ସମର୍ପିତ ଶିଳ୍ପୀ ନରହରି ଭୋଇ

ପ୍ରିୟରଂଜନ କର
ପ୍ରିୟରଂଜନ କର 228 Views
4 Min Read

ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାର ନିକଟବର୍ତ୍ତୀ ନିପଟ ମଫସଲ ଗାଁ ଗଣ୍ଡିଲୋ । ଏହି ଗାଁର ଏକ ଗରିବ ପରିବାରରେ ପିତା ଧୋବେଇ ଭୋଇ ଓ ମାତା ସୀତା ଦେବୀ ଙ୍କ ଠାରୁ ୧୯୫୩ ମସିହାରେ  ଶ୍ରୀ  ନରହରି ଭୋଇ ଙ୍କ ଜନ୍ମ । ପିଲାଟି ବେଳୁ ସେ ବହୁ ଅଭାବ ଅନାଟନର ସମ୍ମୁଖୀନ ହୋଇ ଆସିଛନ୍ତି । ଫଳରେ ପ୍ରାଥମିକ ଶିକ୍ଷା ପରେ ସେ ସ୍କୁଲ ଛାଡି ପରିବାରର ଗୁଜୁରାଣ ମେଣ୍ଟାଇବାରେ ଲାଗି ପଡିଥିଲେ । ପିଲାଟି ବେଳେ ତାଙ୍କର ଅନ୍ତର୍ନିହିତ ପ୍ରତିଭାକୁ ଦେଖି ପଟ୍ଟଚିତ୍ର ଗୁରୁ ଗୋକୁଳ ବିହାରୀ ପଟ୍ଟନାୟକ ତାଙ୍କୁ ଆଦରି ନେଇଥିଲେ । ପାଖରେ ରଖି ପଟ୍ଟଚିତ୍ର ଶିକ୍ଷା ଦେଇଥିଲେ । ୮ବର୍ଷ ଧରି ତାଲିମ ନେବା ପରେ ଶ୍ରୀ ଭୋଇ ଓଡିଶା ସରକାରଙ୍କ ଖଦି ଓ ଗ୍ରାମୋଦ୍ୟୋଗ ବିଭାଗ ଦ୍ୱାରା ପରିଚାଳିତ ଦୁଇ ବର୍ଷିଆ ପଟ୍ଟଚିତ୍ର ହସ୍ତକଳାର ତାଲିମ ନେଇଥିଲେ । ପରେ ନିଜ ଅଞ୍ଚଳରେ ରହି ଗୁରୁ ପ୍ରଦୀପ ସେନାପତିଙ୍କଠାରୁ ଏ ବାବଦରେ ଅଧିକ ଶିକ୍ଷା ଗ୍ରହଣ କରିଥିଲେ ।

ଜନ୍ମମାଟି ମୋହ, ପିତାମାତା ସ୍ନେହ ଓ ଆର୍ଥିକ ପରିସ୍ଥିତି ତାଙ୍କୁ ବାହାରକୁ ଯିବାକୁ ସୁଯୋଗ ଦେଇନଥିଲା ସତ ହେଲେ ପଙ୍କରୁ ପଦ୍ମ ଫୁଟିଲା ପରି ସେ ଉଭା ହୋଇଥିଲେ । ରାଜ୍ୟ ତଥା ରାଜ୍ୟ ବହାରେ ପଟ୍ଟଚିତ୍ର ଆଙ୍କି ନରହରି ବେଶ୍ ନାଁ କମାଇ ପାରିଛନ୍ତି । ଆଉ ଏବେ ଏକ ଭଡା ଘରେ ବିନା ପାରିଶ୍ରମିକରେ ନିଜ ଅଞ୍ଚଳର ପିଲାଙ୍କୁ ପଟ୍ଟଚିତ୍ର ଶିକ୍ଷା ଦେଉଛନ୍ତି । ଗୀତଗୋବିନ୍ଦର ରଚୟିତା ଜୟଦେବ ହେଉଛନ୍ତି, ଗୁରୁ ଶ୍ରୀ ନରହରି ଭୋଇଙ୍କର ଆଦର୍ଶ । ପ୍ରଭୁ ଜଗନ୍ନାଥ ହେଉଛନ୍ତି ତାଙ୍କର ଇଷ୍ଟ ଦେବ । ଜୟଦେବଙ୍କ ଗୀତାଗୋବିନ୍ଦର ଗୋଟିଏ ପଙକ୍ତି ଶୁଣିଲେ ତାଙ୍କ ଲେଖନୀ ଚଳଚଞ୍ଚଳ ହୋଇ ଉଠେ । ଖାଲି ସେତିକି ନୁହେଁ, ରାମାୟଣ, ମହାଭାରତର ଗୀତିକଥା ଶୁଣିବା ପରେ ସେ ପଟ୍ଟଚିତ୍ର ଆଙ୍କିବା ଆରମ୍ଭ କରନ୍ତି । ଏଥିରୁ ସେ ଆଙ୍କି ଚାଲନ୍ତି ଦଶାବତାର, ଶ୍ରୀକୃଷ୍ଣ ରାମଲୀଳା, ବସନ୍ତରାସ, ଶ୍ରୀକୃଷ୍ଣଙ୍କ ବସ୍ତ୍ରହରଣ, କାଳୀୟ ଦନନ, ନାଗାର୍ଜୁନ ବେଶ, ସୁନାବେଶ, ରାଜାରାଜେଶ୍ୱର ବେଶ ଆଦି ଅନେକ ଚିତ୍ର । ତାଙ୍କ ଅଙ୍କିତ ପଟ୍ଟଚିତ୍ର ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ କର୍ମଶାଳା ଓ ଅନୁଷ୍ଠାନରେ ସ୍ଥାନ ପାଇ ଉଚ୍ଚ ପ୍ରଶଂସିତ ବି ହୋଇଛି । କିଛିବର୍ଷ ତଳେ ସେ ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ପାଟିଲ୍ଙ୍କ ଗାଁରେ ଦୁଇ ସପ୍ତାହ ଧରି ଅନୁଷ୍ଠିତ ପଟ୍ଟଚିତ୍ର କର୍ମଶାଳାରେ ଭାଗ ନେଇ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇ ପାରିଥିଲେ ।

ଏତେସବୁ ସତ୍ତେ୍ୱ ସେ କେବେ ନିଜକୁ ବଡ ବୋଲି ଗର୍ବ କରିନାହାଁନ୍ତି । ଆଜି ବି ନିଜ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ପଟ୍ଟଚିତ୍ର ଶିକ୍ଷା ଦେଇ ଏହି ନିଆରା କଳାକୁ ବଞ୍ଚାଇ ରଖିବାର ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ତାଙ୍କଠାରୁ ଶିକ୍ଷାପ୍ରାପ୍ତ ଅନେକ ଛାତ୍ରଛାତ୍ରୀ ଆଜି ବହୁ ପ୍ରତିଷ୍ଠିତ ଅନୁଷ୍ଠାନରେ କାମ କରୁଛନ୍ତି ।

ଶିଳ୍ପୀ ନରହରି ନିଜ ଜୀବଦଶା ମଧ୍ୟରେ କେବେବି ପୁରସ୍କାର ଓ ସମ୍ମାନ ପ୍ରତି ଲାଳାୟିତ ହୋଇ ନାହାନ୍ତି, ବରଂ ତାଙ୍କର ଶିଷ୍ୟ ଓ ଶିଷ୍ୟାଗଣ କିପରି ସୁନାମ ଅର୍ଜନ କରିବେ ସେଥିପାଇଁ ତାଙ୍କର ଉଦ୍ୟମ ବେଶ ପ୍ରଂଶସନୀୟ । ତାଙ୍କର ପ୍ରିୟ ଛାତ୍ର  ଦ୍ୱିଜବର ଦାସ ଗତ ୨୦୧୨- ୧୩ ମସିହା ପାଇଁ ପଟ୍ଟଚିତ୍ରରେ ନ୍ୟସନାଲ ମେରିଟ ପୁରସ୍କାର ପାଇଥିବାରୁ ବେଶ ଖୁସି ବ୍ୟକ୍ତ କରନ୍ତି ନରହରି । ଓଡିଶାର କଳା, ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ସରକାର ଆପ୍ରାଣ ଉଦ୍ୟମ କରୁଥିବା ଡିଣ୍ଡିମ ପିଟୁଛନ୍ତି । ହେଲେ ଏପରି ଏକ ପୁରାତନ କଳାକୁ ବଞ୍ଚାଇ ରଖିଥିବା ବରିଷ୍ଠ ଶିଳ୍ପୀଙ୍କୁ  ସରକାର ଅଣଦେଖା କରୁଥିବାରୁ ଶିଳ୍ପୀ ନରହରିଙ୍କ ମନରେ ଅନେକ କ୍ଷୋଭ  । ଗତ ୨୦୧୫ ମସିହା ପାଇଁ ରାଜ୍ୟ ହସ୍ତଶିଳ୍ପୀ ଓ ବୁଣାକାରଙ୍କ ପାଇଁ କାର୍ଯ୍ୟ କରୁଥିବା ଓଡିଶା ଶିଳ୍ପୀ ମହାସଂଘ ପଟ୍ଟଚିତ୍ର ଶିଳ୍ପୀ ନରହରି ି ଶିଳ୍ପୀଶ୍ରୀ ସମ୍ମାନରେ ସମ୍ମାନିତ କରିଛି ।

[box type=”shadow” align=”” class=”” width=””]ସୁଲଳିତ କଣ୍ଠରେ ଗାଇବା ଚାଲିଥିବ ଗୀତଗୋବିନ୍ଦର ଗୋଟିଏ ପରେ ଗୋଟିଏ ଶ୍ଳୋକ, ଏପଟେ ଶିଳ୍ପୀଙ୍କ ତୂଳୀ ଛୁଆଁରେ ଜୀବନ୍ୟାସ ପାଇ ଚିତ୍ରପଟ୍ଟି ଉପରେ ଉଙ୍କି ମାରୁଥିବେ ଆମ ପୁରାଣ ପୃଷ୍ଠାର ଏକ ପରେ ଏକ ଚରିତ୍ର ।  ସମଗ୍ର ପରିବେଶ ଯେମିତି ପ୍ରଭୁମୟ । ସରଳିଆ ମଣିଷର ନିରଳଷ ଜୀବନ । ସବୁବେଳେ ହସହସ ତାଙ୍କ ମୁହଁରୁ ବାହରୁଥିବା ଶବ୍ଦରେ କି ଯାଦୁ ଥାଏ କେଜାଣି ପରକୁବି ଆପଣାର କରିନିଏ । ସେହିପରି ଜଣେ ନିଆରା ସାଧକ ହେଉଛନ୍ତି ବାଲିପାଟଣା ଗଣ୍ଡିଲୋ ଗାଁର ବରିଷ୍ଠ ପଟ୍ଟଚିତ୍ର ଶିଳ୍ପୀ ଗୁରୁ ଶ୍ରୀ ନରହରି ଭୋଇ । ଏକାଧିକ ପ୍ରତିଭାର ଅଧିକାରୀ ଶ୍ରୀ ଭୋଇ ଏକାଧରରେ ଜଣେ ପାରଂପରିକ ଚିତ୍ରକର, ନୃତ୍ୟଶିଳ୍ପୀ ଓ  ସୁଗାୟକ ମଧ୍ୟ ।[/box]

Share This Article
ଚିତ୍ରକର, ବୃତ୍ତଚିତ୍ର ନିର୍ମାତା, ଦୂରଦର୍ଶନ ସାମ୍ବାଦିକ