Home / ଇତିହାସ / (ଅତୀତରୁ ପୋଷ୍ଟକାର୍ଡ) ସିଂହପୁରରେ ପାଠପଢ଼ା

(ଅତୀତରୁ ପୋଷ୍ଟକାର୍ଡ) ସିଂହପୁରରେ ପାଠପଢ଼ା

ଶ୍ରୀ ନିଶାକର ଦାସ ଜଣେ ଗାନ୍ଧିବାଦୀ ସର୍ବୋଦୟ କର୍ମୀ । କୋରାପୁଟର ମାଳ ଅଞ୍ଚଳରେ ଅର୍ଦ୍ଧ ଶତାବ୍ଦୀରୁ ଉର୍ଦ୍ଧ ସମୟ ସେ କାମ କରି ଆସିଛନ୍ତି । ଜାତିରେ ସେ ପାଣ ବୈଷ୍ଣବ । ଖରସୁଆଁ ନଈକୂଳ ସିଂହପୁର ଗାଁରେ ତାଙ୍କ ପୈତୃକ ଆବାସ । ତାଙ୍କ ବାପାଙ୍କର ନାମ ଭାଇଗି ଦାସ ଓ ବୋଉଙ୍କର ନାଁ ସର ଦେଈ । ବାପା ହରିକା ଥିଲେ ଚାରି ଭାଇ । ନିଶାକର ଆଜ୍ଞାଙ୍କର କୂଳର ବୃତ୍ତି ଥିଲା ପୁରୋହିତ କାମ କରିବା । ତାହା ଛଡ଼ା ମୁଲ ଲାଗିବା ଓ ତୁଳସୀ ଗଛରୁ ତିଆରି ମାଳି ବିକିବା ଆୟର ଆଉ ଦୁଇଟି ବାଟ ଥିଲା ।

ଦାସଙ୍କୁ ମାତ୍ର ପାଞ୍ଚ ବରଷ ହୋଇଥିବା ବେଳେ ହୃଦ୍‌ଘାତରେ ତାଙ୍କ ବାପା ପରଲୋକ ଚାଲିଗଲେ । ଦାସେ ନିଜେ ତିନି ଭାଇ । ନିଶାକର ବାବୁ ସବା ସାନ । ପାଠ ପଢ଼ାଇବା ନିମନ୍ତେ ବଡ଼ ଭାଇ (ଦିଜବର ଦାସ), ମଝିଆଁ ଭାଇ (ଭାସ୍କର ଦାସ) ଓ ସାନ ନିଶାକରଙ୍କୁ ଜଣେ ଅବଧାନଙ୍କ ପାଖକୁ ପଠାଇଲେ । ବଡ଼ ନିଜେ ଦାଦାମାନଙ୍କ ଦ୍ୱାରା ଅକ୍ଷରଜ୍ଞାନ ପ୍ରାପ୍ତ ହୋଇଥିଲେ ଓ ପୋଥି ଓ ଭାଗବତ ଇତ୍ୟାଦି ପଢ଼ିପାରୁଥିଲେ । ମଝିଆଁ ଓ ସାନ ପାଠ ପଢ଼ିଲେ ଅବଧାନଙ୍କ ପାଖରେ । ଅକ୍ଷର ଶିଖିବା ପାଇଁ ନିର୍ଘାତ ମୋଟା ମାଟି ଖଡ଼ିରେ ଭୂଇଁ ଉପରେ ବର୍ଣ୍ଣମାଳାର ଅଭ୍ୟାସ କରିବାକୁ ପଡ଼ୁଥିଲା । ପରେ ଭାଇ ଦୁଇ ଜଣ ଗାଁର ଇସ୍କୁଲରେ ପଢ଼ିବାକୁ ଗଲେ । ସେ ପର୍ଯ୍ୟନ୍ତ ପାଣ ଓ କଣ୍ଡରା ସାହିର ପିଲାମାନେ ସାଧାରଣତଃ ବିଦ୍ୟାଧ୍ୟୟନ କରୁ ନଥିଲେ ।

ବଡ଼ ଭାଇ ଅବଧାନଙ୍କୁ ତାଙ୍କର ପାଉଣା ଦେଉଥିଲେ । ଦୁଇ ବରଷ ଅବଧାନଙ୍କ ପାଖରେ ପଢ଼ି ଇସ୍କୁଲକୁ ଗଲା ବେଳକୁ ତାଙ୍କର ବୟସ ଟିକିଏ ଗଡ଼ି ଯାଇଥିଲା । ସେଠାରେ ପାଠ ପଢ଼ା ମାଗଣା ନଥିଲା ; ଇସ୍କୁଲରେ ପାଉଣା ଦେବାକୁ ପଡ଼ୁଥିଲା । ଏହା ଛଡ଼ା ବହି, ଖାତା ଇତ୍ୟାଦିର ଖର୍ଚ୍ଚ ମଧ୍ୟ ଥିଲା । ଦାଦା, ମା ଓ ଭାଇ ମାନେ ନିଜ ନିଜ ଆୟରୁ କିଛି କିଛି ଦେବାରୁ ଦୁଇ ଭାଇଙ୍କର ପାଠ ପଢ଼ା ଖର୍ଚ୍ଚ ଉଠୁଥିଲା । ନିଶାକର ବାବୁ ପିଲା ବେଳେ ବହୁତ ଚଗଲା ଥିଲେ । ମାତ୍ର ଅବଧାନେ ଓ ଇସ୍କୁଲର ମାଷ୍ଟରମାନେ ଛୁଇଁ କରି ତାଙ୍କୁ ବାଡ଼ଉ ନଥିଲେ, ଜାତିଗତ ଭେଦଭାବ ଓ ଅସ୍ପୃଶ୍ୟତା କାରଣରୁ ।

ନିଶାକର ବାବୁ ଓ ତାଙ୍କ ପରି ଦଳିତ ଜାତିମାନଙ୍କର ଅନ୍ୟ ପାଠପଢ଼ୁଆ ପିଲାମାନେ ସବର୍ଣ୍ଣ ଶ୍ରେ‌ଣୀର ପିଲାଙ୍କଠାରୁ ଅଲଗା ହୋଇ ବସୁଥିଲେ । ଅବଧାନେ ମାଡ଼ ମାରିଲା ବେଳେ ଦଳିତ ଜାତିର ପିଲାଙ୍କୁ ବେତ ଫିଙ୍ଗି ମାରୁଥିଲେ, ଛୁଇଁଲେ ଜାତି ଚାଲିଯିବ, ସେହି ଭୟରେ । ବେତ ଫିଙ୍ଗିଲା ବେଳେ ତାହା ଦଳିତ ପିଲାଙ୍କ ଜାମାରେ ଲାଗିଗଲେ ସେହିଟି ମାରା ହେଇଯାଏ ଓ ତାହାକୁ ଅଲଗା ରଖିବାକୁ ହୁଏ । କିଛି ସବର୍ଣ୍ଣ ଲୋକେ ଦଳିତ ପିଲାଙ୍କର ଛାଇକୁ ମଧ୍ୟ ଡେଇଁକି ଯାଉଥିଲେ ; କାଳେ ମାରା ହୋଇଯିବେ, ସେହି ଭୟରେ ।

ଛୁଆଁ ଅଛୁଆଁ ଭାବ ସର୍ବବ୍ୟାପୀ ଥିଲା : ଇସ୍କୁଲ୍ ଓ ଗାଁ ଦାଣ୍ଡରେ ତ ଥିଲା ; ଯାନିଯାତ୍ରାରେ ମଧ୍ୟ ଥିଲା । ଦଳିତ ପିଲାମାନେ ପାଲା ଓ ଯାତ୍ରା ଇତ୍ୟାଦି ଦେଖିବାକୁ ଗଲେ ଅନ୍ୟମାନଙ୍କଠାରୁ ଦୂରରେ ବସି ଦେଖିବାକୁ ହୁଏ । ନଈ ତୁଠରେ ମଧ୍ୟ ଦଳିତମାନଙ୍କୁ ଗାଧୋଇବାକୁ ବାରଣ ଥିଲା – ନଦୀର ଉପର ମୁଣ୍ଡରେ ଦଳିତମାନେ ଗାଧୋଇବା ମନା ଥିଲା ଏହି ଛୁଆଁ ଅଛୁଆଁ ଭେଦଭାବ କାରଣରୁ । ଏହିପରି ବିକାର ବିଭିନ୍ନ ଦଳିତ ଜାତି ମଧ୍ୟରେ ବି ଥିଲା – ପାଣ ଜାତିର ଲୋକେ କଣ୍ଡରା ଲୋକଙ୍କୁ ଛୁଉଁ ନଥିଲେ । ସେହି ପରି କଣ୍ଡରା ଜାତିର ଲୋକେ ଗୋଖା  ଲୋକଙ୍କୁ ଛୁଉଁ ନଥିଲେ, ଇତ୍ୟାଦି ।

ସକାଳେ ଭାଇଙ୍କ ସହିତ ଲୁଣ ଲଗାଇ ପଖାଳ ଭାତ ଖାଇ ଇସ୍କୁଲ ଯାଆନ୍ତି ନିଶାକର ବାବୁ । ସେଇ ପଖାଳରେ ଭାତ କମ୍ ଥାଏ ; ତୋରାଣି ଥାଏ ଅଧିକ । ଇସ୍କୁଲରୁ ଅନେକ ସମୟରେ ବଡ଼ ପାସ୍ କହି, ବାହାରକୁ ଯାଇ, ନଇକୂଳରେ ସାଙ୍ଗ ପିଲାମାନଙ୍କ ସହିତ ସେ ଖେଳନ୍ତି । ହେଲେ ଡ଼ର ଥାଏ କାଳେ ଭାଇ ବା ଦଦା ମାନଙ୍କ ହାବୁଡ଼ରେ ପଡ଼ିଯିବେ ବୋଲି । ଚଣା ସମୟରେ ବିଲରୁ ଚଣା ଓପାଡ଼ି ଜଳଖିଆ କାମ ଚଳେ । ସନ୍ଧ୍ୟା ବେଳକୁ ମଝିଆ ଭାଇ ତାଙ୍କର ସିଲଟ ଇତ୍ୟାଦି ନେଇ ଘରକୁ ଆସନ୍ତି । ବେଳେ ବେଳେ ଏଥି ସବୁ ଲାଗି ନିଶାକର ବାବୁ ମାଡ଼ ଗାଳି ମଧ୍ୟ ଖାଆନ୍ତି । ସେ ପାଠ ପଢ଼ାରେ ମନ ନ ଦେଇ ଗୀତ ଶିଖିବା, ପାଲା ଦେଖିବା ଇତ୍ୟାଦି କାମରେ ସମୟ ଅତିବାହିତ କରୁଥିଲେ । ତଥାପି ସାତ ବର୍ଷ ବୟସ ବେଳକୁ ନିଶାକର ବାବୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଉଠିଯାଇଥିଲେ । ମାତ୍ର ଖାଦ୍ୟ ଓ ଅର୍ଥ ଅଭାବରୁ ଶେଷକୁ ତାଙ୍କର ପାଠ ପଢ଼ାରେ ଡ଼ୋରି ହନ୍ଧା ହେଲା ।

ବି.ଦ୍ର. – ଏହି ଲେଖାଟିର ଉପାଦାନ ନିଶାକାର ଦାସଙ୍କର ଆତ୍ମଜୀବନୀ ‘ଖରସୁଆଁରୁ କୁଲାବିରି’ରୁ ସଙ୍ଗୃହିତ । ବହିଟି ଭୁବନେଶ୍ୱରସ୍ଥ ଅନୁଷ୍ଠାନ ଶିକ୍ଷାସନ୍ଧାନ ୨୦୦୫ ମସିହାରେ ଛପାଇଥିଲେ ।

 

– Sailen Routray

About ଶୈଲେନ ରାଉତରାୟ

Avatar
ଗବେଷକ, ଲେଖକ

Check Also

ମୋ ଗାଁ ‘ଡେଙ୍ଗମା’ର ସାଂସ୍କୃତିକ ଜୀବନ

ମୋ ଗାଁ ଡେଙ୍ଗମା । ଅତି ପବିତ୍ର ସେ ନାଁ । ଏଇ ଭୂମିରେ ଜନ୍ମ ନେଇ ଥିବାରୁ ମୁଁ …

Leave a Reply

Your email address will not be published. Required fields are marked *