ପେଶାଠୁ ନିଶା ଆହୁରି ଆକର୍ଷଣୀୟ ଆନନ୍ଦ ଦିଏ – (ଅସୀମ ବସୁଙ୍କ ସହ ସାକ୍ଷାତକାର)

ହରିହର ପଣ୍ଡା
ହରିହର ପଣ୍ଡା 227 Views
10 Min Read

 

ପ୍ରଶ୍ନ: କଳା ସଂସ୍କୃତି ଆଉ ଅଭିନୟ ପ୍ରତିଟି କ୍ଷେତ୍ରରେ ଆପଣଙ୍କ ନାଁ ଜଣାଶୁଣା । ସୃଜନଶୀଳତାର ଏ ଯାତ୍ରା କେମିତି ଆରମ୍ଭ ହେଲା?

ଉତ୍ତର:  ସେତେବେଳେ ବାଲେଶ୍ୱରରେ କଲେଜରେ ପଢ଼ୁଥିଲି। ଏବେ ଯାହା ଫକିରମୋହନ କଲେଜ ଭାବେ ପରିଚିତ। ଚିତ୍ର ଆଙ୍କିବା ବାବଦରେ ଶିଖିବାପାଇଁ ମନରେ ପ୍ରବଳ ଆଗ୍ରହ ଥିଲା। ଏଥିପାଇଁ କଲିକତା ଯିବାକୁ ସ୍ଥିର କଲି। କିନ୍ତୁ ଘରେ କେହି ରାଜି ହେଲେନି। ବାପା ଜଣେ ଭେଟେନାରୀ ଡ଼ାକ୍ତର ଥିଲେ। ଭାଇ ବି ମୋତେ ଚିତ୍ରକର ଭାବେ ଦେଖିବାକୁ ଚାହୁଁନଥିଲେ। କାରଣ ସେତେବେଳେ ପିଅନ ଚାକିରୀ ପାଇଁ ଯେଉଁ ଦରମା ଥିଲା ଜଣେ ଚିତ୍ରକର ବା ଡ଼୍ରଇଂ ସାର୍ ପାଇଁ ସେଇ ଦରମା ଥିଲା। ଏଣୁ ପାଞ୍ଚବର୍ଷ ପାଠ ପଢ଼ିକରି ଲାଭ ବା କ’ଣ? ସେଥିପାଇଁ ପାଠପଢ଼ାରେ ବାପ, ଭାଇ ଅନ୍ତରାୟ ହେଉଥିଲେ।

ପ୍ରଶ୍ନ: ପରେ ତାହା କେମିତି ସମ୍ଭବ ହେଲା?

ଉତ୍ତର:    ମୁଁ ଲୁଚିକରି କଲିକତା ପଳାଇଲି । ସେଠାରୁ ଯାଇ ନିଜେ ରୋଜଗାର କରି ପଢ଼ିବାକୁ ଚେଷ୍ଟାକଲି । ପୁରୁଣା ବହି ବିକ୍ରି କରିବାଠୁ ଆରମ୍ଭ କରି ଲଣ୍ଡ୍ରି ଦୋକାନ ଯାଏଁ ସବୁକାମକୁ ଆପଣେଇଛି। ସେଥିରୁ ଯାହା ଟଙ୍କା ମିଳେ ସେଥିରେ କୁଲିମାନେ ଯେଉଁ ଛତୁଟେଳା ଖାନ୍ତି ସେଥିରୁ କିଣି ଖାଏ। କାରଣ ସେଥିରେ ଅଳ୍ପ ଟଙ୍କା ଖର୍ଚ୍ଚ ହୁଏ। ପରେ ସେଠାରେ ଜଣେ ଧରଣୀଧର ନାୟକଙ୍କ ସହ ପରିଚୟ ହେଲା। ସେ ପିଅନ ଚାକିରୀ କରୁଥିଲେ। ମୋତେ ତାଙ୍କ ପାଖରେ ରଖିଲେ ଏବଂ ସାହାଯ୍ୟ କଲେ । ପରେ ମୋତେ ବୃତ୍ତି ବା ସ୍କଲାସିପ୍ ମିଳିଲା। ୧୯୫୯ ମସିହାରେ ମୁଁ ଆର୍ଟ ସ୍କଉଲରୁ ଉତ୍ତିର୍ଣ୍ଣ ହେଲି।

ପ୍ରଶ୍ନ: ଏତେ କଷ୍ଟକରି ନିଜ ସ୍ୱପ୍ନ ସାକାର କରିଥିଲେ ମଧ୍ୟ ଆପଣ ସେ ପ୍ରମାଣ ପତ୍ର ସବୁ ଚିରିଦେଲେ କାହିଁକି?

ଉତ୍ତର: ଆର୍ଟ ସ୍କୁଲ ପାଶଆଉଟ୍ ପରେ ମୁଁ ଚାକିରୀ କଲି। କିନ୍ତୁ ସରକାରୀ ଚାକିରୀ ମୋତେ ଶାନ୍ତି ଦେଇପାରିଲା ନାହିଁ । ପୁଣି ଘରୋଇ ସଂସ୍ଥାରେ ଚାକିରୀ ମଧ୍ୟ ମୋ ରୁଚୀର ହେଲାନି। ଏଣୁ ଚାକିରୀ ଛାଡ଼ିଦେଲି।  ନିଜେ ବ୍ୟବସାୟ କରିବାକୁ ସ୍ଥିର କଲି। କାଳେ ପୁଣିଥରେ ମନ ଚାକିରୀ ପ୍ରତି ଢ଼ଳିବ ତାହାକୁ ଡ଼ରି ମୁଁ ସାର୍ଟିଫିକେଟ ସବୁ ଚିରି ଦେଲି।

[box type=”shadow” align=”” class=”” width=””] କଟକର ବାବୁଲ ଯୋଶୀ ମୋତେ ତାଙ୍କ ନାଟକ ‘ତପସ୍ୱିନୀ’ର ମଞ୍ଚ ସଜାଇବାପାଇଁ ପ୍ରଥମେ ଦାୟିତ୍ୱ ଦେଇଥିଲେ । ସେତେବେଳେ ମୁଁ ମଞ୍ଚସଜ୍ଜା ବିଷୟରେ କିଛିବି ଜାଣିନଥିଲି। ଏଣୁ ମଞ୍ଚର ଚିତ୍ର କଲାବେଳେ ଦୁଇଟି ଜୀବନ୍ତ ଚଢ଼େଇକୁ ଆଙ୍କି ଦେଇଥିଲି । ବାବୁଲ ଯୋଶୀ ସେଇଛବି ଦୁଇଟିକୁ କାଢ଼ି ଆଉସବୁ ମଞ୍ଚରେ ରୂପାନ୍ତର ପାଇଁ କହିଥିଲେ । ଏହାର କାରଣ ପଚାରିବାରୁ ମୋତେ ଶ୍ରୀ ଯୋଶୀ କହିଲେ ଛବିରେ ସିନା ଉଡ଼ନ୍ତା ଚଢ଼େଇ ଦେଖେଇ ହେବ କିନ୍ତୁ ମଞ୍ଚ ଉପରେ ଏକ ସୀମିତ ଅଞ୍ଚଳରେ ପକ୍ଷୀ ଉଡ଼ିବେ କେମିତି? ଏହି ପ୍ରଶ୍ନ ଭିତରେ ମୁଁ ମଞ୍ଚ ସଜ୍ଜାର ସବୁ ଉତ୍ତର ପାଇଗଲି।[/box]

ପ୍ରଶ୍ନ: ସରକାରୀ ଚାକିରୀ ଛାଡ଼ିବା ଠାରୁ ଆଜିଯାଏଁ ପୁଣିଥରେ କେବେ ଏମିତି ଭାବନା ଆସିଛି ଯେ, ଚାକିରୀ କରିଥିଲେ ଭଲ ହୋଇଥାନ୍ତା?

ଉତ୍ତର: ଏବେ ବୁଢ଼ା ବୟସରେ ଭାବୁଛି । ହୁଏତ ଚାକିରୀ ଥିଲେ ଏବେ ପେନସନ୍ ମିଳୁଥାନ୍ତା। କିନ୍ତୁ ମୁଁ ଚାକିରୀ ଛାଡ଼ି ଅନୁତାପ କରିନି ବରଂ ମୋତେ ଭଲ ଲାଗିଛି । ମାନସିକ ଶାନ୍ତି ପାଇଛି । ଚାକିରୀ କରିଥିଲେ ଅନ୍ୟ ଆଗରେ ମୁଣ୍ଡ ନୁଆଁଇବାକୁ ପଡ଼ିଥାନ୍ତା। ଆତି କମ୍ରେ ତାହାତ’ ହୋଇନି।

ପ୍ରଶ୍ନ: ଚିତ୍ରକୁ ଭଲ ପାଉଥିବା ସୃଜନଶୀଳ ବ୍ୟକ୍ତିତ୍ୱ ଆଉଜଣେ ପେସାଦାର ଚିତ୍ରକର ଭାବେ ଛବିର ଆଦରକୁ ଓଡ଼ିଶାରେ କେମିତି ଦେଖୁଛନ୍ତି?

ଉତ୍ତର: ଛବିର ଦାମ ଲୋକେ ବୁଝନ୍ତିନି ଏହା ସତ। ହେଲେ କିଛି ପରିମାଣରେ ଛବିପ୍ରତି ଲୋକଙ୍କର ଆଗ୍ରହ ବଢ଼ିଛି । ଆଗରୁ ଆମେ କୌଣସି ବଡ଼ ଘରେ ଛବି ଟିଏ ଟଙ୍ଗାନ୍ତୁ ବୋଲି ଅନୁରୋଧ କରୁଥିଲୁ।  ଏପରିକି ତାଙ୍କ ଘରକୁ ଯାଇ ଛବି ଦେବାପରେ ପ୍ରତିବର୍ଷ ସେ ଛବିକୁ ବଦଳାଇ ନୂଆ ଛବି ସେଇ ଯାଗାରେ ଲଗାଇ ଦେବୁ ବୋଲି କହି ଛବି ବିକ୍ରି କରୁଥିଲୁ। ଏବେ ସେଥିରେ ପରିବର୍ତ୍ତନ ଆସିଛି । କିନ୍ତୁ ରୂଚିରେ ପରିପକ୍ୱତା ଏଯାଏଁ ଆସିନି। ଏଠି ରୁଚିଟା ବଡ଼ ରୁଗ୍ଣ ବୋଲି କୁହାଯାଇପାରେ । ଧୀରେ ଧୀରେ ତାହା ବଦଳୁଛି। ଆହୁରି ସମୟ ଲାଗିବ। ଏବେ ଛବି ବିକ୍ରି ହେଲାଣି। ଆଗ ପଟ୍ଟଚିତ୍ର ବିକା ହେଉଥିଲା। ଏବେ ମଡ଼ର୍ଣ୍ଣ ଆର୍ଟ ବିକ୍ରି ହେବା ଆନନ୍ଦର ବିଷୟ।

ପ୍ରଶ୍ନ: ଜଣେ ଚିତ୍ରକରରୁ ନାଟକ ଆଡ଼କୁ କେମିତି ଢ଼ଳିଲେ?

ଉତ୍ତର: ଛବି ଆଙ୍କିବାଟା ମୋର ପେଶା। ଆଉ ନାଟକ ମୋର ନିଶା। ପିଲାବେଳୁ ମୁଁ ନାଟକ ଆଡ଼କୁ ଢ଼ଳିଛି। ବାଲେଶ୍ୱରରେ ଥିବାବେଳେ ମୁଁ ନାଟକରେ ଅଭିନୟ କରିଛି। ଅବଶ୍ୟ ତାହା ବେଙ୍ଗଲି ଭାଷାରେ। କଲିକତାରେ ଥିବାବେଳେ ଉତ୍ପଳ ଦତ୍ତଙ୍କ ଗ୍ରୃପ୍ରେ ଯୋଗ ଦେଇଥିଲି ।  ହେଲେ ଓଡ଼ିଆରେ କୌଣସି ନାଟକ କରିବା ଭୁବନେଶ୍ୱରରୁ ଆରମ୍ଭ ହୋଇଥିଲା । ତାହା ‘ରୂପାନ୍ତର’ ନାଟକ ମାଧ୍ୟମରେ। ସେତେବେଳେ ଭୁବନେଶ୍ୱରରେ ନାଟକ ଗ୍ରୃପ୍ ବୋଲି କିଛି ନଥିଲା । କଲିକତାରେ ଯେମିତି ଗ୍ରୃପ୍ ଥିଏଟର୍ ପରମ୍ପରା ଚାଲିଥିଲା ତା’ ଏଠାରେ ନଥିଲା । ମୁଁ ତାହା ଏଠି ଆପଣେଇବାକୁ ଚେଷ୍ଟାକଲି। ଆଉ ଏହିକ୍ରମରେ କଟକର ବିଶ୍ୱଜିତ ଦାସଙ୍କ ସହ ମିଶି ଏକ ନାଟକ ଗ୍ରୃପ୍ ଏଠି ତିଆରି କଲୁ । ଯାହାର ନାଁଥିଲା ‘ରୂପକାର’।

ପ୍ରଶ୍ନ:       କିନ୍ତୁ ତାହା ଭାଙ୍ଗିଗଲା କାହିଁକି? ଆଉ ଆପଣ ଉତ୍ତର ପୁରୁଷ ଗଠନ କରିବାର କାରଣ କ’ଣ ରୂପକାର ସହ ଯୋଡ଼ା?

ଉତ୍ତର: ‘ରୂପକାର’ଗୋଷ୍ଠି ଭାଙ୍ଗିବାର କାରଣ ହେଉଛି ମନାନ୍ତର । ବିଶ୍ୱଜିତଙ୍କ ସହ ମୋର ମନାନ୍ତର ହେଲା । ସେତେବେଳେ ମୁଁ ଚାହୁଁଥିଲି ଆମ ନାଟକରେ ଗୋଟେ ଭିନ୍ନ ସ୍ୱାଦ ଆଣିବାକୁ । ସେତେବେଳେ ବିଜୟ ମିଶ୍ରଙ୍କ ଦ୍ୱାରା ଲେଖାଯାଇଥିବା ନାଟକ ‘ଶବବାହକମାନେ’ ଏକାଡ଼େମୀ ପୁରସ୍କାର ପାଇଥିଲା । ବେଶ ଲୋକାଦୃତ ହୋଇଥିଲା । ଯେହେତୁ ଆମର ସବୁ ନାଟକର ଶେଷ ଦୃଶ୍ୟ ପାଖାପାଖି ସମାନ ହେଉଥିଲା ସେହି ଏକକ ଭାବନାକୁ ଭାଙ୍ଗିବାପାଇଁ ମୁଁ ବିଜୟ ମିଶ୍ରଙ୍କ ସ୍କ୍ରିପ୍ଟ କଥା ଚିନ୍ତା କରିଥିଲି । ହେଲେ ବିଶ୍ୱଜିତ ଏହାକୁ ଗ୍ରହଣ କରିପାରିଲେନି । ସେଥିଲାଗି ଆମ ଗୋଷ୍ଠି ଭାଙ୍ଗିଗଲା । ବିଶ୍ୱଜିତ ‘ସଙ୍କେତ’ ନାଁ’ରେ ଆଉ ଏକ ଗୋଷ୍ଠି ଗଢ଼ିଲେ ।

ପ୍ରଶ୍ନ: ଏହାପରେ ଉତ୍ତର ପୁରୁଷ ହେଲା?

ଉତ୍ତର:    ଉତ୍ତର ପୁରୁଷ ପାଇଁ ଯୋଜନା ବହୁତ ଆଗୁଆ ହୋଇଥିଲା । ମୁଁ ସେଥିରେ ଯୋଗଦେଲି । ତାକୁ ଆଗକୁ ବଢ଼ାଇ ନେବାକୁ ଚାହିଁଛି ।  ଏଥିରେ ଆମେ ଏକ ନୂଆ କଳାକାର କ୍ୟଡ଼ର୍ ତିଆରି ପାଇଁ ଚେଷ୍ଟା କରୁଛୁ । ଫଳରେ ନୂଆ କଳାକାର ସୃଷ୍ଟି ହୋଇପାରିବେ ।

ପ୍ରଶ୍ନ: ବର୍ତ୍ତମାନର ନାଟକ ଧାରାକୁ ଆପଣ କେମିତି ଦେଖୁଛନ୍ତି?

ଉତ୍ତର:    ମଝିରେ ନାଟକର ଆଦୃତି କମିଯାଇଥିଲା । ଏବେ ପ୍ରଚାର ଘଟିଛି । ଅନେକ ଲୋକ ନାଟକ ଦେଖୁଛନ୍ତି ଓ ପରିବେଷଣ ପାଇଁ ଆଗକୁ ଆସୁଛନ୍ତି । ହେଲେ ନାଟ୍ୟକାରମାନେ ଭୂଲିଯିବା ଉଚିତ ନୁହେଁ ଯେ ସେମାନେ ଯେଉଁ ନାଟକ କରୁଛନ୍ତି ତାହା ପ୍ରାଥମିକ ଭାବେ ଲୋକଙ୍କ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ । ମନୋରଞ୍ଚନକୁ ବାଦ୍ଦେଲେ ନାଟକ ହୁଏନି ।

ପ୍ରଶ୍ନ: କୁହାଯାଏ ମାଗଣାରେ ନାଟକ ଦେଖିବାକୁ ମିଳୁଛି ବୋଲି ଲୋକେ ନାଟକ ଦେଖିବାକୁ ରବିନ୍ଦ୍ରମଣ୍ଡପ ଆସୁଛନ୍ତି । ଟିକେଟ ଦେବାକୁ ପଡ଼ିଲେ ଆସନ୍ତେ ନାହିଁ । ଏ ବାବଦରେ ଆପଣଙ୍କ ମତାମତ କ’ଣ ରହିବ?

ଉତ୍ତର: ଟିକେଟ ବିକ୍ରି ଲାଗି ଆମେ ବାରମ୍ବାର କହୁଛୁ । ଏହା ହେଲେ ପ୍ରକୃତରେ କେତେ ଲୋକ ନାଟକ ଦେଖୁଛନ୍ତି ତାହା ଜଣାପଡ଼ିବ । କିନ୍ତୁ ସରକାର ଏହା କରାଇ ଦେଉନାହାଁନ୍ତି । ସରକାରଙ୍କ ଯୁକ୍ତି ହେଉଛି ଯଦି ନାଟକ ସଂସ୍ଥାମାନଙ୍କୁ ରିହାତିରେ ମଣ୍ଡପ ଦିଆଯାଉଛି ତେବେ ସେମାନେ କାହିଁକି ଟିକେଟ ପଇସା ଆଦାୟ କରିବେ । ସରକାର ପଛେ ତାଙ୍କ ତହବିଲକୁ ଟଙ୍କା ନିଅନ୍ତୁ ଟିକେଟ ବ୍ୟବସ୍ଥା ଆପଣାନ୍ତୁ ।

ପ୍ରଶ୍ନ: ଏବେ ନାଟକ ଆଗରେ ପ୍ରମୁଖ ଆହ୍ୱାନ କ’ଣ? କଳାକାରଙ୍କ ଅଭାବ ରହୁଛି କି?

ଉତ୍ତର: କଳାକାରଙ୍କ ଅଭାବ ଅପେକ୍ଷା ଚ୍ୟାଲେଞ୍ଜ ହେଉଛି ସ୍କ୍ରିପ୍ଟର ଅଭାବ । କାରଣ ଯେଉଁମାନେ ଅଭିନୟକୁ କ୍ୟାରିୟର ଭାବେ ନିଅନ୍ତି ସେମାନେ ମଞ୍ଚ ଅଭିନୟକୁ ଗୁରୁତ୍ତ୍ୱ ଦିଅନ୍ତି । ସଙ୍ଗୀତ ମହାବିଦ୍ୟାଳୟ ଏ ଦିଗରେ ନୂଆ ନୂଆ ଶୃଙ୍ଖଳିତ କଳାକାରଙ୍କୁ ସୃଷ୍ଟି କରୁଛି ।

ପ୍ରଶ୍ନ: ଏତେ ସଂଖ୍ୟାରେ ବହି ଲେଖା ହେଉଛି ତେବେ ସ୍କ୍ରିପ୍ଟର ଅଭାବ କାହିଁକି ହେଉଛି?

ଉତ୍ତର: ଆଗରୁ ନିର୍ଦ୍ଦେଶକ ଅପେକ୍ଷା ଲେଖକ ଲୋକଙ୍କ ପାଖରେ ଆଗ ପରିଚିତ ହେଉଥିଲେ । କାରଣ ଗୋଟିଏ ମୂଳ ଲେଖାକୁ ଅନେକ ଥର ବିଭିନ୍ନ ଜାଗାରେ ପରିବେଷଣ କରାଯାଉଥିଲା । ବାରମ୍ବାର ପରିବେଷଣ ଦ୍ୱାରା ତାହା ମାର୍ଜିତ ହେଉଥିଲା । ଆଉ ଲୋକେ ଏହା ଦେଖି ବହିର ଲେଖକଙ୍କ ବିଷୟରେ ପରିଚିତ ହେଉଥିଲେ । କିନ୍ତୁ ଏବେ ଯଦି କୌଣସି ନାଟକ ଥରେ ପ୍ରଦର୍ଶିତ ହୋଇଯାଉଛି ତେବେ ନାଟକ ନିର୍ଦ୍ଦେଶକମାନେ ତାହାକୁ ଆଉ କେଉଁ ସ୍ଥାନରେ ପରିବେଷଣ କରୁନାହାଁନ୍ତି । ଖାଲି ନୂଆ ନୂଆ ସ୍କ୍ରିପ୍ଟ ଖୋଜିବା ଦ୍ୱାରା ଭଲ ନାଟକ ମିଳିବା କଷ୍ଟ ହୋଇଯାଉଛି ।

[box type=”shadow” align=”” class=”” width=””]ଜୀବନର କୌଣସି ମୁହୁର୍ତ୍ତରେ ସେ ସୃଜନଶୀଳତା ସହ ସାଲିସ କରିନାହାଁନ୍ତି । କାହା ଆଗରେ ମୁଣ୍ଡ ନୁଆଁଇ ନାହାଁନ୍ତି । ପିଲାବେଳୁ କିଛି ନୂଆ ସୃଷ୍ଟି କରିବାପାଇଁ ସେ ନିଜ ଇଚ୍ଛାରେ ଘର ଛାଡ଼ିଛନ୍ତି । ଛବି ଆଙ୍କିବା ବିଷୟରେ ପାଠ ପଢ଼ିଛନ୍ତି । ପୁଣି ମନ ଭିତରେ ଆଙ୍କିଥିବା ଛବିକୁ ମଞ୍ଚ ଉପରେ ସଜାଇ ଦର୍ଶକଙ୍କର କରତାଳି ପାଇଛନ୍ତି । ଏହାଠାରୁ ବଡ଼ ପୁରସ୍କାର ପାଇଁ ସେ କେବେ ଆଶା କି ପ୍ରୟାସ କରିନାହାଁନ୍ତି ।[/box]

ପ୍ରଶ୍ନ: ତେବେ କ’ଣ ପାଇଁ ଏ ପରମ୍ପରା ସୃଷ୍ଟି ହେଲା?

ଉତ୍ତର: ନିଦ୍ଦେଶକ ଭାବୁଛନ୍ତି ଯଦି ଆଗରୁ ମଞ୍ଚସ୍ଥ ନାଟକ ସେ ପୁଣିଥରେ ପରିବେଷଣ କରିବେ ତେବେ ତାହାକୁ ନେଇ ତୁଳନା ବା ସମାଲୋଚନାର ସମ୍ଭବନା ସୃଷ୍ଟି ହେବ । ତା ଛଡ଼ା ଆଜିକାଲି ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠି ଭିନ୍ନ ସ୍ଥାନରେ ନାଟକ ପରିବେଷଣ ପାଇଁ ଯାଉ ନାହାଁନ୍ତି । ପ୍ରତ୍ୟେକ ଅଞ୍ଚଳରେ ନିର୍ଦ୍ଧାରିତ ଗ୍ରୃପ୍ ସୃଷ୍ଟି ହେବାରୁ ସେମାନଙ୍କର ନିର୍ଦ୍ଦିଷ୍ଟ ଦର୍ଶକ ରହିଛନ୍ତି । ଏଣୁ ଦର୍ଶକଙ୍କ ଚାହିଦା ପୂରଣ କରିବାକୁ ନାଟ୍ୟ ସଂସ୍ଥାମାନେ ଦିନକୁ ଦିନ ନୂଆ ସ୍କ୍ରିପ୍ଟ ଖୋଜୁଛନ୍ତି ।

ପ୍ରଶ୍ନ: ଛବି ଆଙ୍କିବା, ମଞ୍ଚ ସଜାଇବା, ନିର୍ଦ୍ଦେଶନା, ଏବଂ ଅଭିନୟ ଭିତରୁ କେଉଁଟି ଆପଣଙ୍କୁ ଅଧିକ ଆନନ୍ଦ ଦେଇଛି?

ଉତ୍ତର: ପେଶା କେବେ କାହାକୁ ଆନନ୍ଦ ଦିଏ ନାହିଁ । ଏଥିପାଇଁ ସେ ବାଧ୍ୟ । କିନ୍ତୁ ନିଶା ସବୁବେଳେ ଆନନ୍ଦ ଦିଏ । ଏଣୁ ମୋତେ ମଧ୍ୟ ମଞ୍ଚ, ନାଟକ ଓ ଅଭିନୟ ସବୁବେଳେ ଆନନ୍ଦ ଦେଇଛି । ସିନେମା ହେଉକି ମଞ୍ଚ ଓ ରେଡ଼ିଓରେ ଅଭିନୟ ଲୋକଙ୍କ ପାଖରେ ମୋତେ ଅଧିକ ପରିଚିତ କରାଇଛି । ନିର୍ଦ୍ଦେଶନା ମୋତେ ସବୁଠାରୁ ବେଶୀ ଆକର୍ଷିତ କରିଛି ।

[box type=”shadow” align=”” class=”” width=””]ଅଭିନୟ (ସିନେମା): ନବଝଡ଼, ସଉତୁଣି, ଜଗାବଳିଆ, ଦାଦାଗିରି, ତାରା, ମୁକ୍ତି ତୀର୍ଥ, ଅଗ୍ନିବୀଣା ଅଭିନୟ (ନାଟକ): ସବା ଶେଷ ଲୋକ, ରୂପାନ୍ତର, ନିଶିପଦ୍ମ, ନିଜ ପ୍ରତିନିଧିଙ୍କଠାରୁ, ଅଥବା ଅନ୍ଧାର, ଅଥଚ ଚାଣକ୍ୟ, ଶେଷ ପାହାଚ, ପୁରୁଣା ଚକ୍ର, ଡ଼ାଉନ୍ ଟରେନ୍ ।[/box]

ପ୍ରଶ୍ନ: କେବେ ଆପଣଙ୍କୁ ଆପଣଙ୍କ ପେସା ସହାୟକ ହୋଇନି ନିଶା ଅର୍ଥାତ୍ ନାଟକକୁ ଆଗକୁ ବଢ଼ାଇବା ପାଇଁ?

ଉତ୍ତର: ନାଟକ ଓ ଛବି ଭିତରେ ମୁଁ ସମନ୍ୱୟ ସୃଷ୍ଟିପାଇଁ ଚିନ୍ତା କରେ ।  ଯେମିତି ଛବି ଆଙ୍କେ ମୁଁ ସେମିତି ନାଟକର ମଞ୍ଚ ସଜାଏ । ଛବି ଆଉ ଚିତ୍ରର ଏତିକି ଫରକ ଯେ ନାଟକରେ ଯେଉଁ ଜୀବନ୍ତ ଚିତ୍ରସବୁ ଥାନ୍ତି ତାହା ଛବିରେ ନଥାଏ । ନହେଲେ ଆଉ ସବୁ ଏକା।

ପ୍ରଶ୍ନ: ଆପଣଙ୍କ ନଜରରେ ପୁରସ୍କାରର ଅର୍ଥ କ’ଣ?

ଉତ୍ତର: ପ୍ରଶଂସା ବା ପୁରସ୍କାର ମୋତେ କେବେ ଆନ୍ଦୋଳିତ କରିନି ।  ଏଣୁ ମୁଁ ପୁରସ୍କାର ନେଇ କେବେ ମୁଣ୍ଡ ଖେଳାଏନି । ପ୍ରୟାସ ବି କରିନି । ବଡ଼ ପୁରସ୍କାର ଅପେକ୍ଷା ଲୋକମାନଙ୍କ ଭଲପାଇବା ମୋତେ ଅଧିକ ଖୁସି ଦେଇଛି ।

ସୌଜନ୍ୟ – (ନିତିଦିନ)

[box type=”shadow” align=”” class=”” width=””] “ଛବି ଆଙ୍କିବାଟା ମୋର ପେଶା । ଆଉ ନାଟକ ମୋର ନିଶା । ପେଶା କେବେ କାହାକୁ ଆନନ୍ଦ ଦିଏ ନାହିଁ । ଏଥିପାଇଁ ସେ ବାଧ୍ୟ । କିନ୍ତୁ ନିଶା ସବୁବେଳେ ଆନନ୍ଦ ଦିଏ । ଏଣୁ ମୋତେ ମଧ୍ୟ ମଞ୍ଚ, ନାଟକ ଓ ଅଭିନୟ ସବୁବେଳେ ଆନନ୍ଦ ଦେଇଛି । ସିନେମା ହେଉକି ମଞ୍ଚ ଓ ରେଡ଼ିଓରେ ଅଭିନୟ ଲୋକଙ୍କ ପାଖରେ ମୋତେ ଅଧିକ ପରିଚିତ କରାଇଛି । ନିର୍ଦ୍ଦେଶନା ମୋତେ ସବୁଠାରୁ ବେଶୀ ଆକର୍ଷିତ କରିଛି ।” ସାକ୍ଷାତକାର ସମୟରେ ନିଜ ହୃଦୟର କଥାଟିକୁ ପ୍ରକାଶ କରିଥିଲେ ବିଶିଷ୍ଟ ଚିତ୍ରକର, ମଞ୍ଚସଜ୍ଜା କଳାକାର, ମଞ୍ଚ ନିର୍ଦ୍ଦେଶକ, ନାଟ୍ୟ ରଚୟୀତା, କଳା ନିର୍ଦ୍ଦେଶକ, ମଞ୍ଚ ଅଭିନେତା ୰ ଶ୍ରୀ ଅସୀମ ବସୁ । ତାଙ୍କର ବାସ୍ତବ ଅନୁଭୂତିଟି କଳା କ୍ଷେତ୍ରରେ ସଂଗ୍ରାମରତ ଶହ ଶହ ଯୁବ କଳାକାରମାନଙ୍କୁ ପ୍ରେରଣା ଦେବବୋଲି ଆଶା ।    -ସମ୍ପାଦକ[/box]

ଉପସ୍ଥାପନା – ହରିହର ପଣ୍ଡା

 

Share This Article