Home / ବ୍ୟକ୍ତି ଓ ବ୍ୟକ୍ତିତ୍ୱ / ଅଭିଭାଷଣ / “ଆଗାମୀ ବିଶ୍ୱର ଭବିଷ୍ୟତ ଆମର ଚିନ୍ତା ଓ ଚେତନା ଉପରେ ଦଣ୍ଡାୟମାନ”

“ଆଗାମୀ ବିଶ୍ୱର ଭବିଷ୍ୟତ ଆମର ଚିନ୍ତା ଓ ଚେତନା ଉପରେ ଦଣ୍ଡାୟମାନ”

 

ରତନ ଥିୟାମ୍ (ଅଧ୍ୟକ୍ଷ, ଜାତୀୟ ନାଟ୍ୟ ବିଦ୍ୟାଳୟ/ଏନ୍.ଏସ୍.ଡ଼ି)ଙ୍କ ଦ୍ୱାରା ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ ଉତ୍ସବରେ ଦିଆଯାଇଥିବା ଅଭିଭାଷଣର କିଛି ଅଂଶ:

           ଭାରତବର୍ଷ ଆମକୁ ଅନେକ କଥା କହେ। ଏହି ଦେଶ ଅନେକ ଗୁଡ଼ିଏ ସାଂସ୍କୃତିକ ବିବିଧତାକୁ ନିଜର ପରମ୍ପରା ଭିତରେ ଆପଣେଇ ନେଇଛି। ଭାରତବର୍ଷର ସଂସ୍କୃତି ଅନେକ ପରିବର୍ତ୍ତନଶୀଳ ଇତିହାସର ମହାମିଶ୍ରଣ ସ୍ଥଳବୋଲି ମଧ୍ୟ କୁହାଯାଇପାରେ। ଏହି ଦେଶର ବିଭିନ୍ନ ଅଞ୍ଚଳ ନିଜନିଜର ଆଞ୍ଚଳିକ ପରିବେଶ ଭିତରେ ଜୀବନ ଧାରଣର ଭିନ୍ନ ଭିନ୍ନ ମାର୍ଗ ଆଦରି ନେଇଛନ୍ତି ଯାହା ସେମାନଙ୍କୁ ଦୁଃଖ ଓ ଆନନ୍ଦ ଭିତର ଦେଇ ଜୀବନ ଓ ମୃତ୍ୟୁକୁ ସାମ୍ନା କରିବା ଶିଖାଇଛି । ଆମ ସଂସ୍କୃତି ଆଧ୍ୟାତ୍ମିକ ଉପାୟରେ ପୂର୍ଣ୍ଣାଙ୍ଗ ଜୀବନ ଏବଂ ଏକ ଗଭୀର ଜୀବନ ଯାପନର ପ୍ରୟାସ କରିବାପାଇଁ ଶିକ୍ଷା ପ୍ରଦାନ କରିଥାଏ ।

              ମୁଁ ଏଭଳି ଏକ ଦେଶରେ ଜନ୍ମନେଇଥିବାରୁ ନିଜକୁ ଭାଗ୍ୟବାନ ମନେକରେ, ଯେଉଁଠି ସଂସ୍କୃତି ଓ କଳା ପରମ୍ପରା ଅନେକ ଗୁଡ଼ିଏ ଜନଜାତିର ରଙ୍ଗରେ, ବିବିଧ ଏବଂ ବହୁଳ ଉପାଦାନର ସମାହାରରେ ନିଜକୁ ଏକ ଚାନ୍ଦୁଆ ଭଳି ଝଙ୍କୃତ କରୁଛି । ଆମର ନିଜକୁ ପ୍ରକାଶ କରିବାର ଶୈଳୀ ହେଉଛି ସମ୍ପୁର୍ଣ୍ଣ ନିଜସ୍ୱ । ଆମ ପୂର୍ବଜମାନଙ୍କ ସହିତ ସମ୍ପର୍କ ସ୍ଥାପନ, ଭିନ୍ନ ଭିନ୍ନ ପ୍ରକାରର ପ୍ରଜନନ ସମ୍ପର୍କିତ ରିତିନୀତି, ମାଟି ମା, ପାଣି, ଅଗ୍ନି, ସୂର୍ଯ୍ୟ, ଚନ୍ଦ୍ର, ଆକାଶ, ଜଙ୍ଗଲ ଓ ଭିନ୍ନ ଭିନ୍ନ ଜୀବଜନ୍ତୁ ହେଉଛନ୍ତି ଆମ ସଂସ୍କୃତିର ତଥା ପ୍ରଦର୍ଶନ କଳାର ମୂଳ ସମ୍ପତ୍ତି ।

ବିଭିନ୍ନ ପ୍ରକାର କଳା ଓ ଏହା ଭିତରେ ଅନେକ ପ୍ରକାର ଦୈନନ୍ଦିନ କାର୍ଯ୍ୟ ଯେମିତିକି ଧାନବୁଣା, ଫସଲ କଟାକଟି, ଫସଲ ଅମଳ ଆଦି କାର୍ଯ୍ୟ ଭିତରେ ଆମ ସାଂସ୍କୃତିକ ସମୁଦାୟର ସୁରକ୍ଷା ଓ ସମାଜର ଅଗ୍ରଗତିପାଇଁ ଏହାର ଅବଦାନ ।

ଆମ ମନର ବିଭିନ୍ନ ଭାବକୁ ପ୍ରକାଶ କରିବାପାଇଁ ବିଭିନ୍ନ ଆନ୍ଦୋଳନ, ରଙ୍ଗ, ଆକାର, ସ୍ଥାପତ୍ୟ ଏବଂ ଅନେକ ଭିନ୍ନ ଭିନ୍ନ କଳାତ୍ମକ ଦିଗକୁ ଆମେ ଅତିପୁରାତନ କାଳରୁ ଆପଣେଇ ଆସିଛୁ ।

ମୁଁ ଯେଉଁ ଦୃଷ୍ଟିରୁ କଥା ଗୁଡ଼ିକୁ ଉପସ୍ଥାପନ କରୁଛି ତାହା ମୋ ନିତିଦିନିଆ ଜୀବନର ଏକ ପ୍ରତିକ୍ରିୟା ମାତ୍ର । ଏଥିରେ ଅଛି ଆମ ପରମ୍ପରା, କାଳ୍ପନିକ ଘଟଣା, କିମ୍ବଦନ୍ତି, … ତଥା ସୁସ୍ୟାଦୁ ବ୍ୟଞ୍ଜନରୁ ମିଳୁଥିବା ପ୍ରେରଣା । ଜଗତିକରଣ ଯୁଗରେ ଯେଉଁସବୁ କାରଣ ଏବଂ ଉପାଦାନ ଗୁଡ଼ିକ ଗୋଟିଏ ଜାତିର ଭବିଷ୍ୟତକୁ  ସୁନିଶ୍ଚିତ କରିଥାଏ ସେସମ୍ପର୍କରେ ଜାଗରଣ ତଥା ଚେତନା ସୃଷ୍ଟିକରିବା ଏବଂ ଆମ ନିଜର ସାଂସ୍କୃତିକ ଅସ୍ମିତାର ସ୍ପଷ୍ଟ ଚିତ୍ର ଉପସ୍ଥାପନ କରିବାପାଇଁ ମୁଁ ଚେଷ୍ଟା କରୁଛି ।

ସଂସ୍କୃତି ହେଉଛି ନୈତିକତା, ବିଭିନ୍ନ ପ୍ରକାରର କଳା, ଚିତ୍ରକଳା, ନାଟକ, ଭାସ୍କର୍ଯ୍ୟ, ସ୍ଥାପତ୍ୟ, ସଙ୍ଗୀତ ଏବଂ ନୃତ୍ୟ ଆଦିର ଏକ ଦର୍ପଣ ସଦୃଶ ।

            ମଣିଷ ନିଜର ଅସୀମ ଆକାଂଖ୍ୟା ଏବଂ ବିଭିନ୍ନ ସ୍ତରରେ ଜଟିଳ ହୋଇ ରହିଥିବା ନିଜର ଅନୁଭୂତିକୁ ଉପଯୁକ୍ତ ମାଧ୍ୟମରେ ପରିପ୍ରକାଶ କରିବାପାଇଁ ଯେଉଁ ଅନବରତ ଅନ୍ୱେଷଣରେ ଥାଏ କଳା ହେଉଛି ତାହାର ଏକ ସୃଜନଶୀଳ ଉଦ୍ୟମ ମାତ୍ର । ଜଣେ ମହାନ କଳାକାର ଅସରନ୍ତି ଉନ୍ମାଦନା ଏବଂ ଶକ୍ତଶାଳୀ ଆବେଗର ତୀବ୍ରତାକୁ ନେଇ କାମ କରିଥାଏ ଯାହାଫଳରେ ଏଭଳି ଏକ କାର୍ଯ୍ୟ ସମ୍ପାଦନ ହୋଇଥାଏ ଯାହା ଆମକୁ ଯଥେଷ୍ଟ ଅନୁପ୍ରାଣିତ କରିଥାଏ ।

           ସଂସ୍କୃତିର ଅଗ୍ରଗତି ପାଇଁ ଯେଉଁମାନଙ୍କ ଜୀବନ ବା କାମ ଏକ ଅମୂଲ୍ୟ ଅବଦାନ ସଦୃଶ ସେଭଳି କଳାକାରମାନଙ୍କର ବିଭବରେ ସଂସ୍କୃତି ଏକ ସୁବର୍ଣ୍ଣ ଇତିହାସ ସୃଷ୍ଟିକରିଥାଏ । କଳାରେ ପରିପକ୍ୱତା ଏକ ଦୀର୍ଘ ଯାତ୍ରା ଏବଂ ଧାରାବାହିକ ଉଦ୍ୟମ ଦ୍ୱାରା ସମ୍ପୁର୍ଣ୍ଣତା ମିଳିଥାଏ । କଳା ହେଉଛି ଏକ ଜୀବନ ତମାମର ଯାତ୍ରା ଅବା ତା’ଠୁ ବି ଅଧିକ । ନିଜର ପ୍ରତିଟି କଳାତ୍ମକ କାମର ପରିପ୍ରକାଶରେ ଜଣେ ଅସରନ୍ତି ପ୍ରଚୁର୍ଯ୍ୟତା ହାସଲ କରିବାପାଇଁ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ ।

                  ସମୁଦ୍ରର ଲହଡ଼ି ଉପରେ ବିଶେଷ କରି “ବ୍ରେକିଂ ୱେଭ୍ ଅଫ୍ କାନାଗୱା”ପାଇଁ ଖ୍ୟାତି ଅର୍ଜନ କରିଥିବା ଜାପାନର ଜଣେ ମହାନ ଚିତ୍ରକର’ହୋକୁସାଇ’, ୭୫ବର୍ଷରେ ଉପନିତ ହେଲାବେଳେ ନିଜ ସମ୍ପର୍କରେ ଏମିତି କିଛି ଲେଖିଥିଲେ;- “ଯଦିଓ ମୋତେ ୫୦ବର୍ଷ ହେବା ଦିନରୁ ମୁଁ ଅନେକ ଚିତ୍ରକୃତି ପ୍ରକାଶିତ କରିଛି, ମୋତେ ୭୦ବର୍ଷ ହେବା ପୂର୍ବରୁ ସେସବୁ କାମର ଅଧିକ କିଛି ମୂଲ୍ୟ ନାହିଁ । ମୋତେ ୭୩ବର୍ଷ ହେବା ବେଳକୁ ମୁଁ ପକ୍ଷୀ, ପଶୁ, କୀଟ, ପତଙ୍ଗ ଏବଂ ମାଛ, ଘାସ ଓ ଗଛର ବୃଦ୍ଧି ଏସବୁର ଢ଼ାଞ୍ଚାର ଗଭୀରତାକୁ ଯାଇ ମାପିବାରେ ସାମାନ୍ୟ ସଫଳ ହେଲି । ତେଣୁ ହୁଏତ ୮୦ବର୍ଷ ବେଳକୁ ମୋ କଳାରେ ବଡ଼ ଧରଣର ଉନ୍ନତି ଆସିପାରେ; ୯୦ବର୍ଷ ବେଳକୁ ମୋ କଳାଟି ପ୍ରକୃତ ଗଭୀରତା ସ୍ପର୍ଷ କରିପାରେ ଏବଂ ୧୦୦ବର୍ଷ ବେଳକୁ ଏହା ଦିବ୍ୟ ପ୍ରେରଣା ପାଇପାରେ । ମୋତେ ୧୧୦ବର୍ଷ ହେଲା ବେଳକୁ ପ୍ରତ୍ୟେକଟି ବିନ୍ଦୁ ଏବଂ ପ୍ରତ୍ୟେକଟି ତୂଳୀର ସ୍ପର୍ଶ ନିଜର ନୂଆ ଜୀବନ ପାଇପାରନ୍ତି ।”

               ଆଧ୍ୟାତ୍ମିକ ଆଦର୍ଶକୁ ନେଇ ମଣିଷମାନଙ୍କ ଭିତରେ ଯେଉଁ ମାନସିକତାର ପରିବର୍ତ୍ତନ ଦେଖାଦେଉଛି ତାହା ଏକ ପରିବର୍ତ୍ତନଶୀଳ ସମୟର ସଙ୍କେତ ମାତ୍ର ।

                  ଆମେ ଏକବିଂଶ ଶତାବ୍ଦୀରେ ବାସ କରୁଛେ । ଏଇଟା ହେଉଛି ଜଗତିକରଣ, ବିଶ୍ୱବ୍ୟାପି ଭ୍ରମଣ, ଯୋଗାଯୋଗ ଏବଂ ସୂଚନାର ଯୁଗ । ସଭ୍ୟତାର ସଜ୍ଞାବି ବଦଳି ଚାଲିଛି ।

                  ବିଶ୍ୱ ଏକ ଯନ୍ତ୍ରଣାଦାୟକ ସଙ୍କଟ ଦେଇ ଗତିକରୁଛି । ଅନେକ ଦେଶ ଯୁଦ୍ଧ ଏବଂ ହିଂସା ଭିତରେ ଅଛନ୍ତି ଯାହାକି ଆମ ସ୍ଥିତିକୁ ପ୍ରଭାବିତ କରୁଛି। ଏଭଳି ଏକ ସମୟରେ କଳାକାରମାନଙ୍କ ପାଇଁ ଏକ ଗୁରୁଦାୟିତ୍ୱର ସୂଚନା ମିଳୁଛି । ସେମାନେ ଏକାଠି ହୋଇ ସଚେତନଭାବରେ ନିଜର କଳାତ୍ମକ ସୃଷ୍ଟି ଗୁଡ଼ିକ ଭିତରେ ଶାନ୍ତି, ମୈତ୍ରୀ, ସଂହତି ଓ ମଣିଷପଣିଆର ବାର୍ତ୍ତାକୁ ପ୍ରତିଫଳିତ କରାଇବେ ଯାହାକି ଏକ ସୃଜନଶୀଳ ପ୍ରକ୍ରିୟାରେ  ସଂସ୍କୃତିକୁ ପରିପୃଷ୍ଠ କରାଇବା ସହିତ ମଣିଷସମାଜ ବଞ୍ôଚରହିବାର ପଥ ପ୍ରଦର୍ଶନ କରିବ ।

ଆମେ ଯଦି ପ୍ରକୃତରେ ପରୋପକାର ମାନସିକତାକୁ ଆଗେଇ ନେବାପାଇଁ ଚାହାଁନ୍ତି ତେବେ ଆମର ନିଜର ବସ୍ତୁବାଦୀ ଦୃଷ୍ଟିଭଙ୍ଗୀକୁ ନ୍ୟୁନ କରିବା ଜରୁରୀ । କଳା ଓ ସଂସ୍କୃତିକୁ ମାଧ୍ୟମ କରି ସମାଜରେ ସଚେତନତା ସୃଷ୍ଟି କରିବା ଏବଂ ମଣିଷକୁ ଅଧିକ ସଂସ୍କୃତି ସମ୍ପନ୍ନ କରି ଗଢ଼ିତୋଳିବାରେ ସହଯୋଗ କଲେ ଯାଇ ଆଧ୍ୟାତ୍ମିକ ଜାଗରଣ ସମ୍ଭବ ହୋଇପାରିବ ।

ସମୟର ଚକ ଆମ ଜୀବନରେ ଅନେକ ପରିବର୍ତ୍ତନ ଆଣିଛି ଏବଂ ଅନେକ ଅପ୍ରତ୍ୟାଶିତ ଦିଗ ଉନ୍ମୋଚନ କରିଛି । ଆମର ଅସ୍ଥିତ୍ୱ ଅନେକ ମହାନ ଚିନ୍ତାଧାରାରେ ଆଚ୍ଛାଦିତ ଓ ନୂଆ ନୂଆ ବିଚାର ଦ୍ୱାରା ପରିବେଷ୍ଟିତ । ଏହି ବିରାଟ ପରିବର୍ତ୍ତନ ସ୍ୱାଭାବିକ ଭାବରେ ବିଶ୍ୱର ସାଂସ୍କୃତିକ ଦୃଶ୍ୟପଟ୍ଟକୁ ପ୍ରଭାବିତ କରିଚାଲିଛି । ଏଭଳି ଏକ ସମୟରେ ଆମେ ଏକ ନୂତନ ସାଂସ୍କୃତିକ ସ୍ଥଳ ଆମ ଦେଶରେ ଅନୁଭବ କରୁଛୁ । ଏହାମଧ୍ୟ ମଣିଷର ସାଂସ୍କୃତିକ କ୍ରମବିକାଶ ସମ୍ପର୍କରେ ଏକ ନୂଆ ଦ୍ୱନ୍ଦ ସୃଷ୍ଟିକରିଛି ଯେଉଁଠି ଆମେ ନୂଆକରି ସୃଷ୍ଟି ହୋଇଥିବା ସାଂସ୍କୃତିକ ସ୍ଥଳଟିରେ ଆମେ ଆମର ଶରୀର ଏବଂ ମନକୁ ଖୋଜି ପାଇପାରୁୁନାହୁଁ । ଏହା ଏକ ନିଶାଶକ୍ତ ଜୀବନ ଶୈଳୀ ଯେଉଁଠି ଆମର ସୁରକ୍ଷାକୁ ସୁନିଶ୍ଚିତ କରିବାପାଇଁ ଆର୍ଥିକ କ୍ଷମତା ପ୍ରତିପତ୍ତିର ପ୍ରତୀକ ସମ୍ପତ୍ତି ଇତ୍ୟାଦି ମାଧ୍ୟମର ପ୍ରୟୋଗ କରାଯାଇଥାଏ ଯେଉଁଠିକି ଆମର ନିଜର ମହତ୍ତ୍ୱ କିଛିବି ନଥାଏ ।

                     ମଣିଷ ସୃଷ୍ଟିର ସାଂସ୍କୃତିକ ପ୍ରକ୍ରିୟାକୁ ନେଇ ଆଜି ଏକ ନୂତନ ଦ୍ୱିବିଧା ସୃଷ୍ଟି ହୋଇଛି ଯେଉଁଠି ଆମେ ନିଜର ଦେହ ଓ ମନର ଅସ୍ତିତ୍ୱକୁ ନିଜ ସଂସ୍କୃତି ଭିତରେ ଖୋଜିପାରୁ ନାହାଁନ୍ତି । ଏହା ଏକ ନିଶାଭଳି ଆମ ଜୀବନକୁ ପ୍ରଭାବିତ କରିଛି ଯେଉଁଠି ଆମର ସୁରକ୍ଷା କେବଳ ଅର୍ଥନୀତି, ପ୍ରତିଷ୍ଠାର ପ୍ରତିକ, ଭୌତିକ ପଦାର୍ଥ ଗୁଡ଼ିକ ଦ୍ୱାରା ପ୍ରତିପାଦିତ ହେଉଛି ଏବଂ ଯେଉଁଠି ବ୍ୟକ୍ତିର ନିଜର କିଛି ମହତ୍ତ୍ୱ ନାହିଁ ।

                       ପ୍ରଯୁକ୍ତି ବିଦ୍ୟାର ସଉକ ଆମ ଅସ୍ଥିତ୍ୱ ଏବଂ ରଚନାତ୍ମକ ପ୍ରୟାସର ସବୁ କ୍ଷେତ୍ରକୁ ଧସେଇ ପସିଛି । ଏହାମଧ୍ୟ ମଣିଷର ମନଭିତରେ ଏକାକି ରହିବା ଏବଂ ବ୍ୟକ୍ତିବାଦୀ ହେବାର ମାନସିକତାକୁ ଉତ୍ପନ୍ନ କରିଚାଲିଛି, ଯାହା ଏକ ସମ୍ପୁର୍ଣ୍ଣ ନୂତନ ଚିନ୍ତାଧାରା ଏବଂ କିଛି ଦଶନ୍ଧିତଳେ ଯାହାର କିଛି ଅସ୍ଥିତ୍ୱ ମଧ୍ୟ ନଥିଲା ।

                  ମଣିଷର ପ୍ରକୃତି ଏତେ ସହଜରେ ବଦଳିପାରିବ ନାହିଁ । ବିଭିନ୍ନ ପ୍ରକାରର ନିରାଶା, ହତାଶା, ଦୁଃଖ, ଯନ୍ତ୍ରଣାକୁ ଉଦରସ୍ଥ କରିବା ବା ଦୂରେଇ ଦେବା ପାଇଁ ସେ ନିଶ୍ଚିତଭାବରେ ଖସିଯିବାର ସବୁଠୁ ସହଜ ରାସ୍ତାଟି ଖୋଜି ବାହାର କରିବ । ଅସଂଖ୍ୟ ଆବଶ୍ୟକତା ଗୁଡ଼ିକ ସହିତ ସେ ସବୁବେଳେ ଅଭ୍ୟସ୍ତ, ଏବଂ ଏଥିପାଇଁକି ପରିବର୍ତ୍ତିତ ପରିବେଶରେ  ଜୀବନଦର୍ଶନକୁ ଭଲଭାବେ  ବୁଝିବାପାଇଁ ସଂସ୍କୃତି ଏବଂ ପରମ୍ପରା ଏକ ଅବିଚ୍ଛେଦ୍ୟ ଅଙ୍ଗଭଳି କାମ କରିଥାନ୍ତି ।

                ପାଣି, ପବନ ଓ ଖାଦ୍ୟ ବ୍ୟତିରେକ ଏକ ସୁସ୍ଥ ଏବଂ ସୁଃଖଦ ଜୀବନ ବିତାଇବାପାଇଁ ମଣିଷ ପ୍ରଜାତି ସାଥି ମଣିଷମାନଙ୍କର ସହଯୋଗ ଏବଂ ଏକ ଉପଯୁକ୍ତ ପରିବେଶ ବା ମାହୋଲଖୋଜୁଥାଏ । ମଣିଷ ପ୍ରଜାତିର ଆବଶ୍ୟକତା ଗୁଡ଼ିକ ଭିତରେ କଳା ଓ ସଂସ୍କୃତି ହେଉଛି ଏକ ଅଦ୍ୱିତୀୟ ପର୍ଯ୍ୟାୟଭୂକ୍ତ । ମଣିଷର ମନଟିକୁ  ତା’ ଜୀବନ ପଛର ସବୁଠାରୁ ଶକ୍ତିଶାଳୀ ବଳ ହିସାବରେ ସେଥିପାଇଁ କୁହାଯାଇଥାଏ ।

               କୁହାଯାଏ ଯେ ଯୁଗ ଯୁଗଧରି କଳାର କାହାଣୀରେ ରହିଆସିଛି ମଣିଷ ସମାଜ ଦୁନିଆସାରା ସଂଗ୍ରହ କରିଥିବା ଅନୁଭୂତିର ପରିପ୍ରକାଶ ପାଇଁ ଉପଯୁକ୍ତ ମାଧ୍ୟମର ଅନବରତ ଅନ୍ୱେଷଣର ଅନେକ କାହାଣୀ ଯେଉଁଥିରେ ମଣିଷର ଅଦମ୍ୟ ଆକାଂଖ୍ୟାବି ଭରିରହିଛି । କଳା ଓ ସୌନ୍ଦର୍ଯ୍ୟବୋଧ ହେଉଛି ସତ୍ୟ ଏବଂ ସୌନ୍ଦର୍ଯ୍ୟର ପରିଣତି ଯାହା ଯେକୌଣସି କଦର୍ଯ୍ୟ ଏବଂ ଖରାପ କାମକୁ ସମର୍ଥନ କରିନଥାଏ । ଏଥିରେ ହିଂସାତ୍ମକ କାର୍ଯ୍ୟକଳାପକୁ ଗ୍ରହଣ କରିବା ବା  ମଣିଷର ପ୍ରଗତିରେ ଅନ୍ତରାୟ ସୃଷ୍ଟିକରିବାପାଇଁ କୌଣସି ସ୍ଥାନ ନଥାଏ ।

                  ଆମେ ଆମର ସାଂସ୍କୃତିକ ପରମ୍ପରା ଓ କଳା ପରମ୍ପରାକୁ ନେଇ ଗର୍ବ ଅନୁଭବ କରୁ । କଳା ଓ ସଂସ୍କୃତିର ପ୍ରକୃତ ବିକାଶ ପାଇଁ ଆଜିଯାଏ ସେମିତି ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇନାହିଁ । କେବଳ କେତେକ ନୂଆ ଯୋଜନା ଆରମ୍ଭ କରିଦେଇ କଳା ସଂସ୍କୃତି କ୍ଷେତ୍ରକୁ ଆଗେଇ ନେଇ ହେବନାହିଁ କିମ୍ବା ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିହେବନାହିଁ । ଆମେ ସମସ୍ତେ ଜାଣନ୍ତି ଯେ କଳା ସଂସ୍କୃତିର ବିକାଶ ପାଇଁ ଯେଉଁ ବଜେଟ ରଖାଯାଉଛି ତାହା ଅନ୍ୟ ସମସ୍ତ କ୍ଷେତ୍ର ତୁଳନାରେ ବହୁତ କମ୍ । ସେହି କାରଣରୁ ଅନେକ ଲୁପ୍ତପ୍ରାୟ କଳାକ୍ଷେତ୍ର ଗୁଡ଼ିକୁ ଉପଯୁକ୍ତ ଭିତ୍ତିଭୂମିର ଅଭାବ ଯୋଗୁଁ ବଞ୍ଚାଇ ରଖିବା ସମ୍ଭବ ହୋଇପାରୁ ନାହିଁ । କେବଳ ସାଂସ୍କୃତିକ ବିଭବ ବା କଳା କ୍ଷେତ୍ର ଗୁଡ଼ିକ ନୁହେଁ ବରଂ ଏହାର କଳାକାରମାନେ ଏହିସବୁ କଳାକୁ ବଞ୍ଚାଇରଖିବାପାଇଁ ଅନବରତ ସଂଗ୍ରାମ କରୁଛନ୍ତି । କାରଣ ଯେତେବେଳେ ଜଣେ ଗୁରୁ ବା କଳାକାରଙ୍କର ମୃତ୍ୟୁ ହୁଏ ତାଙ୍କ ସହିତ ଏହି କଳାଟି ଲୋପପାଇଯିବାର ସମ୍ଭାବନା ଦେଖାଦେଇଥାଏ ।

             ଜଗତିକରଣ ଓ ରାକ୍ଷାସପ୍ରାୟ ଏହା ନିଜର ଏକ ପ୍ରଭାବ ସବୁ ସମ୍ବେଦନଶୀଳ କଳାକ୍ଷେତ୍ରରେ ଛାଡ଼ି ଦେଇଛି ଏବଂ ସମସାମୟିକ ଭାରତୀୟ କଳା ଓ ସଂସ୍କୃତିର ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଭିତରେ ସ୍ଥାନପାଇ ଆସିଛି ।

               କଳା ସେଥିପାଇଁ ସାଧନାର ଏକ ସୁଦୀର୍ଘ ଯାତ୍ରା । ମୁଁ ଭାବୁଛି କଳାର ସବୁଠାରୁ ସୌନପ୍ଦର୍ଯ୍ୟପୂର୍ଣ୍ଣ ଦିଗଟି ହେଉଛି ଜୀବନର ଭିତର ଓ ବାହାରର ଦିଗଗୁଡ଼ିକ ତଥା ଉଚ୍ଚତର ଏବଂ ଅସ୍ପଷ୍ଟ ଚିନ୍ତା ଗୁଡ଼ିକ ଭିତରେ ସେତୁ ସ୍ଥାପନ କରିବା । କଳା ବିଚାରର ପଥ ପ୍ରଦର୍ଶନ କରିଥାଏ; ଏଥିସହିତ ଅଧିକ ଶକ୍ତିଶାଳୀ ରଚନାତ୍ମକ ପରିପ୍ରକାଶ ମାଧ୍ୟମରେ ଯାହାକି ମଣିଷର ନିସ୍ତବ୍ଦ ଇଲାକାର ଗୋଟିଏ ଗୋଟିଏ ନିର୍ଯ୍ୟାସ ହୋଇଥାଏ ତାହା ମଣିଷକୁ ଅଧିକ ମାନବିକ କରିଥାଏ ।…… ମଣିଷକୁ ନୂତନ ଚିନ୍ତା ଏବଂ ନୂଆ ନୂଆ ସୃଜନଶୀଳ ସୃଷ୍ଟିପାଇଁ ମନରାଜ୍ୟ ସେତେବେଳେ ପ୍ରେରଣା ଯୋଗାଇଥାଏ ।

            ଏମିତି କୁହାଯାଏ – ଯାହାକିଛି ପୃଥିବୀ ପୃଷ୍ଠରେ ଘଟେ ତାହା ପ୍ରଥମେ ମନରାଜ୍ୟରେ ସୃଷ୍ଟି ହୋଇଥାଏ ଏବଂ ସେଥିପାଇଁ ମନେରଖିବାକୁ ହେବ ଆଗାମୀ ବିଶ୍ୱର ଭବିଷ୍ୟତ ଆମର ଚିନ୍ତା ଓ ଚେତନା ଉପରେ ଦଣ୍ଡାୟମାନ ହେବ ।

ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ ଉତ୍ସବରେ(୫ ଏପ୍ରିଲ ୨୦୧୭) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏନ୍.ଏସ୍.ଡ଼ିର ଅଧ୍ୟକ୍ଷ ଶ୍ରୀଯୁକ୍ତ ରତନ ଥିୟାମ୍ । ତାଙ୍କୁ ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଡ଼ିଲିଟ୍ ପ୍ରଦାନ କରିବା ସହିତ ଓଡ଼ିଶାର ୪ଜଣ  କଳାକାର ମନମୋହନ ମହାପାତ୍ର(ଚଳଚିତ୍ର ନିର୍ମାତା), ଗୁରୁ ଗୋପାଳ ପଣ୍ଡା, (ଓଡ଼ିଶୀ ସଙ୍ଗୀତ ବିଷାରଦ), ଗୁରୁଶ୍ରୀ ଘାସିରାମ ମିଶ୍ର(ଲୋକଳାର ଗବେଷକ), ରଜତ୍ କୁମାର କର(ବିଶିଷ୍ଟ ସାହିତ୍ୱିକ)ଙ୍କୁ ମଧ୍ୟ ଡ଼ିଲିଟ୍ ପ୍ରଦାନ କରିଥିଲେ । ଛାତ୍ର ଏବଂ ସମଗ୍ର ରାଜ୍ୟର କଳାପ୍ରେମୀ ଜନଗଣଙ୍କ ଉଦ୍ଦେଶ୍ୟରେ ରତନ୍ ଥିୟାମ୍ ଯେଉଁ ଅଭିଭାଷଣ ପ୍ରଦାନ କରିଥିଲେ ତାହା ଥିଲା ଅତ୍ୟନ୍ତ ମୂଲ୍ୟବାନ । ବିଶେଷକରି ଜଗତିକରଣର ପୃଷ୍ଠଭୂମିରେ ଓ ବଜାର ସଂସ୍କୃତିର ଅଭ୍ୟୁଦୟ ପରେ କଳା ସଂସ୍କୃତିର ସୁରକ୍ଷା କ୍ଷେତ୍ରରେ ଯେଉଁ ସିଧାସଳଖ ଆହ୍ୱାନ ସୃଷ୍ଟି ହୋଇଛି ତାକୁ ମୁକାବିଲା କରିବାପାଇଁ କେମିତି ଆମେ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ ସେ ବିଷୟଟି ତାଙ୍କ ଅଭିଭାଷଣରେ ବେଶ୍ ସୁନ୍ଦରଭାବେ ସ୍ଥାନିତ କରିଥିଲେ । ସଙ୍ଗୀତାନୁରାଗୀମାନଙ୍କୁ ଏହାର କିଛି ଅଂଶ ଜଣାଇବା ଉଦ୍ଦେଶ୍ୟରେ ଇଂରାଜୀର ଏହି ଲେଖାଟିକୁ ଏଠାରେ ଭାଷାନ୍ତର କରି ପ୍ରକାଶ କରୁଛୁ । ଆଶା ପାଠକମାନେ ଏହାର ଗୁରୁତ୍ୱକୁ ଅନୁଭବ କରିବେ                    – ସମ୍ପାଦକ

About ରତନ ଥିୟାମ୍

Check Also

‘କଳାକାରର ଇଲାକା ହେଉଛି ତାର କଳାକୃତି’ (‘Artist’ s domain is his work’)

ବକ୍ତା: ବଲରାଜ ସାହନୀ ‘ଭାରତସାରା ଶ୍ରମିକ ଶ୍ରେଣୀ ଗୋଟିଏ ପ୍ରକାର ଚାଲୁ ଓ ରୁକ୍ଷ ହିନ୍ଦୁସ୍ତାନୀ ହିଁ ବ୍ୟବହାର କରିଥାଏ …

Leave a Reply

Your email address will not be published. Required fields are marked *