ବାଦ୍ୟ ବିନୋଦ ପଣ୍ଡିତ କ୍ଷେତ୍ରମୋହନ କରଙ୍କର ଅବଦାନ

ପଣ୍ଡିତ ଉମେଶ ଚନ୍ଦ୍ର କର
ପଣ୍ଡିତ ଉମେଶ ଚନ୍ଦ୍ର କର 234 Views
8 Min Read

ଉତ୍କୃଷ୍ଟ କଳାର ରାଜ୍ୟ ଭାବରେ ଓଡ଼ିଶା ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଅଛି ଏହା ନିଃସନ୍ଦେହ । ଓଡ଼ିଶା ସ୍ୱକୀୟ କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ କ୍ଷେତ୍ରରେ ଯେତିକି ସୁନାମ ଅର୍ଜନ କରିଅଛି, ସଙ୍ଗୀତ କ୍ଷେତ୍ରରେ ମଧ୍ୟ ଅନୁରୁପ ଯଶ ଓ ସୁନାମ ଅର୍ଜନ କରିଅଛି । ପ୍ରମାଣତଃ ବିଶ୍ୱବିଦୀତ କୋଣାର୍କ ମନ୍ଦିର, ଶ୍ରୀ ଜଗନ୍ନାଥ ମନ୍ଦିର ତଥା ଓଡ଼ିଶାର ଅନ୍ୟାନ୍ୟ ମନ୍ଦିର ଗାତ୍ରର ଭାସ୍କର୍ଯ୍ୟ ତାହାର ମୂକ ସାଖୀ, ଏବଂ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ, ଭକ୍ତଚରଣ, ଅଭିମନ୍ୟୁ ସାମନ୍ତ ସିଂହାର, କାଳିନ୍ଦୀଚରଣଙ୍କ ଦ୍ୱାରା ରଚିତ କାବ୍ୟ, କବିତା, ଛାନ୍ଦ, ଚଉପଦୀ ଏହାର ଜ୍ୱଳନ୍ତ ନିଦର୍ଶନ ତଥା ଓଡ଼ିଶାର ସଂସ୍କୃତିର ବାର୍ତ୍ତାବହ ।

                ବିଶେଷତଃ ଓଡ଼ିଶାର କଳା, ସାହିତ୍ୟ, ସଙ୍ଗୀତକୁ ବିଶ୍ୱଦରବାରରେ ପହଞ୍ଚାଇବା ପାଇଁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ, ଧରମା, ବିଶୁ ମହାରଣାଙ୍କ ଠାରୁ ଆରମ୍ଭ କରି ପରବର୍ତ୍ତୀ କାଳରେ ପଣ୍ଡିତ ଶ୍ୟାମ ସୁନ୍ଦର ଧୀର, କ୍ଷୀତିଶ ଚନ୍ଦ୍ର ମୈତ୍ରୀ, କୁଣ୍ଡଳା-ଆଦିନାରାୟଣ, ବାଳକୃଷ୍ଣ ଦାସ ତଥା ସତ୍ୟବାଦିର ପଞ୍ଚସଖାଙ୍କର ଦାନ ଅତୁଳନୀୟ । ତତ୍ସହିତ ଉତ୍କଳର ସୁଯୋଗ୍ୟ ସନ୍ତାନ ବାଦ୍ୟ ବିନୋଦ ପଣ୍ଡିତ କ୍ଷେତ୍ରମୋହନ କର ଥିଲେ ଉତ୍କଳୀୟ ସଙ୍ଗୀତକୁ ଅଭିବୃଦ୍ଧି ଓ ଋଧିମନ୍ତ କରିବାର ଅନ୍ୟ ଏକ ବିନ୍ଧାଣୀ  ।

ପଣ୍ଡିତ କ୍ଷେତ୍ରମୋହନ କର ୧୯୦୨ ମସିହା ଅଗଷ୍ଟ ୩୦ ତାରିଖରେ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖ ପୁରୀଠାରେ କଳାପ୍ରେମୀ ଜମିଦାର ବନମାଳୀ କର ଓ ମାତା ଗୌରୀ ଦେବୀଙ୍କ ଔରସରୁ ଜନ୍ମଲାଭ କରିଥିଲେ, ବାଲ୍ୟକାଳରୁ ସେଥିଲେ ଅତ୍ୟନ୍ତ ସଙ୍ଗୀତ ପ୍ରିୟ, କାରଣ ତାଙ୍କର ପିତାମହ ଥିଲେ ଜଣେ ଦକ୍ଷ ମୃଦଙ୍ଗ ବାଦକ, ବିଶେଷତଃ ଉତ୍କଳର କଳା ସଂସ୍କୃତିର ପ୍ରାଣ କେନ୍ଦ୍ରଥିଲା ଶ୍ରୀକ୍ଷେତ୍ର ପୁରୀ, ତେଣୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନାର୍ଥେ ଭାରତ ବର୍ଷର କୋଣ ଅନୁକୋଣରୁ ଅନେକ ସଙ୍ଗୀତଜ୍ଞମାନେ ପୁରୀ ଆସୁଥିଲେ ଓ ପୈତୃକ ବାସଭବନରେ ଅବସ୍ଥାନ କରୁଥିଲେ ଏବଂ ସମସ୍ତ ଦାୟୀତ୍ୱ ସେ ନିଜେ ସମ୍ପାଦନ କରୁଥିଲେ, ଯାହାକି ଭାରତ ବର୍ଷରେ ଏକ ବିରଳ ଦୃଷ୍ଟାନ୍ତ ।

ପ୍ରତ୍ୟେକ ଦିନ କିଛି ନା କିଛି ସଙ୍ଗୀତ ଚର୍ଚ୍ଚା ହେଉଥିଲା, ତେଣୁ ପଣ୍ଡିତ କ୍ଷେତ୍ରମୋହନ କର ଶୈଶବରୁ ବିଭିନ୍ନ ସଙ୍ଗୀତ ଓ ବାଦ୍ୟ ଯନ୍ତ୍ର ଶୁଣିବାକୁ ସୁଯୋଗ ପାଇଲେ ତଥା ଆଗ୍ରହର ସହିତ ବଜାଇବାକୁ ମନୋନିବେଶ କରୁଥିଲେ । ସେ ସମୟରେ ଶାସ୍ତ୍ରୀୟ ନିୟମରେ ସଙ୍ଗୀତ ଓ ବାଦ୍ୟଯନ୍ତ୍ର ଶିକ୍ଷା କରିବାପାଇଁ ଓଡ଼ିଶାରେ କୌଣସି ସୁବିଧା ସୁ

ଯୋଗ ନଥିଲା । ପିତା କ୍ଷେତ୍ରମୋହନ କର ସ୍କୁଲରେ ଅଧ୍ୟୟନ କରୁଥିବା ସମୟରେ ଯାହାକିଛି ମର୍ଦ୍ଧଳ ଓ ତାବଲା ବାଦନ କରୁଥିଲେ ତାହା ପୁରୀର ପାରମ୍ପରିକ ଢ଼ଙ୍ଗରେ ଥିଲା, ପରବର୍ତ୍ତି ସମୟରେ ମାଟ୍ରିକ୍ ପାସ କରି କଟକ ରେଭେନ୍ସା କଲେଜରେ ଅଧ୍ୟୟନ ସମୟରେ ପ୍ରାରମ୍ଭିକ ଶାସ୍ତ୍ରୀୟ ଢ଼ଙ୍ଗରେ ତବଲା ଶିକ୍ଷା ହାଇକୋଟ୍ର ଆଡ଼୍ଭୋକେଟ୍ ଜ୍ଞାନ ବ୍ରହ୍ମାଙ୍କ ଦ୍ୱାରା ଆରମ୍ଭ ହୋଇଥିଲା।

ପୁରୀ ପାପୁଡ଼ିଆ ମଠର ମହନ୍ତ ମହାରାଜା ଶ୍ରୀ ରାମରତନଙ୍କଠାରୁ ପଖୱାଜ ଶିକ୍ଷା କରିଥିଲେ, ପରେ ପରେ ବନାରସ ବାଜ୍ର ପ୍ରମୁଖ ତବଲା ବାଦକ ପଣ୍ଡିତ ଅନେଖୋଲାଲ ମିଶ୍ରଙ୍କଠାରୁ କିଛିଦିନ ତବଲା ଶିକ୍ଷା କରିଥିଲେ, ବିଶେଷତଃ ପଣ୍ଡିତ ଜ୍ଞାନ ପ୍ରକାଶ ଘୋଷ ତାଙ୍କ ବାଦନରେ ମୁଗ୍ଧହୋଇ ତାଙ୍କୁ ଦିଲ୍ଲୀ, ଅଜରାଡ଼ା ଓ ଫରକାବାଦର ଅନେକ ଗୁରୁତ୍ୱପୂର୍ଣ୍ଣ ଓ ଉପଯୋଗୀ ବୋଲ ପ୍ରଦାନ କରିବା ସହିତ ତବଲା ବଜାଇବାକୁ ହେଲେ ପଣ୍ଡିତ କ୍ଷେତ୍ରମୋହନ କରଙ୍କ ‘ସ୍ତରର’ ବାଦନ କରିବାକୁ ହେବ ବୋଲି ସେ ଅତ୍ୟନ୍ତ ଖୁସିରେ କହିପକାଇଥିଲେ ।

                ତାଙ୍କର ଜୀବନ୍ତ ଏକକ ବାଦନ ଦର୍ଶକମାନଙ୍କୁ ଯେତିକି ବିମୋହିତ କରୁଥିଲା, ସହଯୋଗୀ ବାଦ୍ୟ ଶିଳ୍ପୀ ଭାବରେ ସଙ୍ଗତ କରିବାର କଳାକୂଶଳତା ଦର୍ଶକମାନଙ୍କୁ ସେତିକି ବିମୁଗ୍ଧ କରୁଥିଲା । ତାଙ୍କର ସୃଜନାତ୍ମକ ରଚନା ଓ ପରିକଳ୍ପନା ତଥା ବୋଲ କହିବାର ଚାତୁରୀ ସହିତ ସ୍ପଷ୍ଟ ଅଙ୍ଗୁଳି ଚାଳନା ଦର୍ଶକ ଓ ଉପସ୍ଥିତ ଶ୍ରୋତାଙ୍କୁ ମନ୍ତମୁଗ୍ଧ କରିଦେଉଥିଲା । ତତ୍କାଳୀନ ଗଭର୍ଣ୍ଣର ତାଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରିଥିଲେ ।

ପଣ୍ଡିତ ଜବାହାରଲାଲ ନେହେରୁ ତାଙ୍କ ଏକକ ତବଲା ବାଦନରେ ମୁଗ୍ଧ ହୋଇ ମଞ୍ଚରେ ତାଙ୍କୁ ଆଲିଙ୍ଗନ କରିଥିଲେ । ପୁରୀ ଗଜପତି ମହାରାଜ ଶ୍ରୀ ବିରକେଶ୍ୱର ଦେବ ମଧ୍ୟ ତାଙ୍କ ଠାରୁ ତବଲା ଶିକ୍ଷା କରିଥିଲେ, କାରଣ ରାଜା ଶ୍ରୀ ରାମଚନ୍ଦ୍ର ଦେବ ଅତ୍ୟନ୍ତ ସଙ୍ଗୀତ ପ୍ରିୟଥିଲେ ।

                ସହଯୋଗୀ ବାଦ୍ୟଶିଳ୍ପୀ ଭାବରେ କେବଳ ଓଡ଼ିଶା କାହିଁକି ସମଗ୍ର ଭାରତ ବର୍ଷର ପ୍ରବୀଣ ଗୁରୁ ଓ ପଣ୍ଡିତମାନଙ୍କ ସହିତ ତବଲା ସଙ୍ଗୀତ କରି ଯେଉଁ ଦୃଷ୍ଟାନ୍ତ ରଖିଯାଇଛନ୍ତି ତାହା ବୀରଳ, ସେହି ପ୍ରବୀଣ ଗୁରୁମାନେ ହେଲେ ଡ଼ି.ଭି.ପଲ୍ୟୁଷ୍କର, ଗୀରିଜା ଦେବୀ, ଓଁକାରନାଥ ଠାକୁର, ହୀରାବାଇ ବଡ଼ିଦେକର, ବିନାୟକ ପଟ୍ଟବର୍ଦ୍ଧନ, ପାନାଲାଲ ଘୋଷ, ବଡ଼େ ଗୁଲାମ ଅଲ୍ଲୀ ଖାଁ, ଏସ୍.ଡ଼ି.ବର୍ମନ, ରଇଖାଁ ପ୍ରମୁଖ ଅଟନ୍ତି ।

                ବୈବାହିକ ଜୀବନରେ ପଦ୍ମାବତୀଙ୍କୁ ବିବାହ କରି ତାଙ୍କର ଦାମ୍ପତ୍ୟ ଜୀବନ ସଙ୍ଗୀତକୁ ନେଇ ସଫଳତାର ସହିତ ଆଗେଇ ଯାଇଛି । ତାଙ୍କ ଦାମ୍ପତ୍ୟ ଜୀବନରେ ତଥା ପାରିବାରିକ ଜୀବନରେ ସଙ୍ଗୀତକୁ ନେଇ ଆସିନାହିଁ ପ୍ରତିବନ୍ଧକ କଳହ ବରଂ ସହଯୋଗ କରିଛି ଆଗକୁ ଆଗେଇ ଯିବାକୁ । ପ୍ରଥମେ କ୍ଷେତ୍ରମୋହନ କର ଭାରତୀୟ ଡ଼ାକ ବିଭାଗରେ ପୋଷ୍ଟମାଷ୍ଟର ଭାବରେ ପୁରୀଠାରେ ନିଯୁକ୍ତି ପାଇଥିଲେ, ପରବର୍ତ୍ତି କାଳରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ତବଲା ବିଭାଗର ମୂଖ୍ୟ ଅଧ୍ୟାପକ ଭାବରେ ଶିକ୍ଷାଦାନ କରି ଛାତ୍ର ମାନଙ୍କର ପ୍ରିୟ ଭାଜନ ହୋଇପାରିଥିଲେ ।

ଶ୍ରୀଯୁକ୍ତ କ୍ଷେତ୍ରମୋହନ କର ଜୀବନରେ ପାଇଛନ୍ତି ଅନେକ ପ୍ରଶଂସା, ମାନପତ୍ର, ଉପଢ଼ୌକନ, ବାଦ୍ୟବିନୋଦ, ବାଦ୍ୟରଣ, ସଙ୍ଗୀତ ବାରିଧି, ବାଦ୍ୟବ୍ରହ୍ମ ଏବଂ ୧୯୭୦ ମସିହା ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର, ତଥା ପ୍ରିୟ ଜନ୍ମଭୂମି ଉତ୍କଳର ଅଗଣିତ ନରନାରୀଙ୍କର ଉଚ୍ଛ୍ୱସିତ ପ୍ରଶଂସା । ସେ ସୃଷ୍ଟି କରିଦେଇ ଯାଇଛନ୍ତି ଓଡ଼ିଶା ସଙ୍ଗୀତ ଜଗତରେ ତଥା ତବଲା ବାଦନ କ୍ଷେତ୍ରରେ ଅନେକ ଛାତ୍ର, ଛାତ୍ରୀ ଏବଂ ଓଡ଼ିଶା ମାଟିରେ ଏକ ବଳିଷ୍ଟ ଗୁରୁଶିଷ୍ୟ ପରମ୍ପରା ।

ବିଶେଷତଃ ତାଙ୍କର ଦୃଢ଼ ମନୋବଳ ଓ ଐକାନ୍ତିକ ଚେଷ୍ଟାଫଳରେ ପୁରୀର ଟୁଙ୍ଗୀ ଘରେ, ଗୁମ୍ବୁଟି ଘରେ ବାଜୁଥିବା ମର୍ଦ୍ଧଳକୁ, ଲୋକ ଲୋଚନକୁ ଆଣି ଶାସ୍ତ୍ରୀୟ ଧାରାରେ ଏକକ ବାଦନ କରିବାର ଶୈଳୀ ନିରୁପଣ କରିବା ସହିତ, ଶାସ୍ତ୍ରୀୟ ଧାରାରେ ତବଲା ବାଦନ କରିବାର ପରମ୍ପରା ତାଙ୍କ ମାଧ୍ୟମରେ ସମଗ୍ର ଓଡ଼ିଶାରେ ପ୍ରସାର ଲାଭକରିଛି ।

କାଳକ୍ରମେ ଦେଖାଯାଇଛି, ଓଡ଼ିଶାରେ ବୈଷ୍ଣବ ଧର୍ମର ପ୍ରସାର ପ୍ରଚାରରେ ବ୍ୟବହୃତ ହେଉଥିବା ତାଳବାଦ୍ୟ, ଖୋଳ, ଖଞ୍ଜଣୀ, ଢ଼ୋଲକ ଇତ୍ୟାଦିରେ ବାଦନ ଶୈଳିରେ କେତେକାଂଶରେ ତବଲା ବୋଲ ତଥା ଛନ୍ଦକୁ ଆଧାର କରି ବାଦନ ଶୈଳୀରେ ବିକାଶ ଲାଭ କରିଛି । ତାଙ୍କର ବୋଲ ତଥା ଛନ୍ଦ ସଂଯୋଜନା ଲୋକାଦୃତ ହୋଇପାରିଛି । ତାଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ପ୍ରମୁଖ ଛାତ୍ର, ଛାତ୍ରୀମାନଙ୍କ ମଧ୍ୟରେ ପଦ୍ମ ବିଭୂଷଣ ଗୁରୁ ଶ୍ରୀ କେଳୁଚରଣ ମହାପାତ୍ର, ଗୁରୁ ହରମୋହନ ଖୁଣ୍ଟିଆ, ଗୁରୁ ବନମାଳି ମହାରଣା, କୃଷ୍ଣଚନ୍ଦ୍ର ଗୁରୁ, ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ଚନ୍ଦ୍ର ଶେଖର ମାଝି, ରାଧା ଶ୍ୟାମ ଘୋଷ, ବ୍ରହ୍ମପୁର ରାଜା ନରେନ୍ଦ୍ର ଦେବ ଏବଂ ମୋ ଭଳି ହତଭାଗ୍ୟ ପୁତ୍ର ।

ଉନବିଂଶ ଶତାବ୍ଦୀରେ କ୍ଷେତ୍ରମୋହନ କରଙ୍କ ତତ୍ତ୍ୱାବଧାନରେ ଓଡ଼ିଶାରେ ଶାସ୍ତ୍ରୀୟ ସଙ୍ଗୀତର ବିକାଶପାଇଁ ଅନେକ ସଙ୍ଗୀତ ଆସର, ଆଲୋଚନାଚକ୍ର, ‘ହୋଲନାଇଟ୍ ପ୍ରୋଗ୍ରାମ’ ଅନୁଷ୍ଠିତ ହେଉଥିଲା ଯେଉଁଠି ରାତ୍ର ତମାମ୍ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ଚାଲୁଥିଲା । ସେଥିରେ ସୁଗାୟୀକା ସୁନନ୍ଦା ପଟ୍ଟନାୟକ,  ବିଣାପାଣୀ ଦେବୀ, ନିଳକଣ୍ଠ ମିଶ୍ର, ପଦ୍ମଶ୍ରୀ ପ୍ରଫୁଲ୍ଲକର, ଗୁରୁ କେଳୁଚରଣ ମହାପାତ୍ର, ଗୁରୁ ବନମାଳି ମହାରଣା ଏବଂ ଆହୁରି ଅନେକ କଳାକାର ଓ ସଙ୍ଗୀତ ପ୍ରେମୀମାନେ ସକ୍ରିୟ ଅଂଶଗ୍ରହଣ କରୁଥିଲେ । ମୁଁ ତ ହତଭାଗ୍ୟ କାରଣ ବିଶେଷ କିଛି ତାଙ୍କଠାରୁ ଶିକ୍ଷାକରି ପାରିଲି ନାହିଁ । ଯାହା ବିନ୍ଦୁଏ ମାତ୍ର ତାଙ୍କଠାରୁ ପାଇଛି ତାହା ମୋର ସଙ୍ଗୀତ ଜୀବନରେ ସିନ୍ଧୁଭଳି ଜୁଆର ସୃଷ୍ଟି କରିଛି । ଏତିକି ହିଁ ଯଥେଷ୍ଟ ।

                ଭାରତର ପ୍ରମୁଖ ବାଦକମାନଙ୍କ ମଧ୍ୟରେ ବାଦ୍ୟ ବିନୋଦ କ୍ଷେତ୍ରମୋହନ କର ଥିଲେ ଏକ ଅନନ୍ୟ ପ୍ରତିଭା । ତାଙ୍କର ବାଦନ ଶୈଳୀ ଓ ବୋଲ କହିବାର ଚାତୁରୀ ସହିତ ଭାରତର ପ୍ରମୁଖ ପ୍ରଚଳିତ ବାଦନ ଶୈଳୀକୁ ଅନୁସରଣ କରି ନିଜର ମୌଳିକ ପରିକଳ୍ପନା ତଥା କଳାତ୍ମକ ପ୍ରୟୋଗ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତବର୍ଷରେ ବରିଳ ।

ସେ ଥିଲେ ଏକାଧାରରେ ଜଣେ ତବଲା ବାଦକ ମର୍ଦ୍ଦଳ ବାଦକ, ଜଳତରଙ୍ଗ ବାଦକ, ସଙ୍ଗୀତ ନିର୍ଦ୍ଦେଶକ, ଆଲୋଚକ, ଛାତ୍ର ବତ୍ସଳ ଶିକ୍ଷକ । ନିଜ ଜୀବନ ଯାପନ କ୍ଷେତ୍ରରେ ସେ ଥିଲେ ଜଣେ ସରଳ, ହାସ୍ୟମୂଖ, ନିସ୍ୱାର୍ଥପର, ଉତ୍ସର୍ଗୀକୃତ, କଳାସାଧନାର ପ୍ରତୀକ, ଉଚ୍ଚକୋଟୀର କଳାକାର ସହିତ ଜଣେ ଆଦର୍ଶ ଶିକ୍ଷକ । ଶେଷ ଜୀବନ ପର୍ଯ୍ୟନ୍ତ ନିସ୍ୱାର୍ଥପର ଶିକ୍ଷାଦାନ ଓ ଜୀବନ୍ତ ମଞ୍ଚ ପ୍ରଦର୍ଶନ ତାଙ୍କ ଜୀବନର ବ୍ରତ ଥିଲା । ପରିଶେଷରେ ୧୯୮୭ ମସିହା ଜୁଲାଇ ୧ ତାରିଖରେ ପୁରୀସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିଲା ଏବଂ ସମଗ୍ର ଓଡ଼ିଶା କାହିଁକି ଭାରତ ବର୍ଷପାଇଁ ଏକ ଅପୁରଣୀୟ କ୍ଷତି ଥିଲା । ତାଙ୍କର ଆଶୀର୍ବାଦ ତଥା ଓଡ଼ିଶାର ଆରାଧ୍ୟ ଦେବତା ପତିତପାବନ ଶ୍ରୀ ଜଗନ୍ନାଥଙ୍କର ଅପାର କରୁଣାରୁ ଓଡ଼ିଶା ବୁକୁରେ ତାଙ୍କ ଭଳି ଅନେକ ସନ୍ତାନ ଜନ୍ମଲାଭ କରିବେ ଓ ମା ମାଟିର ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବାରେ ସହଯୋଗ କରିବେ ।

[box type=”info” align=”” class=”” width=””]ବାଦ୍ୟ ବିନୋଦ ପଣ୍ଡିତ କ୍ଷେତ୍ରମୋହନ କର ଓଡ଼ିଶାର ସଙ୍ଗୀତ ଇତିହାସରେ ଜଣେ ଅନନ୍ୟ ପ୍ରତିଭା । ପୁରୀ ସହରରେ ଏହିଭଳି ଅନେକ ମହାନ ସଙ୍ଗୀତକାର ମାନଙ୍କର ଜନ୍ମ ଓଡ଼ିଶାର ସଙ୍ଗୀତ କ୍ଷେତ୍ରଟିକୁ ଋଦ୍ଧିମନ୍ତ କରିବା ସହିତ ପୁରୀ କୈନ୍ଦ୍ରିକ ସଂସ୍କୃତିରେ ପରିଣତ କରିବାରେ ସହଯୋଗ ମଧ୍ୟ କରିଛି । ଶ୍ରୀ ଜଗନ୍ନାଥଙ୍କ ଦର୍ଶନାର୍ଥେ ଭାରତ ବର୍ଷର କୋଣ ଅନୁକୋଣରୁ ଅନେକ ସଙ୍ଗୀତଜ୍ଞମାନେ ପୁରୀ ଆସୁଥିଲେ ଓ ତାଙ୍କ ବାସଭବନରେ ଅବସ୍ଥାନ କରୁଥିଲେ । ପ୍ରତ୍ୟେକ ଦିନ କିଛି ନା କିଛି ସଙ୍ଗୀତ ଚର୍ଚ୍ଚା ହେଉଥିଲା, ତେଣୁ ପଣ୍ଡିତ କ୍ଷେତ୍ରମୋହନ କର ଶୈଶବରୁ ବିଭିନ୍ନ ସଙ୍ଗୀତ ଓ ବାଦ୍ୟ ଯନ୍ତ୍ର ଶୁଣିବାକୁ ସୁଯୋଗ ପାଇଥିଲେ ବୋଲି ତାଙ୍କ ସୁଯୋଗ୍ୟ ପୁତ୍ର ପଣ୍ଡିତ ଉମେଶ ଚନ୍ଦ୍ର କର ଉକ୍ତ ଲେଖାରେ ପ୍ରକାଶ କରିଛନ୍ତି । ନିଜ ପିତାଙ୍କୁ ଗୁରୁ ଭାବରେ ପାଇଥିବା ପଣ୍ଡିତ ଉମେଶ ଚନ୍ଦ୍୍ର କର ମଧ୍ୟ ଜଣେ ଭାରତ ପ୍ରସିଦ୍ଧ ତବଲା ବାଦକ ଓ ଦୂରଦର୍ଶନର ଟପଗ୍ରେଡ଼୍ କଳାକାର ଅଟନ୍ତି ।- ସମ୍ପାଦକ [/box]

Photo credit-internet

Share This Article
ତବଲାର ପ୍ରସିଦ୍ଧ ଗୁରୁ (ଓଡ଼ିଶା) ତଥା ପୂର୍ବତନ ଅଧ୍ୟକ୍ଷ୍ୟ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ଭୁବନେଶ୍ୱର