋହିବେ । ସବୁ ମକଦ୍ଦମଙ୍କର ଶଗଡ଼ ବଳଦ ଥାଏ । ପାଇବା ବେଳ ପଡ଼ିଛି । ଶଗଡ଼ ବଳଦରେ ବେତ ବୋହି ଆଣନ୍ତି । ହାତ ଗୋଡ଼ ଲାଗେନି । ମାଗଣା ଫସଲ । ଆଜିକା ଦିନରେ ଲକ୍ଷେ ଟଂକାର ଆୟ ।

ମୋର ଟିକେ ତଥା କଥିତ ଛୋଟ ଜାତି ଲୋକଙ୍କ ସାଂଗରେ ଭଲ ପଡ଼େ । ପଢ଼ୁଛି ତ । ଗାନ୍ଧୀ ସେତବେଳକୁ ମାଇଦାନକୁ ଆସିଗଲେଣି । ହରିଜନ କଥା ଉଠାଇଲେଣି । ମୁଁ ପାଣ ମାନଙ୍କ କାନରେ ଫୋଡ଼େ । “ହଇରେ ଏତେ କଷ୍ଟ କରୁଛ । ଦିହ ହାତ ବେତ ଲାସିରେ ଚିରିଯାଉଛି । ଗୋଡ଼ ବେତ କଣ୍ଟାରେ ସିଲେଇ ହେଇଯାଉଛି । ମକଦ୍ଦଙ୍କର ହାତ ନଲାଗେ ଗୋଡ଼ ନ ଲାଗେ ଚଟୁପିଠା ସୁଆଦ ଲାଗୁଛି । ତୁମେ କୁହ ଅଧାକୁ ଅଧାଦେଲେ ବେତ କାଟିବୁ । ନ ହେଲେ ତୁମେ ଅନ୍ୟ କଟାଳି ଦେଖ ।” ସମସ୍ତଙ୍କ ମନକୁ କଥାଟା ପାଇଗଲା । ଭାଇଗ ପାଣ । ବୁତା । “କୋଟି ପରମାୟୁ ହେଇଥାଉ ମୋର ନାତିର । ବ୍ରାହ୍ମଣ ପୁଅ ହେଇ ତୋର ତ ଏତେ ବୁଦ୍ଧି । ଏ ମକଦ୍ଦମ ଗୁଡ଼ାକ ଏତେ କାଠୁଆ କାହିଁକି । ଆମେ ଗରିବ ନୋକ । ଆମକୁ ଦେଲା ବେଳକୁ ତାଙ୍କ ହାତ ଥରୁଛି । ସବୁବେଳେତ ତଳହାତ କରି ମାଗିଲେ । ଉପର ହାତ କରିବା ମୁଁ ତ ବୁଢ଼ା ହେଲି କେବେ ଦେଖିନି । ହେ ରଘୁଆ, ଦିନା, ହରିଆ ଏ ଉଦି ମକଦ୍ଦମଙ୍କ ପୁଅ ଯାହା କହିଲା ଶୁଣିଲଟି । ରୋକଠୋକ୍ ମକଦ୍ଦମ ଆସିଲେ କହିଦବ । ଅଧା ଦେବତ ଯିବୁ । ନ ହେଲେ ତୁମେ ଅଲଗା କଟାଳି ଦେଖ ।”

ଖବର ଆସିଲା । “ବେତ କଟା ହେବ ଆସ ।” ଆଠ ଅଣା ଭାଗ ଦେଲେ ଯିବୁ ନହେଲେ ତମେ ଅନ୍ୟ କଟାଳି ଦେଖ ।” ମକଦ୍ଦମଙ୍କ ଦୂତକୁ ପାଣମାନେ ରୋକ୍‌ଠୋକ୍ କହି ଫେରାଇଦେଲେ । ନରି ମକଦ୍ଦମ ବଡ଼ ମକଦ୍ଦମ । ଜମିଦାର ସିରାସ୍ତାରେ କଲମ ଚୋରି କରି ୬/୭ ବାଟି ଜମି ସିନା କରିଛନ୍ତି । ହେଲେ ଏ ପାଣଙ୍କୁ ମୁଣ୍ଡ ପାଉନି । ଏ ଶଳାଙ୍କର ନିଜ ବୁଦ୍ଧି ନୁହଁ । ଆମ ଲୋକ କିଏ ଠରକେଇ ଦେଇଛି । ସେ କଂକଡ଼ି ଦଳ ନ ଆସନ୍ତୁ । ଆମେ ବାଉରିଙ୍କୁ ଲଗେଇ କଟେଇବା । ଶଳାଙ୍କ ଅକଲ ଗୁଡ଼ମ ହୋଇଯିବ… ।” ବସ ଚୁପ୍ ହୋଇ । କଥା କହିବାକୁ କ’ଣ ପଇାସା ଖର୍ଚ୍ଚ ହଉଛି । ନା ବଳ ଖର୍ଚ୍ଚ ହେଉଛି । ଗଛରୁ ତୋଳିଲା ଭଳି ଗାଳି ପକାଉଛ । ତୁମ ଦ୍ୱାରା ମଲା କଂକଡ଼ା ଲେଉଟାଇ ହେବନି । ବିଷତ ନାହିଁ । ଫଁ ଦେଖଉଛ । ଆଉ କେହି ତୁମ କଥାରେ ଶୁଣିବାକୁ ଆସିବେନି । ଫସଲ ଉଜୁଡ଼ିଯିବ । ତୋଟାକ ଆମ୍ବ ଖତ ହେବ । ହେ ଧଡ଼, ଉଦିକୁ ଡାକ ।” ନନାଙ୍କୁ ଡକରା ଆସିଲା । ନରି ମକଦ୍ଦମ ନନାଙ୍କ ସଂଗେ ଫୁସ୍ ଫାସ୍ ହେଲେ । ନନାଙ୍କ କଥାରେ ରାଜି ହେଲେ । ଅଧା ନୁହେଁ ତିନିଭାଗରେ ଭାଗେ ନେଇ ବେତ କାଟିଲେ । ପାଣାମାନେ ଖୁସ୍ । ମକଦ୍ଦମମାନେ ସର୍ବାନଶ ସମୁତ୍ପନ ଅର୍ଦ୍ଧଂ ତେଜିତି ପଣ୍ଡିତ ନ୍ୟାୟରେ ସବୁ ଉଜୁଡ଼ିଯିବା ଅପେକ୍ଷା କିଛିତ ପାଇଲେ ।

ଆଗକୁ ଆମ୍ବ ପାଚିବ । ବେତା, ଟୋକେଇ, ଡାଲା ଦରକାର । ଘରେ ଘରେ ପାଣମାନଙ୍କୁ ଡାକି ଟୋକେଇ ବୁଣାବୁଣି ଚାଲିଲା । ଦ୍ୱିପହରେ ମୁଠାଏ ଖାଇବେ । ଟୋକେଇ ବୁଣିଲେ ଟୋକେଇଏ, ବେତା ବୁଣିଲେ ବେତାଏ ଧାନ ମଜୁରୀ । ଏମାନେ କୁଶଳୀ କାରିଗର । ଆଜି ଦିନରେ ୪୦୦ ଟଙ୍କା ମଜୁରୀ । ୧୦ଗୌଣୀଆ ବେତାଟାଏ ବୁଣିବାକୁ ଖୁବ୍ କମରେ ୭ଟା ମଜୁରୀ ଲାଗିବ । ୨୮୦୦ ଟଙ୍କା । ପାଆନ୍ତି କେତେ? ୧୦ ଗୌଣୀଧାନ । ୨୫ କିଲୋ । ସରକାରୀ ମଣ୍ଡି ଦରରେ ଟ୪୫୦.୦୦ । ନଅ ଭାଗରୁ ଭାଗେ । ଜମିଦାର, ମକଦ୍ଦମ, ବ୍ରାହ୍ମଣ, ଚଷା, ଖଣ୍ଡାୟତ ଉଚ୍ଚ ଜାତିର ଲୋକ ଯେଉଁମାନେ ପ୍ରାୟ କୁଟା ଖଣ୍ଡକ ଦିଖଣ୍ଡ କରନ୍ତିନି ଶ୍ରିମକକୁ କେତେ ଶୋଷଣ କରୁଛନ୍ତି ଜାଣି ହେଉଛିତ? ତଥାପି ଏମାନଙ୍କର ଜୀବନ ଜୀବିକା ବେତ ବୁଝୁଥିଲା । ଆଜି ଆଉ ରୋଗୀ ବେତ କନ୍ଦାଟିଏ ପୋଡ଼ି ଖଇବାକୁ ନାହିଁ । ବିକାଶ ଯଜ୍ଞରେ ବେତ ଆହୁତି ଦିଆ ହୋଇଯାଉଛି । ଜଳି ପାଉଁସ । ଏବେ କଂପାନୀ ଟୋକେଇ, ବେତା, ଡାଲା, କୁଲା । ପ୍ଲାଷ୍ଟିକ୍ ଯୁଗ । ପରିବେଶ ପ୍ରଦୂଷଣକାରୀ କଂପାନୀ ମାଲ୍ । ବେତ ବୁଣାଳୀଙ୍କ ହାତକୁ କାମ ନାହିଁ କି ପେଟକୁ ଭାତ ନାହିଁ ।

ବେତ କାମ ସରିଲା । ଧାନ ଉସୁଆଁ ହେବ । ବାଉରାଣୀ, ପଠଉଣୀ ତୋଟାକୁ ଧାଡ଼ି ଲାଗିଲେ । ୧୦/୧୫ ଦିନର କାମ । ଶୁଖିଲା ପତ୍ର ଗୋଟେଇବେ । ବିଡ଼ା ବାଂଧିବେ । ମୁଣ୍ଡେଇ କରି ଘରକୁ ନେବେ । ଘରେ ଘରେ ଢିଙ୍କି । ଧାନ ଉସେଇଁ ଶୁଖେଇ ଢିଙ୍କିରେ କୁଟିବେ । ବଜାରରେ ଢିଙ୍କି କୁଟା ଚାଉଳର ଆଦର । ମୁସଲମାନ ସ୍ତ୍ରୀ ଲୋକମାନେ ଧାନ କିଣି ଚାଉଳ କରୁଥିଲେ । ବିକି ଭାଙ୍ଗି ଦି ପଇସା ପାଉଥିଲେ। ଚାଉଳ କଳ ସେମାନଙ୍କର ଜୀବିକା ଛଡ଼ାଇନେଇଯାଇଛି । ତୋଟାନାହିଁ, ଢିଙ୍କି ନାହି, ନାଲି ଚାଉଳ, ବୋଳା ଚାଉଳ ନାହିଁ ଭାତରେ ବଳ ନାହିଁ । ଆଧୁନିକତାର କି ଧ୍ୱଂସକାରୀ ଅସୁରୀ ଶକ୍ତି । ବିନାଶ ବେଳେ ବିପରୀତ ବୁଦ୍ଧି । ଆଜି ବଡ଼ ଲୋକମାନେ ଖୋଜୁଛନ୍ତି ଢିଙ୍କି କୁଟା ଚାଉଳ । ଆପଣ ହସ୍ତେ ଜିଭା ଛେଦୀ କେତାର ଅଛି ପ୍ରତିବାଦି ।

ଦୋଳ ଯାତ୍ରା ଓଡ଼ିଶାର ଏକ କୃଷି ଭିତ୍ତିକ ପର୍ବ । ଫେବୃୟାରୀ ମାର୍ଚ୍ଚରେ ଦୋଳ ପଡ଼େ । ଲାସି ଲଗା ଆମ୍ବକସି ବିମାନରେ ଝୁଲାଇଦିଅନ୍ତି । ଠାକୁର ପରା ଆଗ ସବୁ ଚାଖିବେ । ଦୋଳଠାରୁ ତୋଟା ଜଗା କାମ ଲାଗେ । ପଥର ପଡ଼ିଆ ତୋଟା ପାଇଁ ୪/୫ ଜଣ ଜଗାଳିଥାନ୍ତି । ମୋ ନନା ସେମାନଙ୍କର ମେରିଆ । ନନାଙ୍କୁ ଗଛ ଚଢ଼ା ଆସେ । ଜାଲ, ଖୁଂଟୁଣି ତିଆରି ଆସେ । ରାତିରେ ତୋଟାରେ ଶୁଅନ୍ତି । ତାଙ୍କୁ ଭୟଭ୍ରାନ୍ତି ନଥାଏ । ପଥର ପଡ଼ିଆ ତୋଟାରେ ଖୁବ ଗହଳି ହୁଏ । ସ୍କୁଲଯିବା ବାଟରେ ତୋଟା । ଆମେ ପକେଟରେ ଲୁଣ ନେଇଥାଉ । କସି ଆମ୍ବ । ଚଂତୁଲାଗିନି । ଲୁଣ ମଡ଼େଇ ଚୋବେଇ ଯାଉ । ଖଟାତ ଖଟା ବ୍ରାହ୍ମଖଟା । ସେତେବେଳେ କିନ୍ତୁ ଆମେ କହୁ କଂଚାସୁଆଦି ଆମ୍ବ । ତୋଟାରେ ଗାଇଆଳ ଭିଡ଼ । ଆମ୍ବ ୨/୩ ମାସ ଗାଈ ଖୁଣ୍ଟରୁ ପିଂଟିଲେତ ଆମ୍ବ ତୋଟାରେ । ବାଉରାଣୀ, ପଠଉଣୀଙ୍କ ଯାତ । ବାଟୋଇ ହାଟୁଆ ପଥର ପଡ଼ିଆ ତୋଟାରେ ପ୍ରତିଦିନ ଶହେ ପଣେ ପସିବା ଥୟ । ତୋଟା ଜଗୁଆଳିମାନେ ତୋଟା ଭିତରେ ଖଣ୍ଡିଏ କୁଡ଼ିଆ ତିଆରି କରନ୍ତି । ପାଚିଲା, ଫଟା, ଝଡ଼ା ଆମ୍ବ ରଖିବେ । ମାଠିଆରେ ମାଠିଏ ପାଣି ଗୋଟେ କଣକୁ । ୪/୫ ଖଣ୍ଡ ପନିକି । ୩/୪ ଖଣ୍ଡ ମୁନ୍ଦୁରା । ଝୋଟରୁ ବାଣି କରି ବେତୁଆଁରେ ମୁନ୍ଦୁରା ମସିଣା ବସିଲା ବେଲେ ବୁଢ଼ାବୁଢ଼ୀ ବୁଣିଥାନ୍ତି । କିଏ କେତେବେଳେ ଗଡ଼ି ପଡ଼ିବ । ୪/୫ ବିଡ଼ା ନଡ଼ା ତକିଆ କାମ ଦିଏ । ଠେଙ୍ଘା ୪ଠଟା କୁଟୁରୀ ୫/୭ ବା ୪/୫ ଖଣ୍ଡ । ହାଣ୍ଡି, ଡଂକା, ତେଲୁଣି, ଚଟୁ ଇମିତି ଗୋଟେ ରୋଷେଇ ସଜ । ଆମ୍ବ ଘୁଘା ପାଚିଲା । ଘରକୁ ଯାଇ ହଉନି । କୁଡ଼ିଆରେ ଦିଟା ଫୁଟାଇ ଦେବେ । ଜାଲ ଖିଅବି ଥାଏ । ପ୍ରାଚୀତ ତୋଟାକୁ ଲାଗିଛି । ମାଛ ଦିଟା ଧରି ଆଣିଲେ ଭାତ, ମାଛ, ଆମ୍ବ ଖଟା ବାସ୍ ପାଖା ପାଖି ୪/୫ ତୋଟା ତ, ବେଳେ ବେଳେ ସବୁ ତୋଟା ଜଗାଳି ଫିଷ୍ଟ କରିବି ମଉଜ କରନ୍ତି । ତାସ ମୁଠେ ଦିମୁଠାଥାଏ । ତୋଟା ଭିତରକୁ କିଏ ଆସୁ ବା ନ ଆସୁ । ବେଳେ ବେଳେ ଡାକ ମାରିବେ, “ଆରେ ତୁମେ କିଏରେ । ଶଳା ଯାଉଛକି ନାହିଁ । ଠେଙ୍ଗେଇ ଦେବି । ବିଲେଇ ଆଖି ଦୁଧ ପିଉଛି । ନାଇଁରେ । ସତ ହେଉଥିଲେ ଏମାନଙ୍କ ରଡ଼ିରେ ସେମାନେ କାବାର । ଫିସାଦିରେ ଏ ତୋଟା ଜଗୁଆଳି ଓସ୍ତାଦ୍ ।

ଖରା ହେଲା । କଂଚା ଆମ୍ବ ଗଳିପଡ଼େ । ବର୍ଷା ଝଡ଼ ହେଲା । କଂଚା ଆମ୍ବ ଝଡ଼ି ଗଦା । ଗୋଟା ହେବ । ଜମିଦାରଙ୍କର ଭାଗେ । ଜଗାଳିଙ୍କର ୩ ଭାଗ । ଆରେ ଜମିଦାର ସୁଖିଲାରେ ବାଳିଆ ପିଟୁଛନ୍ତି ନା । ଜଗୁଆଳି ନଥିଲେ ଆମ୍ବ କଣ ଚୋପାବି ଦେଖନ୍ତିନି । ନନା ସେମାନଙ୍କୁ ସାଇଜ କରିଥାନ୍ତି । ଜଗୁଆଳି ଆମ୍ବ ପୁଣି ସେମାନଙ୍କ ମୁଣ୍ଡ ଗଣତି ଅନୁସାରେ ବଣ୍ଟା କୁଣ୍ଟା ହୁଏ । ଘରକୁ ନିଅନ୍ତି । ଆମ୍ବୁଲ, ଆଚାର, କରଂକା ଆମ୍ବୁଲ ଏସବୁ ସ୍ତ୍ରୀ ଲୋକମାନଙ୍କର କାମ । ସେମାନେତ ପୁଣି ମଣିଷ । କେତେ କାମ କରିବେ । ଘର ପାଇଟି, ରଂଧାବଢ଼ା, ପିଲାଛୁଆଙ୍କ କାମ ଅଲେଇ ବଲେଇ ସବୁ, ତାଙ୍କ ମୁଣ୍ଡରେ । ପୁଣି ଆମ୍ବ କାମ । ବୋଝ ଉପରେ ନଳିତା ବିଡ଼ା । ପୁରୁଷ ଗୁଡ଼ାଙ୍କୁ ଡରି ହରି ମରଣାତ ଖଟଣୀ । ମନୁ, ଚାଣକ୍ୟତ ସେମାନଙ୍କୁ ପୁରୁଷଙ୍କର ଦାସୀ କରିଦେଇଯାଇଛନ୍ତି । ସ୍ତ୍ରୀ ଲୋକମାନେ ବି ଏତେ ସରି ହଉଛନ୍ତି । ପ୍ରତିବାଦ କାହିଁ? ଆମେ ପାଠ ପଢ଼ିଲା ବେଳେ ଚିଠି ଲେଖା ଥିଲା । ମେଡ଼େଲ ଚିଠି ବହିବି ବଜାରରେ ବିକ୍ରି ହେଉଥାଏ । ସ୍ୱାମୀ ସ୍ତ୍ରୀକୁ ଚିଠି ଲେଖୁଛି, ପ୍ରିୟତମା, … ତୁମର ପ୍ରଭୁ (ସ୍ୱାମୀର ନାମ) । ସ୍ତ୍ରୀ ସ୍ୱାମୀକୁ ଚିଠି ଲେଖିବ, ପ୍ରୟତମ, ….. ତୁମର ହତଭାଗିନୀ ଦାସୀ (ସ୍ତ୍ରୀର ନା ଲେଖା ହବନି) । ୧୯୪୦-୫୨ ପର୍ଯ୍ୟନ୍ତ ଏଚଳଣି ଥିଲା । ତେଣିକି ଗଲେ ବେଳ ପାଇବନି । ନିଜେ ନମଲେ ସ୍ୱର୍ଗ ଦେଖିବ କିମିତି? ଆମ୍ବକୁ ଆସିବା । ଘରେ ସ୍ତ୍ରୀଲୋକ ମାନେ ତ ଆମ୍ବ କାମ କଲେ । ତୋଟାରେ ତ ପିନିକି ଅଛି । ରାତିରେ ଜଗୁଆଳିମାନେ ବି ଲାଗିଯାନ୍ତି । ବର୍ଷକ ପାଇଁ ଘର ଖର୍ଚ୍ଚକୁ ଆମ୍ବୁଲ, ଆଚାର । ବିକାବିକି କରି ୨/୪ ପଇସାବି କରିଥାନ୍ତି ।

ଏମିତି କଣ କଞ୍ଚା ଆମ୍ବ ରାଜୁତି ଚାଲିଥିବ । ଆମ୍ବ ପାଚିବନା ଆଗ ପୋକ ଶୁଂଘା ଆମ୍ବ ପଡ଼ିଲା । ପରେ ପରେ କରଡ଼ି ଖସିଲା । କରଡ଼ି ପାଚିଲା ମାନେ ପାଚିଲା ଠିକ୍ । ମାତ୍ର ଟାକୁଅଟା ଖୁବ୍ ପତଳା, ଛୋଟ । ଏଥର ବେଳ ହେଲା । ସମସ୍ତେ ଜାଗତିଆର । ସେଇ ଠାକୁର ଭୟ । ଆଗ ପାଚିଲା ଆମ୍ବ ୫/୧୦ଟା ଗାଁ ଠାକୁରଙ୍କ ପାଖରେ ଲାଗି ହବ । ପାଢ଼ିବି ଚାହିଁଛି । ପହିଲି ପାଚିଲା ଆମ୍ବ ସେ ଖାଇବ । ତା ପରିବାର ଖାଇବେ । ପଥର ନା ପାତିର ନାଁ । ଧାନ ଯେପରି ୬୦ ଦିନିଆଁ, ୮୦ ଦିନିଆଁ, ୧୦୦ ଦିନିଆଁ ବା ୧୪୦ ଦିନିଆଁ ଆମ୍ବ ବି ସେମିତି ଆଗ ପଛ ହେଇ ପାଚନ୍ତି । ପୁଣି ବଉଳ ଦିନକୁ ଦିନ ଧରି ପାଚନ୍ତି । ମହାବିଷୁବ ସଂକ୍ରାନ୍ତି ଏପ୍ରିଲ ୧୪ । ଚୈତ୍ର ମାସ । ପଣାକୁ ଆମ୍ବ ବଣ୍ଟା । ଚୈତ୍ର, ବୈଶାଖ ଜ୍ୟେଷ୍ଠ, ଆଷାଢ଼ ୪ ମାସ ଆମ୍ବ ରାଜୁତି । ପାଂଚ କାଣ୍ଡିଆ ହେଇ ଆମ୍ବ ପାଚିଲା । ରାତିଯାକ ପାଚିଲା ଆମ୍ବ ଝଡ଼ିବ । ସକାଳୁ ଗୋଟିଆ । ୪/୫ କିସମର ଲୋକ ଅନ୍ଧାରରୁ ତୋଟାରେ ବୁଲିବେ । ବାଡ଼ି ତଡ଼ା ଧରିଥିବେ । କଣ୍ଟା ଆଡ଼େଇ ଆମ୍ବ ଗୋଟେଇବେ । ଜଗୁଆଳି ଆଗ ଧାଡ଼ିରେ ଚାଲିଲେ । ତାଙ୍କ ଭିତରେ ପ୍ରତିଯୋଗୀତା ନାହିଁ । ଯିଏ ଯାହା ଗୋଟାଉ ସବୁତ ଏକାଠି ଜମା ହେବ । ତା ପଛକୁ ଭୋଇ ବିରାଦ, ତେଲି, ତାମିଲ, ବେହେରା ସିଠ (ଧୋବା) ତଥା କଥିତ ଛୋଟ ଜାତିର ଲୋକ । ଏ ମାନଙ୍କର ଗଛ ପତ୍ର ନଥାଏ । ଆମ୍ବତ ।

ସମସ୍ତଙ୍କର ଆଶା । ଦିଟା ଗୋଟେଇବାକୁ ସମସ୍ତେ ବାଉଳା । କଣ୍ଟାବୁଦା, କୋଳିବୁଦା, ବେତ ବୁଦା,ବାଡ଼ିରେ ଆଡ଼େଇ ଆଡ଼େଇ ଏମାନେବି କିଛି କିଛି ଗୋଟାନ୍ତି । ୨୦/୨୫ ଜଣ । ଜଣକେ ୫୦/୬୦ରୁ କମ୍ ଆମ୍ବ ପାଆନ୍ତି ନି । ତାଙ୍କ ପଛକୁ ଆସିଲେ ପଠଉଣୀ, ବାଉରାଣୀ, ତେଲୁଣି ଏଥର ମାଇପି ଗୋଟାଳି । ଏମାନଙ୍କର ଦୃଷ୍ଟିଶକ୍ତି ତୀକ୍ଷ୍ମ । ତିନି ଦଳ ଗଲା ପରେ ବି ପୁଣି ଆମ୍ବ ଲୁଚିଥାନ୍ତି । ଏମାନଙ୍କ ଭିତରେ ତୀବ୍ର ପ୍ରତିଯୋଗିତ । ଦୌଡ଼ା ଦୌଡ଼ିକରି ଝାଂପି ନେଲାଣିତ ଆଉ ଜଣେ କୋଉଠି ବୁଦା ତଳୁ ୨/୩ ଟା ଆମ୍ବ ଝାଂପିଲାଣି । ଏ କ’ଣ ଅସରନ୍ତି ଭଣ୍ଡାର । ତିନି ନମ୍ବର ଦଳବି ୨୦/୩୦ ଅଣ୍ଟିରେ ପୁରାନ୍ତି । ଦିନ ବଢ଼ୁଛି । ନିଆଳିକୁ ତ ରାସ୍ତା ତୋଟା ଦାଢ଼ରେ । ବାଟୋଇ ୫/୧୦ ପସିଲେ । କୋଡ଼ ଦେଶୀଆ ଯଦି ଆଖୁ ଖାଏ । ଆଉକି ସେଥିରେ ରସଥାଏ । ଏମାନେ ହତାଶ ପାର୍ଟି । ପାଖ ଗାଁ ଲୋକ । ଚିହ୍ନା ତୋଟା ଜଗୁଆଳି ନାଁ ଧରି ଡାକନ୍ତି । ସେମାନଙ୍କୁ ଗଦା ଆମ୍ବରୁ ୪/୫ ଗଣ୍ଡା ଲେଖାଏଁ ଦିଅନ୍ତି । ଦେଇ ନେଇ ନ ପାରିଲେ ଆମ୍ବ, କାକୁଡ଼ି କର । ଆମ୍ବର ଦିନ । ଆମ୍ବ ସରିଗଲେ ଟାକୁଆ ବଣ । ସବୁବେଳେ ମୁହଁ ଚାହାଁଚାହିଁ । କାଲି ସକାଳେ କହିବେନି ଶଳା ବ୍ରାହ୍ମଣ ଗୁଡ଼ାକ କାମ୍ପି, ଏଡ଼େ ବଡ଼ ତୋଟା ଗୋଡ଼ ଭାଂଗି ଠିଆ ହେଲୁ ଆମ୍ବ ଦିଟା ଦେଲେନି । କୋଠ ଆମ୍ବରୁ ଏମିତି କି ଖଇରାତ ।

ଆମ୍ବ ବଣ୍ଟା ବଣ୍ଟି ହେଲା, ମାଲିକ ମାନେ ଆସି ତାଙ୍କ ଆମ୍ବ ନେଲେ । ଜଗୁଆଳିମାନେ ସେମାନଙ୍କ ଭାଗ ଏକାଠି କରି ପୁଣି ତାଙ୍କ ଭିତରେ ବଣ୍ଟା କୁଣ୍ଟା । କଅଁଳ ଗାଧୁଆ ବେଳ ହେଲାଣି । ଦାନ୍ତପତ୍ର ଘଷିଲେ । ସମସ୍ତେ ଘରୁ ମୁଢ଼ି, ଚୁଡ଼ା, ଚାଉଳଭଜା ପୁଡ଼ା ଆଣି ରଖିଥାନ୍ତି । ଏ ଭିତରେ ତୋଟାକୁ କୁମ୍ଭାର, କୁମ୍ଭାରୁଣୀ ଆସିଲେଣି । ହାଣ୍ଡି କୁଣ୍ଢେଇ ଘରପାଇଁ ସମସ୍ତେ ରଖନ୍ତି । ମୁଢ଼ି ଚୁଡା ଖାଇବେ ପଲମ ୫/୭ ଟା ବାନ୍ଧନ୍ତି । କୁମ୍ଭାରୁଣୀ ୨ଟି ବଡ଼ ଧାନ ଉସୁଆ ହାଣ୍ଡି ଆଣିଥାଏ । ଦିହାଣ୍ଡି ଆମ୍ବ ଧରି ପୁରୁଷ ସ୍ତ୍ରୀ ଚାଲିଲେ । ତୋଟା ବାଲାଙ୍କ ପାଇଁ ମାଗଣା ହାଣ୍ଡି କୁଣ୍ଢେଇ । କୁମ୍ଭାର ପାଇଁ ମାଗଣା ୨/୩ ପଣ (୨୦୦/୩୦୦) ଆମ୍ବ । ବଦଳ ବେପାର । ଚଷା ଲକ୍ଷେ ଜୀବ ପୋଷା । କେତେ ଲୋକଙ୍କ ଜୀବନ ଜୀବିକା ତୋଟା ଯୋଗାଉଛି । ହଁ ଜଳଖିଆ । ଏମାନେ ତ ଆମ୍ବ ଚିହ୍ନିବାରେ ପୋକ । ୪/୫ ଗଣ୍ଡା ଲେଖାଏଁ ମିଠା ରସୁଆଳିଆ ଆମ୍ବ ପଲମରେ ଚିପୁଡ଼ି ମୁଢ଼ି ପକାଇ ଚଲେଇ ଦିଅନ୍ତି । ଆମ୍ବ ରସରେ ମୁଢ଼ି । ମୁଡ଼ ମୁଡ଼ ମିଠା । ଏ ମଜା କହିଲେ ଚାଖି ହେବନି । ଆଉ ଆଜି ଇଚ୍ଛା କଲେ ବି ସ୍ୱପ୍ନ । ଗଛତ ନାହିଁ । ଫଳ କାହୁଁ ଆସିବ ।

ଆମ୍ବ ୨/୩ ମାସ ଆମର ସ୍କୁଲ ବାହାଞ୍ଚ ବେଟିତ । ଜଗୁଆଳି ଆମ୍ବ ମୁଣ୍ଡାଇ ଘରକୁ ଗଲେ । ଆମ ପାଳି ପଡ଼ିଲା । ଆମେ ୫/୭ ଆସିଗଲୁ । ଆମର ଚରିବା ଆରମ୍ଭ ହୋଇଗଲା । ୨/୪ ପୁଲା ଚାଖୁଥାଉ । ଫୋପାଡ଼ୁଥାଉ । ପୁଣି ଅମାପ ଆମ୍ବ ଝଡ଼ିଗଲାଣି । ସମୁଦ୍ରାରେ ପଶିଛୁ । ଗୋଡ଼ଓଦା ହବତ ହବ । ଆସିଗଲେ ଗାଈ, ଗାଈଆଳ । ୧୫୦/୨୦୦ ଗାଈ । ୫/୬ ଗାଈଆଳ । ଝିଅ, ପୁଅ । ସାତ ତାଳ ପଙ୍କରୁ ଅସୁରୁଣୀ ଫରୁଆ ବାହାର କଲାଭଳି ଗାଈତ ଖେଦିଯାନ୍ତି । ଏତେ ଖୋଜା ଖୋଜିରେ ତାଙ୍କ ପାଇଁ ବି ମାଲଥାଏ ସଂଜଯାଏ ତୋଟାରେ ବୁଲା । ପେଟେ ଲେଖାଏଁ ଆମ୍ବ ଉଦରସ୍ଥ କରନ୍ତି । କୁବେର ଭଣ୍ଡାର । ଅସରନ୍ତି । ପିଲାଳିଆ ଢଙ୍ଗ ଗଛକୁ ଟେକା ପକାନ୍ତି । କଂଚା ପାଚିଲା ଆମ୍ବ ଗଳିପଡେ । ଆମର ତାଙ୍କର ହାତାହାତି । ସେବି ଖଦା କଲେ । ଆମେ ବି ଖଦା । ତିଳ ପହଂଚି ସରିବରି କରିଦିଏ । ମନେଥିବ ସିଂହ ସାହି ଡଂଗା ଘାଟ ଗଜାତୋଟା । ପଥର ପଡ଼ିଆ, ଗଜା ତୋଟା ପାଖାପାଖି । ସେବତୀ ତ ଉଦଣ୍ଡୀ । ସେବତୀ ଦୌଡ଼ି ଦୌଡ଼ି ପଥର ପଡ଼ିଆରେ । ଆମେ ସମସ୍ତେ ହାଁ କରି ଚାହିଁଛୁ । ତିଳକୁ ଭିଡ଼ି ନେଇ ପାର । ଆଷାଢ଼ୁଆ ଗଛମୂଳେ ତିଳକୁ ଭିଡ଼ି ବସାଇ ଦେଲା । ନିଜେ ବସି ପଡ଼ିଲା । ତାଙ୍କର କଣ ଗପ ଚାଲିଲା ଚାଲିଲା ଯେ ଘଣ୍ଟାଏ । କାହିଁକି କଣ ନକୁଳ ଭାଇନା ଦାନ୍ତ କଡ଼ ମଡ଼ କରୁଥାଏ । ନନା ଆଗ ଆସିଗଲେ । ଖୁଣ୍ଟୁଣୀ, ଜାଲ ଆଣିଛନ୍ତି । ମାଉଁଣିଆ ଗଛରେ ଚଢ଼ିଗଲେ । ଆଗରୁ ବୋଧେ କହିଛୁ । ମାଉଁଣିଆ ଆମ୍ବ ଗୋଟାକ ସେରେ ଦିସେର । ଲାଉ ଭଳି । ଗଛରେ କାଇ ଉର୍ତ୍ତି । ଘସି ପାଉଁସ ଦିହସାରା । ବୋଳି ହେଇ ପଡ଼ିଲେ । ଖୁଣ୍ଟୁଣୀ ଜାଲ ଧରି ଚଢ଼ିଲେ ଗଛରେ । ତାଙ୍କର ପତାଲେଇ ଆଖି । ଖୋଜି ଖୋଜି ୧୦ ଗଣ୍ଡା (୪୦ଟା) ଖଣ୍ଡେ ପାଚିଲା ଆମ୍ବ ତୋଳି ଜାଲରେ ରଖନ୍ତ । ଖୁଣ୍ଟୁଣୀ ଆଗରେ ଜାଲ ବାଂଧି ତଳକୁ ଖସେଇଲେ । ମୋତେ ହୁକୁମ ଜାଲରୁ ଆମ୍ବଢ଼ାଳି ମୁଁ ପୁଣି ଖୁଣ୍ଟୁଣୀରେ ଜାଲ ବାନ୍ଧିଦେଲି । ଅନ୍ୟ ଜଗୁଆଳିମାନେ ଗଣିଲେ ଆମର ଛୁଟି ତିଳତ ସେବତୀ ପାଖରେ । ତିଳଟା ଟିକେ ମାଇଚିଆ । ସେବତୀର ୧୦ପଦକୁ ତିଳ ପଦେ ଭଳି ଆମକୁ ଦୂରକୁ ଜଣାପଡ଼ୁଥାଏ । ତିଳ ତୁ ଆ ଆମେ ଚାଲିଲୁ ।

ଆମ୍ବ ହାଉଜାଉ ହୋଇ ପାଚିଲା । ଏଥର ହଟବାରିରେ ରବିବାର ଗୁରୁବାର ଆମ୍ବ ହାଟକୁ ଯିବ ଅବାରିଆରେ କେବଳ ନନା ବଛା ବଛା ମିଠା, ଭଲ ଆମ୍ବ ବେତାରେ ମୁଣ୍ଡେଇ ବଜାରକୁ ନିଅନ୍ତି । ଅତି ଭଲ ଆମ୍ବ ୧୦/୧୫ ଗଣ୍ଡା ଜାଲରେ ବାଂଧି ବେତା ଉପରେ ନେଇଥାନ୍ତି । ବେତା ପଢ଼ିଲା, ବେତାଏ ଆମ୍ବ, ୩/୪ ପଣ (୩୦୦/୪୦୦) । ଆଜି କୋଉ ମର୍ଦ୍ଦ ତଳୁ ଉଠାଇ ପାରିବ । ଖାଇଲତ ହାଇଇଲଡ଼ିଂ ଭାତ । ଫଳ ବେଶୀ । ବଳ କମ୍ । ଭୋତିଆ ଚାଉଲ ଭାତ । ବିଲେଇ ଡେଇବନି ଥାଳିଏ । ମୁଗ ଡାଲି ବେଲାଏ, ମାଛ ସୋରିଷ ପାଣି ଗିନାଏ ଦି ଗିନା । ବକତେ ଖାଇଲେ ୧୦/୧୨ ଘଣ୍ଟା ପେଟରେ ଯକ ରହିବ । ଘୋଡ଼ା ଭଳି ବଳ । ଖାଇ ମର୍ଦ୍ଦ ନା ଖାଇ ମର୍ଦ୍ଦ । ବିଶତ ଖାଇଲ । ଆପେ ଅର୍ଜିଲା କର୍ମ ଫଳ, ବେଳୁ ହୋଇବ ସାବଧାନ । ବେଳେ ବେଳେ ମୁଁ ନନାଙ୍କ ସାଙ୍ଗରେ ଅବାରିଆ ବଜାର ଯାଏ । ଆରେ ଏ କ’ଣ । ତଳେ ଥୁଆ ଗୋଡ଼ ଧୁଆ । ମାର୍କାମରା ଗରାଖ ହାଜର । ଘଣ୍ଟାଏ ବି ନୁହଁ । ଅଧଘଣ୍ଟାକ ଭିତରେ ବେତା ଖାଲି । ବେଶୀ ମିଆଁ ଗରାଖ । ତୁମକୁ ମିଛି ମତେ ସତ ସେମାନେ ଭଲ ଖାନ୍ତି । ନନାଙ୍କର ତାଙ୍କ ସାଙ୍ଗର ଭଲ ପଡ଼େ । ନନା ନିଆଳି ଜୋଇଁ ତ । ନନାଙ୍କ ଶଶୁର ଜମ୍ବୁ ମିଶ୍ରେ (ଜମ୍ବେଶ୍ୱର ମିଶ୍ର) । ପକ୍କା ମାମଲାତକାର । ତାଂକ ଖାତିରରେ ନନାଙ୍କୁ ଖାତିର । କିଏ ଭାଇନା ଡାକନ୍ତି ତ କିଏ ଚାଚା । ବୟସ୍କ ଲୋକେ ଜୋଇ ପୁଅ ବୋଲ ଡାକିଥାନ୍ତି । ନିଆଳିରେ ହିନ୍ଦୁ ମୁସଲମାନମାନେ ହେତୁବେଳୁ ଦେଖୁଛି ଭାଇ ଭାଇ ଭଳି ଚଳନ୍ତି । ୮/୧୦ ଟଂକା ଗୁଡ଼ାଏ ପଇସା । ନନା ମୋତେ ଚାରେଣିଟିଏ ଦିଅନ୍ତି । ପଂଚୁ ଗୁଡ଼ିଆ ଦୋକାନରୁ ସେତେବେଳେ ଖାଏ । ବାକି ଘରକୁ ଆଣେ । ବୋଉକୁ ଦିଏ, ଆମେ ଭାଇଭଉଣୀ ଛଅଜଣ । ବୋଉ ସମସ୍ତଙ୍କୁ ବାଣ୍ଟିଦିଏ । ମୋତେ ଦିଖଣ୍ଡ ଅଧିକ ଦବ । ମୁଁ ବଡ଼ ପୁଅତ । ଫେର ପାଠ ପଢ଼ୁଛି । କି ପାଠ ଏବେତ ମାସେ ହବ ସ୍କୁଲ ଦେଖିନି । ପଥର ପଡ଼ିଆରେ ପାଠ ।

ନିଆଳି ହାଟକୁ ଆମ୍ବ ଯିବ । ୩/୪ ପାଳି ମୁଣ୍ଡରେ ବବୁହା ହୁଏ । ସକାଳୁ ସକାଳୁ ଆମ୍ବ ହାଟ ଲାଗିବ, ସବୁ ଭାଗୁଆଳି ବେତେ ବେତେ ନେବେ । ତଳେ ଥୁଆ ଗୋଡ଼ ଧୁଆ । ୪/୫ଥର ମାଲ ଯିବ । ପଥର ପଡ଼ିଆ ଆମ୍ବ, ପୁଣି ଉଦିଆ ଭାଇନାଙ୍କ ଆମ୍ବ ଗରାଖତ ଲାଇନ ଦେଇଥିବେ, ଅନ୍ୟ ତୋଟାରୁ ଆମ୍ବ ଆସେ । ହେଲେ ପଥର ପଡ଼ିଆ ଆମ୍ବ ଭଳି ସେ ସବୁର ଆଦର ନଥାଏ । ସବୁ ପଇସା ନନା ରଖନ୍ତି । ଆମ୍ବ ସରିବ । ପଇସା ବଣ୍ଟାକୁଣ୍ଟା ହବ । ନନା ପଇସାଏ ଏପଟ ସେପଟ କରିବେନି । କାଳେ ବୋଉ ଖେଣ୍ଟିବ ଗୋଟେ ପେଟାର ରେ (ବେତରେ ବୁଣା) ରଖି ଚାବି ପଇତାରେ ବାଂଧୁଥିବେ । ଆମ୍ବ ବନ୍ୟା, ଆଉ ମୁଣ୍ଡ କାମ ନୁହେଁ । ସମସ୍ତଙ୍କର ତ ଶଗଡ଼ ବଳଦ । ବଡ଼ ମକଦ୍ଦମଙ୍କର ୨ ଖଣ୍ଡ ଶଗଡ଼ । ଆଠ ଦଶ ଖଣ୍ଡ ଶଗଡ଼ରେ ଆମ୍ବ ଯିବ । ତୋଟାରୁ । ମୋଟ ଜମା, ୫/୬ ଖଣ୍ଡ ଶଗଡ଼ରେ ଓଦରରେ ଆମ୍ବ । ୨/୩ ଖଣ୍ଡରେ ବେତାରେ । ସବୁ ଭଲ ମନ୍ଦ ନନାଙ୍କୁ ଜଣା । ଆମକୁ ବି କୌତୁକ ଲାଗେ । ଚାଲୁ ଶଗଡ଼ ପଛେ ପେଛ । ଶଗଡ଼ ଉପରୁ ଆମ୍ବ ବିକ୍ରି । ପଣ (୮୦ଟା) ଆଠ ଅଣାରୁ ୧ଟଙ୍କା ଭିତରେ । ବେତାରେ ଠିକ୍ ଆମ୍ବ । ନନା ବେଶ କାରବାର କରନ୍ତି । ବେତା ଆମ୍ବ ପଣ ୨ ଟଂକାରୁ ଖୁବ୍ ବେଶୀରେ ୪ ଟଂକା । ଆମ୍ବ ଧୁଆହୋଇ ଯାଇଥାଏ, ବଛା ଆମ୍ବ । ୨ଗଣ୍ଡା ଠାରୁ ୨/୩ ପଣ କିଣିବା ଗରାଖ ଥାନ୍ତି । ଗରାଖ ହାଉଯାଉ ହେଲେ ସୋଭାନ ଅଜା (ଦୋଭାନ ଖାଁ, ନିଆଳିର ମୁରବୀ) ୨/୩ ପଣ ଆମ୍ବ ଧରିବେ । ତାଙ୍କର ପାନ ବରଜ ଥାଏତ । ପାନ ପଇସା ଧାନଠୁ ଅଧିକ । ସେବି ବେଶ୍ ଖର୍ଚ୍ଚି ଲୋକ । ନନାଙ୍କୁ ଦାମ ପଚାରନ୍ତି, ନନା କୁହନ୍ତି କ’ଣ ଦଉଛ ଦିଅ । ନନା କୁହନ୍ତି “ସେ କାଇଲି ଲୋକ, ମୁଁ ଯାହା କହିଥାନ୍ତି ସେ ଅଧିକା ଦିଅନ୍ତି ।” ଗରାଖ ହାଉଯାଉ ହେଲେ ସୋଭନ କହନ୍ତି, “ଆବେ ଠରେନା, ସେତ ଜଣେ ଲୋକ ଅଛନ୍ତି । ତୁମକୋ କ୍ୟା ଖାତିର ପଡୁନି” । ଅଜା କହନ୍ତି, “ସେ ପରା ଆମ ଗାଁ ଜ୍ୱାଇଁ ଉଡ଼ନା କାହିଁକି?” ସୋଭାନ ଖାଁ ଜଣେ ପୋଖତ ମୁରବୀ । କୋଠ ପଇସା । ମାଲିକ, ଜଗୁଆଳି ସମସ୍ତଙ୍କର ନନାଙ୍କ ଉପରେ ଅଖଣ୍ଡ ବିଶ୍ୱାସ । ଏ କୋଠ ଜମାକୁ ନନା ଆଉ ଗୋଟେ ପେଟରାରେ ରଖି ଚାବି ପଇତାରେ ବାଂଧିଥାନ୍ତି ।

ଦିନକର କଥା । ମୁଁ ବି ଗୋଟେ ଖଇଚା କାମ କରିଦେଲି । ଆମେ ପିଲାଏ ତୋଟା ଜଗିଛୁ । ଭୋଇ ଘର ସ୍ତ୍ରୀ ଲୋକ, ପଠାଣ, ମାଇପେ, ଗାଇଆଳ ପିଲା ଯେ ଯାହାର ଅମ୍ବ ଯୋଗାଡ଼ରେ ଗୁରୁବାରି ବାଉରାଣୀ । ବୟସ ୩୦/୩୨ ହବ । ଅଣ୍ଟିଏ ଆମ୍ବ ଗୋଟେଇଲାଣି । ଆମକୁ ସେମାନେ ଇଜିରୀ ବିଜିରି କରୁଥାନ୍ତି । ମୋର ତ କହିଁକି ମୁଣ୍ଡକୁ ପିତ ଚହଟିଗଲା । ଗୁରୁବାରି ସଙ୍ଗେ ପାଟିତୁଣ୍ଡ କଲି । ପ୍ରଚଣ୍ଡ ସ୍ୱାଭିମାନି । ଆମ୍ବ ତକ ଅଣ୍ଟିରୁ ଢାଳିଦେଇ କିଛି ନ କହି ଚାଲିଗଲା । ମୋତେ ଖୁବ୍ ଖରାପ ଲାଗିଲା । ପସତେଇଲି । ହେଲେ ସେତ ଗଲାଣି ଭାରି । ଆମେ ଘରକୁ ଗଲୁ । ବୋଉ ମୋତେ ତୋଟା ଖବର ପଚାରିଲା । ଗୁରୁବାରି କଥା କହିଦେଲି । ଖୁବ ମନ ଖରାପ କଲା ଅଖଂଜ ମାଇପିଟେ। ଆମ୍ବ ଦିଟା ଗୋଟେଇଥିଲା । ଖାଇବାକୁ ଆଶା । ତୁ ତ ଏମିତି କାମ କରୁନି । ଆଜି କଣ ହେଲା?” ବୋଉର ମନ ଲାଗିଛି । ମୋ ବଡ଼ ଭଉଣୀ ଠୁକୀକୁ ଡାକିଲା । ତାକୁ ସେତେବେଳକୁ ୧୨/୧୩ ବର୍ଷ ହବ । ବାଉରି ସାହି ବୋଉ ସାଙ୍ଗେ ଯାଇଛି । “ଗୁରୁବାରିକୁ ଡାକିବୁ । କହିବୁ ବୋଉ କାହିଁକି ଡାକୁଛି ।” ଠୁକି ତେଇଁ କି ଗୋସେଇ: ଆଗ, ଟିକେ ବୁଲି ଆସିବତ । ଅଧଘଣ୍ଟେ ଭିତରେ ଗୁରୁବାରିକୁ ଆଣି ବୋଉ ପାଖେ ହାଜର କରିଦେଲା ।” କାହିଁକି ସାଆନ୍ତାଣୀ ଡାକିଲ? ଗୁରୁବାରୀ । ପୁଅ ମତେ ସବୁ କହିଛି । ତାକୁ ମୁଁ ପାଟି କଲାଣି । ପିଲା ବୁଦ୍ଧି ତ । ହଉ ତୋ କାନି ଦେଖା ।” ସେତବେଳେକୁ ବୋଉ ଖଟତଳୁ ବାଲିବସା ଦୋରସା ଆମ୍ବ ୧୦ଗଣ୍ଡା ଖଣ୍ଡେ ରଖିଛି । ଖାଇବୁ ମୋ ପୁଅ ଦୋଷ ଧରିବୁନି । ସେବି ମୋତେ ମାର ନା ମୁଁ ମଲିଣି ଭଳି ଠିଆ ହୋଇଛି । “ଠାକୁର ତୋତେ ଭଲରେ ଉଦ୍ଧାର କରନ୍ତୁ ।” ଅଖଂଜ ଲୋକ, ଠାକୁର ଉଦ୍ଧାର କରନ୍ତୁ ଏଗୁଡ଼ାକ ମୋ ମୁଣ୍ଡରେ ପଶୁନଥାଏ । ବଡ଼ ହେଲାରୁ ବୁଝିଲି ।

ଆଉ ଦିନକର କଥା । ଆମ୍ବ ତ ହାଉଯାଉ ପାଚିଲାଣି । ସମସ୍ତଙ୍କର ଆଖି । ତୋଟା ଜଗୁଆଳି ଶୋଇଛନ୍ତି, ରାତି ଦିପହର ହେବ । ଏଣେ ଦକ ଅଛି । ଜନ୍ତୁ ଜୁନ୍ତା ଯିବା ଆସିବା ତ କରିବେ, ନନାଙ୍କର କୁକର ନିଦ । ୨/୩ ଜଣ ଫୁସ୍ ଫାସ୍ ହେବା ଶୁଣିଲେ । ଠେଙ୍ଗା ଧରି ଗୋଡ଼ ଚିପିଚିପି ଚାଲିଲେ । ଅନ୍ଧାର ଟର୍ଚ୍ଚ ଲାଇଟ ସେତେଟା ଚଳିନି । ଜାଣିପାରିଲେ ସପୁରିଆ ଖାଲରେ ଆମ୍ବ ତୋଳା ଚାଲିଛି । ଚୁପ୍ କିନା ଅନ୍ୟ ଜଗୁଆଳିଙ୍କୁ ହାମୋରି ଉଠାଇଲେ । ସମସ୍ତେ ଅନ୍ଧାରରେ ଖେପିଲେ । ପଠାଣ ସାହିର ଜଣେ ଗଛରେ ଚଢ଼ି ଡାଳ ହଲଉଛି । ଆଉ ୨ ଜଣ ତଳୁ ଦରାଣ୍ଡି ଦରାଣ୍ଡି ଗୋଟାଇ ଅଖାରେ ପୁରାଉଛନ୍ତି । ବାଘକୁ ଫାଗର ଭୟ । ଏମାନେ ଯିବାକୁ ବାହାରିଲେ । ତଳ ଦି ଜଣ ଦୌଡ଼ିଲେ ଦୌଡ଼ିଲେ ଦୌଡ଼ିଲେ ପଡ଼ି ଉଠି ଦୌଡ଼ିଲେ । ଗଛରେ ଯିଏ ଚଢ଼ିଥିଲା ଗଛରୁ ଡେଇଁ ପଡ଼ିଲା ତ ଗୋଟେ ବେତ ବୁଦା ଭିତରେ । ନନା ତାକୁ ମାଡ଼ି ବସି କବ୍‌ଜା କରି ନେଲେ । ବୁଝିଲା ବେଳକୁ ମହମ୍ମଦ । ବୟସ ୨୦/୨୨ ହବ । ବହୁ କନ୍ଦାକଟା କଲା । ବସ୍ତିରେ ଆଇନ ଭାରି ଟାଣ। କେହି ହିନ୍ଦୁମାନଙ୍କ ସହତି ଝଗଡ଼ା, ଝାଟି, ଚୋରି କଲେ ମସଜିଦରେ ନ୍ୟାୟ ହେବ । ସେ ବସଉଠ ହେବ । ମାସେ ୨ ମାସେ ପାଇଁ ୨/୩ ଗଛ ବରଜ ମସ୍‌ଜିଦକୁ ଦବ (୨/୩ ଗଛର ଆୟ ଦବ) । ମହମ୍ମଦ ଖୁବ୍ ଗରିବ ପିଲା । କଥାକୁ ମୋଟା ନ କରି ମହମ୍ମଦକୁ ଛାଡ଼ି ଦେଲେ । ଆମ୍ବ ଅଖାଟି ବି ତାକୁ ଦେଲେ । ଆଗକୁ ଏପରି ନ କରିବାକୁ ତାଗିତ କଲେ । ମହାମ୍ମଦ ପୈତୃକ ପ୍ରାଣ ବଂଚାଇ ତୋଟା ଛାଡ଼ିଲା।

ତୋଟା ବଡ଼ ତ କେସ୍ ବଡ଼ ହବନା ନାହିଁ । ସେଦିନ ଅବାରିଆ ଆମ୍ବ। ନିଆଳିହାଟ ସପ୍ତାହରେ ୨ ଥର ବସେ । ରବିବାର, ଗୁରୁବାର । ବାକି ୫ ଦିନକୁ ଅବାରିଆ ହାଟ କୁହାଯାଏ । ଭଲ, ଟିକା ଆମ୍ବ ବିକା କିଣା ଅବାରିଆହାଟରେ ଭଲ ହୁଏ । ମାର୍କାମରା ଗରାଖ ସେ ସବୁଦିନରେ ଆସନ୍ତି । ୧୦/୧୫ ଜଣ ଆମ୍ବ ଟୋକେଇ ଧରି ବସିଥାନ୍ତି । ନନା ଗଛରେ ଚଢ଼ି ଆମ୍ବ ତୋଳିବାରେ ଓସ୍ତାଦ୍ । ଖର୍ଦ୍ଦାରେ ଖେଣ୍ଟା ସୁନ୍ଦରୀ ଆମ୍ବ ଗଛ । ଖର୍ଦ୍ଦା ମାଲିକ କି ଜଗୁଆଳି କେହି ଗଛ ଚଢ଼ା ଜାଣି ନଥାଆନ୍ତି । ନନାଙ୍କୁ ଡକରା ହୁଏ । ଖେଣ୍ଟା ସୁନ୍ଦରୀ ଆମ୍ବ ଏକ ନମ୍ବରରେ ଯାଏ । ପାଚି ୪ଅଣା ଝଡ଼ି ଗଲାଣି । ଗଛରେ ୩/୪ କାହାଣ (୧କାହାଣ= ୧୬ ପଣ=୩୨୦ ଗଣ୍ଡା =୧୨୮୦ଟା) ଆମ୍ବଥିବା ନନା ଅନୁମାନ କରିଥାନ୍ତି । ଗଛମାଛ ଅକଳନ୍ଦା । ଦିନେ ପଥର ପଡ଼ିଆ ସକାଳ କାମ ସାରି ନନା ଆମ୍ବ ମୁଢ଼ି ଖାଇ ଦେଲେ । ଜାଲ, ଖୁଣ୍ଟୁଣୀ ଧରି ଚାଲିଲେ ଖର୍ଦ୍ଦା । ଦିହ ସାରା ପାଉଁସ ବୋଳି ହେଇ ଚଢ଼ିଲେ ଖେଣ୍ଟାସୁନ୍ଦରୀ ଗଛ । ଗଛରୁ ଖୁଣ୍ଟୁଣୀ ରେ ତୋଳି ୪/୫ ଗଣ୍ଡା ଆମ୍ବ ହେଲେ ଖୁଣ୍ଟୁଣୀ ତଳକୁ ଖାସାଇବେ । ତଳେ ଅନ୍ୟମାନେ ଖୁଣ୍ଟୁଣୀ ରୁ ଆମ୍ବ କାଢ଼ି ରଖି ଖୁଣ୍ଟୁଣୀ ଖାଲି କଲେ ପୁଣି ତୋଳା ଚାଲିବ । ନନା ପାଖରେ ଗୋଟିଏ ଜାଲ ଗଛ ଡାଲରେ ବାଂଧି ଦେଇଥାନ୍ତି । ଖୁବ ଭଲ ବଡ଼ ପୁରାସାରିଆ ଆମ୍ବ ବାଛି ବାଛି ଗୋଟେ ଦିଟା ଜାଲରେ ପୁରାଉ ଥାନ୍ତି । କଅଁଳ ଗାଧୁଆ ବେଳକୁ ତୋଳା ଚାଲିଲା ଯେ ଦିନ ଗଡ଼ିବା ଉପରେ ଆମ୍ବ ଗଣା ହଉଥାଏ । ତୋଳାଳି ଭାଗ ପଣକେ ୫ ଗଣ୍ଡା । ଦେଢ କାହାଣ ଆମ୍ବ ତୋଳା ହେଲା । ନନାଙ୍କ ଭାଗ ୨ ପଣ ଆମ୍ବ ଗଦା ହେଇଛି । ମୋତେ ତ ଖର୍ଦ୍ଦାକୁ ଡାକିଥିଲେ । ପଥର ପଡିଆ ପଠାଇଲେ ଗୋଟେ ବେତା, ଆଉ ଗୋଟେ ଟୋକେଇ ଆଣିବାକୁ । ଖର୍ଦ୍ଦାକୁ ପଥର ପଡ଼ିଆ ୧୫/୨୦ ହାତରେ ୩ଟା ପିଲାବେଳେ । ଦଉଡ଼ିଲି ଆଖି ପିଛୁଳାକେ ବେତ ଟୋକେଇ ଆଣି ଥୋଇଦେଲି । ଆମ୍ବ ଭର୍ତ୍ତି ହେଲା । ନନା ହାତ ଆମ୍ବ ଜାଲରେ ୧୦/୧୫ ଗଣ୍ଡା ରଖିଥାନ୍ତି । ଟୀକା ଆମ୍ବ ବେତା ଉପରେ ଥୋଇଛନ୍ତି । ଆର୍ତ୍ତ ବାହାରି ପଡ଼ିଲା । ମୋ ସାଙ୍ଗ । ଗାଁ ହିସାବରେ ନାନଙ୍କୁ ଭାଇନା ଡାକେ । ପଚାରିଲା” ଉଦିଆ ଭାଇନା, ଜାଲ ଆମ୍ବତ ବାଣ୍ଟିଲନି ।” ନନାତ ମୁଢ଼ି ଗଣ୍ଡେ ଖାଇଲେ ପଣା ହୋଇଗଲାଣି । ପେଟ ହାକୁ ହାକୁ ଡାକିଲାଣି । ରାଗରେ କହଲେ, ଭେକ୍ । ତୋ ବେପାତ ଅଛି ପଚାର ।” ନିଧିଆ ବାପା ଆର୍ତ୍ତକୁ ପାଟିକଲେ । ତୁ ତୋଟା ଜଗିବା ପିଲା । ସେ ମାମଲତରେ ମୁଣ୍ଡ ପୁରାଉଛୁ କାହିଁକି? ଆରେ ଉଦି ସକାଶେ ଆମ୍ବ ପାଇଲେ । ଉଦିତୁ ଯା” । ନନା ସେତେବଳକୁ ବେତ ମୁଣ୍ଡାଇ ମୋତେ ଟୋକେଇ ମୁଣ୍ଡାଇବାକୁ କହିଲେ । ମୁଁ କି ଟେକିପାରେ । ନନା କହିଲେ, “ତୁ ଜଗି ଥା । ମୁଁ ଘରେ ବେତା ଥୋଇ ଆସୁଛି ।” ନନା ଆସି ଟୋକେଇ ମୁଣ୍ଡେଇଲେ । ଛାଡ଼ିବେନି । ମୋ ମୁଣ୍ଡରେ ଜାଲ ଆମ୍ବ ଥୋଇ ଦେଲେ । ଗାଧେଇ ନାକରେ କାନରେ ଦିଟା ପୁରାଇ ଦେଇ ଦୌଡ଼ିଲେ ତୋଟା । ସେଦିନ ମାଛକୁ ଯାଇପାରି ନାହାଁନ୍ତି । ଭାତ, ଡାଲି, ପଣସ ମଂଜି, କଖାରୁ ଡ଼ଂକ, ମାଟିଆଳୁ, ବଡ଼ି ରାଇ, ସବୁ ଘର ମାଲ । ବୋଉକୁ ବରାଦ “ଆମ୍ବ ଧୋଇ ବାଲିରେ ବସାଇବୁ । ଭଲ ଆମ୍ବ ଦିପଇସା ହେବ ।” ବୋଉର ରାତି ପାହିଲାରୁ ରାତି ଅଧଯାଏ କାମ । ଟିକେ ଚିଡ଼ିଚିଡ଼ି ହୁଏ । ସମସ୍ତଙ୍କ ଘରେ ଠେଲ ଠେଲ ଆମ୍ବ । କିନ୍ତୁ ଅନ୍ୟମାନେ ଏତେ ପଇଧି କରିପାରନ୍ତି ନି । ନନାତ ଦାଢେ ଛାଡ଼ିବା ଲୋକ ନୁହେଁ । ବୋଉ ମରି ସରି ଆମ୍ବ କାମ କରେ ।

ଦୁଇ ତିନି ଦିନ ଯାଇଛି । ଆମ୍ବ ପାଚି ବାସନା ପଡ଼ିଶା ଘରେ ପହଞ୍ଚିଲାଣି । ମୋର ସାଙ୍ଗ ୫/୭ ଜଣ ଉଂକି ମାରିଲେଣି । ଆମ୍ବ, ମୁଁ ଲୁଚାଇ ଗୋଟେ ଦିଟା ଦେଇଦିଏ । ନନା ତରାଗଣା ଚିହ୍ନ ରଖିଥାନ୍ତି । ଯେ ପରିଶ୍ରମ କରେ ସେ ଜିନିର ମୂଲ୍ୟ ବୁଝେ । ଖଟତଳକୁ ଚାହିଁ ଜଣିଯାନ୍ତି କେଉଁ ଧାଡ଼ିରୁ କେତେଟା ଆମ୍ବ ଯାଇଛି । ବୋଉକୁ ପାଟି କରନ୍ତି । ବୋଉ ଜାଣେ ମୁଁ ଦେଇଥିବି । ମିଛରେ କହେ “ସେ ଆମ୍ବ ଟିକେ ଟିକେ ଦବିଥିଲା ତ । ବାହାର କରି ବାଛି ଆମେ ମା, ପିଲେ ଖାଇ ଦେଇଛୁ । ନାନା କଥା ଧରିପାରନ୍ତି । ହେଲେ ଆଉ ବଢ଼ାନ୍ତିନି । ଦେଖିଲେ ଡେରି କଲେ ଆହୁରି ବିରକ୍ତ ହବ । ବୋଉକୁ କହିଲେ “ଆମ୍ବ ଧୋଇ ବେତାରେ ରଖ । ଜାଲ ଆମ୍ବ ଅଲଗାତ ଅଛି । ତାକୁ ଧୋଇ ଜାଲରେ ରଖିବୁ। ଘର ପାଇଁ ଭଲ ଭଲ ୧୦ ଗଣ୍ଡା ରଖିବୁ । ଆମ୍ବ ତ ଆସୁଛି । ଆଗକୁ ବହୁତ ଆମ୍ବ ଅଛି ।” ବୋଉ ବେତାରେ ଆମ୍ବ ସଜାଡ଼ି ଦେଲା । ସେ ଦିନ ଅବାରିଆ ହାଟ । ନନା ଆମ୍ବ ବେତା ମୁଣ୍ଡାଇ ନିଆଳି ଚାଲିଲେ । ବଜାର ଆଗରୁ ମିର୍‌ମହଲା । ଘେରିତ ଗଲେ ୫/୭ ଟୋକା । ନନାଙ୍କୁ କହିବାକୁ ବି ଫୁରସତ ଦେଲେ ନି । “ଆମ୍ବ ବେତା ଥୁଅ । ଆମେ ସବୁ ଆମ୍ବ କିଣି ନବୁ ।” ହଉ ବଜାରକୁ ଆସ । ଆମ୍ବତ ବିକିବାକୁ ଆଣିଛି । ତୁମେ ନବ ଅସୁବିଧା କ’ଣ? “ନାଁ ବଜାରକୁ ଗଲେ ଆଉମାନେ ଅଛନ୍ତି । ଆମ ଭାଗ କେତେ ପଡ଼ିବ? ତୁମ ଆମ୍ବକୁତ ସମସ୍ତଙ୍କର ଆଶା” ନନାଙ୍କ ମୁଣ୍ଡରୁ ବେତା ଜବରଦସ୍ତ ଓହ୍ଲାଇ ଆମ୍ବ ଲୁଟ କରିନେଲେ । ନନା ଜଣେ ସେ ଦେଖିଲେ ଲୁଟେରାଙ୍କ ସାଙ୍ଗେ ପାଟିତୁଣ୍ଡ କଲେ ମିଳିବାର ନାହିଁ । ଚାଲିଲେ ବଜାରକୁ ।

ବଜାରରେ ଆଖି ବୁଲାଇଲେ । ହାଟ ଦିନ ତ ନୁହେଁ । ଦଣ୍ଡିଆ ମିଳିବେ କେଉଁଠି । ନନା ଜାଣିଥିଲେ ସୋଭାନ ଖାଁ ସବୁ ଦିନ ଡକ୍ତର ଖାନା ଆଡ଼େ ୧୦/୧୧ଟା ବେଳେ ଆସନ୍ତି । ନିଆଳିରେ ଜିଲ୍ଲାବୋର୍ଡ଼ ଡାକ୍ତର ଖାନା । ଦେଖୁଶୁଣା ପାଇଁ ଗୋଟିଏ କମିଟି ଥାଏ । ସେଭନା ଖାଁ ସେ କମିଟିର ପ୍ରେସିଡ଼େଣ୍ଟ । ଡାକ୍ତର ଆମଜାଦ ଅଲ୍ଲି ସମସ୍ତେ ତାଙ୍କୁ ବୁଢ଼ା ଡାକ୍ତର ବୋଲି ଡାକ୍ତନ୍ତି । ହାତ ଭଲ । ଡାକ୍ତରଖାନାରେ ରୋଗୀ ଭିଡ଼ । ସେଭାନ ଖାଁ ଗଲେ ଚେୟାର ଦିଅନ୍ତି ବସିବାକୁ । ରାମଚନ୍ଦ୍ର ଯୋସୀ ଓରଫ ରାମବାବୁ କଂପାଉଣ୍ଡର । ସୋଭାନ ଖାଁ ଚେୟାରରେ ବସିଛନ୍ତି । ରାମବାବୁ ନାଲି କାର୍ମନେଟଇଭ ମିକ୍ସଚର (ହଜମି ପାଣି) ଗୋଟିଏ ବିକରରେ ସୋଭାନ ଖାଁକୁ ବଢ଼ାଇ ଦେଲେ । ରୋଗୀ ଖୋଜୁଥିଲେ ଯାହା ବଇଦ ଦେଲା ସେଇଆ । ପ୍ରେସିଡ଼େଣ୍ଟ ତାହେଲେ ଏଇ ନାଲି ପାଣି ପାଇଁ ସବୁଦିନ ଡାକ୍ତରଖାନା ହାଜିରା ପକାନ୍ତି । ପିଇଦେଲେ ୩/୪ ହେଉଡ଼ି ମାରୁଛନ୍ତି । ନନା ପହଞ୍ଚିଗଲେ । “ଉଦି କାହାର ଦିହ ପା କ’ଣ ହେଲା” ଡାକ୍ତରବାବୁ ଉଦିଆମ ଗାଁ ଜ୍ୱାଇଁ । ଭଲ ଲୋକ । ତାଙ୍କ କଥା ବୁଝ । କଥାତ ଅଲଗା । ନନା କହନ୍ତି, “ନାଇଁ ମଉସା । ମୁଁ କାମରେ ତୁମ ପାଖକୁ ଆସିଛି । ନନା କ ଠାରୁ କ୍ଷ ପର୍ଯ୍ୟନ୍ତ କହିଗଲେ । ବରଣ୍ଡାକୁ ଆସି ଶେଭାନ ମାଉସ ସବୁ ଶୁଣିଲେ । ତୁରନ୍ତ ବିଚାର । ଉଦି ତୁମେ ଯାଅ ତୁମ ଘଟଣାରେ ମୁଁ ଖୁବ୍ ଦୁଖିତ। ଚଣ୍ଡାଳଗୁଡ଼ାକ ଲୋକ ଚିହ୍ନିଲେନି । ହଇରେ ଜମ୍ବୁ ଭାଇନାଙ୍କ ଜୋଇଁ ସାଙ୍ଗରେ ଏକଥା । ଉଦି କାଲି ସକାଳ ବେଳା ଅନନ୍ତା ଗୁଡ଼ାକୁ ନେଇ ମୁଁ ତୋଟାରେ ପହଞ୍ଚିବି । ସେ ସୋରକା ବଚ୍ଚା ମୋତେ ଚିହ୍ନିବେ । ଯାଅ ଯାଅ ବେଳ ଡେରି ହେଲାଣି । ଗାଧୋଇବ ଖାଇବ ।

ନନା ଘରେ ପହଞ୍ଚିଲେ । ବେତା, ଜାଲ ନାହିଁ । ବୋଉ ପଚାରିଲା । ବୋଉ ଉପରେତ ପ୍ରଚଣ୍ଡ । ଶଣ୍ଢ ଖାଇବ ଧାନ ତନ୍ତିଘର କୋରକ । ନନା କିଛି ନ କହି ବୋଉ ଉପରେ ରାଗ ସୁଝାଇଲେ । ତେଲ ଗିନା ଦେ । ଆଜି ବି ମାଛ ନାହିଁ । ଟାଉ ଟାଉ କରି ଦିଗୁଣ୍ଡା ଖାଇଦେଇ ତୋଟାକୁ ଚାଲିଲେ । ବୋଉ ଜାଣିଲା କ’ଣ ଗୋଟେ ଅଘଟଣ ଘଟିଛି । ପଚାରିଲେ ବେଶୀ ଚିଡ଼ିବେ । ହାଉଳା ଲୋକ । ଶୋଇଲାବେଳେ ପଚାରିବ ।

ପରଦିନ ସକାଳ । ଆମ୍ବ ତୋଟାଯାକ ତରାଫୁଟିଲା ଭଳି ରାତିରେ ଝଡ଼ିଛି । ଆମ୍ବଗୋଟା ସରିଲା । ତୋଟା ଭିତରେ ୧୦/୧୨ ଜାଗାରେ ଗଦା । ୧୦/୧୫ ହାତ ଗୋଲେଇରେ ୪/୫ ଫୁଟ ଉଚ୍ଚର ଗଦା । ବଣ୍ଟା କୁଣ୍ଟା ହବ । ଦଳକୁ ଦଳ ଗେଟାରେ ପଶୁଛନ୍ତି । ସମସ୍ତଙ୍କ ଅଣ୍ଟିରେ, ଗାମୁଛାରେ ଆମ୍ବ, ଏବେ ଗାଈ ବେଳାବେଳି ଆସୁଛନ୍ତି । ଅନେକ ବଡ଼ ଗାଈତ ଘରକୁ ନ ଫେରି ତୋଟାରେ ଶୋଉଛନ୍ତି । ସେମାନେ ସକାଳୁ ସକାଳୁ ବହନି କଲେଣି । ଗତ କାଲିର କଥା ଚାରି ଆଡ଼େ ପ୍ରଘଟ ହେଇଯାଇଛି । କିଛି ଲୋକ ଆସି ନନାଙ୍କୁ ପଚାରା ଉଚରା କରୁଛନ୍ତି । ଏ ଭିତରେ ବଡ଼ ମକଦ୍ଦମଙ୍କ ଘରୁ ସରେଂଜି ଆସିଗଲା । ମଝିରେ ମେଲା ଯାଗାରେ ପଡ଼ିଗଲା ଘନ ନ୍ଦନ ଟୋକାଳିଆ । ସେ ସବୁ କଥା ବୁଝୁଥାଏ । ବଡ଼ ମକଦ୍ଦମ ତ ଗାଈ ନୁହଁ କି ମାଇ ନୁହଁ । ଷଣ୍ଢ ବେଇଲେ ହଁ ଗାଈ ବେଇଲେ ହଁ । ଡର । ହଲିଲା ପାଣିରେ ଗୋଡ଼ ଦେବେନି । ବଡ଼ ଲୋକ ତ । ସମସ୍ତେ ଡାକିଛନ୍ତି । ସରେଂଜିରେ ବରି ପାନ ଭାଂଗିବାରେ ଲାଗିଲେ । ଜଗୁଆ। ବାପା ନିହାଲ ସିଂହଙ୍କୁ ଖବର ଦେଇଛନ୍ତି । ସେମାନେ ରାଜପୁତ । ରାଜପୁତ ମୁସଲମାନ ଝୋଟକୁ ନିଆଁ । ହେଲେ ନିହାଲ ସିଂହ ହୁଅନ୍ତୁ ବା ସେଭାନ ଖାଁ ବିଚାର ବନ୍ତ । ହୁ ହୁ ହେବା ନାହିଁ । ଘନନନ୍ଦ ଶ୍ରୀ ଅକ୍ଷର ବିବର୍ଜିତା । ମଝିରେ ମଝିରେ ହୁଂକାର ମାରୁଥାଏ । “ଆସନ୍ତୁ ଶଳାଏ ଆଜି । ଶଳାଙ୍କୁ ଏମିତି ପାନେ ଦବୁ ଯେ ପଥ ପଚାରି ପିତା ଘର ଯିବେ ଆଉ ଅଯୋଧ୍ୟା ମନେ ନ କରିବେ ।” ଶୁଣା ଶୁଣିରେ ଢଗ ଢମାଳି ଭଲ କହିପାରେ । ଆମ ଗାଁରୁ ନିଧି ଷଡ଼ଙ୍ଗୀ, ଡେଙ୍ଗା ବଳି, କେଳେଇ ଷଡଙ୍ଗୀ ମାମଲତକାର ମାନେ ଆସି ବସିଲେଣି । ନଈ ଆଡ଼ୁ ଗଡ଼ିଲେ ସୋଭାନା ଅଜା, ୪/୫ଜଣ ବଡ଼ ବଡ଼ ମିଆଁ, ଆମ୍ବ ଲୁଟେରା । ୫/୭ ଜଣ, ଆଉ ଗଜା ଟୋକା ୧୦/୧୫ । ପ୍ରାଚୀ ନଦୀ ଧାରାକୁ ଛାଡ଼ି ଦିପଟେ ଇଂକର ଜଂଗଲ । ଆମେ ଚାହିଁଛୁ ଏମାନେ ଇଂକର ଭିତରୁ ବାହାରିଲେ । ନିହାଲ ସିଂହ, ତାଂକ ସାଥିରେ ୧୫/୨୦ ପୂର୍ବ ଆଡ଼ୁ ଆସିଗଲେ । ସତରଂଜିରେ ମାନ୍ୟ ଲୋକମାନେ ବସିଲେ । ଅନ୍ୟମାନେ ଚାରିପଟେ ଘେରିକରି ବସିଲେ । ଆମ୍ବ ଗୋଟେଇବେ କ’ଣ । ବାହାର ଗୋଟାଳି ମାନେ ଥାଟପଟାଳି ଭଳି ଠିଆ ହୋଇଗଲେଣି । ଜଗୁଲା ବାପା ସମସ୍ତଙ୍କୁ ପାନ ଦଉଛନ୍ତି । କଥାଟା କିମିତି ସମାଧାନ ହବ।

ନିହାଲ ଅଜା ବାହାରି ପଡ଼ିଲେ । ନରିଭାଇନା କଥା ପକାଇବା? ତାଂକର ଆବାହନରେ ନାହିଁ କି ବିସର୍ଜନରେ ନାହିଁ । ଗୋରୁ ମୁଣ୍ଡ ଥାପି କପା ତୋଳିବା କଥା । ବଳି ଷଡଙ୍ଗୀ ପକ୍କା ମାମଲତକାର । କହିଲେ, “ନିହାଲ ଭାଇ ତୁମକୁ ଦାୟିତ୍ୱ ଦିଆଗଲା । ତୁମେ ଆଦ୍ୟ ଠୁ ପ୍ରାନ୍ତ ପର୍ଯ୍ୟନ୍ତ ଯାହା କରିବ ଆମେ ମାନିବାକୁ ପ୍ରସ୍ତୁତ ।” ନିହାଲ ଅଜା ୨/୩ ଥର ଗଳା ସଫା କରି ଆରମ୍ଭ କଲେ “ସୋଭନ ଭାଇ କଥାକୁ ସରଳରେ ନବା । ଉଦିତ ମୂଳ ଲୋକ ଅଛନ୍ତି । ଆମ ପିଲାଏ ଅଛନ୍ତି । ଘଟଣା ଉଦିଙ୍କୁ ପଚାର ।” ନନାଙ୍କୁ ପଚରା ହେଲା । ନନା କମା ପୂର୍ଣ୍ଣଚ୍ଛେଦ ନ ଛାଡ଼ି କ ଠାରୁ କ୍ଷ ପର୍ଯ୍ୟନ୍ତ ଗାଇ ଗଲେ ।”ହଇରେ ସୋରକା ବଚ୍ଚା । ତୁମ କୋନ କୋନ ଥା । ଖଡା ହୋ ଯାଓ । ତୁମକୋ ସଭିଏଁ ଦେଖେଙ୍ଗେ । କିତିନା ପହିଲମାନ ତୁମ ହୋ । ସେଭାନ ଖାଁ ତାଙ୍କ ପିଲାଙ୍କୁ ପଚାରନ୍ତି । ୭ ଜଣ ଯାକ ଠିଆ ହୋଇଗଲେ । ସୋଭାନ ଅଜା ପଚାରନ୍ତି”, ଆବେ ଓ ଉଦି ଯୋ ସବ ବୋଲା କୁଛ ମିଛ ବୋଲା” ସମସ୍ତେ ଗୁଣ ଗୁଣ କରି କହିଲେ, “ନେହି । ସବୁ ବାତ୍ ତ ଠିକ୍ ବୋଲା ।” ହଠାତ୍ ତ ଥିଲେ ନିଧିଆ ବାପା ବାହାରି ପଡ଼ିଲେ” ଆବେ ତୁମର ଏତେ ଦମ୍ । ଆବେ ବାଘର ଘରେ ମିରିଗର ନାଟ” ନିହାଲ ଅଜା ବାହାରି ପଡ଼ିଲେ,” ସୋଭାନ ଭାଇଙ୍କ କଥାରେ କିଛି ଭୂଲ ରହୁଛି? ସତେ ଠିକ୍ ଠିକ୍ କଥା ଆଗେଇଛି । ମଝିରେ କେହି ଘୁଙ୍ଗୁଡ଼ା ପୁରାଇଲେ କଥା ଅବାଟକୁ ଚାଲିଯିବ । ନେଡ଼ି ଗୁଡ଼ କହୁଣୀକୁ ଗଲେ ଆମେ କାହିଁକି ଅଛେ । ହଁ ସେଭାନ ଭାଇ ତୁମେ କଥାକୁ ଆଗାଅ ।” ସୋଭାନ ଖାଁ ଆରମ୍ଭ କଲେ, “ନିଧି, ମୁଁ କଣ ଆମ ପିଲାଙ୍କ ପାଇଁ ଏଠି ଓକିଲାତି କରୁଛି ତୁମକୁ ଜଣା ପଡ଼ୁଛି । ଜମ୍ବୁ ମିଶ୍ରଙ୍କ ଚେଲା ମୁଁ । ନ୍ୟାୟ ନ୍ୟାୟ । ଖଣ୍ଡାଧାରରେ ବିଧାଏ ଦେବା ଲୋକ ମୁଁ । ଠଇରୋନା । ଉଦି ତୁମର କେତେ ଆମ୍ବ । ବିକିଥିଲେ କେତେ ଟଂକା ପାଇଥାନ୍ତେ “ମଉସା ବେତାରେ ୪ ପଣ ଆମ୍ବ । ପଣ ୪ ଟଂକାରେ ୧୬ ଟଂକା ଆଉ ଜାଲରେ ୨ପଣ ଏକନମ୍ବର ପଣ ୫ ଟଙ୍କାରେ ୧୦ ଟଙ୍କା ।” ଠିକ୍ ଅଛି । ହେ ସୋରକା ବଚ୍ଚା । ଅପନେ ତୋ ବୋଲାଥା ରୂପେୟା କାଢ଼ୋ ୨୫ ରୂପେୟା । ଓଦର ଉଦିକା ବେତ ଜାଲ କହନପର ହେ । ଲାଓ ଜଲ୍ପି ଲାଓ । ସିଂହସାହିର କିଛି ଟୋକାତ ଆସିଛନ୍ତି । ସେମାନେ ସନ୍ଧ୍ୟାରେ ଦଣ୍ଡ କୁସ୍ତି କରୁଛନ୍ତି । ଫରି ଖେଳନ୍ତି । ବାହାରି ପଡ଼ିଲାକି ବନା ଦାଦା । ତୁମ ପିଲା ଆମର ମାନ ନେଇଛନ୍ତି । ମାନ ଇଜତ କଥା କୁହ ନହାଲ ଅଜା ବାହାରି ପଡ଼ିଲେ ହଇରେ ବୋପା ଆଗରେ ଜବାବ ସୁଆଲ । ମୋ ଠେଙ୍ଗା କୁଆଡ଼େ । (ଠେଙ୍ଗାଧରି) ଦେବି ଯେ ପାହାରେ ତଡ଼ାରେ ମୁଣ୍ଡ ଫଟାଇ ଦେବି । ତାଙ୍କୁ ସମସ୍ତେ ଅଟକା ଅଟକି କଲେ । ଯୋକ ମୁହଁରେ ଲୁଣ ଭଳି ସମସ୍ତେ ମୁହଁ ତଳକୁ କରି ଚୁପ୍ ଚାପ୍ ବସିଗଲେ । ଏ ଭିତରେ ୨୫ଟଙ୍କା, ବେତା, ଜାଲ ଥୁଆ ହେଲାଣି । ସୋଭାନ ଅଜା ନନାଙ୍କୁ ଡାକିଲେ । ‘ଉଦି ତୁମର ସହିବାକୁ ମୁଁ ତାରିଫ କରୁଛି । ଏ ବାଲୁଙ୍ଗା ଗୁଡ଼ାକ ସହିତ ତୁମେ ଯଦି ତେରି ମେରି ହୋଇଥାନ୍ତା କଥା ଏତେବେଳକୁ ଅଣଆୟତ ହୁଅନ୍ତାନି । ତୁମେ ନିଆଳି ହିନ୍ଦୁ-ସୁମଲମାନ ଭାଇଚରାକୁ ବଂଚାଇ ଦେଇଛ । ଟଙ୍କା, ଆଉ ବେତା, ଜାଲ ପଛରେ ଧର । ହେ ସଲିମ, ଅପର୍ତ୍ତି, ଇସମାଇଲ ଆବେ ଆଓବେ । ଉଦି ଆମ ଗାଁ ଜୋଇଁ ଅଛି । ତୁମଙ୍କୁ ସେ ବଞ୍ଚେଇ ଦେଇଛି । ଆଓ ୟାହାଁସେ ସବକୋ ସଲାମ କରୋ । ବୋଲ “ଆମେ ଭୁଲ କରିଛୁ । ଆପଣମାନେ କ୍ଷମା କରନ୍ତୁ ।” ଏକ ନିଶ୍ୱାସକେ ସୋଭାନ ମଉସା କହିଗଲେ । ପିଲାମାନେ ଭୁଲ ମାଗିବାକୁ ବାହାରିଛନ୍ତି ନିହାଲ ଅଜା ବନ୍ଦ କରି କହିଲେ, “ଆମ୍ବ ଗୋଟେ ଟକରା ଜିନିଷ । ପିଲା ଲୋକ, ଯାହା କରିଥିଲେ ବହୁତ ହେଲାଣି, ଘରକୁ ଚାଲ ଯିବା । ସୋହାନ ଭାଇ ତୁମେ କେଡ଼େ ସରଳରେ କଥାଟା ସରିବରି କରିଦେଲ । ହଉ ଆଜି ଅମେ ଆସୁଛୁ ।” ସେତେବେଳକୁ ନନା ବରାଦ କରିଛନ୍ତି । ୩/୪ପଣ ଭଲ ଭଲ ଟିକା ଆମ୍ବ ମୁଣ୍ଡ କଟା ହୋଇ ଥୁଆ ହୋଇଛି । ସମସ୍ତଙ୍କୁ କହିଲେ, ତୋଟାକୁ ଆସି ଆମ୍ବ ଦିଟା ନଖାଇ ଯିବ । ଘନ ଆମ୍ବ ଲଗା ।” ସମସ୍ତଙ୍କୁ ୨/୪ଟା ଲେଖାଏଁ ଆମ୍ବ ଘନ କକେଇ ଦେଲେ । ସମିଲ, ଇସ୍‌ମାଇଲ, ଅପର୍ତ୍ତି ସମସ୍ତେ ଆମ୍ବ ଖାଇଲେ । ବଡ଼ ମକଦ୍ଦମ ଗୋବର ଗଣେଶ ତ । ଶେଷଯାଏ ପଦଟିଏ ପାଟି ଫିଟାଇ ନାହାନ୍ତି । ସୋଭାନ ଅଜା, ନିହାଲ ଅଜା ତାଙ୍କୁ ପ୍ରଣାମ କରି ଯାଗା ଛାଡ଼ିଲେ । ଦିନ ୧୧ଟା ୧୨ଟା ହେବ । ଖାଇବା ବେଳ । ଆମେ ପିଲା ୫/୭ ଜାଣ ରହିଲୁ । ସମସ୍ତେ ଖାଇବାକୁ ଗଲେ ।

ଉପର ବେଳା । ବନମାଳିପୁର ଗୁଆବେପାରୀ, ତୁଳସୀପୁର ତନ୍ତି, ଆମ ଗାଁ ଚମାର, ମାହାଳ ବାଉଁସ କାରିଗର ସମସ୍ତେ ନିଜ ନିଜ ପସରା ଧରି ତୋଟାରେ ହାଜର । ଗୁଆ ବେପାରି ୮/୧୦ କିଲୋ ଗୁଆ କାରବାର କଲା । ଗୁଆ ସେର ଛଅଣା (୪୦ ପଇସା) । ଆମ୍ବ ୨/୩ ପଣ ଦସିଆରେ ବାଂଧିଲା । ତନ୍ତିର ଗାମୁଛା, ଦସ୍ତା, ଧୋତି ସବୁ ମାଲ ଶେଷ । ବଦଳରେ ଆମ୍ବ । ଚମାର ଆଣିଛି ସରୁପତ୍ର, ପେଟ କୋରଟରେ ତିଆରି ବିଞ୍ଚଣା, ପଟି, ଭୋଗେଇ ମାଲ ବି ଶେଷ । ବାଂଧିଲା ଆମ୍ବ । ବାଉଁସ କାରିଗର କୁଲା, ବାଉଁସିଆ ମାଛଧୁଆ, ଶାଗଧୁଆ, ପରିବା ଟୋକେଇ ସେ ୨ଜଣ ୨ ବୋଝ ଆଣିଥିଲେ, ସବୁଶେଷ । ବଦଳରେ ଆମ୍ବ । ତେଲୁଣୀ ୨/୩ ଜଣ ତେଲ, ମସଲା ବିକିବେ, ଗୁଡ଼ିଆ ୨/୩ ଜଣ ମୁଢ଼ି, ଉଖୁଡ଼ା, ଛାଚିଖଇ, ମିଠେଇ, ଜିଲାପି ଆଣି ହାଜର । ପିଲା ଛୁଆତ ସମସ୍ତଙ୍କ ଘରେ । ଝଡ଼ା ଆମ୍ବତ ନଉଛନ୍ତି । ତାଙ୍କ ପସରାବି ଶେଷ । କୁମ୍ଭାରୁଣୀ ସକାଳୁ ଆସେ । ୨/୩ ଥର କାରବାର କଲାଣି । ମାଲିକ, ଜଗୁଆଳି ବିନା ପଇସାରେ ୨ମାସ ପାଇଁ ସଉଦା, ଘର କରଣା ଜିନିଷ ବାଂଧିଲେ । ଆମ୍ବ ବଦଳରେ । ଆମ୍ବ ତ ସରୁନି । ଭିଡ଼ ବି କମୁନି, ବର୍ଷକର ଫସଲ । ବର୍ଷକର ଜୀବନ ଜୀବିକା ।

ଆମ୍ବ ହୁ ହୁ ହେଇ ପାଚିଯାଉଛି । ତୋଳା ହବ । ଖୁଣ୍ଟୁଣୀ ତୋଳା ନନା, ଘନ, ନନ୍ଦ, ମାଗୁଣି, ଧଡ଼, ଗୋପାଳ, ନକୁଳ, ତିଳ ଏମିତି ୫/୭ ଜଣ ମାଲିକ ଆଉ ଜଗୁଆଳି ଗୋଟେ ଗୋଟେ ଗଛରୁ ତୋଳାନ୍ତି । ହଜାର ହଜାର ଗଛ । ଆମ୍ବ ତ ୧୦/୧୫ ଦିନ ଛଡ଼ା ପାଚିଯାଉଛି । ଭୋଇମାନେ ଭଲ ଗଛ ଚଢ଼ି ପାରନ୍ତି । ଆଠ ଦଶ ଜଣ ଭୋଇବି ଲାଗିଲେ । ଗର ବୋହିଲେ ଭାଗ । ପଣକେ ୫ ଗଣ୍ଡା ତୋଳିବା ଭାଗ । ଯିଏ ଯେତେ ତୋଳିପାରିଲା ସେଇ ଅନୁସାରେ ବାଂଧିଲା । ପ୍ରତି ତୋଳାଳି ପାଖେ ତଳେ ୨ଜଣ । ଖୁଣ୍ଟୁଣୀରୁ ଆମ୍ବ କାଢ଼ିବେ । ୧୦/୧୫ ଦିନ ଏ ଯାତ୍ରା ଚାଲେ । ଏତେ ଆମ୍ବ । ଘରକୁ ବୋହିବା ସମ୍ଭବ ହୁଏନି । ତୋଟା ଭିତରେ ଠାଏ ଠାଏ ଖେଳେଇ ରଖନ୍ତି । ପାଚିବ । ଖାଇବାକୁ ଘରକୁ ନେବେ । ତୋଟାରୁ ଶଗଡ଼ରେ ହାଟକୁ ଯିବ । ମାସେ ୨ମାସ ଭିତରେ ୨୦୦/୩୦୦ ଶଗଡ଼ ଆମ୍ବ ଯାଉ ନଥିବ? ତୋଳା ଆମ୍ବ ଖାଲି ୪୦୦/୫୦୦ କାହାଣ ହବ (କାହାଣକ ୧୬୮୦) । ଗୋଟେ ୨ଟା ଯାଏ ଆମ୍ବ ତୋଳା ଚାଲେ । ଏ ଭିତରେ ମାଛ ମରା ଯୁନ୍ତ୍ରଧରି ବେପାରୀ, କରିଗର ହାଜର । କାଠି ପୋଳୁହ, ଜାଲ ପୋଳୁହ, ୨ ପଟିଆ, ୩ ପଟିଆ ଖିଅ, ଅନ୍ଧୁଣୀ, ବଜା, ଭଉଁରୀ ଧରି ଆସିଗଲେ ତୋଟାକୁ । ନିରିଶୋ ତ ଆମ୍ବ ଗାଁ । ମାଛ ଗାଁ । ବେପାର ତଳେ ଥୁଆ ଗୋଡ଼ ଧୁଆ । ନନା ଘନନନ୍ଦ, ଜଗୁଲା ବାପା, ଖତିଆ ବାପା । ଏମାନେ ସବୁ ମାଛୁଆ । ଆମ୍ବ ତ ଗଦା ଗଦା ସଢ଼ୁଛି । ନିଅ ଆମ୍ବ ଦିଅ ଜାଲ । ବେପାରୀଙ୍କର ମାଲ ଶେଷ । ଆମ୍ବର ହିସାବ ନାହିଁ। ଅଖାଏ ଦିଅଖା (୩୦ ଗଉଣିଆ) ଆମ୍ବ ପଥର ପରି ଓଜନ ମୁଣ୍ଡକୁ ଉଠାଇ ଚାଲିଲେ । ଖରାପରେ ବର୍ଷା ତ ଆସିବ । ମାଛ ମରା ବେଳ ପାଖରେ ସଜ ରହିଲା ।

ସକାଳୁ ଆମ୍ବ ଗୋଟା ଗୋଟି ସରିଲା । ଏବେ କେତେଦିନ ହେଲା ସକାଳୁ ସକାଳୁ ଢଳଢଳା ଖେଚୁଡ଼ି ରନ୍ଧା ହେଉଛି । ଚାଉଳ, ମୁଗ ଡାଲି ନନା ଆଣିଥାନ୍ତି । ପଦ୍ମକେଶରି ଅରୁଆ । ଭଜା ମୁଗଡ଼ାଲି । ଆଉ କିଏ କିମିତି ପରିବା, କଂଚା ଲଂକା, ବାଇଗଣ ଆଣିଥାନ୍ତି । ସବୁ ପକେଇ ପାଂଚଦିନ ଖେଚେଡ଼ି । ସେତେବେଳକୁ ଆଳୁ, ପିଆଜ ବଜାରରେ ପଡ଼ିନି । ଘଣା ସୋରିଷ ତେଲ, ଫୁଟଣ, ଲଂକାତ ତେଲୁଣୀ ଦେଇଛନ୍ତି । ଫୁଟଣଟାଏ କରି ପାଣି, ପରିବା, ଚାଉଳ ପକେଇ ଦେଲେତ ୧୫/୨୦ ମିନିଟରେ ଓହ୍ଲା ହେବ । ଆଜି ତରବରରେ ତୋଟାଳି ଜଳଖିଆ ପର୍ବ ସାରିଦେଲେ । ଖେଚେଡ଼ି ଆମ୍ବ । ଖୁବ୍ ଖୁସ୍‌ପେଇ । ସବୁ ତୋଟାରୁ ମାଲିକ, ଜଗୁଆଳି, ପଥର ପଡ଼ିଆର ସମସ୍ତେ ଆଜି ଏକାଠି । କାମ କ’ଣ କି ୩/୪ଟା ଆମ୍ବ ଚାଖି ନାମକରଣ ହେବ । ପୁଅ ଝିଅଙ୍କର ନାମକରଣ ହୁଏ ଆମେ ଜାଣିଛେ । ଆମ୍ବର ବି ନାମକରଣ ପର୍ବ । ସମସ୍ତେ ଗୋଲ ହେଇ କରି ବସିଗଲେ । ନନା ଆମ୍ବ କାଟି ଖଣ୍ଡେ ଖଣ୍ଡେ ଦେଲେ । ଗୋଟିଏ କିସମର । ଉଦି ଆର ନାଁ ନବାତିଆ ଦିଅ, ୪/୫ ଜଣ ନବାତିଆ । କିଏ କହିଲାଣି ମହୁଆ ଦେଲେ କିମିତି ହୁଅନ୍ତା । ସପୁରି ଭଳି ଲାଗୁଛି । ସପୁରିଆ କଥା ବି ଉଠିଲାଣି । ଗୋଲିଆ ଆମ୍ବତ ଲଡ଼ୁଆ ଦିଆହଉ । ଗଣତାନ୍ତ୍ରକ ନିଷ୍ଣତ୍ତି । ବେଶୀ ଲୋକ ନବାତିଆରେ ମତ ରଖୁଛନ୍ତି । ନାଁ ରହିଲା “ନବାତିଆ” । ଏ ଭିତରେ ଜଗୁଲା ବାପା ଘନକୁ ବରାଦ କରି ଦେଇଛନ୍ତି । ପୁଣି ଗୋଟେ ଆମ୍ବଚଖା । ଏଥର ନାଁ ହେଲା ରସଗୋଲିଆ । ୪/୫ ଟା ଆମ୍ବର ନାମକରଣ ସରିଲା । ସମସ୍ତଙ୍କୁ ୫/୭ଟି ଆମ୍ବ ପରସାଗଲା । ଆମ୍ବ ଖାଇ ଉଠିଲେ । ନାମକରଣ ପର୍ବ ସେ ଦିନର ଶେଷ ।

ତାରାପଦ । ଘର ସିଂହଭୁମ । ହିନ୍ଦୀ ବଂଗଳା କୁହେ । ଆମ ଘରେ ସେତେଳକୁ ୧୫/୨୦ ଜର୍ସି ଗାଈ ଥାନ୍ତି । ୨/୩ ଜଣ ଲୋକ ସେମାନଙ୍କ କାମ କରିବାକୁ ଦରକାର । ଦିନକୁ ୩୦/୪୦ ଲିଟର କ୍ଷୀର । ୧୯ ୭୦-୭୫ ମସିହା କଥା ହେବ । ତାରାପଦ କୁଆଡ଼ୁ ଆସି ଜୁଟିଗଲା । ତାରକିଛି ଅସୁବିଧା କଥା କହି କାମ କରିବାକୁ କହିଲା । “ରହ, ମାସକୁ ଦରମା ଟ୫୦୦ । ଖାଇବା ପିଇବା ଘରେ । ତୋଟାକୁ ଆସେ । ତୋଟାକୁ ବି ଦିନସାରା ଗୋଟିଆଳିଙ୍କ ଭିଡ଼ । ଝିଅ ବୋହୂବି ଆସନ୍ତି । ନିଧି ସାହି ଭୋଦୁଆ ଭୋଇ । ଖୁବ୍ ଖୁବ୍ ଗରିବ । ଜୀବନ ସାରା ବଡ଼ ମକଦ୍ଦମଙ୍କ ଘରେ ଚାକିରି । ଆମେରିକାରେ କ୍ରୀତଦାସଙ୍କ ଠାରୁ ହୀନ ଜୀବନ । କୁଡ଼ିଆ ଖଣ୍ଡିଏ ବି କରିପାରିଲାନି । ସ୍ତ୍ରୀ, ୨ଟି ଝିଅ । ୪ଜଣ । କୁଡ଼ିଆରେ ଚନ୍ଦ୍ର, ସୂର୍ଯ୍ୟ, ଇନ୍ଦ୍ରଙ୍କର ଅବାଧ ପ୍ରବେଶ । ବଲି ବଡ଼ ଝିଅଟିକୁ ବାହା ଦେଇଛି । ସାନ ଝିଅ, ରମା, ବୟସ ୧୭/୧୮ କଳା ସିନା । ଗୋଟିଏ ଚାଉଳରେ ଗଢ଼ା । ତୋଟାକୁ ଯାଏ । ଜାଳ କରିବ । ଆମ୍ବ ଗୋଟେଇବ । ତାରାପଦ ହାବୁଡ଼େ ପଡ଼ିଗଲାକି । ତାରାପଦ ତା ସହିତ ତୋଟା ଅଂଧାରରେ ଭାବ ଜମାଇଲାଣି । ତା ପାଇଁ ଲୁଗା, ସାବୁନ, ପାଉଡ଼ର, ରିବନ୍ କିଣି ଦିଆନିଆ କଲାଣି । କଥା ଆଗେଇ ଗଲାଣି । ତାକୁ ବାହା ହବ । ନେଇ ସିଂହଭୂମ ଯିବ । ମୁଁ ଏସବୁର ଟେର ପାଇନି । ମୋ ଘର ମଣିଷକୁ ତାରାପଦ କହୁଛି । କିନ୍ତୁ ମୁଣ୍ଡ ଛୁଆଁଇଛି ଜେଠା ବାପାଙ୍କୁ କିଛି କହିବନି । ସତ ସାତ ତାଳ ପଙ୍କରୁ ବାହାରିବ । ହାଠାତ୍ ଦିନେ ବିସ୍ପୋରଣ । ଆମ ଦୁଆରେ ୩୦/୪୦ ମାଇପେ, ମରଦ । ନିଧି ସାହି ଲୋକ । କିରେ କଥା କ’ଣ ବଲ୍ଲି କାନ୍ଦି ଗଡ଼ିଯାଉଛି । ଉଜନି ବୁଢ଼ା କ ଠାରୁ କ୍ଷ ପର୍ଯ୍ୟନ୍ତ ଗପିଗଲା । ଆରେ ବିଲେଇ ଆଖିବୁଜି ଦୁଧ ପିଉଛି । ହଉ, ମୋତେ କଣ କହୁଛ । ବଲି କହିଲା, “ବାବୁ ସେ ଟୋକା ଭଲ ପିଲା । ବଡ଼ଘର ପିଲା । ମୋ ସରିକୁ ମାନିବ । ହେଲେ ସେ କୁଆଡ଼େ ନେଇଯିବ ।” ବସ୍ ତୁ ନ ଜାଣି କ’ଣ ସେ ଏତେ ବାଟ ଗଲା । ଏବେ ତୁମେ ସବୁ କଣ ଚାହୁଁଛ? କିରେ ତାରପଦ । ତୁତ ଭଲ ଜମେଇଛୁ । ତୋର ୨ଟା ପିଲା । ଏକଥା ସେ ଜାଣିଛି? ଜେଠାବାପା ମୋର ସବୁ ଦୋଷ । ମତେ ବଂଚାଅ । ଏମାନେ ସବୁ ମତେ ମାରିପକାଇବେ “ହଉ ତୁମେ ସବୁ ଯାଅ । ତୁମ ଝିଅକୁ ଜବତ କର । ସେ ଆଉ ମିଳାମିଶା ନକରୁ । ମୁଁ ତାରାପଦ କଥା ବୁଝୁଛି । “ତାରାପଦ କାଲି ସକାଳୁ ତୁମେ କଲିକତା ଯିବ । ତୁମର କାମ ଏଠୁ ଶେଷ । ତୁମର ସବୁ ହିସାବ କିତାବ ମୁଁ କରିଦେବି । ସେଦିନ ୪ଟା ବେଳ ହବ । ତାରାପଦ, ଭୋଜୁଆ ଝିଅ ତୋଟାରେ ଧରାଧରି ହୋଇ ନାଟ ଆରମ୍ଭ କରିଛନ୍ତି । ତାଙ୍କର କଣ ହୋସ ଅଛି । କନ୍ଦାକଟା ଚାଲିଛି । ଘନନନ୍ଦଙ୍କର ପିଉଳ କାନ । ଚାଲିଲେ ଶବ୍ଦ ଆଡ଼କୁ । ଦିହେଁ ହାତ ଛଡ଼ା ଛଡ଼ି ହେଇ ଦିଆଡ଼େ ଭାଗିସ୍ । ଘନନନ୍ଦ ନନାଙ୍କୁ କହିଲା । ନନା ମୋତେ ସବୁ କହିଲେ । ପରଦିନ ସକାଳୁ ତାରାପଦ ୮୪୦ ଟଙ୍କା ଧରି କଲିକତା ଚାଲିଲା । ପଥର ପଡ଼ିଆ ପ୍ରେମ କହାଣୀର ପୂର୍ଣ୍ଣଚ୍ଛେଦ ପଡ଼ିଲା ।

ପଛକୁ ଯିବା । ଆମେ ଜାଣିଛେ ଭାରତ ବିହନ ବିଭିନ୍ନତାର ଦେଶ । ଆମ ଦେଶରେ ଗୋଟେ ସମୟରେ ଦେଢ଼ ଲକ୍ଷ କିସମର ଧାନ ଚାଷ ହେଉଥିଲା । ଆମ୍ବ ତ ଦେଶସାରା ଭର୍ତ୍ତି । ଓଡ଼ିଶାରେ ଉପକୂଳ ଜିଲ୍ଲା ଗୁଡ଼ାକ ମହାନଦୀ, ବ୍ରହ୍ମଣୀ, ବୈତରଣୀ, ଋଷିକୂଲ୍ୟା ନଦୀମାନଙ୍କର ତ୍ରିକୋଣ ଭୂମିରେ ଅବସ୍ଥିତ । ମାଟି ଦୋରସା ପଟୁ ମାଟି । ଖୁବ୍ ଉର୍ବର । ଫାଳେ ପକେଇଲେ ଗୋଟେ ହେଉଥିଲା । ଲକ୍ଷ ଲକ୍ଷ ଆମ୍ବ ଗଛ । ଢେଙ୍କାନାଳ, ପଶ୍ଚିମ ଓଡ଼ିଶା, ମୟୁରଭଂଜ, କଳାହାଣ୍ଡି ଜୁଆଡ଼େ ଯିବ ଆମ୍ବ, ଆମ୍ବ । ଆମ୍ବର ନାଁ ତାର ସ୍ୱାଦ, ଆକାର, ରଂଗକୁ ନେଇ ଦିଆଯାଇଥାଏ । କଖାରୁଆ, ଲଙ୍ଗଲ କଣ୍ଟିଆ, ମହୁଆ, ସୁନ୍ଦରୀ, ଦୋରସା, ଗିରଡ଼ି, କଦଳୀଆ, ପେଜୁଆ, ନବତିଆ, ଲଡ଼ୁଆ, ବେଲ ପତୁରିଆ, ସପୁରିଆ, ପଡ଼ିଲା ଫାଟିଲା, ଆଷାଢ଼ୁଆ, ଖେଣ୍ଟା ସିନ୍ଦୁରୀ, ନାକେଇ, କଞ୍ଚ ସୁଆଦିଆ, ଖାଲି ନା ଲେଖିଲେ ୧୦୦ ପୃଷ୍ଟା ହେବ । ଆମେ ସଭ୍ୟ ମଣିଷ ସେସବୁର କବର ଦେଇ ସାରିଛେ । କାଁ ଭାଁ ଯଦି ଖଣ୍ଡେ ଅଧେ ଗଛ ଅଛି ସରକାରଙ୍କର ତା ଉପରେ ନଜର । ହାଣିବେ, କାଟିବେ ତା ଉପରେ ରାସ୍ତା କରିବେ, କଂକ୍ରିଟ ଜଙ୍ଗଲ କରିବେ । ଆନିକଟ କରିବେ ମଦ କାରଖାନା କରିବେ ଦେଶୀ ବିଦେଶୀ ବହୁ ଦେଶୀୟ କଂପାନୀକୁ ସାଗ ମାଛ ଦରରେ ଟେକି ଦେବେ କିଏ ବିଶ୍ୱବିଦ୍ୟାଳୟ ନାରେ ହୋଟେଲ, ମଧୁଶାଳା, ବେଶ୍ୟାଳୟ, ଦେଉଳ, ଯୋଗ ଶାଳା, ଭୋଗ ଶାଳା, କଳ କାରଖାନା, ପାର୍କ, ପହଁରିବା ପାଇଁ ଜଳାଶୟ ଧନୀକ ଶ୍ରେଣୀଙ୍କ ବିକାଶ ଓ ଆମୋଦ ବ୍ୟବସ୍ଥା ସରକାରଙ୍କ ଦାୟିତ୍ୱ ନା । ଗଛ ମରୁ, ଚାଷୀ ମରୁ, ପ୍ରକୃତି ମରୁ କିଏ ମଲେ ଆଉ କିଏ ବଂଚିବେ । ସନ୍ତୁଳନ ସରକାରଙ୍କ ଦାୟିତ୍ୱ ନା! ଆଉ କୁରାଢ଼ୀ ନୁହେଁ କହିବେ ଯେ ଭାଇ ବେଣ୍ଟ ହେଲାରୁ ସିନା ମୁଁ, ହାଣୁଛି । ମେସିନ କରତ । ମାତ୍ର କେତେ ମିନିଟ । ୨୦/୨୫ ଫୁଟ ଗୋଲେଇ ଗଛକୁ ଶୁଆଇ ଦେଉଛନ୍ତି । ସାଡ଼ୁକୁ ଗଲେ ପାଠୁଆ ଲୋକଙ୍କୁ ପଢ଼ିବାକୁ ଶୁଣିବାକୁ ଭଲ ଲାଗିବନି । କେବଳ ଏତିକି କହିବା ବୁଡ଼ିଗଲା ଗୋଡ଼ ତଳକୁ ତଳକୁ।

ଆମ୍ବ ସରି ଆସିଲାଣି । ତଥପି ମୁହିଁ ଭିଡ଼ା ପାଗ । ସେ ଦିନ ୨ଜଣ ବହି ବିକାଳି ୨ଖଣ୍ଡ ହାରମୋନିଆ ବାଜଇ ତୋଟାରେ ହାଜର । ବହି ବିକିବେ ଆମ୍ବନେବେ । ବହି ବୋଲି କ’ଣ । ଜେମା ଦେଇ କାନ୍ଦ, ହୁନମାନ ଚାଳିଶା, ରାଶିଫଳ, କିଶୋର ଚନ୍ଦ୍ରାନନ ଚଂପୁ, ପ୍ରେମ ସୁଧାନିଧି, ମଥୁରା ମଂଗଳ, କୃଷି ପରାସର । ସାଧାରଣ କ୍ରେତାଙ୍କ ପାଇଁ ଏସବୁ ବହି ପଚାମାଲ । ହଉ, ମାଗଣାକୁ ମହରଗ । ସମସ୍ତେ ୫/୩ ଖଣ୍ଡ ବହି ବାଂଧିଲେ । ଯେତ ପୋଖତ ଚାଷୀ ଲୋକ, କୃଷି ପରାସର ଖଣ୍ଡିଏ ନେଲେ । ଘନ କକେଇ ଓରଫ ଘନ ନନ୍ଦ ବ୍ରହ୍ମା, ବିଷ୍ଣୁ ଖଡ଼ି ମଡ଼େଇ ନାହାଁନ୍ତି । ମାଗଣା ସମସ୍ତେ ନେଇଛନ୍ତି । ସେ କାଇଁ ଛାଡ଼ିବେ ।” ମୋତେ ୫/୭ ଖଣ୍ଡ ବହି ଦିଅ । “କି ବହି ଦବୁ” । ଚାଲାଖି ଠିକ୍ । ସବୁ ବହିରେ ପାଠ ଅଛିନା ନାହିଁ । ତୁମ ଇଚ୍ଛା ଯାହା ୫/୭ ଖଣ୍ଡ ଦିଅ । ଦିହିଙ୍କର ବହି ଶେଷ । ବହି ଦସିଆରେ ଆମ୍ବ ଭର୍ତ୍ତି କଲେ । ଯେତେ ପିଠିରେ ପକାଇପାରିବେ ବାନ୍ଧିଲେ । ପିଠାରେ ଆମ୍ବ, କାନ୍ଧରେ ହାରମୋନିୟକ, ଡାହଣ ହାତରେ ଆମ୍ବ । ପାଟିକୁ ଯାଉଛି । ଯେତେ ଖତିରା ମାଲ ଥିଲା ସଫା ।ବୀର ଦର୍ପରେ ଚାଲିଲେ ବନମାଳିପୁର ।

ଏବେ ହାଟଦିନ ୩/୪ ଖଣ୍ଡ ଆମ୍ବ ଶଗଡ଼ ଯାଉଛି । ତୋଟାରୁ ମାଲିକ, ଜଗୁଆଳି ସମସ୍ତଙ୍କ ବଂଧୁ ବାଂଧବ ଘରକୁ ଆମ୍ବ ଚାଲୁଛି । ହାଟ ଦଣ୍ଡିଆଙ୍କୁ ଦିଟା ଆମ୍ବ ଦବା, ସୋଭାନ ମଉସାଙ୍କୁ ଆମ୍ବ । ନିଆଳି ସ୍କୁଲ ମାଷ୍ଟ୍ରଙ୍କ ପାଇଁ ଆମ୍ବ । ବୁଢ଼ା ଡାକ୍ତର, ରାମବାବୁ କଂପାଉଣ୍ଡରଙ୍କ ପାଇଁ ଆମ୍ବ, ଖେତି ମାଉସୀ (ନର୍ସ)ଙ୍କ ପାଇଁ ଆମ୍ବ । ଏସବୁ ତଦାରଖ କରି ନନା ଦିଆନିଆ କରନ୍ତି । ଦିନେ ମାଗୁଣି ମକଦ୍ଦମ ପ୍ରସ୍ତାବ ଆଣିଲେ,” ଆମ୍ବ ତ ସରିବା ସରିବା ହେଲାଣି । ଗୋଟେ ମୋଟା ଫିଷ୍ଟ କଲେ କିମିତି ହୁଅନ୍ତା? କହିବାରେ ବାଟୁଳି ବାଜିବନି । କରିବା ଲୋକ କିଏ? ଅଲେଇ ବଲେଇ ନାନାଙ୍କ ମୁଣ୍ଡରେ, ନାନାଙ୍କ ପେଟରେ ପେଟେ ଇଚ୍ଛା । ଫିଷ୍ଟ କରିବା । ଆରେ ମାଗୁଣି ତୁମେ ତ କଂଜୁସ । ମୁଁ ପଦ୍ମ କେଶରୀ ଅରୁଆ ଚାଉଳ, ଭଜାମୁଗ ଡାଲି ୧୫/୨୦ ଜଣଙ୍କ ମାନଆ ଦଉଛି । ମାଛତ ନଈରୁ ମାରିବା । ଭାତ, ମହୁର, ମାଛ ଝୋଲ, ଆମ୍ବ ଖଟା ।” ଉଦିଆ ଭାଇନା । ମୁଁ ତୁମ ସାଙ୍ଗକୁ ଅଛି ।” ଘନ ନନ୍ଦ ବାହାରି ପଡ଼ିଲେ । ଫିଷ୍ଟ ରୋଷେଇ ଚାଲିଛି । ୧୫/୨୦ ଜଣ ମାଛ ୪/୫ ସେର ଧରିଆଣିଲେ । ତୋଟା କାମ ତ ସରିବ । ପଇସା ଅଡ଼ୁଆ ଆଉ କାହିଁକି ରଖିବା । ନନା ଘନ ନନ୍ଦକୁ ନେଇ ଘରୁ ପେଟରା ଦିଟା ଆଣିଲେ । କୋଠ ପଇସା ଗଣା ହେଲା । ରଜାଭାଗ ବାହାର କରି ପୁଣି ଜଗୁଆଳି ଭାଗ ବସିଲା । ଜଗୁଆଳି ଭାଗକେ ଟ.୨୨୮.୦୦ଟଂକା । ୧୯୪୫-୪୬ରେ ଏ ବହୁତ ଟଂକା । ଆର ପେଟରା ଫିଟିଲା । ଏ ପେଟରା ଖାଲି ଜଗୁଆଳିଙ୍କର । ବଣ୍ଟା ହେଲା, ଭାଗକେ ଟ.୩୪୨.୦୦ । ସମସ୍ତେ ଖୁସି । ମାଲିକମାନେ ବେଶୀ ଖୁସୀ । ବଡ଼ ମକଦ୍ଦମ କହିପକାଇଥିଲେ,” ଉଦି ତୁମର କୋଟୀ ପରମାୟୁ ହେଉ । ତୁମ ସକାଶେ ଆମେ ଏ ପଇସା ପାଇଲୁ । ଆମ ମାଲିକଗୁଡ଼ାକ ଛେଳିକି ସରି ନୁହେଁ । ଏମାନଙ୍କ ଗୋଡ଼ରେ ଧନ ମଳା ହବ?” ପାଇଲା ବେଳେ ବୁଦ୍ଧିଆ ଲୋକ ଏମିତି କହିଥାନ୍ତି? ନନାଙ୍କର ରାମ କି ବିଷ୍ଣୁ ଉତ୍ତର ନାହିଁ । ଆମ ପଇସା ଗୋଟେ ପେଟରାରେ ରଖି ଚାବି ପକେଇଲେ । ପେଟରା ମୋତେ ଜଗେଇ ରୋଷେଇ କାମରେ ଲାଗିଲେ । ରୋଷେଇ ସରିଲା । ନନା ବେଶ୍ ଧର୍ମାର୍ଥିଆ ଲୋକ । ଗୋଟିଏ ଗଛମୂଳ ଲିପି ଦେଲେ । ପତର ପକାଇ ସବୁ ରକମ ପରସିଲେ । ତାଂକୁ ପୂଜା ପୂଜି ସେମିତି ଆସେନି । ପାଣି ବୁଲେଇ ଦେଇ ଅଭ୍ୟାସଗତ କାଢ଼ି ଥୋଇଦେଲେ । ଲମ୍ବ ହେଇ ଗୋଡ଼ତଳେ ପଡ଼ିଲେ । କହୁଥାନ୍ତି, “ହେ ବୃକ୍ଷ ରଜା! ଆପଣ ଏମିତି ଫଳ ଦଉଥାନ୍ତୁ । ଆମେ ଆପଣଙ୍କ ପିଲା । ଆମ କଥା ବୁଝୁଥାନ୍ତୁ ।” ସରିନି । ଠିଆ ହୋଇ ନମସ୍କାର, କାହାକୁ” ହେ ତୋଟା ମହାରାଜ ଆମକୁ ଶୁଭ ଦୃଷ୍ଟିରେ ଚାହିଁଥାଅ । ଆମର ଭୁଲ କ୍ଷମା କରନ୍ତୁ’ ସମସ୍ତଙ୍କୁ ଇସାର ଦେଲେ ଗୋଡ଼ତଳେ ପଡ଼ିଗଲେ ସମସ୍ତେ ଗୋଡ଼ତଳେ ପଡ଼ିଲେ । ଖିଆ ପିଆ ସରିଲା । ବେଳ ୩/୪ ଟା ହେଲା । ନନା ପେଟେରା ମୁଣ୍ଡେଇଲେ ମୁଁ ସାଥିରେ ଚାଲିଲି, ପଚାରିଦେଲି ନନା ତୁମ ଅଲଗା ଆମ୍ବ ପଇସା? ଆରେ ସେ ପରା ସେ ଭଙ୍ଗା କାଠ ବାକ୍ସ ଭିତରେ । ବୋଉ ଟେର ପାଉନି । ଗଲେ ଗଣିବା । କାଠବାକ୍ସ ଖୋଲା ହେଲା । ଗଣାଗଣି ଚାଲିଲା ୮୫୩/-ଟଙ୍କା । ନନାଙ୍କର ଅଲଗା ଆମ୍ବର କାରବାର । ବୋଉକୁ ସବୁ ପଇସା କଥା କହିଲେ । ବୋଉର ପଇସା ପତ୍ରରେ ଲୋଭ ନ ଥାଏ ।

ତୋଟାରୁ ଆମ୍ବ ସିନା ସରିଆସୁଛି । ଘଟଣା ସରୁନି । ଦିନକର କଥା । ସକାଳ । ଏବେ ଆଉ ତୋଟାରେ ରାତି ଶୁଆ ନାହିଁ । ସକାଳୁ ଆମ୍ବ ଗୋଟୋଇବାକୁ ଆସିଗଲେ । ଘନ ନନ୍ଦ ଆଗେ ଆସିଛନ୍ତି । ପାଟି କରି ତ କଂପଉଛନ୍ତି ।” ଯାଅନା, ଯାଅନା ଅଜଗର ସାପ । ଠେକୁଆ ଗିଳିଛି ।” ୫/୭ ହାତ ଲମ୍ବର ଅଜଗର । ଠେକୁଆକୁ ଅଧା ଗିଳିଛି । ଠେକୁଆ ଛଟପଟ ହେଉଛି ।” ହଇରେ ପାଟି କରି ତ କଂପାଉଛୁ । ଠେକୁଆକୁ ଭିଡ଼ିଦେଲେ ବାହାରି ଆସିବ ।” ନନା ଏତିକି କହି ଠେକୁଆର ଆଗ ଗୋଡ଼ ଦିଟା ଭିଡ଼ିଲେ । ଘନକୁ କହିଲେ ଠେଙ୍ଗରେ ସାପକୁ ଚାପି ଧରିବାକୁ । ଠେକୁଆ ବାହାରି ଆଖି ପିଛୁଳାକେ ଦୌଡ଼ିପାର । ଅଜଗରର ବିଷ ନାହିଁ । ଘୁଷୁରି ଘୁଷୁରି ବଣକୁ ଚାଲିଗଲା । ତୋଟାରେ ଆଉ ଗହଳି ନାହିଁ । ୪/୮ ଦିନରେ ତୋଟା ଛାଡ଼ ଘୋଷଣା ହେଲା । ସେ ଦିନ ତୋଟାରେ ଗୋଟେ ଯାତର ଲୋକ । ଲୋକ ୫୦୦ ରୁ ଅଧିକ, ପରୁଷ ସ୍ତ୍ରୀ । ଦଳିତ, ଉଚ୍ଚଜାତି, ମୁସଲମାନ, ପିଲା, ଝିଅ, ପୁଅ, ବାଡ଼ି ଲଗି ଧରି ଲାଗି ପଡ଼ିଲେ । କୋଡ଼ ଦେଶିଆ ଯଦି ଆଖୁଖାଏ । ଆଉ କି ସେଥିରେ ରସଥାଏ । ଏ ତୋଟା ଜଗୁଆଳି ଭାରି ଜହରୀ, ଏକୁ ଆରେକ ବଳିୟାର । ତୋଟା ଯାକରୁ ଆମ୍ବ କାହାଣେ ଦି କାହାଣେ ଲୋକେ ପାଇଥିବେ । ତଥାପି ସେମାନେ ମହାଖୁସୀ । ପଥର ପଡ଼ିଆ ତୋଟା କାମ ସେ ବର୍ଷ ପାଇଁ ସରିଲା ।

ନନାଙ୍କର ସରିନି । ପୂର୍ବ ଉତ୍ତର କ’ଣରେ ଅଷାଢ଼ୁଆ ଆମ୍ବ । ବିରାଟ ଗଛ, ଗଛରେ ଗଛେ ଆମ୍ବ । ଚଂଚୁ ହଉଛି । ପୁଣି ମାସେ । ନନାଙ୍କର ସେ ଦାୟିତ୍ୱ । ଆମ୍ବ ବୋଲି ଆମ୍ବ । ରସୁଆଳ, ମିଠା । ଏତେ ମିଠା ଗରମ କ୍ଷୀରରେ ଅଷାଢ଼ୁଆ ଆମ୍ବ ଚିପୁଡ଼ିଲେ କ୍ଷୀର ଛିଣ୍ଡିବନି। ୧୦/୧୨ କାହାଣ ଆମ୍ବ । ନନା ତା ମୂଳରେ ଗୋଟିଏ ପଲା କଲେ । ଆମ୍ବ ପାଚିଲା । ସେ ଆମ୍ବ ତଳେ ଥୋଇବାକୁ ଫୁରସତ ନାହିଁ । ସବୁ ନାମିଦାମି ଲୋକ ଅଷାଢ଼ୁଆ ଆମ୍ବ ପାଇଁ ଧାଡ଼ି ଲଗାଇଥାନ୍ତି । ବଜାରରେ ଆଉତ ଆମ୍ବ ନାହିଁ । ପଣ ୧୦ ଟଙ୍କାରୁ ୧୨ଟଂକା । ଜମିଦାରଙ୍କୁ ଭାଗ ଦେଇ ନାନା ୧୭୦୦ ଟଂକା ବିକିଥିଲେ । ବଂଧୁ ବାଂଧବକୁ ମନବୋଧ କରି ବାଣ୍ଟିଛନ୍ତି । ଆଜି ଏସବୁ କଥା ବୁଢ଼ୀ ଅସୁରୁଣୀ କଥା ପରି ଲାଗିପାରେ ନାନା କହୁନ୍ତି ଆମ୍ବ ଋତୁରେ ୫୦୦/୭୦୦ ଆମ୍ବ ଯଦି ଖାଇଦବ ବର୍ଷକ କିଛି ରୋଗ ହେବନି । ପେଟ ରୋଗ ନୁହେଁ । ରକ୍ତ ହୀନତା ନୁହେଁ । ସତେ ଯେମିତି ଆମ୍ବ ସର୍ବରୋଗ ମହୋଷଧି । ଆଜି ପଥର ପଡ଼ିଆ ପଦା । ୧୯୯୦ ଠାରୁ ଭାରତରେ ପ୍ରକୃତି ଉପରେ କଳା ବାଦଲ ଘୋଟିଗଲା । ଆମେ ମରୁଭୂମି ମୁହାଁ ହେଉଛେ । ଆଧୁନିକ ସଭ୍ୟତା ନିଶାରେ ଆମେ ନିଶା ଶକ୍ତ । ବେଳ କ’ଣ ଆସିବ? ମଣିଷର ସଦ୍‌ବୁଦ୍ଧି ହେବ । ମରିଚିକା ପଛରେ ଦୌଡିବା ବନ୍ଦ କରି ପ୍ରକୃତିକୁ ନୂଆ ରୂପ ଦେବ । ବିଚାର ସମସ୍ତଙ୍କର । ଗୋଟେ ପଟେ ବିଲୁପ୍ତି ଅନ୍ୟପଟେ ବଂଚିବାର ନୂତନ ଆଶା । ଜୀବନ ଓ ମୃତ୍ୟୁ? କାହାକୁ ବାଛିବେ?

About ନଟବର ଷଡ଼ଙ୍ଗୀ

ନଟବର ଷଡ଼ଙ୍ଗୀ
ଅବସରପ୍ରାପ୍ତ ଶିକ୍ଷକ, ବିଶିଷ୍ଟ ଜୈବ ଚିନ୍ତକ ଓ ଦେଶୀଚାଷୀ

Check Also

ଛୋଟ ମୋର ଗାଁ’ଟି (ଗୋବିନ୍ଦପୁରର ସାଂସ୍କୃତିକ ଜୀବନ)

ମୋ ଗାଁ ଗୋବିନ୍ଦପୁରଟି ସେଭଳି କିଛି ଐତିହ୍ୟ ସମ୍ପନ୍ନ ନ ହେଲେ ମଧ୍ୟ ପ୍ରାକୃତିକ ଓ ଭୌଗୋଳିକ ଦୃଷ୍ଟିରୁ ଭିନ୍ନ …

Leave a Reply

Your email address will not be published. Required fields are marked *