ଚୌଧୁରୀ ରାମକିଙ୍କର

18 Min Read

 

ଚୌଧୁରୀ ରାମକିଙ୍କର ତାଙ୍କର ଅନିୟମିତ ଶରୀରଟିକୁ ପଲଙ୍କ ଉପରେ ଭରା ଦେଇ ଉଠିବା ପରଠାରୁ ବେଶ୍ ଉଲ୍ଲସିତ ମନେ ହେଉଥିଲେ। ସକାଳର ନରମ ଖରା ବାଲକୋନି ଉପରେ ବିଛାହୋଇ ପଡ଼ିଥିଲା ଗଦାଏ ଖୁଚୁରା ପଇସା ଭଳି । ରାମକିଙ୍କର ବାଲକୋନି ଉପରେ ବୁଲୁ ବୁଲୁ କେଉଁ ଏକ ଖିଆଲରେ ବୁଡ଼ିଯାଇଥିଲେ ଓ ବାଲକୋନି ତଳକୁ ବାରମ୍ବାର ଅନାଇ ମନକୁ ମନ ହସୁଥିଲେ ।

‘ଜୟ ମଙ୍ଗଳା’ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ଚୌଧୁରୀ ରାମକିଙ୍କର ବହୁ ଅଦ୍ଭୁତ ଖିଆଲର ମଣିଷ । ଏକଥା ତାଙ୍କର କର୍ମଚାରୀମାନେ ଜାଣନ୍ତି, ଆଉ ସେ ନିଜେ ମଧ୍ୟ ଜାଣନ୍ତି । ବ୍ୟବସାୟର ଶ୍ରୀବୁଦ୍ଧି ପାଇଁ ତାଙ୍କର ଉଦ୍ଭାବିତ ନୂତନ ଯୋଜନାଗୁଡ଼ିକ ବ୍ୟବସାୟ ମହଲରେ ବାରମ୍ବାର ସୃଷ୍ଟି କରିଛି ଆଲୋଡ଼ନ । ମାନ୍ଦା ପଡ଼ି ଆସୁଥିବା ବ୍ୟବସାୟରେ ସୃଷ୍ଟି ହୋଇଛି ଚମକ । ଦ୍ୱିଗୁଣିତ ବେଗରେ ବ୍ୟବସାୟ ବଢିଛି । ଆଉ ରାମକିଙ୍କର ହୋଇଛନ୍ତି ବ୍ୟବସାୟୀ କୁଳର ଆଶାର କେନ୍ଦ୍ରବିନ୍ଦୁ ।

କିନ୍ତୁ, ଚାଳିଶ ବର୍ଷ ତଳେ ରାମକିଙ୍କର ଯେତେବେଳେ ମାଟ୍ରିକ ପାସ କରି କଲେଜରେ ପାଠ ପଢ଼ିବା ପାଇଁ ଜିଦ୍ ଧରି ବସିଲେ ସେତେବେଳେ ତାଙ୍କ ବାପାଙ୍କୁ ନିରୁତ୍ସାହିତ କରିଥିଲେ ସମସ୍ତେ । ରାମକିଙ୍କର ଯେ ଅଦରକାରୀ ହୋଇଯିବ ବ୍ୟବସାୟ ପାଇଁ କେବଳ ତା ନୁହେଁ, ପଢ଼ାଇବା ପାଇଁ ଯେଉଁ ପଇସା ଖର୍ଚ୍ଚ ହେବ ଚାରିବର୍ଷ ଧରି, ସେତିକିରେ ଆଉ ଏକ ବ୍ୟବସାୟ ଖୋଲି ତାଙ୍କୁ ବସାଇଦେବା ପାଇଁ ଅନେକେ ତାଙ୍କ ବାପାଙ୍କୁ ପରାମର୍ଶ ଦେଇଥିଲେ ।

ସମସ୍ତଙ୍କ ଅନିଚ୍ଛା ସତ୍ୱେ ସେ ପଢ଼ିଲେ କଲେଜରେ ବାପାଙ୍କୁ ଅପ୍ରତ୍ୟାଶିତ ଆତ୍ମହତ୍ୟାର ଧମକ ଦେଇ । (ସତେ! କେତେ ଦୁଃସାହସୀ ନ ଥିଲେ ସେ ସେତେବେଳେ) ଭଲ ଛାତ୍ର ଭାବେ ପରିଗଣିତ ହେଲେ । କବିତା ଲେଖିବାକୁ ଲାଗିଲେ । ସାହିତ୍ୟ କ୍ରମଶଃ ହୋଇଗଲା ତାଙ୍କର ଦୁର୍ବଳତା । ଏହା ଜାଣି ସମସ୍ତେ କହିଥିଲେ- ରାମକିଙ୍କର ଆଉ ବ୍ୟବସାୟୀ ହୋଇ ପାରିବ ନାହିଁ; ସାହିତ୍ୟ ଯାହାର ହେଲାଣି ଦୁର୍ବଳତା ସେ କ’ଣ ଆଉ ଝାଳ ନାଳ ହୋଇ ଗୋଟିଏ ଜାଗାରେ ବସି ବ୍ୟବସାୟ ତଦାରଖ କରିବ? ବାପା ତାଙ୍କର ଆତଙ୍କିତ ହୋଇପଡ଼ିଥିଲେ କୁଳ ବେଉସାର ଆସନ୍ନ ପତନ ଆଶଙ୍କାରେ । କିନ୍ତୁ ପୁଅର ଆତ୍ମହତ୍ୟା ଧମକ ତାଙ୍କୁ ନିବୃତ୍ତ କରିଥିଲା, ପୁଅକୁ କୌଣସି ପ୍ରକାର ଉପଦେଶ ବା ପରାମର୍ଶ ଦେବା ପାଇଁ ।

                ରାମକିଙ୍କର ଇଜି ଚେୟାର ଉପରେ ବସିପଡ଼ି ନୀଳ ଅକାଶଟିକୁ ଚାହିଁଲେ । ହଷ୍ଟେଲ ଝରକାର ଅନ୍ତରାଳରୁ ଏହି ନୀଳ ଆକଶଟିକୁ ଦେଖି ବହୁ କବିତା ଲେଖିଛନ୍ତି ସେ -ପୁରସ୍କୃତ ମଧ୍ୟ ହୋଇଛନ୍ତି । ଆଉ କଲେଜର ସେଇ କେତୋଟି ଝିଅ ତାଙ୍କ କବିତା ପାଇଁ ମଧ୍ୟ କମ୍ ଖୋରାକ ଯୋଗାଇ ନଥିଲେ ।

ପୁଲକିତ ହୋଇ ଉଠିଲେ ରାମକିଙ୍କର । ଅନର୍ସ କ୍ଲାସର ସେଇ ଏକମାତ୍ର ଝିଅଟି ଯେଉଁଦିନ ତାଙ୍କ ଠାରୁ ନୋଟ ମାଗିଲା…. ଚଗଲା ପିଲା ଗୁଡ଼ା ତାଙ୍କ ମନଟାକୁ ଚହଲାଇ ଦେଇଥିଲେ । ହଷ୍ଟେଲକୁ ଫେରି ସମସ୍ତେ ଶୋଇପଡ଼ିବା ପରେ ସେ ଉଠି ଲେଖିଥିଲେ ଗୋଟିଏ ତିନି ଫର୍ଦିଆ କବିତା – ତାଙ୍କର ସମସ୍ତ ଆବେଗକୁ ପୁଞ୍ଜି କରି । କବିତାଟିକୁ ଯେଉଁଦିନ ସେ ପଠାଇ ଦେଲେ ଛପାଇବା ପାଇଁ ସେହିଦିନ ହିଁ ଅହେତୁକ ଭୟ ତାଙ୍କ ମନକୁ ଗ୍ରାସ କରିଥିଲା । କେଉଁ ଏକ ଅଜଣା ଅଘଟଣର ଆଶଙ୍କାରେ ସେ କିଛି ଦିନ ପାଇଁ ନୀରବ ହୋଇଗଲେ ।

ଆଶଙ୍କା ଭୁଲ ହେଲା ନାହିଁ । ବାପା ଘରକୁ ନେଇ ତାଙ୍କୁ ପଢ଼ା ବନ୍ଦ କରିବାକୁ ପରାମର୍ଶ ଦେଇଥିଲେ । ରାମକିଙ୍କର ସେହିଦିନ ହିଁ ନିଚ୍ଛକ ସତ୍ୟଟିଏ ଜାଣିଲେ, ପ୍ରେମ ଓ ବ୍ୟବସାୟ ପରସ୍ପର ପ୍ରତି ଅନୁକୂଳ ନୁହନ୍ତି । ସେହି ଦିନ ଠାରୁ ସେ କବିତା ଲେଖିବା ବନ୍ଦ କରିଛନ୍ତି ।

ଆଜି ଆକାଶଟା ତାଙ୍କ ପାଇଁ ନୀଳ ଟେରିକଟ କନାର ଖୋଲା ଥାନ ଛଡା ଆଉ କିଛି ନୁହେଁ ।

ରାମକିଙ୍କର ଏକ ଅପରିତୃପ୍ତ କାବ୍ୟିକ ବିଷାଦରେ ଆକ୍ରାନ୍ତ ହେଲେ । ଏଭଳି ବିଷାଦ ପାଇଁ ସେ ପ୍ରସ୍ତୁତ ନ ଥିଲେ । ବ୍ୟବସାୟରୁ ମୁକ୍ତ ହୋଇ ସେ କ’ଣ ଚାହିଁ ନଥିଲେ ଜୀବନକୁ ଏକ ନୂତନ ମୋଡ଼ ଦେବା ପାଇଁ? ଉଚ୍ଚ ପଦସ୍ଥ ସରକାରୀ ଅଫିସର ହୋଇଯିବାକୁ ବା କେତଦୂର ଥିଲା ଆଉ? କିନ୍ତୁ ବାପା ପୁଣି ଟାଣିଲେ ପଛକୁ । ଆଉ ସେ ରହିଗଲେ ‘ଜୟ ମଙ୍ଗଳା’ ପ୍ରତିଷ୍ଠାନର ମାଲିକ ହୋଇ । ସବୁ ପଢ଼ାପଢ଼ି ଯେପରି ତାଙ୍କର ବ୍ୟର୍ଥ ହୋଇଗଲା । ତାଙ୍କ ମନକୁ  ସ୍ଥିର କରିବାକୁ ପାଠଶାଳା ଏରୁଣ୍ଡି ଡେଉଁ ନ ଥିବା ଲକ୍ଷପତି ପିତା ଯେତେବେଳ ବ୍ୟବସାୟର ଶ୍ରୀବୁଦ୍ଧି ପାଇଁ ତାଙ୍କର କଲେଜ ପଢ଼ାକୁ ବ୍ୟବହାର କରିବାକୁ ପରାମର୍ଶ ଦେଲେ – ସେତେବେଳେ ବାପାଙ୍କ ପ୍ରତି ତାଙ୍କର ଦୟା ହୋଇଥିଲା । ତଥାପି ତାଙ୍କ ପରାମର୍ଶକୁ ସେ ଏଡାଇ ଦେଇ ପାରିନଥିଲେ ।

କିନ୍ତୁ ଇତିହାସ ଓ ରାଜନୀତି ବିଜ୍ଞାନକୁ ସେ ବ୍ୟବସାୟରେ ଲଗାଇବେ କିପରି?

ବାପା କହିଥିଲେ ନିଜେ ଖୋଜି ବାହାର କରିବାକୁ । ଜୀବନଟା ଗୋଟାଏ ବଡ଼ ବ୍ୟବସାୟ ଓ ଯେ କୌଣସି ବିଷୟକୁ ଯେ ବ୍ୟବସାୟ ପାଇଁ ଲଗାଯାଇ ପାରେ- ଏହା ଯେପରି ତାଙ୍କ ବାପା ବୁଝିଥିଲେ ।

ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ…. ଗୋଟିଏ ପରେ ଗୋଟିଏ ପରିକଳ୍ପନା ଜନ୍ମ ନେଇଛି, ଯୋଜନା ଦେଇ ରୂପ ପାଇଛି ଆଉ ତାଙ୍କ ବ୍ୟବସାୟ ହୋଇଛି ସ୍ଫୀତ …ବହୁସ୍ଫୀତ!

ସ୍ମିତ ହସିଲେ ରାମକିଙ୍କର । କେଉଁ ଏକ ଛୋଟ ତହସିଲ ଟାଉନରୁ ଆସି ଆଜି ସେ କ୍ୟାପିଟାଲରେ ଜମାଇ ବସିଛନ୍ତି ବ୍ୟବସାୟ । ହୋଇପାରିଛନ୍ତି ଜଣେ ପ୍ରତିଷ୍ଠିତ ବ୍ୟକ୍ତି ।

ରଜାନୀତି ବିଜ୍ଞାନକୁ ବ୍ୟବହାର କରି ସେ ବୁଝିଥିଲେ ଯେ ବ୍ୟବସାୟର ଶ୍ରୀବୃଦ୍ଧି ପାଇଁ ତାଙ୍କୁ କ୍ଷମତା କେନ୍ଦ୍ର ପାଖରେ ହିଁ ରହିବାକୁ ହେବ । ତେଣୁ ବାପାଙ୍କୁ ବୁଝାଇ ସେ ତହସିଲ ଟାଉନ ଛାଡ଼ି ଚାଲି ଆସିଥିଲେ କ୍ୟାପିଟାଲ ।

ସେ ହିଁ ଏ କ୍ୟାପିଟାଲରେ ପ୍ରଥମେ ଆରମ୍ଭ କରିଥିଲେ ଚାନ୍ଦା ଦେବାର ଏକ ସଂଗଠିତ ପରମ୍ପରା ।

ରାଜନୈତିକ ଦଳ, ନାରୀ ସଂରକ୍ଷଣ ସଭା, ସମାଜବାଦୀ ଛାତ୍ର ସଂଗଠନ, ସାମ୍ୟବାଦୀ ଶ୍ରମିକ ସମିତି, ତାଙ୍କର ପଡ଼ାର ବିପ୍ଲବୀ କ୍ଲବ ଇତ୍ୟାଦିଙ୍କ ପାଇଁ ସେ ଆଜି ଉଦାର ପୃଷ୍ଠପୋଷକ, ବଦାନ୍ୟ ବ୍ୟକ୍ତି । କିନ୍ତୁ ଯେତେବେଳେ ଏହିଭଳି ଚାନ୍ଦା ଦେବା ପାଇଁ ସେ ତାଙ୍କର ସାପ୍ତାହିକ ଗୁପ୍ତ ମନ୍ତ୍ରଣା ସଭାରେ ଅନ୍ୟାନ୍ୟ ବ୍ୟବସାୟୀ ବନ୍ଧୁମାନଙ୍କୁ ପ୍ରଥମେ ପରାମର୍ଶ ଦେଇଥିଲେ – ସେତେବେଳେ କି ବିରୋଧର ସମ୍ମୁଖୀନ ହୋଇ ନଥିଲେ ସେ! ବ୍ୟବସାୟର ଶ୍ରୀବୃଦ୍ଧି ପାଇଁ ସମାଜର ମୁଖ୍ୟ ଧାରାରେ ସାମିଲ ହେବାର ଅନିବାର୍ଯ୍ୟତା ସପକ୍ଷରେ ବଳିଷ୍ଠ ଯୁକ୍ତି ବାଢ଼ି କିନ୍ତୁ ସେ ସମସ୍ତଙ୍କୁ ନୀରବ କରିଦେଇ ପାରିଥିଲେ ।

ଆଜି ଅବଶ୍ୟ ଚାନ୍ଦା ଦେବାର ସୁଫଳ ବିଷୟରେ କେହି ସନ୍ଦିହାନି ନୁହନ୍ତି । ଏହି ଚାନ୍ଦାର ବାଗଡୋରୀରେ ଆଜି ସମସ୍ତେ ବନ୍ଧା । ହୁଅନ୍ତୁ ପଛେ ସେ ଯୋଗାଣ ମନ୍ତ୍ରୀ ଅଚ୍ୟୁତାନନ୍ଦ, ଶ୍ରମ ବିଭାଗ ସେକ୍ରେଟାରୀ ଓଁକାର ନାଥ ମହାପତ୍ରଙ୍କ ସ୍ତ୍ରୀ ମିସେସ୍ ବିସ୍ମିତା ମହାପାତ୍ର, ଛାତ୍ରନେତା ଜାମସେଦ୍ ଅବଦୁଲ୍ଲା ପ୍ରଭାକର ରିଚାର୍ଡ଼, ବା ଶ୍ରମିକ ନେତା ସ୍ଫୁଲିଙ୍ଗ ସେନ୍ ।

ଇତିହାସରୁ ସେ ବୁଝିଛନ୍ତି – ଯା ହାତରେ ଯେତେ ବେଶି କ୍ଷମତା – ସେ ସେତେ ବେଶୀ ଦୁର୍ବଳ!

ଶିକ୍ଷିତ ରାମକିଙ୍କରଙ୍କ ବିଶ୍ଳେଷଣନିଷ୍ଠ ମନଟା ବୈଜ୍ଞାନିକ ପଦ୍ଧତିରେ ଦୁର୍ବଳତାଗୁଡ଼ିକୁ ଶ୍ରେଣୀଭୁକ୍ତ କରୁ କରୁ ଆବିଷ୍କାର କରିଥିଲା ଅର୍ଥ, ସୁରା ଓ ନାରୀ ପ୍ରତି କ୍ଷମତାଧିଷ୍ଠିତ ବ୍ୟକ୍ତିର ଆଦିମ ଦୁର୍ବଳତା । ଅଧିକାଂଶ କ୍ଷମତାଧିଷ୍ଠିତ ବ୍ୟକ୍ତିଙ୍କ କ୍ଷମତାକୁ ଅର୍ଥ, ସୁରା ଓ ନାରୀ ବିନିମୟରେ ଯେ ନିଜ ମୁନାଫା ପାଇଁ ବ୍ୟବହାର କରାଯାଇ ପାରେ – ସେହିଭଳି ଏକ ଧାରାଣା ବଦ୍ଧମୂଳ ହୋଇଯାଇଥିଲା ରାମକିଙ୍କରଙ୍କର । ଅବଶ୍ୟ ବ୍ୟକ୍ତିଗତ ଚାହିଦା ଓ ପସନ୍ଦରେ ରହିପାରେ ଫରକ । କିଏ ହୁଏ ତ ପାଞ୍ଚ ଟଙ୍କାରେ ବା କିଏ ପଚାଶ ହଜାର ଟଙ୍କାରେ; କିଏ ହୁଏତ ବିଅର ବୋତଲଟିରେ ବା କିଏ ସ୍କଚ ବୋତଲଟିରେ । ତଫାତ୍ କେବଳ ପରିମାଣ ନେଇ!

ପାଠଶାଳା ଏରୁଣ୍ଡି ଡେଇଁ ନ ଥିବା ପିତାଙ୍କ ଉଦ୍ଦେଶ୍ୟରେ ବିଶ୍ୱବିଦ୍ୟାଳୟ ଶିକ୍ଷିତ ରାମ କିଙ୍କର ପ୍ରଣାମ ଜଣାଇଲେ, ଇତିହାସ ଓ ରାଜନୀତି ବିଜ୍ଞାନକୁ ବ୍ୟବସାୟରେ ବ୍ୟବହାର କରିବାର ପ୍ରେରଣା ତାଙ୍କର ସେହି ଅଶିକ୍ଷିତ ପିତା ହିଁ ତ ଦେଇଥିଲେ – ଉଚ୍ଚଶିକ୍ଷିତ ବିଲାତ ଫେରନ୍ତା ସୌଖିନ ପ୍ରଫେସରମାନେ ନୁହନ୍ତି ।

ବିଶ୍ୱବିଦ୍ୟାଳୟ ।

ଯେଉଁ ବିଶ୍ୱବିଦ୍ୟାଳୟରୁ ସେ ପାଠ ପଢ଼ି ଶିକ୍ଷିତ ହୋଇଥିଲେ, ପରବର୍ତ୍ତୀ କାଳରେ ସେ ବିଶ୍ୱବିଦ୍ୟାଳୟର ଭାଗ୍ୟ ନିୟନ୍ତା ହୋଇ ବସିଲେ ରାମକିଙ୍କର । ଅବଶ୍ୟ ଆଜି ଆଉ ନାହାନ୍ତି ସେ । କିନ୍ତୁ ଯେତେବେଳେ ତାଙ୍କ ଗୁପ୍ତ ମନ୍ତ୍ରଣା ବୈଠକରେ ସେ ପ୍ରଥମେ ବିଶ୍ୱବିଦ୍ୟାଳୟର ପ୍ର୍ରଶାସନରେ ଅଂଶୀଦାର ହେବା ପାଇଁ ସିନେଟ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାର ଆଗ୍ରହ ପ୍ରକାଶ କଲେ, ସେତେବେଳେ ବୟସ୍କ ଶ୍ୟାମପ୍ରସାଦ ରାମକିଙ୍କରଙ୍କର ଏତାଦୃଶ ଆଗ୍ରହକୁ ଦୃଢସ୍ୱରରେ ଅଗ୍ରାହ୍ୟ କରିଥିଲେ । ‘ଯାହା ଆମର ବୃତ୍ତି ନୁହେଁ ସେଥିରେ ଆମେ ପଶିବା ଉଚିତ ନୁହେଁ’, ବୋଲି ଗୋଟାଏ ନୀତିଗତ ଉପଦେଶ ଦେଇଥିଲେ ଶ୍ୟାମ ପ୍ରସାଦ । ଅବଶ୍ୟ ଶେଷରେ ସେ ଜାଣିବାକୁ ଚାହିଁଥିଲେ ଏହାଦ୍ୱାରା ବ୍ୟବସାୟରେ କି ପ୍ରକାର ଲାଭ ହୋଇପାରେ ।

ରାମକିଙ୍କର ବୁଝାଇ ଥିଲେ ଶ୍ୟାମ ପ୍ରସାଦଙ୍କୁ ଯେ ବିଶ୍ୱବିଦ୍ୟାଳୟର ବର୍ତ୍ତମାନ ବାଲ୍ୟାବସ୍ଥା । ଉଚ୍ଚତର ଶିକ୍ଷାର ପ୍ରସାର ପାଇଁ ସରକାରଙ୍କ ନୀତିରେ ରହିଛି ପ୍ରଚୁର ସମ୍ଭାବନା । ଉଚ୍ଚତର ଶିକ୍ଷାର ପ୍ରସାର ସହିତ ବିଶ୍ୱବିଦ୍ୟାଳୟ ବଢ଼ିବ । ତା ସଙ୍ଗେ ସଙ୍ଗେ ବିଶ୍ୱବିଦ୍ୟାଳୟର ଚାହିଦା ବଢ଼ିବ । ତେଣୁ ବିଶ୍ୱବିଦ୍ୟାଳୟର ପ୍ରଶାସନ ଭିତରେ ପ୍ରବେଶ କରିବାକୁ ହେବ କେବଳ ବ୍ୟବସାୟର ଶ୍ରୀବୃଦ୍ଧି ପାଇଁ ।

ଅପର ପ୍ରାଇମେରୀ ଶିକ୍ଷା ପାଇଥିବା ଶ୍ୟାମପ୍ରସାଦଙ୍କ ପକ୍ଷରେ ସେଦିନ ଉଚ୍ଚତର ଶିକ୍ଷାର ଭବିଷ୍ୟତ ସଂପର୍କରେ ଯୁକ୍ତି କରିବା ସମ୍ଭବପର ହୋଇ ନ ଥିଲା । ସେ ମଧ୍ୟ ରାମକିଙ୍କରଙ୍କୁ ନୀରବରେ ମାନି ନେଇଥିଲେ ।

ରାମକିଙ୍କର ହୋଇଥିଲେ ସିଣ୍ଡିକେଟ ସଭ୍ୟ । ଆଜି ସମସ୍ତେ ଅବଶ୍ୟ ସ୍ୱୀକାର କରିବେ- ରାମକିଙ୍କରଙ୍କର ବିଶ୍ୱବିଦ୍ୟାଳୟ ପ୍ରଶାସନ ସହିତ ପ୍ରତ୍ୟକ୍ଷ ସଂପର୍କ ହିଁ ସେମାନଙ୍କ ବ୍ୟବସାୟ ପାଇଁ ହୋଇଥିଲା ଅନୁକୂଳ । ବିଶ୍ୱବିଦ୍ୟାଳୟର କୋଟି କୋଟି ଟଙ୍କାର ଚାହିଦା ପୂରଣ ପାଇଁ ସେମାନେ ହିଁ ପାଇଥିଲେ ସୁଯୋଗ – କେବଳ ରାମକିଙ୍କରଙ୍କ ପାଇଁ ।

କେବଳ ସେତିକି ନୁହେଁ ରାମକିଙ୍କର ପରିଚୟର ଏକ ନୂତନ ମୁଖା ପିନ୍ଧି ପାରିଲେ । ରାମକିଙ୍କର ହୋଇ ଉଠିଲେ ଶିକ୍ଷାବିଦ୍ । ବହୁ ଶିକ୍ଷାନୁଷ୍ଠାନର ଉଦ୍ଘାଟନ ପାଇଁ ସେ ହେଲେ ନିମନ୍ତ୍ରିତ । ମନ୍ତ୍ରୀଙ୍କ ସହିତ କାନ୍ଧ ମିଶାଇ ବସି ଦାନର ପ୍ରତିଶୃତି ଦେଇ ସେ ହୋଇ ଉଠିଲେ ଉଚ୍ଚଶିକ୍ଷାର ଜଣେ ଉଦାର ପୃଷ୍ଠପୋଷକ ।

ଅବଶ୍ୟ ସବୁ ପ୍ରକାର ଦାନ ବେଳେ ସେ ସତର୍କ ରହିଛନ୍ତି ଆୟକର ବିଭାଗର ସଂପର୍କରେ । ଆଉ ପରେ ସେହି ଅନୁଷ୍ଠାନର ଅନ୍ୟାନ୍ୟ ଚାହିଦାଗୁଡ଼ିକର ଅର୍ଡ଼ର କିପରି ତାଙ୍କର ବ୍ୟବସାୟ ପ୍ରତିଷ୍ଠାନ ପାଇପାରିବ ସେ ବିଷୟରେ ଅନୁଷ୍ଠାନର କର୍ମକର୍ତ୍ତମାନଙ୍କୁ ପ୍ରଭାବିତ କରିବାରେ ମଧ୍ୟ ସେ କଦାପି ସଙ୍କୁଚିତ ହୋଇନାହାନ୍ତି ।

ତାଙ୍କ ସହ-ବ୍ୟବସାୟୀମାନେ ଜାଣିଥିଲେ ଯେ ରାମକିଙ୍କର ପଥର ଚିପୁଡ଼ି ପାଣି ବାହାର କରିପାରନ୍ତି- ଯେ କୌଣସି ପରିସ୍ଥିତିରୁ ବ୍ୟାବସାୟିକ ଫାଇଦା ଉଠାଇ ପରନ୍ତି ।

କୋଡ଼ିଏ ବର୍ଷ ତଳେ ଯେତେବେଳେ ଜୋର ବନ୍ୟା , ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବିପନ୍ନ; ସରକାରୀ କଳର ଅପାରଗତା ଉପରେ ବିରୋଧୀ ଦଳର ଘନ ଘନ ଆକ୍ରମଣ ସେତେବେଳେ ରାମକିଙ୍କର ଥିଲେ ପ୍ରଥମ ବ୍ୟକ୍ତି ଯେ କି ଲକ୍ଷେ ଟଙ୍କାର ଗୋଟିଏ ଚେକ୍ ଦେଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦ୍ଘାଟନ କରିଥିଲେ । ଆଜି ବି ତାଙ୍କର ସ୍ପଷ୍ଟ ମନେ ଅଛି- ମୁଖ୍ୟମନ୍ତ୍ରୀଙ୍କର ସେ ନିବିଡ ଆଲିଂଗନ । ରାମକିଙ୍କର ସୁଯୋଗ ନେଇଥିଲେ ମୁଖ୍ୟମନ୍ତ୍ରୀଙ୍କ ଏତାଦୃଶ ବ୍ୟବହାରର । ଯେ କୌଣସି ସେବା କାର୍ଯ୍ୟ ପାଇଁ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ସେ ଦେଇଥିଲେ ନିର୍ଭର ଯୋଗ୍ୟ ପ୍ରତିଶୃତି ।

ମୁଖ୍ୟମନ୍ତ୍ରୀ ମଧ୍ୟ ଦେଇଥିଲେ ରାମକିଙ୍କରଙ୍କୁ ତାଙ୍କର ଆକାଂକ୍ଷିତ ଖାଦ୍ୟଶସ୍ୟ ଯୋଗଇବାର ଦାୟିତ୍ୱ । ଆଉ ସେଇ ନଈ ବଢ଼ିରୁ  ସେ ହେଲେ ‘ବିଶିଷ୍ଟ ସମାଜସେବୀ’- ବ୍ୟବସାୟରେ ହେଲା ଦୁଇକୋଟି ଟଙ୍କାର ଲାଭ । ସରକାରୀ କର୍ମଚାରୀମାନଙ୍କ ସହିତ ଗଢ଼ିଉଠିଲା ଘନିଷ୍ଠତା ।

ଆଜି ରାମକିଙ୍କର ହେଉଛନ୍ତି ‘ବିଶିଷ୍ଟ ସମାଜସେବୀ’ ଓ ‘ଶିକ୍ଷାବିଦ୍’ । କେହି ତାଙ୍କୁ ବ୍ୟବସାୟ ବୋଲି ପରିଚୟ ଦେଲେ ସେ ମନେ ମନେ ଅସନ୍ତୁଷ୍ଟ ହୁଅନ୍ତି । ଜୀବନ ଧାରଣ ପାଇଁ ସମସ୍ତେ ଯେପରି କିଛି ନା କିଛି ପେଶା କରୁଛନ୍ତି ସେ ମଧ୍ୟ ଗୋଟିଏ ସାମାନ୍ୟ ବ୍ୟବସାୟ କରୁଛନ୍ତି ବୋଲି କହି ତାଙ୍କର ବ୍ୟକ୍ତିତ୍ୱର ବ୍ୟବସାୟୀ ଦିଗଟାକୁ ଗୌଣ କରିଦିଅନ୍ତି । ଆଜି ସହରର ପ୍ରାୟ ସବୁ କାର୍ଯ୍ୟକ୍ରମରେ ତାଙ୍କର ପୃଷ୍ଠପୋଷକତା । ଆର୍ଟ ଏକଜିବିସନ୍ ଠାରୁ ଆରମ୍ଭକରି ଶିଶୁମାନଙ୍କର କୌତୁକ ପୋଷକ ପ୍ରତିଯୋଗିତା ପର୍ଯ୍ୟନ୍ତ ସବୁ ଆୟୋଜନ ପଛରେ ତାଙ୍କର ଅକୁଣ୍ଠିତ ଦାନକୁ କେହି ଅସ୍ୱୀକାର କରିପାରିବେ ନାହିଁ ।

କିନ୍ତୁ ଗତ ସପ୍ତାହରେ ଯେତେବେଳ ଦଳେ ଛାତ୍ର ଆସି ଏକ ସାହିତ୍ୟ ସଭାର ପୃଷ୍ଠପୋଷକ ହେବା ପାଇଁ ତାଙ୍କୁ ଅନୁରୋଧ କଲେ – ସେ ବାସ୍ତବିକ ହଠାତ୍ କୌଣସି ନିଷ୍ପତ୍ତି ନେଇ ପାରିନଥିଲେ । ଯୁବାବସ୍ଥାରେ ସାହିତ୍ୟକୁ ନେଇ ତାଙ୍କର ତିକ୍ତ ମଧୁର ଅନୁଭୂତି- ତାଙ୍କ ଭିତରେ ସାହିତ୍ୟ ପ୍ରତି ଏକ ଅହେତୁକ ଆତଙ୍କ ସୃଷ୍ଟି କରିଥିଲା; ସେଥିରେ ହଜିଯିବାର । ଆଉ ସେଥିରେ ହଜିଗଲେ- ବ୍ୟବସାୟର କ’ଣ ହେବ? ସାହିତ୍ୟ ବ୍ୟବସାୟର ପରିପୂରକ ନୁହେଁ । ସେ ତେଣୁ ପୃଷ୍ଠପୋଷକ ହେବା ପାଇଁ ମନା କରିଦେଇଥିଲେ, ସାହିତ୍ୟ ସଂପର୍କରେ ତାଙ୍କର ଅଜ୍ଞତାର ଆଳ ଦେଖାଇ । ସେ ପିଲାଗୁଡ଼ା କିନ୍ତୁ ନଛୋଡବନ୍ଧା । ତାଙ୍କ ଭିତରୁ ଜଣେ କହିଲା “ଆଜ୍ଞା ଆପଣ ଯେ ଲେଖା ଲେଖି କରୁଥିଲେ ତାହା ଆମେ ଜାଣିଛୁ । ଆପଣଙ୍କ ଭିତରେ ଆମେ ପାଇବୁ ଏକ କବି ପୃଷ୍ଠପୋଷକ । ଆପଣ ଆମକୁ ନିରାଶ କରୁଛନ୍ତି କାହିଁକି? ଆପଣଙ୍କ ଐଶ୍ୱର୍ଯ୍ୟରୁ କିଛି ସାହିତ୍ୟ ଶ୍ରୀବୃଦ୍ଧି ପାଇଁ ଲାଗୁ । ଆପଣ ସହଯୋଗ କଲେ ଆମର ସାହିତ୍ୟ ସଭା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିବ।”

ସପ୍ତାହ ଭିତରେ ସେ ଲାଗିଯାଇଥିଲେ ନୂଆ ପୁରୁଣା ବହୁ ପତ୍ରପତ୍ରିକା ସଂଗ୍ରହରେ । ଉଦ୍ଦେଶ୍ୟ ଥିଲା ନିଜକୁ ସାହିତ୍ୟ ସଚେତନ କରିନେବା । ବ୍ୟବସାୟରେ ଲାଭ କ୍ଷତିର ବହୁଳ ଅନୁଭୂତିକୁ ଦୋହଲାଇ ଅତୀତର ସେହି କବିତା ପ୍ରତି ଦୁର୍ବଳତା ଟିକକ ପୁଣି ଉଠିଲା ଉପରକୁ । କବିତା ଅନୁରାଗୀ ରାମକିଙ୍କରଙ୍କର ମନ ଚଞ୍ଚଳ ହୋଇ ପଡ଼ିଲା । ହାତରେ ଧରିଥିବା ପତ୍ରିକାର ପ୍ରଥମେ ସେ ଓଲଟାଇଥିଲେ ପୃଷ୍ଠା । କିନ୍ତୁ ଏ କ’ଣ? ବାରମ୍ବାର ପଢ଼ିଲେ- ବାକ୍ୟ ଭାଙ୍ଗି ପଢ଼ିଲେ, ଶବ୍ଦଗୁଡ଼ିକର ବିଭିନ୍ନ ତର୍ଜମା କରି ପଢ଼ିଲେ- ସବୁ ପୁଣି ଫେଣ୍ଟା ଫେଣ୍ଟିକରି ପଢ଼ିଲେ- ନା, ବୁଝିବା ତାଙ୍କ ଶକ୍ତିର ବାହାରେ । ଏହିଭଳି ଗୋଟିଏ ନୁହେଁ, ଦୁଇଟି ନୁହେଁ, ସବୁ ପତ୍ରିକାରେ ପ୍ରାୟ ପ୍ରତିଟି କବିତାର ସେ ଅନୁଭବ କଲେ ଏଇୟା, ଛାତ୍ରବାସ୍ଥାରୁ ଜାଣିଥିବା କେତୋଟି କବିଙ୍କର ଲେଖା ଛାଡ଼ି ଦେଲେ- ଆଉ କାହାରି କବିତା ତାଙ୍କ ବୁଝିବାର ସୀମା ଛୁଇଁ ନ ଥିଲା । ହୃଦୟକୁ ବିଚଳିତ କରିବା ତ ଦୂରର କଥା । ହତାଶ ହେଲେ ରାମକିଙ୍କର । ତାଙ୍କର କବିତା ପ୍ରତି ଅନୁରାଗ ବିତୃଷ୍ମାରେ ପରିଣତ ହେଲା । ସେ ବୁଝିପାରିଲେ ତାଙ୍କ ସମୟର କବିତାର ଧାରାରେ ପରିବର୍ତ୍ତନ ହୋଇଛି ଏକ ନୂତନ ଧାରା ବୋଧ ହୁଏ ଚାଲିଛି । କିନ୍ତୁ ଏ କିପରି ଧାରା । ଯାହା ଭାବକୁ ଛୁଏଁନା, ସେ କିପରି କବିତା? ଏ’ତ କବିତା ନୁହେଁ, ଶବ୍ଦର କୁଢ଼ । ଆଉ ଏଇ ପ୍ରକାର ସାହିତ୍ୟର ସେ ପୁଣି ହେବେ ପୃଷ୍ଠପୋଷକ! ତାଙ୍କ ସାହିତ୍ୟିକ ମନ ବିଦ୍ରୋହ କରି ଉଠିଲା ।

ବିମର୍ଷ ରାମକିଙ୍କର ଉତ୍ତେଜିତ ହୋଇପଡ଼ିଥିଲେ ଏପରି କବିତାଗୁଡ଼ିକର ସନ୍ଦର୍ଶନରେ । ସେ ଆରମ୍ଭ କରିଦେଲେ ପତ୍ରିକାଗୁଡ଼ିକରୁ ଏକ ତାଲିକା ପ୍ରସ୍ତୁତି ।

ଏଭଳି ଲେଖକମାନଙ୍କୁ ବ୍ୟକ୍ତିଗତ ପତ୍ର ଲେଖି ଏ ପ୍ରକାର ସାହିତ୍ୟ ସୃଷ୍ଟିରୁ କ୍ଷାନ୍ତ ହେବା ପାଇଁ କଡ଼ା ତାଗିଦ କରିବେ । ପାଠକ ହୋଇ ତାଙ୍କର ତ ପୁଣି କିଛି ଦାୟିତ୍ୱ ରହିଛି । ସେ ଟିପି ଚାଲିଲେ କବିମାନଙ୍କର ନାମ ଓ ଠିକଣା । ଲକ୍ଷ୍ୟ କଲେ ଅଭ୍ୟାସ ବଶତଃ ଲେଖକ, ଅଧ୍ୟାପକ ଗୋଷ୍ଠୀ ଛଡ଼ା ସରକାରୀ ଉଚ୍ଚପଦସ୍ଥ କର୍ମଚାରୀମାନଙ୍କ ଭିତରେ ସୁଦ୍ଧା କବିମାନଙ୍କର ସଂଖ୍ୟା ବେଶ୍ ବଢ଼ିଛି । ତାଙ୍କ ଭିତରେ ଅଛନ୍ତି ଯୋଗାଣ ବିଭାଗ ସେକ୍ରେଟାରୀ ସୁଧାଂଶୁ ଶେଖର, କମର୍ସିଆଲ ଟ୍ୟାକ୍ସ ଅଫିସର କୃଷ୍ଣ ମୋହନ, ଆୟକର ଅଫିସର ବିନୋଦ ବିହାରୀ । ଏମାନେ ସମସ୍ତେ ତାଙ୍କ ପରଚିତି ଲୋକ । ନିଜ ବ୍ୟବସାୟ ନେଇ ସେମାନଙ୍କୁ ସେ ବହୁବାର ସାକ୍ଷାତ କରିଛନ୍ତି। ଏବେ ସୁଧାଂଶୁ ଶେଖରଙ୍କ ଟେବୁଲ ଉପରେ ଅଟକି ରହିଥିବା ପରମିଟ୍ ଫାଇଳଟି ପାଇଁ ହୁଏତ ତାଙ୍କୁ ଯିବାକୁ ପଡ଼ିପାରେ ତାଙ୍କ ପାଖକୁ । ବିନୋଦ ବିହାରୀଙ୍କ ଠାରୁ ତ ନୋଟିସ୍ ପାଇଛନ୍ତି ତାଙ୍କ ସମ୍ମୁଖରେ ହାଜର ହେବା ପାଇଁ – ଅଛି ଆୟକର ମାମଲାର ଶୁଣାଣି । ଆଉ କୃଷ୍ଣ ମୋହନଙ୍କ ଟେବୁଲ ଉପରେ ପଡ଼ିଛି ଦୁର୍ନୀତି ନିବାରଣ ବିଭାଗର ତାଙ୍କ ପ୍ରତିଷ୍ଠାନ ବିରୁଦ୍ଧରେ ବିକ୍ରୀକରଣ ଫାଙ୍କି ଅଭିଯୋଗ ଫାଇଲ ।

ତାଙ୍କ ବ୍ୟବସାୟୀ ମନ ଖିଅ ଧରିଲା – ଏହି ସଂସ୍ମରଣରୁ । ଚିଠି ଲେଖି ଏହି ଆଧୁନିକ କବିମାନଙ୍କୁ କବିତା ଲେଖିବାରୁ କ୍ଷାନ୍ତ ହେବା ପାଇଁ ତାଗିଦ୍ କରିବାକୁ ଗର୍ଜୁଥିବା କବିମନକୁ ସଂଯତ ହେବା ପାଇଁ ନିର୍ଦ୍ଦେଶ ଦେଲା ତାଙ୍କ ବ୍ୟବସାୟୀ ବ୍ୟକ୍ତିତ୍ୱ, ଚେତେଇ ଦେଲା ସୃଷ୍ଟି ପ୍ରତି ସ୍ରଷ୍ଟାର ଦୁର୍ବଳତା କେତେ । ଏଭଳି ତାଗିଦ୍ ତାଙ୍କ ବ୍ୟବସାୟ ପାଇଁ ପ୍ରତିକୂଳ ହୋଇପାରେ । ରାମକିଙ୍କରଙ୍କର ପ୍ରତିବାଦ ମୁଖର କବିମନଟି ହଠାତ୍ ନୀରବ ହୋଇଗଲା । ତାଙ୍କର କାବ୍ୟପୁରୁଷ ଏକ ଆତଙ୍କିତ ସରୀସୃପ ଭଳି ତାଙ୍କର ସ୍ମୃତିର ପରସ୍ତ ପରସ୍ତ ଆସ୍ତରଣକୁ ଏଡାଇ ଯାଇ ପଶିଗଲା ନିରାପଦ ବିଳଟି ଭିତରେ ।

ବ୍ୟବସାୟୀ ରାମକିଙ୍କର ସଳଖି ବସିଲେ । ଏ ତାଲିକା ପ୍ରସ୍ତୁତିରେ କିନ୍ତୁ ତାଙ୍କର ସମୟ ଅପବ୍ୟୟ ହୋଇନି । ଆଜିର ଏଇ ସମାଜପତିମାନଙ୍କ ଭିତରେ ଦେଖାଯାଇଥିବା ବୌଦ୍ଧିକ ପ୍ରତିଷ୍ଠା ପାଇଁ ଏକ ସୂକ୍ଷ୍ମାତିସୂକ୍ଷ୍ମ ଦୁର୍ବଳତାର ସନ୍ଧାନ ପାଇଛନ୍ତି ସେ ଏହି ଅବସରରେ। ସେ ଠିକ୍ ଦେଖିପାରୁଛନ୍ତି, ବୈଷୟିକ ଓ ବୌଦ୍ଧିକ ଉଭୟ ସ୍ତରରେ ପ୍ରତିଷ୍ଠା ପାଇଁ ସମାଜପତିମାନଙ୍କ ଭିତରେ ଏକ ବିକଳ ଆଗ୍ରହ । ସେ ବର୍ତ୍ତମାନ ବୁଝିପାରୁଛନ୍ତି, କିପରି ଶୃଙ୍ଖଳା ବିହୀନ ଆଧୁନିକ କବିତା ଯୋଗାଇ ଦେଉଛି ସମସ୍ତଙ୍କୁ କବି ହେବାର ଅପୂର୍ବ ସୁଯୋଗ । ତାଙ୍କର ମନେହେଲା ଯେପରି ସମସ୍ତେ କବିତା ଲେଖୁଛନ୍ତି । କିଏ ପ୍ରକାଶ ପାଇଁ ପଠାଉଛି ବା କିଏ ଲେଖି ରଖି ଦେଉଛି । ବିଶ୍ୱାସ ହେଉ ନି କବିତାର ମାନ ଉପରେ । ତେଣୁ ପ୍ରକାଶିତ ଠାରୁ ଯେ ଅପ୍ରକାଶିତ ଆହୁରି ବେଶି ଏଥିରେ ସନ୍ଦେହ ନାହିଁ । ଉଭାଠାରୁ ପୋତା ଅଧିକ ।

ରାମକିଙ୍କରଙ୍କର ବ୍ୟବସାୟୀ ମନ ଚଞ୍ଚଳ ହୋଇଉଠିଲା । କ୍ଷମତା ସହିତ ସଂପର୍କ ସ୍ଥାପନ କରିବାର ଆଉ ଏକ ସୁନ୍ଦର ବାଟଟିଏ  ତାଙ୍କୁ ମିଳିଯାଇଛି; ସାହିତ୍ୟ ଦେଇ କ୍ଷମତାର ଏତେ ପାଖାପାଖି ଯେ କେହି ଆସିପାରେ! ସମ୍ଭାବନା ଖୁବ୍ ସ୍ପଷ୍ଟ ହୋଇଗଲା ରାମକିଙ୍କରଙ୍କର । ସମ୍ମୁଖରେ ନିଜ ଉଦ୍ଭାବନରେ ବିହ୍ୱଳିତ ହୋଇପଡ଼ିଲେ ରାମକିଙ୍କର । ତାଙ୍କୁ ମନେ ହେଲା ଏହି ଦୁର୍ବୋଧ୍ୟ, ଅବୋଧ୍ୟ ଶବ୍ଦକୁଢ଼ର କବିତା ହିଁ ଭଲ  । ପାଠକ ସହିତ ସାହିତ୍ୟିକର ଯୋଗାଯୋଗ ଛିନ୍ନ ହେବା ହିଁ ଭଲ । ବ୍ୟବସାୟ ପାଇଁ ଓ ବ୍ୟବସାୟୀ ପାଇଁ , ଉଭୟ ପାଇଁ ଭଲ । ଏହି ଦୂରତ୍ୱଟିକୁ ଆହୁରି ବଢ଼ାଇବାକୁ ହେବ । ସେହି ଦୁର୍ବୋଧ୍ୟ, ଅବୋଧ୍ୟ କବିତାଗୁଡ଼ିକୁ ବହୁଳ ଭାବରେ ପ୍ରକାଶିତ କରି କବିମାନଙ୍କୁ ପୁରସ୍କୃତ କରି ସେହିଭଳି କବିତା ଭିତରେ ହିଁ ସେମାନଙ୍କୁ ବିହ୍ୱଳିତ କରି ରଖିବାକୁ ହେବ । ବଡ଼ ସେମାନେ, ଭିନ୍ନ ସେମାନେ, ଏହି ଧାରଣାକୁ ସେମାନଙ୍କ ଭିତରେ ଆହୁରି ଦୃଢ଼ିଭୁତ କରିବାକୁ ହେବ । ପାଠକ ସମାଜକୁ ଯେତେ ବେଶି ବେଖାତରି କରାଯାଇପାରେ ସେତେ ଭଲ । ଆଜିର ସମାଜରେ ଏକ ଆତ୍ମବିହ୍ୱଳିତ ସମାଜପତି ହିଁ ତାଙ୍କର ଏକମାତ୍ର ଭରସା । ତେଣୁ ତାଙ୍କ ବୌଦ୍ଧିକ ଅହଂକୁ , ବିଷୟ ପ୍ରତି ମହତ୍ତ୍ୱକୁ ଆହୁରି ପାଂପଡ଼େଇବାକୁ ହେବ ।

ରାମକିଙ୍କର ଦେଖିଲେ ସାହିତ୍ୟ ଦେଇ ତାଙ୍କ ବ୍ୟବସାୟରେ ଲାଭ ହେବ । ତେଣୁ ସାହିତ୍ୟ ସଭାର ପୃଷ୍ଠପୋଷକତା ପାଇଁ ସେ ରାଜି ହେବେ। କେବଳ ସେତିକି ନୁହେଁ, ଏକ ପତ୍ରିକା ପ୍ରକାଶନ ପାଇଁ ତାଙ୍କର ଉଦାର ପୃଷ୍ଠପୋଷକତାକୁ ମଧ୍ୟ ସେ ଉନ୍ମୁକ୍ତ କରିଦେବେ । ସାହିତ୍ୟ ସଭାଗୁଡ଼ିକୁ ଆହୁରି ବ୍ୟାପକ କରି ଜାତୀୟ ଆର୍ନ୍ତଜାତୀୟ ସ୍ତରର କବି ଓ ଲେଖକମାନଙ୍କୁ ଅଣାଇବାର ପରାମର୍ଶ ଦେବେ ସେ । କ୍ଷମତାଧିଷ୍ଠିତ କବିମାନଙ୍କୁ ଅବଶ୍ୟ ବିଶେଷ ସୁଯୋଗ ଯେପରି ଦିଆଯାଏ, ସେଥିପ୍ରତି ସେ ବିଶେଷ ଦୃଷ୍ଟି ଦେବେ । ସେ ମଧ୍ୟ ତାଙ୍କର କବିତା ଲେଖିବାର ଅଭ୍ୟାସକୁ ପୁନରୁଜ୍ଜୀବିତ କରି କବି ଭାବରେ ସେମାନଙ୍କ ସହିତ ମିଶିଯିବେ । ଗୋଟିଏ ପ୍ରକାଶନୀ ସଂସ୍ଥା ଗଢି  ସମାଜପତିମାନଙ୍କ ସୃଷ୍ଟ ସାହିତ୍ୟକୁ ହିଁ ପ୍ରକାଶିତ କରିବେ । ବିକ୍ରୀ ନ ହେଲେ କିଛି କ୍ଷତି ନାହିଁ । କ୍ଷତି ହେବ ଆୟକର ବିଭାଗର । କିନ୍ତୁ ସମାଜପତିମାନେ ତ ହାତରେ ରହିବେ । ଆଉ ବ୍ୟବସାୟ ଠିକ୍ ଚାଲୁଥିବ ।

ଆଜି ସେଇ ପିଲାମାନେ ଆସିବେ । ବାଲକୋନି ଉପରୁ ରାମକଙ୍କରଙ୍କର ସେଇମାନଙ୍କୁ ହିଁ ପ୍ରତିକ୍ଷା । ଘଡ଼ି ଦେଖି ଉଠି ପଡ଼ିଲେ ରାମକିଙ୍କର ଇଜି ଚେୟାରରୁ । ତଳକୁ ଅନାଇଲେ । ସମୟ ହୋଇଯାଇଥିଲେ ସୁଦ୍ଧା ଏତେ ବେଳଯାଏ ସେମାନଙ୍କର ଦେଖା ନାହିଁ । ଆଜିକାଲିର ଯୁବକମାନଙ୍କର ସମୟଜ୍ଞାନର ପ୍ରଚୁର ଅଭାବ । କିନ୍ତୁ ସେ ଆଜି ଅପେକ୍ଷା କରିବେ ଯଦିଓ ହାତରେ ରହିଛି କେତେଗୁଡ଼ିଏ ଜରୁରୀ କାର୍ଯ୍ୟ । ଏ ଗୋଟିଏ ସୁନ୍ଦର ସୁଯୋଗ ଅଯାଚିତ ଭାବେ ଆସିଛି ଛାଡ଼ିଦେଲେ ଏତେ ପରିକଳ୍ପନା ଧୂଳିସାତ୍ ହୋଇଯିବ । ରାମକିଙ୍କର ଆଶଙ୍କିତ ହୋଇପଡ଼ିଲେ ଯେ ସେ ସେଦିନ କାହିଁକି ବିଶେଷ ଉତ୍ସହ ଦେଖାଇ ନଥିଲେ । ସେଥିପାଇଁ ସେ ପିଲାଗୁଡ଼ିକୁ ନିରୁତ୍ସାହିତ ହୋଇ ରହିଗଲେକି? କିନ୍ତୁ ସେ ତ ସାତ ଦିନ ପାଇଁ ସମୟ ମାଗି ନେଇଥିଲେ । ନା, ସାହିତ୍ୟ ସଭା ଆୟୋଜନକୁ ସ୍ଥଗିତ ରଖିଦେଲେ ଆଉ କୌଣସି କାରଣରୁ?

ଗୋଟାଏ ଚମତ୍କାର ସୁଯୋଗ ହରାଇବାର ଆଶଙ୍କାରେ ମ୍ରିୟମାଣ ହୋଇପଡୁଥିଲେ ରାମକିଙ୍କର । ତଥାପି-ଆଉ କିଛି ସମୟ ଅପେକ୍ଷା କରାଯାଉ- ରାମକିଙ୍କର ସ୍ୱଗତୋକ୍ତି ପୂର୍ବକ ପୁନରାୟ ଇଜି ଚେୟାରଟି ଉପରେ ନଥ କିନା ବସିପଡ଼ିଲେ । ଆଜିକାଲିର ଯୁବକମାନଙ୍କର ଅସମୟାନୁବର୍ତ୍ତିତା ହିଁ ଏଥିର ତାଙ୍କୁ କିଛିଟା ଆଶାବାଦୀ ହେବାର ପ୍ରେରଣା ଦେଉଥିଲା ।

ଦେହଲଗା ନଟବର ହଠାତ୍ ପଶିଆସିଲା ବାଲକୋନି ଉପରକୁ । ରାମକିଙ୍କର ନିଜ ଅଜାଣତରେ ପଚାରି ଉଠିଲେ- କେହି ମୋତେ ଖୋଜୁଛି କିରେ । ରାମକିଙ୍କର ଏହିଭଳି ପ୍ରଶ୍ନ କ୍ୱଚିତ୍ ତାଙ୍କ ଜୀବନରେ ପଚାରିଛନ୍ତି । ନଟବର ଦଳେ ଯୁବକଙ୍କର ଆଗମନ ସୂଚନା ଦେବାମାତ୍ରେ ରାମକିଙ୍କର ତତକ୍ଷଣାତ୍ ଉଠିପଡ଼ି ଚାହା ଜଳଖିଆ ପାଇଁ ବରାଦ କରି ଦେଇ ଏକମୁହାଁ ମାଡ଼ି ଚାଲିଲେ ବୈଠକଖାନା ଆଡ଼କୁ ।

ତାଙ୍କର ଧୋତିର କୁଞ୍ଚକାନି ସେତେବେଳକୁ ତଳେ ଘୁଷୁରୁଥିଲା …।

(ସୈାଜନ୍ୟ: ରବିବାର ସମ୍ବାଦ, ୧୯୮୫)

PHOTO CREDIT –

 

https://www.google.com/search?biw=1366&bih=626&tbm=isch&sa=1&ei=y01NXMSGLsLivATa-pGQDg&q=literature+and+poetry+and+business&oq=literature+and+poetry+and+business&gs_l=img.3…45427.51112..51579…0.0..0.374.5010.3-15……1….1..gws-wiz-img.V0wV9oYsbdw#imgrc=PVxBmRv32Mm–M:

Share This Article
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ